ଗଳ୍ପ

ଭିନ୍ନ ଏକ ଇଲାକା

Dr Sharat Chandra Parida's odia story Bhinna Eka Ilakaa

ସାତ ଦିନ ପୂରିଥିଲେ ମୁଁ ଆପେ ଯାଇ ତାକୁ ସାଙ୍ଗରେ ଧରି ଆସିଥାନ୍ତି । ସେ କାଇଁକି ଏମିତି କୁକର୍ମ କଲା, ସେ ଆତ୍ମଘାତୀ । ତୁମମାନଙ୍କ ସାଙ୍ଗରେ ମିଶି ପାରିବ ନାଇଁ ।

ଭିନ୍ନ ଏକ ଇଲାକା

ଆଉ ମାତ୍ର ସାତ ଦିନ ବାକିଥିଲା । ସେଇ କେତେ ଦିନ ବିତି ଯାଇଥିଲେ ମୁଁ ଆପେ ଯାଇ ତାକୁ ସାଙ୍ଗରେ ଧରି ନେଇ ଆସିଥାନ୍ତି, ଯମ କହିଲେ । ଦେହୁରି ବାବୁଙ୍କ ଠାରୁ ଏହି କେହି ପଦ କଥା ଶୁଣି ବିସ୍ମିତ ହୋଇ ଯାଇଥିଲେ ଅଶୋକ ।

ସେଦିନ ଖାତା ମୂଲ୍ୟାୟନ ଚାଲିଥାଏ । ବୈଶାଖର ଉଦୁଉଦିଆ ଖରାବେଳଟା । ଛୁଞ୍ଚି ପରି ସୂର୍ଯ୍ୟଙ୍କ ତେଜ ଦେହରେ ଫୋଡ଼ି ହୋଇ ଯାଉଥାଏ । ଖାତାଗୁଡ଼ିକ ଉପରେ ମୁହଁ ମାଡ଼ି ଏକ ଲୟରେ ଚାହିଁ ଚାହିଁ ଅଣ୍ଟା ପିଠିରେ ପରାସ ବଢ଼ି ଯାଇଥାଏ । ଟିକେ ବେକ ସିଧା କରିବା ପାଇଁ ବାରଣ୍ଡାକୁ ବାହାରି ପଡ଼ିଲେ ଅଶୋକ । ଚୁପ୍‌ଚାପ୍ ପାଦଚାରଣ କରୁଥାନ୍ତି । ବଡ଼ ମାଟି ମାଠିଆରୁ ଗ୍ଲାସ୍ ଗ୍ଲାସ୍ ପାଣି ଆଣି ମୁହଁକୁ ଛାଟୁଥାନ୍ତି । ଟିକେ ଆରାମ ଲାଗୁଥାଏ । ଅଶୋକଙ୍କୁ ଦେଖି ପାଖରେ ବସିଥିବା ଦେହୁରି ବାବୁ ମଧ୍ୟ ହଠାତ୍ ନିଜ ସିଟ୍‌ରୁ ଉଠିଲେ । ବାହାରକୁ ଆସିଲେ । ଅଶୋକ ଓ ଦେହୁରି ବାବୁ ଆଗ ପଛ ହୋଇ ବସି ଖାତା ମୂଲ୍ୟାୟନ କରୁଥାନ୍ତି ଦୀର୍ଘ ଏଗାର ଦିନ ଧରି । ଏଥରକ ଅଶୋକଙ୍କ ସହିତ ଦେହୁରି ବାବୁଙ୍କ ପହିଲି ଦେଖା । ଦେହୁରି ବାବୁ ଦେଖିବାକୁ ସ୍ୱାସ୍ଥ୍ୟବାନ୍ । ପୂରାଶାଳିଆ ଦେହ । କାମରେ ମଜ୍ଜି ରହିଥାନ୍ତି । କଥା କମ୍ କହନ୍ତି । ଅଶୋକଙ୍କ ସୌଜନ୍ୟରେ ମୁଗ୍ଧ ହେଉଥାନ୍ତି ଦେହୁରି ବାବୁ । ଉଭୟଙ୍କ ନିରବତାରେ ମଧ୍ୟ ଯେମିତି ଆତ୍ମୀୟତା କଥା କହି ଯାଉଥାଏ । ଅଶୋକ ମଧ୍ୟ ମାପିଚୁପି କଥା କହନ୍ତି । ତାଙ୍କର ହୃଦୟ ହାଣ୍ଡିର ଭିତର ପରି ଖୋଲା । ରସିକ ! ହାସ୍ୟପ୍ରିୟ !

