ବର୍ଷା ଏକ ଋତୁ

Odia Author Biraja Routray

ଶୁଭଙ୍କରର ବେଶ୍ ମନେ ଅଛି ଏହି ପ୍ରାୟ ବର୍ଷେ ଖଣ୍ଡେ ତଳେ ଏମିତି ଏକ ଆଦ୍ୟ ଆଷାଢ ଋତୁରେ ତା’ର ଭେଟ ହୋଇ ଥିଲା ବର୍ଷା ପ୍ରିୟଦର୍ଶନୀ ମହାନ୍ତି ସହିତ ।

ବର୍ଷା ଏକ ଋତୁ

ଖୋଲା ଝରକା ଦେଇ ହାବୁକାଏ ଥଣ୍ଡା ପବନ ସହିତ ରୁମ୍ ଭିତରକୁ ପଶି ଆସିଲା କିଛି ବୁନ୍ଦା ବୁନ୍ଦା ପାଣିର ଛିଟିକା । ସହସା ସେହି ଥଣ୍ଡା ପାଣି ଟୋପା ମାନଙ୍କର ସଂସ୍ପର୍ଶରେ ଆସି ଶୁଭଙ୍କରର ନିଦ ଚାଉଁକିନା ଭାଙ୍ଗିଗଲା । ଆଖିଖୋଲି ଦେଖିଲା ବେଳକୁ ଝରକା ସେପଟେ ବର୍ଷା ଓ ପବନର ଯୁଗଳବନ୍ଦୀ । ଝିପି ଝିପି ମେଘ ସାଙ୍ଗକୁ ରହି ରହି ବହୁଥିବା ଥଣ୍ଡା ପବନ ସାରା ପରିବେଶକୁ ଯେପରି ଓଦା ଓଦା କରି ଗଢି ତୋଳୁଥିଲା । ସବୁଠି ଶୁଭୁଥିଲା ବର୍ଷାର ଝିପି ଝିପି ସହନାଇ ।

ଆଜି ଥିଲା ରବିବାର । ଏହି ଛୁଟି ଦିନରେ ବର୍ଷାର ଏପରି ପଦାର୍ପଣ ଦିନଟିକୁ ଆହୁରି ଅଳସ କରିଦେଲା ପରି ଜଣାପଡୁଥିଲା । ତା’ର ମନେ ପଡିଲା – ହଁ, ସତ ତ ମୌସୁମୀ ତା ହେଲେ ଆସି ସାରିଛି ଓଡିଶା ଆକାଶକୁ । ଗଲା ଦୁଇ ଚାରି ଦିନ ଧରି ଟିଭି ନ୍ୟୁଜ ଓ ଖବର କାଗଜ ପୃଷ୍ଠାରେ ମୌସମୀ ଆସି ଓଡିଶାରେ ପହଁଞ୍ଚିବାର କଥାଟା ପ୍ରମୁଖ ବିଷୟ ଭାବରେ ଯେପରି ଉପସ୍ଥାପିତ ହୋଇ ଆସୁଥିଲା, ସେଥିରୁ ପୂର୍ବାନୁମାନ କରା ଯାଉଥିଲା ଯେ ଏହି ଦିନେ କି ଦୁଇ ଦିନ ମଧ୍ୟରେ ସିଏ ନିଶ୍ଚୟ ପ୍ରବେଶ କରିବ । ଆଉ ଆକାଶ ବାଦଲର ରୂପ ନେଇ ଓହଳି ଆସିବ ମାଟି ଆଡକୁ । ଧାର ଧାର ବର୍ଷାର ରୂପରେ ମାଟିକୁ ଛୁଇଁ ଢାଳି ଦେବ ତା’ର ଅଜସ୍ର ନିବିଡ ଚୁମ୍ୱନ ।

