ଗଳ୍ପ

ବାପାଙ୍କ ପାଇଁ ମୁଠାଏ ଟଙ୍କା

Matrudatta Mohanty's Odia Story BAAPAANKA PAIN MUTHAE TANKAA

ସୋଫାର ଆର ମୁଣ୍ଡରେ ପଡ଼ିଥିବା ଗାମୁଛାରେ ଝାଳ ପୋଛି ନିଜକୁ ପ୍ରସ୍ତୁତ କରୁଥିଲେ ବେଡ୍‌ରୁମ୍‌ ପର୍ଯ୍ୟନ୍ତ ଯିବା ପାଇଁ ।

ବାପାଙ୍କ ପାଇଁ ମୁଠାଏ ଟଙ୍କା

ବିଶ୍ୱଜିତ୍ ଗାଁରେ ପହଞ୍ଚିଲା ବେଳକୁ ସାଇଭାଇ ସମସ୍ତେ ଆୟୋଜନରେ ଲାଗିଥାଆନ୍ତି । ଶୁଖିଲା କାଠ ଦି’ଚାରି ଗୋଛା ଦାଣ୍ଡ ଛକରେ ଜମା ହୋଇଛି । ବୁଦାରୁ ଦୁଇଖଣ୍ଡ କଞ୍ଚା ବାଉଁଶ କଟା ହୋଇ ଆସି ଖଣ୍ଡ ଖଣ୍ଡ ହୋଇ ପଡ଼ିଛି । ଲମ୍ୱା ବାଉଁଶ ଦି’ଟା ଛ’ଖଣ୍ଡ କରି ଗଡ଼େଇ ଦିଆଯାଇଛି । ଦାଣ୍ଡ ପିଣ୍ଡାରେ ଦୁଇଟି ଜରିରେ ନାଲି ନୀଳ ଅବିର ରଖାଯାଇଛି । ମାଟି ହାଣ୍ଡିରେ ହାଣ୍ଡିଏ ଖଇ ଦାଣ୍ଡରେ ନଡ଼ିଆଗଛ ଟେର ଉପରକୁ କେହି ଆଉଜେଇ ଦେଇଛି । ସନିଆ ଧୋବା କୁରାଢ଼ି ନେଇ ଶୁଖିଲା ବାଉଁଶ ଖଣ୍ଡେ ଫିଟେଇ ବତା କରୁଛି । ହରି ଦାଦା ବରାଦ କରୁଛନ୍ତି ନଟିଆକୁ ତାଙ୍କ ଗୁହାଳ ସଂଘାରେ ଚଢ଼ି ଶୁଖିଲା କାଉଁରିଆ କାଢ଼ି ଆଣିବା ପାଇଁ । ହାତ ଓଦା କରି ପାଳଦଉଡ଼ି ବଳିବାରେ ଲାଗିଛନ୍ତି ରଘୁ ଦାଦା । ବିଶ୍ୱଜିତ୍ କାର୍‌ରୁ ଓହ୍ଲାଇ ଦାଣ୍ଡ ଦୁଆର ମୁହଁକୁ ଲାଗିଗଲେ । ପଛେ ପଛେ ସ୍ତ୍ରୀ ସୁଷମା ପୁଅ କୁନୁ । ଘର ଏରୁଣ୍ଡିବନ୍ଧ ଡେଇଁ ଭିତରକୁ ପାଦ ପକାଇବା ପାଇଁ ତାକୁ ଯେମିତି କେହି ପଛରୁ ବାରଣ କରୁଥିଲା । ବିଶ୍ୱଜିତ୍ ଆଉ ପାଦେ ବି ଆଗକୁ ଯାଇ ପାରିଲେନି । ସୁଷମା ସାଙ୍ଗରେ ଆଣିଥିବା ଆଟାଚି ଖଣ୍ଡକୁ ହାତରେ ଧରି ଘର ଭିତରକୁ ପଶିଗଲେ । ପୁଅ କୁନୁ ଘର ଭିତରକୁ ଯିବ ନା ବାପାଙ୍କ ପାଖରେ ଛିଡ଼ା ହୋଇ ରହିବ ଭାବୁ ଭାବୁ ସାହିର କେହି ଜଣେ ତାକୁ ଖୁଆ ପାଖରୁ ଧରି ଟେକି ନେଲା । ବିଶ୍ୱଜିତ୍ ଦାଣ୍ଡଦୁଆର ମୁହଁରେ ବସି ଘର ଭିତରର ଟିକିନିଖି ଖବର ଆଡ଼େ କାନ ଡେରି ଥାଆନ୍ତି । ଘର ଭିତରେ ବୋହୂ ଓ ନାତିର ଉପସ୍ଥିତି ଜାଣି ପାରି