ଗଳ୍ପ

ଭସ୍ମାସୁର

Dr Nilamani Lenka's odia story Bhasmaasura

ପାଶ୍ଚାତ୍ୟ ଶିକ୍ଷା ଏବଂ ସଂସ୍କୃତିର ଅବହାୱା ଆମକୁ ଅଣନିଶ୍ୱାସୀ କରିଦେଇଥିଲେ ହେଁ ତଥାପି ସ୍ମାର୍ଟ ସିଟିର ଦ୍ୱାହିରେ ମନ ଯାନରେ ଆମେ ଚଉଦ ଭୁବନ ବୁଲି ଆସିଲୁଣି ।

ଭସ୍ମାସୁର

ସେଦିନ ଅଳସୀ ସନ୍ଧ୍ୟାର ବୟସ ଲମ୍ୱି ଯାଇଥିଲା ଢେର୍ ରାତିଯାଏ । ଭରପୁର ଦର୍ଶକ ମଧ୍ୟ ସମ୍ଭାବ୍ୟ ପରବର୍ତ୍ତୀ ଦୃଶ୍ୟ ଆକର୍ଷଣରେ ବାନ୍ଧି ହୋଇ ଯାଇଥିଲେ ଦୀର୍ଘ ସମୟ ଧରି । ପାର୍ଶ୍ୱରେ ବସିଥିବା ସହ ଦର୍ଶକମାନଙ୍କୁ ଚାହିଁବାର ସୁଯୋଗ ଥିଲେ ବି ନିର୍ନିମେଷ ନୟନରେ ତଥାପି କେତେକଙ୍କ ଦୃଷ୍ଟି ଲାଗିଯାଇଥିଲା ସାମ୍ନା ମଞ୍ଚର ଝାପ୍ସା ଅଲୁଅରେ ପ୍ରତିମୂର୍ତ୍ତି ଭଳି ଠିଆ ହୋଇଥିବା ଚରିତ୍ର ଉପରେ ।

ହତବାକ୍ ହୋଇ ଯାଇଥିଲେ ବ୍ରଜବନ୍ଧୁବାବୁ । ପ୍ରତ୍ୟେକ ମୁହୂର୍ତ୍ତରେ ବାରମ୍ୱାର କ୍ରୋଧରେ ଜଳିଯାଉଥିଲେ ସେ । ଦର୍ଶକ ଭାବରେ ସେ କିମ୍ୱା ତାଙ୍କ ସାଙ୍ଗରେ ଯାଇଥିବା ପତ୍ନୀ ଅନୁରାଧାଙ୍କ ଭଳି ଅନେକ ଯଦିଓ ଏଠାରେ ଥିଲେ, ଫରକ୍ ଥିଲା ଏତିକି ଯେ ଅନ୍ୟମାନେ ତାଙ୍କ ଭଳି ନୁହଁନ୍ତି । ଅର୍ଥାତ୍ ଅଧିକାଂଶ ଦର୍ଶକ ଥିଲେ ନାଟ୍ୟ ସଂଗଠକ, ନିର୍ଦ୍ଦେଶକ, ସଂଳାପ ଲେଖକ ଏବଂ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ କଳାକାର ।

ନାଟକର ଶେଷ ଅଙ୍କ ଉପଭୋଗ କରିବା ପର୍ଯ୍ୟନ୍ତ ଆଉ ଧୈର୍ଯ୍ୟ ନଥିଲା ଅନୁରାଧାଙ୍କର । ପାଖରେ ବସିଥିବା ସ୍ୱାମୀଙ୍କ ହାତକୁ ଚିମୁଟି ଦେଇ କହିଲେ- “ଏଗୁଡ଼ାକ ଭସ୍ମାସୁର ! ନିଜ ସଂସ୍କୃତିକୁ ନିଜେ କେମିତି ଖାଇ ଦେଇଛନ୍ତି ଦେଖିଲ ତ ?”

