ଗଳ୍ପ

ବରଜୁ କାକା

Dr Nilamani Lenka's odia story Baraju Kaakaa

ହାତରେ ଧରିଥିବା ବହୁବର୍ଣ୍ଣା ପ୍ଲାକାର୍ଡ ପଢ଼ିବା ତ ଦୂରର କଥା, ସେ ସମ୍ପର୍କରେ କିଛି ଜାଣନ୍ତି ନାହିଁ । ସହରରେ ଟଙ୍କା ରୋଜଗାର କରିବା ସେମାନଙ୍କ ଲକ୍ଷ୍ୟ ।

ବରଜୁ କାକା

ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ବରଜୁ କାକା । ତାଙ୍କ ଗାଁ ସମ୍ପର୍କରେ କୌଣସି ତଥ୍ୟ କାହା ପାଖରେ ନାହିଁ । କେବେ ଠାରୁ ସେ ରାଜଧାନୀ ଆସିଲେଣି ତାହା କେହି ଜାଣନ୍ତି ନାହିଁ । କ୍ଷୀଣ ଶରୀରକୁ ମୁହଁର ପାଚିଲା ଲମ୍ୱା ଦାଢ଼ିର ପରିଚୟରେ ବଞ୍ଚିଛନ୍ତି ବରଜୁ କାକା । କେଉଁଠି ରହନ୍ତି ସେ କଥା ନିର୍ଦ୍ଦିଷ୍ଟ ଭାବରେ କାହାକୁ ମାଲୁମ ନାହିଁ । କେବଳ ସମସ୍ତେ ଜାଣନ୍ତି ରାଜଧାନୀର କେଉଁ ଏକ ବସ୍ତି ଅଞ୍ଚଳରେ ସେ ରହୁଛନ୍ତି ।

ବରଜୁ କାକା ରହୁଥିବା ବସ୍ତି କଥା ସମୟ ପାଇଲେ ନିଜର ଭାବୁଥିବା ଲୋକଙ୍କ ପାଖରେ କହନ୍ତି । କେମିତି ସେ ସେଠାରେ ଅଣନିଶ୍ୱାସୀ ହୋଇ ରହୁଛନ୍ତି, ନିରକ୍ଷର ଲୋକଙ୍କ ଗହଣରେ ରହିଲେ କି କ୍ଷତି ହୋଇଛି ତାଙ୍କର ସେ କଥା ବି କହନ୍ତି । ଏସବୁ ସତ୍ତ୍ୱେ ବସ୍ତିର ନାମ କହିବାକୁ ସେ କୁଣ୍ଠାବୋଧ କରୁଛନ୍ତି ।

ବସ୍ତି ଘରେ ରହୁଥିବା ପରିବାର ସଦସ୍ୟଙ୍କ କଥା କେହି ନ ଜାଣିଲେ ମଧ୍ୟ ବରଜୁ କାକା ନିଜ ଘର ଭିତରର ସମସ୍ୟା କାହା ନିକଟରେ ବଖାଣିବାକୁ ଭଲ ପାଆନ୍ତି ନାହିଁ । ରହୁଥିବା ବସ୍ତିର କଥା କହନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ଅବହେଳାରୁ କାଚବୋତଲ ଏବଂ ଜରି ଗୋଟାଉଥିବା ଅବହେଳିତ ଶୈଶବର କଥା କହନ୍ତି । ତାଙ୍କ ପରିବାରର ନୁହେଁ ବରଂ ମଣିବାବା ବସ୍ତି ବାସିନ୍ଦାଙ୍କର ।

କ୍ୟାପିଟାଲ୍ ସତ୍ୟନଗର ଓଭରବ୍ରିଜ୍ ପାର୍ଶ୍ୱରେ ଥିବା ନର୍ଦ୍ଦମା ପରିପୂର୍ଣ୍ଣ କେନାଲର ପାର୍ଶ୍ୱରେ ଗଢ଼ି ଉଠିଛି ମଣିବାବା ବସ୍ତି । ମଣିବାବାଙ୍କ ଫଟୋ କିମ୍ୱା ପୂଜା ନିମିତ୍ତ କୌଣସି ଚିହ୍ନ ବର୍ଣ୍ଣ ନାହିଁ । କିଏ ଏଠି ବସ୍ତିର ନାମ ମଣିବାବା ରଖିଲା, ତା’ର କୌଣସି ତଥ୍ୟ କାହାରି ପାଖରେ ନାହିଁ । ଜଣାଯାଏ ଜଣେ ଭିକ୍ଷାସୀ ବାବା ପୂର୍ବରୁ ଏଇଠି ଥିବା ଛୋଟିଆ ବରଗଛ ମୂଳରେ ପାଲଟଣା କୁଡ଼ିଆ କରି ରହୁଥିଲେ । ମଣିବାବାଙ୍କର ଫଟୋ ରଖି ପୂଜା ପାଠ କରୁଥିଲେ । ସକାଳର ନିତ୍ୟକର୍ମ ଭିତରେ ପୂଜାକାର୍ଯ୍ୟ ସାରି ସନ୍ଧ୍ୟା ପୂର୍ବରୁ ପୁଣି ଫେରିଆସୁଥିଲେ ପାଲଟଣା କୁଡ଼ିଆ ଭିତରକୁ ।

ଭିକ୍ଷାସୀବାବା ଅନେକ ବର୍ଷତଳୁ କୁଆଡ଼େ ଚାଲିଗଲେଣି । ବାବାଙ୍କ ଜରିପାଲ ଘେରା ପାଖକୁ ଲାଗି କେତେଗୁଡ଼ିଏ ଅସ୍ଥାୟୀ କୁଡ଼ିଆ ତିଆରି ହୋଇଥିଲା । ବାବା ନାହାନ୍ତି । ସହରର ପ୍ରଶସ୍ତିକରଣ ନିମିତ୍ତ ବରଗଛ କିମ୍ୱା ତାଙ୍କ ପାଲଘେରା ଘର ସେଠି ନାହିଁ । ସବୁ କିଛିର ପରିବର୍ତ୍ତନ ଘଟିଯାଇଛି ।

ବସ୍ତିର ପ୍ରବେଶ ପଥ ଅର୍ଥାତ୍ ଫୁଟ୍‌ପାଥକୁ ଲାଗି ଜଣେ ପ୍ରଭାବଶାଳୀ ବସ୍ତି ବାସିନ୍ଦା ଗୋଟିଏ ଦୋକାନ କରିଛି, ଯାହାର ନାମ ରଖାଯାଇଛି “ମଣିବାବା ମାଛ ଭଣ୍ଡାର ।”