ବିଶ୍ୱଜିତ୍‌ଙ୍କ ବୋଉ ଭୋ’ ଭୋ’ ହୋଇ କାନ୍ଦି ଉଠିଲେ । ସାହିର ଅନ୍ୟ ସ୍ତ୍ରୀ ଲୋକମାନେ ତାଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁଥିଲେ । ଯିବା ମଣିଷ କ’ଣ ଆଉ ଫେରି ଆସେ । ଯାହାର ଯେତେବେଳେ ଏଠୁ କାମ ସରିବ ସେ ବାହୁଡ଼ି ଯିବ । ଏଥିରେ ଲୁହ ଗଡ଼େଇଲେ କି ଲାଭ ! ଦାଣ୍ଡ ପିଣ୍ଡାରେ ବିଶ୍ୱଜିତ୍‌ଙ୍କ ପାଖରେ ଲାଗି କରି ବସିଥିବା ହରି ଦାଦା କହିଲେ, “ହଁ ସେ ସେମିତି ପୂଣ୍ୟ କମେଇଥିଲେ ବୋଲି ହାତ ଗୋଡ଼ ଚାଲୁ ଚାଲୁ ଆଖି ବୁଝିଲେ । କିନ୍ତୁ ଯାହା କହ ପାଟି ପଡ଼ିବା ପର୍ଯ୍ୟନ୍ତ ବିଶୁ ବିଶୁ ବୋଲି ଗୁଣି ହେଉଥିଲେ । ପିଣ୍ଡାରେ ବସି ଜୋରବନ୍ଧ ରାସ୍ତା ଆଡ଼େ ଅନେଇ ରହୁଥିଲେ । ଓଷାବାର ଦିନ ହେଲେ ପିଠାପଣା ଦେଖି ଭାରି ଖୁସି ହଉଥିଲେ । ତତେ ମନେ ପକାଉଥିଲେ । କହୁଥିଲେ, “ବିଶୁ ଆସନ୍ତାନି ଟିକେ ଖାଆନ୍ତା । ସହରରେ କୋଉଠି ପାଉଥିବ ଏ ସବୁ’?” ନଟିଆ କୁଣ୍ଢେ ହେବ ଶୁଖିଲା କାଉଁରିଆ ଆଣି ଦାଣ୍ଡ ମଝିରେ ଗଦା କରିଦେଲା । ହରିଦାଦା ବିରକ୍ତ ହୋଇ ଉଠିଲେ ସନିଆ ଧୋବା ଉପରକୁ । “କିରେ ଆଜି ତୋର ବାଉଁଶ ଫଟା ସରିବ ତ ? ନା ମଢ଼ାକୁ ଶୁଖୁଆ କରିବୁ ।” ସନିଆ ଅଣ୍ଟାରୁ ଗାମୁଛା ଖୋଲି ମୁହଁ ଦେହରୁ ନିଗିଡ଼ି ପଡୁଥିବା ଅସରା ଅସରା ଝାଳ ପୋଛି ଆଣି ପୁଣି ମଇଳା ଗାମୁଛାଟାକୁ ସାପ ପରି ଅଣ୍ଟାରେ ଗୁଡ଼େଇ ଦେଲା । ହାତରେ ଛେପ ଟିକେ ପକାଇ କୁରାଢ଼ି ଧରୁ ଧରୁ କହିଲା, “ବିଶୁ ବାବୁ ତ ଆସି ଡେରିରେ ପହଞ୍ଚିଲେ । ନ ହେଲେ ମୋ କାମ କେତେବେଳୁ ସରନ୍ତାଣି ।” ହରିଦାଦା ବିରକ୍ତ ହୋଇ କହିଲେ, “ହଉ ଶୀଘ୍ର କାମ ସାରେ । ତେଣେ ମଶାଣିରେ ଗାତ ଖୋଳା କାମ ବାକି ଅଛି ।”

