ଗଳ୍ପ

ଭୟ

Dr Bibhuti Pattanaik's odia story Bhaya

ସାମ୍ନାରେ ଖ୍ରୀଷ୍ଟିଆନମାନଙ୍କ କବର ଖାନା …… ତାକୁ କିପରି ମାଡି ମାଡି ପାଡ଼ିଲା ।

ଭୟ

ସମୟ ଅପରାହ୍ନ ।

ଏକ ଶୀତଳ ମଳିନତା ନଦୀ ପଠାରୁ ଲମ୍ବି ଆସୁଛି ଏ ଘରର ବାରଣ୍ଡା ପଯ୍ୟନ୍ତ ।

ନିର୍ମଳ ଖୁବ୍ ବ୍ୟସ୍ତ ହୋଇ କଲେଜ ଅଫିସ୍ ଆଲ୍‌ମିରାର ଚାବି ଖୋଜୁଥିଲା । ଚାବିଟା କେଉଁଠି ରଖିଛି ତାର ଠିକ୍‌ ମନେ ପଡୁନାହିଁ । ଅଥଚ ଏଣେ କଲେଜ୍‌ ଯିବା ସମୟ ହେଇଯାଉଛି ।

ଟେବୁଲ ଡ୍ରୟାର, ପ୍ୟାଣ୍ଟ୍‌ ପକେଟ ଓ କାନ୍ଥ ଆଲ୍‌ମିରାର ଥାକ ଖୋଜି ଖୋଜି ସେ କ୍ଲାନ୍ତ ହୋଇଗଲାଣି, ଚାବି ମିଳୁନାହିଁ ।

ସେ ଏ ସହର ରାତ୍ରି କଲେଜର କ୍ୟାସିଅର୍ । ଆଲ୍‌ମିରା ନ ଖୋଲିଲେ ମହାବିପଦ !

ନିର୍ମଳ ବାମ ହାତରେ ମୁହଁରୁ ଝାଳ ଝାଳ ପୋଛି କାନ୍ଥ ଆଲ୍‌ମିରା ମଧ୍ୟରେ ଥିବା ଔଷଧ ଶିଶି, ପାଉଡର ଡବା, ସେଭିଂ ସେଟ୍ ମଝିରେ ରହିଯାଇଥିବ ବୋଲି ପୁଣି ଥରେ ମନ ଦେଇ ଖୋଜିବାକୁ ଲାଗିଲା । ତାର ମନେ ହେଉଛି କାଲି ରାତିରେ କଲେଜ୍‌ରୁ ଫେରି ପ୍ୟାଣ୍ଟ୍‌ ପକେଟ୍‌ରୁ ଚାବିଟା କାଢି ସେ ଏଇ ଆଲ୍‌ମାରୀ ଥାକରେ କେଉଁଠି ରଖି ଦେଇଥିଲା ।

ଗଡ଼୍‌ରେଜ ତାଲାର ପିତଳ ଚାବି ।

ଗଲା କୁଆଡେ ?

ପଛରୁ ଆସି ନନ୍ଦିତା ପଚାରିଲା –

କଅଣ ଖୋଜୁଛ ? ଚାବି ? କାଲିତ ଡ୍ରେସିଂ ଟେବୁଲ ଡ୍ରୟାରରେ ରଖିଥିଲ । ଏଇ ନିଅ – ସ୍ତ୍ରୀ ହାତରେ ଚାବିଟା ଦେଖି ନିର୍ମଳ ମୁହଁରେ ପରିତୃପ୍ତିର ହସ ଫୁଟିଉଠିଲା – ତା’ ପରେ ସ୍ତ୍ରୀ ସହିତ ରସିକତା କରି ସେ କହିଲା –

