ଗଳ୍ପ

ବିଲେଇ ଓ ବିମ୍ୱାଧର

Gaurahari Das's Odia Story BILEI O BIMBAADHARA

ଜୀବନଟାକୁ ନିଜ ସର୍ତ୍ତରେ ଜୀଇଁବାକୁ ପଡ଼େ । ସବୁବେଳେ ସାଲିସ୍ କରି ବଞ୍ଚୁଥିବା ମଣିଷମାନେ, ପ୍ରକୃତ ପକ୍ଷେ ମଣିଷ ନୁହଁନ୍ତି, ମଣିଷ ଚେହେରାରେ ସେମାନେ ଗୋଟେ ଗୋଟେ ଅମେରୁଦଣ୍ଡୀ ପ୍ରାଣୀ ।

ବିଲେଇ ଓ ବିମ୍ୱାଧର

ବିମ୍ୱାଧରଙ୍କ ନିଦ ଭାଙ୍ଗିଗଲା । ତାଙ୍କୁ ଲାଗିଲା ସେଇ କସରା ବିଲେଇଟା ତାଙ୍କ କାନକୁ କାମୁଡ଼ିବାକୁ ଆସୁଛି । ସେ ଉଠି ପଡ଼ି ଦେଖିଲେ ପାଖରେ ପତ୍ନୀ ମାଳତୀ ଶୋଇଛନ୍ତି । କଡ଼ ଲେଉଟେଇବାବେଳେ ତାଙ୍କରି ଲୁଗାକାନି ତାଙ୍କ ମୁହଁରେ ବାଜିଛି । କିନ୍ତୁ ମ୍ୟାଉଁ ମ୍ୟାଉଁ ଶବ୍ଦଟା ଆସୁଛି କେଉଁଠୁ ? ସେ ଭାବିଥିଲେ ତାଙ୍କୁ ଖୋଜି ଖୋଜି ସେଇ ବିଲେଇଟା ଖଟ ପାଖରେ ବୋଧହୁଏ ପହଞ୍ଚିଯାଇଛି । ମଶାରି ଭିତରେ ପଶି, ସିଏ ତାଙ୍କ କାନ ପାଖରେ ମ୍ୟାଉଁ ମ୍ୟାଉଁ ରଡ଼ି ଛାଡୁଛି । ଆଉ ଟିକିଏ ଡେରି କଲେ, ସିଏ ତାଙ୍କ ଗଳାକୁ ଆମ୍ପୁଡ଼ି ପକେଇଥାନ୍ତା ଓ କାନକୁ କାମୁଡ଼ି ଥାଆନ୍ତା । ତା’ର ଆଖିଯୋଡ଼ିକ ଅନ୍ଧାର ଭିତରେ ରଡ଼ ନିଆଁ ପରି ବିମ୍ୱାଧରଙ୍କୁ ଦିଶୁଥିଲା । ପୁଣି ଚାହାଁଣିରେ ସେ ଯେ କି ତୀବ୍ରତା !

ବିମ୍ୱାଧର ଡରିଯାଇଥିଲେ । ସେ ସନ୍ତର୍ପଣରେ ଉଠିଯାଇ ମଥା ଉପର ଟୁଲ୍ ଉପରେ ଥିବା ପାଣିବୋତଲରୁ ଚଳାଏ ପାଣି ଛୋଟ ଗିଲାସଟିରେ ଢାଳିଲେ । ବୁଢ଼ାଟିଏ ହେଲେଣି, ସିଧାସିଧା ବୋତଲରୁ ପାଣି ପିଇ ପାରନ୍ତି ନାହିଁ । କେତେଥର ଚେଷ୍ଟା କରିଛନ୍ତି, କିନ୍ତୁ ବିଫଳ ହୋଇଛନ୍ତି । ଓଲଟି ବୋତଲରୁ ପାଣି ନିଗିଡ଼ି ବ୍ୟାନିୟନ୍ କି ଜାମା ଓଦା ହୋଇଛି । ଢକ ଢକ କରି ସେ ପାଣି ପିଇଲେ । ଅନ୍ଧାର ଭିତରେ ଅନୁମାନ କରି ଗିଲାସଟା ଟୁଲ୍ ଉପରେ ଥୋଇବାବେଳକୁ ସେଇଟା ଚଟାଣରେ ପଡ଼ି ବିକଟ ଶବ୍ଦ କଲା ।

ଯେଉଁଥି ପାଇଁ ଡର ଥିଲା, ସେଇଆ ହେଲା । ମାଳତୀଙ୍କର ନିଦ ଭାଙ୍ଗିଗଲା । ସେ ହାଉଳି ଖାଇଲା ପରି ଉଠି ପଡ଼ି ପଚାରିଲେ, “ରୋଷେଇଘର କବାଟ ଦେଇଥିଲ ତ ? କ’ଣ ପଡ଼ିଲା ?”

: “ବିଲେଇ ! ସେଇ ବିଲେଟା ଆସିଥିଲା”- ଗୁଣୁଗୁଣେଇଲା ପରି ବିମ୍ୱାଧର କହିଲେ । ଏହା ଭିତରେ ମାଳତୀ ଉଠି ପଡ଼ି ଘରର ଆଲୁଅଟା ଜଳେଇ ସାରିଥିଲେ ।

ଥରେ ଦି’ଥର ଚାରିଆଡ଼କୁ ଚାହିଁ ମାଳତୀ ଚିଡ଼ିଗଲା ସ୍ୱରରେ କହିଲେ, “କାହିଁକି ସାତଦିନ ହେଲା ବିଲେଇ, ବିଲେଇ ହେଉଛ । ବିଲେଇ ଏଠି କାହିଁ ?” ତା’ପରେ ସ୍ୱଗତୋକ୍ତି କଲାପରି କହିଲେ, “ମଣିଷକୁ ଟିକିଏ ଶାନ୍ତିରେ ଶୁଆଇ ଦେବେ ନାହିଁ । ସକାଳୁ ସଞ୍ଜ ମୁଁ ଖଟି ଖଟି ମରୁଛି । ଲୋକଟେ ପାଇଁ କହି କହି ଥକିଗଲି । ହୁଁ, ଏହାଙ୍କ ଦେଇ କୋଉଦିନ ଖଡ଼ା ସିଝିଥିଲା । ଏବେ ବିଲେଇଟା ପାଇଁ ପ୍ରେମ ଉଛୁଳି ପଡୁଛି ।”

ମାଳତୀ ଲାଇଟ୍‌ଟା ବନ୍ଦ କରିଦେଇ ଶୋଇବାକୁ ଗଲେ । ସେତେବେଳେ ତାଙ୍କର ଚିଡ଼ିଚିଡ଼ା ମୁହଁଟା ବିମ୍ୱାଧରଙ୍କୁ ସେଇ କସରା ମାଆ ବିଲେଇର ମୁହଁ ପରି ଦିଶୁଥିଲା ।

