ଗଳ୍ପ

ବିବର୍ଣ୍ଣ ବର୍ଣ୍ଣାଳୀ

Manjurani Mishra's Odia Story BIBARNA BARNALI

ରମାକାନ୍ତବାବୁ କହୁଥିଲେ ରାଜଲକ୍ଷ୍ମୀ ସମୁଦ୍ରକୁ ପ୍ରାୟ ଆସେ ବେଳ ଅବେଳରେ । ଅପୂର୍ବ ଦିଶୁଛି । ପିନ୍ଧିଛି ନାଲିପାଟ, ମୁଣ୍ଡରେ ସିନ୍ଦୂର ଟୋପା, ଦେହରେ ଗହଣାର ପରିପାଟ୍ଟୀ । କବରୀରୁ ଭାସି ଆସୁଛି ଚମ୍ପାଫୁଲର ସୁରଭି । ପିପାସିତ ଓଠରେ କେତେ ଯୁଗର ତୃଷ୍ଣା !

ବିବର୍ଣ୍ଣ ବର୍ଣ୍ଣାଳୀ

ସାମ୍ନାରେ ସମୁଦ୍ର ।

ରଜତ ଜ୍ୟୋତ୍ସ୍ନାର ଉତ୍ତରୀୟରେ ସମୁଦ୍ର କେମିତି ରହସ୍ୟମୟୀ ତରୁଣୀଟିଏ ପରି ମନେ ହେଉଛି । ନକ୍ଷତ୍ର ପ୍ରସ୍ଫୁଟିତ ନୀଳ ଆକାଶରେ ଅଭିସାରିକା ଚନ୍ଦ୍ରମାର ଉତ୍ସୃଙ୍ଖଳ ହସ ।

ଶିତିକଣ୍ଠ ବେହେଲାଟାକୁ ନିଜ କୋଳକୁ ତୋଳି ଆଣିଲେ । ସମୁଦ୍ରର ଉତ୍ତଳ ଜଳରାଶି ନିମନ୍ତ୍ରଣ ଜଣାଉଛି । କିନ୍ତୁ ସମୁଦ୍ର ସ୍ନାନର ଲୋଭ କମି ଆସୁଛି ମନରେ । ସମୁଦ୍ରର ଢେଉ ଗୁଡ଼ାକ ରାଜଲକ୍ଷ୍ମୀର କେଶର ଅରଣ୍ୟ ପରି କି ଘଞ୍ଚ । ଶିତିକଣ୍ଠ ବେହେଲାରେ ଅଙ୍ଗୁଳି ଚାଳନା କଲେ । ସବୁ ରାଗ ରାଗିଣୀକୁ ଆୟତ୍ତ କଲାପରେ ରାଜଲକ୍ଷ୍ମୀ ଦିନେ ଭୈରବୀ ରାଗ ଶିଖିବା ପାଇଁ ଅଳି କରିଥିଲା । କିନ୍ତୁ ଭୈରବୀ ରାଗ ତୋଳିବା ପାଇଁ ନିଶାର୍ଦ୍ଧର ସେ ନିରବ ଲଗ୍ନ ତା’ ଜୀବନରେ ଆଉ ଆସିଲା ନାହିଁ ।

ଶିତିକଣ୍ଠଙ୍କ ହାତ ଅଟକିଗଲା ।

ଜୀବନରେ ବେଳେବେଳେ ଏମିତି ଗୋଟାଏ ଗୋଟାଏ ମୁହୂର୍ତ୍ତ ଆସେ ସେତେବେଳେ ନିଜକୁ ଚିହ୍ନିବାକୁ ଭାରି ଭୟ ଲାଗେ । ଅନେକ ଅସହାୟତାର ସ୍ୱରଲିପି ମାନେ ଗଳାଟାକୁ ଚିପିଧରି ଅଣନିଶ୍ୱାସୀ କରି ପକାନ୍ତି । ଛଳନାର ଶୀତଛୁଆଁ ନିବିଡ଼ ସ୍ପର୍ଶରେ ବ୍ୟତିବ୍ୟସ୍ତ ହେଉଥିବା ସ୍ୱପ୍ନର ଛାଇମାନେ ବାଟ ଓଗାଳି ଠିଆହେଲା ବେଳେ ଅତୀତଟା ଆସି ହାତଠାରେ । ନିଜକୁ ଆଉଥରେ ନୂଆ କରି ଦେଖିବାକୁ ଇଚ୍ଛା ହୁଏ । ବଉଦର ଛାଇରେ, ଆକାଶର ନୀଳିମାରେ, ଚନ୍ଦ୍ରମାର ଜ୍ୟୋତ୍ସ୍ନାରେ । ତେବେ ଆଉ କେଉଁ ପ୍ରଲୋଭନ ଥାଏ ପ୍ରତିଶ୍ରୁତି ଆଦାୟ କରିନଥିବା ମନଟି ପାଇଁ ।