ଚାବି ରଖିବା ସ୍ତ୍ରୀ ଲୋକଙ୍କ କାମ । ପୁରୁଷ ଲୋକଙ୍କୁ ଏହା ପୋଷାଏ ନାହିଁ । କିନ୍ତୁ କ୍ୟାସିଅର ଚାକିରୀରେ ଚାବି ସମ୍ଭାଳିବା କାମ ମୋ ମୁଣ୍ଡରେ ପଡିଛି । ଏହାକୁ କହନ୍ତି ଦୁର୍ଭାଗ୍ୟ । ସ୍ୱାମୀଙ୍କ କଥା ମନଦେଇ ନନ୍ଦିତା ଶୁଣିଲା । କିନ୍ତୁ କିଛି କହିଲା ନାହିଁ । କଲେଜ୍‌ ବେଳ ହୋଇଗଲାଣି । ଓପର ଓଳି ପାଞ୍ଚଟା ଠାରୁ ରାତି ଦଶଟା ।

ଏଇ ସମୟଟା ତାକୁ ବସାରେ ଖୁବ ନିଛାଟିଆ ଲାଗେ । ଭୟ ହୁଏ । ଏଇ କେଇ ଦିନ ହେଲା ଗୋଟାଏ ଭୁତ…….।

ଭୁତ କଥାଟା ବିଶ୍ୱାସ କରନ୍ତି ନାହିଁ ସ୍ୱାମୀ । ସେ ସାଇନ୍ସ ଗ୍ରାଜୁଏଟ । ଜୀବନ ଓ ଜଗତ ପ୍ରତି ଏକ ବୈଜ୍ଞାନିକ ଦୃଷ୍ଟିକୋଣ ଯୋଗୁଁ ଭୂତଟା ତାଙ୍କ ମନର ଭୟ ବୋଲି ମନେ ହୁଏ | ଆଜି ବେଳାବେଳି ଚାଲି ଆସିବ । ରାତି ନଅଟା ପରେ ଏ ପାଖ ରାସ୍ତାରେ ଲୋକମାନେ ମଧ୍ୟ ଯିବା ଆସିବା କରନ୍ତି ନାହିଁ । ମତେ ଭୟ ଲାଗେ । ନନ୍ଦିତାର କଥା ଶୁଣି ନିର୍ମଳ ଟିକେ ଚମକି ପଡିଲା । ସାଇକେଲ ପେଡେଲ ଦେହରେ ପାଦ ରଖିବା ଆଗରୁ କହିଲା – ମୁଁ ତ ଆଉ ଅଧ୍ୟାପକ ନୁହେଁ ଯେ କ୍ଲାସ ସାରିଲେ ଚାଲି ଆସିବି ।

କଲେଜ ବନ୍ଦ୍‌ ନ ହେଲେ ମୋର ଆଲମିରା ବନ୍ଦ କରିବା ପ୍ରଶ୍ନ ଉଠୁ ନାହିଁ । ଭୟ ଲାଗିଲେ ଘର ବାଲା ମାଉସୀ ପାଖକୁ ଚାଲି ଯିବ –

ସାଇକେଲ୍‌ର ଚକ ଗଡ଼ିଗଲା ।

ଗୋଟିଏ ଲମ୍ବା ଦୀର୍ଘ ନିଶ୍ୱାସ ଟାଣି ନନ୍ଦିତା ମନେ ମନେ ନିଜକୁ କହିଲା – ଘରବାଲା ମାଉସୀ ! ନାଇଁ ବାବା ! ଭୁତ ସହିତ ଘର କରିବା ବରଂ ସହଜ । କିନ୍ତୁ ପାଗଳୀ ସହିତ –

ଲେଡି ମାକ୍‌ବେଥ୍ ନାମଟା ତାକୁ କିଏ ଦେଇଥିଲା କେଜାଣି ! ତାକୁ ଆଉ ଘର କରିବା ପାଇଁ ଏ ସହରରେ ଜାଗା ମିଳିଲା ନାହିଁ ; ଏଇ ଗୋରା କବର ପାଖରେ ।

