ଗଳ୍ପ

ଭିଜା ଭିଜା ଅସ୍ତିତ୍ୱ

T.Durga Prasad Rao's odia Story Bhija Bhija Astitwa

ଶୃତିଦେବୀ ଅନୁଭବ କଲେ ସେ ଯେପରି ତରଳି ବୋହି ଯାଉଛନ୍ତି ପାଣି ପାଣି ହୋଇ ବର୍ଷାଧାର ସହ ।

ଭିଜା ଭିଜା ଅସ୍ତିତ୍ୱ

କନ୍ୟାଶ୍ରମରୁ ବାହାରି ଶୃତିଦେବୀ ତରତରରେ ଛତାଟିଏ ଧରି ଛକରେ ଆସି ପହଞ୍ଚିଲେ । କାଲି ରାତିରୁ ମାଆଙ୍କର ରକ୍ତଚାପ ବଢ଼ିଛି । ଚାଲିଲେ ମୁଣ୍ଡ ତାଙ୍କର ଚକ୍କର କାଟି ଦେଉଛି । ଘର ଭିତରଟାରେ ଦୁଇଥର ପଡ଼ିଗଲେଣି । ସାନଭାଇ ଯଦିଓ ସକାଳେ ଡାକ୍ତରଙ୍କୁ ଦେଖାଇଛି, ଶୃତିଦେବୀଙ୍କ ମନ ମାନୁନାହିଁ । ଫୋନରେ ସେତକ ଶୁଣିଲା ପରଠାରୁ ସେ ଠିକ୍ ଭାବରେ କ୍ଳାସ୍ ନେଇ ପାରୁନାହାନ୍ତି । ମନଟା ଯାଇ ଅଟକି ରହିଛି ମାଆଙ୍କ ପାଖରେ । ଆଖି ଆଗରେ ରହି ରହି ଭାସି ଆସୁଛି ମାଆଙ୍କ ଚେହେରା । ଛୋଟ ବେଳୁ ବାପାଙ୍କୁ ହରାଇ ମାଆଙ୍କ ଭୂମିକା ଯେ ତାଙ୍କ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ଠିକ୍ ବୁଝିଛନ୍ତି ଶୃତିଦେବୀ । ଘରେ ପୁରୁଷ ଲୋକ କହିଲେ ସାନଭାଇ ସାଗର । ପ୍ରାୟ ସବୁ କଥା ସେ ଶୃତିଦେବୀଙ୍କୁ ପଚାରି କରେ ।

ଶୃତିଦେବୀ ଅନ୍ୟମନସ୍କ ଭାବରେ ଗୋଟିଏ ପାନଦୋକାନ ପାଖକୁ ଉଠିଗଲେ । ଛୋଟ ଯାଗା । ପ୍ରାୟ ସମସ୍ତେ ସମସ୍ତଙ୍କୁ ଚିହ୍ନନ୍ତି । ତାଙ୍କୁ ଦେଖୁ ଦେଖୁ ପାନଦୋକାନୀ ନୀଳା ପଚାରିଲା, “କଣ ଦିଦି, ଏ ବର୍ଷା ପବନରେ କୁଆଡ଼େ ବାହାରିଲେ?” ଭାବନାରେ ବିବ୍ରତ ଶୃତିଦେବୀ । ମୁହଁରେ ତାଙ୍କର ହସ ନାହିଁ । ସେମିତି ନିରସ ମୁହଁରେ କହିଲେ,

– ମାଆଙ୍କ ଦେହ ଭଲନାହିଁ, ମାଲକାନଗିରି ବାହାରିଛି ।

– ଦିଦି, ଆପଣ କଣ ଜାଣିନାହାନ୍ତି, ମାଓବାଦୀ ଡାକରାରେ ଆଜିଠାରୁ ତିନି ଦିନ ପାଇଁ ସବୁ ବସ୍ ଚଳାଚଳ ବନ୍ଦ ।

