ଗଳ୍ପ

ବିଟ୍‌ଘର ଓ ରେଳଗାଡ଼ି

Kalindicharana Panigrahi's odia Story Bitghara O Relagadi

ଚିଲମ ପଛକୁ ଗଦେଇ ଯଜି ଆଉ କାହାକୁ ବେଶି ଭଲ ପାଏ ତ ସେ ଜହ୍ନ ।

ବିଟ୍‌ଘର ଓ ରେଳଗାଡ଼ି

ଶହ ଶହ ମାଇଲ୍ ଧରି ଦୁଇଟା କଳା ଲୁହା ଧାରଣା କେଉଁଠାରୁ ଆରମ୍ଭ ହୋଇ ଶେଷ ହୋଇଛି କେଉଁଠାରେ । ପାଉଁଶବୋଳା ବୈରାଗୀ ପରି ଖଣ୍ଡେ ଧୂଳିଆ କଚା ସଡ଼କ ଏହି ଲୁହା ଧାରଣାକୁ ଡେଇଁ ନିସ୍ପୃହ ଭାବରେ ପଡ଼ି ରହିଛି । ସେହି ଛକ ଜାଗାରେ ରେଳରାସ୍ତାର ଦୁଇ କଡ଼ରେ ଫାଟକ ସଦାବେଳେ ବନ୍ଦ ଥାଏ ।

ବଳଦଗାଡ଼ି ସବୁ ଧୀରେ ଧୀରେ ଆସି ଫାଟକ ପାଖରେ ଠିଆ ହୁଏ । ଗାଡ଼ିବାଲାମାନେ ଡାକ ଛାଡ଼ନ୍ତି, “ଗଦେଇ ଭାଇ, ଫାଟକ ଫିଟା ।” ଫାଟକଠାରୁ ଦଶହାତ ଦୂରରେ ଛ’ହାତ ଲମ୍ୱ, ଛ’ହାତ ଓସାରର ବିଟ୍ ଘରଟି । ଗାଡ଼ି ସମୟ ଛାଡ଼ି ବାକି ସମୟରୁ ଚଉଦପଣ ପହରାବାଲା ଗଦେଇ ମାଝି ସେହି ଘର ଭିତରେ ଥାଏ, କିନ୍ତୁ ଗୋଟାଏ ଡାକରେ ତା’ ଠାରୁ ଉତ୍ତର ମିଳେ ନାହିଁ ।

ମାଝିବାବୁ, ଚୌକିଦାରବାବୁ ଦୁଇ ତିନି ଡାକ ପରେ ବିଟ୍‌ଘରୁ ତୁଣ୍ଡ ଶୁଣାଯାଏ- କିଏ ?

ଆମ ଘର ଉତ୍ତାରଣ ।

ନାହିଁ, ନାହିଁ, ଗାଡ଼ି ଆସୁଛି ।

ଗାଡ଼ି ହୁଏତ ଛ’ ଘଣ୍ଟା ପରେ ଆସିବ କିମ୍ୱା କାଲି ସକାଳେ । ଦି’ ପହର ଖରାରେ ଶଗଡ଼ିଆର ତାଳୁ ଶୁଖିଯାଏ । ଗୋରୁଗୁଡ଼ାକ ଧକେଇଲେଣି, ନ ହେଲେ ଅଧରାତି ଶୀତରେ ରୁମ ଫୁଲାଇ ଠିଆ ହେଉଛନ୍ତି, ଶଗଡ଼ିଆର ଦାନ୍ତକୁ ଦାନ୍ତ ବାଜୁଛି । “ଛାଡ଼- ନେ, ଗଦେଇ ଭାଇ, ପାନଖିଆ ନେ- ଟିକିଏ ଖୋଲି ଦେ ଭଲା ।”

ଗାଡ଼ି ଆସୁଛି, କହୁଛି, ଆଚ୍ଛା ଜିଗର ।

କ’ଣ କରିବା ଭାଇ, ବୋଝେଇ ଶଗଡ଼- ପାଞ୍ଚକୋଶରୁ- ଫାଟକ ଆର ପାଖରୁ ଗଦେଇ ହାତ ବଢ଼ାଏ- ଦିଅ, କ’ଣ ଦଉଚ ଆଣ । ଅଧଲାଏ ପାହୁଲାଏ- ନାହିଁ ନାହିଁ- ଦି’ପଇସା ।

