ଗଳ୍ପ

ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ

Godabarisha Mohapatra's odia story Bikhyata Katakaru Akhyata Palli

ସେ ପାଖକୁ ଆସି ମାଗେ ନାହିଁ କି ମାଗିବା ପାଇଁ କାହାକୁ କହେ ନାହିଁ । ଗୋପାଳ ତାକୁ ଦେବ ବୋଲି ବିଚାରେ, ମାତ୍ର ଗହଳି ପାରି ହୋଇ ଯାଇ ଦେଇ ପାରେ ନାହିଁ ।

ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ

ଓଡ଼ିଶାର ଖୁବ୍ କମ୍ ଲୋକ ଯେଉଁ ଗାଆଁ ଖଣ୍ଡିକୁ ଜାଣିଛନ୍ତି ସେହି ଗାଆଁଟି ନା ହେଉଛି ସିଆଳି । ସିଆଳି ଗାଆଁକୁ ବେଶୀ ଲୋକ ଜାଣିବାର କିଛି କାରଣ ନାହିଁ । ସେ ଗାଆଁ ଭିତରେ ପକାଘର ନାହିଁ, ସେ ଗାଆଁକୁ ଭଲ ବାଟ ନାହିଁ, ସେ ଗାଆଁର ଲୋକେ ପାଠ ମଧ୍ୟ ପଢ଼ି ନାହାନ୍ତି । ଗୋବର ଗାଡ଼ିଆରେ କଇଁ ଫୁଟିଲା ପରି ଗୋପାଳ ଯେ କିପରି ସେଠାରେ ଫୁଟିଲା, ତାହା ହେଉଛି ଓଡ଼ିଶାର ନାନା ଆଶ୍ଚର୍ଯ୍ୟଜନକ ଘଟଣା ଭିତରୁ ଗୋଟିଏ ।

ଓଡ଼ିଶା ମୁଲକରେ ସିଆଳି ବୋଲି ଗୋଟିଏ ଗାଆଁ ଅଛି, ଆଉ ସେହି ଗାଁରେ ତା’ର ଘର ବୋଲି ଗୋପାଳ କେବେ ଭୁଲ୍‌ରେ ସୁଦ୍ଧା କାହା ଆଗେ ନିଜର ପରିଚୟ ଦିଏ ନାହିଁ । ଗାଆଁ ନା ପଚାରିଲେ ସେ ଗୋଟାଏ ଚାଲାକି କରି ଥାନାର ନାଁଟା କହିଦିଏ । କଥାଟା ସେଥିରେ ପ୍ରାୟ ଘୋଡ଼େଇ ହୋଇଯାଏ ।

ସିଆଳିର ଲୋକେ ମୁଣ୍ଡ ଝାଳ ତୁଣ୍ଡେ ମାରି ପେଟ ପୋଷନ୍ତି । କିଏ ମୂଲ ଲାଗେ, କିଏ ପନିପରିବା ବିକେ, କିଏ ବା ପାଇଟି ନ ପାଇଲେ ଭିକ ମାଗି ଚଳେ । ଏଗୁଡ଼ାକ ସମାଜର ନିତାନ୍ତ ତଳଶ୍ରେଣୀ ଲୋକଙ୍କ କାର୍ଯ୍ୟ ଗୋପାଳ ଏ କଥା ପାଠ ପଢ଼ି ବୁଝିଛି । ତେଣୁ ସେ କଟକର ପକାଘର ଭିତରେ ଏଗୁଡ଼ାକୁ ଆତ୍ମୀୟ ଦୃଷ୍ଟିରେ ବା ଶ୍ରଦ୍ଧା ଚକ୍ଷୁରେ ଦେଖେ ନାହିଁ । ଏ କଥା କଳ୍ପନା କଲେ ତା’ର ଲୋକ ଟାଙ୍କୁରି ଉଠେ । ଭାବେ, ସିଆଳି ଗାଆଁଟା ଯେବେ ସମତଳ ଅଞ୍ଚଳରେ ତ ସେ ଆସି ବସିଛି ଗୌରୀଶଙ୍କର ଶୃଙ୍ଗରେ । ତା’ର ପାଠ ଠାରୁ ଗାଁ ଲୋକଙ୍କ ସ୍ଥାନ କେତେ ତଫାତ୍ !

