ଗଳ୍ପ

ଭାଇ

Deepak Baral's odia Story Bhai

ପିଲାଦିନୁ ତମେ ନିଜକୁ ଉଇ ହୁଙ୍କା କରିନଥିଲେ ମୁ କି ଆଜି ହିମାଳୟ ହୋଇ ପାରିଥାନ୍ତି ଭାଇ ? ତମେ ଏହି ହିମାଳୟ ଟି ଗଢିବା ପାଇଁ କମ ତ୍ୟାଗ କରିଛ ?

ଭାଇ

ଶୀତ ଦିନଟା ସଅଳ ସଅଳ ସଞ୍ଜ ହୋଇ ଆଖି ପିଛୁଳାକେ ବେଳ ଚାଲି ଯାଏ । ରାତି ଆସେ, ବଡ-ରାତି ଆକାଶରେ ଜହ୍ନ ହସେ- ତାରା ଫୁଟେ ପ୍ରକୃତିର ଏହି ସବୁ ଖେଳ ଭିତରେ ଜୀବନ ଆଗେଇ ଚାଲେ । ସକାଳର ମାଈ କାକର ଗୁଡାକ ମଣିଷର ଚଳନ୍ତି ବାଟରେ ବିଛୁଡି ହୋଇ ପଡିଛି, ତାରି ଉପରେ ମଣିଷ ଆଗେଇ ଚାଲିଛି ଅଙ୍କା ବଙ୍କା ପାଦ ପକେଇ । ଏ ସବୁତ ପ୍ରକୃତି ଦତ୍ତ, ମଣିଷର ବା ଉପାୟ କ’ଣ । ସେଇ ଅଙ୍କା ବଙ୍କା ପାଦରେ ଆଗେଇ ଚାଲିଛି ସବୁରି ପ୍ରିୟ ବାଉରୀ ବୁଢା କିଛି ଜାଳେଣି କାଠ ସଂଗ୍ରହ କରି ବେଳ ପୂର୍ବରୁ ଘରକୁ ଫେରେ ଆଉ ସନ୍ଧ୍ୟା ସମୟରେ ଦାଣ୍ଡ-ପିଣ୍ଡାରେ ବସି ଛୋଟ ପିଲାଙ୍କୁ ଗପ ଆଉ ମଜାଦାର କାହାଣୀ ଶୁଣାଏ । ସବୁଦିନ ପରି ସେ ଦିନ ବି ତା ଚାରି ପାଖରେ ଛୋଟ ପିଲାଙ୍କର ଭିଡ ଗପ ଶୁଣିବା ପାଇଁ – ଗପ ଆରମ୍ଭ ହୁଏ …

