ଗଳ୍ପ

ଭସା ସପନ

Bhasaa Sapana an odia story by Dr Sharat Chandra Parida

ସ୍ନେହ ତ କେବେ ପୁରୁଣା ହୁଏନି । ବରଂ ସମୟ ସୁଅରେ ବହି ବହି ଅଧିକ ଶକ୍ତିଶାଳୀ ହୁଏ । ନିଜ ସ୍ନେହ ସାଙ୍ଗରେ ଟିକେ ମନ ଖୋଲି ଦୁଇ ପଦ କଥା ହେବ ।

ଭସା ସପନ

କିଏ ଦୀପାଳୀ ? ବିସ୍ଫାରିତ ନେତ୍ରରେ ଚାହିଁ ଅଟକିଗଲେ ରାଜେନ୍ଦ୍ର ରାଜଧାନୀର ରାଜରାସ୍ତାରେ । ଆପଣା ଛାଏଁ ଚାପି ହୋଇଗଲା ସ୍କୁଟରର ବ୍ରେକ୍ । ତୁଣ୍ଡରୁ କଥା ସ୍ଫୁରୁ ନାଇଁ । ଆଖିକୁ ବିଶ୍ୱାସ ଆସୁ ନାଇଁ । ମୁଣ୍ଡ ଝାଇଁ ଝାଇଁ ହୋଇ ଯାଉଚି । ନିଜ ନିଜ ଲକ୍ଷ୍ୟରେ ସମସ୍ତେ ଛୁଟାଇଛନ୍ତି ଗାଡ଼ି ପେଁ ପାଁ କରି । ଆଖିରେ ପିଞ୍ଛଡ଼ା ପଡୁ ନାଇଁ । ରାଜେନ୍ଦ୍ର ଚାହିଁ ରହିଛନ୍ତି ଦୀପାଳୀକୁ । ସଙ୍କୋଚ ମିଶା ଆଶଙ୍କାରେ ସେ ଲାଜେଇ ଯାଇଚନ୍ତି । ମୃଦୁ ଶିହରଣର ସ୍ରୋତ ଦେହସାରା ଚଞ୍ଚଳ ଗତିରେ ପ୍ରବାହିତ ହେବାରେ ଲାଗିଚି । ମନରେ ମନେ ଉତ୍କଣ୍ଠା । ଦୀପାଳୀ ମଧ୍ୟ ଚକିତ ଚାହାଁଣିରେ ହଜିଯାଇଚି । ମନ୍ଥର ହୋଇ ଯାଇଚି ପାଦର ଗତି । ଅଜ୍ଞାତରେ ଉଭୟଙ୍କ ତନୁମନରେ ତରଙ୍ଗାୟିତ ହୋଇଚି ଏକ ଅବ୍ୟକ୍ତ ଆକର୍ଷଣ । ୟୁନିଭରସିଟିରେ ବିଗତ ଛାତ୍ର ଜୀବନର ମଧୁର ସ୍ମୃତି ସତେ ଯେମିତି ଚେଇଁ ଉଠିଚି । ସତେ ଯେମିତି ସେହି ବ୍ୟସ୍ତ ରାସ୍ତାରେ ଜନଯାନର ଗତି ସ୍ତବ୍ଧ ହୋଇଯିବ । ମାତ୍ର ୟେ କ’ଣ ? ଅଳ୍ପ କେତୋଟି ନିମେଷ ପରେ ନିଜର ଚିହ୍ନା ଲୋକକୁ ଅଚିହ୍ନା ଦୃଷ୍ଟିରେ ଦେଖିଲା ପରି ଦୃଷ୍ଟି ଫେରାଇ ନେଲେ ଦୀପାଳୀ । ପାଦ ଶିଥିଳ ହେବାକୁ ଚାହୁଁଥିଲେ ମଧ୍ୟ ଦୀପାଳୀଙ୍କର ଉଦାସପଣ ତାକୁ ଜବରଦସ୍ତି ଆଗକୁ ଟାଣି ନେଉଥିଲା । ଦୀପାଳୀଙ୍କର ହୃତ୍ସ୍ପନ୍ଦନ ବଢ଼ି ଯାଇଥିଲା । ସେ ପଛକୁ ନ ଚାହିଁ ଆଗୋଉଥିଲେ ସୀମାହୀନ ଅଭିମାନର ଢେଉରେ ।