ବିଶ୍ୱଜିତ୍ ସକାଳୁ ଉଠି କଲୋନିରେ ବୁଲି ଫୁଲ ତୋଳି ଘରକୁ ଫେରିବା ବେଳକୁ ଦାଣ୍ଡ ଦୁଆର ମୁହଁରେ ଶୁଣିଲେ ଫୋନ୍ ରିଂ ହେଉଛି । ଘର କବାଟ ଠେଲି ଭିତରକୁ ଆସୁ ଆସୁ ଫୋନ୍ କଟିଗଲା । ବିଶ୍ୱଜିତ୍ ବେଡ୍‌ରୁମ୍‌କୁ ଯାଇ ଲାଇଟ୍ ଅନ୍ କଲେ । ନିଘୋଡ଼ ନିଦରେ ଶୋଇଥିଲେ ସୁଷମା । ଖଟର ଗୋଟେ କୋଣକୁ କୁନୁ ଜାକିଜୁକି ହୋଇ ପଡ଼ିଥିଲା । ସେ ଲାଇଟ୍ ଅପ୍ କରି ବୁଲି ପଡ଼ିଲା ବେଳକୁ ପୁଣି ଥରେ ଫୋନ୍ ରିଂ ହେଲା । ଫୁଲ ଭର୍ତ୍ତି ପାଚିଆଟାକୁ ସୋଫା ଉପରେ ଥୋଇ ଦେଇ ସେ ଫୋନ୍ ଉଠାଇଲେ । “ହାଲୋ” । ଆରପଟରୁ ଏକ କ୍ଷୀଣ ସ୍ୱର ଶୁଭିଲା । “ବିଶୁ ! ବିଶୁ କହୁଛୁ !” “ହଁ କହୁଛି ।” “ଆପଣ କିଏ ?” “ଆରେ ବିଶୁ ମୁଁ । ମୁଁ ହରିଦାଦା କହୁଛି ଗାଁରୁ ।” “ହଁ ଦାଦା କୁହନ୍ତୁ ।” “ଶୁଣୁ, ପାହାନ୍ତାରେ ତୋ ବାପା ଚାଲିଗଲେ ।” ନିରବ ହୋଇ ଗଲେ ବିଶ୍ୱଜିତ୍ । ଆରପଟୁ ଫୋନ୍‌ରେ ଡାକ ଶୁଭିଲା । “ବିଶୁ ବିଶୁ ! ଶୁଣୁଛୁ ତ ।” “ହଁ ଦାଦା ଶୁଣୁଛି କୁହନ୍ତୁ ।” “ଆମେ ଶବ ଦାହ ପାଇଁ ପ୍ରସ୍ତୁତ ହେଉଛୁ । ତୁ ଆସି ପହଞ୍ଚିଲେ ଶବ ଉଠିବ । ଝଅଟି ପଳେଇ ଆସେ । ସଞ୍ଜ ହବା ଆଗରୁ ସବୁ କାମ ସାରିବାକୁ ହେବ ।” ଏତକ କହି ହରିଦାଦା ଫୋନ୍ କାଟିଦେଲେ । ବିଶ୍ୱଜିତ୍‌ଙ୍କ ଆଖିରୁ ଲୁହ ଧାରେ ଗଡ଼ି ଆସିଲା ତାଙ୍କ ଛାତି ଉପରକୁ । ଫୋନ୍ ଥୋଇ ସୋଫା ଉପରେ ଲଥ୍ କରି ବସିପଡ଼ିଲେ ସେ । କପାଳରୁ ବିନ୍ଦୁ ବିନ୍ଦୁ ଝାଳ ବୋହି ପଡ଼ିଲା । ସୋଫାର ଆର ମୁଣ୍ଡରେ ପଡ଼ିଥିବା ଗାମୁଛାରେ ଝାଳ ପୋଛି ନିଜକୁ ପ୍ରସ୍ତୁତ କରୁଥିଲେ ବେଡ୍‌ରୁମ୍‌ ପର୍ଯ୍ୟନ୍ତ ଯିବା ପାଇଁ । ପାଦଟିଏ ବି ଆଗେଇବା ପାଇଁ ତାଙ୍କ ଦେହରେ ବଳ ନଥିଲା । ବେଡ୍‌ରୁମ୍‌ର ଲାଇଟ୍ ଅନ୍ କଲା ମାତ୍ରକେ ସୁଷମା ଆହତ ବାଘୁଣୀ ପରି ଚିତ୍କାର କରି ଉଠିଲେ । “କ’ଣ ଟିକେ ଶୁଆଇ ଦେବନି ? ତମକୁ ସିନା ନିଦ ହେଉନି, ମୋର କିନ୍ତୁ ଡେରିରେ ଉଠିବା ଅଭ୍ୟାସ ।” ବିଶ୍ୱଜିତ୍ ଧୀର ସ୍ୱରରେ କହିଲେ, “ବିଛଣାରୁ ଉଠିଆସ । କୁନୁକୁ ବି ନେଇ ଆସ ।” ସୁଷମା ଖଟ ଉପରେ ବସି ଚୁଟି ଗଣ୍ଠି କରୁ କରୁ ପଚାରିଲେ, “କ’ଣ ହେଲା ? କାହିଁକି ସକାଳୁ ସକାଳୁ ଡିଷ୍ଟର୍ବ କରୁଛ କହିଲ ?”

