ଗଳ୍ପ

ବୟାଳିଶୀ-ନଟ୍ ଆଉଟ୍

Odia Author Aravind Das

ଅଜଣା ବଦ୍‌ମାସ୍‌ ଲୋକଙ୍କ ଧମକ ନୁହେଁ ବରଂ ରୀତାଙ୍କ କଥା ତାଙ୍କ ମନରେ ଭୟ ସୃଷ୍ଟି କରୁଥିଲା । ସତରେ କ’ଣ ରୀତା ଏମିତି ପଦକ୍ଷେପ ନେବ ନା ମିଛରେ ଡରାଉଛି ?

ବୟାଳିଶୀ-ନଟ୍ ଆଉଟ୍

କମ୍ପ୍ୟୁଟର ମନିଟର୍‌କୁ ଭଲ କରି ନିରିଖେଇ ଦେଖିଥିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅମର ପଟ୍ଟନାୟକ । ନିଜ ହାତରେ ଟାଇପ୍ କରିଥିବା ଇସ୍ତଫାପତ୍ରଟିକୁ ପୁଣି ପଢ଼ିଲେ । ପଚିଶ ବର୍ଷର ଚାକିରୀକାଳ ଭିତରେ ଏଇ ସମାନ ଚିଠିଟିକୁ କେତେଥର ଯେ ସେ ଲେଖିଛନ୍ତି ଓ ଚିରି ଫୋପାଡ଼ିଛନ୍ତି ତା’ର ହିସାବ ବୋଧେ ସେ ରଖିନାହାନ୍ତି କି ପ୍ରୟୋଜନ ମନେ କରିନାହାନ୍ତି । ଛୋଟ ପିଲାଟିଏ ସମୁଦ୍ରବେଳାଭୂମିରେ ବାଲିଘରଟିଏ ତୋଳି ତାକୁ ନିଜେ ଭାଙ୍ଗିଦିଏ ତ କେବେ ସମୁଦ୍ର ଢେଉ ତାକୁ ଭସାଇଦିଏ ।

କିନ୍ତୁ ପିଲାଟି ପୁଣି ଯେମିତି ବାଲିଘର ଗଢ଼ିବାକୁ କେବେ ବି ଭୟ କରେନା, ଠିକ୍ ସେମିତି ସମୁଦ୍ର ଲହଡ଼ି ମଧ୍ୟ ବାରମ୍ୱାର ନିଜର ପରାକ୍ରମ ଦେଖାଇବାକୁ ଭୁଲେନା ।

ସେମାନଙ୍କ ଛକାପଞ୍ଝା ଖେଳ ଚାଲିଥାଏ ଠିକ୍ ଯେମିତି ଅମର ଓ ସରକାରଙ୍କ ଭିତରେ ଚାଲିଛି ବିଗତ ଏଇ ବର୍ଷ ଗୁଡ଼ାକ ଭିତରେ ।

“ସାର୍, ମିନିଷ୍ଟର୍‌ଙ୍କ ଫୋନ୍ ।”

ସାମ୍ନାରେ ନିଜ ପର୍ସନାଲ୍ ଆସିଷ୍ଟାଣ୍ଟ୍ ବନବାବୁଙ୍କ କଥା ଶୁଣି ଚମକି ପଡ଼ିଲେ ଅମର ।

“ଠିକ୍ ଅଛି, ଆପଣ ଯାଆନ୍ତୁ, ମୁଁ କଥା ହୋଇଯାଉଛି ।”

ମନକୁ ମନ ହସିଲେ ଅମର । ପରିବହନ ବିଭାଗ ମନ୍ତ୍ରୀ କ’ଣ କହିବେ ତାକୁ ସେ ଭଲ ଭାବେ ଜାଣିଛନ୍ତି । ଫାଇଲ୍‌ରେ ସେ ନିଜେ ଯାହାସବୁ ଲେଖିଥିଲା ତା’ର ପୁର୍ନସମୀକ୍ଷା ପାଇଁ ମନ୍ତ୍ରୀ ଜନ୍ମେଜୟବାବୁ ଫାଇଲ୍‌ଟି ଫେରାଇ ଦେଇଥିଲେ । ପୁର୍ନବିଚାର ? କି ପୁର୍ନସମୀକ୍ଷା କରିବ ସେ ? ବିନା ପରମିଟ୍ ଓ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ରେ ତିରିଶଟା ବେସରକାରୀ ଆନ୍ତରାଜ୍ୟ ଲଗ୍‌ଜୁରୀ ବସ୍‌କୁ ସିଜ୍ କରିଥିଲା ଅମର ।

ତାରି ମଧ୍ୟରୁ କୋଡ଼ିଏଟା ବସ୍ ହେଉଛି ପରିବହନ ମନ୍ତ୍ରୀଙ୍କ ନିଜ ସାନଭାଇଙ୍କର ।

ବାସ୍, ମହୁମାଛି ଫେଣାରେ ଯେମିତି ହାତ ମାରିଦେଲେ ହଜାର ହଜାର ମହୁମାଛି ଛୁଟି ଆସନ୍ତି ପ୍ରତିଶୋଧ ନେବା ପାଇଁ, ଠିକ୍ ସେମିତି ମନ୍ତ୍ରୀଙ୍କ ଭାଇଙ୍କ ସହଯୋଗୀମାନେ ଚାଲିଆସିଥିଲେ ମୋର୍ଚ୍ଚା ନେଇ ବିରୋଧ ପ୍ରକଟ କରିବା ପାଇଁ ।

ଅମର ପଟ୍ଟନାୟକ ଡାଉନ୍, ଡାଉନ୍ । ସରକାରୀ ଜୁଲମ୍ ଚାଲିବ ନାହିଁ, ଚାଲିବ ନାହିଁ, ସ୍ୱରରେ କମ୍ପୁଥିଲା ଅଫିସ୍ ।

ମାଗୁଥିବା ଲାଞ୍ଚ ନ ଦେବା ଯୋଗୁଁ କାଳେ ପରିବହନ ସଚିବ ଏମିତି ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀଙ୍କ ଭାଇ ଯିଏ ବେସରକାରୀ ବସ୍ ଚାଳକ ସଂଘର ପ୍ରେସିଡେ଼ଣ୍ଟ୍ ମଧ୍ୟ ଅଛନ୍ତି, ଟିଭିକ୍ୟାମେରା ଆଗରେ ଇଣ୍ଟରଭ୍ୟୁ ଦେଇ କହୁଥିଲେ, ଠିକ୍ ଯେମିତି ଦରଦାମ୍, ମୁଦ୍ରାସ୍ଫୀତିରେ ଅତିଷ୍ଠ ସାଧାରଣ ଲୋକଟି ବିଦ୍ରୋହର ସ୍ୱରତୋଳେ ।

ଅମର ପାଇଁ ଏସବୁ କିଛି ନୂଆ କଥା ନୁହେଁ । ସମସ୍ତେ ଜାଣନ୍ତି ସେ ଜଣେ ସଚ୍ଚୋଟ ଅଫିସର୍, ଦୁର୍ନୀତିର କଳାଛାପ ଆଜି ପର୍ଯ୍ୟନ୍ତ ନିଜ ଦେହରେ ବାଜିବାକୁ ଦେଇନି ଅମର । ଏଇ ଗୁଣଯୋଗୁଁ ମିତ୍ର ଅପେକ୍ଷା ନିଜ ପାଇଁ ଅନେକ ଶତ୍ରୁ ତିଆରି କରିଛି ତା’ର ଏଇ ଚାକିରୀକାଳ ଭିତରେ ।

ଫୋନ୍ ଉଠାଇଲା ଅମର । ଆରପଟୁ ମନ୍ତ୍ରୀ ଜନ୍ମେଜୟବାବୁ । ଆପଣଙ୍କ ନାଁରେ ଗୁଡ଼ାଏ କମ୍ପ୍ଲେନ୍ ଆସିଛି । ଚାରିଆଡୁ ମୋ ଉପରେ ଚାପ ପଡୁଛି । ଆପଣ ଭଲ ଅଫିସର୍ ବୋଲି ମୁଁ ଜାଣିଛି ଏବଂ ସେଇଥିପାଇଁ ମୋରି ବିଭାଗରେ ସଚିବ ହିସାବରେ ରଖିଛି ।

ଟିକେ ନିଶ୍ୱାସ ମାରିଲେ ମନ୍ତ୍ରୀ ମହୋଦୟ । ଅମର ମନେ ମନେ ହସୁଥିଲେ । ଚାକିରୀ ତାଙ୍କୁ ମନ୍ତ୍ରୀ ମହାଶୟ ଦେଇନାହାନ୍ତି ବରଂ ଭାରତ ସରକାର ଦେଇଛନ୍ତି ବୋଲି ବୋଧେ ଜନ୍ମେଜୟବାବୁ ଭୁଲିଯାଇଛନ୍ତି । ଚାପ ମନ୍ତ୍ରୀଙ୍କ ଉପରେ ପଡୁଛି ଅଥବା ମନ୍ତ୍ରୀ ତା’ ଉପରେ ପକାଉଛନ୍ତି ତାହା ଠିକ୍ ବୁଝିପାରୁଥିଲା ଅମର ।

