ଗଳ୍ପ

ବମ୍‌ବ୍ଲାଷ୍ଟ୍

ଅର୍ଥ ସଚିବ ତ ଏଇଆ ଚାହୁଁଛନ୍ତି ଛକ ଉପରେ ମଦଦୋକାନ ଖୋଲୁ । ଦେଶଟା ବିକଳାଙ୍ଗ ହେଉ, ଲୋକମାନେ ବିକଳାଙ୍ଗ ହୁଅନ୍ତୁ !!!

ବମ୍‌ବ୍ଲାଷ୍ଟ୍

ଝାପ୍ସା ନୀଳ ଆଲୁଅରେ ସୁଚେତା ଘଣ୍ଟାକୁ ଅନେଇଲା । ଦଶଟା ପନ୍ଦର ହୋଇଛି । ଗୁଗୁଲୁ ତା’ର କୁନିହାତ ଶୀତଳ ଉପରେ ପକାଇ ଶୋଇପଡ଼ିଛି । ବେଶ୍ ନିରୁପଦ୍ରବ ଭାବେ ଶୋଇପଡ଼ିଛନ୍ତି ଦୁହେଁ । ଭୀଷଣ ଶୀତ ପଡ଼ିଛି ତାଙ୍କର ଏହି କୁନି ସହରରେ । ସୁଚେତା ଉଠିଲା, ଦୁହିଁଙ୍କୁ ଭଲ ଭାବେ ଘୋଡ଼େଇ ଦେଲା ରେଜେଇ ଦୁଇ ତିନି ଘଣ୍ଟା ଭିତରେ ଦୁଇଜଣଙ୍କର ନିଦ ଭାଙ୍ଗିବାର ସମ୍ଭାବନା ନାହିଁ । ସେ ଧୀରେକି, ଶୋଇବା ଘର କବାଟ ଆଉଜେଇ ଦେଇ ଆସିଲା ତା’ପଢ଼ିବା ଘରକୁ ।

ପଢ଼ିବା ଘର ଲାଇଟ୍ ଅନ୍ କଲା । ଲାଇଟ୍ ଜଳି ଉଠିବା ଦେଖି ଅସରପା କେତେଟା ବହିଯାକ ପଛକୁ ଧାଇଁଲେ ଲୁଚିଯିବାକୁ । ସେ ଟେରେରିଷ୍ଟ୍ ପରି ଟାଣି ଆଣିଲା ମୋର୍ଟିନ୍ । ଆଉ ସ୍ପ୍ରେ କରି ଚାଲିଲା ମନ ଇଚ୍ଛା । ବହିଥାକ ପଛପଟେ ଲୁଚିଥିବା ଅସରପାଗୁଡ଼ିକରୁ କିଛି ଖଣ୍ଡିଉଡ଼ା ଦେଲେ, କିଛି ଚଟାଣ ଉପରେ ପଡ଼ି ଛଟପଟ ହେଲେ । କିଛି ସମୟ ଛଟପଟ ହୋଇ ନିଶ୍ଚଳ ହୋଇଗଲେ ଅସରପାଗୁଡ଼ିକ । ଦେଖିବାକୁ, ଭାବିବାକୁ ଆଉ ସମୟ ନଥିଲା ଚଞ୍ଚଳ ହୋଇ ଉଠିଲା ସେ । ଶୀତଳର ଜିନ୍ସ ଆଣି ପିନ୍ଧିଲା, ଦୁହିଁଙ୍କର ପ୍ରାୟ ସମାନ ସ୍ୱାସ୍ଥ୍ୟ, ସମାନ ଉଚ୍ଚତା ହୋଇଥିବାରୁ ତାକୁ ସେ ଜିନ୍ସ ଠିକ୍ ହେଲା । ସେ ଜୀବନରେ ପ୍ରଥମ ଥର ପାଇଁ ଜିନ୍ସ ପିନ୍ଧିଥିଲା, ଜିନ୍ସ ପିନ୍ଧି ଠିକ୍ ଚାଲିପାରିବ କି ନାହିଁ ଭାବି ପାରିଲାନି । ସେ ସନ୍ଦେହଜନକ ପରିସ୍ଥିତିରେ ପଡ଼ିବାକୁ ଚାହୁଁନଥିଲା । ତା’ କଳାରଙ୍ଗର ନାଇଟ୍‌ ସୁଟ୍ ପିନ୍ଧିଲା । ହାତରେ କଳାରଙ୍ଗର ଗ୍ଲୋବ୍ସ, ମୁଣ୍ଡରେ କଳାରଙ୍ଗର ମଫଲର୍ ବାନ୍ଧିଲା । ତାକୁ ପ୍ରତିଟି ମୁହୂର୍ତ୍ତ ଭାରି ମୂଲ୍ୟବାନ୍ ଲାଗୁଥାଏ । କଳାରଙ୍ଗର ଚାଦରରେ ମୁହଁ, ଦେହ ଭଲ ଭାବେ ଘୋଡ଼ାଇଲା । ଖାଲି ଆଖି, ନାକ ବାହାରକୁ ଦିଶୁଥାଏ ।