ଲେଡି ମାକବେଥ୍ ଉପର ମହଲାର ଗୋଟିକିଆ ଘରେ ରହେ । ଆଗେ ଗୋଟାଏ ଚାକରାଣୀ ଥିଲା, ସେମାନେ ଘର ଭଡା ନେଇ ତଳ ମହଲାକୁ ଆସିଲା ପରେ ସେ ଚାକରାଣୀଟା ବିଦା ହୋଇଗଲା । ବୁଢ଼ୀ ନିଜ ହାତରେ ରୋଷେଇ କରେ, ବଜାର ସଉଦା କିଣେ । ଘର ସଫା କରେ । ଉପର ମହଲାକୁ ପାଣି ନ ଉଠିଲେ, ତଳୁ ନିଜେ କଳ ପାଣି ଉପରକୁ ବହି ନିଏ । ମାସର ପାଞ୍ଚ ତାରିଖ ମଧ୍ୟରେ ଘର ଭଡା ନ ଦେଲେ ଖୁବ ଉଚ୍ଚ କଣ୍ଠରେ ଘର ଖାଲି କରିବା ପାଇଁ ନୋଟିସ୍‌ ଦେଇଯାଏ ।

ଏ ଘରଟା ସମ୍ପକରେ ଏ ସହରରେ ଅନେକ କିମ୍ବଦନ୍ତୀ ଶୁଣାଯାଏ । କେହି କେହି କହନ୍ତି ; ଏ ଘରଟା ଜଣେ ଆର୍ମିକର୍ନେଲ ତୋଳାଇଥିଲେ । ମିସେସ୍ ମାକବେଥ୍ ଥିଲେ ତାଙ୍କର ଗୃହ ଦାସୀ । କର୍ନେଲ ଦ୍ୱିତୀୟ ଭାରତ – ପାକିସ୍ତାନ ଯୁଦ୍ଧରେ ମୃତ୍ୟୁବରଣ କଲାପରେ ମିସେସ୍ ମାକବେଥ୍ ଘରଟାକୁ ମାଡି ବସିଛନ୍ତି । ଆଉ କାହାରି କାହାରି ସନ୍ଦେହ, ଲେଡି ମାକବେଥ କର୍ନେଲ ସାହେବଙ୍କର ସେକେଣ୍ଡ ଓ଼ମ୍ୟାନ… ରକ୍ଷିତା ରମଣୀ । କର୍ନେଲ ଏବେ ସୁଦ୍ଧା ନିଜର ପରିବାର ସହିତ ଅବସରକାଳୀନ ଜୀବନ ଯାପନ କରୁଛନ୍ତି । ନିଜର ଅବୈଧ ପ୍ରେମର ପାପକୁ ଏ ସହରର ନିର୍ଜନ ନଦୀ ଉପକଣ୍ଠରେ ଇଟା -ସିମେଣ୍ଟର ଘର ଭିତରେ ଆବଦ୍ଧ କରି ରଖିଯାଇଛନ୍ତି ।

ଅନ୍ୟ କାହାର ଉପସ୍ଥିତି ସହ୍ୟ କରିପାରେ ନାହିଁ ମିସେସ ମାକ୍‌ବେଥ୍‌ । କଦବା କ୍ଵଚିତ ଚର୍ଚ୍ଚକୁ ଯାଏ, ନିଜ ସମ୍ପ୍ରଦାୟର ଲୋକମାନଙ୍କ ସହିତ ସମ୍ପର୍କ ରଖେ ନାହିଁ । ବର୍ଷ ତଳେ ଜନ ନାମକ କେହି ତରୁଣ ଜଣେ ମିସେସ ମାକ୍‌ବେଥ୍‌ଙ୍କର ପୁତୁରା ବୋଲି ପରିଚୟ ଦେଇ ଏଠାରେ ରହୁଥିଲା । ଦିନେ ଦେଖା ଗଲା ବନ୍ଧୁକ ଦେଖାଇ ମିସେସ ମାକ୍‌ବେଥ୍‌ ଜନ କୁ ଘରୁ ବାହାର କରିଦେଉଛି । ଚିତ୍କାର କରୁଛି –

