ଗଳ୍ପ

ଭାନୁମତୀର ଖେଳ

Dr Bibhuti Pattanaik's odia story Bhanumatira Khela

ଜମାଦାର କହିଥିଲା ଛାତିରୁ ଶାଢୀ ଖସାଇ ଦେଲେ ଗରାଖ ଜୁଟିଯିବେ । ଦଣ୍ଡି ମାରି ସେ ପରିବା ବିକିଦେବ ।

ଭାନୁମତୀର ଖେଳ

-ଏକ-

ସଂରକ୍ଷିତ ଜଙ୍ଗଲରୁ ବେଆଇନ ଗଛ କାଟୁଥିଲା ବୋଲି ପୋଲିସ ଭିଡି ନେଇ ତ୍ରିନାଥ ମାଝିକୁ ହାଜତରେ ଭର୍ତ୍ତି କରିଦେଇଛି । ତାର କନିଆ ଭାନୁମତୀ ଗୌନ୍ତିଆର ଜମାଦାର ରାଜସିଂହଙ୍କ ପାଖରେ ତାର ବରକୁ ଖଲାସ କରି ଆଣିବାକୁ ଯେତେ କାକୁତି ମିନତି କଲେ ବି ତା କଥାରେ କାନ ଦେଇ ନାହିଁ ଜମାଦାର୍ ।

ଜମିଦାରୀ ଉଠିଗଲା ପରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଜମାଦାର ମାନଙ୍କର ଶାସନ ।

ଏଇ ସିଂହବାବୁଙ୍କର ହୁକୁମ ମାନି ତ୍ରିନାଥ ମାଝି ଜଙ୍ଗଲରୁ ଗଛ ହାଣିବାକୁ ଯାଇଥିଲା । ତାର କି ଦୋଷ? ଦେହ ମେହନତ କରି ତ୍ରିନାଥ ପେଟ ପୋଷେ । ଗୌନ୍ତିଆଙ୍କ ଜମାଦାର ଜମିଚାଷ କରିବାକୁ ହେଉ କି ଜଙ୍ଗଲରୁ ଗଛ କାଟିବାକୁ ହେଉ-ଯେତେବେଳେ ଯେଉଁ କାମ ଦିଅନ୍ତି-ସେ କାମ କରିବାକୁ ବାହାରିଯାଏ ତ୍ରିନାଥ ।

ସେଦିନ ମଧ୍ୟ ଜମାଦାର ରାଜ୍ ସିଂହର ହୁକୁମ ମାନି ସେ କୁଡୁମଗୁମ୍ମା ଜଙ୍ଗଲକୁ କେନ୍ଦୁଗଛ କାଟିବାକୁ ଯାଇଥିଲା । ସେମାନେ ବଣ ଜଙ୍ଗଲର ଅଧିବାସୀ । ଆଦିବାସୀ, କେଉଁଟା ସରକାରୀ ଗଛ, କେଉଁଟା ଗୌନ୍ତିଆଙ୍କ ଗଛ-ସେ କଥା ସେ ଜାଣନ୍ତା କିପରି !

ବେଆଇନ୍ ଗଛ କାଟିବାକୁ ଯିଏ ଲୋକ ପଠାଇଲା ସେ ଦୋଷୀ ନା ଯିଏ ମାଲିକର ହୁକୁମ ମାନି ଗଛ ଦେହରେ ଟାଙ୍ଗିଆ ଚୋଟ ପକାଇଲା ସେ ଅପରାଧୀ ?

ହାଜତରୁ ତା ଘରର ମଣିଷକୁ ଖଲାସ କରି ଆଣିବାକୁ ଭାନୁମତୀ ଜମାଦାର ପାଖରେ ଯେତେ ଗୁହାରୀ କଲେ ବି ତାର ମନ ତରଳିଲା ନାଇଁ ।

ରଙ୍ଗମଖା ବାଘୁଆ ନିଶରେ ହାତ ମାରି ତାକୁ କହିଲା- ତୋ ବରର ଦିମାକ୍ ଖରାପ । ତାକୁ ବାର ବାର ବୁଝାଇଥିଲି-ଧରାପଡିଗଲେ ଥାନା ବାବୁ ପାଖରେ ମୋ ନାଁ କହିବୁ ନାଇଁ । ସବୁ ଜଙ୍ଗଲ ସଂରକ୍ଷିତ, ଆଦିବାସୀ ମାନେ ଅରକ୍ଷିତ । ଜଙ୍ଗଲ ଆମର ମାଆ । ଜଙ୍ଗଲର ଗଛ, ଫଳ, ଫୁଲ ଡାଳ ଉପରେ ଆମର ଜନ୍ମଗତ ଅଧିକାର । ଗଛ କାଟି ଆମେ ଘର ତିଆରି କରୁ । ଜାଳେଣି କାଠ ବିକ୍ରି କରି ପରିବାର ପୋଷୁ । ଏଇ କଥା କହିଥିଲେ ତାକୁ ଥାନାବାବୁ ଶହେ ପଚାଷ ଟଙ୍କା ଜୋରିମାନା କରି ଛାଡି ଦେଇଥାଆନ୍ତା । ସେ ଟଙ୍କା ମୁଁ ଦେଇ ତାକୁ ମୁକୁଳାଇ ଆଣି ଥାଆନ୍ତି । ହେଲେ ତାର ବର କଣ ମୋ କଥା ରଖିଲା । ଥାନା ଦାରୋଗା ବାବୁଙ୍କ ସାମ୍ନାରେ କହିଲା ଗୌନ୍ତିଆ ସାହୁ ବାବୁ ମାଲକାନ୍‌ଗିରି ସହରରେ ବସି ସିମେଣ୍ଟ୍‌-ଲୁହା ଛଡି ବେପାର କରୁଛି । ଆଉ ରାଜ ସିଂହ ବାବୁକୁ ଜମାଦାର କରି ରଖିଛି । ମାଥିଲିରୁ କୁଡୁମୁଗୁମ୍ମା- ଏ ଅଞ୍ଚଳରେ ଥିବା ସବୁ ଜମିଜମା, ବଣଜଙ୍ଗଲ, ବାରି ବଗିଚା-ସବୁ ଦେଖାଶୁଣା କରିଛନ୍ତି । ଏଇ ସିଂହ ବାବୁ । ତାଙ୍କରି ଆଦେଶ ମାନି ମୁଁ ଜଙ୍ଗଲରୁ କେନ୍ଦୁଗଛ କାଟୁଥିଲି ବାବୁ ! ମଜୁରିରେ ମୋର ଅଧିକାର-ଗୋଟାଏ ଗଛ କାଟି ଦେଲେ କୋଡିଏ ଟଙ୍କା । ମଜୁରି ଗଛର କାଠ ଉପରେ ମୂଲିଆର କିଛି ଦାବି ନାଇଁ । ଗଛ ତଳେ ପଡିଗଲେ ସେଇଟା ସିଂହବାବୁର ସମ୍ପତ୍ତି । ସେ କାଠ ଗଡ ଟ୍ରକ୍‌ରେ ଲଦି କରତ କଳରେ ଚିରାଇ ବାହାରକୁ ଚାଲାଣ ଦିଅନ୍ତି-ମୋର କିଛି ଦୋଷ ନାହିଁ ବାବୁ ! ମତେ ଛାଡି ଦିଅ-ମତେ ଜେଲ୍‌ରେ ରଖିଲେ ମୋ ପେଟ ଅପୂରା ରହିବ ନାହିଁ- ହେଲେ ମୋର ମାଇପ-ଭୋକ ଉପାସରେ ଛଟ ଛଟ ହୋଇ ମରିଯିବ ।

