ଗଳ୍ପ

ବୀରେଇ ବିଶାଳ

Byaasakabi Fakir Mohan Senapati's odia story Beerei Bishaal

ପାଳେ ତ ବାପର ମା’, ନୋହିଲେ ପାଳେ ତ ମା’ର ମା’ । ମା’ର ମା’ ଆଈ ନାହିଁ ସତ, ମାଇଁ ତ ଅଛି । ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଇଁ । ତା’ ମାଇଁ ତିନିଦିନ ହେଲା ଅନ୍ନ ଜଳ ଛୁଇଁ ନାହିଁ ।

ବୀରେଇ ବିଶାଳ

ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟାବୁଢ଼ୀ ସନ୍ନିପାତ ବେମାରୀରେ ଆଗ ପଛ ମାସକ ଅନ୍ତେ ଚାଲି ଯିବାବେଳେ ଗୋଟିଏ ମାତ୍ର ପୁଅ ବୀରେଇର ବୟସ ହୋଇଥିଲା ପାଞ୍ଚ ବର୍ଷ । ଲଙ୍ଗଳା ପିଲାଟା କିଛି ବୁଝେ ନାହିଁ । ବାପ ମା’ଙ୍କୁ କୋକେଇରେ ଘେନି ଯିବା ବେଳେ ଦାଣ୍ଡରେ ଭୂଇଁରେ ଗଡ଼ି ବାପା ଲୋ’ ମା’ ଲୋ’ ବୋଲି ଡକା ପାରୁଥାଏ । ଘରେ କେହି ନାହିଁ, କିଏ ବା ପିଲାଟାତୁ ସମ୍ଭାଳି ନେଉଛି । ବାର ମାସିଆ ମୂଲିଆ ତିନି ଜଣ ଥିଲେ ସତ, ହେଲେ ସେମାନେ କ’ଣ ଜାଣନ୍ତି, କ’ଣ କରିବେ । ତେବେ କ’ଣ ବୀରେଇ ଅନାଥ ହୋଇଯିବ । ନାହିଁ ନାହିଁ, ତିନି ପୁରୁଷର ଭିନ୍ନେ ହେଲା ଭାଇ, ଲେଖାରେ ବୀରେଇର ଖୁଡୁତା ଜେଡୁତା ଆଉ ମଉସା ପିଉସାମାନେ ଶୁଣି ଧାଇଁ ଆସିଲେ । ସେମାନଙ୍କର ଦୟାର ଶରୀର, ବୀରେଇର ବିକଳ କାନ୍ଦଣା ଶୁଣି ଧାଇଁ ଆସିଲେ । ସମସ୍ତେ ଏକାବେଳକେ ପିଲାକୁ ଝାଡ଼ିଝୁଡ଼ି ଦେଇ କାଖେଇ ନେବା ଲାଗି ଟଣାଟଣି କଲେ । ଟଣା ଓଟରାରେ ପିଲାକୁ ବାଧିଲାଣି, ଆହୁରି ଅଧିକ ବିକଳ ହୋଇ ଡକା ପକାଉଥାଏ । ସେ କଥା ଶୁଣୁଛି ବା କିଏ । ଦାଦି ପିଉସା ମଉସା ମଧ୍ୟ ବୋଲାବୋଲି ହୋଇଗଲା । ସମସ୍ତେ କହୁଛନ୍ତି, ମୁଁ ଥାଉଁ ଥାଉଁ ପିଲାକୁ ପାଳିବାର ଆଉ କାହାର ଅଧିକାର । ଗୋଳମାଳ ଶୁଣି ଗାଁ ଲୋକେ ବି ରୁଣ୍ଡ ହୋଇ ଗଲେଣି । ଛୁଆଟା ସମସ୍ତଙ୍କ ମୁହଁକୁ ଚାହୁଁଛି- ସମସ୍ତେ ତ ଅଛନ୍ତି, ମା’ ବାପା କାହାନ୍ତି ? ଏତିକିବେଳେ ପହଞ୍ଚିଗଲେ ପୀତେଇ ପାତ୍ରେ, ମାମୁଁ । ଧଇଁ ସଇଁ ହୋଇ ଧାଇଁଛନ୍ତି । ଦୂରରୁ ଡାକି ଦେଲେ, ଛାଡ଼ ଛାଡ଼, ଅଲଗା ହୋଇ ଯାଅ, ଛେଉଣ୍ଡକୁ ପାଳେ କିଏ ? ପାଳେ ତ ବାପର ମା’, ନୋହିଲେ ପାଳେ ତ ମା’ର ମା’ । ମା’ର ମା’ ଆଈ ନାହିଁ ସତ, ମାଇଁ ତ ଅଛି । ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଇଁ । ତା’ ମାଇଁ ତିନିଦିନ ହେଲା ଅନ୍ନ ଜଳ ଛୁଇଁ ନାହିଁ । ପିଲାଟା ଲାଗି ଡକା ପକାଇଛନ୍ତି । ଦୂତୀ ଅପା ଘଟଯିବା ବେଳେ ବାର ବାର କହି ଯାଇଛି, ବୀରେଇକୁ ତା’ ମାଇଁ ପାଳିବ । ଗୋଟାଏ କାମରେ ଆଉ ଗୋଟାଏ ଗାଁକୁ ବାହାରି ଯାଇଥିଲି, ଏଣେ ଏତେ କଥା ହୋଇଗଲାଣି, ମୋତେ ଜଣା ନାହିଁ । ନୋହିଲେ ସମସ୍ତଙ୍କୁ ମୁକାବିଲା କରାଇ ଦେଇଥାନ୍ତି । ପଞ୍ଚୁଆତ ବସିଲା, ସମସ୍ତେ ରଫା କରି ଦେଲେ । ପିଲାକୁ ପାଳିବା ମାମୁଁର ଅଧିକାର । ଲୋକଙ୍କ ମୁହଁରୁ କଥା ବାହାରିଛି କି ନାହିଁ, ମାମୁଁ ତ ଚିଲ ପରି ଝାମ୍ପ ମାରି ପିଲାକୁ କାଖେଇ ଘରକୁ ଧାଇଁଲେ । ବୀରେଇ ମାମୁଁକୁ କେଭେ ଦେଖିନାହିଁ । ନୂଆ ମଣିଷଟା କାହିଁ ଘେନିଯିବ ବୋଲି ମା’ ଲୋ’ ମା’ ଲୋ’ କରି ଆହୁରି ଡକା ପାରୁଥାଏ । ମାମୁଁ ବୀରେଇକୁ ଘେନି ଯାଇ ମାଇଁ ଗୁରୁବାରୀ ଜିମା କରିଦେଲେ, ତୁନି ତୁନି ଢେରଗୁଡାଏ କି କଥା କହିଲେ । ମାଇଁ ମୁରୁକି ମୁରୁକି ହସି ହସି କହିଲେ, “ଆରେ ବୀରେଇ ଆ’, ଚଣ୍ଡୀ ସଙ୍ଗରେ ଖେଳିବୁ ।” ଖଣ୍ଡିଏ ପୋଡ଼ପିଠା, ଚିମୁଟାଏ ଭଳି ଚିଟା ଗୁଡ଼ ହାତକୁ ବଢ଼ାଇ ଦେଲେ । ବୀରେଇ ଢେର ବେଳୁ ଖାଇ ନଥିଲା, ବଡ଼ ଭୋକିଲା ଥିଲା, ତେତିକି ଖାଇ ଦେଇ ଗୁଡ଼ାଏ ପାଣି ପିଇଦେଲା ।

