ଗଳ୍ପ

ବିଶୁଭାଇ ଲେଣ୍ଡିଂ ଲାଇବ୍ରେରୀ

ସେ ଚାକିରି କଲା ପରେ ବହୁ ପ୍ରସ୍ତାବ ଆସିଥିଲା । ସେ ମଧ୍ୟ ବହୁ ଝିଅ ଦେଖିଥିଲେ, କେହି ତାଙ୍କ ମନକୁ ଗଲା ନାହିଁ । ତାଙ୍କ ଅଞ୍ଚଳରେ ସେ ସମୟରେ ତାଙ୍କୁ କହୁଥିଲେ “ଚଖା” । କିଛିଦିନ ପରେ ଆଉ ପ୍ରସ୍ତାବ ଆସିଲା ନାହିଁ ।

ବିଶୁଭାଇ ଲେଣ୍ଡିଂ ଲାଇବ୍ରେରୀ

ବିଶ୍ୱନାଥ ପ୍ରଧାନଙ୍କୁ ଆମେ ବିଶୁଭାଇ ଡାକୁଥିଲୁ ।

ଏମ.ଏ. ପରେ ଚାକିରି ନ ପାଇ ବେକାର ଥିଲାବେଳେ ବିଶୁଭାଇ ମୋର ଅନ୍ତରଙ୍ଗ ହୋଇ ଯାଇଥିଲେ । ଚାକିରିପାଇଁ ଯେତେବେଳେ ତାଙ୍କ ଗାଁ ପାଖ ସହରରେ ନିଯୁକ୍ତି ପାଇଲି ତାଙ୍କ ସହ ସମ୍ପର୍କ ଘନିଷ୍ଠ ହୋଇ ଯାଇଥିଲା ।

ସେତେବେଳେ ବୀର ସୁରେନ୍ଦ୍ର ସାଏ ନଗର ନୂଆ ନୂଆ ବସୁଥିଲା । କୋଳାହଳ ନଥିଲା, ଦୋକାନ ବଜାର ବଢ଼ି ନ ଥିଲା । ଉଚ୍ଚବର୍ଗର ଚାକିରିଜୀବୀ ସେ ଅଞ୍ଚଳରେ ରହିବାକୁ ପସନ୍ଦ କରୁ ନ ଥିଲେ । ମୁଖ୍ୟତଃ କିରାଣି ଶ୍ରେଣୀ କିମ୍ୱା ସମଆୟ ଗୋଷ୍ଠୀର ଲୋକ ସେ ଅଞ୍ଚଳରେ ରହୁଥିଲେ । ଅନ୍ୟ ଅଞ୍ଚଳ ଅପେକ୍ଷା ଘର କମ୍ ଭଡ଼ାରେ ମିଳୁଥିଲା । ମୋ ପରି କିଛି ବେକାର, ଦୁଇ ତିନି ଜଣ ମିଶି ଘର ଭଡ଼ା ନେଇ ରହୁଥିଲେ ଏବଂ ଚାକିରି ପାଇଁ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଅବଶ୍ୟ ଯେଉଁଁମାନଙ୍କର ନିଜ ଘରଥିଲା, ଚାକିରିରୁ ଅବସର ନେଇସାରିଥିଲେ ସେମାନେ ରହୁଥିଲେ ଏବଂ କିଛି ନିଜର ଘରଥିବା ବ୍ୟବସାୟୀ ଏବଂ କଣ୍ଟ୍ରାକ୍ଟର ବି ରହୁଥିଲେ ।

ରାସ୍ତା କଡ଼ରେ ମଉସାର ଚା’ ଜଳଖିଆ ଦୋକାନ । ମଉସା ହିସାବରେ ପରିଚିତ, ତା’ ନାମ କେହିପଚାରୁ ନ ଥିଲେ କିମ୍ୱା ଜାଣି ନ ଥିଲେ । ବାଉଁଶ ଖୁଣ୍ଟିରେ ନିର୍ମିତ ତା’ର ଝୁମ୍ପୁଡ଼ି ହୋଟେଲ ଘର । ଚା’ ଜଳଖିଆ ସହିତ ଅଳ୍ପ କେତେକଙ୍କପାଇଁ ମିଲ୍ସ ବି ସେ କରୁଥିଲା । ପାଖରେ ଫଗୁର ପାନ ଦୋକାନ । ସକାଳ ଚା’ ପିଇବାକୁ ଆମେ ପହଞ୍ଚି ଯାଉଥିଲୁ, ବିଶୁଭାଇ ମଧ୍ୟ ଆସୁଥିଲେ । ଚା’ ପିଆ ହେଉଥିଲା, ଖବରକାଗଜ ଉପରେ ଆଖି ବୁଲେଇ ଆଣୁଥିଲୁ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ କିଛି ଝିଅ କାମ କରୁଥିଲେ । ସେମାନେ ତାଙ୍କ ଡ୍ୟୁଟିକୁ ସେଇବାଟେ ଯାଉଥିଲେ । ପାଖାପାଖି ଗୋଟିଏ ଇଂରାଜୀ ମିଡ଼ିୟମ୍ ସ୍କୁଲ ଚାଲୁଥିଲା । ମୁଖ୍ୟତଃ, ମା’ମାନେ ସେମାନଙ୍କ କୁନି କୁନି ପିଲାମାନଙ୍କୁ ସ୍କୁଲରେ ଛାଡ଼ିବାକୁ ଆସୁଥିଲେ । ମା’ମାନେ ତାଙ୍କ ପିଲାଙ୍କୁ ସ୍କୁଲରେ ଛାଡ଼ି ଫେରିବା ପର୍ଯ୍ୟନ୍ତ ଆମର ସକାଳ ଚା’ପାନ ପର୍ବ ଚାଲୁଥିଲା ।