ପିଲାଦିନର ଅନେକ କଥା ପକାଘର ଭିତରେ ଗୋପାଳର ମନେ ପଡ଼େ, ମାତ୍ର ଗୋଟିଏ କଥାକୁ ସେ କେବେ ହେଲେ ମନରୁ ପାଶୋରି ପାରେ ନାହିଁ । ସେ ନିତାନ୍ତ ଛୋଟ ଥିଲାବେଳେ ତା’ର ବାପା ଜଣେ ତହସିଲଦାର୍‌ଙ୍କ ପିଆଦା ଥିଲେ । କାଠବିକା ବ୍ୟବସାୟ ଛାଡ଼ି ସେ ପିଲାକୁ ଧରି ତହସିଲ୍‌ଦାରଙ୍କୁ ଗୋଟିଏ ବର ମାଗିଥିଲେ । ପାଞ୍ଚବର୍ଷ ପରେ ବଦଳି ହେବା ସମୟରେ ତହସିଲ୍‌ଦାର୍ ବାବୁ ଅନୁରକ୍ତ ଭୃତ୍ୟ ପ୍ରତି ବଡ଼ ଶୁଭ ଦୃଷ୍ଟି ପକାଇଲେ । ତାହାରି ଫଳରେ ଗୋପାଳ କଟକ କଲେଜ ପର୍ଯ୍ୟନ୍ତ ଯାଇପାରିଛି । ଏବେ ତହସିଲଦାର୍ ନାହାନ୍ତି କି ତା’ର ବାପା ନାହାନ୍ତି ।

ଯେଉଁ ସମୟର କଥା କୁହାଯାଉଛି ସେତେବେଳେ ଉତ୍କଳମଣିଙ୍କ କରୁଣ ଆହ୍ୱାନରେ ଓଡ଼ିଶା କୁକୁର କଠୋର ପଥର ଖଣ୍ଡ ସୁଦ୍ଧା ତରଳି ଯାଉଥିଲା । ମହାନଦୀର କରାଳ ବନ୍ୟାରେ ଶହ ଶହ ଲୋକ ଭାସିଗଲେ, ହଜାର ହଜାର ଘର ଭାଙ୍ଗିଗଲା, ବିଲ ଉପରେ ସାତଫୁଟ ପାଣି ଠିଆ ହେଲା, ଗଛ ଉପରେ ମଣିଷ ଆଶ୍ରୟ ନେଲା, ସ୍ଥଳ ନ ପାଇ ଚାଳ ଉପରେ ମାଆ ସନ୍ତାନ ପ୍ରସବ କଲା, ଛାଡ଼ି ନ ପାରି ପିତା ପୁତ୍ରର ଶବକୁ ଯାକି ଧରି ଗଛରେ ଲାଖି ରହିଲା- ଏସବୁ କାହାଣୀ ଶୁଣି ପଥର ତରଳିବା ଅସମ୍ଭବ କ’ଣ ?

ଉତ୍କଳମଣିଙ୍କର ଏ ଡାକ ସମସ୍ତଙ୍କ କାନରେ ବାଜିଲା । କଲେଜ ଭିତରର ଏକ କୋଠରୀରେ ଗୋପାଳ ମଧ୍ୟ ଏ କଥା ଶୁଣିଲା । ଦଳ ଦଳ ଛାତ୍ର ବନ୍ୟାରେ ଲମ୍ଫ ଦେବାକୁ ବାହାରିଲେ । ବନ୍ୟାର ଏ ଅତ୍ୟାଚାରରେ କେତେ ଯୁବକପ୍ରାଣରୁ ଏପରି ତପ୍ତ ଶ୍ୱାସ ଉଠିଲା ଯେ କଲେଜ୍ ଭର୍ତ୍ତି ପର୍ଯ୍ୟନ୍ତ ଥରିଗଲା- “ଓଡ଼ିଶା ଯେବେ ଗଲା, କାହା ଘେନି କଲେଜ୍ ।”