ଶୃତିଦେବୀ ସେତକ ଶୁଣି ଦେଇ ନିର୍ବାକ୍ ଚାହିଁଲେ ନୀଳା ମୁହଁକୁ । ତାଙ୍କ ମନ ନୈରାଶ୍ୟରେ ଭରିଗଲା । ଫି ଦିନ ଏମିତି ବନ୍ଦ ଡାକରା ଯୋଗୁଁ ଏ ଜିଲ୍ଲାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଜିଲ୍ଲାବାସୀ । ସେଥିପାଇଁ ମାଓବାଦୀଙ୍କର ନା କିଛି ସହାନୁଭୁତି ଥାଏ ନା ପ୍ରଶାସନର କିଛି ଯାଏ ଆସେ । ବନ୍ଦ ଡାକରା ଦେଇ ନାଲି ସ୍ୟାହିରେ ଦୁଇ ପଦ ଲେଖି କାନ୍ଥରେ କି ଗଛରେ ପୋଷ୍ଟରଟିଏ ଟାଙ୍ଗିଦେଲେ, ସରିଲା । ସେ ଲେଖାର ସତ୍ୟାସତ୍ୟ ବୁଝିବାକୁ ବି ଲୋକଙ୍କର ସାହସ ହୁଏ ନାହିଁ । ବାସ୍, ନିର୍ଦ୍ଧାରିତ ଦିନ ପର୍ଯ୍ୟନ୍ତ ସବୁ ବସ୍ ଚଳାଚଳ ବନ୍ଦ ହୋଇଯାଏ । କାହାକୁ ପ୍ରାଣ ଭୟ ନାହିଁ ଯେ ମାଓଙ୍କ ହାତ ଲେଖା ବିରୁଦ୍ଧରେ ଯାଇ ଗାଡ଼ି ଚଳାଇବେ ? ଶୃତିଦେବୀ ଅସହାୟବୋଧ କଲେ । ହଠାତ୍ ଦେଖିଲେ କାର୍‌ଟିଏ ଧିର ଗତିରେ ତାଙ୍କରି ଆଡ଼କୁ ମାଡ଼ି ଆସୁଛି । ସେ ଭାବିବାକୁ ସମୟ ନ ନେଇ ଟିକିଏ ରାସ୍ତା ଉପରକୁ ଉଠି ଗାଡ଼ି ରଖିବା ପାଇଁ ହାତ ହଲାଇଲେ । ଗାଡ଼ିଟି କିଛି ଦୂରକୁ ଗଡ଼ି ଛାଏଁ ଅଟକିଗଲା ଓ ସାମ୍ନା ଡୋର୍‌ଟି ଖୋଲିଗଲା । ପ୍ରିତିଦେବୀ ପାଖକୁ ଯାଇ ଦେଖିଲେ ଡ୍ରାଇଭରକୁ ଛାଡ଼ି ଦୁଇଜଣ ଯୁବକ ବସିଛନ୍ତି ପଛ ସିଟ୍‌ରେ। କାର୍‌ରେ ଉଠିବେ କି ନାହିଁ ଦୋଦୋପାଞ୍ଚ ହେଉଛନ୍ତି, ଡ୍ରାଇଭର ହାତ ହଲାଇ ଇଙ୍ଗିତରେ ଜଲ୍‌ଦି ବସିଯିବାକୁ ନିର୍ଦ୍ଦେଶ ଦେଲା । ଶୃତିଦେବୀ ଛତା ବନ୍ଦ କରି ବେଶୀ କିଛି ଚିନ୍ତା ନ କରି ବସିପଡ଼ିଲେ ସାମ୍ନା ସିଟ୍‌ରେ। ମାଲକାନଗିରିରେ ଶୀଘ୍ର ପହଞ୍ଚିବାର ବ୍ୟସ୍ତତାରେ ଆଚ୍ଛନ୍ନ ଥିଲା ତାଙ୍କ ମନ । ଅପେକ୍ଷା କରି ଡେରି ହେଲେ ରାତି ଅନେକ ହେବ ପହଞ୍ଚିବାରେ । ଆଉ ହୁଏତ ଗାଡ଼ି ମଧ୍ୟ ପାଇବେ ନାହିଁ । ସେ ଛତାଟିକୁ ନିଜ ଗୋଡ଼ ପାଖରେ ରଖି ସଜାଡ଼ି ହୋଇ ବସିଲେ ।