ବର୍ଷାର ଏହି ପ୍ରଥମ ପଦପାତକୁ ଦେଖି ପୁଲକିତ ହୋଇ ଆସୁଥିଲା ଶୁଭଙ୍କର । ମନ ଭିତରେ ଓଦା ହେବାର ଅସରନ୍ତି ଆକାଂକ୍ଷା କୁଆଁ ମେଲା ଉଠିବା ପରି ଖେଳି ଉଠି ଆସୁଥିଲା ତା’ର ଦୁଇ ରୋମାଞ୍ଚିତ ଆଖିର ଦିଗ୍‌ବଳୟରେ । ଖଣ୍ଡି ବାଦଲ ପରି ପ୍ରଗଳ୍ଭ ଇଚ୍ଛାଟିଏ ମୁଣ୍ଡକୁ ଢୁଳି ଆସୁଥିଲା ଯେ କିପର ସେ ଶୀଘ୍ର ନିଜର ଫୁଙ୍ଗୁଳା ଦେହରେ ସାର୍ଟ ଖଣ୍ଡେ ଗଳାଇ ବାହାରି ପଡନ୍ତା ପଦାକୁ । ପଦାରେ ମୁଣ୍ଡ ଓପରେ ଓଦା ଆକାଶ, ଓଦା ଘାସର ଗାଲିଚା ଉପରେ ମତୁଆଲା ପାଦକୁ ପକାଇ ପକାଇ ପହିଲି ବର୍ଷାର ପହିଲି ରୋମାଞ୍ଚକୁ ଦେହରେ ମନରେ କେଉଁ ଏକ ଶୀତଳ ବିଜୁଳି ପରି ସନ୍ତରି ଦିଅନ୍ତା । ଗୋଟାପଣ ଜଡାଇ ଦିଅନ୍ତା ନିଜକୁ ଭିଜା ବର୍ଷାର ଆମନ୍ତ୍ରଣରେ । ତା’ର ଫାସ ବଦ୍ଧ ଆଲିଙ୍ଗନରେ… । ଏ କ’ଣ… କିଛି ମୁହୁର୍ତ୍ତ ଅଟକି ଯାଇ ସେ ପୁଣି କ’ଣ ଭାବିଲା କେଜାଣି ନିଜକୁ ସମୁଦ୍ର ଢେଉ ପରି ଉଠି ଆସୁଥିବା ବର୍ଷା ଭିଜାର ସେହି ମଧୁର ନିମନ୍ତ୍ରଣ ଠାରୁ ଦୁରେଇ ନେବାକୁ ଚାହିଁଲା । ଚୁପ୍‌ଚାପ୍ ବସି ରହିଲା ଖଟରେ । କିଛି ମୁହୂର୍ତ୍ତ ପୂର୍ବରୁ ତା ଭିତରେ ବାହାର ଆକାଶର ବର୍ଷାକୁ ଦେଖି ତେଜି ଉଠୁଥିବା ଓଦା ହେବାର ଉନ୍ମାଦନକୁ ଚାପି ରଖିଲା ଛାତିରେ । ଯେଉଁ ଛାତି ଏବେ ତାକୁ ଯନ୍ତ୍ରଣା ଦେବା ଆରମ୍ଭ କରିଦେଲା ସେ ନିଜକୁ ବୁଝାଇବାକୁ ଚେଷ୍ଟା କରୁଥିଲା ଯେ ବର୍ଷା ତା ପାଇଁ ପ୍ରେମିକାର ନାଁ ନୁହେଁ, ଏକ ଋତୁ । ଋତୁଚକ୍ର ପରିବର୍ତ୍ତନ କ୍ରମରେ ଅପସରି ଯାଏ ମାଟି ଓ ଆକାଶ ଠାରୁ ବହୁତ ଦୂରକୁ । ଶୁଭଙ୍କରର ବେଶ୍ ମନେ ଅଛି ଏହି ପ୍ରାୟ ବର୍ଷେ ଖଣ୍ଡେ ତଳେ ଏମିତି ଏକ ଆଦ୍ୟ ଆଷାଢ ଋତୁରେ ତା’ର ଭେଟ ହୋଇ ଥିଲା ବର୍ଷା ପ୍ରିୟଦର୍ଶନୀ ମହାନ୍ତି ସହିତ । ତାହା ପୁଣି ହାଲୁକା ବର୍ଷାରେ ଛନ୍‌ଛନ୍ ସତେଜ ଦେଖା ଯାଉଥିବା କେଉଁ ଏକ ପାର୍କର ରୋମାଣ୍ଟିକ୍ ସବୁଜ ବଳୟ ଭିତରେ ନୁହେଁ । ଖୋଦ୍ ତା ନିଜ ଅଫିସ୍‌ର ଥାକଥାକ ମଲାଟ ଘେରା ଫାଇଲ୍ର ଧୂଷର ପୃଥିବୀରେ । ଅଫିସରେ ନୂଆ କରି ଜୁନିୟର ଆସିଷ୍ଟାଣ୍ଟ୍ ଭାବେ ଯୋଗ ଦେବାକୁ ଆସିଥାଏ ସେହି ଝିଅଟି । ସାଙ୍ଗରେ ସହରରେ ରହୁଥିବା ଜଣେ ସମ୍ପର୍କୀୟ ମାମୁଁ । ସେଦିନ ଥିଲା ବାହାରେ ଝିପି ଝିପି ଅବିଶ୍ରାନ୍ତ ପହିଲି ଆଷଢର ବର୍ଷା । ହାତରେ ଛତା ଖଣ୍ଡେ ଧରି ବର୍ଷିଲା ମେଘ ଦାଉରୁ ନିଜକୁ ବଞ୍ଚାାଇ ବଞ୍ଚାାଇ ଆସିଥିଲେ ବି ସେ ଝିଅର ମୁଣ୍ଡ ଓ ପୋଷା ରେ ଚେନାଏ ଚେନାଏ ହୋଇ ଲାଗି ରହିଥିଲା ବିନ୍ଦୁବିନ୍ଦୁ ବର୍ଷାର ସତେଜତା । ମୁହଁରେ ଥିଲା ଭୟ ଓ ଆଶଙ୍କାର ଏକ ସମ୍ମିଶ୍ରିତ ଭାବ । ଚାକିରୀ ଜୀବନରେ ପ୍ରଥମ ଦିନ ପ୍ରାୟ ସମସ୍ତଙ୍କର ସେଇୟା ହିଁ ଘଟିଥାଏ । ମନ ଭିତରେ ନୂଆ କରି ଚାକିରୀରେ ଯୋଗ ଦେବାର ଆନନ୍ଦ ଯେତିକି ପରିମାଣରେ ଥାଏ, ସେତିକି ପରିମାଣର ନର୍ଭସନେସ୍ ଆକ୍ରାନ୍ତ କରିଥାଏ ମୁହଁଟାକୁ । ବର୍ଷାର ମୁହଁରେ ଅବିକଳ ସେଦିନ ସେହିଭଳି ହାଲୁକା ଭୟର ଚିହ୍ନ ଦେଖିବାକୁ ମିଳିଥିଲା ତଥାପି ସେ ସାଥିରେ ଦେଖା ଯାଉଥିଲା ଖୁବ୍ ସୁନ୍ଦର । କେଇକେରା ଓଦା ବାଳ ତା ମୁହଁର ସାମ୍ନାପଟକୁ ଓହଳି ଆସି କେଉଁ ଏକ ଚଳଚିତ୍ରର ବର୍ଷାଭିଜା ନାୟିକା ପରି ତାକୁ ସଜେଇ ଦେଇଥିଲା । ତୋଫା ଗୋରା ଚେହେରା ଓ ତା ସହିତ ଆକର୍ଷଣୀୟ ମୁଖମଣ୍ଡଳ ସେଦିନର ସେହି ମେଘୁଆ ଅନ୍ଧାର ମିଶା ପାଗରେ ବି ଜକ ଜକ ହୋଇ ବାରି ପଡୁଥିଲା ।