ସଞ୍ଜ ସାଢେ଼ ପାଞ୍ଚ ଛଅଟା ବେଳକୁ ସେଠି ଖଟି ବସୁଥିଲା । ବୀର ସୁରେନ୍ଦ୍ର ସାଏ ନଗର, ସହିଦ ନଗର, ଆଚାର୍ଯ୍ୟ ବିହାର ଏବଂ ଜଣେ ଦୁଇଜଣ ୟୁନିଟ୍-୯ ରେ ରହୁଥିବା ଆମର ବେକାର ବନ୍ଧୁ ପହଞ୍ଚି ଯାଉଥିଲେ । ଚା’ପାନ, ସିଗାରେଟ୍ ଟଣା, ପାନଖିଆ ସହିତ ଆଲୋଚନା ଚାଲୁଥିଲା । ଆଲୋଚନାର କିଛି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ନଥିଲା । ଯାହା କୁହନ୍ତି, ଢେଙ୍କିଶାଳରୁ ଢେଙ୍କାନାଳ ଯାଏ, ବୀର ସୁରେନ୍ଦ୍ରସାଏ ନଗରର କିଶୋରୀ ପ୍ରେମଠୁ ଲଣ୍ଡନର ପାମେଲା ବୋଡ଼ର୍‌ସ ପ୍ରେମ ବ୍ୟାପାର, ଗାଁ ରାଜନୀତିରୁ ଆମେରିକାର ରିପବ୍ଲିକାନ୍-ଡେମୋକ୍ରାଟ୍ କିମ୍ୱା ଗ୍ରେଟ୍‌ବ୍ରିଟେନ୍ର ଲେବର-ଟୋରିପଲିଟିକ୍ସ, ସବୁକିଛି ଆଲୋଚନା ପରିସରକୁ ଆସୁଥିଲା । ଅବଶ୍ୟ ବେଶୀ ସମୟ ଆଲୋଚନାର ବିଷୟବସ୍ତୁ ରହୁଥିଲା କ୍ରିକେଟ । ଆମ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ ବିଶୁଭାଇ, ସେ ଖଟିର ଏକ ସ୍ଥାୟୀ ସଦସ୍ୟ ବନି ଯାଇଥିଲେ ।

ଆମେ ବେକାର ଥିଲୁ । ବିଶୁଭାଇ ଚାକିରିରୁ ଅବସର ନେଇ ସାରିଥିଲେ । ସେ ମିଲିଟାରୀରେ ଥିଲେ, ଅବସର ନେଇ ଅନ୍ୟ କିଛି କରିବାପାଇଁ ଚିନ୍ତା କରୁଥିଲେ । ଏକ୍ସ ମିଲିଟାରୀ ପର୍ସୋନେଲ୍ ହିସାବରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସବୁ ଚାକିରି ପାଇଁ କିଛି ସ୍ଥାନ ସଂରକ୍ଷଣ ଥିଲା । ତାଙ୍କୁ ଚାଳିଶବର୍ଷ ହୋଇ ନ ଥିଲା । କିନ୍ତୁ ସେ ଚାକିରି କରିବେ ନାହିଁ ବୋଲି କହୁଥିଲେ । ତାଙ୍କୁ ପେନ୍‌ସନ୍ ମିଳୁଥିଲା । କ’ଣ କରିବେ ସ୍ଥିର କରିପାରୁ ନ ଥିଲେ । ତାଙ୍କର କେତେଟା ଗୁଣ ମୋ ଗୁଣ ସହିତ ମେଳ ରହୁଥିଲା । ସେ ସବୁକଥାରେ ବେପରୁଆ ରହୁଥିଲେ । ହଁ, ଯାହାହେବ ଦେଖାଯିବ, ଏମିତି ଏକ ମନୋଭାବ ତାଙ୍କର ଥିଲା ଏବଂ ସେ ପ୍ରଚୁର ବହି ପଢ଼ୁଥିଲେ ।

ମୁଁ ପାଠ ପଢ଼ିଲାବେଳେ ଭବିଶ୍ୟତ ପ୍ରତି ଚିନ୍ତାଶୂନ୍ୟ ଥିଲି । ମେଟ୍ରିକ୍ ପରେ ଆଇ.ଏ., ଆଇ.ଏ. ପରେ ବି.ଏ. ଏବଂ ବି.ଏ. ପରେ ଏମ୍.ଏ. – ଏମିତି ପଢ଼ି ଚାଲିଥିଲି । ଚାକିରି କରିବି ବୋଲି ଭାବୁଥିଲି । କିନ୍ତୁ କି ଚାକିରି କରିବି, କେବେ କରିବି ସେମିତି କିଛି ଚିନ୍ତା କରି ନ ଥିଲି । ଭବିଷ୍ୟତ ପାଇଁ ଯୋଜନା ନ ଥିଲା । ପଢ଼ି ସାରିବା ପରେ ଦେଖାଯିବ, ଯାହା ଗୋଟିଏ ଚାକିରି କରିଦେବା, ଅବଶ୍ୟ ଉଚ୍ଚ ଅଙ୍କର ଦରମା ମିଳୁଥିବା ଚାକିରି । ମୋର ବହି ପଢ଼ିବା ନିଶା ଥିଲା । ଭଲ ବହି ଖଣ୍ଡିଏ ପାଇଲେ, ସବୁକିଛି ଭୁଲି ବହି ଖଣ୍ଡିକ ଧରି ବସି ପଢ଼ୁଥିଲି । ଏପରିକି ପରୀକ୍ଷା ପୂର୍ବଦିନ ଭଲ ଗପଟିଏ ଆଖିର ପଡ଼ିଲେ, ପଢ଼ୁଥିଲି, ଭଲ ବହି ଖଣ୍ଡିଏ ଦେଖିଲେ ପରୀକ୍ଷା ପାଠ ଛାଡ଼ି କିଛି ପୃଷ୍ଠା ପଢ଼ି ଦେଉଥିଲି । ସେଥିପାଇଁ ଏମ୍.ଏ. ପରେ ବେଶ୍ କିଛିଦିନ ମୋତେ ବେକାର ହୋଇ ବସିବାକୁ ପଡ଼ିଲା । ବିଭିନର୍ ଚାକିରିପାଇଁ ଆବେଦନ କରୁଥିଲି, ଚାକିରି ନିମନ୍ତେ ପରୀକ୍ଷା ଦଉଥିଲି । ସେହି ବେକାର ସମୟରେ ବିଶୁଭାଇଙ୍କ ସହ ପରିଚୟ, ବନ୍ଧୁତା । ତାଙ୍କ ବେପରୁଆ ଭାବ ଏବଂ ବହିପଢ଼ା ନିଶା ଆମକୁ ନିକଟତର କରିଥିଲା ।

