ଗଳ୍ପ

ବସନ୍ତରେ ବଜ୍ରପାତ

Shreebatsa Prasad Nath's odia story Basantare Bajrapaata

ପିକର ପଞ୍ଚମସ୍ୱରରେ ବିରହ ବିଧୁର କୁହୁତାନ ଦିଗବିଦିଗରେ ଶିହରଣ ସୃଷ୍ଟି କରୁଛି । ପଶୁପକ୍ଷୀ, କୀଟପତଙ୍ଗ ତଥା ନରନାରୀଙ୍କ ହୃଦୟରେ ଦେଖା ଦେଇଛି ମିଳନର ଉତ୍କଣ୍ଠା ।

ବସନ୍ତରେ ବଜ୍ରପାତ

ଏ ଦୁନିଆଁରେ ଅନେକ ପ୍ରକାର ଚୋର ଅଛନ୍ତି । ଧନ ଚୋର, ମନ ଚୋର, ରୂପ ଚୋର, ନାରୀ ଚୋର, ପିଲା ଚୋର, କ୍ଷମତା ଚାରେ, ସାହିତ୍ୟ ଚୋର ଏମିତି କେତେ କଅଣ । ସେ ତ ସେଭଳି ମାରାତ୍ମକ ଚୋରି କରେ ନାହିଁ । କେବଳ ତା’ ମନକୁ ଛୁଇଁଲା ଭଳି ମନଚୋରି କରେ ସେ ଲୁଚି ଲୁଚି । ତାହାକୁ ନେଇ ସାଦା କାଗଜ ଉପରେ ଆଙ୍କେ କେତେ ନୂଆ ନୂଆ ଛବି । ସେଥିରେ ମଧ୍ୟ ନିଜର ଅଭିଜ୍ଞତା ଓ କଳ୍ପନାର ପୁଟପାକ ଦେଇ ତାକୁ କରେ ମନୋମୁଗ୍ଧକର ଓ ଆକର୍ଷଣୀୟ । ଏଥିରେ ଅବା କାହାର କ’ଣ ଯାଏ ଆସେ । ସମସ୍ତେ ତା’ ଲେଖା ପଢ଼ନ୍ତି, ଖୁସି ହୁଅନ୍ତି । କିଏ କେତେ ପ୍ରଶଂସା କରେ । କିଏ ଅବା ନିରବ ରହେ । ସେଥିପାଇଁ ତା’ର ସ୍ୱଭାବ ତ କେବେ ବଦଳି ଯାଏ ନାହିଁ । କିନ୍ତୁ ଗୋଟିଏ କଥାରେ ତା’ ମନ ଦବିଯାଏ । ବାସନ୍ତୀ ପାଖରେ ତା’ର ଲେଖକପଣିଆ ସତେ ଯେମିତି ହାରି ଯାଇଛି । ସେ କାହିଁକି ତା’ ଲେଖା ପଢ଼ା ଶୁଣି ଚିତ୍କାର କରେ, କାନ୍ଦି ଉଠେ । ଅଭିମାନ କରି ଆମ ମମତା ଭିତରେ ଭିନ୍ନତା ଆଣେ । ବିରକ୍ତି ଭାବ ହୃଦୟରେ ପୋଷଣ କରି ଥରି ଉଠେ । ତାହାହେଲେ ବହୁଦିନର ସ୍ନେହ ଶ୍ରଦ୍ଧାରେ କ’ଣ ଥିଲା କେବଳ ମାତ୍ର ଆସକ୍ତି । ସେ କ’ଣ ଚାହେଁ ନାହିଁ ଆମ ଭିତରେ ଥିବା ସମ୍ପର୍କକୁ ଲିପିବଦ୍ଧ କରାଯାଇ ରଖାଯାଉ ଚିରଦିନ ପାଇଁ । ତା’ହେଲେ ଏଥିରେ କିଛି ଗୋପନୀୟତା ଅଛି ବୋଧହୁଏ । ଏକୁଟିଆ ବସି ଏହିପରି ଅନେକ କଥା ଭାବି ଚାଲିଛି ବସନ୍ତ, ହୃଦୟରେ ନାହିଁ ସରସତା ଓ ମନରେ ନାହିଁ ଉଲ୍ଲାସ ।

ପୁଣି ବସନ୍ତ ଚିନ୍ତାକରି ବସେ ଯଦି ଏହା ସତ୍ୟ ହୋଇଥାଏ, ତେବେ ମୋତେ ଦଣ୍ଡେ ନ ଦେଖିଲେ ବାସନ୍ତୀ ଅଥୟ ହୁଏ କାହିଁକି ? କ’ଣ ପାଇଁ ?