ମାମୁଁ ପୀତେଇ ପାତ୍ରଙ୍କ ଘର ମାକଲପୁର । ମୁକୁନ୍ଦପୁରଠାକୁ ଅଧ କୋଶେ ଖଣ୍ଡେ ଛଡ଼ା । ଛେଉଣ୍ଡ ପିଲାଟି ଜାଣି ମାମୁଁ ଘରେ ପରମ ସୁଖରେ ରହିଲା, ତା’ ମାଲମତା ହେପାଜତ କରୁଛି କିଏ ? ପୀତେଇ ପାତ୍ରେ ଘକରଣା ଲୋକ । ତାଙ୍କ ନିଜ ବିଷୟ ତାଙ୍କୁ ଅସମ୍ଭାଳ । ଅଧକୋଶେ ଦୂରକୁ ଆସି ପିଲାର ମାଲମତା, ଘରକରଣା ଦେଖିଯିବାକୁ ବେଳ ନାହିଁ । ପାତ୍ରେ ନିହାତି ବ୍ୟାକୁଳ ହୋଇ ଗାଁ ଲୋକଙ୍କ ପାଖରେ ସବୁବେଳେ କହି ବୁଲୁଛନ୍ତି, ଏହି ଦିନ କେତେଟା ଭିତରେ ପିଲାଚଟାର ମାଲ ଗାଁ ଲୋକେ ଚୋରେଇ ଘେନି ଗଲେଣି । ସବୁ ମାଲଗୁଡ଼ିକ ଆପଣା ଘରକୁ ଘେନି ଯାଇ ନଜରରେ ନ ରଖିଲେ ସବୁ ବରବାଦ ହୋଇଯିବ । ସମ୍ପତ୍ତି ମଧ୍ୟରେ କେତେ ପୌଟି ଧାନ, ହଡ଼ାହଡ଼ି ଦି’ପୁଞ୍ଜା । ଏ ସବୁ ନଜରରେ ରଖିବାର କଥା । ବୋଇଲା, ଜୋରୁ, ଗୋରୁ, ଧାନ. . . ଏ ତିନି ନଜର ଗୁଜରାଣ ।

