ଗଳ୍ପ

ବିଦଗ୍‌ଧ ଉପବନ

Manjurani Mishra's Odia Story Bidagdha Upabana

ରୋଜୀ ହସି କହେ ବାପା ମାନେ ବାପା । ରହ ମୁଁ ତାଙ୍କ ଫଟୋ ଦେଖାଇବି । ଖବର କାଗଜରୁ ଚିରି ରଖିଛି ।

ବିଦଗ୍‌ଧ ଉପବନ

ଆଉ କେତେ ସମୟ ଗଲେ ସନ୍ଧ୍ୟା ଆସିଯିବ ?

ଆକାଶରେ ଚୁନା ଚୁନା ପାଟଳ ରଙ୍ଗର ମେଘ । ଅନେକ ଦୂରରେ ଗୋଟେ ପକ୍ଷୀ ଆଉ ଗୋଟେ ପକ୍ଷିଣୀ । ଆଜି ଆଶ୍ୱିନର ଶୁକ୍ଳ ଚତୁର୍ଦ୍ଦଶୀ । ଆସନ୍ନ ଶୀତର ପ୍ରଲେପିତ ଗୋଧୂଳି ।

ଠିକ୍ ଏମିତି ବେଳେ-

ସୁସନ୍ଧ୍ୟା ଅଟକି ଗଲେ । ଦୃଷ୍ଟି ଫେରାଇଲେ ଦୂର ଚକ୍ରବାଳକୁ । ଆଃ, ଜୀବନଟା ଯଦି ଚିରସ୍ରୋତା କଲ୍ଲୋଳିନୀଟିଏ ହୋଇ ବହିଯାଆନ୍ତା, ସବୁ ମୁହୂର୍ତ୍ତ ହୁଅନ୍ତା ବସନ୍ତର ପୁଷ୍ପଗୁଚ୍ଛ । ଅନେକ ରଙ୍ଗର ଆକାଶ, ଅନେକ ସ୍ମୃତିର ।

ଏମିତି ଏକ ମୁହୂର୍ତ୍ତରେ ତାଙ୍କ ଜୀବନର ସ୍ୱପ୍ନଭରା ନକ୍ସାଟା ହଜି ଯାଇଥିଲା । ଆଉ ମିଳିବ ନାହିଁ । ଫେରିବ ନାହିଁ ସେଇ ମଧୁମୟ ଜୀବନର ପ୍ରତିବିମ୍ୱ । ସୁସନ୍ଧ୍ୟା ସ୍ପଷ୍ଟ ଦେଖି ପାରୁଥିଲେ ଅତୀତର ଆଇନାରେ ଲୋକାରଣ୍ୟ ଭିତରେ ଆମ୍ବୁଲାନ୍ସ ଆଉ ଲନ୍ ଉପରେ ଗାଢ଼ ନିଦରେ ଆଖି ବୁଜି ଶୋଇଯାଇଥିବା ତିମିରକାନ୍ତ ।

ଲୋକମାନଙ୍କ ଭିତରେ ଅସ୍ପଷ୍ଟ ଗୁଞ୍ଜନ । ଏକ୍ସିଡ଼େଣ୍ଟ୍. . . ଏକ୍ସିଡ଼େଣ୍ଟ୍ । ସୁସନ୍ଧ୍ୟା ସଂଜ୍ଞା ହରାଇ ପଡ଼ିଥିଲେ । ତିନିଦିନ ପରେ ନିଜକୁ ଆବିଷ୍କାର କଲେ, ତାଙ୍କ ଦେହରୁ ଶଙ୍ଖା ସିନ୍ଦୂର ଓହ୍ଲାଇ ଦିଆଯାଇଛି । ସେ ପୁଣି ଥିରେ ସଂଜ୍ଞା ହରାଇ ପଡ଼ିଗଲେ ।