ଅନୁରାଧାଙ୍କ କଥାକୁ ବୁଝିବା ପାଇଁ ଯଦିଓ ତାଙ୍କର ସାମର୍ଥ୍ୟ ଥିଲା, ପ୍ରକୃତରେ ତାଙ୍କ ମୁହଁକୁ ଚାହିଁ ସମ୍ମତି ଜଣାଇବାକୁ ସାହସ ନ ଥିଲା ବ୍ରଜବନ୍ଧୁବାବୁଙ୍କର । ପରିବେଶ ଏମିତି ହୋଇଯାଇଥିଲା ଯେ ଅଧା ଦୃଶ୍ୟରୁ ଉଠି ମଣ୍ଡପ ବାହାକୁ ଚାଲି ଆସିବାକୁ ସାହସ ନଥିଲା ତାଙ୍କର । ଏହା ନିଶ୍ଚୟ ଭୟରେ ନୁହେଁ ବରଂ ସଙ୍କୋଚରେ । ପାଞ୍ଚଦିନ ବ୍ୟାପି ଭାରତ ରଙ୍ଗ ମହୋତ୍ସବର ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ଏହି ଦୃଶ୍ୟ ନାଟକ ଜଗତରେ ଯୋଡ଼ିଥିଲା ଆଉ ଏକ ପରିଷ୍କାର ଫର୍ଦ୍ଦ । ଆୟୋଜକଙ୍କ ଦ୍ୱାରା ଅଠର ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଥିବା ବହୁଭାଷୀ ନାଟକର ଭାଷାକୁ ବୁଝିବା ପାଇଁ ସବୁ ଦର୍ଶକ ସମର୍ଥ ନ ଥିଲେ ସୁଦ୍ଧା ପାଶ୍ଚାତ୍ୟ ସଂସ୍କୃତିର ଛାପକୁ ଅନୁକରଣ କରିବାର ପ୍ରୟାସ ଦୁର୍ବଳ କରିଦେଇଥିଲା ଶିକ୍ଷିତ ଦର୍ଶକ ମଣ୍ଡଳୀକୁ ।

ସ୍ମାର୍ଟ ସିଟିର ସର୍ବାଗ୍ରେ ନାମ ଥାଇ ନିଜର ସ୍ଥିତିକୁ ଜାହିର କରିଥିବା କ୍ୟାପିଟାଲ୍ ଏବେ ସବୁଥିରେ ସ୍ମାଟ୍ ହୋଇଗଲାଣି ଯେତେବେଳେ, ସେଥିପାଇଁ ବୋଧହୁଏ ଚର୍ଚ୍ଚାରେ ରହିବାକୁ କେତେକଙ୍କ ଇଚ୍ଛାକୁ ଅସ୍ୱୀକାର କରିହେବ ନାହିଁ ।

ଗାଁ ଗହଳିରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଅନେକ ନାଟକ ଦେଖିଛନ୍ତି ବ୍ରଜବନ୍ଧୁ ବାବୁ । ଏଥିରେ ଅନୁରାଧା ବି ବାଦ୍ ଯାଇ ନାହାନ୍ତି । ବରଂ ସାରା ରାତି ଅନିଦ୍ରା ହୋଇ ଅପେରା ଦେଖିବାକୁ ସେ ଭଲ ପାଆନ୍ତିନି, କିନ୍ତୁ ଦୁଇ/ତିନି ଘଣ୍ଟିଆ ସାନ୍ଧ୍ୟକାଳୀନ ନାଟକରେ ଉଭୟଙ୍କ ରୁଚି ଢେର୍ ଥିବା ସ୍ପଷ୍ଟ ବାରି ହୋଇ ପଡ଼େ ।

ଆଜି କିନ୍ତୁ ପରିବେଶ ଥିଲା ଖୁବ୍ ନିଆରା । ଟିକେ ଅନ୍ୟମନସ୍କ ହୋଇ ଯାଇଥିବା ବ୍ରଜବନ୍ଧୁ ବାବୁ ଦର୍ଶକଙ୍କ ତାଳି ମାଡ଼ରେ ମଞ୍ଚକୁ ଚାହିଁଲେ । ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଉଭୟ ପାର୍ଶ୍ୱର ଦର୍ଶକଙ୍କୁ ଚାହିଁଲେ, ତଥାପି ଅନେକ ତାଳିମାଡ଼ କରୁଛନ୍ତି ।

ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି ଅନୁରାଧା । ବ୍ରଜବନ୍ଧୁ ବାବୁ ଧୀରେ ତାଙ୍କୁ କହୁଣୀରେ ଠେଲି ଦେଇ କହିଲେ- “ମୁଁ ଯାହା ଦେଖୁଛି ତମେ ତାହା ଠିକ୍ ଦେଖୁଛ ତ ?”