ବିଶୁଭାଇ ସ୍ପଷ୍ଟବାଦୀ, ନିଷ୍କପଟ ଏବଂ ସରଳ ପ୍ରକୃତିର । ସେ ନିଃସଂକୋଚରେ ସବୁକଥା କହିଦିଅନ୍ତି । ତାଙ୍କର ବାପା ବହୁତ ଗରିବ ଥିଲେ, ତାଙ୍କୁ ଯେତେବେଳେ ଆଠବର୍ଷ ହୋଇଥିଲା, ବାପା ବେମାରପଡ଼ି ଚାଲିଯାଇଥିଲେ । ମା’ ତାଙ୍କୁ ଏବଂ ତାଙ୍କ ତିନି ଭଉଣୀଙ୍କୁ ବହୁ ଦୁଃଖ କଷ୍ଟରେ ବଢେ଼ଇଥିଲେ । ବଡ଼ ଦୁଇ ଭଉଣୀଙ୍କୁ ଜାନି ଯୌତୁକ ସହ ବିବାହ ଦେଇ ନ ଥିଲେ, ଦୁଆରକୁ ତୋଳା କନ୍ୟା ହିସାବରେ ଟେକି ଦେଇଥିଲେ । ବରଘର ଲୋକ ଝିଅକୁ ନେଇଯାଇ ତାଙ୍କଘରେ ବିବାହ କାର୍ଯ୍ୟ ସମ୍ପନ୍ନ କରେଇ ଥିଲେ । ଅବଶ୍ୟ ତୃତୀୟ ଭଉଣୀକୁ ବିଶୁଭାଇ ଚାକିରି କଲାପରେ ବାହା ଦେଇଥିଲେ । ସେ ପିଲାଦିନେ ଭଲ ପଢ଼ୁଥିଲେ । ଗାଁ ସ୍କୁଲ୍‌ରୁ ମେଟ୍ରିକ୍ ପାଶ୍ କରିଥିଲେ । କଲେଜରେ ପଢ଼ିବାକୁ ନ ଥିଲା । ମିଲିଟାରୀରେ ଭର୍ତ୍ତି ହୋଇଗଲେ । ଚାକିରିରେ ରହି ସେ ଘରୋଇ ଭାବେ ବି.ଏ. ପାଶ୍ କରିଥିଲେ । ଚାକିରିରୁ ଅବସର ନେବା ପୂର୍ବରୁ ବୀର ସୁରେନ୍ଦ୍ର ସାଏ ନଗରରେ ସେ ନିମ୍ନ ଆୟଗୋଷ୍ଠୀ ନିମନ୍ତେ ନିର୍ମିତ ବୈଠକ ଘର ସମେତ ଦୁଇ କୋଠରି ବିଶିଷ୍ଟ ଛୋଟ ଘରଟିଏ କିଣିଥିଲେ । ଏକା ରହୁଥିଲେ । ତାଙ୍କର ମା’ ବିଶୁଭାଇ ଅବସର ନେଲା ପୂର୍ବରୁ ଚାଲିଯାଇଥିଲେ । ବିଶୁଭାଇ କହନ୍ତି, ମୋର ପାଠ ପଢ଼ିବାକୁ ପ୍ରବଳ ଇଚ୍ଛା ଥିଲା, ପ୍ରତିକୂଳ ପରିସ୍ଥିତିରେ ପଢ଼ିପାରିଲି ନାହିଁ, ବୋଧହୁଏ ସେଥିପାଇଁ ବହି ପଢ଼ିବା ମୋର ନିଶା ହୋଇଗଲା ।

ସେ ବିବାହ କରି ନ ଥିଲେ ।

କାହିଁକି ବିବାହ କଲେ ନାହିଁ ?

କୌଣସି ଝିଅ ତାଙ୍କର ପସନ୍ଦ ହେଲାନି । ସେ ଚାକିରି କଲା ପରେ ବହୁ ପ୍ରସ୍ତାବ ଆସିଥିଲା । ସେ ମଧ୍ୟ ବହୁ ଝିଅ ଦେଖିଥିଲେ, କେହି ତାଙ୍କ ମନକୁ ଗଲା ନାହିଁ । ତାଙ୍କ ଅଞ୍ଚଳରେ ସେ ସମୟରେ ତାଙ୍କୁ କହୁଥିଲେ “ଚଖା” । କିଛିଦିନ ପରେ ଆଉ ପ୍ରସ୍ତାବ ଆସିଲା ନାହିଁ । ସେ କୁହନ୍ତି, ଅବଶ୍ୟ ମୁଁ କ’ଣ ଚାହୁଁଥିଲି, ବୋଧହୁଏ ଠିକ୍ ଜାଣି ନ ଥିଲି । ଗୋଟିଏ ଝିଅ ଦେଖିଲେ, ତା’ର ଗୁଣନୁହେଁ, ଖୁଣ ହିଁ ମୋ ଆଖିରେ ପଡ଼ୁଥିଲା । ହୋଇପାରେ ଦରିଦ୍ର ପୃଷ୍ଠଭୂମି, ସଂସାର ପ୍ରତି ଅବଚେତନା ମନରେ ବିମୁଖତା ଆଣି ଦେଇଥିଲା । ସଂସାର କରିବାର ସାହସ ମନରେ ନ ଥିଲା । ତା’ର ପରିପ୍ରକାଶ ଘଟୁଥିଲା ପ୍ରସ୍ତାବିତ କନ୍ୟାଙ୍କ ଖୁଣ ଦେଖିବାରେ । କିଛିଦିନପରେ ବିବାହ କରିବାକୁ ଇଚ୍ଛା ହେଲାନାହିଁ । ଗୋଟିଏ ଝିଅର ଖୁଣ ହିଁ ବିଶୁଭାଇଙ୍କ ଆଖିରେ ପ୍ରଥମେ ପଡ଼ୁଥିଲା । ଝିଅ ବା ସ୍ତ୍ରୀ ଲୋକର ମୁହଁ ଓ ଚାହିଁବା ଠାଣି, ଚାଲିବା ଶୈଳୀରୁ ସେ ସେହି ସ୍ତ୍ରୀ ଲୋକର ପ୍ରକୃତି ଓ ସ୍ୱଭାବ ଠଉରେଇ ନେଉଥିଲେ । ସତେ ଯେପରି ସେ ନାରୀ ସୌନ୍ଦର୍ଯ୍ୟ ଓ ସ୍ୱଭାବ ଉପରେ ବହୁ ଅଧ୍ୟୟନ ଓ ଗବେଷଣା କରିଥିଲେ ।