ପାତ୍ରଙ୍କୁ ଦିନବେଳେ ତର କାହିଁ । ଅଧ ରାତିରେ ଗାଁ ଲୋକେ ଖାଇ ଶୋଇଲା ବାଦେ ପାତ୍ରଙ୍କୁ ବେଳ ମିଳେ । ନିଜର ଥୋରି ବଳଦରେ ଲଦି ପିଲାର ମାଲଗୁଡ଼ିକ ଆପଣା ଘରକୁ ଘେନି ଆସନ୍ତି । ଗାଁ ଦିଗବାର କହି ବୁଲେ, “ପାତ୍ରେ ଦଶଗୋଟା ବଳଦରେ କୋଡ଼ିଏ ଦିନ ପର୍ଯ୍ୟନ୍ତ ଧାନ ଚାଉଳ, ଲୁଗାପଟା, କଂସା ବାସନ ଚିଜବସ୍ତ ସବୁ ବୋହିଥିଲେ ।” ଗାଁ ଲୋକେ ସେ କଥାକୁ ସତ ମଣିଲେ । ବିଶାଳର ଘର ପରି ଘରଟାଏ ଥିଲା । ତାହାର ଚାରିଟା ମରେଇରେ ଚାଳିଶ ପଚାଶ ଭରଣ ଧାନ ମଜୁଦ ଥିଲା, ଏ କଥାଟା ସମସ୍ତଙ୍କୁ ଜଣା । ଏ ବାଦ ମକ୍ରୁ ବିଶାଳ ଖାତକମାନଙ୍କୁ କୋଡ଼ିଏ ପଚାଶ ଭରଣ ସରିକି ଧାନ କରଜ ଦେଇଥିଲେ । ପାତ୍ରେ ମୂଳ କଳନ୍ତର ଅସୁଲ କରିନେଲେ, ବିଶ୍ୱାଏ ଧାନ କାହାରିକୁ ଛାଡ଼ି ଦେଇନାହାନ୍ତି । ସେ କହନ୍ତି, “ଛେଉଣ୍ଡ ମାଲ କିମିତି ଛାଡ଼ିବେ । ନିଜର ହେଲେ ଦଶ ଗୌଣୀ ଛାଡ଼ି ଦିଅନ୍ତେ ।”

