ଗଳ୍ପ

ବିଲୁପ୍ତ ଲାଙ୍ଗୁଡର ସନ୍ଧାନରେ

Manoj Das's odia story Bilupta Laangudara Sandhaanare

ବିଲୁପ୍ତ ଲାଙ୍ଗୁଡ ସନ୍ଧାନରେ ତମେମାନେ ଭିଆଇବ ନାନାଦି ବିଷମ, ବିଚିତ୍ର ଓ ବୀଭତ୍ସ ବ୍ୟାପାର ।

ବିଲୁପ୍ତ ଲାଙ୍ଗୁଡର ସନ୍ଧାନରେ

ଶୀତ ରାତି ଅବୋଲକରା-ସମଭିବ୍ୟାହାରେ ସାଆନ୍ତେ ତାଙ୍କ ପୁରୁଣା ମିତ୍ର ଏକଦା ଗୁରୁକୁଳର ସହପାଠୀ, ଗଗନବାବାଙ୍କ ଆଶ୍ରମରେ ଉପନୀତ ହେଲେ । ଭାରି ବିନୀତ ଲାଗୁଥିବା ପାହାଡଟିଏ ଏବଂ ମଣ ମାନିଥିବା ଭଳି ଧାରଣା ଦେଉଥିବା କୁନି ନଈଟିଏର ମଧ୍ୟବର୍ତ୍ତୀ ଉପତ୍ୟକାରେ ଗଗନବାବାଙ୍କ କୁଟୀରର ପରିବେଶ ମନୋରମ । ବସ୍ତୁତଃ, କୁଟୀରଟି ଥିଲା ଗଛଲତା ଭିତରେ ଆତ୍ମଗୋପନ କରିଥିବା ଗୋଟାଏ ଗୁମ୍ଫାର ମୁଖଶାଳା ।

କେତେବର୍ଷ ପରେ ଦୁଇ ବାଲ୍ୟବନ୍ଧୁଙ୍କର ସାକ୍ଷାତ୍ ! ବଡ ଆହ୍ଲାଦରେ ଗପିଚାଲିଥାନ୍ତି ନୁହେଁ । ଆଣଣ୍ଠୁ ଦୁଇଟି ଉପରେ ଚିବୁକ ରଖି ବସିରହିଥାଏ ଅବୋଲକରା ଏବଂ ସମଝଦାର ଭଙ୍ଗୀରେ ସବୁ ଶୁଣଥାଏ । ସାଆନ୍ତେ ବା ଗଗନବାବା କେହି ଜଣେ ହସିଲେ ଅବୋଲକରା ହସୁଥାଏ; ଦୁହେଁ ହସିଲେ ସେ ଆହୁରି ଜୋର୍‌ରେ ହସେ; ମଧ୍ୟେ ମଧ୍ୟେ ବିନା କାରଣରେ ଚୁଃ ଚୁଃ କରେ ।

“ଅବୋଲ! ରାତି ଅଧ ହେଲାଣିଟି ! ଶୋଉନୁ କାହିଁକି?”- ସାଆନ୍ତେ ତାଗଦା କରି କହିଲେ ।

“ଶୋଇବି ? ଆପଣଙ୍କ ଚେଲା କଣ ଏଡିକି ଓଲୁ ହୋଇପାରେ, ସାଆନ୍ତେ? ଆପଣଙ୍କ ମିତ୍ର ଯେଉଁ ଅଜବ ସିଦ୍ଧିର ଅଧିକାରୀ, ତା’ର କିଞ୍ଚିତ ରସାସ୍ୱାଦନ ନକରି ଏଠାରୁ ବିଦାୟ ନେଲେ ମୋତେ ତ ଏ ଜୀବନରେ କେବେହେଲେ ନିଦ ଆସିବ ନାହିଁ ବୋଲି ମୋର ଆଶଙ୍କା ହୁଏ !”

ସାଆନ୍ତେ ଅବଶ୍ୟ ଏଠାରେ ପହଞ୍ଚିବାପୂର୍ବରୁ ଥରେ ଅବୋଲକରାକୁ ବାଟରେ ବିଶ୍ରାମ ନେଲାବେଳେ କହିଦେଇଥିଲେ, ତାଙ୍କର ଏ ମିତ୍ର ଏକ ବିରଳ ସିଦ୍ଧିର ଅଧିକାରୀ, ଭବିଷ୍ୟତରେ ଗୋଟାଏ ଗୋଟାଏ ଦୃଶ୍ୟ ଦେଖିବାର ଏବଂ ଦେଖାଇଦେବାର ବିଭୂତି ସେ ଆୟତ୍ତ କରିଛନ୍ତି । ସାଆନ୍ତଙ୍କ ଭଳି ତାଙ୍କ ଘନିଷ୍ଠ ମିତ୍ରମାନେ ହିଁ ତାଙ୍କର ସେ ସିଦ୍ଧିର ପରିଚୟ ପାଇଥିଲେ ।

ସାଆନ୍ତେ ବୁଝିଲେ, ଅବୋଲକରାର ଜିଦି ଏଡାଇଯିବା ଅର୍ଥ ସେଇଠି ଭ୍ରମଣରେ ପୂର୍ଣ୍ଣଚ୍ଛେଦ ଟାଣିବା ।

“ଗଗନ! ମୋ ଖାତିରରେ ତମକୁ ମୋର ଏ ଚଣ୍ଡାଳ ଚେଲାର କୌତୂହଳ ମେଣ୍ଟାଇବାକୁ ହେବ ପରା!”- ସାଆନ୍ତେ ତାଙ୍କ ମିତ୍ରଙ୍କୁ କହିଲେ । ଗଗନବାବା ହସିଦେଲେ । ଦୁଇ ଅତିଥିଙ୍କୁ ନେଇଗଲେ ଗୁମ୍ଫା ଅଭ୍ୟନ୍ତରକୁ । କିଛି ଅବୋଧ୍ୟ ଧ୍ୱନି ଉଚ୍ଚାରି ସେ ଚିମୁଟାଏ ପାଉଁଶ ଫୋପାଡିଲେ ଗୁମ୍ଫାର କଳା ମଚମଚ କାନ୍ଥ ଉପରକୁ ।