ପୁରାଣା କାଳିଆ ଏକ ଯୌଥ ପରିବାରେ ଶ୍ରୀକାନ୍ତର ଜନ୍ମ । ତଳଉପର ହୋଇ ଦୁଇଟି ଭାଇ । ବାପା ତାଙ୍କର ଧନୀ ନ ହେଲେ ବି ନିର୍ଦ୍ଧନୀ ନୁହନ୍ତି । ବାଟିକ ଉପରେ ଚାଷ, ଧାନ, ମୁଗ, ବିରି ଏମିତି କେତେ କ’ଣ । ଅକଳନ୍ତି ନହେଲେ ହେଁ ଧନର ଅଭାବ ନଥିଲା । ଦଶଖଣ୍ଡ ଗାଁ ରେ ରୁଦ୍ର ବାବୁଙ୍କର (ଶ୍ରୀକାନ୍ତ ର ବାପା) ବହୁତ ଖାତିରି । ପ୍ରତେକ କଥାରେ ତାଙ୍କୁ ଡାକରା ପଡେ । ନ୍ୟାୟ ଦିଅନ୍ତି , ବୁଦ୍ଧି ଦିଅନ୍ତି ତା ତଳେ କିନ୍ତୁ ସ୍ୱାର୍ଥ ନଥାଏ । ଗାଁ ରେ ଏମିତି ବାପା, ଅଜା ତାଙ୍କର ତିନି ପୁରୁଷ କଟି ଗଲାଣି, ତାଙ୍କ କାଳ ବି ଯିବା ଉପରେ ସେଥିପାଇଁ ଦୁଃଖ ନାହିଁ । ଯିବା-ଆସିବା, ଆସିବା -ଯିବା ଏମିତି ଲାଗିଚି-ଲାଗିଥିବ କାଳ-କାଳ କୁ ଯେତେ ଦିନଯାଏ ଏ ସୃଷ୍ଟି ଅଛି । ବାପା ଗଲେ ସେ ଆଇଲେ, ସେ ଯିବେ ପୁଣି ପୁଅ ନାତି ଆସିବେ ଏମିତି ଚକ ଗଡୁଥିବ । ରୁଦ୍ର ବାବୁଙ୍କର ପୁଅ ମାନଙ୍କ ପ୍ରତି ଅନେକ ସ୍ନେହ କିନ୍ତୁ ସେ କେବେ ଦେଖେଇ ହୁଅନ୍ତି ନାହିଁ, ସବୁବେଳେ କଡା ତାଗିଦରେ ପିଲାମାନଙ୍କୁ ରଖିଥାନ୍ତି । ଦଣ୍ଡେ ହେଲେ କର ଛଡା ଦିଅନ୍ତିନି – ଦଣ୍ଡେ ନ ଦେଖିଲେ, ଚଉଦିଗ ତାଙ୍କୁ ଅନ୍ଧାର ଦେଖା ଯାଏ । ଗାଁ ସ୍କୁଲରୁ ଉତ୍ତିର୍ଣ୍ଣ ହେଲା ପରେ ଗାଁ ଠାରୁ ଅଳ୍ପ ଦୂରେ ରେ ଗୋଟିଏ ସରକାରୀ ବିଦ୍ୟାଳୟରେ ରୁଦ୍ର ବାବୁ ଦୁଇ ପୁଅଙ୍କୁ ପଢାଇଲେ । ପିଲାଏ ଇଂରାଜୀ ପଢିବେ -ବଡ଼ ଲୋକ ହେବେ – ହାକିମ ହେବେ । ସେ ଦଶଖଣ୍ଡ ଗ୍ରାମରେ ନାମ ଅର୍ଜନ କରିଛନ୍ତି, ଯଶ ପ୍ରକାଶ କରିଛନ୍ତି । ପିଲାଏ ତାଙ୍କର ଦଶ ଜିଲ୍ଲା ରେ ବଡ଼ଲୋକ ହେବେ -ନାମ କମେଇବେ – ବାପ, ଅଜାଙ୍କ ପଣ ରହିବ । ସେଥିପାଇଁ ଆଗ ପଛ ନବିଚାରି ପିଲାଙ୍କ ପଢିବାରେ ଅକାତରେ ଟଙ୍କା ଖର୍ଚ୍ଚ କରନ୍ତି । ପିଲାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଓ ଅଟଳ ଆସ୍ଥା ।

ଫଳ ଯାହା ହେବା କଥା, ତାହାହିଁ ହେଲା । ପୁଅ ହେଲେ ବାଉ-ଦଣ୍ଡିଆ । ପୁଅ ସ୍କୁଲକୁ ଯାଆନ୍ତି । ବୁଢ଼ାଙ୍କର କଷ୍ଟ ଆସେ, ସନ୍ତୋଷ ବି ଆସେ । ପିଲେ ପାଠ ପଢୁଛନ୍ତି, ବଡ ମଣିଷ ହେବେ -ହୁଏତ ତାଙ୍କଠୁଁ ବି ବଡ । ତାଙ୍କ କାଳ ଥିଲା ନିଆରା । ଚାଟଶାଳୀ ପାଠ ସାରି, ରାମାୟଣ, ମହାଭାରତ, ଭାଗବତରେ ତାଙ୍କ ପାଠ ସରୁଥିଲା । ସେଥିରେ ସେ ପଣ୍ଡିତ, ପାଞ୍ଚଜଣରେ ଜଣେ ହୋଇ ଠିଆ ହୋଇଥିଲେ । କିନ୍ତୁ ଏବେ ବେଳ-କାଳ କଥା ଅଲଗା ଗାଁ, ଗାଁକେ ହାଇସ୍କୁଲ, ସହର ସହରକେ କଲେଜ । ପୁଏ ପାଠ ପଢିବେ, ହାକିମ ହେବେ ଏମିତି କେତେ କଥା ଭାବି – ବୁଢ଼ା ଆତ୍ମହରା ହୋଇଯାନ୍ତି । ଆଖି ଆନନ୍ଦ ରେ ସଜଳ ହୋଇ ଉଠେ । ଭଗବାନଙ୍କୁ ମୁଣ୍ଡିଆ ମାରନ୍ତି – ହେ ପ୍ରଭୁ !! ତାଙ୍କୁ ବଂଚାଇ ରଖ – ବଡ କର – ବଂଶ ର ନାମ ରଖନ୍ତୁ ସେମାନେ- ବଂଶ କୁ ଉଜ୍ଜଳ କରନ୍ତୁ ।

