ଗଳ୍ପ

ଭିନ୍ନଋତୁର କାକଳି

Manjurani Mishra's Odia Story BHINNA RUTURA KAAKALI

ଏମିତି ଉତ୍ତାପହୀନତା ଜୀବନକୁ ନିୟନ୍ତ୍ରଣ କରିପାରୁଥିବାର ସାହସ ନେଇ ସେ ଟିକିଏ କଠୋର ହୋଇଯାଆନ୍ତେ କି ପ୍ରାଚୀ ପ୍ରତି କି ରିତା ବାନାର୍ଜି ପ୍ରତି ।

ଭିନ୍ନଋତୁର କାକଳି

ନାରୀ ସବୁବେଳେ ଆଲୁଅର କାଚଘରେ ନିଜକୁ ନିବୁଜ କରି ନିବିଡ଼ ଭାବରେ ଉପଭୋଗ କରିବାକୁ ଶିଖେ । ସ୍ୱପ୍ନର ଫୁଲ ଫୁଟାଇଲା ବେଳେ ଦୁଃଖର ବିନ୍ଦୁଟିଏ ଦେଖିବାକୁ ଚାହେଁନା । ପ୍ରାଚୀକୁ ଦେଖିଲେ ଏମିତି କିଛି ଗୋଟେ ଧାରଣା ମନକୁ ଆସେ ଅଥଚ କିଛି ଗୋଟାଏ ଶେଷ ସିଦ୍ଧାନ୍ତରେ ପହଞ୍ଚି ହୁଏନି । ସବୁ କେମିତି ଅସମାପ୍ତ ଆଉ ଖାପଛଡ଼ା ଲାଗେ ।

ଦୋଳିରେ ଲୁନା ଶୋଇଛି । ନିଦରେ ବେଳେବେଳେ ହସି ଦେଉଛି । ଛୋଟ ଛୋଟ କଅଁଳ ଓଠ ଦୁଇଟି । ପ୍ରାଚୀ ପରି ନାକ । ଆଙ୍କି ଦେଲା ପରି ଭ୍ରୁଲତା । ଏଇ ଲୁନା କାନ୍ଦି ଉଠିଲା ନା ପୁଣି ଶୋଇ ପଡ଼ିଲା । ହଠାତ୍ କୁଆଡ଼େ ଗଲା ପ୍ରାଚୀ । ଏମିତି ସମୟରେ ସେ ମୋଟେ ବାହାରକୁ ଯାଏନା ।

ଏକା ଏକା କିଛି ଭଲ ଲାଗୁନି । ଅଥଚ ପ୍ରାଚୀ ପାଖରେ କେମିତି ମାଡ଼ି ମାଡ଼ି ପଡ଼େ ବିଗତ ଘଟଣାକୁ ସବୁ ଖୋଲାଖୋଲି କରି ତର୍ଜମା କରିବାକୁ । ପ୍ରାଚୀର ବୋଧହୁଏ କିଛି ମନେ ପଡ଼େନା । ଛୋଟ ଛୁଆକୁ ନେଇ ସେ ସବୁବେଳେ ବ୍ୟସ୍ତ ।

ସେ କ’ଣ ପ୍ରାଚୀକୁ ନେଇ ସୁଖୀ ନୁହନ୍ତି, ଖୁସି ନୁହନ୍ତି । ପ୍ରାଚୀକୁ ନିଜର କରିନେବା ପାଇଁ ଏତେ ପ୍ରତିରୋଧ କରିବାର ଶକ୍ତି ନିଜ ପରିବାର ପ୍ରତି, ସମାଜ ପ୍ରତି କେଉଁଠୁ ଆସିଥିଲା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । କିନ୍ତୁ ଆଜି କାହିଁକି ଭୁଲ୍ କରିଦେଲା ପରି ଲାଗେ । ଆତ୍ମୀୟ ସ୍ୱଜନ ପରିବାରଠୁ ବିଚ୍ଛିନ୍ନ ହୋଇ କେମିତି ଦୋଷୀ ଦୋଷୀ ଲାଗେ ।