ଗୋଟାଏ ଅଦ୍ଭୁତ, ବିଚିତ୍ର ଆଲୋକର ତୀର ଯେମିତି ସେ ପାହାଡ ଭିତରକୁ ଫୁଟାଇଦେଲା ଏକ ସୁଡଙ୍ଗଭଳି ପଥ । ତାର ଶେଷ ପ୍ରାନ୍ତରେ ଚମକି ଉଠିଲା ଆହୁରି ବିଚିତ୍ର କେତେ ରେଖା ଆଲୋକର ସମ୍ମିଶ୍ରଣ । କ୍ରମେ ସେସବୁ ରେଖା ଏକ ଚତୁଷ୍କୋଣ ପର୍ଦ୍ଧା ରୂପ ନେଲେ ଏବଂ ସେଙ୍ଗ ସେଙ୍ଗ ଉପରେ ଝଟକିଲା ଦୃଶ୍ୟ ପରେ ଦୃଶ୍ୟ । ତିନି ଚତୁର୍ଥାଂଶ ଲଙ୍ଗଳା ନାରୀ କେତୋଟି ଦୁରାରୋଗ୍ୟ ବେକୁବ୍ ଭଳି ମନେହେଉଥିବା ନର କେତୋଟି ସହ ଅଦୃଶ୍ୟ ଚେଙ୍କା ପାଇବା ପ୍ରାୟେ ଛଟପଟଧର୍ମୀ ନାଚ ନାଚୁଥାନ୍ତି । ନଚାଉଥାଏ ବିକଟ ବାଦ୍ୟ ।

“ଇଃହି, ଇଃହି ! ଭୁତ ଲାଗିଛି!”- ମନ୍ତବ୍ୟ ଦେଲା ଅବୋଲକରା ।

ଦୃଶ୍ୟ ବଦଳିଗଲା । ଗୋଟିଏ ଲୋକ ଘୋଷଣା କରିଥାଏ, କୌଣସି ଏକ ମହାଜନ ମହାଜାତି ଭାରତରୁ ଅର୍ବୁଦ ସଂଖ୍ୟକ ମୁଦ୍ରା ଠକିନେଇଛି । ଘୋଷଣା ସଙ୍ଗେ ସଙ୍ଗେ ମହାଜନ ଏବ ତଦୀୟ ମିତ୍ର ମିତ୍ରାଣୀମାନେ ଭୀଷଣ ଠେଲାପେଲା ଭିତରେ କାରାଗାର ଭିତରକୁ ପ୍ରେରିତ ହେବାର ଦୃଶ୍ୟ ପରିବେଶିତ ହେଉଥାଏ । ତୃତୀୟ ଦୃଶ୍ୟର ନାୟକ ହେଲେ ଦଳେ ନିଷ୍ପ୍ରାଣ, ଭଦ୍ଭ୍ରାନ୍ତ-ଦର୍ଶନ ଯୁବକ ଯୁବତୀ । ଡ୍ରଗ୍ ଶବ୍ଦଟି ଶୁଭୁତାଏ ବାରମ୍ବାର । ତା ପରେ ଦୃଶ୍ୟ କ୍ଷୀଣ ହୋଇ ଲିଭିଗଲା ।

“ବାବା ! ଆପଣ ଭବିଷ୍ୟତର ଝଲକ ଟାଏ ନ ଦେଖାଇ ହଠାତ୍ ନର୍କ ଉପରେ କାହିଁକି ଆଲୋକପାତ କଲେ? ନା, ସେଇଟା ପ୍ରେତପୁରୀ- କଣ ଦେଖିଲା ଏ ନୟନ?” ଗଗନବାବାଙ୍କୁ ଉଦ୍ଧେଶ୍ୟ କରି କହିଲା ଆବୋଲକରା ।

“ନର୍କ କି ପ୍ରେତପୁରୀ ନୁହଇରେ ବାବୁ ! ତୁ ଦେଖିଲୁ ଦୁଇ-ଚାରିଶହ ବର୍ଷ ପରବର୍ତ୍ତୀ ଭବିଷ୍ୟତର ଏକ ଚିଜ । ସେଥିଯୋଗେ ଲୋକେ ଆମୋଦ ପ୍ରମୋଦ ପାଇବେ, ସଙ୍ଗେ ସଙ୍ଗେ ତାଙ୍କ ସମୟର ଘଟଣାସବୁ ଜାଣିବେ । ଅନେକ ତାକୁ ବୁଦ୍ଧୁପେଟି ଆଖ୍ୟା ଦେବେ; କିନ୍ତୁ ପ୍ରେମରେ ଦେଖୁଥିବେ ।”- ବୁଝାଇଦେଲେ ଗଗନବାବା ।

“କିନ୍ତୁ ବାବା ! ଭବିଷ୍ୟତର ମଣିଷମାନେ ତ କଣ ମାଙ୍କଡ ଭଳି ମନେ ହେଲେ । ଉତ୍କଟ ରଙ୍ଗ ଓ ଢଙ୍ଗର ପୋଷାକଟିମାନ ପିନ୍ଧିଛନ୍ତି, ଅଥଚ ସେସବୁ ପ୍ରତି ସେମାନଙ୍କର ସତେ ଯେପରି ଅତ୍ୟନ୍ତ ବିତୃଷ୍ଣା- ତହିଁଭିତରୁ ଖସଡି ଆସିବାର ବ୍ୟାକୁଳତା ସ୍ପଷ୍ଟ ।” ଅବୋଲକରା ଏକଥା କହିବା ସଙ୍ଗେ ସଙ୍ଗେ ଆବାକାବା ଭାବରେ ସେ ଅନ୍ଧାରୁଆ କାନ୍ଥ ଆଡେ ଅନଇରହିଲା ଓ ମୁହୂର୍ତ୍ତକ ପରେ ପୁଣି କହିଲା, “ସେମାନେ ଯେମିତି କିଛି ଗୋଟାଏ ଖୋଜୁଛନ୍ତି-ଅଥଚ କଣ ଖୋଜୁଛନ୍ତି ଯେମିତି ସେତକ ମାଲୁମ ନାହିଁ!”

“ବାଃ? ଠିକ୍ କହିଲୁ ।”- ମନ୍ତବ୍ୟ ଦେଲେ ଗଗନବାବା ।

ଉଲ୍ଲସିତ କଣ୍ଠରେ କହିଲା ଅବୋଲକରା, “ ଠିକ୍ କହିଲି, ମହାପ୍ରଭୁ? କିନ୍ତୁ କେମିତି ଠିକ୍ କାହିଁକି ଠିକ୍ ସେତିକି ନ ଜାଣିଲେ ତ ନିଦ ….”

“ହେବ, ହେବ, ଠିକ୍ ନିଦ ହେବ । ଯା, ଶୋଇପଡ ।”- ସାଆନ୍ତେ ନିର୍ଦ୍ଦେଶ ଦେଲେ ।

“ହଉ ଆଜ୍ଞା!” ଅପ୍ୟାୟିତ ଭାବରେ ଉଠିପଡିଲା ଅବୋଲକରା । ସେ ଜାଣିଥିଲା, ଆଗାମୀ କାଲି ସାଆନ୍ତେ ତାର ସନ୍ଦେହ ଅବଶ୍ୟ ମୋଚନ କରିବେ । ଅବୋଲକକରା ଶୋଇବାକୁ ଚାଲିଯିବା ପରେ ଦୁଇ ବନ୍ଧୁ କିନ୍ତୁ ଦୀର୍ଘସମୟ ଗପସପରେ ମଜ୍ଜିରହିଲେ ।

ଗଗନବାବାଙ୍କଠୁଁ ଜ୍ଞାତ ରହସ୍ୟ ସାଆନ୍ତେ ପରଦିନ ଅବଶ୍ୟ ଅବୋଲକରା ଆଗରେ ବ୍ୟକ୍ତ କଲେ । ପଥକ୍ଳେଶ ବୁଝିପାରିଲାନାହିଁ ସେ ଅତ୍ୟାଗ୍ରହୀ ଶ୍ରୋତା ।

ଦଳର ତରୁଣମାନ ମାଙ୍କଡଟିକୁ ତାର ବିଶେଷ ମାଙ୍କଡାମି ଯୋଗୁଁ ବଡମାନେ ବିମର୍କଟ ବୋଲି ଡାକୁଥିଲେ । ସେ ଡାକରେ ସେ ବେଶ୍ ପ୍ରୀତ ହୋଇଥିଲା ।

ବିମର୍କଟ ପାଇଁ ମଣିଷମାନେ ଥିଲେ ଅପ୍ରତିରୋଧ୍ୟ ଆକର୍ଷଣ । କାଠୁରିଆ ବା ଶିକାରୀମାନଙ୍କୁ ଦେଖିପକାଇବା ମାତ୍ରେ ସେ ସେମାନଙ୍କୁ ଅନୁସରଣ କରେ । କେବେ କେମିତି କାହାରି ପଗଡିଟିଏ ବା ବାଡି ଖଣ୍ଡିଏ ଚୋରାଇ ନେଇଯାଇ ନିଜ ଜାତିଭାଇଙ୍କ ଆଗରେ ବାହାଦୁରି ଦେଖାଏ ।

ଥରେ ଜଣେ କାଠ ବେପାରୀଙ୍କ ମୂଲିଆମାନେ ବଣକୁ ଲାଗି ଶିବିର ସ୍ଥାପନ କଲେ । ବଡ ବଡ କେତୋଟି ଗଛ କାଟି ସେସବୁର ଗଡରୁ ସେଇଠି ପଟାମାନ ପ୍ରସ୍ତୁତ କରି ସେସବୁକୁ ଜନପଦକୁ ନେଇଯିବା ଥିଲା ସେମାନଙ୍କ ଯୋଜନା ।

ଦିନେ ସେମାନେ ବୃହତ୍ କାଠଗଡାଟାଏ କରତଯୋଗେ ଅଧା ପର୍ଯ୍ୟନ୍ତ ଦୁଇଫାଳ କରି, ଫାଟ ମଝିରେ କୀଳକଟିଏ ଗୁଞ୍ଜି ଦିବାହର ଓ ବିଶ୍ରାମ ସକାଶେ ଶିବିରକୁ ଲେଉଟି ଯାଆନ୍ତେ ବିମର୍କଟ ଗଛରୁ ଅବତରଣ କରି କାଠଗଡା ଉପରେ ବସି କିଳାଟିକୁ ଉତ୍ପାଟନ କରିବା ଉଦ୍ୟମ ଆରମ୍ଭ କଲା ।

“ଆରେ ବିମର୍କଟ, ସେଭଳି ଅବ୍ୟାପାରରେ କିବା ପ୍ରୟୋଜନ?”

ଲାଙ୍ଗୁଡଯୋଗେ ପାଶ୍ୱର୍ସ୍ଥ ବରଗଛରୁ ଝୁଲିପଡି ଗୋଟିଏ ଗୁରୁଜନସ୍ଥାନୀୟ ମାଙ୍କଡ ପ୍ରଶ୍ନକଲା ।

“ହେଃ, ଏଇଟା ଏଠି ଏମିତି ଚାପି ହୋଇ ରହିଯିବା କିବା ପ୍ରୟୋଜନ?”

-ବିମର୍କଟ ଏକ ଅମୋଘ ଯୁକ୍ତି ଉପସ୍ଥାପନ କରିବା ଢଙ୍ଗରେ କହିଲା । କେହି ଜଣେ ତାର ବିଚକ୍ଷଣ କର୍ମ ଲକ୍ଷ୍ୟ କରୁଛି ଜାଣି ଆହ୍ଲାଦିତ ହେବା ସାଙ୍ଗେ ସାଙ୍ଗେ କୀଳକ ଉତ୍ପାଟନରେ ଆହୁରି ଉତ୍ସାହ ଏବଂ ଶକ୍ତିର ଉପଯୋଗ ସଙ୍ଗେ ସଙ୍ଗେ ଶୁଭେଚ୍ଛାଙ୍କୁ ଉଦ୍ଦେଶ୍ୟ କରି ସେ ପୁଣି କହିଲା, “ମୋ ପ୍ରଶ୍ନର ଉତ୍ତର ଯଦି ତୁମେ ନ ଜାଣ ତେବେ ମୁଁ ଜଣାଇଦେଉଛି; ମୋ ଦ୍ୱାରା ଉତ୍ପାଟିତ ହେବା ନିମନ୍ତେହିଁ ଏହା ରହିଛି ।”