ୟେ କ’ଣ ଦୀପାଳୀ ନା ଆଉ କିଏ ? ୟେ ଯଦି ଦୀପାଳୀ ନୁହଁ ସରି କହିଦେଇ ଚାଲି ଯାଇଥାନ୍ତେ । ଏମିତି ନିରବରେ ଆଖିରେ ଆଖିରେ କିଛି କହି ନ ଥାନ୍ତେ । ଯଦି ଦୀପାଳୀ, ତେବେ ଦୀର୍ଘ ପନ୍ଦର ବର୍ଷର ବିରହ ପରେ ଏମିତି ଅଚାନକ ସାକ୍ଷାତ୍ରେ ଦଣ୍ଡେ ନ ରହି କେମିତି ଆଗକୁ ଯାଇ ପାରନ୍ତେ । ଏହି ଦୋଘାଇରେ ପଡ଼ି ରାଜେନ୍ଦ୍ରର ହୋସ ବୁଡ଼ି ଯାଉଥିଲା । ଅସ୍ଥିରତାରେ ଅସ୍ତବ୍ୟସ୍ତ । ଅପମାନରେ ଓଦା ସରସର । ଉତ୍କଣ୍ଠରେ ତଣ୍ଟି ଶୁଖି ଯାଉଥାଏ । ହାତୁଡ଼ିରେ ଇଟା ଭାଙ୍ଗି ଖଣ୍ଡ ଖଣ୍ଡ କଲା ପରି ତାଙ୍କ ସାଇତା ସ୍ନେହର ହୃଦୟ ଖଣ୍ଡ ବିଖଣ୍ଡିତ ହୋଇ ଯାଉଥାଏ । ସ୍କୁଟରର ହାଣ୍ଡେଲଟା ହାତରୁ ଖସି ଯିବ କି ! ରାସ୍ତାରେ କାହା ସାଙ୍ଗରେ ଧକ୍କା ହୋଇଯିବ କି ! ଯାହାକୁ ଏତେ ଦିନ ପରେ ସେ ହୃଦୟ ମନ୍ଦିରରେ ଖୋଜି ଚାଲିଥିଲା, ଯଦି ସେ ନୁହଁନ୍ତି ତେବେ ତାଙ୍କୁ ଦେଖିଲା ପରେ ଏ ଚମତ୍କାର ଶିହରଣ କାହିଁକି ସୃଷ୍ଟି ହେଲା । ତାଙ୍କ ଦେହର ମିଠା ପବନଟା ମୋତେ କାହିଁକି ପାଗଳ କରି ଦେଲା । ତାଙ୍କୁ ଦେଖିଲା ପରେ ମନଟା କାହିଁକି କୋଟି ନିଧି ପାଇଲା ପରି ଆନନ୍ଦରେ କୁରୁଳି ଉଠୁଚି । ଦୀପାଳୀଙ୍କୁ ଖୋଜିଲା ଖୋଜିଲା ଆଖିରେ ସେ ସହରର ଗଳି କନ୍ଦି ଚାହିଁଚି, ଲେଡ଼ିଜ୍ ହଷ୍ଟେଲ୍‌କୁ ଯାଇଚି, ଡିପାର୍ଟମେଣ୍ଟରେ ପଚାରିଚି, ସପନରେ ଦେଖିଚି, ତାଜମହଲରେ ମନ ପକାଇଚି, ବୃନ୍ଦାବନ ଗାର୍ଡନରେ ସନ୍ଧାନ କରିଛି, ତାଙ୍କ କଥା ପବନରେ ଭାସି ଆସୁଥିବାର ଅନେକଥର ଶୁଣିଚି । ଦୀପାଳୀଙ୍କ ରୂପ ହୃଦୟ ଜଳାଶୟରେ ପଦ୍ମ ହୋଇ ଫୁଟିଚି ଏବଂ ସେହି ସୁବାସରେ ଆମୋଦିତ ହୋଇଛନ୍ତି ରାଜେନ୍ଦ୍ର ଅନେକ ବାର । ଦୀପାଳୀ ଦିନେ କ୍ଲାସ୍ ନ ଆସିଲେ ତାଙ୍କ ଅନୁପସ୍ଥିତି ସହି ପାରନ୍ତି ନାଇଁ ରାଜେନ୍ଦ୍ର । ଜର ହେବାର ଶୁଣିଲେ ଫଳମୂଳ ନେଇ ପହଞ୍ଚିଯା’ନ୍ତି ହଷ୍ଟେଲ୍‌ରେ । ରାଜେନ୍ଦ୍ର କ’ଣ କେବେ ଭାବିଥିଲେ ଶେଷ ପରୀକ୍ଷା ସରୁ ସରୁ ତା’ର ପୋଷ୍ଟିଂ ଅର୍ଡର ଚାଲି ଆସିବ ଓ ସେ ଦୀପାଳୀକୁ କିଛି ନ କହି ହଠାତ୍ ସୁଦୂର ଦିଲ୍ଲୀ ସହରକୁ ଚାଲିଯିବେ । ଦୀପାଳୀକୁ ଶେଷ ସାକ୍ଷାତ୍ ଦେଇ ତାଙ୍କ ଠାରୁ ଠିକଣା ନ ନେଇ ଚାଲିଯିବେ ବୋଲି ରାଜେନ୍ଦ୍ର କେବେ ବି ଭାବି ନଥିଲେ । ଟ୍ରେନ୍ ସମୟ ସେତକ କରିବାକୁ ଫୁରୁସତ୍ ଦେଇ ନ ଥିଲା ।