ଭୈରବୀ ରାଗ ତୋଳିବାର ସମୟ ଅତିକ୍ରାନ୍ତ ହୋଇଗଲାଣି । ନିଦର ଆକାଶ ତଳେ ବିରହିଣୀ ଜ୍ୟୋତ୍ସ୍ନାର ନୃତ୍ୟ । କେତେ ଦୂରରେ ଡାକି ଦେଉଛି ଚକ୍ରବାକ । ଝାଉଁବଣ ଆରପାରିରେ । କିଏ ବୁଝେ ସେଇ ଚଢ଼େଇର ଦୁଃଖ ?

ଏଇ ତଳ ମହଲାର ଆଡ଼ପାଗଳୀ ବୋହୂଟା ଗୀତ ଗାଉଛି । ଶିତିକଣ୍ଠ ଆଉ ବେହେଲା ବଜାଇପାରୁ ନାହାନ୍ତି । କେମିତି ଗୋଟିଏ ଅବସନ୍ନତାରେ ମନ ଭାରି ଭାରି ହୋଇ ଉଠୁଛି । ହୁଏତ ଏଇ ବିଧବା ବୋହୂଟି ଦିନେ ସୁଶୀତଳ ସୁବାସିନୀ ଝରଣାଟିଏ ଥିଲା । ସଙ୍ଗୀତ ଥିଲା ତା’ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନିଷ୍ଠୁର ବୈଶାଖୀ ପବନ ତା’ ଜୀବନର ଶୀତଳତାକୁ ଗ୍ରାସ କରିଦେଲା । ସେ ଲୁପ୍ତ ହେବାକୁ ବସିଲା ସୀମାହୀନ ମରୁଭୂମିରେ । କିନ୍ତୁ ସେ ସଙ୍ଗୀତକୁ ଭୁଲିଲା ନାହିଁ, ଏତେ ବଡ଼ ଦୁର୍ଘଟଣାର ପ୍ରହାର ସତ୍ତ୍ୱେ । ସେଇ ସାଥୀହରା ବଧୂଟିର ଗୀତ ସରିଲାବେଳକୁ ଜହ୍ନ ବୁଡ଼ିବାକୁ ବସିଲାଣି । ଶିତିକଣ୍ଠ ଚମକି ପଡ଼ିଲେ । ସେ ତା’ହେଲେ ସାରା ରାତି ଏମିତି ବସି ବସି କଟେଇ ଦେଇଥିଲେ । ଆଉ କେତେବେଳେ ଗଲେ ଉଷାର ଆଲୁଅ ଝରି ପଡ଼ିବ ।

ସେ ଉଠିଲେ । ରାତ୍ରୀର ଫେନିଳ ଯୌବନା ସମୁଦ୍ର ମନେ ହେଉଛି ଭାରି ଶାନ୍ତ ଆଉ ସଂଯତ । ସେ ଯିବେ । ସମୁଦ୍ରରେ ମନ ଭରି ଗାଧୋଇବେ । ସାରା ରାତିର କ୍ଳାନ୍ତି ଅବସାଦକୁ ମନରୁ ପୋଛି ଦେବେ ।