ସାର୍ ଟିକେ ଶୁଣନ୍ତୁ ବୋଲି ଅତି ସଂଗୋପିତ ହୋଇ ପାଖରେ ଆସି ପହଞ୍ଚି ଗଲେ ଦେହୁରି ବାବୁ । ଏମିତି କ’ଣ ଜରୁରୀ ଓ ଗୋପନ କଥା ଥାଇପାରେ ବୋଲି ଅଶୋକ ମଧ୍ୟ ଉଦ୍‌ଗ୍ରୀବ ହୋଇ ପଡ଼ିଲେ । ଦୁଇଜଣ ଯାକ ବାରଣ୍ଡାର ଏକ ନିଭୃତ ପାର୍ଶ୍ୱକୁ ଆଡ଼େଇ ହୋଇ ଗଲେ ଅନ୍ୟମାନଙ୍କୁ ବାଟ ଛାଡ଼ି ଦେଇ । ଦେହୁରି ବାବୁ ଅଚାନକ ଆରମ୍ଭ କରିଦେଲେ ଅଯାଚିତ ଭାବରେ, ନିକଟରେ ଆମ ଗାଁକୁ ଯାଇଥିଲି । ମଣିଷ ମରିଗଲା ପରେ ଆପଣ ଯେପରି ମୃତକଙ୍କର ଦଶାହ ପାଳନ୍ତି, ଠିକ୍ ସେମିତି ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ । କିନ୍ତୁ ଆମ କେଉଁଝର ଜିଲ୍ଲାରେ ଶବର ପରିବାରଗୁଡ଼ିକରେ ଏହି ମୃତିକିଆ ଟିକେ ନିଆରା ଢଙ୍ଗରେ ପାଳିତ ହୁଏ । ଆପଣମାନେ ପୁରୋହିତ ନାହାକଙ୍କୁ ଡାକି ଏହି ପୂଜାପାଠ କରିଥାନ୍ତି । ହେଲେ ଆମ୍ଭମାନଙ୍କର ପ୍ରତି ଗାଁରେ ଜଣେ ମୁଖ୍ୟ ପୂଜକ ଥାନ୍ତି । ତାଙ୍କୁ କୁଞ୍ଚୁଣି କୁହାଯାଏ । ଆପଣଙ୍କ ପରମ୍ପରା ପରି ଆମ ସଂସ୍କୃତିରେ ମଧ୍ୟ ଜଣେ ମରିଗଲେ ତାଙ୍କର ନିକଟତମ ସମ୍ପର୍କୀୟ କ୍ରିୟା ଧରିଥାନ୍ତି । ସେ ନୀତି ନିୟମ ମାନି ଶୟନ, ଭୋଜନ, ଚଳଣିରେ ଯଥେଷ୍ଟ ସଂଯମନ ପାଳନ କରିଥାନ୍ତି ।