ଖୁବେ ବିସ୍ମିତ ଲାଗେ ଏ ଦୋକାନ ଫଳକ ଦେଖି । ଧର୍ମୀୟ ଭାବନା ସହିତ ଜଡ଼ିତ ଥିବା ଏହି ହିନ୍ଦୁଲୋକଟି ଶେଷରେ ମଣିବାବାଙ୍କ ନାମରେ ମାଛ ଦୋକାନ ଖୋଲିଲା । ଦୋକାନର ନାମଫଳକ ମଣିବାବା ମାଛ ଭଣ୍ଡାର ଲେଖିବା ସହିତ ମଣିବାବାଙ୍କ ଲିଙ୍ଗାକୃତି ସଙ୍କେତ ଏବଂ ବିଭିନ୍ନ ପ୍ରଜାତିର ଦାମିକା ମାଛ ଚିତ୍ର ବି ଆଙ୍କିଥିଲା । ତଥାପି ଭୟରେ କେହି ପ୍ରତିବାଦ କରିନାହାନ୍ତି ଏ ଯାଏଁ । ଗ୍ରାହକ ଆସି ମନ ମୁତାବକ ମାଛ ନେଇ ଚାଲିଯାଆନ୍ତି ।

ଏସବୁ ଭିତରେ ସବୁଦିନେ ଏ ଚିତ୍ର ଦେଖୁଥିବା ବରଜୁ କାକା ଥରେ ସେ ମାଛ ଦୋକାନୀକୁ କଅଁଳ ଭାଷାରେ ବୁଝାଇବାକୁ ଚେଷ୍ଟା କରିଥିଲେ ।

– ପୁଅ. . . ! ଏ ମାଛ ଦୋକାନର ନାଁ ପରିବର୍ତ୍ତନ କରିଦେଲେ ହୁଅନ୍ତାନି ?

– କାହିଁକି ?

– ଆରଡ଼ିର ପ୍ରତ୍ୟକ୍ଷ ଦେବତା ପରା ମଣିବାବା । ଆମ ହିନ୍ଦୁ ଧର୍ମର ଉପାସ୍ୟ ଦେବତା ସେ । ତାଙ୍କ ନାଁରେ ଆମିଷ ଦୋକାନ କରି ମାଛ ଚିହ୍ନ ପାଖରେ ତାଙ୍କ ଚିତ୍ର ଯୋଡ଼ିବା ଭାରି ଅପରାଧ ପୁଅ ।

ମାଛବାଲା କିଛି ମୁହୂର୍ତ୍ତ ବରଜୁ କାକାଙ୍କୁ ଚାହିଁଲା । ବୋଧହୁଏ ସେ କିଛି କଟୁ ଭାଷାରେ ଗାଳିଗୁଲଜ କରିବାକୁ ଚାହୁଁଥିଲା । କିନ୍ତୁ ପାରିନଥିଲା । କାରଣ ମଣିବାବା ବସ୍ତିରେ ବରଜୁ କାକା ଖୁବ୍ ପ୍ରିୟ ଥିଲେ ସମସ୍ତଙ୍କର । ପିଲାଠାରୁ ବଡ଼ ସମସ୍ତେ ତାଙ୍କ କାକା ବୋଲି ସମ୍ୱୋଧନ କରୁଥିଲେ । ସମ୍ମାନ ବି ଦେଉଥିଲେ । ମଦ୍ୟପ ସ୍ୱାମୀର ତାଡ଼ନାରେ ଅସ୍ତବ୍ୟସ୍ତ ହୋଇପଡୁଥିବା ସ୍ତ୍ରୀ ପିଲାଛୁଆଙ୍କ ଦୁଃଖରେ ମ୍ରିୟମାଣ ହୋଇ ସେମାନଙ୍କ ପରିବାରରେ ସମାଧାନର ସୂତ୍ର ବାହାର କରୁଥିଲେ ।

ମାଛବାଲାର ମୁହଁର ଭାଷାରେ ନିଜର ସମ୍ମାନ ନଷ୍ଟ କରିବାକୁ ଭଲ ମନେକଲେ ନାହିଁ ବରଜୁ କାକା । ପୁଅ. . . ରାଗିବୁ ନାହିଁ ମୋ ଉପରେ । ସେ ତା’ ସାମ୍ନାରୁ ଚାଲି ଆସିଲେ ।

ବରଜୁ କାକାଙ୍କୁ ମୁଁ ପ୍ରାୟ ଦଶବର୍ଷରୁ ଉର୍ଦ୍ଧ୍ଵ ହେଲା ଦେଖି ଆସୁଛି କ୍ୟାପିଟାଲ୍ ଭୁବନେଶ୍ୱରରେ । ପରିବର୍ତ୍ତନଶୀଳ କ୍ୟାପିଟାଲ ବାରମାସୀ ଚଢ଼େଇ ପରି ନିଜର ରଙ୍ଗ ବଦଳାଉଥିଲା ବେଳେ ବରଜୁ କାକାଙ୍କୁ ସ୍ଥିତପ୍ରଜ୍ଞ ଚରିତ୍ର ଭାବରେ ଏ ଯାଏଁ ଦେଖି ଆସିଛି ମୁଁ । ଦଶ ବର୍ଷ କଳର କ୍ୟାପିଟାଲ୍‌ର ନକ୍ସା ବଦଳି ଯାଇଛି । ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଛି । ସ୍ମାର୍ଟ ସିଟି ଆଖ୍ୟା ବି ପାଇସାରିଛି । ଚଳଚଞ୍ଚଳ ଗତିବାନ୍ ନକ୍ଷତ୍ରର ଛାପ ବାଜି ଯାଇଛି କ୍ୟାପିଟାଲ୍‌ର ସାରା ଦେହଟା ଉପରେ । ୟା’ ଭିତରେ ରାସ୍ତା ଚିକ୍‌ଚାକ୍ ହୋଇଛି । ଅଜା-ଗୋସବାପା ଅମଳରୁ ଆକାଶକୁ ମୁଣ୍ଡ କରି ଠିଆ ହୋଇଥିବା ବିଶାଳ ଦ୍ରୁମ ଧରାଶାୟୀ ହୋଇଯାଇଛି । ଭେଣ୍ଡିଂ ଜୋନ୍ ନିମିତ୍ତ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ସର୍ବାପେକ୍ଷା ପ୍ରତି ରବିବାର କ୍ୟାପିଟାଲ୍ କଳା ମିଚିମିଚି ଛାତି ଉପରେ ଅନୁଷ୍ଠିତ ହେଉଥିବା ରାହାଗିରି ଦିବସ ଦୋହଲାଇ ଦେଇଛି ସଂସ୍କୃତିର ମୂଳଦୁଆକୁ ।

