ଗଳ୍ପ

ବିଶାଳ ହୃଦୟ

Asish Ranjan Dash's odia story Bishaala Hrudaya

ଆପଣ ଯାଆନ୍ତୁ ମାଡାମ୍, ମୁଁ ଠିକ୍ ଅଛି ।

ବିଶାଳ ହୃଦୟ

“ଭଗବାନ କାହିଁକି ଏମିତି ଅବିଚାର କରନ୍ତି ? କାହାକୁ ଖୁସିର ସମ୍ଭାର ତ କାହାକୁ ଦୁଃଖର ପାହାଡ । କଣ ତାଙ୍କ ଇଚ୍ଛା ? ସେ ହିଁ ଜାଣନ୍ତି ।” ଏମିତି ଭାବି ଭାବି, ଛୋଟେଇ ଛୋଟେଇ ଚାଲୁ ଥାଏ ଆଶୁତୋଷ । ବ୍ୟାଙ୍କ ଆସି ଥିଲା, ଭଉଣୀ ବାହାଘର ପାଇଁ ଯୌତୁକ ଟଙ୍କା ଉଠାଇବାକୁ । ଫେରିବା ବାଟରେ ରାସ୍ତା ପାର ହେଉ ହେଉ ଟ୍ରାଫିକ୍ ଭିତରୁ ଗୋଟିଏ କାର ଆସି ତାକୁ ଧକ୍କା ଦେଲା, ତାର ବାଆଁ ଗୋଡ଼ରେ ଜୋରରେ ଆଘାତ ଲାଗି ଗଲା । କାର ଭିତରୁ ଗୋଟିଏ ସୁନ୍ଦରୀ ତରୁଣୀ ବାହାରି ଆସିଲେ । ଆଖପାଖର ଲୋକ ମାନେ ତାଙ୍କୁ ଘେରି ଯାଇ ଗାଳି କରିବାକୁ ଲାଗିଲେ । “ବଡ ଲୋକର ଝିଅ ବୋଲି ଏତେ ଗର୍ବ ? ରାସ୍ତାରେ ଲୋକ ଦେଖା ଯାଉ ନାହାନ୍ତି ଏମାନଙ୍କୁ… ଭାଙ୍ଗି ଦିଅ ତା ଗାଡି… ସବୁ ମେଡିକାଲ ଖର୍ଚ୍ଚ ଦବ ତା ପରେ ଯାଇ ଛାଡିବୁ । ନହେଲେ କାର ରହିବ ଆଜି ଏଠି ।”

ଆଶୁତୋଷ ବାଧା ଦେଇ କହିଲା, “କିଛି ହେଇନି ମୋର । ମୁଁ ଠିକ୍ ଅଛି । ଗୋଡରେ ଟିକେ ଆଘାତ ଲାଗିଛି । ଆପେ ଠିକ୍ ହେଇ ଯିବ । ମେଡିକାଲ କଣ ପାଇଁ ଯିବି?”

ଝିଅଟି କାନ୍ଦିବା ଆରମ୍ଭ କରି ଦେଲା । ଆଶୁତୋଷ ତା ପାଖକୁ ଯାଇ କହିଲା, “ଆପଣ ଯାଆନ୍ତୁ ମାଡାମ୍, ମୁଁ ଠିକ୍ ଅଛି ।” ଝିଅଟି ଆଶୁତୋଷ କୁ କ୍ଷମା ମାଗିଲା ଆଉ ତା ନା ଆଉ ଠିକଣା ମାଗି ରଖିଲା । କହିଲା, “ମୁଁ କାଲି ଆପଣଙ୍କ ଘରକୁ ଆସିବି, ଆପଣଙ୍କ ଭଲ ମନ୍ଦ ପଚାରି ବୁଝିବି । ମୋ ବାପା ଜଣେ ଡକ୍ଟର । ତାଙ୍କୁ ବି ନେଇକି ଯିବି ସାଙ୍ଗରେ । ସେ କାଲି ହିଁ ଆସି ପହଞ୍ଚିବେ ।”

ହଠାତ୍ ଆଶୁତୋଷର ମନେ ପଡିଲା ଆଜି ତ ଡିସେମ୍ବର ୨୧ ତାରିଖ । ମୋନା ର ବାହାଘର । ମୋନା ତା ସାଙ୍ଗ ରଞ୍ଜନର ଭଉଣୀ । ରଞ୍ଜନର ଗତ ବର୍ଷ ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ ହେଇ ଯାଇ ଥିଲା । ସେ ସମୟରେ ମୋନାର ବାହାଘର ଠିକ୍ ହେଇ ବି ହେଇ ପାରି ନଥିଲା ।