ଫାଟକ ଖୋଲିଯାଇ ଚାରି ପାଞ୍ଚଟା ଶଗଡ଼ କେଁ କଟର ଶବ୍ଦ କରି ସିଡ଼ି ପାର ହୋଇଯାଏ । ପୁଣି ସବୁଆଡେ଼ ଶୂନ୍‌ଶାନ୍ । ଏହି କାମରେ ଗଦେଇ ମୁଣ୍ଡ ଚନ୍ଦା ହୋଇଗଲାଣି । ଆଖପାଖ ପଚାଶ ଖଣ୍ଡ ଗାଁରେ ତାକୁ ନ ଚିହ୍ନି କେହି ନାହିଁ ।

ଏକୁଟିଆ ବିଟ୍ ଘରଟି- ପଛଆଡେ଼ ଟାଙ୍ଗରଭୂଇଁ- ଠାଏ ଠାଏ ଗୋଟାଏ ଛୋଟ ମୁଣ୍ଡିଆ ପୃଥିବୀର କଙ୍କାଳ ପରି ବାହାରି ପଡ଼ିଛି । ବହୁତ ତଳେ ଗୋଟାଏ ପାହାଡ଼ର ପାଚେରୀ ଦୂରରୁ ପାଉଁଶିଆ ଦିଶେ । ରେଳଧାରଣା ଡେଇଁ ଆଗକୁ ଗଲେ ବିଲ ପରେ ବିଲ- କେବଳ ବିଲ ।

ମଙ୍ଗୁଳି ସ୍ୱାଇଁ ବିଲ ମଝିରେ ହଳ ଠିଆ କରି କଳେ ଚିଲମ ଟାଣି ଦେବାକୁ ଗଦେଇ ପାଖକୁ ଆସେ । ରେଳବାଇ କାମ । ଚିଲମ ସଜଟି ନ ରଖିଲେ ଗଦେଇ ଦିନରାତି ଖଟିବ କେମିତି ? ଗେଞ୍ଜଇ ମଳୁ ମଳୁ ଗାଁ ଗଣ୍ଡା କେତେ କଥା ପଡେ଼ ।

ଗଦେଇ ଭାଇ, ଗାନ୍ଧି ଅମଳରେ ସବୁ ଶସ୍ତା ହେଲା, ଗେଞ୍ଜଇ ଭାଉ ତ କାହିଁ ଖସିଲା ନାହିଁ ।

ଆରେ ଗାନ୍ଧି ଫାନ୍ଧି କିଏ କୁଆଡେ଼ ଗଲେଣି ମ । ଶସ୍ତା ମହରଗ ଗାନ୍ଧି ହାତରେ ଅଛି, ନା ସରକାର ହାତରେ ଅଛି ।

ମଙ୍ଗୁଳି ଗୋଟାଏ ଲମ୍ୱା ସୁଉ କରି ଚିଲମରୁ ଧୂଆଁ ଶୋଷିନିଏ । ତାହାରି ଆଖି ଦୁଇଟା ମୁଦି ହୋଇଯାଏ, ଗଳାର ଶିରାଗୁଡ଼ିକ ଟାଣି ହୋଇ ଚମଡ଼ା ତଳୁ ବାହାରି ପଡେ଼ । ଚିଲମକୁ ଗଦେଇ ହାତକୁ ବଢ଼ାଇ ଦେଇ ନାକ ଏବଂ ପାଟି ବାଟେ ଫସ ଫସ କରି ଧୂଆଁ କାଢୁ କାଢୁ କହେ, ସରକାର କ’ଣ ସଜରେ ଅଛି ଯେ, ଗାନ୍ଧି ତାକୁ ଟାଳିଦେବ । ଏଇ ଆଗ ଗୋଟାଏ କଥା ଦେଖିଲ, ଏ ଯେଉଁ ରେଳବାଇ ଚଳେଇଛି- ହେଃ ! ଅବଶ୍ୟ ସେତେବେଳେ ଘୋର ଇଂରେଜ ଅମଳ-

