ଗଳ୍ପ

ଭ୍ରମ

Gaurahari Das's Odia Story BHRAMA

ସେଗୁଡ଼ିକରେ ଲାଗିଥିଲା ଟୋପା ଟୋପା ରକ୍ତ । କେତେବେଳେ ତା’ ଆଖିରେ ନିଦ ଆସିଯାଇଛି ସେ ଜାଣେ ନାହିଁ । ନିଦ ଭାଙ୍ଗିଲାବେଳକୁ ଦେଖିଲା ତା’ ପାଖରେ ମାୟାଦେଈ ବସିଛି ।

ଭ୍ରମ

-: ପୁର୍ବରୁ :-

ସେ ଆଉଥରେ କପାଳରୁ ଝାଳ ପୋଛିଦେଲା । ମନକୁ ମନ କହିଲା, “କିଏ ପଚାରେ ବାପାଙ୍କୁ ?” ମାୟାଦେଈ କହିଛି, “ସିଏ ଏ ଗାଁର ସବୁଠୁଁ ଭଲ ପିଲା ।” ତା’ର ସେଇ ଶେଷ ସଞ୍ଜର କଥା ମନେପଡ଼ିଲା । ସିଧୁ ଗାଲରେ ଗେଲ କରିଦେଇ ମାୟାଦେଈ କହିଥିଲା, “ଯୋଉଠି ରହିଲେ ବି ମୁଁ ତୋ କଥା ଜୀବନରେ ଭୁଲିବି ନାହିଁ । ତୁ ମୋ ପାଇଁ ସ୍ୱର୍ଗର ଦେବଦୂତ । ଈଶ୍ୱର ପରା ମୋ ଲାଗି ତୋତେ ଏ ଗାଁକୁ ପଠେଇଛନ୍ତି ।”

ସିଧୁ ଦେହରେ ଆଉ ପରସ୍ତେ ଉତ୍ତେଜନାର ନିଆଁ ଲାଗିଯାଇଥିଲା । ତା’ବାପା ଏଇ ଦେବଦୂତ କଥାଟି ଶୁଣିବା ଦରକାର । ସିଏ “ଅକାଳ କୁଷ୍ମାଣ୍ଡ’ ନୁହେଁ । ତା’ ଉପରେ ବିଶ୍ୱାସ ରଖେ ମାୟାଦେଈ । ସେ ମଣିଷର ଜୀବନକୁ ବେଞ୍ଚଇ ଦେଇପାରେ । ଇଏ କିଛି କମ୍ କଥା ନୁହେଁ । ତା’ ଆଖିରେ ମାୟାଦେଈ ଉପରକୁ ଉପରକୁ ଉଠିଯାଉଥିଲା । ଦେଢ଼ କିଲୋମିଟର କ’ଣ, ମାୟାଦେଈ ପାଇଁ ପ୍ରୟୋଜନ ହେଲେ ସେ ମନ୍ତେଇ ନଈ ବି ପହଁରି ଯିବ । ତାକୁ ସେତେବେଳେ ଲାଗିଥିଲା, ଅସୁର ଗୁମ୍ଫାରେ ବନ୍ଦିନୀ ଥିବା ରାଜାଝିଅ ହେଉଛି ମାୟାଦେଈ । ତା’ ମନର ରାଜପୁତ୍ର ବ୍ରଜ ସାର୍ । ଏ ଦିହିଁଙ୍କି ଏକାଠି ମିଳେଇ ପାରିବାର ଗୁରୁଦାୟିତ୍ୱ ସିଧୁର । ତେଣୁ ସିଏ ସାମାନ୍ୟ ନୁହେଁ । ସେ ସାଧାରଣ ନୁହେଁ । ମାୟାଦେଈ ଖୁବ୍ ଭଲ ଝିଅ, ସୁନ୍ଦର ବି । ତା’ ଦେହହାତ କେତେ ତୋଫା ଗୋରା, କେଡ଼େ ପୂରିଲା ପୁରିଲା ତା’ ବାହା ଓ ଗୋଡ଼ । ମୁଣ୍ଡର ବାଳତକ ତ ଅଣ୍ଟାଯାଏ ଲମ୍ୱିଥାଏ । ବେଶଭୂଷା ହେଇଥିଲା ବେଳେ ମାୟାଦେଈ ଦିଶେ ଘଣ୍ଟେଶ୍ୱର ଦେବୀ ମଣ୍ଡପର ଦୁର୍ଗା ମୂର୍ତ୍ତି ପରି ।

ପ୍ରଥମ ଥର ଅଭିଭାବକ ସ୍ୱରରେ ସିଧୁ ବୁଝେଇଥିଲା, “ମାୟାଦେଈ, ତୁମ ବାପା ରାଗିଲା ପରି କାମ ତୁମେ କାହିଁ କଲ ?”