ବିମ୍ୱାଧର ବି ଆଖି ବୁଜି ଶୋଇବାକୁ ଚେଷ୍ଟା କଲେ । ସାତଦିନ ହେଲା ତାଙ୍କୁ ସେ ବିଲେଇଟା ପିଛା କରୁଛି । ଘରୁ ଅଫିସ୍, ଅଫିସ୍‌ରୁ ବଜାର, ବଜାରରୁ ପୁଣି ଘର – ସେ ଯୁଆଡ଼କୁ ଯାଉଛନ୍ତି, ସିଆଡ଼େ ତାଙ୍କ କାନ ପାଖରେ ସେଇ ବିରାଡ଼ିର “ମ୍ୟାଉଁ ମ୍ୟାଉଁ” ଶବ୍ଦ ଶୁଭୁଛି । ସେ ଶବ୍ଦର କି ବିକଳ ଆବେଦନ । ତହିଁରେ ତାଙ୍କର ଛାତି ଭିତରଟା ଦୁହିଁ ହୋଇଯାଏ । କିଛି ସମୟ ପାଇଁ ସେ କାନ ଦିଇଟା ନିଜ ହାତରେ ବନ୍ଦ କରିଦିଅନ୍ତି । ଶବ୍ଦଟା ଦୂରେଇ ଯାଏ । ମାତ୍ର କାନ ପାଖରୁ ହାତ କାଢ଼ି ଆଣିଲା କ୍ଷଣି ପୁଣି ସେହି ମ୍ୟାଉଁ ମ୍ୟାଉଁ ଶବ୍ଦ ଶୁଭେ । ବିରାଡ଼ିଟିର ସେହି ବିକଳ ଚିତ୍କାରରେ ମିଶିକି ଥାଏ ପ୍ରଚୁର କ୍ରୋଧ ଆଉ ଆକ୍ରୋଶ ।

ନା, ନିଦ ଆସୁନାହିଁ । ବିମ୍ୱାଧର ଧୀରେ ଧୀରେ ଖଟ ଉପରୁ ଓହ୍ଲେଇ କବାଟ ଖୋଲିଲେ ଓ ଶିଡ଼ି ନିକଟକୁ ଯାଇ ତା’ ତଳକୁ ଅନେଇଲେ । ଏଇ ଶିଡ଼ି ତଳେ ସେ ବିଲେଇଟିକୁ ସକାଳେ ଦେଖିଥିଲେ ବିମ୍ୱାଧର । ସେଇଟି ପୁଣି ଫେରିଆସିନାହିଁ ତ ? ଟିକି ଟର୍ଚ୍ଚଟା ଜଳେଇ ଚାରିଆଡ଼ ଖୋଜି ହେଲେ । କାହିଁ, ବିଲେଇଟା ତ ନାହିଁ ।

ବିମ୍ୱାଧର ଆଉ ତିନିଟା ବର୍ଷ ପରେ ସରକାରୀ ଚାକିରୀରୁ ଅବସର ନେବେ । ତିରିଶ ବର୍ଷ ହେଇଗଲା, କ୍ୱାର୍ଟର୍ ଖଣ୍ଡେ ଯୋଗାଡ଼ କରିପାରିଲେ ନାହିଁ । ସାତବର୍ଷ ତଳେ ବିଧାୟକ କାଙ୍ଗାଳି ମହାନ୍ତିଙ୍କ ଅନୁକମ୍ପାରୁ ଖଣ୍ଡେ କ୍ୱାର୍ଟର ଯୋଗାଡ଼ ହୋଇଥିଲା । ମାତ୍ର ତା’ ଚେହେରା ଦେଖି ମାଳତୀ ଏମିତି ମୁହଁ ମୋଡ଼ି ଦେଇଥିଲେ ଯେ ତା’ପରଠାରୁ ସେ ଆଉ ସେହି କଥା ଉଠେଇ ପାରିନାହାନ୍ତି । ମୁଣ୍ଡ ଉପରେ ନିଜର ଛାତଟିଏ ଦରକାର – ଛବିଶ ସତେଇଶି ବର୍ଷ ହେଲା ଏହି କଥାଟିକୁ ସେ ମନ ତଳେ ଚାପି ରଖି ଆସିଥିଲେ । ମାତ୍ର ଏ ବିଲେଇଟି ସେଇକଥାକୁ ଉଖାରି ଦେଇଛି । ସାତଟା ଦିନ ହେଇଗଲାଣି, ସେଇ କଥାଟା ତାଙ୍କୁ ଶାନ୍ତିରେ ରହିବାକୁ ଦେଉନାହିଁ ।

ବିମ୍ୱାଧରଙ୍କର ଏଇଟା ବି ଭଡ଼ାଘର । ଘର ମାଲିକ ଉପର ମହଲାରେ ରହନ୍ତି । ବିମ୍ୱାଧରଙ୍କ ପରିବାର ରହନ୍ତି ତଳେ । ତଳ ମହଲାରେ ରହିବା ଯୋଗୁଁ ତାଙ୍କୁ ସକାଳେ ଗେଟ୍ ଖୋଲିବାକୁ ହୁଏ ଏବଂ ରାତିରେ ତାଲା ପକେଇବାକୁ ହୁଏ । ପାଣି ଉଠେଇବା ମୋଟର ପମ୍ପର ସ୍ୱିଚ୍ ଶିଡ଼ି ତଳେ ଥିବାରୁ ସେ କାମଟି ତାଙ୍କୁ କରିବାକୁ ପଡ଼େ । ଡାକବାଲା, ଗ୍ୟାସ୍ ସିଲିଣ୍ଡର ଗାଡ଼ି, ଚାନ୍ଦା ମାଗି ଆସୁଥିବା ଟୋକା ଏବଂ ଭିକାରିମାନଙ୍କ କଥା ମଧ୍ୟ ବୁଝିବାକୁ ପଡ଼େ । ଏସବୁ ଜଞ୍ଜାଳ ସତ୍ତ୍ୱେ ଏ ଘର ମାଲିକଟି ଭଲ, ଯଦିଓ ମାଲିକାଣୀ ଟିକିଏ କଡ଼ା ଓ ହିସାବୀ । ଆଗରୁ ବିମ୍ୱାଧର ତିନି ତିନିଥର ଘର ବଦଳେଇଛନ୍ତି । ସେ ଅଭିଜ୍ଞତାଗୁଡ଼ିକ ଏ ଘରର ଅଭିଜ୍ଞତାଠାରୁ ଅନେକ ତିକ୍ତ ।