“ବାପା ଚାଲିଗଲେ ।” ଏ କଥା କହିଲା ବେଳେ ବିଶ୍ୱଜିତ୍ ନିଜ କୋହକୁ ଆୟତ୍ତ କରିପାରିଲେ ନାହିଁ । “ଏବେ କ’ଣ ଗାଁକୁ ଯିବାକୁ ପଡ଼ିବ ?” ବିରକ୍ତି ଭରା ସ୍ୱରରେ ପ୍ରଶ୍ନ କଲେ ସୁଷମା । ଖଟରୁ ଉଠି ଗାରୁ ଗାରୁ ହୋଇ ବାଥରୁମ୍‌ଚାଲିଗଲେ ସେ । ବିଶ୍ୱଜିତ୍ କହିଲେ, “ତୁମେ ପ୍ରସ୍ତୁତ ହୁଅ, ମୁଁ ଗାଡ଼ି ବ୍ୟବସ୍ଥା କରି ଆସୁଛି ।” ଦେହରେ ସାର୍ଟ ଖଣ୍ଡେ ଗଳେଇ ସ୍କୁଟର ଧରି ବିଶ୍ୱଜିତ୍ ଗାଡ଼ି ବୁଝିବାକୁ ଚାଲିଗଲେ । କିଛି ସମୟ ପରେ ଦାଣ୍ଡରେ ଗାଡ଼ି ପେଁ ପେଁ ହର୍ଣ୍ଣ ଦେଲା । ବିଶ୍ୱଜିତ୍ ଘର ଭିତରକୁ ତରତର ହୋଇ ପଶି ଆସି ସୁଷମାଙ୍କୁ ପଚାରିଲେ, “ବାହାରିଲ କି ? “ମୋତେ ଆହୁରି ଘଣ୍ଟାଟେ ଲାଗିବ ବାହାରିବା ପାଇଁ । ମୁଁ ଫ୍ରେସ୍ ହୋଇ ଚା’ ଖାଇବା ପରେ ବାହାରିବି । କୁନୁକୁ ଟିଫିନ୍ କରେଇ ନେବି । ସେଠି କ’ଣ ବ୍ୟବସ୍ଥା ଥିବ ନ ଥିବ କିଏ ଜାଣେ ? ତୁମେ ଅପେକ୍ଷା କର ।” ବିଶ୍ୱଜିତ୍ ଉପାୟଶୂନ୍ୟ ହୋଇ ଗୋଟେ ଆଟାଚିରେ ନିଜ ଲୁଙ୍ଗି ଗାମୁଛା ଓ ପୁଅର ସାର୍ଟ ପ୍ୟାଣ୍ଟ୍ କିଛି ପୁରାଇଲେ । ଆଲମାରୀରେ ଥିବା ଖୁଚୁରା ପଇସା ଭର୍ତ୍ତି ବ୍ୟାଗ୍‌ଟାକୁ ଆଟାଚିରେ ପୁରାଇଲା ବେଳେ ସୁଷମା ରୋଷେଇ ଘରୁ ଧାଇଁ ଆସି ଚିଲ ପରି ଝାମ୍ପି ନେଲେ ହ୍ୟାଣ୍ଡ ବ୍ୟାଗ୍‌ଟାକୁ । କହିଲେ, “ଏ ବ୍ୟାଗ୍ କୁନୁର । ପାଞ୍ଚ ଟଙ୍କିଆ କଏନ୍‌ଗୁଡା ଏଥିରେ ରହିଛି । ୟା’କୁ କୁଆଡ଼େ ନେଉଛ ?” ବିଶ୍ୱଜିତ୍ ନିରବରେ ସୁଷମାଙ୍କ ହାତରୁ ବ୍ୟାଗ୍ ଛଡ଼ାଇ ନେଇ ପୁନର୍ବାର ଆଟାଚିରେ ରଖିଦେଲେ । ଭୁବନେଶ୍ୱରରୁ ବାହାରି ଗାଁରେ ପହଞ୍ଚିଲା ବେଳକୁ ଦିନ ଗୋଟାଏ । ଖରା ମୁଣ୍ଡ ଉପରେ । ବାପାଙ୍କ ଶବ ଦୁଆର ମୁହଁରେ ପଡ଼ିଛି । ସାଇ ଭାଇ ଜମା ହୋଇଛନ୍ତି ।