ପୁଏ କିନ୍ତୁ ବାପାଙ୍କ ଆଶା ଗଜାକୁ ମୂଳରୁ ଉପାଡି ଦିଅନ୍ତି । ବଡ଼ପୁଅ ଶ୍ରୀକାନ୍ତ ଚଗଲାଙ୍କ ମହାରାଜା ସାଥିରେ ସାନ ଭାଇ ସୁଶାନ୍ତ, ଦୁହେଁ କାମ କଲାବେଳେ ବାଛ ବିଚାର ନଥାଏ, ଯାହା ମନକୁ ଆସେ ତାହା କରନ୍ତି । ହର, ବ୍ରହ୍ମା ଆସିଲେ ବି ଶୁଣନ୍ତି ନାହିଁ । ଯାହା କରିବାକୁ ଚାହିଁବେ, କରିବେ, ତେଣିକି ଖାଲରେ ପଡୁ ବା ଢିପ ରେ ପଡୁ । କାହାରି ଅନିଷ୍ଟ ହେଉ,ଏ କଥା ସେମାନେ ଚାହନ୍ତିନି କିନ୍ତୁ ତାଙ୍କ କାମ ଯେ କେତେ ଲୋକଙ୍କୁ ଅସୁବିଧାରେ ପକାଏ ସେଥିରେ ତାଙ୍କର ନଜର ନଥାଏ । ସ୍କୁଲକୁ ଯାଆନ୍ତି ହେଲେ ତାଙ୍କ ସ୍କୁଲ ବସ ବାଟରେ ଥିବା ପାର୍କ ଆମ୍ବ ତୋଟାରେ, ସେ ନିଜେ ରାଜା ଆଉ ଭାଇକୁ ମନ୍ତ୍ରୀ, ସାଙ୍ଗମାନଙ୍କୁ କଟୁଆଳ କରନ୍ତି, ଏମିତି ଚାଲେ ତାଙ୍କର ପାଠ ପଢା ।