ଗତ ରବିବାର ଦିନ ମଉସା ଆସି କାର୍ଡ ଦେଇ ଗଲେ । କହିଲେ, “ନିଶ୍ଚୟ ଆସିବୁ ପୁଅ, ତୁ ତ ଆମର ଆଉ ଗୋଟେ ପୁଅ । ରଞ୍ଜନ ତ ଚାଲିଗଲା । ମୋନାର ବାହାଘର ଟା ସରିଗଲେ ଆମେ ଦୁଇଜଣ ବୁଢ଼ା ବୁଢୀ ଆଉ କିଛି ଦିନ କାଟି ଦବୁ ସାଥୀ ହେଇ ।” କହୁ କହୁ ସେ କାନ୍ଦି ପକେଇଲେ ।

ଆଶୁତୋଷ ଭାବିଲା ଘରକୁ ଯିବା ବାଟରେ ହିଁ ପଡ଼ିବ ମଣ୍ଡପ । ତେଣୁ ଯାଇ ଭଲ ମନ୍ଦ ପଚାରି ଦେଇ ଯିବ । ଅଟୋ ରେ ଯାଇ ପହଞ୍ଚିଲା ମଣ୍ଡପ ଠାରେ । ସବୁ କିଛି ପ୍ରସ୍ତୁତ । ବ୍ରାହ୍ମଣ ଘର । ଦିନ ବାହାଘର । ବର ଆସି ପାଖାପାଖି ହେଲାଣି । ମଉସା ଅନୁରୋଧ କଲେ ବରଯାତ୍ରୀ ଚର୍ଚ୍ଚା କରି ଦେଇ ଯିବାକୁ, ତେଣୁ ଅଗତ୍ୟା ମନା କରି ପାରିଲାନି । କହିଲା, “ମଉସା, ବ୍ୟାଗ୍ ଟିକୁ ଆଲମାରୀ ରେ ରଖି ଦେଇ ଥାଅ, ମୁଁ ଗଲାବେଳେ ନେଇ ଯିବି ।

ତା ପରେ ସେମିତି ଅବସ୍ଥାରେ ହିଁ ବରଯାତ୍ରୀ ଚର୍ଚ୍ଚା କଲା ଆଶୁତୋଷ । ବରଯାତ୍ରୀ ମାନେ ଯେମିତି ଅଭଦ୍ରାମି କରୁଥିଲେ, ତାକୁ ରାଗ ଲାଗୁଥିଲା । କିନ୍ତୁ କିଛି କହିଲାନି । ସମସ୍ତେ ପ୍ରାୟ ମାତାଲ ଅବସ୍ଥାରେ ଥାନ୍ତି । ଆଶୁତୋଷ ହଠାତ୍ ଶୁଣିପାରିଲା ବେଦୀ ପାଖରେ କଣ ଗୋଟେ ପାଟି ତୁଣ୍ଡ ହେଉଚି । ପାଖକୁ ଯାଇ ଦେଖିଲା ମଉସା କାକୁତି ମିନତି ହେଇ କହୁଛନ୍ତି, “ଆଜି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବ୍ୟାଙ୍କ ଯାଇ ହେଲାନି । ଆଉ କେହି ବି ନାହାନ୍ତି ଯାହାକୁ ଏତେ ଟଙ୍କା ଆଣିବାକୁ ପଠାଇ ପାରିବି । ମୁଁ ଆପଣଙ୍କୁ କଥା ଦଉଛି, କାଲି ସକାଳୁ ମୁଁ ନିଜେ ଯାଇ ଦେଇ ଆସିବି ଆପଣଙ୍କ ଘରେ । “ବର ପିତା କହିଲେ, “ଏଇ ବାହାଘର ହେଇ ପାରିବନି । ଆଗ ଦୁଇ ଲକ୍ଷ ଟଙ୍କା ଆଣ, ତା ପରେ ଯାଇ ବାହାଘର ହବ ।”

ଆଶୁତୋଷ କହିଲା, “ମଉସା, ମୁଁ ଆପଣଙ୍କୁ ଯୋଉ ବ୍ୟାଗ୍ ଟି ଦେଇଚି, ସେଥିରେ ଦୁଇ ଲକ୍ଷ ଟଙ୍କା ଅଛି । ମୁଁ ଏବେ ନେଇକି ଆସିଲି ବ୍ୟାଙ୍କରୁ । ଆପଣ ସେଇ ଟଙ୍କା ଯୌତୁକ ବାବଦକୁ ଦେଇ ଦିଅନ୍ତୁ । ମୋତେ କାଲି ଫେରାଇଲେ ଚଳିବ । ମୋର ବି କିଛି କର୍ତ୍ତବ୍ୟ ଅଛି, ଅପଣଙ୍କ ପ୍ରତି, ମାଉସୀଙ୍କ ପ୍ରତି ଆଉ ମୋନା ପ୍ରତି !!”

