ଗଳ୍ପ

ଭିନ୍ନ ଏକ ଏକଲବ୍ୟ

Subal Mohapatra's odia story Bhinna Eka Ekalabya

ବାବୁ ଇଆଡ଼େ ଗପ ଉପରେ ଗପ ଲେଖି ଚାଲିଛନ୍ତି । ସମ୍ପାଦକ ଏଇଲେ ଅଗ୍ରିମ ଦେଇ କିଣି ନେବେ ସବୁ ।

ଭିନ୍ନ ଏକ ଏକଲବ୍ୟ

ରଖ ହୋ ତମ ଗପ…

ଏପଟେ ହାଣ୍ଡି ମାଙ୍କଡଚିତ ମାରୁଛି, ସେପଟେ ବାବୁଙ୍କ ଗପ ଲେଖା ସରୁନି…

ମୋ ବାପା କାହିଁକି ଏ ଅଳସୁଆ ହାତରେ ମୋତେ ବାନ୍ଧିଲେ କେଜାଣି…

ଗପ ଲେଖା ତ ଏମିତି ଚାଲିଛି ଯେ… ଯେମିତି ବ୍ରହ୍ମାଙ୍କ ବେଦ…

ଲୋକ ସବୁ ତ ଅନେଇ କି ବସିଛନ୍ତି ତମ ଗପ ପଢିବା ପାଇଁ…

ଘର ଆଗରେ କେତେ ଲମ୍ବା ଲାଇନ ଲାଗିଛି ଦେଖୁନ…

ଯାଅ ଯାଅ, ଆଳୁ ଦି କିଲୋ ଆଣିଲେ ରୋଷେଇ ହବ । ସେପଟେ ପିଲାଟାର ଦେହ ଖରାପ ଯେ ଦି ଦିନ ହେଲା ମୁହଁ ରେ ପଥି ଟିକେ ଦେବାକୁ ପଇସା ନାହିଁ । ବାବୁ ଇଆଡ଼େ ଗପ ଉପରେ ଗପ ଲେଖି ଚାଲିଛନ୍ତି । ସମ୍ପାଦକ ଏଇଲେ ଅଗ୍ରିମ ଦେଇ କିଣି ନେବେ ସବୁ ।

ଯାଅ ଯାଅ …

ସ୍ତ୍ରୀ କୌଶଲ୍ୟା ପାଖରୁ ତାଚ୍ଛଲ୍ୟ ପୁର୍ଣ ବାକ୍ୟ ମାନ ଶୁଣି କାନ ମୁଣ୍ଡ ଝାଇଁ ଝାଇଁ କରୁଥିଲା ରମେଶ ଦାସଙ୍କର । ଲେଖକ ଟିଏ ସେ । ଚାକିରୀ କରି ଲେଖିବାକୁ ସମୟ ଅଣ୍ଟିଲାନି ବୋଲି ଚାକିରୀ ଖଣ୍ଡିକ ଛାଡି ଯେଉଁ ଦର୍ପରେ ଚାଲିଆସିଥିଲେ ଆଜି ମନ ଘର ଧରି ଗଲାଣି ତାଙ୍କର । ବାପା ଦିନେ କହିଥିଲେ “ଗପ ଲେଖାରେ କେବେ ପେଟ ପୂରେନି “। ଆଜି ଅଙ୍ଗେ ନିଭାଉଛନ୍ତି ସେ ।

ମନେ ପଡିଯାଉଥିଲା ସେ ଦିନ ଗୁଡିକ ….

ସ୍କୁଲ ଜୀବନରୁ ଆରମ୍ଭ ହୋଇ ଯାଇଥିଲା ଲେଖାଲେଖି । ଅଷ୍ଟମ ଶ୍ରେଣୀ ରେ ପଢିଲା ବେଳେ ଯେତେବେଳେ ପ୍ରଥମ କରି ଗଳ୍ପଟିଏ ଲେଖି ସାଙ୍ଗ ମାନଙ୍କୁ ଦେଖେଇଲେ କିଛି ଖୁସି, କିଛି ଦୁଃଖ, କିଛି ଈର୍ଷା ଆଉ କିଛି ପିଠିଥାପୁଡ଼ା ପାଇ ସେ ମିଶାମିଶି ମନୋରଥ ନେଇ ଫେରିଥିଲେ ଘରକୁ । ଯେତିକି ଉତ୍କଣ୍ଠାର ସହ ସେ କହିଥିଲେ ସାଙ୍ଗ ମାନଙ୍କୁ ସେତିକି ପ୍ରଶଂସା ନପାଇ ମନ ଭାଙ୍ଗି ଯାଇଥିଲା ତାଙ୍କର । କିଛି ଦିନ ପରେ ପୁଣି ଗଳ୍ପଟିଏ ମନ ଭିତରେ ଗୋଳେଇ ଘାଣ୍ଟି ହେଲା । ମନକୁ ବହୁତ ଚାପି ରଖି ଏଡେଇ ଯାଉଥିଲେ ସେ, କିନ୍ତୁ ଦିନେ ରାତି ଅଧାରେ ଉଠି ଗଳ୍ପଟି ରଫ ଖାତାରେ ଲେଖି ସାରିଲା ପରେ ଯାଇ ପୁଣି ଥରେ ନିଦ ହେଲା । ସେଇ ଦିନୁ ଭଲ ପାଇ ଯାଇଥିଲେ ଗଳ୍ପକୁ । ହେଲେ ଗଣିତ ପିରିୟଡ଼ରେ ରଫ ଖାତାରେ ଗଣିତ କଷି ସାରଙ୍କୁ ଦେଖିବାକୁ ଦେଇ ସେ ହରଡ ଘଣା ରେ ପଡି ଯାଇଥିଲେ । ଭଗବାନଙ୍କୁ ଯେତେ ଡାକିଥିଲେ ବି ଗଣିତ ସାରଙ୍କ ନଜରରୁ ବଞ୍ଚି ପାରି ନଥିଲା ଗଳ୍ପଟି । ସେଦିନ ପିଠିରେ ନୋଳା ଫାଟିଲା ପରେ ଅପର୍ଯ୍ୟାପ୍ତ ଗାଳି ଥିଲା ତାଙ୍କ ପାରିଶ୍ରମିକ । ଦେଖୁ ଦେଖୁ ସ୍କୁଲସାରା ଏ କଥାଟି ରାଷ୍ଟ୍ର ହୋଇ ଯାଇଥିଲା । ସାହିତ୍ୟ ଦିଦି ମଗେଇଥିଲେ ଖାତା ଟି ଦେଖିବା ପାଇଁ । କିନ୍ତୁ ଗପଟି ସେତେବେଳେ କାଗଜ ଟୁକୁରାରେ ପରିଣତ ହୋଇ ସାରିଥିଲା ରାଗରେ । ରମେଶ କୁ ଦୁଇ ଆଖିରେ ଦେଖି ପାରୁନଥିବା କିଛି ସାଙ୍ଗ, କାଗଜ ଟୁକୁରା ଗୁଡିକୁ ଏକାଠି କରି ଅଠାରେ ଯୋଡି ସାହିତ୍ୟ ଦିଦିଙ୍କ ପାଖରେ ପହଞ୍ଚେଇଥିଲେ ଆଉ କିଛି ମାଡ଼ ଖୁଏଇବା ଚକ୍ରାନ୍ତରେ ।

ଡରି ଡରି ସେ ଯାଇଥିଲେ ଟିଚର କମନ ରୁମକୁ, ଆଖିରେ ଆଖିଏ ଲୁହ, ଡରରେ ପାଦ ଦୁଇଟି ଚାଲିବାକୁ ଅକ୍ଷମ, ହାତ ଦୁଇଟି ଗାଲରୁ ତଳକୁ ଖସିବାକୁ ଅନିଛୁକ ଥିବା ବେଳେ, ସାହିତ୍ୟ ଦିଦି କୋଳେଇ ନେଇଥିଲେ ଆଉ ଚିହ୍ନି ପାରିଥିଲେ ତାଙ୍କ ପ୍ରତିଭାଟିକୁ । ବାଃ… କି ସୁନ୍ଦର.. କି ମୌଳିକ ଚିନ୍ତାଧାରା… ଅଦ୍ଭୁତ.. ପରି ଶବ୍ଦ ଗୁଡିକ ଆସି ପିଟି ହେଉଥିଲେ କର୍ଣ୍ଣ ଗହ୍ୱରରେ । ନିଜକୁ ବିଶ୍ୱାସ ହେଉ ନଥିଲେ ବି, ଗଣିତ ସାରଙ୍କୁ ଛାଡି ଅନ୍ୟ ସାର ଆଉ ଦିଦି ଙ୍କ ତାଳି ମାଡ଼ରେ ସମ୍ବିତ ଫେରିପାଇଥିଲେ ସେ । ଶିକ୍ଷକ ମାନଙ୍କ ତରଫରୁ ଦୁଇ ଟଙ୍କାର ମୁଢି ମିକ୍ସଚର ଆଉ ଦୁଇଟି ନଡିଆକୋରା ଥିଲା ତାଙ୍କ ପ୍ରାପ୍ୟ ସେଦିନର, ଆଉ ସାହିତ୍ୟ ଅନୁଗାମୀ କରେଇବା ପାଇଁ ତାଙ୍କର ପ୍ରଥମ ଖୋରାକି । କିଛି ଦିନ ପରେ ସ୍କୁଲରେ ତାଙ୍କ ନାଁ ହୋଇଥିଲା ଲେଖକ । ଗଣିତ ସାର ତାଚ୍ଛଲ୍ୟର ସହ ଲେଖକ ଡାକୁଥିବା ବେଳେ ଅନ୍ୟ ସାର, ଦିଦି ମାନେ କିନ୍ତୁ ଡାକୁଥିଲେ ସ୍ନେହର ସହ । ସାହିତ୍ୟ ଦିଦି ସବୁଦିନ କିଛି କିଛି ଲେଖିବାକୁ ପରାମର୍ଶ ବି ଦେଉଥିଲେ ଆଉ ଗପ ଗୋଟିଏ ଲେଖି ଦେଖେଇବା ପରେ ପାରିଶ୍ରମିକ ମିଳୁଥିଲା ଦୁଇଟି ନଡ଼ିଆ କୋରା ଅବା ରାଶି ଲଡୁ ।