ଏ ସବୁ ଭିତରେ ସାନ ଭାଇ ସୁଶାନ୍ତ କିନ୍ତୁ ପାଠ ପଢ଼ାରେ ନଜର ରଖିଥାଏ । ତାର ତୀକ୍ଷ୍ଣ ବୁଦ୍ଧି, ଶ୍ରୀକାନ୍ତ ଠାରୁ ସେ ହୁଏତ ପ୍ରତିଭାରେ ନ୍ୟୂନ । ମାତ୍ର ସେ ଧୀରଚିତ ଓ ଚିନ୍ତାଶୀଳ ତେଣୁ କର୍ତ୍ତବ୍ୟରେ କେବେ ହେଳା କରେ ନାହିଁ । ଶ୍ରୀକାନ୍ତ କିନ୍ତୁ ବିଭିନ୍ନ ବୁଦ୍ଧିର ଊଦ୍ଭାବନରେ ଥାଏ ଶିକ୍ଷକ ଙ୍କୁ ହଇରାଣ କରିବା ପାଇଁ ଓ ସାନ ଭାଇଙ୍କୁ ଠକାଇବା ପାଇଁ । ସବୁ ଦିନ ଦୁହେଁ ମା’ଙ୍କ ଠାରୁ ପଇସା ନିଅନ୍ତି ଖର୍ଚ୍ଚ ଲାଗି, କିନ୍ତୁ ସୁଶାନ୍ତ ପଇସା ସବୁବେଳେ ଶ୍ରୀକାନ୍ତ ବୁଦ୍ଧିର ଶୀକାର ହୁଏ । ପଇସା ଦେଖିବା ମାତ୍ରେ ଶ୍ରୀକାନ୍ତର ବୁଦ୍ଧି ଗଜୁରି ଉଠେ । କହେ ମୋତେ ତୁ ତୋ ପଇସା ଦେଇପକା ମୁ ତାକୁ ଭଲ ସାର ଦେଇ ଗଛ ଲଗାଇଦେବି ଯେ ପଇସା ଫଳିବ ଆଉ ମା’ଙ୍କୁ ପଇସା ପାଇଁ ଖୋଷମୋଦ କରିବାକୁ ପଡ଼ିବନି । ଶ୍ରୀକାନ୍ତ କଥାରେ ଅଖଣ୍ଡ ବିଶ୍ୱାସ କରି ସୁଶାନ୍ତ ପଇସା ଦେଇଦିଏ, ତା ଆଗରେ ପଇସା ପୋତା ହୁଅ ପାଣି ଦିଆ ହୁଏ, ସାର ବି ଦିଆ ହୁଅ । ଗଜା କିନ୍ତୁ ସେ ଆଉ ହୁଏନା, ସୁଶାନ୍ତର ଅଜାଣତରେ କେତେ ବେଳେ ସେ ପଇସା ଯାଇ ଗୁଡ଼ିଆ ଦୋକାନ ବାକ୍ସ ଭିତରେ ପସି ଯାଇଥାଏ ।

ସମୟ କ୍ରମେଃ ଦୁଇ ଭାଇ ବଡ଼ ହୋଇଛନ୍ତି – ସାନଭାଇର ପ୍ରଶଂସାରେ ସାରାଗ୍ରାମ ମୁଖର ହୋଇ ଉଠିଲା ଶ୍ରୀକାନ୍ତକୁ ସମସ୍ତେ ନିନ୍ଦା କଲେ ତାର ବୁଦ୍ଧି, ତାର କାର୍ଯ୍ୟ ଓ ଚାଲି ଚଳନ ନେଇ ଗ୍ରାମ ବାସୀ ବିଶ୍ୱାସ ହରାଇଲେ । ସମସ୍ତେ କହିଲେ ଶ୍ରୀକାନ୍ତର କିଛି ହେବନାହିଁ, ଘୋଡାମୁହାଁ ଟା ଜନ୍ମ ହୋଇଛି ବଂଶରେ କାଳିଲେପିବାକୁ । ଶ୍ରୀକାନ୍ତ ସବୁ ଶୁଣେ ତାର ନିନ୍ଦା ଓ ସାନ ଭାଇର ପ୍ରଶଂସା – ମନରେ ଈର୍ଷା ଆସେ ହିଂସା ହୁଏ । ମନେ ମନେ ଭାବେ ଗାଁ ରେ ସମସ୍ତେ ମିଶି ତାକୁ ଖରାପ କହି କହି, ଖରାପ କରି ଦେଉଛନ୍ତି ଓ ସାନ ଭାଇଙ୍କୁ ଭଲ କହି କହି, ଭଲ କରିଦେଉଛନ୍ତି । ସୁଶାନ୍ତ ସବୁ ଶୁଣେ , ସେ କୁଆଡେ ବଂଶର ମୂଖ ଉଜ୍ଜଳ କରିବ କିନ୍ତୁ ତାର ବିଶ୍ୱାସ ଆସେନା ନିଜ ଉପରେ । ବଡଭାଇର ନିନ୍ଦା ଶୁଣିଲେ ମଧ୍ୟ ନିଜକୁ ବଡଭାଇ ଠାରୁ ବେଶୀ ଗୁଣଵାନ ବୋଲି ଅନୁଭବ କରେନାହିଁ ।

