ଗଳ୍ପ

ଭାଗ୍ୟ

Rajiba Lochana Panda's odia story Bhaagya

ଫୁଲ ତୋଳିଦିଏ ସିନା ମାଳ କରିବାଟା ମୋତେ ଆଦୌ ଜଣା ନାହିଁ ତେଣୁ ମୁଁ ବୋଉକୁ ଅଳି କରେ ମାଳଟୀଏ ଗୁନ୍ଥି ଦେବା ପାଇଁ, ହେଲେ ମୋ ବୋଉ କାର୍ଯ୍ୟ ବ୍ୟସ୍ତତା ଯୋଗୁଁଫୁଲ ମାଳ ଗୁନ୍ଥି ପାରେନି

ଭାଗ୍ୟ

ଏମିତି ଦେଖିବାକୁ ଗଲେ ପିଲାଦିନେ ସ୍କୁଲ୍‍ ଛୁଟି ଦିନ ଗୁଡାକ ମୋର ମାମୁଁ ଘରେ ହିଁ କଟିଛି । ମୁଁ ପିଲାଦିନେ ସବୁବେଳେ ଅପେକ୍ଷାରେ ଥାଏ ଖରା ଦିନିଆ ସ୍କୁଲ୍‍ ଛୁଟିକୁ , ସ୍କୁଲ୍‍ ଛୁଟିଟା ଆରମ୍ଭ ହଉହଉ ମୁଁ ମୋ ବୋଉ ସାଥିରେ ସଜ ହୋଇଯାଏ ମାମୁଁ ଘରକୁ ଯିବାକୁ ମାମୁଁ ଘର ଗାଁ ପରିବେଶଟା ମୋ ପାଇଁ ଟିକେ ନିଆରା । ମାମୁଁ ଘର ଗାଁ ସାଙ୍ଗ ସାଥି ତା ସାଙ୍ଗକୁ ନଈ କୁଳିଆ ପବନ ପୁଣି ଗାଁ ଶେଷରେ ଥିବା ଆମ୍ବତୋଟା ମୋତେ ସବୁବେଳେ ପ୍ରଭାବିତ କରିଛି । ଦିନେ ଏମିତି ମାମୁଁ ଘର ଗାଁରେ ସାଙ୍ଗ ସାଥି ମେଳରେ ଆମ୍ବତୋଟା ଭିତରେ ଖେଳୁଖେଳୁ ମୋତେ ମିଳିଥିଲା ଗୋଟେ ମାଟିରେ ତିଆରି ପୂରୁଣା କାଳିଆ ଛୋଟ ଗଣେଷ ମୂର୍ତ୍ତି । ଗଣେଷ ମୂର୍ତ୍ତିର ଅବସ୍ଥା ସେତେ ଭଲ ନ ଥିଲା ସତେ ଯେମିତି ଗଣେଷ ମୂର୍ତ୍ତିଟା ଦୟନିୟ ଅବସ୍ଥାରେ ଅଛି । ସେହି ମୂର୍ତ୍ତିଟାକୁ ଧରି ସେଦିନ ମାମୁଁ ଘରକୁ ଚାଲି ଆସିଲି ।

ଗଣେଷ ମୂର୍ତ୍ତିଟାକୁ ମୋ ହାତରେ ଦେଖି ସେଦିନ ମୋ ମାମୁଁ ଖୁସି ହୋଇଯାଇଥିଲେ ଆଉ ଖୁସିରେ ମୋ ବୋଉକୁ କହୁଥିଲେ ଏମିତି କୋଉ ଏକୁଟିଆ ନିକାଞ୍ଚନ ଯାଗାରୁ ଗଣେଷ ମୂର୍ତ୍ତିଟେ ମିଳିବା ଭାଗ୍ୟର କଥା । ସେଦିନ ମାମୁଁ ମୋତେ ବୁଝାଉଥିଲେ ଗଣେଷ କୁଆଡେ ଏ ତିନି ଭୂବନର ଭାଗ୍ୟ ବିଧାତା । ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବାରେ ଗଣେଷ ଖୁବ୍‍ ପାରଙ୍ଗମ । ମାମୁଁଙ୍କ ମୁହଁରୁ ଏମିତି ଶୁଣି ସେହିଦିନ ଠାରୁ ମୋର ଗଣେଷଙ୍କ ପ୍ରତି ଗୋଟେ ଅଜଣା ଅଦେଖା ଆକର୍ଷଣ ବଢିଯାଇଥିଲା । ଖରାଦିନିଆ ଛୁଟି ସରିଲା ବେଳକୁ ଆମ ଗାଁକୁ ଗଣେଷ ମୂର୍ତ୍ତିଟା ନେଇକି ପଳେଇ ଆସିଲି । ବାପାଙ୍କଠୁ କିଛି ପଇସା ଆଣି ସେହି ପଇସାରେ ଭଳିକି ଭଳି ରଙ୍ଗ ଆଣି ଗଣେଷ ମୂର୍ତ୍ତିଟାକୁ ନିଜ ହାତରେ ସଜେଇ ଦେଲି । ଭଳିକି ଭଳି ରଙ୍ଗରେ ସଜେଇ ହୋଇ ପୁରୁଣା ଫିକା ଦେଖା ଯାଉଥିବା ଗଣେଷ ମୂର୍ତ୍ତିଟା ନୂଆଁ ଭଳିଆ ଝଟକିବାକୁ ଲାଗିଲା ।