ତୋ ବର ଗୋଟାଏ ଲେକ୍‌ଚର୍‌ ମାରିଦେଲା । ଶଳା ଭିତରେ ନକ୍ସାଲ୍ ହୋଇଯାଇଛି-ଏସବୁ ଗୁମର କଥା ସେମାନଙ୍କଠାରୁ ଶିଖିଛି-ଶଳା, ହାରାମି ମତେ କେଶ୍‌ରେ ଫସେଇ ଦେବାକୁ ବସିଥିଲା ପାଞ୍ଚଟା ଗାନ୍ଧିମାର୍କା ହଜାରେ ଟଙ୍କାରେ ନୋଟ୍ ମୋ ପକେଟରୁ ଉଡିଯାଇ ପୋଲିସ ଦାରୋଗା ଆଉ ସରକାରୀ ଓକିଲଙ୍କ ପକେଟରେ ଭର୍ତ୍ତି ହୋଇଗଲା । ମୋ ନାମ ଅଭିଯୁକ୍ତ ଆସାମୀ ତାଲିକାରୁ କଟିଗଲା- ତୋ ବରକୁ ତିନିବର୍ଷ ଜେଲ୍ । ହାଃ ହାଃ…

କଥା ଶେଷ କରି ରାଜ୍ ସିଂହ ବିଜୟ ଉଲ୍ଲାସରେ ଲାଗିଲା ।

ଭାନୁମତୀକୁ ଶେଷ କଥା ଶୁଣାଇଦେଲା- ତୋ ବର ଧର୍ମରାଜ ଯୁଧିଷ୍ଠିର । ମିଛ ତା ପାଟିରେ ପଶେ ନାଇଁ । ସେ ସତ କହି କହି ସତିଆ ମହାପୁରୁଷ । ଅଦାଲତରେ ତାର ସବୁ କଥା ଶୁଣି ଜଜ୍ ତାକୁ ତିନିବର୍ଷ ଘଣା ପେଲିବାକୁ ଆଦେଶ ଦେଇଛନ୍ତି । ଏଥିରେ ମୁଁ କଣ କରିବି? ତୁଇ ପଳା- ଉଠ୍ – ଉଠ୍…..

ଉଠ୍ ଉଠ୍ କହିଲେ ବି ଉଠିଲା ନାହିଁ ଭାନୁମତୀ । ଦଣ୍ଡଧାରୀ ରାଜ୍‌ସିଂହକୁ ନେହୁରା ହୋଇ କହିଲା-ପୁଅ ସରବୁର ବୁଆ ହାଜତ୍‌ରେ ପଶିଲେ ଦିନୁ ଘରେ ଖାଇବା ପାଇଁ କିଛି ନାହିଁ ମହୁଲି ଗଛରେ ଫୁଲ ନାହିଁ । ଶାଳମଂଜି ଗୋଟାଇବା ବେଳ ହୋଇ ନାହିଁ ଆମ୍ ଟାକୁଆର କୋଇଲି ଜଉ ସରବୁକୁ ଝାଡା, ବାନ୍ତି, ଜର । ମୁଁ ତ ଭିକ୍ ମାଗୁ ନାଇଁ ବାବୁ ! କାମ ମାଗୁଛି, ଦେହ ମିହନତ କରି ବଞ୍ଚିବାକୁ ଚାହୁଁଛି-

କାମ?

ସିଂହବାବୁର ମନେ ପଡିଗଲା ବାଗିଚାରେ ବାଇଗଣ, ଭେଣ୍ଡି ବୁଢା ହୋଇଯାଉଛି । ସଜନା ଗଛରେ ନଦି ହୋଇଛି ଛୁଇଁ । ଲଙ୍କା ମରିଚ ପାଚି ଲାଲ ପଡିଆସିଲାଣି । ହାଟରେ ଏ ପରିବା ବିକିବା ପାଇଁ ମଙ୍ଗୁ ନାହାନ୍ତି । ବାଟରେ ବାଘର ଭୟ । ଜଙ୍ଗଲ ଭିତରେ ଦେଇ ହାଟକୁ ବାଟ । ଯେଉଁମାନେ ସଉଦା କିଣିବାକୁ ଯାଆନ୍ତି-ସେମାନେ ବାରଟା ବେଳେ ଯାଇ ଗୋଟାଏ ଦୁଇଟା ବେଳକୁ ଫେରି ଆସନ୍ତି କିନ୍ତୁ ଯେଉଁମାନେ ବେପାର କରିବାକୁ ଯାଆନ୍ତି-ସେମାନଙ୍କ ଫେରିବା ବେଳକୁ ରାତି ହୋଇଯାଏ ।

ରାତି ହୋଇଗଲେ ଭୂତ, ବାଘ ଆଉ ନକ୍‌ସଲଙ୍କ ଭୟ ।

ଭାନୁମତୀ ଯିବ?