ତା’ପରେ ତାଙ୍କ ବେଦନା ବିଧୂରିତ ମନଟି ପାଇଁ ସହାନଭୂତିର ବିରାଟ କାବ୍ୟଗୁଚ୍ଛ ଧରି ଆତ୍ମୀୟ ସ୍ୱଜନ ତଥା ଦୂର ସମ୍ପର୍କୀୟଙ୍କ ଅଯଥା ଭିଡ଼ । ଅନେକ ସଭା, ଶୋକ ସଭା । ଖବର କାଗଜରେ ପରିଚୟ । ପିଲା ଦୁଇଟିଙ୍କ ଦାୟିତ୍ୱ ନେବା ପାଇଁ ଅନାବଶ୍ୟକ ପ୍ରବୋଧନା । ତା’ପରେ ଭୟଙ୍କର ବିରତି । ଆକସ୍ମିକ ସବୁକିଛିର ପରିସମାପ୍ତି । ସମ୍ପର୍କର ସେତୁବନ୍ଧଟା ଆସ୍ତେ ଆସ୍ତେ ଭାଙ୍ଗିଯାଏ । ସୁସନ୍ଧ୍ୟା ଏକା ହୋଇ ପଡ଼ନ୍ତି, ଭାରି ଏକା । ଦୀପୁ ଆଉ ରୋଜିର ସବୁ ସମ୍ଭାବିତ ପ୍ରଶ୍ନର ଉତ୍ତର ଦେବା ପାଇଁ ନିଜକୁ ପ୍ରସ୍ତୁତ କରି ପ୍ରଜ୍ଜ୍ୱଳିତ ବଳୟରେ ଅର୍ଦ୍ଧଦଗ୍ଧ ହୋଇ ସେ ଖାଲି ବଞ୍ଚିବାକୁ ଶିଖନ୍ତି ।

ଏଇ ସନ୍ଧ୍ୟା ଆସିଗଲା । ଆକାଶରେ ଚତୁର୍ଦ୍ଦଶୀର ବର୍ତ୍ତୁଳ ଜହ୍ନ । ଏତେ ବଡ଼ ଘରଟା କେମିତି ଖାଁ ଖାଁ ଲାଗୁଛି । ଛଳ ଛଳ ତରଳ ଚପଳ ଜ୍ୟୋତ୍ସ୍ନା । ଛବିଶଟି ବସନ୍ତର ପରାଗ ବୋଳି ହୋଇ କେଉଁ ଆଶ୍ଚର୍ଯ୍ୟ ଦ୍ୱୀପରେ ସେ ଅବସ୍ଥାନ କରୁଛନ୍ତି, ଭାବିଲେ ଭୟ ଲାଗୁଛି । ଆଉ କେଉଁ ପ୍ରଲୋଭନ ବୈଶାଖୀ ଝଡ଼ର ଘୂର୍ଣ୍ଣି ପ୍ରବାହରେ ନିଜ ମନର ସ୍ୱୀକାରୋକ୍ତିଟା ହଜିଗଲା ପରେ ହତାଶାର ପାରାବାରରେ ସମ୍ଭାବନାର ବତୀଘର ଆଲୁଅ ଆଶା କରିବା ବିଡ଼ମ୍ୱନା । ଜୀବନଟା ଯେମିତି ପ୍ରହେଳିକାମୟ ।

ସୁସନ୍ଧ୍ୟା ଆଖି ବୁଜିଦେଲେ । ଏଇ ଯେମିତି ଗାଡ଼ି ହର୍ଣ୍ଣ ଶୁଣାଯାଉଛି । ତିମିରକାନ୍ତ ଗାଡ଼ିରୁ ଓହ୍ଲାଉଛନ୍ତି । ରୋଜୀ ଆଉ ଦୀପୁକୁ ଛାତି ଉପରକୁ ଉଠାଇ ନେଉଛନ୍ତି ।