ପୁଣି ଶୁଭିଲା ସେଇ “ମ୍ୟାଉଁ ମ୍ୟାଉଁ” ଶବ୍ଦ । ନିଶ୍ଚୟ ବିଲେଇଟା ତା’ର ଛୁଆ ତିନିଟାଙ୍କୁ ଆସି ଖୋଜୁଛି । ମାଆ ସିଏ, କେମିତି ଛୁଆଙ୍କୁ ଛାଡ଼ି ରହିବ ! ପଶୁ ହେଲା ବୋଲି କ’ଣ ତା’ ମନରେ ମମତା ନାହିଁ ! ଏଇ କଥାଟି ସେଦିନ ସେ କହିବାକୁ ଚାହିଁଥିଲେ । ମାତ୍ର ଘର ମାଲିକାଣୀଙ୍କ ଚେହେରା ଦେଖି କହିପାରି ନଥିଲେ । ଏବଂ ମନେ ପଡ଼ିଥିଲା ଏଠିକି ଆସିବା ଆଗରୁ ସେମାନେ ରହିଥିବା ଘରଗୁଡ଼ାକ ଭିତରୁ ଚାରିନମ୍ୱର ୟୁନିଟ୍‌ର ଘର ମାଲିକ ଚିତ୍ତବାବୁ ଓ ଲକ୍ଷ୍ମୀସାଗର ଘରମାଲିକ ବ୍ରଜ ରାଉଳଙ୍କ ବ୍ୟବହାର । ଚାରିନମ୍ୱରରେ ସେମାନେ ଥିବାବେଳ କଥା । ବଡ଼ପୁଅ ନରେନ୍ଦ୍ର କଳାକାର ଥିଏଟର୍ ଗ୍ରୁପ୍‌ରେ  ମିଶିଥିଲା । ସକାଳୁ ବାହାରି କୁଆଡ଼େ ଚାଲିଯାଏ ଯେ ରାତିରେ ଫେରୁ ଫେରୁ ସବୁଦିନ ଡେରିହୁଏ । ଦିନେ ଚିତ୍ତବାବୁ ବିମ୍ୱାଧରଙ୍କୁ ଡାକି କହିଲେ, “କ୍ଷମା କରିବେ ବିମ୍ୱାଧରବାବୁ, ନାଟୁଆ ହାଟୁଆଙ୍କୁ ମୁଁ ଘର ଦେଇପାରିବି ନାହିଁ । ଆପଣ ଅନ୍ୟ ବ୍ୟବସ୍ଥା କରନ୍ତୁ ।” ସେଦିନ ସେ ରାଗିଯାଇ ଏଇକଥା ପୁଅକୁ ପଚାରିବାକୁ ଯାଇଥିଲେ । ଦେଖିଲେ, ପୁଅ ତା’ ରୁମ୍‌ରେ, ଗୋଟେ ଆଇନା ସାମ୍ନାରେ ଠିଆ ହୋଇ ଡାଇଲଗ୍ ଘୋଷୁଥିଲା- “ଜୀବନଟାକୁ ନିଜ ସର୍ତ୍ତରେ ଜୀଇଁବାକୁ ପଡ଼େ । ସବୁବେଳେ ସାଲିସ୍ କରି ବଞ୍ଚୁଥିବା ମଣିଷମାନେ, ପ୍ରକୃତ ପକ୍ଷେ ମଣିଷ ନୁହଁନ୍ତି, ମଣିଷ ଚେହେରାରେ ସେମାନେ ଗୋଟେ ଗୋଟେ ଅମେରୁଦଣ୍ଡୀ ପ୍ରାଣୀ ।” ବିମ୍ୱାଧର ପୁଅକୁ ଆଉ କିଛି କହିପାରିଲେ ନାହିଁ । ଫେରିଆସିଲେ । ରାତିରେ ମାଳତୀଙ୍କୁ ଘରମାଲିକର କଥା କହିଲେ । ମାଳତୀ ସହାନୁଭୂତି ଜଣାଇବା ବଦଳରେ ଖିଙ୍କାରି ଉଠିଥିଲେ, “ଏବେ ମନ ବୁଝିଲା ତ ! ଏକା ଅଫିସ୍‌ର କିରାଣୀ ଲକ୍ଷ୍ମଣ ମହାନ୍ତି ଦି’ ଦିଇଟା କୋଠା ତୋଳିସାରିଲାଣି । ଆଉ ତୁମେ ? ଛାଡ଼, ମୋଅରି କପାଳ । ହୀନମାନିଆ କପାଳରେ ସୁଖ କାହୁଁ ଆସିବ । ବାପ ସଞ୍ଜ ବୁଡ଼େ ରବୀନ୍ଦ୍ର ମଣ୍ଡପ ଯାଇ ନାଚଗୀତ ଶୁଣୁଛି । ପୁଅ ଥିଏଟରରେ ମାତିଛି । ଝିଅ ବି କହିଲାଣି, ସେ ନାଚ ଶିଖିବ । କି ଅଭିଲା ନାଟୁଆ ବଉଁଶ ଇଏ କେଜାଣି ।” ତା’ପରେ ରହିଯାଇ ପରାମର୍ଶ ଦେଇଥିଲେ, “ଭଡ଼ା ଟଙ୍କା ବଢ଼େଇବା ଲାଗି ଏମିତି କହୁଥିବ ବା ! ବୁଝୁନା !”

ନା, ଚିତ୍ତବାବୁ ରାଜି ହେଲେ ନାହିଁ । ଭଡ଼ା ବଢ଼େଇବା ଲାଗି ପ୍ରସ୍ତାବ ସତ୍ତ୍ୱେ ସେ ରାଜି ହେଲେ ନାହିଁ । ନିଜର ଖଟ, ଆଲମାରି, ବହିପତ୍ର, ମାଳତୀଙ୍କର ହାଣ୍ଡି, କଡ଼େଇ, ଡେକ୍ଚି, ପିଲାଙ୍କର ଜାମାପଟା, ଝିଅର ଘୁଙ୍ଗୁର ଓ ପୁଅର ଡ୍ରାମାଖାତା ଧରି ବିମ୍ୱାଧର ଚାଲିଆସିଲେ ଚନ୍ଦ୍ରଶେଖରପୁରର ଏହି ଶ୍ରୀନିବାସ ମହାନ୍ତିଙ୍କ ତଳମହଲା ଘରକୁ । ଅଫିସ୍‌ଟା ଦୂର ହେଲା ସିନା, ଘରଟା କିନ୍ତୁ ବଡ଼ । ଢେର୍ ଦିନ ରହିଗଲେଣି ଏଇଠି ।

ପୁଣି ସେଇ ବିଲେଇର ମ୍ୟାଉଁ, ମ୍ୟାଉଁ ଶବ୍ଦ ଶୁଭିଲା । ବିମ୍ୱାଧର ଭାବିଲେ, ଏଇଠି କୋଉଠି ବିଲେଇଟା ନିଶ୍ଚୟ ବୁଲୁଛି ଓ ତା’ ଛୁଆମାନଙ୍କୁ ସେ ଖୋଜୁଛି । ଚାରିଆଡ଼ ବୁଲିବୁଲି ତାଙ୍କୁ ଆସି ପଚାରୁଛି, “କୁହ, ମୋ ପିଲା ତିନିଟା କୁଆଡ଼େ ଗଲେ । ମୁଁ ଯେ ସେମାନଙ୍କୁ ସାତଦିନ ହେଲା ଖୋଜୁଛି, ତମ ମନରେ ଟିକିଏ ଦୟା ଆସୁନାହିଁ । ନିଜ ଛୁଆ ହୋଇଥିଲେ ତୁମେ କ’ଣ ଏମିତି ନିଷ୍ଠୁରଙ୍କ ପରି ନିରବ ରହିପାରିଥାଆନ୍ତ ?”

ବିମ୍ୱାଧର ଚମକି ପଡ଼ିଲେ । ତାଙ୍କ ଛାତି ଭିତର କଲିଜାରେ କିଏ ଯେମିତି ମୁନିଆଁ କଣ୍ଟାଟିଏ କେଞ୍ଚି ଦେଲା । ଏଇମିତି ମରମଭେଦୀ କଥା ପଦକ ସେଦିନ କହିଥିଲେ ମାଳତୀ । ସେତେବେଳେ ପୁଅକୁ ପାଞ୍ଚବର୍ଷ ଓ ଝିଅକୁ ଦେଢ଼ବର୍ଷ । ସେମାନେ ଲକ୍ଷ୍ମୀସାଗରର ବ୍ରଜ ରାଉଳଙ୍କ ଘରେ ଭଡ଼ା ରହୁଥିଲେ ।

ପୁଅ ନରେନ୍ଦ୍ର ଖୁବ୍ ଦୁଷ୍ଟ ଥିଲା । ଅନେକ ରାତି ପର୍ଯ୍ୟନ୍ତ ସେ ଶୁଏ ନାହିଁ କି ବାପମାଆଙ୍କୁ ଶୋଇବା ପାଇଁ ଦିଏ ନାହିଁ । ଝିଅର ଅଭ୍ୟାସ କିନ୍ତୁ ଓଲଟା । ସେ ଦିନସାରା ଶୁଏ, ଠିକ୍ ବାପ-ମାଆ ଶୋଇବାକୁ ଲାଇଟ୍ ଲିଭେଇଲେ ତା’ର ନିଦ ଭାଙ୍ଗିଯାଏ । ଉଠିପଡ଼ି ମାଆକୁ କହେ, ସେ ଖେଳିବ । ରାତିଅଧରେ ସମୟେ ସମୟେ ତା’ କଥା ନ ରଖିଲେ ସେ ରାହା ଧରି କାନ୍ଦେ । ସେତେବେଳେ ତାକୁ ତୁନି କରିବା କଷ୍ଟକର ହୋଇପଡ଼େ । ଛୁଆଯୋଡ଼ିକଙ୍କ ଅଳି ସମ୍ଭାଳୁ ସମ୍ଭାଳୁ ମାଳତୀ ଥକି ଯାଆନ୍ତି । ଏମିତି ଗୋଟେ ରାତି ଶେଷ ସକାଳେ ଘର ମାଲିକ ବ୍ରଜ ରାଉଳ ବିମ୍ୱାଧରଙ୍କୁ ଚା’ ପିଇବାକୁ ତାଙ୍କର ଉପର ମହଲାକୁ ଡାକିଥିଲେ । ଚା’ କପେ ପିଆଇ ସାରି ସେ କହିଥିଲେ, “କିଛି ଭାବିବେ ନାହିଁ ବିମ୍ୱାଧରବାବୁ । ମାତ୍ର ମନୋରମା ବୁଝୁନାହାନ୍ତି । ଆପଣ ଆର ମାସରୁ ଆଉ ଗୋଟେ ଘର ଦେଖନ୍ତୁ ।”