ଜହ୍ନ ଆସି ମଝିରେ କହେ, ବାପା, ତୋରାଣି ପିଇବୁ ପରା । ଗଦେଇ ମାଝିର ସଂସାରରେ ଜହ୍ନ ଛଡ଼ା ଆଉ କେହି ନାହିଁ । ଯାହା କହନ୍ତି, ଏକରୁ ଦୁଇ ନାହିଁ, ଛିଡ଼ିଗଲେ ଗଇଁଠେଇବାକୁ ନାହିଁ । ଚିଲମ ପଛକୁ ଗଦେଇ ଯଜି ଆଉ କାହାକୁ ବେଶି ଭଲ ପାଏ ତ ସେ ଜହ୍ନ । ଜହ୍ନ କାହାକୁ ଭଲ ପାଏ କେଜାଣି, କିନ୍ତୁ ଗଦେଇ ଆଗରେ ଖାଲି ତାହାର ନିଜ ମାଆର ଉଲୁଖା ଦିଅ । ମାଆକୁ ଏତେ ଭଲ ପାଇବାର କାରଣ ସେ ତାକୁ କେବେହେଲେ ଦେଖି ନାହିଁ । ଗଦେଇ ହସେ, ଇଲୋ, ତୋର ପୁଣି ମାଆ କିଏ ? ସେ ତ ତୋ ଜନମ ଆଗରୁ ମରିଛି ।

ସେଦିନ ସକାଳେ ବାସିଆଡ଼ତି ସାରି ଜହ୍ନ ବାପାକୁ ଉଠାଇବାକୁ ଗଲାବେଳକୁ ଗଦେଇ ବୁଢ଼ା ଘୋଡ଼ିଘାଡ଼ି ହେଇ ହୁ’ ହୁ’ କମ୍ପୁଛି । ଜହ୍ନ ହାତ ଦେଇ ଦେଖିଲା, ଦିହରେ ତାହାର ଖଇ ଫୁଟୁଛି । ଜୀବନର ଅଠର ବର୍ଷ ଭିତରେ ଜହ୍ନର ହେତୁ ହବାଠାରୁ ସେ ଦିନ ହେଲେ ବାପାଙ୍କୁ ଏମିତି ଦେଖି ନାହିଁ । କେତେବେଳେ କେମିତି ଦିହ ମୁଣ୍ଡ ଟିକିଏ ହୁଏ, ସେଥିରେ ଗଦେଇର କାମ ବନ୍ଦ ହୋଇ ନାହିଁ ।

ଜହ୍ନ ବିଚାରୀକୁ ହିଁ ନୂଆ କରି ଫାଟକ ବନ୍ଦ କରିବା, ଫିଟାଇବା ଓ ଗାଡ଼ି ଆସିଲାବେଳେ ନେଳି ପତାକା ଧରି ଠିଆ ହେବାକୁ ପଡ଼ିଲା । ଆଗେ ସେ ନୂଆ ବୋହୂଟି ପରି ଗାଡ଼ିକୁ ଲୁଚି କରି ରହୁଥିଲା । ଅଧେ ଦିହ ଘର ଭିତରେ ଓ ଅଧେ ପଦାକୁ କାଢ଼ି କବାଟ ଧରି ଚାହିଁ ରହେ । ରାତିରେ ଗଦେଇ ଯେତେବେଳେ ନିଆଁ ହୁଳାଟିଏ ଧରି ଗାଡ଼ି ପାଖରେ ଠିଆ ହୁଏ ଏବଂ ବିଟ୍ ଘରେ ରୀତିମତ ଭୂମିକମ୍ପ ଆରମ୍ଭ ହୋଇଥାଏ, ସେତେବେଳେ ତାକୁ ନିଘମ ନିଦ । ଏଇ ଲାଗେ ଜହ୍ନକୁ ଦିନ ରାତି ଗାଡ଼ି ଜଗିବାକୁ ପଡ଼ିଲା । ତାହା ଉପରେ ଗଦେଇ ବୁଢ଼ାର ଘଡ଼ି ଘଡ଼ିକେ ଡାକରା । ସବୁବେଳେ ଅଇ ଉଠୁଛି । ଚୂଡ଼ାଭଜା କି ତୋରାଣି କିଛି ହେଲେ ମୁହଁରେ ଦେଉ ନାହିଁ ।

ବେଳ ରତରତ ହୋଇ ଆସୁଛି । ଆଶିଣ ମାସ ଆକାଶଟା ଭାରି ସଫା । ଦୂର ପାହାଡ଼ଗୁଡ଼ିକୁ କିଏ ଯେମିତି ଧୋଇଧାଇ ଖଣ୍ଡେ ଓଦା କନାରେ ପୋଛି ସଜେଇ ରଖିଦେଇଛି । ତାହାରି ଉପରୁ ଫାଳେ ସୂର୍ଯ୍ୟ ଦେଖାଯାଉଛି ଏବଂ ବାସିଧୋବ ଲୁଗା ପରି ଖଣ୍ଡେ ଧଳା ବଉଦ ତାହାର ସୁନା ଜରିର ଧଡ଼ିଟାକୁ ସୂର୍ଯ୍ୟ ଆଗରେ ଧରିଛି । ଜହ୍ନ ସିଆଡେ଼ ଟିକିଏ ଆଖି ପକେଇ ଦେଇ ଗାଡ଼ି ଆସିବାକୁ ଚାହିଁ ରହିଲା । ଦିହରେ ଖଣ୍ଡେ ହଳଦିଆ କସ୍ତା । ସେହି ଜରିଧଡ଼ିଆ ମେଘର ଛାଇ ତାହାର ଲୁଗା ଉପରେ ପଡ଼ିଚି ।

