ଗଳ୍ପ

ବାଲେଶ୍ୱରୀ ରାହାଜାନୀ

Byaasakabi Fakir Mohan Senapati's odia story Baleshwari Raahaajaani

ସେମାନେ ଜାଣନ୍ତି, ଦେଶୀୟ ରାଜା ମହାରାଜାଙ୍କୁ ହତ୍ୟା କଲେ କାଳେ ରକ୍ଷା ପାଇ ପାରିବେ, ମାତ୍ର ପବିତ୍ର ଶ୍ୱେତଚର୍ମ ସ୍ପର୍ଶ କଲେ ରକ୍ଷା ନାହିଁ ।

ବାଲେଶ୍ୱରୀ ରାହାଜାନୀ

ରେଳ ତ କାଲିକା କଥା, କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖବିଶିଷ୍ଟ ସମତଳ, ପରିଷ୍କୃତ ସଡ଼କଦାଣ୍ଡ ବିସ୍ତୃତ ଅଛି, ପୂର୍ବକାଳରେ ସେଥିରେ ଚିହ୍ନ ସୁଦ୍ଧା ବିଦ୍ୟମାନ ନ ଥିଲା । ସେ ସମୟରେ ବଙ୍ଗଦେଶୀୟ ବା ଉତ୍ତରପଶ୍ଚିମାଞ୍ଚସ୍ଥ ଜଗନ୍ନାଥଦର୍ଶନାର୍ଥୀ ଯାତ୍ରୀମାନେ ଭୁଜଙ୍ଗଗତିବତ୍ କୁଟିଳ ଶ୍ୱାପଦସଙ୍କୁଳ, ଅରଣ୍ୟମୟ, ବନ୍ଧୁର, କଦାଚିତ୍ ପ୍ରାନ୍ତର ମଧ୍ୟଗତ ଅପ୍ରସ୍ତୁତ ସଂକୀର୍ଣ୍ଣ ମାର୍ଗରେ ଗତାୟାତ କରୁଥିଲେ । ବର୍ଷାକାଳରେ ଅସଂଖ୍ୟ ନଦୀ, ନାଳ ଜଳବହୁଳତା ପ୍ରଯୁକ୍ତ ଉକ୍ତ ମାର୍ଗମାନ ଜନଶୂନ୍ୟ ଅବସ୍ଥାରେ ପଡ଼ିଥାଏ । ଚୈତନ୍ୟ ଦେବଙ୍କ ସମୟରେ ନବଦ୍ୱୀପବାସୀ ଯାତ୍ରୀମାନଙ୍କୁ ପୁରୀରେ ଉପସ୍ଥିତ ହେବା ସକାଶେ ତିନିମାସ କାଳ ଲାଗୁଥିଲା । ବର୍ତ୍ତମାନ ଅଷ୍ଟ ପ୍ରହରରୁ ଅଧିକ ନୁହେଁ ।