ବରଜୁ କାକା ମୋର କୌଣସି ସମ୍ପର୍କୀୟ ନୁହଁନ୍ତି । କେବଳ କିଛି ସମୟ ଦେଖାରୁ ସେ ଚିହ୍ନା । ଆମ ଅଫିସ୍ ପାଖର ଝୁମ୍ପୁଡ଼ି ହୋଟେଲ୍‌କୁ ଖାଇବା ନିମିତ୍ତ ଗଲେ ସେ ଦେଖା ହୋଇଥାନ୍ତି । କେବେକେବେ ମୋ ଫେରିବା ବାଟକୁ ସେ ଚାହିଁ ରହିଥାନ୍ତି । ଝୁମ୍ପୁଡ଼ି ହୋଟେଲ ରାସ୍ତାରେ ଅତିକ୍ରମ କଲାବେଳେ ସେ ହାତ ଦେଖାଇ ମୋତେ ଅଟକାଇ ଲିଫ୍ଟ ମାଗିଥାନ୍ତି ।

ମୋ ଫେରିବା ବାଟରେ ପଡ଼େ ମଣିବାବା ବସ୍ତି । ସେଠି ଓହ୍ଲାଇ ଯାଆନ୍ତି ବରଜୁ କାକା । ହେଲେ ସେ ବସ୍ତି ଭିତରେ କେଉଁଠି ରହନ୍ତି ତାଙ୍କ ସହ ଆଉ କିଏ ସେଠି ଅଛନ୍ତି ସେ କଥା ପଚାରିବାକୁ ପ୍ରାୟ ମୁଁ ଭୁଲି ଯାଇଥାଏ । କ୍ୟାପିଟାଲ୍ ଟ୍ରାଫିକ୍ କଟକଣା ଏବଂ ଓଭରବ୍ରିଜ୍ ହେବା ଯୋଗୁ ଗାଡ଼ିଗୁଡ଼ିକର କ୍ଷୀପ୍ରତା ମୋତେ ସେ ପ୍ରସଙ୍ଗକୁ ଯିବା ନିମିତ୍ତ ସୁଯୋଗ ଦେଇନଥାଏ ।

ବରଜୁ କାକାଙ୍କ ଲୋକପ୍ରିୟତା ପାଇଁ ଅନେକ କାରଣ ଥିଲା । ସେ କୌଣସି ନିର୍ଦ୍ଦିଷ୍ଟ ଦଳୀୟ କର୍ମୀ ନୁହଁନ୍ତି । ଭୋଟ ଦେବା ନିମିତ୍ତ ପରିଚୟ ପତ୍ର ମଧ୍ୟ ନାହିଁ । ତଥାପି ବର୍ଷ ସାରା କ୍ୟାପିଟାଲରେ ଅନୁଷ୍ଠିତ ହେଉଥିବା ଦଳୀୟ ରାଲି ଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳେ । ଯେକୌଣସି ଦଳର ବିକ୍ଷୋଭ କିମ୍ୱା ପ୍ରତିବାଦ ସଭା ନିମିତ୍ତ ଲୋକ ଆବଶ୍ୟକ ପଡ଼ିଲେ ସେମାନେ ପ୍ରଥମେ ଖୋଜିଥାଆନ୍ତି ତାଙ୍କୁ । କେବଳ ଭଡ଼ାରେ ଲୋକ ସଂଗ୍ରହ କରିବା ପାଇଁ ।

ବସ୍ତିବାସିନ୍ଦାଙ୍କ ଭାରି ଆଦରର ପାତ୍ର ହେଉଛନ୍ତି ବରଜୁ କାକା । ଯେଉଁଦିନ ଦଳୀୟ ଗାଡ଼ିରେ ବସି କ୍ୟାପିଟାଲ୍‌ର ବସ୍ତିମାନଙ୍କୁ ପ୍ରବେଶ କରନ୍ତି ସମସ୍ତେ ସମ୍ଭାବ୍ୟ ରୋଜଗାର ନିମିତ୍ତ ଖୁସି ହୋଇ ଘେରି ଯାଆନ୍ତି ।

ବରଜୁ କାକା ଡାକ ମାରନ୍ତି- ଜଣକା ଚାରିଶ ଟଙ୍କା । କାଲି ଆଠଟା ବେଳକୁ ରେଳ ଷ୍ଟେସନ୍ ପାଖରୁ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ୍ ଦେଇ ଲୋୟର ପିଏମ୍‌ଜିରେ ପହଞ୍ଚିବ । ଏଗାରଟା ବେଳକୁ ବିକ୍ଷୋଭ ସରିଯିବ । ଗାଡ଼ିରେ ବସ୍ତି ପାଖରୁ ଯିବ ପୁଣି ଗାଡ଼ି ଆଣି ଏଇଠି ଛାଡ଼ି ଦେଇଯିବ ।

ସେଦିନ ଅନ୍ୟ କାମ ସବୁ ବନ୍ଦ କରିଦିଅନ୍ତି ବସ୍ତିବାସିନ୍ଦା । ବାଳକ ବାଳିକାମାନଙ୍କଠାରୁ ଆରମ୍ଭ କରି ଚଳପ୍ରଚଳ କରିବାକୁ ସକ୍ଷମ ଥିବା ବୃଦ୍ଧବୃଦ୍ଧା ଏଥିରୁ ବାଦ୍ ପଡ଼ନ୍ତି ନାହିଁ । ଚାରିଶ ଟଙ୍କା ଲୋଭରେ ସେମାନେ ନିୟମିତ ଭାବରେ କ୍ୟାପିଟାଲ୍‌ର ବିଭିନ୍ନ ରାଲିମାନଙ୍କରେ ଯୋଗ ଦେଇଥାନ୍ତି ।

କେତେକଙ୍କୁ ରାଲି ସମ୍ପର୍କରେ ପଚାରିଲେ ଉତ୍ତର ମିଳେନି । ହାତରେ ଧରିଥିବା ଚାରିଶ ଟଙ୍କାକୁ ଦେଖାଇ ବଲବଲ କରି କ୍ୟାମେରା ମୁହଁକୁ ଚାହାଁନ୍ତି । ହାତରେ ଧରିଥିବା ବହୁବର୍ଣ୍ଣା ପ୍ଲାକାର୍ଡ ପଢ଼ିବା ତ ଦୂରର କଥା, ସେ ସମ୍ପର୍କରେ କିଛି ଜାଣନ୍ତି ନାହିଁ । ସହରରେ ଟଙ୍କା ରୋଜଗାର କରିବା ସେମାନଙ୍କ ଲକ୍ଷ୍ୟ ।

