ଗଳ୍ପ

ବସନ୍ତ ବିଳାସ

Biraja Routray's odia story Basanta Bilaasa

ସେ ଭାବୁଥିଲା, ସବୁ ଆମ୍ୱକଷି କ’ଣ ବଡ଼ ହେବାର ଭାଗ୍ୟ ପାଏ । କିଛିକୁ ଜାଳିପକାଏ ନିର୍ଦ୍ଦୟ କୁହୁଡ଼ି । ଆଉ କିଛି ଦୁର୍ବଳତାରୁ ଏମିତି ଝଡ଼ିଯାଆନ୍ତି ହାବୁକା ହାବୁକା ପବନରେ । ତା’ ଆଖିକୁ ଏସବୁ ଦିଶୁଥିଲା ବୁଢ଼ିଆଣୀ ଜାଲର ଅବୁଝା ଚିତ୍ର ପରି ।

ବସନ୍ତ ବିଳାସ

ବେଳେବେଳେ ପବନ ଏମିତି ଦୁଷ୍ଟାମି କରେ । କେହି ନ ଥିବେ, ଗେଟ୍ଟା ଆପଣାଛାଏଁ ଖୋଲି ହୋଇଯାଏ । କୋଉଠୁ ଦଲକାଏ ପବନ ସହିତ ଚେନାଏ ଶିହରଣ ଆସି ଆନମନା କରିପକାଏ ଶେଫାଳିର ମନକୁ । ଚୂନା ଚୂନା ତରଙ୍ଗ ସବୁ ଛାତିରେ ସିଆର କାଟି ଉଲ୍ଲସିତ କରିପକାଏ ।

ହତାରେ କଷି ଆମ୍ୱ ବଉଳର ତାଜା ମହକ । ତା’ ଗହନ ହୃଦୟକୁ ସେହି ବିଚ୍ଛୁରିତ ମହକ ଧିରେ ଧିରେ ଆକ୍ରାନ୍ତ କରୁଥାଏ । ସେ ଅନ୍ୟମନସ୍କ ହୋଇ ପଡୁଥାଏ ପୁଣି ଅଧିକ ବି । ମୁକୁଳା ଗେଟ୍‌ର ଫାଙ୍କ ଦେଇ ମନ୍ଦ ମନ୍ଦ ପବନ ମଝିରେ ଆସି ଛୁଇଁଯାଉଥାଏ ନିମଜ୍ଜିତ ଚେତନାର ସ୍ତବ୍ଧ ଉପବନ । ସେଠି କେଉଁ ନିଭୃତ ପ୍ରଦେଶରୁ ସେ ଶୁଣିପାରେ କୋଇଲିର କୁହୁତାନ । ସବୁଜ ପତ୍ର ଗହଳରେ ଚପଳ ପବନର ରୋମାଞ୍ଚ । କିମିଆ ଲାଗିବା ପରି ଏକ ନିବିଡ଼ ମାଦକତା । ଅବର୍ଣ୍ଣନୀୟ ପୁଲକ ।

କେହି ଯେମିତି ଟୁପୁର୍ ଟୁପୁର୍ କହି ଦେଉଥିଲା, ହଁ, ଏଇତ ସେ ଆସୁଛନ୍ତି, ନା . . . ନା ଆସିଗଲେଣି ବୋଧେ । କାନକୁ ଜୋଅରେ ଶୁଭୁଥିଲା ଶୁଭ ଶଙ୍ଖର ନାଦ । ବାଟ ବରଣୀ ପ୍ରସ୍ତୁତି ପାଇଁ ସମସ୍ତ ସଜବାଜ । ତେଲିଙ୍ଗି ବାଜାର ତାଳେ ତାଳେ ମହୁରିଆର ସାହାନାଇ ! ଛି. . . ଛିଗୁଲିଆ କୋଉଠିକାର । ମଧୁର ବିରକ୍ତିରେ ବହମାନ ଚଞ୍ଚଳ ପବନ ଆଡୁ ମୁହଁକୁ ଫେରାଇ ଆଣିଲା ଶେଫାଳି ।