ସମୁଦ୍ର ବେଳାରେ ସୂର୍ଯ୍ୟ ଲାଲିମା । କିଏ ଜଣେ ବାଲୁକାରେ ଶିବ ଲିଙ୍ଗ ତିଆରି କରି ପୂଜା କରୁଛି ? ଧୂପ, ଦୀପ, ଗନ୍ଧ, ପୁଷ୍ପ, ନୈବେଦ୍ୟର ମହକରେ ବାୟୁମଣ୍ଡଳ ଆସ୍ୱାଦିତ । ଓଁ ନମଃ ଶିବାୟ ! ଇଏ ନିଶ୍ଚୟ ସେଇ ତଳମହଲାର ବିଧବା ବୋହୂ । କ’ଣ ସେ ମାଗୁଛି ଠାକୁରଙ୍କୁ ? ଆପାଦ ମସ୍ତକ ଆବୃତ୍ତା ସେ ଶୁଭ୍ରାଙ୍ଗୀ ନାରୀଟି ତାଙ୍କ ସାମ୍ନା ଦେଇ ଚାଲିଯାଉଥିଲା । ତା’ ହାତରୁ ଖସି ପଡ଼ିଥିଲା ହୀରା ବସା ଅଙ୍ଗୁରୀୟଟିଏ । ସୂର୍ଯ୍ୟ କିରଣରେ ତା’ର ଦ୍ୟୁତି ଝଲସି ଉଠୁଥିଲା । ବୋହୂଟି ମୁଣ୍ଡରେ ଲମ୍ୱା ଓଢ଼ଣା ଦେଇ ବାଟ ଚାଲୁଥିଲା । ବେଳେ ବେଳେ ଦିଶି ଯାଉଥିଲା ତା’ର ଅନାବୃତ ହାତ ଦୁଇଟି ।

ଆଉ ସେଇ ସ୍ଥିତିରେ ବୃଦ୍ଧ ରାମାକାନ୍ତଙ୍କ ସହିତ ସାକ୍ଷାତ୍ ଆଉ ଆଳାପ । ଅଙ୍ଗୁରୀୟଟିକୁ ପାଇ ସେ ଆଶ୍ଚର୍ଯ୍ୟ ହୋଇଗଲେ । ବାଷ୍ପାକୁଳ କଣ୍ଠରେ ସେ ଶିତିକଣ୍ଠକୁ ଜଣେଇଥିଲେ ଅଶେଷ କୃତଜ୍ଞତା ଆଉ ଅଭିନନ୍ଦନ । ଖୋଲି ଯାଇଥିଲା ତାଙ୍କ ବିଗତ ଜୀବନର ପୃଷ୍ଠା ସବୁ ।

ସେ ଥିଲେ ଜଣେ ପ୍ରବଳ ପ୍ରତାପୀ ଜମିଦାର । ଥରେ ଶିକାର କରିବାର ନିଶା ନେଇ ସେ ଯାଇଥିଲେ ଅଗ୍ନାଅଗ୍ନି ବନସ୍ତ ଭିତରକୁ । ଆଉ ସେତେବେଳେ ହଜି ଯାଇଥିଲା ଏଇ ଅଙ୍ଗୁରୀୟ ।