ଏମିତି ଦେଖିବାକୁ ଗଲେ ମୁଁ ଭଲ ପାଠ ପଢୁଥିଲି କିନ୍ତୁ ଗଣେଷଙ୍କ ଆରାଧନା କରିବା ପରଠୁଁ ଅଧିକରୁ ଅଧିକ ମେଧାବି ଭଳିଆ ଆମ ସ୍କୁଲରେ ଜଣାଶୁଣା ହୋଇଯାଇଥିଲି । ଗଣେଷ ପୂଜା ଆସିଲେ ଆମ ଗାଁରେ ଚାନ୍ଦା ଭେଦା ପକାଇ ଗଣେଷ ପୂଜାର ଆୟୋଜନ ହୁଏ । ଛୋଟ ପିଲାଟେ ହେଲେବି ମୋର ଗଣେଷ ମେଢ ତିଆରି ଠୁ ବିସର୍ଜନ ଯାଏଁ ଭାଗନବା ପାଇଁ ଭାରି ଇଚ୍ଛା ହେଲେ ବଡ ବଡ ଯୁବକମାନେ ସେ ସବୁ କାମ କରନ୍ତି ସିନା ମୋତେ ସେ କାମରେ ବିଲକୁଲ୍‍ ପୁରାଇ ଦିଅନ୍ତି ନାହିଁ । ମୁଁ କିନ୍ତୁ ଭାରି ଯିଦିଆ ବଡବଡ କାମରେ ସହଯୋଗ ନକରିପାରିଲେ କଣ ହେଲା ଫୁଲ ତୋଳି ବଡବଡ ମାଳ କରି ଗଣେଷଙ୍କୁତ ଦେଇ ହବ । ଏମିତି ଭାବି ଗଣେଷ ପୂଜା ପୂର୍ବ ଦିନ ରାତିଅଧରୁ ଉଠି ପଡି ମୁଁ ଫୁଲ ତୋଳାରେ ଲାଗିଯାଏ । ଫୁଲ ତୋଳିଦିଏ ସିନା ମାଳ କରିବାଟା ମୋତେ ଆଦୌ ଜଣା ନାହିଁ ତେଣୁ ମୁଁ ବୋଉକୁ ଅଳି କରେ ମାଳଟୀଏ ଗୁନ୍ଥି ଦେବା ପାଇଁ, ହେଲେ ମୋ ବୋଉ କାର୍ଯ୍ୟ ବ୍ୟସ୍ତତା ଯୋଗୁଁଫୁଲ ମାଳ ଗୁନ୍ଥି ପାରେନି । ମୋ ବୋଉ ଫୁଲ ଗୁଡିକ ନେଇ ଆମ ପଡିଶା ଘର ଝିଅ ସୋନାଲିକୁ ଦେଇଦିଏ ।

ସୋନାଲି ମୋଠୁ ଦୁଇ ବର୍ଷ ବୟସରେ ସାନ କିନ୍ତୁ ଫୁଲ ମାଳ ଗୁନ୍ଥିବାରେ ଏକଦମ୍‍ ପାରଙ୍ଗମ । ପିଲାଟି ଦିନରୁ ମୋର ତାର ଆଗରୁ କେବେ ଜମେନି, ସବୁ ବେଳେ ତା ସାଙ୍ଗରେ କିଛି ନା କିଛି କଥାକୁ ନେଇ କଳିକଜିଆ ଆଉ ଯୁକ୍ତିତର୍କ । ସୋନାଲି ଆମ ସ୍କୁଲରେ ହିଁ ପଢେ । ପାଠ ପଢାରେ ସିଏବି ମୋଠୁ କିଛି କମ୍‍ ନୁହେଁ । ଆର୍ଥିକ ଅବସ୍ଥା ସେତେଟା ଭଲ ନଥିବା ଯୋଗୁ ସେ ଟ୍ୱୁସନ୍‍ ଯାଇ ପାରେନି ସିନା ପାଠପଢା ସବୁ ତାର ଠିକ୍‍ ଠାକ୍‍ ଚାଲେ । ସୋନାଲି ସହିତ ମୁଁ କଳିକଜିଆ ବାହାରେ ବାହାରେ ସିନା କରେ ହେଲେ ଭିତରେ ଭିତରେ କିନ୍ତୁ ମୁଁ ତାକୁ ଖୁବ୍‍ ଭଲ ପାଏ । ଏଡିକି ଟିକିଏ ଝିଅଟେ ହେଲେ କଣ ହେଲା ତାକୁ ଦୂରରୁ ଦେଖିଲେ କାଚ କଣ୍ଢେଇଟେ ଭଳି ଲାଗେ । ସବୁବେଳେ ବିନା କାରଣରେ ମୁଁ ତା ସହ ଯୁକ୍ତିତର୍କ କରେ, ସିଏ କିନ୍ତୁ ଅଧିକ ସମୟ ମୋ ସହିତ ବକର ବକର ନହୋଇ ତାରି ଘରକୁ ଦୌଡି ପଳାଏ ।

ଆଜି ଯେତେବେଳେ ସୋନାଲି ହାତରେ ଫୁଲ ଗୁନ୍ଥିବା କାମଟା ହବ ମୁଁ ସୋନାଲିକୁ ପ୍ରସଂଶା କରି କହୁଥିଲି ବୁଝିଲୁ ସୋନାଲି ତୋ ଭଳିଆ ଭଲ ଝିଅଟେ ପରା ଆମ ଗାଁ ଭିତରେ ନଥିବ ତୁ ନଥିଲେ ପରା ଗଣେଷ ପୂଜାଟା ବନ୍ଦ ହୋଇଯାଥାନ୍ତା । ହେଲେ ମୋର ଏ ମିଛ ଅଭିନୟ କିନ୍ତୁ ତା ପାଖରେ ଧରା ପଡିଯାଏ । ମୁରୁକି ମୁରୁକି ହସି କହେ କାଇଁ ଏତିକି ଟିକିଏ ଫୁଲ ଗୁନ୍ଥିବା କାମଟା ତ ତମ ହାତରେ ହଉନି ଖାଲି ଯାହା କଳିକଜିଆ କରିବା ଶିଖିଛ । ଏମିତି କଥା କୁହାକୁହି ଭିତରେ ଦେଖୁ ଦେଖୁ ସୋନାଲି ମୋ ହାତରେ ଗୋଟେ ବଡ ଫୁଲ ମାଳଟେ ଆଣି ଧରେଇ ଦେଲା । ତା ହାତରୁ ଫୁଲ ମାଳଟାକୁ ଆଣୁଆଣୁ ତାକୁ ମଜାରେ ମଜାରେ ସେଦିନ କହୁଥିଲି ବୁଝିଲୁ ସୋନାଲି ତୋର ଏ ଫୁଲମାଳ ଦେଖି ଗଣେଷ ନିଶ୍ଚୟ ଖୁସି ହେବେ ଆଉ ଦେଖିବୁ ତୁ ବଡ ହେଲେ ତତେ ଗୋଟେ ଭଲ ବର ମିଳିବ । ମୋ ପାଟିରୁ ଏମିତି କଥା ଶୁଣି ସୋନାଲି ବି ମଜାରେ ମଜାରେ ମୋତେ ଚିଡେଇଲା ଭଳିଆ କହୁଥିଲା ତମ ଉପରେ ବି ଗଣେଷ ଖୁସି ହୋଇ ଭଲ ସୁନ୍ଦରିଆ ଝିଅଟେ ଜୀବନ ସାଥି କରିବା ପାଇଁ ପଠେଇବେ । ୟା ପରଠୁ ଯୁକ୍ତିତର୍କ ତ ଦୂରର କଥା କଳିକଜିଆ ବି କେବେ ହୋଇନି ସୋନାଲି ଆଉ ମୋ ଭିତରେ ।

