ଗଳ୍ପ

ବେଇମାନ୍ ବିପ୍ଳବ ଦାସ

ଝାମ୍ପ ପାଗେଳି ସତ; କିନ୍ତୁ ତା’ ଦେହର ଚମକ ତଥାପି ଯାଇନି । ଭାସିଲା ଆଖି ହଳକ ଏବେବି ସତେଜ ଆଉ ଜୀବନ୍ତ ଲାଗନ୍ତି । ଓଠର ରଙ୍ଗ ଫିକା ପଡ଼ିଚି, ଦେହହାତ ମଳିଆ ଦିଶୁଚି, ହେଲେ ଦେଖଣାହାରୀ ଘଡ଼ିଏ ଚାହିଁଲା ପରି ତଥାପି ତା’ ଠେଇଁ କିଛି ଅଛି ।

ବେଇମାନ୍ ବିପ୍ଳବ ଦାସ

ଦେଖ ଆସିଗଲେ ଆମ ନେତା । ଆସି ପହଞ୍ଚିବା ମାତ୍ରେ ଆରମ୍ଭ ହୋଇଯିବ ଲମ୍ୱା ଭାଷଣ । ଗାଁରେ ଏଥର ପାଞ୍ଚଟା ଟ୍ୟୁବଲ ବସେଇବି, ବିସିବିଲ ପାଟ ମଝିରେ ଗୋଟେ ବଡ଼ ବାମ୍ଫି ଖୋଳା ହେବ, ବର୍ଷାଦିନ ପୂର୍ବରୁ ଗାଈଗୋରୁମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଷେଧକ ଟିକା ବ୍ୟବସ୍ଥା କରିବା ପାଇଁ ପଡ଼ିବ । ପଞ୍ଚାୟତ ପୋଖରୀରୁ ଦଳ ସଫା କରି ହାଇବ୍ରିଡ୍ ମାଗୁର ଯାଆଁଳ ଛାଡ଼ିବା ପାଇଁ ସବୁ ଯୋଜନା ସରିଛି । ଏସବୁ ନ କଲେ ଗାଁର ଉନ୍ନତି ହେବ କେମିତି ? ଶଳା ନେତା ସାଜିଛି । ଏକା ନିଃଶ୍ୱାସରେ ଏତକ କହିପକାଇଲା ମନୁ ପ୍ରଧାନ । ତା କଥାରେ ପୂର୍ଣ୍ଣଚ୍ଛେଦ ପକାଇବାର ସୁଯୋଗ ନ ଦେଇ ତା’ର ପାନ ଦୋକାନକୁ ଶାଗୁଣା ପରି ବେଢ଼ିଥିବା ଭେଣ୍ଡାପଲଟା ନାଲିଆ-କାଳିଆ ପାନଖିଆ ଭଙ୍ଗା ଦାନ୍ତ ଦେଖଆଇ ଫେଁ – ଫାଁ ହୋଇ ହସି ଉଠିଲେ ।

ମନୁ ଦୋକାନରେ ଏ ଭେଣ୍ଡିଆମାନଙ୍କ ଭିଡ଼ ବର୍ଷକ ବାରମାସ ତିନିଶହ ପଞ୍ଚଷଠି ଦିନ ଲାଗିରହିଥାଏ । ହାଟ ଉପରେ ମନୁର ପାନଦୋକାନ । ମେଳକସାହି ଭିତରକୁ ପଶିଗଲାବେଳେ ସାହି ମୁହଁରେ ହାଟପଡ଼ିଆ । ପଡ଼ିଆରେ ଦୁଇ-ଚାରିଟା ବୁଢ଼ୀ ବରଗଛ ଓ କେତେଟା ବରଡ଼ାପତର ଛୁଆଣି ଚାଳିଆ । ହାଟ ପଡ଼ିଆକୁ ଲାଗି ଚାରି-ପାଞ୍ଚଟା ଦୋକାନ । ସେଥିମଧ୍ୟରୁ ଗୋଟାଏ ଭୁଷାମାଲ୍ ଦୋକାନ, ଦୁଇଟା ଚା’ ଦୋକାନ ଓ ଦୁଇଟା ପାନ ଦୋକାନ । ମେଳକ ସାହି ଲୋକମାନଙ୍କର ମୌଳିକ ଆବଶ୍ୟକତା ଅତି ସହଜରେ ପୂରଣ କରିପାରନ୍ତି ଏଇ ଦୋକାନ କେଇଟା । ଏସବୁ ଦୋକାନ ଭିତରୁ ମନୁ ଦୋକାନରେ ବେଶୀ ଭିଡ଼ । କାରଣ ତା’ ଦୋକାନ ଚାଳି ଉପରେ ସାଇକେଲ୍ ରିମ୍ ବାନ୍ଧି ମନୁ ଗୋଟିଏ ଟିଭି ଚଲେଇବା ବ୍ୟବସ୍ଥା କରିଛି । ଖାଲି ସେତିକି ନୁହେଁ, ତା’ ପାଖରେ ଆଉ ଗୋଟେ ଜିନିଷ ଅହରହ ମିଳେ । ଗାଁ ଟୋକାଙ୍କ ଅଣ୍ଟାକୁ ଓ ଦେହକୁ ସୁହାଇଲା ଭଳି ସମସ୍ତ ଚାଲୁ ନିଶା ବିକିବାର ଓସ୍ତାଦ୍ ହେଉଛି ମନୁ । ଯୋଉବର୍ଷ ଗାଁରେ ଧୋଇ ମରୁଡ଼ି ହୁଏ, ଭେଣ୍ଡାପଲଙ୍କୁ ସେ ବର୍ଷ ପାଳକ । ବାପଅଜା ଦାନା ପାଇଁ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ବିଲ କାମ ନ ଥିବାରୁ ହାଟ ପଡ଼ିଆରେ ଟୋକାଙ୍କ ଭିଡ଼ ସବୁବେଳେ ।