ଉତ୍ତୀର୍ଣ୍ଣ ମଧ୍ୟାହ୍ନ କ୍ରମଶଃ ବୟସ୍କ ପାଲଟି ଅପରାହ୍ନ ଆଡ଼କୁ ମୁହାଁଉଥିଲା । ସାମ୍ନା ହତାରେ ଥମ୍ ପଡ଼ି ଆସୁଥିଲା ଚୋରା ଚଇତାଳିର ପାଦର ନୂପୁର । ତା’ର ସୁଲୁସୁଲୁ କିମିଆ । ସମ୍ମୋହନର ପାର୍ବଣ । ଶେଫାଳିର ଶୋଇବା ଘର ଝରକା ଡେଇଁ ସନ୍ତର୍ପଣରେ ପ୍ରବେଶ କରୁଥିଲା ନିର୍ଜନତା । ଖାଁ. . . ଖାଁ ଏକାକୀପଣ । ଚୁପ୍ ଚୁପ୍ ପାଦ ଥାପି ପଶି ଆସୁଥିଲା ଭିତରକୁ । ଅବାଧରେ. . . ଅପ୍ରତିହତ ଭାବରେ । ଓଃ. . . କି ଅସହ୍ୟ, ହୃଦୟହୀନ ଏ ମୁହୂର୍ତ୍ତ ! ଚାପା ଚାପା କୋହ ସବୁ ସହସା ଉତ୍‌କ୍ଷିପ୍ତ ଢେଉ ପାଲଟି ବିଳପି ଉଠୁଥିଲା ଭିତରେ । ଅନ୍ତର୍ଦାହରେ ଥରି ଉଠୁଥିଲା ହିଆ ।

ଚାହୁଁ ଚାହୁଁ ତିରିଶି ବସନ୍ତ ଆସି ଛୁଇଁ ସାରିଥିଲା ତା’ ଦେହକୁ । ଶଙ୍କିତ ଚାହାଁଣିରେ, ଚୈତ୍ରର ଏଇ ଶେଷ ସନ୍ଦିକ୍ଷଣରେ ତଥାପି ଯେପରି ଥିଲା ତା’ର ଅପେକ୍ଷା । ମଧୁର ପ୍ରତୀକ୍ଷା । ମନର ପୁରୁଷ ପାଇଁ ଉତ୍ତୀର୍ଣ୍ଣ ବୟସର ଅଭିସାର । ଏଣେ, ପଛକୁ ପଛ ହୋଇ ଗୋଟିଏ ପରେ ଗୋଟିଏ ବସନ୍ତ ତାକୁ ଅତିକ୍ରମ କରିଚାଲିଛି । ଥୋପା ଫୁଲରୁ ଥର୍ ଥର୍ ହୋଇ ଝରିପଡୁଛି ଏକ ପରେ ଏକ ବୟସ ଫୁଲର ପାଖୁଡ଼ା । ଛନ୍ ଛନ୍ ସବୁଜ ପତ୍ରରେ ଶିଉଳିର ଦାଗ ପରି ସଞ୍ଚରି ଯାଉଛି ବଢ଼ା ବୟସର ଛାପ । କେଉଁ ବସନ୍ତ ବା ଅପେକ୍ଷା କରିଛି ତା’ ସତସତିକା ଅଭିସାର ପାଇଁ । ସବୁ ଥର ଧୋକା ଦିଆଙ୍କ ପରି ଲେଉଟି ଯାଇଛି ଦୁଆର ହତାରୁ । ତା’ ପାଇଁ ଆମ୍ୱ କଷି ପରି ଇଏ ଯେପରି କେଇ କ୍ଷଣର ଚହଟା ବାସ୍ନା । ସ୍ୱପ୍ନଭୁକ୍‌ର ପ୍ରହର ! ବିଭୋର ମରୀଚିକା !

