ଗଳ୍ପ

ବଲ୍

Paramita Mishra's odia story Ball

ବିନୁ ଅଟ୍ଟାଳିକା ଆଡ଼କୁ ଆଙ୍ଗୁଠି ଦେଖେଇ କରୁଣ ସ୍ୱରରେ କହିଲା- “ଭାଇ, ବଲ୍ !” ସେହି ଅଟ୍ଟାଳିକାର ଗେଟ୍ ଭିତରେ କିଛି ବଡ଼ ଘରର ପିଲାମାନେ ଏକ ବଡ଼ ଦାମିକା ବଲ୍‌ରେ ଖେଳୁଥିଲେ ।

ବଲ୍

କିଛି କାଗଜ, ଫଟା କପଡ଼ାକୁ ମକଚି, ଏଠୁସେଠୁ କିଛି ସୂତା ଟାଣି ଆଣି ବବଲୁ ତାକୁ ବାନ୍ଧି ପକେଇଲା । କୁନି ଭାଇ ବିନୁ ଆଡ଼କୁ ବଢେଇ ଦେଇ କହିଲା “ଦେଖିଲୁ ଏଇଟା କ’ଣ ?” ୩ ବର୍ଷର ପୁଅ ବିନୁ ବଲ୍‌ଟିକୁ ଦେଖି ଭାରି ଖୁସି ହୋଇଗଲା । ବବଲୁ କହିଲା “ବିନୁ ଚାଲ ଖେଳିବା” ବଲ୍‌ଟି ଗଡ଼ି ଗଡ଼ି ରୋଡ୍ ଉପରକୁ ଚାଲିଯାଉଥିଲା ବବଲୁ ଝଅଟ୍ କରି ବଲ୍‌ଟିକୁ ଧରିନେଲା । ବିନୁକୁ ଆଖି ଦେଖେଇ କହିଲା “ଏଇ ରାସ୍ତା ପାଖକୁ କେବେ ଆସିବୁନି । ଦେଖ୍ କେତେ ବଡ଼ ବଡ଼ ଗାଡ଼ି ଯାଉଛି ।” ବିନୁ ଫୁଟ୍‌ପାଥ୍ ଉପରେ ଠିଆ ହୋଇ ରାସ୍ତା ସେପାଖ ଅଟ୍ଟାଳିକାକୁ ଏକାଲୟରେ ଚାହିଁ ରହିଥିଲା । ବବଲୁ କହିଲା, “କ’ଣ ହେଲା କ’ଣ ଦେଖୁଛୁ, ଚାଲ ଯିବା ଖେଳିବା ।” ବିନୁ ଅଟ୍ଟାଳିକା ଆଡ଼କୁ ଆଙ୍ଗୁଠି ଦେଖେଇ କରୁଣ ସ୍ୱରରେ କହିଲା- “ଭାଇ, ବଲ୍ !” ସେହି ଅଟ୍ଟାଳିକାର ଗେଟ୍ ଭିତରେ କିଛି ବଡ଼ ଘରର ପିଲାମାନେ ଏକ ବଡ଼ ଦାମିକା ବଲ୍‌ରେ ଖେଳୁଥିଲେ । ମାତ୍ର ୭ ବର୍ଷର ବବଲୁ ଏକ ଦାୟିତ୍ୱବାନ୍ ଭାଇ ପରି ତାକୁ କୁଣ୍ଢେଇ ଧରିଲା । ନିଜ ଦେହର ଚିରା ସାର୍ଟଟିରେ ସାନ ଭାଇର ମୁହଁକୁ ପୋଛି ଦେଇ ବବଲୁ କହିଲା “ଜାଣିଛୁ ବୁନୁ ଏ ରବିବାର ତୋର ଜନ୍ମଦିନ । ମା’ କହିଛି ତୋ ପାଇଁ ନୂଆଁ ଡ୍ରେସ୍ ଆସିବ ଆଉ ଗୋଟେ ବଡ଼ ବଲ୍ ଆସିବ ।” ବିନୁର ନିଷ୍କପଟ ମନ କ’ଣ ବୁଝିଲା କେଜାଣି ଆଖି ଦୁଇଟି ଚମକାଇ କହିଲା “ଭାଇ ଏତେ ବଡ଼ ବଲ୍ !” ଦୁଇ ଭାଇ ପୁଣି ଖେଳିବାରେ ଲାଗିଗଲେ ।