ଧିରେ ଧିରେ ବଡ ହୋଇଗଲି ମୋ ସହିତ ତାଳ ଦେଇ ସୋନାଲି ବି ବଡ ହୋଇଗଲା । ପିଲାଦିନର କଳିକଜିଆଟା ଧିରେଧିରେ ଆମ ଭିତରେ ଭଲ ପାଇବାରେ ପରିଣତ ହୋଇଯାଇଥିଲା । ସୋନାଲିକୁ ଦେଖିଲେ ଯିଏ ହଉନା କାହିଁକି ମୋହ ହୋଇଯିବ, ସୋନାଲି ଏତେ ସୁନ୍ଦର ଦେଖା ଯାଉଥିଲା ଯେ ସିଏ ଯାହାକୁ ବି ଚାହିଁଥାନ୍ତା ତା ସହିତ ଅନାୟାସରେ ଘର ସଂସାର କରିପାରିଥାନ୍ତା ହେଲେ ତା ମନ କିନ୍ତୁ ମୋ ପାଖରେ ଏକା ଯିଦ୍‍ ମୋତେ ହିଁ ବାହା ହବ । ବାହାଘର କଣ ଖେଳ ଘର ହୋଇଛି । ବାହାହବା ପାଇଁ ଭଲ ଚାକିରୀ ଖଣ୍ଡେ ଦରକାର ତେଣୁ ସୋନାଲିକୁ ସେଦିନ କଥା ଦେଇଥିଲି ପାଖ ସହରକୁ ଉଚ୍ଚଶିକ୍ଷା ପାଇଁ ଯିବି, ପାଠପଢା ସାରି ଭଲ ଚାକିରୀ ଖଣ୍ଡେ କରିବି ତାପରେ ଯାଇ ସୋନାଲି ମଥାରେ ସିନ୍ଦୁର ଦେବି ।

ମୋ ପରିବାର କହିଲେ ମୋ ବାପା ମାଁ ଆଉ ମୁଁ, ଗୋଟିଏ ବୋଲି ପୁଅ ହୋଇଥିବାରୁ ବାପା ମୋତେ କୌଣସି କାମରେ କେବେ ବାଧା ଦିଅନ୍ତିନି ତା ଛଡା ଉଚ୍ଚଶିକ୍ଷା ପାଇଁ ପାଖ ସହରକୁ ଯାଉଛି ଯେତେ ବେଳେ ମୋ ବାପାଙ୍କର ମନା କରିବାର ପ୍ରଶ୍ନ ଉଠୁନି । ହେଲେ ଉଚ୍ଚଶିକ୍ଷା ପାଇଁ ଦରକାର ଅଜସ୍ର ଟଙ୍କା । ଆମର ନଥିଲା ବାଲା ଘର ନହେଲେ ବି ସେମିତି ଥିଲାବାଲା ଘର ବି ନୂହେଁ । ବାପା ଯେନତେନ ଉପାୟରେ ଜମିବାଡି ବିକି ମୋତେ ପଠେଇ ଦେଲେ ଉଚ୍ଚଶିକ୍ଷା ପାଇଁ । ମୋ ବୋଉର ସ୍ୱପ୍ନ ମୋ ପୁଅ କେମିତି ଭଲ ପାଠ ପଢି ପାଞ୍ଚ ଲୋକରେ ଜଣେ ହୋଇ ନିଜ ଭବିଷ୍ୟତ ଗଢିବ । ମୁଁ ବି ଚାହୁଁଥିଲି ବାପା ମାଁଙ୍କର ସ୍ୱପ୍ନ ସାକାର କରିବା ପାଇଁ ଦିନ ରାତି ଏକ କରିଦେବାକୁ । ଉଚ୍ଚଶିକ୍ଷା ପାଇଁ ସହର ଅଭିମୁଖେ ବାହାରିଲା ବେଳକୁ ପିଲାଦିନୁ ଗୋଟେଇ ଆଣି ପୂଜା କରୁଥିବା ଗଣେଷ ମୂର୍ତ୍ତିଟାକୁ ମୁଣ୍ଡିଆଟେ ମାରି ମୋ ବୋଉ ଅମାନତରେ ମୂର୍ତ୍ତିଟାକୁ ଦେଇ ବାହାରି ପଡିଲି । ଏମିତି କୋଉଦିନ ନଥିବ ଯୋଉ ଦିନ ମୁଁ ସେ ଗଣେଷ ମୂର୍ତ୍ତିଟାକୁ ପୂଜା କରି ନଥିବି । ହେଲେ ଆଜି ଯେତେବେଳେ ବାହାରକୁ ପାଠ ପଢିବାକୁ ଯାଉଛି ଗଣେଷ ମୂର୍ତ୍ତିଟାକୁ ସାଥିରେ ନେଇ ଯାଇ ପାରିଲିନି ସେଥି ପାଇଁ ମୋ ମନଟା ଭାରି ଦୁଃଖ । ଘର ବାହାରକୁ ଗୋଡ କାଢିଲା ବେଳକୁ ସୋନାଲି ତାଙ୍କ ଘର ବାରଣ୍ଡା ପଛପଟେ ଥାଇ ମୋତେ କଣେଇଁ କଣେଇଁ ଚାହିଁ ମୁରୁକିମୁରୁକି ହସି କହୁଥିଲା “ମୋ କଥା ମନେ ଅଛି ତ” ତାଠୁ ଏମିତି ଶୁଣି ମୁଁ ମୁଣ୍ଡ ହଲେଇ ସମ୍ମତି ଜଣେଇ ଚାଲିଗଲି ସହର ଅଭିମୁଖେ ।

