ଗଳ୍ପ

ବାଲେଶ୍ୱରୀ ରାହାଜାନୀ

Byaasakabi Fakir Mohan Senapati's odia story Baleshwari Raahaajaani

ଜ୍ୟୋତିଷ ବିଦାୟ ଗ୍ରହଣ କଲେ, ପୁନର୍ବାର ଆଖି ବନ୍ଧାଗଲା, ପୂର୍ବକଥିତ ଦସ୍ୟୁ ଦୁଇ ଜଣ ବାଟରେ ଛାଡ଼ି ଦେଇଗଲେ ।

ବାଲେଶ୍ୱରୀ ରାହାଜାନୀ

-: ପୂର୍ବରୁ :-

ନାଲୁ ଓ ଜ୍ୟୋତିଷ ମଧ୍ୟରେ ଏହିପରି କଥୋପକଥନ ହେଲା ।

ନାଲୁ- ତୁ ଜୁତିଷ ?

ଜ୍ୟୋତିଷ- ଆଜ୍ଞା ହଁ ।

ନାଲୁ- ବୋଇଲୁ, ମୋ ମନରେ କି କଥା ଅଛି ।

ଜ୍ୟୋତିଷ- ଖଡ଼ି ପକାଇ ଅନେକ ଶ୍ଳୋକ ପଢ଼ିଲେ । ସେଥିରେ କେବଳ ଗ୍ରହ ନକ୍ଷତ୍ର ନାମ ଛଡ଼ା ଆଉ କିଛି ନଥିଲା । କହିଲେ, ପାଠ କହିଲା, ଶନିଗ୍ରହ- ଏହି ଗ୍ରହରେ ଟଙ୍କା କଉଡ଼ି ଦ୍ରବ୍ୟାଦି ଲାଭକଥା ।

ନାଲୁ- ବୋଇଲୁ, ସେ ଦ୍ରବ୍ୟ କେଉଁ ଦିଗରେ ?

ପୁନର୍ବାର ଶ୍ଳୋକ ପାଠ କରି ଜ୍ୟୋତିଷ କହିଲେ, ପୂର୍ବ ଦିଗରେ ।

ସବୁ ଡକାଏତ ଏକାବେଳକେ ଚିତ୍କାର କଲେ, ସାବାସ ସାବାସ, ନୋହିଲେ କି ମୟୂରଭଞ୍ଜ ରାଜା ଦରବାକୁ ଯାଏ ।

ନାଲୁ- ବୋଇଲୁ, କେଉଁ ଦିନ, କେତେବେଳେ ଗଲେ ସେ ଦ୍ରବ୍ୟ ସବୁ ମିଳିବ ।

ଜ୍ୟୋତିଷ- ଆସନ୍ତା କୃଷ୍ଣପକ୍ଷ ଦ୍ୱାଦଶୀ ଶନିବାର ସନ୍ଧ୍ୟା ସମୟରେ ଯାତ୍ରା କରି ଗଲେ କାମ ଫତେ ଅର୍ଥ ମିଳିବ ।

ସବୁ ଡକାଏତ ଏକାବେଳକେ ଚିତ୍କାର କରି କହିଲେ, ଭଲ ଭଲ, ସଞ୍ଜବେଳେ ଏଠାରୁ ବାହାରିଲେ, ଅଧରାତିବେଳେ ସେଠାରେ ପହଞ୍ଚିବା । ଜ୍ୟୋତିଷ ବିଦାୟ ଗ୍ରହଣ କଲେ, ପୁନର୍ବାର ଆଖି ବନ୍ଧାଗଲା, ପୂର୍ବକଥିତ ଦସ୍ୟୁ ଦୁଇ ଜଣ ବାଟରେ ଛାଡ଼ି ଦେଇଗଲେ ।

ନିରୂପିତ ଦିବସ ଉପସ୍ଥିତ । ପୁଲିସ ଦଳ ବଳ ସଜ ହୋଇ ଡକାଏତ ଧରିବା ସକାଶେ ଗୋଟିଏ ଗଣନା ଠିକ୍ ହେଲା, କିନ୍ତୁ ଅନ୍ୟ ଗ୍ରାମରେ । ଯେଉଁ ଗ୍ରାମରେ ଡକାଏତ ହେବାର ଜ୍ୟୋତିଷ ଅନୁମାନ କରି ସଜ ହୋଇ ବସିଥିଲେ, ସେ ଗ୍ରାମକୁ ଡକାଏତମାନେ ଗଲେ ନାହିଁ । ଡକାଏତି କରି ଡକାଏତମାନେ ସ୍ୱଚ୍ଛନ୍ଦରେ ଚାଲିଗଲେ । ପାଠକ ମହାଶୟ ଅନୁମାନରେ ବୁଝିଥିବେ, କଥିତ ଜ୍ୟୋତିଷ ଅନ୍ୟ କେହି ନୁହେଁ, ପୋଲିସ୍ ଇନ୍ସପେକ୍ଟର ସ୍ୱୟଂ ବାବୁ ଶାରଦା ପ୍ରସାଦ ବୋଷ ।