ହଠାତ୍ ବ୍ରଜ ରାଉଳଙ୍କ କଥାର ଅର୍ଥ ବୁଝି ପାରିନଥିଲେ ବିମ୍ୱାଧର । ସିଏ ତ ମାସକୁ ମାସ ଘରଭଡ଼ା ଦେଉଥିଲେ । ପାଣି ଆଲୁଅ ଖର୍ଚ୍ଚରେ ସଂଯମ ଆଚରଣ କରୁଥିଲେ ତାଙ୍କ ପରିବାର । ରାତି ନଅଟା ଆଗରୁ ସମସ୍ତେ ଫେରିଆସି ଘରର ଫାଟକ ବନ୍ଦ କରୁଥିଲେ । ତାହାହେଲେ ସମସ୍ୟା ରହିଲା କେଉଁଠି ? ବ୍ରଜ ରାଉଳଙ୍କ ମତରେ ସମସ୍ୟା ଥିଲା, ବିମ୍ୱାଧରଙ୍କ ପିଲାମାନେ ଦିନରାତି ପାଟିତୁଣ୍ଡ କରୁଥିଲେ । ରାତିରେ ତାଙ୍କ ଝିଅ ଉଠି ପଡ଼ି କାନ୍ଦୁଥିଲା । ଏଥିରେ ମନୋରମାଙ୍କ ନିଦ ଭାଙ୍ଗିଯାଉଥିଲା ।

ସେଦିନ ମିନିଟ୍ରକ୍‌ରେ ନିଜର ଜିନିଷପତ୍ର ଲଦୁଥିବାବେଳେ ମାଳତୀ ମୁହଁ ଛିଞ୍ଚାଡ଼ି କହିଥିଲେ, “ବାଞ୍ଝ କି ଜାଣେ ବିଆଣ କଷ୍ଟ ! ନିଜର ପିଲାପିଲି ନାହାନ୍ତି ବୋଲି ପର ପିଲାଙ୍କ ହସ ଖେଳ ୟା’ଙ୍କୁ ଗନ୍ଧଉଛି !”

ସେତିକିବେଳେ ରହସ୍ୟଟି ବୁଝିଥିଲେ ବିମ୍ୱାଧର । ନିଃସନ୍ତାନ ରାଉଳ ଦମ୍ପତି, ବିମ୍ୱାଧରଙ୍କ ପୁଅଝିଅଙ୍କ ଖେଳକୁଦକୁ ସହଜରେ ଗ୍ରହଣ କରି ନେଇ ପାରୁନଥିଲେ । ସେ ଆଉ ବେଶି କିଛି ନ କହି ଚାଲିଆସିଥିଲେ ସେଠୁ ।

ସେଦିନ ରାତିରେ ମାଳତୀ କହିଥିଲେ, “ଏ ସହର ବଢୁଛି । କୋଉଠୁ ଗୁଣ୍ଠେ ଦି’ଗୁଣ୍ଠ ଜାଗା ଦେଖିକି ରଖ । ଆମେ କ’ଣ ସବୁବେଳେ ଏମିତି ଉଠାକୁଳିଆ ହେଇ ରହିଥିବା ? ପିଲାମାନେ ସାଙ୍ଗଟିଏ ବି ଧରି ରଖିପାରୁନାହାନ୍ତି । କେତେ ହଟହଟା ହେବା ଆମେ ?”

ବିମ୍ୱାଧର ଖୁବ୍ ଗମ୍ଭୀର ସ୍ୱରରେ କହିଥିଲେ, “ନିଶ୍ଚୟ, ନିଶ୍ଚୟ ।” ଏମିତି ଲକ୍ଷ୍ମୀସାଗରରୁ ବରମୁଣ୍ଡା, ବରମୁଣ୍ଡାରୁ ଚାରିନମ୍ୱର ଓ ଚାରିନମ୍ୱରରୁ ଏଇ ଚନ୍ଦ୍ରଶେଖରପୁର । ଘଣ୍ଟାର ଅସ୍ଥିର କଣ୍ଟା ପରି ସେ ଘୂରୁଛନ୍ତି । କୋଉଠି ସ୍ଥିର ହୋଇ ରହିପାରୁନାହାନ୍ତି । କୋଉ ଗୋଟିଏ ଘର ତାଙ୍କୁ ନିଜର ବୋଲି ଭାବୁ ନାହାନ୍ତି ।

“ହେଇ ପରା ସେ ବିଲେଇ ! ମୁଁ କହୁନଥିଲି” ବୋଲି ମନକୁ ମନ କହି ବିମ୍ୱାଧର ଘର ଫାଟକ ଆଗରେ ଯାଉଥିବା ବିଲେଇଟିକୁ ଅନେଇଲେ । ତା’ର ଡୋଳା ଯୋଡ଼ିକ ଚକ୍ ଚକ୍ କରୁଥିଲା । ଟିକିଏ ପାଖକୁ ଯାଇ ଦେଖିଲେ, ସେଇଟା ଧଳା ବିଲେଇ, କସରା ନୁହେଁ । ରାସ୍ତାକଡ଼ ବତି ଆଲୋକରେ ସଫା ଦିଶିଗଲା ତା’ ଚେହେରାଟା । ବିମ୍ୱାଧର ପୁଣି ନିଜ ଚିନ୍ତାକୁ ଫେରିଆସିଲେ ।

ମାଳତୀ ଦିନରାତି ଉଲୁଗୁଣା ଦେଉଛନ୍ତି । କିନ୍ତୁ ବିମ୍ୱାଧର ନିଜେ କ’ଣ ଘରଖଣ୍ଡେ ତୋଳିବା ଲାଗି ଚେଷ୍ଟା କରୁନାହାନ୍ତି ? କେତେ କେତେ ଲୋକଙ୍କୁ ଜମି ଖଣ୍ଡିଏ ପାଇଁ ସେ କହିଛନ୍ତି । ମାତ୍ର ସେଇଟା ସମ୍ଭବ ହୋଇନାହିଁ । ବହୁ ପରିଶ୍ରମ ପରେ ଖଣ୍ଡିଏ ଜମି ଅବଶ୍ୟ ସେ କିଣିଛନ୍ତି, ମାତ୍ର ସେଇଟା ସହରଠୁଁ ଦୂର ଚନ୍ଦକାରେ । ସେ ଜମି ପାଖରେ ହାତୀ ଅଭୟାରଣ୍ୟ ଥିବାରୁ ପୁଅ ପରିହାସରେ କହେ, “ସେଇଠି ବାପା “ହାତୀ ମେରା ସାଥୀ’ ଗୀତ ଗାଇବେ ।” ମାତ୍ର ବିମ୍ୱାଧର କ’ଣ ବା କରିବେ ! ଭୁବନେଶ୍ୱର ପାଖାପାଖି ଯାହା ବି ଜମି ଥିଲା, ଗଲା ଦଶ ବର୍ଷ ଭିତରେ ସେସବୁ ବିକ୍ରୟ ହୋଇସାରିଛି । ପୃଥିବୀ ବଜାରରେ ଲୁହା ଇସ୍ପାତ ଦର ବଢ଼ିଲା । ଓଡ଼ିଶାରେ ସେସବୁର ଖଣି ଥିବାରୁ ବଡ଼ ବଡ଼ ଶିଳ୍ପପତି ଓଡ଼ିଶା ମୁହାଁ ହେଲେ । ମଉକା ଦେଖି, ଅଣଓଡ଼ିଆ ଜମି ବେପାରୀ ଏକର ଏକର ଜମି କିଣି ପକାଇଲେ । ଭୁବନେଶ୍ୱର ଚାରିପାଖରେ ଏବେ ପଚାଶଟା ଇଞ୍ଜିନିୟରିଂ ଓ ଡାକ୍ତରୀ କଲେଜ୍ । ଗୋଟେ କଲେଜ୍ ପିଛା ପଚାଶ ଶହେ ଏକର ଜମି ଦରକାର । ଏକାକୀ ଅନନ୍ତ ସାମନ୍ତଙ୍କ କଲେଜ କିଣିଥିବ ପାଞ୍ଚଶହ ଏକର – ବିମ୍ୱାଧର ଭାବନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ କିଏ ଦେଇଥାନ୍ତା ସହିଦନଗର କି ବାପୁଜୀନଗର ପାଖରେ ତିନିଗୁଣ୍ଠ ଜମି ।

ମାତ୍ର ମାଳତୀ ବୁଝନ୍ତି ନାହିଁ । ତାଙ୍କ ମତ ହେଲା, ଉଦ୍‌ଯୋଗୀ ପୁରୁଷଙ୍କୁ ଲକ୍ଷ୍ମୀ ପ୍ରାପ୍ତ ହୁଅନ୍ତି । ଯେହେତୁ ବିମ୍ୱାଧର ଉଦ୍‌ଯୋଗୀ ପୁରୁଷ ନୁହନ୍ତି, ତେଣୁ ତାଙ୍କୁ ଭୂମି-ଲକ୍ଷ୍ମୀ ମିଳୁ ନାହାନ୍ତି ।

ବିମ୍ୱାଧରଙ୍କ ନିଜ ଅଫିସ୍‌ର ଭଗବାନ ରାଉତ ଜମି ଦଲାଲି କରନ୍ତି । ତାଙ୍କୁ ବି ବିମ୍ୱାଧର ବାରମ୍ୱାର କରି କହିଛନ୍ତି । ମାତ୍ର ଭଗବାନ ରାଉତ ଏ ପର୍ଯ୍ୟନ୍ତ କିଛି ସାହାଯ୍ୟ କରିପାରିନାହାନ୍ତି । ପ୍ରତିଥର ଖାଲି କଣ୍ଟ ଦେଇଚାଲିଛନ୍ତି — ଆର ମାସକୁ ନିଶ୍ଚୟ ।

ବିମ୍ୱାଧରଙ୍କୁ ହାଇ ମାଡୁଥିଲା । ନା, ଏବେ ଯାଇ ଶୋଇ ପଡ଼ିବାକୁ ହେବ । ନହେଲେ କାଲି ଦିନସାରା ନିଦ ମାଡ଼ିବ, ଅଫିସ୍ କାମ କରିହେବ ନାହିଁ ।

ସେ ଧୀର ପାଦରେ କବାଟ ଠେଲି ଘର ଭିତରକୁ ପଶିଲେ । ଅଗଣାର ଛୋଟ ଲାଇଟ୍‌ଟା ବନ୍ଦ କରିବାକୁ ଯାଉଛନ୍ତି, ସେଇ କସରା ବିଲେଇଟା ଅନ୍ଧାରରୁ ଖପ୍‌କିନା ଡେଇଁ ପଡ଼ିଲା ଓ ମ୍ୟାଉଁ ମ୍ୟାଉଁ ହୋଇ ତାଙ୍କ ଚାରିପଟେ ଘୂରିଲା । ବିମ୍ୱାଧର ହୁସ୍ ହୁସ୍ କହୁ କହୁ ଚଟ୍ କରି କବାଟଟା ବନ୍ଦ କରିଦେଲେ । ଚମକି ପଡ଼ିଥିବା ଯୋଗୁଁ ବିମ୍ୱାଧରଙ୍କର ହୃତ୍ସ୍ପନ୍ଦନ ବଢ଼ିଯାଇଥିଲା ।

ଏଇ ଆଠଦିନ ତଳର କଥା । ସେ ରାଉରକେଲାରେ ରହୁଥିବା ତାଙ୍କ ଭାଇଘରୁ ଫେରିଥିଲେ । ଫେରିବାବେଳକୁ ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଥିଲା । ଏତେ ଭଲ ବର୍ଷା ଏ ବର୍ଷାଋତୁରେ ହୋଇନଥିଲା । ଘରକୁ ଫେରି ଦେଖନ୍ତି ତ ବିଚିତ୍ର ଦୃଶ୍ୟ । ଶିଡ଼ି ତଳେ, ଖାଲି ଗ୍ୟାସ୍ ସିଲିଣ୍ଡର ପଛରେ ତିନିଟା ବିରାଡ଼ିଛୁଆ ମଲାପରି ପଡ଼ି ରହିଛନ୍ତି । ଖୁବ୍ ନିରୀକ୍ଷଣ କରି ନ ଦେଖିଲେ, ସେଗୁଡ଼ିକ ମଲା କି ଜୀଅନ୍ତା ଜାଣିହେବ ନାହିଁ । ଦିଇଟା କଳା ଓ ଗୋଟିଏ ଧଳା । ତାଙ୍କର ମନେପଡ଼ିଲା, କିଛିଦିନ ହେଲା କସରା ମାଈ ବିଲେଇଟା ଦିନରେ ଦଶଥର ତାଙ୍କ ଘର ଭିତରକୁ ପଶୁଥିଲା ଓ ବାହାରିଯାଉଥିଲା । ସେଇଦିନୁ ସେ ତାହାହେଲେ ଛୁଅ ପ୍ରସବ କରିବାର ଜାଗା ଖୋଜୁଥିଲା । ଲଗାଣ ବର୍ଷା ହେଉ ନଥିଲେ, ହୁଏତ ସେ ବାଡ଼ିପଟ ଚମ୍ପାଗଛ ମୂଳେ ଛୁଆ ଜନ୍ମ କରିଥାନ୍ତା । ମାତ୍ର ବର୍ଷା ଯୋଗୁଁ ସେ ଶିଡ଼ି ତଳକୁ ନିରାପଦ ଜାଗା ବାଛିଚି ।

ସେ ବିଲେଇ ଛୁଆଙ୍କ ପାଖରୁ ନଜର ହଟେଇ ଫେରୁଛନ୍ତି, ଦେଖିଲେ ପଛରେ ତାଙ୍କ ଝିଅ । ତୁନି ତୁନି ଗଳାରେ ସେ କହିଲା, “ବାପା, ଏ ଛୁଆ ତିନିଟା ଆମେ ରଖିବା ! ” ଆଖିରେ ତା’ର ଖୁସିର ଚମକ ।

