ଗଳ୍ପ

ବୟସ୍କ ଲୋକର ବାଲକୋନି

Matrudatta Mohanty's odia story Bayaska Lokara Baalkoni

କେବଳ ବାର୍ଦ୍ଧକ୍ୟ ନା ଆଉ କିଛି, କଣ ହୋଇପାରେ ତାଙ୍କ ଅସହାୟତାର କାରଣ । ଏପ୍ରଶ୍ନ ବି ନିଜକୁ ପଚାରି ଚାଲିଥିଲେ ସେ ।

ବୟସ୍କ ଲୋକର ବାଲକୋନି

କେଉଁଠି ଥିଲା ବାଲକୋନି ଭିତରକୁ ପଶି ଆସିଲା ବୈଶାଖର ଖରାବେଳିଆ ଧୁମାଳଟା । ଧୁମାଳର ହାତଧରି ଉଡିଆସିଲା ମେଞ୍ଚାଏ ଶୁଖିଲାପତ୍ର ଆଉ କିଛି ଛିଣ୍ଡାକାଗଜଓ ପଲିଥିନ୍ । ସେଠାରେ ଆସ୍ଥାନ ଜମାଇଥିବା ଫୁଲକୁଣ୍ଡର ଚେହେରାରୁ ସ୍ପଷ୍ଟ ବାରିହୋଇ ପଡୁଥିଲା ଏହି କୁନି ଝଡର ତାଣ୍ଡବର ଚିତ୍ର । ବାଲକୋନିର ଛାତି ଉପରେ ରକେଟ୍‌ର ଲାଞ୍ଜ ପରି ଲମ୍ବିଥିବା ଲୁଗା ଶୁଖା ତାରରେ ଲଟକି ଥିଲା କେତେଟା ଦରଓଦା ଜାମାପଟା । ଏମିତି ଏକ ଅସମୟର ଝଡ଼କୁ ସାମନା କରିବା ପରେ ଏମାନେ ସମସ୍ତେ ସତେ ଯେମିତି ପାଲଟି ଯାଇଥିଲେ ଜଣେ ଜଣେ ସନ୍ନ୍ୟାସୀ । ରଙ୍ଗଛଡ଼ା କବାଟକୁ ଭିତରପଟୁ ଆସ୍ତେ ଠେଲି ବାଲକୋନିର ଛାତି ଉପରେ ନିଜର ବୟସ୍କ ପାଦହଳକ ଥୋଇଲା ବେଳେ ବେଶ୍ ଗମ୍ଭୀର ଜଣା ପଡ଼ୁଥିଲେ ପୀତାମ୍ବର । ସେଠାରେ ତାଙ୍କୁ ଅପେକ୍ଷାକରିଥିଲା ରୋଗଣା ପ୍ଲାଷ୍ଟିକ୍ ଚଉକିଟା । ଏଠାରେ ବର୍ଷା ପବନ ଓ ଖରା କାକରର ଅବାଧ ପ୍ରବେଶ ଓ ଅନୁଚିତ ଉପସ୍ଥିତ ଯୋଗୁଁ ଦାମୀ ଶୋଫା ଅଥବା କେନ୍ ଚେୟାର୍‌ ପକାଇବାର ସାହସ କେହି କେବେ କରି ନାହାନ୍ତି । ସେଥିପାଇଁ ଏହି ପ୍ଲାଷ୍ଟିକ୍ ଚେୟାରହିଁ ବାଲକୋନିର ଛାତିରେ ଏକାକି ପାଲଟିଛି ଶାସନକର୍ତ୍ତା । ପୁଣି ଏକଲା ଛାତି ପାତିଦେଇଛି ଅନ୍ୟମାନଙ୍କ ପାଇଁ । ପୀତାମ୍ବରଙ୍କ ସହିତ ଏହି ଚେୟାରର ସମ୍ପର୍କ ବେଶ୍‌ ନିବିଡ଼ ଓ ଘନିଷ୍ଟ । ସରକାରୀ ଚାକିରିରୁ ଅବସର ନେବାର ୟା ଭିତରେ ବେଶ୍ କିଛିବର୍ଷ ବିତି ଗଲାଣି । ମଧୁମତି ଆରପାରିରେ । ଏବେ ସେ ପୁଅ ପାଖରେ । ୟା’ ଭିତରେ ଅନେକ କିଛି ବଦଳି ଯାଇଛି । କିନ୍ତୁ ଅବସର ଜୀବନ କାଟୁଥିବା ବୟସ୍କମାନଙ୍କ ପାଇଁ ସମୟ ସତେ ଯେମିତି ଥମ୍ ହୋଇଯାଇଛି । ଏଇ ବାଲକୋନିର କବାଟଟା ବି ବେଶ୍‌ ପୁରୁଣା । ଟିକେ ଛୁଇଁ ଦେଲେ କେଁ କଟର ଆବାଜ କରି କମ୍ପେଇ ଦଉଛି । ସେଥିପାଇଁଖରାବେଳେ ଅଥବା ନିଶବ୍ଦ ରାତିରେ ବାଲକୋନିକୁ ଆସିବା କଥା ଭାବିଲେ ପୀତାମ୍ବରଙ୍କକାନରେ ଢେଉ ପରି ପିଟିହୁଏ ଦଦରା କବାଟର ଯନ୍ତ୍ରଣଣାଭରା ଚିକ୍ରାର । ବାଲକୋନିର କବାଟ ଠେଲି ପଶିଆସିଲା ପୀତାମ୍ବରଙ୍କ ବୋହୁ । ଗ୍ରାଇଣ୍ଡର ଥୋଇ ଜୁସ୍ କରିବ ବୋଲି ସେ ପ୍ଲାଷ୍ଟିକ୍ ଚେୟାରଟା ତା’ର ଦରକାର । ଶ୍ୱଶୁରଙ୍କୁ ଉଠିବା ପାଇଁ କହି ଚେୟାରଟାକୁ ଗୋଟାଏ ହାତରେ ଘୋଷାରି ନେଲା । ଏମିତି ଘୋଷରା ଓଟରା କଲେ ଏ ଚେୟାରଟାର ଆୟୁଷ ଯେ ଖୁବ୍ କମ୍ ଦିନ ତାହା ଭଲ ଭାବେ ବୁଝି ସାରିଥିଲେ ପୀତାମ୍ବର । ତଥାପିଉପାୟ କଣ । ଏମିତି ବି ଚେୟାରଟା ଭଙ୍ଗା ରଙ୍ଗଛଡା । କାହାର କିଛି କାମରେ ଆସୁନି । ହୁଏତ କାମରେ ଆସୁନି ବୋଲି ପରିବାର ଲୋକେ ତାକୁ ଏଠି ଏମିତି ଅବସ୍ଥାରେଫୋପାଡ଼ି ଦେଇଛନ୍ତି । ଘର ଭିତରେ ଚିକ୍‌ଚିକ୍ କରୁଥିବା ଦାମି ସୋଫାସେଟ୍‌ର ଲମ୍ବାଧାଡ଼ି । ବାଲକୋନିକୁ କେହି ଆସେ ନା ଯାଏ । ସେଥିପାଇଁ ଏଠି ଅଦରକାରୀପ୍ଲାଷ୍ଟିକ୍ ଚେୟାର ପରି ଏମିତି ଅନେକ ଜିନିଷ ପଡିପଡି ଖତ ଖାଉଛି ।

ଡ୍ରଇଁରୁମ୍‌କୁ ଫେରିଗଲେ ପୀତାମ୍ବର । ସୋଫା ଉପରେ ବସି ଖବର କାଗଜରପୃଷ୍ଠା ଓଲଟାଉଥିବା ବେଳେ ବୋହୂ ଚା’ ଧରି ପାଖରେ ଛିଡ଼ା ହେଲା । ବୋହୂହାତରୁ ଚା’ କପ୍ ନେଉ ନେଉ ପୀତାମ୍ବର ଶୋଫା ଉପରେ ଆସ୍ଥାନ ଜମାଇ ବସିପଡ଼ଡିଲେ । ପାଖ ଟି-ପଏ ଉପରେ ଗରମ ଚା’ କପ୍ ଥୋଇ ଖବର କାଗଜ ପୃଷ୍ଠାକୁଭାଙ୍ଗୁଥିଲେ । ବୋହୂ କହିଲା, “ବାପା ଆପଣ ଟିକେ ବାଲକୋନିକୁ ଯାଆନ୍ତୁ ତ । ଆମ ସୋସାଇଟିର କିଛି ମେମ୍ବର ଆସିବେ ।” ପୀତାମ୍ବର ବଡ଼ ଅସହାୟ ଭାବେଚାହିଁଲେ ବୋହୂର ମୁହଁକୁ । ନିଜ ଭଙ୍ଗା ଚଉକି ଖଣ୍ଡିକ ହରାଇବା ପରେ କିଛି ସମୟପୂର୍ବରୁ ତାଙ୍କୁ ବାଲକୋନି ଛାଡ଼ିବାକୁ ପଡ଼ିଥିଲା । ଏବେ ପୁଣି ଥରେ ଫେରିବାକୁହେବ ସେହି ଜାଗାକୁ । ଗୋଟେ ହାତରେ ଚା’କପ୍ ଆର ହାତରେ ଖବର କାଗଜ ସାଉଁଟି ବାଲକୋନି ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ ପୀତାମ୍ବର । ସତେ ଯେମିତି ବାଲକୋନି ତାଙ୍କ ବାଟ ଚାହିଁ ବସିଥିଲା । ତାଙ୍କୁ କୋଳେଇ ନେବା ପାଇଁ ଅପେକ୍ଷାକରିଥିଲା । ରାସ୍ତାରେ ମାତି ଉଠିଥିବା କୋଳାହଳ ପତଳା ହେବାରେ ଲାଗିଥିଲା । ପାଖ ସ୍କୁଲର ସମର୍ କ୍ୟାମ୍ପ୍‌କୁ ଯାଇଥିବା କୁନି କୁନି ପିଲାମାନଙ୍କୁ ସାଙ୍ଗରେ ଧରି ଘରମୁହାଁ ହେଉଥିଲେ କିଛି ଅଭିଭାବକ । ସାଇକଲ୍‌ରେ ପରିବା ଲଦି ଚିତ୍କାର ଛାଡୁଥିବାଲୋକଟା କଲୋନି ମହିଳାମାନଙ୍କ ପାଖରେ ନିଜର ପଚାସଢ଼ା ମାଲ୍ ବିକ୍ରି କରିବାପାଇଁ ଆପଣେଇ ଚାଲିଥିଲା ସମସ୍ତ କଳା କୌଶଳ । ଏ ସମସ୍ତ ଘଟଣାରେ ସମ୍ପୃକ୍ତଚରିତ୍ରମାନେ ବଡ଼ ବିଚିତ୍ର ଲାଗୁଥିଲେ ପୀତାମ୍ବରଙ୍କୁ । ସମସ୍ତେ ଅସ୍ଥିର ଥିଲେ । ବ୍ୟସ୍ତବିବ୍ରତ ଦିଶୁଥିଲେ । ସମସ୍ତଙ୍କ କପାଳରେ ଥିଲା ବିନ୍ଦୁବିନ୍ଦୁ ଝାଳ । ଖାଲି ଯାହା ନିଜେସେ ଥିଲେ ବିଲକୁଲ ସ୍ଥିର, ଶାନ୍ତ ଶୁଷ୍କ ।