ମଉସାର ଚା’ ଜଳଖିଆ ଓ ଫଗୁର ପାନ ଦୋକାନ ସାମନାରେ ବସୁଥିବା ଖଟିରେ କ୍ରିକେଟ୍, ରାଜନୀତି, ବିଭିନର୍ ସମସ୍ୟା ସହିତ ନାରୀ ଓ ପ୍ରେମ ଉପରେ ବି ଆଲୋଚନା ହେଉଥିଲା । ସବୁ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ ବିଶୁଭାଇ । ବିଶୁଭାଇଙ୍କ ମତାମତ କୁ ସମସ୍ତେ ଗୁରୁତ୍ୱ ଦେଉଥିଲେ । ଯଦିଓ ସେ ଆମ ସହ ମିଶିଯାଉଥିଲେ, ଅନେକ କ୍ଷେତ୍ରରେ ସେ ଆମ ଠାରୁ ଭିନ୍ନ ଥିଲେ । ପ୍ରଥମତଃ ସେ ଜଣେ ପେନ୍‌ସନଭୋଗୀ ବେକାର, ତାଙ୍କର ଭୁବନେଶ୍ୱରରେ ନିଜର ଘରଟିଏ ଥିଲା । ସେ ଭାରତର ବହୁତ ସ୍ଥାନ ଦେଖିଥିଲେ, ଅନେକ ଲୋକଙ୍କ ସହ ମିଶିଥିଲେ । ତାଙ୍କର ପ୍ରଚୁର ଅଭିଜ୍ଞତା ଥିଲା । ଜଣେ ଝିଅ ବା ସ୍ତ୍ରୀ ଲୋକ ଉପରେ ସେ ଯେଉଁ ମତାମତ ଦେଉଥିଲେ ଆମେ ଏକମତ ନ ହେଲେ ବି ଅସ୍ୱୀକାର କରିପାରୁ ନଥିଲୁ, ତାଙ୍କ ମତାମତକୁ ବିଚାର କରୁଥିଲୁ ।

ହୋଟେଲ ମ୍ୟାନେଜ୍‌ମେଣ୍ଟ୍ ଇନ୍‌ଷ୍ଟିଚ୍ୟୁଟ୍‌ରେ ଗୋଟିଏ ଝିଅ ପଢ଼ୁଥିଲା, ସବୁଦିନ ଇନ୍‌ଷ୍ଟିଚ୍ୟୁଟ୍‌ ବସ୍‌ରେ ଆସୁଥିଲା । ଖଟିର ସଦସ୍ୟମାନେ ତା’ ନାମ ଦେଇଥିଲେ ରାଣୀ । ଅନ୍ୟ ଝିଅଙ୍କ ତୁଳନାରେ ତା’ର ବେଶ ଭଲ ଉଚ୍ଚତା, ସୁନ୍ଦର ସ୍ୱାସ୍ଥ, ଲମ୍ୱ ଗହଳ କେଶ । ଖଟିର କିଛି ସଦସ୍ୟ ରାଣୀ ପ୍ରତି ଅଧିକ ଆଗ୍ରହ ଦେଖାଉଥିଲେ । ଦିନେ ବିଶୁଭାଇ କହିଲେ, ତାର ଚେପଟା ନାକ ଏବଂ ଛାମୁ ଦାନ୍ତ ଟିକେ ବଡ଼ । ସେଥିପାଇଁ ଅଧିକାଂଶ ସମୟ ହସେ ନାହିଁ, ହସିଲେ ଦାନ୍ତ ଦିଶିବ । ମୁହଁ ବନ୍ଦକରି ରଖିଥାଏ । ଗର୍ବୀ ଅହଂକାରୀ ପରି ମନେହୁଏ । ପରେ ଆମେ ଯେତେବେଳେ ରାଣୀକୁ ଦେଖୁଥିଲୁ, ପ୍ରଥମେ ଆମ ଆଖି ଚାଲିଯାଉଥିଲା ତା’ ମୁହଁ ଏବଂ ନାକଆଡ଼କୁ । ରାଣୀ ସେତେ ସୁନ୍ଦର ଲାଗୁ ନ ଥିଲା ।

ଖଟିର କିଛି ସଦସ୍ୟ କଲୋନୀର ଅନ୍ୟ ଏକ ବ୍ଲକ୍‌ରେ ରହୁଥିଲେ । ତାଙ୍କ ପାଖାପାଖି ଟେଲିଫୋନ୍ ବିଭାଗରେ ଚାକିରି କରିଥିବା ଜଣେ ବ୍ୟକ୍ତି ରହୁଥିଲେ । ସେ ବ୍ୟକ୍ତିଙ୍କ ସ୍ତ୍ରୀ ସୁନ୍ଦର ଏବଂ ପେଡ଼ାଶୀ ସ୍ତ୍ରୀ ମାନଙ୍କ ସହ ଗପସପ ବେଳେ ସେ ଦାବି କରୁଥିଲେ ଯେ, କଲେଜରେ ପଢ଼ୁଥିଲାବେଳେ ତାଙ୍କୁ କଲେଜ କୁଇନ୍ କହୁଥିଲେ । ଗୌର ବର୍ଣ୍ଣ, ସୁଗଠିତ ଅଙ୍ଗସୌଷ୍ଠବ, ଗୋଲ୍ ମୁହଁ, ହସନ୍ତ ଆଖି । ସେ ନିୟମିତ ବଉଟି ପାର୍ଲର ଯାଉଥିଲେ । ତାଙ୍କର କେଶ କାନ୍ଧକୁ ସ୍ପର୍ଶ କରୁଥିଲା ଏବଂ ଅଧିକାଂଶ ସମୟରେ ସେ କେଶକୁ ମୁକ୍ତ ଛାଡ଼ିଦେବାକୁ ପସନ୍ଦ କରୁଥିଲେ । ଦିନେ ବିଶୁ ଭାଇ ତାଙ୍କୁ ଦେଖିଦେଇ କହିଲେ, ତାଙ୍କ କେଶ ବହୁତ ପତଳା, ମୁକ୍ତ ନ ଛାଡ଼ି, ଯଦି ବେଣୀ ବାନ୍ଧିବେ ତେବେ ଧଣ୍ଡ ସାପ ଲାଞ୍ଜପରି ତାଙ୍କର ବେଣୀ ହେବ । କେଶକୁ ମଥା ପଛପଟେ ବାନ୍ଧି ଗଣ୍ଠି ପକାଇଲେ, ବଡ଼ ବରକୋଳି ପରି ତାଙ୍କର ଖୋସା ହେବ । ଖଟିର ଜଣେ ସଦସ୍ୟ “କଲେଜ୍ କୁଇନ୍” ଙ୍କ ଘର ପାଖାପାଖି ରହୁଥିଲେ । ସେ କହିଲେ, ହଁ, ସେ ମହିଳା କେବେ ବେଣୀ ବାନ୍ଧନ୍ତି ନାହିଁ, କେଶକୁ ବାନ୍ଧି ପଛପଟେ ଗଣ୍ଠି ପକେଇଥିଲେ, ବହୁତ ଛୋଟ ଗଣ୍ଠି ହୁଏ । ମୁଣ୍ଡ ଧୋଇଥିଲେ ତାଙ୍କର ପତଳା କେଶ ଜଣା ପଡ଼ିଯାଏ, କିଛି ବର୍ଷ ପରେ ହୁଏତ ସେ ଚନ୍ଦା ହୋଇଯାଇ ପାରନ୍ତି ।