ସେଇ ପ୍ରଥମ ଦେଖାରେ ହିଁ ନିଜର ଅଲକ୍ଷରେ ଶୁଭଙ୍କର ବିମୋହିତ ହୋଇ ପଡିଥିଲା ସେହି ଝିଅଟି ପ୍ରତି । ଛାତିର କେଉଁ ଏକ କୋଣରେ ପ୍ରେମର ଦ୍ରୁମଟିଏ କଅଁଳି ସାରିଥିଲା ସେତିକି ବେଳରୁ । ବଡବାବୁ ପାଖକୁ ଡାକି ବର୍ଷା ସହିତ ପରିଚୟ କରାଇ ସାରି କହିଥିଲେ -“ଶୁଭଙ୍କର ବାବୁ, ସାର୍ କହିଛନ୍ତି ସେ ଆଜିଠାରୁ ଆପଣଙ୍କ ସେକ୍ସନରେ ରହି କାମ ଶିଖିବ । ତାକୁ କାମ ଶିଖାଇବା ଦାୟିତ୍ୱ ଆପଣଙ୍କର” । ସାରା ଅଫିସ୍‌ରେ ଶୁଭଙ୍କରର ଜଣେ ଦକ୍ଷ ଆସିଷ୍ଟାଣ୍ଟ୍ ଭାବେ ସୁନାମ ଥିଲା ସେଇଥିପାଇଁ ଏହି ନୂତନ ଦାୟିତ୍ୱଟି ତାଙ୍କୁ ଅଯାଚିତ ଭାବେ ମିଳିଥିଲା । ସାଙ୍ଗେ ସାଙ୍ଗେ ମନାସିଥିବା ଜିନିଷଟି ହାତର ଆଞ୍ଜୁଳାରେ ବର ସଦୃଶ୍ୟ ପାଇଲା ପରି ବଡବାବୁଙ୍କର ଏଇ ନୂଆ ଦାୟିତ୍ୱଟି ସେହିପରିି ଲାଗୁଥିଲା ତାକୁ । ନିଜ ମନ ଭିତର ଖୁସିରେ ଉଛୁଳିଉଠୁଥିଲେ ବି ସେ ନିଜକୁ ଯଥାସମ୍ଭବ ସଂଯତ ରଖି ବଡବାବୁଙ୍କ ଆଗରେ ହଁ ଟେ ମାରି ଫେରିଆସିଥିଲା ନିଜ ସିଟ୍‌କୁ । ତା ମନରେ ବର୍ଷାକୁ ନେଇ କାହିଁ କେତେ ମିଠା ସ୍ୱପର୍ ଉଙ୍କି ମାରିବା ଆରମ୍ଭ କରିଥିଲା । ଆଉ ସେ ସ୍ୱପ୍ନକୁ ସତ କରିବାକୁ ଯାଇ ସତକୁ ସତ ବର୍ଷା ଆସି ବସିଥିଲା ପାଖ ସିଟ୍‌ରେ । ଅଫିସ୍‌ର ନୂଆ ସହକର୍ମୀଟିଏ ହୋଇ । ସେପଟେ ସେହିବର୍ଷ ନୂଆକରି ଆସୁଥିବା ବର୍ଷାଋତୁ ତାର ପସରା ମେଲାଇବାକୁ ଆରମ୍ଭ କରିଥିଲା ଧରାପୃଷ୍ଠରେ । ତାକୁ କାହିଁକି କେଜାଣି ସେହି ବର୍ଷର ବର୍ଷାଋତୁ ସବୁଠାରୁ ଅଧିକ ଭଲ ଲାଗିଥିଲା । ଅଫିସ୍‌ର ବାହାରକୁ ଆସିଲେ ବାହାର ଆକାଶ ସାରା ବର୍ଷା । ଅଫିସ୍‌ର ଭିତରକୁ ପଶିଲେ ଏକା ଟେବୁଲକୁ ଲାଗି ପାଖ ସିଟ୍‌ରେ ବର୍ଷା । ମାନେ ବର୍ଷା ପ୍ରିୟଦର୍ଶନୀ ମହାନ୍ତି ତାର ନୂତନ ସହକର୍ମୀ । ନିଜ ଛଅ ବର୍ଷରୁ ଉର୍ଦ୍ଧ୍ଵ ଘଷାମଜା କିରାଣୀ ଜୀବନର ଆକାଶରେ ସତେ ଯେପରି ଇନ୍ଦ୍ରଧନୁଟିଏ ଦେଖା ଦେଇଥିଲା । ପ୍ରେମ ରଙ୍ଗର ଇନ୍ଦ୍ରଧନୁ । ସେ ରଙ୍ଗ ପୁଣି ଏମିତି ଯେ ସାତ ରଙ୍ଗଠାରୁ ଆହୁରି ଅଧିକ, ଆହୁରି ଗାଡ଼, ଆହୁରି ଉଜ୍ଜ୍ୱଳ । ସେହି ରଙ୍ଗର କୋମଳ ଧାସରେ ଏବେ ତା ଦେହରେ ଏକ ଲୋଭନୀୟ ଶିହରଣ । କେମିତି କାହିଁକି ବର୍ଷା ଆସିବା ଦିନଠାରୁ ସେ ତା ନିଜ ଭିତରେ ଏକ ଅପ୍ରତ୍ୟାଶିତ ପରିବର୍ତ୍ତନକୁ ଦେଖିବାକୁ ପାଉଥିଲା ।