ମାୟାଦେଈ ତାକୁ ପାଖକୁ ଟାଣି ନେଇଥିଲା । ତା’ ଛାତି ଉପରେ ସିଧୁର ପାପୁଲି ଥୋଇ କହିଥିଲା, “ଏଇ ଛାତି ତଳେ ଯୋଉ ହୃଦୟ ଅଛି, ସିଏ ବଡ଼ ଦୁଷ୍ଟ । ମୋର ହୋଇ ବି ମୋର ନୁହେଁ । ମୁଁ କ’ଣ କରିଥାନ୍ତି କହୁନୁ ? ଏ ହୃଦୟ କେବଳ ତାଙ୍କର । ତାଙ୍କଛଡ଼ା ଆଉ କାହାର ନୁହେଁ । ତୁ ବୁଝି ପାରୁଛୁ ।”

ମୁଣ୍ଡ ହଲେଇ ହଁ କହିଥିଲେ ବି ମାୟାଦେଈ କଥାରୁ ବିନ୍ଦୁ ବିସର୍ଗ ବୁଝିପାରି ନଥିଲା ସିଧୁ । ସେଦିନ ମାୟାଦେଈ ତା’ ପକେଟ୍‌ରେ ଏକାଥରକେ ଚାରିଟା ଚକ୍ଲେଟ୍ ଗୁଞ୍ଜି ଦେଇ ତା’ ହାତରେ ଚିଠିଟେ ଧରେଇ ଦେଇଥିଲା । କହିଥିଲା, “ପ୍ୟାଣ୍ଟ ପକେଟ୍‌ରେ ରଖିଦେ । କାହାକୁ ଦେଖେଇବୁ ନାହିଁ ।”

ବାଟରେ ଯିବାବେଳେ ସିଧୁ ନୂଆ ପୋଖରୀଆଡ଼ି ପାଖରେ ପକେଟ୍ରୁ ମାୟାଦେଈର ଚିଠିଟା ବାହାର କରି ଥରେ ଶୁଙ୍ଘିଥିଲା । ସେଇଟାର କି ବାସ୍ନାରେ ବାବା । ଖଣ୍ଡମଣ୍ଡଳ ଚହଟି ଉଠିଥିଲା । ଚିଠିଟାକୁ ଫେର୍ ପକେଟ୍‌ରେ ରଖି ସେ ନିଜ ପାପୁଲିକୁ ଶୁଙ୍ଘିଥିଲା- ଓଃ, ସେଇ ବାସ୍ନାଟା ତଥାପି ହାତରେ ଲାଗିକି ଥିଲା । ସିଧୁ ସ୍ଥିର କରିଥିଲା, ଚିଠିଟା ଦେଇ ଫେରିବା ବାଟରେ ଭଲ କରି ସେ ହାତ ଧୋଇ ଘରକୁ ଯିବ । ନ ହେଲେ ତା’ର ଯୋଉ ସନ୍ଦେହୀ ଅପା, ସିଏ ତାକୁ ରଖେଇ ଦେବ ନାହିଁ ।

ବ୍ରଜ ସାର୍ ଟ୍ରାଉଜର୍ ଓ ପଞ୍ଜାବୀ ପିନ୍ଧି ଗୋଟେ ଚଉକିରେ ବସିଥିଲେ । ତାଙ୍କ ପାଖରେ ଟ୍ରାଞ୍ଜିଷ୍ଟରଟିଏ ବାଜୁଥିଲା । ସେଥିରେ ଜଣେ କିଏ କହୁଥିଲେ ଯେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି । ବ୍ରଜସାର୍ ମନ ଦେଇ ସେଇ କଥା ଶୁଣୁଥିଲେ । ଗୋଟେ ଲଣ୍ଠଣ ଜଳୁଥିଲା ତାଙ୍କ ଟେବୁଲ୍ ଉପରେ । ଖୋଲା ଝରକା ଦେଇ ହାବୁକେ ହାବୁକେ ଦକ୍ଷିଣା ପବନ ସେ କୋଠରୀ ଭିତରକୁ ପଶି ଆସୁଥିଲା ।

ସିଧୁ ଯାଇ ଡାକିଥିଲା, “ସାର୍, ନମସ୍କାର !”

ବ୍ରଜ ସାର୍ ନିଜ ଜାଗାରୁ ଉଠି ଆସିଥିଲେ । ତା’ କାନ୍ଧରେ ହାତ ପକେଇ ତାକୁ ପିଣ୍ଢାତଳକୁ ଡାକି ଆଣି କହିଥିଲେ, “ମାୟା ଚିଠି ଦେଇଛି କି ?”