ଅନକେ ବର୍ଷ ପରେ ଜୀବନର ଚକ- ବହୁ ପଥ ଘୁରି ଗଲାଣି । ଶ୍ରୀକାନ୍ତ ପଡିଛି ଚକର ଏଇ ପାଖେ । ସାନଭାଇ ଯାଇ, କାହିଁ କେତେ ବାଟରେ ହେଲେଣି । ଶ୍ରୀକାନ୍ତର ହେତୁ ହେଲାବେଳକୁ ଗୁଡ ଆଉ ଚାକିରେ ନଥିଲା, ଥିଲା କହୁଣୀରେ । ରୋଗ ବହକି ଯାଇଥିଲା ଚିକିତ୍ସା ଅବସ୍ତା ରେ ନଥିଲା । ଜୀବନର ରଥ ଗଡ଼ିଲା କିନ୍ତୁ ସମୟ ଚକ ସହିତ ସେ ଗଡି ପାରିଲାନି, ପଡି ରହିଲା ଚକର ଏଇ ପାଖେ । ସାନଭାଇ ଚାଲିଗଲେଣି କାହିଁ କେତେବାଟକୁ, ବିଶ୍ୱବିଦ୍ୟାଳରୁ ଡ଼ିଗ୍ରୀ ହାସଲ କରି ଜାତୀୟସ୍ତରୀୟ କମ୍ପାନୀରେ ସମ୍ମାନଜନକ ପଦବୀରେ ବର୍ତ୍ତମାନ ସେ କାର୍ଯ୍ୟରତ । ଯାହା ମୁହଁରେ ଶୁଣିବ ତାରି ପ୍ରଶଂସା, ଘରେ, ଗ୍ରାମରେ, ଦେଶରେ, ଦଶମୁହଁ ରେ ସୁଶାନ୍ତର ପ୍ରଶଂସା । ସେ କୁଳ ଉଜ୍ଜଳ କଲା ।

ଶ୍ରୀକାନ୍ତ ଚାହିଁ ରହିଛି ! ଇର୍ଷାରେ ନୁହେଁ, ତୃପ୍ତିରେ ବି ନୁହେଁ ! ସେ ଖାଲି ଚାହିଁ ରହିଛି ! ସେ ଚାହିଁବାର ଅର୍ଥ ତାକୁ ବି ଅଜଣା – ସାନଭାଇ ସୋପାନ ପରେ ସୋପାନ ଅତିକ୍ରମ କରି ଉଠୁଛି ଉପରକୁ ହେଲେ ସେ ଦିନୁ- ଦିନ ଜୀବନ ଯୁଦ୍ଧ ରେ ଧସି ହୋଇ ଯାଉଛି । କର୍ମ ତାକୁ ଗାଁ ଠାରୁ ଦୂରରେ ଏକ ପ୍ରାଇମେରୀ ସ୍କୁଲର ଶିକ୍ଷକ କରି ଛାଡି ଦେଇଛି । ସେ ନିଜ ଉପରୁ ବିଶ୍ୱାସ ହରାଇ ସୁଶାନ୍ତ ଉପରେ ଆସ୍ଥା ବାନ୍ଧି ସାରିଛି । ଭାଇର ପ୍ରଶଂସା ଶୁଣିବାକୁ ସେ ବି ଆଜିକାଲି ବ୍ୟାକୁଳ । ତା ଭିତରେ ଦୁଇଟି ପ୍ରବୃତିର ଆଲୋଡନ ଖେଳିଯାଉଛି । ସାନଭାଇର ପ୍ରତିଷ୍ଠା ସଙ୍ଗେ ସଙ୍ଗେ ନିଜର ନପାରିଲା ପଣକୁ ତୁଳନା କରି ଅସହାୟ ଭାବେ ସେ କେବେ କେବେ ନିଜ ଭିତରେ ଗୁମୁରି ଉଠୁଚି ଆଉ କେବେ ସାନଭାଇ ର ଗୌରବ ରେ ଗର୍ବିତ ହୋଇ ଛାତି ଫୁଲେଇ ଆଖି ସଜ୍ଜଳ କରୁଛି । ବେଳେ ବେଳେ ତା ଅସ୍ପଷ୍ଟ କଣ୍ଠରୁ ଝରି ପଡୁଛି ହେ ପ୍ରଭୁ ! ମତେ ବଡ କଲନାଇଁ , ନା – ନା ମୁ ବଡ ହୋଇ ପାରିଲିନି । ମୋ ଭାଇକୁ ବଡ କର ଆହୁରି ବଡ କର । ମୁଁ ନୁହେଁ – ମୋ ପ୍ରଦେଶ ନୁହେଁ ସାରା ଦେଶରେ ତାରି ଖ୍ୟାତିର ପ୍ରଶଂସା ଖେଳିଯାଉ । ମୋରି ରକ୍ତର ତ ସେ, ମୁ ବଡ ହୋଇ ପାରିଲିନି ହେଲେ ତାକୁ ବଡ କର ସେତକରେ ମୋର ସନ୍ତୋଷ । ସେ କୂଳ ଉଜ୍ଜଳ କରୁ । ତା ଆଲୋକରେ ଆମେ ସମସ୍ତେ ଆଲୋକିତ ହୋଇ ଯାଉ – ତାରି ସୌରଭରେ ଆମେ ସମସ୍ତେ ସୁରଭିତ ହେଇଯାଉ ।