ଅଫିସ୍‌ରେ ଉପସ୍ଥାପନ ଧିରେ ଧିରେ ବଢ଼ିବା ପରି ବର୍ଷା ଶୁଭଙ୍କରର ପାଖରେ ରହି କାମ ଶିଖିବା ଆରମ୍ଭ କରିଥିଲା । ଶିଖିଥିଲା ଅଫିସ୍ କାର୍ଯ୍ୟର ବିଭିନର୍ ବିଧି ଓ ବିଧାନ ଆଉ ସରକାରୀ ଲେଖାପଢ଼ାର ତରିକା । ଶୁଭଙ୍କର ଥିଲା ତା ବୃତ୍ତିଗତ ଜୀବନର ପ୍ରଥମ ଶିକ୍ଷକ ଓ ସେ ତାର ଶିଷ୍ୟା । କାର୍ଯ୍ୟ ପ୍ରତି ବର୍ଷାର ନିଷ୍ଠାପରତା ଓ ଆଗ୍ରହକୁ ଦେଖି ଶୁଭଙ୍କର ତା ସଂକ୍ଷିପ୍ତ କାଳର ଅଭିଜ୍ଞତାରୁ ଅର୍ଜିଥିବା ଯେତେକ କିରାଣୀ ପାଠକୁ ମୁକ୍ତ ଭାବରେ ଶିଖାଇ ଚାଲିଥିଲା ତାର ତାର ଏହି ପ୍ରିୟ ସହକର୍ମୀଙ୍କୁ । ଯାହାକୁ ମନରେ ମନରେ ଭଲପାଇ ବସିଥିଲା ପ୍ରଥମ ଦେଖାରୁ । ଆକାଶରେ ଉଦୟ ହୋଇଥିବା ଏହି ପ୍ରଥମ ଆଷାଢ଼ ତାହାର ସାକ୍ଷୀ । ଯାହାର ଆସିବାରେ ବାହାରର ଶୁଷ୍କ ପ୍ରକୃତି ଯେପରି ପାଇଥାଏ ସବୁଜିମାର ସ୍ପର୍ଶ, ସେହିପରି ତା’ ହୃଦୟ ଆକାଶରେ ବର୍ଷାର ଆଗମନ ଅନେକ ସବୁଜ ସ୍ୱପର୍କୁ ଜନ୍ମ ଦେଇଥିଲା । ଦୁଇଆଖିରୁ ଦିଗନ୍ତହୀନ ସୀମାନ୍ତରେ ଏବେ ବର୍ଷା ହିଁ ବର୍ଷା ।