: “ଇଏ ନିଶ୍ଚୟ ପଣ୍ଡିତ ଓ ସର୍ବଜାଣ ।” – ସିଧୁ ସେଦିନ ମନକୁ ମନ କହିଥିଲା । ବାପା ଥରେ କହୁଥିଲେ ଯେ, “ଭଦ୍ରକର ଜଣେ ବାବା ଅଛନ୍ତି, ଯିଏ ଲୋକଙ୍କ କପାଳକୁ ଚାହିଁ ତା’ ମନର କଥା କହିଦିଅନ୍ତି । ମାତ୍ର ବ୍ରଜ ସାର୍ ସେଇ ବାବାଙ୍କ ଠାରୁ ବଳି ସର୍ବଜ୍ଞ । ନ ହେଲେ, ସିଧୁକୁ ଦେଖୁ ଦେଖୁ କେମିତି ଚିଠି କଥା ଜାଣି ପାରିଥାଆନ୍ତେ ।”

ବ୍ରଜ ସାର୍ ତାଙ୍କ ଟ୍ରାଉଜର୍ ପକେଟ୍ରୁ ବାହାର କରି ସିଧୁକୁ ଚାରିଟା ଖଟାମିଠା ଚକ୍ଲେଟ୍ ଦେଇଥିଲେ । ତା’ପରେ ଧୀର ଗଳାରେ ପଚାରିଥିଲେ, “ବାଟରେ କେହି ଦେଖି ନାହାନ୍ତି ତ ?”

“ନା ।” – ସିଧୁ କହିଥିଲା ।

: “ତୁମେ ନିଜେ ଖୋଲି ପଢ଼ିନା ତ ?” – ପ୍ରଶ୍ନଟି ପଚାରି ସାରି ମୁରୁକି ହସିଥିଲେ ବ୍ରଜ ସାର୍ । ଯୋଡ଼ିଥିଲେ, ଥଟ୍ଟା କରୁଥିଲି ।

ସିଧୁକୁ କିନ୍ତୁ ରାଗ ମାଡ଼ିଥିଲା ।

ବ୍ରଜ ସାର୍ ପ୍ରସଙ୍ଗ ବଦଳେଇ କହିଥିଲେ, “ଲିଟୁ କହୁଥିଲା, ତୁମର ଅଙ୍କ ଓ ଇଂରାଜୀ ଦୁର୍ବଳ । ମୋ ପାଖକୁ କେବେ ଆସିଲେ ମୁଁ ବତେଇ ଦେବି ।”

ସିଧୁ ଖୁସି ହୋଇଥିଲା ।

ମନକୁ ମନ କହିଥିଲା, “ପୃଥିବୀରେ ଭଲ ଲୋକ ଅଛନ୍ତି ।” ତା’ପରେ ତା’ବୋଉ କହୁଥିବା ପଦେ କଥା ସେଥିରେ ସେ ଯୋଡ଼ିଥିଲା– “ନହେଲେ ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଛନ୍ତି କେମିତି !”

ମାୟାଦେଈର ଦ୍ୱିତୀୟ ଚିଠିଟା ତା’ ଛାତି ଝାଳରେ ଟିକେ ଭିଜି ଯାଇଥିଲା । ଆଉ ବଡ଼ କଥା ହେଲା, ସେଇଟା ମାୟାଦେଈର ଆଖି ଲୁହରେ ଓଦା ହୋଇଯାଇଛି ବୋଲି ମନରୁ ଫାନ୍ଦି କହିଦେଇଥିଲା ସିଧୁ । କାରଣ ଝାଳ କଥା କହିବାକୁ ତାକୁ ଲାଜ ମାଡ଼ିଥିଲା । ମାୟାଦେଈ ଚିଠିଗୁଡ଼ାକୁ ସବୁବେଳେ ଯେ ତା’ ବ୍ଲାଉଜ୍ ତଳେ ଲୁଚେଇ ରଖିଥାଏ, ଏ କଥାଟା ସେ କାହାକୁ କହିଥାଆନ୍ତା କେମିତି ? ଆଉ ଗୋଟେ କଥା ବି ସେ ନିଜ ପେଟରେ ଲୁଚେଇ ରଖିଛି । ସେଇଟା ହେଲା, ମାୟାଦେଈର ସେଇ ଚିଠିଟା ସେ ବାଟରେ ଖୋଲି ପଢ଼ିଥିଲା ।