ତେବେ ତାର ସେ ସଦମ୍ଭ ଘୋଷଣାରେ ଚମତ୍କୃତ ହେବା ନିମନ୍ତେ ଗୁରୁଜନସ୍ଥାନୀୟ ମାଙ୍କଡଟି ସେତେବେଳକୁ ସେଠାରେ ନଥିଲା ।

ହଠାତ୍ ବିଜୁଳି ବେଗରେ ବାହାରି ଆସିଲା କିଳକ । କାଠଗଡର ସନ୍ଧି ତତ୍‌କ୍ଷଣାତ୍ ବୁଜି ହୋଇଗଲା । ସଙ୍ଗେ ସଙ୍ଗେ ବିମର୍କଟ ଜୀବନରେ ଘଟିଗଲା ଯୁଗାନ୍ତର । କାଠସନ୍ଧି ଭିତରେ ଝୁଲନ୍ତା ତା ଲାଞ୍ଜଟି ଚିପିହୋଇରହିଲା । ନିଦାରୁଣ ଯନ୍ତ୍ରଣାରେ ସେ ଲମ୍ପ ଦିଅନ୍ତେ ଲାଞ୍ଜଟି ତା କଳେବରରୁ ବିଚ୍ୟୁତ ହେଲା । ବିମର୍କଟ ଗଭୀର ବଣ ଭିତରକୁ ପଳାଇଯାଇ ଗୋଟାଏ ସରୋବର ପଙ୍କ ଉପରେ ବସିରହିଲା । ଦୂରାଗତ ବୈଦମାନେ ସେ ପଙ୍କ ମାଠିଆରେ ଭର୍ତ୍ତି କରି ନେଇଯାଉଥିବାର ସେ ଦେଖିଥିଲା ଏବଂ ତାର ବିସ୍ମୟକର ନିରାମୟ ଗୁଣ ସମ୍ପର୍କରେ ସେ ଅବହିତ ଥିଲା ।

ସରୋବର ତଟରେ ବାସକରୁଥିଲେ ଜଣେ ସାଧୁ । ବିମର୍କଟ ସୁସ୍ଥ ହେବା ଉତ୍ତାରୁ ସାଧୁଙ୍କୁ କୁଟୀରରେ ପଶି ତାଙ୍କ ପାଦତଳେ ଲୋଟିଗଲା । “ମହାଭାଗ!” ସେ କର ଯୋଡି କହିଲା, “ଖାସ୍ ଆପଣଙ୍କର ନିକଟତର ହୋଇ ଆପଣଙ୍କ ପଦସେବାର ସୌଭାଗ୍ୟ ନିମନ୍ତେ ମଣିଷ ଓ ମୋ ଭିତରେ ଥିବା ବ୍ୟବଧାନ ଯେତେଦୁର ସମ୍ଭବ କମାଇବା ଦିଗରେ ନେଲି ଏ ବୈପ୍ଳବିକ, ପ୍ରଗତିଶୀଳ ପଦକ୍ଷେପ ବର୍ଜନ କଲି ମୋ ଲାଞ୍ଜ- ସେ ଗୋଟିଏ ଅପରୂପ ହେବା ସତ୍ତ୍ୱେ ।”

ସାଧୁ କୌତୁହଳ ସହକାରେ ତାକୁ ଆପଦ ମସ୍ତକ ନିରୀକ୍ଷଣ କଲେ । ମୁହୂର୍ତ୍ତେ ଆଖି ବୁଜି ତା ପରେ ସେ କହିଲେ “ବେଶ୍ ।”

ବିମର୍କଟ ତାଙ୍କ ସେବାରେ ଲାଗିରହିଲେ । ସାଧୁ କ୍ରମେ ତା ପ୍ରତି ଦୟାପରବଶ ହେଲେ ।

ବର୍ଷକୁ ଉତ୍ତାରୁ ଦିନେ, ବେଳ ରତରତ, ସାଧୁ ହଠାତ୍ ତାକୁ କହିଲେ, “ଆରେ ଟୋକା, ମୁଁ ସାନସରୋବର ଅଭିମୁଖେ ଚାଲିଲି । ତୁ ମୋର ବହୁତ ସେବା କରିଛୁ । ବରଟିଏ ମାଗ ।”

“ମାନସରୋବର ଚାଲିଲେ ମହାଭାଗ ? ଆପଣଙ୍କ ବିନା ମୁଁ ଚଳିବି କେମିତି ? ”- ବିମର୍କଟ ଆର୍ତ୍ତନାଦ ପ୍ରଶ୍ନ କଲା ।

ତୋହରି ଚଳିବାର ମାଧ୍ୟମ ଭାବରେ ଜୀବନଯାପନ କରିବାହିଁ ମୋର ଆଭିମୁଖ୍ୟ, ଏକଥା ତ ମୁଁ ଜାଣିନଥିଲି ! ଦେଖ ଟୋକା, ତୁ ଚଳିବୁ ଲାଙ୍ଗୁଡ ବିହୀନ ମାଙ୍କଡଟିଏ ଭଳି- କଥା ଛିଡିଲା !