କେବେତ ଯାଇ ନାଇଁ-ଘର ଭିତର ଲୋକ ହାଟ ସଉଦା କରେ- ସିଏତ ହାଜତରେ-କହୁଛ ଯଦି-ଯିବି…

ରାଜ ସିଂହ ମୁହଁରେ ହସ ଚହଟି ଉଠିଲା, ଭାନୁମତୀ ମନରେ ଅଜଣା ଭୟ !

-ଦୁଇ-

ମୁଣ୍ଡରେ ଡାଲାଭର୍ତ୍ତି ପରିବା ଲଦି ଭାନୁମତୀ ହାଟକୁ ବାହାରିଲା । ଗୌନ୍ତିଆଙ୍କ ବାରିଠାରୁ ହାଟ ଦୁଇକୋଶ ବାଟ । ଜଙ୍ଗଲ ଭିତରେ, ଡଙ୍ଗର ତଳେ ତଳେ ପାଦ ଚଲା ରାସ୍ତା ଲମ୍ବି ଯାଇଛି ଆଦିବାସୀ ହାଟ ପର୍ଯ୍ୟନ୍ତ । ଆଗେ ହାଟ ବସୁଥିଲା ରାତି ଆଠଟା – ନଅଟା ପର୍ଯ୍ୟନ୍ତ । ଲୋକେ ଚାଷବାସ ସାରି, ଘରକାମ ତୁଟାଇ ଖରା ନଇଁଲେ ହାଟକୁ ବାହାରୁଥିଲେ । ବିକା କିଣା ସାରି ହାଣ୍ଡିଆ ପିଇ ମାତାଲ ହୋଇ ରାତିରେ ଘରକୁ ଫେରୁଥିଲେ । ହାଟରେ ମିଳୁଥିଲା ହରେକ୍ ରକମ ଜିନିଷ । ଲୁଣ ଠାରୁ ଆରମ୍ଭ କରି ନାଲି ମୁଣ୍ଡବିନ୍ଧା ରିବନ ପର୍ଯ୍ୟନ୍ତ-ସବୁକିଛି ପନିପରିବା, ସୋରିଷ, ମାଣ୍ଡିଆ, ମହୁଲି ମଦ ପାଇଁ ଏ ସାପ୍ତାହିକ ହାଟର ନାମ ଡାକ୍ ଥିଲା ।

ପାଣିପାଗ ବଦଳିଛି ।

ହାଟ ଦିନ ବାରଟାରେ ଆରମ୍ଭ ହୋଇ ସଂଜବତି ଲାଗିବା ଆଗରୁ ଭାଙ୍ଗିଯାଏ । ରାତି ହୋଇଗଲେ ବିପଦ । ଆଗେ ବାଘ ମାତିଥିଲା, ଏବେ ନକ୍ସଲ ମାତିଛନ୍ତି । ନକ୍ସଲମାନେ ବାଘଠାରୁ ଭୟଙ୍କର । ବାଘ ବାଗ ଦେଖି ହରିଣଟିଏ କି ମଣିଷଟିଏ ପାଇଲେ ନଖରେ ଆମ୍ପୁରି ବିଦାରି ପକାଏ । ଛଟପଟ ହେଉଥିବା ମଣିଷ ବା ପଶୁମାଂସ ଚାଟିଚୁଟି ଖାଏ । ପେଟ ପୂରିଲେ ଝରଣାର ପାଣି ପିଇ ବଣ ଭିତରକୁ ପଳାଇଯାଏ । ବାଘ ହାବୁଡରୁ କେହି କେହି ବଞ୍ଚି ମଧ୍ୟ ଯାଆନ୍ତି । କିନ୍ତୁ ନକ୍ସଲଙ୍କ ହାବୁଡେ ପଡିଲେ ରକ୍ଷା ନାହିଁ । ସେମାନେ ମାଇନ ବିଛାଇ, ବିସ୍ଫୋରଣ ଘଟାଇ ପୋଲିସ ଗାଡିକୁ ଆକାଶକୁ ଉଡାଇ ଦିଅନ୍ତି । ଗାଡିରେ ଥିବା ପାଞ୍ଚସାତ ଯବାନ୍ ହୁଅନ୍ତୁ କି ପୋଲିସ ହୁଅନ୍ତୁ ସେମାନଙ୍କ ହାଡରୁ ମାଂସ ଅଲଗା ହୋଇଯାଏ ।

ଆଗେ ନକ୍ସଲ ଆଉ ପୋଲିସ ଭିତରେ ସଂଘର୍ଷ ହେଉଥିଲା । ପୋଲିସ ନକ୍ସାଲଙ୍କୁ ମାରୁଥିଲେ, ନକ୍ସଲ ଗରିଲାଙ୍କ ଆକ୍ରମଣରେ ମଧ୍ୟ ମରୁଥିଲେ ।