ୟା’ ଭିତରେ ସମୟ ବଡ଼ ଚତୁରତାର ସହ ଆଗକୁ ବାହାରି ଯାଇଥିଲା । ଆକାଶରେମୁହଁ ଦେଖାଇ ସାରିଥିଲା ସଂଧ୍ୟା ତାରା । ଘର ଭିତରକୁ ଉଠି ଆସିଲେ ପୀତାମ୍ବର । କାନ୍ଥରେଝୁଲୁଥିବା ମଧୁମତିଙ୍କ ଫଟୋକୁ ଚାହିଁଲେ । ପୁରୁଣା ଦିନର ସ୍ମୃତି ସବୁ ତାଜା ହୋଇଗଲା । ତାଙ୍କ ଚାକିରି କାଳରେ ଉଠିଥିଲା ଏ ଫଟୋ । କ୍ୟାମେରା ଆଗରେ ଏକା ଛିଡା ହୋଇ ଫଟୋ ଉଠେଇବାକୁ କେତେ ନାଇଁ ନାଇଁ ହୋଇଥିଲେ ସେଦିନି ମଧୁମତି । କହିଲେ ପିଲାଙ୍କ ସହିତ ସାଙ୍ଗହୋଇ ଉଠେଇବା । ଶେଷରେ ବଡ଼ କଷ୍ଟରେ ରାଜି ହେଲେ । ଆଜି ବି ତାଙ୍କ ମୁହଁରେ ସେଦିନର ଲାଜ ବିଲକୁଲ୍ ସତେଜ ଅଛି । ଫଟୋରେ ଲଟକି ଥିବା ହାରଟା ଶୁଖିଗଲାଣି । କାଚ ଉପରେ ସାଲୁବାଲୁ ହେଉଛି ଧୁଳି ଅଳନ୍ଧୁ । ଆଜିକାଲି କହିକହି ବେଶ୍ କିଛି ଦିନ ଗଡିଗଲାଣି । କିନ୍ତୁ ଫଟୋ ପୋଛା ହୋଇ ପାରିଲାନି । ଆଉ ଦିନକେଇଟାରେ ମଧୁମତିଙ୍କ ଶ୍ରାଦ୍ଧ । ଏକାଥରେ ଫଟୋଟି ପରିଷ୍କାର କରିବା ପାଇଁ ମନେମନେ ସ୍ଥିର କଲେ ସେ ।

ରାତି ପାହିବା ଆଗରୁ ବୋହୁ ବିଛଣା ଛାଡ଼ିଛି । ଆଜି ନାତିର ଜନ୍ମଦିନ । ମାସେ ଆଗରୁ ଏହି ତାରିଖ ଓ ବାର ପାଇଁ କେତେ ପ୍ରସ୍ତୁତି ଚାଲିଥିଲା ଘରେ । କାହାକୁ ନିମନ୍ତ୍ରଣକରାଯିବ । ଖାଇବାରେ କ’ଣ କ’ଣ ପରଶା ଯିବ । ଘର କେମିତି ସଜା ହେବ । ଏମିତିକେତେ କଣ ଯୋଜନା କରି ପ୍ରସ୍ତୁତିରେ ଲାଗିଥିଲେ ପୁଅ ବୋହୂ ନାତି ନାତୁଣି ସଭିଁଏ । ଶେଷରେ ସେ ଦିନ ଆସି ପହଞ୍ଚିଛି । ବୋହୁ ସକାଳୁ କାମରେ ଲାଗିଛି । ପୁଅ ଆଜିଛୁଟିରେ । ସଂଧ୍ୟାରେ ଭୋଜି । କଲୋନିରେ ନିମନ୍ତ୍ରଣ । ନାତିର ସାଙ୍ଗମାନେ ଆସିବେ । ସେମାନଙ୍କ ବାପା ମା’ ବି ଆସିବେ । ଘରଟାରେ ଯେମିତି ଗୋଟେ ଉତ୍ସବର ପରିବେଶ ।ଏ ଅଦିନିଆ ଉତ୍ସବରେ ନିଜକୁ ସାମିଲ କରିବା ପାଇଁ ପୀତାମ୍ବର ମଧ୍ୟ ମନେ ମନେପ୍ରସ୍ତୁତ ହେଉଥିଲେ । ଘର ଭିତରେ ଝୁଲୁଥିବା ବାର୍ଥ ଡେ ବେଲୁନ୍, ଟେବୁଲ ଉପରେଥିବା କୋନ୍ କ୍ୟାପ୍ ଦେଖି ତାଙ୍କର ବି ମନ ପୂରି ଉଠୁଥିଲା । ଡ୍ରଇଙ୍ଗ୍ ରୁମ୍‌ରେ ଜମାହୋଇଥିବା ଅନାବନା କିଛି ଜିନିଷକୁ ବୋହୂ ନେଇ ଫୋପାଡି ଦେଇଥିଲା ବାଲକୋନିରେ । ନାନା ଅଯତ୍ନ ଓ ଅସହଯୋଗ ସତ୍ତ୍ୱେ ବାଲକୋନି ଛାତିରେ ତଥାପି ନିଜ ଉପସ୍ଥିତି ଜାହିରକରିବାରେ ସଫଳ ହେଉଥିବା ଫୁଲକୁଣ୍ଡ ଓ ଏରିକା ପାମ୍ ଟ୍ରୀ କେତେଟା ଅଣନିଶ୍ୱାସୀହୋଇ ପଡୁଥିଲେ । ସେମାନଙ୍କ ଚାରିପାଖ ଖାଲି ଭଙ୍ଗା ଚଉକି, ଛିଣ୍ଡା କନା, ୱାସିଙ୍ଗ୍‌ମେସିନ୍ ଖୋଳ, ପୁରୁଣା ଝାଡ଼ୁ, କଙ୍କାଳସାର ପା’ପୋଛ ଏମିତି ନାନା ଅଦରକାରୀଜିନିଷର କୋଳାହଳ । ସମସ୍ତେ ସମ୍ଭାବନା ଶୂନ୍ୟ । ଜୀବନ ଧରିଥିବା ଗଛଗୁଡ଼ାକ କିନ୍ତୁ ବଞ୍ଚିବାର ସ୍ୱପ୍ନ ଦେଖୁଥିଲେ । ମଝିରେ ମଝିରେ ବାଲକୋନିକୁ ପଶି ଆସୁଥିବା ଅଝଟପବନରେ ଗଛ ସବୁ ଏପାଖ ସେପାଖ ହେଉଥିଲେ । ଦିନମାନ ଚାଲିଥିଲା ପ୍ରସ୍ତୁତି । ଆଉକିଛି ସମୟ ପରେ ପହଞ୍ଚି ଯିବେ ନିମନ୍ତ୍ରିତ ଅତିଥି । ସଂଧ୍ୟା ହେଲାରୁ ଧପ୍ ଧାପ୍ ଘରରଲାଇଟ୍ ସବୁ ଜଳି ଉଠିଲା । ନୂଆ ଜାମା ପିନ୍ଧି ନାତି ଏପାଖ ସେପାଖ ଦଉଡ଼ିଥାଏ । କଲୋନିର ପିଲାମାନେ ପହଞ୍ଚିବାରେ ଲାଗି ଥାଆନ୍ତି । ଆଉ କିଛି ସମୟ ପରେ ଆରମ୍ଭହେବ କେକ୍‌ କଟା ପୁଣି ଭୋଜି ଭାତ । ଡ୍ରଇଙ୍ଗ୍ ରୁମ୍ ଶୋଫା ଉପରେ ବସି ସମଗ୍ର ଉତ୍ସବକୁ ନିରୀକ୍ଷଣ କରୁଥିଲେ ପୀତାମ୍ବର । ହାତରେ ଚା କପ୍ ଧରି ବୋହୂ ବାହାରିଆସିଲା ରୋଷେଇ ଘରୁ ।