“ଗୁରୁଦେବ! ଜଣେ ମଣିଷ ଲାଙ୍ଗୁଡପ୍ରଯୁକ୍ତ ଭାବରେ ଚଳପ୍ରଚଳ ହେବା ଯେମିତି କ୍ଳେଶକର, ଜଣେ ମାଙ୍କଡ ଲାଙ୍ଗୁଡବିଯୁକ୍ତ ହୋଇ ଚଳିବା ସେହି ପ୍ରକାର କ୍ଳେଶକର । ବନସ୍ତର ସମସ୍ତ ପ୍ରାଣୀ ମୋତେ ଥଟ୍ଟା କରନ୍ତି । ଏପରି କି କେତେକ ଉଦ୍ଧତ ପକ୍ଷୀ ସେମାନଙ୍କର ଯତ୍କିଞ୍ଚିତ ଲାଞ୍ଜଟିମାନ ମୋ ଆଗରେ ଥରେ ଅଧେ ହଲାଇଦେଇ ଫୁର୍‌ର କିନା ଉଡିପଳାନ୍ତି ।”

“ଆରେ ଟୋକା, ଲାଙ୍ଗୁଳ ଖାଲି ପ୍ରତ୍ୟେଙ୍ଗ ନୁହେଁ- ତାହା ଏକ ପ୍ରତୀକ । ମଣିଷ ପଗଡି, ଲାଠି, କିସମ କିସମର ନିଶ- ଏମିତି ନାନାପ୍ରକାର ପ୍ରତୀକ ସୃଜିବାକୁ ବାଧ୍ୟ ହୁଏ । କିନ୍ତୁ ତମମାନଙ୍କୁ ପ୍ରକୃତି ସେ ପ୍ରତୀକରେ ଆଜନ୍ମ ସମୃଦ୍ଧ କରି ରଖିଥାଏ । ବର୍ତ୍ତମାନ ? ସେଭଳି ଏକ ପ୍ରତୀକକୁ ହରାଇଲା ଭଳି କର୍ମ କରିବା ତୋ ପକ୍ଷରେ ଅନୁଚିତ ହୋଇଛି । ସେ ଯାହା ହେଉ, ତୋର ଯେମିତି ନବ୍ୟ ଭବ୍ୟ ଲାଙ୍ଗୁଳଟିଏ ଗଜୁରି ଉଠିବ, ମୁଁ ସେ ଦିଗରେ ମୋ ବିଭୁତି ପ୍ରୟୋଗ କରିବି ।”

“ପୁଣି ଲାଙ୍ଗୁଳ, ଗୁରୁଦେବ?”

“ମାନେ?”- ବିସ୍ମିତ ହୋଇପଚାରିଲା ସାଧୁ, “ତୁ ଲାଙ୍ଗୁଳହୀନ ହୋଇ ରହିବାରେ ଆଗ୍ରହୀ ?”

ସେ ପ୍ରଶ୍ନର ଉତ୍ତର ନ ଦେଇ ବିମର୍କଟ କଣ୍ଠରେ ବିପୁଳ ଅଭିମାନ, ଅନୁଯୋଗ, ଅନୁରୋଧ ପରିସ୍ଫୁଟ କରି କହିଲା, “ମହାଭାଗ ! ମୁଁ କଣ ନିଷ୍ଠାପର ଭାବରେ ଆପଣଙ୍କୁ ଖଟି ନାହିଁ ? ଆପଣଙ୍କ ଆଶିଷ କାମନାରେ ଅରଣ୍ୟ ବାହାରୁ ଆସୁଥିବା ମଣିଷମାନଙ୍କୁ ମୁଁ ଦେଖିଆସୁଛି । ସେମାନଙ୍କର ଏମିତି କଣ ସଦ୍‌ଗୁଣ ଅଛି ଯାହା ମୋର ନାହିଁ ? ଗୁରୁଦେବ ! ଆପଣ ମୋତେ ଟୋକା ବୋଲି ସମ୍ବୋଧନ କଲେ । ସତ ସତ ମଣିଷ ଟୋକାଟାଏ ବନାଇଦେବାକୁ ଆପଣଙ୍କୁ ବା କେତେ ସମୟ ଲାଗିବ? ”

“ଆରେ ବାବୁ, ଯେଉଁ ଦିନ ତୁ ମୋତେ ପ୍ରଥମେ ଭେଟି ଅକାତରେ କହିପାରିଲୁ କି, ଖାସ୍ ମୋହରି ସେବା ନିମନ୍ତେ ତୁ ତୋ ଲାଙ୍ଗୁଡ ପରିହାର କରିଛୁ; ସଙ୍ଗେ ସଙ୍ଗେ ମୁଁ ବୁଝିଗଲି କି, ତୁ ପ୍ରାୟ ମଣିଷଟାଏ । ତଥାପି ମଣିଷ କରିବାକୁ ହେଲେ ମୋ ଯୋଗିକ ଶକ୍ତିରୁ ପୁଳାଏ ନଷ୍ଟ କରିବାକୁ ହେବ । ବରଂ ଲାଙ୍ଗୁଡଟିଏ ନେଇ ସନ୍ତୁଷ୍ଟ ରହ । ସାରା ଅରଣ୍ୟରେ ତୋହରି ଲାଙ୍ଗୁଡ ହେବ ସବୁଠାରୁ ରମଣୀୟ ।”

କିନ୍ତୁ ବିମର୍କଟ ମଣିଷ ବନିବା ଜିଦିରେ ରହିଲା ଅଟଳ । ବରଦାନର ପ୍ରତିଶୃତି ଦେଇ ତାହା ପୂର୍ଣ୍ଣ ନକରିବା ଘୋର ଅପରାଧ ହୋଇଯିବା ଦୃଷ୍ଟିରୁ ସାଧୁ ତାକୁ ଗୋଟାଏ ମହାର୍ଘ୍ୟ ମନ୍ତ୍ର ଶିଖାଇଦେଲେ ।

ମନ୍ତ୍ରଟି ଆବୃତ୍ତି କରୁଁ କରୁଁ ସରୋବର ଉପରକୁ ଝୁଙ୍କି ହୋଇ ରହିଥିବା ଗୋଟାଏ ବୃକ୍ଷାଗ୍ରରୁ ପାଣିକୁ ଲମ୍ଫଦେଇ ବୁଡି ଉଠିବା ବେଳକୁ ସେ ମଣିଷ ରୂପ ପ୍ରାପ୍ତ ହୋଇସାରିଥାଏ । ବସ୍ତୁତଃ ଅରଣ୍ୟ ଆଖପାଖର ଗାଁ ଗଣ୍ଡାରେ ତରୁଣମାନଙ୍କ ତୁଳନାରେ ତା ଚେହେରା ଥିଲା ଅଧିକ ଆକର୍ଷଣୀୟ ।

ପୁଲକିତ ବିମର୍କଟ ମର୍କଟସୁଲଭ ହୁଙ୍କାର ଦିଅନ୍ତେ ସାଧୁ ତାକୁ ତା ନୂତନ ସଂସ୍କରଣ ସଂପର୍କରେ ସଚେତନ କରିଦେଲେ । ବିମର୍କଟ ଜିଭ କାମୁଡିଲା ।

“ଏଣିକି ତୋ ନାମ ହେଲା ମହାମର୍କଟ !” ଏହା କହି ସାଧୁ ବୁଝାଇଦେଲେ- ଯେମିତି ମହାପଣ୍ଡିତ ବୋଇଲେ ମୂର୍ଖ, ମହାଯାତ୍ରା ବୋଇଲେ ମୃତ୍ୟୁ, ମହାଶଙ୍ଖ ବୋଇଲେ ଅସ୍ଥି, ସେମିତି ମହାମର୍କଟ ବୋଇଲେ ମଣିଷ । ଏହାପରେ ସାଧୁ ବିଦାୟ ନେଲେ ।

ବିମର୍କଟର ଏ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ଗୋଟାଏ ଉଚ୍ଚାଭିଳାଷୀଣୀ ମର୍କଟ ତରୁଣୀ । ଦିନେ ସେ ଖଣ୍ଡ ଚାକଚକ୍ୟମୟ ପୋଷାକ ଆଣି ବିମର୍କଟ ଆଗରେ ଥୋଇ କହିଲା, “ସାଧୁ ଛାଡିଯାଇଥିବା ସାମାନ୍ୟ କୌପୀନ ଖଣ୍ଡିଏ ଦୁଇଖଣ୍ଡିରେ ତମ ଭଳି ସୁପୁରୁଷ କାମ ଚଳାଇନେବା ମୋର ପସନ୍ଦ ନୁହେଁ । ମୁଁ ଏଗୁଡିକୁ ରାଜନବର ଛାତରୁ ଉଠାଇନେଇ ଆସିଲି । ଏଗୁଡା ପିନ୍ଧିଲେ ତମେ ରାଜପୁତ୍ର ଭଳି ଦିଶିବ ।”

“ଧନ୍ୟବାଦ!”

“କେଇଖଣ୍ଡି ଶାଢି ମଧ୍ୟ ଆଣିଛି ।”

“ କାହିଁକି?”

“ ହାୟ କପାଳ ! ବୁଝୁନାହିଁ”

“ ନା ତ !”

“ତମେ କେତେବେଳେ ଏମିତି ଏକୁଟିଆ ରହିଥିବା ? ଓଃ, ସବୁକଥା କଣ ମୋତେହିଁ ବୁଝାଇବାକୁ ପଡିବ? ”

ଦ୍ୱିଧା- ଦ୍ୱନ୍ଦରୁ ଉତ୍ତୀଣ୍ଣ ହେବା ଅନ୍ତେ ମହାମର୍କଟ ଦେଖିଲା, ମର୍କଟ-କନ୍ୟାର ଇଙ୍ଗିତଟି ବଡ ମଧୁର, ବଡ ଲୋଭନୀୟ । ସେ ତାକୁ ମନ୍ତ୍ର ଶିଖାଇ, ତା ଲାଙ୍ଗୁଡ ଛେଦନ କରି ତାକୁ ଗଛ ଉପରୁ ସରୋବରକୁ ଡିଆଁଇଲା । ସୁନ୍ଦରୀ ଯୁବତୀରୂପେ ସରୋବରରୁ ଉତ୍ତୀର୍ଣ୍ଣ ହେଲା ମର୍କଟକନ୍ୟା ।

ମହାମର୍କଟ ସହ ପରିଣୟ ଅନ୍ତେ ତାର ନାମ ହେଲା ମହାମର୍କଟିକା ।

ଅଚିରେ ମହାମର୍କଟିକା ତା ବାପା, ମାଆ, ଭାଇ ଭଉଣୀ, କକା ଖୁଡୀମାନଙ୍କୁ ମଣିଷରେ ପରିଣତ କରିବା ନିମନ୍ତେ ମହାମର୍କଟକୁ ପ୍ରରୋଚିତ କରିବାରେ ସକ୍ଷମ ହେଲା । ଥରେ ସେମାନେ ମନ୍ତ୍ରଟି ଶିଖିଯିବା ପରେ ସେମାନଙ୍କ ପ୍ରିୟ ପରିଜନବୃନ୍ଦ ତାହା ଜାଣିବାରେ କୌଣସି ଅସୁବିଧା ନଥିଲା ।

କ୍ରମେ ଲାଙ୍ଗୁଡ କର୍ତ୍ତନ ଏବଂ ସରୋବର ମଧ୍ୟକୁ ଲମ୍ଫ ପ୍ରଦାନ ବଳରେ ମର୍କଟର ମାନବରୂପ ପ୍ରାପ୍ତି ଏକ ଦୈନନ୍ଦିନ ଅନୁଷ୍ଠାନ ହେଲା, ମହାମର୍କଟକୁ ଜଣାଇଦେବା ଲୌକିକତା ମାତ୍ର ହୋଇଗଲା । ତେବେ ଚତୁରୀ ମହାମର୍କଟିକା ସମସ୍ତଙ୍କୁ ଧାରଣା ଦେଇଥାଏ କି, ତା ସ୍ୱାମୀ ମନେକଲେ ଯେ କୌଣସି ନବୋଦ୍ଭୂତ ମଣିଷକୁ ପୁନର୍ବାର ମର୍କଟ କରିଦେଇପାରିବ । ଏ ଧାରଣା ଫଳରେ ସମସ୍ତେ ମହାମର୍କଟ ପ୍ରତି ଅନୁଗତ ରହିଥାନ୍ତି । ସମସ୍ତଙ୍କୁ ନୂଆ ନୂଆ ନାମ ଦେବାର ଅଧିକାର କେବଳ ମହାମର୍କଟର ଥାଏ ଏବଂ ସେ ଅନୁଷ୍ଠାନ ତାକୁ ବେଶ୍ ପ୍ରୀତିପ୍ରଦ ହେଉଥାଏ । ସେ ଅଭିହିତ ହେଉଥାଏ ମହାମହିମ ରାଜକୁମାର ମହାମର୍କଟ ଭାବରେ ।