ବେଳେବେଳେ ଏମାନଙ୍କର ଦୁର୍ଦ୍ଦଶା ଦେଖିଲେ ଦୁଃଖ ଲାଗେ । କେତେବେଳେ କେମିତି ପୁଲିସବାହିନୀଙ୍କ ଠେଲାପେଲାରେ କିମ୍ୱା ଲାଠି ଚାଳନାରେ ଆଘାତ ପ୍ରାପ୍ତ ହୋଇଯାଆନ୍ତି ଏମାନେ । ଅବଶ୍ୟ ରାଲି ଆୟୋଜନ କରୁଥିବା ଦଳୀୟ ନେତୃମଣ୍ଡଳୀ ଏମାନଙ୍କର ଚିକିତ୍ସା ଭାର ଗ୍ରହଣ କରିବା ସହିତ ବରଜୁ କାକାଙ୍କ ଉଦ୍ୟମରୁ ସହାୟତା ରାଶି ପାଇଥାନ୍ତି । ପୁଣି ପରବର୍ତ୍ତୀ ରାଲିର ଡାକରା ପାଇଁ ବରଜୁ କାକାଙ୍କୁ ଅପେକ୍ଷା କରିଥାନ୍ତି ସେମାନେ ।

ଖୁବ୍ ସମୟାନୁବର୍ତ୍ତିତା ଥିଲେ ବରଜୁ କାକା । କ୍ୟାପିଟାଲ୍‌ରେ ଯେତେ ରାଲି କିମ୍ୱା ସଭାସମିତି ହେଉନା କାହିଁକି ବରଜୁ କାକା ଲୋକ ଯୋଗାଡ କରିଦେଲା ପରେ ଚାଲି ଯାଆନ୍ତି ଓଭରବ୍ରିଜ୍ ତଳର ଝୁମ୍ପୁଡ଼ି ହୋଟେଲ ଆଡ଼କୁ ।

ଅବିଚଳିତ ହେବାକୁ ଚେଷ୍ଟା କରନ୍ତି ସେ । କିନ୍ତୁ ହୋଇପାରନ୍ତି ନାହିଁ । ଚିହ୍ନା ଲୋକଙ୍କୁ ଦେଖିଲେ ହସି ଦେଇ ହାତ ହଲାଇ ଦିଅନ୍ତି । ପୁଣି ପୂର୍ବ ମୁଦ୍ରାକୁ ଫେରି ଆସନ୍ତି ।

ବରଜୁ କାକା ମୋର ଯେତେବେଳେ ଚିହ୍ନା ହୋଇନଥିଲେ ସେତେବେଳେ ମୁଁ ସେ ଝୁମ୍ପୁଡ଼ି ହୋଟେଲକୁ ଖାଇବାକୁ ଗଲେ ତାଙ୍କୁ ଭେଟିଥାଏ । ନୂଆ ଗ୍ରାହକ ପରି ମୋତେ ମଧ୍ୟ ହାତରେ ଧରିଥିବା ଛୋଟିଆ ଟିଣ ବୋର୍ଡକୁ ଦେଖାଇ ହୋଟେଲ୍ ଭିତରକୁ ଯିବାକୁ ଇସାରା ଦିଅନ୍ତି ।

ହୋଟେଲ୍ ଠାରୁ ପ୍ରାୟ ଦଶବାର ଫୁଟ ବ୍ୟବଧାନରେ ସେ ଝୁମ୍ପୁଡ଼ି ହୋଟେଲ୍ । ରାସ୍ତା ପାଖକୁ ଲାଗିଥିବା ଫୁଟପାଥ୍ କଡ଼କୁ ଠିଆ ହୋଇଥାନ୍ତି ସେ । ଦିନ ଏଗାରଟାରୁ ପ୍ରାୟ ଦୁଇଟା ପର୍ଯ୍ୟନ୍ତ ସେ ଠିଆ ହୋଇ ଗ୍ରାହକ ଅନ୍ୱେଷଣରେ ଲାଗିପଡ଼ନ୍ତି । ଯା’ ଆସ କରୁଥିବା ଫୁଟ୍‌ପାଥର ଯାତ୍ରୀଙ୍କୁ ହାତରେ ଧରିଥିବା ବୋର୍ଡକୁ ଦେଖାଇ ଥାଆନ୍ତି ।

– ମିଲ୍ସ ରେଡ଼ି. . . ଆମିଷ ମିଲ୍‌ର ମୂଲ୍ୟ ପଚାଶ ଟଙ୍କା । ସାଧା ମିଲ୍‌ର ମୂଲ୍ୟ ଚାଳିଶ ଟଙ୍କା. . . ତା’ ସାଙ୍ଗକୁ ପାମ୍ପଡ଼ ଓ ଆଚାର ଫ୍ରି’. . . ।

ପ୍ରଥମ କରି ମୁଁ ଯେତେବେଳେ ସେ ହୋଟେଲ୍‌କୁ ଖାଇବାକୁ ଯାଉଥିଲି, କିଛି ବୁଝିପାରି ନଥିଲି । ହୋଟେଲ ମାଲିକଙ୍କ ସମ୍ପର୍କୀୟ କିମ୍ୱା ସେ ତାଙ୍କ ଲୋକ ହୋଇଥିବେ ବୋଲି ଭାବୁଥିଲି । କିନ୍ତୁ ତାହା ନଥିଲା । ଆମ କମ୍ପାନୀର ଛୁଟିହୁଏ ଦିନ ଦୁଇଟାରେ । ପୁଣି ଚାରିଟାରୁ କାର୍ଯ୍ୟ ଆରମ୍ଭ ହୋଇ ରାତି ଦଶଟାରେ ସମ୍ପୂର୍ଣ୍ଣ ଛୁଟି ହୁଏ । ସେଥିପାଇଁ ଦିନରେ ଦୁଇଥର ମୋତେ ସେ ଝୁମ୍ପୁଡ଼ି ହୋଟେଲରେ ଖାଇବାକୁ ପଡ଼ିଥାଏ । କ୍ୟାପିଟାଲ୍‌ର ବଡ଼ ହୋଟେଲ୍‌ରେ ଖାଇବାକୁ ମୋ ପାଇଁ କଷ୍ଟକର ଥିଲା । ମାସିକିଆ ବାକି ଖାତାରେ ଏହି ଝୁମ୍ପୁଡ଼ିରେ ଖାଇବା ଆମଭଳି ଚାକିରିଆମାନଙ୍କ ନିମିତ୍ତ ଖୁବ୍ ସୁବିଧା ଥିଲା । ସ୍ଥାୟୀ ଗ୍ରାହକଙ୍କୁ ଦେଖିଲେ ମାଲିକ ସେମାନଙ୍କ ଖାଇବା ଥାଳି କଡ଼ରେ ବଡ଼ିଚୁରା କିମ୍ୱା ଆଳୁଭର୍ତ୍ତା ଟେଳାଟିଏ ଥୋଇ ଦେଉଥିଲେ । ହୁଏତ ତାଙ୍କ ଏ ସ୍ନେହର ପରଶା ମୋ ପାଇଁ ଲାଞ୍ଚ ହୋଇ ଯାଇଥିଲା ।