ଲୋକେ ମୁଣ୍ଡଫଟା ଖରାରେ ଖୋଜୁଥିଲେ । ଅଙ୍ଗୁରୀୟ ଯଦି ନ ମିଳେ ତା’ହେଲେ ତା’ର ଭୟାବହ ପରିଣତି କଥା ଚିନ୍ତା କରି ଆତଙ୍କରେ ଥରି ଉଠୁଥିଲେ ପ୍ରଜା ମୂଲିଆ ମାନେ । ଯଦି ନ ମିଳେ ତା’ହେଲେ ଅନ୍ଧାର ଘରେ ପୁରାଇ ଲଙ୍କାମରିଚ ଧୂଆଁ ଦିଆହେବ । ଆଉ ପିଠିରେ କୋରଡ଼ା ମାଡ଼ ବସିବ ଏକ ଦୁଇ ତିନି । ବଣଟା ସାରା ସମସ୍ତେ ଖିନ୍‌ଭିନ୍ କରି ଖୋଜିଲେ । ପାହାଡ଼ ତଳେ ସେଇ ଚମ୍ପା ପୋଖରୀ । କାଚକେନ୍ଦୁ ପରି ପାଣି । ବୁଡ଼ାଳି ପଶିଲେ, କାଳେ ସେଇଠି ପଡ଼ିଥିବ । ହଠାତ୍ ଜଣେ ଆସି ମଧୁ ପରିଡ଼ା ବିରୁଦ୍ଧରେ ଅଭିଯୋଗ ଆଣିଥିଲା । ଅଙ୍ଗୁରୀୟ ନ ଖୋଜି ସେ ଜଙ୍ଗଲୀ ଫଳ ତୋଳି ଗାମୁଛାରେ ବାନ୍ଧୁଥିଲା । ମଧୁ ପରିଡ଼ା ଦୋଷ ମାନିଥିଲା । ଦୁଇଦିନ ହେଲା ସେ ଆଉ ତା’ ପିଲାମାନେ ଖାଡ଼ା ଉପାସ । ସେଥିପାଇଁ ସେ ଦିନକର ଆହାର ଯୋଗାଡ଼ କରୁଥିଲା । କିନ୍ତୁ ତା’ର ଏଇ ଉକ୍ତିକୁ ମନ ଗଢ଼ା କାହାଣୀ ବୋଲି ଧରି ନିଆଗଲା । ଅଙ୍ଗୁରୀୟଟି ସେ ଚୋରି କରିଛି ବୋଲି ସନ୍ଦେହ କରି ତା’ଉପରେ ନିସ୍ତୁକ କୋରଡ଼ା ମାଡ଼ ବସିଥିଲା । ହେଲେ ତା’ ଉପାସୀ ଦେହ ଏ ଦୁନିଆଁକୁ ସାମ୍ନା କରିବାକୁ ଆଉ ସାହସ କରିପାରୁନଥିଲା ।

ଶେଷରେ ଗୋଟିଏ ଗଛ ତଳୁ ସେଇ ଅଙ୍ଗୁରୀୟଟି ମିଳିଥିଲା । ଦୁଇଟା ହରିଣ ଶିକାର ବାସ୍ନାରେ ଭୋଜିଭାତରେ ମସଗୁଲ ହୋଇ ମଧୁ ପରିଡ଼ା କଥା ସମସ୍ତେ ଭୁଲି ଯାଇଥିଲେ । ମଧୁ ପରିଡ଼ାକୁ ବାଘ ଖାଇ ଯାଇଛି ବୋଲି ଚାରିଆଡ଼େ ପ୍ରଚାର ହୋଇଯାଇଥିଲା । ଟଙ୍କା ଯୋର୍‌ରେ ସମସ୍ତଙ୍କ ମୁହଁ ବନ୍ଦ କରି ଦିଆଯାଇଥିଲା । ତା’ ଜୀବନ ବଦଳରେ ତା’ ସ୍ତ୍ରୀକୁ ଦୁଇ ଚାରିଟା ନଡ଼ିଆ ଗଛ, ଗୋଟେ ଭଙ୍ଗାଘର ଆଉ ପାଞ୍ଚମାଣ ଜମି ଉପହାର ଦିଆଯାଇଥିଲା ।

ଆଉ ହଠାତ୍ ଦିନେ ଗୋଟିଏ ଅଶାନ୍ତ ସକାଳରେ ଜମିଦାରୀ ଚାଲି ଯାଇଥିଲା ସବୁଦିନ ପାଇଁ । ଏଇ ସେଇ ଅଙ୍ଗୁରୀୟ ଯାହାକି ମଧୁ ପରିଡ଼ାର ଜୀବନ ନେଇଯାଇଥିଲା । ଏଇ ଅଙ୍ଗୁରୀୟଟି ଆମ ଖାନ୍‌ଦାନ୍‌ର କିମ୍ୱଦନ୍ତୀ ଯାହା କି ସବୁଦିନ ଆମ ବଂଶର ସନ୍ତକ ହୋଇ ରହିଥିଲା ଆଉ ଉତ୍ତରାଧିକାରୀ ସୂତ୍ରରେ ଚାଲି ଆସୁଥିଲା ଜଣକ ହାତରୁ ଆଉ ଜଣକ ପାଖକୁ । ବେଳେବେଳେ ଚନ୍ଦନ କାଠରେ ତିଆରି ଫରୁଆ ଭିତରୁ ଖୋଲି ଏହି ଅଙ୍ଗୁରୀୟଟିକୁ ଅପଲକ ନେତ୍ରରେ ଚାହିଁ ରହିଲେ ଜଣା ପଡୁଥିଲା ସବୁ ଅସନ୍ତୋଷର ଦାବାଗ୍ନି ଦିନେ ଲିଭିଯିବ । ତା’ର ଜ୍ୟୋତି ଟିକିଏ ବି ମଳିନ ପଡ଼ିନଥିଲା । ମଧୁ ପରିଡ଼ାର ମୃତ୍ୟୁରେ କୌଣସି ଭେଜାଲ୍ ନାହିଁ । ତାଙ୍କ ପୁଅ ଶୁଭକାନ୍ତର ରକ୍ତରେ ଏକ ବଳିଷ୍ଠ ଜମିଦାରୀ ବଂଶର ରକ୍ତ । ସେଥିରେ କୌଣସି ଅପମିଶ୍ରଣ ନାହିଁ ।