ବହୁତ ଦୂରରୁ ଗାଡ଼ିର ଶବ୍ଦ ଶୁଣାଗଲା । ଜଙ୍ଗଲ ଭିତରୁ ଗାଡ଼ିର ଧୂଆଁ କୁଣ୍ଡଳୀ ହୋଇ ଫୁଲହାର ପରି ଆକାଶ ତଳେ ଝୁଲି ପଡ଼ିଚି- ଶେଷକୁ ଲାଇନ୍ ଉପରେ କଟକଟ ହୋଇଉଠିଲା । ଗାଡ଼ି ଚାଲିଯିବା ବେଳକୁ କ’ଣ ଗୋଟାଏ ଖଟ୍ କରି ତା’ ଗୋଡ଼ ପାଖରେ ପଡ଼ିଲା । ଜହ୍ନ ଦେଖିଲା ଗୋଟାଏ କାଗଜ ପୁଡ଼ା । ସେତେବେଳକୁ ଗାଡ଼ିର ପଛପାଖଟା ଛୋଟ ହୋଇ ଧୀରେ ଧୀରେ ଦୂର ଗଛ ଉହାଡ଼ରେ ମିଶିଯାଉଛି ।

ପୁଡ଼ାଟାକୁ ଧରି ଖୁସି ଓ କୌତୁକରେ ବାପ ଆଗରେ ଯାଇ ଫିଟାଇ ଦେଖେ ତ ଦୁଇଟା ସୁରଙ୍ଗୀ କମଳା । ଚିରୁଡ଼ାଏ କଳରେ ଜାକି ଦେଇ ଗଦେଇ କହିଲା, “ଏ ତ ଖାଲି ଅମୁରୁତ ଲୋ ଝୁଅ । ସେ ଅବଶ୍ୟ ଅମୃତ କେବେ ଚାଖି ନାହିଁ ।”

ଗଦେଇ ଭାବିଲା, ତାହାର ଅରୁଚି ଛଡେ଼ଇବା ପାଇଁ ଏତକ ତାକୁ ଦିଅଁ ଦେଲେ । ଜହ୍ନ ଭାବିଲା, କାହା ହାତରୁ କେମିତି ଖସି ପଡ଼ିଥିବ, କିନ୍ତୁ ରୋଜ ଯେତେବେଳେ ନୂଆ ନୂଆ ଫଳମାନ ମିଳିଲା, ସେତେବେଳେ ଗଦେଇର ଭୟ ହେଲା । ସେ ଜହ୍ନକୁ ମନା କରିଦେଲା, କଥାଟାକୁ ବାହାର ନ କରିବା ପାଇଁ । ଏକୁଟିଆ ବିଟ୍ ଘର ପାଖେ ଜହ୍ନର ଅବା କେତେ ଲୋକଙ୍କ ସାଥିରେ ଭେଟହୁଏ ଯେ କଥା ପଦାକୁ ବାହାରନ୍ତା ।