– ବାପା ନିଅ ତୁମ ଚା’ । ଏଠି ସେଠି ନଥୋଇ ଶୀଘ୍ର ପିଇ ଦେବ । କାମ ଭିତରେ ଆଉ ଗରମ କରି ପାରିବିନି ।

ବୋହୂର ଚରମବାଣୀ ଶୁଣିବା ପରେ ଆଉ ଡେରି ନକରି ଗରମ ଚା’ କପ୍ଓଠରେ ଲଗାଇଲେ ପୀତାମ୍ବର । କିଛି ସମୟ ପରେ ବୋହୂ ଫେରି ଆସି କହିଲା, “ବାପାଅଳ୍ପ ସମୟ ପରେ ପାର୍ଟି ଆରମ୍ଭ ହେବ । ପିଲାମାନେ ଆସିବେ । ଘର ଭିତରଟା ଭିଡ଼ ହୋଇଯିବ । ତମେ କିଛି ସମୟ ପାଇଁ ବାଲକୋନିକୁ ପଳାଅ । ମୁଁ ସେ ପ୍ଲାଷ୍ଟିକ୍ ଚେୟାରଟାରଖି ଦେଇ ଆସିଛି ।” ବାଲକୋନିରେ ସଞ୍ଜ ନଇଁ ଆସୁଥିଲା । ସବୁଆଡେ ଛବି ଛବିଲା ଅନ୍ଧାରର ରୋଷଣୀ । ଷ୍ଟ୍ରିଟ୍ ଲାଇଟ୍‌ର ଛିଟାରେ କାଁ ଭାଁ ଆଲୋକିତ ହେଉଥିଲା ବାଲକୋନିର ଅପରିଷ୍କାର ଦେହଟା । ଭଙ୍ଗା ପ୍ଲାଷ୍ଟିକ୍ ଚେୟାରଟାକୁ ପାଇବାରେ ବେଶି ଅସୁବିଧା ହେଲାନି । ବୋଧହୁଏ ଆକାଶରେ ମିଞ୍ଜିମିଞ୍ଜି କରୁଥିବା ତାରାମାନଙ୍କ ଡେଣାରେ ଲଟକି ଥିବା ବରଫସବୁ ଅନ୍ଧାରରେ ତରଳିବା ଆରମ୍ଭ କରିଦେଇଥିଲେ । ସେଇଥିପାଇଁ ଦେହରେ ପିଟି ହେଉଥିବା ପବନଟା ଥଣ୍ଡା ଲାଗୁଥିଲା । ବାଲକୋନି ସାରା ଜମା ହୋଇଥିଲା ଘର ଗୋଟାକର ଅବ୍ୟବହୃତ ଜିନିଷ । କେଉଁଟାର ରଙ୍ଗ ଛାଡି ଯାଇଥିଲା ତ ଆଉ କେଉଁଟା ଭାଙ୍ଗି ଯାଇଥିଲା । ସେ ସବୁକୁ ଫୋପାଡି ବି ହେଉ ନଥିଲା । କାଳେ କେତେବେଳେ କେଉଁ କାମରେ ଲାଗିବ । ବେଶି ଅଚଳ ହୋଇଗଲେ ଅଥବା କେହି କୁଣିଆ ଆସିବାର ଥିଲେ ଏମାନେ ଚାଲି ଆସୁଥିଲେ ବାଲକୋନିକୁ । ବାଲକୋନି ବି ଏହି ରୋଗିଣା ଖଣ୍ଡିଆ ଦଦରାମାନଙ୍କୁନିଜ ଆଡ଼କୁ ଆଉଜେଇ ନେବାରେ କେବେ କୁଣ୍ଠା ପ୍ରକାଶ କରିନି । ତା ଛାତିରେ ସମସ୍ତଙ୍କପାଇଁ ଜାଗା ଅଛି । କାହାକୁ ଏଠୁ ଫେରାଇ ଦେବା ସେ ଶିଖିନି । ସବୁ ଅସହାୟ ଓଭିନ୍ନକ୍ଷମମାନଙ୍କର ଆଡ୍ଡାସ୍ଥଳ ପାଲଟିଛି ଏହି ଛୋଟିଆ ବାଲେକାନିଟା । ଷ୍ଟ୍ରିଟ୍ ଲାଇଟ୍ଉପରେ ବସି ପୋକ ସାଉଁଟୁଥିବା ନିଃସଙ୍ଗ କଜଳପାତିଟା ଭାରି କ୍ଲାାନ୍ତ ଜଣା ପଡୁଥିଲା । ପେଁ ପାଁ ଗର୍ଜନ କରି ରାସ୍ତାରେ ଉଡ଼ି ଯାଉଥିବା ଗାଡ଼ିମଟର ଶବ୍ଦ ବି ତା ଉପରେ କୌଣସିପ୍ରଭାବ ପକାଇ ପାରୁନଥିଲା । ଅବଶ୍ୟ ରାସ୍ତା ମୁହାଁ ଏ ବାଲକୋନିଟା ବି କିଛି କମ୍ୟନ୍ତ୍ରଣା ଭୋଗୁନଥିଲା । ଗାଡ଼ି ପଛରେ ଅଣନିଶ୍ୱାସୀ ହୋଇ ଧାଉଁଥିବା ଧୂଳି ଆବର୍ଜନାଅନେକ ସମୟରେ ଛିଟିକି ପଡୁଥିଲା ବାଲକୋନିକୁ । ଆକାଶରୁ ଆଖି ଫେରାଇ ଆଣିଘରଆଡ଼େ କାନ ଡେରିଲେ ପୀତାମ୍ବର । ଭୋଜି ଚାଲିଥିଲା । କୁନି କୁନି ପିଲାମାନଙ୍କକୋଳାହଳରେ କମ୍ପି ଉଠୁଥିଲା ଆପାର୍ଟମେଣ୍ଟ । ରାତି ବଢ଼ିବା ସଙ୍ଗେ ସଙ୍ଗେ ଜମି ଆସୁଥିଲାଉତ୍ସବର ତାତି । ବେଶ୍ କିଛି ସମୟର ହୋହଲ୍ଲା ପରେ ଯେ ଯୁଆଡ଼େ ବାହାରିଗଲେ । ବାଲକୋନିର କବାଟ ଫାଙ୍କରୁ ଶୁଭିଲା, “ବାପା ଖାଇବା ବଢ଼ା ହେଲାଣି ପରା ।”