ଧିରେ ଧିରେ ସମୟ ବଦଳିବାକୁ ଲାଗିଲା ମୋ ଉଚ୍ଚଶିକ୍ଷା ସରିଲା ବେଳକୁ ମୋ ବାପା କରଜରେ ପୁରାପୁରି ବୁଡି ଯାଇଥିଲେ । ବାପାଙ୍କ କରଜ ସୁଝିବାର ଶେଷ ଆଶା ମୁଁ ହିଁ ଥିଲି ମାନେ ମୋ ଚାକିରୀ କରିବା ହିଁ ଥିଲା ବାପାଙ୍କ କରଜ ସୁଝିବାର ଶେଷ ଆଶା । ହେଲେ ଉଚ୍ଚଶିକ୍ଷା ସରିବାପରେ ଯେ କୌଣସି ଯାଗାକୁ ଚାକିରୀ ପାଇଁ ଆବେଦନ କରିବା ବେଳକୁ ସବୁଠି ଦରକାର ପଡୁଥିଲା ଅଜସ୍ର ଟଙ୍କା ଲାଞ୍ଚ ହିସାବରେ । ଥରେ ଅଧେ ମନେ ମନେ ଚିନ୍ତା କରିଛି ଗାଁକୁ ଯାଇ ବାପାଙ୍କୁ ଚାକିରୀ ପାଇଁ ଦରକାର ହଉଥିବା ଲାଞ୍ଚ ପାଇଁ ପଇସା ମାଗିବାକୁ । ହେଲେ ବାପାଙ୍କ ପାଖରେ ଆଉ ସେମିତି କିଛି ସମ୍ବଳ ନଥିଲା ଦେବାପାଇଁ । ଉଚ୍ଚଶିକ୍ଷା ପରେ ଚାକିରୀ ନପାଇ ସବୁଠି ନିରାଷ ହୋଇ ଘରକୁ ଫେରି ଆସିଲି ଘରକୁ ଫେରି ଆସିଲି ବେଳକୁ ମନଟା ବିଲକୁଲ୍‍ ଭଲ ଲାଗୁ ନଥିଲା ।

ବାପା କରଜ କଥା ଭାବି ଭାବି ଶଯ୍ୟାସାୟୀ ହୋଇଯାଇଥିଲେ । ବାପାଙ୍କ ମୁହଁଟାକୁଦେଖି ମୋ ମନଟା ଭାରାକ୍ରାନ୍ତ ହୋଇଯାଇଥିଲା । ଏତେ ବଡ ମେଧାବି ଛାତ୍ରଟେ ହୋଇବି ଉଚ୍ଚଶିକ୍ଷା ପରେ ବି ଜୀବନରେ ସଫଳତା ନ ମିଳିବାରୁ ମନଟା ବିସାଦଗ୍ରସ୍ତ ହୋଇଯାଇଥିଲା । ଯୋଉ ଗଣେଷଙ୍କ ନା ଶୁଣିଲେ ମନଟା ଆନନ୍ଦରେ ଭକ୍ତି ଭାବରେ ଭରି ଯାଉଥିଲା ସେଇ ଗଣେଷଙ୍କ ନାଁ ଶୁଣିଲା ବେଳକୁ ନାକଟା ଘୃଣାରେ ଟେକି ହୋଇଯାଉଥିଲା । ଆମ ଘରେ ଥିବା ସେହି ପୁରୁଣା ଗଣେଷ ମୂର୍ତ୍ତିଟାକୁ ଏଣିକି ଆଉ ପୂଜାପୂଜି କରୁ ନଥିଲି । ବେଳେବେଳେ ଗୋଟେଇ ଆଣିଥିବା ସେହି ଗଣେଷ ମୂର୍ତ୍ତି ସାମନାରେ ଛିଡା ହୋଇ ଗଣେଷଙ୍କୁ ବିଦ୍ରୁପ କଲା ଭଳିଆ ଏକୁଟିଆ ଏକୁଟିଆ କଥା ହଉଥିଲି । ଗଣେଷ ମୂର୍ତ୍ତିଟାକୁ ଚାହିଁ କହୁଥିଲି ଇଏ ତାହା ହେଲେ ଭାଗ୍ୟ ବିଧାତା, ଦୁର୍ଭାଗ୍ୟକୁ କୁଆଡେ ଇଏ ସୌଭାଗ୍ୟରେ ବଦଳଇ ଦିଅନ୍ତି ଏମିତି କେତେ କଣ । ହେଲେ ମୋ ବୋଉ କିନ୍ତୁ ମୋତେ ବୁଝାଏ ସମୟ ଆସିଲେ ସବୁ କିଛି ବଦଳି ଯିବ ଗଣେଷ ଚାହିଁଲେ ସବୁକିଛି ସମ୍ଭବ । ଏମିତି ଆସ୍ୱାସନା ମୋ ବୋଉଠୁ ଶୁଣି ମୁଁ ଗଣେଷ ମୂର୍ତ୍ତି ସାମ୍ନାରୁ ଚୁପ୍‍ ଚାପ୍‍ ଚାଲି ଆସେ ।

ଏ ଭିତରେ ଦେଖୁ ଦେଖୁ ଅନେକ ଦିନ ବିତିଯାଇଥିଲା ,ସୋନାଲିକୁ ଦେଇଥିବା କଥା ରଖି ନପାରିବାରୁ ଲଜ୍ଜାରେ ସୋନାଲି ସହିତ କଥା ହେବା ବନ୍ଦ କରିଦେଇଥିଲି । ସୋନାଲି କିନ୍ତୁ ସବୁବେଳେ ମୋ ସହିତ କଥା ହବା ପାଇଁ ସୁଯୋଗ ଖୋଜୁଥିଲା । ତାର ବି ଘରର ଅବସ୍ଥା ସେମିତି କିଛି ଭଲ ନଥିଲା, ତା ପରିବାର କହିଲେ ତା ମା ଆଉ ସେ ନିଜକୁ ବୁଝଉଥିଲା । ପିଲାଟି ଦିନରୁ ତା ବାପା ଆଖି ବୁଜି ଦେଇଥିଲେ । ସୋନାଲିର ମା ଯେନତେନ ଉପାୟରେ ସୋନାଲିକୁ ବଡ କରିଥିଲେ । ଘରେ କିଛି ନାହିଁ ବୋଲି ସୋନାଲି ମନରେ କେବେବି ଦୁଃଖ ଦେଖିନି ସବୁବେଳେ ତା ମୁହଁ ହସହସ । ଘରର ଆର୍ଥିକ ଅବସ୍ଥା ଖରାପ ଯୋଗୁ ସୋନାଲିର ପାଠ ପଢା ମାଟ୍ରିକ ପରଠୁଁ ହିଁ ବନ୍ଦ ହୋଇଯାଥିଲା । ସୋନାଲି ବଡ ହେବା ପରେ ଘରର ଭଲ ମନ୍ଦ ବୁଝିବା ପାଇଁ ଛୋଟ ଛୋଟ ପିଲାମାନଙ୍କୁ ଟ୍ୱୁସନ୍‍ କରୁଥିଲା । ମୁଁ ସିନା ଗଣେଷଙ୍କୁ ପୂଜା ଆରାଧନା କରିବା ବନ୍ଦ କରି ଦେଇଥିଲି ହେଲେ ସୋନାଲି କିନ୍ତୁ ସେମିତି କିଛି ପରିବର୍ତ୍ତନ ହୋଇ ନଥିଲା ।