କଲୋନୀରେ ଜଣେ ରମାଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ରହୁଥିଲେ । ତାଙ୍କର ସ୍ୱାମୀ ଥିଲେ ଓକିଲ । ସେ ଇତିହାସର ଅଧ୍ୟାପିକା । ଖଟିର କିଛି ସଦସ୍ୟ ତାଙ୍କୁ ଜାଣିଥିଲେ । ସେମାନେ କହୁଥିଲେ, ରମାଦେବୀ ପୂର୍ବରୁ ସେ ବି.ଜେ.ବି. କଲେଜରେ ଥିଲେ । ସେତେବେଳେ ତାଙ୍କୁ କେବଳ ଦେଖିବାକୁ ଇତିହାସ ବିଷୟ ରଖି ନ ଥିବା ପିଲାମାନେ ବି ତାଙ୍କ କ୍ଲାସ୍‌ରେ ବସୁଥିଲେ । ବିଶୁଭାଇ ତାଙ୍କୁ ଦେଖି କହିଲେ, ସେ କିନ୍ତୁ ଚିଡ଼ଚିଡ଼ା ବଦ୍‌ରାଗି ସ୍ୱଭାବର ହୋଇଥିବେ । ଖଟିର ଜଣେ ସଦସ୍ୟ ବି.ଜେ.ବି.ରେ ପଢ଼ୁଥିଲା । ସେ କହିଲା, ହଁ, ସେ ଖୁବ୍‌ଶୀଘ୍ର ରାଗି ଯାଆନ୍ତି, ସବୁବେଳେ ଚିଡ଼୍‌ଚିଡ଼୍ ହୁଅନ୍ତି । ଆମେ ଶୁଣୁଥିଲୁ ତାଙ୍କ ସ୍ୱାମୀଙ୍କ ସହ ସବୁବେଳେ ଝଗଡ଼ା ହେଉଥିଲା ।

ମୋଟାମୋଟି ଭାବେ କହିବାକୁ ଗଲେ, ଖଟିର ସଦସ୍ୟମାନଙ୍କ ବିଚାରରେ, ଏମିତି ପ୍ରକୃତିର ଲୋକ ବିବାହ କରିବା ସମ୍ଭବ ନୁହେଁ, ବିବାହ ନ କରିବା ମଧ୍ୟ ଭଲ । ଅନେକ ଭଲଗୁଣ ଥିବା ସତ୍ତ୍ୱେ ବିଶୁଭାଇ ଥିଲେ ନାରୀ ବିଦ୍ୱେଷୀ ଏବଂ ପ୍ରକୃତରେ ଏକ “ଚଖା” । ବିଶୁଭାଇ ବିବାହ କରିଥିଲେ ଦାମ୍ପତ୍ୟ ଜୀବନ କେବେ ସୁଖପ୍ରଦ ହୋଇ ନ ଥାନ୍ତା ।

ଆସ୍ତେ ଆସ୍ତେ ଖଟିର ସଦସ୍ୟ କମିଯାଉଥିଲେ, ବେକାର ଯୁବକମାନେ ଚାକିରି ପାଇ ନିଜ ନିଜ କର୍ମକ୍ଷେତ୍ରକୁ ଚାଲିଯାଉଥିଲେ । ଖଟି ଭାଙ୍ଗିଆସୁଥିଲା । ବିଶୁଭାଇ ଏକ ବ୍ୟବସାୟ ଆରମ୍ଭ କଲେ, ଗୋଟିଏ ଦୋକାନ ଘରଭଡ଼ା ନେଇ ଲେଣ୍ଡିଂ ଲାଇବ୍ରେରୀ ଖୋଲିଲେ । ଆମେ ଆଶ୍ଚର୍ଯ୍ୟ ହେଲୁ । କିଏ ବହି ପଢ଼ିବ ପୁଣି ଭଡ଼ାରେ ନେଇ ? ବିଶୁଭାଇଙ୍କ ଯୋଜନା ଅନୁସାରେ, ତାଙ୍କୁ ପ୍ରଥମେ କିଛି ଟଙ୍କା ଖଟେଇବାକୁ ପଡ଼ିବନି । ସେ ନିଜେ ପଢ଼ନ୍ତି, ତାଙ୍କ ପାଖରେ ଯେତେ ବହିଥିଲା, ଲେଣ୍ଡିଂ ଲାଇବ୍ରେରୀ ଆରମ୍ଭ କରିବାରେ ଅସୁବିଧା ନ ଥିଲା । ଯିଏ ତାଙ୍କ ଲେଣ୍ଡିଂ ଲାଇବ୍ରେରୀରୁ ବହି ନେବାକୁ ଚାହିଁବ, ବହିର ସମ୍ପୁର୍ଣ୍ଣ ଦାମ୍ ଦଖଲକରି ବହି ନେବ । ବହି ପଢ଼ିସାରି ଫେରାଇଲା ବେଳେ, ବହି ଅନୁଶାରେ ପାଞ୍ଚ ପ୍ରତିଶତ କିମ୍ୱା ଦଶ ପ୍ରତିଶତ କାଟି ଅବଶିଷ୍ଟ ଟଙ୍କା ଫେରିପାଇବ । ଯଦି ଲେଣ୍ଡିଂ ଲାଇବ୍ରେରୀ ଭଲ ଚାଲିଲା, ତେବେ ସେ ନୂଆ ବହି କିଣିବେ, ନିଜର ପଢ଼ାକୁ ପଢ଼ା ହେବ ଏବଂ ତା’ ସହିତ କିଛି ରୋଜଗାର ମଧ୍ୟ । ଏମିତିବିତ ପଢ଼ିବାକୁ ସେ ବହି କିଣନ୍ତି । ଏମିତି ଏକ ଲେଣ୍ଡିଂ ଲାଇବ୍ରେରୀ ସେ ଲକ୍ଷ୍ନୌରେ ଦେଖିଥିଲେ । ତାଙ୍କର ଚାକିରିକାଳ ଭିତରେ ସେ ଲକ୍ଷ୍ନୌରେ କିଛିଦିନ ଥିଲେ ଏବଂ ସେହି ଲେଣ୍ଡିଂ ଲାଇବ୍ରେରୀର ସଦସ୍ୟ ମଧ୍ୟ ହୋଇଥିଲେ ।