: “ତୁ ସବୁଦିନେ ଏତେ ଚକ୍ଲେଟ୍ କେଉଁଠୁ ଆଣୁଛୁ ?” ଲିଟୁ ପଚାରିଥିଲା ସେଦିନ ।

ମନେ ମନେ ସିଧୁ ଗୁଣି ହେଉଥିଲା- “ମାଉଣ୍ଟେନ୍ ମେ ଫ୍ଲାଇ, ଓସେନ୍ କେନ୍ ଡ୍ରାଇ, ୟୁ କେନ୍ ଫର୍ଗେଟ୍ ମି, ବଟ୍ ନେଭର୍ କ୍ୟାନ୍ ଆଏ ।” ତା ତଳକୁ ଆହୁରି କେତେ କଥା ବି ଲେଖା ହୋଇଥିଲା । କିନ୍ତୁ ମାୟାଦେଈର ଅକ୍ଷର ଖରାପ । ସେଗୁଡ଼ା ତରବରରେ ପଢ଼ିବା ଆଦୌ ସହଜ ନଥିଲା । ସିଏ ଚଟ୍କରି ସେଇଟା ଚଉଭାଙ୍ଗ କରି ଲଫାପା ଭିତରେ ରଖି ଦେଇଥିଲା । ମାୟାଦେଈର ଚିଠିର ପ୍ରଥମ ଧାଡ଼ିଟା ଥିଲା “ମାନନୀୟ ସ୍ୱାମୀ ମୋର” ଓ ଶେଷରେ “ତୁମର ଚରଣଦାସୀ” । ସେଇ ଦିଇଟା କଥା ନେଇ ସିଧୁର ଖୁବ୍ ଆପତ୍ତି ଥିଲା । ତା’ର ମାୟାଦେଈର ପାଠଶାଠ ଉପରେ ଦୟା ଆସିଥିଲା । “ସ୍ୱାମୀ” ସମ୍ୱୋଧନଟା ତାକୁ ଯେମିତି ପୁରୁଣା ଓ ମାତ୍ରାଧିକ ଆଇଁଷିଣିଆ ଲାଗିଥିଲା, “ଦାସୀ” ଶବ୍ଦଟା ବି ସେଇମିତି ତାକୁ ଭାରି ବିକଳ ଲାଗିଥିଲା । ପାଟପୁର ଗାଁର କୌଣସି ଝିଅ କେବେ କାହାର ଦାସୀ ହୋଇ ନ ପାରନ୍ତି । ପୁଣି ମାୟାଦେଈ ତ ବିଲ୍କୁଲ୍ ନୁହେଁ । ସିଏ ପାଟପୁର ଗାଁର ରାଜକନ୍ୟା । ତା’ରୂପ ଦେଖିଲେ ରଜା ଓ ମନ୍ତ୍ରୀ ପୁଅ ବାହା ହେବା ଲାଗି ଧାଡ଼ି ବାନ୍ଧିବେ, ଆଉ ବ୍ରଜ ସାର୍ ଏମିତି କିଏ କି ? ସେ ଦିଇଟି ଜାଗାରେ ତା’ର ବରଂ ଲେଖିବା ଉଚିତ୍ ଥିଲା, “ସ୍ୱପ୍ନର ରାଜପୁତ୍ର ମୋର” ଏବଂ ଶେଷକୁ “ତୁମର ରାଜକନ୍ୟା” ।

ସେଥର ସେ ବ୍ରଜସାର୍ଙ୍କ ଲେଉଟାଣି ଚିଠି ବି ଖୋଲି ପଢ଼ିବାକୁ ଚେଷ୍ଟା କରିଥିଲା । ମାତ୍ର ସେଇଟା ଆଉ ସମ୍ଭବ ହୋଇ ନଥିଲା । ସେଦିନ ଘଣ୍ଟେଶ୍ୱର ହାଟପାଳି ଥିବାରୁ ରାସ୍ତାସାରା ଗାଁ ଲୋକ ଚଳପ୍ରଚଳ ହେଉଥିଲେ ।

ତିନିବର୍ଷ ତଳର କଥା ସେଗୁଡ଼ା ।

ଏହା ଭିତରେ ଆଉ ମାୟାଦେଈ ସାଙ୍ଗେ ଦେଖା ହୋଇନି । ଦେଖାହେବ ବୋଲି ଆଶା ବି କରିନି ସିଏ । କୁଆଡ଼େ ଗଲା ସେ କେଜାଣି । ସିଧୁ ବି ମାୟାଦେଈକୁ ଜଣେଇ ପାରିନି ଯେ, ସେ ଗଲା ପରେ ଗାଁରେ କେମିତି ନିଆଁ ଲାଗିଗଲା ଓ ଗାଁ ସାରା ଲୋକ ନାନା ପ୍ରକାର ଟୁପୁରଟାପର ହେଲେ ।