ଇଷ୍ଟ-ଇଣ୍ଡିୟା- କୋମ୍ପାନି କଲିକତାବାସୀ ରାଜା ସୁଖମୟଙ୍କଠାରୁ କେତେ ଲକ୍ଷ ଟଙ୍କା ଋଣ ଗ୍ରହଣ କରିଥିଲେ । କୋମ୍ପାନି ଋଣ ପରିଶୋଧ କରିବାରୁ ରାଜା ମହୋଦୟ ତାହା ଗ୍ରହଣ ନ କରି କଲିକତାଠାରୁ ଶ୍ରୀକ୍ଷେତ୍ର ଧାମ ପର୍ଯ୍ୟନ୍ତ ଗୋଟିଏ ମାର୍ଗ ପ୍ରସ୍ତୁତ କରିବା ସକାଶେ କୋମ୍ପାନି ହସ୍ତରେ ତାହା ପ୍ରତ୍ୟର୍ପଣ କଲେ । ସେହି ଟଙ୍କା ବଳରେ ବର୍ତ୍ତମାନ ସଡ଼କ ନିର୍ମାଣର ସୂତ୍ରପାତ ହୋଇଥିଲା । ସଡ଼କ ଉପରେ ଅନେକ ପ୍ରସ୍ତରମୟ ସେତୁ ନିର୍ମିତ ହୋଇଥିଲା । କାଳକ୍ରମେ ସରକାର ବାହାଦୁର ସେହି ସମସ୍ତ ସେତୁ ଭଗ୍ନ କରି ତାହା ପରିବର୍ତ୍ତରେ ବୃହଦାକାର ଇଷ୍ଟକମୟ ସେତୁ ନିର୍ମାଣ କରି ଦେଇ ଅଛନ୍ତି । ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ପୁରାତନ କ୍ଷୁଦ୍ର କ୍ଷୁଦ୍ର ସେତୁ ବିଦ୍ୟମାନ ଅଛି । ସୋର ସମୀପବର୍ତ୍ତୀ କାଂଶବାଂଶ କ୍ଷୁଦ୍ର ନଦୀ ଉପରେ ନିର୍ମିତ ବୃହଦାକାର ସେତୁର ପ୍ରସ୍ତରାଂଶ ସୁଖମୟୀ ଅଟେ । କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ନବନିର୍ମିତ ମାର୍ଗ ପାର୍ଶ୍ୱରେ ପ୍ରତ୍ୟେକ ଦଶକ୍ରୋଶ ଅନ୍ତର ଇଷ୍ଟକମୟ ଖିଲାଣଯୁକ୍ତ, ପ୍ରାୟ ଚାରି ଶତ ଲୋକଙ୍କ ବାସୋପଯୋଗୀ ଦୁଇ ସାହାଲା ପାନ୍ଥନିବାସ (ଧର୍ମଶାଳା) ନିର୍ମିତ ହୋଇଥିଲା । ଉକ୍ତ ଧର୍ମଶାଳା ନିକଟରେ ଦୁଇଗୋଟି ଲେଖାଏଁ ସୁଗଭୀର କୂପ ମଧ୍ୟ ଖୋଳା ହୋଇଥିଲା । କାଳକ୍ରମରେ ସେହି ସମସ୍ତ ପାନ୍ଥନିବାସ ଜୀର୍ଣ୍ଣ ଓ ଅନାବଶ୍ୟକ ବୋଧ ହେବାରୁ ସରକାର ବାହାଦୂର ସେ ସମସ୍ତ ଭଗ୍ନ କରି ଇଷ୍ଟକରାଶି ସଡ଼କରେ ପକାଇଅଛନ୍ତି । ଭଦ୍ରକ, ବସ୍ତା ବ୍ରାହ୍ମଣୀକୂଳ ଓ କଟକରେ ସେହି ସମସ୍ତ ଧର୍ମଶାଳା ଅଦ୍ୟାବଧି ବିଦ୍ୟମାନ ଅଛି ।