ସୁଚେତା ଏଥର ଠାକୁର ଘରକୁ ଗଲା । ଠାକୁରଙ୍କ ଆସ୍ଥାନ ତଳୁ ଅତି ସନ୍ତର୍ପଣରେ ବାହାର କଲା ବୋମା, ସେ ବୋମାଟିକୁ ବହୁ ବର୍ଷର ଅନୁସନ୍ଧାନ ପରେ ପାଇଥିଲା ନର୍ଦ୍ଦମାଭର୍ତ୍ତି ବସ୍ତି ଭିତରର ଶେଷ ଘରୁ । ଠାକୁରଙ୍କ ପ୍ରତି କାହାର ଆଗ୍ରହ କି ସନ୍ଦେହ ନ ଥାଏ ବୋଲି ସେ ବୋମାଟିକୁ ଲୁଚାଇ ଠାକୁରଙ୍କ ଆସ୍ଥାନ ତଳେ ରଖିଥିଲା ।

ଠାକୁର ଘର ଲାଇଟ୍ ବନ୍ଦ କଲା । ଏଥର ଡ୍ରଇଂରୁମ୍‌ର କବାଟ ଖୋଲି ବାରଣ୍ଡାକୁ ଆସିଲା ଆସ୍ତେ ସ୍ଲିପର୍ ଗୋଡ଼ରେ ଗଳେଇଲା ନିଶବ୍ଦରେ ବାରଣ୍ଡାର ଗେଟ୍ ଖୋଲିଲା । ବାହାରକୁ ଆସିଲା, ଗେଟ୍‌ରେ ତାଲା ପକେଇ ଚାବିକୁ ପକେଟ୍ ଭିତରେ ପୂରାଇଲା ଏବଂ ଚାଲିଲା ।

ଶୀତରାତି ଯୋଗୁଁ ସମସ୍ତଙ୍କର କବାଟ ଝରକା ବନ୍ଦ ଥିଲା । ସବୁ ଘରେ ଲୋକ ଶୋଇ ପଡ଼ିଥିଲେ । ରାସ୍ତାଘାଟ ନିଛାଟିଆ ଲାଗୁଥିଲା । ଲାଗୁଥିଲା ଲୋକଙ୍କ ସହ ସହରଟି ମଧ୍ୟ ଶୋଇ ପଡ଼ିଛି ନିଘୋଡ଼ ନିଦରେ । ସୁଚେତା ରହସ୍ୟ ଉପନ୍ୟାସର ନାୟିକା ପରି ଆଗକୁ ଆଗକୁ ମାଡ଼ି ଚାଲିଲା ।