ଆଜି ତା’ର ମନେ ପଡ଼ିଯାଉଛି ଗୋଟି ଗୋଟି ହୋଇ ବହୁତ ଦିନ ତଳର ଘଟଣା । ସେଦିନ ଉଭୟେ ଫେରୁଥାନ୍ତି ବାଣୀବିହାରର ପି.ଜି. କ୍ଲାସ୍‌ରୁ । ସେ ରସାୟନ ବିଜ୍ଞାନ ବିଭାଗର ଛାତ୍ର ଆଉ ବାସନ୍ତୀ ଥିଲା ମନୋବିଜ୍ଞାନ ବିଭାଗର ଛାତ୍ରୀ । ବାସନ୍ତୀ ଅନ୍ୟମନା ହୋଇ ଚାଲୁ ଚାଲୁ ଝୁଣ୍ଟି ପଡ଼ିଥିଲା ଅଚାନକ ଭାବରେ ଗୋଟିଏ କୃଷ୍ଣଚୂଡ଼ା ଗଛ ପାଖରେ । ହଠାତ୍ ଯାଇ ତାର ବାହୁକୁ ଧରି ଉଠାଇ ଦେଇଥିଲା ସେ । ବହିଖାତାକୁ ଗୋଟେଇ ଧରି ଗୋଟିଏ ଅଟୋରିକ୍ସାରେ ବସାଇ ନେଇ ଯାଇଥିଲା ନିକଟସ୍ଥ ଚିକିତ୍ସାଳୟକୁ । କାରଣ ବାସନ୍ତୀର ଡାହାଣ ଗୋଡ଼ର ବୁଢ଼ା ଆଙ୍ଗୁଳି ନଖ ଉଠିଯାଇ ସାମାନ୍ୟ ରକ୍ତ ପ୍ରବାହ ଦେଖା ଦେଇଥିଲା । ସେଠାରେ ବ୍ୟାଣ୍ଡେଜ ସରିବା ପରେ କିଛି ଔଷଧ ପତ୍ର ଘେନି ତାଙ୍କ ଘରେ ଛାଡ଼ି ଦେଇ ଆସିବା ପାଇଁ କହିଥିଲା । କିନ୍ତୁ ସେ ନିଜେ ଯାଇପାରିବ ବୋଲି କହିଲା । ଗଲାବେଳେ ମୋତେ କଣେଇଁ ଚାହିଁ ଗୋଟିଏ ଛୋଟିଆ ନମସ୍କାର କରି ଚାଲିଗଲା ମୁଖରେ ଦରହାସ ଫୁଟାଇ ।

ସେହିଦିନ ଠାରୁ ବସନ୍ତର କ୍ଲାସ୍ ସରିବା ପର୍ଯ୍ୟନ୍ତ ତାକୁ ଅପେକ୍ଷା କରେ ମୁଖ୍ୟଦ୍ୱାର ନିକଟରେ ବାସନ୍ତୀ । ବେଳେବେଳେ ବସନ୍ତ ମଧ୍ୟ ପ୍ରତୀକ୍ଷା କରି ବସେ ବାସନ୍ତୀର କ୍ଲାସ୍ ଶେଷ ହେବା ପର୍ଯ୍ୟନ୍ତ । ଦିନକୁ ଦିନ ସେମାନଙ୍କ ମଧ୍ୟରେ ଦେଖା ଦେଇଥିବା ସମ୍ପର୍କ ବଢ଼ିବାକୁ ଲାଗିଲା । ଘନିଷ୍ଠତା ପ୍ରେମ ରୂପରେ ଦେଖାଦେଲା । ସେମାନେ ଚାହିଁଲେ ତହିଁରେ ଚିରଦିନ ବାନ୍ଧି ହୋଇ ରହିବା ପାଇଁ । ତଥାପି ବସନ୍ତ ବୁଝିପାରେ ନାହିଁ- ବାସନ୍ତୀ କାହିଁକି ତା’ ଲେଖା ପଢ଼ି କିମ୍ୱା ଶୁଣି ସେମିତି ହୁଏ । ଭାବେ, ମନୋବିଜ୍ଞାନୀଙ୍କ ମନସ୍ତତ୍ତ୍ୱ ବୁଝିବା ବୋଧହୁଏ ତା’ ପକ୍ଷରେ ସମ୍ଭବ ନୁହେଁ ।