ଗୋପାଳ ତ ସେ ଦିନ ଭାତ ଥାଳି ପାଖେ ବସିଲା ନାହିଁ । ରାତିରେ ଶେଯରେ ଶୋଇ ପାରିଲା ନାହିଁ ମଧ୍ୟ । ସନ୍ଧ୍ୟାବେଳୁ ସେ ଚଉକି ଉପରେ ବସି ବସି ଚିନ୍ତା କଲା । ତା’ର ଚିନ୍ତା ଭିତରେ ଗୋଟାଏ ଅତୀତ ଜୀର୍ଣ୍ଣ ଜଗତର ନିତାନ୍ତ ଅସ୍ପଷ୍ଟ ଛାୟା ଦେଖାଗଲା । କି ଦୀନହୀନ ବେଶ ସେହି ଜଗତର । ଗ୍ରାମ ଗହଳର କୋଳାହଳ ଭିତରେ ଗୋଟିକର ମୁହଁରେ ହେଲେ ହସ ନାହିଁ । ବିଲରେ ପାଣି, ଘରେ ପାଣି, ପ୍ରତି ଆଖିରେ ପାଣି । ବିଲ ପଡ଼ିଆର କୂଳଥଳ ମିଳୁ ନାହିଁ, ହୃଦୟରେ ଭାବନାର କୂଳଥଳ ମିଳୁନାହିଁ, ଏ ପ୍ରାଚୀନ ଜାତିଟା ଶକ୍ତିଶାଳୀ ବଂଶଧରଗଣ ଶକ୍ତି ହରାଇ କୁଆଡ଼େ ଭାସି ଯାଉଛନ୍ତି ତାହା କଳ୍ପନା କରି ହେଉନାହିଁ । ସବୁଆଡ଼େ ହାହାକାର, ସବୁଆଡ଼େ ଚିତ୍କାର । ସେହି ଭିତରେ ଗୋପାଳ ଦେଖି ପାରିଲା ତା’ର ସେହି ପୂର୍ବ ପରିଚିତ ସିଆଳି ଗାଁର ଚିତ୍ର । ସେ ଗାଁର ଲୋକ ଭାସି ଯାଇଛନ୍ତି, ଗାଆଁର ପୂର୍ବପଟ ସେହି ଭାଗବତ ଘରଟା ଆଉ ନାହିଁ । ଗ୍ରାମ ଦେବତୀ ବାଉତେଇଙ୍କ ମଣ୍ଡପର ପଥର ଖୁଣ୍ଟ କେବଳ ପାଣି ଉପରକୁ ଦେଖାଯାଉଛି । ଗାଆର ଯେଉଁ ଉଚ୍ଚ ମଶାଣି ଭୂଇଁ ଖଣ୍ଡକ ସମସ୍ତଙ୍କର ଆଶ୍ରୟସ୍ଥଳ, ସେଠାରେ ବଡ଼ ବରଗଛକୁ କିଏ ଆଶ୍ରୟ ଦେଇପାରି ନାହିଁ । ତା’ର ବୁକୁ ଦାଉଁ ଦାଉଁ ପଡ଼ିଲା ଉଠିଲା । କେବେ ତ ସେ ପକାଘରେ ବସି ସିଆଳି କଥା ଭାବି ନାହିଁ, ଏତେ ଦିନେ ସେହି ସ୍ମୃତି କାହିଁକି ଜାଗିଲା, ସେ ତତ୍ତ୍ୱ ସେ ଖୋଜିବାକୁ ଚେଷ୍ଟା କଲା ନାହିଁ । ସେ କେବଳ ଆଖି ଆଗରେ କେତେଗୁଡ଼ାଏ ବିଭଙ୍ଗ ଚିତ୍ର ଦେଖିଲା, ବେଳେ ବେଳେ ଚମକିଲା ପରି ଚଉକିରେ ସିଧା ହୋଇ ବସି ଗୋଟାଏ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା । କଇଁଫୁଲ ପରି ଧଳା ଶେଯଟାରେ ସେ ବହୁବାର ଏ ପାଖ ସେପାଖ କଡ଼ ଲେଉଟାଇଲା । ଆଖି ଫିଟାଇ ରଖି ଯାହା ଚିନ୍ତା କଲା ଆଖି ମୁଦି ରଖି ସେହି କଥା ମଧ୍ୟ ଭାବିଲା । ଗୋଟାଏ କ୍ଷୁଦ୍ର ପଲ୍ଲୀର ହତଭାଗାଙ୍କ ଚିତ୍କାର ତା’ର ପ୍ରାଣକୁ ବେଳେବେଳେ ଚମକାଇ ଦେଲା । ବରଫ ଶୁଭ୍ର କାନ୍ଥ ଦେହରେ ସେ ପ୍ରେତ ଛାୟା ଦେଖି ପାରିଲା । କିଏ କହିଲା, ଗୋପାଳ, ଗୋପାଳ, ଗୋପାଳ, କିଏ କହିଲା- ବାବୁରେ, କିଏ କହିଲା- ଧନରେ, କିଏ କହିଲା- ଗୋପାଳ ବାବୁ ! ଗୋପାଳ ଆଉ ଶୋଇବ କ’ଣ ?