* * * * * * * * * * * * * * * *

କଲେଜ ମ୍ୟାଗାଜିନ୍‌ରେ ରମେଶଙ୍କ ଗପଟି ପ୍ରଥମ ପ୍ରାଇଜ ପାଇଲା ପରେ କେତେ ଝିଅ ଯେ ତାଙ୍କୁ ପ୍ରପୋଜ କରିଥିଲେ ତା ର ହିସାବ ବି ସେ ରଖି ନଥିଲେ । ଏତିକି ମନେଥିଲା ଯେ ସବୁଦିନ ଜଣେ ଦୁଇ ଜଣ ଆସି ଗପଟି ବହୁତ ଭଲ ହୋଇଛି କହିବା ଛଳରେ ଆଖିରେ ଆଖିରେ ଦେଇ ଯାଉଥିଲେ ପ୍ରେମ ସନ୍ଦେଶ । ଆସ୍ତେ ଆସ୍ତେ ଗପ ଗୁଡିକୁ ସେ ପଠେଇବା ଆରମ୍ଭ କରିଥିଲେ ବିଭିନ୍ନ ମ୍ୟଗାଜିନ୍‌, ଦୈନିକ ଖବରକାଗଜ, ସାପ୍ତାହିକି, ମାସିକ ପତ୍ରିକା, ପୂଜା ସଂଖ୍ୟା ପରି ଅନେକ ପତ୍ରିକାକୁ । କିଛି ବାହାରେ ଆଉ କିଛି ବାହାରେନି । ବେଳେ ବେଳେ କିଛି କିଛି ପାରିଶ୍ରମିକ ସହ ସୌଜନ୍ୟ ମୂଳକ କପି ଟିଏ ଆସିଥାଏ ଡାକରେ । ଗପମନସ୍କ ସେ ଏତେ ହୋଇଯାଇଥିଲେ ଯେ ଭୁଲି ଯାଇଥିଲେ ପାଠପଢା, କଲେଜ କ୍ଲାସ, ଟିଉସନ ପରି ଜାଗା ଗୁଡିକୁ । ସମୟ ତାଙ୍କର କଟୁଥିଲା ବିଲ ମଝିରେ, ପୁଷ୍କରିଣୀ କୂଳରେ, କେଉଁ ପଡିଆ ମଝିରେ ଅବା ହଷ୍ଟେଲର ଛାତ ଉପରେ । ପ୍ରଥମବର୍ଷ ପରୀକ୍ଷାଫଳର ଲଫାପା ଟି କଲେଜ ଅଧ୍ୟକ୍ଷଙ୍କଠୁ ଡାକରେ ପାଇ, ବାପା ଡକେଇଥିଲେ ତାଙ୍କ ଗୁଣମନ୍ତ ପୁତ୍ରକୁ ଆଉ ପିଠିରେ ଚାରୋଟି ଅମରି ବାଡ଼ି ସହ ଗୁହାଳରେ ଥିବା ପାଞ୍ଚଣଟିର ସେଦିନ ଅକାଳ ବିୟୋଗ ଘଟିଥିଲା । ପରଦିନ ସକାଳୁ ବାପା ଡାକିଲେ ସ୍ନେହରେ । ପାଖରେ ବସେଇ ବନ୍ଧୁଟିଏ ପରି ବୁଝେଇଥିଲେ ଜୀବନ ର ଗୁଢ ରହସ୍ୟ । କହିଥିଲେ “ଗପ ଲେଖା ରେ କେବେ ପେଟ ପୂରେନି”, ଯେତିକି ହେଜିବୁ, ସେତିକି ଉଧେଇବୁ । ଯା, ଆଜିଠୁ ମୁଁ ମଲା ଯାଏ ଆଉ କେବେ ତୋ ଦେହରେ ହାତ ଦେବିନି । ଯାହା ଇଚ୍ଛା ତା କର । କିନ୍ତୁ ଦିନେ ନା ଦିନେ ତୁ ମନେ ପକେଇବୁ ଏ କଥା ଟିକୁ । ଦି ବର୍ଷ ପରେ ବାପା ଚାଲିଗଲେ । ସେ ଗଲା ପରେ ବୋଉର ବାହୁନାରୁ ସେ ଜାଣିଲେ ଯେ , ସେଦିନ ବାପା ୟାଙ୍କୁ ବାଡେଇ ସାରିଲା ପରେ ଦିନ ସାରା କିଛି ଖାଇ ନଥିଲେ କି ପାଣି ଟୋପେ ବି ପିଇ ନଥିଲେ । ଜୀବନ ରେ ସବୁବେଳେ ହସ ହସ ମୁହଁରେ ଥିବା ବାପା ସେଦିନଠୁ କେମିତି ଉଦାସ ହୋଇ ଯାଇଥଲେ, ମଲା ଯାଏ ।

କଲେଜ ଟି ଯେନ ତେନ କରି ପାସ କରିଯାଇଥଲେ ବି ପ୍ରଥମରୁ ପାଠରେ ଅବହେଳା ତାଙ୍କୁ ଦ୍ଵିତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀ ଯାଏ ଆସିବାକୁ ଦେଲାନି । ଗ୍ରାଜୁଏଟ ହେଲା ପରେ ବହୁ କଷ୍ଟରେ କୁହା ବୋଲା କରି, ମଉସା, ପିଉସା କହି ଚାକିରୀ ଖଣ୍ଡେ ହାତେଇଥିଲେ ସେ । ମାସକୁ ମାସ ପଇସା ଆସିବାରେ ଲାଗିଥିଲା । ଚଳିବାକୁ ଅସୁବିଧା ନଥିଲା । ଗାଁ ବିଲରୁ ଅମଳ ତକ, ମା ର ଖାଇ ପିଇ ବଳୁଥିଲା, ତେଣୁ ୟାଙ୍କ ଉପରେ କିଛି ବର୍ଡନ ନ ଥିଲା । ଏବେ ମନ ପୁଣି ଡାକୁଥିଲା ଗଳ୍ପ ଆଡେ । ବାପାଙ୍କ କହିବା ଅନୁସାରେ ଏବେ ତ ଆଉ କିଛି ଅସୁବିଧା ନାହିଁ । ଖାଲି ସମୟ ତକ ଗଳ୍ପ ଲେଖିବାରେ ଅସୁବିଧା କଣ ? ପୁଣି ସେ ପଶି ଯାଇଥିଲେ ଗଳ୍ପର ପରିଧି ଆଉ ପରିସୀମା ମାପିବା ପାଇଁ । ଗପ ଲେଖିବା ଆରମ୍ଭ କରିବା ମାତ୍ରେ ୟାଙ୍କର ବାଚାଳାମି କିନ୍ତୁ ଧରି ପାରିଥିଲା ବୋଉ । ଆଉ ଝିଅ ଖୋଜିବା ଆରମ୍ଭ କରି ଦେଇଥିଲା । କିଛି ମାସ ପରେ ବିନା ଆଡମ୍ବରରେ ବାହାଘର ସରିଯାଇଥିଲା । ସ୍ତ୍ରୀ କୁ ମା ପାଖରେ ଛାଡି ପୁଣି ଥରେ ଚାକିରୀ ଜାଗାରେ ଗପକୁ ପ୍ରେମିକା ଆଉ ପତ୍ନୀ ହିସାବରେ ସଜେଇ ଆନନ୍ଦ ସାଉଣ୍ଟୁଥିଲେ ରମେଶ ବାବୁ । ବର୍ଷେ ଗଲା, ଦୁଇ ବର୍ଷ ଗଲା, ତିନି ବର୍ଷ ଗଲା । କୋଳକୁ ଛୁଆଟିଏ ନ ଆସିବାରୁ ବୋଉର ସମ୍ପା ଆରମ୍ଭ ହୋଇ ଯାଇଥିଲା କିନ୍ତୁ ସ୍ୱାମୀଙ୍କ ଗଳ୍ପ ଲେଖା ନିଶା କୁ ସ୍ତ୍ରୀ ର ଗଳ୍ପ ପଢା ନିଶା ବଳି ଯାଇଥିଲା ।