ଏମିତି କାହିଁକି ଠିଆ ହୋଇଛ, ଦେହ ଭଲ ନାହିଁ କି ? ଏଇ ରବିବାର ପୁରୀ ଯିବା । ହୋଟେଲ୍ ବୁକ୍ କରିସାରିଛି । ତା’ପରେ କୋଣାର୍କ । ତମ ପାଇଁ ଏଇ ପିଙ୍କ୍ କଲର୍ର ଶାଢ଼ୀଟା ଆଣିଛି, ଭଲ ହେଇନି ! ପିନ୍ଧିଲ । ରାତ୍ରୀର ଦ୍ୱିତୀୟ ପ୍ରହର । ଛୋଟ ଗୋଟିଏ ନିବୁଜ ଗୁମ୍ଫା । ଭିଜା ଭିଜା ହସର ଜ୍ୟୋତ୍ସ୍ନା । ବିନିଦ୍ରିତ ଅନେକ ନିରବ ମୁହୂର୍ତ୍ତ । ପରିତୃପ୍ତିର ସରୋବର । ମୁଠା ମୁଠା ନାଲି କଇଁର ଆସ୍ତରଣ । ଅଜଣା ଋତୁର ସ୍ୱପ୍ନ ବିଳାସ ।

ଦୀପୁ ହୁଏତ ଭୁଲିଗଲାଣି । ଆଜିକାଲି ସେ ଆଉ କିଛି ପଚାରେନା । ରୋଜୀ କିନ୍ତୁ ଭୁଲି ନାହିଁ । ଯେତେବେଳେ ସୁସନ୍ଧ୍ୟାକୁ ଏକୁଟିଆ ଦେଖେ ପଚାରେ ବାପା କେବେ ଆସିବେ । ସୁସନ୍ଧ୍ୟା ଖେଳଣା ଦେଇ, ଚକଲେଟ୍ ଦେଇ ଭୁଲେଇ ଦିଅନ୍ତି । ରୋଜୀ ଭୁଲିଯାଏ କଣ୍ଢେଇ ଘର ମିଛିମିଛିକା ସଂସାର ଭିତରେ । ସେ ପୁଣି ଦୀପୁକୁ ବୁଝାଏ । ଜାଣିଛୁନା ତୁ ଛୋଟ ହୋଇଥିଲୁ । ବାପା ଚାଲି ଯାଇଛନ୍ତି । ମାମା କହୁଥିଲେ ସେ କୁଆଡ଼େ ବିଦେଶ ଯାଇଛନ୍ତି । ଆମେ ସବୁ ବଡ଼ ହେଲେ ଆସିବେ । ମୋ ପାଇଁ ଖେଳଣା, ମିଠେଇ ଆଣିବେ । ତୋ ପାଇଁ ବି ଆଣିବେ ଯେ । ରହ ମୁଁ ଗୋଟେ ଚିଠି ଲେଖେ ତାଙ୍କୁ ।

ଆଖି ଡୋଳା ବଡ଼ ବଡ଼ କରି ଦୀପୁ କହେ ବାପା କିଏ ?

ରୋଜୀ ହସି କହେ ବାପା ମାନେ ବାପା । ରହ ମୁଁ ତାଙ୍କ ଫଟୋ ଦେଖାଇବି । ଖବର କାଗଜରୁ ଚିରି ରଖିଛି ।

ଅନେକ ଅମିମାଂସିତ ପ୍ରଶ୍ନର ଘୂର୍ଣ୍ଣନ ଭିତରେ ସୁସନ୍ଧ୍ୟାଙ୍କ ମନ ଉଦ୍‌ଗ୍ରୀବ ହୋଇ ଉଠେ । ନିରୁଦ୍‌ବେଗ ଉତ୍ତାପହୀନ ମୃତ ଉପତ୍ୟକାରେ ଆକାଶର ଶେଷ ସୀମାକୁ ଚାହିଁ ଦିନ ସବୁ କଟିଯାଏ । ଯେଉଁଠି ବାଲିଝଡ଼ର ସ୍ୱପ୍ନ, ସେଠି ମରୀଚିକାର ପ୍ରାନ୍ତର । ବିଧ୍ୱସ୍ତ ଧଡ଼ର ଛାଇ ବ୍ୟାପିଯାଏ ଅରଣ୍ୟେ ଅରଣ୍ୟେ । ସବୁ ଦୃଶ୍ୟ କେମିତି ଝାପ୍ସା ହୋଇ ଉଠେ । ମରୁନଦୀର ଅତୁଠରେ ବ୍ୟାକୁଳ ବସନ୍ତ ମଥା ପିଟେ ।