ଆଉ ପାତ୍ରେ ଗାଁ ଲୋକମାନଙ୍କ ଆଗରେ ସବୁବେଳେ କହି ବୁଲନ୍ତି, ବିଶାଳଟା ବଡ଼ ସାହାଖର୍ଚ୍ଚି ଲୋକ ଥିଲା । ସବୁ ଖାଇ ପିଇ ଉଡ଼ାଇ ଦେଇଯାଇଛି, ଛେଉଣ୍ଡଟି ଲାଗି କିଛି ରଖିଯାଇ ନାହିଁ । ଘରକରଣା ଭିତରେ ଯାହା ଥିଲା ପଲାଣ ପାଣ୍ଠି ଦି’ଖଣ୍ଡ, ମୁଁ ତାକୁ ସଙ୍ଗାରେ ଉଠାଇ ରଖିଛି । ପିଲାଟା ପାରିଲେ ତା’ ଜିମା କରିଦେବି । ମୁଁ କ’ଣ ସେ ପଲାଣରେ ବାହିବି ? ରାମ ରାମ ! ମାଇଁ ପାଞ୍ଚ ମାଇକିନିଆଙ୍କ ଆଗରେ କହି ବୁଲନ୍ତି, “ମୋ ବୀରେଇ ଆଗ ତ, ଚଣ୍ଡୀ ପଛ । ତା ବାପର କିଛି ନ ଥିଲା ନାହିଁ, ମୋର କ’ଣ ଊଣା ଅଛି । ବସି ବସି କୋଡ଼ିଏ ବରଷ ଖାଉ ।”