ଅନୁରାଧା କଟମଟ କରି ଚାହିଁଲେ ତାଙ୍କୁ ।

ଡରିଗଲେ ବ୍ରଜବନ୍ଧୁ ବାବୁ ।

ତମେ ତା’ ହେଲେ ରବୀନ୍ଦ୍ର ମଣ୍ଡପରେ ଏଇ ନାଟ ଦେଖାଇବାକୁ ଆଣିଛ । ତମ ପୁରୁଷ ଜାତିଙ୍କୁ ଲଜ୍ଜା ଟିକେ ନାହିଁ । ଛି. . . ଛି. . . ! ତମକୁ କି ଭାଷାରେ କହିବି ମୁଁ ବି ଜାଣିପାରୁନି ।

ହଡ଼ବଡ଼େଇ ଯାଇଥିବା ବ୍ରଜବନ୍ଧୁ ବାବୁ କହିଲେ ଧୀରେ କୁହ ପାଖ ଲୋକ ଆମକୁ ଅନେଇଲେଣି । ଆଉ ଟିକେ ଚୁପ୍ ହେଇଯାଅ, କିଛି ସମୟ ପରେ ନାଟକ ସରିଯିବ ଆମେ ଉଠି ଚାଲିଯିବା ବରଂ ଏଠିକି ଆଉ ଆସିବା ନାହିଁ ।

ବହୁଭାଷୀ ନାଟକର ଶେଷ ଦିନ ଥିଲା ପୋଲାଣ୍ଡରୁ ଆସିଥିବା କଳାକାର ମାନଙ୍କର । “ସୋନାକ” ନାଟକର ବିଷୟ ବସ୍ତୁ କିଛି ବି ଖରାପ ନଥିଲା । ବିଶ୍ୱଯୁଦ୍ଧ ପରବର୍ତ୍ତୀ ମଣିଷର ଅବସ୍ଥା ଏବଂ ନାରୀର ଅସହାୟତା ଏଥିରେ ପ୍ରତିଫଳିତ ହୋଇଥିଲା ବେଳେ ଉଚ୍ଛୃଙ୍ଖଳ ଯୁବ ସମାଜ ନିକଟରେ ହାର ମାନିଯାଇଥିବା ନାରୀ ଚରିତ୍ର ବୋଧହୁଏ ନିଜକୁ ନଗ୍ନତାର ପରିବେଷ୍ଟନୀରେ ନିଜକୁ ସମର୍ପି ଦେଇଥିଲେ ଦର୍ଶକମାନଙ୍କ ନିକଟରେ । ସେ ଭୁଲି ଯାଇଥିଲେ ଏହା ବାସ୍ତବ ଜୀବନ ନୁହେଁ ବରଂ ବସ୍ତୁବାଦୀ ମଞ୍ଚର ସାନ୍ଧ୍ୟକାଳୀନ ଅଭିନୟ, ଯେଉଁଠି ଅଭିନୟକୁ ବଳି ଯାଇଥିଲା ଅଶ୍ଳୀଳତା ।

ମଞ୍ଚରେ ଅଭିନୟ ପ୍ରଦର୍ଶନ କରିବାକୁ ଆସିଥିବା ମହିଳା କଳାକାର ଜଣକ ହଠାତ୍ ସମସ୍ତଙ୍କୁ ଅଭିଭୂତ କରିଦେଲା ଭଳି ଦୃଶ୍ୟ ପ୍ରଦର୍ଶନ କରିବାକୁ ଯାଇ ଶହ ଶହ ଦର୍ଶକଙ୍କ ସାମ୍ନାରେ ବିବସ୍ତ୍ର ହୋଇଗଲେ ।

ଏସବୁ ସତ୍ତ୍ୱେ ପଛରେ ବସି ବିଦେଶୀ ଭାଷା ବୁଝି ପାରୁନଥିବା ଜଣେ ମହିଳା ଦର୍ଶକ ବଡ଼ପାଟିରେ କହିଲେ, “ଆହା. . . କ’ଣ କଲା ସେ ?”

