ଗଳ୍ପ

ବିରେଇ ବିଶାଳ

Byaasakabi Fakir Mohan Senapati's odia story Beerei Bishaal

ଆଜି ଶୁଣାଗଲା ଶାମଲ୍ ଘର ବଳଦ ଚୋରି ତ, କାଲି ପରିଡ଼ା ଘର ଯୋଡ଼ାଏ ଗାଈ ମିଳୁନାହାନ୍ତି । ମାସ ଛଅଟା ମଧ୍ୟରେ ଦଶ ପାଞ୍ଚ ଗଣ୍ଡା ଗୋରୁ ଚୋରି ଗଲାଣି । ଗାଁଯାକ ଡକା ପଡ଼ିଗଲା ।

ବିରେଇ ବିଶାଳ

-: ପୂର୍ବରୁ :-

ବୀରେଇ ତ ଘରକୁ ଡାଙ୍ଗୁଆ ମଣିଷ, ବର କନ୍ୟାକୁ ବନ୍ଦାଇ ନେଉଛି କିଏ ? ବୀରେଇ ଖୁଡ଼ୀ, ମାଉସୀ, ଅପା ପାଞ୍ଚଜଣ ଏହିଅଙ୍କୁ କହି ଆସିଥିଲା । ଅଡ଼କରାରେ ଗାଁ ମାଇକନିଆମାନେ ବି ଧାଇଁ ଆସି ବିରେଇ ଘରେ ଭର୍ତ୍ତି ହୋଇ ଯାଇଛନ୍ତି । କନ୍ୟାଟି ଦୋଳମୁକୁଟ ମୁଣ୍ଡରେ କଜଳପାତିଟି ଧରି ନଇଁ ନଇଁ ଆଗରେ ଚାଲିଛି, ଖିଲକାତିଟିଏ ନଡ଼ିଆଟିଏ ଧରି ବର ପଛରେ । ଭଣ୍ଡାରୁଣୀଟା ଆଗେ ଦେଖି ପକାଇଲା, କନ୍ୟାର ପେଟଟା ବାହାରି ପଡ଼ିଛି, ନସରପସର ହୋଇ ଚାଲୁଛି, ଭଲ କରି ଚାଲି ପାରୁନାହିଁ । ଭଣ୍ଡାରୁଣୀ ଆଉ ପାଞ୍ଚ ମାଇକିନିଆଙ୍କ ବାହୁ ଟିପି ଦେଇ ଖାଇଲା ହାତ ଆଙ୍ଗୁଳି ବଢ଼ାଇ କ’ଣ ଦେଖାଇ ଦେଲା । ସବୁ ଅହିଅଯାକ କନ୍ୟାକୁ ଛାଡ଼ି ଅଲଗା ହୋଇଗଲେ, ଟୋକୀଗୁଡ଼ାକ ହସି ହସି କେହି ହାୟ ହାୟ କରି ଆପଣା ଘରକୁ ପଳାଇ ଗଲେ । କେହି କହୁଥାଏ ପାଞ୍ଚ ମାସ, ଜାଣିବା ମାଇକିନିଆମାନେ ଠିକ୍ କରିନେଲେ, ସାତ ମାସରୁ ଊଣା ନୁହେଁ । ହାମଦରଦୀ ମାଉସୀ ପିଉସୀମାନେ ଘରକୁ ଯାଇ କାନ୍ଦିବାକୁ ବସିଗଲେ । ହାୟ ! ହାୟ ! ଛୁଆଟା ଅଭିଆଡ଼ା ଥିଲା ତ ଥିଲା, ସର୍ବସ୍ୱ ସାରି ସାତପୁରୁଷକୁ ନରକକୁ ଦେଲା । ଘର ଶୂନଶାନ, ବୀରେଇ ଗାଲରେ ହାତ ଦେଇ କାନ୍ଥକୁ ଆଉଜି ବସିଛି । କମଳୀ କବାଟ ଉହାଡ଼ରୁ ଜିଭରେ ଚୁଁ-ଚୁଁ କରି ବୀରେଇକୁ ହାତ ଠାରି ପାଖକୁ ଡାକିଲା । ପେଟ ଉପରେ ମୁଣିଏ ଟଙ୍କା, ତା’ ଉପରେ ଯୋଡ଼ାଏ ବେଢ଼ାଣ ଖଦୀ କଷି ଗୁଡ଼ିଆ ହୋଇଛି, ଫିଟାଇ ପକାଇ ଝଣ କରି ଥଳିଟା ତଳେ ପକାଇ ଦେଲା । ବୀରେଇ ଯେମନ୍ତର ସ୍ୱପ୍ନ ଦେଖୁଛି ସ୍ୱର୍ଗର ଦେବୀଟିଏ ଓହ୍ଲାଇ ଆସିଲେ । ପଚାରିଲା, ଏ କ’ଣ ? କମଳୀ କହିଲା, “ଏ ତୁମ ଟଙ୍କା, ବଳଦ ଗାଈ ପାଣ୍ଠି ପଲାଣ ଯାହା ବିକିଛ, ଟଙ୍କା ଦେଇ ଆଗେ ଫେରାଇ ଆଣ, ତା’ ବାଦେ ଏ ଘରେ ପାଣି ଛୁଇଁବି ।” ବୀରେଇ ଗଣି ଦେଖିଲା, ପୁରା ହଜାରେ ଟଙ୍କା । ପଚାରିଲା, ଆଉ ତିନିଶ କ’ଣ ? କମଳୀ କହିଲା, “ଦୁଇ ଅପାଙ୍କୁ ବିକି ଯେ ଟଙ୍କା ବାପା ପାଇଥିଲା, ଦଶମାଣ ବିଲ କିଣିଛି, ବାକି ତିନିଶ ଅଛି । ଅପାମାନେ ବଡ଼ ଦୁଃଖରେ ଅଛନ୍ତି, ଏତକ ଟଙ୍କା ଉଛୁଣିକା ସେମାନଙ୍କ ପାଖକୁ ପଠାଇ ଦିଅ ।”