ସୁସନ୍ଧ୍ୟା ଠିଆ ହେଲେ ବାଲକୋନିରେ । ପିଲାମାନେ ତଥାପି ଫେରିନାହାନ୍ତି । ରାତି ହେଲାଣି । କିଏ ଗୋଟାଏ ଖଞ୍ଜଣୀରେ ଭଜନ ଆରମ୍ଭ କରିଦେଲାଣି । ଅନ୍ଧାରେ ସେ ଶବ୍ଦ ଗୁଡ଼ାକ କେମିତି କିମ୍ଭୁତକିମାକାର ଶୁଣାଯାଉଛି । ସନ୍ଧ୍ୟା ତାରା ବୁଡ଼ି ଗଲାଣି ଅନେକ ବେଳୁ ।

ସୁସନ୍ଧ୍ୟା ଏପଟ ସେପଟ ଚାହିଁଲେ । ନା କେହି ବି ନାହାନ୍ତି । ପୂଜାରୀ ରୋଷେଇ ଘରେ ବ୍ୟସ୍ତ । ଦରୱାନଟା ଫାଟକ ପାଖରେ ହାୱା ଖାଉଛି । ଏଇତ ସୁଯୋଗ । ଏଇଠୁ ସ୍ପଷ୍ଟ ଦେଖାଯାଉଛି କୃଷ୍ଣଚୂଡ଼ା ଗଛଟା । ତିମିରକାନ୍ତ ପ୍ରାୟ ସେଠି ବସୁଥିଲେ । ବେହେଲା ବଜାଉଥିଲେ । ତା’ ପାଖରେ ସେଇ ଚିନିଚମ୍ପା ଗଛଟା କେତେ ବଡ଼ ହେଲାଣି । ତିମିରକାନ୍ତ ଲଗାଇଥିଲେ । ସୁସନ୍ଧ୍ୟା ପଣତରେ ଆଖି ପୋଛିଲେ । ଦୂରରୁ ଦେଖାଯାଉଛି ଆଲୋକ ମାଳିନୀ ସହର । ନାଁ, କିଏ ବି ଆସିବେନି ତାଙ୍କୁ ବିରକ୍ତ କରିବାକୁ । ପିଲାମାନେ ଫେରିବାକୁ ଅନେକ ସମୟ ଲାଗିବ । ଭୋଳା ସେମାନଙ୍କୁ ମୀନାବଜାର ଦେଖାଇବା ପାଇଁ ନେଇଛି ।

ଚୋରୀ କଲାପରି ସନ୍ତର୍ପଣରେ ସେ ତାଲା ଖୋଲିଲେ । ପ୍ରଥମ ରାତ୍ରୀର ସୁଶୋଭିତ ସୁବାସିତ କକ୍ଷ । ଅତୀତର ସ୍ମୃତି ରେଣୁ ବିଛେଇ ହୋଇ ପଡ଼ିଛି । ଲାଇଟ୍ ଲଗାଇଲେ । ସାମ୍ନାରେ ତିମିରକାନ୍ତଙ୍କ ବଡ଼ ଫଟୋ ହସ ହସ ଚାହାଁଣୀ ।

ଅନେକ ଦିନର ଅବ୍ୟବହୃତ ଘରଟାକୁ ସଜାଡ଼ିଲେ । ଚିନାମାଟିର ଫୁଲଦାନୀଟାକୁ ସଫା କଲେ । ଝରକାକୁ ଲାଗି ବଡ଼ ପଲଙ୍କ । ସେପଟକୁ ତିମିରକାନ୍ତଙ୍କ ବହି ଆଲମାରୀ । ଥାକ ଥାକ ବହି । ତଳ ଥାକରେ ତିମିରକାନ୍ତଙ୍କ ନିଜସ୍ୱ କେତୋଟି ପ୍ରକାଶିତ ବହି ଆଉ ପାଣ୍ଡୁଲିପିର ସ୍ତୂପ ।

