ଗଳ୍ପ

ବୃନ୍ତଚ୍ୟୁତ ଏକ ସତେଜ ଗୋଲାପ

Odia Writer Shreebatsa Prasad Nath

ଆଉ କାହାର ଏତେ କଳାଧନ ଅଛି ଯେ ଆଣିଦେବ ମର୍ତ୍ତ୍ୟରେ ସ୍ୱର୍ଗର ସୁଷମା ।

ବୃନ୍ତଚ୍ୟୁତ ଏକ ସତେଜ ଗୋଲାପ

ଫୁଲ ଫୁଟେ ପୁଣି ଫୁଲ ଝଡ଼େ । ତା’ପାଇଁ ବନଭୂଇଁ ତ କେଭେହେଲେ କାନ୍ଦେନା । ଫୁଲେ ଫୁଲେ ବୁଲି ପ୍ରେମିକ ମଧୁପ ଗୋଟିଏ ଫୁଲର ମନ ଗହଳର କଥା କ’ଣ ଅନ୍ୟ ଫୁଲ କାନରେ କହେ ? ନାଇଁ ତ ! ଫୁଲ ହେଉଛି ପ୍ରକୃତିରାଣୀର ଅନୁପମ ଅଙ୍ଗ ସୌଷ୍ଠବ । ସେ ତା’ର ମହକ ଓ ସୌରଭରେ ଜନମନ ହରଣ କରେ, ଅଥଚ ତାକୁ ଚିରଦିନ କେହି ମନେ ରଖନ୍ତି ନାହିଁ । ପୁନର୍ବାର ଜଗତରେ ସତ୍ୟ-ଶିବ-ସୁନ୍ଦରର ପ୍ରକାଶକ ସେ । ଦେବାଦେବୀଙ୍କ ଉପଭୋଗ୍ୟା । ଯେ କୌଣସି ମାଙ୍ଗଳିକ କାର୍ଯ୍ୟରେ ତାହାର ନିତାନ୍ତ ଆବଶ୍ୟକତା ଅନୁଭବ କରନ୍ତି ସମସ୍ତେ । ଏତେ କଥା ଜାଣି ସୁଦ୍ଧା ନ ଜାଣିଲା ପରି ତା’ ଆଡ଼କୁ ନିମିଷେ ଚାହିଁ ଦେଇ ସ୍ୱାର୍ଥନ୍ୱେଷୀ ମଣିଷ ଚାଲିଯାଏ ଆପଣା ବାଟରେ । ଆଉ କେହି ଅବା ତାକୁ ବାସହରା କରି ସ୍ୱହସ୍ତରେ ଦଳିମକଚି ଦୂରକୁ ଫିଙ୍ଗି ଦିଅନ୍ତି ଉଦାସିଆ ମନରେ । ସେ ପାଏ ଆନନ୍ଦ ନିତ୍ୟନିୟୁତ ଚରମ ତ୍ୟାଗ କରି । ଆମେ କିନ୍ତୁ ତାହା ପାଉ ଭୋଗରେ । ତା’ କଥା ଭାବିଲେ ହୃଦୟ ବିଦୀର୍ଣ୍ଣ ହୁଏ । ସତେ କ’ଣ ଏହା ହିଁ ତା’ର ଉପଯୁକ୍ତ ପ୍ରାପ୍ୟ ।