ଦିନେ ସ୍ୱେଚ୍ଛାସେବକ ଦଳ ବନ୍ୟା ଅଞ୍ଚଳରେ କାମ କରିବା ପାଇଁ ଯେତେବେଳେ ବାହାରିଲେ, ଗୋପାଳ ମଧ୍ୟ ସେମାନଙ୍କ ସଙ୍ଗେ ବାହାରିଲା । ବାହାରିବା ଆଗରୁ ସ୍ୱେଚ୍ଛା-ସେବକମାନଙ୍କୁ ବହୁ ଆୟୋଜନ କରିବାକୁ ହେଲା । କେତେଦିନ ପାଇଁ ଲୁଗାପଟା ଓ ଖାଦ୍ୟ ପେୟର ବ୍ୟବସ୍ଥା ହେଲା । କଲେଜ ଭିତରୁ ଗାଁ ଭିତରକୁ ଯିବା ଅନ୍ୟ ସେଚ୍ଛାସେବକଙ୍କ ପକ୍ଷରେ ଯାହା ହେଉ ନା କାହିଁକି, ଗୋପାଳ ପକ୍ଷରେ ଗୋଟାଏ ନୂତନ କଥା । କଲେଜ୍‌ରୁ ଗାଆଁ ତ କମ୍ ତଫାତ୍ ନୁହେଁ । କେତେଦିନ ରହିବାକୁ ହେବ କିଏ ଜାଣେ ? ସେଥିପାଇଁ ଦଶ ପାଞ୍ଚ ଖଣ୍ଡ ଅଧିକା ଲୁଗା ନ ହେଲେ ନ ଚଳେ । ଯେଉଁଠାରେ ଲୋକେ ଖାଇବାକୁ ପାଉ ନାହାନ୍ତି ସେଠାରେ ପ୍ରତିଦିନ ଜଳଖିଆ ବା ମିଳିବ କୁଆଡୁ । ତେଣୁ ଇସ୍ତିରୀଦିଆ ଲୁଗାଗୋଛା ସହିତ କମଳା, ଅଙ୍ଗୁର, ଖଜରା, ଚିନି, ଅଟା, ଷ୍ଟୋଭ ପର୍ଯ୍ୟନ୍ତ ବ୍ୟବସ୍ଥା ଗୋପାଳ ଅନ୍ୟମନସ୍କ ଭାବରେ କରି ପକାଇଲା । ବନ୍ୟା ସ୍ରୋତ ପଛେ ପଛେ ସ୍ୱେଚ୍ଛାସେବକ ସ୍ରୋତ ଗାଁ ଗହିଳକୁ ଚାଲିଲେ ।