ମାସକୁ ଥରେ ଘରକୁ ଆସିଲେ ସ୍ୱାମୀ ସ୍ତ୍ରୀ ଗଳ୍ପ ଆଲୋଚନା ସାଙ୍ଗକୁ ନୂଆ ନୂଆ ଗଳ୍ପ ପାଇଁ ପ୍ଲଟ ଖୋଜିବାରେ ରାତି ପାହି ଯାଉଥିଲା । ପ୍ରଥମେ ପ୍ରଥମେ କୌଶଲ୍ୟା, ଗପକୁ ଭଲ ନ ପାଉଥିଲେ ବି ସ୍ୱାମୀଙ୍କ ମନଦୁଃଖ ହେବ ବୋଲି ଭାବି ଆଦରି ନେଇଥିଲେ ଗଳ୍ପର ଆଲୋଚନା କୁ ଆଉ ଉତ୍‌ଫୁଲ୍ଲିତ ହେଉଥିଲେ ସ୍ୱାମୀଙ୍କ ଖୁସି ଦେଖି । ଆସ୍ତେ ଆସ୍ତେ ସେ ବି ଟାଣି ହେଇ ଯାଇଥିଲେ ଗପର ବଳୟ ଭିତରକୁ ଯେଉଁଠି ସେ ଖୋଜି ପାଉଥିଲେ ଅନ୍ୟ ଏକ ଦୁନିଆଁ ନୀତିଦିନ ପ୍ରତିକ୍ଷଣରେ । ଯେତିକି ଯେତିକି ଭିତରକୁ ଭିତରକୁ ଯାଉଥିଲେ ସେତିକି ସେତିକି ସେ ଦେଖିବାକୁ ପାଉଥିଲେ ଅନ୍ୟ ଏକ ସଂସାର ଯେଉଁଠି ନା ଅଛି ଜଞ୍ଜାଳ, ନା ଅଛି ଭଲ ପାଇବା, ନା ଅଛି ସ୍ନେହ, ନା ଅଛି ରାଗ ରୁଷା । ଅଛି ତ ସବୁ କିଛି କିନ୍ତୁ ସ୍ୱପ୍ନର ଦୁନିଆଁ ରେ ଏବଂ କିଛି କ୍ଷଣ ପାଇଁ । ବହିରୁ ମୁହଁ ଉଠେଇଲେ ହଜି ଯିବ ସବୁକିଛି ପୁଣି ମୁହଁ ଫେରେଇଲେ ଫେରି ଆସିବ ସବୁକିଛି । ବାଃ… କି ସ୍ୱପ୍ନିଳ ଏ ଦୁନିଆଁ । ଖୁବ ବଢିଆ… ।

ଶାଶୁଙ୍କ ସମ୍ପାକଟା ପରେ କୌଶଲ୍ୟା ଫେରି ଯାଇଥିଲେ କଳ୍ପନାରୁ ବାସ୍ତବ ଜୀବନକୁ ପୁଣି ଥରେ ଆଉ ଲାଗିଯାଇଥିଲେ ସଂସାରର ନିୟମ ବଞ୍ଚେଇବା ପାଇଁ । କୋଳକୁ ପିଲା ଟିଏ ଆସିବା ପରେ, ତାଙ୍କ ସ୍ୱପ୍ନ ବଦଳି ଯାଇଥିଲା । ଜଞ୍ଜାଳ ବଢି ଯାଇଥିଲା । ଭଲ ପାଇବା ଓ ରାଗ ରୁଷା ପ୍ରାକୃତିକ ହୋଇ ଯାଇଥିଲା ଆଉ ସେ ଜାଣି ପାରୁଥିଲେ ଏ ଦୁଇଟି ଭିତରେ ପାର୍ଥକ୍ୟ । ରମେଶ ବାବୁ କିନ୍ତୁ ବାହାରି ପାରି ନଥିଲେ ସେ ଦୁନିଆଁ ରୁ । ଏତେ ଦିନ ଧରି ଯିଏ ନିଶାଗ୍ରସ୍ତ କରି ରଖିଛି ସେ କଣ ଛାଡ଼ିଯିବ ଏତେ ଶୀଘ୍ର ?

ଘରେ ଖାଇବା ପିଇବାର ଅଭାବ ନଥିଲା । ଚାକିରୀ ପଇସାରେ ନିଜେ ଚଳି ଅଳ୍ପ କିଛି ସଞ୍ଚୟ ମଧ୍ୟ ହେଉଥିଲା । ଗଳ୍ପ ଲେଖାର ନିଶା ଆସ୍ତେ ଆସ୍ତେ ବଢି ବଢି ଚାଲିଥିଲା ଆଉ ସମତାଳରେ ବଢି ଚାଲିଥିଲା ବହିଟିଏ ଛପେଇବାର ଜିଜ୍ଞାସା । ଘରେ ନ ଜଣେଇ ନିଜର ସଞ୍ଚିତ ଅର୍ଥ ସହ ଆଉ କିଛି ହାତ ଉଧାରୀ ପରେ ଆରମ୍ଭ ହୋଇଥିଲା ବହି ସଂକଳନ ର କାର୍ଯ୍ୟ । ଯେତେ ପତ୍ର ପତ୍ରିକା ରେ ବାହାରିଲେ ମଧ୍ୟ ନାମୀ ଦାମୀ ଲେଖକ ନହେଲେ ବହି ଟିଏ ଛାପିବା କେତେ ଯେ କଷ୍ଟକର କାର୍ଯ୍ୟ ଏ କଥା ଆସ୍ତେ ଆସ୍ତେ ସେ ବୁଝି ପାରୁଥିଲେ । ଏତେ ଧାଁ ଦଉଡ ଭିତରେ ଅଫିସ କାର୍ଯ୍ୟରେ ବିଳମ୍ବ ଘଟୁଥିଲା ଆଉ ଗୋଟେ ପରେ ଗୋଟେ ନୋଟିସ ଆସି ପହଞ୍ଚୁ ଥିଲା ତାଙ୍କ ଟେବୁଲ ଉପରେ । କିନ୍ତୁ ସବୁକୁ ଅଣଦେଖା କରି ସେ ଚାଲିଥିଲେ ନିଜ ସ୍ୱପ୍ନରେ । ଶୋଇ ଶୋଇ ମୁକ୍ତ ଆକାଶରେ ଇନ୍ଦ୍ରଧନୁ ବିଛାଉଥିଲେ ତ କେବେ କେବେ ଅମାବାସ୍ୟାର ଅନ୍ଧକାର ରେ ମଧ୍ୟ ତାଙ୍କୁ ଇନ୍ଦ୍ରଧନୁ ଦେଖା ଯାଉଥିଲା । କହିବା ବାହୁଲ୍ୟ ତାଙ୍କ ବହି ଟିର ନାଁ ଥିଲା “ଇନ୍ଦ୍ରଧନୁ” ।

କାଳର କରାଳ ରୂପରୁ କେହି କେବେ ବଞ୍ଚି ନାହିଁ କି ବଞ୍ଚିବ ନାହିଁ । ବେଳେ ବେଳେ ଏମିତି ସମୟ ଆସେ ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ କହନ୍ତି ଶନିଦଶା । ଏପରିକି ଗାଁ ଗହଳିରେ ଜଣେ ଅନ୍ୟ ଜଣଙ୍କୁ ଅଭିଶାପ ଦେବା ଛଳରେ ବି କହନ୍ତି ତୋତେ ଶନିଦଶା ପଡୁ । ଏହିପରି କିଛି ସମୟ ଆସିଲା ବୋଧେ । ଅଫିସରେ କାର୍ଯ୍ୟରେ ଅବହେଳା ଯୋଗୁଁ ତାକୁ ଚତୁର୍ଥ ନୋଟିସ ବି ଆସି ସାରିଥିଲା । ପରେ ପରେ ବଡ଼ବାବୁଙ୍କ ସହୃଦୟତା ଓ ତାଙ୍କ ଦୂର ସମ୍ପର୍କୀୟ ଶଳା ପ୍ରେମ ପାଇଁ ୟାକୁ ଚାକିରୀ ଖଣ୍ଡିକ ହରେଇବାକୁ ପଡିଥିଲା । ୟାଙ୍କ ଜାଗାରେ ନିଯୁକ୍ତି ମିଳିଥିଲା ବଡ ବାବୁଙ୍କ ଦୂର ସମ୍ପର୍କୀୟ ଶଳା କୁ । ଚାକିରୀ ଖଣ୍ଡିକ ଛାଡି ବୀର ଦର୍ପରେ ଚାଲିଆସିଥିଲେ । “ଗାଁ ରେ ଚାଷ ତ ଅଛି, ବହି ଖଣ୍ଡିକ ବାହାରି ଗଲେ ପଇସା ଆସି ଯିବନି? ଯେତେ ଚେଷ୍ଟା କଲେ ବି ଏମାନେ ମୋର କିଛି କରି ପାରିବେନି । ଗାଁ ଜମି ରୁ ମିଳୁଥିବା ଖୋରାକି ରେ ମା, ଛୁଆ ଚଳିଯିବେ” । ଏ ପ୍ରକାର ମନୋବୃତି ନେଇ ବଡ଼ବାବୁଙ୍କୁ ଦି ପଦ କଡା କଥା ବି ଶୁଣେଇବାକୁ ବି ପଛେଇ ନଥିଲେ । ଫଳରେ ତାଙ୍କ ସାର୍ଟିଫିକେଟ ରେ ଲାଗିଥିଲା ନାଲି ଗାର ଓ ପରେ ବହୁତ ଚେଷ୍ଟା ପରେ ବି ଚାକିରୀ ଖଣ୍ଡିଏ ମିଳିନଥିଲା ଆଉ କେଉଁଠି ।

କୁହନ୍ତି ଶନି ଯଦି ଆଖି ପକେଇଲା ତଳିତଳାନ୍ତ କରି ଛାଡିବା କଥା ଛାଡିବ । ବିପଦ ଯେତେବେଳେ ଆସେ ସେ ତା ସାଙ୍ଗ ସାଥି ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ଧରି ଆସେ । ବାଡ଼ିକି ଶୌଚ ହେବା ପାଇଁ ଯାଇଥିବା ବୋଉ, ଝୁଣ୍ଟି ପଡି ପ୍ରାଣ ହରେଇ ଥିଲା । ବୋଉର ଦଶାହ ସାରି ଫେରିଲା ବେଳକୁ ବହି ଛାପିବାକୁ ଟଙ୍କା ନେଇଥିବା ପ୍ରେସ୍‌ଟି ସବୁଦିନ ପାଇଁ ବନ୍ଦ ହୋଇ ସାରିଥିଲା ଓ ପ୍ରେସ ମାଲିକ ଅନ୍ୟୁନ ପଚାଶ ସରିକି ଲୋକଙ୍କ ଠାରୁ ପଇସା ଧରି ଚମ୍ପଟ ମାରିଥିଲା । ଏପଟେ ଉଧାର ଆଣିଥିବା ଲୋକ ମାନେ ଏ ସବୁ ଜାଣିବା ପରେ, ପଇସା ବୁଡିଯିବା ଭୟରେ ତାକୁ ଉଠେଇ ବସେଇ ବି ଦେଉ ନଥିଲେ । ଯାହା ଫଳରେ ତାକୁ ବିକ୍ରି କରିବାକୁ ପଡିଥିଲା ସ୍ତ୍ରୀ ର ଗହଣା ।