ଏକ ଦୁଃସାଧ୍ୟ ହୃଦ୍ରୋଗରୁ ଆରୋଗ୍ୟ ହୋଇଥିଲା ଶୁଭକାନ୍ତ ଆଉ ହାତରେ ପିନ୍ଧିଥିଲା ଏକ ଅଙ୍ଗୁରୀୟ ।

ବାହାଘର ଧୁମ୍‌ଧାମ୍‌ରେ ସରିଥିଲା । ଘରକୁ ଆସିଥିଲା ଲକ୍ଷ୍ମୀ ପ୍ରତିମା । ଚାଲିଗଲେ ପଦ୍ମ ଫୁଟୁଥିଲା, ହସିଦେଲେ ଖୁସିର ଆଲୁଅ ଝରି ପଡୁଥିଲା ।

ରମାକାନ୍ତବାବୁ ଅପେକ୍ଷା କରିଥିଲେ, କେଉଁଦିନ ଆସିବ ଶୁଭକାନ୍ତର ଆଗାମୀ ସନ୍ତକ । ଆଉ ତାଙ୍କ ଆତ୍ମା ନିର୍ବାଣ ପାଲଟିଯିବ । କିନ୍ତୁ ହଠାତ୍ ଦିନେ ସବୁକିଛି ଓଲଟ ପାଲଟ ହୋଇଗଲା । ଚାରିମାସ ତଳେ ବିବାହ କରିଥିବା ଶୁଭକାନ୍ତ ହୃଦ୍ରୋଗରେ ଚାଲିଗଲା ଅଜଣା ରାଜ୍ୟକୁ । ସବୁ କେମିତି ମାୟା ପଟଳ । ଧୂଳିଝଡ଼ର ତୁହାକୁ ତୁହା ଆକ୍ରମଣ । ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନଙ୍କ ଅନାବଶ୍ୟକ ଉପଦେଶ ଆଉ ଅଯଥା ସହାନଭୂତି ।

ବେଶି ସମସ୍ୟା ହେଲା ଚାରିମାସ ତଳେ ବିବାହ କରିଥିବା ସଦ୍ୟ ବିଧବା ବୋହୂକୁ ନେଇ । ଜଣେ ଡାକ୍ତର ବନ୍ଧୁ ପରାମର୍ଶ ଦେଇଥିଲେ ଶଙ୍ଖା ସିନ୍ଦୂର ଫେରି ପାଇଲେ ତା’ର ପାଗଳାମି ଆସ୍ତେ ଆସ୍ତେ କମିଯିବ ।