ମିଶ୍ରବାବୁଙ୍କ ଘର ସାମ୍ନା ଗଙ୍ଗଶିଉଳି ଗଛ ଫୁଲରେ ଭର୍ତ୍ତି ହୋଇ ହସକୁରି ଝିଅଟି ପରି ଦିଶୁଥିଲା । ଗଛତଳେ ଫୁଲଗୁଡ଼ିଏ ବିଛେଇ ହୋଇ ପଡ଼ିଥିଲା । ଗଙ୍ଗଶିଉଳି ଫୁଲ ଆଉ ତା’ର ବାସ୍ନା ଭାରି ଭଲ ଲାଗେ ସୁଚେତାକୁ । ଆଜି ତା ପାଖରେ ସମୟ ନଥିଲା ଆଣ୍ଠେଇ ପଡ଼ି ଗୋଟେଇବାକୁ ଗଙ୍ଗଶିଉଳି । ସେ ଚାଲିଲା ଗଙ୍ଗଶିଉଳିର ମୋହକୁ ଅତିକ୍ରମ କରି ।

ଚାରିଟା କୁକୁର କୁଆଡ଼େ ଥିଲେ ଧାଇଁଆସିଲେ ତା’ ଆଡ଼କୁ । ଡରିଗଲା ସେ । ବଡ଼ ଡରକୁଳୀ । ତା’ର ଅସରପାକୁ ଡର, ଝିଟିପିଟିକୁ ଡର, ଝିଣ୍ଟିକାକୁ ଡର, ଏମିତିକି ବଡ଼ପାଟିକୁ ବି ତା’ର ଡର । ପ୍ରଥମଥର ସେ ଡର ଛାଡ଼ି ପାଦ କାଢ଼ିଛି ବାହାରକୁ ଏତେ ରାତିରେ ଏକା ଏକା । କୁକୁରମାନେ ବୋଧେ ଜାଣିପାରିଲେ ସେ ଚୋର ନୁହେଁ । ଭୁକିଭୁକି ଚାଲିଗଲେ ନିଜ ବାଟରେ । ରକ୍ଷା ପାଇଗଲା ସୁଚେତା । ବୋମାଟିକୁ ଜାବୁଡ଼ି ଧରି ଚାଲିଲା ।

ସବୁ ଦୋକାନ ବନ୍ଦ । ପରିବା ଦୋକାନ, ତେଜରାତି ଦୋକାନ, ଅଣ୍ଡା ଦୋକାନ, ଜଳଖିଆ ଦୋକାନ, ଔଷଧ ଦୋକାନ, ଟେଲିଫୋନ୍ ଦୋକାନ ସାମ୍ନାରେ ବି ତାଲା । ରାତି ଅଧରେ କ’ଣ କାହାର ଔଷଧ ଦରକାର ପଡୁନି ; କେଜାଣି । ସୁଚେତା ଆଗକୁ ଚାଲିଲା ।

ସି.ଡ଼ି ଦୋକାନ ପାଖ ଜଳଖିଆ ଦୋକାନ ସାମ୍ନାରେ ପଡ଼ିଥିବା ବେଞ୍ଚ୍ ଉପରେ ବସି ବାହାଦୂର ହାତରେ କ’ଣ ଗୋଟେ ଧରି ମଳୁଛି । ଖଇନି ଫଇନି ବୋଧେ ! ସୁଚେତା ଡରିଗଲା । ଯଦି ଏଇନେ ବାହାଦୂର ତାକୁ ଧରେ ! କିଛି ପଚରା ଉଚରା କରେ ! ଆଉ ତା’ କଳା ଶାଲ୍‌ଟା ଯଦି ଖସିପଡ଼େ !!! ସର୍ବନାଶ ହୋଇଯିବ । ବାହାଦୂର ଜାଣିଯିବ ସେ ଗୋଟେ ସ୍ତ୍ରୀଲୋକ । କେତେ ଜେରା କରିବ । ସକାଳର ପେପର୍‌ରେ ତା’ର ଫଟୋ ବାହାରି ପଡ଼ିବ । ତା’ର ସୁନାମ ସବୁ ଜଳିପୋଡ଼ି ପାଉଁଶ ହୋଇଯିବ । ତା’ ସ୍ୱାମୀ ଏତେ ସବୁ ବଦ୍‌ନାମ୍ ସହିପାରିବେ ତ ! ଆଉ ଗୁଗୁଲୁ….. ସେ ଚିନ୍ତା କରିପାରିଲା ନାହିଁ । ଅଧିକ ଚିନ୍ତା କରି ନିଜକୁ ଦୁର୍ବଳ କରିଦେବାକୁ ସେ ଚାହୁଁ ନ ଥିଲେ । ଆଗକୁ ଚାଲିଲା । ବାହାଦୂର ତାକୁ ଦେଖି ନ ଦେଖିଲା ପରି ଖଇନିକୁ ପାଟିରେ ପକେଇ ଠିଆ ହେଲା । ପାଖରେ ରଖିଥିବା ବାଡିଟେ ଧରିଲା । ପକେଟ୍‌ରୁ ହୁଇସିଲ୍ କାଢ଼ି ତା’ର ବିପରୀତ ଦିଗରେ ହୁଇସିଲ୍ ବଜାଇ ବଜାଇ ଚାଲିଲା ।