ସ୍ତ୍ରୀ ଲୋକ ସବୁ ସହିବେ କିନ୍ତୁ ତା ସ୍ୱାମୀ ଓ ତା ଗହଣା ଉପରେ ଆଖି ପକେଇଥିବା ଲୋକକୁ ସହିବେନି । ସ୍ୱାମୀ ଉପରେ ଆଖି ପକେଇଥିବା ସ୍ତ୍ରୀ ଲୋକ ଆଉ ଗହଣା ଉପରେ ଆଖି ପକେଇଥିବା ସ୍ୱାମୀ ଙ୍କୁ ସେ କେବେ ବି ଛାଡ଼ନ୍ତି ନାହିଁ । ଗହଣା ବିକ୍ରି ହେବା ପରଠୁ, ଏବେ ଯାଏ ମନ ଭିତରେ ଭଲ ପାଉଥିବା ଗଳ୍ପକୁ ସବୁ ଦୋଷ ମୁଣ୍ଡେଇବାକୁ ପଡିଥିଲା ଆଉ କୌଶଲ୍ୟା ? ଗପବହି, ପତ୍ର ପତ୍ରିକାକୁ ନିଜ ସଉତୁଣୀ ତୁଲ୍ୟ ମନେ କରୁଥିଲେ । ସମୟାନୁକ୍ରମେ ରେ କୌଶଲ୍ୟା ଓ ପୁଅ ଆସି ସାରିଥିଲେ ସହରକୁ । ଘରଭଡା ପଇସା ଅଧିକ ହେବାରୁ ରହିବାକୁ ପଡୁଥିଲା ସହର ତଳି ବସ୍ତିରେ । ଗାଁ ର ଜମି ବାଡ଼ି ଆସ୍ତେ ଆସ୍ତେ ବିକ୍ରି ହେବାକୁ ବସିଥିଲେ ଓ ଦୁଇ ଦିନ ତଳେ ଦେହ ଖରାପ ହୋଇଥିବା ପୁଅ ପାଟିରେ ଔଷଧ ଟିକେ ଦେବା ପାଇଁ ପଇସା ନଥିଲା ।

କୌଶଲ୍ୟା ର କିଳିକିଳା ରଡିରେ ଧ୍ୟାନ ଭାଙ୍ଗିଲା ରମେଶ ବାବୁଙ୍କର, “କାଇଁ ସେଠି ଖୁଣ୍ଟ ଟା ପରି ଠିଆ ହୋଇଛ ଶୁଣେ? ଯାଅ, ଆଳୁ ଟିକେ ଆଣ । ଆସିଲା ବେଳେ ପୁଅର ଔଷଧ ବି ଧରିକି ଆସିବ” । କୌଶଲ୍ୟାଙ୍କ କଥା ଏ କାନ ରେ ପଶି ଆର କାନ ରେ ବାହାରି ଗଲା । ପଇସା ଥିଲେ ସିନା ଆଳୁ ଆଉ ଔଷଧ ଆଣିବେ । ପାଖରେ ଟଙ୍କାଟେ ନାହିଁ । ନିଧି ଦୋକାନରୁ ସଉଦା ବାକିରେ ଆସୁଛି । ଦି ମାସ ହେଲା ପଇସା ଦିଆ ହେଇନି ବୋଲି ସେ ଗର ଗର ହଉଛି । ହାଟ ରେ ଯାହା ୫ ଟଙ୍କା ନିଧି ଦୋକାନ ରେ ୭ । ତଥାପି ତାଠୁ ନ ଆଣିଲେ ନ ଚଳେ । ପଇସା କୋଉ ଅଛି ଯେ ଛାତି ଫୁଲେଇ ହାଟ ରୁ ବ୍ୟାଗ ଭର୍ତ୍ତି ପରିବା ଆଣିବେ । ଭାବି ଭାବି ହାତରେ ବ୍ୟାଗ ଖଣ୍ଡିକ ଧରି ଘରୁ ବାହାରି ଗଲେ । ବାଟରେ ପଡେ ଚା ଦୋକାନ । ଚା ଦୋକାନ ରେ ରମେଶ ବାବୁଙ୍କର ଭଲ ନାଁ ଡାକ । ଚା ଦୋକାନୀ ଆଉ ଦି ଚାରିଜଣ ବୁଢା ୟାଙ୍କର ସବୁ ଦିନିଆ ଗ୍ରାହକ । ବାଟରେ ଗଲା ଆଇଲା ଲୋକ ବି, ଦି ଘଡି ଠିଆ ହୋଇ ଯାଆନ୍ତି ଗପ ରୁ ଫାଳେ ଅଧେ ଶୁଣିବା ପାଇଁ । ଯାଉ ଯାଉ ଚା ଦୋକାନ ପାଖରେ ଅଟକି ଗଲେ । କିଛି ନହେଲେ ଚା କପେ ଆଉ ସିଗାରେଟ ଦି ଖଣ୍ଡ ତ ମାଗଣାରେ ମିଳି ଯିବ । ସକାଳୁ ସିଗାରେଟ ଖଣ୍ଡେ ବି ଟାଣି ନାହାନ୍ତି । ଲେଖକ ମାନଙ୍କର କିଛି ନ ହଉ ପଛେ ସିଗାରେଟ ଟିଏ ଲୋଡ଼ା । ନହେଲେ ମୁଣ୍ଡରେ ପଶେନି କିଛି । ଏକା ଏକା ବସି ଭାବିଲା ବେଳେ ସିଗାରେଟ ଖଣ୍ଡେ ଟାଣି ଦେଲେ ଭଲ ଲେଖି ହୁଏ । ଅଭ୍ୟାସ ଟା ରହି ଯାଇଛି । ଏବେ ପଇସା ନାହିଁ ବୋଲି ବିଡି ଖଣ୍ଡେ ଖଣ୍ଡେ ଚଳେ । ହେଲେ ନିଧି ତ କାଲି ସଫା ସଫା ଶୁଣେଇ ଦେଲା, “ପୁରୁଣା ପଇସା ଦବ ତ କାଲିଠୁ ଆସିବ, ନହେଲେ ତମ ପରି ଗ୍ରାହକ ଦରକାର ନାହିଁ ମୋତେ” । ଶକ୍ତ ଧକ୍କା ଟିଏ ଲାଗିଲା । ପାଖରେ ପାଞ୍ଚ ଲୋକ ଠିଆ ହୋଇଛନ୍ତି । ଏମିତି କହିବାଟା କଣ ଠିକ? ବିଡି ଦିଆସିଲି ନ ନେଇ କି ପଳେଇ ଆସିଲେ ସେ । ଆଉ ଆଜି, କେମିତି ଯିବେ ତା ଦୋକାନ କୁ ଆଳୁ ଆଣିବା ପାଇଁ? କେଉଁ ମୁହଁ ରେ ? ଚା ଦୋକାନ ପାଖରେ କିଛି ସମୟ ବିତେଇ ଦେଲେ, ବେଳ ଗଡି ଗଲାଠୁ ଯିବେ ଘରକୁ । କୌଶଲ୍ୟା ଦି ପଦ ଶୁଣେଇବ ପଛେ, ପଡୋଶୀଠୁ ମାଗି ଯାଚି କିଛି ଖାଇବା ରୋଷେଇ କରି ସାରିଥିବ । ଏପଟେ ଗାଁ ଜମି ଦି ଖଣ୍ଡ ବିକ୍ରି ହେଇ ପାରୁନି, ନହେଲେ କିଛି ଦିନ ଦୁଃଖେ କଷ୍ଟେ ଚଳି ଯାଆନ୍ତା ।