ସବୁ ବର୍ଷ ଦୀପାବଳି ସମୟରେ ଦୁଇ ଭାଇ ଗାଁକୁ ଆସନ୍ତି । ସୁଶାନ୍ତ ଦୁଇ ଦିନ ଆଗରୁ ଆସି ପହଁଚି ଯାଇଛି କିନ୍ତୁ ଶ୍ରୀକାନ୍ତର ଦେଖା ନାହିଁ ସଞ୍ଜ ହେଲାଣି । ଭାଇ କେତେବେଳେ ଆସିବେ ? ମନରେ ଉଦବେଗ । ଭାଇ କଣ ଆଉ ଆସିବେନି ଏତେ ବଡ ପୂଜାଟା ମାଟି ହୋଇଯିବ ତେବେ କଳା ହାଣ୍ଡିଆ ମେଘ ଘୋଟି ଆସୁଛି ଭାଇ କେମିତି ଆସିବେ, କାଳେ ବାଟରେ ଆସୁଥିବେ ! ତିନ୍ତି ଯିବେ ତ !! ରାତି ଆସି ଘଡ଼ିଏ ହେଲାଣି ମୁଷଳ ଧାରାରେ ମେଘ ବରଷୁଛି ଦାଣ୍ଡରେ ଆଣ୍ଠୁଏ ପାଣି ହେଲାଣି । ବର୍ଷା ଛାଡିବାର କିଛି ସମୟ ପରେ ଶ୍ରୀକାନ୍ତ ଗୋଟାସାରା ତିନ୍ତି, କାଦୁଅ ଛିଟା ସର ସର ହୋଇ ପହଁଚିଲେ । ତାଙ୍କ ସୁଶାନ୍ତ ଆସିଛି ସେ ନ ଆସନ୍ତେ କେମିତି ? ସୁଶାନ୍ତ ଘରେ ଥିଲା । କାନରେ ବାଜିଲା ସୁଶାନ୍ତ ସୁଶାନ୍ତ… ଅସ୍ତବ୍ୟସ୍ତ ହୋଇ ଢାଳେ ପାଣି ଧରି ସେ ଧାଇଁଛି ଭାଇର କାଦୁଅ ଗୋଡ଼କୁ ଧୋଇଦେବ । ଛାତି ଉଠୁଛି ପଡୁଛି ଉଦବେଗରେ ଉଛନ ହୋଇ ସେ ଧାଇଁଛି ଭୁଲି ଯାଇଛି ତା’ର ବୟସ ।

ଭାଇର କାଦୁଅ ଗୋଡ଼ରେ ମଥା ଲଗାଇ ଉଠିଲା ବେଳକୁ ଦେଖେ ଭାଇର ଆଖିରେ ଆଖିଏ ଲୁହ । ତା ଆଖିରୁ ବି ଲୁହ ଝରିପଡିଲା । ସତେଅବା ସେଇ ଲୁହରେ ସବୁ କାଦୁଅ ଧୋଇ ହେଇଯିବ । ଚାରିପଟେ ସାଇ ପଡିସା ଲୋକ ଜମା ହୋଇ ଗଲେଣି ଏ କି ଦୃଶ୍ୟ ! ଢାଳ ନେଇ ଗଲା ଭାଇର ଗୋଡ ଧୋଇଦେବ । ଶ୍ରୀକାନ୍ତ କିନ୍ତୁ ତାକୁ ଏଡ଼ାଇ ଦେଇ କହିଲା ନା- ତୁ ଯା ମୁ ଆପେ ଆପେ ଧୋଇ ନେବି, ତତେ ଏ ସବୁ ଶାଜେନା । ସୁଶାନ୍ତର ବାଧ୍ୟକତା ସତ୍ୱେ ବି ଶ୍ରୀକାନ୍ତ ମାନିଲା ନାହିଁ ଆପେ ଗୋଡ ଧୋଇ ଆସିଲା ।

