ଗଳ୍ପ

ଭାଙ୍ଗି ପଡୁଥିବା କଳା ମୁଗୁନି ପଥରର ଶବ୍ଦ

Anukampa Naik's odia story Bhanggi Paduthibaa Kalaa Muguni Patharara Shabda

ଆମର ଏ ଯାତ୍ରା ଅନ୍ଧାରରେ ଆରମ୍ଭ ହେଇ କ’ଣ ଅନ୍ଧାରରେ ଶେଷ ହେଇଯିବ . . . ??

ଗୋଟେ ହଳ ଜୋତା ଓ ଖଣ୍ଡେ ଜିନ୍ସ ପ୍ୟାଣ୍ଟ୍‌ ପାଇଁ ମତେ ଆଜି ମୃତ୍ୟୁର ଦ୍ୱାର ଦେଶରେ ଛିଡ଼ା ହେବାକୁ ପଡୁଛି , ସାମ୍ମାରେ ଅନ୍ଧାର ହିଁ ଅନ୍ଧାର । ଏ ପୃଥିବୀର ସମସ୍ତ ଅନ୍ଧକାର ଏକାକାର ହୋଇ କ’ଣ ମୋ ମନ ଭିତରର ଆଲୁଅକୁ ଲିଭେଇଦେବ ଭାବି ସୁଦାମ ହାତ ପାପୁଲିର ଗାରଗୁଡିକୁ ଦେଖୁଥାଏ । ହଠାତ୍‌ ସେ ଚମକି ପଡ଼ିଲା ସମୁଦ୍ରର ଭୀଷଣ ଗର୍ଜନରେ । ବୋଟ୍‌ ଆଲୁଅ ନେଇ କ୍ଷିପ୍ର ଗତିରେ ଅନ୍ଧାରକୁ ପ୍ରତିହତ କରି ଆଗକୁ ମାଡ଼ିଯାଉଥାଏ ସମୁଦ୍ରରେ । ବୋଟ୍‌ ଚାଳକ ପାଖରେ ବସିଥିବା ଜଣେ ଅଜଣା ଯୁବକ ସୁଦାମର କାନ୍ଧକୁ ଜାବୁଡି ଧରି ‘ତମେ ଠିକ୍‌ ତ’ କହିବାରୁ ସେ ନାଁ ନାଁ କିଛି ହେଇ ନାହିଁ ଟିକେ ଅନ୍ୟମନସ୍କ ଥିଲିତ କହି ବୋଟ୍‌ର ମଝି ଭାଗକୁ ଚାଲିଆସିଲା ଯେଉଁଠି କଳା-ଚିକ୍‌ଟା-ଭୋକିଲା ମଣିଷମାନେ ଭାତ ଓ ରୁଟି ପାଇଁ ଯାତ୍ରା ଆରମ୍ଭରୁ ଲଢେଇ କରିଆସୁଛନ୍ତି । ସୁଦାମ ‘ଆ… ଏଠି ବସି ଯା’, କହି ସେମାନଙ୍କ ଭିତରୁ ଜଣେ ବୃଦ୍ଧ ନିଜର ଗୋଡ଼ ଓ ହାତକୁ ଜାକି ଜୁକି ଶଙ୍କୁଚିତ କରି ତାକୁ ସ୍ଥାନ ଦେଲା । ସେ ସେଠି ବସିଲା ପରେ ଜାଣିପାରିଛି ଯେ ଧୋଳି ମଳିର ମୋଟା ଆସ୍ତରଣ ସେମାନଙ୍କ ଚମଡାରେ ମିଶିକି ରହିଛି । ତା ଦେହରେ ବାରମ୍ବାର ଘଷି ହେବାରୁ ‘ଇସ୍ …. ଇସ୍ ବିରକ୍ତକର ଆବାଜ ଛାଡୁଥାଏ ।’ କିଛି ଲୋକ ବ୍ୟଥିତ ହେଇ କଳହ କରିବା ଆରମ୍ଭ କରିଦେଲେ “ଆରେ ଏମିତି କଣ ଇସ୍ ଇସ୍ କରୁଛୁ ଫିଲିମ୍‌ ହିରୋ କି ତୁ, ଘରେ ଦାନା ଥିଲେ କଣ ହେବ ,କନା ପାଇଁ ପରା ଆସୁଛୁ , ଆଉ ଏଠି ଇନ୍ଦ୍ର ଆସନ ଖୋଜୁଛୁ ” । ମୁଁହ ତାର ସେତା ପଡିଗଲା , ଭୁଲ ହେଇଗଲା ଭାବି ନୀରବ ରହିଗଲା । ସେମାନେ ସେମାନଙ୍କର ଭିତରେ ସମସ୍ତ ଅସୁବିଧାକୁ ନେଇ ଉଚ୍ଚ ପାଟିରେ କଥୋପ-କଥନ କରୁଥିଲେ । ତାଲା ବନ୍ଦ ତ ସରିବ , ଏ ରୋଗ କେବେ ଯିବରେ , ଯାହା ଟିକେ ଖାଇ ଆସୁଅଛୁ ବଳ ମିଳୁନି କି , ଭୋକ ମେଣ୍ଟୁନି ଏଯାଏଁ ସଢି ସଢି ମରିବାକୁ ପଡିଲା , ସରକାର ଖାଇବାକୁ ଯାହା ଦେଲା ସମୁଦ୍ରକୁ ଶଙ୍ଖେ ପାଣି, ଏବେ ଘରକୁ ଗଲେ କୁଟୁମ୍ବ ଖାଇବେ କଣ ସରଦାରର ଦେଖା ନାହିଁ କି ତା ପଇସା ଦେଖା ନାଇଁ, କିରେ ସୁଦାମ ସରଦାର କୁ ଫୋନ୍ ମାରିଲୁ । ସୁଦାମ ସେମାନଙ୍କ କଥା ଶୁଣି – ଏବେ ଯାଇ ସିଧା ବାଟକୁ ଆସିଲ, ମୁଁ ରୋଗ ପାଇଁ ତୁମମାନଙ୍କୁ ଚିଡି ହେଉଥିଲି ନା ଆଉ ସରଦାର ମୋ ଏକାଉଣ୍ଟ୍‌ରେ ପଇସା ନ ପଠେଇ ଯିବ କୁଆଡେ , ବେଳାଭୂମିକୁ ଆଗେ ପହଞ୍ଚୁ ତ … । ତାର କଥା ଶୁଣି ସମସ୍ତେ ଟିକିଏ ଆଶ୍ୱସ୍ତ ହେଲେ । ସୁଦାମର ପାଖରେ ବସିଥିବା ବୃଦ୍ଧ ଜଣକ ଛିଡ଼ା ହେଇ ହସିବାକୁ ଲାଗିଲା ହେଃ ହେଃ ଆମକୁ ଭୂତାଣୁ ମାରିବ ହେଃ ଭୁତ କୋଠରି ହେଉକି ଶ୍ମଶାନ ଘାଟି ସବୁଠି ମଜୁରି କରି ଅଣ୍ଟା ନଇଁ ଗଲାଣି କେବେ କିଛି ଦେଖିନାହିଁ । ତମେମାନେ ପୁଣି କହୁଛ ହାତରୁ ନାକକୁ – ପାଟିକି ଯିବ ଶେଷରେ ଛାତି ଭିତରେ ଚରି ଆମକୁ ମାରିଦେବ ଭୂତାଣୁ , ନାଇଁ ନାଇଁ, ଆମକୁ ଭୋକ ମାରିଦେବ, କେଇଟା ଭେଣ୍ଡା ଟୋକାକୁ ଛାଡିଦେଲେ କାହା ମୁହଁରେ ପାଣି ଅଛି ଦେଖିଲ , ହାଡ ଉପରେ ଚମାଡା ଶୁଖିବାକୁ ଲାଗିଲାଣି । ତା ସ୍ୱରରେ ସ୍ୱର ମିଶେଇ ସମସ୍ତେ ପାଟି କରିବାକୁ ଲାଗିଲେ ହିଁ ……. ହଁ ଭୋକ ମାରିଦେବ ଆମକୁ ଭୂତାଣୁ ନୁହେଁ । ଭୁତାଣୁର ଅର୍ଥ ଏମାନେ ଜାଣି ନାହାନ୍ତି ? ଦୀର୍ଘ୍ୟ ତିନି ମାସ ହେଲାଣି ମୋବାଇଲ୍‌ ଦେଖେଇ ଆସୁଛି ଏହା କଣ ତାଙ୍କର ମନୋରଞ୍ଜନ ଥିଲା ଯଦି ଏହା ସତ୍ୟ ତାହେଲେ ସେଦିନେ ଠିକାଦାର ଇଟାଭାଟିରୁ କାଢିଦେଲା ପରେ ମରିଯିବୁ କହି ଚିତ୍କାର କରୁଥିଲେ କାହିଁ, ଏହା କଣ ଭୋକ ପାଇଁ ଥିଲା । ସେ ଦେଖୁଥାଏ କେତେ ଜଣକୁ ଛାଡିଦେଲେ ଅଧିକାଂଶ ଗୋଡ ହାତକୁ ଗୋଟିଏ ସ୍ଥାନରେ ପକେଇ ରଖିଥାନ୍ତି । ଦେଖିବା ,ସୁଙ୍ଘିବା ଓ ଶୁଣିବାର କ୍ଷମତାଟା ଧୀରେ ଧୀରେ ଲୋପ ହେବାକୁ ବସୁଥାଏ ଯେମିତି । ଭୃଲତା ତଳେ ଡିମା ଦିଟା ଧୂସର ଦେଖାଯାଉଥାଏ । ତାକୁ ଡର ମାଡିଲା, ସେମାନଙ୍କ ଦେହକୁ ଏପଟ ସେପଟ କରିବାକୁ ଲାଗିଲା । କଣ ଅଣ୍ଟା ମେରୁଦଣ୍ଡ ଭାଙ୍ଗିପଡିଛି ଯେ ଏମିତି ଦରମରା ସାପ ପରି ପଡ଼ି ରହିଛ । ବଞ୍ଚିବା ପାଇଁ ତ ଏ ଯାତ୍ରା, ଏଠି ରହି ଯିବା କି, ଏଠି ରହିଲେ ବି ମରିବା, ଗଭୀର ସମୁଦ୍ରରେ ବାଡି ବଗିଚା, ଧାନ କ୍ଷେତ କିଛି ବି ନାଇଁ ହେଲେ ମୁଁ ଏଠି ଭାତ ଫୁଟେଇଛି ଉଠ… ଉଠ… କହି ବୋଟ୍‌ର ମଙ୍ଗ ଆଡକୁ ଚାଲିଗଲା । ସେମାନେ ଉଠି ମହ ମହ ତତଲା ଭାତର ବାସ୍ନା ଆଘ୍ରାଣ କରିବାକୁ ଲାଗିଲେ । ବସିଥିବା ସମସ୍ତ ମଣିଷଙ୍କ ଉପରେ ତାର ଦୃଷ୍ଟି ନିବିଦ୍ଧ ଥାଏ । ସରୁ ହସ ଧାରେ ଧରେ ଖେଳିଗଲା ଓଠ ମାନଙ୍କରେ । କିଛି ବି ତଫାତ୍‌ ନ ଥିଲା ସେମାନଙ୍କ ଭିତରେ, ବୋଧେ ସମସ୍ତେ ଗୋଟିଏ ଜାତିର । ତେଣୁ ଖାଦ୍ୟର ବାସ୍ନାରେ ବି ଭୋକ ମାରି ବଞ୍ଚି ପାରନ୍ତି ଅଧିକ ସମୟ ଯାଏ । ଏମିତି ଦୃଶ୍ୟ ସବୁ ପୁରାଣରୁ ଆସି ଅନ୍ଧକାରର ଅନୁଭୂତି ଗୋଟି ଗୋଟି କରି କହନ୍ତି । ଶେଷରେ ବିକଟାଳ ହସ ହସି ଦେବା – ସୁର ସଂଗ୍ରାମରେ ଆମେ ବିଲିପ୍ତ କହି ଭାବନାରେ ଧୂଆଁ ହେଇ ଯାଆନ୍ତି । ମୁଁ ସେମାନଙ୍କୁ ଖୋଜେ… ପାଏନି , ସମ ସ୍ୱର ଥିବା ଭିନ୍ନ କେତେ ମଣିଷ ଲୁହାର ଶିକୁଳିରେ ବନ୍ଧା ହେଇ ଇତିହାସରେ ଚିତ୍କାର କରୁଥାନ୍ତି – ଆମେ ପରାଜିତ ହେଲେ ବି ବଳିଷ୍ଠ ପଥର ଦେହରେ ହସ ଫୁଟେଇ ପୃଥିବୀକୁ ସୁନ୍ଦର କରୁଥିଲୁ ହେଲେ ଦାଶର ଭାର ଏତେ କୋଠୋର ଯେ ଆମକୁ ଆମ ମାଟିରେ ପରିଚୟ ବୁଣି ଲୁପ୍ତ ହେବାକୁ ବାଧ୍ୟ କରିଛି… ସତ ଥିଲା ଏ କଥା । ଆଜି ସେଇ ସଭ୍ୟତା ଉପରେ ସହର, ଶୂନ୍ୟ ଅନ୍ଧାର ସହରର ଷ୍ଟ୍ରୀଟ୍‌ ଲାଇଟ୍‌ରେ ସେମିତି କଳା କଳା ଅସଂଖ୍ୟ ମଣିଷ ଏକାଠି ଛିଡା ହେଇ ଭୋକରେ ଜଳିବାକୁ ଲାଗନ୍ତି । ତାଙ୍କଠୁ ଧୂଆଁ ଆସି ରାଜ ରାସ୍ତାରୁ ଜନବସତି ଯାଏ ମାଡିଯାଏ । ରାତ୍ରିର ଧୂଆଁ କାହାକୁ କିଛି ଫରକ ପଡେନି କି ଗୁମୁରା ସ୍ୱର ରାତିକୁ ଆଘାତ ଦେଇପାରେନି । ଅନେକ ଭାବନା ଭିତରେ ଖୁଣ୍ଟ ଟାଏ ହେଇ ଛିଡା ହେଇଥାଏ ସେ । ଶୂନ୍ୟ କୁ ହାତ ଟେକି ନାଚୁଥିବା ଶ୍ରମିକ ମାନଙ୍କ ଛାଇ କୁ ଫାଡି ସରୁ ଆଲୁଅ ଧରେ ଆସୁଥାଏ ।