ଦିନ ପାଣିସୁଅ ପରି ବହି ଯାଉଛି । ଦେଖୁ ଦେଖୁ ଚାରି ବର୍ଷ ଚାଲିଗଲାଣି । ଆସନ୍ତା ତୁଳା ଛ’ଦିନରେ ବୀରେଇର ଜନ୍ମଦିନ, ଆଠ ବର୍ଷ ପୂରି ଯାଇ ନ ବର୍ଷ ପଶିବ । ବୀରେଇ ଆଉ ମାମୁଁପୁଅ ଚଣ୍ଡିଆ ଅବଧାନଙ୍କ ଚାଟଶାଳୀରେ ବସିଛନ୍ତି । ବୀରେଇଟି ଧୀର, ପଢ଼ାରେ ବି ଖୁବ୍ ମନ । ଖଡ଼ିପାଠ ମିଶାଣ ଫେଡ଼ାଣ ହରିଗୁଣ ଛିଡ଼ାଇ ରାସ ପୋଥି ଧରିଛି । ଚଣ୍ଡିଆର ତେର ବର୍ଷ ପୂରିଗଲାଣି, ହେଲେ କ’ଣ, ଆଜିଯାଏ ଖଡ଼ିପାଠ ଓଡ଼ାଙ୍କ ବି ଛିଡ଼ିଲା ନାହିଁ । ମାଇଁର ଗୋଟିଏ ବୋଲି ଆଖି, ବଡ଼ ଗେଲ କରନ୍ତି । ମା’ ମୁହଁ ପାଇ ବଡ଼ ଉତ୍ପାତିଆ ହୋଇ ଗଲାଣି, ଘରୁ ବାହାରିଲା ତ ପାଞ୍ଚଘରୁ ଦଶ ବୋଲଣା ଆଣିବ- ଚାଲିଲା ଶଗଡ଼ରେ ହାତ ଦିଏ । ତା’ ନାମରେ କେହି କିଛି ଆସି ଗୁହାରି କଲେ ମା’ ପୁଅକୁ ଦାଣ୍ଟିବା ଥାଉ, ଓଲଟା ଗାଁ ଲୋକଙ୍କ ସଙ୍ଗରେ କଳି କରିବେ । ମା’ଙ୍କ ବିଶ୍ୱାସ, ଚଣ୍ଡିଆଟି ଦେଖିବାକୁ ବଡ଼ ସୁନ୍ଦର ବୋଲି ଗାଁ ମାଇକିନିଆଏ ହିଂସାରେ ସହିପାରନ୍ତି ନାହିଁ । ଚଣ୍ଡୀ ଚାଟଶାଳୀରେ ବି ବଡ଼ ଗୋଳମାଳ କରେ । ଆପେ ତ ପଢ଼େ ନାହିଁ, ପିଲାମାନଙ୍କ ସଙ୍ଗରେ ତୁଚ୍ଛାଟାରେ କଳି ଲଗାଏ, ମାର ଧର କରେ । ଦିନେ ଅବଧାନେ ସହି ନ ପାରି ବେତରେ ଖୁବ୍ ପରସ୍ତେ ବାଡ଼େଇ ଗଲେ, ପିଠିରେ ଲମ୍ୱ ଲମ୍ୱ ନୋଳା ବସିଗଲା । ମା’ ତା’ ଦେଖି ଖୁବ୍ ଡକା ପାରି କାନ୍ଦିଲେ । ଅବଧାନଙ୍କ ଚୌଦପୁରୁଷଙ୍କ ସକାଶେ ନିତାନ୍ତ କୁତ୍ସିତ ଦ୍ରବ୍ୟ ଖାଦ୍ୟ ବ୍ୟବସ୍ଥା, ଆଉ ନରକ ନାମକ ସ୍ଥାନକୁ ଯିବା ସକାଶେ ଆଦେଶ କଲେ । କହିଲେ, “ମୋର କ’ଣ ନାହିଁ ଯେ ପୁଅ ପାଠଟାଏ ପଢ଼ିବ । ଆରେ ମୋର ଯେ ବିଷୟ ଅଛି, ତିନି ପୁରୁଷ ବସି ଖାଉ ।” ଚଣ୍ଡୀର ପଢ଼ା ବନ୍ଦ । ସେ ତ ତାହା ଖୋଜୁଥିଲା । ଚଣ୍ଡୀ ଗାଁର ବାଉରି, ଧୋବା ଟୋକାମାନଙ୍କରେ ଦିନ ରାତି ବୁଲେ । ବାପେ କିଛି କାମ ପାଇଟିରେ ଲଗାଇଲେ, ମା’ ବାଘୁଣୀ ପରି ଗର୍ଜନ କରି କହନ୍ତି, “ମୋର ଦୁଧଖିଆ ଛୁଆଟା କାମ ପାଇଟି କରିବ କ’ଣ ମ । ନଅଟା ନା ଛଅଟା, ଗୋଟାଏ ବୋଲି ଆଖି, ସେ କ’ଣ ଭିଡ଼ କାମ କରିପାରିବ । ବୁଲୁଥାଉ ।” ବୀରେଇର ବି ପଢ଼ା ବନ୍ଦ । ମାଇଁ ଖପାଟାଏ ହୋଇ କହିଲେ, “ଏ ଅବଧାନଟା କିଛି ନୁହେଁ । କ’ଣ ବା ପଢ଼ାଏ, ମାସ ନ ପୁରୁଣୁ ଦୁଇ ଅଣା ପଇସା ଗଣ । ଫେର କ’ଣ ନା, ଆଜି ପଣକିଆ ଲେଖିବ, ପୁଜା ଲୋଡ଼ା-ସେରେ ଚାଉଳ ଗୁଆଟିଏ । ଦିନ ପନ୍ଦରଟା ଯାଇ ନାହିଁ ତ, ଓଡ଼ାଙ୍କ ଲେଖିବ, ଫେର୍ ପୂଜା । ନା ନା, ତା’ ହେବ ନାହିଁ ।” ଦୁଇ ଚାରି ଦିନ ବାଦେ ମାଇଁ ଦିନେ ମାମୁଁଙ୍କୁ ଡାକି କହିଲେ, ଦେଖ ତ, ଭେଣ୍ଡିଆଟା ଦିନକୁ ତିନି ବେଳ ଠୁଙ୍କିବ, ତୁଚ୍ଛାଟାରେ ଗାଁରେ ବୁଲିବ କିଆଁ । ଗାଈରଖା ଟୋକାଟାକୁ ବାହାର କରି ଦିଅ, ବୀରିଆ ଗାଈ ଜଗୁ । ମାମୁଁ ଟିକିଏ ମୋଡ଼ ମୋଡ଼ ହେଉଥିଲେ, ଡରରେ ପାଟି ଫିଟାଇ ପାରିଲେ ନାହିଁ । ବୀରେଇକୁ ଡାକି କଅଁଳେଇ କଅଁଳେଇ କହିଲେ, “ଆରେ ବାପ ବୀରେଇ । ଏହି ଯେ ଗୋରୁପଲ ଦେଖୁଛୁ ଏଗୁଡ଼ିକ ସବୁ ତୋର । ପର ଲୋକ ଭଲ ଚରାଉ ନାହାନ୍ତି, ଗାଈ ବଳଦଗୁଡ଼ାକ ହଡ଼ା ହୋଇ ଗଲେଣି । ପର ଲୋକର କ’ଣ ମାୟା ଥାଏ । ତୁ ଯା’, ଥଣ୍ଡେ ଥଣ୍ଡେ ଗଛ ମୂଳରେ ବସି ଗୋରୁ ଦି’ଟା ଦେଖିବୁ । କିଛି ମେହେନତ ନାହିଁ, ଖାଲି ଅଡ଼ାଇ ଘେନିଯିବୁ, ସଞ୍ଜବେଳେ ଆଣି ଗୁହାଳରେ ପୂରାଇ ଦେବୁ ।” ବୀରେଇ ପାଞ୍ଚଣ ଖଣ୍ଡେ ଧରି ଗୋରୁ ଚରାଇ ବାହାରିଲା । ଗାଁ ଲୋକେ କିଛି କହିଲେ, ମାମୁଁ ଜବାବ୍ ଦିଅନ୍ତି, ଆଚ୍ଛା ଛେଉଣ୍ଡର ଲାଞ୍ଜ ଦିଖଣ୍ଡ ପର ହାତରେ ପଡ଼ି ବୁଡ଼ିବାକୁ ବସିଲା, ତା’ ନିଜ ମାଲ ନିଜେ ଦେଖୁ । ସତକୁ ସତ ଗୋରୁପଲଟା ଏକା ବୀରେଇର । ତାହା ବାପ ମରିବାବେଳେ ମାଈ ଅଣ୍ଡିରା- ଛଡ଼ା- ଦାମୁଡ଼ି ଦୁଇ ବୋଡ଼ି ଭଳି ଗୋରୁ ମାମୁଁ ଗାଁ ମଝି ଗୋହିରିରେ ଅଡ଼ାଇ ଆଣୁଥିବା ଗାଁ ଲୋକ ସମସ୍ତେ ଦେଖିଛନ୍ତି ।