ରାଜେନ୍ଦ୍ର ଧୀରେ ଧୀରେ ଭାବପ୍ରବଣ ହୋଇ ପଡୁଥିଲେ । କିନ୍ତୁ ଏ କ’ଣ ଆଉ ଅଳ୍ପ କେତୋଟି ନିମେଷ ମଧ୍ୟରେ ତା’ର ଦୀର୍ଘଦିନର ତାଙ୍କ ହଜିଲା ସ୍ମୃତି ରାଜରାସ୍ତାରେ କୋଉ ଆଡ଼େ ଅଦୃଶ୍ୟ ହୋଇଯିବ ଯେ । ଦେହରେ ପବନ ପିଟି ଅସଂଖ୍ୟ ଗାଡ଼ି ମଟର ସାଏଁ ସାଏଁ ଛୁଟି ଚାଲିଛନ୍ତି ଏକ ମୁହାଁ ହୋଇ । ସତେ ଯେମିତି ସେମାନେ ରାଜେନ୍ଦ୍ରକୁ ଅଟ୍ଟହାସ୍ୟ କରୁଛନ୍ତି । ତ୍ରିଛକରେ ଅସାବଧାନତା ଯୋଗୁଁ ଯାନବାହନ ଧକ୍କା ଖାଇଲା ପରି ସ୍ମୃତି ଅସ୍ମୃତି ବିସ୍ମୃତି ପରସ୍ପର ସହିତ ଯେମିତି ସଂଘର୍ଷ କରୁଛନ୍ତି । ସ୍ମୃତିର ମଧୁରତା ସେହି ଧକ୍କାରେ ରକ୍ତ ହୋଇ ବହି ଯାଉଚି । ଯାନମାନଙ୍କର ତ ହୃଦୟ ନାଇଁ । ସେମାନେ କାହୁଁ ବୁଝିବେ କ୍ଷତାକ୍ତ ହୃଦୟର ବେଦନା । ଅନ୍ତରର ନିଭୃତ କୋଣର ଅପାସୋରା ଅନୁରାଗ । ହତାଶା ଓ ହତୋତ୍ସାହର ଭଉଁରିରେ ପଡ଼ି ସତେ ଯେମିତି ଖଣ୍ଡିଆଭୂତ ପରି ଅନ୍ତର ଭିତରେ ଘୂରିବାକୁ ଲାଗିଲେ । ଭାବିଲେ, ସେ ଯା’ନ୍ତୁ ତାଙ୍କ ବାଟରେ ମୁଁ ଯିବି, ମୋ ବାଟରେ । ପାରିଲେ ନାଇଁ । ଯେଉଁଠି ହୃଦୟ ଦି’ଟି ପରସ୍ପରକୁ ଟାଣୁଚି ଦେହ ବିପରୀତ ଦିଗରେ ଯିବ କିପରି ? ଶହ ଶହ ହର୍ସ ପାୱାର ତାକୁ ବିଚ୍ଛିନ୍ନ କରିପାରେ ନାଇଁ । ସ୍ନେହ ମମତାର ଆକର୍ଷଣ ଭାରି ଶକ୍ତିଶାଳୀ । ଅଭିମାନର ପାହାଡ଼ ଭାଙ୍ଗି ଚୂନା ଚୂନା ହୋଇଯାଏ । ମାନ ଅପମାନର ଦିଆଲ ଭୁଶୁଡ଼ି ପଡ଼େ ।

