ଗଳ୍ପ

ବ୍ରତଭିକ୍ଷା

Godabarisha Mohapatra's odia story Bratabhikhyaa

କଥାଟା ଶୁଣି ଗୋପୀନାଥ ଥକା ହୋଇ ବସିପଡ଼ିଲେ । ତାଙ୍କ ଜୀବନକୁ ପୂର୍ଣ୍ଣ କରି, ତାଙ୍କ ପ୍ରାଣକୁ ଧନ୍ୟକରି ସ୍ନେହମୟୀ ଜନନୀରୂପରେ ସେହି ବୃଦ୍ଧାଙ୍କର ଉଜ୍ଜ୍ୱଳ ମୂର୍ତ୍ତି ତାଙ୍କ ଆଖି ଆଗରେ ଖେଳିଗଲା ।

ବ୍ରତଭିକ୍ଷା

(୧)

ଗାଁର ଦୁଇ ଦିଗରେ ଦୁଇ ପ୍ରକାର ଚହଳ ପଡ଼ିଛି । ଏକ ଦିଗରେ ବ୍ରତ ଉତ୍ସବର କଳରୋଳ ଓ ଅନ୍ୟଦିଗରେ ମୃତ୍ୟୁଯାତ୍ରାର ହାହାକାର ।

ଏକ ଦିଗରେ ମଙ୍ଗଳ ମହୁରି ସଙ୍ଗେ ନାରୀକଣ୍ଠର ହୁଳହୁଳି ନାଦ ଆକାଶରେ ପ୍ରତିଧ୍ୱନିତ ହୋଇ ଉଠିଲା ବେଳକୁ ଅନ୍ୟ ଦିଗରେ ଆକୁଳ ହୃଦୟର କରୁଣ କ୍ରନ୍ଦନଧ୍ୱନି ଆକାଶକୁ ଫଟାଇ ଦେବାକୁ ଚେଷ୍ଟା କରୁଛି । ଏକଦିଗରେ କ୍ଷୀରିପିଠାର ଆୟୋଜନ ଚାଲିଥିଲା ବେଳେ ଅନ୍ୟଦିଗରେ ଶ୍ମଶାନକୁ ଶବ ଯିବାପାଇଁ କାଠକୁଟା, କୁଲା ମାଠିଆର ଯୋଗାଡ଼ ହେଉଛି । ଠାଏ ବସି ପୁରୋହିତ ବେଦମନ୍ତ୍ର ଉଚ୍ଚାରଣ କରୁଥିବାବେଳେ ଅନ୍ୟସ୍ଥାନରେ ମୁମୂର୍ଷୁର ରୋଗଶଯ୍ୟା ପାଖେ କିଏ ବସି ଗୀତା ଭାଗବତ ଶୁଣିବାରେ ଲାଗିଛି । ମୋଟା ମୋଟି କହିବାକୁ ଗଲେ ଏକ ଦିଗରେ ମୃତ୍ୟୁ ଓ ଆଉ ଏକ ଦିଗରେ ନବଜୀବନର ଉତ୍ସବ ଆରମ୍ଭ ହୋଇଛି ।

ବ୍ରତ-ଉତ୍ସବ ଭିତରେ ଗୃହିଣୀ ଗୃହସ୍ଥକୁ ପଚାରିଲେ- “ମୋ ରାମିକୁ କ’ଣ ବେଦୀରେ କିଛି ବନ୍ଦେଇବ ନାଇଁ ?”

ଗୃହସ୍ଥ ଉତ୍ତରରେ କଥା କହି ନ ପାରି କେବଳ ଲୁହ ଦି’ଟୋପା ଗଡ଼ାଇ ଦେଲେ । ତା’ପରେ ଲୁହ ପୋଛି ପୋଛି କହିଲେ- “ଦେବାକୁ ଆଉ କ’ଣ ଅଛି । ଯାହା ଦି’ମାଣ ଥିଲା ସେଥିରୁ କିଛି ବା ମିଳିଥାନ୍ତା । ଆଜିର ସେଠା ଅବସ୍ଥା ଯାହା ଆଉ ଆଶା ଦେଖୁନାହିଁ । ସେ ବନ୍ଧକି ଜମିକୁ ଟଙ୍କା କିଏ ଦବ ? ହାତ କାହା ପାଖେ ପତେଇବି ?”

ତେଣେ ମୃତ୍ୟୁ-ଲୀଳା ଭିତରେ ରୋଗଶଯ୍ୟା ପାଖେ ପୁଅ ବସି ମାଆକୁ ପଚାରିଲେ- “ମାଆ, ତୁ ତ ଚାଲି ଯାଉଛୁ, ଆମ କଥା ଆଉ କ’ଣ ବୁଝିଲୁ ? ମାଆ, ମାଆ, ଶୁଭୁଛି । କହିଥିଲି ପରା ସେ କାଗଜଟା କୁଠି ରଖିଛୁ କହିଦବୁ ବୋଲି, ମାଆ. . . ମା’. . . !”