ମୁଁ ଜାଣେ ମୁଁ ମଲେ ଏ ଘରଟା ନିଜେ ଆତ୍ମସାତ କରିବା ପାଇଁ ମନସ୍ଥ କରି ତୁ ଆସିଛୁ । ମୁଁ କିନ୍ତୁ କହି ରଖୁଛି ତୋ ଆଗରୁ ମୋର ମରଣ ହେବନାହିଁ । ବାହାରି ଯାଆ ଗେଟ୍‌ ଆଉଟ୍‌ ……………ୟୁ ସ୍କାଉଣ୍ଡ୍ରାଲ ।

ନନ୍ଦିତା ଲକ୍ଷ୍ୟ କରିଥିଲା ; ବୁଢ଼ୀର ଚିତ୍କାର ଶୁଣି ଜନ୍ ନାମକ ସେଇ ଆତ୍ମୀୟ ପୁରୁଷ ଜଣକ ବନ୍ଧୁକ ଭୟରେ ଆଖି ବୁଜି ନିଜ ଜିନିଷ ପତ୍ର ଧରି ରାସ୍ତାକୁ ଓହ୍ଲାଇ ଯାଉଛି । ମୁହଁରେ ପ୍ରତିବାଦର ଶବ୍ଦ ଗୋଟିଏ ସୁଦ୍ଧା ଉଚ୍ଚାରିତ ହେଉନାହିଁ । ଝରକା ବାଟେ ମୁହଁ ଗଳାଇ ନିର୍ମଳ ପ୍ରଶ୍ନ କରିଥିଲା – କଅଣ ହେଲା ପୁତୁରା ବାବୁ ।

ପିଉସୀ ପାଗଳୀ ହୋଇଗଲା । ମୁଁ ଡାକ୍ତର ଡାକିବାକୁ ଯାଉଛି । କୌଣସି ମତେ ଏ ଦୁଇଟି ବାକ୍ୟ କହି ଖସି ପଳାଇ ଥିଲା ଜନ୍ । ତା ପରେ ଆଉ କେବେ ଆସିନାହିଁ । ଆଉ ମଧ୍ୟ କୌଣସି ଆତ୍ମୀୟ ମିସେସ୍ ମାକବେଥ୍ ପାଖକୁ ଏ ବର୍ଷ ଦୁଇମାସ ମଧ୍ୟରେ ଆସିନାହାନ୍ତି ।

ବୁଢ଼ୀର ଧାରଣା ଜନ୍ ତା’ ଖାଦ୍ୟରେ ବିଷ ମିଶାଇ ତାକୁ ମାରିଦେବାକୁ ଚାହୁଁଥିଲା । ସେ ମରିଗଲା ପରେ ଏ ଘରଟାର ମାଲିକ ହୋଇ ବସିଥାନ୍ତା ଜନ୍ ।

ଚାକରାଣୀକୁ ତଡ଼ିଦେଲାବେଳେ ମଧ୍ୟ ବୁଢ଼ୀର ସେଇ ସନ୍ଦେହ ତାକୁ ବିଷ ଦେଇ ଚାକରାଣୀ ଜନ୍‌ର ଅସମ୍ପୂର୍ଣ କାଯ୍ୟକୁ ସମ୍ପୂର୍ଣ କରିବାକୁ ଚାହୁଁଥିଲା । ଖାଦ୍ୟରେ ବିଷ ମିଶା ଯାଇଥାଇ କି ନ ଥାଉ ସନ୍ଦେହର ବିଷରେ ମିସେସ୍ ମାକ୍‌ବେଥ୍ ର ମୁହଁ ନୀଳ ଦେଖାଯାଉଥିଲା ।