ଆକାଶରେ ସକାଳେ ତାରା ହଜିଲା ପରି କାଳେ କେଉଁ ଆଡ଼େ ବାଟ ଭାଙ୍ଗି ଚାଲି ଯିବେ ଦୀପାଳୀ ରାଜେନ୍ଦ୍ର ଆଉ ସମ୍ଭାଳି ପାରିଲେ ନାଇଁ । ମିଳୁ ପଛେ ଅସମ୍ମାନ କରନ୍ତୁ ପଛେ ଅଜସ୍ର ଭର୍ତ୍ସନା ସେ ଫେରାଇ ଆଣିବେ ତା’ର ଅଭିମାନିନୀକୁ ଜୀବନର ନିର୍ମମ ବାସ୍ତବତାକୁ । ପରିଚିତ ଲାଭ ଆଶାରେ ଓ ଅସ୍ୱୀକୃତିର ଆଶଙ୍କାର ଲେଭେଲ କ୍ରସିଂରୁ ସେ ସ୍କୁଟର ଷ୍ଟାର୍ଟ କଲେ । ପଛକୁ ଚାହିଁଲେ ଦୀପାଳୀ । ସେତେବେଳକୁ ଦୀପାଳୀଙ୍କର କ୍ଷୋଭର ବରଫ ଖଣ୍ଡ ତରଳିବାକୁ ଆରମ୍ଭ କଲାଣି । ଆଉ ସମ୍ଭାଳି ନ ପାରି ଭାବ ଉଚ୍ଛ୍ୱସିତ କଣ୍ଠରେ ଆରମ୍ଭ କଲେ ଦୀପାଳୀ, “କ’ଣ ଚିହ୍ନିପାରୁନ ରାଜେନ୍ଦ୍ର ? ତମେ ତ ୟୁନିଭରସିଟିର ଗୋଲ୍ଡମେଡ଼ାଲ୍ ପ୍ରାପ୍ତ ଛାତ୍ର । ପୁଣି ସରକାରଙ୍କ ବଡ଼ ଅଫିସର୍ । ଆମେ ତ ଡିପାର୍ଟମେଣ୍ଟର ଅନାମଧ୍ୟେୟା ଛାତ୍ରୀ । ଆମ ସହିତ ଅଲୋଡ଼ା ସମ୍ପର୍କ ରଖି କି ଲାଭ ?”

ଏ ଅମୃତବୋଳା ତୀର ରାଜେନ୍ଦ୍ରଙ୍କ ଛାତିକୁ ବାରବାର ବିଦ୍ଧ କରୁଥାଏ । ଉଭୟ ସଚେତନ ଥା’ନ୍ତି । ଏହା ହେଉଛି ଭୁବନେଶ୍ୱର ରାଜଧାନୀର ରାଜରାସ୍ତା । ପିଞ୍ଜରା ଭିତରର ଆବେଗକୁ ପଞ୍ଜୁରି ଭିତରେ ରଖିବାକୁ ହେବ । ନା, ଏଠି ମନ ଭରି କାନ୍ଦି ହେବ ନା ହସି ହେବ । ନା ଏଠି ଅଭିମାନ କରି ହେବ ନା ନିଜକୁ ପ୍ରକାଶ କରି ହେବ । ଅନେକ ଦିନ ଧରି ଛାତି ତଳେ ଠୁଳ ହୋଇଥିବା ଆତ୍ମୀୟତା କଥାରେ କଥାରେ ଝରିଗଲା । ଧୀରେ ଧୀରେ ସ୍ୱାଭାବିକ ହେଲା ଉଭୟଙ୍କ ହୃଦୟ । ଦୀପାଳୀ ବଢ଼ାଇ ଦେଲେ, ଏକ ଭିଜିଟିଂ କାର୍ଡ । ମୋ କଥା କେତେବେଳେ ମନେ ପଡ଼ିଲେ ଆସିବ । ବହୁତ କଥା ଅଛି ତୁମ ସାଥିରେ । ରାଜେନ୍ଦ୍ର ମଧ୍ୟ ନିଶ୍ଚୟ କହି ଦଦରା ମନରେ ମେଲାଣି ନେଇଥିଲେ । ନିଜ କାମ ସାରି ଚାଲି ଯାଇଥିଲେ ଦିଲ୍ଲୀ । ନିଜ କର୍ମସ୍ଥଳକୁ ।