ନୂଆ ଗ୍ରାହକଟିଏ ଯୋଗାଡ଼ କଲେ ତାଙ୍କୁ ସାଙ୍ଗରେ ଧରି ମାଲିକଙ୍କ ପାଖକୁ ନେଇ ବୁଝାଇ ଦିଅନ୍ତି ବରଜୁ କାକା । ମାଲିକ ବି ବେଶ୍ ଖୁସି ହୋଇଯାଆନ୍ତି ତାଙ୍କର ଏ ନିଷ୍ଠାପରତା ଏବଂ ସଚ୍ଚୋଟତା ପାଇଁ ।

ମୋ ପାଇଁ ବରଜୁ କାକାଙ୍କର ଦରଦ ଥିଲା । ଖରାବେଳେ କିମ୍ୱା ରାତିରେ ଖାଇବାକୁ ଗଲେ ସେ ତତ୍ପର ହୋଇଯାଆନ୍ତି । ମୋ ପାଖରେ କଞ୍ଚାଲଙ୍କା, ଲୁଣ ଏବଂ ପିଆଜକଟା ଥୋଇ ଦେଇ ବଡ଼ ପାଟିରେ ଡାକନ୍ତି- ଆରେ ପିଲାଏ. . . ପାଣି ଦିଅରେ । ତା’ପରେ ଚାଲିଯାଆନ୍ତି ଫୁଟ୍‌ପାଥ୍‌ରୁ ଗ୍ରାହକ ଯୋଗାଡ଼ କରିବା ପାଇଁ ।

ବରଜୁ କାକାଙ୍କ ଆବଭାବରୁ ମୁଁ କିଛି ଠଉରାଇଥାଏ । ମୁଁ ଖାଇବାକୁ ଯାଉଥିବାରୁ ସେ ତତ୍ପର ହୋଇ ମାଲିକଙ୍କୁ ଦେଖାଇ ଦିଅନ୍ତି ମୁଁ ତାଙ୍କର ଅତି ପରିଚିତ ବୋଲି । ମୁଁ ଖାଇବାବେଳେ ସେ ବେଳେବେଳେ ଆସି ଚାହିଁ ଦେଇଯାଆନ୍ତି । ମୁଁ ଅନୁଭବ କରିପାରେ ସେଠି ସେ ଆତ୍ମୀୟତା ସୃଷ୍ଟି କରିଥିଲେ ହେଁ ସ୍ୱାଧୀନତା ନାହିଁ । ଲୁଣ ଲଙ୍କା ଏବଂ ପିଆଜ ବ୍ୟତୀତ ତରକାରୀ କିମ୍ୱା ଭାତ ଡିସ୍‌ରେ ହାତ ଲଗାଇ ଅଧିକ ଦେବାକୁ ସାହସ କରନ୍ତି ନାହିଁ ।

ମାସରେ ଥରେ ଦି’ଥର ଭଲ ହୋଟେଲ୍‌ରେ ଖାଇବାର ପସନ୍ଦ ମୋର ଥିଲେ ବି ଯାଇପାରେ ନାହିଁ । ଏକଥା ଚିନ୍ତା କଲାବେଳେ ବରଜୁ କାକାଙ୍କ ହାତର ବୋର୍ଡ ଏବଂ ଆତ୍ମୀୟତା ମୋତେ ଭଲ ହୋଟେଲ ପାଇଁ ବାରଣ କରିଦେଇଥାଏ ।

ଯା’ ଆସ ଭିତରେ ବରଜୁ କାକା ଦିନ ଦୁଇଟା ଏବଂ ରାତି ଦଶଟା ପରେ ମୋ ମଟର ସାଇକେଲର ବସି ଯାଇଥାଆନ୍ତି ମଣିବାବା ବସ୍ତି ପାଖକୁ । ଗଲାବେଳେ ପ୍ରତିଥର ପଲିଥିନ୍ ବ୍ୟାଗ୍‌ରେ ଗୋଟିଏ ଲେଖାଏଁ ପୁଡ଼ିଆ ଧରି ଯାଇଥାନ୍ତି । ଏଥିପ୍ରତି ମୋର ନଜର ଥିଲେ ବି ଅନ୍ୟ ଅର୍ଥରେ ନ ନେଇଥିବାରୁ ମୁଁ ତାଙ୍କଠାରୁ କିଛି ଜାଣିବାର ଅଭିପ୍ରାୟ କରୁନଥିଲି ।

ଦିନେ ପଚାରିଲି, “ଆଚ୍ଛା ବରଜୁ କାକା । ସବୁଦିନ ତମେ ଯେଉଁ ପୁଡ଼ିଆ ଧରି ଯାଉଛ, ସେଥିରେ କ’ଣ ନେଉଛ କି ? ଖୁବ୍ ଯତ୍ନରେ ଧରି ଯାଉଛ ।”

ଉତ୍ତର ଦେଲେ- ଖାଦ୍ୟ !

– ଖାଦ୍ୟ କାହାପାଇଁ ନେଉଛ ? ପରିବାର ସମ୍ପର୍କରେ ପଚାରିଲେ ତମେ ତ କିଛି କହୁନ ଏଯାଏ । ତେବେ ୟା’କୁ କିଏ ଖାଇବ କି ?

– ମୋ ସ୍ତ୍ରୀ ପାଇଁ ନେଉଛି ।

ତା’ପରେ ଅନ୍ୟମନସ୍କ ହୋଇଗଲେ ସେ । ମୁଁ ଅଧିକ କିଛି ପଚାରିବା ପୂର୍ବରୁ ଅନ୍ୟ ପ୍ରସଙ୍ଗ ପକାଇ ସେ ମୋତେ ଭୁଲାଇବାକୁ ଚେଷ୍ଟା କଲେ । ମୁଁ ନିରବ ରହିବାକୁ ମନେକଲି ।

ସେ ପୁଣି ମତେ ପଚାରିଲେ- କ’ଣ ରାଗିଗଲକି ବାବୁ ?