ଏହିଭଳି ଗୋଟିଏ ଫୁଲର ସନ୍ଧାନ ପାଇଥିଲି ଅକସ୍ମାତ୍ ମୋ ଆଖି ଆଗରେ । ସେଦିନର ଠିକ୍ ଦିନ ବାର ମୋର ମନେ ନାହିଁ । ମୁଁ ଚାଲିଥାଏ ପ୍ରାତଃ ଭ୍ରମଣରେ ରାଜଧାନୀର ରାଜ ରାସ୍ତାରେ । ଅବଶ୍ୟ ପ୍ରତିଦିନ ମୁଁ ନିର୍ଦ୍ଧିଷ୍ଟ ପଥରେ ଯାଏ । କିନ୍ତୁ ସେଦିନ ଅନ୍ୟମନସ୍କ ଭାବରେ ଯାଇଥିଲି ଆଉ ଏକ ଅପରିଚିତ ଅମଡ଼ା ବାଟରେ । ଯାହାକି କେବେହେଲେ ମୁଁ ସେ ବାଟରେ ଯାଇ ନ ଥିଲି । ହଠାତ୍ ଦେଖିଲି ବହଳ ପିଚ୍ଚୁଢ଼ଳା କଳା ମୁଚୁମୁଚୁ ଚଉଡ଼ା ରାସ୍ତା ପାର୍ଶ୍ୱରେ ଏକ ସୁରମ୍ୟ ଅଟ୍ଟାଳିକା । ଭାବିଲି, କୌଣସି ଇଞ୍ଜିନିୟରଙ୍କ ବାସଭବନ ହୋଇଥିବ ନିଶ୍ଚୟ । କାରଣ ଆଉ କାହାର ଏତେ କଳାଧନ ଅଛି ଯେ ଆଣିଦେବ ମର୍ତ୍ତ୍ୟରେ ସ୍ୱର୍ଗର ସୁଷମା । ମନ ଓ ଚକ୍ଷୁ ମୋର ମନ ନ ମାନି ଧାଇଁଗଲା ସେଇଁଆଡ଼େ । ଦେଖିଲି ବିଶାଳ ପ୍ରାସାଦର ସମ୍ମୁଖ ଭାଗରେ ଏକ ମନୋରମ ପୁଷ୍ପବାଟିକା । ଉଦ୍ୟାନଟି ଇଟା ସିମେଣ୍ଟ ନିର୍ମିତ ସୁଦୃଢ଼ ଘେରା ପ୍ରାଚୀର ଦ୍ୱାରା ଆବଦ୍ଧ ନୁହେଁ । ହୋଇଥିଲେ ବୋଧହୁଏ ତାହାର ଅଫୁରନ୍ତ ସୌନ୍ଦର୍ଯ୍ୟ ବାହାରକୁ ସ୍ପଷ୍ଟ ଦେଖାଯାଉ ନ ଥାନ୍ତା । ଶକ୍ତ ତାର ବାଡ଼ରେ ତିନୋଟି ପାଖ ସୁରକ୍ଷିତ ଥିଲା । ଏଥିରୁ ମନେହୁଏ ଗୃହକର୍ତ୍ତା ଚାହାଁନ୍ତି ନାହିଁ ତାଙ୍କର ସୁଶୋଭିତ ଫୁଲ ବଗିଚାଟି ପଥଯାତ୍ରୀ ମାନଙ୍କର ଦୃଷ୍ଟି ଅଗୋଚରରେ ରହୁ ।

ବିଭିନ୍ନ ରଙ୍ଗବେରଙ୍ଗ ମନଲୋଭା ପୁଷ୍ପରାଜିରେ ତାହା ଭରପୁର । ସତେ ଅବା ଋତୁରାଜଙ୍କର ପ୍ରମୋଦ ଉଦ୍ୟାନ କି ଅବା ଯେମିତି ଇନ୍ଦ୍ରଭୁବନ ସାମ୍ନାରେ ନନ୍ଦନକାନନ । ଭାବିଲି ମନ ପୂରାଇ ତାକୁ ଦେଖନ୍ତି । କିନ୍ତୁ ସେଦିନ ତାହା ସମ୍ଭବ ହେଲା ନାହିଁ । ତେଣେ ଅଫିସ୍ ଯିବା ଡେରି ହୋଇଯିବ । ସୁତରାଂ ତରବରରେ ବାଧ୍ୟ ହୋଇ ସେ ଆଡୁ ଆଖି ଫେରାଇ ଘରମୁହାଁ ଲେଉଟିଲି ସେଠାରୁ । ଫେରିଲା ବେଳେ ଭାବି ଭାବି ଚାଲିଲି ଆନମନା ହୋଇ- ମଣିଷ ଜୀବନକାଳ ଭିତରେ ଏତେ ଧନସମ୍ପଦ ଠୂଳ କରିପାରେ ! ମୁଁ କେଡ଼େ ହତଭାଗ୍ୟ ! ଭଡ଼ା ଘରେ ରହି ରହି ଚାକିରୀ ଆସି ସରିବାକୁ ବସିଲାଣି । ଅଥଚ…..ଆଉ ଭାବିପାରିଲି ନାହିଁ । ମନଟା କେମିତିକା ହୋଇଗଲା ବିଷାଦଭରା । ପୁଷ୍ପଉଦ୍ୟାନ ଦର୍ଶନରେ ମୁଁ ଯେଉଁ ଅପୂର୍ବ ଆନନ୍ଦ ଲାଭ କରିଥିଲି, କ୍ଷଣକ ଭିତରେ ତାହା ନିରାନନ୍ଦରେ ପରିଣତ ହେଲା । ତଥାପି ମୋର ଅବୁଝା ମନକୁ ସେଇ ନୈସର୍ଗିକ ସୁଷମା ଠାରୁ ଛଡ଼ାଇ ରଖି ପାରିଲି ନାହିଁ ।