ଭାବୁ ଭାବୁ ଚା ଦୋକାନ ରେ ପହଞ୍ଚି ସାରିଥିଲେ । ଦୋକାନୀ ଚା ଗ୍ଲାସ ଟିଏ ବଢ଼େଇ ଦେଲା । ସେ କେବେ ପଇସା ମାଗେନି । କେବଳ ଅନୁରୋଧ କରେ ଗପଟିଏ ଶୁଣାଅ । ସେ ବି ଜାଣେ, ଚା ଗ୍ଲାସେ ସିନା ମାଗଣା ରେ ଯିବ, କିନ୍ତୁ ଗପ ଶୁଣିବାକୁ କିଛି ନହେଲେ ବି ୧୫-୨୦ ଲୋକ ଆସିବେ । ଆଉ ସମସ୍ତେ ଚା ସିଗାରେଟ ଖାଇବେ । ତା’ ର ହିଁ ଲାଭ । ବାବୁଙ୍କୁ ବି ଭଲ । ଗପ ରୁ ଆଉ କିଛି ମିଳୁ ନ ମିଳୁ ସକାଳୁ ସନ୍ଧ୍ୟା ରେ ଚା ଦି କପ ଆଉ ଗପ ଶୁଣାଉ ଶୁଣାଉ, ଶ୍ରୋତାଙ୍କ ଦୟା ରୁ ସିଗାରେଟ ଦି, ଚାରି ଖଣ୍ଡ ମିଳିଯାଏ । ବେଳେ ବେଳେ ରାତି ପାଇଁ ଖଣ୍ଡେ ଦିଖଣ୍ଡ ବି ବଳେ । ଚା ଗ୍ଲାସ ଟି ବଢ଼େଇ ଦେଇ ଦୋକାନୀ ଚିରାଚରିତ ଢଙ୍ଗ ରେ ଅନୁରୋଧ କଲା ଗୋଟିଏ ଭଲ ଗପ ଶୁଣେଇବା ପାଇଁ । ମଳୁ ଖୋଜୁଥିଲା ଯାହା ବଇଦ ବତେଇଲା ତାହା ନ୍ୟାୟ ରେ ରମେଶ ବାବୁଙ୍କୁ ବି ମଉକା ମିଳିଗଲା । କହିଦେଲେ ଆଜି ଗୋଟେ ନୁହଁ ତିନିଟା ଗପ ଶୁଣେଇବି । ବୁଢା ଶ୍ରୋତା ଓ ଆଖପାଖ ଲୋକ ମାନେ ବି ବଢିଆ ବଢିଆ କହି ଘେରି ଗଲେ । ଡାହାଣ ହାତରେ ଚା ଓ ବାମ ହାତରେ ସିଗାରେଟ ଖଣ୍ଡେ ଧରି ବାବୁ ଆରମ୍ଭ କଲେ ଗପ କହିବା । ବାଃ ବାଃ.. ବଢିଆ ବଢିଆ.. ତାପରେ.. ସେଠୁ.. ଆହଃହ.. କଣ କଲାସେ.. ହଉ ହଉ.. ପରି ଶବ୍ଦ ଗୁଡିକ ଗୁଂଜରିତ ହେବାକୁ ଲାଗିଲେ ଓ ଶ୍ରୋତାଙ୍କ ସଂଖ୍ୟା କେତେ ବେଳେ କମ ତ କେତେ ବେଳେ ବେଶୀ ହେବାକୁ ଲାଗିଲେ ।

ଆସ୍ତେ ଆସ୍ତେ ସମୟ ବିତି ଚାଲିଲା । ଦିନ ଗୋଟେ ବାଜି ଦି ଟା ବାଜିବାକୁ ବସିଲାଣି କିନ୍ତୁ ବାବୁଙ୍କ ଗପ ସରୁ ନଥାଏ । ଶ୍ରୋତା ମାନେ ବି ଗୋଟେ, ଯୋଡ଼େ, ଫାଳେ, ଚଉଠେ ଗପ ଶୁଣି କିଛି କିଛି ମନ୍ତବ୍ୟ ଦେଇ ଯାଇ ସାରିଲେଣି । ଜଣେ ଦି ଜଣଙ୍କୁ ଛାଡିଦେଲେ ଆଉ କେହି ନଥାନ୍ତି ସେଠି । ଚା ଦୋକାନୀ ମନ ବି ଖୁସି । ବଢିଆ ବେପାର ହେଇଛି ଆଜି । ସକାଳୁ ସନ୍ଧ୍ୟା ଯାଏ ଦଶ ଲିଟର କ୍ଷୀର ର ଚା ସରୁ ନଥିବା ବେଳେ ଆଜି ଗୋଟେ ଓଳି ରେ ପନ୍ଦର ଲିଟର ସରିଛି । ଖୁସି ରେ ସେ ଆଉ ଦି ଖଣ୍ଡ ସିଗାରେଟ ବଢ଼େଇ ଦେଲା । ଆଗରୁ ଶ୍ରୋତା ମାନେ ଦେଇଥିବା ସିଗାରେଟରୁ ଦି ଖଣ୍ଡ ବଳିଥିଲା ଆଉ ଏବେ ଦି ଖଣ୍ଡ ମିଶେଇ ବାବୁ ଚାରିଖଣ୍ଡ ସିଗାରେଟ ଧରି, ସେଦିନ ର ଖବର କାଗଜ ଟି ଚା ଦୋକାନୀ ଠୁ ମାଗି ଘରକୁ ଯିବାକୁ ବସିଲେ । ଖବର କାଗଜ ଟି ଆଡଉ ଆଡଉ ଦେଖିଲେ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ । ତାଙ୍କର ଆଜି ଏ ଦଶା ପାଇଁ ସାହିତ୍ୟ ଦିଦି ହିଁ ଦାୟୀ ବୋଲି ଭାବି, ଭାରି ରାଗ ଲାଗୁଥିଲା ତାଙ୍କୁ ସାହିତ୍ୟ ଦିଦିଙ୍କ ଉପରେ । ପାଖରେ ଥିଲେ ଶୁଣେଇ ଥାନ୍ତେ, “ଦିଦି, ସାହିତ୍ୟ ରେ ପେଟ ପୂରେନି “।

ଏତେ ସମୟ ଧରି ନଥିବା ଚିନ୍ତାଟା ପୁଣି ମାଡି ବସିଲା । କଣ କହିବ କୌଶଲ୍ୟା? ରାଗି ତ ଯାଇଥିବ । ରୋଷେଇ କଣ କରିଥିବ? ପଡୋଶୀ ମାନଙ୍କୁ ଠୁ ବି କେତେ ଆଣିବ? ଯଦି କେହି କିଛି ଦେଇ ନଥିବେ ତେବେ? କାଲି ତ କୌଶଲ୍ୟା କହୁଥିଲା ମଳିକ ଘରକୁ ଯାଇଥିଲା ଚିନି ଟିକେ ପାଇଁ ଯେ ସେମାନେ ନାହିଁ କହି ଫେରେଇ ଦେଲେ । ହଉ ଦେଖାଯାଉ । ଘରେ ପହଞ୍ଚେ । ଯାହା ହବା କଥା ହବ । ଆଉ କଣ ? ଆସ୍ତେ ଆସ୍ତେ ସେ ଘରମୁହାଁ ହେଲେ । ଯେତେ ଯେତେ ଘର ପାଖକୁ ଆସୁଥାନ୍ତି ଆଶଙ୍କା ସେତେ ସେତେ ବଢି ବଢି ଚାଲି ଥାଏ । ଦୋଷୀଟିଏ ପରି ମୁହଁ ତଳକୁ କରି ଚାଲିଥାନ୍ତି । ଘର ପାଖରେ ପହଞ୍ଚି, ଘର ବାହାରେ ଦୁଇ ହଳ ଜୋତା ଦେଖି ସେ ଚମକି ପଡିଲେ । କିଏ ଆସିଛି ? ଧାର ଉଧାର ଟଙ୍କା ତ ସେ ସୁଝି ସାରିଛନ୍ତି । ଆଉ କିଏ? କୁଣିଆ ମୈତ୍ର ନ ଆସନ୍ତୁ କେହି ଏ ସମୟରେ । ଭଗବାନଙ୍କୁ ହାତ ଯୋଡି ଯୋଡି, ଭୟ ଓ ଆଶଙ୍କା ରେ ଆତଙ୍କିତ ମନ ନେଇ ସେ ଘର ଭିତରେ ପଶିଲେ ।

* * * * * * * * * * * * * * * *

ସ୍ୱାମୀଙ୍କ ବାଟ କୁ ଚାହିଁ ଚାହିଁ, ବିରକ୍ତ ହେଇ କୌଶଲ୍ୟା ବାହାରି ଗଲେ ପାଖ ଘରୁ ଆଳୁ ଦୁଇଟି ଆଣିବା ପାଇଁ । ରାଗ ରେ ଗର ଗର ହେଉଥାନ୍ତି । କେମିତିଆ ମଣିଷ ୟେ କେଜାଣି ? ଯେଉଁଠି ଠିଆ ହେଇଥିବେ ହେଇଥିବେ, ଗପୁଥିବେ ତ ଗପୁଥିବେ । ପୁଅ ମାଈପ ମନେ ପଡନ୍ତି ନାହିଁ ସେତେବେଳେ । ଏମିତି ମଣିଷ ବାହା ନ ହେବା ଭଲ । ବାହା ହେଇ ଆଉ ଦୁଇଟି ଜୀବନ କୁ ହନ୍ତସନ୍ତ କରିବ କିଆଁ ? ଅଭିଆଡା ରହି ଯାହା କରିବା କଥା କରୁନ । କିଏ ପଚାରୁଛି ନା କାହାର କଣ ଯାଉଛି ? ରାଗରେ ପାଚି ଲାଲ ହୋଇଯାଇଥିଲେ ସେ । ଆସନ୍ତୁ ଆଜି, ଆଜି ତାଙ୍କର ଦିନେ କୁ ମୋର ଦିନେ । ଆଜି ହିଁ ପଳେଇବି ମୋ ବାପ ଘରକୁ । ୟାଙ୍କ ସହ ଆଉ ଚଳି ହବନି । ଆଳୁ ଦିଟା ପଡିସା ଘରୁ ପାଇବା ପରେ ମନ ଟିକେ ଶାନ୍ତ ହେଲେ ବି ରାଗ କମି ନଥିଲା । ଘରକୁ ଆସି ଭାତ ଫୁଟୁଥିବା ପାଣି ରେ ଆଳୁ ଦୁଇଟି ସିଝେଇବା ପାଇଁ ଛାଡିଦେଲେ । ସେପଟେ ଡାଲି ବଘାରିବା ପାଇଁ ଯିବା ବେଳେ କବାଟରେ କାହାର କରାଘାତ ଶୁଣି, ହାତରେ ଡ଼ାଲିଚଟୁ ସହ କବାଟ ଖୋଲିବାକୁ ଆସିଲେ । ରାଗ ଆଉ ବିରକ୍ତି ମିଶା ମୁହଁ ରେ ସ୍ୱାମୀଙ୍କୁ କଣ କହି ଭର୍ଚ୍ଛନା କରିବେ ତାହା ବି ଭାବି ସାରିଥିଲେ ଏତିକି ସମୟ ଭିତରେ । କିନ୍ତୁ କବାଟ ଖୋଲିଲା ପରେ ଆଉ ଦୁଇ ଜଣ ଲୋକଙ୍କୁ ଦେଖି ଟିକେ ହଡ଼ବଡ଼େଇ ଗଲେ ।

ଆଶ୍ଚର୍ଯ୍ୟ ଆଖିରେ ସେମାନଙ୍କୁ ଚାହିଁ ଆଖିର ଇସାରା ରେ କିଏ ? କଣ ଦରକାର ? ବୋଲି ପଚାରିଲେ ।

ଆଗନ୍ତୁକ ଦୁଇଜଣଙ୍କ ଭିତରୁ ଜଣେ ପଚାରିଲା, “ଆଛା, ଏଇଟା ଲେଖକ ରମେଶ ଦାସ ଙ୍କ ଘର କି?”

