ଗଳ୍ପ

ଭିନ୍ନ ପୃଥିବୀର ମଣିଷ

Hemanta Kumar Rout's odia story Bhinna Pruthibira Manisha

ତମେ ଜାଣିଛ ସଂଗୀତର ସମ୍ମୋହନ ଶକ୍ତିରେ ଆକାଶରୁ ବର୍ଷା ଝରେ । ପବନ ତା’ର ଗତିପଥ ବଦଳାଏ । ବୃକ୍ଷମାନେ ପୁଷ୍ପରେ ସୁରଭିତ ହୁଅନ୍ତି । ଆଜି ସଂଗୀତର ଅବସ୍ଥା ଦେଖୁଛ । କିଭଳି ବିକୃତ ହୋଇ ଯାଇଛି ।

ଭିନ୍ନ ପୃଥିବୀର ମଣିଷ

ରଘୁଦାସର ଶବ ତାଙ୍କ ଗାଁ ମଶାଣିରେ ଜଳିଲା ସିନା ଏକାଦଶ କର୍ମରେ ପାଞ୍ଚ ଭାଇ ପତର ପକେଇଲେ ନାହିଁ । ଗାଁରେ ଟିକେ ଶୋକ ସଭା କରାଗଲା ନାହିଁ । ଗାଁର ଭଙ୍ଗା ଚାଳିଆ ତଳେ ଭଙ୍ଗା ଭାଡ଼ି ଉପରେ ଫୁଟା ତବଲା ହଳେ, ଫଟା ହାର୍ମୋନିୟମ୍‌ଟିଏ ଓ ସଂଗୀତଜ୍ଞ ଭାତଖଣ୍ଡେଙ୍କର ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ବହି ଖଣ୍ଡେ ଛଡ଼ା କ’ଣ ବା ନିଜର ଥିଲା ତା’ର ଏ ସଂସାରରେ ? ବିଚରା ଗ୍ରାମ୍ୟ କଳାକାର ।

ନିଛାଟିଆ ଖରାବେଳେ ନଈପଠାରେ ବସି ଗୀତ ଗାଇବା ତା’ର ଅଭ୍ୟାସ । ସେଇ ଗୀତରେ ସତେ ଯେପରି ନଈଟିରେ ଟିକିଟିକି ଅସଂଖ୍ୟ ତରଙ୍ଗ ଉଠେ । ତା’ ଗୀତର କଢ଼ି ସବୁ ଫୁଲ ପାଲଟେ । ଥୁଣ୍ଟା ଗଛ ପଲ୍ଲବିତ ହୁଏ । ତା’ ସଂଗୀତରେ ସଂଗୀତମୟ ହୁଏ ଧରା ଠାରୁ ତାରା, ଦେହଠାରୁ ଦେହୀ, ଜୀବନଠାରୁ ମୃତ୍ୟୁ ।

ନଈ ସେପାରି ଗାଁରୁ ଗୋରୀ ଝିଅଟି ପାଣି ପାଇଁ ନଈ ଭିତରକୁ ପଶି ଆସିଲେ ରଘୁଦାସର କଣ୍ଠରୁ ଝରିପଡ଼େ ।

“ଏ ପାରିରେ ତୁମେ ଅଲିଅଳି ନୀଳ କଇଁ”

ତାଙ୍କ ଗାଁର ପଶ୍ଚିମକୁ ବିଶାଳ ପଡ଼ିଆଟିରେ ସେଦିନ ନେତା ଆସି ନିର୍ବାଚନ ସଭା କଲେ । କୋଡ଼ିଏ ଖଣ୍ଡ ମୌଜାର ଲୋକେ ଜମା ହୋଇଗଲେ । ନେତାଙ୍କ ସଭାରେ ତାଙ୍କର ପ୍ରଥମେ ଉଦ୍ବୋଧନ ଗୀତ ଗାଇବାର ଥାଏ । ନିଜେ ଲେଖି ନିଜେ ସ୍ୱର ଦେଇ ହାରମୋନିୟମ୍‌ରେ ମିଳେଇ ରଘୁଦାସ ଏମିତି ଗୀତ ଗାଇଲା ଯେ ହଜାର ହଜାର ଲୋକେ ସ୍ତବ୍ଦ ହୋଇଗଲେ ମୁହୂର୍ତ୍ତକ ଭିତରେ ।