ରାସ୍ତା ପ୍ରସ୍ତୁତ, କେତେକ ପରିମାଣରେ ପାନ୍ଥନିବାସର ଅଭାବ ମଧ୍ୟ ଦୂରୀଭୂତ ହେଲା, ମାତ୍ର ଯାତ୍ରୀମାନଙ୍କର ଖାଦ୍ୟାଦି ସଂଗ୍ରହ କରିବାର ଉପାୟ ନାହିଁ । ଜନ୍ ବିଚର ନାମକ ଜଣେ ସାହେବ ସରକାର ବାହାଦୁରଙ୍କଠାରୁ କେତେକ ଭୂମି ନିଷ୍କର ରୂପେ ଗ୍ରହଣ କରି ବାଲେଶ୍ୱରରେ ବିଚରଗଞ୍ଜ, ବସ୍ତାରେ ମୂଳିଦା, ବାଁଲଗା, ମାର୍କଣା, ଟାଙ୍ଗି, କଟକ ପ୍ରଭୃତି ସ୍ଥାନରେ ସରେଇ ଘର ନିର୍ମାଣ ଓ ଦୋକାନ ବସାଇ ଦେଲେ । ସୁଖମୟ ଧର୍ମଶାଳାରେ ସର୍ବଜାତିର ଲୋକ ବାସ କରୁଥିବାରୁ ହିନ୍ଦୁଧର୍ମାବଲମ୍ୱୀ ତୀର୍ଥଯାତ୍ରୀମାନେ ସେ ସ୍ଥାନରେ ପାକାଦି କରିବାକୁ ଅସମ୍ମତ ହୋଇ ବିଚର ସାହେବଙ୍କ ସରେଇ ଘରେ ବାସ କରିବାକୁ ଲାଗିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଆବଶ୍ୟକ ସ୍ଥାନମାନଙ୍କରେ ଚଟି ଘର ନିର୍ମାଣ ଓ ଦୋକାନ ବସାଇ ସମସ୍ତ ଅଭାବ ଦୂର କଲେ । ରେଲମାର୍ଗ ଫିଟିବାରୁ ସେ ସମସ୍ତ ଚଟି ଘର ଉଠିଗଲାଣି । ଜନ୍ ବିଚର ସାହେବ ସରକାର ବାହାଦୁରଙ୍କଠାରୁ ଯେଉଁ ନିଷ୍କର ଭୂମି ଗ୍ରହଣ କରିଥିଲେ, ତାହା ବିଲାତବାସୀ ଉତ୍ତରାଧିକାରୀଠାରୁ ସେଥିର ସ୍ୱତ୍ୱାଧିକାର କ୍ରୟ କରି ଭଦ୍ରକନିବାସୀ ବାବୁ ବ୍ରଜ ଗୁପ୍ତ ଭୋଗ ଦଖଲ କରୁଅଛନ୍ତି ।

ପାନ୍ଥମାନଙ୍କର ସମସ୍ତ ଅଭାବ ଦୂର ହେଲା । ଶ୍ୱାପଦ ଜନ୍ତୁମାନଙ୍କ ହସ୍ତରୁ ଅନେକ ପରିମାଣରେ ରକ୍ଷା ପାଇଲେ । ମାତ୍ର ନର-ରାକ୍ଷସ ଡକାଏତମାନଙ୍କ ଅତ୍ୟାଚାର ସେମାନଙ୍କୁ ଦୀର୍ଘକାଳ ପର୍ଯ୍ୟନ୍ତ ଭୋଗ କରିବାକୁ ହୋଇଥିଲା । ମେଦିନୀପୁର ଠାରୁ ଭଦ୍ରକ ପର୍ଯ୍ୟନ୍ତ ରାଜମାର୍ଗ ଡକାଏତମାନଙ୍କର ଲୀଳାକ୍ଷେତ୍ର । ମାର୍ଗର ପଶ୍ଚିମ ଦିଗ ନିବିଡ଼ ଜଙ୍ଗଲମୟ ଥିବାରୁ ସେମାନେ ମାନବ ନେତ୍ରାନ୍ତରାଳ ଜଙ୍ଗଲ ମଧ୍ୟରେ ଖଟି ସ୍ଥାପନ କରି ଆପଣାର ନୃଶଂସ ନାରକୀୟ ବ୍ୟବସାୟ ସୁଚାରୁ ରୂପେ ଚଳାଇବାକୁ କ୍ଷମ ହୋଇଥିଲେ । ସରକାର ବାହାଦୂର ଦୀର୍ଘକାଳ ପର୍ଯ୍ୟନ୍ତ ବିଶେଷ ଚେଷ୍ଟା କରି ମଧ୍ୟ ସେମାନଙ୍କୁ ଶାସନ କରିବାକୁ ସମର୍ଥ ହୋଇ ନଥିଲେ । ଡକାଏତମାନଙ୍କର ଗୋଟିଏ ପ୍ରଧାନ ଘାଟି ଥିଲା ନାରାୟଣଗଡ଼ । ଉକ୍ତ ଗଡ଼ର ବାଉଁଶ ବଣ ମଧ୍ୟରେ ଶତ ଶତ ନିର୍ଦ୍ଦୋଷ ମହାପ୍ରାଣୀଙ୍କ ମସ୍ତକ ବିଲୁଣ୍ଠିତ ହୋଇଥିବାର ଆମ୍ଭେମାନେ ଶତସହସ୍ର ଥର ଶୁଣିଅଛୁ । ଚାଳିଶ ବରଷ ପୂର୍ବେ ଲେଖକ ଗୋ-ଶକଟରେ କଲିକତା ଗମନାଗମନ ସମୟରେ ଶକଟ ଚାଳକ ଓ ଅନ୍ୟାନ୍ୟ ପଥିକମାନେ ଅଙ୍ଗୁଳି ନିର୍ଦ୍ଦେଶ କରି ଉକ୍ତ ଭୟଙ୍କର ସ୍ଥାନମାନ ନିର୍ଦ୍ଦେଶ କରାଇ ଦେଉଥାନ୍ତି । ଦେଶ ମଧ୍ୟରେ ଗୋଟିଏ ଚଳିତ କଥା ବହୁକାଳ ପର୍ଯ୍ୟନ୍ତ ଶୁଣାଯାଉଥିଲା ।