ଲେଖକ ଶବ୍ଦ ଟ ଶୁଣି ପୁଣି ଥରେ ତାଙ୍କ ଆଖି ତାଳୁ ଉପରକୁ ଉଠିଗଲା ଓ ମନକୁ ମନ ପାଟିରୁ ବାହାରି ଗଲା “କେତେ ନେଇଛନ୍ତି ତମଠୁ? ମୋତେ ତ କହୁଥିଲେ ସବୁ ପଇସା ସୁଝି ଯାଇଛି । ମୋ ଗହଣା ସବୁ ବିକି ଭାଙ୍ଗି ସୁଝି ସାରିଛନ୍ତି । ସେ ନାହାନ୍ତି ଏବେ । ପରେ ଆସିବ ।”

ଏକ ନିଶ୍ୱାସରେ ଏତକ କହି ସାରି ସେ ଅନେଇଲେ ଆଗନ୍ତୁକ ଦୁଇଜଣଙ୍କୁ ।

“ନା, ନା , ଆମେ ପଇସା ନେବାକୁ ନୁହଁ, ଦେବାକୁ ଆସିଛୁ”

ଚୁଲି ନିଆଁ ରେ ପାଣି ପଡିଲା ପରି ଥମ କରି ରହିଗଲେ କୌଶଲ୍ୟା ଦେବୀ । ଏତେବେଳେ ସେ ଆବିଷ୍କାର କଲେ ଯେ, ଆଗନ୍ତୁକ ଦୁଇଜଣଙ୍କ ବେଶ ଭୁଷା ଖୁବ ବଡ ଲୋକ ପରି । ହାତରେ ସୁନାର ବଳା । ବେକରେ ସୁନାଚେନ । ପେଣ୍ଟ ସାର୍ଟ ସୁନ୍ଦର । ପ୍ରଚୁର ଧନୀ ଘର ପିଲା ପରି ଲାଗୁଛନ୍ତି । ବୟସ ୨୮-୩୦ ଭିତରେ ହେବ । କଣ କରିବେ କିଛି ଭାବି ନ ପାରି ସେ “ଆସ ଆସ ଭିତରକୁ ଆସ, ସେ ଏଇ ଆସୁଥିବେ କହି” ଘର ଭିତରେ ତେଲ ମାଡି କଳା ପଡି ଯାଇଥିବା କାଠ ଚୌକି ଦୁଇଟିକୁ କାନିରେ ପୋଛି ପକେଇଲେ । ଆଗନ୍ତୁକ ଦୁଇଟି ବାହାରେ ଜୋତା ଖୋଲି ଭିତରକୁ ଗଲେ ।

କୌଶଲ୍ୟା ଦେବୀ ପାଣି ଦି ଗ୍ଲାସ ଦି ଜଣଙ୍କୁ ଦେଇ ଅପେକ୍ଷା କରି ରହିଲେ ଜାଣିବା ପାଇଁ ଯେ, ଏମାନେ କିଏ ? କଣ ପାଇଁ ପଇସା ଦେବେ ?

ଆଗନ୍ତୁକ ଦୁଇଜଣ ପାଣି ଢୋକେ ଢୋକେ ପିଇ କେଉଁଠୁ ଆରମ୍ଭ କରିବେ ? କଣ କହିବେ ? ଭାବୁ ଭାବୁ ରମେଶ ବାବୁ ମୁଣ୍ଡରେ ମୁଣ୍ଡେ ଚିନ୍ତା ଧରି ଘର ଭିତରେ ପ୍ରବେଶ କଲେ । ନମସ୍କାର ଦିଆ ନିଆ ପୂର୍ବକ କାର୍ଯ୍ୟକ୍ରମ ସରିଲା ପରେ ରମେଶ ବାବୁ ଓ କୌଶଲ୍ୟା ଅପେକ୍ଷା କରିଥାନ୍ତି ଆଗନ୍ତୁକ ଦୁଇ ଜଣଙ୍କ ପରିଚୟକୁ । ସେମାନଙ୍କ ଭିତରୁ ଜଣେ ପକେଟରୁ ବାହାର କଲା ଚାରି ଚଉତା ଜେରକ୍ସ କାଗଜ ଖଣ୍ଡେ ଆଉ ରମେଶ ବାବୁଙ୍କ ହାତକୁ ବଢ଼େଇ ଦେଲା । ରମେଶ ବାବୁ କାଗଜଟି ଧରି ଆମୁଳଚୁଳ ପଢି ଗଲେ । ଏହା ତ କଲେଜ ଟାଇମ୍‌ରେ ସେ ଲେଖିଥିବା ଗଳ୍ପ ଗୋଟିଏ । ଗଳ୍ପ ର ନାଁ ଦେଇଥିଲେ “ବରା” ଯାହା କି ଏକ ଖବର କାଗଜରେ ପ୍ରକାଶିତ ହୋଇଥିଲା ଆଉ ସତେବେଳ ଟାଇମରେ ସବୁଠୁ ଅଧିକ ପାରିଶ୍ରମିକ ଦେଇଥିଲା ଏହି ଖବରକାଗଜ ଟି ।

ମନେ ପକାଉଥିଲେ ରମେଶ ବାବୁ । କଲେଜ ସାଙ୍ଗମାନେ ଯାଇଥାନ୍ତି ବାଙ୍ଗାଲୋର । ସକାଳୁ ସକାଳୁ ଜଳଖିଆ ଖାଇବାପାଇଁ ବହୁତ ଅସୁବିଧା ହୋଇଥିଲା ଆଉ ସେ ବାଙ୍ଗାଲୋରରୁ ଫେରି ଲେଖିଥିଲେ “ବରା” ଗଳ୍ପ ଟି । ଗଳ୍ପ ଟି ଥିଲା ଏହିପରି …

ବରା

ଗରିବ ପିଲାଟିଏ ବୁଲୁ । ବୟସ ୨୦-୨୨ ଭିତରେ ହେବ । ଗାଁ ରେ ବୁଲାବୁଲି କରେ । ବେଳେବେଳେ କାଳିଆ ଦୋକାନରେ ବସେ । କାଳିଆ ତା ସାଙ୍ଗ । ଗାଁ ଛକରେ ବରା ଛାଣେ । ବୁଲୁ ବି ଦେଖି ଦେଖି ତାଠୁ କିଛି କିଛି ଶିଖିଛି । ବାପା ମା ମରିଗଲା ପରେ ପିଉସୀ ପୁଅ ଭାଇ ସହ ପଳେଇଲା ବାଙ୍ଗାଲୋର । କିଛି ଦିନ ଭାଇ ପାଖେ ରହି ଏଆଡ଼େ ସିଆଡେ ବୁଲା ବୁଲି କଲା ପରେ ନିଜେ କିଛି କରିବା ପାଇଁ ଚିନ୍ତା କଲା । ଭାଇକୁ କହି କିଛି ଟଙ୍କା ଉଧାରୀ ଆଣି ସେ ରହୁଥିବା ଜାଗାରେ ବରା ଛାଣି ବିକ୍ରି କରିବାକୁ ଲାଗିଲା । ପ୍ରଥମେ ପ୍ରଥମେ ଘରେ ବରା ଛାଣି ସାଇକେଲରେ ଢାବଲ ବାନ୍ଧି ସେଠି ବୁଲି ବୁଲି ବିକ୍ରି କରିବାକୁ ଲାଗିଲା । ଭାଷା ମଧ୍ୟ କିଛି କିଛି ଶିଖିଲା । ଆସ୍ତେ ଆସ୍ତେ ପଇସା ସବୁ ସୁଝି ଯିବାରୁ ଆଉ କିଛି ପଇସା ରଖି ଚାଲିଆ ଖଣ୍ଡେ ପକେଇଲା ସେଠି । ଓଡ଼ିଶା ବରା ଯିଏ ଖାଇଲା ତା ପାଟିରେ ଲାଗିଲା । ଭଲ ଲାଗୁଥିଲା ସମସ୍ତଙ୍କୁ ତା କଡା ବରା । ସ୍ୱାଦ ବି ଥିଲା ବହୁତ ଭଲ । ଆସ୍ତେ ଆସ୍ତେ ତା ନାଁ ଡାକ ହେବାକୁ ଲାଗିଲା । ବାଙ୍ଗାଲୋର ରେ ଓଡ଼ିଆ ଭର୍ତ୍ତି । ସେଠି ଓଡ଼ିଆ ବସ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଆ ଲୋକ ସବୁ ଆସନ୍ତି ତା ପାଖକୁ । ତା ବେପାର ବି ବଢ଼ିବାରୁ ସେ ଆଉ କିଛି ଅଧିକ କରିବା ପାଇଁ ଚାହିଁଲା । ଖରାଦିନ । ଏତେ ଓଡ଼ିଆ ଥାନ୍ତି ସେଠି । ଦିନେ ଭାବିଲା ପଖାଳ କରି ବିକିଲେ କେମିତି ହୁଅନ୍ତା ? ଦି ଚାରି ଜଣଙ୍କୁ ପଚାରିଲା । ସମସ୍ତେ ଭଲ ହେବ ବୋଲି କହିଲେ । ତା ପରଦିନ ସକାଳୁ ବିକ୍ରି ହେବ ନ ହେବ ଭାବି ଦଶ ଜଣଙ୍କ ପାଇଁ ପଖାଳ ତିଆରି କଲା । ଭଲ ଚାଉଳରେ ଭାତ ରାନ୍ଧି, ଦହି ପକେଇ, ଛୁଙ୍କ ଦେଇ, ଧନିଆଁ ପତ୍ର ଆଉ କଞ୍ଚା ଲଙ୍କା ସହ ବଡ଼ିଚୁରା, ଶାଗ, ମାଛ ଭଜା, ଆଳୁ ଆଉ ବାଇଗଣ ଭର୍ତ୍ତା ରାନ୍ଧି ଥୋଇଦେଲା । ଦେଖୁ ଦେଖୁ ବିକ୍ରି ହୋଇଗଲା ସବୁ । ତାପରଦିନ କୋଡିଏ, ତିରିଶି, ପଚାଶ ଏମିତି ଶହେ ଯାଏ ପହଞ୍ଚିଗଲା । ସବୁଦିନ ସକାଳୁ ବରା, ଦିନବେଳେ ପଖାଳ, ସନ୍ଧ୍ୟାରେ ବରା କରେ । ଆସ୍ତେ ଆସ୍ତେ ତା ବେପାର ଆହୁରି ବଢିବାକୁ ଲାଗିଲା । ଘରଟିକୁ ଚାଲିଆ ରୁ ଆଜବେଷ୍ଟସ କଲା । ଆଜବେଷ୍ଟସ ରୁ ଛାତ । ବଢି ବଢି ଚାଲିଥାନ୍ତି ତା ଗ୍ରାହକ ଓ ବଢିଚାଲିଥାଏ ତାର ଲାଭ ।