ଦୂରରୁ ବତାଶ ପରି ମାଡ଼ି ଆସୁଥିବା ବିପ୍ଳବ ଦାସକୁ ଦେଖି ସମସ୍ତେ ତୁନି ପଡ଼ିଗଲେ । ବିପ୍ଳବ ଦାସ ତା’ର ମଳିଆ ପାମ୍ପରା ପଞ୍ଜାବି ପକେଟ୍‌କୁ ଉଣ୍ଡାଳୁ ଉଣ୍ଡାଳୁ କହିଲା, “ହଇରେ ମନୁ ! ଦେଲୁ ଗୋଟେ ସିଗାରେଟ୍ ।” ମନୁ କିନ୍ତୁ ଏକଲୟରେ ଚାହିଁ ରହିଥାଏ ବିପ୍ଳବ ଦାସର ପକେଟ୍‌କୁ । ସତରେ ଚାରେଣି-ଆଠେଣିଟିଏ ବାହାରିବ ତ ! ଆରେ ହେ, ଅନେଇଚୁ କ’ଣ ? ଏତିକ କହି ସେ ଆଠେଣିଟିଏ କଚାଡ଼ି ଦେଲା ମନୁର ପାନ ମସଲା ଡବା ଉପରେ । ଚେମଣି ଆଲୁଅରେ ସିଗାରେଟ୍‌କୁ ନିଆଁ ଧରଉ ଧରଉ ସେ କହି ଉଠିଲା, “କିରେ ମନୁ, ଯୁଗ ଯାଇ କୋଇଠି ଉଠିଲାଣି, ତୁ ଇହାଳିପ ସିଗାରେଟ୍ ଲଗାଇବା ପାଇଁ ଏ ଚେମଣିଟାକୁ ରଖିଛୁ ? କାଇଁ ଗୋଟାଏ ଲାଇଟର୍ କିଣୁନୁ । କ’ଣ ମାଠିଆଏ ଖର୍ଚ୍ଚ ହୋଇଯିବ ?” ଦୁଇ ନାକପୁଡ଼ାରୁ ଭସ୍ ଭସ୍ ଧୂଆଁ ବାହାର କରି ସେଠାରେ ବସିଥିବା ଟୋକାଗୁଡ଼ାଙ୍କୁ ଇଙ୍ଗିତ କରି କହିଲା- “କିରେ, ଆଜି କ’ଣ କାମ ନାହିଁ କି ?” ସେମାନଙ୍କଠାରୁ କୌଣସି ଉତ୍ତର ନ ପାଇ ଆପଣାଛାଏଁ କହି ଉଠିଲା, “ଠିକ୍ ଅଛି, ଆରମାସକୁ ଗାଁକୁ ଗୋଟେ ରାସ୍ତା କାମ ଆସୁଛି, ତମେ ସବୁ ସେଥିରେ କାମ ପାଇବ । ଏ ବର୍ଷ ବର୍ଷାଦିନ ପୂର୍ବରୁ ଗାଁ କାମଟା ସାରିବା ପାଇଁ ପଡ଼ିବ । ଦେଖୁନ, ଟ୍ରାକ୍ଟର୍ ପଶି ଗାଁ ରାସ୍ତାକୁ କେମିତି କରିଛି ।” ସେଠାରେ ଉପସ୍ଥିତ ଥିବା ସମସ୍ତେ ପୂର୍ବପରି ନୀରବ । ବୁଝିଲୁ “ମନୁ, କ’ଣ କହୁଥିଲି ? ହଁ, ଗୋଟେ ଲାଇଟର୍ ଆଣେ । କାହିଁକି ନା, ଆଗିଲା ମାସକୁ ହାଟ ପଡ଼ିଆରେ ଗୋଟେ ବଡ଼ ସଭା ହେବ । କେତେ କୁଆଡୁ ଲୋକ ଆସିବେ । ବଡ଼ ବଡ଼ିଆ ବାବୁମାନେ ଆସିବେ । ସେମାନେ ତୋ ଚେମଣି ଦେଖି ହସିବେନି ? ଆମ ଗାଁ ନାଁଟା ବଦନାମ ହେଇଯିବ ।” ବିପ୍ଳବ ଦାସର କଥା ମଝିରୁ ହଠାତ୍ କଥା ଛଡ଼େଇ ନେଇ ମନୁ କହିଲା, “ହଇରେ ବିପ୍ଳବ ! ତୁ ଏତେ କାମ ଗାଁ ପାଇଁ କରୁଚୁ, ଆମ ପିଲାଙ୍କ ପାଇଁ କିଛି କାମ ବରାଦ୍ କରିଦେଉନୁ ।” ଏତକ କହି ଟୋକାପଲଙ୍କୁ ଚାହିଁ ମନୁ ଆଖିମାରି ଜିଭ ଟିକେ କାମୁଡ଼ି ଦେଲା । ବିପ୍ଳବ ଦାସ ସିଗାରେଟ୍ ଧୂଆଁ ଶୂନ୍ୟକୁ ଉଡ଼େଇ ଦେଇ କହିଲା- “ଆରେ ବ୍ୟସ୍ତ କାହିଁକି ସବୁ ହେବ ? ଏଥର ଇଲେକ୍ସନ୍ ପରେ ସରକାର ଆମର । କିଛି ଅଭାବ ହେବନି । ହଉ ମୁଁ ଯାଏ । ମୋର ତେଣେ କେତେ କାମ ।” କହି ଜିଭରେ ଲାଗିଯାଇଥିବା ସିଗାରେଟ୍ ପତିକୁ ଥୁ ଥୁ କରି ବାବୁ ଚା’ ଦୋକାନଆଡ଼େ ଚାଲିଲା । ମନୁ ବଡ଼ ହୁଁଟାଏ ମାରି କହିଲା, “ଶ. . . ଏମିତି କଥା କହୁଛି, ଯେମିତି ସବୁ ଉଖାଡ଼ି ପକେଇବ ।”

ୟା’ ଭିତରେ ବିପ୍ଳବ ଦାସ ଯାଇ ବାବୁ ଚା’ ଦୋକାନର ତେଲଚିକିଟା ପୁରୁଣା ବେଞ୍ଚ୍ ଉପରେ ବସିପଡ଼ିଲା । ବାବୁ ଚା’ ଦୋକାନ ହେଉଛି ବିପ୍ଳବ ଦାସର ଖଟି । ସେ ଏଇଠି ବସି ରହି ବେଶ୍ କେତେଟା ଚେଲା ତିଆରି କରି ପକେଇଛି । ଏଇଠାରେ ବସି ରହି ସେ ପାର୍ଲାମେଣ୍ଟରୁ ପଞ୍ଚାୟତ ଅଫିସ୍‌ଯାଏ ସବୁ ବିଷୟରେ ଭାଷଣ ଦିଏ । ଆମେରିକାର ଅର୍ଥନୀତି, ଇଂଲଣ୍ଡର ରାଜନୀତି, ପୁଣି ବଡ଼ ବଡ଼ ନେତାଙ୍କ କୂଟନୀତି, ସମସ୍ତଙ୍କ ଦାଉଁପେଞ୍ଚ ତାକୁ ଜଣା ବୋଲି ବଡ଼ ପାଟିରେ କହେ । ଚା’ ଗିଲାସ ଓଠରେ ଲଗେଇଲେ ତା’ ପାଟିକୁ ଫୁରସତ୍ ମିଳେନି । ତା’ର ସରକାର ଆସିଲେ କି କି କାମ କରିବ, କେମିତି ଗାଁକୁ ସରସ ସୁନ୍ଦର କରି ଗଢ଼ି ତୋଳିବ, ସେ ବିଷୟରେ ଅହରହ ଯୋଜନା କରୁଥାଏ । ଗାଁଟା ସାରା ଘୁରି ବୁଲୁଥାଏ । ସମସ୍ତଙ୍କ ଭଲମନ୍ଦରେ ଠିଆ ହୁଏ । କିଏ ତାକୁ ଡାକୁ ଅବା ନ ଡାକୁ । ପତଳା ଚେହେରା