ଚିଡ଼ି ଲାଗୁଥିଲା ତା’ର ନାଁକୁ ନେଇ । କାଳି ଝିଅର କମ୍‌ତିକୁ ନେଇ ଥରକୁ ଥର ବାହାଘର ଭାଙ୍ଗି ଚାଲିଥିଲା ବେଳେ କୋଉ ଉତ୍ତୁରା ରଙ୍ଗକୁ ଦେଖି ନାଁଟାକୁ ଶେଫାଳି ରଖିଥିଲେ କେଜାଣି । ଇଚ୍ଛା ହେଉଥିଲା ବୋଉ ଉପରେ ସବୁତକ ରାଗ କୁଢ଼େଇ ଦେବାକୁ । ତା’ ଲମ୍ୱା ପଣତରେ ଅମାନିଆ ଲୁହକୁ ଭିଜାଇ ପଚାରିବାକୁ ଚାହୁଁଥିଲା ଏହି ମର୍ମଦାହୀ ପ୍ରଶ୍ନ । କାହିଁକି, ଏ ବିଦ୍ରୁପ ତା’ ପାଇଁ ? ହେଲେ, ତା’ର ଏ ପ୍ରଶ୍ନର ଉତ୍ତର ଦେବାକୁ ବୋଧେ ବୋଉ କେବେଠାରୁ ବାଟ କାଟିସାରିଥିଲା । ବର୍ଷର ଅଧିକାଂଶ ଦିନ ମଧ୍ୟସ୍ଥିମାନଙ୍କର ଯା’ ଆସ ସେ ଦେଖିଆସୁଛି । ଟିପ୍ପଣା ସହିତ କିଛି ବାଟ ଖର୍ଚ୍ଚ ଧରି ଉଠିଲା ବେଳକୁ ପ୍ରତିଥର ବାପାଙ୍କ ଖଣ୍ଡିକାଶ ଶୁଭେ । ତା’ପରେ ସେହି ଦୋରସ୍ତ ଡାକ ଶେଫାଳି ଇଆଡ଼େ ଟିକେ ଆସିବୁ ତ । ଗୋଡ଼ ନଖରୁ ମୁଣ୍ଡର କପାଳ ପର୍ଯ୍ୟନ୍ତ ଡଗଡଗ ପଢ଼ିଯାଉଥିବା ସେହିସବୁ ପଣ୍ଡିତ ଗୁଡ଼ାକ ଅଙ୍କ କଷିଲା ପରି ତା’ ଆଡ଼କୁ ଚାହିଁ କ’ଣ ସବୁ ଗୁଣୁ ଗୁଣୁ ହୁଅନ୍ତି ମନେ ମନେ । ତା’ପରେ ବାପାଙ୍କ ଆଖି ଠାରରେ ସେ କେତେବେଳେ ଚାଲି ଆସିଥାଏ ଭିତର ଘରକୁ ।

ବାପାଙ୍କୁ ଦେଖେ । ଚାକିରୀରୁ ଅବସର ପରେ ପାଞ୍ଚ ବର୍ଷ ଗଡ଼ିଗଲାଣି ତାଙ୍କର ୟା’ ଭିତରେ । ଭାରି ଇଚ୍ଛା ରଖିଥିଲେ, ଚାକିରୀଟା ଥିବା ଭିତରେ ଝିଅ ବାହାଘର କାମଟା ସାରିଦେବାକୁ । ଏବେ ଦିନକୁ ଦିନ ଭାରାକ୍ରାନ୍ତ ଓ ଅନ୍ୟମନସ୍କ ଲାଗୁଥିଲା ତାଙ୍କ ମୁଖମଣ୍ଡଳ । ବୋଉର ଅନୁପସ୍ଥିତିରେ ଭାରଟା ଯେତେବେଳେ ଏକୁଟିଆ ତାଙ୍କ କାନ୍ଧରେ, ସେଥିପାଇଁ ଅନେକଥର ଭାବିଲା ପରେ ସୁଦ୍ଧା କେବେ ବାପାଙ୍କୁ କିଛି ପଚାରି ବସିବାକୁ ଚାହିଁ ନାହିଁ । ହୁଏତ, ଯେଉଁ ବେଦନାକୁ ସେ ଅନାୟାସରେ ପଚାରି ପାରିଥାନ୍ତା ବୋଉକୁ, ତଲବ କରିପାରିଥାନ୍ତା ତା’ଠାରୁ ଉତ୍ତର ।