ଦିନେ ସକାଳୁ ସକାଳୁ ସେ ଗୋଟେ ଅତି ଗରିବ ପିଲାଟିକୁ ତା ଦୋକାନ ଆଗରେ ବସି ଥିବାର ଦେଖିଲା । ପିଲାଟି ୟାକୁ ଦେଖି ଡ଼ରିମରି ଘୁଞ୍ଚି ଗଲା । କିଛି ସମୟ ପରେ ୟା ର ପ୍ରଥମ ଭାଡ଼ି ବରା ବାହାରିଲା ପରେ ସେ ପିଲାଟିକୁ ଡାକି ଖାଇବାକୁ ଦେଲା । ପିଲାଟି ମୁହଁ ରେ ଖୁସି ଦେଖି ଯେତିକି ଆତ୍ମତୃପ୍ତି ମିଳିଲା ତାକୁ ଆଗରୁ କେବେବି ଏମିତି ଅନୁଭବ ହୋଇ ନଥିଲା । ସେଦିନ ଥାଏ ଗୁରୁବାର । ତା ପରଠୁ ସେ ନିଷ୍ପତି ନେଲା ଯେ ସବୁ ଗୁରୁବାର ରେ ସେ ଅନାଥ ଆଶ୍ରମ କୁ ଜଳଖିଆ ନେଇ ଯିବ ଆଉ ମାଗଣା ରେ ସମସ୍ତଙ୍କୁ ବରା ଖୁଏଇବ ।

ଦୋକାନ କୁ ଆସୁଥିବା ଗ୍ରାହକ ମାନେ ବି ଶୁଣି ଖୁସି ହେଲେ ଓ କିଛି କିଛି ସାହାଯ୍ୟ ବି କଲେ । ବୁଲୁ ତା ଦୋକାନ ରେ ଗୋଟେ ସ୍କିମ ବାହାର କଲା । ନୋଟିସ ଝୁଲେଇଲା ପରି ଦୋକାନ ଆଗରେ ଲେଖି ଝୁଲେଇ ଦେଲା, “ତମେ ଯେତିକି ଦବ, ମୁଁ ସେତିକି ଦେବି । ଚାଲ ସମସ୍ତେ ମିଶି ଅନାଥ ମାନଙ୍କ ମୁହଁ ରେ ହସ ଟିକେ ଫୁଟେଇବା ” । ସମସ୍ତେ ପଚାରିଲେ ୟେ କଣ ? ସେ ବୁଝେଇ ଦେଲା । ତମେ ଦଶ ଟଙ୍କା ସେ ଥଳି ରେ ପକାଅ, ମୁଁ ବି ପକେଇ ବି । ତମେ ୫୦୦ ପକାଅ, ମୁଁ ବି ୫୦୦ ଦେବି । ତମେ ୫୦୦୦୦ ଦିଅ, ମୁଁ ବି ୫୦୦୦ ଦେବି । ଗୁରୁବାର ସକାଳୁ ଯେତିକି ପଇସା ହବ ସେ ପଇସାରେ ବରା ଛାଣି ଅନାଥ ଆଶ୍ରମ ଆଉ ବୃଦ୍ଧାଶ୍ରମ କୁ ଯାଇ ସମସ୍ତଙ୍କୁ ବରା ଖୁଏଇବା । ସକାଳୁ ସେତିକି ଟଙ୍କାର ବରା ଛାଣି ସାରିଲା ପରେ ଦୋକାନ ବନ୍ଦ । ତମେ ବି ମୋ ସହ ଆସ ମିଶି କି ଯିବା ଅନାଥ ଆଶ୍ରମ ଆଉ ବୃଦ୍ଧାଶ୍ରମ କୁ । ଆଖ ପାଖ ଲୋକେ, ଗ୍ରାହକ ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସମସ୍ତେ ସହଯୋଗର ହାତ ବଢ଼େଇଲେ । ଆସ୍ତେ ଆସ୍ତେ ତା ଦୋକାନର ନାଁ ଆହୁରି ବ୍ୟାପିବାକୁ ଲାଗିଲା ।

ପାଖାପାଖି ୧୦ ବର୍ଷ ର ସେବା ପରେ ସରକାରଙ୍କଠୁ ସେ ମାନପତ୍ର ଓ ପ୍ରାଇଜ ବି ପାଇଲା । ପ୍ରାଇଜ ପାଇଥିବା ଅର୍ଥ କୁ ସେ ସେଇ ଅନାଥ ଆଶ୍ରମ ଆଉ ବୃଦ୍ଧାଶ୍ରମକୁ ଦାନ କରି ଦେଲା । ଆଜି ଯାଏ ବି ସେ ନିଷ୍ଠାପର ଭାବରେ କାମ କରୁଛି । ଏବେ ତା ଦୋକାନ ରେ ସକାଳ ଜଳଖିଆଠୁ ଆରମ୍ଭ କରି, ମଧ୍ୟାନ୍ନ ଭୋଜନ, ସନ୍ଧ୍ୟାରେ ଜଳଖିଆ, ରାତ୍ରି ଭୋଜନ ସବୁ ମିଳୁଛି । ଆମିଷ ଓ ନିରାମିଷ ବି ହେଉଛି । ଆଉ ତା ମାସିକ ଲାଭ ର କୋଡିଏ ଶତକଡା ରେ ସେ ଅନାଥ ମାନଙ୍କର ପାଠପଢା ଖର୍ଚ୍ଚ ଉଠାଉଛି । ନିଜେ ଜଣେ ଅନାଥ ହୋଇ ଥିବାରୁ ସେ ବୁଝି ପାରିଛି ଅନାଥ ମାନଙ୍କ ଦୁଃଖ । ତା ପଇସାରେ ପାଠ ପଢି କେତେ ଯେ ଅନାଥ ଆଜି କେତେ ବଡ ବଡ ପଦ ପଦବୀରେ ଅଛନ୍ତି । ଯିଏ ବି ଯେବେ ଦେଖିଲେ ବୁଲୁର ପାଦ ଧୂଳି ନେବାକୁ ଭୁଲନ୍ତି ନାହିଁ ।

—- ସମାପ୍ତ —-

ରମେଶ ଓ କୌଶଲ୍ୟା ଗଳ୍ପ ଟି ପଢିସାରି, ଆଗନ୍ତୁକ ଦୁଇ ଜଣ ଙ୍କୁ ଚାହିଁଲେ । ମନ ରେ ପ୍ରଶ୍ନ ଭର୍ତ୍ତି । କଣ କହିବାକୁ ଚାହୁଁଛନ୍ତି ଏ ଦି ଜଣ ? ଏମିତି ତ କେତେ ଗପ ସେ ଲେଖିଛନ୍ତି । ଏ ଗପଟି ଦେଖେଇବା କାରଣ କଣ ? ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି ଏମାନେ ।