– ନାଁ ରାଗିବି କାହିଁକି ?

ମୁଁ ହସିଦେଲା ପରେ ସେ ବି କିଛି କହିଲେ ନାହିଁ । କିଛି ସମୟ ପରେ ଏ ପ୍ରସଙ୍ଗକୁ ସେ ଭୁଲିଗଲା ପରି ଲାଗିଲା ।

ଯା’ ଆସ ବେଳେ ସମ୍ପର୍କ ଗଢ଼ି ଉଠିଥିବା ପ୍ରସଙ୍ଗ ବ୍ୟତୀତ ତାଙ୍କ ସାଧୁତା ପାଇଁ ତାଙ୍କୁ ମୁଁ ଆଦୌ ଭୁଲିପାରୁ ନଥିଲି । ବସ୍ତିକୁ ବସ୍ତି ବୁଲି ଲୋକ ଯୋଗାଡ଼ କରିଦେଲା ପରେ ସେ ନିଜର ପରସେଣ୍ଟ କିମ୍ୱା ମୋଟ ଆକାରର ରାଶି ନେଉନଥିଲେ । କେହି କେବେ ଦେଲେ ସୁଦ୍ଧା ସେ ଗ୍ରହଣ କରୁନଥିଲେ । ଅନ୍ୟମାନଙ୍କ ପାରିଶ୍ରମିକ ଚାରିଶ ଭଳି ସେ ମଧ୍ୟ ତାହା ଗ୍ରହଣ କରୁଥିଲେ । ବାସ୍ ସେତିକି ।

ସାହାଯ୍ୟ ମନୋବୃତ୍ତି ନେଇ ସମସ୍ତଙ୍କ ପାଖରେ ଠିଆ ହେଉଥିବା ବରଜୁ କାକା ଖୁବ୍ ସଚ୍ଚୋଟ ଥିଲେ । କଷ୍ଟ ଉପାର୍ଜନ ବ୍ୟତୀତ ଅନ୍ୟ ଉପାୟରେ ପର ତଣ୍ଟି ଚିପି ଆୟ କରିବାକୁ ସେ ପସନ୍ଦ କରନ୍ତି ନାହିଁ । କାରଣ ସେ ଖୁବ୍ ସ୍ୱାଭିମାନୀ ପରି ମନେ ହୁଅନ୍ତି ।

ଝୁମ୍ପୁଡ଼ି ହୋଟେଲର ମାଲିକ ଖୁବ୍ ଦୟାଳୁ ଥିଲେ । ହୋଟେଲର ରୋଷେଇ ସରିଗଲେ ସେ ପ୍ରଥମେ ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ସାଧା ତରକାରୀ ସହିତ ଅନ୍ନ ଥିବା ଛୋଟିଆ ଥାଳିଟିଏ ବାହାରେ ରଖି ଊର୍ଦ୍ଧ୍ଵମୁହାଁ ହୋଇ ନମସ୍କାର କରନ୍ତି । ତା’ପରେ ତାଙ୍କୁ ଡାକନ୍ତି ।

– ବରଜୁ କାକା. . . ଦେଖିଲ କିଏ ପାଖରେ ଅଛି ?

ବରଜୁ କାକା ଝୁମ୍ପୁଡ଼ି ମାଲିକର ନିର୍ଦ୍ଦେଶ ପାଇ ଆଖ ପାଖରେ ନଜର ବୁଲାନ୍ତି । ତାଙ୍କ ନଜର କେବଳ ପଡୁଥିଲା ଅସହାୟ ପାଗଳ କିମ୍ୱା ପାଗିଳୀମାନଙ୍କ ଉପରେ । ସନ୍ଧାନ ପାଇଗଲା ପରେ ଦୌଡ଼ିଆସି ମାଲିକ ପାଖରୁ ଭାତ, ଡାଲି, ତରକାରୀ ପୁଡ଼ିଆ ଭରା ଖାଦ୍ୟ ପୁଟୁଳିଟିଏ ନେଇ ସେମାନଙ୍କୁ ଧରାଇଦେଇ ଖାଇବା ପାଇଁ ଠାରି ଦେଉଥିଲେ ।

ବରଜୁ କାକାଙ୍କର ଏହି ପେଷା ନିଶ୍ଚିତ ନିଶାରେ ପରିଣତ ହୋଇଯାଇଥିଲା । ହୋଟେଲ୍‌କୁ ଆସିବା ପୂର୍ବରୁ ସେ ପାଗଳ କିମ୍ୱା ପାଗିଳୀମାନଙ୍କର ସନ୍ଧାନ ନେଇ ଯାଉଥିଲେ । ଅବଶ୍ୟ ଏଭଳି ଜନଗହଳିପୂର୍ଣ୍ଣ ବସ୍ ଷ୍ଟପେଜ୍ ଛକରେ ସେମାନଙ୍କର ଅଭାବ ନଥିଲା । କେତେବେଳେ କେଉଁ ପାଗଳ-ପାଗିଳୀ ସେଠାରେ ଆସି ପହଞ୍ଚିଯାଆନ୍ତି ଏବଂ କେତେବେଳେ କୁଆଡ଼େ ଯାଆନ୍ତି ତା’ର ତଥ୍ୟ କାହା ପାଖରେ ନଥାଏ । କିଛିଦିନ ବ୍ୟବଧାନରେ ନୂଆ କରି ଏମାନଙ୍କୁ ପୁଣି ଦେଖିବାକୁ ମିଳେ ।

ଏମାନଙ୍କୁ ଖାଇବାକୁ ଦେଇ ଖୁବ୍ ଆନନ୍ଦିତ ହୁଅନ୍ତି ବରଜୁ କାକା । ତାଙ୍କର ଏ ପ୍ରକାର କାର୍ଯ୍ୟ ନିମିତ୍ତ ପାଖ ଦୋକାନୀମାନେ ଅନେକ ପ୍ରଶଂସା କରନ୍ତି ତାଙ୍କୁ ।