ହଳଦି ମଖାମଖି, ନାରାୟଣଗଡ଼ ପାର ହେଲେ କୁଟୁମ୍ୱ ଦେଖାଦେଖି ।

ପୂର୍ବେ ନିତାନ୍ତପକ୍ଷେ ଯାତ୍ରୀମାନେ ନାରାୟଣଗଡ଼ ସୀମା ମଧ୍ୟରେ ସୂର୍ଯ୍ୟାସ୍ତ ଉତ୍ତାରେ (ଦିବା ଭାଗରେ ମଧ୍ୟ) ଦଳବଦ୍ଧ ନ ହୋଇ ଗତାୟାତ କରୁନଥିଲେ । ଅଜଣା ଯାତ୍ରୀମାନଙ୍କର ରକ୍ଷା ନ ଥିଲା । ପୂର୍ବେ ଅବସ୍ଥାପନ୍ନ ଯାତ୍ରୀମାନେ ଗୋ-ଶକଟରେ ଗୟାୟାତ କରୁଥିଲେ । ଭାଗ୍ୟବନ୍ତ ଲୋକମାନଙ୍କ ସକାଶେ ପାଲିଙ୍କି ଡାକର ବନ୍ଦୋବସ୍ତ ଥିଲା । କଟକ ପଦ୍ମପୁର ପ୍ରଭୃତି ଅଞ୍ଚଳର ସହସ୍ର ସହସ୍ର ଗୋ-ଶକଟ ଯାତ୍ରୀ ତଥା ବାଣିଜ୍ୟ ଦ୍ରବ୍ୟ ବହନରେ ନିଯୁକ୍ତ ଥିଲେ । ରେଲ ଓ ଷ୍ଟୀମାର ପ୍ରଭାବରୁ ହତଭାଗ୍ୟମାନଙ୍କର ଦାନା ପାଣି ଉଠି ଯାଇଅଛି ।

ଈଶ୍ୱରଙ୍କ ପବିତ୍ର ରାଜ୍ୟରେ ପାପୀ ଦଳର ପତନ ଅନିବାର୍ଯ୍ୟ । ଡକାୟତମାନେ ଖୁବ୍ ସତର୍କତା ସହିତ ବ୍ୟବସାୟ ଚଳାଇ ଆସୁଥିଲେ ମଧ୍ୟ ଏତେଦିନ ଉତ୍ତାରେ ସେମାନଙ୍କ ବିନାଶର କାରଣ ଉପସ୍ଥିତ ହେଲା ।