ଏମିତି ଦେଖୁ ଦେଖୁ ସୋନାଲିର ମା କୋଉ ଅଜଣା ରୋଗର ଶିକାର ହୋଇ ବିଛଣା ଧରିଲେ, ଦେହ ଭଲ ପାଇଁ ଦରକାର ପଡିଲା ପାଖାପାଖି ପାଞ୍ଚ ଲକ୍ଷ ଟଙ୍କା, ପାଞ୍ଚ ହଜାର ପାଇଁ ଯୋଗ୍ୟତା ନଥିବା ସୋନାଲି ପାଖରେ ପାଞ୍ଚଲକ୍ଷ ଟଙ୍କାଟା ଗୋଟେ ଦୁଃସ୍ୱପ୍ନ ଭଳିଆ ଲାଗୁଥିଲା । ସୋନାଲିର ଏମିତି ପରିସ୍ଥିତିରେ ମୁଁ ତାକୁ ଚାହିଁକି ବି କିଛି ହେଲେ ସାହାର୍ଯ୍ୟ କରି ପାରୁନଥିଲି ମନରେ ଭାବୁଥିଲି ତିନି ଭୂବନର ଭାଗ୍ୟବିଧାତା ମୋ ଦୁଃଖ ନ ଶୁଣିଲେ ନାହିଁ ସୋନାଲିର ଦୁଃଖ ଅନ୍ତତଃ ଶୁଣିଥାନ୍ତେ ।

ୟାରି ଭିତରେ ସୋନାଲି ପାଇଁ ଆସିଥିଲା ପାଖ ସହରରୁ ତା ବାହାଘରର ପ୍ରସ୍ତାବ । ତା’ ବର କୁଆଡେ କୋଟିପତି ଥିଲା ହେଲେ ବୟସଟା କିନ୍ତୁ ଟିକେ ଅଧିକ ଥିଲା । ପାଖାପାଖି ପଇଁଚାଳିଶ ବର୍ଷର ଦରବୁଢା ଲୋକଟାକୁ ବାହାହବା ପାଇଁ ଇଛା ନଥାଇ ବି ସେଦିନ ସୋନାଲି ସେହି ପ୍ରସ୍ତାବରେ ରାଜି ହୋଇଯାଇଥିଲା । ଦ୍ୱୀତିୟ ପକ୍ଷରେ ବାହା ହେଉଥିବା ଯୋଗୁଁ ସୋନାଲିର ମାଁଙ୍କୁ ଯୌତୁକ ଦବାର ବୋଝ ବିଲକୁଲ୍‍ ନଥିଲା । ତା ସାଙ୍ଗକୁ ବର ଘରର ପରିଜନ କଥା ଦେଇଥିଲେ ସୋନାଲିର ବାହାଘର ସେଇଠି ହେଲେ ସୋନାଲିର ମାଁଙ୍କ ଦେହ ପାଇଁ ଯାହା ଖର୍ଚ୍ଚ ହବ ସେମାନେ ବହନ କରିବେ ।

ଦେଖୁଦେଖୁ ସୋନାଲିର ନିର୍ବନ୍ଧ ଆଖି ପିଛୁଳାକେ ମୋରି ସାମ୍ନାରେ ହୋଇଗଲା କେବେ କେମିତି ସୋନାଲି ଆଖିକୁ ମୋ ଆଖି ମିସିଗଲା ବେଳକୁ ସୋନାଲି ଛୋଟ ପିଲାଟେ ଭଳିଆ କଇଁ କଇଁ ହୋଇ କାନ୍ଦି ପକଉଥିଲା । ତା ଲୁହ ଛଳଛଳ ଆଖି ଦେଖି ମୋ ମନ ବିଲକୁଲ୍‍ ବୁଝୁନଥିଲା ହେଲେ ମୁଁ ଉପାୟ ଶୁନ୍ୟ ଥିଲି । ବେଳେ ବେଳେ ମୋ ନିଜ ମନକୁ ବୁଝାଇବା ପାଇଁ ଭାବୁଥିଲି ମୋ ଭଳିଆ ବେକାରକୁ ସୋନାଲି ବାହାହୋଇ ଯେତିକି ଦୁଃଖ ପାଇଥାନ୍ତା ତାଠୁ ଅଧିକ ସୁଖ ସେ ଦରବୁଢା କୋଟିପତି ଲୋକଟାକୁ ବାହା ହୋଇ ପାଇବ ।

ଏମିତି ଦେଖୁ ଦେଖୁ ସୋନାଲିର ବାହାଘର ଦିନଟା ଧାର୍ଯ୍ୟ ହୋଇଗଲା, ଗଣେଷ ପୂଜା ଯିବାର ସାତ ଦିନ ବେଳକୁ ଶୁଭଲଗ୍ନ ଦେଖି ବାହାଘରଟା ହବ । ସୋନାଲିର ବାହାଘରଟା ଯେତିକି ପାଖେଇ ଆସୁଥିଲା ମୁଁ ସେତିକି ମାନସିକ ବିସାଦଗ୍ରସ୍ତ ଆଡକୁ ଗତି କରୁଥିଲି । ମୋର ଏମିତି ଦଶା ଦେଖି ମୋ ବୋଉ ମୋତେ ବୁଝଉଥିଲା ଗଣେଷଙ୍କ ଉପରେ ଭରସା ରଖ୍‍ ଗଣେଷ ଚାହିଁଲେ ସବୁ ଠିକ୍‍ ହୋଇଯିବ । ହେଲେ କାହିଁକି କେଜାଣି ମୋ ମନରେ ମୋ ବୋଉ ପ୍ରତିବି ଅବିଶ୍ୱାସ ଜାତ ହଉଥିଲା । ମୋର ଏମିତି ଶଙ୍କା ମନକୁ ହାଲକା କରିବା ପାଇଁ ମୋ ବୋଉ ମୋତେ ସେଦିନ ବୁଝଉଥିଲା, ଯିଏ ତିନି ଭୁବନର ଭାଗ୍ୟବିଧାତା ତାଙ୍କର ବି ଦୁଃଖ ଅଛି ତାଙ୍କର ବି ଖରାପ ଦିନ ଥିଲା । ଗଣେଷଙ୍କର ବି ଦିନ ଖରାପ ଥିଲା ଯେ ନିଜ ମୁଣ୍ଡକଟି ହାତିର ମୁଣ୍ଡ ଲଗାଯାଇଥିଲା । ମୋ ବୋଉ ଯେତେ ବୁଝେଇଲେ ବି ମୋ ମନ ବିଲକୁଲ୍‍ ବୁଝୁନଥିଲା, ସବୁବେଳେ ଖାଲି ଗୁମ୍‍ ମାରି ବସିଥିଲି ।