ସ୍କୁଲ୍ ଆଗରେ ପୁଲିସ୍ ଗାଡ଼ି ଦେଖି ସିଧୁ ଭୀଷଣ ଡରି ଯାଇଥିଲା । ପୁଲିସ୍‌ର ସେ ନାଲିଟୋପି କୁକୁଡ଼ା ମୁଣ୍ଡର ଚୂଳ ପରି ସୁନ୍ଦର ଦିଶୁଥିଲେ ବି ତାକୁ ଦେଖିଲା କ୍ଷଣି ସିଧୁର ଦେହହାତ ଥରି ଯାଉଥିଲା । ତା’ର ଦୃଢ଼ ଧାରଣା ଥିଲା, ପୁଲିସ ତାକୁ ଧରିବ । ସିଏ ହିଁ ଅସଲ ଆସାମୀ । ବୋଉ କହେ, “ଯିଏ ଅପରାଧ କଲା ସିଏ ଦୋଷୀ, ଯିଏ ସେଥିରେ ସାହାଯ୍ୟ କଲା ସିଏ ବି ଦୋଷୀ । ଦି’ଜଣ ଶାସ୍ତି ପାଆନ୍ତି ।” ସାରା ଦିନଟା ଭୟଙ୍କର ଅସ୍ଥିରତାରେ ତା’ର ବିତିଥିଲା । ଯଦି ସେ ଧରାପଡ଼ିଯାଏ ତାହାହେଲେ କ’ଣ କ’ଣ ହେବ ଏବଂ ପୁଲିସ୍ କବଳରୁ ରକ୍ଷା ପାଇବା ଲାଗି ସେ କ’ଣ କହିବ ସେଇକଥା ଅନବରତ ଚିନ୍ତା କରୁଥିଲା । ସିଏ ଜାଣିଥିଲା ଯେ ପୁଲିସ୍ ପ୍ରଥମେ ପଚାରିବ, “ବ୍ରଜ ସାର୍ ଗଲେ କୁଆଡ଼େ ?” ମାତ୍ର ସତ କହିଲେ ସେକଥା ସିଧୁ ଜାଣି ନଥିଲା । ମାୟାଦେଈ କି ବ୍ରଜ ସାର୍ ସେ କଥା ତାକୁ କେବେ କହି ନଥିଲେ କି ସିଏ ବି ପଚାରି ନଥିଲା । ମାତ୍ର ପୁଲିସ୍ କ’ଣ ସିଧୁ କଥା ବିଶ୍ୱାସ କରିବ ?

ମନେ ମନେ ସ୍ଥିର କରିଥିଲା, ସିଏ କହିବ, “ମାୟାଦେଈ ପଳେଇଯିବା ଲାଗି ତା’ ବାପା ଦାୟୀ ! କେତେଦିନ ସେ ଆଉ ବନ୍ଦୀଶାଳା ଭିତରେ ପଡ଼ି ରହିଥାଆନ୍ତା ?”

ସେ ଦିନଟି ବିତିଗଲା । ମାତ୍ର ଅସ୍ଥିରତା ଗଲା ନାହିଁ । ତାଙ୍କର ସ୍ଥିର ନିଶ୍ଚଳ ଗାଁଟି ହଠାତ୍ ଚଳଚଞ୍ଚଳ ହୋଇ ପଡ଼ିଥିଲା । ପ୍ରତିଦିନ ନୂଆ ନୂଆ ତଥ୍ୟ ପହଞ୍ଚୁଥିଲା । ବ୍ରଜ ସାର୍ ତାଙ୍କ ଗାଁକୁ ଯାଇନାହାନ୍ତି, ଦିଲ୍ଲୀ କି ବମ୍ୱେ ପଳେଇ ଥାଇପାରନ୍ତି । କେହି କେହି କହୁଥିଲେ ବ୍ରଜ ସାର୍‌ଙ୍କ ଖବର ମିଳୁନାହିଁ ।

ଏ ସବୁ ଶୁଣିଲାବେଳେ ସିଧୁ ମନେ ମନେ ଡରିଯାଉଥିଲେ ବି ଭିତରେ ଭିତରେ ଖୁସି ହେଉଥିଲା । ତେବେ ମାୟାଦେଈ ଓ ବ୍ରଜ ସାର୍ କୁଆଡ଼େ ଯାଇ ରହିଲେ ସେକଥା ଜାଣିବା ଲାଗି ତା’ର ଉତ୍ସୃକତା ବଢୁଥିଲା । ମାତ୍ର କାହିଁକି କେଜାଣି ସେ ସମ୍ୱନ୍ଧରେ ଗାଁଟା ଭିତରେ କେହି କିଛି କହୁନଥିଲେ । ମାୟାଦେଈର ବାପା ସରପଞ୍ଚ ହୋଇଥିବାରୁ “ବଡ଼ ଘର ବଡ଼ ଗୁମର କଥା” କହି ତା’ ବୋଉ ବି କଥାଟାକୁ ଆଡ଼େ ଯାଉଥିଲା ।