ଘରେ ବସିଛନ୍ତି ଦୁଇଭାଇ । କିନ୍ତୁ ଗଲା ଦିନର ଏ ସେ ଦୁଇ ଭାଇ ନୁହନ୍ତି !! ଦୁଇଙ୍କ ଭିତରେ ଆକାଶ ପାତାଳ ର ପ୍ରଭେଦ, ଦୁଇଙ୍କ ମଧ୍ୟରେ ସତେଅବା ହିମାଳୟ ଛିଡା ହୋଇଛି । କିଛି ସମୟ ପରେ ସୁଶାନ୍ତ କହିଲା ଭାଇ ତମେ ମତେ ଏବେ ଭଲ ପାଉନ ଆଗ ପରି । ବା ମୋ ପାଖେ ତମେ କେମିତି, କେମିତି ଅନୁଭବ କରୁଛ । ମୁ କଣ ତମର ସେହି ମନ୍ତ୍ରୀ ସୁଶାନ୍ତ ନୁହେଁ ? ରାମଚନ୍ଦ୍ରଙ୍କର ସିଂହାସନ ତଳେ, ମୁ କଣ ସେଇ ଚରଣ ସେବକ ଦାସ ଭରତ ନୁହେଁ ?

“କାହିଁକି ରେ ? ” କଥା ପଦକ ସତେ ଅବା ଲୁହରେ ଓଦା ।

“ତମେ ମତେ ଗୋଡ ଧୁଆଇ ଦେଲନି କିଆଁ ? ମୁ କଣ ତୁମ ସାନ ଭାଇ ନୁହେଁ ” ।

” କିଏ କହିଲା ନୁହେଁ ବୋଲି ”

” ତେବେ ?”

“ତୁ ପିଲା ଲୋକ ଏ ସବୁ ବୁଝି ପାରିବୁନିରେ ” ।

“ହଉ କୁହ । ମୁ ବଡ଼ ହେଲିଣି ଆଉ କଣ ପିଲା ଅଛି ? ” ।

ଶ୍ରୀକାନ୍ତ ହସିଲା ଆଖି କିନ୍ତୁ ଲୁହ ଛଳ ଛଳ “ସେଥିପାଇଁ ” ମୁ ତତେ ଗୋଡ ଧୁଆଇ ଦେଲିନି “।

“କୋଉଥିପାଇଁ ?” ସବୁ ସଫା ସଫା କରି କୁହ ଭାଇ ।

ତୁ ଛାଡିବା ପିଲା ନୁହେଁ । କିନ୍ତୁ ସେତକ କହିବାକୁ ମୋ ଛାତି ଫାଟି ଯାଉଛି ରେ “।

“ଥାଉ ତେବେ ଭାଇ ନ କୁହ ”