ମୋର ଚାକିରି ହୋଇଗଲା ଟ୍ରେନଂ ଭୁବନେଶ୍ୱରରେ । ମୁଁ ଟ୍ରେନିଂ ଇନଷ୍ଟିଚ୍ୟୁଟର ହଷ୍ଟେଲରେ ରହିଲି । ମଝିରେ ମଝିରେ ମଉସା ଚା’ ଏବଂ ଫଗୁଦୋକାନ ସାମ୍ନାରେ ବସୁଥିବା ଖଟିକୁ ଆସୁଥିଲି । ଖଟିର ସଦସ୍ୟ କମି କମି ମାତ୍ର ତିନି ଚାରିଜଣ ଥିଲେ, ଜଣେ ବିଶୁଭାଇ । ବିଶୁଭାଇ ମତେଦେଖି ଖୁସି ହେଉଥିଲେ । ତାଙ୍କ ଲେଣ୍ଡିଂ ଲାଇବ୍ରେରୀ ଆଶ୍ଚର୍ଯ୍ୟଜନକ ଭାବେ ଭଲ ଚାଲିଥିଲା । ନୂଆ ନୂଆ ବହି କିଣି ତାଙ୍କ ଲାଇବ୍ରେରୀକୁ ସମୃଦ୍ଧ କରୁଥିଲେ । ସାଫଲ୍ୟର ବିଶ୍ଳେଷଣ କରି ସେ କହୁଥିଲେ, ସେ ତାଙ୍କ ଲାଇବ୍ରେରୀର ବିଜ୍ଞାପନ କରାଇଥିଲେ । ଖବରକାଗଜ ହକର ମାଧ୍ୟମରେ ଗୋଟାଏ ପୃଷ୍ଠାରେ ତାଙ୍କ ଲାଇବ୍ରେରୀ ସମ୍ପର୍କରେ ଲେଖି ବୀର ସୁରେନ୍ଦ୍ର ସାଏ ନଗରର ଘର ମାନଙ୍କରେ ବଣ୍ଟନ କରାଇଥିଲେ । ଯେଉଁ ମହିଳାମାନେ ତାଙ୍କ ପିଲାମାନଙ୍କୁ ନିକଟରେ ଥିବା ଇଂରାଜୀ ମିଡ଼ିୟମ ସ୍କୁଲ୍‌କୁ ଛାଡ଼ିବାକୁ ଏବଂ ସ୍କୁଲ୍ ଛୁଟିହେଲା ବେଳକୁ ନେବାକୁ ଆସୁଥିଲେ, ପ୍ରଥମେ ସେମାନେ କ’ଣ ବହି ଅଛି ଦେଖିବାକୁ ଆସିଲେ ଏବଂ ଲାଇବ୍ରେରୀର ସଦସ୍ୟ ହୋଇଗଲେ । ପରେ ପରେ ସେମାନଙ୍କଠାରୁ ଶୁଣି ଏବଂ ପ୍ରଚାର ମାଧ୍ୟମରେ ଅନ୍ୟମାନେ ଜାଣି ସଦସ୍ୟ ହେଉଥିଲେ । ତାଙ୍କର ଯୁକ୍ତି ହେଲା, ବହି ସମ୍ପର୍କରେ ଜାଣିଲେ ଏବଂ ବହି ସହଜରେ ଉପଳବ୍ଧ ହେଲେ ପାଠକ ପଢ଼ିବାକୁ ଚାହିଁବ । ତାଙ୍କ ପାଖରେ ଥିବା ସମସ୍ତ ବହି ସେ ପଢ଼ିଥିଲେ । ପ୍ରତ୍ୟେକ ବହିର କଥାବସ୍ତୁ ସମ୍ପର୍କରେ ସେ କହିପାରୁଥିଲେ । ଜଣେ ଗ୍ରାହକ ବହି ସମ୍ପର୍କରେ କିଛି ଧାରଣା କରିପାରୁଥିଲା ଏବଂ ନିଜର ରୁଚି ଅନୁସାରେ ସାଗ୍ରହ ବହି ନେଉଥିଲା ।

ତାଙ୍କର କହିବାନୁସାରେ ବୀର ସୁରେନ୍ଦ୍ର ସାଏ ନଗର କିମ୍ୱା ଭୁବନେଶ୍ୱରରେ ଚାକିରିଜୀବୀଙ୍କ ପତ୍ନୀମାନଙ୍କର ମଫସଲର ସ୍ତ୍ରୀ ଲୋକମାନଙ୍କ ତୁଳନାରେ କିଛି କାମ ନ ଥିଲା । ମଫସଲରେ ସ୍ତ୍ରୀଲୋକମାନଙ୍କର ଦଣ୍ଡେ ବସିବାକୁ ଫୁରସତ ନ ଥାଏ । ସକାଳୁ ଉଠି ଚୁଲିରୁ ପାଉଁଶ କାଢ଼ିବା, ବାଡ଼ିଘର ଦେଖିବା, ଗୁହାଳ ପୋଛିବା, ଧାନ ଉଁଷେଇବା, ବିରି ରଗଡ଼ିବା ଇତ୍ୟାଦି ଅନେକ କାମ । ଏଠି କିରାଣିଟିଏ ହେଲେବି ତା’ ସ୍ତ୍ରୀ ଆଇ.ଏ. ବି.ଏ. ପଢ଼ିଥିବ । ଗ୍ୟାସ୍ ଚୁଲାରେ ରୋଷେଇ ; କୂଅରୁ ପାଣି କାଢ଼ିବା କାମ ନାହିଁ, ଘରକୁ ପାଇପ୍ ପାଣି । ବିଲବାଡ଼ି କାମ ନାହିଁ କି ଗୋରୁ ଗାଈ ନାହାନ୍ତି । ସ୍ୱାମୀ ପାଇଁ ଗଣ୍ଡେ ରାନ୍ଧିଦେଲେ, ସ୍ୱାମୀ ଅଫିସ୍‌କୁ ଚାଲିଗଲା ପରେ, ଘରେ କିଛି କାମ ନାହିଁ । ପୁଣି ସ୍ୱାମୀ ଫେରିବେ ପାଞ୍ଚଟା ପରେ । ସାମୟିକ ଭାବେ ଟେଲିଭିଜନ ଦେଖିହେବ, କିନ୍ତୁ ଉଚ୍ଚମାନର ରୁଚିଥିବା ମହିଳାଙ୍କୁ ଟିଭି ଦିନ ତମାମ୍, ମାସକୁ ତିରିଶ ଦିନ, ବର୍ଷକୁ ତିନିଶହ ପଞ୍ଚଷଠି ଦିନ ବାନ୍ଧି ରଖିପାରିବ ନାହିଁ । ଥରେ ବହିପଢ଼ିବା ମଜା ପାଇଗଲେ, ସେ ଆନନ୍ଦ ଅନ୍ୟ କେଉଁଠୁ ମିଳିବ ନାହିଁ । ମୁଖ୍ୟ କଥାହେଲା, ସେମିତି ମହିଳା ବହି ସମ୍ପର୍କରେ ଜାଣିବା ଆବଶ୍ୟକ ଏବଂ ତାଙ୍କ ନିକଟରେ ସହଜରେ ବହି ପହଞ୍ଚିବା ଦରକାର ।