ଏମିତି ଉତ୍ତାପହୀନତା ଜୀବନକୁ ନିୟନ୍ତ୍ରଣ କରିପାରୁଥିବାର ସାହସ ନେଇ ସେ ଟିକିଏ କଠୋର ହୋଇଯାଆନ୍ତେ କି ପ୍ରାଚୀ ପ୍ରତି କି ରିତା ବାନାର୍ଜି ପ୍ରତି । ତାଙ୍କ ଅଫିସ୍‌ର ଲେଡ଼ି ଷ୍ଟେନୋ ରିତା ବାନାର୍ଜି । ଝିଅଟା କୁମାରୀ ନା ସିମନ୍ତିନୀ ମୋଟେ ଜାଣି ହୁଏନା । କେମିତି ଅସମ୍ଭବ ଧରଣର ବଣ୍ୟ ମନେ ହୁଏ । ଅଫିସ୍‌ରେ ପହଞ୍ଚିଲେ ମେଘ ଘୋଟି ଆସେ । ନିଜେ କିଛି ଡିକ୍ଟେସନ୍ ଡାକିବାକୁ ଯାଇ ଅଟକି ଯାଆନ୍ତି ।

କାହିଁକି ହଠାତ୍ ଦିନେ ମନେ ପଡ଼ିଗଲା ରିତା ବାନାର୍ଜି । ଅସମୟରେ ତା’ର ପ୍ରମୋସନ ହୋଇଗଲା ବୋଲି ନା ସେଥିପାଇଁ ସାହାଯ୍ୟ ସମର୍ଥନ କରିଥିଲେ ବୋଲି । ନିଜେ ରିତା ଫୋନ୍ କରିଥିଲା । କୃତଜ୍ଞତା ଜଣାଇଥିଲା । ଚା’ ଭୋଜି ପାଇଁ ନିମନ୍ତ୍ରଣ କରିଥିଲା । ପ୍ରାଚୀ କ’ଣ ଭାବିଥିବ ? ଅଫିସ୍‌ର ଅନ୍ୟ ଷ୍ଟାଫ୍ କ’ଣ ଭାବିଥିବେ ? ରିତା ବାନାର୍ଜିର ପ୍ରମୋସନ୍ ହୋଇନଥିଲେ ବୋଧହୁଏ ଭଲ ହୋଇଥାନ୍ତା । କାହିଁକି ଏମିତି ମନେ ହେଉଛି ପ୍ରାଚୀକୁ କିଛି ନ ଜଣେଇ ନିଜ ଇଚ୍ଛାରେ କିଛି ଗୋଟାଏ କଲାବେଳେ ବ୍ୟଥାଭରା ଢେଉମାନେ ଉଛୁଳି ଆସନ୍ତି ?

ଅଥଚ କେତେ ସାବଧାନତା ସହକାରେ ଘର ଚଳାଏ ପ୍ରାଚୀ । କେତେ ଆଡ଼ଜଷ୍ଟ କରେ ତାଙ୍କ ସହିତ । କିଛି ଗୋଟାଏ ଗୁରୁତର କଥାର ଅବତାରଣା ବେଳେ ବାହାନାରେ କେତେବେଳେ ଚାଲିଯାଏ ପ୍ରାଚୀ । ତା’ ପାଖରେ ନିଜକୁ ଉନ୍ମୁକ୍ତ କରିହୁଏନି କି ତା’ଠାରୁ କିଛି ବି ଆଦାୟ କରିହୁଏନି । ଅତୀତରେ ସେଇ ଆଖି ଝଲସା ଦୃଶ୍ୟ ଏଇ ଦାମ୍ପତ୍ୟ ଜୀବନର ରାସ୍ତାରେ କେଉଁଠି ହଜିଗଲା ଯେ ଯେତେ ଖୋଜିଲେ ବି ମିଳେନା । ଅଥଚ ଏଇ ଦୀର୍ଘ ତିନିବର୍ଷର ନିଖୁଣ ସଜଡ଼ା ଘର ସଂସାରରେ ସେମିତି ଗୋଟେ ବଡ଼ ଧରଣର ଭୁଲ୍ ବୁଝାମଣା ଘଟିଲା ପରି ତ କାହିଁ ମୋଟେ ମନେ ପଡୁନାହିଁ ତାଙ୍କର ।