ଦିଗନ୍ତ ବିସ୍ତୃତ ବିଲ ପଡ଼ିଆ- ସେ ଭିତରେ ମଫସଲର ଚିହ୍ନ ସୁଦ୍ଧା ନାହିଁ । ବନ୍ୟାର କରାଳ ଜିହ୍ୱା ସବୁ ଶେଷ କରି ଦେଇଛି । ଦୂରରୁ ଦେଖିଲେ ଠାଏ ଠାଏ ଗଛ ଗହଳରେ କେତେଟା ଘର ଦେଖାଯାଉଛି, ତାହାରି ଭିତରେ ହତଭାଗ୍ୟ ଚାଷୀଭାଇଙ୍କର ସଂସାର । ସେ ଭିତରକୁ ଯିବାକୁ ହେଲେ କାଦୁଅ, ପାଣି, କଣ୍ଟା, ଖୁଞ୍ଚା, ଅମଡ଼ା ରାସ୍ତା- ସବୁ ଭେଟିବାକୁ ପଡ଼ିବ । ସେ ଭିତରର ଜୀବଙ୍କ ସେବା କରିବାକୁ ହେଲେ ନିଜକୁ ମଶା, ମେଲେରିଆ, ଜ୍ୱର, ମହାମାରୀ, ବସନ୍ତର ସମ୍ମୁଖୀନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ । କଟକ- ବ୍ରହ୍ମପୁରର ରାଜରାସ୍ତା ସେଠାରେ ନାହିଁ କି ପୁରୀର ବଡ଼ଦାଣ୍ଡ ସେଠାରେ ନାହିଁ । ତେଣୁ କଟକ କୋଠରୀଠାରୁ ଯେ ଏହା ବହୁତ ଦୂରରେ ତାହା ଗୋପାଳ ବୁଝିବାକୁ ବାକି ରହିଲା ନାହିଁ ।

କଟକ ଛାଡ଼ିଗଲାବେଳେ ଗୋପାଳର ମନ ଯେପରି ଥିଲା ବନ୍ୟା ଅଞ୍ଚଳର ମାଧପୁର କେନ୍ଦ୍ରକୁ ଆସିଲାବେଳକୁ ତହିଁର ଘୋର ପରିବର୍ତ୍ତନ ଘଟିଯାଇଛି । ତିନିଦିନର ରାସ୍ତା, ତାକୁ ଲାଗିଛି ଠିକ୍ ତିନିବର୍ଷ ପରି । ଚାଲି ଆସିବାରେ ତା’ର ଚାରିଟା ଇସ୍ତିରୀ ଦିଆ ଧୋତି କାଦୁଅ ଛିଡ଼ିକି ନଷ୍ଟ ହୋଇଯାଇଛି । ସାଙ୍ଗରେ ବୋହିଥିବା ସୁରେଇର ଛଣା ପାଣି ସରିଯିବା ଫଳରେ ବାଟରେ ଭଲ ପାଣି ଟୋପାଏ ପିଇବାକୁ ମିଳିନାହିଁ । ଯୋତା ଲଗାଇବାର ଆଦୌ ସୁବିଧା ଘଟି ନାହିଁ । ତେଣୁ ଅନଭ୍ୟସ୍ତ ଗୋଡ଼ରେ ଦୁଇଟା କଣ୍ଟା ଗଳିଛି ଓ ଗୋଟାଏ ଗେଣ୍ଡା କାଟିଛି । ଆଣିଥିବା ଜଳଖିଆ ଅଧାରୁ ବେଶୀ ଶେଷ ପାଇଛି । ଏପରି କ୍ଷେତ୍ରରେ ତା’ର ମନ ଖୁବ୍ ବିଗିଡ଼ି ଯାଇଛି ।