ଅରଣ୍ୟ ନବୋଦ୍ଭୂତ ମଣିଷମାନଙ୍କ ବସତିରେ ପରିଣତ ହେଲା । ସେମାନଙ୍କ ସ୍ୱଭାବରୁ ମର୍କଟତ୍ୱ ଦୂର ହୋଇନଥିବାରୁ ସେମାନେ ଗାଁଗଣ୍ଡା ଏବଂ ଅଦୁର ସହର ବଜାରରୁ ଲୁଗାପଟା ଓ ନାନାଦି ସୁଖାଦ୍ୟ ନିୟମିତ ଚୋରିକରିଆଣି ସୁଖରେ କାଳାତିପାତ କରୁଥାନ୍ତି ।

ବନଗହନରେ ଘଟିତ ଏମନ୍ତ ରୋମାଞ୍ଚକର ଘଟଣା ସଂପର୍କରେ ଜନପଦର ଲୋକେ ଜାଣୁନଥିଲେ ।

ଦିନେ ରାଜକନ୍ୟା ଓ ସଖୀଗଣ କ୍ରୀଡା ତଥା ଜଳକ୍ରୀଡା ଅଭିପ୍ରାୟରେ ବନସ୍ତକୁ ଆସିଲେ । ଦେହରକ୍ଷୀମାନେ ଟିକିଏ ଦୂରରେ ରହିଲେ । ତରୁଣୀମାନେ ଖିଲି ଖିଲି ହସରେ ବାତାବରଣକୁ ତରଙ୍ଗାୟିତ କରି ଲୁଚକାଳି ଖେଳୁଥାନ୍ତି । ଅସାମାନ୍ୟା ଲାବଣ୍ୟବତୀ ରାଜକୁମାରୀ ଗୋଟାଏ ବୁଦା ଆଢୁଆଳରେ ଲୁଚିଥିବା ବେଳେ ମହାମର୍କଟ ତାର କେତେକ ଅନୁଚରଙ୍କ ସହାୟତାରେ ତାଙ୍କୁ ହରଣଚାଳ କରିନେଇ ଗୋଟାଏ ଗୁମ୍ଫାରେ ରଖିଲା । ତା ପରେ ହତବାକ୍ ସଖୀମାନଙ୍କୁ ଏହି ମର୍ମରେ ବିଜ୍ଞପ୍ତି ଦିଆଗଲା କି, ରାଜକୁମାରୀ ମହାମହିମ ରାଜକୁମାର ମହାମର୍କଟର ମହିଷୀ ହେବାକୁ ସ୍ୱୀକୃତି ନ ଦେଲେ ସେମିତି ବନ୍ଦିନୀ ଭାବରେହିଁ କାଳ କାଟୁଥିବେ । ରାଜା ମଧ୍ୟ ମହାମର୍କଟକୁ ଜଣେ ସାମନ୍ତ ରାଜାର ସ୍ୱୀକୃତି ଦେବା ଚାହି ।

ଯୋଜନା ସୁରୁଖୁରୁରେ ଅଗ୍ରସର ହେବା ଭଳି ଲାଗୁଥିଲା; କିନ୍ତୁ ହଠାତ୍ ପାଗଳୀନୀ ପ୍ରାୟ ଚିତ୍କାର କଲା, ମୁଣ୍ଡ ପିଟିଲା, ଯାହାକୁ ଦେଖିଲେ ତାକୁ ବିଦାରିପକାଇବାକୁ ଉଦ୍ୟତ ହେଲା ମହାମର୍କଟିକା । କହିବା ବାହୁଲ୍ୟ, ଆରନ୍ୟକ ସାମନ୍ତ ରାଜ୍ୟରେ ମହାମର୍କଟର ଅଭିଷେକ ହେବ ଏବଂ ସେ ହେବ ରାଣୀ, ଏହା ଥିଲା ତାର ସ୍ୱପ୍ନ ।

ଦୈବାତ ସେତିକିବେଳେ ଘଟିଲା ସାଧୁଙ୍କ ପ୍ରତ୍ୟାବର୍ତ୍ତନ । ମହାମର୍କଟିକା ତାଙ୍କ ପାଦତଳେ କଚାଡି ପଡି ସବୁ ଘଟଣା ଗପିଗଲା ।

ସେଯାଏ ସାଧୁଙ୍କର ଜଟା ଛିଣ୍ଡାଇବାର ଆବଶ୍ୟକତା ପଡିନଥିଲା । ସେଦିନ ସେ ଖିଏ ଛିଣ୍ଡାଇ ତଳେ କଚାଡିଦେଲେ ଏବଂ କ୍ରୋଧାନ୍ୱିତ କଣ୍ଠରେ ଅସ୍ପଷ୍ଟ ମନ୍ତଟିଏ ବୋଲି “ପୁନର୍ମର୍କଟ ଭବ” ବୋଲି ଆବୃତ୍ତିର ଉପସଂହାର କଲେ । କିନ୍ତୁ କ୍ରୋଧାଧିକ୍ୟ ହେତୁ ପାଟି ଖନିବାଜିବାରୁ ମନ୍ତ୍ରଟି ଯଥାର୍ଥ ଭାବରେ ଉଚ୍ଚାରିତ ହୋଇନଥିବାରୁ ତଥା ଅଭିଶାପର ପୂର୍ଣ୍ଣ ରୂପାୟନ ଦିଗରେ ସେ ଆଉ କେତେକ ଅନୁଷ୍ଠାନ କରିନଥିବାରୁ ସେ ନବୋଦ୍ଭୂତ ମଣିଷମାନେ ଆକୃତିରେ ମଣିଷହିଁ ରହିଲେ; କିନ୍ତୁ ସମସ୍ତଙ୍କର ପଶ୍ଚାଦ୍ଦେଶରେ ଚମକିଉଠିଲା ଏକ ଏକ ଲାଙ୍ଗୁଡ଼ ।

ଅର୍ଥାତ୍ ରଙ୍ଗ-ବେରଙ୍ଗର ଚୋରା ପୋଷାକ ପିନ୍ଧି ସାଲୁବାଲୁ ହେଉଥାନ୍ତି ଲାଙ୍ଗୁଳଧାରୀ ଶତାଧିକ ମଣିଷ ।