ଜହ୍ନର କିନ୍ତୁ ମନ ଭିତରେ ଗୋଟାଏ ଜାଗା ମମତାରେ ତରଳି ଯାଇ ଢଳ ଢଳ ହୋଇଉଠିଛି । ସେ ମମତା ଜଣେ କେହି ପୁରୁଷ ପାଇଁ ନୁହେଁ, କି ନାରୀ ପାଇଁ ନୁହେଁ- ଗୋଟାସୁଦ୍ଧା ପାସେଞ୍ଜର ଗାଡ଼ିଟି ପାଇଁ । ତାହାର ଇଞ୍ଜିନ୍, ତାହାର ଧୂଆଁ, ତାହାର କଳା ମସିଆ ଡ୍ରାଇଭର୍, ଟେରା ଆଖିଆ ଗାର୍ଡ, ପାଞ୍ଚ ଶହ ଆରୋହୀଙ୍କୁ ଘେନି ସମସ୍ତ ପାସେଞ୍ଜର ଗାଡ଼ିଟାକୁ ଜହ୍ନ ଆଜି ପ୍ରାଣ ଦେଇ ଭଲ ପାଇ ବସିଚି । ତାହାରି ଥିରି ଥିରି ଚାଲି, ବଙ୍କା ଢଙ୍କା ଭଙ୍ଗୀ ଜହ୍ନ ପାଖରେ ଗୋଟିଏ ଛୋଟ ପିଲାପରି ପ୍ରେମର ପାତ୍ର । ଡାକ ଗାଡ଼ି, ମାଲ ଗାଡ଼ି ପ୍ରଭୃତି ସବୁଦିନ ପରି ଯାଆ ଆସ କରେ, କିନ୍ତୁ କଲିକତାରୁ ଯେଉଁ ପାସେଞ୍ଜର ଆସେ, ପାଞ୍ଚ ମାଇଲ ଦୂରରୁ ତାହାର ଶବ୍ଦ ଶୁଣିଲେ ଜହ୍ନର ଛାତି ଥରି ଉଠେ । ଇଞ୍ଜିନ୍‌ରୁ ଆରମ୍ଭ କରି ଗାଡ୍‌ଘର ପର୍ଯ୍ୟନ୍ତ ସବୁ ଡବାଗୁଡ଼ାକ ତାହାର ନଜର ଉପରେ ଗୋଟି ଗୋଟି ହୋଇ ଡେଇଁଯାଏ । ଗାଡ଼ିର ଝରକା ଭିତରୁ କେତେ କଳା କଳା ମୁଣ୍ଡ ଆଖି ପିଛଡ଼ାରେ ଉଭେଇ ଯାଏ । ଗାଡ଼ି ଦୁଆର ଖୋଲି କିଏ ଜଣେ ତାହା ଆଗରେ ଖଣ୍ଡେ ଛିଟ କନା ଉଡ଼ାଇ ଦିଏ- ଜହ୍ନ ଦେଖେ, କଳା ଟୋପର ଲଗା ଟୋକାଟିଏ ତାକୁ ଚାହିଁ ହସୁଚି । ଜହ୍ନ ମଧ୍ୟ ହସିଦିଏ ଏବଂ ବିଚାରେ ଏହି ଟୋକା ତାକୁ ଫଳ ଦେଉଛି ପରା । ଆଖି ପିଛୁଡ଼ାକେ ଗୋଟାଏ ହସ ରେଳଡ଼ବା ସଙ୍ଗେ ଉଭେଇଯାଏ, ଆଉ ଗୋଟିଏ ହସ ଅଟକି ଯାଏ ବିଟ୍ଘର ସାମନାରେ । ଜହ୍ନ କିନ୍ତୁ ଭଲ ପାଏ ଗୋଟାସୁଦ୍ଧା ପାସେଞ୍ଜର ଗାଡ଼ିଟିକୁ, ତାହାର ଇଞ୍ଜିନ୍, ତାହାର ଧୂଆଁ, ତାହାର କଳା ମସିଆ ଡ୍ରାଇଭର, ଟେରାଆଖିଆ ଗାର୍ଡ ଓ ପାଞ୍ଚଶହ ଆରୋହୀ ।

ରେଳ ସଡ଼କ କରରେ ଗୋଟିଏ ସରୁ ଚଲାବାଟ । ତାହାରି ଉପରେ ଜଣେ ଅଧେ ଲୋକ ଯା ଆସ କରନ୍ତି । ଦିଓଟି ଗୋଟିଏ ମାଇପେ ମାଣିଆବନ୍ଧ ଲୁଗା ପିନ୍ଧି, କାହା କାଖରେ ପିଲାଟିଏ, କିଏ ହଳଦୀ ମଥାଘଷା ବୋଳି ହୋଇ ଜଣେ ବଟୁଆଜକା ଯାଉଁଳିପକା ମରଦ ପଛରେ ଚାଲିଛି । ଖରାବେଳେ କିଏ କେମିତି ଆସି ବିଟ୍ ଘର ପାଖ କନିଅର ଗଛମୂଳେ ବସି ପଡ଼ନ୍ତି, ମାଇପିଟିଏ ଦେଖିଲେ ଜହ୍ନ ଯାଇ ତାହାର ବାପଘର, ଶାଶୂଘର କଥା ପଚାରେ ।