ୟା’ ଭିତରେ ଦିନେ ଦୁଇଦିନ ବିତି ଗଲାଣି । ନିଜ ଉଦ୍ୟମରେ ବାଲକୋନିକୁ ସଫା ସୁତୁରା କରିଛନ୍ତି ପୀତାମ୍ବର । ରଙ୍ଗ ବେରଙ୍ଗର ଛିଣ୍ଡା ବେଲୁନ୍ ପୁଣି ଛାତି ଫାଡିପଡ଼ିଥିବା କେକ୍ ପ୍ୟାକେଟ୍‌କୁ ବି ନ ଫୋପାଡି ସାଇତି ରଖିଛନ୍ତି । କାଳେ ବୋହୂର କୌଣସି କାମରେ ଲାଗିପାରେ । ଆବର୍ଜନା ଚାପରୁ ମୁକ୍ତ କରି ଫୁଲକୁଣ୍ଡ ଗୁଡ଼ିକ ସଜେଇ ରଖିଛନ୍ତି । ଲୁଗାପଟାର ବୋଝରେ ତଳକୁ ଝୁଲି ପଡିଥିବା ଲୁଗାଶୁଖା ତାରକୁ ଭିଡିକରିବାନ୍ଧି ଦେଇଛନ୍ତି । ଲାଗୁଛି ବାଲକୋନିଟା ଯେମିତି ଟିକେ ଶାନ୍ତିରେ ନିଶ୍ୱାସ ମାରୁଛି । ବାଲକୋନିର ନିରିହ ମୁହଁରେ ଚେନାଏ ନିଷ୍କପଟ ହସ ଦେଖି ପାରୁଥିଲେ ସେ । ଲୁଗାସୁଖା ଦଉଡିଟା ବି ଛାତି ଫୁଲେଇ ଅଣ୍ଟା ସଳଖି ଥିଲା ବେଶ୍ କିଛି ଦିନ ପରେ । ବାହାରେହାଲକା ପବନ । ବାଲକୋନିକୁ ଆସିବାରେ ସେମାନଙ୍କ ପାଇଁ କିଛି ବାରଣ ନାହିଁ । କିମ୍ବାସେଠାରୁ ବାହାରି ଗଲା ବେଳେ ପବନକୁ ରୋକିବା ଲାଗି କାହାର ହାତ ଲମ୍ବି ଆସୁନି ।କିନ୍ତୁ ବୟସର ବୋଝରେ ତଳମୁହାଁ ହୋଇଥିବା ଏ ବୁଢ଼ା ମଣିଷଟା ପାଇଁ କାହିଁକି ଏତେବାରଣ ସେ କଥା ବୁଝିପାରୁ ନଥିଲେ ପୀତାମ୍ବର । ପୁଅ ବୋହୁଙ୍କ ସୁଖ ସଂସାରରେଅଂଶୀଦାର ହେବା ପାଇଁ ଯେମିତି ସେ ଦରକାର କରୁଥିଲେ କାହାର ନା କାହାର ଅନୁମତି । ନିଜ ପରିବାର ଭିତରେ ଜଣେ ହେବା ପାଇଁ ତାଙ୍କ ଲାଗି ସୁଯୋଗ ନଥିଲା । ତାଙ୍କୁ ଆପଣା ବୋଲି କହିବା ପାଇଁ ପୁଅ ବୋହୁଙ୍କ ପାଖରେ ଯେମିତି ଶବ୍ଦ ଅଭାବ ପଡ଼ୁଥିଲା । ହେଲେଏ ସବୁ ମାମଲାରେ ବଡ଼ ବିଚିତ୍ର ଏ ବାଲକୋନିଟା । ଯେତେବେଳେ ଯେଉଁ ମୂହୁର୍ତ୍ତରେ ବି ଆସିଲେ ହାତ ବଢ଼େଇ କୋଳକୁ ଟାଣି ନିଏ । ରାତି ରାତି ତା ଛାତି ଉପରେ ଜାଗାଟିଏମାଡ଼ି ବସିଲେ ବି ତାର କିଛି ଆପତ୍ତି ନଥାଏ । ବାଲକୋନିକୁ ତିଆରି କରିଥିବା ମଣିଷଟା କିନ୍ତୁ ବାଲକୋନିଠାରୁ କିଛି ବି ଶିଖିଲାନି । ଏ କଥା ଭାରି ବିବ୍ରତ କରୁଥିଲା ପୀତାମ୍ବରଙ୍କୁ । ତାଙ୍କ ପେଜୁଆ ଆଖି କଣରେ ଜକେଇ ଆସିଲା ପାଣି । ତାହା ଲୁହ ନା ଆଉ କିଛି ତାହାବୁଝିବାର ଅବକାଶ ନଥିଲା ।