ରୋଗିଣୀ ମୃତ୍ୟୁର ଖୁବ୍ ନିକଟରେ ହୋଇ ମଧ୍ୟ କଥା କହିପାରୁଥିଲେ । ତାହା ଆଉ କଥା ହୋଇ ନଥିଲା, ତାହା କେବଳ ଜୀବନୀଶକ୍ତିର ନିତାନ୍ତ କ୍ଷୀଣଧାରା ପରି ଜଣା ପଡୁଥିଲା । ଶିଥିଳିତ ପଲକ ଦୁଇଟି ମୁହୂର୍ତ୍ତକ ପାଇଁ ଫିଟାଇ ସେ ଟିକିଏ ଉପରକୁ ଚାହିଁଲେ । ତା’ପରେ ଆଖି ମୁଦି ଦେଇ କ୍ଷୀଣ କଣ୍ଠରେ କହିଲେ- “ବାବୁ, ତୁ କ’ଣ କରିବୁ ତାକୁ ? ଜଣକ ଘର ବୁଡ଼େଇବୁ । ମୁଁ ଦେଇଥିଲି, ମୁଁ ବୁଝିଚି. . . ।”

“ତୁ ବୁଝିଚୁ ମା’ ? କେତେବେଳେ ?”

“ଆଜି. . . !”

(୨)

ଶ୍ରୀରାମଚନ୍ଦ୍ରପୁର ଗାଁଟା ଉତ୍କଳ ବ୍ରାହ୍ମଣ ଗୌରବର ଦୀପ୍ତସ୍ତମ୍ଭ କହିଲେ ଚଳେ । ସେଠାର ଧୂଳିମାଟି ଗଢ଼ା ପିଣ୍ଡା ଉପରେ ବସି କେତେ ମହାତ୍ମା ବୈଦିକ ସଙ୍ଗୀତର ମୂର୍ଚ୍ଛନାରେ ମୁକ୍ତିର ସ୍ୱପ୍ନ ଦେଖୁଥିଲେ କେତେ ନବ ନବ ଜାଗରଣରେ ବ୍ୟଥିତ ପ୍ରାଣରେ ଆଶାର ବାଣୀ ଶୁଣାଇଥିଲେ । ଆଜି ସବୁ ସ୍ୱପ୍ନ ।

ଶ୍ରୀରାମଚନ୍ଦ୍ରପୁର ଅଛି, ସେହି ଧୂଳିମାଟିର ପିଣ୍ଡା ଅଛି, ମାତ୍ର ସେ ବେଦ ସଙ୍ଗୀତ ଆଉ ଶୁଣାଯାଏ ନାହିଁ । ସେ ଗୌରବର ମହିମା ଆଉ କିଏ କହିବ ? ହୁଏତ ଯୁଗଯୁଗାନ୍ତ ତଳର ସହି ମଶାଣିର ପରିତ୍ୟକ୍ତ ବିଚ୍ଛିନ୍ନ ଅସ୍ଥିଖଣ୍ଡମାନ ଜୀବନ ପାଇ ଉଠି ପାରିଲେ କହନ୍ତେ ବା ସେହି ଯେଉଁ ପ୍ରାଚୀନ ତରୁଶ୍ରେଣୀ ମୁଣ୍ଡ ଟେକି ଠିଆ ହୋଇଛନ୍ତି, କଥା କହିପାରିଲେ ସେମାନେ କହି ପାରନ୍ତେ ! ତାହାଛଡ଼ା ଆଉ କେହି ନାହିଁ ଆଉ କେହି ନାହିଁ !

ଅତୀତ ଗୌରବର ସେହି ଏକ ଯଜ୍ଞ ବେଦୀ ତଳର କଥା ଏ । ସେଠାର ଦୀପ ଲିଭିଯାଇଛି, ସେଠାର ବାଣୀ ଲୁଚି ଯାଇଛି, ସେଠାର ସ୍ୱପ୍ନ ଭାଜି ଯାଇଛି । ଆଉ ଅଛି କ’ଣ ? ଅଛି କେବଳ ଦୁଇପାଖେ ଦୁଇଟା ପ୍ରେତପୁରୀ । ଘରଗୁଡ଼ାକ ବୋଧହୁଏ ଅତୀତ ମହିମା ଝୁରି ଝୁରି ଦୁଇପାଖେ ଲସିଯାଇ ଭୂଇଁ ସଙ୍ଗେ ମିଶିବାକୁ ଚେଷ୍ଟା କରୁଛନ୍ତି, କେତେ ଲସି ଗଲେଣି ମଧ୍ୟ । ବାକି କେତୋଟି ସଂସାରର ଧନ ଗୌରବରେ ଆଉ କିଛି କାଳ ଆପଣାକୁ ରକ୍ଷା କରିବାର ସୁଯୋଗ ପାଇଛନ୍ତି ମାତ୍ର !