କ୍ରମଶଃ ଦୁଇ ଚାରି ମାସ ଗତ । ଏଥି ମଧ୍ୟରେ ଆହୁରି ଦୁଇ ଚାରିଟା ଡକାଏତ ଉପର୍ଯ୍ୟୁ ପରି ହୋଇଗଲାଣି । ହାକିମ ଓ ପୋଲିସ ଦଳ ଅସ୍ଥିର । ଶାରଦା ବାବୁ ଡକାଏତମାନଙ୍କ ଖଟି ସ୍ଥାନର ଯେପରି ଅବସ୍ଥା ଦେଖି ଆସିଥିଲେ, ସେଥିରେ ପୋଲିସଦଳ ଯାଇ ସେମାନଙ୍କୁ ଗ୍ରେପ୍ତାର କରିବା ସହଜ କଥା ନୁହେଁ । ଡକାଏତଦଳ ଯେପରି ଭାବରେ ସର୍ବଦା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଓ ଉନ୍ମତ୍ତଭାବରେ ଥାନ୍ତି, ଧରିବାକୁ ଗଲେ ଅନେକ ଲୋକଙ୍କ ପ୍ରାଣନାଶର ସମ୍ଭାବନା ।

ଅନେକ ଅନୁସନ୍ଧାନ ଉତ୍ତାରେ ବସ୍ତା ଇଲାକାର ଜଣେ ଜମିଦାରଙ୍କର ଗୋଟିଏ ଚାକର ଡକାଏତ ଦଳରେ ଲିପ୍ତ ଥିବାର ପ୍ରକାଶ ପାଇଲା । ଶାରଦା ବାବୁ ଉକ୍ତ ଜମିଦାରଙ୍କ ସହାୟତାରେ ଚାକରଟାକୁ ହସ୍ତଗତ କଲେ । କେତେକ ନଗଦ ଟଙ୍କା ଦେଇ ପ୍ରଲୋଭନ ଦେଖାଇ ଅଭୟ ଦେଇ ଚାକରଠାରୁ ସମସ୍ତ ସନ୍ଧାନ ପ୍ରାପ୍ତ ହେଲେ । ଶାରଦା ବାବୁଙ୍କ ଉପଦେଶ ଅନୁସାରେ ଉକ୍ତ ଚାକର ଡକାଏତ ଦଳର ସର୍ଦ୍ଦାର ନାଲୁ ମିର୍ଦ୍ଧାଠାରେ ଜଣାଇଲା ଦୁଇଜଣ ଡକାଏତ ବର୍ତ୍ତମାନ ଜେଲଖାନାରୁ ପଳାଇ ଆସି ଏକ ଗ୍ରାମରେ ଲୁଚିଅଛନ୍ତି । ସର୍ଦ୍ଦାର ସମ୍ୱାଦ ପାଇ ଆଗ୍ରହ ସହିତ ସେମାନଙ୍କୁ ଡାକି ପଠାଇଲା । ଉକ୍ତ ଚାକର ସହିତ ପଳାତକ ଡକାଏତ ଦୁଇ ଜଣ ଖଟି ସ୍ଥାନରେ ଉପସ୍ଥିତ ହେଲେ । ପ୍ରଥମେ ସର୍ଦ୍ଦାର ଓ ଅନ୍ୟାନ୍ୟ ଡକାଏତମାନେ ସନ୍ଦେହ-ନେତ୍ରରେ ଦେଖୁଥିଲେ । ମାତ୍ର ନବାଗତ ଡକାଏତମାନଙ୍କ ଆକାର ପ୍ରକାର ଓ କଥୋପକଥନ ଶୁଣି ସେମାନଙ୍କ ସନ୍ଦେହ ଦୂର ହେଲା । ଏହି ଦୁଇଜଣ କେଉଁ କେଉଁ ସ୍ଥାନରେ ଡକାଏତି କରିଥିଲେ, ଡକାଏତି ପୂର୍ବେ କିପରି ସନ୍ଧାନ ନେବାକୁ ହୁଏ, କି କୌଶଳରେ ଡକାଏତି କରାଯାଏ ଓ ବିପଦ ପଡ଼ିଲେ କିପରି ପଳାଇବାକୁ ହୁଏ ଓ ଜେଲଖାନା ଭାଙ୍ଗି କିପରି ପଳାଇ ଆସିବାକୁ ହୁଏ, ଇତ୍ୟାଦି ବିଷୟ ଏପରି ଭାବରେ ବ୍ୟାଖ୍ୟା କଲେ ଯେ, ନାଲୁ ମିର୍ଦ୍ଧା ଏମାନଙ୍କୁ ପକ୍କା ଓସ୍ତାଦ ବୋଲି ଜ୍ଞାନ କଲା, ବହୁତ ସମାଦର କରି ନିକଟରେ ରଖିଲା । ନବାଗତ ଡକାଏତମାନେ ଅନେକ ଦିନ ପର୍ଯ୍ୟନ୍ତ ଖଟି ସ୍ଥାନରେ ରହିଲେ । ସେମାନଙ୍କ ସମ୍ୱାଦ ଚଳାଚଳ ଉକ୍ତ ଜମିଦାର ଚାକର ଦ୍ୱାରା ହେଉଥାଏ ।