ଆପଣ ସେ ସିଜ୍ ହୋଇଥିବା ବସ୍ ଗୁଡ଼ାକ ରିଲିଜ୍ କରିଦେଇ, ଫାଇଲ୍‌ରେ ଅନ୍ୟ କିଛି ଲେଖି ଦିଅନ୍ତୁ । ରାଜ୍ୟରେ ସରକାରୀ ବସ୍‌ଙ୍କ ଅବସ୍ଥା ତ ଦେଖୁଛନ୍ତି । ଏଇ ପ୍ରାଇଭେଟ୍ ବସ୍ ଯୋଗୁଁ ଲୋକେ ଯାଆସ କରିପାରୁଛନ୍ତି ଯାହା । ବର୍ତ୍ତମାନ ପ୍ରାୟ ପଚାଶଟା ଗାଁର ଲୋକମାନେ ଯିବା ଆସିବା ପାଇଁ ହିନସ୍ତା ହୋଇ ଆପଣଙ୍କୁ ଦୋଷ ଦେଉଛନ୍ତି ।

କାନ୍ଥରେ ଟଙ୍ଗା ହୋଇଥିବା ମହତ୍ମାଗାନ୍ଧୀଙ୍କ ଫଟୋକୁ ଅନାଇଲେ ଅମର । ଟେବୁଲ୍ ଉପରେ ଥୁଆ ହୋଇଥିବା ପେପର୍ ୱେଟ୍‌କୁ ଆଙ୍ଗୁଳି ସାହାଯ୍ୟରେ ଘୁରାଇବା ଆରମ୍ଭ କଲେ । ହଠାତ୍ ଘୁରୁଥିବା ପେପର୍ ୱେଟ୍‌ଟାକୁ ହାତରେ ଧରି ପକାଇ ମନ୍ତ୍ରୀଙ୍କୁ ଜବାବ୍ ଦେଲେ, “ସାର୍ ଆପଣ ଯାହା ଠିକ୍ ଭାବୁଛନ୍ତି ତା’ କରନ୍ତୁ । ସିଜ୍ ହୋଇଥିବା ବସ୍ ଗୁଡ଼ାକ ମୁଁ କିନ୍ତୁ ଛାଡ଼ିବି ନାହିଁ । ଇନ୍‌କ୍ଵାରୀ ପାଇଁ ମୁଁ ଦେଇଥିବା ଆଦେଶ ଠିକ୍ ବୋଲି ମୁଁ ଭାବୁଛି ।”

ଆରପଟୁ ମନ୍ତ୍ରୀଙ୍କ ଫୋନ୍‌ଟା କଚାଡ଼ି ଦେବାର ଶବ୍ଦ । ଟେବୁଲ୍ ଉପରେ ଥିବା ବଡ଼ କାଚ ତଳେ ଓଡ଼ିଶାର ମାନଚିତ୍ର । ପେପର୍ ୱେଟ୍‌ଟା ବୁଲିବୁଲି ଯାଇ ସ୍ଥିର ହୋଇଥିବା ଜାଗାଟାକୁ ଦେଖି ହସିଲା ଅମର ।

ଆଜି ପର୍ଯ୍ୟନ୍ତ କୌଣସି ଡିପାର୍ଟମେଣ୍ଟ୍‌ରେ ସେ ଛଅମାସରୁ ଅଧିକ ରହିପାରିନି, କେବଳ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ଛାଡ଼ି ଦେଇ । ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ କେତେଥର ଦି’ବର୍ଷ, ତିନି ବର୍ଷ ରହିଛି । ତେବେ କୌଣସି ବିଭାଗରେ ସିବିଆଇ, ଭିଜିଲାନ୍ସ ଇନ୍‌କ୍ଵାରୀ ଆରମ୍ଭ ହେଲେ କିମ୍ୱା କେଉଁ ଡିପାର୍ଟମେଣ୍ଟ୍‌ର ଦୁର୍ନୀତି ଲିପ୍ତ ଅଫିସର୍ ସସ୍ପେଣ୍ଡ ହେଲେ ଅମରକୁ ଚଟ୍‌କିନା ସେଇ ବିଭାଗର ଦାୟିତ୍ୱ ଦିଆଯାଏ । ଫାଟିଥିବା ପାଣିପାଇପ୍‌ରେ ଚଟ୍‌କିନା ଏମ୍ସିଲ୍ ଲଗାଇ ଛିଦ୍ର ବନ୍ଦ କଲା ପରି । ଜନସାଧାରଣ ଓ ବିରୋଧୀଙ୍କୁ ଶାନ୍ତ କରାଇବା ପାଇଁ ସରକାର ବୋଧେ ଏମିତି କରନ୍ତି ବୋଲି ଭାବେ ଅମର । କେବେ ସେ ନିଜ ଆଡୁ ଆପତ୍ତି ଜଣାଏନି ।

ବେଳେବେଳେ ଏମିତି ଓଡ଼ିଶା ମ୍ୟାପ୍ ଉପରେ ପେପର୍ ୱେଟ୍ ବୁଲାଇ ଅମର ଦେଖେ ତା’ର ପରବର୍ତ୍ତୀ ବଦଳି କେଉଁ ଜିଲ୍ଲାକୁ ହେଉଛି ବୋଲି । ସତେ ଯେମିତି ଲଟେରୀ ଖେଳର ଲକିଡ୍ର’ ପରି ।

ଓଡ଼ିଶାର ସମସ୍ତ ପଛୁଆ ଜିଲ୍ଲା ତଥା ମାଓ ଏବଂ ନକ୍ସଲ୍ ପ୍ରଭାବିତ ଅଞ୍ଚଳରେ ଅମର ଯେତେ ଦିନ କାମ କରିଛି, ତାହା ଅନ୍ୟ କୌଣସି ଅଫିସର୍ କରିନଥିବେ । ସଚ୍ଚୋଟ ଅଫିସର୍ ଗୁଡ଼ାକ ଆଳୁ ହିସାବରେ ଗଣା ହୁଅନ୍ତି ବୋଧେ, ଆଳୁ ଯେମିତି ଯେକୌଣସି ତରକାରୀରେ ପଡ଼ିପାରିବ, ତଥାପି ତାକୁ ଯେମିତି ସ୍ୱାସ୍ଥ୍ୟକର ପରିବା ଭାବେ ଗଣାଯାଏ ନାହିଁ, ଠିକ୍ ସେମିତି ଗୋଟେ ସଚ୍ଚୋଟ ଅଫିର୍‌କୁ ରାଜ୍ୟର ସବୁ ଜିଲ୍ଲା ଓ ବିଭାଗକୁ ବଦଳି କରାଯାଏ, କିନ୍ତୁ ନିଜ ନିର୍ଭୀକପଣ ପାଇଁ ସେମାନେ ରାଜନୈତିକ ସ୍ତରରେ କାହାର ବିଶ୍ୱାସଭାଜନ ହୋଇପାରନ୍ତି ନାହିଁ ।

ତା’ଉପରେ ରାଗ ସୁଝାଇବା ପାଇଁ ପଛୁଆ ଏବଂ ଡିମାଣ୍ଡ ନଥିବା ଜାଗାକୁ ସିନା ବଦଳି କରିଦିଆଯାଏ, ହେଲେ ୨/୩ ମାସ ଭିତରେ ସେହିସବୁ ବିଭାଗର ପୁରୁଣା ନଥିପତ୍ର ଘାଣ୍ଟି ଅମର ପୁଣି ଆରମ୍ଭ କରିଦିଏ ଗରିବ ଲୋକଙ୍କ ପଇସା ଓ ସରକାରୀ ତହବିଲ୍ ହରିଲୁଟ୍‌ର ଅନୁସନ୍ଧାନ, ଖୋଳତାଡ଼ ।

ବାସ୍ ଅତି ବେଶିରେ ପୁଣି ଛଅମାସ ଭିତରେ ବଦଳି । ପ୍ରତିଥର ନିଜର ବଦଳି ଆଦେଶନାମାକୁ ଏକ ନିମନ୍ତ୍ରଣ ପତ୍ର ପରି ହସି ହସି ଗ୍ରହଣ କରେ ଅମର । ହୁଏତ ଆସନ୍ତା କାଲିକୁ ନିଶ୍ଚୟ ତା’ର ବଦଳି ଅର୍ଡର ଆସିଯିବ, ନିଜ ଡ୍ର’ରୁ ଜିନିଷ ଗୁଡ଼ାକ କାଢ଼ି ବ୍ରିଫ୍‌କେସ୍‌ରେ ରଖିବା ଆରମ୍ଭ କଲା । ତାର ଏଇ ବଦଳି ଡ୍ରାମା ପାଇଁ ସବୁଠୁ ଅଧିକ ହଇରାଣ ଓ ବିରକ୍ତ ହୁଅନ୍ତି ସ୍ତ୍ରୀ ରୀତା ।

ପିଲାମାନଙ୍କୁ ନେଇ କେଉଁ ରେସିଡ଼େନ୍ସିଆଲ୍ ସ୍କୁଲ୍ ଏବଂ ମୋତେ ନେଇ ମୋ ବାପଘରେ ଛାଡ଼ି ତମେ ଯୁଆଡେ଼ ଯାଉଛ ଯାଅ । ଏ ପର୍ଯ୍ୟନ୍ତ ଗତଥର ବଦଳି ହୋଇ ଆସିଲା ପରେ ପ୍ୟାକ୍ ହୋଇ ଥୁଆ ହୋଇଥିବା ଅଧେ ଜିନିଷ ଖୋଲା ହୋଇନି, ପୁଣି ଥରେ. . .