ସାଙ୍ଗକୁ କେଉଁ କାଳରୁ ଧୁଆ ହୋଇନଥିବା ମଳିଆ କୋଚଟ ପଞ୍ଜାବି ଖଣ୍ଡେ ତା’ର ପରିଧାନ । ମୁଣ୍ଡରେ ଚୁଟି କେତେଟା ବିନା ତେଲରେ ଫୁର୍ ଫୁର୍ ହୋଇ ଉଡୁଥାଏ । ନାକ ତଳେ ଗୋଛାଏ ଖଇରିଆ ଟାଉଁସିଆ ନିଶ ବିପ୍ଳବ ଦାସର ପାରିବାପଣିଆର ପ୍ରମାଣ ହୋଇ ରହିଥାନ୍ତି । ସିଗାରେଟ୍ ଖିଆ ଓଠ ଦୁଇଟି ପୋଡ଼ାଅଙ୍ଗାର ପରି ଦେଖାଯାଉଥାଏ । ମେଳକ ସାହିର ଅର୍ଥନୀତି, ରାଜନୀତି, ସଂସ୍କୃତି, ପରମ୍ପରା, ଭଲମନ୍ଦ, ଚାଷବାସ ହେଲା- ନହେଲା ସେ ଆପଣାଛାଏଁ ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଇଯାଉଛି । କାହାର ନିମନ୍ତ୍ରଣ କିମ୍ୱା ଅନୁରୋଧ ଅନୁମତିକୁ ସେ ଅପେକ୍ଷା କରେନି । ଯାହା ଦେଖିବ ତତ୍‌କ୍ଷଣାତ୍ ସେଥିରେ ନିଜକୁ ସାମିଲ୍ କରିଦେବାଟା ତାର ଜନ୍ମଗତ ଗୁଣ । ଗାଁଟା ସାରା ତା’ ପାଇଁ କେହି ପର ନୁହଁନ୍ତି । ବିପ୍ଳବ ଦାସକୁ ବାବୁ ଚା’ ଦୋକାନରେ ଦେଖି ଝାମ୍ପ ପାଗେଳୀ ହାଟଚାଳୀରୁ ଉଠି ଆସି ଦୋକାନ ଆଗରେ ଖୁଣ୍ଟ ପରି ଛିଡ଼ା ହେଲା । ବିପ୍ଳବ ଦାସ ତା’ ଭାଷଣ ଅଧାରୁ ପୂର୍ଣ୍ଣଚ୍ଛେଦ ପକାଇ ବାବୁ ହାତକୁ ଆଠେଣୀଟିଏ ବଢ଼େଇଦେଲା । ବାବୁ ଖବର କାଗଜ ଖଣ୍ଡେ ଚିରି ସେଥିରେ ଦୁଇଟି ଶୁଖିଲା ଇଟିଲି ଥୋଇ ଝାମ୍ପ ହାତକୁ ବଢ଼ାଇ ଦେଲା । ଝାମ୍ପ କୋଟିନିଧି ପାଇଲା ପରି ଚୁପ୍‌ଚାପ୍ ଫେରିଗଲା ହାଟଚାଳିକୁ । ମନୁ ତା’ ଦୋକାନରେ ଥାଇ ଏସବୁ ନିରୀକ୍ଷଣ କରୁଥିଲା । ଦାନ୍ତ କାମୁଡ଼ି କହିଲା, “ଶଳା ନିଜେ ଖାଇବାକୁ ପାଉନି, ପାଗେଳିକୁ ଖାଇବାକୁ ଦଉଛି । ଜମିଦାରର ଛୁଆଟା ଶଳା ।” ବିପ୍ଳବ ଦାସ ବାବୁ ଦୋକାନରେ ନିର୍ଜୀବ ପରି ପ୍ରତୀୟମାନ ହେଉଥିବା ସେକେଣ୍ଡ କଣ୍ଟା ବିହୀନ କାନ୍ଥ ଘଣ୍ଟାକୁ ନିରିଖେଇ ଚାହିଁଲା । ଧଡ଼ପଡ଼ ହୋଇ ବସିବା ଜାଗାରୁ ଉଠିପଡ଼ିଲା । ଚା’ ଗିଲାସରେ ଟିକେ ପାଣି ପୁରାଇ ହଲେଇ ଦେଇ କହିଲା, “ଏତେଗୁଡ଼ାଏ ସମୟ ହେଲାଣି ଜଣାପଡୁନି । ମୁଁ ଯାଏ ତେଣେ ମୋର ବହୁତ କାମ । ଖରା ଲେଉଟିଲେ ପଞ୍ଚାୟତ ଅଫିସ୍ ଆଡ଼େ ଯିବି । ବିଜି ବୋଉର ଗୋଟେ ଇନ୍ଦିରାଆବାସ ମିଳିବାର ଥିଲା ଯେ, ଶଳା ସରପଞ୍ଚ ଖେଳୁଚି । ଆଜି ଯଦି ଭଲରେ ଭଲରେ କାମ ନ କରେ, ଏମ୍.ଏଲ୍.ଏ.କୁ ସିଧା ଦେଖା କରିବି ।” ଆହୁରି କେତେ କମ ଗୁଣୁଗୁଣୁ ହୋଇ ଉଠିଗଲା ବିପ୍ଳବ ଦାସ । ବିଜିବୋଉ ଘରପାଖରେ ପହଞ୍ଚି ଦାଣ୍ଡରେ ଠିଆ ହୋଇ ବଡ଼ ପାଟିରେ ଡାକିଲା “ବିଜିବୋଉ ! ଆଲୋ ଏ ବିଜିବୋଉ ! ଘରେ ନାହୁଁ ନା କ’ଣ ? ଆଜି ତୋ କାମ ପକ୍କା କରି ଆସିବି । ଦେଖିବୁ ରହ, ଆଗିଲା ଗୁରୁବାରକୁ ତୁ ଟଙ୍କା ପାଇଯିବୁ । ଯାହା ତ ହବାର ହେଲାଣି, ଆଉ ଦିନ କେଇଟା ଧୈର୍ଯ୍ୟ ଧର ।” ଦି’ଫାଳିଆ କବାଟକୁ ଧଡ୍‌କିନା ଖୋଲି ଦେଇ ବିଜିବୋଉ ପଦାକୁ ବାହାରି ଆସିଲା । କାନ୍ଦୁଣୁ ମାନ୍ଦୁଣୁ ହୋଇ ବିପ୍ଳବ ଦାସର ହାତ ଧରି ଘର ଭିତରକୁ ଭିଡ଼ି ନେଇ କହିଲା, “ଆଇଲୁରେ ବାପ ଦେଖିବୁ, ବିଜି କାଲି ରାତି ଠାରୁ ଶୋଇଛି ଯେ ଉଠୁନି । ଦି’ଚାରି ଥର ବାନ୍ତି କଲାଣି । ପାଟିକୁ ପାଣି ଟିକେ ନଉନି । ପେଟ ଯାଇ ପିଠିରେ ଲାଗିଲାଣି । ଯେତେ ଡାକିଲେ ହୁଁ ମାରୁନି । ମୋତେ କାହିଁ କେମିତି କେମିତି ଲାଗୁଛି ।” ବିପ୍ଳବ ଦାସ ଟିକେ ଗମ୍ଭୀର ହୋଇଯାଇ ମୂରବୀ ଠାଣିରେ ପଚାରିଲା, “କାଲି ରାତିରେ କ’ଣ ଖାଇଥିଲା ବିଜି ?” “କିଛି ଖାଇନି । ମଦ ପିଇ ଆସି ରାତି ଅଧରେ କବାଟ ବାଡ଼େଇଲା । ମୁଁ ଖୋଲି ଦେଲି । ମସିଣା ବିଛେଇ ଶୋଇଗଲା ।” ବିପ୍ଳବ ଦାସ ବିଜିର ହାତ ପାଦକୁ ମୁଠାଇଲା । “ବିଜି” “ବିଜି” ବୋଲି ନାଁ ଧରି ଡାକିଲା । କିନ୍ତୁ ବିଜି ପୂର୍ବ ପରି ପଡ଼ି ରହିଲା । ତା’ ଦେହସାରା ନାଲି ରଗଡ଼ା ପିମ୍ପୁଡ଼ି ବେଡ଼ି ଯାଇଥିଲେ । ବିଜିବୋଉ ଭେଁ କିନା କାନ୍ଦି ଉଠିଲା । “ପୋଡ଼ାମୁହାଁ ରଇଜଳା, ବଉଁଶବୁଡ଼ା ମନୁଆ ମୋ ବଉଁଶ ବୁଡ଼ାଇ ଦେଲା ଲୋ’ ମା’ ।” “ନିଆଁଲଗା ମୋ ପୁଅକୁ କି ବିଷ ଦେଲୁରେ ତୁ ବାଞ୍ଝ ହେବୁରେ ! ତୋ କୂଳ ବୁଡ଼ିଯିବରେ ! ତୁ ପୋଡ଼ାମୁହାଁ ବାଳୁତ ମୁହଁ ନ ଦେଖେ ।” ବିଜିବୋଉର ପାଟି ଶୁଣି ଗାଁଟା ସାରା ଜମା ହୋଇପଡ଼ିଲେ । ଧୂଳି ଉଡ଼େଇ ପୁଲିସ ଜିପ୍ ବିଜିବୋଉର ଘର ଆଗରେ ବ୍ରେକ୍ କଷିଲା । ମନୁ ବିରୋଧରେ ରିପୋର୍ଟ ଲେଖା ହେଲା । ସେଥିରେ ଆଗ ଦସ୍ତଖତ ଦେଲା ବିପ୍ଳବ ଦାସ । ଗାଁର ସମ୍ମାନ ରକ୍ଷା କରିବାକୁ ଯାଇ ସେ କିଛି ବି କରିପାରେ । ସାମାନ୍ୟ ଦସ୍ତଖତଟା ଦେଇପାରିବନି । ପୁଲିସ ବାନ୍ଧି ନେଲା ମନୁଆକୁ ବିଷାକ୍ତ ନିଶା କାରବାର ଅଭିଯୋଗରେ । ମନୁ ପାନ ଦୋକାନରେ ତାଲା ପଡ଼ିଲା । ବିପ୍ଳବ ଦାସ ପୋଲିସ୍ ରିପୋର୍ଟରେ ଦସ୍ତଖତ ଦେଇ ନିଜକୁ ଧନ୍ୟ ମନେ କଲା । ଏତେ ଦିନ ସେ ଗୋଟେ କାମ କରିଛି । ଶଳା ମନୁଆ ଗାଁଟାକୁ ସାରିଦେଇଥିଲା । ଏଇ ଛଳରେ ରାଜ୍ୟରେ କେତେ ମଦମୃତ୍ୟୁ ହୋଇଥିଲା ତା’ର ଏକ ବିବରଣୀ ତତ୍‌କ୍ଷଣାତ୍ ଦେଇ ବସିଲା ସେ ବାବୁ ଚା’ ଦୋକାନରେ । ସନ୍ଧ୍ୟା ଯାଇ ରାତି ହୋଇ ଆସୁଥାଏ । ବାବୁ ଦୋକାନରୁ ଜଣେ ଜଣେ ଉଠିଲେ ନିଜ ଘର ଅଭିମୁଖେ ।

ବିପ୍ଳବ ଦାସ ଆଉ କପେ ଚା’ ପାଇଁ ବରାଦ ଦେଇ ଆଣ୍ଠୁ ଭାଙ୍ଗି ବେଞ୍ଚ୍ ଉପରେ ଜମେଇ କରି ବସିଲା । ଶୀତ ରାତିର ସୁଲୁସୁଲିଆ ପବନରେ ଦେହ ଥରିଯାଉଥାଏ । ଚା’ ଦୋକାନର ଲିଭିଯାଉଥିବା ଆଞ୍ଚରେ ହାତ ଦେଖେଇ ମୁହଁ ହାତ ସେକି ହେଲା ସେ । ବାବୁ ଦୋକାନ ବନ୍ଦ କରିବା ପାଇଁ ପ୍ରସ୍ତୁତ ହେଲା । ଚା’ ଗିଲାସ ସବୁ ଧୋଇ ନିଗାଡ଼ିଲା । ଚା’ ଛଣାରେ ଜମି ଯାଇଥିବା ଚା’ ଗୁଣ୍ଡକୁ ଦୋକାନ ଖୁଣ୍ଟରେ ପିଟି ଦେଇ ପଦାକୁ ଦେଖେଇ ଝାଡ଼ି ଦେଲା । ଚାଳରେ ଝୁଲୁଥିବା ଲଣ୍ଠଣକୁ ତଳକୁ ଆଣି ଥୋଇଲା । ବିପ୍ଳବ ଦାସ ହାତକୁ ଚା’ କପେ ବଢ଼ାଇଲା । ଛାଞ୍ଚୁଣି ଧରି ଭଙ୍ଗା ଚାଳିଆକୁ ଓଳାଇବାକୁ ଲାଗିଲା । ୟା’ ଭିତରେ ଝାମ୍ପ ପାଗେଳି ହାଟଚାଳିରୁ ଉଠି ଆସି ଆଞ୍ଚ ନିଆଁ ପାଖରେ ଗେଞ୍ଜି ହୋଇ ଛିଡ଼ା ହେଲା । ଝାମ୍ପ ପାଗେଳି ଅନେକ ଦିନ ଧରି ଏଇ ହାଟଚାଳିରେ ବସା ବାନ୍ଧିଛି । ଶୀତ-ଖରା-ବର୍ଷା ତା’ ପାଇଁ ସବୁ ସମାନ । ହାଟପାଳିଦିନ ଆପଣା ଛାଏଁ ଉଠିଯାଇ ବୁଢ଼ା ବରଗଛ ତଳେ ବସେ । କେହି ତାକୁ ଉଠିଯିବାକୁ ନ କହିଲେ ବି ସୁନା ପିଲାଟି ପରି ହାଟ ସରିବା ପର୍ଯ୍ୟନ୍ତ ସେଠି ବସି ରହେ । ହାଟୁଆ କେହି ଯଦି ଦୟା କରି କିଛି ଦିଅନ୍ତି, ସେଇଥିରେ ସେ ଖୁସି । ଚିରାଫଟା ଲୁଗା ଖଣ୍ଡେ କେବେଠାରୁ ତା’ର ଦେହରେ ଗୁଡ଼େଇ ହୋଇଛି । ତାହା ବି ଦେହ ଲୁଚାଇବାକୁ ଯଥେଷ୍ଟ ନୁହେଁ । ପେଟ-ପିଠି ତା’ର ଫୁଙ୍ଗୁଳା ସବୁବେଳେ । ଝାମ୍ପ ପାଗେଳି ସତ; କିନ୍ତୁ ତା’ ଦେହର ଚମକ ତଥାପି ଯାଇନି । ଭାସିଲା ଆଖି ହଳକ ଏବେବି ସତେଜ ଆଉ ଜୀବନ୍ତ ଲାଗନ୍ତି । ଓଠର ରଙ୍ଗ ଫିକା ପଡ଼ିଚି, ଦେହହାତ ମଳିଆ ଦିଶୁଚି, ହେଲେ ଦେଖଣାହାରୀ ଘଡ଼ିଏ ଚାହିଁଲା ପରି ତଥାପି ତା’ ଠେଇଁ କିଛି ଅଛି । ଲୋକେ କହନ୍ତି ତା’ ପିଲାଛୁଆ ନ ହେବାରୁ ଗେରସ୍ତ ବାଡ଼େଇ ଘରୁ ତଡ଼ି ଦେଲା । ସେବେଠାରୁ ସେ ପାଗେଳି ହୋଇଯାଇଛି । ଖରାରେ ପଡ଼ି ପଡ଼ି ଗୋରା ଦେହଟା ପାଣ୍ଡରା ଦେଖାଗଲାଣି । ହାତ-ପାଦ ସବୁ ଶୁଖି ଆସିଲାଣି । ବୟସ ସେମିତି ଅଧିକ ନୁହେଁ ତାକୁ । ଏବେ ବି ଘଷି ମାଜି ଗାଧେଇ ଦେଲେ ନ ଅନେଇବା ଲୋକେ ଘଡ଼ିଏ ଅନେଇବେ । ଯାହା ଭାଗ୍ୟ ଫଟା ତା’ର, ଯେତେ ଥିଲେ କ’ଣ ହେବ । ଏକଥା ପ୍ରତି ହାଟପାଳିରେ କାହା ମୁହଁରୁ ନା କାହା ମୁହଁରୁ ଶୁଣିବାକୁ ମିଳେ । ହାଟକୁ ଆସୁଥିବା ହାଟୁଆ ଓ ହାଟରେ ପସରା ମେଲାଇ ଥିବା ବେପାରୀମାନେ ରାଧାଗୋବିନ୍ଦଙ୍କ ହାଟତୋଳା ପାଚିଆରେ ପନିପରିବା ପକାଇବା ସାଥେ ସାଥେ କପିଳା ଷଣ୍ଢ ମୁହଁରେ ପରିବାଟାଏ ଗୁଞ୍ଜି ଦିଅନ୍ତି । ଶେଷରେ ଝାମ୍ପ ପାଗେଳିକୁ ଇଟିଲି କି ବରା ଦେଇ ଦେଲେ ସେ ଖୁସ୍ । ହାଟୁଆ ହାଟ ସାରି ଘରକୁ ଫେରନ୍ତି । ଝାମ୍ପ ବରଗଛ ମୂଳରୁ ହାଟଚାଳିକୁ ଫେରିଆସେ । ସପ୍ତାହରେ ଥରେ ସିନା ହାଟ ବସେ, ହେଲେ ବିପ୍ଳବ ଦାସଠାରୁ ପ୍ରତିଦିନ ସେ ତା’ର ପାଉଣା ନିଏ । ଆଞ୍ଚ ପାଖରେ ଝାମ୍ପକୁ ଦେଖି ବିପ୍ଳବ ଦାସ ତାକୁ ନିରେଖେଇ ଚାହିଁଲା । “କିଲୋ ଝାମ୍ପ, ତୁ କେତେବେଳୁ ଆସି ଏଠି ଠିଆ ହେଲୁଣି ?” ବିପ୍ଳବ ଦାସ ଗିଲାସ ରଖୁ ରଖୁ ଝାମ୍ପ ସହିତ କଥା ହେଉଥିଲା । ଆଞ୍ଚ ନିଆଁରେ ଝାମ୍ପର ଶୁଖିଲା ଆଖି ଦୁଇଟା ଡହ ଡହ ହୋଇ ଜଳିବା ପରି ଦିଶୁଥିଲା । ହାଲକା ପବନରେ ଝାମ୍ପୁରା ଚୁଟି ଫୁରୁଫୁରୁ ହୋଇ ଏଣେ ତେଣେ ଉଡ଼ିଯାଉଥିଲା । ବିପ୍ଳବ ଦାସ ବାବୁକୁ ଇସାରା କଲା । ବାବୁ ଝାମ୍ପ ହାତରେ ଦି’ଟା ଇଟିଲି ଧରାଇ ଦେଲା । ସେ ଚୁପ୍‌ଚାପ୍ ଫେରିଗଲା ହାଟଚାଳିକୁ ।

ଦିନ କେଇଟାରେ ମନୁ ଜାମିନି ପାଇ ଫେରିଆସିଲା ଗାଁକୁ । ପୁଣି ତା’ ଦୋକାନ ଖୋଲିଲା । ବେପାର ମଧ୍ୟ ଆଗ ପରି ଚାଲିଲା । ଦିନେ ବିପ୍ଳବ ଦାସ ତା’ ଖଟିରେ ବସି ସିଗାରେଟ୍ ଧୂଆଁ ଛାଡୁ ଛାଡୁ ତା’ ଚେଲାଙ୍କ ଭିତରୁ କେହି ଜଣେ ତାକୁ କହିଦେଲା, “କ’ଣ ବିପ୍ଳବ ଭାଇ, ତମେ ତ ଦସ୍ତଖତ ଦେଇଦେଲ, ହେଲେ ମନୁ ତ ପୁଣି ଆସି ବେପାର କଲାଣି ।” ବିପ୍ଳବ ଦାସର ଛାତିଟା ଥରି ଉଠିଲା । ସେ ଚମକି ପଡ଼ିଲା । ତା’ ପାରିଲା ପଣିଆ ଉପରେ ଚେଲାଚାମୁଣ୍ଡାମାନେ ସନ୍ଦେହ କରୁଛନ୍ତି ଜାଣି ସେ ବ୍ୟସ୍ତ ବିବ୍ରତ ହୋଇପଡ଼ିଲା । ତାକୁ ଗଛରୁ ପଡ଼ିଲା ଭଳି ଲାଗିଲା । ଅଧାଜଳା ସିଗାରେଟ୍‌କୁ ଘନଘନ ଶୋଷି ନେଇ ଲହରେଇ ଲହରେଇ ଧୂଆଁ ଛାଡ଼ି