ଆହୁରି ବି ଆଠ ନ ବର୍ଷ ଗଲାଣି, ବୀରେଇର ଉଛୁଣିକା ଅଠର ବର୍ଷ ବୟସ । ପିଲାଟା ନା ଆଉ କ’ଣ ? ହେଲେ କାମ ପାଇଟି କି ବଡ଼ ପାରିଲା । ମାମୁଁ ବାଟି ସଂଖ୍ୟା ଚାଷ, ଯୋଡ଼ାଏ ବାରମାସିଆଙ୍କୁ ଧରି ସବୁ ସମ୍ଭାଳିଛି । ଏବେ ମାମୁଁ ଚାଷକାର୍ଯ୍ୟଟା ତୁଚ୍ଛା ଉପରେ ଉପରେ ଦେଖନ୍ତି । ବୀରେଇ ଦେଖିବାକୁ ଯେମନ୍ତ ଡୌଲ, କଥାଗୁଡ଼ିକ ବି ଖୁବ୍ ମଧୁର । ଦେହରେ ବାଘ ପରି ବଳ । ଦିନେ ପାଣ୍ଡେଇ ପାତ୍ର ସାନ ଝିଅ କମଳୀକୁ ଗୋଟାଏ ମାରଣା ବଳଦ ବିନ୍ଧିବାକୁ ଗୋଡ଼ାଇଥିଲା- ବୀରେଇ ବଳଦର ଲାଞ୍ଜ ଧରି ଭିଡ଼ି ରଖିଲା । ଗାଁର କି ପୁରୁଷ କି ସ୍ତ୍ରୀ ସମସ୍ତେ ବୀରେଇକୁ ଭଲ ପାଆନ୍ତି, ଖୁବ୍ ପ୍ରଶଂସା କରନ୍ତି । ହେଲେ ସେ ପ୍ରଶଂସାଟା ମାଇଁ ଶୁଣିଲେ ଖପା ହୋଇଯାନ୍ତି, ଲୋକଙ୍କ ସାଙ୍ଗରେ କଳି କରନ୍ତି । ଚଣ୍ଡୀର ପ୍ରଶଂସା କଲେ ମାଇଁ ମନ ବଡ଼ ଖୁସି ।