ଏତେ ଚାକର ପୂଜାରୀ ଥିଲେ ବି ପ୍ରାଚୀ ନିଜେ ରୋଷେଇ କରି ଅପେକ୍ଷା କରିଥାଏ । ଏପରିକି ଶେଖରଙ୍କୁ ନ ପଚାରି କିଛି ଗୋଟାଏ ଛୋଟ କାମ କରେନି । ଅଥଚ କେମିତି ଗୋଟାଏ ଶୂନ୍ୟତାର ଧୂମାଳ ପବନ କେଉଁ ଦିଗରୁ ଉଡ଼ିଆସେ ? ଶେଖର କିଛି ବୁଝିପାରନ୍ତି ନାହିଁ । ସବୁବେଳେ କିଛି ଗୋଟାଏ ଭୟଙ୍କର ହୋଇଯିବାର ଆଶଙ୍କାରେ କି କିଛି ଗୋଟାଏ ହୋଇ ନ ପାରିବାର ଅବଶୋଷରେ । ଜୀବନର ସବୁ ଦୃଶ୍ୟ ମନେହୁଏ ଏକଲା ଉଦାସୀ ପକ୍ଷୀର ଗୀତ କି ମେଞ୍ଚାଏ ରଙ୍ଗହୀନ ଫୁଲର ଶବ୍ଦ ପରି ! ଅଥବା କ୍ଲାନ୍ତିର କୁହୁଡ଼ି ବିଛେଇ ହୋଇ ପଡ଼ିଥିବା ଧୂସର କିଆରୀର ଶୂନ୍ୟତା ପରି ।

ତାଙ୍କର ଏଇ ଅନ୍ୟମନସ୍କତାକୁ ସନ୍ଦେହ କରି ପ୍ରାଚୀ ଦିନେ ପଚାରିଥିଲା, ପ୍ରଥମ ସନ୍ତାନ ଝିଅ ହେଲା ବୋଲି ତୁମର ମନ ଦୁଃଖ ନିଶ୍ଚୟ । ଶେଖର ହସିଥିଲେ । ନା ମନଦୁଃଖ କରିବି କାହିଁକି ? ପ୍ରଥମ କରି ଝିଅ ହେଲେ ବାପା ମାଆଙ୍କ ଆୟୁଷ ବଢ଼େ । କିନ୍ତୁ ନିଜ ଭିତରେ ବିଗଳିତ ହୋଇ ପଡ଼ିଥିଲେ ପ୍ରେମ ବିବାହ କରିଥିବା ଦମ୍ପତିଙ୍କ ସନ୍ତାନମାନଙ୍କ ଭବିଷ୍ୟତ ଅଲଗା ଲାଗେ ତାଙ୍କୁ । ଏଇ ଲୁନା ଦିନେ ବଡ଼ ହେବ । ନିଜ ଇଚ୍ଛାରେ ବାହା ହୋଇ ପଡ଼ିବ ତା’ହେଲେ . . . ? ଶେଖରଙ୍କ ଆହତ ପିତୃତ୍ୱ କେମିତି ଅସ୍ଥିର ଉଦ୍‌ବେଳିତ ହୋଇ ଉଠେ । କେମିତି ଗୋଟେ ଅବସନ୍ନତାର ମେଘରେ ଆଚ୍ଛନ୍ନ ହୋଇଆସେ ତାଙ୍କ ମନ ଉପବନ । ନାଲି ନେଳି ଫୁଲର ଦିଗହଜା ବଗିଚାଟା ହୁତ୍‌ହୁତ୍‌ ଜଳେ ।

କିନ୍ତୁ ସେତେବେଳେ ଏମିତି ଗୋଟେ ଧାରଣା ମନକୁ ମୋଟେ ଆସୁନଥିଲା । ଏମିତି ମୋଟେ ମନେ ହେଉନଥିଲା ଯେ ତାଙ୍କୁ ସମାଜରୁ ବିଚ୍ଛିନ୍ନ ହେବାକୁ ପଡ଼ିବ । ଅନୁତାପ କରିବାକୁ ପଡ଼ିବ । ତା’ ନହେଲେ କାହିଁକି ମନେ ହେଉଛି ଜୀବନର ଅନ୍ୟନାମ ଦହନ !

ବାହାରକୁ ସୁଖୀ ମନେ ହେଉଥିବା ଆଉ ଅନ୍ୟମାନଙ୍କ ଆଖିରେ ଈର୍ଷାର ପ୍ରଲେପ ଢାଙ୍କି ହେଉଥିବା ସଂସାରଟି ଭିତରେ ସେ କ’ଣ ଏତେ ବେଶୀ ରୁଗ୍ଣ ହୋଇ ପଡ଼ିଛନ୍ତି ଯେ ବାରମ୍ୱାର ନିଜକୁ ସାନ୍ତ୍ୱନା ଦେବାକୁ ପଡୁଛି ? କେଉଁ ଅପୂର୍ଣ୍ଣ ଅବଶୋଷ ତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ସେ ନିଜେ ଜାଣିପାରୁନାହାନ୍ତି । ଏଇ କେତେଦିନ ହେବ ସେ ଅକାରଣରେ ଭାଙ୍ଗି ପଡ଼ିଛନ୍ତି । ଅନେକ ରାତିରେ ଘରକୁ ଫେରି ନଖାଇ ବିଛଣା ଧରିଛନ୍ତି । ଲୁନାକୁ ଆଦର କରିବାକୁ ଭୁଲି ଯାଇଛନ୍ତି । ଲୁଚାଇ ଲୁଚାଇ ଡ୍ରିଙ୍କ୍ କରୁଛନ୍ତି ।