ଚାଉଳଦିଆ କେନ୍ଦ୍ର-କେବଳ ସେଠାରେ ଜନସମୁଦ୍ର । ଦରିଦ୍ର, ନିଃସହାୟ ପଲ୍ଲୀବାସୀ ପ୍ରାଣପ୍ରିୟ ପିଲା କୁଟୁମ୍ୱ ଧରି ମୁଠାଏ ମୁଠାଏ ଚାଉଳ ପାଇଁ ସେଠାରେ ଜମା ହୋଇଛନ୍ତି- ମୁଠାଏ ପାଇଲେ ପୁଅଠାରୁ ବାପ, ଭାଇଠାରୁ ଭାଇ ଭିଡ଼ି ଓଟାରି ଗିଳି ପକାଇବାରେ କୁଣ୍ଠାବୋଧ କରୁନାହାନ୍ତି । ସେଠାରେ ଗୋପାଳର କର୍ତ୍ତବ୍ୟ । ସେ ଗୋଟାଏ ଦୀର୍ଘଶ୍ୱାସ ପକାଇଲା । ତା’ପରେ ଧୀରେ ଧୀରେ ରୁମାଲରେ ମୁହଁ ପୋଛି, ତା’ର ଇସ୍ତିରୀଦିଆ ଲୁଗା କାହା ଦେହକୁ ନ ଲାଗିଲା ପରି ବଡ଼ ସାବଧାନରେ ଠିଆ ହେଲା । କିନ୍ତୁ ଚାରିଆଡ଼େ ତ କଙ୍କାଳ, ଚାରିଆଡ଼େ ତ ଦରିଦ୍ର, ସେ କାହାକୁ କରଛାଡ଼ ହୋଇ ରହିବ । ଦିନେ ଦୁଇଦିନ ଗଲା, ସେ ମୁଠି ଚାଉଳ ଦେବାରେ ଅଭ୍ୟସ୍ତ ହେଲେ ମଧ୍ୟ ଲୋକଙ୍କ ବ୍ୟବହାରରେ ନିତାନ୍ତ ଉତ୍ତ୍ୟକ୍ତ ହୋଇ ଉଠିଲା । କିଏ ପାଖକୁ ମାଡ଼ିଆସୁଛି, କିଏ ଉପରେ ପଡୁଛି । କିଏ କୁଞ୍ଚ କାନିଧରି ଭିଡୁଛି, କିଏ ହାତ ଧରି ଟାଣୁଛି । ପ୍ରତି ମୁହୂର୍ତ୍ତରେ ତାକୁ ବ୍ୟତିବ୍ୟସ୍ତ ହେବାକୁ ପଡୁଛି । ମନ ନିତାନ୍ତ ତିକ୍ତ ହୋଇ ଉଠୁଛି । କେଡ଼େ ବୋକା ଲୋକଗୁଡ଼ାକ । ଭଦ୍ରାମି ଜାଣନ୍ତି ନାହିଁ । ଖାଇବାକୁ ନାହିଁ ବୋଲି ଭଦ୍ରଲୋକର ଲୁଗା ଭିଡ଼ିବେ ! ଛି !

ଖାଲି ଯେ ଗୋପାଳ ଏ କଥା ମନରେ ଭାବିଲା ତା’ ନୁହେଁ, କାର୍ଯ୍ୟରେ ମଧ୍ୟ ଦେଖାଇ ଦେଲା । ବିରକ୍ତ ହେଲା, ନାକ ଟେକିଲା, ହାତ ଛିଞ୍ଚାଡ଼ିଲା, ଫୋପାଡ଼ିଲା ପରି ଚାଉଳ ଦେଲା । ଦରିଦ୍ର ପଲ୍ଲୀବାସୀ ତଥାପି ଶିଖି ପାରିଲେ ନାହିଁ- ଏଇ ହେଉଛି ଗୋପାଳ ମନରେ କଷ୍ଟ ।

ଗୋପାଳଠାରୁ ସମସ୍ତେ ଚାଉଳ ନିଅନ୍ତି, କିନ୍ତୁ ଗୋପାଳ ଦେଖେ, ଅର୍ଗଳି ପାଖେ ଗୋଟିଏ ବୁଢ଼ା କେବଳ ଠିଆ ହୋଇ ଫେରିଯାଏ । ସେ ପାଖକୁ ଆସି ମାଗେ ନାହିଁ କି ମାଗିବା ପାଇଁ କାହାକୁ କହେ ନାହିଁ । ଗୋପାଳ ତାକୁ ଦେବ ବୋଲି ବିଚାରେ, ମାତ୍ର ଗହଳି ପାରି ହୋଇ ଯାଇ ଦେଇ ପାରେ ନାହିଁ । ଦିନେ, ଦୁଇ ଦିନ, ଚାରି ଦିନ ଗଲା, ବୃଦ୍ଧର ସେହି କରୁଣ ଦୃଷ୍ଟି ଗୋପାଳ ଭୁଲି ପାରିଲା ନାହିଁ । କେବଳ ପରିଚିତ ମୁହଁ ପରି ତାକୁ ଜଣାପଡ଼ିଲା । ଦିନେ ଆଗରୁ ଲୋକେ ଆଡ଼େ ଆଡ଼େଇ ସେ ଯାଇ ବୃଦ୍ଧ ପାଖେ ପହଞ୍ଚିଲା । ପଚାରିଲା-

ନେଲଣି ?
ବୃଦ୍ଧ ମୁଣ୍ଡ ହଲାଇ କହିଲା- ହଁ !
ତେବେ ଠିଆ ହୋଇଛ ?