ଦିନେ ଦିନେ ସନ୍ଧ୍ୟାବେଳେ ସେମାନଙ୍କୁ ଦେଖିବାକୁ ମିଳେ ପାର୍କରେ । କେବେ ଅବା ହୋଟେଲ୍‌ରେ ଏକାଠି ବସି ଜଳଖିଆ ଖାଇବା ସମୟରେ । ସତେ ଯେମିତି ଜଣାପଡ଼େ କେହି କାହାକୁ ଛାଡ଼ିବାକୁ ରାଜି ନୁହଁନ୍ତି । ସେତେବେଳେ ନାନା ପ୍ରୀତିପୂର୍ଣ୍ଣ କଥାବାର୍ତ୍ତା, ଆଳାପ ଆଲୋଚନା, ହସଖୁସିରେ କାଳ କଟିଯାଏ ।

ଥରେ ସେମାନେ ରାସ୍ତାରେ ପାଖାପାଖି ହୋଇ ଖୁସି ମନରେ ଆଳାପ ଜମାଇ ଯାଉଥିବା ବେଳେ ରାଧାକାନ୍ତ ବାବୁଙ୍କ ଆଖିରେ ପଡ଼ିଯାଇଥିଲେ । ରାଧାକାନ୍ତ ବାବୁ ହେଉଛନ୍ତି ବାସନ୍ତୀର ବାପା, ପୁଣି ସେ ସଂସ୍କୃତି ବିଭାଗ-ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ । ବାପା ହଠାତ୍ କାର୍ ବନ୍ଦ କରି କହିଲେ- “ବାସନ୍ତୀ ! ତୁ ଇଆଡ଼େ କୁଆଡ଼େ ବୁଲୁଛୁ ? ଆଉ ତୋ ସାଙ୍ଗରେ ଏ ପିଲାଟି କିଏ ?” ବାସନ୍ତୀ ବଡ଼ ଅଡୁଆରେ ପଡ଼ିଲା । ଛାନିଆ ହୋଇ ଛେପ ଢୋକ୍ ଧୀର ଗଳାରେ କହିଲା- “ବାପା ! ଇଏ ହେଉଛନ୍ତି ବସନ୍ତବାବୁ । ବାଣୀବିହାରର ରସାୟନ ବିଦ୍ୟାରେ ଏମ୍.ଏସ୍.ସି. ଛାତ୍ର । ସେଦିନ ପରା ଇଏ ମୋତେ ନେଇଯାଇଥିଲେ ଡାକ୍ତରଖାନାକୁ ।” ମୁଁ ଯାଇଥିଲି ଗୋଟିଏ କଲ୍ଚରାଲ୍ ମିଟିଂରେ ଯୋଗ ଦେବାକୁ ସୂଚନାଭନକୁ ହଠାତ୍ ସେଠାରେ ଏ ଦେଖା ହୋଇଗଲେ । ଝିଅ ଠାରୁ ଏହା ଶୁଣି ରାଧାକାନ୍ତବାବୁ ମୁରବିପଣିଆ ଦେଖାଇ କହି ପକାଇଲେ- “ହଉ, ଭଲ ହେଲା । ଘରକୁ ଶୀଘ୍ର ପଳାଇଯିବୁ । ବୋଉକୁ କହିବୁ ମୁଁ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ୍ କରିବାକୁ ଯାଉଛି କେତେକ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ । ଘରକୁ ଫେରୁ ଫେରୁ ଡେରି ହୋଇପାରେ ।”