ବସ୍‌ଷ୍ଟାଣ୍ଡ୍ ପାଖରେ ପହଞ୍ଚିଲା ସୁଚେତା । ଖଣ୍ଡେ ଦି’ଖଣ୍ଡ ବସ୍ ପଡ଼ିଛି ବସ୍‌ଷ୍ଟାଣ୍ଡ୍‌ରେ । ବସ୍‌ଷ୍ଟାଣ୍ଡ୍ ପାଖ ସବୁ ଦୋକାନ ବନ୍ଦ । ବନ୍ଦ୍ ସଟର୍ ସାମ୍ନାରେ କିଏ କିଏ ସବୁ ଘୋଡ଼େଇ ହୋଇ ଶୋଇଛନ୍ତି । ବସ୍‌ଷ୍ଟାଣ୍ଡ୍‌ର ଡାହାଣ ପଟେ ଓସ୍ତଗଛ ମୂଳେ ସିମେଣ୍ଟ୍ ଚଉତରା ଯେଉଁଟାକୁ ବାବା ଆଖଣ୍ଡଳମଣିଙ୍କ ଆସ୍ଥାନ କୁହାଯାଏ । ଯାହା ଉପରେ ଦଳେ ଦିନରେ ବସି ତାସ୍ ଖେଳନ୍ତି, ପାନ ଖାଆନ୍ତି, ଥୁଥୁ କରି ଛେପ ଚଉତରା ପାଖରେ ପକାନ୍ତି, ବିଡ଼ି ଟାଣନ୍ତି, ଧୂଆଁ ଛାଡ଼ନ୍ତି, ସନ୍ଧ୍ୟା ହେଲେ ଗେଞ୍ଜଇ ଟାଣନ୍ତି, ରାତିରେ ମଦ ପିଅନ୍ତି ।

କି ଅସହାୟ ଭାବରେ ବସିଛନ୍ତି ଗଛତଳର ଠାକୁର । ଦି’ଟା ଅପରଚ୍ଛନିଆ ବୁଲା କୁକୁର ଠାକୁରଙ୍କ ଫଟୋକୁ ଲାଗି ଶୋଇଛନ୍ତି ।

ସୁଚେତା ଏଥର ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଲା । ବାଇପାସ୍ ପାଖ ମଦଦୋକାନ ପାଖରେ । ଏ କ’ଣ ? ସାରା ସହରର ଦୋକାନ ବଜାର ଯେତେବେଳେ ବନ୍ଦ କେବଳ ଖୋଲା ରହିଛି ଏ ମଦ ଦୋକାନ । ଚେଇଁ ରହିଛି ମଦ ବିକାଳି ଏତେ ରାତିରେ । ଏତେ ଥଣ୍ଡାରେ, ଆଃ !!! ବିଚରା, ଏତେ ରାତିରେ ତା’ ସ୍ତ୍ରୀ କ’ଣ କରୁଥିବ ! କବାଟ ଦେଇ ଶୋଇ ପଡ଼ିଥିବ ନା, ତକିଆରେ ମୁହଁଗୁଞ୍ଜି କାନ୍ଦୁଥିବ !!!