ରଘୁଦାସଙ୍କୁ ଜଗମୋହନଙ୍କ ନିର୍ବାଚନ ମଣ୍ଡଳୀର ଗାଁ ଗହଳି ବୁଲି ବୁଲି ଗୀତ ଗାଇବାକୁ ପଡ଼ିଲା । ମୁଣ୍ଡରେ ଠେକା, ଦେହରେ ତାଳିପକା ପଞ୍ଜାବୀ ଆଣ୍ଠୁ ଲୁଚୁନଥିବା ଖଦଡ଼ ଧୋତି ଏବଂ ବେକରେ ହାର୍ମୋନିୟମ୍ ଝୁଲେଇ ରଘୁଦାସ ଘର ଘର ବୁଲି ଗୀତ ଗାଇବା ବେଳେ ତା’ ଆଖିରେ ଜକେଇ ଆସୁଥିଲା ଲୁହ । ଲୁହ ନୁହେଁ ତ ସବୁ ମଣିଷର ଯନ୍ତ୍ରଣାର ସୁଅ ।

ଦୀର୍ଘ ପଚାଶ ବର୍ଷର ସଂଗୀତ ସାଧନା କାହା ପାଇଁ ? କ’ଣ ପାଇଁ ଏ କୁଚ୍ଛ ତପସ୍ୟା ? କେତେ ନିରୋଳା ରାତିର ଛାତିକୁ ଲହରେଇ ଦେଇଛି । କେତେ ମେଳା, ଯାତ୍ରା ଥିଏଟରରେ ଗୀତ ଶୁଣେଇଛି ନିଜେ ଗୀତ ପାଲଟି ଯାଇ । କେମିତି ଅଛି କ’ଣ ଖାଉଛି ? କେମିତି ଚଳୁଛି ରଘୁଦାସର ଦୁଃଖର ସଂସାର, ସେ କଥା କିଏ କାହିଁକି ବୁଝିବ ?

କାମନାରେ ଭରପୁର ଏ ସଂସାର । ପାପମୟ ସଂସାରର ଜଞ୍ଜାଳ ଭିତରୁ ରଘୁଦାସ ନିଜର ଆତ୍ମାକୁ ସଂଗୀତର ସୂକ୍ଷ୍ମ ଜଗତ ଭିତରକୁ ନେଇ ଯାଇଥିଲା, ଯେଉଁଠି ନ ଥିଲା ଅଭାବ ଅସୁବିଧାର କାହାଣୀ । ସେଇ ମହା ସଂଗୀତ ଭିତରେ ନିଜର ସୂକ୍ଷ୍ମ ସଂଗୀତକୁ ମିଶେଇ ଦେଇ ସେ ନିର୍ଲିପ୍ତ ହୋଇଯାଇଥିଲା । ନିତ୍ୟ ଜଗତ ପାଇଁ ଗୋଟିଏ ପଥ ପରିଷ୍କାର କରି ଦେଇଥିଲା । ଯେଉଁଠି ନଥିଲା ଗୋଟେ ବିନ୍ଦୁର ଆକର୍ଷଣ । ଗୋଟିଏ ମହା ସିନ୍ଧୁ ଭିତରେ ହରେଇ ଦେଇଥିଲା ଆପଣାର କ୍ଷୀଣସତ୍ତା । ସଂସାର ତା’ ପାଇଁ ଅସାର ! ସଂଗୀତ ତା’ର ଅମୃତ ! ସେଇ ସଂଗୀତର ତାଳେ ତାଳେ ସେ ନୃତ୍ୟ କରି ଚାଲିଥିଲା ଉନ୍ମୁତ୍ତ ଭଳି ।

ଜଗମୋହନଙ୍କ ସଙ୍ଗରେ ଗସ୍ତ କଲାବେଳେ ବିଭିନ୍ନ ସ୍ଥାନରେ ତାକୁ ମାଡ଼ଗାଳି ଖାଇବାକୁ ପଡ଼ିଥିଲା । କୋଦଳା ପଞ୍ଚାୟତରେ ଗୀତ ଗାଉଥିବା ବେଳେ ଟେକା ପଥର ପକେଇ ଜଗମୋହନଙ୍କୁ ନହୁନୁହାଣ କରି ପକେଇଲେ । ରଘୁଦାସକୁ ମାରି ମାରି ସଂଜ୍ଞାହୀନ । ଜଗମୋହନଙ୍କ ନାକଦଣ୍ଡି ଫାଟିଗଲା ।

ରଘୁଦାସ ଭଲ ହେବାପରେ ଜଗମୋହନ କହିଲେ ଯେ “ରଘୁଦାସ, ମୋ ପାଇଁ ମୁଁ ଦୁଃଖିତ ନୁହେଁ । ନେତା ମନ୍ତ୍ରୀ ହେବାକୁ ହେଲେ ଓ ସବୁ ମୋ ପାଇଁ ଦେହଘଷା । କୋଉଠି ମାଡ଼ଗାଳି କୋଉଠି ଫୁଲମାଳ । ହେଲେ ତମର ଅପରାଧ କ’ଣ ? ମୋରି ପାଇଁ ତମେ ନିରପରାଧ ମଣିଷଟିଏ ଏତେ କଷ୍ଟ ପାଇଲ । ତମର ଋଣ ମୁଁ କେବେ ଶୁଝିପାରିବି ନାହିଁ । ତମ ଭଳି ଜଣେ ବନ୍ଧୁ ପାଇ ମୁଁ ପ୍ରକୃତରେ ଗର୍ବିତ । ତମେ କୁହ ମୁଁ ତୁମ ପାଇଁ କ’ଣ କରିପାରେ ?”

– ମୋ ଅବସ୍ଥା ତ ଦେଖୁଛନ୍ତି । ପିଲାଟାକୁ ପାଠ ପଢ଼େଇ ପାରିଲିନି । ନିଜ ପାଇଁ ଘରଟିଏ ନାହିଁ । ବଢ଼ିଲା ଝିଅଟାର ବିବାହ ବନ୍ଦ । ଭଲଭାବରେ ଗଣ୍ଡେ ଛୁଆଙ୍କ ମୁହଁରେ ଦାନା ପକେଇ ପାରୁନି ।

ମୋର ଜିତିବାର କିଛି ଅସୁବିଧା ନାହିଁ । ମନ୍ତ୍ରୀ ହେବାଟା ମୋର ନିଶ୍ଚିତ ବୋଲି ଜାଣ । ସେତେବେଳେ ତମକୁ ଯାହା ସାହାଯ୍ୟ କରିବା କଥା କରିବି ।

ସାମୟିକ ସାହାଯ୍ୟ ଅପେକ୍ଷା କିଛି ସ୍ଥାୟୀ ବ୍ୟବସ୍ଥା କରନ୍ତୁ ।

କ’ଣ ସେ ବ୍ୟବସ୍ଥା ?

ଆପଣ ଯେବେ ମୋତେ କଳାକାର ଭତ୍ତା ଗଣ୍ଡାକ ଯୋଗାଇ ଦିଅନ୍ତେ, ସେମିତି ଠେଲିପେଲି ପଳେଇ ଯାଆନ୍ତି ।

– ଏ ତ ସାଧାରଣ କଥା । ନିର୍ବାଚନ ପରେ ଆଗ ମୁଁ ତୁମ ପାଇଁ ଏ ବ୍ୟବସ୍ଥା କରିବି । ତମର ଆଦୌ ଏ ବିଷୟରେ ଚିନ୍ତା କରିବାର ନାହିଁ । ତମେ କେବଳ ମୋ ପାଇଁ ଖଟିଚାଲ । ମୁଁ ତମ ପାଇଁ ଯାହା କରିବାର କଥା କରିବି ।