ସେତେବେଳେ ପ୍ରାଚୀକୁ ବାଦ୍ ଦେଇ ଜୀବନଟାକୁ ଯେ କଳ୍ପନା କରି ହେଉନଥିଲା । ନିଜ ଇଚ୍ଛା ମୁତାବକ ସାଥୀଟିକୁ ସମାଜର ଘୂର୍ଣ୍ଣି ପ୍ରବାହରୁ ରକ୍ଷା କରିବାକୁ ତାଙ୍କ ବଳିଷ୍ଠ ପୌରୁଷ ଏକ ପ୍ରଚଣ୍ଡ ଆଉ ନିଷ୍ଠୁର ପ୍ରତିଜ୍ଞା କରିଥିଲା ।

ଏଠି କେଉଁ ଅନାମିକା ଋତୁର ଶବ୍ଦଟିଏ କଡ଼ଲେଉଟାଏ । ସବୁ ଆର୍ତ୍ତନାଦର ସ୍ୱର ଭିତରେ ମିଶାମିଶି ବ୍ୟଥାର ମହମ ରଙ୍ଗ ଟିକେ ମିଶିଯାଏ । ଅନେକ ପ୍ରାପ୍ତି ଭିତରେ ଅନେକଟା ଅପ୍ରାପ୍ତିର ଅନ୍ତର୍ଦାହ ବାଟ ଓଗାଳେ ।

ଏଇ ପ୍ରାଚୀ ଆସିଲା ବୋଧହୁଏ । ହଁ ତ, ତା’ ଚୁଡ଼ି ପାଉଁଜିର ଶବ୍ଦ ଶୁଣାଯାଉଛି । ଚାକରକୁ କିଛି କହୁଛି ବୋଧହୁଏ । ଶେଖର ନିଜେ ଟିକେ ସହଜ ହେବା ପାଇଁ ଚେଷ୍ଟା କଲେ ।

ପ୍ରାଚୀ ପଶି ଆସୁଛି ଭିତରକୁ । ଦେହରେ ଦାମୀ ଶାଢ଼ୀ ଗହଣାର ଭାର । ଅନ୍ୟଦିନ ଅପେକ୍ଷା ସତେଜତା ଆଉ ସ୍ୱତନ୍ତ୍ରତା ବାରି ହେଇ ପଡୁଛି । ତା’ ଦେହରେ ପିଙ୍କ୍ କଲରର ଶାଢ଼ୀ, ଯେଉଁଟା ସେ ଆଣିଥିଲେ ।

ପ୍ରାଚୀ ସୁନ୍ଦର ଦିଶୁଛି, ପ୍ରଗଲ୍ଭା ଦିଶୁଛି । ଲୁନା ଜନ୍ମ ହେଲାପରେ ତା’ ଦେହରେ ଏତେ ଟିକିଏ ବି ପରିବର୍ତ୍ତନ ହୋଇନି । ଅଥଚ ନିଜକୁ କେମିତି ବୟସ୍କ ଆଉ ଅସହାୟ ମନେ କରୁଛନ୍ତି ।

ଏଇ ମୁଁ ଟିକେ ମନ୍ଦିର ଯାଇଥିଲି । ଆସୁ ଆସୁ ଡେରି ହୋଇଗଲା । ମନ୍ଦିରରେ ଭାରି ଭିଡ଼ । ଲୁନା କାନ୍ଦୁଥିଲା କି ? ତୁମେ ଡ୍ରେସ ବି ବଦଳେଇନ ଯେ, କ’ଣ ବସି ବସି ଭାବୁଛ ?