ସେଦିନ ଥିଲା ଭାରତ ବନ୍ଦ । ଦୋକାନ ବଜାର ବନ୍ଦ ସାଙ୍ଗକୁ ଗାଡ଼ି ମଟର ବନ୍ଦ । ସବୁ ଛକ ଖାଲି ଖାଲି । ସତେକି ସହରରେ କର୍ଫ୍ୟୁ ଜାରି ହୋଇଛି । ଅଫିସ୍ କାମ ବନ୍ଦ । ଖରାବେଳର ଖାଇବା ଯୋଗାଡ଼ କରିବା ମୋ ପାଇଁ କଷ୍ଟକର ହେଲା । ମନେ ପଡ଼ିଲେ ବରଜୁ କାକା । ଭାବିଲି ଆଜି ତ ଝୁମ୍ପୁଡ଼ି ହୋଟେଲ୍ ବନ୍ଦ । କାକା ଖାଇବେ କଣ । ମୁଁ ଯାହାଙ୍କ ଘରେ ଭଡ଼ାରେ ରହୁଥିଲି, ସକାଳୁ ସେ କହିସାରିଥିଲେ- ଆପଣଙ୍କ ଅଫିସ୍ ତ ବନ୍ଦ ! ହୋଟେଲ୍ ସବୁ ବନ୍ଦ ! ଖାଇବାରେ ହଇରାଣ ହେବେ । ଆମ ଘରେ ଆଜି ଖାଇନେବେ । ମୁଁ ନାହିଁ କରିପାରିଲି ନାହିଁ ।

ଦିନ ଗୋଟାଏ ବେଳକୁ ଘର ମାଲିକଙ୍କ ପୁଅ ହାତରେ ଖାଦ୍ୟଭରା ଟ୍ରେ’ ଧରି ମୋ ରୁମ୍‌କୁ ଆସି କହିଲା- “ଅଙ୍କଲ୍ ଶୀଘ୍ର ଖାଇଦେବେ । ଗରମ ଚିକେନ୍ ଥଣ୍ଡା ହୋଇଯିବ ।”

ହାତ ମୁହଁ ଧୋଇ ଟ୍ରେ’ ସାମ୍ନାରେ ବସିଲି ଖାଇବା ପାଇଁ । ହେଲେ ପାରିଲି ନାହିଁ । ଟ୍ରେ’ରେ ଭର୍ତ୍ତିଥିବା ଖାଦ୍ୟରେ ନାଚିଉଠୁଥିଲା ବରଜୁ କାକା ମୁହଁ । ନିତିଦିନିଆ ସେ ହସିଲା ମୁହଁର ଆକର୍ଷଣ ମୋତେ ଖୁବ୍ ବିବ୍ରତ କରିଦେଲା । ଟ୍ରେ’ ପାଖରୁ ଉଠିଆସି ଖଟ ଉପରେ ବସି ସ୍ଥିର ହେବାକୁ ଚେଷ୍ଟା କଲି । ପାରିଲି ନାହିଁ । ବରଜୁ କାକାଙ୍କ ଅନାବିଳ ଶ୍ରଦ୍ଧା ମୋତେ ଅସ୍ଥିର କରିଦେଲା ।

ସେତେବେଳକୁ ରୁମ୍‌ର ଚାରିଆଡ଼କୁ ଚାହିଁଲି । ନୂଆ ପ୍ୟାଣ୍ଟସାର୍ଟ ପଶିଥିବା ଦୁଇଟି ପଲିଥିନ୍ ବ୍ୟାଗ୍ ମୋ ନଜରକୁ ଆସିଲା । ଅଲଗା ଭାବରେ ଭାତ ଏବଂ ଚିକେନ୍ ତରକାରୀ ଭର୍ତ୍ତିକଲା ପରେ ଘରମାଲିକଙ୍କ ଟ୍ରେ’କୁ ସଫା କରି ତାଙ୍କ ଘରେ ରଖିଦେଇ ଆସିଲି ।

ମଧ୍ୟାହ୍ନର କ୍ଳାନ୍ତିରେ ଶୋଇ ଯାଇଥିଲେ ସେମାନେ । ଭାରତ ବନ୍ଦ ଯୋଗୁ ଗାଡ଼ି ମଟର ବନ୍ଦ । ହେଲେ ସାଇକେଲ୍‌ରେ ଯା’ ଆସ କରିବାକୁ ବାରଣ ନଥିଲା । ଖାଦ୍ୟ ପୁଡ଼ିଆକୁ ସାଇକେଲରେ ଟାଙ୍ଗି ବାହାରିପଡ଼ିଲି ବରଜୁ କାକାଙ୍କ ମଣିବାବା ବସ୍ତିଆଡ଼କୁ ।

ଭାରତ ବନ୍ଦ ଯୋଗୁଁ ବସ୍ତିର ମଣିବାବା ମାଛ ଭଣ୍ଡାରଟା ବନ୍ଦ ଥିଲେ ହେଁ ଦୋକାନୀ ଜଣକ ପାଖ ଫୁଟପାଥ ଉପରେ ଅନ୍ୟମାନଙ୍କ ସହିତ ମିଶି ତାସ୍ ଖେଳୁଥିଲା ।

ମୋର ସାହସ ହୋଇଗଲା, ଏଥର ବରଜୁ କାକାଙ୍କ ଠିକଣା ମିଳିଯିବ । ପାଖକୁ ଯାଇ ପଚାରିଲି- “ଭାଇନା ! ଏ ବରଜୁ କାକାଙ୍କ ରହିବା ଝୁମ୍ପୁଡ଼ି କେଉଁଟା ?”

ସେ ମୋ ମୁହଁ ଏବଂ ପଲିଥିନ୍ ବ୍ୟାଗ୍‌କୁ ଚାହିଁ କ’ଣ ଭାବିଲା କେଜାଣି କହିଲା- “ଆପଣ କ’ଣ ପାଇବେ, ଆସନ୍ତୁ ମୋ ସାଙ୍ଗରେ ।” ତାଙ୍କ ପଛେ ପଛେ ସାଇକେଲ ଗଡ଼ାଇ ମୁଁ ଚାଲିଲି ।

ବସ୍ତି ଭିତରକୁ କିଛି ବାଟ ଗଲାପରେ ସାମ୍ନାରେ କଳା ପଲିଥିନ୍ ଏବଂ ଜରି, କାର୍ଟୁନ୍ ଆଚ୍ଛାଦିତ ଝୁମ୍ପୁଡ଼ି ସାମ୍ନାରେ ଠିଆ ହୋଇ ମାଛବାଲା ଚିଲେଇଲା- “ଏ ବରଜୁ କାକା ! ତମର କୁଣିଆ ଆସିଲେଣି ।”