ଏବେ ଠିକାଦାର, ସାହୁକାର, ବେପାରୀ, ରାଜନେତା-ସମସ୍ତେ ନକ୍ସାଲଙ୍କ ଟାର୍ଗେଟ୍ ।

ଡାଲାରେ ପରିବା ଭର୍ତ୍ତି କଲାବେଳେ ଜମାଦାର ହିସାବ ବୁଝାଇ ଦେଲା ଭାନୁମତୀକୁ ।

ଦେଖ୍, ତତେ ପାଞ୍ଚକିଲୋ ବାଇଗନ୍‌, ପାଞ୍ଚ କିଲୋ ଲେଡି, ଦୁଇ କିଲୋ କଞ୍ଚା ମରିଚ ଆଉ ଦଶ ଟଙ୍କାର ମୁନ୍‌ଗାଖଡା ଦେଇଚି । ବାଇଗନ୍‌ କିଲୋ ପାଞ୍ଚ ଟଙ୍କା, ଲେଡି କିଲୋ ଚାରିଟଙ୍କା, କଞ୍ଚା ମରିଚ କିଲୋ ପାଞ୍ଚଟଙ୍କା । ସମୁଦାୟ ପଞ୍ଚଷଠି ଟଙ୍କାର ପରିବା । ଯଦି ଚଢା ଦାମ୍‌ରେ ବିକିରି କରିପାରୁ, ତର୍ ଦଶଟଙ୍କା ମଜୁରି ଛଡା ବାକି ଟଙ୍କା ତର୍ । ଯଦି କମ୍ ଦାମ୍‌ରେ ପରିବା ବିକି ଦେଉ ତର୍ ମଜୁରି ଟଙ୍କାରୁ ତାହା କାଟି ନେବି । ମନେ ରହିଲା ।

ଭାନୁମତୀ ମୁହଁ ସେତେବେଳକୁ ଶୁଖି ପୋଡା କାଠ ।

ମୁଇଁ ନୂଆ ହାଟକୁ ଯାଉଛି ପରିବା ବିକିରି କରିବା ପାଇଁ । ମତେ କେହି ଜାଣନ୍ତି ନାଇଁ । ମର୍ ପାଖରୁ କିଏ ବାଇଗଣ, ଭେଣ୍ଡି, ମରିଚ କିଣିବେ କି ନାଇଁ ମୁଇଁ କି ଜାଣେ ।

ଜମିଦାର ତାର ନିଶରେ ହାତ ମାରି କହିଲା- ବିକିରିର କଦର ତୋକେ କହି ଦଉଚି । ଜିନିଷ ଓଜନ କଲାବେଳେ ତୁଇ ଛାତିରେ ଶାଢୀ ଟିକିଏ ନ ଜାଣିଲା ଭଳି ଖସାଇ ଦେବୁ । ଡେଭିରି ହାଁତରେ ତରାଜୁରେ ଓଜନ କଲାବେଳେ ଗରାଖ ଈଶ୍ୱର ତୋ ଶାଢୀ ଖସା ଛାତିକୁ ଅନେଇ ଥିବେ । ସେତିକି ବେଳେ ଦଣ୍ଡି ମାରିଦେବୁ-ମନେ ରହିଲା ?

ଛାତିରୁ ଲୁଗା ଖସାଇ ଗରାଖଙ୍କ ମତିଭ୍ରମ ଘଟାଇ ଓଜନ ଠକିବା ତରିକା ତାକୁ ଶିଖାଉଥିଲା ଜମାଦାର । ଘୃଣାରେ ଦେହ ତାର ଶିର ଶିରେଇ ଉଠୁଥିଲା । ରାଜ ସିଂହ ମୁହଁକୁ ମେଞ୍ଚାଏ ଛେପ ପକାଇ ଦେଇ ହାଟକୁ ପରିବା ବିକିବାକୁ ଯିବ ନାହିଁ ବୋଲି କହି ଦେବାକୁ ଭାନୁମତୀ ପାଟି ଖରେ ଖରେ ହେଉଥିଲା । ପରିବା ବିକିବା ପାଇଁ ନିଜର ଇଜ୍ଜତ ବିକିବା କଥା ଶୁଣିଲେ ତାର ବର ତା ତଣ୍ଟି କଣା କରି ରକତ ପିଇଯିବ । କିନ୍ତୁ ଆଠ ବରଷର ପୁଅ ସରବୁର ଶୁଖିଲା, ରକ୍ତହୀନ, ଶେଥାଳୀଆ ମୁହଁ ଆଖିରେ ନାଚି ଯିବା ମାତ୍ରେ ସେ ନିଜକୁ ସମ୍ଭାଳି ନେଲା ।

ପରିବା ଡାଲା ମୁଣ୍ଡରେ ନଦି ସେ ବାଟ ଚିହ୍ନି ଚିହ୍ନି ହାଟକୁ ବାରିଗଲା ।

ଭୋଦୁଅ ମାସର ଟାଣ ଖରା ଟାଇଁ ଟାଇଁ ହୋଇ ଦେହରେ ଫୋଡି ହୋଇଯାଉଛି । ମୁଣ୍ଡ ଝାଳ ତୁଣ୍ଡରେ ପଶୁଛି । ଶାଢୀ କାନୀକୁ ଦାନ୍ତରେ କାମୁଡି ଧରି ଦୁଇ ହାତରେ ମୁଣ୍ଡ ଉପରେ ପରିବା ଡାଲାକୁ ଧରି ରଖିଛି । ଝାଳ ବୋହି ପାଟିରେ ପଶିଲେ ବି ପରିବା ଡାଲାରୁ ହାତ କାଢି ଆଣି ଝାଳ ପୋଛି ପାରୁ ନାହିଁ । ହାତ ଛାଡି ଦେଲେ ଡାଲା ପଡିଯିବ । ପରିବା ସବୁ ମାଟିରେ ଗଡିଯିବ । ସେଇ ଭୟରେ ନିଜ ଝାଳ ନିଜେ ପିଇ, ଗୋଡ କାଢି ଚାଲି ଚାଲି କୁଡୁମୁଗୁମ୍ମା ହାଟରେ ପହଞ୍ଚିଗଲା ।