ଏଇ ସାମାନ୍ୟ ଆଶ୍ୱାସନାରେ ରଘୁଦାସ ଟିକିଏ ଶାନ୍ତି ପାଏ । ରକ୍ତ ପାଣି କରି ମରି ପଡ଼ି ନେତାଙ୍କ ପଛରେ ଦଉଡ଼େ । ସେ ଭାବେ ଏ ଶ୍ରମ ତା’ର ବୃଥା ହେବ ନାହିଁ ।

ଜଗମୋହନ ନିର୍ବାଚନରେ ଜିତିବା ପରେ ଯେଉଁଦିନ ମନ୍ତ୍ରୀପଦରେ ବସିଲେ ସେଦିନ ରଘୁଦାସର କେତେ ଖୁସି । ସେଦିନ ରାତିରେ ଆକାଶର ତାରାମାନଙ୍କୁ ଚାହିଁ ଗୀତ ଗାଇଲା । ଅନ୍ଧାର ରାତିରେ କେବଳ ଘୁରି ବୁଲିଲା । ତା’ ହୃଦୟ ଭିତରେ ଏତେ ଆନନ୍ଦ ଫୁଲି ଉଠିଲା ଯେ ସେଇ ନିଶାରେ ସେ ଆଉ ଶୋଇ ପାରିଲାନି । ତୁରନ୍ତ ଅଭିନନ୍ଦନ ଜଣେଇଲା ଚିଠି ମାଧ୍ୟମରେ ।

ଦିନ ପରେ ଦିନ ଗଡ଼ି ଚାଲିଲା । ତା’ ଭିତରେ ଉଙ୍କି ମାରୁଥିବା ଆଶାମାନେ ମଳିନ ପଡ଼ିବାକୁ ଲାଗିଲେ । କିଛି ବୁଝି ପାରିଲାନି । ଭାବିଲା ଜୀବନ ଉପରେ ଏମିତି ବେଳେବେଳେ କେତେ ସ୍ୱପ୍ନ ବାସି ଆସେ । କେତେ ସ୍ୱପ୍ନ ସାକାର ହୁଏ । ଆଶା ନିରାଶା ତ ଜୀବନର ଅପ୍ରତିହତ ଧାରା । ସେଥିରେ ମଜ୍ଜିଯିବା ବିଜ୍ଞତାର ପରିଚୟ ନୁହେଁ ।

ଅଭିଶପ୍ତ ପରିବାରକୁ ନେଇ କେତେ ବାଟ ଚାଲିବ । କୌଣସି ପିଲାଙ୍କୁ ତ ମଣିଷ କରିପାରିଲାନି । ପୁଅଟା ମେଟ୍ରିକ୍ ପାଶ୍ କରି ବିଲରେ ଖଟିଲା । ନିଜେ ସେଇ ଚିନ୍ତାରେ ମଧ୍ୟ ଜରାଗ୍ରସ୍ତ ହୋଇଗଲା ରଘୁଦାସ ।

ଏତେ ଯନ୍ତ୍ରଣାରେ ମଧ୍ୟ ଜଗମୋହନଙ୍କ ପାଖକୁ ବାଧ୍ୟ ହୋଇ ଲୋକଙ୍କ ହାତରେ ଖବର ପଠେଇଲା । ଚିଠି ଲେଖିଲା ।

ପଇସା ନ ଥିଲା ତାଙ୍କୁ ସାକ୍ଷାତ କରିବାକୁ, ହେଲେ ମନ୍ତ୍ରୀଙ୍କ ପାଖରୁ କିଛି ଖବର ଆସିଲାନି ।

ତଥାପି ରଘୁଦାସର ନିଜ ଉପରେ ଅଭିମାନ ଥିଲା । ଜୀବନରେ ଯାହାର କିଛି ପାଇବାର ନାହିଁ ତା’ର ଯନ୍ତ୍ରଣା କେଉଁଠୁ ଆସିବ ? ସୁଦୁ ନିର୍ଲିପ୍ତ ପୁରୁଷଟିଏ । ଯନ୍ତ୍ରଣା ବଢ଼ିଗଲେ ବେହେଲାଟି ଧରି ବସିଯାଏ । ନାଦ ବ୍ରହ୍ମର ନାଦ ଭିତରେ ବ୍ରହ୍ମସ୍ୱାଦ ଅନୁଭବ କରେ । କେବଳ ଝଙ୍କାର । ସେ ଶୁଣେ ସମଗ୍ର ଜଗତରେ ସେଇ ଝଙ୍କାରର ମୋହିନୀ ମାୟା । ଭାରି ଆନନ୍ଦ ସେ ମୁହୂର୍ତ୍ତ ସବୁ । କାହାକୁ ଶୁଣେଇବାର ଆବଶ୍ୟକ ନଥାଏ । ନିଜେ ଗାଇ ନିଜେ ଶୁଣେ ।