ସିଧୁ ଚଞ୍ଚଳ ହୋଇପଡ଼ିଲା ।

ଆଜି ମାୟାଦେଈ ଆସିବ । ସବୁକଥା ତାକୁ ହିଁ ପଚାରି ବୁଝିନେବ ସିଧୁ । ସମୟ ଥିଲେ ପଚାରିବ, “କେମିତି ସେମାନେ ସେଦିନ ରାତି ଅନ୍ଧାରରେ ଚାଲିଗଲେ ? ତାଙ୍କୁ ଡର ମାଡ଼ିଲା ନାହିଁ କେମିତି ? ଭଲ ପାଇବା କ’ଣ ମଣିଷକୁ ଏମିତି ନିର୍ଭୟ କରିଦିଏ ?”

ଦିନସାରା ସ୍କୁଲ୍‌ରେ ମନ ଲାଗିଲା ନାହିଁ ।

ଫେରିବାକ୍ଷଣି ସେ ସ୍କୁଲ୍ ଜାମା ବଦଳେଇ ଘର ଜାମା ପିନ୍ଧି ପକେଇଲା । ମୁଣ୍ଡବାଳରେ ପାଣି ଛିଞ୍ଚି ପାନିଆର ସରୁ ଦାନ୍ତ ପଟରେ କୁଣ୍ଡେଇଲା ଓ ବେକ ତଳେ ଅପା ପାଉଡ଼ର ଡବାରୁ ଦି’ମେଞ୍ଚା କାଢ଼ି ନେସି ଦେଲା । ଏକାକୀ ମାୟାଦେଈ ଥିଲେ ଭିନ୍ନ କଥା, ତା’ ସାଙ୍ଗେ ବ୍ରଜ ସାର୍ ବି ଥିବେ ।

ମାୟାଦେଈ ଓ ତା’ ବର ତାଙ୍କ ମେଲା ଘରେ ବସି କଥା ହେଉଥିଲେ ଓ ହସି ହସି ଗଡ଼ିଯାଉଥିଲେ । ପାଖରେ ମାୟାଦେଈର ବୋଉ ଖଟ ଉପରେ ବସି ପାନ ଭାଙ୍ଗୁଥିଲା । ରମା ବାରିକାଣୀ ଚଟାଣ ଉପରେ ବସି ମାୟାଦେଈର ପାଦରେ ଅଳତା ଲଗେଇ ଦେଉଥିଲା । ସିଧୁ ମେଲା ଭିତରକୁ ପଶି ଯାଇ ବଡ଼ ପାଟିରେ ଡାକିଲା, “ମାୟାଦେଈ ।”

ତା’ ଡାକ ଶୁଣି ମାୟାଦେଈର ବର ଚମକି ପଡ଼ିଲେ । ସେ ବୁଲିପଡ଼ିଲେ ଓ ଆଶ୍ଚର୍ଯ୍ୟ ଆଖିରେ ଚାହିଁଲେ । ତାଙ୍କ ଆଖି ସିଧୁ ଆଖିରେ ମିଶିଗଲା । ସିଧୁ “ସାର୍, ନମସ୍କାର” ବୋଲି କହି ଆସୁଥିଲା ମାତ୍ର ମାୟାଦେଈର ବରଙ୍କୁ ଦେଖି ଥ’ ହୋଇଗଲା । ବ୍ରଜ ସାର୍‌ଙ୍କ ଜାଗାରେ ଆଉ ଗୋଟେ ଲୋକ ବସିଥିଲା । ସେ ଲୋକଟିକୁ ସିଧୁ ଆଗରୁ କେବେ ଦେଖି ନଥିଲା । ସିଧୁର ଆଉ କଥା ସବୁ ତା’ ପାଟିରେ ରହିଗଲା । ତାକୁ ଦେଖି ମାୟାଦେଈର ବୋଉ ନାକମୋଡ଼ି ମୁହଁ ବୁଲେଇ ନେଲେ । ମାୟାଦେଈ ତାକୁ ଚିହ୍ନେଇ ଦେବା ଲାଗି ତା’ ବରଙ୍କୁ କହିଲା, “ଲିଟୁର ସାଙ୍ଗ ।”

ତା’ ବର ହସୁଥିଲେ ମୁରୁକି ମୁରୁକି । ସିଧୁ ସତେ କି ତାଙ୍କ ପାଇଁ ଚିଡ଼ିଆଖାନାର ଗୋଟେ ମାଙ୍କଡ଼ ଥିଲା ।

ମାୟାଦେଈ ନିଜ ଭ୍ୟାନିଟି ବ୍ୟାଗ୍ରୁ ଦିଇଟି ଚକ୍ଲେଟ୍ ବାହାର କଲା ଓ ଅଘିରାକୁ ବାଇଗଣ ଫୋପାଡ଼ିଲା ପରି ସିଧୁ ଆଡ଼କୁ ବଢେ଼ଇ ଦେଇ କହିଲା, “ପାଠଶାଠ ପଢୁଛୁ ନା, ସ୍କୁଲ୍ ନ ଯାଇ ବାଳୁଙ୍ଗାଙ୍କ ପରି ବୁଲୁଛୁ ?”