ହାଟ ଲାଗିଗଲାଣି । ଜମିଗଲାଣି ଲୋକ ଗହଳି ।

ମୁଣ୍ଡରୁ ପରିବା ଡାଲା ଓହ୍ଲାଇ କରିଆରେ ଆଗ ନିଜ ମୁହଁରୁ ଝାଳ ପୋଛି ନେଲା ଭାନୁମତୀ । ଦଣ୍ଡି ତରାଜୁ ଧରି ମାଇପି ମେଳରେ ବସି ପଡିଲା । ପାଖ ଦୋକାନୀଙ୍କୁ ଦେଖି କରିଆ ପାରି ବାଇଗଣ, ଭେଣ୍ଡି, ସଜନା ଛୁଇଁ, କଞ୍ଚାଲଙ୍କା ଅଲଗ ଅଲଗା ଜମା କରିଦେଲା । ବାଇଗଣ କିଆରିରୁ ଗୋଟାଏ କଞ୍ଚା ଡାଳ ଭାଙ୍ଗି ଦେଇଥିଲା ରାଜ ସିଂହ । କହିଥିଲା ଏ ଡାଳଟା ବାଇଗଣ ଗଦା ଉପରେ ରଖିଦେବୁ । କଞ୍ଚାଡାଳ ଦେଖିଲେ ଗରାଖେ ବୁଝିବେ ଏଇଟା ସଜ ତୋଳା ବାଇଗଣ । ବାସୀ ଜିନିଷ ଅପେକ୍ଷା ଆଦର ବେଶି ।

ସବୁ ଠିକ୍ ଥିଲା ।

ଅନେକ ଗରାଖ ଆସିଲେ । ବାଇଗଣ, ଭେଣ୍ଡି ଦେଖି ସେମାନଙ୍କ ଆଖି ଲୋଭରେ ଚିକ୍ ଚିକ୍ କରି ଉଠିଲା । କିନ୍ତୁ ବାଇଗଣ କିଲୋ ପାଞ୍ଚଟଙ୍କା ଦେଇ କେହି କିଣିଲେ ନାହିଁ । ଭେଣ୍ଡି ଦର ସେଦିନ ହାଟରେ କମ୍‌ଥିଲା । ଦୁଇଟଙ୍କା, ତିନି ଟଙ୍କାରେ ଅନ୍ୟ ପରିବା ବେପାରୀ ବିକ୍ରି କରୁଥିଲେ । ଦାମ୍ କମ୍ ବୋଲି ପୋକା ବାଇଗଣ, ବୁଢାଭେଣ୍ଡି ସଅଳ ସଅଳ ବିକ୍ରି ହୋଇଗଲା ।

କେବଳ ଦଶଟଙ୍କାରେ ସଜନା ଛୁଇଁ ବିକ୍ରି ହୋଇଗଲା । ବିକ୍ରି ହୋଇଗଲା ଅଧା କଞ୍ଚା ଲଙ୍କାମରିଚ । ପନ୍ଦର ଟଙ୍କା କାନିରେ ବାନ୍ଧି ବାଇଗଣ, ଭେଣ୍ଡି ଧରି ବସି ରହିଲା ତ୍ରିନାଥ ମାଝିର ମାଇପ ଭାନୁମତୀ ।

ବେଳ ଗଡିଗଲା ।

ପରିବା ଦୋକାନର ଭିଡ ଭାଙ୍ଗି ଆସିଲା ।

ପାଖ ଦୋକାନୀ ଭୂଇଁଆ ବୁଢା ସବୁ ପୋକ, ମଂଜି ବାଇଗଣ ଦୁଇଟଙ୍କା କିଲୋରେ ବିକି ଦେଇ ଖଇନି ଦଳି ପାଟିରେ ପକାଉଥିଲା । ପରିବା ବିକ୍ରି ଟଙ୍କା ଧୋତି କାନିରେ ବାନ୍ଧି ଅଣ୍ଟାରେ ଖୋଷି ଉଠିଲା ବେଳକୁ କହିଲା ହଇଲୋ ନନି ! ହାଟ ଭାଙ୍ଗିବାକୁ ବସିଲାଣି ସବୟ ପରିବା ଧରି ବସିଛୁ କାହିଁକି ? ଟିକିଏ ଦାମ୍ ଖସାଇ ଦେଲେ-ସଜ ପରିବା ସରିଯିବ ।

ଜମାଦାର କହିଥିଲା ଛାତିରୁ ଶାଢୀ ଖସାଇ ଦେଲେ ଗରାଖ ଜୁଟିଯିବେ । ଦଣ୍ଡି ମାରି ସେ ପରିବା ବିକିଦେବ । ଭୂଇଁଆ ବୁଢା ପରିବା ଦର୍ ଖସାଇ ଦେବାକୁ କହୁଛି । ସେ ଜମାଦାର କଥା ମାନି ନଥିଲା କିମ୍ବା ଭୂଇଁଆ ବୁଢାର କଥା ରଖିପାରିଲା ନାହିଁ ।

କାନ୍ଦ କାନ୍ଦ ହୋଇ ଭାନୁମତୀ କହିଲା- ଏ ପରିବା ତ ମର୍ ବାରିର ଫୁଲ ନୁହେଁ- ଗୌନ୍ତିଆ ବାବୁ ପରିବା-ଜମାଦାର ସିଂହ ବାବୁ ପରିବା ଦର୍ ବାନ୍ଧି ଦେଇଛି । ଦାମ୍ କମ୍ କରି ବିକିଲେ ମତେ ହାତରୁ ଟଙ୍କା ଗଣିବାକୁ ପଡିବ । ମୁଁ ଏବେ କରିବି କ’ଣ !

ଧୀରେ ଧୀରେ ଡଙ୍ଗର୍ ଚୂଡାରେ ସୂର୍ଯ୍ୟଦେବତା ମୁହଁ ଗୁଂଜିବାକୁ ଆରମ୍ଭ କଲେ । ପାଖ ଜଙ୍ଗଲର ସବୁଜ ଗଛପତ୍ର ଆସନ୍ନ ସଂଧ୍ୟାର ଅନ୍ଧାରରେ ଭିଜି କଳାପଡି ଆସିଲା ।

ଆରମ୍ଭ ହେଲା ହାଟ ଭାଙ୍ଗିବାର ପର୍ବ ।

ଜଣକ ପରେ ଜଣେ ଦୋକାନୀ ଜିନିଷପତ୍ର ବନ୍ଧାବନ୍ଧୀ ଆରମ୍ଭ କରିଦେଲେ । ନୀଡମୁଖୀ ଚଢେଇଙ୍କ ପରି ଗରାଖମାନେ ଫେରିବା ଆରମ୍ଭ କରିଦେଲେ ।

ସକାଳୁ ଲୁଣ ଲଗାଇ ପଖାଳ ଖାଇ ଆସିଥିଲା ଭାନୁମତୀ । କେତେବେଳୁ ହଜମ ହୋଇ ପେଟ ଭୋକରେ କଅଁ କଅଁ ହେଉଛି । ଆସିଲାବେଳେ ସର୍‌ବୁ କହିଥିଲା । ତା ପାଇଁ ବୁଟ ମିଠାଇ ହାଟରୁ କିଣି ନେବାପାଇଁ ।

ସଜନା ଛୁଇଁ, କଞ୍ଚା ଲଙ୍କା ବିକିରି କି ଯେଉଁ ପଇସା ରଖିଛି- ସେଥିରୁ ଗୋଟିଏ ଟଙ୍କାର ତା ପାଇଁ ମିଠାଇ କିଣି ଡାଲାରେ ପରିବା ବୋଝେଇ କରି ପାଖକୁ ଅନେଇଲା- କିଏ ଅଛି ? ପରିବା ଡାଲା ତା ମୁଣ୍ଡ ଉପରକୁ ଉଠାଇ ଦେବ !

ଚଷମା ପିନ୍ଧା ଜଣେ ଦାଢିଆ ଲୋକ କେଉଁଠୁ ଆସି ତା ପାଖରେ ପହଞ୍ଚିଗଲା । ପଚାରିଲା – ତୁଇ ତ୍ରିନାଥ ମାଝିର ମାଇକିନା ?

-ହଁ, ତମେ କେମିତି ଜାଣିଲ ବାବୁ ?

-ମୋକେ କୁଡୁମୁଗୁମ୍ମାର ସବୁ ଖବର ଜଣା, ଚାଲ୍-ଗରିବକୁ ଦଇବ ସାହା ।

ଦରକାର ବେଳେ ଦେବଦୂତ ଭଳି ଲୋକଟି କେଉଁଠୁ ଆସି ତା ପାଖରେ ହାଜର ହୋଇଗଲା ।

ତା ମୁଣ୍ଡ ଉପରକୁ ପରିବା ଡାଲା ଉଠାଇ ଦେଇ ଚଷମା ବାଲା କହିଲା ଚାଲ୍, ତୋକେ କୁଡୁମୁଗୁମ୍ମା ଛକରେ ଛାଡି ଦେଇ ମୁଁ କୋରୁକୁଣ୍ଡା ଚାଲିଯିବି-

-ତିନି-

ପଖାଲ ଖାଇ ସକାଳୁ ସକାଳୁ ମୁଣ୍ଡରେ ପରିବା ଡଲା ମୁଣ୍ଡାଇ ହଙ୍କଳର ଆସିଲାବେଳେ ଭାନୁମତୀର ମୁଣ୍ଡର ଝାଳ ନିଗିଡି ଆସି ପାଟିରେ ପଶୁଥିଲା କିନ୍ତୁ ବୋଝ ମୁଣ୍ଡାଇ ପାଦ କାଢି ଚଞ୍ଚଳ ଚଞ୍ଚଳ ବଣ ଭିତରେ, ପାହାଡତଳ ରାସ୍ତାରେ ଚାଲି ହାଟରେ ସେ ଠିକ୍ ସମୟରେ ପହଞ୍ଚି ଯାଇଥିଲା ।

ସେତେବେଳେ ମନରେ ଆଶା ଥିଲା । ସବୁ ପରିବା ଚଢା ଦର୍‌ରେ ବିକ୍ରି କରି ସେ ମଜୁରି ସାଙ୍ଗରେ ବୋନସ୍ ପାଇବ । ସଜ ତୋଳା ପରିବା ଚଢା ଦରରେ ବିକିରି ହୋଇଯିବ । ପଞ୍ଚଷଠି ଟଙ୍କା ବାଦ୍ ଦେଇ ଯାହା ବଳକା ରହିବ, ସେଇଟା ତାର ଲାଭ ।

ଆଶା ଥିଲା ବୋଲି ଟାଣ ଖରାରେ ଆଗକୁ ତାର ପାଦ ମାଡି ଯାଇଥିଲା । କିନ୍ତୁ ଫେରିଲାବେଳକୁ ଗୋଡରେ ବଳ ନାହିଁ । ବିକ୍ରି ନ ହୋଇ ସବୁ ବାଇଗଣ, ଭେଣ୍ଡି, ଅଧା କଞ୍ଚାଲଙ୍କା ତା ମୁଣ୍ଡ ଉପରେ ପଥର ବୋଝ ଭଳି ମାଡି ବସିଛି । ଚାଲିବାକୁ ଗୋଡରେ ବଳ ନାହିଁ । ଭୋକ ରାକ୍ଷସ ଭଳି ପେଟରେ ଗର୍ଜନ କରୁଛି । ମୁଣ୍ଡ ଉପରେ ବୋଝର ଓଜନ ବଢିଗଲା ଭଳି ଲାଗୁଛି ।

ଅବିକ୍ରି ପରିବା ଦେଖିଲେ ରାଜସିଂହ ପଦ୍ମୋତୋଳା ଶୁଣାଇବ । ପରିବା ଯଦି ବିକ୍ରି ନ ହେଲା ନିଜ ଦେହକୁ ବିକି ପଞ୍ଚଷଠି ଟଙ୍କା ଆଣିଲୁ ନାହିଁ ! ଭେଣ୍ଡି, ବାଇଗଣ ପାଇଁ ସିନା ଚଢା ଦରରେ କେହି ପରିବା କିଣିଲେ ନାହିଁ ତୋ ଧାଙ୍ଗଡୀ ଦେହ କିଣିବାକୁ ଗରାଖ ଅଭାବ ହେଲେ ?