ସେପଟେ ବର୍ଷାବି ତା ପାଖରୁ କାମ ଶିଖିଲା ବେଳେ କି ବୁଝିନେଲା ବେଳେ ଏପରି ନିବିଡ଼ ସମ୍ପର୍କର ସେତୁଟିଏ ବାନ୍ଧିଦେଉଥିଲା ଯେ ସେ ଭାବିବସୁଥିଲା ବର୍ଷା ମନରେ ବି ଅବିକଳ ପ୍ରେମ ସୁଲଭ ଦୁର୍ବଳତା ସଷ୍ଟି ହୋଇଛି । ଯେପରି ତା ମନରେ ବର୍ଷା ପ୍ରତି ଶୃଷ୍ଟି ହୋଇସାରିଥିଲା ପ୍ରେମର ଅଙ୍କୁର । ମାତ୍ର ମନର ଏହି ଦୁର୍ବଳତାକୁ ମନ ଭିତେରେ ହିଁ ଚାପି ରଖିବାକୁ ପଡୁଥିଲା । ସରକାରୀ ଅଫିସ, ଦିନସାରା ଲୋକବାକ ହାଉ ଯାଉ, ପୁଣି ଏତେ ସୁନ୍ଦର ସହକର୍ମୀଟିଏ ପାଇଛି ବୋଲି ସମସ୍ତଙ୍କ ଚୋରା ଆଖି ଏବେ ଚାରିଆଡେ । ତାସହିତ କେତେବେଳେ କଣ କରୁଛି, କ’ଣ ସବୁ କଥା ହେଉଛି ତାକୁ ଦେଖିବାକ, ଶୁଣିବାକୁ ସମସ୍ତଙ୍କ ଆଖି କାନ ବ୍ୟଗ୍ର । ଏହି ପରିବେଶରେ ବର୍ଷା ସହିତ ତାର ସମ୍ପର୍କକୁ ସେ ଆଉ କେତେ ବାଟ ବା ଆଗେଇ ଦେଇଥାନ୍ତା । କେଉଁ ରଙ୍ଗର ରୂପରେଖ ବି ଦେଇ ପାରିଥାନ୍ତା କିନ୍ତୁ ଏତେ ସବୁ ବିରୋଧାତ୍ମକ ପରିବେଶ ମଧ୍ୟରେ ବି ତା ମନରେ ବର୍ଷାକୁ ଭଲ ପାଇବାର ଇଚ୍ଛାଟା ଦିନକୁ ଦିନ ଦାନା ବାନ୍ଧି ଚାଲିଥଲା । ଖୁବ୍ ସର୍ତ୍ତକତାର ସହିତ ସେ ତାର ଏହି ବ୍ୟକ୍ତିଗତ ଦୁର୍ବଳତାକୁ ଲୁଚାଇଛପାଇ ଚାଲିଥିଲା ନିଜ ଭିତରେ । ବାହାରକୁ ଖାଲି ବର୍ଷାର ଜଣେ ବରିଷ୍ଠ ସହକର୍ମୀ, ଆଉ କିଛି ନୁହେଁ । କିନ୍ତୁ ମନ ଭିତେରେ ସେ ଧିରେ ଧିରେ ଏକ ବିଦଗ୍ଧ ପ୍ରେମିକ ରୂପରେ ପରିଣତ ହୋଇ ଆସୁଥିଲା । ବାହାରକୁ ଜଣାପଡୁନଥିଲେ ବି ନୀରବରେ ତା ହୃଦୟ ମଧ୍ୟରେ ଶୃଷ୍ଟି ହୋଇଥିଲା ପ୍ରେମର ଏକ ଅପ୍ରତିହତ ଆଲୋଡ଼ନ । ଏକ ଭିନ୍ନ ତରଙ୍ଗ ଯାହା ତାକୁ ନୀରବଚ୍ଛିନ୍ନ ଭାବେ ଅନ୍ୟମନସ୍କ କରିେଉଥିଲା । ଶୁଭଙ୍କର ନିଜ ପଟର ପ୍ରେମ ଡ଼ୋରର ଗୋଟିଏ ମଣ୍ଡଳ ନିଃସର୍ତ୍ତରେ ଯାହା ଆଡକୁ ବଢାଇବାକୁ ବ୍ୟାକୁଳିତ ହୋଇ ଉଠୁଥିଲା, ଆରମୁଣ୍ଡଟି ସେ ଯେ ତା ହାତକୁ ବଢାଇଦେବ ଏ ଭରସା ତାର ପାଇନଥିଲା । ଯିଏ ମାତ୍ର ଦୁଇ ତିନି ମାସ ତଳେ ତା ପାଖରେ ସହକର୍ମୀ ରୂପେ କାମ କରି ଆସୁଛି, ସିଏ କିରି ବୁଝିବ ଆଖି ଆଢୁଆଳର ପୁଣି ଛାତିର ଦୁଇ ତିନି ପରସ୍ତ ଅନ୍ତରର କଥା । ପୂରାପୁରି ଗୋଟିଏ ପଟିଆ ଥିଲା ତାର ପ୍ରେମ । ଆଉ ସିଏ ସେହି ପ୍ରେମରେ ରଙ୍ଗ ମାଖି ତାକୁ ରଙ୍ଗମୟ କରିଦେଇଥିଲା ସେତେବେଳେ ନିଜର ଅଜାଣତରେ । ସୂତାର ଦୁଇ ମୁଣ୍ଡକୁ ଧରିଲେ ଯାଇ ଗଣ୍ଠି ପଡେ ଏକଥା ସେ ଯାଣିଲା ପରେ ବି ବର୍ଷାକୁ ମନ ଭିତରେ ପ୍ରେମର ଅଙ୍କକଷାରୁ ନିଜକୁ ନିବୃତ୍ତ ରଖିପାରି ନଥିଲା ।