ଫିଲ୍ମର ଟେଲର ଦେଖି ସାରିଲା ପରେ ବିଷୟବସ୍ତୁ ଭିତରକୁ ପ୍ରବେଶ କରିବା ପାଇଁ ମନ ଛକପକ ହେଲା ପରି ଅଶୋକ ଆମୂଳଚୂଳ ଶୁଣିବା ପାଇଁ ଉତ୍କର୍ଣ୍ଣ ହୋଇ ପଡ଼ିଲେ । ତଟକା ଘଟଣା । ତାଙ୍କର ପ୍ରବଳ ଆଗ୍ରହ ଦେଖି ଦେହୁରି ବାବୁ ଶ୍ରଦ୍ଧାଶୀଳ ହୋଇ କଥାକୁ ଆଗେଇ ନେଲେ ଫୁଲର ବାସକୁ ପବନ ବୋହି ନେଲା ପରି । ଆପଣ ଜାଣିଛନ୍ତି ସାର୍, ମଣିଷ ମରିଗଲା ପରେ ଦଶମ ଦିନ ପର୍ଯ୍ୟନ୍ତ ତା’ର ଆତ୍ମା ଘୂରି ବୁଲୁଥାଏ । ତା’ ପରିବାରର ପାଖେ ପାଖେ ରହି ସେ ସମସ୍ତଙ୍କ ଅଲକ୍ଷ୍ୟରେ ସବୁ ଲକ୍ଷ୍ୟ କରୁଥାଏ । କୁଞ୍ଚୁଣି ପୂଜା ପାଠ କରି ଦଶମ ଦିନ ସେହି ଆତ୍ମାକୁ ଡାକି ଆଣେ ଓ ଘର ଲୋକଙ୍କ ସହ କଥାବାର୍ତ୍ତା କରାଇ ଦିଅନ୍ତି । ଏହା ଶୁଣି ଅଶୋକ ତାଟକା ହୋଇ ଅନିଶା କରିଥାନ୍ତି । କିନ୍ତୁ କଥା ସୁଅ କାଳେ ଖାଲରେ ଚଳନ୍ତା ଗାଡ଼ି ପଡ଼ି ଜଖମ ହେଲା ପରି ବାଧା ପାଇବ ସେଥିପାଇଁ ପାଟି ଖୋଲୁ ନ ଥାନ୍ତି । ଯାହା ଦେହୁରି ବାବୁ କହିବାକୁ ଚାହାଁନ୍ତି, କହି ଦିଅନ୍ତୁ । ଏ ସୁଯୋଗ ଥରେ ହରେଇଲେ ହୁଏତ ଆଉ ମିଳି ନପାରେ । ଗରିବ ନିଧି ପାଇଲା ପରି ଅଶୋକ କଥାରତ୍ନ ସଂଗ୍ରହ କରିବାରେ ନିଜକୁ ମଜାଇ ରଖିଲେ । ମୁଗ୍ଧ ବି ହେଉଥିଲେ ।

ଦେହୁରି ବାବୁ ଏକ ନିଷ୍ଠ ହୋଇ କହୁଥିଲେ- ଆମ କୁଞ୍ଚୁଣି ଏକ ଲୟରେ ପୂଜା କରି ଚାଲିଥାନ୍ତି । ତାଙ୍କ ପାଖରେ ଏକ ଛେଳି ବା କୁକୁଡ଼ା ବନ୍ଧା ଯାଇଥାଏ । କୁଞ୍ଚୁଣି ତାଙ୍କ ମନ୍ତ୍ରଯନ୍ତ୍ର ବଳରେ ପ୍ରେତର ଆତ୍ମାକୁ ଡକାଇ ପାଖରେ ଥିବା ଛେଳି ବା କୁକୁଡ଼ାର ଆତ୍ମାରେ ଅନୁପ୍ରବେଶ କରାଇ ଦିଅନ୍ତି । ଏହା ଫଲରେ ସେହି ପଶୁ ବା ପକ୍ଷୀର ଆତ୍ମା କିଛି କ୍ଷଣ ନିସ୍ତେଜ ହୋଇପଡ଼େ । ତା’ ଥାନରେ ପ୍ରେତର ଆତ୍ମା ସବାର ହୁଏ ।