ଦିନେ ନବାଗତ ଡକାଏତମାନେ ସର୍ଦ୍ଦାର ନିକଟରେ ପ୍ରସ୍ତାବ କଲେ, ଆମ୍ଭେମାନେ କ୍ଷୁଦ୍ର କ୍ଷୁଦ୍ର ଡକାଏତ କରୁ ନାହୁଁ, ଆସନ୍ତୁ ସମସ୍ତେ ମିଳି ଜଣେ ଲକ୍ଷପତି ଘରେ ଡକାଏତି କରିବା । ବରଷେ ପର୍ଯ୍ୟନ୍ତ ଯେପରି ନିଶ୍ଚିନ୍ତରେ ବସି ମଜା କରିବା । ସର୍ବଦା କାମରେ ଲାଗିଲେ ମଜା କରିବୁ କେଉଁଦିନ ? ଆଉ ବାରମ୍ୱାର ଡକାୟତି କରିବାକୁ ଗଲେ ଧରା ପଡ଼ିବାର ସମ୍ଭାବନା । ସର୍ଦ୍ଦାର ଓ ସଙ୍ଗୀମାନଙ୍କର ଏହି ସାଧୁ ପ୍ରସ୍ତାବଟି ମନୋନୀତ ହେଲା । ସମସ୍ତେ ସାବାସ୍ ସାବାସ୍ କରିବାକୁ ଲାଗିଲେ । ଏହି ବିଷୟ ସ୍ଥିର କରିବା ନିମନ୍ତେ ଗୋଟିଏ ଦିନ ନିରୂପିତ ହେଲା ଓ ନିର୍ଦ୍ଧାରିତ ଦିବସ ରାତ୍ରିରେ ଉପସ୍ଥିତ ହେବା ନିମନ୍ତେ ଭଦ୍ରକଠାରୁ ମେଦିନୀପୁର ପର୍ଯ୍ୟନ୍ତ ସମସ୍ତ ଦଳକୁ ସମ୍ୱାଦ ଦିଆଗଲା । ସେହି ସମୟରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଦଳ ସ୍ଥାନେ ସ୍ଥାନେ ବାସ କରୁଥିଲେ, ମାତ୍ର ସମସ୍ତ ଦଳର ସର୍ଦ୍ଦାର ନାଲୁ ମିର୍ଦ୍ଧା ଓ ବୈଦି ଶେଠୀ । ଏମାନେ ସମସ୍ତ ଡକାଏତିରୁ ସର୍ଦ୍ଦାରି ଭାଗ ପାଇଥାନ୍ତି ।