ରମାକାନ୍ତବାବୁ ବାଷ୍ପାକୁଳ କଣ୍ଠରେ କହିଲେ “ଏହା କି ସମ୍ଭବ ? ପୁରୁଷର ଦ୍ୱିତୀୟ ବିବାହ ପରି ନାରୀକୁ କ’ଣ ସେଇ ଅଧିକାର ମିଳନ୍ତା ନାହିଁ ? ଦିନ ଥିଲା ଏ ସମାଜ ବୋଧହୁଏ ଠିକ୍ ନିଷ୍ପତ୍ତି ନେଇଥିଲା । ବିଧବା ହେବାର ଦୁଃଖ ନାରୀକୁ ଭୋଗିବାକୁ ପଡୁନଥିଲା । ସ୍ୱାମୀର ଚିତାରେ ଦଗ୍ଧ ହେବାର ନିୟମ ବୋଧହୁଏ ଉଚିତ୍ ଥିଲା । କିନ୍ତୁ ସମାଜ ପୁଣି ବଦଳିଗଲା । ବିଧବା ନାରୀକୁ ଜୀବନର ଜଳନ୍ତା ଜୁଇରେ ଛଟପଟ ହୋଇ ବଞ୍ଚିବାର ସ୍ୱାଦ ଶିଖାଇଲା ।” ଭିଜାଭିଜା କଣ୍ଠରେ ରମାକାନ୍ତବାବୁ କହିଲେ, “ଏଇ କେତେଦିନ ହେଲା ତୁମ ବେହେଲାର ସ୍ୱର ତା’ର ପାଗଳାମିକୁ ଯଥେଷ୍ଟ କମେଇ ଦେଇଛି । ବେହେଲା ଶିଖିବା ପାଇଁ ସେ ଅଳି କରୁଛି ।”

ଶିତିକଣ୍ଠ ଚମକି ପଡ଼ିଲେ । ରାଜଲକ୍ଷ୍ମୀ ତାଙ୍କ ପାଖରେ ବେହେଲା ଶିଖୁଥିଲା । ଆଉ କାହାକୁ ସେ ବେହେଲା ଶିଖାଇ ନାହାନ୍ତି । ଶିଖେଇ ପାରିବେ ନାହିଁ । ଗୋଟିଏ ଆଡ଼ ପାଗଳୀ ବୋହୂକୁ ସଙ୍ଗୀତ ଶିଖାଇବା ପାଇଁ ସେ ଭାବପ୍ରବଣ ହୋଇ ପଡ଼ିବା ଉଚିତ୍ ନୁହେଁ । ରମାକାନ୍ତବାବୁଙ୍କର କିଛି ଅଲଗା ଉଦ୍ଦେଶ୍ୟ ନାହିଁ ତ ? ବେହେଲା ଶିଖିଦେଲେ ଯେ ଗୋଟିଏ ପାଗଳୀ ସୁସ୍ଥ ହୋଇଯିବ, ଏହା ପଥରେ କୌଣସି ଯୁକ୍ତି ଥାଇ ନ ପାରେ । ଅନ୍ୟ କାହାକୁ ବେହେଲା ଶିଖାଇଲା ବେଳେ ମନେ ପଡ଼ିବ ରାଜଲକ୍ଷ୍ମୀ, ମନେ ପଡ଼ିବ ଅତୀତ । ବେହେଲାର ରାଗ ଛନ୍ଦହରା ହୋଇଯିବ । ସେ ସହି ପାରିବେ ନାହିଁ । ଏଇ ସମୁଦ୍ର ତଟରେ ଛୁଟି କଟାଇବା ପାଇଁ କିଛିଦିନ ଆସିଛନ୍ତି । ଉପର ମହଲାରେ ଭଡ଼ା ନେଇ ରହୁଛନ୍ତି ଯାହା ସମ୍ପର୍କ ସବୁ ଫର୍ମାଲିଟି । ଏତେ ଅନ୍ତରଙ୍ଗ ଆଉ ଦରଦୀ ହେବା ଭଲ ନୁହେଁ । ଯେତେ ଶୀଘ୍ର ଏଠୁ ଚାଲିଯିବା ଉଚିତ୍ ହେବ । ତାଙ୍କ ବିଧବା ବୋହୂ ପ୍ରସାଦ ଯାଚୁଥିଲା । ରମାକାନ୍ତବାବୁ ମୁଣ୍ଡରେ ହାତ ବୁଲାଇଲା ବେଳେ ଓଢ଼ଣା ଖସିଗଲା । ଶିତିକଣ୍ଠ ଅବାକ୍ ହୋଇଗଲେ ।