ସେ ପ୍ରକୃସ୍ଥିତ ହେଇଯାଏ । ତା ସାମ୍ନାରେ ଅଳ୍ପ ଲାଇଟ୍‌ରେ ନାଚୁଥାନ୍ତି ସମସ୍ତ ଶ୍ରମିକ ଯାତ୍ରୀ । ସେ ବିସ୍ମୟରେ ଦେଖୁଥାଏ ସେମାନଙ୍କୁ । କେତେବେଳୁ ଆସି ପାଖରେ ବସିଥିବା ତା ସମବୟସ୍କ ଯୁବକ ଜଣକ ତା ପକେଟରୁ ମୋବାଇଲ୍‌ କାଢି ନେଇ କ୍ଲିକ୍‌ କରିବାକୁ ଲାଗିଲା । ଦୁହେଁ ନିକଟତର ହେଇ ଉଠାଯାଇଥିବା ଫଟୋକୁ ଦେଖିବାକୁ ଲାଗିଲେ । କେହିବି ଯାତ୍ରୀ ପରି ଲାଗୁନଥାନ୍ତି ଫଟୋରେ । ଯୁବକ ଜଣକ ଅତ୍ୟନ୍ତ ଶାନ୍ତ ଓ ଗଭୀର ସ୍ୱରରେ କହିବାକୁ ଲାଗିଲା “ସୁଦାମ ଜାଣିପାରୁନ ! ଅଳ୍ପ ଆଲୁଅରେ ମଣିଷ ପଥର ହେଇ କେମେରାରେ କଏଦ ହେଇଗଲା ” । ଦୁହେଁ କିଛି କ୍ଷଣ ଯାଏ ନିରବ ହେଇ ଯାଇଥିଲେ । ଉତପ୍ତ ମନକୁ ସମୁଦ୍ରର ଶୀତଳତା ସ୍ପର୍ଶ କରିପାରୁ ନ ଥାଏ । ବିତିଯାଇଥିବା ମୂହୂର୍ତ୍ତଗୁଡ଼ାକ ପୁଣିଥରେ ଉଜ୍ଜୀବିତ ହେବାକୁ ଲାଗିଲା । ସୁଦାମ ! ଇଟାଭାଟି ହେଉକି ଲୁହା କାରଖାନାରେ ଜୀବନ ମରୁଭୂମି ପରି ଥିଲା । ସେ ଯୁବକର କଥା ଶୁଣି -ହଁ କିନ୍ତୁ ତା’ ଠୁ ବି ଅଧିକ । ଦହ ଦହ ଗ୍ରୀଷ୍ମ ପରି କୋଠରତା ଯେତେଥର ନିଜ ଦେହରେ ସମାହିତ ହୁଏ ସେତେଥରେ ଦୁଃଖର ପ୍ରଚଣ୍ଡ ଲହଡ଼ି ଆସି ଛାତିରେ ଆଘାତ କରେ, ହାଃ … କରି ସହିଯିବା ପରେ ବିକଳରେ କେତୋଟି ପାଦତଳେ ଦୈାଡିବାକୁ ହୁଏ । ଦୈାଡ ଯେତିକି କ୍ଷିପ୍ର ହୁଏ , ଉପର ମଣିଷ ମାନଙ୍କ ପାଦର ଧାସରେ ଜୀବନ ସେତିକି ଲୁହ-ଲୁହାଣ ହୁଏ । ଜୀନନ ପାଇଁ ଜୀବିକା ଖୋଜୁ ଖୋଜୁ ମୃତ୍ୟୁର ଇଲାକା ହେଇସାରିଥାଏ । ମରୁଭୂମିରେ ଜୀବନ ଦାନ ପାଇଁ ଜଳଧାରା ଥାଏ କିନ୍ତୁ ସେଠି କାର୍ଯ୍ୟର ଗରମ ପୋଶ ପୋଶ ରକ୍ତ ସୋଷିନିଏ ଦେହରୁ । ପଥର ହେବାକୁ ପଡେ ଶ୍ରମିକକୁ । ଯୁବକଟି ବିଷର୍ଣ୍ଣ ଦେଖାଗଲା ଏ କେଇଟା ଶବ୍ଦ ଶୁଣି । ସେ ବସିପଡିବାରୁ ତାର ପିଠିକୁ ସୁଦାମ ଆଉଁସୁଥାଏ । ଅତ୍ୟନ୍ତ କଠିନ ଓ ରୁକ୍ଷ ଲାଗୁଥାଏ । ସୁଦାମର ହାତକୁ ପିଠିରୁ କାଢିଦେଇ ବାଷ୍ପାକୁଳ କଣ୍ଠରେ କହିବାକୁ ଲାଗିଲା – ଦୁଃଖ ସମୟରେ ଦୁଃଖ କଥା ହିଁ ମନେପଡେ, ଏଇ ସଙ୍କଟରେ ସେଇ ଦୁର୍ଦିନ ବେଳାର କଥା କାହିଁକି ମନର ଶୂନ୍ୟତାକୁ ଆସି ତୁହା ତୁହା ଭୟ ବୁଣେ ଯେ ଆଉ ନିଦରେ ବାସନ୍ତିର ଭୁତ ସବୁ ରାଗ ଝାଡେ ମୋ ଉପତେ –“ଛିଃ… ସମସ୍ତକୁ ଠକି ମତେ ବି ମରିବାକୁ ବାଧ୍ୟ କଲୁ , ତତେ ଭାଇ କହୁଥିଲି ” ନାଁ ହେଲେ ତୁ ଠିକ୍ କରିଛୁ ?? କହ କଣ ପାଇଁ ମତେ ବିନା ବସନ୍ତରେ ପତ୍ରଝଡା ଦେବାକୁ କରିଲୁ , ତୋ ପାଖରେ ସମର୍ପଣ ପରେ ବି ତୁ ଅନ୍ୟ କେହି ମତେ ଟାଣି ନେବାର ଦେଖିପାରିଲୁ କେମିତି . . . . . । ନାଁ ତୁମୋର ଶ୍ରଦ୍ଧାର ଭାଇନଥିଲୁ କି ସାଥି ନ ଥିଲୁ, ସେଥିପାଇଁ ସବୁ ରହସ୍ୟକୁ ଛାତିତଳେ କବର ଦେଇ ଇଟା ସାଙ୍ଗରେ ମୁଁ ବି ପୋଡୁଥିଲି, ଇଟା ପୋଡି ପୋଡି ଶକ୍ତହେଲା ଆଉ ମୁଁ ପାଉଁଶ ହେଇଗଲି ଭାଟିରେ… । ସୁଦାମ ତା ପାଇଁ , ଆଜି ମୁଁ ନିଜକୁ ଦୋଷୀ କହିପାରୁନି କି ଦୋଷରୁ ମୁକ୍ତ ଘୋଷଣା କରିପାରୁନି । ସେଦିନେ ଦୋଷି ଖୋଜିବା ଆଗରୁ ଝୁଣ୍ଟି ପଡିଥିଲି ଓ ମୋ ଉପରେ ଖଣ୍ଡ ଖଣ୍ଡ ହେଇ ଆକାଶଟା ଛିଣ୍ଡି ପଡିଥିଲା ଯେମିତି ଠିକାଦାର ଏକା ନୁହେଁ କିଛି ଶ୍ରମିକ ବି ମତେ ତା’ର ବଳାତ୍କାରୀ କହିଲେ । ଦେଖୁ ଦେଖୁ କେଇଟା ମୂହୁର୍ତ୍ତରେ ମୋ ସାମ୍ନା ପୃଥବୀଟା ଧୁଆଁରେ ପୂର୍ଣ୍ଣ ହେଇ ଧୁସର ହେଇଗଲା ଆଉ ଶତ ଚେଷ୍ଟା ପରେବି ମୁଁ ବାହାରି ପାରିନାହିଁ । ଏଯାଏଁ ବିତିଯାଉଥିବା ଦିନବି ଏ କ୍ଷତର ମଲମ ହେଇପାରିନି … । ସେଠି ସମସ୍ତେ ଥିଲେ ଅପରିଚିତ, ଏଠିବି କେଇଟା ମୂହୁର୍ତ୍ତ ଆଗରୁ ତମେ ଯାହା ପରିଚିତ । ସୁଦାମ ଆହିୁରି ନିକଟତର ହେଇ ତା ଦି ବାହୁକୁ ଜାବୁଡି ଧରିଲା । ଯୁବକ ଜଣକ ଗରମ ନିଶ୍ୱାସ ଛାଡ଼ି ଆକାଶକୁ ଚାହିଁ ରହିଥାଏ, ମିଞ୍ଜି ମିଞ୍ଜି ତାରା ଘନ ଅନ୍ଧ-କାରକୁ ଫାଡି ଏକଲୟରେ ଦେଖୁଥିଲେ ବି ଜହ୍ନ ପରି ଆଲୁଅ ଦେବାରେ ଅସମର୍ଥ ବୋଲି ଭାବୁଥାଏ ।