ଚଣ୍ଡୀ ସଞ୍ଜ ସକାଳ ଘରେ ପଶେ ନାହିଁ, ପାଞ୍ଚ ସାତଟା ବୁଲା ଟୋକା ସଙ୍ଗରେ ଦିନ ରାତି ବୁଲୁଥାଏ । ସେମାନଙ୍କ କାମ ଗଛଚଢ଼ା, ବାଗୁଡ଼ିଖେଳ, ଚୌପଟ ଖେଳ, ଗଞ୍ଜେଇ ଭିଡ଼ା । ହାଲକୁ ଗୋଟାଏ ମଦତ ଖଟି ଜାରି କଲାଣି । ଅଳି କରି କାନ୍ଦି ଡରାଇ ହରାଇ ମା’ ପାଖରୁ ଟଙ୍କା ପଇସା ନିଏ, ଆପଣା ଗୋଠରୁ କୋଡ଼ିଏ ପଚିଶ ଟଙ୍କାର ଦାମୁଡ଼ି ଗୁଡ଼ାକ ଗୁଆଲାଙ୍କୁ ଦୁଇ ଚାରି ଟଙ୍କାରେ ବିକି ଦିଏ । ଚାକିରୀଆମାନଙ୍କ ସଲାରେ ଆପଣା ଘର ମରେଇରୁ ଧାନ ଚୋରି କରି ବିକିଦିଏ । ମା’ ଜାଣି ପାରି ବି ପୁଅ ଦୋଷ ଲୁଚାଏ । ମା’ ଡରରେ ବାପ କିଛି କହିପାରେ ନାହିଁ । ମା’ ଆଗେ ଲୁଚା ଚୋରା କରି ଚଣ୍ଡୀକୁ କିଛି କିଛି ଟଙ୍କା ପଇସା ଦେଉଥିଲେ । ଏବେ ହାତ ଖାଲି । ଚଣ୍ଡୀ ଟଙ୍କା ପଇସା ନ ପାଇ ମା’କୁ କେତେଥର ମାଡ଼ ଦେଲାଣି । ହେଲେ ମା’ ମାଡ଼ ଖାଇ ତୁନି ହୋଇ ରହେ, ବାପା ଆଗରେ କିଛି କହେ ନାହିଁ ।

ଗାଁ ଲୋକ ପାଞ୍ଚ ଜଣ ବୀରେଇକୁ କହିଲେ, “ଆରେ ବୀରେଇ । ତୁ କ’ଣ ମାମୁଁ ଘରେ ସବୁଦିନେ ପେଟ ଭାତରେ ରହିଥିବୁ, ଆପଣାର ସଂସାର କରିବୁ ନାହିଁ ?” କଥାଗୁଡ଼ାକ ବୀରେଇ ମନକୁ ଭଲ ପାଇଲା । ସେ ଏବେ ସବୁ କଥା ବୁଝିଲାଣି । ମାମୁଁ ମାଇଁ କାମର ପିଆରା । ଖିଆପିଆ ସବୁ କଥାରେ ପୁଅ ଉପରେ ମାମୁଁ ମାଇଁଙ୍କର ଯେ ଶ୍ରଦ୍ଧା, ତା’ ଉପରେ ତା’ର କଣିକାଏ ବି ନାହିଁ । ଦେଢ଼ ହଜାର ଟଙ୍କା ଖରଚ କରି ପୁଅକୁ ବିଭା କଲେ, ତାହା ବିଭାର ନାମ ଚର୍ଚ୍ଚା ନାହିଁ । ଦିନ ରାତି ହାଡ଼ ଭାଙ୍ଗି ଯାହା ଅର୍ଜି ଆଣୁଛି, ଚଣ୍ଡୀ ଗଞ୍ଜେଇ ମଦ ତ ଖାଇ ସବୁ ଉଡ଼ାଇ ଦେଉଛି । ମାମୁଁ ମାଇଁ କିଛି ବୋଲିବାକୁ ନାହାନ୍ତି । ନିଶ୍ଚେ ସେ ଘରକରଣା ଉଜାଡ଼ି ଦେବ ।

ତା’ପରେ

ଲୋକପ୍ରିୟ ଲେଖା

To Top