ତା’ ଭିତରୁ ଯେମିତି ଆତ୍ମାର ଝଙ୍କାର ବିଚ୍ଛୁରିତ ହୁଏ । ସେଇ ମହାସ୍ରୋତରେ କୂଳ କିନାରା ହରେଇ ସେ ଭାସି ଭାସି ଚାଲେ ଯେ କେଉଁ ନିତ୍ୟ ବେଳରେ ପହଞ୍ଚି ଯାଏ । ବହୁ ଜନ୍ମର ସାଧନା ତା’ର ପରିସମାପ୍ତ ହୁଏ । ସେ ସବୁ ପାଏ ନିଜ ଭିତରେ ନିଜର ଅପ୍ରମିତ ସାଧନା ଭିତରେ ।

ଅନେକ ଦିନରୁ ବନ୍ଧୁମାନେ କହିଲେଣି ଆକାଶବାଣୀ ସହିତ ଯୋଗସୂତ୍ର ରଖିବାକୁ । ଆକାଶବାଣୀରେ ତା’ ଗୀତ ପ୍ରଚାରିତ ହେବ, ସେଥିରେ ତାର କିଛି ଦୁଃଖ ବି ଲାଘବ ହୋଇଯିବ । ତଥାପି ସେ ଦିନେ ଆକାଶବାଣୀ ଭିତରକୁ ପଶିଲା । ସେଠାକାର ସଂଗୀତଜ୍ଞଙ୍କ ପରି ସେ ଦାମିକିଆ ପୋଷାକ ପିନ୍ଧି ନଥିଲା । ତା’ର ପୋଷାକ ଦେଖି ବାବୁମାନେ କାରୁ ଅଦ୍ଭୁତ ଜୀବଟିଏ ଭାବି ହସିବାକୁ ଲାଗିଲେ । ରଘୁଦାସ ତା’ ଦୁଃଖ କହିସାରିବା ପରେ ଅଫିସର ତାକୁ ଗୀତଟିଏ ଗାଇବାକୁ କହିଲେ । ରଘୁଦାସ ଲଳିତ ସ୍ୱରରେ ଗୀତଗାଇ ସମସ୍ତଙ୍କୁ ତନ୍ମୟ କରିଦେଲା । ସେମାନେ ବିଶ୍ୱାସ କରିପାରିଲେ ନାହିଁ ଯେ ଏପରି ଅଦ୍ଭୁତ ମଣିଷଟି ଭିତରେ ଏମିତି ଅସାଧାରଣ ଶକ୍ତି ଥାଇପାରେ ।

ଅଫିସର୍ ରଘୁଦାସକୁ କହିଲେ, “ତୁମ ପାଇଁ ବ୍ୟବସ୍ଥା କରି ତମ ପାଖକୁ ଚିଠି ଲେଖି ଜଣେଇବି । ତମେ ଗାଁରେ ରହି ଯେଉଁ ସୁନ୍ଦର ଗୀତ ଗାଉଛ ତମ ସାଧନାକୁ ପ୍ରଶଂସା ନ କରି ମୁଁ ରହିପାରୁନି ।” ରଘୁଦାସ ତାଙ୍କୁ ପ୍ରଶଂସା କରି ଫେରି ଆସିଲା ସିନା ତା’ ପାଖକୁ କୌଣସି ଚିଠି ପତ୍ର ଆସିଲା ନାହିଁ ।