– କେଉଁ ପର୍ଯ୍ୟନ୍ତ ଯିବେ ଆପଣ ? ରାସ୍ତାକୁ ଦେଖି ଗାଡ଼ି ଚଳାଉ ଚଳାଉ ପଚାରିଲା ଡ୍ରାଇଭର୍ ।

– ମାଲକାନଗିରି।

– ଆଚ୍ଛା । ଟିକିଏ ରହି ପୁଣି କହିଲା, ମ୍ୟାଡାମ୍ ଦେଖନ୍ତୁ ଡୋର୍ ଠିକ୍ ରେ ଲକ୍ ହେଇନି, ସାଉଣ୍ଡ ଆସୁଛି । ଖୋଲି ଦେଇ ପୁଣି ଥରେ ଜୋର୍‌ରେ ଟାଣି ଦିଅନ୍ତୁ । ଶୃତିଦେବୀ ଡ୍ରାଇଭର୍ କହିବା ମୁତାବକ ଜୋର୍‌ରେ ଟାଣିଲେ ଡୋର୍‌କୁ।

– ହଁ, ବାସ୍ ଏବେ ଠିକ୍ ହେଲା । ତାପରେ ଗୁଣୁ ଗୁଣୁ ହେଇ କିଛି ହିନ୍ଦି ଗୀତର ସୁର ଧରିଲା ଡ୍ରାଇଭର ଜଣକ । ଶୃତିଦେବୀ ଦେଖିଲେ ମଝିରେ ମଝିରେ ମିରର୍ ଦେଇ ଯୁବକ ଦୁଇ ଜଣ ତାଙ୍କରି ଆଡ଼କୁ ଚାହିଁଛନ୍ତି । ଶଙ୍କିତ ମନରେ ସେ ନିଜ ଶାଢ଼ୀକୁ ଟିକିଏ ସଜାଡ଼ି ନେଇ କାଚ ଝରକା ଦେଇ ବାହାରକୁ ଚାହିଁଲେ । ବର୍ଷାର ପ୍ରକୋପ ବଢ଼ିଛି । ବାହାରର ସବୁ କିଛି ଝାପ୍ସା ଝାପ୍ସା ଦିଶୁଛି । ସାମ୍ନା କାଚରେ ୱାଇପର୍ ଚାଲିଛି ଅନବରତ ।