ଦିନେ ରବିବାର, ଛୁଟିଦିନ । ସବୁଦିନ ଭଳି ଅତି ପ୍ରତ୍ୟୁଷରୁ ମୁଁ ଚାଲିଛି ପୂର୍ବ ପରିଚିତ ରାସ୍ତାରେ । ହଠାତ୍ ମୋର ପାଦ ଅଟକିଗଲା ସେଇ ଫୁଲ ବଗିଚା ନିକଟରେ ! ପୁଷ୍ପବାଟିକାରେ ସୌନ୍ଦର୍ଯ୍ୟରେ ଆତ୍ମହରା ହୋଇଥିବା ବେଳେ ମୋ ଦୃଷ୍ଟି ପଡ଼ିଲା ତାର ବାଡ଼ ପାଖ ଗୋଟିଏ ଗୋଲାପ ଗଛ ତଳେ ବୃନ୍ତଚ୍ୟୁତ ଏକ ଗୋଲାପ ଫୁଲ ଉପରେ । ସେଇ ଗୋଲାପ ଫୁଲଟି ଅପେକ୍ଷାକୃତ ବଡ଼ ଓ ଅଧିକ ସତେଜ ଥିଲା ଏବଂ ତା’ର ଲାଲ୍‌ରଙ୍ଗ ଏପରି ରକ୍ତବର୍ଣ୍ଣ ରଜିତ ଥିଲା ଯେ ସହଜରେ ତା’ ଆଡ଼କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ ହେବ । ଏଭଳି ଫୁଲଟି କାହିଁକି ଝଡ଼ି ପଡ଼ିଛି ମୋ ମନରେ ସୃଷ୍ଟି ହେଲା ନାନା ପ୍ରଶ୍ନବାଚୀ । ମୁଁ ରାସ୍ତା ଉପରେ ଥାଇ ଚିନ୍ତାକଲି ବୋଧହୁଏ କୀଟଦ୍ରଂଷ୍ଟ ହୋଇ ଅକାଳରେ ଅତି ରମଣୀୟ ଫୁଲଟି ଲୋଟି ପଡ଼ିଛି ମାଟି ମାଆର କୋଳରେ । ଭାବିଲି ତାକୁ ମାଟି ଉପରୁ ଉଠାଇ ଆଣି ତାହାର ପାଖୁଡ଼ାଗୁଡ଼ିକ ଖୋଲି ନିରୀକ୍ଷଣ କରିବି । ତା’ର ଏ ଦୁର୍ଦ୍ଦଶା କାହିଁକି ? ଏଭଳି କଲେ ତା’ର ପୂର୍ଣ୍ଣାଙ୍ଗ ଅବୟବର ଅସ୍ତିତ୍ୱ ରହିବ ତ ! ନା’ ନା’ ମୁଁ ନିଜ ହାତରେ ତାର ଅଙ୍ଗ ବ୍ୟବଚ୍ଛେଦ କରିପାରିବି ନାହିଁ – ଏହା ନିଶ୍ଚିତ ।