କହିଲା, “ତୁମେମାନେ ଆଇନ୍‌ଟାକୁ ବୁଝିନରେ । ଆମ ଦେଶରେ ଆଇନ୍ ଅନୁଯାୟୀ ଜଣେ ଯେତେ ବଡ଼ ଅପରାଧୀ ହେଉ ପଛେ, ସେ ଜାମିନ୍‌ରେ ଆସିପାରିବ । ମନୁ ସିନା ଜାମିନ୍‌ରେ ଆଇଚି, ହେଲେ ତା’ ପଛଆଡ଼େ ଯେଉଁ ବଟକରାଟା ଲାଗିଗଲା, ମାନେ ଚୋରା ମଦ ବିକିବାର, ସେ ବଟକରା ଛାଡ଼ିବନିରେ । ମାସରେ ଥରେ କୋର୍ଟ ଯାଇ ତାକୁ ହାଜିରା ଦେବାକୁ ହେବ ନା । ଆଇନ ହାତରୁ ସେ ଖସି ପାରିବନି ।” ବାବୁ ଆଞ୍ଚରେ କୋଇଲା ପକାଉ ପକାଉ କହିଲା, “ଆମେ କ’ଣ ଏତେ ଭିତରେ ପଶିଛୁ । ତମେ ସିନା ସବୁ ଜାଣ ଯେ, ଏକଥା ବି ଜାଣିଛ ।” ବାବୁ ମୁହଁରୁ ଏଇ ପଦକ ଶୁଣି ବିପ୍ଳବ ଦାସର ଶୁଖିଲା ମୁହଁରେ ଚେନାଏ ହସ ଖେଳିଗଲା । ତା’ ଆଖି ଦୁଇଟି ଢିମା ଢିମା ହୋଇଗଲା । ଚେଲାମାନଙ୍କ ଆଗରେ ପାରିବାପଣିଆଟା ଚାଲି ଯାଉ ଯାଉ ଅଳ୍ପକେ ରହିଗଲା । ସେ ତା’ର ଟାଆଁଶିଆ ନିସ ହଳକରେ ହାତ ବୁଲାଇ ଆଣି ବାମ ଜଙ୍ଘ ଉପରେ ଡାହାଣ ଗୋଡ଼କୁ ଭାଙ୍ଗି ବସିଲା । ତା’ର ଚେଲାମାନେ ଭିଡ଼ିଭାଡ଼ି ହୋଇ ଉଠି ଛିଡ଼ା ହେଲେ । ବିପ୍ଳବ ଦାସ ସେମାନଙ୍କୁ ଇସାରା କଲା ବସିଯିବା ପାଇଁ । କାରଣ ମନୁ ଜାମିନ୍‌ରେ ଆସିବାଟା ତା’ ପାଇଁ ଏକ ଅତ୍ୟନ୍ତ ଲଜ୍ୟାକର ଘଟଣା । ଯାହା ହେଉ ନ ହେଉ, ତା’ ଦସ୍ତଖତର ମୂଲ୍ୟ ଯେ କିଛି ନୁହେଁ, ଏକଥା ଗାଁଟା ସାରା ଜାଣିଗଲେ । ବିପ୍ଳବ ଦାସକୁ ଏଇ ଚିନ୍ତା ଘାରିଥାଏ । ଆମ ଦେଶ ଆଇନ୍ ବ୍ୟବସ୍ଥା ବିଷୟରେ ଆଉ ଟିକେ ଭାଷଣ ଦେବା ପାଇଁ ଏବଂ ଭୁଷୁଡ଼ି ପଡ଼ିଥିବା ତା’ର ପାରିଲା ପଣିଆର ଇମାରତ ଆଉ ଥରେ ସଜାଡ଼ିବା ପାଇଁ ଚେଲାମାନଙ୍କୁ ବସିଯିବା ପାଇଁ ସେ ମୁହଁ ଖୋଲି କହିଲା । ଚେଲାମାନେ ଦୋକାନ ପିଣ୍ଢାରୁ ତଳକୁ ଓହ୍ଲାଇ ଆସିଲେ । ଜଣେ କହିଲା- “ଆଉ କେବେ କହିବ ଆମ ଆଇନ୍ ବିଷୟରେ । ଆଜି ପରା ପିମ୍ପେଇ ଅମେଇସିଆ । ଘରେ ବଡ଼ବଡ଼ିଆଙ୍କୁ ପିମ୍ପେଇ ଡକା ହେବ । ଏଠି ବସି ରହିଲେ କ’ଣ ହେବ ? ତମର ସିନା କିଛି କାମ ନାହିଁ, ହେଲେ ଆମର ଢେର କାମ ।” ଏଇ ପଦିଏ କଥା ବିପ୍ଳବ ଦାସ ଛାତିକୁ ଚିରି ଚାଲିଗଲା । ଶୀତୁଆ ପବନ ତା’ ଅଷ୍ଟାଙ୍ଗ ଶରୀରକୁ ଜାଳି ଦେଇଗଲା । ତାକୁ ଲାଗିଲା ମନୁ ଫେରିଆସିବାରୁ ତା’ ଚେଲାମାନେ ତା’ ମୁହଁରେ ଜବାବ୍ ଦେଉଛନ୍ତି । କଥା ବୁଲେଇବାକୁ ଯାଇ ସେ କହିଲା, “ମୁଁ ପରା ଭୁଲି ଯାଇଥିଲି ଆଜି ଅମେଇସିଆ ।” ଦୋକାନ ଛାଡ଼ି ସମସ୍ତେ ପଳାଉଛନ୍ତି । ବିପ୍ଳବ ଦାସ ତା’ର ପରାଜୟର ଗ୍ଲାନିରେ ଭାଙ୍ଗି ପଡ଼ିଛି । ବାବୁ ଆଲମାରୀ ଥାକରେ ଥିବା ମିଠାରୁ ଲଣ୍ଠନ ଧରି ପିମ୍ପୁଡ଼ି ଝାଡୁଛି । ବିପ୍ଳବ ଦାସ ତା’ ପଞ୍ଜାବି ପକେଟ୍‌ରୁ ଅଧା ଜଳା ସିଗାରେଟ୍ ବାହାର କରି ଆଞ୍ଚରେ ଦେଖେଇ ନିଆଁ ଧରେଇଲା । ସିଗାରେଟ୍‌କୁ ଓଠରେ ଲଗେଇ ଅନ୍ୟମନସ୍କ ହୋଇ ଅନ୍ଧାରକୁ ଚାହିଁଚି । କାହାର ହୋ ହାଲ୍ଲାରେ ତା’ର ଧ୍ୟାନ ଭାଙ୍ଗିଗଲା । ବାବୁକୁ ପାଖକୁ ଡାକିଲା । ଆରେ ଏ ବାବୁ, ଏ ବାବୁ, ଦେଖିଲୁ ଆସି, ସେ ମନୁ ଦୋକାନରେ କ’ଣ ଭାରି ଭିଡ଼ । ବାବୁ ଚା’ ଦୋକାନରୁ ଉଠି ଆସି ଲଣ୍ଠନ କାଚରେ ହାତ ଦେଇ ମନୁ ଦୋକାନ ଆଡ଼କୁ ଟେକି