ଏଇ ସେଇ ରୂପାର ତାଜମହଲଟା । ପ୍ରଥମ ବିବାହ ବାର୍ଷିକ ଉତ୍ସବରେ ଉପହାର ପାଇଥିଲେ । ଏଇ ତିମିରକାନ୍ତଙ୍କ ବ୍ଲୁ ରଙ୍ଗର ସୁଟ୍‌ଟା । ଭାରି ଭଲ ପାଉଥିଲେ ସେ । ସୁସନ୍ଧ୍ୟା ଆଲମାରୀ ଖୋଲିଲେ । ଆଲବମ୍ ଦେଖିଲେ । ଅନେକ ପୋଜ୍‌ର ଫଟୋ ।

ରୋଜୀ ଆଉ ଦୀପୁକୁ ନେଇ ତିମିରକାନ୍ତ ।

ବଧୂ ବେଶରେ ତିମିକାନ୍ତଙ୍କ ସହିତ ସୁସନ୍ଧ୍ୟା । ସୁସନ୍ଧ୍ୟା ବେହେଲାଟାକୁ ତୋଳି ଆଣିଲେ । ଅନେକ ରାଗ ରାଗିଣୀର ସ୍ତବକରେ ସୁରଭିତ ହୋଇଉଠୁଥିଲା ରାତ୍ରୀର ପ୍ରତିଟି ମୁହୂର୍ତ୍ତ । ପ୍ରାଚୁର୍ଯ୍ୟର ଆଲୋକରେ ଉଦ୍ଭାସିତ ବିଭାସିନୀ ପ୍ରୀତିନିନ୍ଦା ପ୍ରିୟତମା ସୁସନ୍ଧ୍ୟା ଜୀବନରେ ପାଇଥିଲେ ଅନେକ କିଛି । ହାତ ବାଜି ଗହଣାର ଭାରି ବାକ୍ସଟା ଖସି ପଡ଼ିଲା । ବିଛାଡ଼ି ହୋଇ ପଡ଼ିଲା ମଥାମଣି, ବାଜୁବନ୍ଧ, ଚୁଡ଼ି, ହାର, ମୁଦି, କାନଫୁଲ ।

ମୁକ୍ତାବସା ଛୋଟ ମୁଦିଟାକୁ ସେ ଗାଲରେ ଚାପି ଧରିଲେ । ତିମିରକାନ୍ତ କାଶ୍ମୀରରୁ ଆଣିଥିଲେ । ବଡ଼ ଆଇନାଟା ଆଗରେ ଦେଖାଯାଉଛି ତାଙ୍କ ପ୍ରତିବିମ୍ୱ । ଲାଇଟ୍ ଲିଭାଇ ବିଛଣାରେ ଗଡ଼ି ପଡ଼ିଲେ । ଝରକା ଫାଙ୍କରେ ଆଶ୍ୱିନର ମୁକୁଳା ଶୀତଳ ଜ୍ୟୋତ୍ସ୍ନା । ଚନ୍ଦ୍ରମାର ଚିବୁକରେ କମ୍ପନ । ସୁସନ୍ଧ୍ୟାଙ୍କ ଆଖିରେ ଶ୍ରାବଣର ପ୍ଲାବନ ।

ଆଖି ବୁଜିଦେଲେ ସେ । ସ୍ମୃତିର ସ୍ୱାକ୍ଷର ମୃତ ନୁହେଁ ଅମୃତ । ପ୍ରକମ୍ପିତ ନିରବ ଶର୍ବରୀ । ଚକ୍ରବାକୀର କ୍ରନ୍ଦନ ଭାସି ଆସୁଛି କେତେ ଦୂରରୁ । ଜୀବନଟା ତୃଷ୍ଣାର ତଟିନୀ ।

ଲୋକପ୍ରିୟ ଲେଖା

To Top