ଉପର ଓଳି ଗାଁ ଗୋହିରୀ ମଝିରେ ରାଘବ ପାତ୍ରେ ଡକା ପକାଇ ବାୟା ପରି ଧାଇଁଛନ୍ତି । ବୀରେଇ ଦୁଆରେ ଡକା ପକାଇ ପରସ୍ତେ ଗଡ଼ିଲେ, ଖାଲି କହୁଛନ୍ତି, କମଳୀ ମୋ ବେକରେ ଛୁରୀ ମାରିଲୁ, ମୋ ଟଙ୍କା ଦେ । କମଳୀ କହିଲା, “ବାପା ! ତୋର କି ଟଙ୍କା ? ମୋ ଟଙ୍କା ମୁଁ ଆଣିଛି ।” ଗାଁ ଲୋକେ ଶୁଣି ଧାଇଁଲେ । ସେମାନେ ରାଘବ ପାତ୍ର ଉପରେ ଆଗରୁ ବଡ଼ ଖପା ହୋଇଥିଲେ । ତିନି ତିନିଟା ଝିଅ ତିନି ହଜାରରେ ବିକିଲା, ସେମାନଙ୍କ ମୁହଁରେ ମୁଢ଼ି ଗୁଣ୍ଡିଟାଏ ବି ବାଜି ନାହିଁ । ବିଭାବେଳେ ନାନ୍ଦୀମୁଖୀ ଆଉ ତିଳକାଞ୍ଚନ ଦକ୍ଷିଣା ବିଷୟରେ ପୁରୋହିତଙ୍କ ସାଙ୍ଗରେ କିଛି ବୋଲାବୋଲି ହୋଇଥିଲା । ସେ ତ ଆଗରୁ ନିଆଁ ହୋଇଥିଲେ । ପହଞ୍ଚିଯାଇ ହୁକୁମ ଦେଲେ, ମାର ଚଣ୍ଡାଳ ମାଉଁସବିକାକୁ । ପାତ୍ରେ ଦେଖିଲେ ଗ୍ରାମ ଲୋକେ ସମସ୍ତେ ମାର ମାର କହି ଧାଇଁଛନ୍ତି, ତାଙ୍କ ପଟକୁ କେହି ନାହିଁ । ଯୋଡ଼ାଏ ତିନିଟା ଧକା ବିଧା ଚାପୁଡ଼ା ବି ବାଜିଗଲାଣି । ଟଙ୍କା ମାଗିବେ କ’ଣ, ଘରମୁହାଁ ଧାଇଁଛନ୍ତି । ପିଲାଗୁଡ଼ାକ ହାତତାଳି ଦେଇ ପଛରେ ଧାଇଁଛନ୍ତି, ପାତ୍ରଙ୍କ ଉପରେ ଢେଲା ଧୂଳି ବୃଷ୍ଟି ହେଉଛି, ତିନି ଜାଗା ହାବୁଡ଼ି ପଡ଼ି ଆଣ୍ଠୁ ଗଣ୍ଠି ଛିଡ଼ିଗଲାଣି । ପାତ୍ରଙ୍କୁ ଦିନବେଳେ ଆଉ କେହି କେବେ ଗାଁ ଦାଣ୍ଡରେ ଦେଖିନାହିଁ । କମଳୀ ନାମରେ ଧନ୍ୟ ଧନ୍ୟ ପଡ଼ିଗଲା ।