ନିରବ ନିଶ୍ଚଳ ଗାଁ ରାତି । ଛାତି ଉପରେ ତା’ର ଅସଂଖ୍ୟ ଟିକିଟିକି ତାରା । ସେଇ ନିରବ ରାତିରେ ସାଧାକ ରଘୁଦାସର ଝଙ୍କାର ଗୁମୁରି ଉଠେ । ପିଲାମାନେ ସିନା ଶୋଇଯାନ୍ତି ହେଲେ ରଘୁଦାସର ସ୍ତ୍ରୀ ସବୁଦିନ ସହି ସହି ରାତିରେ ବଡ଼ କଷ୍ଟରେ କଡ଼ ଲେଉଟାଏ । ସେଦିନ କେମିତି ସେ ସହି ପାରିଲାନି । ସ୍ପଷ୍ଟଭାବରେ ରଘୁଦାସକୁ କହିଲା-

“ଦିନ ସାରା ଖଟି ଖଟି ରାତିରେ ମଣିଷ ଟିକେ ଶୋଇ ପାରୁନି । ତମର ଯଦି ଗାଆଣ ବଜାଣ କରିବାର କଥା ଅନ୍ୟ କେଉଁଠି ଯାଇ କର ।”

ରଘୁଦାସ ଶୁଣିବା ପରେ ହସିଲା । ମନଖୋଲି ହସିଲା । ହସି ହସି ପଚାରିଲା “କାହିଁକି ଆଜି ଏ କଥା କହୁଚ, କାହିଁ ଆଗରୁ ତ କିଛି କହୁନଥିଲ ।”

– ମୁଁ ଜାଣିଥିଲି ତମର ଏ ସଂଗୀତ ସାଧନାରେ କିଛି ମୂଲ୍ୟ ଅଛି ବୋଲି । ଆଜି ଜାଣୁଛି ତମର ଏ ସାଧନାର ପଇସାଟିର ମୂଲ ନାହିଁ । ତମରି ଘର ପାଖରେ ଶରତକୁ ଦେଖ, କ’ଣ ଜାଣେ । ସେ ତ ରେଡ଼ିଓରେ ଗୀତ ଗାଉଛି । ନେତା ପଛରେ ଗୋଡ଼ାଇଲ କ’ଣ ପାଇଁ ? ଜଗୁପଧାନ ନେତା ପଛରେ ରହି ଗାଡ଼ି କଲା, କୋଠାକଲା, ଝିଅ ବାହାଘର କଲା । ପ୍ଲଟ୍ କିଣିଲା । ଘରଦ୍ୱାର ବୋଝେଇ କରିଦେଲା । କ’ଣ ନାହିଁ ତା’ର ! ତମେ ଜୀବନ ସାରା ସାଧନା କରି ମୁଠେ ଖାଇବାକୁ ପାଇଲନି କି ପିଲାମାନଙ୍କୁ ମଣିଷ କରିପାରିଲନି । ଲୋକେ ପ୍ରଶଂସା କରୁଛନ୍ତି, କେହି କ’ଣ ପକେଟ୍ରୁ ପାଞ୍ଚଟଙ୍କା ଦଉଛନ୍ତି ?

ମୋ ସାଧନାର ମୂଲ୍ୟ ମୁଁ ବୁଝେ । ସେମାନଙ୍କ ଭଳି ଖୋସାମତ କରି ମୁଁ ତାକୁ ଶସ୍ତା କରିପାରିବି ନାହିଁ । ପ୍ରକୃତ ସଂଗୀତ ଅମୂଲ୍ୟ । ପଇସାପତ୍ର ଦ୍ୱାରା ମପାଯାଇ ପାରେନା । ସଂଗୀତ ସାଧନାରେ ମୁଁ ଯେଉଁ ଅନିର୍ବଚନୀୟ ଆନନ୍ଦ ପାଏ ତାହା ଜଗତରେ ଅତୁଳନୀୟ । ତମେ ଜାଣିଛ ସଂଗୀତର ସମ୍ମୋହନ ଶକ୍ତିରେ ଆକାଶରୁ ବର୍ଷା ଝରେ । ପବନ ତା’ର ଗତିପଥ ବଦଳାଏ । ବୃକ୍ଷମାନେ ପୁଷ୍ପରେ ସୁରଭିତ ହୁଅନ୍ତି । ଆଜି ସଂଗୀତର ଅବସ୍ଥା ଦେଖୁଛ । କିଭଳି ବିକୃତ ହୋଇ ଯାଇଛି । ସେଇ ବିକୃତ ପରମ୍ପରାକୁ ଆମର ଅଧିକ ଆନନ୍ଦରେ ଗ୍ରହଣ କରୁଛନ୍ତି । ସଂଗୀତ ଆଜି ହାଟରେ ବାଟରେ ନିଜର ନିଜତ୍ୱ ହରାଇଛି । ସେ ଦୃଶ୍ୟ ଦେଖି ପ୍ରକୃତ ସଂଗୀତଜ୍ଞ ଓ ଶ୍ରୋତାଙ୍କର ଛାତି ଫାଟି ଯାଉଛି ।