ମଝିରେ ମଝରେ ଲାଇନ୍‌ବାବୁ ଚାରିଚକିଆ ଟଲି ଗାଡ଼ି ଖଣ୍ଡରେ ଚଢ଼ି ନାଲି ପତାକା ଉଡ଼ାଇ ବିଟ୍‌ଘର ଆଗରେ ଚାଲିଯାଏ । ଗଦେଇ ବେମାର ଥିବାରୁ କୁକୁଡ଼ା ବରାଦ କରିପାରେ ନାହିଁ । ଲାଇନ୍‌ବାବୁଙ୍କ ପୋଷାକ ଓ ଚାଲିରେ ସାହେବିଆନା ଥିଲେ ହେଁ ଦେହର ରଙ୍ଗରେ ନାହିଁ । ସାହେବ ହେବାର କ୍ଷୀଣସ୍ମୃତି ପରି ତାଙ୍କ ଓଠ ଯୋଡ଼ିକ ଖାଲି ଫୁଲଛଉରେ ଧଳା ହୋଇପଡ଼ିଛି । ଦୂରରୁ ନାଲିପତାକା ଦେଖି ଗଦେଇ କହେ, ଯା’ ମଙ୍ଗୁଳି, ହଳ ପାଖକୁ, ଚଣ୍ଡୀଚାମୁଣ୍ଡା ଆସିଲେଣି, କୁକୁଡ଼ା ବଳି ମାଗିବେ । ଆଗେ ଆଗେ ଲାଇନ୍‌ବାବୁଙ୍କୁ ଦେଖି ଜହ୍ନକୁ ଅନ୍ଧାର ରାତିପରି ଡର ମାଡୁଥିଲା । ଆଜିକାଲି ତାକୁ ଡର ଭୟ ନାହିଁ । ପାସେଞ୍ଜର ଗାଡ଼ି ତାକୁ କମଳାଲେମ୍ବୁ ସଙ୍ଗେ ସଙ୍ଗେ ଅଭୟ ମଧ୍ୟ ଦେଇଛି ।

———————x————————

ସେତେବେଳର ବି. ଏନ୍. ଆର. ର ପାସେଞ୍ଜର- ହଡ଼ାବଳଦ ପରି ଥଙ୍ଗେଇ ଥଙ୍ଗେଇ ଚାଲେ । ପାଞ୍ଚ ମାଇଲରେ ଟିକିଏ ବିଶ୍ରାମ ନିଏ । ସବୁ ଷ୍ଟେସନରେ କାନ୍ଧରେ ଫଳ ଝୁଡ଼ିଟା ଥୋଇ ଏବଂ ହାତରେ ସୋଡ଼ା ବୋତଲ ଧରି “ଚା’- ଗ୍ରମ” “ବିଡ଼ି” “ସିଗାରେଟ୍” “ରେ ନାଥିଆ” “ହେ କୁଲି” ଭିତରେ ଦାମ ବିଚରାକୁ ଗାଡ଼ିଟାର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଥରେ ଡାକିଯିବାକୁ ହୁଏ- ସୋଡ଼ା, – କେଲା, – ପିଆରା ।

ଦିନେ ଛଡ଼ା ପୁରୀ-କଲିକତା । ବେଶ୍ ଚଳନ୍ତ ଜୀବନ । ଦାମକୁ ବୋଧହୁଏ- ଜଗତ୍ ଗୋଟାକ ସ୍ଥିର ରହିଚି, ସେହି କେବଳ ରୋଜିନା ଦଉଡ଼ିଚି । ଏହି ଦୌଡ଼ିବା ଭିତରେ ହଠାତ୍ ଦିନେ ଟାଙ୍ଗର ଭୂଇଁରେ ଚମ୍ପା କଢ଼ିପରି ଜହ୍ନର ମୁହଁ ତାହାର ଆଖି ଆଗରେ ପଡ଼ିଲା । ଷ୍ଟଲ ମାଲିକଙ୍କୁ ଲଚାଇ ନିତି ଏହି ରୂପର ଦାନ ଦେବାକୁ ସେ ଭୁଲିଲା ନାହିଁ । ପ୍ରତିଦିନ ସେହି ହସ ଟିକିଏ ଦେଖିବାକୁ ସେ ନିମକ୍‌ହରାମ ହେବାକୁ ଡରିଲା ନାହିଁ । ଉଃ ! କେତେ କମଳା ଅଙ୍ଗୁର ତ ସଢ଼ିଯାଉଛି, କେତେ ଖରା ଶୀତରେ ଦିହଟାକୁ ପୁଆଇ ସେ କାମ କରୁଛି- କିଏ ତାହାର ଅଛି, କାହାକୁ ସେ କ’ଣ ଦିଏ- ଏହି ଝିଅଟିକୁ ଅବା ଦି’ଟା ପୁଞ୍ଜାଏ ଫଳ ଦେଲା ।