ଚା’ ଖାଇବାବେଳେ ଏକଥା ମାଳତୀ ଶୁଣିଲେ ଝିଅ ପାଖରୁ । ଶୁଣୁଶୁଣୁ କହିଲେ, “ଖବରଦାର, ସେଗୁଡ଼ାଙ୍କର ଆଖି ଫିଟିନଥିବ । ତାଙ୍କ ପାଖକୁ କେହି ଯାଅନାହିଁ । ତା’ ମାଆ ତାଙ୍କୁ ତିନିଘର କରିବ । ସେତେଦିନ ଯାଏ ତା’ ଛୁଆଙ୍କ ଦେହରେ ହାତ ଦେଲେ ସେ ସହିବ ନାହିଁ । ରାମ୍ପୁଡ଼ି ପକେଇବ । ଶିଡ଼ି ପାଖ କବାଟଟା ଆଉଜେଇ ରଖୁଥିବ । ନହେଲେ ବୁଲାକୁକୁର କି ଆଉ କେଉଁ ଭୂଆଁ ବିଲେଇ ପଶି ଆସି ଏଗୁଡ଼ାଙ୍କୁ ମାରିଦେବେ ।”

ଅଫିସ୍ ଯିବାବେଳ ହେଉଥିଲା । ବିମ୍ୱାଧର ଚାଲିଯାଇଥିଲେ । ସେ ଦିନସାରା ଯେତେବେଳେ ସମୟ ଟିକେ ପାଇଲେ, ଅଫିସ୍‌ରେ ବିଲେଇ ଛୁଆଙ୍କ କଥା ଚର୍ଚ୍ଚା କଲେ । ମଣିଷମାନେ ପିଲା ଜନ୍ମ ଲାଗି କେତେ ସୁବିଧା ଖୋଜୁଛନ୍ତି, ଅଥଚ ଏ ବିଲେଇଟା ଏମିତି ଟିକିଏ ଜାଗାରେ ଛୁଆଜନ୍ମ କରିଛି ! ତାକୁ ପୁଣି କିଏ ବା ପ୍ରସବରେ ସାହାଯ୍ୟ କରିଥିବି !

ପାଖ ଚଉକିର ରସାନନ୍ଦବାବୁ କହିଲେ, “ମଣିଷଙ୍କ ଭିତରେ ବି ବିଲେଇ ପରି ହତଭାଗା ଅଛନ୍ତି ।”

ସେଦିନ ଅଫିସ୍‌ରୁ ଘରକୁ ଫେରିବାଲାଗି ବିମ୍ୱାଧର ତରତର ହେଉଥିଲେ । ରବୀନ୍ଦ୍ର ମଣ୍ଡପରେ ଗୋଟେ ଭଲ ଗୀତ-ପ୍ରୋଗ୍ରାମ ହେଉଥିଲେ ବି ସିଆଡ଼କୁ ଯାଇ ନଥିଲେ ସେ ।

ଗେଟ୍ ଖୋଲି ସ୍କୁଟରଟା ଭିତରକୁ ପୂରଉଛନ୍ତି, ଦେଖିଲେ ସେଇ ଦୃଶ୍ୟ । ଘର ମାଲିକାଣୀ ଅଣ୍ଟାରେ ହାତ ଦେଇ ଛିଡ଼ା ହୋଇଛନ୍ତି, ତାଙ୍କ ଆଗରେ ଶିଡ଼ି ତଳେ ନଇଁ ପଡ଼ିଛି ତାଙ୍କ ଘରେ କାମ କରୁଥିବା ରମେଶ । ଗୋଟେ ଅଖା ଭିତରେ ସେଇ ଆଖି ଖୋଲି ନଥିବା, କଞ୍ଚା କାଦୁଅ ପରି ଲତପତ ବିରାଡ଼ି ଛୁଆ ତିନିଟିଙ୍କୁ ରମେଶ ଭର୍ତ୍ତି କରୁଛି । ସେଇଠି, କାନ୍ଥ କଡ଼କୁ ଛିଡା ହେଇଛି ବିମ୍ୱାଧରଙ୍କ ଝିଅ, ହାତରେ ତା’ର କ୍ଷୀର ଗିନାଟିଏ ।

ବିମ୍ୱାଧର ପ୍ରତିବାଦ କଲେ । ସ୍କୁଟର୍‌ଟାକୁ ଥୋଇ ଦେଇ କହିଲେ, “ମାଡ଼ାମ୍, ଏମାନଙ୍କ ଆଖି ଖୋଲି ନାହିଁ । ବାହାରେ କୋଉଠି ଛାଡ଼ି ଦେଲେ ଚିଲ ଝାମ୍ପି ନେବ । ମରିଯିବେ ମାଡ଼ାମ୍ ।”

ଶ୍ରୀମତୀ ମହାନ୍ତିଙ୍କ ପୃଥୁଳ ଶରୀର ଟିକେ ଦୋହଲିଥିଲା । ନିଜ ଲୁଗା କାନିକୁ ସଜାଡୁ ସଜାଡୁ ସେ କିଞ୍ଚିତ ରୁକ୍ଷ ଗଳାରେ ଜବାବ୍ ଦେଇଥିଲେ, “ଜାଣନ୍ତି, ଆପଣଙ୍କ ଝିଅ ଆଜି କ’ଣ କରିଛି ?”

: କ’ଣ ?

: ଏମାନଙ୍କୁ ଆଣି କ୍ଷୀର ଦେଉଥିଲା । ହେଃ, ମୋର କ’ଣ ଦରଦ ନାହିଁ ? ମାତ୍ର ୟା’ଙ୍କୁ ଥରେ କ୍ଷୀର ଟୋପାଏ ଦେଲେ ଇଏ ଆଉ କୁଆଡ଼େ ଯିବେ ନାହିଁ । ଏଇଠି ପଡ଼ି ରହିବେ । ତା’ପରେ ଅବସ୍ଥା କ’ଣ ହେବ ବୁଝିପାରୁଛନ୍ତି ତ ? ତା’ ମାଆ ଓ ଏ ତିନିଟା ମିଶି ମୋଅରି ଘର କାର୍ପେଟ୍‌ରେ ଝାଡ଼ା ପରିସ୍ରା ଯିବେ, ବାନ୍ତି କରିବେ, କ୍ଷୀର ମାଛ ଚୋରେଇ ଖାଇବେ । ତାଙ୍କ କଥା ବୁଝିବ କିଏ, ଆଁ ?

ଶ୍ରୀମତି ମହାନ୍ତି ଅବଶ୍ୟ ସତକଥା କହୁଥିଲେ । ବିଲେଇ ଗୁଡ଼ା ଆରାମ ଖୋଜନ୍ତି । ଶେଯ ଉପରେ ଚଢ଼ିଯାଆନ୍ତି, ସୋଫା କନ୍ଦିରେ ମୁତି ଦିଅନ୍ତି, ପାପୋଛ ଉପରେ ଦୁଇ କରିଦିଅନ୍ତି । କିନ୍ତୁ ତା’ ବୋଲି ଏଇ ତିନିଟା ଚୁଇଁ ଚୁଇଁ ଛୁଆଙ୍କୁ ନେଇ ଦୂରରେ ଫୋପାଡ଼ି ଦେଇ ଆସିବ ରମେଶ ? ବିମ୍ୱାଧର ଶେଷଥର ଲାଗି ପ୍ରତିବାଦ ଜଣାଇଲେ, “ତାଙ୍କ ମାଆଟା କୁଆଡ଼େ ଯାଇଛି । ସେ ଆସୁ ।”

ଶ୍ରୀମତୀ ମହାନ୍ତି ସୁଯୋଗ ହାତଛଡ଼ା କଲେ ନାହିଁ । ଶୁଣେଇ ଦେଲେ ଚରମବାଣୀ, ଯାହା ବିମ୍ୱାଧରଙ୍କ କାନକୁ, ଏଇ ଆଖପାଖରେ ପଡ଼ିଥିବା ଚଡ଼ଚଡ଼ି ପରି ଶୁଭିଲା । କହିଲେ, “ଏତେ ସରାଗ ଯଦି ନିଜ ଘରକୁ ନେଇ ପାଳନ୍ତୁ, ଆମର ଆପତ୍ତି ନାହିଁ । ଆମ ଏଠି ଏ ସୁଆଙ୍ଗ ଚାଲିବ ନାହିଁ, ହାଁ ।”