ଧେତ୍ ମଦଦୋକାନ ପାଖ ଢାବାଟା ବନ୍ଦ ଥିବା ବେଳେ ମଦଦୋକାନଟା ଖୋଲା ଅଛି ? ସେ ଭାବିଥିଲା ମଦଦୋକାନଟା ବନ୍ଦ ଥିବ । ସେ ଚୁପ୍‌ଚାପ୍ ବୋମାଟା ମଦଦୋକାନ ଉପରେ ଫିଙ୍ଗିଦେଇ ଏବଂ ସୁନାପିଲା ପରି ଘରକୁ ଯାଇ କମଳ ଘୋଡ଼ାଇ ହୋଇ ଶୋଇପଡ଼ିବ । କିନୁ ନା ମଦଦୋକାନର କାଉଣ୍ଟର ଖୋଲା ଥିଲା । ସାମ୍ନାରେ ଲାଇଟ୍ ଜଳୁଥିଲା । ସାରା ସହରଟା ଶୋଇଥିବାବେଳେ ସହରର ଆୟୁଷ ଶୋଷୁଥିବା ମଦଦୋକାନ କିନ୍ତୁ ଖୋଲା ଅଛି । ହସିଲା ସୁଚେତା ମନେ ମନେ ।

ଗଛ ତଳେ ଠିଆ ହେଲା ସେ । ମଦଦୋକାନର ଅଳ୍ପ ପାଖରେ ବିରାଟ ଅଂଳା ଗଛ । ସେହି ଅଂଳାଗଛର ପତଳା ଅନ୍ଧାରରେ ନିଜକୁ ଲୁଚାଇବାକୁ ଚେଷ୍ଟା କଲା ସୁଚେତା । ଆରବର୍ଷ ପୂଜାବେଳେ ଏହି ଦୋକାନର ମଦ ପିଇ ଦଶଜଣ କଲେଜ ପିଲା ମରିଥିଲେ ।

ପଟ୍ଟନାୟକ ବାବୁ ତାଙ୍କ ସ୍ତ୍ରୀ ସହ ଯାଇଥିଲେ ଗାଁକୁ । ଘରେ ଛାଡ଼ି ଯାଇଥିଲେ ଏକମାତ୍ର ପୁଅକୁ । ପ୍ରଥମଥର ନୁହେଁ ବହୁତଥର ତାକୁ ଏକୁଟିଆ ଛାଡ଼ିଯା’ନ୍ତି ପଟ୍ଟନାୟକ ବାବୁ । ତା’ ଭଳି ପିଲା ବାପାମାଙ୍କୁ ଛାଡ଼ି ଏକଲା ରହି ପଢୁଛନ୍ତି ଦୂର ସହରରେ । ସେ ବି ଏତେ ଦୁଷ୍ଟ ନୁହେଁ । ଦଶହରା ଦିନ ସାଙ୍ଗପିଲାଙ୍କ ସାଙ୍ଗରେ ମିଶି ଫିଷ୍ଟ୍ କରିଥିଲା, କୌତୂହଳବଶତଃ ଫିଷ୍ଟ୍ ଶେଷରେ ସେମାନେ ପିଇଥିଲେ ମଦ ଏବଂ ଘଟିଥିଲା ଦୁର୍ଘଟଣା ।

ସେହି ପିଲାଙ୍କ ଭିତରେ ଥିଲା ତା’ ଗୋଟିଏ ବୋଲି ଭାଇ କୀଟୁ । ବୋଉ ମଲା ପରଠାରୁ ସେ ରହି ଆସିଥିଲା ତା’ପାଖରେ ।