ବ୍ରତ-ଉତ୍ସବ ହେଉଥିଲା ଏହିପରି ଏକ କୁଟୀର ଘରେ । ଆଉ, ମୃତ୍ୟୁ-ଲୀଳା ଚାଲିଥିଲା ଏହିପରି ଏକ ଥିବାଲୋକର ଘରେ ।

କେତେବେଳେ ନଡ଼ିଆ ବରଡ଼ାର ଛାମୁଣ୍ଡିଆ ତଳେ ଶଙ୍ଖ ମହୁରୀ ବାଦ୍ୟରୋଳ ଭିତରେ ବାଳକ କଣ୍ଠରୁ ମଧୁର ସ୍ୱର ଉଠିଲା- “ଭବନ୍ ଭିକ୍ଷାଂ ଦେହୀ…”, କେଣେ ସେ ପାଖେ ଗଗନଦେଶ ବିଦୀର୍ଣ୍ଣ କରି ହା’କାର ଚିତ୍କାର ଧ୍ୱନି ଉଠିଲା- “ଚାଲିଗଲୁ କିଲୋ ମାଆ !”

(୩)

ଗୋପୀନାଥ ବେଦୀରେ ଆଉ ରହିପାରିଲେ ନାହିଁ । ଏ ପର୍ଯ୍ୟନ୍ତ ଯେ ପୁଅର ବ୍ରତୋତ୍ସବରେ ସେ ମନ ଦେଇ ରହିଥିଲେ, ତା’ ନୁହେଁ । ତାଙ୍କର ଦେହଟା ଥିଲା କେବଳ ବ୍ରତଉତ୍ସବ ଭିତରେ, ମନଟା ଥିଲା ଯାଇ ଶଯ୍ୟାଗତା ରୋଗିଣୀ ପାଖେ ।

ସେହି ଶଯ୍ୟାଶାୟିନୀ ବୃଦ୍ଧା ଗୋପୀନାଥଙ୍କ ଆତ୍ମୀୟା । ଭାଗ୍ୟ ଚକ୍ରରେ ପଡ଼ି ଗୋପୀନାଥ ସଂସାରରେ ନିଃସ୍ୱ ହୋଇପଡ଼ିଲେ । ଶେଷକୁ ୨୬ ସାଲ ଦୁର୍ଭିକ୍ଷରେ ପୁଅ ସ୍ତ୍ରୀଙ୍କ ମୁହଁରେ ତୋରାଣି ଦେବାପାଇଁ ବୃଦ୍ଧଙ୍କଠାରୁ ପଚାଶ ଟଙ୍କା କରଜ ଆଣି ଶେଷରେ ଶେଷ ସମ୍ୱଳ ଦୁଇମାଣ ଜମିକୁ ବନ୍ଧକ ଲେଖି ଦେଇଥିଲେ । ସେହି ବନ୍ଧକ ତମସୁକ ଫେରି ପାଇବା ପାଇଁ ଗୋପୀନାଥ ବହୁବାର ଭାବିଛନ୍ତି, କାନ୍ଦିଛନ୍ତି ମାତ୍ର ବୃଦ୍ଧାଙ୍କ ପୁଅ ସୋମନାଥଙ୍କ ଆପତ୍ତିରେ ତାହା ହୋଇପାରିଲା ନାହିଁ । ବୃଦ୍ଧାଙ୍କର ଇଚ୍ଛା ଥିଲା, କୌଣସିମତେ ଗୋପୀନାଥଙ୍କୁ ସଂସାରରେ ରଖିବେ । ସୋମନାଥ ବିଚାରୁଥିଲେ, ଦୁଇମାଣ ଜମିକୁ କୌଣସି ମତେ ନିଜ ଜମିରେ ମିଶାଇ ବିଭବର ପରିସର ଟିକିଏ ବଢ଼ାଇବେ । ଏହି ସଂଘର୍ଷ ଫଳରେ ଦରିଦ୍ର ଗୋପୀନାଥ ବିଭବଶାଳୀ ସୋମନାଥଙ୍କ ଘରଠାରୁ ବହୁଦିନ ଦୂରରେ ଥିଲେ । ଏପରି କଥାବାର୍ତ୍ତା ପର୍ଯ୍ୟନ୍ତ ମଧ୍ୟ ଚଳିଲା ନାହିଁ ।