ପ୍ରଥମେ ପ୍ରଥମେ ମୁହଁ ଫୁଲାଇ ପ୍ରତ୍ୟେକ ଥର ଏମିତି ଅଭିଯୋଗ କହୁଥିଲେ ରୀତା । ପ୍ରତିଟି ବଦଳି ପରେ ଆସ୍ତେ ଆସ୍ତେ ତାଙ୍କର ଓ ପିଲାମାନଙ୍କର ଦେହସୁହା ହୋଇଗଲା ଏସବୁ ବୋଧହୁଏ, ଠିକ୍ ଯେମିତି ସାଧାରଣ ଲୋକଟିଏ ନିଜକୁ ଖାପଖୁଆଇ ନିଏ ବର୍ଷରେ ଦୁଇତିନିଥର ବଢୁଥିବା ପେଟ୍ରୋଲ୍, ଡିଜେଲ୍ ଦରବୃଦ୍ଧି ସହ ।

ହସି ହସି ଅମର କହନ୍ତି, ଦେଖ, ଲୋକମାନେ ଗୋଟାଏ ଜାଗାରେ ଚାକିରୀ କରି କରି ରିଟାୟାର୍ କରୁଛନ୍ତି । ଆଉ ତମେ ଏତିକି ବର୍ଷ ଭିତରେ ସାରା ଓଡ଼ିଶା ବୁଲିଆସିଲଣି ।

ତମେ ତ ଏମିତି କହୁଛ, ଯେମିତି ଆମରି ଖୁସି ପାଇଁ ସବୁ ଦର୍ଶନୀୟ ସ୍ଥାନ ଗୁଡ଼ାକ ଆମକୁ ବୁଲାଉଛ । ମୋତେ ଲାଗୁଛି ଯେମିତି ଆଇ.ଏ.ଏସ୍. ନୁହେଁ, ବରଂ ଏକ ଯାଯାବରକୁ ମୁଁ ବାହା ହୋଇଛି । କେଉଁଠି ଗୋଟେ ବର୍ଷେ, ଦୁଇବର୍ଷ ମଣିଷ ଶାନ୍ତିରେ ରହିପାରୁନି ।

ଅମର ସବୁ ବୁଝନ୍ତି । ଜାଣନ୍ତି ଓ ଅନୁଭବ କରନ୍ତି ରୀତାଙ୍କ ଅଭିମାନ ଓ କ୍ରୋଧକୁ । କେଉଁଥର ବି ସରକାରୀ କ୍ୱାଟର୍‌ଟିକୁ ନିଜ ଇଚ୍ଛାରେ ଭଲ କରି ସଜେଇ ପାରନ୍ତିନି ରୀତା । ତେବେ ପଛୁଆ ଜିଲ୍ଲାକୁ ଯେବେ ବଦଳି ହୁଏ, ଅମର ପଚାରନ୍ତି, “ଏ ମ୍ୟାଲେରିଆ ପ୍ରବଣ, ନକ୍ସଲ ଏରିଆକୁ ଯିବ, ନା ଏଇଠି ଭଡ଼ା ଘରେ ରହିବ ।”

ଅମର ଯେ ତାଙ୍କ ବିନା କ୍ଷଣଟେ ହେଲେ ଚଳିପାରିବେ ନାହିଁ ତାହା ଭଲଭାବେ ଜାଣିଛି ରୀତା । ନିଜର ଏଇ ସଚ୍ଚୋଟ, ନିର୍ଭୀକ ଅଫିସର୍ ସ୍ୱାମୀଟି ବାହାରକୁ ଯେତେ ଶକ୍ତ କଠିନ ହେଲେ ସୁଦ୍ଧା, ଘର ଭିତରେ ଏବଂ ସ୍ତ୍ରୀ ପାଖରେ ଅବୋଧ ଶିଶୁଟିଏ ପାଲଟି ଯାଆନ୍ତି । ଅମରଙ୍କର ଏଇ ଗୁଣଟି ଭାରି ପସନ୍ଦ ଲାଗେ ରୀତାକୁ । ନିଜ ଘରଟି ତାକୁ ସ୍ୱର୍ଗ ପରି ଲାଗେ । ସେଥିପାଇଁ ହସି ହସି ଉତ୍ତର ଦିଏ, “ସେ ଜାଗାରେ ଆଉ କେତେଦିନ କି ? ମଶା କାମୁଡ଼ିବା ଆଗରୁ ଆମେ ତ ପୁଣି ବେଡ଼ିଂ ପତ୍ର ବାନ୍ଧି ସାରିଥିବା ।” ଦୁଇଜଣ ମିଶି ହସନ୍ତି । ପିଲାଦୁହେଁ ଟିକେ ବଡ଼ ହେଲାପରେ ନିଜର ସ୍କୁଲ୍, ସାଙ୍ଗମାନଙ୍କୁ ବାରମ୍ୱାର ବଦଳାଇବାକୁ ପଡୁଥିବାରୁ ସେମାନେ ମଧ୍ୟ ବିରକ୍ତ ହେଉଥିଲେ । ହେଲେ ରକି ଓ ନେହା ଏବେ ଆଉ ଅଭିଯୋଗ କରୁନାହାନ୍ତି । ଅଫିସ୍‌ରୁ ବାହାରିଲା ପୂର୍ବରୁ କମ୍ପ୍ୟୁଟରରୁ ସେଇ ଚିଠିର ଗୋଟେ ପ୍ରିଣ୍ଟ୍‌ଆଉଟ୍ ନେଇ ଆସିଲେ ଅମର ।

ଘରେ ପହଞ୍ଚି ଅମର ବ୍ରିଫ୍‌କେସ୍‌ଟା ଟିପୟ ଉପରେ ଥୋଇ ରୀତାକୁ କହିଲେ, “ପ୍ୟାକିଂ କରିବା ଆରମ୍ଭ କର । କାଲି ହୁଏତ ବଦଳି ଅର୍ଡର ମିଳିଯାଇପାରେ ।”

ଚୁପ୍‌ଚାପ୍‌ ପାଣିଗ୍ଲାସ୍‌ଟା ସ୍ୱାମୀଙ୍କ ହାତକୁ ବଢ଼ାଇ ଦେଲେ ସୋଫା ଉପରେ ବସି ମ୍ୟାଗାଜିନ୍‌ଟା ଓଲଟାଇଲେ ରୀତା କିଛି ନ ଶୁଣିଲା ପରି ।

ଟିକେ ଆଶ୍ଚର୍ଯ୍ୟ ହେଲେ ଅମର, ରୀତାଙ୍କ ମୁହଁ କିଛି ଚିନ୍ତାର ଚିହ୍ନ ନ ଦେଖି । କେଉଁ ଜାଗାକୁ ବଦଳି ହେବ, ତାହା ମଧ୍ୟ ପଚାରିଲେ ନାହିଁ । ବଡ଼ପୁଅ ରକିର ଇଞ୍ଜିନିୟରିଂ ତୃତୀୟ ବର୍ଷ ଏବଂ ଝିଅ ନେହା ଆଇ.ଆଇ.ଟିରେ ପ୍ରଥମ ବର୍ଷର ଛାତ୍ରୀ ।