ନନ୍ଦିତାର ସନ୍ଦେହ ବୁଢ଼ୀ ଗୋଟିଏ ପାଗଳୀ । ଶୋଇଲାବେଳେ ପାଖରେ ବନ୍ଧୁକ ସଜ କରି ରଖେ । ଅର୍ଦ୍ଧରାତିରେ ପିଆନୋ ବଜାଏ । ବନ୍ଧୁକର ବାରୂଦ ଓ ପିଆନୋର ସଂଗୀତ,ମିସେସ୍ ମାକ୍‌ବେଥ୍ ର ପାଗଳାମୀର ପ୍ରମାଣ ବୋଲି ସେ ତାର ସ୍ୱାମୀକୁ ବୁଝାଏ ।

ନିର୍ମଳ କିଛି ବୁଝେନାହିଁ, କାରଣ ସେ ଜଣେ ଯେ ଦେଢ଼ ଶହ ଟଙ୍କା ଭଡାରେ ଏତେ ଭଲ ଘର ଏ ସହରରେ ଆଉ କେଉଁଠି ମିଳିବ ନାହିଁ ।

ନନ୍ଦିତା କୋଳାହଳମୟ ସହରର ପ୍ରଥମ ଭଡା ଘର ଛାଡି ସହରର ଉପାନ୍ତରେ ଏଇ ନିର୍ଜନ ଘରେ ନୂଆଘର ସଂସାର ଆରମ୍ଭ କଲାବେଳେ ଖୁବ ଖୁସି ହୋଇଥିଲା । ସେ ଦୁହିଁଙ୍କ ବାହାଘର ବୟସ ମାତ୍ର ଦୁଇ ବର୍ଷ । ଏ ବୟସରେ ସବୁ ସ୍ୱାମୀ ସ୍ତ୍ରୀ କିଛି ଅଲଗା ଧରଣର ପ୍ରାଇଭେସି ଖୋଜନ୍ତି । ବାହାଘର ପରେ ପ୍ରଥମେ ଯେଉଁ ଭଡା ଘର ନେଇଥିଲେ, ସେଠାରେ ଝରକା କବାଟ ବନ୍ଦ କଲେମଧ୍ୟ କୌଣସି ଆଢୁଆଳ ନ ଥିଲା, ରାସ୍ତା ଉପରେ ଘର । ସାଇ ଟୋକାଙ୍କ ଦୌରାତ୍ମ୍ୟ । ବସା ବଦଳାଇ ସେମାନେ ସ୍ୱସ୍ତିର ନିଃଶ୍ୱାସ ମାରିଥିଲେ । ଆଗ ଘର ତୁଳନାରେ ଏ ଘରର ଭଡା କମ, ରହିବା ଘର ବେଶୀ । ଅବଶ୍ୟ ସ୍ୱାମୀଙ୍କୁ ଟିକିଏ ବେଶୀ ବାଟ ସାଇକେଲ ପେଲି ଯିବାକୁ ହେଉଛି । କଲେଜ ଏଠାରୁ ବେଶ ଦୂର । ଫେରିଲା ବେଳେ ରାତିରେ ଅନେକ ରାସ୍ତା ନିର୍ଜନ ଏବଂ ଅନ୍ଧକାରଚ୍ଛନ୍ନ । କିନ୍ତୁ ଶହେ ଟଙ୍କା କମ୍ ଉପରେ ବଡ଼ ଘର ପାଇ ନିର୍ମଳ ନୂତନ ଜୀବନ ଲାଭ କଲାଭଳି ଉଲ୍ଲସିତ ହୋଇ ଉଠିଥିଲା ।