ହରିଦାଦା ବିଶ୍ୱଜିତ୍‌ଙ୍କ କାନ୍ଧରେ ହାତ ରଖି କହିଲେ, “ତୋର ବାପା ମରିବା ପୂର୍ବରୁ ତତେ ଟିକେ ଦେଖିବା ପାଇଁ କେତେ ଇଚ୍ଛା କରିଥିଲେ । ଦାଣ୍ଡପିଣ୍ଡାରେ ବସି ତୋ ଆସିବା ବାଟକୁ ଚାହିଁ ରହୁଥିଲେ । ତାଙ୍କ ପାଖରେ ଘଡ଼ିଏ ବସିଲେ ତୋ ଆସିବା କଥା ହିଁ ଥିଲା ତାଙ୍କ ଆରମ୍ଭ ଓ ଶେଷ କଥା । କହୁଥିଲେ ଚିଠି ଦେଇଛି । ଦଶରାରେ ବିଶୁ, ବୋହୂ ଓ ନାତିକୁ ନେଇ ନିଶ୍ଚୟ ଆସିବ ।” ବିଶ୍ୱଜିତ୍‌ଙ୍କ ମନେ ପଡୁଥିଲା ସେ ବେଶ୍ କିଛି ବର୍ଷ ହେବ ଗାଁକୁ ଆସି ନଥିଲେ । ୟା’ ଭିତରେ ଚାରି ପାଞ୍ଚ ବର୍ଷ ବିତିଗଲାଣି । ବିଭାଘର ପରେ ବାପା ବୋଉ ଠେଲିପେଲି ସୁଷମାକୁ ତାଙ୍କ ସାଙ୍ଗରେ ସହରକୁ ପଠେଇଥିଲେ । ଅଫିସ୍‌ରୁ ସବୁ ବୋଝ ତୁଟେଇ ଘରକୁ ଫେରିଲା ବେଳକୁ ଯେମିତି ବୋହୂ ପୁଅକୁ ମୁଠାଏ ଭାତ ବାଢ଼ି ଦେବ । ବାହାଘର ମାସକ ପରେ ସୁଷମାଙ୍କୁ ନେଇ ସହରକୁ ଯିବାର ପ୍ରାୟ ଚାରିମାସ ପରେ ଉଭୟ ସ୍ୱାମୀ ସ୍ତ୍ରୀ ଥରଟିଏ ଗାଁକୁ ଆସିଥିଲେ । ତାହା ପୁଣି ଦିନକ ପାଇଁ । ସହରରେ ଗୋଟେ ବଢ଼ିଆ ଜାଗା କିଣିଛନ୍ତି ସୁଷମା ନାମରେ ବୋଲି କହିବାରୁ ବାପା ତାଙ୍କର ଚିଡ଼ି ଉଠିଲେ । “ଗାଁରେ ଏତେ ଗୁଡ଼ା ଜାଗା ବାଡ଼ି ଆମ୍ୱ ତୋଟା ପୋଖରୀ ପଡ଼ିଛି । ପର ଅପର ଖାଇ ଯାଉଛନ୍ତି । ତୁ ପରଦେଶରେ ଟଙ୍କା ଦେଇ ଜାଗା କିଣୁଛୁ ।” ସହରରେ ଜାଗାକୁ ନେଇ ବାପାଙ୍କ ପ୍ରଶ୍ନର ଉତ୍ତର ବିଶ୍ୱଜିତ୍‌ଙ୍କ ପାଖରେ ନଥିଲା । ସୁଷମା ମୁହଁ ଖୋଲିଲେ । କହିଲେ, “ବାପା ସହରରେ ସବୁ ସୁବିଧା ଅଛି । ଗାଁରେ କ’ଣ ଅଛି କହିଲେ ? ଏଠି କିଏ ବା କାହିଁକି ରହିବ ?” ସୁଷମାର ଉତ୍ତରରେ ବାପା କିଛି ସମୟ ଚୁପ୍ ହୋଇଗଲେ । ବାପାଙ୍କ ମୁହଁରେ ଉକୁଟି ଉଠିଥିବା ବୟସର ଗାଢ଼ ରେଖା ଭିତରେ ଚିନ୍ତାର ଛାଇ ଝାପ୍ସା ଦିଶୁଥିଲା । ବାପା କହିଲେ, “ଗାଁରେ ପରା ଆମେ ଅଛୁ ।” ତାଙ୍କ ବାପାଙ୍କର ଏହି ପଦିଏ କଥା ସୁଷମା ବୁଝିପାରିଲେ କି ନା ଜଣା ନାହିଁ, ବିଶ୍ୱଜିତ୍ କିନ୍ତୁ ବୁଝି ନ ବୁଝିବା ପରି ରହିଲେ । ମାତ୍ର ଦିନଟିଏ ରହି ସେମାନେ ଫେରି ଯାଇଥିଲେ ସହରକୁ । ତା’ପରେ ସେ ଆଉ ଗାଁ ବାଟ ଦେଖିନାହାନ୍ତି । ପରେ ସେ ନିଜ ପରିବାର ଓ ଅଫିସ୍ ଦାୟିତ୍ୱରେ ଏତେ ବ୍ୟସ୍ତ ରହିଲେ ଯେ ଆଉ ଗାଁକୁ ଫେରି ଚାହିଁବାକୁ ସମୟ ପାଇଲେନି । ପହିଲେ ପହିଲେ ନିଜ ଛୋଟିଆ ଦରମାରୁ କିଛି ବାପାଙ୍କ ନାଁରେ ମନିଅର୍ଡର କରୁଥିଲେ । କିନ୍ତୁ ସହରରେ ଘର ତୋଳିବା ପରେ ସେତକ ବି ବନ୍ଦ ହୋଇଗଲା । ତା’ପରେ ଅନେକ ଚିଠି ଯାଇଛି ବିଶ୍ୱଜିତ୍‌ଙ୍କ ସହର ଠିକଣାରେ । ବାପା ପ୍ରତି ଚିଠିରେ ଲେଖିଛନ୍ତି ନାତିକୁ ଦେଖିବାକୁ ଇଚ୍ଛା ହେଉଛି । ଏଥର ପୂଜା ଛୁଟିରେ କିମ୍ୱା ରଜ ଛୁଟିରେ ବୋହୂକୁ ସାଙ୍ଗରେ ଧରି ଆସି ବୁଲିଯା’ । ଚିଠି ପାଇବା ପରେ ସୁଷମା ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି “ତମେ ଯିବ ଯଦି ଯା’, ମୁଁ ସେ ମଫସଲ ଗାଁରେ ଘଣ୍ଟାଟିଏ ବି ରହିବିନି ।” ସୁଷମାଙ୍କ ପ୍ରତିକ୍ରିୟା ବିଶ୍ୱଜିତ୍‌ଙ୍କୁ ସତେ ଯେମିତି ଶକ୍ତିହୀନ କରିପକାଏ ପ୍ରତିଥର । ସେ ପୁଣି ହଜିଯାଆନ୍ତି ନିଜ ଦୁନିଆଁ ଭିତରେ । ଏମିତି ଚିଠି ଲେଖା ଭିତରେ ଅନେକ କିଛି ବର୍ଷ ବିତି ଯାଇଛି । ବାପାଙ୍କ ହାତ ଲେଖା ଚିଠି ଟିଭି ଟେବୁଲର କପଡ଼ା ତଳେ, ଡାଇନିଂ ହଲର ଆଲମିରା ଉପରେ, ପୁଣି ଗଦି ତଳେ ଜମା ହୋଇଛି ସମୁଦ୍ରର ବେଳା ଭୂମିରେ ଗଦା ଗଦା ଗେଣ୍ଡା ଶାମୁକା ପରି । କିନ୍ତୁ ସେ କେବେ ସମୟ ପାଇଁ ନାହାନ୍ତି ଟିକେ ଗାଁ ଆଡ଼େ ବୁଲିଯିବା ପାଇଁ । ତେଣେ ବାପା ବୋଉ ପୁଅ ବୋହୂଙ୍କ ଆସିବା ବାଟ ଚାହିଁ ଚାହିଁ ଦିନ କାଟିଛନ୍ତି । ପ୍ରତିଦିନ ସକାଳେ ନୂଆ ନୂଆ ଯୋଜନା କରିଛନ୍ତି ପୁଅ ଆସିବାକୁ ନେଇ । ବାଡ଼ିରେ ସାଗପତର କଅଁଳିଲେ ସାଇତା ହୋଇଛି ବିଶୁ ପାଇଁ । କୋଠିଆ କଦଳୀ କାନ୍ଦି କାଢ଼ିଲେ ବିଶୁ ନାଁରେ ସଅଁପି ଦିଆ ହୋଇଛି । ଗାଈ ଛୁଆ ଜନ୍ମ କଲେ ଦୁଧ ଦହି ଘିଅ ଲହୁଣି ନିଜେ ଖାଇ ନାହାନ୍ତି କି କାହାକୁ ଦେଇ ନାହାନ୍ତି । ଘରେ ରହିଥିବା ସମସ୍ତ ସୁଖ ସୁବିଧା ପୁଣି ନୂଆ ପୁରୁଣା ଜିନିଷ ସବୁ ଉପରେ କେବଳ ବିଶୁର ଅଧିକାର ଆଉ କେହି ସେଥିରେ ଭାଗ ବସାଇବାକୁ ଆଦୌ ଗ୍ରହଣ କରିପାରୁ ନଥିଲେ ବାପା । କିନ୍ତୁ ବିଶୁ ବାପା ବୋଉଙ୍କର ଏ ଭାବପ୍ରବଣତାକୁ ଗ୍ରହଣ କରିବା ତ ପରର କଥା ଆଡ଼ ଆଖିରେ ଅନେଇବା ପାଇଁ ମଧ୍ୟ ସମୟ କାଢ଼ିପାରିଲେନି ।