ମୋନା ଲୁଚି ଲୁଚି ସବୁ ଶୁଣୁଥିଲା । ହଠାତ୍ ବାହାରକୁ ଆସି କହିଲା, “ବାପା, ଏଇ ଯୌତୁକ ଲୋଭୀ ଲୋକଙ୍କ ପରିବାର କୁ ମୁଁ ଯଦି ବୋହୁ ହେଇ ଯାଏ, କାଲି ସକାଳେ ଆଉ ଟଙ୍କା ଲୋଭରେ ସେମାନେ ମତେ ମାରି ନ ଦେବେ ଏକଥା କିଏ କହିବ ? ଏମାନଙ୍କୁ ଏଠୁ ଜଲଦି ବିଦା କର । ଯାହାର ମୋ ବାପାଙ୍କ ଉପରେ ବିଶ୍ୱାସ ନାହିଁ, ସିଏ ମୋ ଉପରେ କଣ ବିଶ୍ୱାସ କରିବ? ଯୋଉଠି ବିଶ୍ୱାସ ନାହିଁ, ସେ ସମ୍ପର୍କ ର ମାନେ କିଛି ନାହିଁ । ମୁଁ ଆଶୁତୋଷଙ୍କୁ ପିଲାଟି ଦିନରୁ ଭଲ ପାଏ । ତାଙ୍କ ହୃଦୟ ଯେମିତି ନିର୍ମଳ, ସେମିତି ସେ ଅଖଣ୍ଡ ବିଶ୍ୱାସ କରନ୍ତି ଆମ ପରିବାର ଉପରେ । ମୁଁ ଏକଥା ଆଗରୁ କହି ନଥିଲି କାରଣ ଭାଇ ଆମକୁ ଭୁଲ ବୁଝି ଥାନ୍ତା । ଯଦି ଭାଇ ଆଜି ଥାନ୍ତା, ସିଏ ବି ଆମ କଥାରେ ଅରାଜି ହେଇ ନଥାନ୍ତା । ଖାଲି ଆଶୁତୋଷ ଙ୍କ ମତ କଣ ଏକଥା ଜାଣିବାର ଅଛି ମତେ । ସେ ଯଦି ରାଜି ନ ହୁଅନ୍ତି, ତେବେବି ମୁଁ ଏଇ ଲୋଭୀ ଘରକୁ ବୋହୁ ହେଇ ଯିବିନି । ଏମାନଙ୍କୁ ବାହାର କର ଏଠୁ । ମତେ ଘୃଣା ଲାଗୁଚି ଏଇ ଯୌତୁକ ଲୋଭୀ ରାକ୍ଷସ ମାନଙ୍କୁ ଦେଖି ।”

ଆଶୁତୋଷର ସ୍ମିତହାସ୍ୟ ପ୍ରକାଶ କରୁଥିଲା ଏଥିରେ ତାର ଆପତ୍ତି ନାହିଁ । ମୋନା ଯେମିତି ସୁନ୍ଦରୀ, ସେମିତି ବୁଦ୍ଧିମତୀ ମଧ୍ୟ । ଟିକେ ଭାବି କହିଲା ଆଶୁତୋଷ, “ମୋର ଏଥିରେ ଆପତ୍ତି ନାହିଁ, ମୋ ଭଉଣୀ ବାହାଘର ପରେ ଏଇ ବାହାଘର ହବ । ଏହା ମୋର ଏକମାତ୍ର ସର୍ତ । ମଉସା କହିଲେ,”ବର ବେଦୀ ପାଖରୁ ଫେରିଗଲେ ଅଶୁଭ । “ମୋନା ବାଧା ଦେଇ କହିଲା,”ଶୁଭ ଅଶୁଭ ସବୁ ମାନର ଭ୍ରମ ବାପା, ଆମେ ଏକବିଂଶ ଶତାବ୍ଦୀର ମଣିଷ । ଏସବୁ ମାନିବା ଉଚିତ୍ ନୁହଁ । ମୁଁ ଆଶୁତୋଷଙ୍କ କଥାରେ ରାଜି । ମୋର ତାଙ୍କ ଉପରେ ସେ ବିଶ୍ୱାସ ଅଛି । ଯାହାର ହୃଦୟ ଏତେ ବିଶାଳ, ତାଙ୍କୁ ମୋ ଜୀବନସାଥି ରୂପେ ପାଇବାକୁ ମୁଁ ବର୍ଷ ବର୍ଷ ଅପେକ୍ଷା କରି ପାରେ ।”

ଲୋକପ୍ରିୟ ଲେଖା

To Top