ଆଜି ଦରମାଟି ପାଇ କଲିକତାରୁ ସେ କେତେଟା ଭଲ ଚିଜ କିଣି ଆଣିଚି । ମିଠେଇ ଓ ଫଳ ସାଥିରେ ଖଣ୍ଡେ ଶାଢ଼ି ମଧ୍ୟ- ସବୁ ଗୋଟିଏ ବଡ଼ ପୁଡ଼ିଆରେ ଭଲରୂପେ ବନ୍ଧା । ଝିଅଟି ଏହି ଜିନିଷତକ ଦେଖି ଭାରି ଖୁସି ହେବ । ଦାମ ରେଳ ଦରଜା ଖୋଲି ପୁଡ଼ିଆଟି ଧରି ଠିଆ ହୋଇଛି । ମନେ ମନେ ଭାବୁଚି, ଏମିତି ଖାଲି ପୁରୀ କଲିକତା ହୋଇ କ’ଣ ତା’ର ଦିହକ ଯିବେ । ତାହାର ବେଶି କିଛି ଲୋଡ଼ା ନାହିଁ । ଏହିଭଳି ଖଣ୍ଡିଏ ଛୋଟ ଘର ଓ ଜହ୍ନ ପରି ଗୋଟିଏ ସୁନ୍ଦର ଝିଅ । ବାଃ ! ଏପରି ଭୂତ ଦଉଡ଼ାଠାରୁ ସେଥିରେ ନିଶ୍ଚୟ ସୁଖ ।

ଦିନ ରାତି ଚବିଶ ଘଣ୍ଟା ଭିତରେ ସେ ଚାରିଶହ କୋଶ ବାଟ ଯା’ ଆସ କରେ । ପ୍ରତି ଷ୍ଟେସନ୍‌ରେ ଗାଡ଼ି ଠିଆ ହୁଏ । ପ୍ରତି ଷ୍ଟେସନ୍‌ରେ କେତେ ଲୋକ ଓହ୍ଲାଇଯାନ୍ତି, ଉଠନ୍ତି । କେତେ ସୁନ୍ଦର ମୁହଁ ଓଢ଼ଣାତଳେ ଲୁଚି ରହେ । ଲହୁଣି ପରି ଧଳା ଧଳା କଅଁଳ ପାଦ ଉପରେ ଝଲମଲ ଶାଢ଼ିର ଧଡ଼ି ଝୁଲୁଥାଏ । ଦାମ ସେସବୁକୁ ଚାହିଁ ନ ଚାହିଁଲା ପରି ଗାଡ଼ିର ଏପାଖରୁ ସେପାଖ ଯାଏ ଖାଲି ଡାକିଯାଏ- ସୋଡ଼ା-କେଲା-ପି-ଆ-ରା ।

ଗାଡ଼ି ଚାଲିବାବେଳେ ବାଟରେ ଘାଟରେ ଗାଧୁଆ ତୁଠରେ କେତେ ସୁନ୍ଦର ମୁହଁ ନିତି ଦାମ ଆଖିରେ ପଡେ଼, କିନ୍ତୁ ମନେହୁଏ, ସବୁ ସୁନ୍ଦର ମୁହଁ ଯେମିତି ଜହ୍ନଠାରେ ଠୁଳ ହୋଇଛି । କେତେ ପାହାଡ଼ ଜଙ୍ଗଲ କାଟି ଗାଡ଼ି ଚାଲିଛି । ସବୁ ଜାଗାଗୁଡ଼ାକ ସାଥିରେ ଦାମର ଭଲ ଚିହ୍ନା ପରିଚୟ । ଆଜି ସେସବୁକୁ ଦେଖି ମଧ୍ୟ ସେ ଦେଖୁ ନାହିଁ । ନେଳି ପତାକାଟି ଧରି ଜହ୍ନ ଠିଆ ହୋଇଥିବାର ବହୁତ ଦୂରରୁ ତା’ ଆଖି ଆଗରେ ପଡ଼ିଲା ।