ଗୋଟିଏ ମାଛକୁ ପାଣିରୁ ଧରି ଖାଳେଇ ଭିତରେ ପୁରାଇ ଦେଲେ ସେ ଯେମିତି ଛଟପଟ ହୁଏ ଠିକ୍ ସେହିପରି ରାଜେନ୍ଦ୍ରଙ୍କ ମନ ଅଥୟ ହେବାକୁ ଲାଗିଲା । ଭୁବନେଶ୍ୱର କାମରେ ଆସିଲା ବେଳେ ଦୁଇ ଦିନ ଅଧିକ ଛୁଟି ଆଣିଥିଲେ ଦୀପାଳୀ ପାଇଁ । ସ୍ନେହ ତ କେବେ ପୁରୁଣା ହୁଏନି । ବରଂ ସମୟ ସୁଅରେ ବହି ବହି ଅଧିକ ଶକ୍ତିଶାଳୀ ହୁଏ । ନିଜ ସ୍ନେହ ସାଙ୍ଗରେ ଟିକେ ମନ ଖୋଲି ଦୁଇ ପଦ କଥା ହେବ । ସେ ଯିବେ, ହେଉ ପଛେ ଦୂରବାଟ, ଅଜଣା ରାଇଜ । ଠିକଣା ଧରିଲେ । ଭୁବନେଶ୍ୱରୁ ବସ୍ ଧରିଲେ । ଓଡ଼ିଶାର ଏକ ଅଖ୍ୟାତ ପଲ୍ଲୀର ମହାବିଦ୍ୟାଳୟରେ ଅଧ୍ୟାପିକା ଦୀପାଳୀ । ରାଜରାସ୍ତା ପାଖରେ ଗାଁଟି ହେଲେ ମଧ୍ୟ ଦୀପାଳୀ ରହୁ ଥିବା ଜାଗାଟି କୋଉ ଭିତରେ । ନଥିଲା ରିକ୍ସା ବା ଯାନବାହନର ସୁବିଧା । ଏଣେ ମନର ଉତ୍କଣ୍ଠା ନଇଁ ଆସୁଥିବା ସଞ୍ଜର ଅନ୍ଧାର ପରି ବଢ଼ିବାରେ ଲାଗିଲା । ଠିକଣା ଯଦି ଭୁଲ୍ ଥାଏ କ’ଣ କରିବେ ସେ । ପାଖରେ ସହର ବଜାର ନାଇଁ । ହୋଟେଲ୍ ମିଳିବ କେଉଁଠୁ ? କେହି ତ ଜଣା ନାଇଁ ରାତ୍ରିରେ ବିଶ୍ରାମ ନେବେ କିପରି ? ଶେଷରେ ଜଣେ ସହୃଦୟ ବ୍ୟକ୍ତି ଦୀପାଳୀ ରହୁଥିବା ଖଞ୍ଜା ଚାଳଘରର ପ୍ରବେଶ ଦ୍ୱାରରେ ପହଞ୍ଚାଇ ଦେଲେ । ମନର ମାଦକତାରେ ଅନୁଭୂତ ହେଉନଥିଲା ଦେହର କଷ୍ଟ । ସେ ପର୍ଯ୍ୟନ୍ତ ଜଣାନାଇଁ । ଦୀପାଳୀ ନିବାସରେ ହାଜିର କି ବେହାଜିର । ନଥିଲେ ସାଂଘାତିକ । ଚିନ୍ତାମୁକ୍ତ କଲେ ଦୀପାଳୀ ହସି ହସି ସ୍ୱାଗତ ଜଣାଇ । ପାଛୋଟି ନେଲେ ଘର ଭିତରକୁ ବଡ଼ ଶ୍ରଦ୍ଧାରେ ।

ତା’ପରେ

ଲୋକପ୍ରିୟ ଲେଖା

To Top