ଏମିତି ଦେଖୁଦେଖୁ ଗଣେଷ ପୂଜାଦିନ ପାଖେଇ ଆସିଲା । ସବୁବେଳେ ଗଣେଷ ପୂଜାରେ ଫୁଲ ତୋଳି ମୁଁ ସୋନାଲିକୁ ମାଳ ଗୁନ୍ଥିବାକୁ ଦିଏ ଗଣେଷଙ୍କ ପାଇଁ ହେଲେ ଆଜି ପରିସ୍ଥିତିଟା ପୁରା ଓଲଟା ଥିଲା । ସୋନାଲି ନିଜେ ଫୁଲ ତୋଳି ଗଣେଷଙ୍କ ପାଇଁ ଫୁଲ ମାଳ ତିଆରି କରୁଥିଲା । ମୁଁ ଭଲ ଭାବେ ଜାଣିଥିଲି ସୋନାଲି ମୋ ବିନା ଖୁସିରେ ରହି ପାରିବନି । ତା ଜୀବନର ସ୍ୱପ୍ନ ଗଣେଷ ପୂରଣ କରିନଥିଲେ, ତଥାପି ସୋନାଲିର ଆଗ୍ରହ ଆଉ ବିଶ୍ୱାସ ଗଣେଷଙ୍କ ଉପରୁ ବିଲକୁଲ୍‍ କମି ନଥିଲା । ଫୁଲ ମାଳଟେ ଗୁନ୍ଥି ସୋନାଲି ଆମ ଘରକୁ ଆସି ମୋ ହାତରେ ଧରେଇ ଦେଇଥିଲା ଆମ ଗାଁରେ ହଉଥିବା ଗଣେଷ ମେଢ ଉଦ୍ଦେଶ୍ୟରେ ।

ସୋନାଲି କଥା ଭାଙ୍ଗି ନପାରି ଗାଁରେ ହୋଇଥିବା ଗଣେଷ ମେଢରେ ଫୁଲମାଳଟା ଚଢେଇ ଦେଇ ଚାଲି ଆସିଲି । ଘରେ ପୂଜା ନହୋଇ ଅବହେଳିତ ଅବସ୍ଥାରେ ପଡିଥିବା ସେଇ ପୁରୁଣା ମାଟି ଗଣେଷ ମୂର୍ତ୍ତିଟା ଆଗରେ ବସି ପଡି ଖାଲି ଭୋ ଭୋ ହୋଇ କାନ୍ଦି ପକେଇଲି । ଭାଗ୍ୟବିଧାତା ଏତେ ନିର୍ଦ୍ଦୟ ଥିଲେ ଯେ ଏତେ କାନ୍ଦିଲା ପରେ ବି ମୋ ଭାଗ୍ୟରେ କୌଣସି ପରିବର୍ତ୍ତନ ଆଣି ନଥିଲେ । ସବୁ କିଛି ପୂର୍ବ ନିର୍ଦ୍ଧାରିତ ଅନୁସାରେ ଚାଲିଥିଲା । ଦେଖୁଦେଖୁ ଗଣେଷ ପୂଜା ଯାଇ ବିସର୍ଜନ ଦିନ ପାଖେଇ ଆସିଲା । ରାତି ପାହିଲେ ସୋନାଲିର ବାହାଘର ହବ, ମୋ ଜୀବନର ସବୁଠୁ ବଡ ସ୍ୱପ୍ନ ମାଟିରେ ମିସି ଧୁଳିସାତ୍‍ ହୋଇଯିବ୍, ଏମିତି ଭାବିଭାବି ଘର ଭିତରେ ଅନ୍ଧାରିଆ ପରିବେଶରେ ଗୋଟେ କୋଣରେ ବସି ସମୟ କଟଉଥିଲି । ଏ ଭିତରେ ରାତିର ଅନ୍ଧକାର ବଢିବାରେ ଲାଗିଥିଲା ଏ ଭିତରେ ଶୁଭୁଥିଲା ବାହାର ପଟୁ ଗଣେଷ ମୂର୍ତ୍ତି ବିସର୍ଜନ ହେବାର ପଟୁଆରର ଶବ୍ଦ । ମୁଁ ସେ ଆଡେ ବିଲକୁଲ୍‍ ନଜର ପକଉନଥିଲି । ଏ ଭିତରେ ଦେଖୁଦେଖୁ ଗଣେଷ ମେଢଟା ଆସି ଆମ ଘର ସାମ୍ନାରେ ଅଟକି ଗଲା ଗଣେଷ ମୂର୍ତ୍ତି ଲଦା ହୋଇଥିବା ଗାଡିଟା ଖରାପ ହୋଇଗଲା କି କଣ କେଜାଣି ଆମ ଘର ସାମ୍ନାରୁ ବିଲକୁଲ୍‍ ଘୁଞ୍ଚିଲାନି । ଏଭିତରେ ଆମ ଘର କବାଟ ଫାଙ୍କ ଦେଇ ବାହାରକୁ ଚାହିଁଲା ବେଳକୁ ମତେ ଲାଗୁଥିଲା ସତେ ଯେମିତି ତିନି ଭୁବନର ଭାଗ୍ୟବିଧାତା ମୋରି ଆଡକୁ ଚାହିଁ ପରିହାସ କରୁଛନ୍ତି । ଗଣେଷ ମୂର୍ତ୍ତିର ମୁହଁକୁ ମୋ ମୁହଁ ପଡିଲାବେଳକୁ ମୋ ରାଗ ପଞ୍ଚମକୁ ଉଠୁଯାଇଥିଲା ହିତାହିତ ଞାନଶୁନ୍ୟ ହୋଇ ମୁଁ ଆମ ଘରେ ପଡିଥିବା ସେଇ ଅବହେଳିତ ମାଟିର ଗଣେଷ ମୂର୍ତ୍ତିଟାକୁ ଧରି ଆମ ଘର ବାଡିପଟକୁ ଦୌଡିଲି । ଆମ ଘର ବାଡିପଟଟା ନିହାତି ଅନ୍ଧାରିଆ ଦେଖାଯାଉଥିଲା । ସେହି ଅନ୍ଧାରିଆ ପରିବେଶରେ ବାଡିପଟେ ଥିବା ଚଟାଣ ଉପରେ ଗଣେଷ ମୂର୍ତ୍ତିଟାକୁ ଯୋରରେ କଚାଡି ଦେଲି । ଦେଖୁଦେଖୁ ପୁରୁଣା ମାଟିର ଗଣେଷ ମୂର୍ତ୍ତିଟା ଚୁନାଚୁନା ହୋଇଗଲା । ଗଣେଷ ମୂର୍ତ୍ତିଟାକୁ ଭାଙ୍ଗିଦେଇ ଆଣ୍ଠୁମାଡି ବସି ପଡିଲି ସେଇ ଚଟାଣ ଉପରେ, କରିଥିବା କାମ ପାଇଁ କ୍ଷମା ମାଗୁଥିଲି ଗଣେଷଙ୍କୁ ଆଉ ଗୋଟେ ଅବୋଧଶିଶୁ ଭଳି କଇଁ କଇଁ କାନ୍ଦୁଥିଲି । ଏ ଭିତରେ ମୋ ଆଖି ପଡିଲା ଚଟାଣ ଉପରେ ଚକ୍‍ ଚକ୍‍ କରୁଥିବା କିଛି ମୂଲ୍ୟବାନ୍‍ ଜିନିଷ ଉପରେ ସେହି ମୂଲ୍ୟବାନ୍‍ ଜିନିଷ ଗୁଡାକ ଥିଲା ସାତ ଖଣ୍ଡ ଛୋଟ ଛୋଟ ଅତି ମୂଲ୍ୟବାନ୍‍ ହୀରା ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ପଚାଶଲକ୍ଷ ଟଙ୍କାହବ । ବୋଧେ କୋଉ ଚୋରା ବେପାରି ସେଇ ପୁରୁଣା କାଳିଆ ମାଟିର ଗଣେଷ ମୂର୍ତ୍ତି ଭିତରେ ଲୁଚେଇ ରଖିଥିଲା ସେହି ସାତ ଖଣ୍ଡ ଦୁର୍ମୁଲ୍ୟ ହୀରା ଗୁଡିକୁ । ଆଉ ସଂଯୋଗ ବସତଃ ମୁଁ ସେହି ମୂର୍ତ୍ତିଟାକୁ ପାଇଥିଲି ଆମ ମାମୁଁ ଘର ଗାଁ ଶେଷରେ ଥିବା ଆମ୍ବ ତୋଟାରୁ ।