ପୋଲିସ୍‌ବାଲା, ପ୍ରେସ୍‌ବାଲା ପହଁଞ୍ଚିବା ଆଗରୁ ସୁଚେତା ଯାଇଥିଲା ସେଠିକୁ । ସେ ଏବଂ ପାଖ ପଡ଼ୋଶୀମାନେ ଚାରିଜଣ ପିଲାଙ୍କୁ ଆମ୍ବୁଲାନ୍ସ ଡକାଇ ପଠାଇଥିଲେ ମେଡ଼ିକାଲ୍ । ସେ ପିଲା ଚାରିଜଣ ମଧ୍ୟ ବଞ୍ଚିନଥିଲେ । ମଲା ପୂର୍ବରୁ ଦାସବାବୁଙ୍କର ପୁଅ ସୁଚେତାକୁ କହିଲା । ଏହି ମଦଦୋକାନରୁ ସେମାନେ ମଦ କିଣିଥିଲେ ।

ଏକାବେଳେ ଏତେଟା କଅଁଳିଆ ଛନଛନ ପିଲାଙ୍କ ଶବ । ସେମାନଙ୍କ ବାପା ମା’ ଆତ୍ମୀୟଙ୍କ କାନ୍ଦ ଆଜି ବି ତାକୁ ବିଚଳିତ କରି ପକାଏ । ସେ ଏଥର ବୋମା ପକାଇବାକୁ ବାହାରିଲା ମଦଦୋକାନ ଉପରେ । କିନ୍ତୁ ଏ କ’ଣ ଦାସ ମଉସା ଏତେ ରାତିରେ ଦୁଇଟା ବୋତଲ ଧରି ଓହ୍ଲାଉଛନ୍ତି ପାହାଚ ତଳକୁ । ନା !!! ନା !!! ସେ ବୋମାଟା ଫିଙ୍ଗି ପାରିବନି । ମଉସାଙ୍କର ଯଦି କିଛି ହୋଇଯାଏ, କେମିତି କାଟିବେ ମାଉସୀ ତାଙ୍କ ବାକିତକ ଦିନ । ମାଉସୀଙ୍କର ଦୁଇ ପୁଅ, ଦୁଇ ଝିଅ, ସମସ୍ତେ ଦେଶ ବାହାରେ ତାଙ୍କ ପରିବାର ସହ । ମଉସା ମାଉସୀ ପୂରା ଏକଲା ଏଠି । ମାଉସୀଙ୍କର ଏକ ଜିଦ୍ ସେ ଏ ଦେଶ ଛାଡ଼ି ଯିବେନି । ମଉସା ତାଙ୍କ ଗାଡ଼ି ଭିତରେ ବସିଲେ । ଗାଡ଼ି ଷ୍ଟାର୍ଟ କଲେ ଏବଂ ଚାଲିଲେ । ସେ ଏଥର ସଚେତନ ଭାବେ ବୋମା ଫିଙ୍ଗିବାକୁ ବାହାରିଲା । ଏହି ସମୟରେ ପତ୍ରରଙ୍ଗର ମାରୁତି ଆସି ଅଟକିଲା । ଗାଡ଼ିରୁ ଓହ୍ଲାଇଲେ ହଳଦୀରଙ୍ଗର ଶାଢୀ ପିନ୍ଧି ଗୁଗୁଲୁ ସ୍କୁଲର ଟିଚର୍ ।

ସୁଚେତା ଫିଙ୍ଗି ପାରିଲାନି ବୋମା ଏଥର ବି !