ବାଲେଶ୍ୱର ଜିଲ୍ଲାର ଆସିଷ୍ଟାଣ୍ଟ ମେଜେଷ୍ଟର (ପରେ ହାଇକୋର୍ଟର ଜଜ୍) ମିଷ୍ଟର ରେମ୍ପିନି ସାହେବ ପାଲିଙ୍କି ଡାକରେ ବାଲେଶ୍ୱରରୁ କଲିକତା ଯାଉଥିଲେ । ବସ୍ତା ଓ ହଳଦୀପଦା ଚଟି ମଧ୍ୟବର୍ତ୍ତୀ ସ୍ଥାନରେ ଡକାଏତ ପଡ଼ି ତାହାଙ୍କ ପାଲିଙ୍କି ଲୁଟି ନେଲେ । ଡକାଏତମାନେ ପାରତ ପକ୍ଷେ ଇଂରେଜଙ୍କ ଉପରେ ଡକାଏତି କରନ୍ତି ନାହିଁ । ସେମାନେ ଜାଣନ୍ତି, ଦେଶୀୟ ରାଜା ମହାରାଜାଙ୍କୁ ହତ୍ୟା କଲେ କାଳେ ରକ୍ଷା ପାଇ ପାରିବେ, ମାତ୍ର ପବିତ୍ର ଶ୍ୱେତଚର୍ମ ସ୍ପର୍ଶ କଲେ ରକ୍ଷା ନାହିଁ । ଡକାଏତମାନେ ଭ୍ରମରେ ପଡ଼ି ରେମ୍ପିନି ସାହେବଙ୍କ ପାଲିଙ୍କି ଲୁଣ୍ଠନ କରିଥିଲେ । ସେହି ସମୟରେ ବାଲେଶ୍ୱରର ଜଣେ ତୈଲଙ୍ଗ ମହାଜନ ଥିଲେ । ନାମ ନାରିକେଲ ମେଲି ଯୋଗେୟା । ଏ ଜଣେ ସାମାନ୍ୟ ଅବସ୍ଥାର ଲୋକ । ପ୍ରଥମେ ଲବଣର କଣ୍ଟାରୀ କରି ବିପୁଳ ଅର୍ଥ ଉପାର୍ଜନ କରିଥିଲେ । ଯୋଗେୟା ବାବୁଙ୍କର ଡାକ ବସିଥିବାର ଡକାୟତମାନେ ସନ୍ଧାନ ପାଇଥିଲେ । ଦୈବଗତ୍ୟା ତାହାଙ୍କ ଯିବା ରହିତ ହେବାରୁ ସେହି ଡାକରେ ରେମ୍ପିନି ସାହେବ କଲିକତା ଯାଉଥିଲେ । ସାହେବ ଉପରେ ଡକାଏତି ତୁଚ୍ଛ କଥା ନୁହେଁ । ହାକିମ ମହଲରେ ଚହଳ ପଡ଼ିଗଲା । ପୋଲିସ ଦଳ ଯାଇ ବସ୍ତାଥାନା ଇଲାକାଟା ଓଲଟ ପାଲଟ କରି ପକାଇଲେ । କେତେ ବଣ ଜଙ୍ଗଲ ଖୋଜାଗଲା, ସରକାରୀ ଖରଚରେ କେତେ ପୋଖରୀ ପାଣି ବୁହାଗଲା, କେତେ ନିର୍ଦ୍ଦୋଷ ଲୋକ ଟଣା ଘୋଷରାରେ ପଡ଼ିଲେ, କାହିଁରେ କିଛି ହେଲା