ଆମର ଲହୁର ମୂଲ୍ୟ କଣ ଏ ତାରାଙ୍କ ପରି କ୍ଷୀଣ ଏଇଟା ହୋଉ ଜନ୍ମର ପାପ ଯେ ? ସୁଦାମ କେଇ ବୁନ୍ଦା ଥୋକ ତଣ୍ଟି ଭିତରକୁ ନେଇ – ନାଁ ସେ ଆଉ ଜନ୍ମ –ଜନ୍ମାନ୍ତର କି ଯୁଗ –ଶତାବ୍ଦୀର ପାପ ପୂଣ୍ୟ କଥା କୁହନା । ଉପରେ ମଣିଷ ସବୁବେଳେ କହୁଛି -ଦାନବ ଦାଶ , ଦଳିତ ଆଉ ଏବେ ଦାଦନ ଏମାନେ ସମସ୍ତେ ଏକ ଓ ଅଭିନ୍ନ । ମୁଁ ଜାଣିନୀ ସେ ଗହନ କଥା କିନ୍ତୁ ଶ୍ରମିକକୁ ଏଠି ସେଠି ବାନ୍ଧି ରଖିବାର ଅର୍ଥ କଣ ହେଇପାରେ । ସୁଦାମର ଗୋଟି ଗୋଟି କଥା ତାକୁ ଆଶ୍ଚର୍ଯ୍ୟ ମନେ ହେଉଥାଏ । ଏମିତି ବୁଦ୍ଧିମାନ ପିଲା ବି ଦାଦନ ହେଇପାରେ, ସେ ପ୍ରଶ୍ନ ଭରା ଆଖିରେ ସୁଦାମକୁ ଚାହେଁ ରହିଥାଏ । କୃଷ୍ଣ ପକ୍ଷ ତୃତୀୟା ଜହ୍ନ ଶୁଖିଲା ବଉଦ ଭିତରୁ ଛାଡୁଥାଏ ତୋଫା ତୋଫା ଆଲୁଅ । ସେଇ ଆଲୁଅରେ ଉଡି ଉଡି ଯାଉଥିବା ରାତ୍ରିଚର ପକ୍ଷୀ ଏକାଗ୍ରତା ଭଙ୍ଗ କରୁଥାଏ । ସେ ଆକାଶର ଉଡନ୍ତା ପକ୍ଷୀକୁ ଦେଖେଇ – ଜାଣିଛ ! ମୁଁ ବି ଦିନେ ଏମିତି କ୍ଷିପ୍ର ବେଗରେ ଉଡିଆସିଥିଲି । ବାପା ଗଡିଆରୁ ଧରୁଥିବା କେରାଣ୍ଡି ମାଛରେ ମାଁର ଚୂଳିକୁ ତେଲ ଲୁଣ ସିନା ହେଇ ଯାଉଥିଲା କିନ୍ତୁ ଅଣ୍ଟାକୁ ଲୁଗା ହେଉନଥିଲା । ମୋର ଭଲ ସ୍ପୋର୍ଷ୍ଟ ଥିବାରୁ ଦୁହେଁ ମୁଁ ପୋଲିସ ହେବାର ସ୍ୱପ୍ନ ଦେଖୁଥିଲେ । ସ୍ନାତକରେ ଫାଷ୍ଟ୍‌ ଓ ଡିଷ୍ଟିଙ୍ଗ୍‌ସନ୍‌ ହେବାରୁ ଲକ୍ଷ ବଦଳିଗଲା । ଆଜି ପଇସା ଅଛି , ଭଲ ଲୁଗା – ଜୋତା କିଣି ହେବ । ବିଶ୍ୱ ବିଦ୍ୟାଳୟରେ ଫେଲୋଶିପ ପାଇ ପାଠ ପଢି ହେବ । କିନ୍ତୁ ମୁଁ କଣ ଆଉ ପଢିବି ?? ସତରେ ଉଡି ପାରିବି ?? ପଞ୍ଜୁରୀ ଭିତରେ ରହି ରହି ଉଡିବାର କ୍ଷମତା କେବେଠୁ ହରାଇ ବସିଛି ଯେ . .. . . । ଅପରିଚିତ ଯୁବକ ଜଣକ ନିର୍ନିମେଷ ନୟନରେ ଦେଖୁଥାଏ । ସେ ସାର୍ଟ ଖୋଲି ତଳେ ପକେଇଦେଲା । ତା ପଞ୍ଜରାର ଗୋଟା ଗୋଟା ହାଡ ଗଣି ହେଉଯାଉଥାଏ । ଯୁବକର ଛାତି ଭିତରଟା ଧଡ୍ କଳା । ଶ୍ରମିକର ଲୁଗା ଭିତରେ ଏମିତି ବି ଜରା–ଜୀର୍ଣ୍ଣ ଦେହ ଲୁଚିଥାଏ । ସୁଦାମ ଛଦ୍ମ ବେଶୀ ନୁହେଁ – ଏ ତ ସବୁଠୁ ବଡ ପ୍ରମାଣ । ସେ ସୁଦାମର କଥା ଭାବି ନିଜର ଦି ବଳିଷ୍ଟ ବାହୁକୁ ଦେଖୁଥାଏ । ବୋଟ୍‌ଟା ଉଚ୍ଚ ଉଚ୍ଚ ତରଙ୍ଗ ଅତିକ୍ରମକରି କରି ମାଡିଯାଉଥାଏ ଆଗକୁ । ଦୂରରୁ ଦିଶୁଥାଏ କେଉଁ ଏକ ଅଜଣା ସହରର ଆଲୁଅ । ରାତ୍ରିର ଝିଲ୍ ମିଲ୍ ଦୁଶ୍ୟ ନିମିଶକେ ଅତିତରୁ କାଢି ଆଣି ଥିଲା ଦୁହିଙ୍କୁ , ଦୁହେଁ ପରସ୍ପରକୁ ଇସାରା କରି ନାବିକକୁ ପଚାରିଲେ – କେତେ ଦୂର ? କଣ ଏଇଟା ଓଡ଼ିଶାର ସୀମା ? ନାଁ, ଏଇଟା ଆନ୍ଧ୍ରା ବାରୁଭ, ଫୋନ୍ କରିବ ଯଦି ଏବେ ଘରକୁ ଫୋନ୍‌ କର ଟାୱାର ଅଛି ବୋଲି ନାବିକ କହିଲା । ସମସ୍ତ ଯାତ୍ରୀ ଜାଣିଯାଇଥିଲେ ଯେ ସେମାନେ କୋଉ ଏକ ବେଳାଭୂମି ପାଖରେ ଅଛନ୍ତି । ତେଣୁ ସରଦାର ପାଖରୁ କେମିତି ପଇସା ଆଦାୟ କରିହେବ ଚିନ୍ତା କରୁଥାନ୍ତି । କିରେ ସୁଦାମ ସରଦାର ପଇସା ପଠେଇଲା କି କହି ଜଣେ ବୃଦ୍ଧ ଡାକ ଛାଡିବାରୁ ସେ ନାଁ… ପଠେଇନି , ରହ ଫୋନ୍‌ ମାରିକି ଦେଖୁଛି ବୋଲି ଦୂରରୁ ଥାଇ କହୁଥାଏ । ସେ ରିଙ୍ଗ୍‌ କରିବାରୁ ଅପର ପାଶ୍ୱର୍ରୁ ଜଣେ ମହିଲା ରିସିଭ୍‌ କରି କଥାବାର୍ତ୍ତା ଆରମ୍ଭ କଲେ –