ସନିଆ ଧୋବା କଞ୍ଚା ବତା ଉପରେ କୁରାଢ଼ି କଚାଡ଼ି ଦେଇ କହିଲା, “ବାବୁ ମୋ କାମ ଶେଷ । ଏଥର ଶବ ଉଠାଇବା ବ୍ୟବସ୍ଥା କର ।” ଘର ଭିତରୁ ବୋଉର କାନ୍ଦଣା ଶୁଣିପାରୁଥିଲେ ବିଶ୍ୱଜିତ୍ । ଗୁମୁରି ଗୁମୁରି କାନ୍ଦୁଥିଲା ବୋଉ । ବାପାଙ୍କୁ ମନେ ପକାଉଥିଲା । ମଝିରେ ମଝିରେ ବିଶୁବିଶୁ ବୋଲି ଉଚ୍ଚାରଣ କରୁଥିଲା । ଖଞ୍ଜାରେ ରୁଣ୍ଡ ହୋଇଥିବା ସ୍ତ୍ରୀ ଲୋକମାନଙ୍କ ମଧ୍ୟରୁ କେହି ଜଣେ କହିଲେ, “ହଁ ଆଜି ମଲେ କାଲି କି ଦି’ଦିନ । ଯେମିତି କର୍ମ ସେମିତି ଫଳ । କେହି କିଛି ଏଠୁ ନେଇ ଯାଉନି କି ଦେଇ ଯାଉନି । କାହିଁକି କୋଉ ପୁଅ ବୋହୂଙ୍କ ହାତଟେକାକୁ ଚାହିଁବ ଯେ । ସେମାନେ ହେଲେ ଉଡ଼ା ଚଢେ଼ଇ । ପର ମେଲିଲେ ଫୁର୍ କିନା ଉଡ଼ିଯିବେ ।” ଥମି ଯାଇଥିବା ବୋଉର କୋହ ପୁଣି ଥରେ ଦୁଆର ବନ୍ଧ ଡେଇଁ ଦାଣ୍ଡସାରା ଖେଳିଗଲା । ପିଣ୍ଡାରେ ଆଉଜି ବସିଥିବା ସାଇଭାଇ ଅଣ୍ଟାରେ ଗାମୁଛା ଭିଡ଼ିଲେ । ହରିବୋଲ ପକେଇ କୋକେଇ ଉପରେ ଶବ ରଖିଲେ । ଗାମୁଛାରେ ବାନ୍ଧି କେହି ଜଣେ ବିଶ୍ୱଜିତ୍‌ଙ୍କ ହାତରେ ଆଞ୍ଜୁଳାଏ ଖଇ ଧରାଇ ଦେଇଗଲା । ସେ ଘର ଭିତରକୁ ଯାଇ ଖୁଚୁରା ପଇସା ଭର୍ତ୍ତି ବ୍ୟାଗ୍ ଆଣିବା ପାଇଁ ଆଟାଚି ଖୋଲିଲା ବେଳକୁ ସୁଷମା ଦଉଡ଼ି ଆସିଲେ ପାଖକୁ । ଖୁଚୁରା ପଇସା ଥିବା ବ୍ୟାଗ୍ଟିକୁ ନ ନେବା ପାଇଁ ଆଖିରେ ଆଖିରେ ଇସାରା କରୁଥିଲେ ତାଙ୍କୁ । ବିଶ୍ୱଜିତ୍ ସୁଷମାଙ୍କ ହାତରୁ ଆଟାଚିଟା ଝିଙ୍କି ଆଣି ଖୁଚୁରା ପଇସା ତକ ନିଜ ଗାମୁଛା କାନିରେ ଅମୁହାଁ ଓଜାଡ଼ି ଦେଲେ ।