ନାହିଁ । ଡକାଏତଗୁଡ଼ାକ ଯେମନ୍ତ ଆକାଶରୁ ଆସିଥିଲେ, ମାଲଗୁଡ଼ାକ ପବନରେ ମିଶି ଯାଇଛି । ଏହି ଡକାଏତ ତଦନ୍ତ ରହିତ ହେବା ମାତ୍ରକେ ଉପର୍ଯ୍ୟୁ ପରି ଆହୁରି ତିନି ଚାରିଟା ଡକାଏତି ହୋଇଗଲା । ବାଲେଶ୍ୱର ନିବାସୀ ଜମିଦାର ବାବୁ ମଦନମୋହନ ଦାସଙ୍କର ବସ୍ତା ଥାନା ଇଲାକାରେ ଖଣ୍ଡେ ତାଲୁକ ଅଛି । ନାଟବନ୍ଦି ଖଜଣା ଅସୁଲ ହୋଇ କଚେରୀ ବାର ଶତ ଟଙ୍କା ଜମା ଥିଲା, ଡକାଏତ ପଡ଼ି ଘେନିଗଲେ । ସେହି ସମୟରେ ଯେଉଁ ସମସ୍ତ ଡକାଏତି ହୋଇଥିଲା, ଗୋଟିଏ ଡକାଏତି ଉଲ୍ଲେଖଯୋଗ୍ୟ । ବସ୍ତା ଥାନାଠାରୁ ପ୍ରାୟ ଚାରିକ୍ରୋଶ ଦୂର ଚାରି ଗାଁ ନାମକ ଗ୍ରାମରେ ଜଣେ ସଙ୍ଗତିସମ୍ପନ୍ନ ଲୋକର ବାସ, ନାମ ବାଆନ ଭୂୟାଁ । ଡକାଏତ ଦଳ ଏହା ଘରେ ଭୟଙ୍କର ଅତ୍ୟାଚାର କରିଥିଲେ । ତାହାର ଦୁଇ ସ୍ତ୍ରୀ, ଗୋଟିଏ ସ୍ତ୍ରୀ ପୂର୍ଣ୍ଣ¤ଗର୍ଭା । ନିଷ୍ଠୁ¤ର ଡକାଏତମାନଙ୍କ ଦାରୁଣ ପ୍ରହାରରେ ତାହାର ଗର୍ଭପାତ ଏବଂ ଚାରିଦିନ ଉତ୍ତାରେ ଜୀବନପାତ ହୋଇଥିଲା । ଦ୍ୱିତୀୟା ସ୍ତ୍ରୀ ପଳାୟନ ଦ୍ୱାରା ଆତ୍ମରକ୍ଷା କଲା । ବାଆନ ଭୂୟାଁକୁ ଡକାଏତମାନେ ଅନେକ ପ୍ରହାର କରି ତାହାର ବେକ ମୋଡ଼ି ଦେଇ ଯାଇଥିଲେ । ତାହାର ମୁଖ ପୃଷ୍ଠଦିଗକୁ ବୁଲି ଯାଇଥିଲା । ବାଆନ ଭୂୟାଁ ମଧ୍ୟ ଡକାଏତମାନଙ୍କୁ ସହଜରେ ଛାଡ଼ି ଦେଇ ନାହିଁ, ଦୁଇ ତିନି ଜଣଙ୍କୁ ଅସ୍ତ୍ରାଘାତ ଓ ଜଣେ ଡକାଏତକୁ ହତ୍ୟା କରିଥିଲା । ସଙ୍ଗୀ ଡକାଏତମାନେ ହତ ଡକାଏତର ଶବ ଘେନି ପଳାଇ ଯାଇଥିଲେ ।