ସେଦିନ ମଧ୍ୟାହ୍ନର ସୂର୍ଯ୍ୟ ପାକଳ ହେବାରେ ଲାଗିଥିଲା । ଘର ଆଗରେ ଲାଗିଲାଗୋଟେ ଗାଡ଼ି । ପଛେପଛେ ପୁଅ ପଶି ଆସିଲା ଭିତରକୁ । ସାଙ୍ଗରେ ଆସିଥିବା ଲୋକେଘର ଭିତରକୁ ବୋହି ଆଣିଲେ ଭଳିକି ଭଳି ଫଟୋସବୁ । ଫୁଲବଗିଚା, ଘୋଡ଼ା ପୁଣିଶ୍ରୀକୃଷ୍ଣଙ୍କ ବିଶ୍ୱରୁପ ଓ ଅର୍ଜୁନଙ୍କୁ କୁରୁକ୍ଷେତ୍ରରେ ଗୀତା ବୁଝାଇବାର ଦୃଶ୍ୟ । ବେଶ୍ ସୁନ୍ଦରଦିଶୁଛି ସେ ସବୁ । ପୁଅ ଉଦ୍ଧ୍ୟେଶରେ ପୀତାମ୍ବର ପ୍ରଶ୍ନ କଲେ ଏ ସବୁ ତ ବହୁତ ସୁନ୍ଦରହୋଇଛି ଦାମ୍ ବି ବେଶ୍ ଉଚ୍ଚା ହୋଇଥିବ ନିଶ୍ଚୟ ।

– ପ୍ରତି କାନ୍‌ଭାସ୍‌ର ଦାମ ତିନି ହଜାରରରୁ ଅଧିକ ଟଙ୍କା ବାପା । ଏମିତି ସେମିତି ଜିନିଷ ଏ ନୁହେଁ । ଘର ସଜେଇବା ପାଇଁ ଆଣିଛି । ସଂଧ୍ୟାରେ ମୋ ବସ୍ ବୁଲି ଆସୁଛନ୍ତି । ତାଙ୍କୁ ଡିନର୍ କରିବାକୁ ଡାକିଛି ତ ସେଇଥି ପାଇଁ ଏ ସବୁ କିଣି ଆଣିଲି ।

ପୁଅର ଉତ୍ତର ପରେ ନିରବତା ହିଁ ଥିଲା ତାଙ୍କର ଏକମାତ୍ର ଅବଲମ୍ବନ ।

ବୈଶାଖର ଦିପହରଟାରେ ଖଟରେ ଗଡ଼ପଡ଼ ହେଉ ହେଉ ବେଶ୍ ଡେରି ପର୍ଯନ୍ତ ଶୋଇ ପଡିଲେ ପୀତାମ୍ବର । ନିଦ ଭାଙ୍ଗିଲା ବେଳକୁ ସଂଧ୍ୟା । ପୁଅ ବୋହୁ ସଭିଁଏ ନିଜନିଜ କାମରେ ବ୍ୟସ୍ତ । ପୁଅ ଅଫିସ୍‌ର ବଡ଼ ବାବୁ ଆଜି ଖାଇବାକୁ ଆସିବେ ପରା । ସେଥିପାଇଁଆରମ୍ଭ ହୋଇଗଲାଣି ରୋଷେଇ । ବିଛଣାରୁ ଉଠିଆସି ଶୋଫା ଉପରେ ବସି ପଡିଲେସେ । ଆଗରେ ପଡ଼ିଥିବା ସମ୍ବାଦପତ୍ର ଖଣ୍ଡକୁ ହାତରେ ଉଠେଇ ନେଲେ । ହଠାତ୍ ଆଖିତାଙ୍କର ଚାଲିଗଲା କାନ୍ଥର ସେହି ସ୍ଥାନକୁ ଯେଉଁଠି ସେ ଝୁଲେଇ ଥିଲେ ମଧୁମତିଙ୍କ ଫଟୋ । ସେ ଚମକି ପଡିଲେ । ଫଟୋ କାହିଁ । କୁଆଡେ ଗଲା । କେହି ଯେମିତି ମନ୍ତ୍ର କଲାପରି ଫଟୋଟା କାନ୍ଥରୁ ଉଭାନ ହୋଇଯାଇଛି । ପୀତାମ୍ବରଙ୍କ ମୁହଁ ଶୁଖିଗଲା । ନାନାଆଶଙ୍କାରେ ମନଟା ଗୋଳେଇ ହେଲା । ସେଇଠି ବସି ସେ ଚିତ୍କାର କରିବାକୁ ଲାଗିଲେ । ରୋଷେଇ ଘରୁ ବାହାରି ଆସି ସାମନାରେ ଛିଡା ହୋଇଗଲା ବୋହୁ । ତାଙ୍କ ଉପରେବିରକ୍ତ ହୋଇ ପାଟି ବନ୍ଦ୍ କରିବାକୁ ନିର୍ଦ୍ଧେଶ ଦେଲା ।