ନନ୍ଦିତାର ଆନନ୍ଦ ବେଶିଦିନ ସ୍ଥାୟୀ ହାଲନାହିଁ । ସ୍ୱାମୀ କଲେଜ ଚାଲିଗଲା ପରେ ସେ ଖୁବ୍ ଏକାକିନୀ ବୋଧ କଲା । ଉପର ମହଲାରେ ଜଣେ ପାଗଳିନୀ ବୁଢ଼ୀ । ସାମ୍ନାରେ ଖ୍ରୀଷ୍ଟିଆନମାନଙ୍କ କବର ଖାନା …… ତାକୁ କିପରି ମାଡି ମାଡି ପାଡ଼ିଲା । ତା ଅପେକ୍ଷା ସେ ସହି ଟୋକାଙ୍କ ଅତ୍ୟାଚାର ବରଂ ଭଲ ଥିଲା । ଦୁଇ ଦିନ ତଳେ ପୁଣି ସେ ଭୂତଟା …….। ଦୃଶ୍ୟଟା ମନେ ପଡିଯିବା ମାନେ ନନ୍ଦିତାର ଦେହ ଝାଳେଇ ଗଲା । ରାତି ସାତଟା ସୁଦ୍ଧା ଖୁବ୍ ବର୍ଷା ହୋଇଥିଲା । ସ୍ୱାମୀ ଏ ବର୍ଷାରେ ସାଇକେଲରେ କିପରି ଫେରିବେ,ସେଇ ଦୁଶ୍ଚିନ୍ତାରେ ସେ ଛଟ୍‌ପଟ୍‌ ହେଉଥିଲା । ଏ ସମୟରେ ଦରଜାରେ କିଏ ଠକ୍ ଠକ୍ ଶବ୍ଦ କଲା । ବର୍ଷା ଯୋଗୁଁ କଲେଜ ବେଳାବେଳି ଛୁଟି ହୋଇଯାଇଛି …… ସ୍ୱାମୀ ଫେରି ଆସିଛନ୍ତି ଭାବି ସେ ଦରଜା ଖୋଲି ଦେଇଥିଲା ନା, କେହି ନ ଥିଲେ । ସୁଉ ସୁଉ ପବନ କିଳିକିଳା ଶବ୍ଦ କରି ନଈ ପଠା ଆଡକୁ ଧାଉଁଥିଲା । ଆଉ ଗୋଟାଏ କଙ୍କାଳସାର ମଣିଷ ସେଇ ଅନ୍ଧକାର ମଧ୍ୟରେ ଯେପରି ତାଙ୍କ ଦରଜା ପାଖରୁ ଛୁଟି ଯାଇ ଗୋରା କବର ପାଖରେ ଅନ୍ଧକାରରେ ମିଶିଗଲା ।

ସେ ଭୟରେ ଗୋଟା ସୁଦ୍ଧା ଥରୁ ଥିଲା ।

ତା’ର ପ୍ରାୟ ଦୁଇ ଘଣ୍ଟା ପରେ ବର୍ଷା ଛାଡିଗଲା ପରେ ନିର୍ମଳ ଫେରିଲା । ସବୁ ଶୁଣିସାରି ମନ୍ତବ୍ୟ କଲା – ପବନରେ ବୋଧହୁଏ କବାଟ ବାଡେଇ ହୋଇ ଠକ୍ ଠକ୍ ଶବ୍ଦ କରୁଥିଲା । କଙ୍କାକର ଛାୟାମୂର୍ତ୍ତି ତମ ମାନସିକ ଭୟର ପ୍ରତିମା ।

ସେଦିନ କଲେଜରୁ ଫେରି ଖାଇ ପିଇ ଶୋଇବାକୁ ଗଲାବେଳେ ନନ୍ଦିତା କହିଲା – ଏ ଘରଟା ବଦଳାଇ ଦିଅ । ତମେ ରାତି ଦଶଟା ବେଳେ ଫେରିବ ଆଉ ମୁଁ ଭୟରେ ଘରର ଗୋଟିଏ କଣରେ ଜାକିଜୁକି ହୋଇ ବସିଥିବି !