ରବିବାର ଦିନ ବବଲୁର ମା’ ସକାଳୁ ସଅଳ ତିଆର ହୋଇଗଲା । ବବଲୁକୁ ଉଠେଇ କହିଲା, “ବାବାରେ ମୁଁ ଯାଉଛି ।” ବବଲୁ ଆଖି ମନ୍ଥିମନ୍ଥି କହିଲା, “କୁଆଡ଼େ ମା’ ଆଜି ପରା ବିନୁର ଜନ୍ମଦିନ ।” ମା’ କହିଲା “ଆଜି ବାବୁ ଘରେ ବହୁତ କାମ ଆଉ ତୁ ତ ଜାଣିଛୁ ଆଜି ଦରମା ମିଳିବ । ମୁଁ ରାନ୍ଧିକି ରଖିଛି, କ୍ଷୀରି କରିଛି ବିନୁ ଲାଗି । ସେ ଉଠିଲେ ତାକୁ ଖୋଇ ଦେବୁ । ଆଉ ପୁଅ ଧ୍ୟାନ ରଖିବୁ ବାବା ।” ବବଲୁ ମୁଣ୍ଡ ଟୁଙ୍ଗାରି କହିଲା “ହଁ ମା’ ମୁଁ ବିନୁର ଧ୍ୟାନ ରଖିବି ତୁ ଯା’ । ଫେରିଲା ବେଳେ ବିନୁ ଲାଗି ଭଲ ସାର୍ଟ ଆଉ ଗୋଟେ ବଡ଼ ବଲ୍ ଆଣିଥିବ ମା’ । ସେ ସବୁଦିନ ରାସ୍ତା ସେପାଖ ପିଲାଙ୍କର ବଲ୍‌ଟିକୁ ଚାହିଁ ରହୁଛି ।” “ଠିକ୍ ଅଛି ଆଣିଦେବି” କହି ମା’ ଚାଲିଗଲା । ବବଲୁ ଭାରି ଆଦରରେ ବିନୁକୁ ଉଠେଇଲା । ଉଠୁ ଉଠୁ ବିନୁ କହିଲା “ଭାଇ ମୋ ବଲ୍ !” ବବଲୁ ବିନୁ କାଖେଇ ନେଇ କହିଲା “ମା’ ଆସିଲା ବେଳେ ନେଇକି ଆସିବ ।” ବବଲୁ, ବୁନୁକୁ ଗାଧୋଇ, ସଫା କରେଇ ଦୁଇ ଭାଇ ମିଶିକି କ୍ଷୀରି ଖାଇଲେ । କାଲି ରାତିରେ ମା’ ବିନୁର ଚିରା ଡ୍ରେସ୍‌ଟିକୁ ସଜାଡ଼ି ଥିଲେ । ତାକୁ ପିନ୍ଧେଇ ଦୁଇ ଭାଇ ଖେଳିବାକୁ ବାହାରିଗଲେ ।

ବସ୍ତି ପିଲାଙ୍କ ସାଙ୍ଗରେ ଲୁଚକାଳି ଖେଳୁଥିଲେ ଦୁଇଭାଇ । ବିନୁ ସମସ୍ତଙ୍କୁ ଖୋଜୁଥିଲା କିନ୍ତୁ କାହାକୁ ପାଉନଥିଲା । ହଠାତ୍ ବିନୁର ନଜର ରାସ୍ତା ଉପରର ବଲ୍ ଉପରେ ପଡ଼ିଲା । ସେପାଖ ପିଲାଙ୍କର ଭୁଲ୍‌ରେ ବୋଧେ ଗଡ଼ିଆସିଛି । ବିନୁ କେତେଥର କହିଲା “ଭାଇ, ଭାଇ ବଲ୍, ବଲ୍ !” ହେଲେ ବବଲୁ ତା’ କଥା ବୁଝିପାରିଲାନି । ମା’ ଯେ କେତେବେଳେ ବଲ୍ ନେଇ କି ଆସିବ । ସତେ ଯେପରି ବଲ୍‌ଟି ହାତ ଠାରି ଡାକୁଥିଲା ବିନୁକୁ । କିନ୍ତୁ ଭାଇ ମନା କରିଛି ରୋଡ୍ ଉପରକୁ ଯିବାକୁ । କୁନି କୁନି କଅଁଳିଆ ପାଦ ଦୁଇଟି ଅଜାଣତରେ ରୋଡ଼ ଉପରକୁ ଚାଲିଯାଇଛି । ସମସ୍ତଙ୍କ ଅଗୋଚରରେ ବିନୁ ଯାଇ ବଲ୍ ପାଖରେ ହାଜର୍ । ଟିକେ ଖାଲି ବଲ୍‌ଟିକୁ ଛୁଇଁବାକୁ ଚାହୁଁଥିଲା ବଲ୍‌ଟିକୁ ହାତରେ ପାଇ ବିନୁର ଖୁସି କହିଲେ ନସରେ । ବଲ୍‌କୁ ଭାଇକୁ ଦେଖେଇବ ବୋଲି ଦୋଡ଼ି ଆସିଲା ବିନୁ ଦ୍ରୁତଗତିରେ ଗାଡ଼ିଟି ଧଡ୍ କରି ବିନୁ ଦେହରେ ପିଟି ହୋଇ ଚାଲିଗଲା । ବିନୁର ନିସ୍ତେଜ ଶରୀର ସେଇଠି ଟଳି ପଡ଼ିଲା ଆଉ ତା’ ହାତ ପାଖରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲା ନାଲିଆ “ବଲ୍” ! ! !

ଲୋକପ୍ରିୟ ଲେଖା

To Top