ସୁଚେତା ଠିଆ ହୋଇଛି ଅଂଳାଗଛ ମୂଳେ । ରାତିର ବୟସ ବଢୁଛି ଆସ୍ତେ ଆସ୍ତେ । ରାତିର ବୟସ ବଢ଼ିବା ସହ ସହରର ଦାମୀନାମୀ ଲୋକ ଆସୁଛନ୍ତି କିଣୁଛନ୍ତି ଯାଉଛନ୍ତି । ତାକୁ ଭାରି କଷ୍ଟ ଲାଗିଲା । ଆଶ୍ଚର୍ଯ୍ୟ, ଯେତେବେଳେ ଦେଖିଲା ଯୁବ ସାହିତ୍ୟିକ, ସଙ୍ଗୀତଜ୍ଞକୁ ଦୋକାନ ସାମ୍ନାରେ । ହାଃ ସମସ୍ତେ ଅକ୍ଷୟ ମହାନ୍ତି ହେବାର ସ୍ୱପ୍ନ ଦେଖୁଛନ୍ତି । ତାକୁ ଅକ୍ଷୟ ମହାନ୍ତିକୁ ଗାଳିଦେବାକୁ ଇଚ୍ଛା ହେଲା । ଜଣେ ବଡ଼ ସାହିତ୍ୟିକ ବହୁତ ବହି ଲେଖିଛନ୍ତି । ସେ ମଝିରେ ମଝିରେ ପିଉଥିଲେ । ଆଜି ସେ ନାହାନ୍ତି । ତାଙ୍କ ପୁଅ ତାଙ୍କ ପରି ଲେଖିପାରୁନି, କିନ୍ତୁ ସବୁଦିନ ପିଉଛି, ପେଟ ଭର୍ତ୍ତିକରି ପିଉଛି, ଅଠତିରିଶ ବର୍ଷରେ ସେ କଥା କହିଲେ ତା’ ଓଠ ଥରୁଛି । ଚାଲିଲେ ଗୋଡ଼ ଥରୁଛି । ଖାଇଲା ବେଳେ ହାତ ଥରୁଛି !!! ତଥାପି ସେ ପିଉଛି ।

ପିଇଲେ ଦୁଃଖ ପଳାଏ । ପକ୍କା ମିଛ କଥା । ଯଦି ମଦ ପିଇଲେ ଦୁଃଖ ପଳାନ୍ତା ସବୁ ଦୁଃଖୀଲୋକ ମଦ ପିଅନ୍ତେ ବା ମଦ ପିଉଥିବା ଲୋକଙ୍କ ଦୁଃଖ ନଥାନ୍ତା । କେମିତି ସହନ୍ତି ମଦଗନ୍ଧ ସେମାନଙ୍କ ସ୍ତ୍ରୀମାନେ ପିଲାମାନେ !!! । ହଁ, ସହିବେ କ’ଣ ସହିବାକୁ ବାଧ୍ୟ । ସ୍ତ୍ରୀର ରୁଚି ଅରୁଚି ଗୋଟେ କ’ଣ ?

ହଁ ଆଜିକାଲି ସ୍ତ୍ରୀଲୋକମାନେ ମଧ୍ୟ ମଦ ପିଇଲେଣି, ଆଉ କେତେଦିନ ପରେ ମଦ ଚା, କୋଲ୍ଡ଼ ଡ୍ରିଂକ୍ସ ପରି ଘରେ ଘରେ ଆସ୍ଥାନ ଜମେଇବ । କୋଲ୍ଡ଼ ଡ୍ରିଂକ୍ସ ପିଇବା ଯୋଗୁଁ ଦେଶରେ ବଢ଼ି ଚାଲିଛି ହୃଦ୍‌ରୋଗ, ବିକଳାଙ୍ଗତ୍ୱ !!! । ପିଲାମାନଙ୍କ ଉଚ୍ଚତା ବଢୁନି । ତଥାପି ମା’ମାନେ ଗର୍ବର ସହ ରଙ୍ଗବେରଙ୍ଗର କୋଲ୍ଡ଼ ଡ୍ରିଂକ୍ସ ପିଆଉଛନ୍ତି ପିଲାଙ୍କୁ ।

କିଛିଦିନ ପରେ ମା’ ମାନେ ନିଜ ପିଲାଙ୍କୁ ପିଆଇବେ ମଦ, କ୍ଷୀର ବଦଳରେ । ଶୁଆଇଦେବେ ଦେଶକୁ ମଦର କବର ଭିତରେ । ଅର୍ଥ ସଚିବ ତ ଏଇଆ ଚାହୁଁଛନ୍ତି ଛକ ଉପରେ ମଦଦୋକାନ ଖୋଲୁ । ଦେଶଟା ବିକଳାଙ୍ଗ ହେଉ ,ଲୋକମାନେ ବିକଳାଙ୍ଗ ହୁଅନ୍ତୁ !!! କିନ୍ତୁ ଦେଶର ତ ଦରକାର ଅର୍ଥ, ହାଃ !!! ହାଃ !!! ହାଃ !!!