ମନେରଖ ମୁଁ ଅପରାଧୀମାନଙ୍କ ପାଖେ ସାଲିସ୍ କରି ପାରିବିନି ଖୋସାମତ କରି ପଇସା ରୋଜଗାର କରିବା ଅପେକ୍ଷା ଆତ୍ମହତ୍ୟା କରିବା ବରଂ ଭଲ ।

– ତମେ ସଂଗୀତ ସାଧନାରେ ଆନନ୍ଦ ପାଉଛ ହେଲେ ଆମେ କ’ଣ ପାଉଛୁ ?

ମୋ ଆନନ୍ଦରେ ତମେମାନେ ଯେବେ ଆନନ୍ଦିତ ନୁହଁ ତେବେ ସ୍ୱାମୀ ହେବାର କି ଗୌରବ ! ଆହୁରି ମନେରଖ ପ୍ରକୃତ ସତ୍ୟ ପଥରେ ବହୁ ଦୁଃଖ ଦୁର୍ଦ୍ଦଶା, ଜୀବନ ଯନ୍ତ୍ରଣା ରହିଛି । ତାକୁ ପ୍ରତିହତ କଲେ ପୃଥିବୀର ସବୁ ଅସତ୍ୟମାନଙ୍କୁ ଗରଳ ଭଳି ପାନ କରିବାକୁ ପଡ଼ିବ । ମନେରଖ ଏ ଦୁନିଆଁରେ ସୁଖଠାରୁ ଦୁଃଖର ବେଶି ପ୍ରଭାବ ଅଛି । ଦୁଃଖ ପାଇଁ ମୁଁ ମର୍ମାହତ ନୁହେଁ । ଜୀବନସାରା ମୋ ପାଖରେ ରହି ମୋ ଆଦର୍ଶରୁ କାଣିଚାଏ ତମେ ଗ୍ରହଣ କରିପାରିଲନି । ତାହା ହିଁ ଦୁଃଖ !

ରଘୁଦାସଙ୍କ କଥାରେ ତାଙ୍କ ପତ୍ନୀ କାନ୍ଦି ପକାଇଲେ । ଘରର ଚାରିକାନ୍ଥ ଭିତରେ ଆବୋରି ବସିଲା ଅନାସକ୍ତ ବାତାବରଣ ।

ନିଦରେ ଶୋଇ ପଡ଼ିଥିଲା ବେଳେ ପତ୍ନୀର ଅଲରା କେଶକୁ ଥରୁଟିଏ ସାଉଁଳେଇ ଦେଲା ରଘୁଦାସ ।

ମୁଁ ବୁଝୁଛି ତମମାନଙ୍କୁ ପୋଷିବାରେ ମୁଁ ଚରମ ଅବହେଳା କରିଛି । ମୁଁ ସିନା ସଂଗୀତରେ ଆନନ୍ଦ ପାଇଛି ତମେ କ’ଣ ପାଇଛ ? ଜଣେ ଗୃହସ୍ଥ ହିସାବରେ ଯାହା କରିବା କଥା ତାହା ମୁଁ କରିପାରିନି । ସେଥିପାଇଁ ମୋର ଆନ୍ତରିକ କାମନା, ପରଜନ୍ମରେ ଯେପରି ତମକୁ ମୋ ଭଳି ହତଭାଗ୍ୟ ସ୍ୱାମୀ ନ ମିଳୁ । ରଘୁଦାସର ଥିଲା ଏହା ସ୍ୱଗତୋକ୍ତି ।