ଦଶମ ଦିନ ମୃତକ ପରିବାରର ସବୁ ସଦସ୍ୟ ପୂଜାସ୍ଥଳୀରେ ଏକାଠି ବସନ୍ତି । ସେମାନଙ୍କ ମନ ମଧ୍ୟରେ ଅନେକ ଆଶା ଆଶଙ୍କା ଲୁଚକାଳି ଖେଳୁଥାନ୍ତି । ସେତେବେଳେ ପରିବାରର ସଦସ୍ୟମାନେ ଜଣ ଜଣ କରି କିଛି କିଛି ଚାଉଳ, ମୁଢ଼ି ବା ଅନ୍ୟ କିଛି ଖାଇବା ପଦାର୍ଥ ଦିଅନ୍ତି । ସେହି ସଦସ୍ୟ ଜଣଙ୍କୁ ଯଦି ଜୀବିତାବସ୍ଥାରେ ମୃତକ ଭଲ ପାଉଥାନ୍ତି ତେବେ ତାଙ୍କ ହାତରୁ ଦିଆଯାଉଥିବା ଖାଦ୍ୟକୁ ସେ ଆଦରରେ ଖାଇ ଦିଅନ୍ତି । ଅନ୍ୟଥା ମୁହଁ ବୁଲାଇ ଛିଡ଼ା ହୁଏ ସେଇ ଛେଳି ବା କୁକୁଡ଼ା । ଦଶମ ଦିନ ଯେ ଖାଲି ସଦ୍ୟ ମୃତକଙ୍କ ପ୍ରେତାତ୍ମାଙ୍କୁ ଡକା ଯାଇଥାଏ ତାହା ନୁହଁ । ସେଇ ପରିବାରର ପୂର୍ବରୁ ଯେଉଁମାନେ ଦେହ ତ୍ୟାଗ କରିଥାନ୍ତି ସେମାନଙ୍କ ଆତ୍ମାଙ୍କୁ ମଧ୍ୟ ଗୋଟିକ ପରେ ଗୋଟିଏ ଡକା ଯାଇଥାଏ । କହୁ କହୁ ଦେହୁରି ବାବୁ କହିଲେ, ମୋର ଶଶୁରଙ୍କ ପ୍ରେତାତ୍ମାକୁ କିଛି ସମୟ ପାଇଁ ମଧ୍ୟ ଡକା ଯାଇଥିଲା । ସେ ଆସିଲେ । ଅଭିମନ୍ତ୍ରିତ ଛେଳିଠାରେ ସବାର ହେଲେ । ମୋର ଶଳା ପ୍ରଥମେ କିଛି ଚାଉଳ ଛେଳିକୁ ଖାଇବାକୁ ଦେଲେ । ଛେଳି ଚାଉଳ ଖାଇବ କ’ଣ ଚାଉଳକୁ ଚାହିଁଲା ବି ନାଇଁ । କୁଞ୍ଚୁଣି ଏହି ଭାବ ଦେଖି ପରାମର୍ଶ ଦେଲେ- ତୁମେ ତାଙ୍କ ପାଖରେ କି ଭୁଲ୍ କରିଚ, ମାନି ଯା’ । କ୍ଷମା ପ୍ରାର୍ଥନା କର । ଶଳା ଛେଳି ଗୋଡ଼ ତଳେ ଲମ୍ୱ ହୋଇ ପଡ଼ିଗଲେ ଓ କାନ୍ଦ କାନ୍ଦ ହୋଇ କହିଲେ- “ବାପା ! ମୁଁ ତୁମକୁ ବହୁତ ଟାଣ କଥା କହିଚି । ତମ କଥା ମାନି ନାଇଁ । ତୁମକୁ ଅନେକ ଗାଳି କରି ମନରେ ଆଘାତ ଦେଇଚି । ମୁଁ ପରା ତୁମ ପୁଅ । ପୁଅକୁ ବାପା କ୍ଷମା ନ ଦେଲେ କିଏ କ୍ଷମା ଦେବ ବାପା ?” ଏହା କହି ବାଷ୍ପାକୁଳ ହୋଇ ବାରବାର ମୁଣ୍ଡିଆ ମାରିଲେ । ତା’ପରେ ଚାଉଳ ଖାଇବାକୁ ଦେଲେ । ଛେଳି ବଡ଼ ସରାଗରେ ଖାଇବାର ଦେଖି କୁଞ୍ଚୁଣି କହିଲେ, “ହୋଇଗଲା, ତୁମ ଦୋଷ ଖଣ୍ଡନ ହୋଇଗଲା । ଆଉ ମନ କଷ୍ଟ କର ନାଇଁ ।” ଶଳା ଆତ୍ମସନ୍ତୋଷ ଲାଭ କଲେ । ପିତୃ ଅପରାଧରୁ ମୁକ୍ତି ଲାଭ କରିଛନ୍ତି ବୋଲି ।