ଗାଡ଼ି ଭିତରେ କିଛି ଅଲଗା ଗନ୍ଧ ବାରିଲେ ଶୃତିଦେବୀ । ଶାଢ଼ୀକାନିକୁ ନାକ ପାଖରେ ଚାପି ଧରିଲେ । ପଛରେ ବସିଥିବା ଯୁବକ ଦୁଇଜଣ ତାହେଲେ ନିଶାଗ୍ରସ୍ତ । ଡ୍ରାଇଭର୍‌ବି ହୁଏତ ତାଙ୍କ ସହ ପିଇଥିବ । ଯଦିଓ କଥାବାର୍ତ୍ତାରେ କିମ୍ବା ଗାଡ଼ି ଚଳେଇବାରେ କିଛି ଅସଙ୍ଗତି ବାରି ହେଉନାହିଁ । ଶୃତିଦେବୀ ତେରେଛେଇ ଦେଖିଲେ ସ୍ପିଡ଼ୋମିଟରକୁ । ଗାଡ଼ି ଚାଳିଶିରେ ଚାଲିଛି । ଅନୁମାନ କଲେ ଏ ପାଗରେ ଏହାଠାରୁ ଅଧିକ ବେଗରେ ଗାଡ଼ି ଚାଲିବା ସମ୍ଭବ ନୁହେଁ । ହାତଘଣ୍ଟାକୁ ଚାହିଁଲେ, ଛଅଟା ବାଜିଲାଣି । ମାଲକାନଗିରିରେ ପହଞ୍ଚିବାକୁ ନିହାତି ଘଣ୍ଟାଏରୁ ଅଧିକ ସମୟ ଲାଗିବ । ଗାଡ଼ି ଭିତରେ ମଦ୍ୟର ଗନ୍ଧ ଯୋଗୁଁ ପେଟ ଭିତରଟା ତାଙ୍କର ଘାଣ୍ଟି ହେଲା । ମାଲକାନଗିରି ଯିବାକୁ ହେଲେ ସେତକ ଅଶ୍ୱସ୍ତିବୋଧ ନ ସମ୍ଭାଳି ତାଙ୍କର ଉପାୟ ନାହିଁ । ଆଖି ଦୁଇଟା ତାଙ୍କର ସାମ୍ନା ରାସ୍ତା ଉପରକୁ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲୟ ଥିଲା ପଛ ସିଟ୍‌ରେ । ସେ ଅନୁମାନ କରି ପାରୁଥିଲେ ଯୁବକ ଦୁଇଜଣ ଫୁସ୍‌ଫୁସ୍ କଥା ହୋଇ ମଝିରେ ମଝିରେ ଖେଁ ଖେଁ ହୋଇ ହସି ଉଠୁଛନ୍ତି । ଯେମିତି ସେମାନେ ପୁରା ଖୁସି ହୋଇ ଉଠିଛନ୍ତି ମାଛ ଆସି ସ୍ୱତଃ ଖାଳେଇରେ ପଶିଥିବାରୁ । ବାହାରେ ବର୍ଷା, ପବନ, ପୁଣି ଅନ୍ଧାର ରାତି । କେଉଁ ଜନ୍ମର ତପଫଳରେ ପ୍ରକୃତି ତାଙ୍କ ପାଇଁ ସୁଯୋଗଟିଏ ସୃଷ୍ଟି କରି ଚାଲିଛି ମନର ଓରମାନା ମେଣ୍ଟାଇବାକୁ । ଆଉ ଶୃତିଦେବୀ ! ତାଙ୍କ ମୁଖଟି ଦେଖିବାକୁ ଯେତିକି ସୁନ୍ଦର, ଶରୀର ଗଢ଼ଣ ବି ସେହିପରି । ଉତ୍ତେଜକ, ଭାବ ଉଦ୍ରେକ ଶରୀରର ପ୍ରତିଟି ଅଂଶ। କ୍ଷଣିକ ଦେଖାରେ ଲୋଭେଇ ଗଲା ପରି ଆକର୍ଷଣୀୟା କୁମାରୀ । ସେ କିଛି ତ ପାପ କରିଛନ୍ତି ନିଶ୍ଚୟ! ନହେଲେ ଏତେ ସହଜରେ କେମିତି ଗାଡ଼ିରେ ଉଠିଗଲେ ଆଗପଛ ନ ବିଚାରି! ସଙ୍କୁଚିତ ଭୀତତ୍ରସ୍ତ ମନ ନେଇ ସେ ବସିଲେ ରାସ୍ତାକୁ ଚାହିଁ । ଚଳାଇବା ବ୍ୟକ୍ତି ଛଡ଼ା ଅନ୍ୟମାନଙ୍କୁ ଅନ୍ଧାରରେ ଗାଡ଼ି କେଉଁ ଆଡ଼େ ଗତି କରୁଛି ଜାଣିବାର ଅବକାଶ ନାହିଁ । ଏବେ ତାଙ୍କର ଶରୀର, ଲଜ୍ଜା, ମାନ, ଇଜ୍ଜତ ସବୁକିଛି ଏ ତିନି ଜଣଙ୍କ ଦୟା, କାରୁଣ୍ୟ ଉପରେ ନ୍ୟସ୍ତ ।