ରକି, ରାଉରକେଲାରେ ଏନ୍.ଆଇ.ଟି.ରେ ହଷ୍ଟେଲ୍‌ରେ ରହୁଛି ଏବଂ ନେହା ଖଡଗପୁର୍‌ରେ । ପିଲାମାନେ ଦୁଇଜଣ ବହୁତ ବଢ଼ିଆ ଷ୍ଟୁଡ଼େଣ୍ଟ । ବାପାଙ୍କ ବଦଳି ଡ୍ରାମା କେବେହେଲେ ବାଧକ ସାଜିନି ପିଲାଙ୍କ ପଢ଼ାରେ । ଅମର ନିଜେ ପଢ଼ାରେ ବହୁତ ବ୍ରିଲିଆଣ୍ଟ ଥିଲେ, କାନପୁର ଆଇ.ଆଇ.ଟିରୁ ପାଶ୍ କରି ଚାହିଁଥିଲେ ଲୋଭନୀୟ ବେତନରେ ଦେଶ, ବିଦେଶରେ ଯେକୌଣସି ଭଲ ବହୁଦେଶୀୟ କମ୍ପାନୀରେ ଚାକିରୀ କରିପାରିଥାନ୍ତେ । ନିଜର ଅନ୍ୟ ସାଙ୍ଗମାନଙ୍କ ପରି କୌଣସି ବଡ଼ କମ୍ପାନୀର ସି.ଇ.ଓ ହୋଇ ବିଳାସ ବ୍ୟସନରେ ଜୀବନ କାଟୁଥାନ୍ତେ ଆଜି । ଦେଶ ଓ ସାଧାରଣ ଗରିବ ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ଥିଲେ ଏକ ଭିନ୍ନ କିସମର ମଣିଷ । ନିଜ ଗାଁ ସ୍କୁଲ୍ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ସାର୍‌ଙ୍କ କଥା ସବୁବେଳେ ମନେପଡେ଼ ଅମରଙ୍କର ।

“ବାବାରେ, ସବୁବେଳେ ଭଲ ମଣିଷଟିଏ ହେବାକୁ ଚେଷ୍ଟା କରିବୁ ଏବଂ ନିରୀହ ଜନତାଙ୍କ ସେବାକୁ ପ୍ରଧାନ୍ୟ ଦେବୁ । ଦେଖିବୁ ତୋ ବ୍ୟାଙ୍କ ବାଲାନ୍ସ ଏଠିକା ବ୍ୟାଙ୍କରେ ନୁହେଁ, ବରଂ ଭଗବାନଙ୍କ ବ୍ୟାଙ୍କରେ ବଢ଼ିଚାଲିବ ।”

ସେ କଥାପଦକ ଏ ପର୍ଯ୍ୟନ୍ତ ମନେରଖିଛନ୍ତି ଅମର । କେବେ ହେଲେ ତାଙ୍କ ପାଇଁ ପଇସା, କ୍ଷମତା କିମ୍ୱା ପ୍ରାଚୁର୍ଯ୍ୟର ମୋହ କିଛି ମାନେ ରଖିନାହିଁ । ଭଗବାନଙ୍କ ଉପରେ ଆଜି ମଧ୍ୟ ଅଗାଧ ବିଶ୍ୱାସ ତାଙ୍କର ।

ଗୁରୁଗ୍ରନ୍ଥ ସାହିବର ବାଣୀ ପଦେ ମନେ ପକାନ୍ତି ସେ ।

ମୋ ଦରକାର ଠାରୁ ଅଧିକ ମୋତେ କେବେ ଦେବୁନି ମାଲିକ୍, କାରଣ ଅତ୍ୟଧିକ ଆଲୋକ ବି ମଣିଷକୁ ବେଳେବେଳେ ଅନ୍ଧ କରିଦିଏ ।

ସବୁବେଳେ ଅଳ୍ପରେ ସନ୍ତୁଷ ଅମର । ଶାଗ ପଖାଳରେ ଖୁସି ମଣିଷଟିକୁ ବିରିଆନି କେବେ ଆକୃଷ୍ଟ କରେନା । ରୀତାକୁ ଲକ୍ଷ୍ୟ କରି କହିଲେ, ଆଚ୍ଛା କହିଲ, ଏଥର କୁଆଡେ଼ ଆମେ ଯିବା ।

କିଛି ନ କହି ରୀତା ଟିଭି ଅନ୍ କରି ଭଲ୍ୟୁମ୍ ବଢ଼ାଇ ଦେଲେ । ଓଡ଼ିଆ ସମାଚାରର ସମାଚାର ପାଠକ ଜଣକ କିଛି ସମୟ ପରେ ଉଦ୍‌ଘୋଷଣା କଲେ ।

ପରିବହନ ସଚିବ ଅମର ପଟ୍ଟନାୟକଙ୍କର ଗୋପବନ୍ଧୁ ଟ୍ରେନିଂ ଏକାଡ଼େମୀକୁ ବଦଳି ।

ଅମର ଜାଣିପାରୁଥିଲେ ଯେ ରୀତା କେତେବେଳୁ ଜାଣିସାରିଲେଣି ଏଇ ନ୍ୟୁଜ୍‌ଟା । ମନ୍ତ୍ରୀ ମହାଶୟ ଫୋନ୍ କଚାଡ଼ିଲା ପରେ ନିଶ୍ଚୟ ବଦଳି ଅର୍ଡର ଦସ୍ତଖତ କରି ମୁଖ୍ୟ ସଚିବଙ୍କୁ ପଠାଇ ଦେଇଥିବେ । ଅମରଙ୍କ ମୋବାଇଲ୍ ବାଜି ଉଠିଲା । ମୁଖ୍ୟ ଶାସନ ସଚିବଙ୍କ ଫୋନ୍ । ଅମର, ଆଇ ଆମ୍ ସରି. . . ତୋତେ. . .

ସରୋଜବାବୁଙ୍କ କଥା ସରିବା ପୂର୍ବରୁ ଅମର କହିଉଠିଲା, “ଏଇ ବର୍ତ୍ତମାନ ଟିଭି ନ୍ୟୁଜ୍‌ରୁ ଜାଣିଲି ସାର୍ । ମୁଁ ଏଇଟା ଆଗରୁ ଆଣ୍ଟିସିପେଟ୍ କରୁଥିଲି । ଏଇଟା ମୋ ପାଇଁ କେଉଁ ନୂଆ କଥା କି । ତେବେ ଏଥର ଏଇ ଭୁବନେଶ୍ୱରରେ ରହିଲି ।” ହସିହସି କହିଲା ଅମର ।

କିଛି ସମୟ କଥାବାର୍ତ୍ତା କରି ଫୋନ୍ ରଖିଲା ଅମର । ସେ ଜାଣେ ସରୋଜବାବୁ ତାକୁ କେତେ ଭଲ ପାଆନ୍ତି । ହେଲେ ରାଜନୈତିକ ଚାପରେ ସେ ବି ମୁଣ୍ଡ ନୁଆଇଛନ୍ତି ବାଧ୍ୟ ହୋଇ । ଏଇଟା ଅମରଙ୍କର ଚାଳିଶ ତମ ବଦଳି ।

ଅମର ଜାଣେ, ତା’ର ଏଇ ସଚ୍ଚୋଟ ପଣ ପାଇଁ ସେ ସରକାରୀଦଳ ଅପେକ୍ଷା ବିପକ୍ଷଦଳର ନେତାମାନଙ୍କର ଅତି ପ୍ରିୟଭାଜନ । ଅନେକ ସମୟରେ ସେଇ ନେତାମାନେ ଛଦ୍ମନାମରେ ଗୁପ୍ତ ତଥ୍ୟ ସବୁ ଯୋଗାଇ ଦିଅନ୍ତି ତାକୁ । ହେଲେ ଯେବେ କୌଣସି ସଚ୍ଚୋଟ୍ ଅଫିସର୍ ପାଇଁ ସେମାନଙ୍କ ସ୍ୱାର୍ଥରେ ଆଞ୍ଚ ଆସେ, ନିଜକୁ ବଞ୍ଚାଇବା ପାଇଁ ସେ ଅଫିସର୍‌ଟିକୁ ହଟାଇବାକୁ ସେମାନେ ପଛାନ୍ତିନି । ଠିକ୍ ଯେମିତି ମହାଭାରତରେ ସପ୍ତରଥୀ ଅଭିମନ୍ୟୁକୁ ଘେରିଯାଇ ହତ୍ୟା କଲାଭଳି । ଏହି ପରିବହନ ମଝିରେ ଓ ତାଙ୍କ ଭାଇ ସରକାରୀ ତହବିଲ୍‌କୁ ଲୁଟୁଥିଲେ । ତାଛଡ଼ା ଗଲାମାସ ଏମିତି ଗୋଟେ ଅନ୍‌ଫିଟ୍‌ ବସ୍ କଲିକତା ଗଲାବେଳେ ପୋଲ ତଳକୁ ଖସିପଡ଼ି ନିଆଁ ଲାଗିଯାଇଥିଲା । ବାରଜଣ ଲୋକ ମରିଗଲେ । ପୁରୁଣା କଥା ସବୁ ମନେ ପଡ଼ିଯାଉଥିଲା ଅମରଙ୍କର ।