“ନା -ନା, ନ କହିଲେ ତୁ ଅବୁଝା ବୁଝିବୁନି, ଆରେ ମୁ ତ ବଡ ହେଇପାରିଲିନି । ତୁ ବଡ ହୋଇଚୁ ସାରା ପ୍ରଦେଶ ରେ ତୋ ନା, କେତେ ଲୋକ ତତେ ଚାହିଁ ରହୁଛନ୍ତି – ତତେ ଦେଖିବାକୁ କେତେ ଲୋକ ବ୍ୟାକୁଳ । ସେତକ କଣ ମୋର କମ ଗୌରବ ! ତୁ ଆଜି ମୋ ପାଖରେ ନାହୁଁ – ମୋ ଠାରୁ ଖୁବ ଦୂରରେ – ଖୁବ ଦୂର ରୁ ମୁ ତତେ ଚାହିଁ ରହିଛି । ଦୂରରୁ ତତେ ହିମାଳୟ ପରି ବିରାଟ ରୂପରେ ଦେଖିଚି, ଅସ୍ପଷ୍ଟ ଭାବରେ ତୋ ବିରାଟତ୍ୱ ମୋ ଆଖି ଆଗରେ ପ୍ରସାରିତ ହୋଇ ରହିଛି । ମୁ ସ୍ତମ୍ଭିତ ହୋଇ ତୋ ବିରାଟତ୍ୱକୁ ଦେଖି ଦେଖି ନିଜକୁ ତୋ ନିକଟରେ ଉଇ ହୁଙ୍କା କରି ରଖିଛି । କିନ୍ତୁ ଏଇ ଛୋଟ ହୁଙ୍କା ଆରପଟେ ବିରାଟ ହିମାଳୟ ତ ମୋର ଆଶ୍ରୟ – ମୋର ସବୁ ଆଶା ଭରସା ର ଉଚ୍ଚ ପ୍ରାଚୀର । ତୁ ପୁଣି ଆସି ମୋ ପାଖରେ ସାନ ହୋଇ ମୋର ପଦ ସେବା କରିବୁ – ମୁ ସହି ପାରିବିନି । ମୁ ତୋ ପାଖେ ଆଜି କ୍ଷୁଦ୍ର ଉଇ ହୁଙ୍କା ତୁ ଯେ ବିରାଟ ହିମାଳୟ । ମୋ ଆଖି ଆଗରେ ଏହି ବିରାଟ ହିମାଳୟକୁ ତୁ ଫେର-ସାର କରିଦେବୁ – ମୁ କେମିତି ସହିପାରିବି ।

ସୁଶାନ୍ତ ଆଖିରେ ଆଖିଏ ଲୁହ…

ଭାଇ ତମେ କେଡେ ବିରାଟ, କେତେ ବିଶାଳ ତମ ଅନୁଭୂତି ! ଏତେ ବଡ ଅନୁଭୂତି କାହିଁ ମୋର ଭାଇ ? ମୁ ତଳେ ବହୁତ ତଳେ ଅଛି । ପିଲାଦିନୁ ତମେ ନିଜକୁ ଉଇ ହୁଙ୍କା କରିନଥିଲେ ମୁ କି ଆଜି ହିମାଳୟ ହୋଇ ପାରିଥାନ୍ତି ଭାଇ ? ତମେ ଏହି ହିମାଳୟ ଟି ଗଢିବା ପାଇଁ କମ ତ୍ୟାଗ କରିଛ ? ” ନିଜକୁ ଛୋଟ କରି କରି ତମେ ମତେ ବଡ କରିଚ “।

ସୁଶାନ୍ତ ଭାଇର ପାଦ ଧରି ତଳେ ଲୋଟିପଡିଲା ଭଙ୍ଗା କଣ୍ଠ ସ୍ୱରରେ ଗଦଗଦ ହୋଇ ବାରମ୍ବାର କହି ଚାଲିଛି …

” ମତେ ଆହୁରି ଛୋଟ କରିଦିଅ ଭାଇ,ତମ ମୋ ଭିତରୁ ଏ କୃତିମ ବ୍ୟବଧାନ ଦୂର ହେଇଯାଉ ” ।

ଶ୍ରୀକାନ୍ତ ଆଖିରେ ବି ଅଶ୍ରୁର ଉଚ୍ଛାଳ ବନ୍ୟା

ସତେ ଅବା ଲୁହର ଗଙ୍ଗା ଆଉ ଯମୁନାର ଏଇ ଅପୂର୍ବ ମିଳନ ବନ୍ୟା ରେ, ଛୋଟ ବଡ ଭେଦ ଭାବ -ଆଉ ଏ କୃତିମ ବ୍ୟବଧାନ ସବୁ ଧୋଇ ନିର୍ମଳ ହୋଇଯାଇଛି ! ପରିସ୍କାର ହୋଇ ଯାଇଛି ।

ଲୋକପ୍ରିୟ ଲେଖା

To Top