ସିଧୁ କିଛି ଉତ୍ତର ଦେଲା ନାହିଁ । ତାକୁ ମାୟାଦେଈର ଏଭଳି ନିର୍ଦ୍ଦୟ କଥା ଅଧିକ କଷ୍ଟ ଦେଲା ନାହିଁ । ତା’ ଆଖି ଆଗରେ ତିନିବର୍ଷ ତଳର କଥାପଦେ ଶୁଭୁଥିଲା– “ଏ ହୃଦୟ କେବଳ ତାଙ୍କର ।”

ଘରକୁ ଫେରିବା କ୍ଷଣି ସିଧୁକୁ ଲାଗିଲା ତାକୁ ଜ୍ୱର ମାଡ଼ି ଆସୁଛି । ସେ ଚୁପ୍‌ଚାପ୍ ତା’ ଖଟ ଉପରେ ଶୋଇ ପଡ଼ିଲା ।

ଅନ୍ଧାର ଭିତରେ ବାପା ବୋଉଙ୍କ କଥାବାର୍ତ୍ତାର ଶବ୍ଦ ଲିଟୁକୁ ସ୍ୱପ୍ନର କଥାବାର୍ତ୍ତା ପରି ଶୁଭୁଥିଲା । ବାପା କହୁଥିଲେ, “ସରପଞ୍ଚ ସୁରେନ୍ଦ୍ର ମିଶ୍ର ସବୁ ଜାଣି ଅଜଣା । ସେ ଟୋକାଟାକୁ ଏମାନେ ମାରିଦେଲେ କି ସିଏ ଆତ୍ମହତ୍ୟା କରିଦେଲା କିଏ ଜାଣେ ? ମାୟା ତ ଚୁପ୍ ସଇତାନ୍ । କାହା ହାତରେ ସେ ସବୁବେଳେ ଚିଠି ଦିଆନିଆ କରୁଥିଲା କେଜାଣି ! ସେଦିନ ମାୟାର ବାପା କେମିତି ଜାଣି ପାରିଥିଲା । ଆଉ ଟିକିଏ ଡେରି ହୋଇଥିଲେ ଟୋକାଟୋକୀ ଦିହେଁ ଚମ୍ପଟ ମାରିଥାଆନ୍ତେ । ଝିଅକୁ ନେଇ ଯାଇ କଟକରେ ରଖିଲେ । ତା’ର ଗର୍ଭପାତ କରେଇ ବାହାଘର କଲେ । ପୁଳାଏ ଯଉତୁକ ଦେଲେ ଆଜିକାଲି ବର କୋଉ ଅଭାବ ।”

ସିଧୁ ଆକାଶରୁ ଖସି ପଡୁଥିଲା । ଦେବ ଦୂତର କାନ୍ଧରୁ ଡେଣାଗୁଡ଼ିକ ଖିନ୍ଭିନ୍ ହୋଇ ପରଗୁଡ଼ାକ ଚାରିଆଡ଼େ ବିଞ୍ଚି ହେଉଥିଲା । ସେଗୁଡ଼ିକରେ ଲାଗିଥିଲା ଟୋପା ଟୋପା ରକ୍ତ । କେତେବେଳେ ତା’ ଆଖିରେ ନିଦ ଆସିଯାଇଛି ସେ ଜାଣେ ନାହିଁ । ନିଦ ଭାଙ୍ଗିଲାବେଳକୁ ଦେଖିଲା ତା’ ପାଖରେ ମାୟାଦେଈ ବସିଛି । କହୁଛି, “ତୋ ହାତରେ ମୋର ଜୀବନ । ତୁ ବୁଝିପାରିବୁନିରେ, ଝିଅ ଜନ୍ମରେ କେଡ଼େ କଷ୍ଟ !”