ଏଠୁ ଫଟୋ କୁଆଡେ ଗଲା । ତା ଜାଗାରେ ଏ ଘୋଡା ଫଟୋଟାକୁ କିଏ ଟେଙ୍ଗଇଲାବୋଲି ପଚାରି ଦେଲେ ପୀତାମ୍ବର ।

– ଲାଗିଲା ତ ଲାଗିଲା କ’ଣ ହେଇଗଲା । ଏଇ ବାଜେ କଥାରେ ଘରଟାକୁ କମ୍ପେଇ ଦଉଛ । କିଛି କାମ ଦାମ ନଥିଲେ ମଣିଷ ଏମିତି ହୁଏ ।

ବୋହୂର ଗର୍ଜନରେ ଝାଳେଇଗଲା ପୀତାମ୍ବରଙ୍କ ମୁହଁ । ସେ ଚୁପ୍‌ହୋଇଗଲେ । ତଥାପି ସାହସ କରି ପଚାରିଲେ, “ମୋତେ କେହି କହିବ କି ଏଠୁ ଫଟୋଟା କୁଆଡେ ଗଲା ।”

ଶୋଇବା ଘରୁ ପୁଅ ବାହାରି ଆସି କହିଲା ବୋଉ ଫଟୋ ମୁଁ ସେଠୁ ଉଠେଇ ନେଇଛି । ସେ କଳାଧଳା ଫଟୋଟା ବି ଡ୍ରଇଁଙ୍ଗ ରୁମ୍‌ର ସୌନ୍ଦର୍ଯ୍ୟ ବିଗାଡ଼ି ଦେଉଥିଲା । ସବୁ ଭଲ କଥାରେ ତମେ କାହିଁକି ସମସ୍ୟା ସୃଷ୍ଟି କର ମୁଁ ଜାଣି ପାରେନା ।

ଶେଷ ଥର ପାଇଁ ପାଟି ଖୋଲିବାକୁ ନିଜ ଭିତରେ ସାହସ ସଞ୍ଚୟ କରୁଥିଲେ ପୀତାମ୍ବର ।

– ତମେ ଦିହେଁ କାହିଁକି ରାଗୁଛ । ମୁଁ ଖାଲି ପଚାରୁଥିଲି ସେ ଫଟୋ ଗଲା କୁଆଡ଼େ ।

ହଉ ହେଲା । ଏ ଫଟୋ ସବୁ ଏଠି ବହୁତ ସୁନ୍ଦର ଦିଶୁଛି । ଏ କାନ୍ଥକୁ ମାନୁଛି । ସେକଳାଧଳା ଫଟୋଟାରେ କ’ଣ ଯେ ଥିଲା । କିନ୍ତୁ ସେ ଫଟୋ କୋଉଠି ରଖିଲ ?

ଫଟୋର ନୂଆ ଠିକଣା ପଚାରିଲା ବେଳେ ପୀତାମ୍ବରଙ୍କ କଣ୍ଠରେ କୋହମାନେ ମେଳି କରିବାରେ ଲାଗିଥିଲେ । ଆଉ ଅଧିକ ଶବ୍ଦମାନଙ୍କ ସମାହାରରେ ହୁଏତ କୋହସବୁ ଉଛୁଳି ପଡିବାର ଆଶଙ୍କା କରୁଥିଲେ ସେ । ବୋହୂ ଉତ୍ତର ଦେଲା, “ସେ ଫଟୋଟା ମୁଁ ବାଲକୋନିରେ ରଖି ଦେଇଛି ।”

ବାସ୍ ସବୁ କିଛି ନିଶବ୍ଦ ହୋଇଗଲା । ପୀତାମ୍ବର ଚୁପ୍ ହୋଇଗଲେ । ତାଙ୍କ ଭିତରେ ଆରମ୍ଭ ହୋଇଥିବା ବିଦ୍ରୋହକୁ ସେ ନିଜେ ଦମନ କରୁଥିଲେ । ମୃତ ପତ୍ନୀଙ୍କ ସ୍ମୃତିରକ୍ଷାପାଇଁ ଆରମ୍ଭ କରିଥିବା ଯୁଦ୍ଧରେ ସେ ପରାଜିତ ଏବଂ କ୍ଷତାକ୍ତ ମଧ୍ୟ ହୋଇ ସାରିଥିଲେ । ଏବେ ଛାତି ଭିତରେ ଯେଉଁ କ୍ଷତ ହୋଇଥିଲା ତାହା ବେଶି ଯନ୍ତ୍ରଣା ଦେଉଥିଲା ତାଙ୍କୁ । ନିଜ ଭିତରୁ ଝରି ପଡୁଥିବା ରକ୍ତକୁ ସାଉଁଟି ନେବାର କ୍ଷମତା ବି ନଥିଲା ତାଙ୍କର । କେବଳ ବାର୍ଦ୍ଧକ୍ୟ ନା ଆଉ କିଛି, କଣ ହୋଇପାରେ ତାଙ୍କ ଅସହାୟତାର କାରଣ । ଏପ୍ରଶ୍ନ ବି ନିଜକୁ ପଚାରି ଚାଲିଥିଲେ ସେ । ପୀତାମ୍ବର ନିଜକୁ ସମ୍ଭାଳୁଥିଲେ । ପୁଣି ଭାଳିହେଉଥିଲେ ପ୍ରାଣପ୍ରୀୟା ପତ୍ନୀଙ୍କ ଫଟୋକୁ କେମିତି ଉପଯୁକ୍ତ ସ୍ଥାନରେ ରଖିବେ ।