ରାଧାକାନ୍ତ ବାବୁ ଏହା କହି ଚାଲିଗଲା ପରେ ବାସନ୍ତୀ ହସି ହସି କହିଲା- “ଦେଖିଲ, ବାପାଙ୍କୁ କିପରି ଭୂଆଁ ବୁଲାଇ ଦେଲି ।” ବସନ୍ତ ସାଙ୍ଗେ ସାଙ୍ଗେ ତା’ ହସରେ ହସ ମିଶାଇ କହିପକାଇଲା- “ନାରୀକୁ ପରା ନାରାୟଣ ପାରିନାହାନ୍ତି ।” ଦୁହେଁ ହାତ ଧରାଧରି ହୋଇ ଠୋ’ ଠୋ’ କରି ହସି ଉଠିଲେ ।

ବେଳେବେଳେ ବାସନ୍ତୀର ଏକାନ୍ତ ଅନୁରୋଧ ରକ୍ଷାକରି ବସନ୍ତ ତାଙ୍କ ଘରକୁ ଯାଏ । ସେତେବେଳେ ବାସନ୍ତୀ ଆନନ୍ଦରେ ଆତ୍ମହରା ହୋଇଉଠେ । ତା’ ଗୋଡ଼ ତଳେ ଲାଗେ ନାହିଁ । ନିଜ ଶୟନକକ୍ଷର ଶେଯ ଉପରକୁ ନେଇ ବସିବାକୁ କହେ । ଯେତେ ଆଦର ଅଭ୍ୟର୍ଥନା ତାହା ଭୁଲି ହେବ ନାହିଁ । ବାସନ୍ତୀର ମାଆ ମଧ୍ୟ ଝିଅର ସାଙ୍ଗ ହିସାବରେ ବସନ୍ତକୁ ନିଜ ପୁଅ ଭଳି ଦେଖନ୍ତି । କେତେ ସ୍ନେହ କରନ୍ତି । ଝିଅକୁ ବାରମ୍ୱାର ତାଗିଦ୍ କରି କହନ୍ତି- “ଆଲୋ ମାଆ ! ପୁଅ ଖବରଅନ୍ତର ଭଲଭାବରେ ବୁଝୁଛୁନା !”

ପ୍ରାୟତଃ ପ୍ରତିଦିନ ବାଣୀବିହାର ହତାରେ ଦୁହିଁଙ୍କର ଦେଖାହୁଏ । ପାଠପଢ଼ା ଶେଷ ହେବା ପରେ ସେମାନେ କୃଷ୍ଣଚୂଡ଼ା ଗଛମୂଳେ ଏକାଠି ବସି କେତେ ହସଖୁସି ହୁଅନ୍ତି । ପୁଣି ବସନ୍ତ ତା’ ଲେଖା ଗପ ପଢ଼େ । ପଢ଼ା ମଝିରେ ବାସନ୍ତୀ ପୂର୍ବପରି ନା ନା କହି ଚିତ୍କାର କରି ଉଠେ । ବସନ୍ତ ଏହାର ରହସ୍ୟ ଭେଦ କରି ପାରେ ନାହିଁ । ଦିନେ ସେ ବାସନ୍ତୀକୁ ଏ ବିଷୟରେ ଖୋଲା ଖୋଲା ପଚାରିଲା । ବାସନ୍ତୀ ତା’ ମନ କଥା କହିବାକୁ ପ୍ରଥମେ ରାଜି ହେଉ ନଥିଲା । ବସନ୍ତ ବାଧ୍ୟ କରିବାରୁ କହିଲା- “ତୁମେ ପରା ନିଜକୁ ବଡ଼ ମନଚୋର ବୋଲି କହି ହୁଅ । କାହିଁ ମୋ ମନଗହନର କଥା ତ ଆଜି ଯାଏଁ ବୁଝିପାରିଲ ନାହିଁ । ତୁମ ଗଳ୍ପରେ ମୋ ମନକଥା ଲେଖିଲାବେଳେ ମିଛ ସତ ପୁରାଇ କେମିତି ଲେଖୁଛ ?” ବସନ୍ତ ଏତେ ଦିନେ ବୁଝିପାରିଲା ବାସନ୍ତୀର ମନୋଭାବ । ସେ ତାକୁ ବୁଝାଇ ଦେଲା ଲେଖକ କଳା କୌଶଳ । ପୁଣି କହିଲା- “ତୁମେ ଜାଣି, କିଛି ସତ କିଛି ମିଛ ଉପାଦାନରେ ଗଳ୍ପ ଗଢ଼ା ହୁଏ । ତେଣୁ କେଉଁ ସ୍ଥଳରେ କେତେ ମିଛ ମିଶିଲେ ତାହା ପାଠକମାନଙ୍କ ମନ ଓ ହୃଦୟକୁ ଛୁଇଁ ପାରିବ ସେ କଳା ଜଣେ ସଚ୍ଚା ଲେଖକକୁ ଜଣା ।” ଏହିପରି ଭାବରେ ବିତିଯାଏ ସେମାନଙ୍କର ନିତିଦିନିଆ ଜୀବନ ।