ନିକଟରେ ଏକ ସାହିତ୍ୟ ସଭାକୁ ଯାଇଥିଲା ସୁଚେତା । ସେ ଲେଖାଲେଖି କରେନି; କିନ୍ତୁ ପଢ଼େ ପ୍ରବଳ । ସେ ଯାଇଥିଲା ସେଠିକି ଜଣେ ଲେଖିକାଙ୍କ ଅନୁରୋଧ ଏଡ଼ି ନ ପାରି ସଭା ମଝିରେ ଚା’ ଦିଆ ହେଲା ସେ ମନା କରିବାରୁ ପାଖରେ ବସିଥିବା ମଧ୍ୟବୟସ୍କା ସୁନ୍ଦରୀ ସାହିତ୍ୟିକା ଜଣକ କହିଲେ “କ’ଣ ଚା ପିଇବନି, ମଦ ପିଇବ !”

ଏ’ଟାକୁ ଆପଣେଇବାଟା ଆଧୁନିକତା, ସ୍ତ୍ରୀଲୋକ ରାତି ଦଶଟା ଯାଏ ବାହାରେ ବୁଲିବା ଆଧୁନିକତା, ପରପୁରୁଷ, ପରନାରୀ ସହ ବୁଲିବା ଆଧୁନିକତା, ଲାଇସେନ୍ସ ନେଇ ଦେହ ବ୍ୟବସାୟ କରିବା ଆଧୁନିକତା । ଏ’ଟା ଆଧୁନିକତା ନା ଆଧୁନିକତାର ବିକଟାଳ ରୂପ ।

କୀଟୁର ମୁହଁ ତାକୁ ଦିଶିଗଲା, ସେ ପ୍ରତିଶୋଧପ୍ରବଣ ହୋଇ ଉଠିଲା । ସତେ ଯେମିତି ତା’ର ମୂକ ହୋଇଯାଇଥିବା ବାପା ତାକୁ କହୁଛନ୍ତି – “ଝିଅ ଡେରି କରନା, ଆଉ ଡେରି କରନା ! ଫିଙ୍ଗି ଦେ” । ସେ ବୋମାଟିକୁ ଫିଙ୍ଗିବାକୁ ବାହାରିଲା । ଏ କ’ଣ ? ଦୋକାନ ବାରଣ୍ଡାର ଗୋଟିଏ କୋଣକୁ ଶୋଇଛି ମଟର ବିକୁଥିବା ସେଇ ଅନାଥ ପିଲା । – ତା’ମୁହଁରୁ ଚାଦରଟା ଖସିପଡ଼ିଛି । ସୁଚେତା ହାତରୁ ବୋମାଟା ଦୁମ୍‌କିନା ତଳେ ପଡ଼ି ଜୋର୍‌ରେ ଶବ୍ଦ କରି ଫାଟିଲା । ଚମକି ପଡ଼ିଲା ମଦ ଦୋକାନୀ । ଉଠିପଡ଼ିଲା ମଟର ବିକାଳି । ଜଳୁଥିଲା ଅଂଳାଗଛ, ଅଂଳାଗଛର ଡାଳ, ଅଁଳାଗଛର ତଳ ବଡ଼ ଭୟଙ୍କର ଭାବେ ।

ସୁଚେତାର ନିଦ ଭାଙ୍ଗିଗଲା । ଓଃ !!! କି ଭୟଙ୍କର ସ୍ୱପ୍ନ !

ଲୋକପ୍ରିୟ ଲେଖା

To Top