ବୀରେଇ ବାହାରି ଆସିବା ଦିନଠାରୁ ମାମୁଁ, ମାଇଁ ବଡ଼ ବେହାଲରେ ପଡ଼ିଲେଣି । ଆଗେ ବୀରେଇ ଡରରେ ଚଣ୍ଡୀ ଗୋଠରୁ ଗୋରୁ ବା ମରେଇରୁ ଧାନ ଲୁଚା ଚୋରା କରି ବିକୁଥିଲା, ଏବେ ଡାକଫୁକାର ଦିନବେଳେ ବିକି ଦେଉଛି । ବାପ ମା’ କିଛି କହିଲେ ବାଡ଼େଇବାକୁ ଧାଏଁ, ସେମାନେ ଡରରେ କିଛି କହି ପାରନ୍ତି ନାହିଁ । ପୁଅଟା କଥା କାହାକୁ ବା କହିବେ, ତୁନି ହୋଇ ପଡ଼ିଥାନ୍ତି । ବର୍ଷ ଦୁଇଟା ଭିତରେ ଅଢ଼େଇ ବୋଡ଼ିଆ ପଲଟାରେ ଛଡ଼ା ଲାଞ୍ଜ ଖଣ୍ଡେ ବି ନାହିଁ । ଗଛ ପରି ତିନିଟା ମରେଇ ଝାଡ଼ଝୁଡ଼ । ଏଣେ ଚାଷଟା ବି ସେହିପରି । ଶ୍ୱାସ ବେମାରିଟା ପାତ୍ରଙ୍କୁ ବଳି ପଡ଼ିଲାଣି, ପିଣ୍ଡାରୁ ଓହ୍ଲାଇବାକୁ ନାହିଁ, ବିଲବାଡ଼ି ଯିବେ କ’ଣ ? ଚଣ୍ଡୀ ତ ମୌଜରେ ଲାଗିଛି, ବିଲକୁ ଯିବ କ’ଣ ? ଚାଷଗୁଡ଼ିକ ମୂଲିଆଙ୍କ ଜିମା, ମୂଲିଆ ଦଶ ଗୌଣୀ ବୁଣିବାକୁ ଘେନିଗଲେ ତ ପାଞ୍ଚଗୌଣୀ ପଡ଼ିଲା ବିଲରେ, ଆଉ ପାଞ୍ଚ ଗୌଣୀ ମୂଲିଆଣୀର ଢେଙ୍କିଶାଳରେ । ପାତ୍ରଙ୍କ ପାଖରୁ ମୂଳ ନେଇ ଆପଣାର ବିଲ ବାଛି ଯା’ନ୍ତି । ଏଥିରୁ ଯାହା ଚାଷ ହେବ, ସମସ୍ତଙ୍କୁ ଜଣା । ବୋଇଲା-