ମୋର ମନ ସମୁଦ୍ରରେ ସେଇ ଫୁଲକୁ ନେଇ ନାନା ତରଙ୍ଗ ଉଦ୍ଭବ ହେଲା । ଯେଉଁଦିନ ଏହାର ମାଆଗଛ ଏହି ଉଦ୍ୟାନରେ ରୋପଣ କରାଯାଇଥିଲା, ସେଦିନ ସେ ଭାବିଥିବ ମୋର ବର୍ଦ୍ଧିତ ଚେହେରାରେ ଦିନେ ମୁକୁଳିତ ହେବ । ସୁକୋମଳ କଳିକା । ତା’ପରେ କ୍ରମଶଃ ତାହାହେବ ପ୍ରସ୍ଫୁଟିତ । ସୁଗନ୍ଧ ଓ ରୂପରଙ୍ଗ ଚହଟାଇ ଜନମାନସ ଆମୋଦିତ କରିବ । ସେତେବେଳେ ସେ ନିଜକୁ ସ୍ୱର୍ଦ୍ଧିତ ମନେ କରିବ । ଆହାଃ ! ତାହା ହୋଇପାରି ନାହିଁ । ମାଆଗଛର ମନକାମନା ପୂର୍ଣ୍ଣ ନ ହେଉଣୁ ଅବେଳରେ ତାହାର ପରିସମାପ୍ତି ଘଟିଛି କୌଣସି ଦୁର୍ଘଟଣାରେ । କିଏ ଜାଣିଥିଲା ଏଇ ମନୋରମ ଗୋଲାପ ଫୁଲଟି ଅଦିନରେ ଖସି ପଡ଼ିବ ତା’ର ଅତି ଆଦରଣୀୟା ମାଆ କୋଳରୁ । ଏହିପରି ନାନା ଭାବରେ ମୋର ହୃଦୟ ଆନ୍ଦୋଳିତ ହେଲା । ବିଳମ୍ୱ ଆଶଙ୍କାରେ ମୁଁ ଘରକୁ ଫେରି ଆସିଲି ଭାରାକ୍ରାନ୍ତ ମନ ନେଇ ।

ତା’ ପରଦିନ ସକାଳେ ପୁନର୍ବାର ସେଇଠିକି ମୋର ମନ ଓ ପାଦ ଟାଣି ହୋଇଗଲା । ରାସ୍ତାରେ ଠିଆ ହୋଇ ଦେଖିଲି ଫୁଲଟି ଠିକ୍ ପୂର୍ବଭଳି ଜୀବନ୍ତ ରହିଛି । ମନେ ହେଲା ଗୃହକର୍ତ୍ତା ଅଥବା ମାଳିର ଅଯତ୍ନରୁ ଗୋଲାପ ଫୁଲଟିର ଏପରି ଦଶା ହୋଇଛି । ସମ୍ଭବତଃ ବୃକ୍ଷ ଡ଼ାଳରେ କୀଟ ପ୍ରବେଶ କରି ନଚେତ୍ କୌଣସି ରୋଗ ଆକ୍ରମଣ ହେତୁ ଏହା ହିଁ ଘଟିଛି । କିଛି କ୍ଷଣ ପରେ ଏ ପ୍ରକାର ଭାବନାରେ ମନ ମାନିଲା ନାହିଁ । ପୁଣି ଭାବିଲି-ଯଦି ମାଆଗଛର ଯତ୍ନ ନିଆଯାଇନାହିଁ । ତେବେ ସେ ଏତେ ହୃଷ୍ଟ ପୁଷ୍ଟ ଦେଖାଯାଉଛି କାହିଁକି ? ହାୟ ! ଫୁଲଟି କେତେ ସୁଖ ସ୍ୱପ୍ନ ଦେଖିଥିଲା । ତା’ର ପ୍ରାଣପ୍ରିୟ ଫୁଲ ରସିଆ ଭ୍ରମର ତା’ପାଖକୁ ଆସିବ । ତା’ର ମଧୁର ଗୁଞ୍ଜନରେ ସେ ହୋଇଯିବ ଆତ୍ମହରା । ପହିଲି ଦେଖାରେ ତା’ ସହିତ ସଂପର୍କ ରଖିବ । ନୂଆକରି ସଂସାର ଗଢ଼ିବ କେତେ ସୁନେଲୀ ସମ୍ଭାବନା ନେଇ ।