ସେପଟେ ମେଲା ପଡ଼ିଥିଲା ବାଟଘର । ଦୁଆର ଖୋଲା ରଖି ବାପା କେତେବେଳେ ଶୋଇଯାଇଥିଲେ ଚଉକି ଉପରେ । ଆଖି ନିଦରେ ଲାଖି ଯାଇଥିଲେ ବି ଅପେକ୍ଷା ଥିଲା କାହାର ଆସିବା ବାଟକୁ । ଶେଫାଳି ଚାହିଁଲା, ସେଇ ବାଟଘରର ଦୁଆର କଡ଼କୁ ଢାଙ୍କି ଛିଡ଼ା ହୋଇଥିବା ସବୁଠୁ ପୁରୁଣା ଆମ୍ୱଗଛକୁ । ମୃଦୁ ଗୁଞ୍ଜରଣ ପରି ହଠାତ୍ କାନକୁ ଶୁଭିଲା ଟପ୍‌ଟପ୍ ଖସି ପଡୁଥିବା କିଛି ଝଡ଼ା ଆମ୍ୱ ପଡ଼ିବାର ଶବ୍ଦ । ଗଛ ସାରା ଭରି ରହିଥିଲା ମେଞ୍ଚା ମେଞ୍ଚା ଝଡ଼ା ବଉଳ ଫୁଲର ପସରା । ସେ ଭାବୁଥିଲା, ସବୁ ଆମ୍ୱକଷି କ’ଣ ବଡ଼ ହେବାର ଭାଗ୍ୟ ପାଏ । କିଛିକୁ ଜାଳିପକାଏ ନିର୍ଦ୍ଦୟ କୁହୁଡ଼ି । ଆଉ କିଛି ଦୁର୍ବଳତାରୁ ଏମିତି ଝଡ଼ିଯାଆନ୍ତି ହାବୁକା ହାବୁକା ପବନରେ । ତା’ ଆଖିକୁ ଏସବୁ ଦିଶୁଥିଲା ବୁଢ଼ିଆଣୀ ଜାଲର ଅବୁଝା ଚିତ୍ର ପରି । ଯେପରି ଆଶା ଆଉ ହତାଶାର ଅଭେଦ୍ୟ ଏକ ଗୋଲକ ଧନ୍ଦା ।

ବାହାରେ ଅଳସ ଅପରାହ୍ନ ସାରା ଭରି ରହିଥିଲା ଆଉଟା ନିଆଁ । ପୁଟା ବଉଳ ପେନ୍ଥାର ଉଚ୍ଛ୍ୱାସମୟ ଆମନ୍ତ୍ରଣ । ଖୋଲା ଝର୍କା ଦେଇ ମଝିରେ ମଝିରେ ହାଲ୍କା ଉଷ୍ମ ପବନର ଛୁଆଁ ଚହଟେଇ ଦେଉଥିଲା ତା’ର ସଂଗୁପ୍ତ ମନକୁ । ଦେହସାରା ଭରି ଆସୁଥିଲା ଅଜଣା ତାତି । ପୁଣି ଓହ୍ଲାଇ ଯାଉଥିଲା ପୁଣି ଫେରୁଥିଲା ଦେହର ସୁଦୂର ଗୋହିରି ଯାଏଁ । ବସନ୍ତର ଏଇ ନିବିଡ଼ ଆଶ୍ଳେଷ କେତେବେଳେ ତାକୁ ସମ୍ପୂର୍ଣ୍ଣ ଭାବମଗ୍ନ କରି ଦେଉଥିଲା, ପୁଣି କେତେବେଳେ ଆମ୍ୱ ଗଛର ପୋଡ଼ା ବଉଳକୁ ଦେଖି ଚମକି ଉଠୁଥିବା ଶେଫାଳି ।

ବାଟ ଘରୁ ସେପଟୁ ବାପାଙ୍କ ପାଟି ଶୁଣାଗଲା, “ଶେଫାଳି, ଇଆଡ଼େ ଟିକେ ଆସିବୁ ତ !”

ଥୁଣ୍ଟା ବଉଳ ସବୁ ପୁଣି ଥରେ ମୁଣ୍ଡ ହଲାଇ ନାଚିବା ଆରମ୍ଭ କରିଦେଇଥିଲେ ।

ଲୋକପ୍ରିୟ ଲେଖା

To Top