ସରବୁର ବୁଆ ଜେଲ୍‌ରେ ଘଣା ପେଲୁଛି, ନଡିଆ କତା ବଳୁଛି । ଜାଉ କରିବାକୁ ଘରେ ସୁଆଁ ଚାଉଳ ବି ମୁଠାଏ ନାହିଁ । ଅବିକ୍ରି ପରିବା ଦେଖି ରାକସିଁହ ଫଁ ଫଁ ହେବ । ତାକୁ ମଜୁରି ଦେବ ନାଇଁ କେମିତି ଚଳିବ ଭାନୁମତୀର ସଂସାର ।

କଣ ହେଲା? ଠିଆ ହୋଇଗଲୁ ଯେ ।

ପଛରୁ ଚଷମା ପିନ୍ଧା ବାବୁ ଠିଆ ହୋଇ ରହିବାର କାରଣ ପଚାରିଲେ ।

ମୁଁ ଆଉ ପାରୁନି । ବେକ ଭାଙ୍ଗି ପଡୁଛି । ପାଦ ଦରଜ ହୋଇଗଲାଣି ।

ମେଯତିକି ପରିବା ଆଣିଥିଲୁ, ସେତିକି ପରିବା ଫେରାଇ ନେଉଛୁ, ଶସ୍ତାରେ ବିକି ଦେଲୁ ନାହିଁ ।

ଜମାଦାର ବାବୁ ହୁସିଆର କରି ଦେଇଥିଲା । କମ୍ ଦାମ୍‌ରେ ପରିବା ବିକିଲେ ହାତରୁ ଟଙ୍କା ଗଣିବାକୁ ପଡିବ । ମୋ ହାତରେ ଟଙ୍କା ନାହିଁ ? ସିଏତ ହାଜତରେ ଖାଇପିଇ ମଉଜରେ ଅଛି- ମୁଁ ଏଣେ ରୋଗଣା ପିଲାଟାକୁ ଧରି ଦହଗଂଜ ହେଉଛି ।

ପଛେ ପଛେ ଚାଲିଥିବା ଲୋକଟି ହଠାତ୍ ଆଗକୁ ଚାଲିଆସିଲା ।

ଭାନୁମତୀ ମୁଣ୍ଡରୁ ପରିବା ଡଲା ଉଠାଇ ନେଇ ଜିଜ କାନ୍ଧରେ ରଖିଦେଲା ସେ ଦାଢିଆ ଚଷମା ପିନ୍ଧା ଲୋକ ।

କହିଲା-ମୋ ପଛେ ପଛେ ଚାଲିଆ-ତୋ ବୋଝ ମୋ କାନ୍ଧକୁ ଉଠାଇ ନେଲି ।

ଚାହୁଁ ଚାହୁଁ ଆଗକୁ ଆଗକୁ ମାଡିଗଲା ସେ ନାମ ଅଜଣା ଲୋକ ।

ଭାନୁମତୀର ପାଦ ଫୁଲି ଯାଇଥିଲା । ବୋଝ ଓହ୍ଲାଇ ଗଲେ ବି ତାର ପାଦ ଚାଲୁ ନ ଥିଲା ।

ହାଟ ଫେରନ୍ତା ଲୋକେ ଆଉ କେହି ତାକୁ ଦେଖା ଯାଉନଥିଲେ । ସମସ୍ତେ ଚାଲିଗଲେଣି । ତା ପରିବା ଡାଲା କାନ୍ଧରେ ଧରି ସେ ଲୋକଟା ମଧ୍ୟ ଦୂରକୁ ଚାଲିଗଲାଣି-ଆଉ ତାର ମୁଣ୍ଡ ଦେଖାଯାଉନାହିଁ ।

ଜମି, ପଡିଆ ଶେଷରେ ଆରମ୍ଭ ହେଲା ଜଙ୍ଗଲ ରାସ୍ତା । ଆକାଶରେ ରୁପା ଥାଳି ପରି ଜହ୍ନ ଉଠିଛି । ଅନ୍ଧାର ଦୂରରୁ ଦୂରକୁ ଘୁଞ୍ଚି ଯାଉଛି । କିନ୍ତୁ ଲୋକଟା ଆଉ ଦେଖାଯାଉ ନାହିଁ ।

ଜହ୍ନ ରାତିରେ ଜଙ୍ଗଲ ରାସ୍ତାରେ ଲୋକଟା ଗଲା କୁଆଡେ? ତା ପରିବା ଡାଲା ନେଇ ପଳାଇଲା କି ? ରାଜସିଂହଙ୍କୁ ସେ କେମିତି ବୁଝାଇବ ଯେ-

ଏଇ ସମୟରେ ଗୋଟାଏ ହୁଇସିଲ ଶବ୍ଦ ଶୁଣାଗଲା । ମଟର ସାଇକେଲ୍‌ରେ ଦୁଇଜଣ ଲୋକ ଆଗପଟୁ ଛୁଟି ଆସି ତା ଚାରିପଟେ ଚକ୍କର କାଟିଲେ ।

-ତମେ ସବୁ କିଏ ?

-ଆମେ ନକ୍ସାଲ । ସଶସ୍ତ୍ର ଗରିଲା । ଆମ ପାଖରେ ହତିଆର ଅଛି-

ମଟର ସାଇକେଲ ଆରୋହୀର ପଛରେ ବସିଥିବା ଲୋକଟା ଓହ୍ଲାଇ ପଡି କହିଲା- ତମେ ମଟର ବାଇକ୍‌ରେ ଉଠିପଡ ଆମେ କୁଡୁମୁଗୁମ୍ମାରେ ତମ ଘରେ ପହଞ୍ଚାଇଦେବୁ-

ନା-ମୁଁ ନକ୍ସାଲ ଗାଡିରେ ବସିବି ନାଇଁ । ମୋ ପରିବା ଡାଲା ଦିଅ ମୁଁ ମୋ ନିଜ ବୋଝ ନିଜେ ବୋହି ଚାଲି ପାରିବି ।

ମଟର ବାଇକ୍ ଆରୋହୀ ପଛକୁ ମୁହଁ ବୁଲାଇ ଭାନୁମତୀକୁ ଅନେଇଲା । ଜହ୍ନ ଆଲୁଅରେ ମୁହଁ ଦେଖି ଚିହ୍ନି ହୋଇଗଲା- ଏଇ ସେଇ ଚଷମା ପିନ୍ଧା ଦାଢିଆ ଲୋକ-

ମୋ ପରିବା ଡାଲା ?