ଅବିର ବିକଳା ଫଗୁଣ ଆସିଛି । ତା’ର ମୃଦୁ ମଧୁର ସ୍ପର୍ଶରେ ଧରାବାଳୀ ହୋଇ ଉଠିଛି ପୁଲକିତ । ତରୁଲତାରେ ଦେଖା ଦେଇଛି ପାଟଳିମା, ପୁଣି ଶ୍ୟାମଳିମା ନବକିଶଳୟ । ଜାତି ଜାତି ଫୁଲର ବିଭବରେ ଫାଟି ପଡୁଛି ମାଟି ମାଆ । ସୁବାସିତ ମହକରେ ମହକି ଉଠୁଛି ଚାରିଆଡ଼ । ମଳୟ ବହୁଛି ଧୀରେ ଧୀରେ । ପିକର ପଞ୍ଚମସ୍ୱରରେ ବିରହ ବିଧୁର କୁହୁତାନ ଦିଗବିଦିଗରେ ଶିହରଣ ସୃଷ୍ଟି କରୁଛି । ପଶୁପକ୍ଷୀ, କୀଟପତଙ୍ଗ ତଥା ନରନାରୀଙ୍କ ହୃଦୟରେ ଦେଖା ଦେଇଛି ମିଳନର ଉତ୍କଣ୍ଠା । ସମସ୍ତେ ନବୀନ ଉନ୍ମାଦନାରେ ହସୁଥିଲା ବେଳେ ଜଣକ ମନରେ ନାହିଁ ଆନନ୍ଦ । ବାସନ୍ତୀ ବିଷାଦ ଭରା ପ୍ରାଣରେ ଅପେକ୍ଷା କରି ବସିଛି ସେଇ କୃଷ୍ଣଚୂଡ଼ା ଗଛମୂଳେ ତା’ର ପ୍ରିୟତମ ବସନ୍ତକୁ ।

କୁଆଡ଼େ ଗଲା ବସନ୍ତ ? କାଲିଠାରୁ ସେ ଯେ ତାକୁ କେତେ ଖୋଜୁଛି । ବାହାରକୁ ଯିବା କଥା ତ ମୋତେ କହିନାହାନ୍ତି । ଶଷରପେ ନିରାଶ ହୋଇ ବୁକୁଫଟା କରୁଣ ସ୍ୱରରେ କାନ୍ଦି ଉଠି କହିଲା- “ହେ ମୋର ହୃଦୟ ରାଜ୍ୟର ଚିର ବସନ୍ତ ! ତୁମେ ସତେ କ’ଣ ଆଉ ଫେରିବ ନାହିଁ ? ଏଇ ହତଭାଗିନୀ ଆମରଣ ତୁମକୁ ପ୍ରତୀକ୍ଷା କରି ରହିବ- ଏହା ତା’ର ଦୃଢ଼ ପ୍ରତିଜ୍ଞା !”

ଏତିକିବେଳେ ଅଳ୍ପଦୂରରେ ଦଳେ ଛାତ୍ରୀ କଥାବାର୍ତ୍ତା ହେଉଥିଲେ- “ଆହାଃ ! କେତେ ସୁନ୍ଦର ସୁଠାମ ଯୁବକଟିଏ ବସନ୍ତ, ଗତକାଲି ସକାଳେ ମଟର- ସାଇକେଲ୍ ଆକ୍ସିଡେଣ୍ଟ୍ରେ ସେ ମୃତ୍ୟୁବରଣ କରିଛି ଶୋଚନୀୟ ଭାବରେ ।”

ଲୋକପ୍ରିୟ ଲେଖା

To Top