ରାଜଲକ୍ଷ୍ମୀ ହସୁଛି । ସେ ହସରେ ମୁଠା ମୁଠା ବିଷର ଫୁତ୍କାର । ସେ ପାଗଳ ହୋଇଯିବେ । ସେ ଚାହାଁଣୀର ଉତ୍ତାପରେ ଦଗ୍ଧ ହୋଇଯିବେ । ରାଜଲକ୍ଷ୍ମୀ ସ୍ଥିର ହୋଇଗଲା । ଲୁହ ଛଳଛଳ ଆଖିରେ କହିଲା “ମୁଁ ଜାଣିଥିଲି ତୁମେ ନିଶ୍ଚୟ ଆସିବ । ସେଥିପାଇଁ ମୁଁ ଚମ୍ପା ଫୁଲ ଚଢ଼େଇ ଶିବ ପୂଜା କରୁଥିଲି । ଆଉ ଡେରି କରୁଛ କାହିଁକି ? ମତେ ନେଇ ଚାଲ ତୁମ ସାଙ୍ଗରେ । କହିବ ଲବଙ୍ଗ ଦ୍ୱୀପ ଢେଉ ଆଉ ଶାମୁକାର କଥା । ଆମେ ଚାଲ ପଳେଇବା ସେଇ ସମୁଦ୍ର ତଳ ରାଇଜକୁ । ସେଠି କୁଆଡ଼େ ଅଛି ସୁନାଫୁଲ, ରୂପାଫୁଲର ନଅର । ତୁମେ ଅଛ, ଅଥଚ ଏମାନେ ମତେ ବିଧବା ବେଶରେ ସଜେଇ ଦେଲେ ।”

ଏମିତି ଗୋଟାଏ ଅଭାବିତ ଘଟଣା ପାଇଁ କେହି ପ୍ରସ୍ତୁତ ନଥିଲେ । ବୃଦ୍ଧ ରମାକାନ୍ତଙ୍କ ଆଖିରେ ଲୁହର ବନ୍ୟା । “ତୁମେ କିଛି ଭାବିବ ନାହିଁ ଶିତିକଣ୍ଠ । ଆଜି ତା’ର ପାଗଳାମି ଟିକେ ଅଧିକ ହୋଇଯାଇଛି । ବେଳେବେଳେ ସେ ସଧବା ବେଶ ହୁଏ । ଚୁଡ଼ି, ସିନ୍ଦୂର ପିନ୍ଧେ । ପାଟ ଗହଣାରେ ସଜେଇ ହୁଏ । ସମୁଦ୍ରକୁ ଯାଏ ଅନେକ ଥର ।” ରମାକାନ୍ତବାବୁ କ୍ଷମା ମାଗିଲା ସ୍ୱରରେ କହୁଥିଲେ । ତାଙ୍କର ସବୁକଥା ଶୁଣିବା ପାଇଁ ଶିତିକଣ୍ଠଙ୍କର ଧୈର୍ଯ୍ୟ ନଥିଲା ।

ସାମ୍ନାରେ ସେଇ ସମୁଦ୍ର ।

ନା, କିଛି ଗୋଟାଏ ସିଦ୍ଧାନ୍ତ ନେବାକୁ ହେବ । ଏଠି ମୁହୂର୍ତ୍ତେ ରହିଲେ ସେ ପାଗଳ ହୋଇଯିବେ । ରାତ୍ରୀର ଅନ୍ଧାରରେ ସେ ଚାଲିଯିବେ । ରମାକାନ୍ତବାବୁ ତାଙ୍କୁ ଖୋଜିବେ । ସନ୍ଦେହ କରିପାରନ୍ତି । କିନ୍ତୁ ସେ ନାଚାର ! ଆଉ ଏ ବେହେଲା, ଏ ଆଉ ହବ କ’ଣ ? ଏଇ ବେହେଲାକୁ ସେ ସମୁଦ୍ରରେ ଉତ୍ସର୍ଗ କରିବେ ।

ସେ ନିରବରେ ଆଗେଇଲେ । ଆକାଶରେ ପୌର୍ଣ୍ଣମାସୀର ଜହ୍ନ । ଚନ୍ଦ୍ରିକା ଝରୁଛି । ସେ ବେଳାଭୂମିରେ ନିଜକୁ ଲୋଟାଇଦେଲେ । ଆଜି ସେ ସମୁଦ୍ର ସ୍ନାନ କରିବେ ଶେଷଥର ପାଇଁ । ଆଉ କେବେ ଆସିବେନି । ଆକାଶକୁ ଚାହିଁଲେ । ନିରବ ନିଥର ଆକାଶ ।