ସେ ଲେଣ୍ଡିଂ ଲାଇବ୍ରେରୀ ଆରମ୍ଭ କରିଥିଲେ ଓଡ଼ିଆ, ହିନ୍ଦି ଏବଂ ଇଂରେଜୀ ଭାଷାର ବହି ସହିତ । ସେ ଏହି ତିନିଭାଷାରେ ବହି ପଢ଼ୁଥିଲେ । କିଛି ଗ୍ରାହକ ବଙ୍ଗଳା ବହି ଖୋଜିଲେ । ସେ ବଙ୍ଗଳା ବହି କିଣିଲେ ଏବଂ ବଙ୍ଗଳା ଭାଷା ନିଜେ ଶିଖି, ଆୟତ୍ତ କରି ପଢ଼ୁଥିଲେ । ତାଙ୍କର ଗ୍ରାହକ ଥିଲେ ମୁଖ୍ୟତଃ ମହିଳା, କିଛି ଅବସରପ୍ରାପ୍ତ ବୃଦ୍ଧ ଏବଂ କିଛି ବିଶ୍ୱବିଦ୍ୟାଳୟ ପାଠସାରି ବେକାର ବସିଥିବା ଯୁବକ । ତାଙ୍କ ଲାଇବ୍ରେରୀରେ ବେଶି ଥିଲା ଚାଲୁ ଲୋକପ୍ରିୟ ଉପନ୍ୟାସ । ଅବଶ୍ୟ ଉଚ୍ଚାଙ୍ଗ ସାହିତ୍ୟ ଏବଂ କିଛି ସିରିୟସ୍ ବହି ମଧ୍ୟ ଥିଲା । ସେପରି ବହିର ପାଠକ ସଂଖ୍ୟା କମ୍ ଥିଲା । ତାଙ୍କ ସହ ମୋର ଯେବେ ସାକ୍ଷାତ ହେଉଥିଲା, ଆମର ବିଭିନ୍ନ ଲେଖକ, ସେମାନଙ୍କର ଲେଖା ସମ୍ପର୍କରେ ଆଲୋଚନା ହେଉଥିଲା । ଆଲୋଚନା ପ୍ରସଙ୍ଗରେ ସେ ନୂଆ ନୂଆ ବହି ଏବଂ ଲେଖକଙ୍କ କଥା କହୁଥିଲେ । ମୁଁ ଜାଣୁଥିଲି, ତାଙ୍କ ଲେଣ୍ଡିଂ ଲାଇବ୍ରେରୀର ଗ୍ରାହକଙ୍କଠାରୁ ସେ ଜାଣୁଥିବେ ଏବଂ ଜାଣି ସେ ବହି କିଣି ପଢ଼ିଥିବେ । ସେ କହୁଥିଲେ, ଯେଉଁମାନେ ନିରୁତା ପାଠକ, ସେ କେବଳ ପଢ଼ନ୍ତି ନାହିଁ, ଯାହା ପଢ଼ିଥିବେ ଅନ୍ୟଜଣେ ପାଠକକୁ ଭେଟିଲେ, ପଢ଼ିଥିବା ବହି ସମ୍ପର୍କରେ ଗପିବାକୁମଧ୍ୟ ଭଲ ପାଆନ୍ତି । ପାଠକ ବା ପୁସ୍ତକପ୍ରେମୀଙ୍କ ଭିତରେ ଏକ ପ୍ରକାର ସ୍ୱତନ୍ତ୍ର ସମ୍ପର୍କ ଗଢ଼ିଉଠେ ।

ଟ୍ରେନିଂ ପରେ ମୁଁ ନିଯୁକ୍ତି ପାଇଲି ବିଶୁଭାଇ ଗାଁ ପାଖ ସହରରେ । ତାଙ୍କ ଗାଁ ରେ ନିଜ ଲୋକ କେହି ନ ଥିଲେ, ଘରଡ଼ିହ ଓ କିଛି ନଡ଼ିଆ ଗଛ ଅନ୍ୟଜଣେ ଦେଖୁଥିଲା । ତଥାପି ମଝିରେ ମଝିରେ ସେ ଗାଁ କୁ ଆସୁଥିଲେ, ପିଲା ଦିନର ସାଙ୍ଗ ସାଥିଙ୍କ ସହ ମିଶୁଥିଲେ । ଦିନେ ଦିନେ ମୋ ବସାରେ ସେ ରହିଯାଉଥିଲେ । ସେଦିନ ଆମର ରାତିରେ ବିଭିନ୍ନ ପୁସ୍ତକ ଓ ଲେଖକଙ୍କ ସମ୍ପର୍କରେ ଆଲୋଚନା ହେଉଥିଲା । ତାଙ୍କ ବ୍ୟବସାୟରେ ସେ ବେଶ ଖୁସୀ ଥିଲେ । ଲେଣ୍ଡିଂ ଲାଇବ୍ରେରୀ ସହିତ ପଢ଼ା ପିଲାଙ୍କ ସାମଗ୍ରୀ ଯଥା କଲମ, ପେନ୍‌ସିଲ୍, ଖାତା, କାଗଜ ଇତ୍ୟାଦି ବିକ୍ରି କରୁଥିଲେ । ତାଙ୍କର ଗ୍ରାହକ ସଂଖ୍ୟା ବଢ଼ୁଥିଲା, ବ୍ୟବସାୟ ଭଲ ଚାଲୁଥିଲା ।

ତାଙ୍କ ଗାଁ ପାଖ ସହରରୁ ମୋର ବଦଳି ହୋଇଗଲା ପଶ୍ଚିମ ଓଡ଼ିଶା । ମୋର ବିବାହ ହୋଇଗଲା । ଅଫିସ୍ କାର୍ଯ୍ୟ ଏବଂ ମୋ ସଂସାର ଜଞ୍ଜାଳରେ ମୁଁ ବୁଡ଼ି ରହିଲି । ସେ ଖଟିରେ ବସୁଥିବା ଆମର ସମସ୍ତ ବନ୍ଧୁ ଚାକିରି କରି ସାରିଥିଲେ, କିଏ କୁଆଡ଼େ ରହୁଥିଲେ । ବିଶୁଭାଇଙ୍କ ଖବର ମୁଁ ପାଉ ନ ଥିଲି । ମୋର କିମ୍ୱା ତାଙ୍କର ଚିଠି ଲେଖିବା ଅଭ୍ୟାସ ନ ଥିଲା ।