ଆଜି ପୂର୍ବୋକ୍ତ ଡକାଏତି ଖଟିରେ ଭାରି ଜାରି । ମେଦିନୀପୁରଠାରୁ ଭଦ୍ରକ ପର୍ଯ୍ୟନ୍ତ ସମସ୍ତ ଡକାଏତିର ବନ୍ଦୋବସ୍ତ କରାଯିବ । ଚାରି ପାଞ୍ଚ ଭାର ତାଡ଼ି, ତତ୍ତଲ୍ୟ ମଦ ଗେଞ୍ଜଇ ଅଣା ଯାଇଅଛି । ଯାହାର ଯେତେ ଇଚ୍ଛା ଖାଉ, ମାଗିବାକୁ ନାହିଁ । ଆଠ ଦଶଟା ଛେଳି ମେଣ୍ଢା ଗ୍ରାମମାନଙ୍କରୁ ଚୋରି କରି ଅଣାଯାଇଥିଲା । କେତେ ଜଣ ମାଂସ ଓ ଚାଟ ପ୍ରସ୍ତୁତ କରିବାରେ ଲାଗି ଯାଇଅଛନ୍ତି । ଆଜିକା ସମସ୍ତ ଖରଚ ନବାଗତ ଡକାଏତ ଦୁଇଜଣଙ୍କ ଜିମା । ଅତିରିକ୍ତ ମାଦକ ସେବନରେ ଅନେକ ଡକାଏତ ତଳେ ପଡ଼ିଗଲେଣି । ନୃତ୍ୟ ଗୀତ ଓ ଅମୋଦ ପ୍ରମୋଦର ଧୂମ ଲାଗିଅଛି । ଘୋର ଜଙ୍ଗଲ ମଧ୍ୟରେ ଖଟି ଚାରିପାଖ ତିନି ଚାରି କ୍ରୋଶ ପର୍ଯ୍ୟନ୍ତ ଗ୍ରାମର ଚିହ୍ନ ନାହିଁ । ରାତ୍ରି ପ୍ରାୟ ଏକ ପ୍ରହର ସମୟରେ ଖଟି ଚତୁର୍ଦ୍ଦିଗରେ ମୁହୁର୍ମୁହ ବନ୍ଧୁକ ଉଆଜ ଦେଲା । ଘୋର ଚିତ୍କାର କରି ପ୍ରାୟ ପାଞ୍ଚଶ ଜଣ କନେଷ୍ଟବଳ ଓ ଦେଢ଼ଶତ ପାଇକ ଚୌକିଦାର, ପୋଲିସ ଇନ୍ସପେକ୍ଟର, ସବଇନ୍ସପେକ୍ଟର ଡକାଏତମାନଙ୍କ ଉପରେ ପଡ଼ିଲେ । ଡକାଏତମାନେ ନିଶାରେ ଅଚେତନ ହୋଇଥିଲେ ମଧ୍ୟ ସମୟରେ ସାବଧାନ । ଅନ୍ଧକାର ମଧ୍ୟରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଖୁବ୍ ମାରଧର ଘୋର ବାହୁଯୁଦ୍ଧ ହେଲା । ଅବଶେଷରେ ଡକାଏତମାନେ ବନ୍ଧନରେ ପଡ଼ିଲେ ।

ସର୍ବଶେଷରେ ଆଲୋକ ଜଳାଯିବାରୁ ଦେକାଗଲା, ସରଦାର ନାଲୁମିର୍ଦ୍ଧା ଓ ବୈଦି ଶେଠୀ ପଳାଇ ଯାଇଅଛନ୍ତି । କେତେଗୁଡ଼ିଏ ଡକାଏତ ମଧ୍ୟ ନାହାନ୍ତି, ଡକାଏତ ଭ୍ରମରେ କେତେଜଣ କନେଷ୍ଟବଳ ଓ ପାଇକ ପ୍ରହାରିତ ଓ ବନ୍ଧନ ଦଶାରେ ପଡ଼ିଅଛନ୍ତି । ନବାଗତ ବର୍ଦ୍ଧମାନୀ ଡକାଏତ ଦୁଇ ଜଣ ଅର୍ଥାତ୍ ଛଦ୍ମବେଶୀ କନେଷ୍ଟବଳ ଦୁଇଜଣ ମଧ୍ୟ ବନ୍ଧନରେ ପଡ଼ିଅଛନ୍ତି ।

ଅଧିକାଂଶ ଡକାଏତ ଦ୍ୱୀପାନ୍ତରିତ । କେତେଜଣ ଦୀର୍ଘକାଳ ପର୍ଯ୍ୟନ୍ତ କାରାବାସଦଣ୍ଡ ପ୍ରାପ୍ତ ହେଲେ । ସେହି ଦିନଠାରୁ ବାଲେଶ୍ୱର ଜିଲ୍ଲାର ଉତ୍ତରାଞ୍ଚଳରେ ବଡ଼ ଡକାଏତି ହେବାର ଶୁଣାଯାଇନାହିଁ ।

ଲୋକପ୍ରିୟ ଲେଖା

To Top