ସେଦିନ ରାତିରେ ରଘୁଦାସ ସ୍ଥୂଳ ଜୀବନକୁ ସଂଗୀତ ମାଧ୍ୟମରେ ସୂକ୍ଷ୍ମରୁ ସୂକ୍ଷ୍ମତର କରିବାକୁ ଚେଷ୍ଟା କଲା । ସଂଗୀତ ରୂପାନ୍ତର ହେଲା ଏ ଅବ୍ୟକ୍ତ ଆନନ୍ଦରେ । ଜଗତର ଅସତ୍ୟ କୁହୁଡ଼ି ଭିତରେ ସତ୍ୟର ନୀଳସତ୍ତା ଉଦ୍ଭାସିତ ହେଲା ତା’ ହୃଦୟର ଚରମ ସଂଗୀତରେ । ସେ ଅନୁଭବ କଲା, କୀଟ, ପଶୁପକ୍ଷୀ, ବୃକ୍ଷଲତା ସବୁ ଭିତରେ ସଂଗୀତର ସତ୍ତା । ସେଥିପାଇଁ ଦୁଃଖ କ’ଣ ? ଦୁଃଖ କେବଳ ଏହି ଜନ୍ମ ମୃତ୍ୟୁର ଆବର୍ତ୍ତ ଭିତରେ । ସଂଗୀତର ବିଶାଳ ପୃଷ୍ଠଭୂମି ଉପରେ କେଉଁ ଏକ ଅତୀନ୍ଦ୍ରିୟ ରାଜ୍ୟକୁ ଚାଲିଗଲା । ଜଗତର ନିତ୍ୟ ନୈମିତ୍ତିକ କୋଳାହଳ ନିକଟରେ ଥାଇ ବି ସେ ଥିଲା ବହୁଦୂରରେ ।

ଯେତେବେଳେ ସମଗ୍ର ପୃଥିବୀ ନିରବ । ସେତେବେଳେ ରଘୁଦାସ ସାଧାରେ ସମାଧିସ୍ଥ ।

ସକାଳୁ ଦେଖାଗଲା, ରଘୁଦାସ ଶୋଇଯାଇଛି ନିରବ ନିଶ୍ଚଳ ହୋଇ । ହାତରୁ ଖସି ପଡ଼ିଛି ବେହେଲା ଖଣ୍ଡେ ଦୂରରେ । ଲୋକେ କହିଲେ ରଘୁଦାସ ଚାଲିଗଲା ।

ରଘୁଦାସଙ୍କ ମୃତ୍ୟୁ ଖବର ମନ୍ତ୍ରୀ ଜଗମୋହନଙ୍କ କାନରେ ପଡ଼ିଲା । ଏଥିରେ ସେ ବ୍ୟଥିତ ହୋଇ ସମ୍ୱାଦପତ୍ରରେ ଏକ ଶୋକବାର୍ତ୍ତା ପ୍ରକାଶ କଲେ ।

ମୁଁ ସଂଗୀତଜ୍ଞ ରଘୁଦାସଙ୍କ ମୃତ୍ୟୁରେ ଅତ୍ୟନ୍ତ ବ୍ୟଥିତ । ସେଥିପାଇଁ ଗଭୀର ଶୋକ ପ୍ରକାଶ କରୁଛି । ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି । ତାଙ୍କ ଭଳି ଜଣେ ଗୁଣୀ ଲୋକଙ୍କର ବିୟୋଗରେ ଏ ଜାତିର ବିପୁଳ କ୍ଷତି ହୋଇଛି । ତାଙ୍କ ଶୋକ ସଂତପ୍ତ ପରିବାରବର୍ଗଙ୍କୁ ସହାନୁଭୂତି ଜଣେଇବା ସହିତ ସରକାରୀ ପାଣ୍ଠିରୁ ୫ ଶତ ଟଙ୍କା ମଞ୍ଜୁରୀ କରୁଛି ।

ଲୋକପ୍ରିୟ ଲେଖା

To Top