ସେ ତାଙ୍କର ରାୟ ଶୁଣାଇ ଦେଇ ଦୁଲ୍‌ଦୁଲ୍‌ ପାଦରେ ଶିଡ଼ି ଚଢ଼ି ଉପରକୁ ଚାଲିଗଲେ । ରମେଶ ଅଖା ବ୍ୟାଗ୍‌ଟାକୁ ସାଇକେଲ୍ କ୍ୟାରିୟର୍‌ରେ ଲଦି ବାହାରକୁ ପଳେଇଲା । ବିମ୍ୱାଧରଙ୍କୁ ଲାଗିଲା, ରମେଶ ଯେମିତି ମୁରୁକି ମୁରୁକି ହସୁଥିଲା । ସେ ହସରେ ବିମ୍ୱାଧରଙ୍କ ପ୍ରତି କେମିତି ଗୋଟେ ତାତ୍ସଲ୍ୟ ଭାବ ଥିଲା । ତା’ର ଯିବା ବାଟକୁ ବିକଳରେ ଚାହିଁଥାଏ ବିମ୍ୱାଧରଙ୍କ ଝିଅ ।

ଗୋଟାଏ ଦୀର୍ଘଶ୍ୱାସ ବାହାରିଗଲା । ବିମ୍ୱାଧରଙ୍କ ଛାତି ଭିତରୁ । କେମିତ ଆଉଟିପାଉଟି ହୋଇଗଲା ତାଙ୍କର ଛାତି ଭିତରଟା । ସେ ଝିଅକୁ ନିଜ ପାଖକୁ ଭିଡ଼ିଆଣିଲେ । ସେତେବେଳେ ମୁହଁ ଲୁଚେଇବା ଲାଗି ତାଙ୍କର ଗୋଟେ ଅବଲମ୍ୱନ ଦରକାର ପଡୁଥିଲା ।

ରାତିରେ ଏଇ କଥାଟିକୁ ସେ ମାଳତୀଙ୍କୁ କହିଥିଲେ । ଭାବିଥିଲେ ମାଳତୀ ଟିକେ ସହାନୁଭୂତି ଜଣେଇବେ । ମାତ୍ର ସେ ଓଲଟି, କ୍ଷତ ଉପରେ ଲୁଣଛିଟା ପରି ଯୋଡ଼ିଲେ, “ଯାଉନ, କୋଉଠି ଘର କରିଚ, ନେଇ ବିଲେଇ ପାଳିବ ।”

ବିମ୍ୱାଧର ଏଭଳି କଥା ଆଶା କରୁନଥିଲେ । ସେ ଭିତରେ ଭିତରେ ସନ୍ତୁଳି ହେଉଥିଲେ । ସେ କ’ଣ ଏତେ ଅସମର୍ଥ ! ତିନିଟି ବିଲେଇ ଛୁଆଙ୍କୁ ଆଶ୍ରା ଟିକେ ଦେବାଲାଗି ତାଙ୍କର କ୍ଷମତା ନାହିଁ ।

ରମେଶ ବିଲେଇ ଛୁଆଗୁଡ଼ିକୁ ନେଇ ଚାଲିଯିବାର ଘଣ୍ଟାକ ପରେ ମାଆ ବିଲେଇ ଆସିଥିଲା । ସେଇ ଶିଡ଼ି ପାଖରେ ଘୂରି ଘୂରି ଖୋଜିଥିଲା ତା’ ଛୁଆଙ୍କୁ । ତା’ ପରେ “ମ୍ୟାଉଁ ମ୍ୟାଉଁ” ଚିତ୍କାର କରି ଘରବାହାର ଚାରିପଟ ଖୋଜିଥିଲା । ତା’ର ସେ ବିକଳ ଚିତ୍କାରରେ ବିମ୍ୱାଧରଙ୍କ କାନ ତାବ୍ଦା ପଡ଼ିଯାଇଥିଲା । ସେ ଲାଇଟ୍ ଲିଭେଇ ଦେଇ ଅନ୍ଧାରରେ ଲୁଚି ବସିଥିଲେ- କାଳେ ବିଲେଇଟା ତାଙ୍କୁ ଦେଖି ଦେବ ।

ଅଫିସ୍‌ରେ ରହୁଥିବା ସମୟତକ ଯାହା ତାଙ୍କୁ ନିଷ୍କୃତି ମିଳୁଥିଲା । ମାତ୍ର ଘରକୁ ଫେରିବା କ୍ଷଣି ବିଲେଇଟି ସହ ଦେଖା ହୋଇ ଯାଉଥିଲା । “ମ୍ୟାଉଁ ମ୍ୟାଉଁ” ହୋଇ ବିଲେଇଟି ଘର ଚାରିପଟେ ତା’ ଛୁଆଙ୍କୁ ଖୋଜୁଥିଲା ।

ଝିଅ କହିଥିଲା, “ମୁଁ ରମେଶକୁ ପଚାରିଥିଲି । ସେ କହିଲା ପଟିଆ ସେପଟେ ନେଇ ସେ ବିଲେଇ ଛୁଆଙ୍କୁ ଛାଡ଼ି ଆସିଛି ।”

ବିମ୍ୱାଧର ନିରୁତ୍ତର ରହିଥିଲେ ।

ମାତ୍ର ଝିଅର ପ୍ରଶ୍ନ ବନ୍ଦ ହେଉନଥିଲା । ସତେ କି ବାପା ଆସିବା ପର୍ଯ୍ୟନ୍ତ ସେ ତା’ ପ୍ରଶ୍ନର ଉତ୍ତର ପାଇଁ ଅପେକ୍ଷା କରିଥିଲା ।

: ବିଲେଇ ଛୁଆଗୁଡ଼ାଙ୍କୁ କେହି ମାରିଦେବ ନାହିଁ ତ ?

: ନ ଖାଇ ନ ପିଇ କେମିତି ବଞ୍ଚିବେ ସେମାନେ ?

: ଚିଲ କି କୁକୁର ଯଦି ଖାଇଯାଏ. . . ।

: ସେମାନଙ୍କର କ’ଣ ତାଙ୍କ ମାଆ ସାଙ୍ଗେ ଆଉ କେବେ ଦେଖା ହେବ ନାହିଁ ?

: ମାଆଟା ବଡ଼ ବିକଳ ହେଉଛି ନା ବାପା ?

ବିମ୍ୱାଧର ଉଠିକି ସେ ଜାଗାରୁ ପଳେଇ ଯାଇଥିଲେ । ତାଙ୍କ ପାଖରେ ଝିଅ ପଚାରୁଥିବା ପ୍ରଶ୍ନମାନଙ୍କର ଉତ୍ତର ନଥିଲା । ତେବେ ସକାଳ ହେଲାକ୍ଷଣି ସେ ନିଜେ ଯାଇ ଏପଟ ସେପଟ ଅନାନ୍ତି । ତାଙ୍କର ମନ କହେ, ଛୁଆ ତିନିଟାଙ୍କ ଆଖି ଖୋଲି ଯାଇଥିବ । ସେମାନେ ହୁଏତ ଚାଲିଚାଲି ମାଆ ପାଖକୁ ପଳେଇ ଆସିଥିବେ । କିମ୍ୱା ମାଆ ଯାଇ ପହଞ୍ଚି ଯାଇଥିବ ସେମାନଙ୍କ ପାଖରେ ।