ତା’ପରେ କ୍ରିୟା ଧରିଥିବା ଲୋକଟିଠାରେ ମୋ ଶଶୁରଙ୍କ ଆତ୍ମା ସବାର ହେଲା । ଦେହୁରି ବାବୁଙ୍କ ସ୍ତ୍ରୀଙ୍କୁ ଶଶୁରଙ୍କ ପ୍ରେତାତ୍ମା କହିଲେ- ମୁଁ ଜାଣୁଚି, ତୋର ଝିଅ ଓ ପୁଅଟିଏ । ମୁଁ ଭାରି ଖୁସି ହେଉଚି ସେମାନଙ୍କୁ ଦେଖି । ମୋ ନାତି ନାତୁଣୀ ଦି’ଟା ଭାରି ଗୁଲୁଗୁଲିଆ ହୋଇଛନ୍ତି । ତୁ ମା’ ଭଲରେ ଥା’ । ଝିଅ ଦୁଃଖରେ କହିଲେ- “ବାପା ! ତମେ ଥିଲେ ମୋ ପୁଅ ଝିଅ ତୁମ ସହିତ କେତେ ମଜାରେ ଖେଳିଥାନ୍ତେ । ସରାଗରେ ହସଖୁସି କରି କୌତୂକରେ ମାତିଥାନ୍ତେ । ଅଜାଙ୍କ ସାଙ୍ଗରେ ମଜା କରିବା ମୋ ଛୁଆଙ୍କ ଭାଗ୍ୟରେ ନାହିଁ । ବାପା ! ତୁମ ଜୋଇଁ ଏଠାରେ ଅଛନ୍ତି । ତାଙ୍କୁ କିଛି କହୁନା ।” ଦେହୁରି ବାବୁ ଛେଳିକୁ ଦାନା ଖୁଆଇଲା ବେଳେ ଜାଣିପାରିଥିଲେ ତାଙ୍କ ଉପରେ ଶଶୁର ପ୍ରସନ୍ନ ଅଛନ୍ତି । ତାଙ୍କୁ ଭାରି ଭଲ ପା’ନ୍ତି । ଶଶୁରଙ୍କ ପ୍ରେତାତ୍ମା ଦେହୁରି ବାବୁଙ୍କୁ କହିଲେ- “ବାପା, ମୁଁ ମୋ ଝିଅକୁ ବଡ଼ ଅଲିଅଳରେ ବଢ଼ାଇଥିଲି । ଝିଅ ବୋହୂଙ୍କୁ ମାରଧର କରିବା ଲକ୍ଷ୍ମୀଛଡ଼ା କାମ । ଏସବୁ ଦେଖିଲେ ମୋତେ ଭାରି କଷ୍ଟ ହେଉଚି ।”

ଏସବୁ ଶୁଣି ମୁଁ କିଛି ସମୟ ପାଇଁ ଜଡ଼ ହୋଇ ଯାଇଥିଲି ସାର୍ । ଅଶୋକଙ୍କୁ ଏହି ଏହି କଥା କହିଲାବେଳେ ସେ ଭାବପ୍ରବଣ ହୋଇ ପଡୁଥିଲେ । ତାଙ୍କ ଦେହ ସାରା ବେପଥୁର ତରଙ୍ଗ ଖେଳି ଯାଉଥିଲା । ଦେହୁରି ବାବୁ ପ୍ରେତାତ୍ମାଙ୍କ ପାଖରେ ନିଜ ଦୋଷ ସ୍ୱୀକାର କରିଥିଲେ କି ନାଇଁ ଅଶୋକ ଜାଣି ପାରିଲେ ନାଇଁ କିନ୍ତୁ ଅଶୋକଙ୍କୁ ଜଣେ ସହୃଦୟ ବନ୍ଧୁ ରୂପେ ପାଇଁ ଦେହୁରି ବାବୁ ତାହା ମାନି ଯାଇଥିଲେ । ହଁ ସାର୍, ମୁଁ ମଝିରେ ମଝିରେ ରାଗି ଗଲେ ସ୍ତ୍ରୀଙ୍କ ଉପରକୁ ହାତ ଉଠାଇ ଦିଏ । ପ୍ରେତାତ୍ମାର ଉପସ୍ଥିତି ମାତ୍ର ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ ହୋଇ ଥିବାରୁ ଜ୍ୱାଇଁ ଶାଶୁଙ୍କ କଥା କିଛି କୁହନ୍ତୁ ବୋଲି ନିବେଦନ କରିଥିଲେ । ତା’ କଥା କ’ଣ କହିବି, ସେ ତ ରୋଗିଣୀଟା । ତାହା କଥା ତୁମ୍ଭେମାନେ ସବୁ ବୁଝିବ ଏତିକି କହି ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ ଶଶୁରଙ୍କ ପ୍ରେତାତ୍ମା ।