ଆଖିବୁଜି ନିଜ ହାତରେ ରୀତାଙ୍କ ହାତକୁ ଧରି ପକାଇଲେ । ମନରେ ତାଙ୍କର କିଛି ବି ଚିନ୍ତା ନାହିଁ । ନିଜ ସ୍ତ୍ରୀ ଓ ପିଲାମାନେ ଓ ପରିବାର ଯେ ପର୍ଯ୍ୟନ୍ତ ତାଙ୍କ ସହିତ ଅଛନ୍ତି ସେ କାହିଁକି ଦୁଃଶ୍ଚିନ୍ତା କରିବେ । ଡାଇନିଂ ଟେବୁଲ୍ ଉପରେ ଥୁଆ ହୋଇଥିବା ଡାଏରୀ ଭିତରୁ ଚିଠିଟିଏ ବାହାର କଲେ ଅମର । ନିଜର ରେଜିଗନେସନ୍ ଲେଟର୍ । ପ୍ରତିଥର ବଦଳି ପରେ ବିରକ୍ତ ହୋଇ ଚାକିରୀ ଛାଡ଼ିବା ପାଇଁ ନିଷ୍ପତ୍ତି ନିଅନ୍ତି ଅମର । ହେଲେ କିଛି ଘଣ୍ଟା ପରେ ନିଜ ଇସ୍ତଫା ପତ୍ରକୁ ଚିରି, ଏହି ଡାଏରୀରେ ରଖି ଦିଅନ୍ତି ତାରିଖ ପକାଇ । ଯେତେବେଳେ ନିଜ ମନ ଦୁର୍ବଳ ହୋଇପଡ଼େ, ସେତେବେଳେ ଡାଏରୀ ଭିତରେ ସାଇତା ହୋଇଥିବା ଏମିତି ଅନେକ ଚିରା ହୋଇଥିବା ସେହି ପତ୍ରଗୁଡ଼ାକୁ ଦେଖି ନିଜ ଆତ୍ମବିଶ୍ୱାସ ଓ ଆତ୍ମବଳ ଫେରିପାଆନ୍ତି । ରୀତାଙ୍କ ମୁହଁକୁ ଅନାଇ ତ୍ୟାଗପତ୍ରଟି ଚିରି ଡାଏରୀରେ ରଖିଲେ ଅମର । ଦୁହେଁ ହସି ଉଠିଲେ ଏଥର ।

ସେଦିନ ରାତିରେ ଶୋଇଲା ବେଳେ ଅମର ଭାବୁଥିଲେ ଚାରି ବର୍ଷ ତଳ କଥା । ଜଙ୍ଗଲ ବିଭାଗକୁ ବଦଳି ହୋଇଥିଲା ତାଙ୍କର ।

ସାମାଜିକ ବନୀକରଣ ନାଁରେ କେ.ବି.କେ. ଜିଲ୍ଲାମାନଙ୍କରେ କୋଟି କୋଟି ଟଙ୍କା ଲୁଟ୍‌ର ପର୍ଦ୍ଦାଫାଶ୍ କରିଥିଲେ ସେ । ଏକର ଏକର ଜମିରେ ଗଛ ଲଗା ହୋଇଛି ବୋଲି ଫାଇଲ୍‌ରେ ଲେଖା ହୋଇଥିଲା । ହେଲେ ନିଜେ ଜାଗା ପରିଦର୍ଶନ କରି ଦେଖିଲା ବେଳକୁ ସେ ଜାଗା ସବୁ ଲଣ୍ଡା ପାହାଡ଼ ଓ ପଡ଼ିଆ । ତୋ ପୁଅ ଓ ଝିଅଙ୍କୁ ଜୀବନରେ ମାରିଦେବୁ । ବେଶୀ ଧର୍ମବୀର ଯୁଧିଷ୍ଠିର ବୋଲି ଦେଖାଉଛୁବେ । ବିଚ୍ ରାସ୍ତାରେ ହାଣି ପକେଇ ଦେବୁ ।

ଆଗରୁ ଅନେକ ଥର ଏମିତି କେତେ ଧମକ ପାଇଥିଲେ ଅମର । ହେଲେ ସେଥର ଧମକ୍ ବାରମ୍ୱାର ଆସୁଥିଲା ।

ଏବେ ତୋ ପୁଅ ସପିଂମଲ୍‌ରେ ଜିନ୍ସ କିଣୁଛି । ଝିଅ ସ୍କୁଟି ରଖି ଚାଟ୍ ଖାଉଛି ।

ବ୍ୟସ୍ତ ହୋଇପଡ଼ିଥିଲେ ଅମର, ଯେତେବେଳେ ମୋବାଇଲ୍‌ରେ ଫୋନ୍ କରି ଜାଣି ଯେ ରକି ଓ ନେହା ଠିକ୍ ସେଇ ଜାଗାରେ ଅଛନ୍ତି ଯେଉଁ ଜାଗା କଥା ସେଇ ବଦ୍‌ମାସ୍‌ କହୁଥିଲା ।

ଏଇ ନୀଚ ଲୋକଗୁଡ଼ାକ ଏତେ ତଳ ସ୍ତରକୁ ଖସିଯିବେ ବୋଲି ଭାବି ପାରୁନଥିଲେ ଅମର । ପଇସାଟିଏ କାହାଠାରୁ ନିଅନ୍ତି ନାହିଁ ବୋଲି ତାଙ୍କର ଯେତିକି ସୁନାମ, ରାଜନେତା ଓ କଣ୍ଟ୍ରାକ୍ଟର୍ ତଥା ଅସାଧୁ ଅଫିସର୍‌ମାନଙ୍କ ପାଇଁ ସେ ସେତିକି ବଦ୍ନାମ ।

ଅମର ନିଜ ବିଚାରରେ କିନ୍ତୁ ସବୁବେଳେ ଅଚଳ ଓ ଅଟଳ, ଠିକ୍ ଏକ ଶକ୍ତ ମେରୁପର୍ବତ ପରି । ଗୋଟେ ସଚ୍ଚୋଟ ଓ ଦୁର୍ନୀତିଗ୍ରସ୍ତ ଅଫିସର୍ ଭିତରେ ପାର୍ଥକ୍ୟ ଏତିକି ଯେ ଗୋଟେ ଦୁର୍ନୀତିଗ୍ରସ୍ତ ଅଫିସର୍‌ର ଥାଏ ଦାମ୍, କିନ୍ତୁ ତାଙ୍କ ପରି ଏକ ସଚ୍ଚୋଟ ଅଫିସର୍‌ର ଥାଏ ଏକ ମୂଲ୍ୟ ।

ରୀତା ପଚାରିଲେ, ଏହାକୁ ମିଶାଇ ଚାଳିଶଥର ତମର ଟ୍ରାନ୍ସଫର୍ ହେଲାଣି । କେତେଥର ତମେ ଏଇ ରେଜିଗ୍ନେସନ୍ ଲେଖିଲଣି, ହେଲେ ଦିନେ ତ ଏଥିରେ ଦସ୍ତଖତ କରିନ । ଖାଲି ବୋଧେ ମୋତେ ଦେଖେଇବାକୁ ଘରକୁ ଆଣି ପୁଣି ଚିରି ଦେଉଛ ।

ଚେତନ୍ ଭଗତ୍‌ଙ୍କ “ଥ୍ରୀ ମିଷ୍ଟେକ୍ସ ଅଫ୍ ମାଇଁ ଲାଇଫ୍’ ବହିଟାକୁ ବନ୍ଦ କରି ଟେବୁଲ୍ ଲ୍ୟାମ୍ପଟା ଲିଭାଇ ଅମର କହିଲେ, “ତମେ ତାହାଲେ ଚାହୁଁଛ ମୁଁ ରିଜାଇନ୍ କରିଦିଏ । ଅସଲ କଥା କ’ଣ ଜାଣ ? ମୁଁ ଜୀବନରେ ହାରିଯାଇ ଭୀରୁମାନଙ୍କ ଭଳି ଇସ୍ତଫା ଦେବାକୁ ଚାହେଁନା । ଯେବେ ଚାକିରୀ ଛାଡ଼ିବି ମୋ ଇଚ୍ଛାରେ ଛାଡ଼ିବି, କାହାର ବାଧ୍ୟବାଧକତା ଅଥବା କୌଣସି ଚାପରେ ନୁହେଁ ।”

ଅମରଙ୍କ ଛାତି ଉପରେ ହାତ ରଖି ରୀତା କହିଲେ, “ହଉ ବାବା, ମୋର ଭୁଲ୍ ହୋଇଗଲା, ତମେ ଆଉ ରାଜନୀତିରେ ପଶିବ ନାହିଁତ । ଭଗବାନ କରନ୍ତୁ ଅରବିନ୍ଦ କେଜରୀୱାଲ୍‌ଙ୍କ ଭୂତ ଯେମିତି ତମ ଦେହରେ ନ ପଶୁ । ପୁଣି ହସି ଉଠିଲେ ଦୁହେଁ ।”

ରୀତା କେତେବେଳୁ ଶୋଇପଡ଼ିଲେଣି । ଅମରଙ୍କ ଆଖିକୁ ନିଦ ଆସୁନି । ମନେ ମନେ ଭାବୁଥିଲେ ଦୁନିଆଁରେ ସଚ୍ଚୋଟ ହେବାଟା କ’ଣ ଏକ ଭୁଲ୍ ? ସତ କହିଲେ, ଠିକ୍ କାମ କଲେ ପୁରସ୍କାର ମିଳିବା ବଦଳରେ ଦଣ୍ଡ ଓ ମନସ୍ତାପ କାହିଁକି ମିଳୁଛି ଆଜିକାଲି ।