ଦୂର ପାହାଡ଼ ତଳେ ସୂର୍ଯ୍ୟ ଅସ୍ତ ହୋଇଛି, କିନ୍ତୁ ପିଚକାରୀ ମାରିଲା ପରି ପଶ୍ଚିମ ଆକାଶଟାକୁ ଲାଲ କରି ଦେଇଚି । ତାହାରି ଆଗରେ ଖଣ୍ଡେ ହଳଦିଆ କସ୍ତା ପିନ୍ଧି ଓ ନେଳି ପତାକାଟି ଧରି ଜହ୍ନ ଗୋଟିଏ ଛବି ପରି ଠିଆ ହୋଇ ହସୁଚି । ଦାମ ସେହି ହସକୁ ଲୋଲୁପ ଆଖିରେ କେତେବେଳଯାଏ ଚାହିଁ ରହିଥିଲା, ତାହା ସେ ଜାଣେ ନାହିଁ, କିନ୍ତୁ ଗାଡ଼ିଟା ବିଟ୍‌ଘର ଡେଇଁଯିବା ପରେ ହଠାତ୍ ତାହାର ଖିଆଲ ହେଲା, ଝୁଲିପଡ଼ି ସେ ଜହ୍ନ ଆଡ଼କୁ ଚାହିଁଲା, କିନ୍ତୁ ଗୋଡ଼ ଦୁଇଟାକୁ ଗାଡ଼ି ଉପରେ ସିଧା କରି ରଖିପାରିଲା ନାହିଁ. . . ।

ଗାଡ଼ି ଖଣ୍ଡେ ଦୂର ଯାଇ ଠିଆ ହୋଇଗଲା । ଗାର୍ଡସାହେବ ଏବଂ ଗାଡ଼ି ଭିତରୁ ଆଉ କେତେ ଲୋକ ଓହ୍ଲାଇ ପଡ଼ି ଦୌଡ଼ାଦୌଡ଼ି କଲେ । ଜହ୍ନ ବିଚାରୀ କିଛି ବୁଝିପାରିଲା ନାହିଁ । ଗାଡ଼ିଟାକୁ ଏହି ପହିଲି ଥର ବିଟ୍‌ଘର ପାଖେ ଠିଆ ହେବାର ଦେଖି ତାହାର ଚକ କେମିତି, ଦରଜା କେଉଁଠି ଓ ଝରକା କେତେଟା ଉଣ୍ଡିବାକୁ ଲାଗିଲା ।

କିନ୍ତୁ ବିଟ୍‌ଘରର ଅଳ୍ପ ଦୂରରେ ଲୋକେ ଯେତେବେଳେ ଜମା ହୋଇଗଲେ, ଜହ୍ନର ଆଖି ସେହି ଆଡ଼କୁ ପଡ଼ିଲା । ଦାମର କୁର୍ତ୍ତା ଖଣ୍ଡ ରକ୍ତରେ ସୁଡୁବୁଡୁ । ତାଳୁ ଫାଟି ରକ୍ତଧାରା ବୋହି ଆସି ପାଟିରେ ଲାଗିଛି । ମୁଣ୍ଡର ବାଳଗୁଡ଼ାକ ଲହୁରେ ଲଟପଟ ହୋଇ ବଡ଼ ବିକଳ ଦିଶୁଚି । ଦୁଇଜଣ ଲୋକ ଧରାଧରି କରି ତାକୁ ଗାଡ଼ି ଭିତରକୁ ଉଠାଇଲେ । କାଗଜ ପୁଡ଼ିଆକୁ ଜହ୍ନ ଆଉ ଦେଖିପାରି ନାହିଁ । ଆସ୍ତେ ଆସ୍ତେ ଗାଡ଼ି ଛାଡ଼ି ଦେଲା ।

ଗାଡ଼ି ଯିବା ପରେ ଲୋକେ ରୁଣ୍ଡ ହୋଇଥିବା ଥାନାକୁ ଜହ୍ନ ଚାଲି ଚାଲି ଗଲା । ଟାଙ୍ଗର ଉପରେ ଦାମର କଞ୍ଚା ଲହୁ ମନ୍ଦା ମନ୍ଦା ହୋଇପଡ଼ିଚି । ଏକା ନଜରରେ ସେହି ରକ୍ତଓଦା ଭୂଇଁ ଖଣ୍ଡକ ସେ କାବା ହୋଇ ଚାହିଁ ରହିଲା. . . ।

ଗଦେଇ ମାଝି ବିଟ୍‌ଘର ଭିତରୁ ଥର ଥର ଗଳାରେ ଡାକିଲା, “କିଲୋ ଝୁଅ, କ’ଣ କି ?”

ଚମକି ପଡ଼ି ସେ ଧୀରେ ଧୀରେ ବାପ ପାଖକୁ ଚାଲିଗଲା ।

ଲୋକପ୍ରିୟ ଲେଖା

To Top