ଅଳ୍ପଦିନ ପୂର୍ବେ ପୁରାତନ ପୋଲିସ ଉଠି ଯାଇ ନୂତନ ବେଙ୍ଗଲ ପୋଲିସ ସ୍ଥାପିତ ହୋଇଛି । ବାଲେଶ୍ୱର ଜିଲ୍ଲାର ପ୍ରଥମ ପୋଲିସ ଡିଷ୍ଟ୍ରି ସୁପରିଟେଣ୍ଡେଣ୍ଟ୍ ମିଷ୍ଟର ସଟଲଓୟାର୍ଥ ସାହେବ ପ୍ରାଣପଣେ ଯତ୍ନ କରି ମଧ୍ୟ ବସ୍ତା ଇଲାକାରୁ ଫେରି ଆସିଲେ ଏବଂ ଡକାଏତ ଦଳ ଆବିଷ୍କାର ନିମନ୍ତେ ସବ୍ ଇନ୍‌ସ୍ପେକ୍ଟରର ବାବୁ ରାଜକିଶୋର ଚୌଧୁରୀଙ୍କୁ ନିଯୁକ୍ତ କଲେ । ଚୌଧୁରୀ ମହାଶୟ ପୋଲିସ୍ ଇଲାକାରେ ଜଣେ ସୁଯୋଗ୍ୟ କର୍ମଚାରୀ ବୋଲି ତାଙ୍କର ଖ୍ୟାତି ଥିଲା । ରାଜଘାଟ ଥାନା ମୁନ୍ସି ବାବୁ ଦିଗମ୍ୱର ଦାସ, ଜଳେଶ୍ୱର ଥାନା ମୁନ୍ସି ବାବୁ କିଣାରାମ ପ୍ରଧାନ ତାଙ୍କୁ ସାହାଯ୍ୟ କରିବାକୁ ଗଲେ ।