ଏକ ଅଜଣା ଅନ୍ତର୍ଦ୍ଵନ୍ଦ ଘାରି ପକାଉଥିଲା ଅମରଙ୍କୁ । ଆନ୍ନା ହଜାରେ, ଅରବିନ୍ଦ କେଜରୀୱାଲ୍ ଇତ୍ୟାଦି ଯେଉଁ ଜନଆନ୍ଦୋଳନ କରୁଛନ୍ତି ତାହା କେତେଦୂର ଠିକ୍ ବା ଭୁଲ୍ ତାହା ସେ ଭାବୁନଥିଲେ । ବରଂ ଭାରତ ପ୍ରଶାସନିକ ସେବା ଅଧିକାରୀ ହିସାବରେ ତାଙ୍କ ନିଜ କର୍ତ୍ତବ୍ୟକୁ କେମିତି ପାଳନ କରିବେ ତାହା ହିଁ ସମୀକ୍ଷା କରୁଥିଲେ ମନେ ମନେ ।

ଜୀବନରେ ଝଡ଼ଝଞ୍ଜା ଅନେକ ଆସେ । ତାକୁ ଡରି ଯିଏ ଆତ୍ମଗୋପନ କରେ, ସେ କେବେ ହେଲେ ବି ଜୀବନରେ ଆଗେଇପାରେନା । ଗତ କିଛି ବର୍ଷର ଅଭିଜ୍ଞତାରୁ ଏ କଥା ହୃଦୟଙ୍ଗମ କରୁଥିଲେ ସେ ।

କୃଷିବିଭାଗରେ ବିହନ ଆବଣ୍ଟନ, ସାରକିଣା ଓ ଋଣଛାଡ଼ର ଘୋଟାଲା, ଜଙ୍ଗଲ ବିଭାଗରେ ମିଥ୍ୟା ସାମାଜିକ ବନୀକରଣ ନାଁରେ କୋଟି କୋଟି ଟଙ୍କାର ବାଟମାରଣା, ଶିକ୍ଷା ବିଭାଗରେ ଶିକ୍ଷା ସହାୟକଙ୍କ ନିଯୁକ୍ତି ଓ ବିଭିନ୍ନ ସ୍କୁଲ୍‌କୁ ସରକାରୀ ସାହାଯ୍ୟରେ ଦୁର୍ନୀତି, ସାଧାରଣ ଯୋଗାଣ ବିଭାଗରେ ବି.ପି.ଏଲ୍. କାର୍ଡ ଓ ଡାଲିକଣାରେ ଦୁର୍ନୀତି ତ ରାଜସ୍ୱ ବିଭାଗରେ ସରକାରୀ ଜମିକୁ ନେଇ ଆବଣ୍ଟନ ହରିଲୁଟ୍ । କେତେ ସ୍କାମ୍‌ର ପର୍ଦ୍ଦାଫାଶ୍ କରିବେ ସେ । ଆଇ.ଏ.ଏସ୍. ମହଲରେ ତାଙ୍କୁ ଏବେ ଅମର କେଜରୀୱାଲ୍ ବୋଲି ନାଁ ଦେଇ ଦେଲେଣି କିଛି ଲୋକ ।

ଦୁଇଦିନ ପରେ ଗୋପବନ୍ଧୁ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଡାଇରେକ୍ଟର ଭାବେ ଜଏନ୍ କଲାବେଳେ ତାଙ୍କଠାରୁ ଚାରିବର୍ଷ ଜୁନିଅର୍ ସତ୍ୟବ୍ରତଙ୍କୁ ସେଠାରେ ଦେଖି ଖୁସି ହେଲେ ଅମର । ସତ୍ୟବ୍ରତ ସେଠାରେ ପ୍ରୋଗ୍ରାମ କୋଅଡ଼ିନେଟର୍ ଅଛି । ତାଙ୍କରି ପରି ସତ୍ୟବ୍ରତ ଏଠାରେ ପର୍ମାନେଣ୍ଟ ଭାବେ କାମ କରୁଛି କହିଲେ ଚଳେ ।

ୱେଲ୍‌କମ୍‌ ୱାନ୍ସ ଏଗେନ୍ ସାର୍ । ଆମ ପରି ଲୋକମାନଙ୍କ ପାଇଁ ଏଇ ସବୁ ଜାଗା ବେଶ୍ ଭଲ । କିଛି ଟେନ୍ସନ୍ ନାହିଁ । କିନ୍ତୁ ଆପଣଙ୍କ ପରି ଜେମ୍‌ମାନଙ୍କୁ ଭଲ ଜାଗାରେ ପୋଷ୍ଟିଂ କଲେ ଦୁର୍ନୀତି କମି ଯାଆନ୍ତା । ହୋ ହୋ ହୋଇ ହସି ଉଠିଲେ ଅମର, ସତ୍ୟବ୍ରତର କଥାଶୁଣି । ଏଠି ଆମ ଇଚ୍ଛାରେ ସରକାର ଚାଲେନା, ବରଂ ସରକାରଙ୍କୁ ଦ୍ୱାରା ଆମେ ଚାଲୁ ।

ଦୁଇଜଣ ଯାକ ଚୁପ୍‌ଚାପ୍‌ ଚାହା ପିଇବାରେ ଲାଗିଲେ । ଅମର ଭାବୁଥିଲ ଅନ୍ୟାୟ ବିରୁଦ୍ଧରେ ତାଙ୍କର ଏ ପଦକ୍ଷେପ ପାଇଁ ସେ ଯେ କେବଳ ଅସୁବିଧାରେ ପଡ଼ିଛନ୍ତି ଓ ହଇରାଣ ହୋଇଛନ୍ତି, ତା’ ନୁହେଁ, ବହୁତ ପ୍ରଶଂସା ମଧ୍ୟ ମିଳିଛି । ତାଙ୍କୁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଠାରୁ ।

ତାଙ୍କ ସରକାରୀ ଗୁପ୍ତ ପଞ୍ଜିକାରେ ବାର୍ଷିକ ରେଟିଂରେ ସବୁବେଳେ ଏକ୍ସିଲେଣ୍ଟ ହିଁ ମିଳେ । ମ୍ୟାଗାଜିନ୍ ଓ ନ୍ୟୁଜ୍ ପେପର ତାଙ୍କର ଗୁଣଗାନ କରି ଆଲେଖ୍ୟ ବାହାର କରନ୍ତି । ସାଧାରଣଜନତା ତାଙ୍କୁ ମୁଣ୍ଡରେ ଥୁଅନ୍ତୁ । ଅନେକ ତାଙ୍କୁ ମହାପୁରୁଷର ଆଖ୍ୟା ବି ଦେଇସାରିଲେଣି । କିନ୍ତୁ ଅସାଧୁ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ସେ ଶତ୍ରୁ ।

ଅମର ଭାବୁଥିଲେ, ଜଣେ ସାଧାରଣ ମଣିଷ ହିଁ ନିଜର ସତ୍ୟନିଷ୍ଟକର୍ମ, ଅଧ୍ୟବସାୟ ଓ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ମହାପୁରୁଷ ହୁଏ । କିନ୍ତୁ ଅନେକ ସମୟରେ ମହାପୁରୁଷ ପାହ୍ୟା ପାଇଲା ବେଳକୁ, ସେଇ ସାଧାରଣ ମଣିଷଟି ଜୀବନର ଅନେକ ଜିନିଷକୁ ବାଧ୍ୟ ହୋଇ ହରାଇଥାଏ । କେତେବେଳେ ଗୁଣ୍ଡାଙ୍କ ଧମକ ତ କେବେ ଗୁଳି, ବୋମାମାଡ଼, ଆଉ କେବେ ହତ୍ୟା କରି ଦିଆଯାଏ ସେମାନଙ୍କୁ । ତେଣୁ ମଣିଷଟିକୁ ନିଜେ ବିଚାର କରିବାକୁ ହୋଇଥାଏ ସେ ଜୀବନ ସହ ସାଲିସ୍ କରି ନେବ ନା ଅତିମାନବ ବନିବ, ନିଜ ସୁଖ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ।

ଆବେ ବିଚ୍ ରାସ୍ତାରେ ତୋତେ ଗୁଳି କରି ମାରିଦେବୁ । ତୋରି ଆଗରେ ତୋ ସ୍ତ୍ରୀ ଓ ଝିଅ ରେପ୍ ହେବେ । ପୁଅଟା ତୋର କିଡ୍‌ନାପ୍‌ ହୋଇଯିବ । ଏମିତି ଧମକ୍ ଭରା ଫୋନ୍ କଲ୍ ଅମରକୁ ମଧ୍ୟ ଆସେ ।