ସିଧୁ ଉଠି ପଡ଼ିଲା । ସିଏ ଯାହା ଶୁଣୁଥିଲା ସେଇଟା ସତ କି ସ୍ୱପ୍ନ ଜାଣିବା ଲାଗି କହୁଣିକୁ ଚିମୁଟି ପକେଇଲା । ମାତ୍ର ସେସବୁ ସତ ଥିଲା । ସେ ତରବର ହୋଇ ବିଛଣାରୁ ଉଠି ପଡୁଥିଲା । ମାୟାଦେଈ ତାକୁ ଟିକେ ଗେଲ କରିଦେଲା ଓ ହସି ହସି କହିଲା, “କାଲି ବାଳୁଙ୍ଗା କହିଲି ବୋଲି କିଛି ଭାବିଲୁ କି ? ଯିଏ ଯାହାକୁ ନିଜର ଭାବେ ସିଏ ଏକା ସେମିତି କହେ ।”

ସିଧୁ ପଚାରି ଆସୁଥିଲା, “କିନ୍ତୁ ବ୍ରଜ ସାର୍ ଗଲେ କୁଆଡ଼େ ?” ସେତିକିବେଳେ ତା’ ବୋଉ ଡାକ ପକେଇଲା, “ଆଲୋ ମାୟା, କୁଆଡ଼େ ଗଲୁ ? ନେ, ଚା’ ଟୋପେ ପିଇଦେଲୁ ।”

ମାୟାଦେଈ “ଯାଉଛି” କହି ସେ କୋଠରୀରୁ ବାହାରିଗଲା ।

ସେଦିନ ଉପରଓଳି, ସ୍କୁଲ୍‌ରୁ ଫେରିବା ବାଟରେ, ଆଉଥରେ ଲିଟୁ ସାଙ୍ଗରେ ସିଧୁର ଦେଖାହେଲା ।

ଲିଟୁ ନାଲି ରଙ୍ଗର ଗୋଟେ ନୂଆ ସାର୍ଟ ଓ କଳା ପ୍ୟାଣ୍ଟ୍ ପିନ୍ଧିଥିଲା । ସେଥିପାଇଁ ସେ ସବୁଦିନ ଅପେକ୍ଷା ବେଶି ହସୁଥିଲା । ସିଧୁକୁ ଦେଖୁ ଦେଖୁ କହିଲା, “ଆଚ୍ଛା, ତୋତେ କାଲି ପ୍ରଶ୍ନଟେ ପଚାରିଥିଲି । ତୋତେ ତା’ର ଉତ୍ତର ଆସେନି ନା ।

ସିଧୁ ପ୍ରଶ୍ନଟି ଭୁଲି ଯାଇଥିଲା ।

ଲିଟୁ କହିଲା, “ଏ ପୃଥିବୀର ସବୁଠୁ ଆଶ୍ଚର୍ଯ୍ୟ ପ୍ରାଣୀଟି କିଏ ?”

ନିଜ ପାଣ୍ଡିତ୍ୟ ଦେଖାଇବାର ସୁଯୋଗ ହାତଛଡ଼ା କରିବା ପାଇଁ ଚାହୁଁ ନଥିଲା ଲିଟୁ । ସିଧୁ ପାଖକୁ ଲାଗି ଆସି କହିଲା, “ଶୁଣ୍, ପ୍ରଜାପତି ! ସଁବାଳୁଆରୁ ପ୍ରଜାପତି ହୁଏ । ତେଣୁ ପ୍ରଜାପତି ପୃଥିବୀର ସବୁଠୁ ଆଶ୍ଚର୍ଯ୍ୟ ପ୍ରାଣୀ ।”

ସିଧୁ ପକେଟ୍‌ରୁ ମାୟାଦେଈ ଦେଇଥିବା ଚକ୍ଲେଟ୍ ଦିଇଟା ସେହିପରି ଥିଲା । ସେ ସେଇ ଦିଇଟିକୁ କାଢ଼ି ଲିଟୁ ପକେଟ୍‌ରେ ଭର୍ତ୍ତି କରିଦେଇ କହିଲା, “ତା’ଠୁଁ ଆହୁରି ଆଶ୍ଚର୍ଯ୍ୟ ଜୀବ ବି ଅଛନ୍ତି !”

: “ପ୍ରଜାପତିଠୁ ?” ଆଖି ବଡ଼ ବଡ଼ କରି ଲିଟୁ ପଚାରିଲା ଏବଂ ଜିଦ୍ କଲା, “କହ, କହ ।”

ଗମ୍ଭୀର ହୋଇ ଠିଆ ହୋଇଥିଲା ସିଧୁ । ଲିଟୁ ତାକୁ ହଲେଇ ଦେଇ ପଚାରୁଥିଲା, “କହ, କହନା, କିଏ ?”

“ମାୟାଦେଈ ।” – ସିଧୁ କହିଲା ଓ ଦଉଡ଼ି ଦଉଡ଼ି ସେଠୁ ପଳେଇଗଲା ।

ଲୋକପ୍ରିୟ ଲେଖା

To Top