ଶୃତିଦେବୀ ଅନୁଭବ କଲେ ଗାଡ଼ି ଧିରେ ଧିରେ ଧିମେଇ ରାସ୍ତାର ବାଁ ପାଖରେ ଅଟକିଗଲା । ଚମକି ପଡ଼ି ସେ ଡ୍ରାଇଭରକୁ ଚାହିଁଲେ । କଣ ହେବ ତାଙ୍କର ଏବେ ? କଣ ଚିନ୍ତା କରି ଗାଡ଼ିଟିକୁ ଅଟକାଇଲେ ଏମାନେ ? ତିନି ହେଁ ଆଖିରେ ଆଖିରେ ଈଶାରା କରୁଥିବାର ଶୃତିଦେବୀ ଜାଣି ପାରିଥିଲେ କ୍ଷଣକ ଆଗରୁ । ପ୍ରଥମେ ଡ୍ରାଇଭର ଓହ୍ଲାଇ ପଡ଼ିଲା ଗାଡ଼ିରୁ । ତାପରେ ଅନ୍ୟ ଦୁଇଜଣ ଓହ୍ଲାଇଲେ । ବର୍ଷା ତଥାପି ଝିପି ଝିପି ହେଉଥାଏ । ମଝିରେ ମଝିରେ ବିଜୁଳିର ଚମକ । ତିନି ହେଁ ଗାଡ଼ିର ପଛପଟକୁ ଗଲେ । ହେଡ୍ ଲାଇଟ୍ ସେମିତି ଜଳୁଥାଏ। ନିଜ ନିଜ ଭିତରେ କଣ ସବୁ ପରାମର୍ଶ କରୁଛନ୍ତି ନିଶ୍ଚୟ । ଶୃତିଦେବୀ ପଛକୁ ଫେରି ଚାହିଁଲେ। ନା କେହି ଦିଶୁନାହାନ୍ତି । ବୋଧହୁଏ ସମସ୍ତେ ରାସ୍ତାକଡ଼ ଗଛ ଆଢ଼ୁଆଳରେ କଣ ସବୁ କଥା ହେଉଛନ୍ତି । ଶୃତିଦେବୀଙ୍କ ହୃତ୍ ସ୍ପନ୍ଦନ ବଢ଼ୁଥିଲା କ୍ଷଣକୁ କ୍ଷଣ । ବଡ଼ ଭୁଲ୍‌ଟିଏ ହୋଇଯାଇଛି ତାଙ୍କର । କାର୍‌ରେ ଉଠିବା ଆଗରୁ ତାଙ୍କୁ ଆଉ ଥରେ ଭାବି ଦେଖିବାର ଥିଲା । ଏତେ କେମିତି ବେଖାତିର୍ ବେପରୁଆ ହୋଇ ପାରିଲେ ସେ । ଏଣିକି ବଦଳିଯିବ ତାଙ୍କ ପାଇଁ ଜୀବନର ସଜ୍ଞା । ତାଙ୍କ ଜୀବନରେ ଆସିବ ଏକ ବିରାଟ ମୋଡ଼ ଏଇ କ୍ଷଣିକ ପରଠାରୁ । ସମ୍ମାନର ସହ ଏଯାଏଁ ଜିଇଁ ଆସିଥିଲେ । ଏଣିକି ସମସ୍ତଙ୍କ ଦୟା, ସହାନୁଭୁତିର ଆଖିରେ ଜଳିବେ ସାରା ଜୀବନ । ଆହା, ଚୁ ଚୁ ରେ ଦୁର୍ବିସହ ହୋଇ ଉଠିବ ତାଙ୍କର ଜୀବନର ପ୍ରତିଟି ମୁହୁର୍ତ୍ତ । ତା ସହିତ ଜଳାଇବେ ଆଉ ଦୁଇଟି ହୃଦୟ । ମା ଓ ସାନଭାଇଙ୍କ । ଏବେ ତାଙ୍କର ଉପାୟ ? ବର୍ଷା ଅନ୍ଧାରରେ ନିର୍ଜନ ଜାଗାରେ ସେ ଯଦି ଓହ୍ଲାଇ ଦୌଡ଼ନ୍ତି ମଧ୍ୟ ସେମାନେ ତାଙ୍କୁ ଅକ୍ଳେଶରେ ଧରି ନେଇ ପାରିବେ । ଖସି ଯିବାରେ ସକ୍ଷମ ହେଲେ ବି ଯିବେ କୁଆଡ଼େ ? ଭ୍ୟାନିଟିରୁ ମୋବାଇଲ୍ ବାହାର କଲେ ଶୃତିଦେବୀ । ଘଟଣାଟା