-ହ୍ୟାଲୋ ! ମୁଁ ଜାଣି ଯାଇଛି ଲେବର ମୁଖିଆ କହୁଛନା ।

– ହଁ ମ୍ୟାଡମ କିଛି ପଠାନ୍ତୁ ପାଞ୍ଚ ଦିନ ହେଲା କିଛି ଖାଇନୁ ।

– ଖାଇବା…ଖାଇବା ତ… ହେଲେ ।

– ଯଦି ଖାଇବା ଦେବାର ଇଚ୍ଛା ନାହିଁ ନ ଦିଅ , କିନ୍ତୁ ଆମର ଟଙ୍କା ପଠାଅ …।

– ପରିସ୍ଥିତି କୁ ବୁଝ ??

– ଭୋକଠୁ ବଳି ଆଉ କ’ଣ ହେଇପାରେ ।

– ତୁମର ଭୋକ … ନାଁ ଅସଂଖ୍ୟ ଭୂତାଣୁ . . . । ଛିଃ . . . ତାହେଲେ ତୁମମାନଙ୍କ ଗୋଡ – ହାତ- ମୁଁହ – ପାପୁଲି କଣ ଏକା ପରି ?

– ଏତକ କଣ ଆମ ପରିଚୟ

– ତାହେଲେ . . . ???