ଶେଷ ମୁହୂର୍ତ୍ତର ଶେଷ କ୍ରନ୍ଦନରୋଳ ଶୁଣି ଗୋପୀନାଥଙ୍କ ମନ ଆଉ ସ୍ଥିର ରହିପାରିଲା ନାହିଁ । ସେ ଧଡ୍ କରି ବେଦୀରୁ ଉଠି ପାଗଳଙ୍କ ପରି ସିଧା ସିଧା ଯାଇ ସୋମନାଥଙ୍କ ଘରେ ପହଞ୍ଚି ବୃଦ୍ଧାଙ୍କ ମୃତ୍ୟୁଶଯ୍ୟା ପାଖେ ମୁଣ୍ଡ ବାଡ଼େଇ ଗଡ଼ିଗଲେ । କହିଲେ- “ଆହା, ମା’, . . . ଚାଲିଗଲ. . . !”

ଏହି ପଦକରେ ଗୋପୀନାଥଙ୍କର ସହସ୍ର ସୁପ୍ତ ସ୍ମୃତି ପୁଣି ପ୍ରାଣରେ ଜୀଇଁ ଉଠିଲା । ଯେତେବେଳେ ସେ ନିତାନ୍ତ ଶୈଶବରେ ପିତୃମାତୃହୀନ ହୋଇପଡ଼ିଥିଲେ ଏହି ବୃଦ୍ଧା ତାଙ୍କୁ କୋଳକୁ ନେଇ ଜୀବଦାନ ଦେଇଥିଲେ । ଜୀବନର ୨୦ ବର୍ଷଯାଏ ସେ ତାଙ୍କୁ ପବିତ୍ର ବାତ୍ସଲ୍ୟରସରେ ପାଳି ଶେଷରେ ସଂସାର ଭିତରେ ଗୃହସଂସାର ଗଢ଼ି ଛାଡ଼ିଦେଲେ । ଆହା, ବୃଦ୍ଧା ଥିଲେ ତାଙ୍କ ଜୀବନର ଦେବୀ, ହୃଦୟର ଆନନ୍ଦମୟୀ ମୂର୍ତ୍ତି ।

ଗୋପୀନାଥ ଭାବିପାରିଲେ ନାହିଁ. . . ମା’ କି ସତେ ପୁଅକୁ ଭସାଇ ଦେଇ ଚାଲିଗଲା । ଗଲାବେଳେ କିଛି କହିଗଲା ନାହିଁ. . . ଗୋପୀନାଥ ଖାଲି ଲୁହ ଗଡ଼େଇଲେ ।

କୋକେଇରେ ଶବ ମଶାଣିକି ଗଲା ପରେ ଗୋପୀନାଥ ଘରକୁ ଫେରି ଦେଖିଲେ ଏପାଖେ ଆଉ ଏକ ଚହଳ ପଡ଼ିଛି । ତାଙ୍କର ବନ୍ଧକ ତମସୁକଟି ବୃଦ୍ଧା ମୃତ୍ୟୁ ପୂର୍ବରୁ କାହା ହାତରେ ବ୍ରତବେଦୀରେ ଭିକ୍ଷା ଦେବା ପାଇଁ ପଠାଇ ସାରିଛନ୍ତି ।

କଥାଟା ଶୁଣି ଗୋପୀନାଥ ଥକା ହୋଇ ବସିପଡ଼ିଲେ । ତାଙ୍କ ଜୀବନକୁ ପୂର୍ଣ୍ଣ କରି, ତାଙ୍କ ପ୍ରାଣକୁ ଧନ୍ୟକରି ସ୍ନେହମୟୀ ଜନନୀରୂପରେ ସେହି ବୃଦ୍ଧାଙ୍କର ଉଜ୍ଜ୍ୱଳ ମୂର୍ତ୍ତି ତାଙ୍କ ଆଖି ଆଗରେ ଖେଳିଗଲା । ପାଟିରୁ ପଦେ ମାତ୍ର ବାହାରିଲା- “ମା’, ପଦେ ହେଲେ କହିଗଲ ନାହିଁ !”

ଶ୍ମଶାନର ତୀବ୍ର ଶିଖା ଯେତେବେଳେ ଜିହ୍ୱା ହଲାଇ ଖେଳି ଉଠିଲା, ଗୋପୀନାଥ ପାଗଳ ପରି ଦୂର ପୋଖରୀ ହୁଡ଼ାରେ ଠିଆ ହୋଇ ସେହି ଚିତାନଳ ପ୍ରତି ପ୍ରାଣର ନମସ୍କାର ଜଣାଉଥିବାର ଲୋକେ ଦେଖିଲେ ।

ଲୋକପ୍ରିୟ ଲେଖା

To Top