ସାଗର ଜାଣି ରଖୁ । ପୋଲିସ୍‌କୁ ବି ଜଣାଇ ପାରିଲେ ଭଲ ହେବ । ତାଙ୍କର କିଛି ଅନିଷ୍ଟ ହେବା ପୂର୍ବରୁ ଅନ୍ତତଃ ଏତିକି ସେ କରି ପାରିବେ । ବର୍ତ୍ତମାନ ହିଁ ସୁଯୋଗ । ସେମାନେ ଆସିଗଲେ ସେ ଆଉ ଫୋନ୍ କରି ପାରିବେ ନାହିଁ । ମୋବାଇଲ୍ କାଢ଼ି ଦେଖିଲେ ନେଟ୍‌ୱାର୍କ୍ ନାହିଁ । ଜଙ୍ଗଲ ରାସ୍ତାରେ ନେଟ୍‌ୱାର୍କ୍ ର ଆଶା କରିବା ବୃଥା । ମନ କହିଲା ଏଇ ମୁହୁର୍ତ୍ତରେ ଛେଚି ଭାଙ୍ଗିଦେବେ ମୋବାଇଲ୍‌କୁ । ପଛରୁ ତିନିଜଣଙ୍କ କଥୋପକଥନ ନିକଟତର ହେଲା । ସେ ତରତରରେ ମୋବାଇଲ୍‌ଟିକୁ ଭ୍ୟାନିଟିରେ ପୁରେଇ ଦେଇ ଚୁପ୍‌ଚାପ୍ ବସିଲେ। ଏକାଥରକେ କାର୍‌ର ତିନୋଟି ଡୋର୍ ଖୋଲିଲା । ଏବେ ଆରମ୍ଭ ହେଇଯିବ ଖେଳ । ଶୃତିଦେବୀଙ୍କ ଗୋଟିଏ ବି ଅନୁରୋଧ ଶୁଣିବା ଅବସ୍ଥାରେ ନଥିବେ ସେମାନେ । ଲାଲ୍ ଲାଲ୍ ଆଖି ଦେଖାଇ ଉତ୍ତେଜିତ ଠାଣିରେ ଭିଡ଼ି ନେବେ ତାଙ୍କୁ କାର୍‌ର ପଛ ସିଟ୍‌କୁ । ତାପରେ… ତାପରେ କଣ ହେବ ଭାବି ପାରିଲେ ନାହିଁ ଶୃତିଦେବୀ । ଭୟରେ ଆଖି ତାଙ୍କର ବୁଜି ହୋଇଗଲା । କିଛି ସମୟ ପରେ ସେ ଅନୁଭବ କଲେ ଗାଡ଼ି ହଲି ଦୋହଲି ଗତିଶୀଳ ହେଉଛି । ଧିରେ ଧିରେ ଗାଡ଼ିର ବେଗ ବଢ଼ୁଛି । ସେ ଆଖି ଖୋଲି ଦେଖିଲେ ଯିଏ ଯାହା ସିଟ୍‌ରେ ଆଗପରି ବସି ସାରିଲେଣି । କିଛି ସମୟ ଗାଡ଼ି ଗଡ଼ିଲା ପରେ ଡ୍ରାଇଭର୍ ତାଙ୍କୁ ଲକ୍ଷ୍ୟ କରି କହିଲା, “ମାଲକାନଗିରିକୁ ଆଉ ମାତ୍ର ପନ୍ଦର କିଲୋମିଟର ରହିଲା ମ୍ୟାଡାମ୍ । ଦେଖୁ ଦେଖୁ ପହଞ୍ଚିଯିବା ।” ଚାରିପଟେ ପୁଣି ନିରବତା । କେବଳ ଗାଡ଼ି ଆଉ ବର୍ଷାର ଧ୍ୱନୀକୁ ଛାଡ଼ିଦେଇ। ପଛରେ କିଏ ଜଣେ ସିଗାରେଟ୍ ରେ ନିଆଁ ଧରେଇଛି । ଶୃତିଦେବୀ କାଚକୁ ଟିକିଏ ତଳକୁ କଲେ । ଥଣ୍ଡା ପବନ ପଶି ଆସିଲା ଭିତରକୁ ତାଙ୍କ ଦେହ ମନକୁ ଥରାଇ । ତାଙ୍କ ଭାରାକ୍ରାନ୍ତ ମସ୍ତିଷ୍କର ଭାବନା ସମୁହକୁ ଉଡେଇ ଦେବା ପାଇଁ ସେତିକି କଣ ଯଥେଷ୍ଟ ହେବ ?