ପାଖ ଗାଁ ଲୋକଙ୍କୁ ପରିବା ବାଣ୍ଟି ଦେଇଛୁ ।

ଚିହ୍ନା ଲୋକଟାର କଣ୍ଠସ୍ୱର ଭାନୁମତୀକୁ କେମିତି ଅଚିହ୍ନା ମନେ ହେଲା । ସେ ଭୟରେ ତରିମରି ପଚାରିଲା-

ତମେ କିଏ? ମୋ ପରିବା ତମେ ବାଣ୍ଟିଦେଲ-ଗୌନ୍ତିଆ ଜମାଦାର ପରିବା ଫେରସ୍ତ ନ ପାଇଲେ ଚୋରି ଅପରାଧରେ ମତେ ହାଜତରେ ଭର୍ତ୍ତି କରିଦେବ-ମୋର ଜେଲ୍ ଯିବାକୁ ଭୟ ନାହିଁ ହେଲେ ମୋ ପୁଅ ସରବୁ ! ତାର କଣ ହେବ । ମୁଁ ତମ ଗୋଡତଳେ ପଡୁଛି-ମୋ ପରିବା- ପରିବା-

ଲୋକଟା ଏଥର ତା ପକେଟରୁ ଗୋଟିଏ ଛୋଟ ପିସ୍ତଲ କାଢି ଆକାଶକୁ ଲକ୍ଷ୍ୟ କରି ଫାୟାର୍ କଲା ।

ପିସ୍ତଲର ନଳୀ ଦେଇ ଗୋଟାଏ ବୈପ୍ଳବିକ ଆବାଜ ଅଗ୍ନି ଉଦ୍‌ଗୀରଣ କରି ଶାଗୁଆନ ଗଛର ଗୋଟାଏ ଡାଳ ଛିଣ୍ଡାଇ ଦେଲା ।

ଆରମ୍ଭ ହେଲା ଭାନୁମତୀର ଖେଳ ।

ପିସ୍ତଲଟା ଭାନୁମତୀ ହାତକୁ ବଢାଇ ଦେଲା ବେଳେ ଦାଢିଆ ଲୋକଟା କହିଲା ମୁଁ ବିକ୍ରମ । ନକ୍ସାଲ ଗରିଲା ବାହିନୀର ଏରିଆ କମାଣ୍ଡର । କୁଡୁମୁଗୁମ୍ମା ମୋ ଏରିଆ । ତମେ ଗୌନ୍ତିଆ ସାହୁବାବୁର ପ୍ରଜା ନୁହେଁ, ମୋ ପାର୍ଟିର କମ୍ରେଡ୍ –ବନ୍ଧୁ, ଗୌନ୍ତିଆର ଜମାଦାରର ହୁକୁମ୍ ମାନି ତମେ ସାରାଜୀବନ ତା ପାପର ବୋଝ ମୁଣ୍ଡେଇ ବୁଲିବା ଦରକାର ନାହିଁ । ତମର କିଛି ଭୟ ନାହିଁ । ଜମାଦାରକୁ ଡରି କରି ବଞ୍ଚିବା ଅପେକ୍ଷା ଅତ୍ୟାଚାରୀକୁ ମାରି କରି ବଞ୍ଚିବା ଶିଖ । ନିଅ ଏଇ ସାନ ବନ୍ଧୁକ । ଏଥିରେ ଗୁଳି ଭର୍ତ୍ତି ହୋଇ ରହିଛି-ଏଇଟା ପାଖରେ ରଖ ଆଉ ଯଦି କେବେ ରାଜସିଂହ ତମକୁ ଛାତିରୁ ଲୁଗା ଖସାଇବାକୁ କୁହେ ତମେ ତାର ଛାତିକୁ ଲକ୍ଷ୍ୟ କରି ଏ ପିସ୍ତଲରୁ ଦୁଇଟା ଗୁଳି ଖର୍ଚ୍ଚ କର-

କିନ୍ତୁ ମୁଁ ତ ବନ୍ଧୁକ ଚଳାଇ ଜାଣେ ନାହିଁ- ମୁଁ ସାନ ବନ୍ଧୁକ ନେଇ କଣ କରିବି ।

ବନ୍ଧୁକ ସର୍ବହରାର ପ୍ରକୃତ ବନ୍ଧୁ । ଏ ସାନ ବନ୍ଧୁକର ଟ୍ରିଗର ଟିପିବା କୌଶଳ ତମେ ଦିନକରେ ଶିଖିଯିବ-

ଛୋଟ ବନ୍ଧୁକଟି ହାତରେ ଧରିବା ମାତ୍ରେ ଭାନୁମତୀର ଅବଶ ଗୋଡର ବଳ ଫେରିଆସିଲା- ଥର ଥର କଂପୁଥିବା ଛାତିରେ ସାହସ ଲେଉଟି ଆସିଲା । ସେଇ ଜହ୍ନରାତିରେ ନିର୍ଜନ ଅରଣ୍ୟରେ ନୂଆ କରି ବଞ୍ଚିବାର ଅଗ୍ନି-ମନ୍ତ୍ର ଶିଖିଗଲା ଭାନୁମତୀ । ଭୟକୁ ଜୟ କରିପାରିଥିବାର ଆନନ୍ଦରେ ତା ଆଖିକୁ ଲୁହା ଆସିଯାଉଥିଲା ।

ଲୋକପ୍ରିୟ ଲେଖା

To Top