ଆରେ ସତେ ତ, ସେ ଡ୍ରେସ୍ ବଦଳାଇ ନାହାନ୍ତି । ପ୍ରତି କଥାରେ ପକ୍କା ଘରଣୀ ପରି ସବୁ କାମ ବାଛି ଦେଉଛି ପ୍ରାଚୀ । ପ୍ରାଚୀ ମନ୍ଦିର ଯାଇଥିଲା । କେବେ କେବେ ସେ ମନ୍ଦିର ଯାଏ । ଶେଖରକୁ ଡାକେ । ସେ ମନା କରନ୍ତି । କେବେ ଯଦି ବାଧ୍ୟ ହୋଇଯାଆନ୍ତି, ତା’ହେଲେ ମନ୍ଦିର ଭିତରକୁ ପାଦ ଦେବାକୁ ଭୟ କରନ୍ତି । ପ୍ରାଚୀ ପୂଜା କଲାବେଳେ ସେ ଦୋଷୀଟିଏ ପରି ଅପେକ୍ଷା କରନ୍ତି ।

ପାଖକୁ ଆସି ପ୍ରାଚୀ କହିଲା କେଉଁଠି ଥିଲ ? କେତେବେଳ ହେଲାଣି ? ମୁଁ ତୁମକୁ ଅପେକ୍ଷା କରି ମନ୍ଦିର ଯାଇଥିଲି । ଏଇ ଭୋଗ ନିଅ । ଆଜି ପରା ସାବିତ୍ରୀ ବ୍ରତ । ଶେଖର ଚମକି ପଡ଼ିଲେ । ଆଜି ସାବିତ୍ରୀ ବ୍ରତ । ଅଥଚ ତାଙ୍କର ମୋଟେ ମନେ ନାହିଁ । ପ୍ରାଚୀକୁ ସେ କିଛି ବି ଉପହାର ଦେଇ ନାହାନ୍ତି । ପ୍ରାଚୀ ବି ତାଙ୍କୁ ମନେ ପକାଇ ଦେଇନି । ତାଙ୍କ ଘରେ ବୋଉ, ଭାଉଜମାନେ ମଧ୍ୟ ସାବିତ୍ରୀ ବ୍ରତ କରନ୍ତି । ପ୍ରାଚୀ ବି କରୁଛି କାହାକୁ ନ ଜଣାଇ ବିନା ଆଡ଼ମ୍ୱରରେ ନିଜ ସୁଖ ସୌଭାଗ୍ୟ ପାଇଁ । ନିଜ ଇହକାଳ ପରକାଳ ପାଇଁ ପ୍ରାଚୀ ହସୁଛି । ଜୀବନର ସବୁ ଦୁଃଖ କଷ୍ଟକୁ ନିଜ ପଣତରେ ବାନ୍ଧି ରଖିଛି । ଅଥଚ ଶେଖର ତାକୁ ଅନେକ ଦୂରକୁ ଠେଲି ଦେଇଛନ୍ତି । ପ୍ରତି ମୁହୂର୍ତ୍ତରେ ପରୀକ୍ଷା କରିଚାଲିଛନ୍ତି ।

ସେଇ ଅଗ୍ନି ପରୀକ୍ଷାର ବଳୟ ଭିତରେ ପ୍ରାଚୀ ଝଲସି ଉଠୁଛି । ତା’ ମୁହଁରେ ତପ୍ତ କାଞ୍ଚନର ଆଭା । ପାଖରେ ବସିଛି ପ୍ରାଚୀ । ସାରାଦିନର ଉପାସୀ ଦେହରେ ଲାବଣ୍ୟର ଢେଉ ଚିକ୍‌ଚିକ୍‌ କରୁଛି । ପ୍ରାଚୀକୁ ଟିକେ ଆଦର କରି ନେବାକୁ ଇଚ୍ଛା ହେଉଛି । ଇଚ୍ଛା ହେଉଛି, ଭାରି ଇଚ୍ଛା ହେଉଛି ପ୍ରାଚୀ ସହିତ କିଛି ଗପନ୍ତେ । ଗପି ଗପି ରାତିର ପ୍ରତି ପ୍ରହର ଉଦ୍ଯାପିତ କରିଦିଅନ୍ତେ । ଏମିତି ଗୋଟିଏ ସମାଧାନର ସରଳ ସୂତ୍ର ବାହାର କରନ୍ତେ କେଉଁ ବୀଜ ଗଣିତ ବହିରୁ ଯେ ସେ ଦଗ୍ଧ ହୋଇ ନ ପାରିବାର ଆଶ୍ୱାସନାରୁ ମୁକ୍ତ ହୋଇଯାଆନ୍ତେ ।

ଲୋକପ୍ରିୟ ଲେଖା

To Top