ବୃଦ୍ଧ ତା’ର ଶୁଖିଲା ଧଳା ଛେପ ଲାଗିଥିବା ଓଠକୁ ଶୁଖିଲା ଜିଭରେ ଚାଟି ଥରେ ଦି’ଥର ପାଟି ବୁଲାଇଲା । ତା’ପରେ ଗୋପାଳ ମୁହଁକୁ ଥୁ ଥୁ କରି ଦୁଇ ଲେଣ୍ଡା ଛେପ ପକାଇ ଆଖି ତରାଟି ଚାହିଁ ରହିଲା ।

ଖୁବ୍ ଚହଳ ତ ପଡ଼ିଗଲା, ଗୋପାଳର ମୁହଁ କଳା ପଡ଼ିଗଲା । ସମସ୍ତେ କହିଲେ- “ସିଆଳିର ସାନ୍ତରା କଲେ କ’ଣ ?” ଗୋପାଳ ସେ ରାତି ରାତି ରାଗ, ଅପମାନ, ବିରକ୍ତିରେ କଟକ କୋଠରୀ ଅଭିମୁଖେ ଯାତ୍ରା କଲା । ତା’ର ଚାରିଦିନ ପରେ କଟକରେ ଉତ୍କଳମଣି ସାଧାରଣ ସଭାରେ କାନ୍ଦି କାନ୍ଦି ହାତ ପସାରି ମାଗିଲେ, କାହାର ଛିଣ୍ଡା ଲୁଗା ଅଛି, ତାହା ମଧ୍ୟ ଦେଲେ ଦରିଦ୍ରର ସେବାରେ ଲାଗିବ ।