ଛଅମାସ ପରେ ରାଜ୍ୟ ବିଧାନସଭା ନିର୍ବାଚନରେ ଶାସକଦଳକୁ ଶୋଚନୀୟ ପରାଜିତ କରି ବିରୋଧୀ ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଅମର ପଟ୍ଟନାୟକଙ୍କ ଦ୍ୱାରା ପର୍ଦ୍ଦାଫାଶ୍ ହୋଇଥିବା ଦୁର୍ନୀତି କାରନାମା ଯୋଗୁଁ ସରକାରର ପତନ ହେଲା ବୋଲି ମିଡ଼ିଆ ପ୍ରକାଶ କରିଥିଲା । ନୂଆ ସରକାରଙ୍କ ଗେହ୍ଲା ପୁଅ ପାଲଟିଯାଇ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଖଣି ବିଭାଗର ସଚିବ ହୋଇଥିଲେ ଅମର । ଏଇଟା ୪୧ ତମ ବଦଳି ଥିଲା ଅମରଙ୍କ ପାଇଁ ।

ନୂଆ ମୁଖ୍ୟ ସଚିବ ବିଭୁଦତ୍ତବାବୁ ଅମରକୁ ଚୁପ୍‌ଚାପ୍‌ କରି କହିଲେ, କିଛିଦିନ ପାଇଁ ଟିକେ ମୋତେ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେ’ । ଜଷ୍ଟ କୁଲ୍ ଡାଉନ୍ । ପୁଣି କିଛି ସ୍କାମ୍‌କୁ ପଦାକୁ ଆଣି ସମସ୍ତଙ୍କୁ ହଇରାଣ କରନା । ତିନିଟା ଆମରି ସାଙ୍ଗ ଅଫିସର୍ ଜେଲ୍‌ରେ ପଶିଛନ୍ତି । କିଛି ଇନ୍‌କ୍ଵାରୀ କଲା ପୂର୍ବରୁ ମୋତେ ପଚାରି କରିବୁ ।

ବିଭୁଦତ୍ତବାବୁଙ୍କୁ ଠିକ୍ ଚିହ୍ନିଛି ଅମର । ସେ ନେତାମାନଙ୍କର ହାତ ବାରିସୀ । କିଛି ନ କହି ମୁରୁକି ହସିଲା ଅମର ।

ନୂଆ ଦାୟିତ୍ୱ ନେବାର କିଛି ମାସ ପରେ ରୀତା ଲକ୍ଷ୍ୟ କରୁଥିଲା ଅମର କେମିତି ଚୁପ୍‌ଚାପ୍‌ ରହୁଛନ୍ତି । ଅଫିସ୍‌ରେ କିଛି ଗୁରୁତର କଥା ହେଲେ ଏମିତି ବ୍ୟବହାର କରନ୍ତି ଅମର । ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା ରୀତା । ପୁଣି ଯେମିତି ଆଉ କିଛି ଦୁର୍ଯୋଗ ନ ଆସୁ ।

ଦିନେ ରାତିରେ ଭୁଷ୍‌ଭାଷ୍‌ ହୋଇ ଗୁଡ଼ାଏ ଢେଲା ଆସି ପଡ଼ିଲା ଘର ଭିତରେ ଓ ତା’ପରଦିନ ଅମରଙ୍କ ଗାଡ଼ି ଉପରକୁ କିଏ ଗୁଳି ଚଳାଇଥିଲା । ସତକୁ ସତ ଭୟ ପାଇଯାଇଥିଲା ରୀତା ।

ରୀତାଙ୍କ ସାନଭାଇ ବୁଟୁ ଫୋନ୍ କରୁଥିଲା, “ଅପା, ଭାଇଙ୍କୁ କହି ଟିକେ ଇନ୍‌କ୍ଵାରୀଟା ବନ୍ଦ କରାଇଦେ । ଯେଉଁ ଦୁଇଟା ଖଣି ମୁଁ ଲିଜ୍ ନେଇଥିଲି, ତାରି କାଗଜପତ୍ର ଭାଇଙ୍କ ପାଖରେ । ନେତାଙ୍କ ପଇସା ଲାଗିଛି ଏଥିରେ । ମୋତେ ଜୀବନରେ ରଖିବେ ନାହିଁ ।”

ରୀତାର ମୁଣ୍ଡ ବୁଲେଇ ଦେଉଥିଲା । କ’ଣ କରିବେ ସେ ? ସେପଟୁ ବାପାଙ୍କ ସ୍ୱର, “ମା’, ରୀତା, ମୁଁ ଜାଣିଛି ଅମର କେମିତିକା ପିଲା । ତୁ ଟିକେ ତାକୁ ବୁଝାଇ ଦେ । ଏତେ ବର୍ଷ ପରେ ବୁଟୁ ଲିଜ୍ ପାଇଛି ।”

କେମିତି କହିବ ଅମରଙ୍କୁ । ତା କଥା କ’ଣ ଶୁଣିବେ ସେ ? ଏଇଥିପାଇଁ ବୋଧେ ରାତିରେ ଚୁପ୍‌ଚାପ୍‌ ଷ୍ଟଡ଼ିରୁମ୍‌ର କବାଟ ବନ୍ଦ କରି ଫାଇଲ୍ ସବୁ ଯାଞ୍ଚ୍ କରୁଥିଲେ ଅମର ।

ରାତିରେ ଅନେକ ଯୁକ୍ତିତର୍କ ହୋଇଥିଲା ରୀତା ଓ ଅମରଙ୍କ ଭିତରେ ।

ନିଜ ପରିବାର ଲୋକଙ୍କୁ ଜେଲ୍‌ରେ ପଶାଇଲେ ତମକୁ ଶାନ୍ତି ମିଳିବ । ଏମିତି କାମ କରି କ’ଣ ନୋବେଲ୍ ପୁରସ୍କାର ମିଳିବ ତମକୁ ? ଜୀବନ ସାରା ତମ ମନକୁ ଯାହା ଆସିଛି ତାହା କରିଛ, ମୁଁ ବାଧା ଦେଇନି । ହେଲେ ଆଜି ମୋ ବାପା, ଭାଇଙ୍କ ଇଜ୍ଜତ ତମ ହାତରେ ।

ଅମର ବୁଝାଇବାକୁ ଚେଷ୍ଟା କରୁଥିଲେ, “ପ୍ଲିଜ୍ ରୀତା, ଏଇଟା ଓଡ଼ିଶାର ସବୁଠୁ ବଡ଼ ସ୍କାମ୍ । ଅନେକ ନେତା, ଇଣ୍ଡଷ୍ଟ୍ରିଆଲିଷ୍ଟ୍, ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପୁଅ ଏଥିରେ ଇନ୍‌ଭଲ୍ଭ । ଯଦି ମୁଁ କେସ୍ ଚାପରେ ପଡ଼ି ଛାଡ଼ିଦେବି, ତେବେ, ମୋରି ଶଳା ପାଇଁ ସମସ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଇ ଦେଲି ବୋଲି ମୋ ନାଁରେ ପାଲଟା ଅଭିଯୋଗ ହେବ । ଏ କେସ୍‌ଟା ଲୋକଯୁକ୍ତ ମଧ୍ୟ ଇନ୍‌ଭେଷ୍ଟିଗେଟ୍‌ କରୁଛି । ଶେଷରେ ମୋତେ ହୁଏତ ଜେଲ୍ ଯିବାକୁ ପଡ଼ିବ ।”

ମୁଁ କିଛି ଜାଣିନି । ମୋ ଭାଇ ବାପାଙ୍କର କିଛି ହେଲେ ମୋତେ ଚିହ୍ନିବ । ଘର ଲୋକଙ୍କ ପାଇଁ ଯଦି ତମର କିଛି ମାୟାମମତା ନାହିଁ ତେବେ ଅଲଗା ହୋଇ ରୁହ ମୋତେ ଡାଇଭର୍ସ ଦେଇ ।

ରାତିସାରା ଅମର ଶୋଇ ପାରିନଥିଲେ । ନିଜ ପରିବାର ତଥା ପତ୍ନୀ ରୀତାଙ୍କ ଯୋଗୁଁ ନିଜର ଏହି ଲଢ଼େଇ ସେ ଜାରି ରଖିଛନ୍ତି । ଆଜି ପ୍ରଥମଥର ପାଇଁ ନିଜକୁ ତାଙ୍କୁ ଏକୁଟିଆ ଓ ଅସହାୟ ଲାଗୁଥିଲା । ଅଜଣା ବଦ୍‌ମାସ୍‌ ଲୋକଙ୍କ ଧମକ ନୁହେଁ ବରଂ ରୀତାଙ୍କ କଥା ତାଙ୍କ ମନରେ ଭୟ ସୃଷ୍ଟି କରୁଥିଲା । ସତରେ କ’ଣ ରୀତା ଏମିତି ପଦକ୍ଷେପ ନେବ ନା ମିଛରେ ଡରାଉଛି ?