ହୋଇ ଚାହିଁଲା । ମନୁ ଦୋକାନ ଆଗରେ ଇଲେକ୍ଟ୍ରି ବଲ୍‌ଟା ଦାଉ ଦାଉ ହୋଇ ଜଳୁଥିଲା । ବାବୁ ବୁଲିପଡ଼ି ଦୋକାନ ଭିତରକୁ ଫେରି ଆସି ନିଜ କାମରେ ଲାଗିଲା । “କିରେ କ’ଣ କିରେ ?” ବିପ୍ଳବ ଦାସ ବଡ଼ ଉତ୍ସୁକତା ସହିତ ପଚାରିଲା । “କିଛି ନାହିଁ । ସେ ମନୁଟା ଜେଲ୍‌ରୁ ଫେରି ଆସିଛି ତ, ସେଥିପାଇଁ ତା’ ପାଦଚଟା କୁକୁରଙ୍କ ସାଙ୍ଗରେ ମଦ ପିଇ ମାତାଲ ହେଉଛି ।” ବଡ଼ ହାଲ୍କା ଭାବରେ ବାବୁ ଏତକ କହିଦେଇ ଆଞ୍ଚ ଝାଡ଼ିବାରେ ଲାଗିପଡ଼ିଲା । ବିପ୍ଳବ ଦାସ କିନ୍ତୁ ଆଞ୍ଚର ପୋଡ଼ା କୋଇଲାରୁ ପାଉଁଶ ଝଡ଼ିବା ପରି ଝଡି ପଡୁଥିଲା ଆପେ ଆପେ । ବାବୁ ଦୋକାନରେ ଭଙ୍ଗା ବେଞ୍ଚ ଉପରେ ଅଣ୍ଟା ସଳଖି ବସିବା ପାଇଁ ତା’ ଅଣ୍ଟାରେ ଯେମିତି ଦମ୍ ନ ଥିଲା ।

ମନୁ ତା’ ବିଜୟର ପର୍ବ ମହାସମାରୋହରେ ପାଳନ କରୁଥିବାବେଳେ ବିପ୍ଳବ ଦାସ ସେଠି ବସି ବସି ପରାଜୟର ଜହର ପିଉଥିଲା । ତା’ ପାଟିରୁ ଭାଷା ବାହାରୁନଥିଲା । ସେସବୁ କଥା ଯେମିତ ପାଶୋରି ପକାଉଥିଲା । ବିପ୍ଳବ ଦାସ ଅନ୍ୟମନସ୍କ ଭାବେ ଗୋଡ଼ ଉପରୁ ଗୋଡ଼ କାଢ଼ି ପତଳା ଚଟି ହଳକରେ ପାଦ ପୂରାଇଲା । ବେଞ୍ଚରୁ ଉଠି ଛିଡ଼ା ହେଲାବେଳକୁ ଝାମ୍ପପାଗେଳି ଆସି ଭୂତ ପରି ତା’ ଆଗରେ ଛିଡ଼ା ହୋଇଗଲା । ବାବୁ ଆଗତୁରା କହିଲା, “ଭାଇ, ଆଜି ଇଟିଲି ନାହିଁ ।” ବିପ୍ଳବ ଦାସ ଝାମ୍ପକୁ ଚାହିଁ ପଚାରିଲା, “କିଲୋ, ବରା ଖାଇବୁ ?” ଝାମ୍ପ ମୁହଁଟା ଆଜି ବେଶୀ ବେଶୀ ଶୁଖିଲା ଦିଶୁଥିଲା । ତା’ ଲୁଗାରେ ଥିବା ଛୋଟ ଛୋଟ କଣାଗୁଡ଼ିକ ୟା’ ଭିତରେ ଖୁବ୍ ବଡ଼ ବଡ଼ ହୋଇ ଯାଇଥିଲା । ସେଥିପାଇଁ ତାକୁ ବେଶୀ ଶୀତ କରୁଥିଲା । କୋହଲା ପବନ ବାଜି ଝାମ୍ପ ଦେହର ଶୁଖିଲା ଲୋମ ସବୁ ଛିଡ଼ା ହୋଇଯାଇଥିଲା । କହୁଣି କୁଣ୍ଢେଇ ଖୁଣ୍ଟ ପରି ଛିଡ଼ା ହୋଇ ଏକଲୟରେ ବିପ୍ଳବ ଦାସକୁ ଚାହିଁଥିଲା ସେ । ଚିରା ଲୁଗାରେ ତା’ ଦେହର ଦିଶୁଥିବା ଅଂଶ ଆହୁରି ସ୍ପଷ୍ଟ ହୋଇ ଉଠୁଥିଲା । ଆଞ୍ଚଧାସରେ ଝାମ୍ପର ମୁହଁ ଲାଲ୍ ଦିଶୁଥିଲା । ବାବୁ କହିଲା, “ଭାଇ, ଆଜି ବରା ବି ସରିଯାଇଛି ।” ବିପ୍ଳବ ଦାସ ଚାହୁଁଥିଲା ଝାମ୍ପ ଏଠୁ ଶୀଘ୍ର ହାଟଚାଳିକୁ ଫେରିଯାଉ । କାରଣ ଝାମ୍ପ ପାଗେଳିକୁ ସାମ୍ନା କରିବାର ସାହସ ମଧ୍ୟ ତା’ ପାଖରେ ନ ଥିଲା । ସେ ଭାବୁଥିଲା, ଝାମ୍ପ ବି ମୋ ପରାଜୟ ପାଇଁ ମୋତେ ଥଟ୍ଟା କରୁଛି । ସେ ବଡ଼ ବେପରୁଆ ଭାବରେ କହିଲା, “ଆରେ, ଯାହା ବି ଅଛି ଦେଇ ଦେ ତାକୁ, ସେ ଯାଉ ।” ବାବୁ କାଗଜରେ ଗୁଡ଼େଇ ଗୋଟିଏ ଗଜା ଝାମ୍ପ ହାତରେ ଧରେଇ ଦେଲା । ତଥାପି ଝାମ୍ପ ସେମିତି ଛିଡ଼ା ହୋଇ ରହିଲା । ତେଣେ ଅମାବାସ୍ୟାର ଅନ୍ଧାର ବହଳ ହବାକୁ ଲାଗିଥିଲା । ମୁହଁକୁ ମୁହଁ ଦିଶୁନଥିଲା । ସୁଲୁସୁଲିଆ ପବନଟା ସୁ ସୁ ହୋଇ ବହିବାକୁ ଲାଗିଲା । ହାଟ ମଝିରେ ଥିବା ବରଗଛରୁ ପାଚିଲା ପତ୍ର ସବୁ ଧଡ୍‌ଧାଡ୍ ହୋଇ ହାଟଚାଳି ଉପରେ ପଡ଼ି ବଡ଼ ଅସ୍ୱାଭାବିକ୍ ଶବ୍ଦ ସୃଷ୍ଟି କରୁଥିଲେ । ସେହି ସମୟରେ କପିଳା ଷଣ୍ଢ ହାଟଚାଳିରେ ଥାଇ ହେଣ୍ଟାଳିବା ଆରମ୍ଭ କଲା । ତା’ ହେଣ୍ଟାଳ ଶୁଣି ବୁଲା