– ଆରେ ଆରେ ଇଏ କଣ କରୁଛନ୍ତି ? କାଚଟାକୁ ଆଉ ଟିକିଏ ଉପରକୁ ଉଠାନ୍ତୁ । ଥଣ୍ଡା ପବନରେ ଦେହ ହାତ କୋଲ ମାରି ଯାଉଛି । ପଛରୁ ଜଣେ ପାଟି କରି ଉଠିଲା । ଅଗତ୍ୟା ସିଗାରେଟ୍ ଧୁଆଁ ତାଙ୍କ ଆଡ଼କୁ ନ ଆସିଲା ପରି ଝରକାକୁ ଅଳ୍ପ ଫାଙ୍କା ରଖି ବସିଲେ ଶୃତିଦେବୀ । ପଛରୁ ପୁଣି ଶୁଭିଲା ଫୁସ୍‌ଫାସ୍ ଟୁପ୍ ଟାପ୍ କଥାବାର୍ତ୍ତା । କାନେଇ ରହିଲେ ବି କିଛି ସ୍ପଷ୍ଟ ହେଉନଥିଲା ଶୃତିଦେବୀଙ୍କୁ। ଆଶା ଆଶଙ୍କାର ଦୋଛକିରେ ସେ ଦୋଳାୟମାନ । ଗାଡ଼ି ମାଲକାନଗିରି ଦିଗରେ ଗତିଶୀଳ ଅଥବା ଅନ୍ୟ କେଉଁ ଆଡ଼େ ବାରିବା କଷ୍ଟ । ଚୁପ୍‌ଚାପ୍ ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା ଅନ୍ୟ କିଛି ଉପାୟ ନ ଥିଲା ଶୃତିଦେବୀଙ୍କର । ସେ ପୁଣି ଥରେ ତେରେଛେଇ ଚାହିଁଲେ ସ୍ପିଡ଼ୋମିଟରକୁ । ଗାଡ଼ି ଷାଠିଏରେ ଚାଲିଛି । ଅଙ୍କା ବଙ୍କା ଅନ୍ଧାର ନିର୍ଜନ ରାସ୍ତାକୁ ଚିରି ଗାଡ଼ି ନିର୍ବିଘ୍ନରେ ସାଏଁ ସାଏଁ ଆଗେଇ ଚାଲିଛି।