ପକ୍ଷାନ୍ତରେ କେହି ଅବା ଫୁଲ ରସିକ ଆସି ଥା’ନ୍ତେ, ତାକୁ ନେଇ ଅତି ଶ୍ରଦ୍ଧାରେ ରଖିଥାନ୍ତେ ଆପଣା ବକ୍ଷପରେ ପକେଟ୍ ମଧ୍ୟରେ । ଅତି ଆଡ଼ମ୍ୱର ସହକାରେ । ସେଠାରେ ବିତାଇ ଥା’ନ୍ତା କେତେ ରଙ୍ଗବେରଙ୍ଗ ସନ୍ଧ୍ୟା । କେତେ କେତେ ହାସ୍ୟ କଲ୍ଲୋଳ ଯାମିନୀ । ଦେଖିଥା’ନ୍ତା କେତେ ପ୍ରେମିକ-ପ୍ରେମିକାଙ୍କର ମିଳନ ମାଧୁରୀ । ସେତେବେଳେ ସେ ଆପଣାକୁ ଧନ୍ୟ ମନେ କରିଥା’ନ୍ତା । ଆଉ ଅବା କେଉଁ ଅପରୂପା ସୁନ୍ଦରୀ ରାଜରାଣୀ ଓ ଅଲିଅଳି ରାଜକୁମାରୀଙ୍କ ସ୍ନାନ କୁଣ୍ଡର ଜଳରେ ଭାସୁଥା’ନ୍ତା ଆହ୍ଲାଦରେ । ଏତେ ଏତେ ସୁଖ ସ୍ୱପ୍ନ ତା’ର ଭାଙ୍ଗିଗଲା ଅକାରଣରେ ଅସମୟରେ । ସେଦିନ ନାନା ଚିନ୍ତା ଓ ନାନା ବ୍ୟଥା ଘେନି ସେଇ ଫୁଲଟି ପାଖରୁ ବିଦାୟ ନେଇ ଘରକୁ ଫେରିଲି ସିନା କିନ୍ତୁ ରାତିସାରା ମନଟା ଛଟପଟ ହେଲା ଆଦୌ ନିଦ୍ରା ଆସିଲା ନାହିଁ । ଭାବୁ ଭାବୁ ମୁଁ କେତେବେଳେ ଶୋଇ ପଡ଼ିଛି ଜାଣେନା । କିଛି କ୍ଷଣ ପରେ ତନ୍ଦ୍ରାବସ୍ଥାରେ ଦେଖିଲି ସେଇ ଲାଲ୍ ଗୋଲାପଟିକୁ । ପଚାରିଲି- “ଆଗୋ ସୁଷମାମୟୀ ଗୋଲାପ ! ତୁମର ଏଭଳି ଦୂରାବସ୍ଥାରେ ମୁଁ ହୋଇଛି ଅତି ଦୁଃଖିତ ଓ ମର୍ମାହତ । ତୁମ ହୃଦୟରେ ସେଥିପାଇଁ କିଛି ଶୋଚନା ଥିଲା ପରି ତ ମୁଁ ଅନୁଭବ କରିପାରୁନାହିଁ । ମୋତେ ଆଶ୍ଚର୍ଯ୍ୟ ଲାଗୁଛି ତଥାପି ତୁମେ ସତେଜ ରହିଛ କିପରି ? “ସେ ଅଳ୍ପ ହସି କହିଲା -“ଉଦ୍ୟାନ ମାଲିକଙ୍କ ନିରାପତ୍ତା ହେତୁ ଆଜି ମୋର ଏ ଦୁର୍ଦ୍ଦଶା । ହେଲେ ସୁଦ୍ଧା ଜଗତର ମହତ୍ତ୍ୱ ବଢ଼ାଇବା ପାଇଁ ମୋର ଜନ୍ମ । ପରମେଶ୍ୱରଙ୍କ ଦୃଷ୍ଟିରୁ ଶୋକସନ୍ତାପ ଦୂର କରିବା ମୋର କାମ । ମୋର ଶରୀର ପରା ଦିବାକରଙ୍କ ସୁନେଲୀ କିରଣରେ ଗଢ଼ା । ପୁନଶ୍ଚ ନିଶାକରଙ୍କ ଜ୍ୟୋସ୍ନାର ଝଲକରେ ପୁଷ୍ଟ । ମୋ ପକ୍ଷରେ ସୁଖ ଓ ଦୁଃଖ ସମାନ । ଫୁଲ ମୁଁ, ଆସେ କ୍ଷଣକ ପାଇଁ । ହସି ହସି ମଉଳିଯାଏ ମୁହୂର୍ତ୍ତକ ଭିତରେ । ଆପଣଙ୍କ ମନ ଛୁଇଁ ପାରିଛି -ଏହା ହିଁ ମୋ ସ୍ୱଳ୍ପକାଳ ଜୀବନ ପକ୍ଷେ ଅତୀବ ଗୌରବର କଥା ନୁହେଁ କି ? ” ମୁଁ ଅତି ଭାବବିହ୍ୱଳ ହୋଇ କହି ପକାଇଲି -ହେ, ଗୋଲାପ ! ତୁମ ପାଦ ତଳେ କଣ୍ଟା ଥାଇ ତୁମେ ଅକ୍ଷତ ଓ ହର୍ଷୋତ୍ ଫୁଲ । କିନ୍ତୁ ମୁଁ ସାଂସାରିକ ଜଞ୍ଜାଳ ରୂପକ କଣ୍ଟକରେ ନିତ୍ୟନିୟୁତ କ୍ଷତ ବିକ୍ଷତ, ରକ୍ତାକ୍ତ ଓ ଶୋକାକୁଳ ।” ଆଉ କିଛି କହିବାକୁ ଯାଉଛି – ହଠାତ୍ ନିଦ୍ରାଭଙ୍ଗ ହେଲା କାନ୍ଥ ଘଣ୍ଟାକୁ ଚାହିଁ ଦେଖିଲି ଯେ ରାତି ପାହାନ୍ତା ହୋଇଗଲାଣି ।