ଏବେ ଆଗନ୍ତୁକ ଜଣେ ଆରମ୍ଭ କଲେ…

ମୋ ବାପା ଥିଲେ ଘର ର ସବୁଠୁ ନିକମା ମଣିଷ । କେବଳ ଖାଇବା ଆଉ ବୁଲିବା ଛଡା ଆଉ କିଛି କାମ ନଥିଲା ତାଙ୍କର । ଜେଜେ ଆଉ ବଡବାପା ଯାହା ରୋଜଗାର କରି ଆଣନ୍ତି ସେଥିରେ ଘର ଚାଲେ । ମୋ ବାପାଙ୍କ ଉପରେ ସମସ୍ତେ ରାଗନ୍ତି, ଗାଳି କରନ୍ତି । କାରଣ ୟେ ରୋଜଗାର ତ କିଛି କରନ୍ତି ନାହିଁ ଓଲଟା ଘରୁ ପଇସା ଚୋରି କରି ଜୁଆ ଖେଳନ୍ତି । ଏମିତି ଦିନେ ଜୁଆ ଖେଳୁ ଖେଳୁ ହାରି ଯାଇଥାନ୍ତି ଦଶ ହଜାର ଟଙ୍କା । ଯାହାକି ପିଉସୀଙ୍କ ବାହାଘର ପାଇଁ ଜେଜେ ବ୍ୟାଙ୍କରୁ ଉଠେଇ ଥିଲେ । ଘରକୁ ଯିବାକୁ ଡର ଲାଗିଲା ତାଙ୍କୁ । ଗୋଟେ ଦୋକାନରେ ମନ ଦୁଃଖରେ ବସି ସେଦିନ ର ଖବରକାଗଜ ଟି ଆଡେଇଲା ବେଳେ ସେ ପଢିଲେ ଆପଣଙ୍କ ଗପଟି । ଆଖି ଆଗରେ ଭବିଷ୍ୟତ ଦେଖିଲା ପରି, ସେ ଦେଖି ପାରୁଥିଲେ ତାଙ୍କ ଭବିଷ୍ୟତ । ଘରେ କାହାକୁ କିଛି ନ ଜଣେଇ ସେ ପଳେଇଲେ ବାଙ୍ଗାଲୋର । ଖୋଜି ଖୋଜି ଓଡ଼ିଆ ରହୁଥିବା ଜାଗାରେ ସେ ଆରମ୍ଭ କଲେ ବରା ଦୋକାନ । ପ୍ରଥମେ ପ୍ରଥମେ ବହୁତ କଷ୍ଟ କରିବାକୁ ପଡିଲେ ବି ପରେ ଭଲ ବେପାର ହେଲା ଆଉ ସେ ରୋଜଗାର କଲେ କୋଟି କୋଟି ଟଙ୍କା । ଆପଣଙ୍କୁ ଗୁରୁ ବୋଲି ମାନୁଥିଲେ । ଲେଖାର ପ୍ରତି ଟି ଧାଡି କୁ ସେ ଭଗବାନ ବୋଲି ମାନୁଥିଲେ ଓ ଲେଖା ଯେମିତି ହୋଇଛି ସେପରି ସେ କାମ କରି ଚାଲିଲେ । ଆଜି ପ୍ରତି ମାସରେ ଆସୁଥିବା ଲାଭ ରୁ କୋଡିଏ ପ୍ରତିଶତ ଅର୍ଥ ଯାଏ ଅନାଥ ଆଶ୍ରମରେ ରହୁଥିବା ପିଲାଙ୍କ ପାଠ ପଢା ପାଇଁ । ସବୁ ଗୁରୁବାର ତିନି ଓଳି ଆମିଷ ଓ ନିରାମିଷ ଖାଇବା ଯାଏ ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମ କୁ । ଘରେ ଓ ଦୋକାନରେ ଠାକୁରଙ୍କର ଫୋଟୋ ନାହିଁ । ଠାକୁରଙ୍କ ଜାଗାରେ ସେ ପୂଜା କରନ୍ତି ଏ ଗପଟି କୁ । ଏତିକି କହି ସେ ଆଣିଥିବା ଫୋଟୋ ଗୁଡିଏ ଦେଖେଇଲା ରମେଶ ବାବୁ ଆଉ କୌଶଲ୍ୟା ଦେବୀଙ୍କୁ । ଖବରକାଗଜ ର କଟା ଅଂଶ ଖଣ୍ଡେ ସୁନାର ଫ୍ରେମରେ ସଜେଇ ହେଇ ପୂଜା ପାଉଛନ୍ତି ଠାକୁର ଘରେ ଓ ଦୋକାନରେ ।

କୌଶଲ୍ୟା ଦେବୀଙ୍କ ଆଖିରେ ଆସ୍ତେ ଆସ୍ତେ ଲୁହ ଭରି ଆସୁଥାଏ । ଡାଲିଚଟୁ ଟା ସେମିତି ଥାଏ ତାଙ୍କ ହାତରେ । ଲୁଗା କାନି ରେ ସେ ଲୁହ ପୋଛିଲେ । ରମେଶ ବାବୁଙ୍କ ଛାତି କୁଣ୍ଢେମୋଟ ହୋଇଯାଉଥାଏ । ଗୋଟିଏ ଗପର ଯେ ଏତେ ଶକ୍ତି ସେ ଆଜି ବୁଝି ପାରୁଥିଲେ । ଆଶ୍ଚର୍ଯ୍ୟ ଆଉ ଖୁସି ମିଶା ସ୍ୱର ରେ ପଚାରିଲେ, “ହେଲେ ଆପଣଙ୍କର ଏଠିକୁ ଆସିବାର କାରଣ “?

ଆଗନ୍ତୁକ ଜଣକ ପୁଣି ଥରେ ଆରମ୍ଭ କଲେ…

ତିନିମାସ ତଳେ ଏକ ଦୁର୍ଘଟଣା ରେ ବାପାଙ୍କର ମୃତ୍ୟୁ ହୋଇଗଲା । ଓକିଲ ତାଙ୍କ ଉଇଲ ପେପର ଦେଖିଲା ପରେ ଜଣେଇଲେ ଯେ ସେ ଆପଣଙ୍କ ପାଇଁ ଏକ କୋଟି ପଚାଶ ଲକ୍ଷ ଟଙ୍କା ରଖି ଯାଇଛନ୍ତି । ମୁଁ ଉଇଲ ପଢିଲା ପରେ ମୋ ମନ ରେ ପାପ ଛୁଇଁଲା । ଭାବିଲି କାହାକୁ କିଛି ନ ଦେଲେ କଣ ଅସୁବିଧା ହେଉଛି ? କିନ୍ତୁ ପ୍ରାୟ ପନ୍ଦର ଦିନ ହେଲାଣି ସବୁଦିନ ସେ ମୋ ସ୍ୱପ୍ନରେ ଆସି ପଚାରୁଛନ୍ତି “ମୋ ଗୁରୁଙ୍କୁ ପଇସା ଦେଲୁ ନା ନାହିଁ “? ପରେ ଆଉ ଥରେ ଉଇଲ ପଢିଲା ପରେ ଜାଣିଲି, ଯଦି ତାଙ୍କର ମୃତ୍ୟୁର ଛଅ ମାସ ଭିତରେ ମୁଁ ଆପଣଙ୍କୁ ଖୋଜି ଆପଣଙ୍କ ପଇସା ନଦିଏ ତେବେ, ବାପାଙ୍କର ସବୁ ସମ୍ପତ୍ତି ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମ ଭିତରେ ସମାନ ଭାବରେ ବାଣ୍ଟି ଦିଆଯିବ । ଉଇଲ ପଢିଲା ପରେ ମୁଁ ଦୋକାନକୁ ମ୍ୟାନେଜର ହାତରେ ଦେଇ ପ୍ରଥମେ ଏ କାଗଜରୁ ଠିକଣା ନେଇ ପହଞ୍ଚିଲି ଆପଣଙ୍କ କଲେଜରେ । ବହୁତ କଷ୍ଟରେ କଲେଜରୁ ଆପଣଙ୍କ ଗାଁ ର ଠିକଣା ପାଇ ଯାଇଥିଲି ଗାଁ କୁ ଆଉ ଗାଁ ଲୋକଙ୍କ ଠୁ ଠିକଣା ପାଇ ଆସି ପହଞ୍ଚିଲି ଏଠି, ଆପଣଙ୍କ ଘରେ ।

ଆଜି ଗୁରୁ ଦିବସ । ମୋ ବାପାଙ୍କ ଗୁରୁ ହିସାବରେ ଦୟାକରି ଏ ଟଙ୍କାକୁ ଗ୍ରହଣ କରନ୍ତୁ ଗୁରୁ ଦକ୍ଷିଣା ଭାବରେ ଆଉ ମୋ ବାପାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ । କହୁ କହୁ ସେ ରମେଶ ବାବୁଙ୍କ ଗୋଡ ତଳେ ପଡିଗଲେ । ରମେଶ ବାବୁଙ୍କର ମନେ ପଡି ଯାଉଥିଲା ମହାଭାରତ ର ଏକଲବ୍ୟ କାହାଣୀ ଟି ।

ରମେଶ ବାବୁ ତାଙ୍କୁ ତଳୁ ଉଠେଇ କୁଣ୍ଢେଇ ପକେଇଲେ । ଆଖିରୁ ଆନନ୍ଦ ର ଲୁହ ବୋହି ଯାଉଥାଏ… କୌଶଲ୍ୟା ଦେବୀ, ରମେଶ ବାବୁଙ୍କ ପାଇଁ ସଜେଇ ରଖିଥିବା ତାଚ୍ଛଲ୍ୟ ଭରା କଥା ଗୁଡିକୁ ମନେ ପକେଇ ଜିଭ କାମୁଡି ଦେଲେ…

ଖୁସି ମନରେ ଆଗନ୍ତୁକ ଦୁଇ ଜଣ ଘରୁ ବାହୁଡ଼ି ଯିବା ପରେ …

କୌଶଲ୍ୟା ଦେବୀ ହାଁ କରି ଅନେଇଥିଲେ ଏକ କୋଟି ପଚାଶ ଲକ୍ଷ ଲେଖା ହୋଇଥିବା ଚେକ୍‌ଟିକୁ ଆଉ ରମେଶ ବାବୁ ଗୁରୁ ଦିବସ ରେ ସାହିତ୍ୟ ଦିଦିଙ୍କୁ ହାତ ଯୋଡି ପ୍ରଣାମ କରୁଥିଲେ ।

ଲୋକପ୍ରିୟ ଲେଖା

To Top