କିଏ ଜଣେ ଦୂରରୁ ଆସୁଛି । କିଏ ହୋଇପାରେ ? ତାଙ୍କ ପରି ଜଣେ ନିସଙ୍ଗ ନକ୍ଷତ୍ର । ଶୂନ୍ୟତାରେ ଭରିଯାଇଛି କାହାର ଜୀବନ । କିଏ ଖୋଜୁଛି ତାଙ୍କ ପରି ଜହ୍ନର ଠିକଣା ନା ସମୁଦ୍ରର ସଙ୍ଗୀତ ?

ସାମ୍ନାରେ ରାଜଲକ୍ଷ୍ମୀ ଆସୁଛି । ରମାକାନ୍ତବାବୁ କହୁଥିଲେ ରାଜଲକ୍ଷ୍ମୀ ସମୁଦ୍ରକୁ ପ୍ରାୟ ଆସେ ବେଳ ଅବେଳରେ । ଅପୂର୍ବ ଦିଶୁଛି । ପିନ୍ଧିଛି ନାଲିପାଟ, ମୁଣ୍ଡରେ ସିନ୍ଦୂର ଟୋପା, ଦେହରେ ଗହଣାର ପରିପାଟ୍ଟୀ । କବରୀରୁ ଭାସି ଆସୁଛି ଚମ୍ପାଫୁଲର ସୁରଭି । ପିପାସିତ ଓଠରେ କେତେ ଯୁଗର ତୃଷ୍ଣା !

ରାଜଲକ୍ଷ୍ମୀ ଅଟକି ଯାଉଛି । କହୁଛି “ଶିଳ୍ପୀ ତୁମେ ପରା ଅଛ । ତେବେ ମୁଁ କାହିଁକି ବେଶ ବଦଳାଇବି ? ତୁମ ରାଗ ରାଗିଣୀରେ ମତେ ବିଭୂଷିତ କରିଦିଅ । ମୁଁ ଅଭିଷିକ୍ତା ହୋଇଯିବି କେଉଁ ନୂତନ ଦ୍ୱୀପର ସାମ୍ରାଜ୍ଞୀ ଭାବରେ । ତୁମ ବେହେଲାର ସ୍ୱରଟିଏ ମତେ କରିବନି । ତୁମ ଗୀତର ଶବ୍ଦଟିଏ, ସ୍ୱପ୍ନର ସୁରଭିରେ ସୁରଭିତ ହୋଇଯିବ ମୋ ଜୀବନର ଦ୍ୱିତୀୟ ଅଧ୍ୟାୟ । ତୁମ ରାଗ ରାଗିଣୀର ଆଲିଙ୍ଗନରେ ମୁଁ ବନ୍ଦୀ ହୋଇଯିବି । ତୁମେ ମୋ ପାଇଁ ସମୁଦ୍ର ପାଲଟିଯିବ । ସେ ଉତ୍ତଳ ଜଳରାଶିରେ ମୁଁ ହଜିଯିବି । ତୁମ ସ୍ୱପ୍ନରେ ହଜିଯାଇ ଶାମୁକା ହେବାରେ କେତେ ଯେ ଲୋଭ ! ଆଉ କେଉଁ ଶୁଭ କ୍ଷଣରେ ମୁଁ ଶୁକ୍ତିରୁ ମୁକ୍ତା ପାଲଟି ଯିବି । ଶିଳ୍ପୀ ତୁମେ କ’ଣ ମୋତେ ସ୍ୱୀକାର କରିବନି ?” ଶିତିକଣ୍ଠ ଆକାଶକୁ ଚାହିଁଲେ । ସେ କ’ଣ ଭୈରବୀ ରାଗ ତୋଳିବେ ରାଜଲକ୍ଷ୍ମୀ ପାଇଁ ?

ଲୋକପ୍ରିୟ ଲେଖା

To Top