ହାତରେ ସେହି ସାତ ଖଣ୍ଡ ଅତି ମୂଲ୍ୟବାନ୍‍ ଛୋଟ ଛୋଟ ହୀରା ପଥର ଗୁଡିକୁ ଧରି ମୋତେ ଲାଗୁଥିଲା ସତେ ଯେମିତି ନିଳ ଆକାଶର ସପ୍ତର୍ଷି ମଣ୍ଡଳଟା ମୋ ହାତ ମୁଠା ଭିତରେ ଲୁଚି ଯାଇଛି ଏ ଭିତରେ ଶୁଭୁଥିଲା ଆମ ଘର ସାମ୍ନାରେ ଠିଆ ହୋଇଥିବା ଗଣେଷ ମେଢର ପଟୁଆରର ଶବ୍ଦ, ଲାଗୁଥିଲା ସତେ ଯେମିତି ତିନି ଭୁବନର ରାଜା ମୋତେ ଦେଖା କରି ଫେରିଯିବେ ନିଜ ଇଲାକାକୁ ସବୁଦିନ ପାଇଁ । ହାତରେ ସେହି ମୂଲ୍ୟବାନ୍‍ ସାତ ଖଣ୍ଡ ହୀରାକୁ ଯୋରରେ ଜାବୁଡି ଧରି ସିଧା ଦୌଡିଲି ଗଣେଷ ମେଢ ପାଖକୁ । ଦାଣ୍ଡ ବାରଣ୍ଡାକୁ ଆସିଲା ବେଳକୁ ସୋନାଲି ଛିଡା ହୋଇଥିଲା ତାଙ୍କ ଘର ବାରଣ୍ଡାରେ । ଜିବନରେ କେବେ ବି ଦୁଃଖି ହୋଇଥିବାର ସୋନାଲିକୁ ଦେଖି ନଥିଲି । ରାତି ପାହିଲେ ସୋନାଲିର ବାହାଘର ଖୁସି ହବା ବଦଳରେ ଦୁଃଖି ହୋଇଗଲା ଭଳିଆ ଆଖିରୁ ଲୁହଧାର ଗୁଡାକ ନିଗାଡି ଗଣେଷ ମୂର୍ତ୍ତିଟାକୁ ଚାହିଁ ଦୁଇ ହାତ ଯୋଡି କଣ ଗୁଡିଏ ଗୁଣୁଗୁଣୁ ହଉଥିଲା । ତା ଆଖିକୁ ମୋ ଆଖି ମିସିଲା ବେଳକୁ ମୁଁ ବି କାନ୍ଦି ପକେଇଲି, ତା ପାଖକୁ ଯାଇ ମୋ ହାତ ମୁଠାଟାକୁ ଖୋଲିଦେଲି । ମୋ ହାତରେ ଥିବା ସାତଖଣ୍ଡ ଦୁର୍ମୁଲ୍ୟ ହୀରା ଗୁଡିକୁ ଦେଖି ସୋନାଲି କିଛି ବୁଝିପାରୁ ନଥିଲା । ତାକୁ ଏମିତି କିଛି ବୁଝି ପାରୁନଥିବା ଦେଖି ମୁଁ ତାକୁ ବୁଝେଇ କହୁଥିଲି ବୁଝିଲୁ ସୋନାଲି….. ମୋ ହାତରେ ଯୋଉ ହୀରାଗୁଡିକୁ ଦେଖୁଛୁ ୟାର ଦାମ୍‍ ହେଉଛି ପାଖାପାଖି ପଚାଶ ଲକ୍ଷ ଟଙ୍କା ଆଉ ସେ ଭିତରୁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ କରି ତୋ ବୋଉଙ୍କ ଦେହ ଦେଖେଇବା ଡାକ୍ତର ଖାନାରେ, ଆଉ ପାଞ୍ଚ ଲକ୍ଷ ଖର୍ଚ୍ଚ କରି ମୋ ବାପାଙ୍କର କରଜ ସୁଝି ଦେବା ,ବାକି ଯାହା ପଇସା ବଳକା ହବ ସବୁ ତୋର । ଏତିକି କହି ହୀରା ଗୁଡିକୁ ଧରେଇ ଦେଲି ତାରି ହାତରେ । ତା ହାତରେ ସେହି ଦୁର୍ମୁଲ୍ୟ ହୀରା ଗୁଡିକୁ ପାଇ ସୋନାଲି ଖୁସିରେ ପାଗଳ ହୋଇଗଲା ଭଳିଆ ନାଚିବାରେ ଲାଗିଲା ।