ଦିନେ ଡାକଯୋଗେ ଗୋଟିଏ ପତ୍ରିକା ପାଇଲି । ଶିଶୁ ପତ୍ରିକା, ପତ୍ରିକା ସହିତ ଏକ ସଂକ୍ଷିପ୍ତ ଚିଠି ବିଶୁଭାଇ ପଠାଇଥିଲେ । ସେ ସେହି ଶିଶୁ ପତ୍ରିକା ପ୍ରକାଶ କରୁଥିଲେ । ଚିଠିରେ ଲେଖିଥିଲେ, ଆମର ଶିଶୁ ସାହିତ୍ୟ ଦୁର୍ବଳ ହେତୁ ପିଲାଙ୍କର ପଠନ ଲିପ୍ସା ଶୃଷ୍ଟି ହେଉ ନାହିଁ । ବହି ପ୍ରତି ଆଦର ଆସୁନାହିଁ । ଶିଶୁ ବଡ଼ହେଲେ ପୁସ୍ତକ ପଢ଼ିବା ପାଇଁ ଆଗ୍ରହ ରଖୁନାହିଁ । ଓଡ଼ିଆରେ ଭଲ ଶିଶୁ ସାହିତ୍ୟ ଗଢ଼ିବା ପାଇଁ ତାଙ୍କର ଏହା ଏକ କ୍ଷୁଦ୍ର ପ୍ରଚେଷ୍ଟା । ଦେଖିଲି, ପତ୍ରିକାର ସମ୍ପାଦିକା ମିନତୀ ମିଶ୍ର । ଆଶ୍ଚର୍ଯ୍ୟ ଲାଗିଲା । ମିନତୀ ମିଶ୍ର ରମାଦେବୀ ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା ଏବଂ ବିଶୁଭାଇଙ୍କ କହିବାନୁସାରେ ଚିଡ଼ଚିଡ଼ା ଏବଂ ବଦ୍ରାଗୀ । ମନରେ କୌତୂହଳ ଆସିଲା । ତାଙ୍କର ଏପରି ଏକ ଉଦ୍ୟମ ପାଇଁ ଧନ୍ୟବାଦ ଏବଂ ଶୁଭ କାମନା ସହ ବାର୍ଷିକ ଚାନ୍ଦା ପଠାଇଦେଲି ।

ଅଫିସ କାର୍ଯ୍ୟରେ ମୁଁ ଭୁବନେଶ୍ୱର ଯାଇଥିଲି । ପତ୍ରିକା ସମ୍ପାଦିକା ମିନତୀ ମିଶ୍ର ମୋ ମନରେ ଥିଲା, ବିଶୁଭାଇଙ୍କ ସହ ବହୁଦିନୁ ମୋର ଦେଖା ହୋଇ ନ ଥିଲା । ସମୟ ବାହାର କରି ଅଫିସ୍ କାମ ସାରି ସାଢେ଼ପାଞ୍ଚ ସମୟରେ ବିଶୁଭାଇଙ୍କ ଲେଣ୍ଡିଂ ଲାଇବ୍ରେରିରେ ପହଞ୍ଚିଲି । ତାଙ୍କର ବ୍ୟବସାୟ ବଢ଼ିଯାଇଥିଲା । ଲେଣ୍ଡିଂ ଲାଇବ୍ରେରୀ ସହିତ ପିଲାମାନଙ୍କ ସାମଗ୍ରୀ ଏବଂ ପତ୍ରିକା । ତାଙ୍କୁ ସାହାଯ୍ୟ କରିବାକୁ ପିଲାଟିଏ ରଖିଥିଲେ । ସେ ପିଲାକୁ ଦୋକାନରେ ଛାଡ଼ିଦେଇ ଆମେଦୁହେଁ ତାଙ୍କ ଘରକୁ ଆସିଲୁ । ଘର ଦ୍ୱାର ଖୋଲିଲେ ମିନତୀ ମିଶ୍ର ।

ମିନତୀ ମିଶ୍ରଙ୍କ ସହ ମୋର ପରିଚୟ କରାଇଦେଲେ । ମିନତୀ ମିଶ୍ର କହିଲେ ମୁଁ ୟା ଙ୍କୁ ଆଗରୁ ଦେଖିଛି । ସେ ବୁଢ଼ା ଦୋକାନ ନିକଟରେ ଦଳେ ପିଲା ବସୁଥିଲେ, ସେହି ବାଟରେ କେହି ସ୍ତ୍ରୀ ଲୋକ ଗଲେ, ଦୁର୍ଭିକ୍ଷ ଅଞ୍ଚଳରୁ ଆସିଥିବା ଲୋକପରି ଭୋକିଲା ଆଖିରେ ଚାହୁଁଥିଲେ । ତମେ ଅବଶ୍ୟ ତାଙ୍କ ସହିତ ବସୁଥିଲ, ସେହି ଗୋଷ୍ଠୀରେ ଥିଲ । ଆମେ ହସିଲୁ । ସେ ଜଳଖିଆ ପ୍ରସ୍ତୁତ କରିବାକୁ ରୋଷେଇ ଘରକୁ ଚାଲିଗଲେ । ମୁଁ ବିଶୁଭାଇଙ୍କୁ ପଚାରିଲି, ସେ ଚିଡ଼ିଚିଡ଼ି ହେଉ ନାହାନ୍ତି ତ, ତମେ କହୁଥିଲ ସେ ବଦରାଗୀ…

ବିଶୁଭାଇ କହିଲେ, ଚିଡ଼ିଚିଡ଼ି ଏବଂ ବଦରାଗୀ ହେବାର ହେତୁଥିଲେ ତାଙ୍କର ଓକିଲ ସ୍ୱାମୀ । ସେ ତାଙ୍କର ଓକିଲ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି । ଏବେ ତାଙ୍କର ସେ ସ୍ୱଭାବ ନାହିଁ …

ଆପଣଙ୍କର ଯୋଗାଯୋଗ କେମିତି ହେଲା ? ମୁଁ ପଚାରିଲି ।

ବିଶୁଭାଇ କହିଲେ, ସେ ଜଣେ ପୁସ୍ତକ ପ୍ରେମୀ, ଲେଣ୍ଡିଂ ଲାଇବ୍ରେରୀ ମାଧ୍ୟମରେ… ।

ଲୋକପ୍ରିୟ ଲେଖା

To Top