ଆପେ ଚଷିବୁ ପୂରା ଚାଷ
ଛତା ଯୋତା ଅଧା ଚାଷ,
ମୂଲିଆ ଚାଷ ଫସରଫାସ ।

ଯେ କେତେ ପୁଞ୍ଜା କଳେଇ ଖଳାକୁ ଆସେ, ଖଜଣାକୁ ନିଅଣ୍ଟ ।

ଏତିକିବେଳେ କ’ଣ ହେଲା କି ଗାଁରୁ ଢେର୍ ବଳଦ ଗାଈ ଚୋରି ଗଲା । ଆଜି ଶୁଣାଗଲା ଶାମଲ୍ ଘର ବଳଦ ଚୋରି ତ, କାଲି ପରିଡ଼ା ଘର ଯୋଡ଼ାଏ ଗାଈ ମିଳୁନାହାନ୍ତି । ମାସ ଛଅଟା ମଧ୍ୟରେ ଦଶ ପାଞ୍ଚ ଗଣ୍ଡା ଗୋରୁ ଚୋରି ଗଲାଣି । ଗାଁଯାକ ଡକା ପଡ଼ିଗଲା । ଚୋର ଧରିବା ଲାଗି ଗାଁଯାକ ତୁନି ତୁନି ବିଚାର କରି ଛକଛାକରେ ରହିଗଲେ ।

ଦିନେ ଅଧରାତି ବେଳେ ପାଣ୍ଡିଆ ପାତ୍ର ପୁଅ ଚଣ୍ଡିଆ ଆଉ ଚାରି ଜଣ ବାଉରି ଟୋକା ଯୋଡ଼ାଏ ବଳଦ ବାନ୍ଧି ଘେନି ବିଲ ମଝିରେ ଯାଉଥିଲେ, ଗୋଟାଏ ଲୋକ କୁହାଟଟାଏ ମାରିଦେଲା, କୋଡ଼ିଏ ତିରିଶ ଜଣ ଚାରି ପଟରୁ ବେଢ଼ି ଗଲେ । ଆଉ ଚୋର କାହିଁ ଯିବେ । ଲଙ୍ଗଳ ଦଉଡ଼ାରେ ବାହୁକୁ ବାହୁ ଛନ୍ଦି କାଠମୁଠିଆ କରି ବାନ୍ଧି ପକାଇଲେ । ମାଡ଼ ତ ମାଡ଼, ଚୋରଗୁଡ଼ାଙ୍କ ଚେତା ବୁଡ଼ିଗଲାଣି । ଚୌକିଆ ଗୋରୁ ସହିତ ଚୋରମାନଙ୍କୁ ଥାନାକୁ ଘେନିଗଲା । ଚୋର ମା’ ଲାଜରେ ନ କାନ୍ଦେ, ପାତ୍ର ପାତ୍ରାଣୀ ବୁଢ଼ା ବୁଢ଼ୀ ଯୋଡ଼ିକ କବାଟ ଦେଇ ଘର ଭିତରେ ଧକେଇ ଧକେଇ କାନ୍ଦୁଛନ୍ତି । ଗାଁ ଗୋଟାକ ବାଡ଼େ, ହେଲେ ବୀରେଇ ମାମୁଁ ମାଇଁଙ୍କର ବିକଳ ସହିପାରିଲା ନାହିଁ । ସହର କଚେରିକୁ ଧାଇଁଲା, ଟାଣୁଆ ଟାଣୁଆ ଓକିଲ ମୁକ୍ତାର ଯୋଡ଼ାଏ ଦେଲା, ଖୁବ୍ ଲଢ଼ିଲା । ଚମାଲ ଗ୍ରେପ୍ତାର, ଆଉ କ’ଣ ରକ୍ଷା ଅଛି, ଚଣ୍ଡିଆର କଠିନ ପରିଶ୍ରମ ସହିତ ମିଆଦ ଦେଢ଼ ବର୍ଷ ।