ସାହିଭାଇଙ୍କ କାନ୍ଧରେ ଶବ ଉଠିଲା । ଶୁଭିଲା “ରାମନାମ ସତ୍ୟ ହେ, ହରିନାମ ସତ୍ୟ ହେ !” ଆଗରେ ଚାଲିଥିବା ବିଶ୍ୱଜିତ୍ । “ରାମ ନାମ ହରି ନାମ”ର ମନ୍ତ୍ର ଯେମିତି କଣ୍ଟା ପରି ତାଙ୍କ ଦେହରେ ଫୋଡ଼ି ହୋଇଯାଉଥିଲା । ଭିଡ଼ ଭିତରୁ ବାହାରି ଆସୁଥିବା ଏହି ଶବ୍ଦର ବୋଝ ତଳେ ସେ ଚାପି ହୋଇ ଯାଉଥିଲେ । ତାଙ୍କୁ ଲାଗୁଥିଲା ଯେମିତି ଆଉ କେହି ନୁହେଁ ଖୋଦ୍ ବାପା କୋକେଇରେ ଶୋଇ ରହି ଏହି ମନ୍ତ୍ରଟିକୁ ଉଚ୍ଚାରଣ କରୁଛନ୍ତି । କହୁଛନ୍ତି, “ବିଶୁରେ ସବୁ କିଛି ମାୟା । ସବୁ ମିଛ । ଏହି ରାମ ନାମ ହରି ନାମ ହିଁ ସତ୍ୟ ।” ଅଣ୍ଟିରୁ ମୁଠା ମୁଠା ଖଇ କାଢ଼ି ଶବ ଉପରକୁ ଫୋପାଡୁଥିଲେ ବିଶ୍ୱଜିତ୍ । ଖଇ ସବୁ ପବନରେ ଏଣେ ତେଣେ ଉଡ଼ି ଯାଉଥିଲା । ତାଙ୍କ ହାତରୁ ଖସିଯିବା ପରେ ମୁଠା ମୁଠା ଖଇ ଜୀବନର ବାସ୍ତବତାକୁ ଅତି ନଗ୍ନ ଭାବରେ ଚିତ୍ରିତ କରୁଥିଲା । ମଣିଷ ଯେ ସମୟ ହାତରେ ଖଇ ପରି ଅସହାୟ, ତାହା ବୁଝିବାକୁ ବିଶ୍ୱଜିତ୍‌ଙ୍କର ଆଉ ବାକି ନଥିଲା । ଅଣ୍ଟିରେ ଖଇ ସାଙ୍ଗରେ ଗୋଳେଇ ହୋଇଥିବା ଖୁଚୁରା ପଇସା ସବୁ ବାପାଙ୍କ ଉପରକୁ ଛାଟିଲା ବେଳେ ବେଶ୍ ସଙ୍କୁଚିତ ହୋଇ ପଡୁଥିଲେ ସେ । ଖୁଚୁରାପଇସା ସବୁ ବାପାଙ୍କ ଦେହ ଛୁଇଁ ଗାଁ ଦାଣ୍ଡର ଧୂଳିରେ କେଉଁଠି ହଜି ଯାଉଥିଲା । ବିଶ୍ୱଜିତ୍‌ଙ୍କୁ ଲାଗୁଥିଲା ଯେମିତି ବାପା ହାତ ବଢେ଼ଇ ତାଙ୍କ ଦେହରେ ପଡୁଥିବା ପଇସା ତକ ଝାଡ଼ି ଦେଉଛନ୍ତି । ବାପା ଶପଥ କରିଛନ୍ତି, ତାଙ୍କ ବିଶୁର ଗୋଟା ନୂଆ ପଇସା ବି ହାତରେ ଧରିବେନି । ବାପା ଚିରନିଦ୍ରାରେ ଶୋଇଥାନ୍ତି ସତ କିନ୍ତୁ ବର୍ଷ ବର୍ଷ ଧରି ତାଙ୍କ ଭିତରେ ଜମାଟ ବାନ୍ଧିଥିବା ଅଭିମାନ ସବୁ ଯେମିତି ନାଲି ନୀଳ ଅବିର ସାଙ୍ଗରେ ଗୋଳେଇ ହୋଇ ମାଟିରେ ଲୋଟି ପଡୁଥାଆନ୍ତି । ବାପାଙ୍କ ପାଇଁ ଆଣିଥିବା କେଇମୁଠା ଟଙ୍କାରୁ ଗୋଟିଏ ହେଲେ ବି ତାଙ୍କ ଦେହରେ ନ ରହିବା ବିଶ୍ୱଜିତ୍‌ଙ୍କ ପାଇଁ ଥିଲା ଜଣେ ଅସହାୟ ବାପର ଚରମ ଉପହାସ । ହାତରୁ ମୁଠା ମୁଠା ଟଙ୍କା ଖସେଇବା ପାଇଁ ପ୍ରସ୍ତୁତ ହୋଇ ଆସିବା ବେଳକୁ ବାପା ହାତରୁ ଖସି ଯାଇଥିଲେ । ବିଲ୍‌କୁଲ୍‌ ଅପରାହ୍ନର ଖରା ପରି । ଏଇ ଅଛି ଏଇ ନାଇଁ ।

ଲୋକପ୍ରିୟ ଲେଖା

To Top