ଏହା ଭିତରେ ବର୍ଷା ଅଫିସ କାମର ଖଡ଼ି ପାଠ ଧିରେ ଧିରେ ଆତ୍ମସ୍ଥ କରିସାରିଥିଲା ତାର ସହକର୍ମୀ ଗୁରୁ ଶୁଭଙ୍କର ବାବୁଙ୍କ ସୌଜନ୍ୟରୁ । ପୋଖତ କର୍ମଜୀବି ପରି ସେ ଆଖି ମେଲାଇ ଦେଖିବାକୁ ଆରମ୍ଭ କରି ଦେଇଥଲା ନିଜ ଚାକିିରୀ ଜୀବନର ସୁନ୍ଦର ସ୍ୱପର୍କୁ । କିପରି ପାହାଚ ପରେ ପାହାଚ ଉଠିଲେ ସେହି ସ୍ୱପ୍ନର ସୀମନ୍ତକୁ ଛୁଇଁ ହେବ ତାର ଗାଣିତିକ କଳନା ମଧ୍ୟ ଆରମ୍ଭ କରିଦେଇଥିଲା ନିଜ ମନ ଭିତରେ ଚାପି ରଖିବା ଉଚ୍ଚଆକାଂକ୍ଷାା ରଙ୍ଗର ସିଲଟରେ । ଶୁଭଙ୍କର ତା ପାଇଁ ସେହି ସିଲଟରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ମଡେଇ ଶିଖାଇଥିବା ପ୍ରଥମ ସହକର୍ମୀ ରୂପକ ଶିକ୍ଷକ । ଚାକିରୀ ଜୀବନର ସବୁ ପାଠ ଖାଲି ଜଣକ ପାଖରେ ପଢା ଯାଏନା କି ଜଣକ ପାଖରେ ଅଟକି ଯାଇ ସବୁତକ ଚାକିରୀ ଜୀବନକୁସାରି ହୁଏନା ଏ କଥା ଭଲକରି ବୁଝି ପାରିଥିଲା ସେ । ସଫଳତା ପାଇଁ ଆବଶ୍ୟକ କଳା କୌଶଳକୁ ଆପଣେଇ ନ ପାରିଲେ ନା ସହଜରେ ପଦୋନ୍ନତି ମିଳିଥାଏ, ନା ସବୁ ଦକ୍ଷତା ଥାଇ ମଧ୍ୟ ଉପର ହାକିମଙ୍କ ସନ୍ତୁଷ୍ଟ ନଜର ଭିତରକୁ ଆସି ସାରିଥାଏ ।