ମାତ୍ର ମାଳତୀ କହନ୍ତି, “ମାଆଟା ଏକ ନମ୍ୱର ଚୋରଣୀ । ତାକୁ ତ ମୁଁ ଏଇ ଶିଡ଼ି ପାଖରେ ଦିନରେ ଦି’ଥର ଦେଖୁଛି । ସିଏ କୁଆଡ଼େ ଯାଇ ତା’ ପିଲାଙ୍କୁ ଖୋଜୁଥିଲା ।”

ବିମ୍ୱାଧର ନିରବ ରହନ୍ତି ସିନା ମାଳତୀଙ୍କର କଥାକୁ ଗ୍ରହଣ କରି ନେଇପାରନ୍ତି ନାହିଁ । ପୁଣି ଶ୍ରୀମତୀ ମହାନ୍ତିଙ୍କ ସେଦିନର ଚଣ୍ଡୀମୂର୍ତ୍ତି କଥା ମନେପଡ଼େ । ବିମ୍ୱାଧର ସେଦିନ ଆଉପଦେ କିଛି କହିଥିଲେ ଶ୍ରୀମତୀ ମହାନ୍ତି ହୁଏତ କହିଥାଆନ୍ତେ “ଆପଣ ଆମ ଘର ଛାଡ଼ିଦିଅନ୍ତୁ ।”

ସାତଦିନ ହେଲା ରବୀନ୍ଦ୍ର ମଣ୍ଡପ ଆଡ଼େ ଯିବାପାଇଁ ଆଗ୍ରହ ହେଉନାହିଁ । ସବୁଠି ତାଙ୍କୁ ସେ ବିଲେଇଟାର ମୁହଁ ଦିଶୁଛି । ଅଫିସ୍‌ରୁ ସିଧା ଘରକୁ ଫେରିଆସୁଛନ୍ତି ବିମ୍ୱାଧର ।

ବିଲେଇ ଛୁଆଜନ୍ମ କରିବା ଘଟଣାକୁ ସତେଇଶ ଦିନ ହେବ ଆଜି । ମନେ ମନେ ସୁମାରି ରଖିଛନ୍ତି ବିମ୍ୱାଧର । ଆଜି ରବିବାର । ସେ ଦାଢ଼ି କ୍ଷିଅର କାମ ସାରି ମାର୍କେଟ୍ ବାହାରିଛନ୍ତି । ଚନ୍ଦ୍ରଶେଖରପୁର ହାଟକୁ ଯିବେ, ପିଲାଙ୍କ ପାଇଁ ମାଛ କି ମାଉଁସ ଟିକେ ଆଣି ଆସିବେ ।

ସେତିକିବେଳେ ସେ ଦେଖିଲେ ଅଦ୍ଭୁତ ଦୃଶ୍ୟ । ଫାଟକ ସାମ୍ନାରେ ସେଇ କସରା ମାଆ ବିଲେଇଟା ଧୀର ଅଥଚ ଦୃପ୍ତ ପାଦରେ ଆଗେ ଆଗେ ଚାଲିଛି । ତା’ ପଛରେ ତା’ର ତିନିଟାଯାକ କୁନି କୁନି ଛୁଆ । ମାଆ ବିଲେଇ ସତେ କି ସେମାନଙ୍କୁ ବାପଘର ଗାଁ ବୁଲେଇ ଆଣିଛି । ବିମ୍ୱାଧରଙ୍କୁ ଦେଖୁ ଦେଖୁ ମାଆ ବିଲେଇଟା ଚିହ୍ନା ଲୋକକୁ ଦେଖିବା ପରି ଉପରକୁ ମୁହଁ କରି ଦି’ଥର “ମ୍ୟାଉଁ ମ୍ୟାଉଁ” ଡାକିଲା ଏବଂ ତା’ପରେ ବିନା ଡରଭୟରେ ଆଗକୁ ଆଗେଇଲା ।

ମାତ୍ର ବିମ୍ୱାଧରକୁ ମନେହେଲା, ବିରାଡ଼ିଟା ଯେମିତି କହୁଛି, “ମୁଁ ସିନା ଛାର ପଶୁଟେ ବୋଲି ଘରମାଲିକଙ୍କ ହଟହଟା ଆଉ ଅପମାନ ସହିନେଉଛି । ତୁ ମଣିଷଟେ ହେଇ କେମିତି ସହୁଛୁ ! ଏଡ଼େ ପାକଳ ମଣିଷଟେ, ମୋ ନିରାଶ୍ରୟ ଛୁଆଙ୍କୁ ଟିକେ ଜାଗା ଦେଇପାରିଲୁନି । ରାତି ଅନ୍ଧାରରେ ତାଙ୍କୁ ନେଇ ଅପନ୍ତରାରେ ଫିଙ୍ଗି ଦେଇ ଆସିଲ ତୁମେମାନେ ?”

ବିମ୍ୱାଧରଙ୍କ ଛାତି ଭିତରେ ଅଦ୍ଭୁତ କଷ୍ଟ, ମନରେ ଅପମାନ । ମାତ୍ର ତା’ ସତ୍ତ୍ୱେ ତାଙ୍କୁ ଆଜି ହାଲୁକା ଲାଗୁଥିଲା । ଛୁଆ ତିନିଟା ମରିଯାଇ ନାହାନ୍ତି କି ତାଙ୍କୁ କିଏ ଖାଇଯାଇନାହିଁ, ଇଏ କମ୍ ଆଶ୍ଚର୍ଯ୍ୟର କଥା ନୁହେଁ । ପୁଣି ମାଆଟି ଖୋଜି ଖୋଜି ସେମାନଙ୍କୁ ଯାଇ ଉଦ୍ଧାର କରିଛି, ଏକଥା ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା । ତାଙ୍କ ଛାତି ଭିତରୁ ଅପରାଧବୋଧର ଓଜନିଆ ପଥରଟା ଓହ୍ଲେଇ ଯାଇଥିଲା । ସେ ଖୁସିରେ ତାଙ୍କ ପିଲାମାନଙ୍କୁ ଡାକ ପକେଇଲେ, “ଆରେ କୁଆଡ଼େ ଗଲ, ଦେଖିବ ଆସ ।”

ପତ୍ନୀ ମାଳତୀ ଅଗଣା ଓଳଉଥିଲେ । ସେଇଠୁ ଥାଇ ବଡ଼ପାଟିରେ ପଚାରିଲେ, “ମାଛ ଝୁଲାଟା ନେଇଛ ତ ?”

ବିମ୍ୱାଧର କିନ୍ତୁ କିଛି କହିଲେ ନାହିଁ । ମନେ ମନେ କେବଳ ସ୍ଥିର କଲେ, ଯିଏ ଯାହା କହୁ, ଏଇ ମାସରୁ ସେ ଯାଇ ତାଙ୍କ ଚନ୍ଦକା ଜାଗାରେ ଘର ତିଆରି କାମ ଆରମ୍ଭ କରିବେ । ଶୁଣୁଛନ୍ତି, ଆଉ ଜଣେ କିଏ ସେ ଜାଗାଠୁଁ ଟିକିଏ ଦୂରକୁ ତାଙ୍କ ଘର କାମ ଆରମ୍ଭ କରିଛନ୍ତି । ଏ କ’ଣ ତାଙ୍କୁ ସାହାଯ୍ୟ କରିବେ ନାହିଁ ! ନିଶ୍ଚୟ କରିବେ । ଦୂରରେ ହେଉ ପଛେ, ତାଙ୍କର ଘରଟେ ହେବ । ନିଜ ପରିବାର ସାଙ୍ଗେ ସେ ମୁଣ୍ଡ ଟେକି ସେଇଠି ରହିବେ । ସେତେବେଳେ ମାଆ ବିଲେଇ ପାଇଁ ଅରାଏ ଜାଗା ଦେବା ପାଇଁ କେହି ତାଙ୍କୁ ବାରଣ କରିପାରିବ ନାହିଁ ।

ଲୋକପ୍ରିୟ ଲେଖା

To Top