କୁକୁରଗୁଡ଼ାକ ନାହିଁ ନଥିବା ଚିତ୍କାର ଛାଡ଼ିଲେ । ବିପ୍ଳବ ଦାସ ନିଜକୁ ବଡ଼ ଅସହାୟ ମନେ କଲା । ଝାମ୍ପ ବଡ଼ ଦୟନୀୟ ଭାବେ ତା’ର ମୁହଁକୁ ଚାହିଁ ରହିଥିଲା । ବିପ୍ଳବ ଦାସ ଚିଡ଼ି ଉଠି କହିଲା, “ଆଉ କ’ଣ ନେବୁ ?” ଝାମ୍ପ କ’ଣ ବୁଝିଲା କେଜାଣି, ଚୁପ୍‌ଚାପ୍ ହାଟଚାଳିକୁ ଫେରିଗଲା ତା’ର ଅତି ପରିଚିତ ଏବଂ ସୁରକ୍ଷିତ ସ୍ଥାନକୁ । ବିପ୍ଳବ ଦାସକୁ ସବୁ କିଛି ଖାଁ ଖାଁ ଲାଗୁଥିଲା । ମନୁ ଏ ତା’ ସାଙ୍ଗମାନେ ମଦ ନିଶାରେ ଚୁର୍ ହୋଇଯାଇଥିଲେ । ବିପ୍ଳବ ଦାସ ଦୋକାନ ପିଣ୍ଢାରୁ ପଦାକୁ ଆସି ଶୂନ୍ୟ ଆକାଶକୁ ଚାହିଁଲା । ତାକୁ ଲାଗୁଥିଲା, ଏଇ ତାରାଗୁଡ଼ାକ ଯେମିତି ତା’ ଉପରେ ଓଜାଡ଼ି ହୋଇ ପଡ଼ିବେ । ଏକ ମୁହାଁ ହୋଇ ସେ ଗାଁ ଭିତରକୁ ଚାଲିଲା ।

ରାତି ପାହି ସକାଳ ହେଲା । ମେଳକସାହି ପାଟମୁଣ୍ଡରୁ ସୂର୍ଯ୍ୟ ମୁହଁ କାଢ଼ି ଚାହିଁଥିଲେ ଗାଁଆଡ଼କୁ । କାଲି ରାତିର ପରିବେଶ ସକାଳକୁ ନ ଥିଲା । ସେ ଅମାବାସ୍ୟାର ଅନ୍ଧାର, ସୁ ସୁ ଗର୍ଜନ କରୁଥିବା କୋହଲା ପବନ, କିମ୍ୱା ପୃଥିବୀ ଉପରେ ଖସିପଡ଼ିବାର ଭ୍ରମ ସୃଷ୍ଟି କରୁଥିବା ତାରା କେହି ବି ନ ଥିଲେ । ସବୁକିଛି ନିଶ୍ଚିହ୍ନ ହୋଇଯାଇଥିଲା । ହାଟଚାଳିରେ ମେଳକସାହିଟା ସାରା ଲୋକେ ପିଲା, ବୁଢ଼ା, ମାଇପେ ସବୁ ଜମା ହୋଇଥିଲେ । ବିପ୍ଳବ ଦାସ ଧାଇଁ ଆସି ଭିଡ଼ ଆଡ଼େଇ ଝୁଙ୍କି ଚାହିଁଲା । ଯାହା ଦେଖିଲା ତା’ ଆଖିକୁ ବିଶ୍ୱାସ କରିପାରିଲାନି । ତା’ ପାଦ ତଳୁ ମାଟି ଖସିଗଲା ପରି ତାକୁ ଲାଗିଲା । ଦେହରୁ ଗୋଟା ଗୋଟା ଝାଳ ବାହାରିଗଲା । ସେ ଅସ୍ତବ୍ୟସ୍ତ ହୋଇପଡ଼ିଲା । ଝାମ୍ପ ମଲା ପରି ପଡ଼ିଥିଲା । କାଲି ରାତିରେ ତା’ ଦେହରେ ଗୁଡ଼େଇ ହୋଇଥିବା ଚିରାଲୁଗା ଟିକି ଟିକି ହୋଇ ଏଣେତେଣେ ପଡ଼ଥିଲା । ଦେହସାରା ରକ୍ତର ଛିଟା ସତେଜ ଦିଶୁଥିଲା । କପିଳା ଷଣ୍ଢ ବରଗଛ ମୂଳେ ଶୋଇ ପାକୁଳି କରୁଥିଲା । ଝାମ୍ପ ଜାକିଜୁକି ହୋଇ ପଥରପରି ପଡ଼ି ରହିଥିଲା ହାଟଚାଳିରେ । ତା’ ଠାରୁ ମାତ୍ର କେତେ ହାତ ଦୂରରେ କେତେଟା ମଦ ବୋତଲ ଶୂନ୍ୟ ହୋଇ ଗଡୁଥିଲେ । ପୋଲିସ୍ ଜିପ୍ ଧୂଳି ଉଡ଼େଇ ଆସି ହାଟ ମଝିରେ ଅଟକିଲା । ରିପୋର୍ଟ ଲେଖା ହେଲା ବିପ୍ଳବ ଦାସ ବିରୋଧରେ । ମନୁ ଓ ତା’ ଚେଲାମାନେ ସାକ୍ଷୀ ଦେଲେ, “କାଲି ରାତିରେ ବିପ୍ଳବ ଦାସ ଝାମ୍ପକୁ ବରା ଖାଇବା ପାଇଁ ଦେଉଥିବା ସେମାନେ ଦେଖିଥିଲେ ।” ପୋଲିସ୍ ସେମାନଙ୍କଠୁ ଦସ୍ତଖତ ନେଲା । ଶେଷରେ ବିପ୍ଳବ ଦାସ ହାତରେ ହାତକଡ଼ା ପିନ୍ଧାଇଲା ବେଳକୁ ବିଜିବୋଉ ଭିଡ଼ ଆଡ଼େଇ ବାହାରି ଆସି ଚିତ୍କାର କରି କହିଲା, “ପୋଡ଼ାମୁହାଁ ବିପ୍ଳବ ଦାସ ! ତୁ’ଟା ଧପାବାଜ୍ ବୋଲି ଜାଣିଥିଲି, ହେଲେ ବେଇମାନ୍ ବୋଲି ଜାଣିନଥିଲି ।” ବିପ୍ଳବ ଦାସକୁ ପୋଲିସ୍ ଘୋଷାଡ଼ି ନେଉଥିଲା । ତା’ର ଦୃଷ୍ଟି ଭିଡ଼ ଚିରି ଝାମ୍ପକୁ ଦେଖିବା ପାଇଁ ପ୍ରୟାସ କରୁଥିଲା; କିନ୍ତୁ ଝାମ୍ପ ତାକୁ ତିଳେ ମାତ୍ର ଦୃଷ୍ଟିଗୋଚର ହେଉନଥିଲା । ବିପ୍ଳବ ଦାସ ବାକ୍‌ଶୁନ୍ୟ ହୋଇ ସମସ୍ତଙ୍କୁ ବଲବଲ କରି ଚାହୁଁଥିଲା ।

ଲୋକପ୍ରିୟ ଲେଖା

To Top