ଦିନ ପରେ ଦିନ, ମାସ ପରେ ମାସ, ବର୍ଷାର ଚାକିରୀ ଯେତିକି ପୁରୁଣା ହୋଇ ଚାଲିଥାଏ ତା’ର ବଦଳୁଥିବା ରଙ୍ଗକୁ ଦେଖିବାକୁ ପାଉଥାଏ ଶୁଭଙ୍କର । ପ୍ରଥମେ ପ୍ରଥମେ ସେ ଯେପରି ତାକୁ ମିଠା କଥାରେ ଆପ୍ୟାୟିତ କରି ଅଫିସ କାମର କ ଖ ଗ ପ୍ରଭୃତି ଶିଖିବା ଆରମ୍ଭ କରିଥିଲା ସେପରି ଆପଣାପଣ ଆଉ ତା ପାଖରେ ଦେଖା ଯାଉନଥିଲା । ସମୟ ସମୟରେ ବସିଥିବା ଚେୟାର ପାଖକୁ ଘୋଷାରି ସେ ଯେମିତି ଏକ ରକମ ନିଜେଇ ଯାଉଥିଲା ଏବେ ଠିକ୍ ତାର ବିପରୀତ ଭାବରେ ଦୂରେଇ ଯିବାକୁ ବସିଥିଲା । ଏତେ ପାଖରେ ବର୍ଷାକୁ ପାଇ ମନେ ମନେ ଚଉଦପା’ ବଢିଗଲା ପରି ଲୁଚିଲୁଚି ହୃଦୟ ଦେଇ ଦେବାଟା ଶୁଭଙ୍କର ପକ୍ଷେ ପୁରାପୁରି ଏକ ତରଫା ଥିଲା । ଏତେ ଦିନ କାଳ ଯେଉଁ ଝିଅଟି ସହିତ ଗୋଟିଏ ଟେବୁଲ କଡରେ ବସୁଥିଲା ଉଠୁଥିଲା ଲୁଚିଲୁଚି ଯାହାର ମୁହଁକୁ କାହିଁ କେତେ ଥର ଅଫିସ ବେଳ ଭିତରେ ଚାହିଁ ରହୁଥିଲା । ସମସ୍ତଙ୍କ ନଜରକୁ ଚୋରାଇ, ଭାବିଥିଲା ସେ ଝିଅଟି ବୋଧେ ୟା ମଧ୍ୟରେ ଆସ୍ତେ ଆସ୍ତେ ଢଳି ଆସିଥିବ ତା’ରି ଆଡକୁ ବୁଝି ପାରିଥିବ ତା ହୃଦୟର ଅନୁଚାରିତ ପ୍ରେମର ପରିଭାଷାକୁ । ମାତ୍ର ଯାହା ସବୁ ଦେଖୁଥଲା ସବୁଥିଲା ଛଳନା । ନାଟକ ର କେବଳ ଗୋଟିଏ ଦୃଶ୍ୟ, ପରିଣତି ନୁହେଁ ।

ଆଗ ପରି ବର୍ଷା ଶୁଭଙ୍କର ବାବୁଙ୍କ ଟେବୁଲ ଏତେ ସମୟ ଧରି ବସି ରହୁନଥିଲା କି ସେହିପରି କଥା ମଧ୍ୟ ହେଉନଥିଲା । ଯେପରି ପଦେ ପଦେ କଥାକୁ ଯୋଡି ଖୁବ୍ ଆଗ୍ରହର ସହ ନିଜ ଆଡକୁ କଥାବାର୍ତ୍ତାର ମାହୋଲ କୁ ଜମେଇ ଦେଉଥିଲା । ଆଉ ସେ କଥାର ସମ୍ପର୍କରେ ଭାଳି ହୋଇ ଶୁଭଙ୍କର ହୃଦୟର ସମ୍ପର୍କକୁ ଯୋାଡି ବସିଥିଲା ନିଜଆଡୁ । ସେ ସବୁ ତା ପାଇଁ ଥିଲା ବୃଥା, ଏକ ନିଷ୍ଫଳ ପ୍ରୟାସ । ସମ୍ପର୍କର ଡ଼ୋର ଆଡକୁ ବଢି କାହା ସହିତ ଯୋଡି ହେବା ଆଗରୁ ରଟ୍ କରି ଛିଣ୍ଡିଯାଇଥିଲା ମଝି ଆକାଶର ଗୁଡି ପରି । ଅଫିସ ଭିତରେ ସେ ବର୍ଷା ନାଁ ରେ କେତେ ସବୁ ଟୁପୁରୁଟାପର କଥାସବୁ ଶୁଣିବାକୁ ପାଇଥିଲା । ଅବଶ୍ୟ ସେ କେବେ କଥାର ଖିଅ ଧରି ସତ୍ୟତା ନିକଟରେ ପହଞ୍ଚିବାକୁ ଚାହିଁ ନଥିଲା । କାରଣ ଯେଉଁ ପରିବତ୍ତନର ଲକ୍ଷଣ ସବୁ ସେ ବର୍ଷାଠାରେ ଦେଖିବାକୁ ପାଉଥିଲା ସେଥିରେ ଆଉ ଅବିଶ୍ୱାସ କରିବା ନିମନ୍ତେ କିଛି ବାକି ନଥିଲା । ଯାହା ଶୁଣିଥିଲା – ବର୍ଷା କୁଆଡେ ନୁଆକରି ଯୋଗ ଦେଇଥିବା ଯୁବ ଅଫିସର ଜଣଙ୍କର ନିକଟତମ ହୋଇ ପାରିଛି । ତାହା ପୁଣି ନିଶ୍ଚିତ ଭାବେ ନିଜ ସୌନ୍ଦର୍ଯ୍ୟ ବଳରେ ଓ କାର୍ଯ୍ୟ ଦକ୍ଷତା ଆଳରେ । କାମ ବାହାନାରେ ସେ ଅଫିସର ଜଣକ ଥରକୁ ଥର ପାଖକୁ ଡକାଉଥିଲେ ତାକୁ । ଆଉ ସିଏବି ଏହି ସମ୍ପର୍କକୁ ବଢାଇବାରେ ଖୁବ୍ ଖୁସି ଥିଲା । ଯେହେତୁ ଉପରବାଲାଙ୍କ ଶୁଭ ଦୃଷ୍ଟିରେ ରହିବାର ଅର୍ଥ ତାପାଇଁ ଏକ ସଫଳ ଚାକିରୀ ଜୀବନର ଆରମ୍ଭ ଥିଲା । ବଡବାବୁଙ୍କ ଠାରୁ ପରେ ଶୁଣିବାକୁ ଯେ ଖୁବ୍ ଶିଘ୍ର ବର୍ଷାର ସିଟ୍ ବଦଳ ହେଉଛି । ପରେ ଅଫିସ୍‌ର ନୂଆ ଅର୍ଡର ବଳରେ ତାର ସିଟ୍ ଯେଉଁ ଯାଗାକୁ ବଦଳ ହୋଇଥିଲା ତାହା ହେଊଛି ସେହି ଯୁବ ଅଫିସରଙ୍କ ରୁମ୍ ପାଖ କୋଠରୀ ।