ସେଦିନ ଯାହାଙ୍କର ଦଶାହ ପାଳିତ ହେଉଥିଲା ସେ ଥିଲେ ମୋର ବଡ଼ ଶଶୁର । ତାଙ୍କର ପିଲାପିଲି କିଛି ନ ଥିଲେ । ସ୍ତ୍ରୀ କେବେ ଠାରୁ ପର କରି ଆରପାରିକୁ ଚାଲି ଯାଇଥିଲେ । କାଳର ନିଷ୍ଠୁର ଉପହାସରେ ସେ ହୋଇ ପଡ଼ିଥିଲେ ଅପାରଗ । ନିଜର ନିତ୍ୟ ସ୍ନାନ ଶୌଚ କର୍ମ ନିର୍ବାହ ପାଇଁ ତାଙ୍କ ପୁତୁରା ଓ ପୁତୁରା ବୋହୂଙ୍କ ଉପରେ ନିର୍ଭର କରି ବଞ୍ଚି ରହୁଥିଲେ । ସେମାନେ ତାଙ୍କର ପାରୁ ପର୍ଯ୍ୟନ୍ତ ବଡ଼ ବାପାଙ୍କ ସେବା ଶୁଶ୍ରୂଷାରେ ମନ ଧ୍ୟାନ ଦେଉଥିଲେ । ଟେକି ନେଇ ଗାଧୋଇ ଦେଉଥିଲେ । ଲୁଗା ପିନ୍ଧାଇ ଦେଉଥିଲେ । ମୁଣ୍ଡ କୁଣ୍ଡାଇ ଦଉଥିଲେ । ନିଜ ହାତରେ ଖୁଆଇ ଦେଉଥିଲେ । ବଡ଼ବାପା ବୋଲି ସ୍ନେହ ଆଦର ସମ୍ମାନରେ ଟିକେ ହେଲେ ଊଣା କରୁ ନ ଥିଲେ । ହଠାତ୍ ତାଙ୍କର ଦିନେ କାଳ ହୋଇଗଲା । ତାଙ୍କ ପ୍ରେତକୁ ସେଦିନ ଡକା ଯାଇଥିଲା । ସେଦିନ ତାଙ୍କୁ ପ୍ରଥମେ ତାଙ୍କର ପୁତୁରା ପଚାରି ଥିଲେ, “ବଡ଼ବାପା ! ତମକୁ ଆମେ କେତେ ଭଲ ପାଉ ନ ଥିଲୁ । ଦିନେ ହେଲେ ତମକୁ ତଳେ ପକାଇ ଦେବାର ଆମେ ଜାଣି ନାହୁଁ । ଆମେ କ’ଣ ତୁମର କେହି ନୁହେଁ ? ଲୋକେ ଆମକୁ ତୁଚ୍ଛାଟାରେ ଅପବାଦ ଦେଉଛନ୍ତି ।” ବେଳ ବେଳକ ଭାବ, ଯୁଗ-ଯୁଗକୁ କଥା । ପୁତୁରା ବୋହୂ ପଚାରି ଥିଲେ- “କ’ଣ ଆମେ ଅପରାଧ କରିଥିଲୁ ? ଲୋକେ କହୁଛନ୍ତି ନିଜର ପୁଅବୋହୂ ହୋଇଥିଲେ ବୁଢ଼ାଟା କ’ଣ ଏ ବୟସରେ ଏମିତି କରିଥାନ୍ତା । ତମେ କାହିଁକି ଏମିତି କଲ ବଡ଼ବାପା ? ବିନା ଦୋଷରେ ଆମେ ଦୋଷୀ ହୋଇଯାଇଚୁ ।”