ଦରିଦ୍ରର ସେବା ! ଛିଣ୍ଡା ଲୁଗା ! ଗଭୀର ବିରକ୍ତିରେ ମୁଣ୍ଡ ପୋତି ବସି ରହି କଲେଜ ଘରେ ଗୋପାଳ ପୁଣି ଚମକିଲା । ନିଜର ଲୁଗାକୁ ଚାହିଁଲା- ଦେଖିଲା ଖଣ୍ଡିଏ ସୁଦ୍ଧା ଛିଣ୍ଡା ନାହିଁ, ଖଣ୍ଡିଏ ସୁଦ୍ଧା ଚିରା ନାହିଁ । ପୁଣି ମୁଣ୍ଡ ପୋତିଲା, ପୁଣି ଟେକିଲା । ଯେ ଭଦ୍ରାମି ଜାଣେ ନାହିଁ, ତା’ର ପୁଣି ସେବା କରିବାକୁ ହେବ ? – ଗୋପାଳ ଏଥର ତତ୍ତ୍ୱ ଖୋଜି ପାଇଲା ନାହିଁ । ଛିଣ୍ଡା ଲୁଗା ! ପୁରୁଣା ଲୁଗା ! କାହାପାଇଁ ? ଗୋପାଳ ମୁଣ୍ଡ ଟେକି ନିଜର ଲୁଗାକୁ ପୁଣି ଚାହିଁଲା- ସଫା ଆଖି ମେଲା କରି ଦେଖିଲା- ସେହି ଲୁଗାରେ ସେହି ଅର୍ଗଳି ପାଖ ବୃଦ୍ଧର ଛବି । ଆଖି ମଳିଲା, ରୁମାଲ୍‌ରେ ଆଖି ପୋଛିଲା । ରୁମାଲକୁ ଚାହିଁ ଦେଖିଲା, ସେଥିରେ ଛେପ ଲାଗି ନାହିଁ । ତଥାପି ସେହି ବୃଦ୍ଧ ଆଖି ଆଗରେ । ବୃଦ୍ଧ-ବାସ୍ତବିକ ବୃଦ୍ଧ ! କେବଳ ହାଡ଼ ଉପରେ ଚମ ଛାଉଁଣି ହୋଇଛି । ବିରାଟ ବପୁର କଙ୍କାଳ ସେ । ସେ କାନ୍ଦୁ ନାହିଁ, ସେ ହସୁ ନାହିଁ । ଉଲଗ୍ନ ବେଶରେ ଲୁଗାର ପ୍ରତି ସୂତା ଦେହରେ ସେ ଜଡ଼ିତ ହୋଇ ରହିଛି । ଉତ୍କଳମଣିଙ୍କର ଏହି କି ସେହି ଦରିଦ୍ର ?? ଏହାରି ସେବାପାଇଁ ଛିଣ୍ଡା ଲୁଗା ?? ଗୋପାଳ ମୁହଁ ପୋଛି ଠିଆ ହେଲା । ଦୁଆର ମୁହଁରେ ଶବ୍ଦ ହେଲା- “ଦିଅ, ଲୁଗା ଦିଅ ! ଲୁଗା ଦିଅ !” ସ୍ୱେଚ୍ଛାସେବକଙ୍କ ମୁହଁକୁ ଚାହିଁ ଗୋପାଳ ପ୍ରଥମେ କିଛି କହି ପାରିଲା ନାହିଁ । ଜଣେ କହିଲା- “ସେଟା ଦିଅ”, ଜଣେ କହିଲା- “ଏଟା ଦିଅ !” ଗୋପାଳ ମନା କଲା ନାହିଁ । ହାତରେ ଭିଡ଼ିଆଣି ବଢ଼ାଇ ଦେଲା । ସତେ ଯେପରି ସେହି ସ୍ୱେଚ୍ଛାସେବକଙ୍କ ଭିତରେ ସେହି ବୃଦ୍ଧଙ୍କୁ ସେ ଦେଖିପାରିଲା । ଖଣ୍ଡକୁ ଖଣ୍ଡ ଲୁଗା, କାମିଜ ଦେଉ ଦେଉ ପଚାରି ପକାଇଲା- “କ’ଣ ବୁଢ଼ା ପାଇଁ ?” ସମସ୍ତେ ହସି ଉଠି କହିଲେ- “ନା, ପିଲା, ବୁଢ଼ା, ବୁଢ଼ୀ, ଯୁବକ, ଯୁବତୀ ସମସ୍ତଙ୍କ ପାଇଁ ।” ଗୋପାଳ ମୁହଁ ପୋତି ପୁଣି ମୁହଁ ପୋଛିଲା ।

ଏହି ଘଟଣାର ମାସକ ପରେ ଗୋପାଳ ଯେତେବେଳେ ଆଖି ଛଳଛଳ କରି, ଆଣ୍ଠୁଡ଼ିଆଁ ଲୁଗା ଖଣ୍ଡିଏ ପିନ୍ଧି ମାଧପୁର କେନ୍ଦ୍ରର ସେହି ଅର୍ଗଳି ପାଖେ ଠିଆ ହେଇ ଚାଉଳ ଦେଉଥିଲା, ସିଆଳି ଗାଁର ବୃଦ୍ଧ ସାନ୍ତରା ବାଡ଼ି ଭରା ଦେଇ ଗୋପାଳର ହାତ ଧରି କହି ପକାଇଲେ-

“ବାବୁ, ଉତ୍କଳମଣିଙ୍କ ସାଥିରେ ଏବେ ତୁ ଗାଁକୁ ଫେରି ଆସିଲୁ ?”

ଗୋପାଳର ମୁହଁ ହସରେ ଫାଟି ପଡ଼ିଲା । କହିଲା- “ହଁ, ଫେରି ଆସିଲି ତମରି ଯୋଗୁଁ । ତମର ଛେପ ମୋ ଆଖିରେ ଲୁହ ପାଲଟିଗଲା । ଏବେ ବୁଝିଛି, ସେହି ଛେପ ଦରିଦ୍ର ପ୍ରାଣର ପ୍ରତିବାଦ !”

ଲୋକପ୍ରିୟ ଲେଖା

To Top