ବିସ୍ମୟ ବିସ୍ଫାରିତ ମୁଦ୍ରାରେ ବସିଥିବା ପ୍ରାୟ ଦର୍ଶକ ଏସବୁ ଉପଭୋଗ କରୁଥିଲେ ହେଁ ପ୍ରତିବାଦ କରିବାର ସ୍ୱର କାହାରି ଶୁଭୁନଥିଲା । ହୁଏତ ଏହାର ପରବର୍ତ୍ତୀ ଅନ୍ତିମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଅପେକ୍ଷା କରୁଥିଲେ ସେମାନେ ।

ସୃଜନଶୀଳତା ନାମରେ ନଗ୍ନତାକୁ ବରଦାସ୍ତ କରାଯିବ କି ନାହିଁ ଏ ବାବଦରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଗଲା ନାଟକର ଶେଷ ଅଙ୍କ ପରେ । ମଣ୍ଡପରୁ ବାହାରୁଥିବା କିଛି ଦର୍ଶକଙ୍କ ମତାମତ ନେବା ପାଇଁ ବୁମ୍ ଓ କ୍ୟାମେରା ଧରି ଭିଡ଼ ଲଗେଇ ଦେଇଥିଲେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ।

ଆୟୋଜକମାନେ ଆଶ୍ୱସ୍ତ ହୋଇଯାଇଥିଲେ ଯେ କିଛିକ୍ଷଣ ନିରବି ଯାଇଥିବା ଦର୍ଶକ ପୁଣି ମନଭରି ଉପଭୋଗ କରିବା ପରେ ତାଳିମାଡ଼ ଦେଇଛନ୍ତି । ଆମ ପ୍ରଚେଷ୍ଟା ଚରିତାର୍ଥ ହୋଇଛି ।

ତର୍ଜମା ଢେର୍ ଚାଲିଲା ।

ଭିଡ଼ ଭିତରୁ ବାହାରି ନିଜ ବାଇକ୍ ପାଖରେ ପହଞ୍ଚିବାକୁ କାଠିକର ପାଠ ଥିଲା ବ୍ରଜବନ୍ଧୁ ବାବୁଙ୍କ ପାଇଁ । ଏହା ଅଶ୍ଳୀଳ ନାଟକ ନୁହେଁ ବରଂ ବାସ୍ତବଧର୍ମୀ ନାଟକ ବୋଲି ଦାବି ରଖୁଥିବା ସମର୍ଥକ ବିପ୍ରଚରଣ ବାବୁ ଅକାଟ୍ୟ ଯୁକ୍ତି ବାଢୁଥିଲେ । ଏହି ନାଟ କେବଳ ନାଟକ ପାଇଁ । ଜର୍ମାନର ସୈନିକମାନେ କିଭଳି ନାରୀ ଚରିତ୍ରକୁ ଲୋଲୁପ ଦୃଷ୍ଟିରେ ଦେଖିଥିଲେ ଏହାର ବାର୍ତ୍ତା ହିଁ ଥିଲା ମୁଖ୍ୟ ସ୍ୱର ।

ରାଜଧାନୀ ପାଇଁ ଏହା ଥିଲା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର !

ଅବଶ୍ୟ ସ୍ମାର୍ଟ ସିଟିର ମାନ୍ୟତାପ୍ରାପ୍ତ ପରେ ରାଜଧାନୀ ପିନ୍ଧିଛି ନୂଆ ପୋଷାକ । ଦେଶୀ ଏବଂ ବିଦେଶୀ ନାଟକରେ ଆସିଛି ନୂଆ ରୂପ । ଦିନ ରାତି ହାତରେ କଳା ବ୍ୟାଚ୍ ପିନ୍ଧ ମଦ ଉଦ୍ଦେଶ୍ୟରେ ଠିଆ ହେଉଥିବା ନାବାଳକମାନଙ୍କର ସଂଖ୍ୟା ବି ଢେର୍ ବଢ଼ିଗଲାଣି । ପ୍ରପୋଜ୍ ଡେ’, ହଗ୍ ଡେ’, ଭାଲେଣ୍ଟାଇନ୍ ଡେ’ ଏବଂ ମ୍ୟାରେଜ୍ ଡେ’ ଭଳି ଅନେକ ଗୁଡ଼ିଏ ଡେ ମଧ୍ୟ ଜନ୍ମ ନେଇସାରିଲାଣି । ପାଶ୍ଚାତ୍ୟ ଶିକ୍ଷା ଏବଂ ସଂସ୍କୃତିର ଅବହାୱା ଆମକୁ ଅଣନିଶ୍ୱାସୀ କରିଦେଇଥିଲେ ହେଁ ତଥାପି ସ୍ମାର୍ଟ ସିଟିର ଦ୍ୱାହିରେ ମନ ଯାନରେ ଆମେ ଚଉଦ ଭୁବନ ବୁଲି ଆସିଲୁଣି ।

ବିପ୍ରଚରଣ ବାବୁଙ୍କ ସହିତ ବ୍ରଜବନ୍ଧୁ ବାବୁଙ୍କ କଥା କଟାକଟି ଆରମ୍ଭ ହେଲା ବେଳକୁ ଅଣ୍ଟାଭିଡ଼ି ବାହାରି ଆସିଥିଲେ ନାରୀ ସୁରକ୍ଷା ମଞ୍ଚର କିଛି ମହିଳା । ବୋଧହୁଏ ମୋବାଇଲ୍ ଫୋନ୍ ଡାକରାରେ ସେମାନେ ଏକଜୁଟ ହୋଇ ରବୀନ୍ଦ୍ର ମଣ୍ଡପର ଗେଟପାଶ୍ୱàରେ ତାଲା ପକାଇଦେଲେ । ଫ୍ଲେକ୍ସ ବ୍ୟାନରକୁ ଚିରାଚିରି କରି ଅଶ୍ଳୀଳତା ବିରୋଧରେ ସ୍ଲୋଗାନ୍ ଦେବାରେ ଲାଗିଲେ ।

ବିପ୍ରଚରଣ ବାବୁ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ବୁମ୍‌ରେ ମୁହଁ ଲଗାଇ ବଡ଼ ପାଟିରେ କହୁଥିଲେ- “ଓଡ଼ିଶାର ମନ୍ଦିର ଚାରିପାଖ କ’ଣ ନଗ୍ନତା ନାହିଁ ? ତମ କୋଣାର୍କ ମନ୍ଦିରର ନଗ୍ନତା ଠାରୁ ଇଏ କ’ଣ ଆହୁରି କଷ୍ଟପ୍ରଦ ? କୁରୁସଭାରେ ତ ଦ୍ରୌପଦୀକୁ ବିବସ୍ତ୍ର କରି ଦିଆଗଲା । ହଇଓ ! କଉଠି ନଗ୍ନତା ନାହିଁ କହିଲ ? ତମ ସାହିତ୍ୟରେ ନଗ୍ନତା, ତମ ଚିତ୍ରକଳାରେ ନଗ୍ନତା, ତମ ମାନସିକତାରେ ନଗ୍ନତା ବସା ବାନ୍ଧିବା ବେଳେ ୟା’କୁ କେମିତି କହୁଛ ଅଶ୍ଳୀଳତା ?”

ଯୁକ୍ତିରୁ ଓହରି ଆସିବା ପାଇଁ ବ୍ରଜବନ୍ଧୁ ବାବୁଙ୍କ ହାତ ଧରି ପାଖକୁ ନେଇଗଲେ ଅନୁରାଧା । ସେ ଜାଣିଥିଲେ ଏଠି ଯେଉଁ ପରିସ୍ଥିତି ସୃଷ୍ଟି ହେଲାଣି ମୁକୁଳିବା ବଡ଼ ମୁସ୍କିଲ୍ ହୋଇଯିବ ।

ତା ପରେ

ଲୋକପ୍ରିୟ ଲେଖା

To Top