ନିର୍ମଳ ସ୍ତ୍ରୀ ର କଥା ଶୁଣିଲା, କିଛି ଉତ୍ତର ଦେଲାନାହିଁ । ଭୂତର ଅସ୍ତିତ୍ୱ ଥାଉ କି ନ ଥାଉ ଭୀତିର ଅସ୍ତିତ୍ୱ ଯେ ନନ୍ଦିତା ମନର ଅନେକ ଗଭୀରକୁ ଚାଲିଗଲାଣି, ତାହା ସେ ବେଶ୍ ବୁଝି ପାରୁଥିଲା । ସହର ମଝିରେ ରାସ୍ତା ଉପର ଘରେ ଭଡା ନେଇଥିବା ବେଳେ ନନ୍ଦିତାର ଅଭିଯୋଗ ଥିଲା – ସାହିର ବେକାର ଟୋକାମାନେ ତାଙ୍କ ଦାଣ୍ଡ ପିଣ୍ଡାରେ ବସି ତାସ ଖେଳୁଛନ୍ତି । ନାନା ଅସଭ୍ୟ ବିଷୟରେ ବଡ଼ ପାଟିରେ ତାକୁ ଶୁଣାଇ ଶୁଣାଇ କଥା କହୁଛନ୍ତି । ମଝିରେ ମଝିରେ ତାକୁ କବାଟ ଠକ୍‌ ଠକ୍‌ କରି ତାକୁ ପିଇବା ପାଣି ନ ହେଲେ ସିଗାରେଟ୍ ଖାଇବା ପାଇ ଦିଆସିଲ ମାଗୁଛନ୍ତି ।

ଇଙ୍ଗିତ ବୁଝିପାରିଥିଲା ନିର୍ମଳ । ନନ୍ଦିତା ସୁନ୍ଦରୀ ଏବଂ ଅଳ୍ପ ବୟସୀ । ତାର ଅନୁପସ୍ଥିତିର ସୁଯୋଗ ନେଇ ସାହିର ମସ୍ତାନମାନେ ଆଖିର ଚାହାଣିରେ ନନ୍ଦିତାର ସୌନ୍ଦଯ୍ୟ ଉପଭୋଗ କରିବାକୁ ଚାହୁଁଛନ୍ତି । ନନ୍ଦିତା ମଫସଲ ଅଞ୍ଚଳର ଝିଅ । ସେ ଭୟରେ ମହମବତୀ ଭଳି ତରଳି ଯାଉଛି ।

ବହୁ କଷ୍ଟରେ ସେ ଏ ଘରଟା ଖୋଜି ପାଇଛି । ସହରଠାରୁ ବେଶ କିଛି ଦୂରରେ ବୋଲି ଘରଟାର ଭଡା ମଧ୍ୟ କମ୍ । କିନ୍ତୁ ନନ୍ଦିତା ଏଠାକାର ନିଃସଙ୍ଗତା ମଧ୍ୟ ସହ୍ୟ କରିପାରୁନାହିଁ ।

ଝିଅମାନଙ୍କର ଏଇ ବୟସଟା ବଡ଼ ଭୀରୁ ଏବଂ ସ୍ପର୍ଶକାତର । ଏଥିପାଇଁ ନନ୍ଦିତାକୁ ଦୋଷ ଦେଇହେବ ନାହିଁ ।

କଣ ମୋ କଥା ଶୁଣିଲ ?

ହଁ -ଗୋଟିଏ ନୂଆ ଘର ଖୋଜିବି । କିନ୍ତୁ ଏ ସହରରେ ଖାଲି ଘର ପାଇବା କିଛି ସହଜ ନୁହେଁ – ନିର୍ମଳ କଥା ଶେଷ କରି କର ନେଉଟାଇ ଶୋଇଲା ।

ଅର୍ଦ୍ଧ ରାତ୍ରିରେ ପୁଣି ଥରେ ନିର୍ମଲର ନିଦ ଭାଙ୍ଗିଗଲା । ନନ୍ଦିତା ତାକୁ ଭୟରେ କୁଣ୍ଢେଇ ଧରି କହୁଛି -ଏଇ ଦେଖ ଭୂତ -ରଣପା ପିନ୍ଧା ଭୂତ …. ଝରକା ବାଟେ ପରଦା ଆଡେଇ –