କିଛି ସମୟ କିଂକର୍ତ୍ତବ୍ୟ ବିମୂଢ ରହିବା ଉତ୍ତାରୁ ମହାମର୍କଟ ନେତୃତ୍ୱରେ ସମସ୍ତେ କନ୍ଦକଟା କରି ସାଧୁବାବାଙ୍କୁ କ୍ଷମାଚରଣ ନିମନ୍ତେ ପ୍ରାର୍ଥନା କରି ତଳେ ଗଡିବାକୁ ଲାଗିଲେ ।

“ଦେଖ, ଥରେ ଅଭିଶାପ ଉଚ୍ଚାରିତ ହେଲେ ତାହାର ପ୍ରତ୍ୟାହାର ସମ୍ଭବପର ନୁହେଁ; ତେବେ ସଂଶୋଧନ ସମ୍ଭବ । ତମମାନଙ୍କ ଲାଙ୍ଗୁଡଟିମାନ ଅଦୃଶ୍ୟ ହୋଇଯିବ । କିନ୍ତୁ ତମେମାନେ ଯେହେତୁ ମାନବରୂପ ଧାରୀ ମର୍କଟ, ଲାଙ୍ଗୁଡର ଅଭାବ ତମେମାନେ ଭୀଷଣ ଭାବରେ ଅନୁଭବ କରିବାକୁ ବାଧ୍ୟ; ତାକୁ ଝୁରି ହେବ ମଧ୍ୟ । ବିଲୁପ୍ତ ଲାଙ୍ଗୁଡ ସନ୍ଧାନରେ ତମେମାନେ ଭିଆଇବ ନାନାଦି ବିଷମ, ବିଚିତ୍ର ଓ ବୀଭତ୍ସ ବ୍ୟାପାର ।

ଇତିମଧ୍ୟରେ ଗୁମ୍ଫା ଭିତରେ ରାଜକୁମାରୀ ତାଙ୍କୁ ଜଗିଥିବା ପ୍ରହରୀ ଦୁହିଁଙ୍କ ସଦ୍ୟୋଦ୍ଭୂତ ଲାଙ୍ଗୁଡ ଦୁଇଟି ନିର୍ମମ ରୀତିରେ ମୋଡିଦେଇ, ସେମାନଙ୍କୁ ଆର୍ତ୍ତନାଦ କରିବାରେ ବ୍ୟସ୍ତ ରଖି ପଳାଇଆସିଲେ । ଅଦୂରରେ ଅପେକ୍ଷମାଣ ଦେହରକ୍ଷୀମାନେ ମଧ୍ୟ କିଛି ବିଭ୍ରାଟର ଆଭାସ ପାଇ ସେଠାରେ ପହଞ୍ଚିଯାଇ ରାଜକୁମାରୀଙ୍କ ନିର୍ଦ୍ଧେଶରେ ଲାଙ୍ଗୁଡବନ୍ତ ମଣିଷଗୁଡିକୁ ନିର୍ଧୂମ୍ ପିଟିଗଲେ ।

ଲାଙ୍ଗୁଡଗୁଡିକ ଅବଶ୍ୟ କ୍ରମେ ଅନ୍ତର୍ହିତ ହେଉଥିଲା । ସେହି ଅବସ୍ଥାରେ ସେ ମଣିଷରୂପୀ ମାଙ୍କଡମାନେ ବଣ ଛାଡି ପଳାୟନକଲେ ଓ ଦୂରଦୂରାନ୍ତର ବ୍ୟାପିଗଲେ ।

ଶହ ଶହ ବର୍ଷ ଭିତରେ ସେମାନଙ୍କର ବିପୁଳ ବଂଶବୃଦ୍ଧି ହେଲା; ସେସବୁ ଅସ୍ୱାଭାବିକ ବଂଶଧରମାନେ ଅଦ୍ୟାବଧି ସେମାନଙ୍କ ବିଲୁପ୍ତ ଲାଙ୍ଗୁଡସମୂହର ସନ୍ଧାନରୁ ବିରତ ହୋଇପାରିନାହାନ୍ତି । ସେହି ଦୁର୍ନିବାର ଅଭାବବୋଧ ଯୋଗୁଁ ସେମାନେ ନୃତ୍ୟ ନାମରେ ଛଟପଟ ହୁଅନ୍ତି, ଗୀତ ବୋଲିବା ଆଳରେ ଅସବ୍ୟ ଅଶ୍ଳୀଳ ଅଙ୍ଗଭଙ୍ଗୀ କରନ୍ତି ଏବଂ ସେଭଳି ବିକୃତିସବୁକୁ ଆଧୁନିକ ନାମମାନ ଦିଅନ୍ତି । ସେମାନଙ୍କ ଏବଂ ବିଧ କାର୍ଯ୍ୟକଳାପର ଗୋଟାଏ ଦୁର୍ଭାଗ୍ୟଜନକ ଦିଗ ହେଲା,ଦର୍ଶକ ଓ ଶ୍ରୋତାମାନଙ୍କ ସତ୍ତାରେ ସୁଷୁପ୍ତ ମାଙ୍କଡାମିକୁ ତାହା ଉଜ୍ଜୀବିତ ଏବଂ ଉତ୍‌କ୍ଷିପ୍ତ କରାଏ ।

ସାଆନ୍ତେ ତାଙ୍କ ବର୍ଣ୍ଣନା ଓ ବିଶ୍ଳେଷଣ ଶେଷ କରି ପ୍ରଶ୍ନକଲେ,“ଅବୋଲ, ଏଥର ବୁଝିଲୁ?”

“ବୁଝିଗଲି ଆଜ୍ଞା! ହାୟ ଅନାଗତ ବିଂଶ ଏବଂ ଏକବିଂଶ ଶତାବ୍ଦୀ ! ହାୟ ମଣିଷର ମାର୍କଟିକ ଭବିଷ୍ୟତ୍ ! ”- ଗଣ୍ଠିଲି ଉଠାଉ ମନ୍ତବ୍ୟ ଦେଲା ଅବୋଲକରା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top