ନିଜ ବାପାଙ୍କ କଥାପଦକ ବାରମ୍ୱାର ତାଙ୍କ ମନକୁ ଚାଲି ଆସୁଥିଲା । ଯେତେବେଳେ ସବୁ ରାସ୍ତା ବନ୍ଦ ହେଲା ପରି ଲାଗିବ, ସେତେବେଳେ କେବଳ ନିଜ ବିବେକର ଡାକ ଶୁଣିବୁ ।

ନିଜ ମନକୁ ଦୃଢ଼ କଲେ ଅମର । ପରଦିନ ଖଣିଦୁର୍ନୀତି ଫାଇଲ୍ ଓ ବିଭିନ୍ନ ପ୍ରମାଣ ସବୁକୁ ଲୋକାଯୁକ୍ତ ଅଫିସ୍କୁ ଇନ୍‌ଭେଷ୍ଟିଗେସନ୍ ପାଇଁ ପଠାଇ ଦୀର୍ଘ ନିଶ୍ୱାସ ମାରିଲେ ଅମର । ସେ ଜାଣୁଥିଲେ କେତେ ବଡ଼ ରିକ୍ସ ନେଉଛନ୍ତି ଏମିତି କରି ।

“ସାର୍, ଘରୁ ଫୋନ୍ ଆସିଛି । ମ୍ୟାଡ଼ାମ୍ ହସ୍ପିଟାଲ୍‌ରେ ଆଇ.ସି.ୟୁରେ ଆଡ଼ମିଟ୍ ହୋଇଛନ୍ତି ।” ପି.ଏ.ଙ୍କ କଥା ଶୁଣି ଅମରଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା । କ’ଣ ହେଲା ରୀତାଙ୍କର ?

ଅତ୍ୟଧିକ ସ୍ଲିପିଂପିଲ୍‌ ଖାଇ ରୀତା ସୁଇସାଇଡ୍ ଆଟେମ୍ପ୍ଟ କରିଛନ୍ତି ବୋଲି ବିଶ୍ୱାସ କରିପାରୁନଥିଲା ଅମର । ହସ୍ପିଟାଲ୍‌ରେ ଶଶୁର, ଘରଲୋକ, ସାଙ୍ଗସାଥୀ, ମିଡ଼ିଆ ବାଲାଙ୍କ ଭିଡ଼ ।

ଆଜି ପ୍ରଥମଥର ପାଇଁ ଟିଭି କ୍ୟାମେରାଟା ଓ ରିପୋର୍ଟର ଗୁଡ଼ାକଙ୍କ ଉପରେ ବିରକ୍ତ ଆସୁଥିଲା ଅମରଙ୍କୁ । ପ୍ରାଇଭେସି ବୋଲି କିଛି ବି ନାହିଁ ମଣିଷର ।

ଶୁଣେଇ ଶୁଣେଇ ଶାଶୁ ସକେଇ ହେଉଥିଲେ, କ’ଣ ଏମିତି ହେଲା ମୋ ଝିଅର । କ’ଣ ପାଇଁ ଏମିତି କଲା । ମୋ ଝିଅର କିଛି ହେଲେ ମୁଁ କାହାକୁ ଛାଡ଼ିବିନି ।

କ’ଣ ଆଉ ହେବ ଅପାର । କେବଳ ମେଣ୍ଟାଲ୍ ହାରାସମେଣ୍ଟ ଯୋଗୁଁ ଏମିତି ଷ୍ଟେପ୍ ନେଇଛି ବିଚାରୀ । ଆମକୁ ପୋଲିସ୍ ଏଫ୍.ଆଇ.ଆର୍. ଦେବାକୁ ପଡ଼ିବ ।

ନିଜ କାନକୁ ବିଶ୍ୱାସ କରିପାରୁନଥିଲେ ଅମର । ନିଜ ଲୋକଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ଏତେ ନୀଚ୍ଚସ୍ତରକୁ ଖସି ଯାଆନ୍ତି । ଏତେ କୁତ୍ସିତ ମନୋଭାବ । ଗୋଟେ ପଟେ ସ୍ତ୍ରୀ ଜୀବନ । ରୀତା ମୃତ୍ୟୁ ସହ ଲଢେ଼ଇ କରୁଛି, ଅପର ପଟେ ଏମିତି ଘୃଣ୍ୟ ଲାଞ୍ଛନା । ଅମରଙ୍କୁ ଲାଗୁଥିଲା ତାଙ୍କ ଚଲାରାସ୍ତାର ଯେମିତି ଅନ୍ତ ହୋଇଯାଇଛି ।

ରୀତାଙ୍କର ହୋସ୍ ଆସିଯାଇଥିଲା । ଅମର ଭିତରକୁ ଯିବାକୁ ବାହାରିଲା ବେଳକୁ, ଶାଶୁ ଓ ଶଳା ବାରଣ କଲେ ତାଙ୍କୁ । ଯୁକ୍ତି ନ କରି ବାହାର ବେଞ୍ଚରେ ବସି ରହିଲେ ଅମର । ଅଳ୍ପ କିଛି କ୍ଷଣ ପରେ ସମସ୍ତେ ମୁହଁ ଶୁଖାଇ ରୁମ୍ ଭିତରୁ ବାହାରକୁ ବାହାରି ଆସିଲେ । ଶଳା ବୁଟୁର କଥା କାନରେ ପଡ଼ିଲା “ଅମରଙ୍କର, ୟା’ ଭିତରେ ନିଶ୍ଚୟ କିଛି ଅନ୍ୟ କାରଣ ଅଛି । ଅନ୍ୟ କେଉଁ ଝିଅ ଫିଅ ଚକ୍କର ହୋଇଥାଇପାରେ ।”

ଶାଶୁ କହୁଥିଲେ, “ମୋ ଝିଅ, ନାତିନାତୁଣୀଙ୍କୁ ଜୀବନସାରା ପାଳିବାକୁ କ୍ଷମତା ଅଛି ମୋର । କଥାଟା ଆଜି ଫଇସଲା ହୋଇଯାଉ ।”

ଅମର ମନକୁ ପାପ ଛୁଉଁଛିଲା । ରୀତା କ’ଣ ଡାଇଭର୍ସ କଥା ମନକୁ ଆଣିଛି ?

ଅମରଙ୍କୁ ନର୍ସ ଆସି କହିଲା, “ସାର୍, କେବଳ ଆପଣଙ୍କ ସହ କଥା ହେବାକୁ ମ୍ୟାଡ଼ାମ୍ ଚାହାନ୍ତି ।”

ଖଟ ଉପରେ ଆଖିବୁଜି ପଡ଼ିଥାନ୍ତି ରୀତା । ପାଖକୁ ଯାଇ ତାଙ୍କ ପାପୁଲିକୁ ହାତରେ ମୁଠାଇ ଧରି ସକ୍ ସକ୍ ହୋଇ କାନ୍ଦି ପକାଇଲେ ଅମର । ଜୀବନରେ ପ୍ରଥମଥର ପାଇଁ ଅଧିକ ଇମୋସ୍‌ନାଲ୍‌ ହୋଇପଡ଼ିଥିଲେ ବୋଧେ ।

ମୋତେ କ୍ଷମା କର ରୀତା । କର୍ତ୍ତବ୍ୟରେ ଅବହେଳା କରିପାରିଲି ନାହିଁ । ଆଜି କିନ୍ତୁ ମୁଁ ମୋର ରେଜିଗ୍‌ନେସନ୍‌ ଲେଟର୍‌ରେ ସତସତିକା ଦସ୍ତଖତ କରିଦେଇଛି । କାଲି ମୁଁ ଇସ୍ତଫା ଦେଇଦେବି । ଚାକିରୀ ଅପେକ୍ଷା ମୋ ପରିବାର ମୋ ପାଇଁ ମୂଲ୍ୟବାନ୍ । ତମେ ମୂଲ୍ୟବାନ୍ ।

ଅମରଙ୍କ ହାତରୁ ଇସ୍ତଫାପତ୍ରଟି ନେଇ ଦେଖୁଥିଲା ରୀତା ଏକ ଅବିଶ୍ୱାସ ଭାବ ନେଇ । ହଠାତ୍ କାଗଜଟିକୁ ଚିରିପକାଇଲେ । ଅମର ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏ କ’ଣ କଲ ? କ’ଣ ଚାହୁଁଛ ତମେ ?”

ନିଜ ଦୁର୍ବଳ ମୁହଁରେ ଅଳ୍ପ ହସଟିଏ ଫୁଟାଇ କ୍ଷମା ମାଗିବା ଭଙ୍ଗୀରେ ଦୁଇହାତକୁ ଯୋଡ଼ି ରୀତା କହିଲା, “ତମର ବୟାଳିଶୀତମ ବଦଳି ।”

ରୀତାର ହାତକୁ ଧରି ପକାଇଲା ବେଳେ ଅମରଙ୍କ ବିଷାଦଗ୍ରସ୍ତ ମୁହଁରେ ଫୁଟି ଉଠୁଥିଲା ଏକ ଆତ୍ମପ୍ରଶାନ୍ତି ଓ ଆତ୍ମବିଶ୍ୱାସଭରା ହସ ।

ଲୋକପ୍ରିୟ ଲେଖା

To Top