ସ୍ତ୍ରୀର ବାହୁ ବନ୍ଧନରୁ ନିଜକୁ ମୁକ୍ତ କରି ହାତରେ ଟର୍ଚ୍ଚ ଧରି ନିର୍ମଳ ଉଠି ଠିଆ ହେଲା । ଝରକା ପାଖକୁ ଯାଇ ଦେଖିଲା ….. ଖୁବ୍ ଦୂରରେ କିଏ ଜଣେ ଚାଲିଯାଉଛି । ତା’ର ଦୀର୍ଘାୟିତ କଳାଛାଇ ଜହ୍ନ ଆଲୁଅରେ ଝରକା ତଳେ ପ୍ରତିଫଳିତ ହେଉଛି ।

ନିର୍ମଳର ଛାତି ମଧ୍ୟ ଭୟରେ ସ୍ପନ୍ଦିତ ହୋଇ ଉଠିଲା । ସକାଳୁ ମିସେସ୍ ମାକ୍‌ବେଥ୍ ଙ୍କୁ ସେଇ ରଣପା ପିନ୍ଧା କଳା ଛାଇ କଥା କହିଲା ନିର୍ମଳ ।

ମିସେସ୍ ମାକ୍‌ବେଥ୍ ସବୁ କଥା ଶୁଣିଲେ । ତା ମୁହଁ ର ମାଂସପେଶୀ ଟାଣ ହୋଇଗଲା । ଆଖି ଦୁଇଟା ଜଳି ଉଠିଲା । ଗଞ୍ଜେଇ ଚିଲମ ଭଳି ।

କହିଲା ସେ ଭୂତଟା ତମ ପାଖକୁ ଆସିଥିଲା । ଆସିଥିଲା ମୋ ପାଖକୁ ! କର୍ନେଲର ଭୂତ । ମଲାପରେ ବି ଲୋଭ ଛାଡି ନାଇଁ । ମୁଁ କିନ୍ତୁ ମରିବି ନାଇଁ କି ଏ ଘରର ମାଲିକାନା ଛାଡ଼ିବି ନାଇଁ । ବଞ୍ଚିଥିବା ବେଳେ ମତେ ସେ ଖୁବ୍ ଜଳାଇଛି -ମରି ଭୂତ ହେଲା ପରେ ମଧ୍ୟ ମୋ ପିଛା ଛାଡୁ ନାହିଁ ।

ତା ପରେ ମିସେସ୍ ମାକବେଥ୍ ଏକ ଅଦ୍ଭୁତ କାର୍ଯ୍ୟ କରି ବସିଲେ । ବିଛଣା ପାଖରେ ଥିବା ବନ୍ଧୁକଟା ଆଣି ଯୋଡ଼ାକବର ଆଡକୁ ଲକ୍ଷ୍ୟ କରି ଏକ ବ୍ଳାଙ୍କ ଫାୟାର କଲା ଏବଂ ପରେ ହିଃ …. ହିଃ ….ହୋଇ ପାଗଳିନୀଙ୍କ ଭଳି ହସି ଉଠିଲା ।

ନିର୍ମଲର ହାତ ପାପୁଲିକୁ ଚିମୁଟି ଦେଇ ନନ୍ଦିତା ଚାପା କଣ୍ଠରେ କହିଲା – ଦେଖିଲ ? ମୁଁ କହୁନଥିଲି ବୁଢ଼ୀଟା ଏକ ମସ୍ତ ପାଗଳୀ । ଯଦି ଏ ସହରରେ ନୂଆ ଘର ନ ମିଳୁଛି ତେବେ ମତେ ଗାଁରେ ଛାଡି ଦେଇ ଆସ –

ନିର୍ମଳ ନିଜ ସ୍ତ୍ରୀର କଥାରେ କିଛି ଉତ୍ତର ଦେଲା ନାହିଁ ।

ଲୋକପ୍ରିୟ ଲେଖା

To Top