ବଡ଼ବାପାଙ୍କ ସ୍ନେହ ଛଳଛଳ ପ୍ରେତ କହିବାକୁ ଲାଗିଲେ, “ଆରେ ପୁଅ, ଆରେ ବୋହୂ, ତୁମ୍ଭମାନଙ୍କୁ ମୁଁ ଭାରି ଭଲପାଏ । ତୁମ୍ଭେମାନେ ମୋତେ ଦିନେ ହେଲେ ସେବାରେ କମତି କରି ନାହିଁ । ତୁମ୍ଭେମାନେ ଯାହା କରିଚ ମୁଁ ସବୁବେଳେ ଝୁରି ହେଉଚି । ତମର ସେବାଯତ୍ନ ପାଇ ମୁଁ ଖୁସି ଥିଲି । ମୋ ମନରେ ଦିନେ ହଠାତ୍ ବିଷମ ଭାବନା କେଉଁଠୁ ଆସି ଧସେଇ ପଶିଲା । ତୁମେମାନେ ମୋର ଆଉ କେତେଦିନ କଷ୍ଟ ଉଠାଇବ । ଜଣେ ପଶିଲେ ମାଣେ ପଶେ । ମୁଁ ମରିଗଲେ ତୁମ କଷ୍ଟ ସରିଯାନ୍ତା । ମୁଁ ଏତିକି ଭାବୁ ଭାବୁ ଦଳେ ଅଶରୀରୀ ଗୋଷ୍ଠୀ ଆସି ମୋତେ ଘେରିଗଲେ । ମୋ କାନେ କାନେ ଖାଲି କହି ଚାଲିଲେ- “ଆରେ ହେ, ତୁ ମୁର୍ଦାରିଆ ପରି କାହିଁକି ଏଠି ପଡ଼ି ରହିଚୁ ? ପର କେବେ ଆପଣାର ହେଲାଣି । ତୋ ହାତରେ ତ ଖଡ଼ା ସିଝୁ ନାଇଁ । ତୋତେ କ’ଣ ପରଭାତ ଖାଇବାକୁ ଭଲ ଲାଗୁଚି ? ଜଣେ ମଣିଷ ପୋଷିଲେ ଯାହା ଘରେ ହାତୀ ପୋଷିଲେ ତାହା । ପରଭୁଞ୍ଜା କି ଜାଣନ୍ତି ଚାଉଳର ମୂଲ । ତୁ ପଳାଇ ଆ । ଆମ ସାଙ୍ଗରେ ରହିବୁ ।” ଏମିତି କଥା ସବୁ କହି ମୋ ମୁଣ୍ଡଟାକୁ ବିଗାଡ଼ି ଦେଲେ । ତାଙ୍କରି କଥା ମୁଁ ଖାଲି ମୋ ଭିତରେ ଶୁଣିବାକୁ ପାଇଲି । ବିନାଶ କାଳେ ବିପରୀତ ବୁଦ୍ଧି ଦିଶିଲା । ମୁଁ ପଚାରିଲି କେମିତି ତମ ପାଖକୁ ଯିବି ? ସେମାନେ ମିଳିତ ଭାବରେ କହିଲେ- ତୁ ବ୍ୟସ୍ତ ହୁଅନା । ଆମେ ସେ ବ୍ୟବସ୍ଥା କରୁଚୁ । ମୁଁ ଖାଲି ସବୁ ଚୁପ୍‌ଚାପ୍ ଦେଖୁଥାଏ । ଜଣେ ଆସି ମୋ ହାତରେ ଦଉଡ଼ି ବଳାଇ ନେଲା । ଆଉ ଦୁଇଜଣ ସେ ଦଉଡ଼ିକୁ ନେଇ ଘର ଶେଣିରେ ଚଉକସ ବାନ୍ଧି ତଳେ ଗୋଟିଏ ବଡ଼ ଫାଶ ପକାଇ ଦଉଡ଼ିଟିକୁ ତଳକୁ ଝୁଲାଇ ଦେଲେ । ଆଉ ଚାରିଜଣ ଆସି ମୋତେ ଶୂନ୍ୟେ ଶୂନ୍ୟେ ଟେକି ନେଇ ମୋ ମୁଣ୍ଡକୁ ସେହି ଫାଶ ଭିତରେ ପୁରାଇ ମୋତେ ନଟକାଇ ଦେଲେ । ତା’ପରେ ସବୁ ଶେଷ । ତୁ କହିଲୁ ବାପା, ମୁଁ ତ ବସିବା ଜାଗାରୁ ଉଠି ପାରୁ ନଥିଲି । ମୁଁ କ’ଣ ଏସବୁ କାଣ୍ଡ କରି ପାରିଥିବି ।”