ତରବର ହୋଇ ଶଯ୍ୟା ତ୍ୟାଗ କରି ଧାଇଁଲି ସେଇ ଗୋଲାପ ଫୁଲଟି ଆଡ଼େ । ତା’ର ଅତି ନିକଟକୁ ଯାଇଁ ଅନୁଭବ କଲି ଶିଶିର ସିକ୍ତ ଗୋଲାପ ଫୁଲଟି ସତେ ଯେପରି ମୋ ଆଡ଼କୁ ଚାହିଁ କାନ୍ଦୁଛି । ତଥାପି ସେ ପୂର୍ବ ପରି ସତେଜ ଦେଖାଯାଉଛି ତ ! ମୁଁ ଚମକି ପଡ଼ି ଚାରିଆଡ଼କୁ ଚାହିଁ ଅତି ସନ୍ତର୍ପଣରେ ତାର ନିକଟତର ହେଲି । ଥରିଲା ହାତରେ ତାକୁ ତଳୁ ଉଠାଇ ଆଣିଲି ଅତି ଆଦରରେ । କାହିଁକି କେଜାଣି ତାର ପାଖୁଡ଼ାଗୁଡିକ ମୋ ହାତକୁ ପଥର ପରି ଟାଣ ଲାଗିଲା ସେତେବେଳେ ମୋ ଅଲକ୍ଷ୍ୟରେ ମୁଁ ଅସ୍ୱାଭାବିକ କଣ୍ଠରେ ଚିତ୍କାର କରି ଉଠିଲି -“ଆରେ, ଏ ନମନୀୟ, କମନୀୟ ବୃନ୍ତଚ୍ୟୁତ ଗୋଲାପ ଫୁଲଟିକୁ ପଥର କଲା କିଏ ? “

ଲୋକପ୍ରିୟ ଲେଖା

To Top