ଉପରିସ୍ଥ ହାକିମଙ୍କ ଆଦେଶାନୁସାରେ ବାବୁ ରାଜକିଶୋର ଚୌଧୁରୀ ପୋଲିସ୍ ଦଳ ଦଳ ସହିତ ଉକ୍ତ ଡକାଏତି ଉକ୍ତ ସ୍ଥାନ ଚାରିଗାଁରେ ବାସ କରିବାକୁ ଲାଗିଲେ । ବହୁତ ଦିନ ପର୍ଯ୍ୟନ୍ତ ବୃଥା ପରିଶ୍ରମ କରି ଅକୃତକାର୍ଯ୍ୟତା ବିଷୟ ରିପୋର୍ଟ କରିବାରୁ ସୁପରିଟେଣ୍ଡେଣ୍ଟ୍ ସାହେବ ତାଙ୍କୁ ଉତ୍ସାହ ଦେଇ ଲେଖିଲେ, ତୁମ୍ଭର ଅନୁସନ୍ଧାନ ପ୍ରଣାଳୀ ସନ୍ତୋଷଜନକ, ସେ ପର୍ଯ୍ୟନ୍ତ ଡକାଏତ ଦଳ ଧରା ଯାଇ ନାହାନ୍ତି, ସେ ପର୍ଯ୍ୟନ୍ତ ତୁମ୍ଭେ ଚାରିଗାଁ ତ୍ୟାଗ କରିବ ନାହିଁ । ଏହା ହିଁ ଇଂରେଜ ଚରିତ୍ରର ବିଶେଷତ୍ୱ, ଏଥି ସକାଶେ ଆମ୍ଭେମାନେ ଜିତ ଓ ଇଂରେଜ ଜାତି ଜେତା । କୌଣସି ବିଷୟରେ ଅକୃତକାର୍ଯ୍ୟ ହେଲେ ଆମ୍ଭେମାନେ ହତୋଦ୍ୟମ ଓ ନିରାଶ ହୋଇ ପଡୁ । ମାତ୍ର ଇଂରେଜ ଜାତିର କାର୍ଯ୍ୟପ୍ରଣାଳୀ ସ୍ୱତନ୍ତ୍ର ପ୍ରକାର ଅଟେ । ପ୍ରକୃତ ସେମାନେ ଆଫଳୋଦୟକର୍ମା ଅଟନ୍ତି । ଲୋକେ କଥାରେ ବୋଲନ୍ତି, ଲାଗିଥିବା ଲୋକ ମାଗି ଖାଏ ନାହିଁ- ଉପସ୍ଥିତ ଘଟଣା ସେଥିର ଗୋଟିଏ ଦୁଷ୍ଟାନ୍ତସ୍ଥଳ ଅଟେ । ରାଜକିଶୋର ବାବୁଙ୍କ ଅନୁସନ୍ଧାନପ୍ରଣାଳୀ ଏହିପରି ଥିଲା କି, ସନ୍ଧ୍ୟା ଉତ୍ତାରେ ଦୁଇ ତିନି ଜଣ ପୋଲିସ କର୍ମଚାରୀ ସଙ୍ଗରେ ଘେନି ଚାରିଗାଁ ଚତୁଃସ୍ପାର୍ଶ୍ୱସ୍ଥସ୍ଥ ତିନି ଚାରି କ୍ରୋଶ ଦୂରବର୍ତ୍ତୀ ଗ୍ରାମମାନଙ୍କରେ ପ୍ରଚ୍ଛନ୍ନ ଭାବରେ ଭ୍ରମଣ କରନ୍ତି । ରାତ୍ରିରେ ଗ୍ରାମବାସୀମାନଙ୍କ କଥୋପକଥନ ଶୁଣିବା ଓ ସେମାନଙ୍କ କାର୍ଯ୍ୟ ଦେଖିବା ତାଙ୍କ ଉଦ୍ଦେଶ୍ୟ ଅଟେ । ମଫସଲର ପାଣମାନେ ପ୍ରାୟ ଚୋରି କାର୍ଯ୍ୟରେ ଲିପ୍ତ ଥାନ୍ତି । ସେଥି ସକାଶେ ପାଣ ଗ୍ରାମମାନଙ୍କରେ ଅଧିକାଂଶ ରାତ୍ରି କ୍ଷେପଣ କରିବାକୁ ହୁଏ । ପ୍ରାୟ ପ୍ରତ୍ୟହ ପାଣ ସାହି ଓଳିରେ ବସି ଘର ମଧ୍ୟସ୍ଥ କଥୋପକଥନ ଶୁଣନ୍ତି । ଏହା ଭଦ୍ରଲୋକ ପକ୍ଷରେ ଯେ କେତେଦୂର କଷ୍ଟସାଧ୍ୟ କାର୍ଯ୍ୟ, ପାଠକ ସହଜରେ ବୁଝିପାରିବେ । ପାଣମାନଙ୍କ ପଲାଘର ପଛ ଓଳି ଏତେ ନୁଆଣ ଯେ, ବସିଲେ ମଧ୍ୟ ଚାଳ ମୁଣ୍ଡରେ ବାଜେ । ଓଳିତଳ ଅପରିଷ୍କାର, କଦର୍ଯ୍ୟ, ଦୁର୍ଗନ୍ଧମୟ । ସହସ୍ର ସହସ୍ର ମଶକ ବେଢ଼ି ଭଣ ଭଣ କରି ଖାଉଛନ୍ତି, ଘଉଡ଼ିବାର କ୍ଷମତା ନାହିଁ । ସର୍ପ ଭଲ୍ଲ୍ରକର ମଧ୍ୟ ଭୟ ନ ଥିଲା, ଏମନ୍ତ ନୁହେଁ । ପୁଣି ଗ୍ରାମସ୍ଥ ପାଣମାନେ ଜାଣି ପାରିଲେ ଭୟଙ୍କର ବିପଦ ଘଟିବାର ସମ୍ଭାବନା । କ’ଣ କରିବେ, ଚାକିରି ଖଣ୍ଡ ତ ରକ୍ଷା କରିବାକୁ ହେବ ।

ତା’ପରେ

ଲୋକପ୍ରିୟ ଲେଖା

To Top