ଏ ଭିତରେ ମନେ ପଡିଲା ପାଖରେ ଥିବା ଗଣେଷ ମେଢ କଥା, ଗଣେଷ ମେଢଟାକୁ ଚାହିଁଲା ବେଳକୁ କରିଥିବା କାମ ପାଇଁ ନିଜ ଉପରେ ରାଗ ମାଡୁଥିଲା ତା ସାଙ୍ଗକୁ ଲାଜ ବି ଲାଗୁଥିଲା । ତଥାପି ସାହାସ କରି ଗଣେଷଙ୍କ ମୁହଁକୁ ଚାହିଁଲି । ଗଣେଷଙ୍କ ମୁହଁକୁ ଚାହିଁଲା ବେଳକୁ ମୋତେ ଲାଗୁଥିଲା ସତେ ଯେମିତି ତିନି ଭୁବନର ଭାଗ୍ୟ ବିଧାତା ମୋତେ ଚାହିଁ କହୁଥିଲେ “ଆରେ ଏତେ ବଡ ସ୍ୱାର୍ଥପର ତୁ” । ତୋ ଭାଗ୍ୟ ବଦଳେଇବାରେ କଣ ଟିକେ ଡେରି କରିଦେଲି ବୋଲି ମୋ ମୂର୍ତ୍ତିଟାକୁ ଭାଙ୍ଗି ଚୁର୍‍ ମାର୍‍ କରିଦେଲୁ । ମୁଁ ଆଉ କୋହ ସମ୍ଭାଳି ପାରିଲିନି ସମୟ ନଷ୍ଟ ନକରି ଗଣେଷ ମେଢ ରଖା ହୋଇଥିବା ଗାଡି ଉପରକୁ ଚଢିଗଲି । ଗଣେଷଙ୍କ ପାଖକୁ ଯାଇ ମୂର୍ତ୍ତିଟାକୁ ଯୋରରେ କୁଣ୍ଢେଇ ଧରି ଛୋଟ ପିଲା ଭଳିଆ କାନ୍ଦି ପକେଇଲି । ଏ ଭିତରେ ମୋର ଆଖି ପଡିଲା ମୋର ଆରାଧ୍ୟ ଦେବତା ଗଣେଷଙ୍କ ଶୁଣ୍ଢ ଉପରେ । ଗଣେଷଙ୍କ ଶୁଣ୍ଢ ଉପରେ ବୋଳା ହୋଇଥିଲା ପାଖାପାଖି ଅଧ ଇଞ୍ଚ ବହଳର ଲାଲ୍‍ ସିନ୍ଦୁର । ଆଉ ମୋତେ ଲାଗୁଥିଲା ସତେ ଯେମିତି ତିନି ଭୁବନର ଭାଗ୍ୟବିଧାତା ମୋତେ ଇସାରା କରୁଥିଲେ ସେହି ସିନ୍ଦୁର ନେଇ ସୋନାଲି ମଥାରେ ଲଗେଇବା ପାଇଁ ।

ଗଣେଷ ମେଢ ପାଖରେ ଥାଇ ସୋନାଲି ଆଡକୁ ଚାହିଁଲା ବେଳକୁ ଲାଗୁଥିଲା ସତେ ଯେମିତି ସୋନାଲି ମୋ ଅପେକ୍ଷାରେ ଅଛି । ମୁଁ ଆଉ ସମୟ ନଷ୍ଟ ନକରି ଗଣେଷଙ୍କ ଶୁଣ୍ଢରୁ ସିନ୍ଦୁର ଆଣି ସୋନାଲିମଥାରେ ଲଗେଇ ଦେଲି । ଦେଖୁ ଦେଖୁ ମୋଠୁ ଦୁରେଇ ଯାଉଥିବା ସୋନାଲି ମୋ ନିଜର ହୋଇ ମୋ ବାହୁ ବନ୍ଧନରେ ବାନ୍ଧି ହୋଇଯାଇଥିଲା । ଏ ଭିତରେ ଗଣେଷ ମେଢ ଲଦା ହୋଇଥିବା ଗାଡି ଅଚାନକ ଷ୍ଟାର୍ଟ ହୋଇ ଆଗକୁ ଚାଲିବା ପାଇଁ ଉଦ୍ୟତ ହେଉଥିଲା । ଗଣେଷଙ୍କୁ ଯୋଡହସ୍ତ ହୋଇ ପ୍ରଣାମକରି ସୋନାଲିକୁ ଧରି ମୋ ଘର ଭିତରକୁ ଦୌଡିଲି , ବାପା ବୋଉଙ୍କ ସହିତ ସୋନାଲିକୁ ମିସେଇବା ପାଇଁ । ଘର ଭିତରକୁ ଯାଇ ଦେଖିଲା ବେଳକୁ ବାପା ବିଛଣାରୁ ଉଠି ମୋ ବୋଉ ସହିତ ବାଡିପଟକୁ ଯାଇ ମୁଁ ଭାଙ୍ଗିଦେଇଥିବା ମାଟିର ଗଣେଷ ମୂର୍ତ୍ତିରଭଗ୍ନାବଶେଷକୁ ଅନ୍ଧାରରେ ସାଉଁଟି ସାଉଁଟି ପୁଣି ଥରେ ଯୋଡିବାରେ ବ୍ୟସ୍ତ ଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top