– ମ୍ୟାଡାମ୍, ମାଲକାନଗିରି ଆସିଗଲା। ଆପଣ କେଉଁଠି ଓହ୍ଲାଇବେ। ଡ୍ରାଇଭର୍‌ର ଏତକ କଥାରେ ଶୃତିଦେବୀ ଲକ୍ଷ୍ୟ କଲେ ଗାଡ଼ି ଅକ୍ଟ୍ରାଇ ଗେଟ୍ ପାର ହେଉଛି । ଆଉ ଟିକିଏ ଆଗକୁ ଗଲେ ପେଟ୍ରୋଲ୍ ଟାଙ୍କି। ତାପରେ ବସ୍‌ଷ୍ଟାଣ୍ଡ୍।

– ମ୍ୟାଡାମ୍… ପୁଣି ଥରେ ଡ୍ରାଇଭର୍ ର ଡାକରେ ଶୃତିଦେବୀ ପ୍ରକୃତିସ୍ଥ ହେଲେ।

– ହଁ, ଆଉ ଟିକିଏ ଆଗରେ… ସୁବାସ ବୋଷ ଛକରେ ଛାଡ଼ିଦିଅ ।

ଗାଡ଼ି ଧିର ହୋଇ ବାଁ ପାଖରେ ଅଟକିଲା। ଶୃତିଦେବୀ ନିଜକୁ ବିଶ୍ୱାସ କରି ପାରୁନଥିଲେ।

– ମ୍ୟାଡାମ୍, ଜଲ୍ଦି କରନ୍ତୁ । ଆମକୁ ଆହୁରି ସତୁରୀ କିଲୋମିଟର ବାଟ ଯିବାକୁ ହେବ।

– ଏଁ, ହଁ…

ଭ୍ୟାନିଟି ଧରି ଡୋର୍ ଖୋଲି ଓହ୍ଲାଇ ପଡ଼ିଲେ ଶୃତିଦେବୀ । ପାଦ ତାଙ୍କର ମାଟି ଉପରେ ସ୍ଥିର ହୋଇ ପାରୁନଥିଲା।

କାର୍ ଗତିଶୀଳ ହେଲା । ବର୍ଷା ପୁଣି ଥରେ ଆରମ୍ଭ ହୋଇ ଯାଇଥିଲା । ଶୃତିଦେବୀ ଭିଜୁଥିଲେ ଗୋଟାପଣେ । ବର୍ଷାରେ ???

କିଛି ଦୂର ଯାଇ ଗାଡ଼ି ପୁଣି ପଛକୁ ଫେରିଲା।

– ମ୍ୟାଡାମ୍ ଆପଣଙ୍କ ଛତା । ବର୍ଷାରେ ବି ଆପଣ ଛତା କେମିତି ଭୁଲିଗଲେ ?

ପଛ ସିଟ୍‌ର ଯୁବକଟି ବଢ଼ାଇ ଦେଉଛି କାର୍‌ରେ ଅନ୍ୟମନସ୍କ ଭାବରେ ଛାଡ଼ି ଆସିଥିବା ତାଙ୍କର ଛତାଟିକୁ । ଶୃତିଦେବୀ କମ୍ପିତ ହସ୍ତରେ ଧରିଲେ ଛତାଟିକୁ । ଭାବୁଥିଲେ, ଏ ଛତାର ଆବଶ୍ୟକତା କଣ ? ଅଭଦ୍ରାମିର ଖୋଳ ଭିତରେ ଭଦ୍ର ଭାବନା ସହ ବଞ୍ଚୁଥିବା ବ୍ୟକ୍ତିତ୍ୱ ମାନଙ୍କ ଆଗରେ ଯଦି ଏ ଶରୀରର ବାହାରଟା ଭିଜିଯାଏ ବର୍ଷାରେ, ଅସୁବିଧା କେଉଁଠି ? କାରଣ ଶୃତିଦେବୀଙ୍କ ଅନ୍ତରଟା ତ କେତେବେଳୁ ଭିଜି ସାରିଲାଣି ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ । ଧନ୍ୟବାଦର ଅପେକ୍ଷାଟିଏ ବି ଯେଉଁମାନେ ରଖନ୍ତି ନାହିଁ ମନରେ !!! ଶୃତିଦେବୀ ଅନୁଭବ କଲେ ସେ ଯେପରି ତରଳି ବୋହି ଯାଉଛନ୍ତି ପାଣି ପାଣି ହୋଇ ବର୍ଷାଧାର ସହ । ଅସ୍ତିତ୍ୱ ତାଙ୍କ ଭିଜା ଭିଜା ଏଇ ଏଇ ଛାଡ଼ି ଚାଲି ଯାଇଥିବା ତିନିଜଣ ଅତିଭଦ୍ର ଅସାମାଜିକ ଦୁର୍ବୃତ୍ତଙ୍କ ମାନବିକତାରେ ।

ଲୋକପ୍ରିୟ ଲେଖା

To Top