ତାଙ୍କ ପୁତୁରା କୌତୂହଳୀ ହୋଇ ପଚାରିଲା “ବଡ଼ବାପା, ତମେ ଏବେ କେମିତି ଅଛ ?” କ’ଣ କରିବି ପିଲେ, ସେଠାକୁ ଯାଇ ମୁଁ କୋଉ ଭଲରେ ଅଛି । ଯୋଉ ଦହଗଞ୍ଜ ହେଉଚି, କୁହନା । ମୁଁ ନା ଏକୁଳର ହୋଇପାରୁଚି ନା ସେ କୁଳର । ଆମ ବଂଶରେ ଯେଉଁମାନେ ସବୁ ଆଗରୁ ମରି ଯାଇଥିଲେ ତାଙ୍କ ସହିତ ମୋର ଭେଟ ହେଉଚି । ସେମାନେ ସମସ୍ତେ ମିଳିମିଶି ଅଛନ୍ତି । ମୋତେ ଦେଖି ସେମାନେ ଭାରି ଖୁସି । କିନ୍ତୁ ମୁଁ ସେମାନଙ୍କ ସହିତ ଆଦୌ ମିଶି ପାରୁ ନାଇଁ । ତାଙ୍କ ସହିତ ମିଶାଇବା ନିମନ୍ତେ ସେମାନେ ସବୁ ଯମ ରାଜାଙ୍କ ପାଖରେ କେତେ ଗୁହାରି କରୁଛନ୍ତି । କାକୁତି ମିନତି କରି ନ୍ୟୁନ ହେଉଛନ୍ତି । ଏ ଆମ ଭାଇ, ଆମ ସହିତ ତାକୁ ମିଶି ରହିବାକୁ ଦିଅ । ହେଲେ କାଳଯମ କ’ଣ ସେ କଥା ଶୁଣୁଚି । ବରଂ କହୁଚି, “ସେ ନିଜକୁ ନିଜେ ମାରି ମହାପାପ କରିଚି । ଆଉ ମାତ୍ର ସାତଦିନ ବାକି ଥିଲା । ସାତ ଦିନ ପୂରିଥିଲେ ମୁଁ ଆପେ ଯାଇ ତାକୁ ସାଙ୍ଗରେ ଧରି ଆସିଥାନ୍ତି । ସେ କାଇଁକି ଏମିତି କୁକର୍ମ କଲା, ସେ ଆତ୍ମଘାତୀ । ତୁମମାନଙ୍କ ସାଙ୍ଗରେ ମିଶି ପାରିବ ନାଇଁ ।” ତୁମ ବଡ଼ବୋଉ ମଧ୍ୟ ମୋତେ ଗାଳି କରୁଚି । ଆଉ ଦିନ କେଇଟା ପରେ ତୁମେ ଛାଏଁ ଛାଏଁ ଆମ୍ଭମାନଙ୍କ ପାଖକୁ ଆସିଥାନ୍ତ । କାଇଁ ଏମିତି କର୍ମ କଲ । ତା’ ବିନା ରହିବାକୁ ମୋତେ ଦଣ୍ଡେ ହେଲେ ଭଲ ଲାଗୁ ନାଇଁ ।

ତମେ ସିନା ମୋତେ କେହି ଦେଖି ପାରୁନାହଁ । ମୋ କଥା ଶୁଣି ପାରୁ ନାହଁ । ହେଲେ ମୁଁ ତୁମମାନଙ୍କୁ ଦେଖିପାରୁଚି । ତୁମ୍ଭମାନଙ୍କ କଥା ଶୁଣି ପାରୁଚି । ମୁଁ ବହୁତ କଷ୍ଟ ପାଉଚି ବାପ । ନିଜ ଲୋକଙ୍କ ସଙ୍ଗ ନ ପାଇଁ ମୁଁ ପ୍ରବଳ ଭାବରେ ଛଟପଟ ହେଉଚି । ଓଃ, ଏକୁଟିଆ ରହିବା କି ଯନ୍ତ୍ରଣା !

ଅଶୋକ ବଡ଼ବଡ଼ ଆଖି କରି ଏ ସବୁ ଶୁଣି ସତେ ଯେମିତି ପିଇ ଯାଉଥିଲେ ଏ କଥା । ଅଶୋକ କାଳେ ବିଶ୍ୱାସ କରିବେ ନାଇଁ ଦେହୁରି ବାବୁ ସେଥିପାଇଁ କହିଲେ, “ସାର୍, ଏସବୁ ମୋ ଅଙ୍ଗେନିଭା କଥା ।” ବାହାର ଦୁନିଆଁ ଏ ବିଷୟରେ ଜାଣେ ନାଇଁ ବୋଲି ଯେ ଏହା ବିଶ୍ୱାସଯୋଗ୍ୟ ନୁହଁ, ଏମିତି ନୁହେଁ । ବିଶ୍ୱାସ ଅବିଶ୍ୱାସର ଦୋଛକିରୁ ବାସ୍ତବତା ଆଡ଼କୁ ମୁହାଁଇଲା ବେଳେ ମୁଖ୍ୟ ପରୀକ୍ଷକ ଲେଙ୍କାବାବୁଙ୍କ ଡାକ ଶୁଣାଗଲା- “କୁଆଡ଼େ ଗଲେ ଦେହୁରିବାବୁ, କୁଆଡ଼େ ଗଲେ ଅଶୋକବାବୁ. . . ଖାତା ଦେଖା ସରିଲେ ବସ୍ ଧରିବାର ଅଛି. . ।”

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top