– କୋଣାର୍କ ଦେଖିଛ . . . .??

– ତମେମାନେ ଏମିତି ଏପଟ ସେପଟ କୁହ । ଜାଣିନ ! ସେଇଥି ପାଇଁ ତୁମ ଗାଁ ଲେବର କୋରଣ୍ଟାଇନ ସେଣ୍ଟର ଆଜି ଜଳୁଛି ।

ଶେଷରେ ସେ କିଛି କ୍ଷଣ ନୀରବ ରହି ଚିତ୍କାର କରୁଥାଏ – କଣ ସତ ?? ଲେବର ଜଳୁଛନ୍ତି , ମୁଁ ସରଦାରକୁ ରିଙ୍ଗ୍‌ କରିଲି ତମେ ରିସିଭ କରି ଠକିଲ, ମୁଁ ଭୋକ ଓ ପାଉଣା କଥା କହିବାରୁ ତମେ ଆମ ପରିଚୟ ଓ ପରରିସ୍ଥିତି କୁ ଜାଣି ଛିଃ… କହିଲ । ଆମର ଅଧିକାର ନୀରବ ପରିଚୟ କଥା କହିଲେ ତମେ ଶ୍ରମିକ ଜିଅନ୍ତା ଜଳିବାର କଥା କହୁଛ ଛିଃ… ତମେ ମଣିଷ ???

ସ୍ତ୍ରୀ ଲୋକଟି କିଛି ଉତ୍ତର ନ ଦେଇ ଅପରପାର୍ଶ୍ୱରୁ ଅଫ୍‌ କରିଦେଲେ ।

ସେ ଫୋନ୍‌ଟା ପକେଟରେ ରଖି ସାମ୍‌ନାକୁ ଦେଖେ ତ ସମସ୍ତ ଶ୍ରମିକ ମେରୁଦଣ୍ଡ ନୂଆଁଇ ତଳକୁ ମୁଁହ କରି ଠିଆ ହେଇଥାନ୍ତି । କେବଳ ପୂର୍ବରୁ ତା ପାଖରେ ରହିଆସୁଥିବା ଯୁବକ ଜଣକ ହିଁ ମୁଣ୍ଡ ଟେକି ଛିଡା ହେଇଥାଏ କିଛି ଦୂରରେ । ସେ ସୁଦାମର ପାଖକୁ ଆସି ଦାନ୍ତ ଚାପି ଚାପି କହିବାକୁ ଲାଗିଲା – ତମେ କି ମୁଁ ଏକା ଜାଣିନାହୁଁ, ସମସ୍ତ ଶ୍ରମିକ ଜାଣିଗଲେଣି ଶ୍ରମିକ ମାନେ ଜଳିବାର କଥା । ତାର ଆଖି ପାଣିଚିଆ ହେଇଗଲା । ପୁଲିସ – ପ୍ରଶାସନ -ଆଇନର ଶୃଙ୍ଖଳ ବଳୟ ଭିତରେ ବି କଣ ଶ୍ରମିକ ଜଳିଗଲେ ?? ନିଶବ୍ଦ କରିଦେଲା ଏ କେଇଟା ଶବ୍ଦ । ବିଷାଦର ଛାଇରେ କିଏ କାହାକୁ ଦେଖି ପାରୁନଥିଲେ । ବୋଟ୍‌ଟା ଗନ୍ତଦ୍ୟ ସ୍ଥଳ ପାରାଦୀପ ଲାଇଟ୍‌ ହାଉସ୍‌ ଆଡକୁ ଅଗ୍ରସର ହେଉଥାଏ । ହଠାତ୍ ବୋଟ୍‌ର ଲାଇଟ୍ ଲିଭିଗଲା ଗଭୀର ସମୁଦ୍ରରେ ଏବଂ ଅନେକ ସ୍ୱରର ସମାହରରେ ଏକ ବଳିଷ୍ଠ ସ୍ୱର ଦୁରକୁ ଶୁଣାଗଲା –“ଆମର ଏ ଯାତ୍ରା ଅନ୍ଧାରରେ ଆରମ୍ଭ ହେଇ କ’ଣ ଅନ୍ଧାରରେ ଶେଷ ହେଇଯିବ . . . ??”

ରାତି ପାହିଲାପରେ ଧୂଆଁ ପୋଡା ଗନ୍ଧର କବର ତଳେ ଲେବର କଲୋନୀ ନିସ୍ତବ୍ଧ ଗମ୍ଭୀର ଲାଗୁଥାଏ ଓ ଅସଂଖ୍ୟ କୋହରେ ବେଳାଭୂମି ଗୁମୁରୁ ଥାଏ ।

ଲୋକପ୍ରିୟ ଲେଖା

To Top