ମାଛବାଲା ଚାଲିଗଲା । ଝୁମ୍ପୁଡ଼ି ଭିତରୁ ନଇଁନଇଁ ବାହାରି ଆସିଲେ ବରଜୁ କାକା । ଅସମ୍ଭବ ଆଶ୍ଚର୍ଯ୍ୟରେ ଚାହିଁଲେ ମୋ ମୁହଁକୁ । କ’ଣ ଭାବିଲେ କେଜାଣି, ମୋ ମୁହଁ ଏବଂ ଝୁମ୍ପୁଡ଼ି ଆଡ଼କୁ ଚାହିଁ କିଛିକ୍ଷଣ ନିରବି ଯାଇଥିବା କାକା ଘର ଭିତରକୁ ଡାକିଲେ ।

ଘରେ ବସିବାକୁ ଚେୟାର କିମ୍ୱା ବେଞ୍ଚ ନଥିଲା । ସରୁ ପ୍ଲାଷ୍ଟିକ୍ ସପଟିଏ ପକେଇ ମୋତେ ବସିବାକୁ କହିଲେ । ଘର କୋଣରେ ବାଉଁଶ, ବତା ଏବଂ ପରିତ୍ୟକ୍ତ ପଟାରେ ନିର୍ମିତ ଏକ ଅସୁରକ୍ଷିତ ଖଟିଆ ଉପରେ ଶୋଇଥିଲେ ଜଣେ ବୃଦ୍ଧା । ବୋଧହୁଏ ଚାଲିବାକୁ ସେ କ୍ଷମ ନଥିଲେ । ବରଜୁ କାକାଙ୍କ ସମ୍ୱୋଧନରୁ ଅନୁମାନ କଲି ସେ ନିଶ୍ଚୟ ତାଙ୍କ ପତ୍ନୀ ।

ବରଜୁ କାକାଙ୍କ କଥାବାର୍ତ୍ତାରୁ ଜାଣିଲି ହୋଟେଲ ବନ୍ଦ ଯୋଗୁ ସେମାନେ ସକାଳୁ ଚୁଡ଼ା ଖାଇ ଦିନ କଟାଇଛନ୍ତି । ନେଇଥିବା ପଲିଥିନ୍ ବ୍ୟାଗ୍‌ଟା ତାଙ୍କ ହାତକୁ ବଢ଼େଇ ଦେଇ କହିଲି, “ଏଇ ନିଅ, ଦି’ଜଣ ଖାଇନିଅ ।”

ମୋ କଥା ଶୁଣି ଉଠି ବସିବାକୁ ଚେଷ୍ଟା କରୁଥିବା ପତ୍ନୀଙ୍କ ହାତ ଧରି ଉଠାଇ ବସାଇ ଦେଲେ ବରଜୁ କାକା । ଆପେ ଆପେ ହାତ ଉପରକୁ ଉଠିଗଲା । ମୁଁ ତାଙ୍କୁ ନମସ୍କାର କଲି । ବଲବଲ କରି ସେ ମୋ ମୁହଁକୁ ଚାହିଁ କହିଲେ- “ଚିହ୍ନା ଚିହ୍ନା ଲାଗୁଛୁରେ ପୁଅ ।”

ବରଜୁ କାକା କହିଲେ ତୋ ମୁଣ୍ଡ ଠିକ୍ ନାହିଁ । କ୍ୟାପିଟାଲ୍‌ରେ ସବୁ ତତେ ଚିହ୍ନା ଚିହ୍ନା ଲାଗୁଛି । ବାବୁ ଭାରି ଦୟାବାନ୍ । ମୋତେ ସବୁଦିନେ ଯିଏ ଦିନକୁ ଦୁଇଥର ଗାଡ଼ିରେ ବସାଇ ବସ୍ତି ସାମ୍ନାରେ ଛାଡ଼ି ଦେଇ ଯାଆନ୍ତି, ଇଏ ସେଇ ବାବୁ ।

କୃତଜ୍ଞତାର ସୀମା ରହିଲା ନାହିଁ ତାଙ୍କ ପତ୍ନୀଙ୍କର । ମୋତେ ନିଜ ଆଡ଼କୁ ଡାକି ପାଖରେ ବସାଇ ମୁଣ୍ଡକୁ ଆଉଁସିବାକୁ ଲାଗିଲେ । ପଚାରିଲେ- “ପୁଅ ତୋ ଘର କେଉଁଠି ?”

ମୁଁ କହିଲି- “ବହୁତ ଦୂର । ସାତ ଭାୟାର ସମୁଦ୍ରକୂଳ ଦରିଆଖାଇ ଗାଁରେ ।” ସେ ଅବାକ୍ ହୋଇ ମୋ ମୁହଁକୁ ଚାହିଁ କହିଲେ- “ତୋ ବାପା ନାଁ କ’ଣ ?”

– ରାଜୁ ମଜୁମ୍‌ଦାର !

ଖାଦ୍ୟ ପଲିଥିନ୍ ଧରିଥିବା ମୋ ହାତ ଉପରେ ବରଜୁ କାକା ପତ୍ନୀଙ୍କ ଉଷ୍ମ ଲୁହ ବୁନ୍ଦା ଠପ୍‌ଠପ୍ ପଡ଼ିବା ଅନୁଭବ କଲି ।

– “ଆରେ ତୁ ରାଜୁର ପୁଅ ଶରଣ ।”

ନିର୍ବାକ ହୋଇ ଠିଆ ହୋଇଥିଲେ ବରଜୁ କାକା । ମୋତେ ବୁଝିବାକୁ ଆଉ ବିଳମ୍ୱ ହେଲା ନାହିଁ । ସାତ ଭାୟାର ସମୁଦ୍ର ପାଟିରେ କେତେ ବର୍ଷ ତଳୁ ଚାଲିଯାଇଥିବା ସେହି ଦରିଆଖାଇ ଗାଁର ବେସାହାରା ବ୍ରଜମୋହନ ମଜୁମଦାର ତାଙ୍କ ପତ୍ନୀ ।

ଗତ ଫାଇଲିନ୍ ଦୁର୍ବିପାକରେ ସମୁଦ୍ର ପାଟିରେ ଚାଲିଯାଇଥିଲା ଦରିଆଖାଇ ଗାଁ । ବ୍ରଜମୋହନ ଓ ତାଙ୍କ ପତ୍ନୀଙ୍କ ଖୋଜ ଖବର ନଥିଲା । ତେଣୁ ଏମାନଙ୍କୁ ନିଖୋଜ ଘୋଷଣା କରାଯାଇଥିଲା ।

ଅନେକ ବର୍ଷ ପରେ ଏ ଅବସ୍ଥାରେ ଏମାନଙ୍କୁ ଦେଖି ମୁଁ ଭୋ’ ଭୋ’ କାନ୍ଦିଲି ।

ଲୋକପ୍ରିୟ ଲେଖା

To Top