ରାତି ଅନେକ ହେଲାଣି । ପୀତାମ୍ବରଙ୍କ ଆଖିକୁ ନିଦ ନାହିଁ । ଦୀର୍ଘ ସମୟ ଧରିସେ ବସି ରହିଛନ୍ତି ବାଲକୋନିରେ । ନିଜେ ବସିଛନ୍ତି ଭଙ୍ଗା ପ୍ଲାଷ୍ଟିକ୍ ଚେୟାର ଉପରେ ମଧୁମତିଙ୍କ ଫଟୋକୁ ରଖିଛନ୍ତି ତିନି ଗୋଡ଼ିଆ ଖଟୁଲି ଉପରେ । ଏବେ ସେ ଆଉ ବାଲକୋନିରେ ଏକା ନୁହନ୍ତି । ତାଙ୍କ ନିଃସଙ୍ଗତାର ସାଥି ପାଲଟି ଯାଇଛନ୍ତି ମଧୁମତି । ବର୍ଷ ବର୍ଷ ଧରି ଏକା ବସିବାରେ ସେ ଅଭ୍ୟସ୍ତ ହୋଇଯାଇଥିଲେ । ଯାହା ସୁଖ ଦୁଃଖ ସବୁ ବାଲକୋନି ସହିତ ବାଣ୍ଟୁଥିଲେ । ଏଣିକି ମଧୁମତିଙ୍କ ସହ ସେ ନିଜର ସବୁ କିଛି ବାଣ୍ଟିପାରିବେ । କିନ୍ତୁ ଏ ବାଲକୋନିଟା ନଥିଲେ କଣ କରି ଥାଆନ୍ତେ ଯେ ସେ ? କେଉଁଠିବସିଥାଆନ୍ତେ । କାହା ସହ ସୁଖଦୁଖ ହୋଇଥାଆନ୍ତେ । ମନେ ମନେ ବାଲକୋନିକୁ ଧନ୍ୟବାଦଦେଉଥିଲେ ପୀତାମ୍ବର । ଅବସର ଜୀବନ ଜୀଉଁଥିବା ସବୁ ମଣିଷଙ୍କ ପାଇଁ ଲୋଡ଼ା ଏମିତିଗୋଟେ ଗୋଟେ ବାଲକୋନି । ଘରର ସବୁ ଭଙ୍ଗାରୁଜା ପୁରୁଣା ଜିନିଷର ଏଇଟା ହିଁ ତଠିକଣା । ମୁଁ କ’ଣ ସେମାନଙ୍କ ଭିତରେ ଜଣେ ନୁହେଁ । ତାହାହେଲ ମନ ଉଣା କାହିଁକି କରିବି । ନିଜକୁ ବୁଝାଇବାରେ ଲାଗିଥିଲେ ସେ । ରାସ୍ତା ଆରପଟେ ଗଛତଳେ ରିକ୍ସା ରଖି ସେଥିରେ ନିଜକୁ ମୋଡି ଜାକି ପଡିରହିଥିଲା ବୁଢ଼ା ରିକ୍ସାବାଲାଟା । ବୋଧହୁଏ ତା’ଘରେ ବାଲକୋନି ନାହିଁ । ସେଇଥିପାଇଁ ସେ ଏଠି ଏମିତି ଅସହାୟ ଭାବେ ପଡ଼ିରହିଛି । ହଁ ତାହା ହିଁ ହୋଇପାରେ । ରିକ୍ସାବାଲା ସହିତ ନିଜର ତୁଳନା କଲାବେଳେ ସେ ବଡ଼ଭାଗ୍ୟବାନ ମନେକରୁଥିଲେ ନିଜକୁ । ଗଛ ଫାଙ୍କ ଅତିକ୍ରମ କରି ବାଲକୋନିକୁ ଛିଟିକି ପଡିଥିଲା ଷ୍ଟ୍ରିଟ୍‌ଲାଇଟ୍ କେଇଧାର ଆଲୁଅ । ସେଥିରୁ ଗୋଟେ ଧାର ପଡ଼ିଥିଲା ମଧୁମତିଙ୍କମୁହଁ ଉପରେ । ପବନରେ ଭାସି ଆସୁଥିବା କିଛି ଅନାବନା ଶବ୍ଦ ପୀତାମ୍ବରଙ୍କ କାନରେବାଜୁଥିଲା । ତାଙ୍କୁ ଲାଗୁଥିଲା ମଧୁମତି ଯେମିତି କହୁଛନ୍ତି, “ଏଇ ମନ କାହିଁକି ଉଣାକରୁଛ, ମୁଁ ପରା ତୁମ ପାଖରେ ଅଛି । ଏଣିକି ଏ ବାଲକୋନି କେବଳ ତୁମର ନୁହେଁ, ମୋର ବି ।” ପୀତାମ୍ବର ନିରିଖେଇ ଚାହିଁଲେ ପାଖରେ ଥିବା ମଧୁମତିଙ୍କ ଫଟୋ ଆଡ଼େ । ତାଙ୍କ ପାଟିରୁ ବାହାରି ପଡିଲା ହଁ ଏ ବାଲକୋନି ଆମର । ଆମଭଳି ବୟସ୍କମାନଙ୍କର ।

ଲୋକପ୍ରିୟ ଲେଖା

To Top