ବିପଦ ଯେ ସଞ୍ଜୁଆ ଅନ୍ଧାରପରି ଚାରି ଆଡୁ ମାଡ଼ି ଆସେ । ଚଣ୍ଡୀ ବିଭାଘରକୁ ପାତ୍ରେ ମଧୁସାହୁ ମହାଜନକୁ ଗୁଜା ଲେଖିଦେଇ ପାଞ୍ଚଶ ଟଙ୍କା କରଜ ଆଣିଥିଲେ । ପାତ୍ରଙ୍କ ମରେଇରେ ଢେର ଧାନ ଥିଲା, ପାତ୍ରେ ସେ ଧାନ ବିକିଦେଇ ଦେଣା ଶୁଣିବାକୁ ବସିଥିଲେ, ପାତ୍ରାଣୀ କରିବାକୁ ଦେଲେ ନାହିଁ । କହିଲେ, ବିରେଇ ବିଲରୁ ଯେ ଧାନ ଆସିବ, ଅଲଗା ଅଲଗା ଖଳା ମୁଣ୍ଡରେ ବିକି ଦେଇ ଦେଣା ଶୁଝା ହେବ । ବୀରେଇ ତ ତାହାର ବିଲ ଘେନିଗଲା, ଚାଷରୁ ତ ଧାନ ମିଳିଲା ନାହିଁ, ଦେଣାଟା ବଢ଼ିଗଲା । କଳନ୍ତର ଆଗରେ ଘୋଡ଼ା ଦଉଡ଼ି ପାରେ ନାହିଁ । ମହାଜନ ମୂଳ କଳନ୍ତର ମାମଲା ଖର୍ଚ୍ଚା ବାରଶ ଟଙ୍କାତକ ଡିଗ୍ରୀ କରି ରଖିଥିଲା, ଏତିକିବେଳେ ପାତ୍ରଙ୍କ ଘରଦୁଆର ସହିତ ବିଲବାଡ଼ି ନିଲାମ କରି ନେଇ ପାତ୍ର ପାତ୍ରାଣୀଙ୍କୁ ଘରୁ କାଢ଼ି ଦେଲା । ମଳିଆ ଚିରକୁଟ ଲୁଗା, ଦେହରେ ଅଧଆଙ୍ଗୁଳିଏ ବହଳ ମଳି, ଖଡ଼ିଗାର କାଟି ଯାଉଛି । ଗେଧ ଗେଧୁଣି ପରି ଯୋଡ଼ାକଯାକ ଦଣ୍ଡ ବରଗଛ ମୂଳରେ ପଡ଼ିଛନ୍ତି ।

ବୀରେଇ ଶୁଣି ଧାଇଁଲା । ଦେଖିଲା, ମାଇଁର ଚେତା ନାହିଁ, ମାମୁଁ ବେକ ଭାଙ୍ଗି ଆଣ୍ଠୁ କୁଣ୍ଢେଇ ବସିଛନ୍ତି । ବୀରେଇ କାହାରିକୁ କିଛି ନ କହି ମାଇଁକୁ ଲାଉ କଲା, ମାମୁଁ ହାତ ଧରି ଧୀରେ ଧୀରେ ଆପଣା ଘରକୁ ଘେନି ଆସିଲା । ବୀରେଇ କମଳୀ ଦୁଇ ଜଣ ଦୁଇ ଗିନା ତେଲ ଲଗାଇ ଦେଇ ଦୁଇଜଣଙ୍କୁ ଗାଧୁଆ ପାଧୁଆ କରାଇ ଦେଇ ଦୁଇଖଣ୍ଡ ଧୋବ ଲୁଗା ପିନ୍ଧାଇ ଦେଲେ । ମାଇଁ ତଣ୍ଟିରେ ଭାତ ଗଳୁ ନାହିଁ । କମଳୀ ଅଧସେରେ ସରିକି ଦୁଧରେ ମୁଠାଏ ଭାତ ଚକଟି ପିଆଇ ଦେଲା ।

ଲୋକପ୍ରିୟ ଲେଖା

To Top