ଶୁଭଙ୍କର ଭାବି ଆଶ୍ଚର୍ଯ୍ୟ ହୋଇଥିଲା ଯେ ନୂଆ ଚାକିରୀରେ ଯୋଗ ନଦେଉଣୁସେ ଝିଅଟି କିପରି ନିଜ ବୃତ୍ତି ପାଲଟି ଯାଇଥିଲା ଖୁବ୍ ସଚେତନ ଓ ସଫଳତାବାଦୀ । ଶିଘ୍ର ପାହାଚ ପରେ ପାହାଚ ଡେଇଁଯିବା ପାଇଁ ତାର ପାଦ ଥିଲା ବ୍ୟଗ୍ରା ତାକୁ କେବଳ ଦରକାର ଥିଲା ସଫଳତା ଓ ସେହି ଅଭିଷ୍ଟ ସଫଳତା ପାଇଁ ସେ ଥିଲା ଏକ ପାହାଚ । ସେହି ପାହାଚରେ ପାଦ ଦେଇ ବର୍ଷା ଉଠିଯଇଥିଲା ଉପର ପାହାଚକୁ ।

ଆଜି ପୁଣି ଚାରିପଟେ ବର୍ଷାର ପଦପାଦକୁ ଦେଖି ଶୁଭଙ୍କରକୁ କିଛି ଭଲ ଲଗୁ ନଥିଲା । ବର୍ଷାର ଟୋପା ସହିବା ତା ପାଖରେ ଖୁବ୍ ଅସହ୍ୟ ଥିଲା । ପ୍ରତିଟି ବର୍ଷା ବିନ୍ଦୁ ତକୁ ମନେ ପକାଇ ଦେଉଥିଲା ବର୍ଷାପ୍ରିୟଦର୍ଶନୀ ମହାନ୍ତିର ମୁହଁ । ବର୍ଷାକୁ ନେଇ ତା ଆକାଂକ୍ଷିିତ ହୃଦୟ ରେ ଶୃଷ୍ଟି ହୋଇ ଅଦୃଶ୍ୟ ଆଘାତକୁ ମନେ ପକାଇ ନୀରବ ରହିଥିଲା ସେ । ଆଉ ଆଗପରି ତାକୁ ବାହାର ବର୍ଷାର ଝିପିଝିପି ଓ ଭିଜିବାର ମାଦକତା କିଛି ଭଲ ଲାଗୁ ନଥିଲା । ସେ ବାର ବାର ନିଜକୁ ବୁଝାଇବାକୁ ଚାହୁଁଥିଲା ଯେ ବର୍ଷା ତା ପାଇଁ କେବଳ ଏକ ଋତୁ । ଆଉ କିଛି ନୁହେଁ ।

ଲୋକପ୍ରିୟ ଲେଖା

To Top