ଗଳ୍ପ

ବୁଢ଼ା ବରଗଛ

Durgaprasad Pattanaik's Odia Story BUDHAA BARAGACHA

କାଳେ ଖାଦ୍ୟ ଖାଇବା ପରେ ପୁଣି ବିଛଣାରେ ମଳମୂତ୍ର ତ୍ୟାଗ କରିବି ଓ ବୋହୂମାନଙ୍କ କାମ ବଢ଼ାଇ ଘରଦ୍ୱାର ଅସନା କରିବି ସେଥିପାଇଁ ବୋହୂମାନେ ମତେ ଦୁଇଦିନ ହେଲା ଖାଇବା ନ ଦେଇ ଭୋକ ଉପାସରେ ରଖିଥିଲେ ପୁଅ ।

ବୁଢ଼ା ବରଗଛ

ନିତି ସକାଳୁ ଯଦି ପ୍ରାତ୍‌ହ ଭ୍ରମଣଟା ନ ହେଇଛି ତାହା ହେଲେ ଅଡୁଆ ଅଡୁଆ ଲାଗେ ରମାକାନ୍ତବାବୁଙ୍କୁ । ସେ ଜଣେ ଡକ୍ଟର ହୋଇଥିବାରୁ ପ୍ରାତ୍‌ହ ଭ୍ରମଣର ଉପକାରିତା ବିଷୟରେ ବେଶ୍ ଭଲ ଭାବରେ ଜଣା । ଏଣୁ ପ୍ରତ୍ୟେକ ଦିନ ସେ ସୂଯ୍ ଉଦୟ ପୂର୍ବରୁ ବାହାରି ପଡ଼ିଥାନ୍ତି । ହାରାହାରି ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ବା ତା’ ଠାରୁ ଉର୍ଦ୍ଧ୍ଵ ନ ଚଲିଲା ପର୍ଯ୍ୟନ୍ତ ତାଙ୍କର ପ୍ରାତ୍‌ହ ଭ୍ରମଣ ଶେଷ ହୁଏନି ।

ବିଶେଷ କରି ସହରରୁ ତିନି କିଲୋମିଟର ଦୂରରେ ପ୍ରତିଷ୍ଠିତ ଏକ ପାଉଁରୁଟି ଫ୍ୟାକ୍ଟ୍ରି । ରମାକାନ୍ତବାବୁ ସେଇ ପାଉଁରୁଟି ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ଗଲା ପରେ ପୁଣି ଘର ମୁହଁ ହୁଅନ୍ତି ହାତରେ ଗୋଟେ ନରମ ପାଉଁରୁଟି ପ୍ୟାକେଟ୍ ଧରି କାହିଁକି ନା ରମାକାନ୍ତବାବୁ ଏକ ମାତ୍ର ପୁଅ ପ୍ରତ୍ୟୁଷ ଚାତକ ପରି ଜଗି ବସିଥାଏ ବାପାଙ୍କ ଫେରିବା ବାଟକୁ । ପ୍ରତ୍ୟୁଷ ସେଇ ପାଉଁରୁଟି ଫ୍ୟାକ୍ଟ୍ରି ଫ୍ରେସ୍ ପାଉଁରୁଟି ଛଡ଼ା ଅନ୍ୟ କେଉଁ ପାଉଁରୁଟି ତୁଣ୍ଡରେ ମାରେ ନାହିଁ । ପ୍ରତ୍ୟୁଷ ଛୋଟୋବେଳେ ନିଜର ଖାଇବାରେ ଅନେକ ଅବହେଳା ସୃଷ୍ଟି କରୁଥିଲା । କୌଣସି ଖାଇବା ଜିନିଷ ମା’ ଖୁଆଇଲା ବେଳେ ଭାରି କଷ୍ଟରେ ଖାଉଥିଲା । ଯାହା ଫଳରେ ଅନେକ କଷ୍ଟସାଧ୍ୟ ହେବାକୁ ପଡୁଥିଲା । ଏହା ଦେଖି ରମାକାନ୍ତବାବୁ ସେଇ ପାଉଁରୁଟି ଫ୍ୟାକ୍ଟ୍ରିର ଗୋଟାଏ ପ୍ୟାକେଟ୍ ପାଉଁରୁଟି ଆଣି ପ୍ରତ୍ୟୁଷକୁ ଖାଇବା ପାଇଁ ଦେଇଥିଲେ । ସେ ପାଉଁରୁଟି ପ୍ରତ୍ୟୁଷ ବହୁତ ଆନନ୍ଦର ସହିତ ଖାଇଥିଲା । ସେଇଦିନ ଠାରୁ ସେଇ ପାଉଁରୁଟି ପ୍ରତ୍ୟୁଷ ନିୟମିତ ଭାବରେ ଖାଇ ଆସିଛି ।

ଦିନେ ରାମାକାନ୍ତବାବୁ ବିଳମ୍ୱ ହେତୁ ଅସ୍ତବ୍ୟସ୍ତ ହୋଇ ହାତରେ ଗୋଟେ ପାଉଁରୁଟି ପ୍ୟାକେଟ୍ ନିୟମିତ ଭାବରେ ଧରି ଘରକୁ ଫେରୁଛନ୍ତି । ହଠାତ୍ ଗୋଟେ ଥୁରୁ ଥୁରିଆ ଶବ୍ଦ ଶୁଣାଗଲା ବଟବୃକ୍ଷ ମୂଳରୁ । ସେ ଶବ୍ଦରେ ଅନେକ କରୁଣ ଭାବ ଭରି ରହିଥାଏ । ସେ ଶବ୍ଦର ଉଚ୍ଚାରଣ ଥିଲା “ପୁଅ ମୁଁ କାଲି ରାତିରୁ କିଛି ଖାଇନାହିଁ, ତୁ କ’ଣ ନଉଛୁ ମତେ ଦେ’ରେ ପୁଅ ?” ବୁଢ଼ା ମଣିଷଟା ଏ ବୟସରେ ଭୋକର କଷ୍ଟଟା ଆଉ ସହିପାରୁନାହିଁ । ଏହା ଶୁଣି ଡକ୍ଟର ବାବୁ ସେଇ ବଟବୃକ୍ଷ ମୂଳକୁ ଆଖି ପକାନ୍ତି । ବୃକ୍ଷ ମୂଳରୁ ଯେଉଁ ଦୃଶ୍ୟମାନ ପରିଲକ୍ଷିତ ହୁଏ ତାହା ଅତ୍ୟନ୍ତ ନିନ୍ଦନୀୟ ଓ କଷ୍ଟଦାୟକ । ବୃକ୍ଷମୂଳରେ ଜଣେ ବୟସ୍କ ବୃଦ୍ଧବ୍ୟକ୍ତି ହାତ ଠାରି ରମାକାନ୍ତବାବୁଙ୍କୁ ଆକୁଳ ବିକଳ ନିବେଦନର ସହ ସେଇ ପାଉଁରୁଟି ପ୍ୟାକେଟ୍‌ଟା ମାଗୁଥାଏ । ଚକ୍ଷୁଦ୍ୱୟ ତା’ର ଲୁହରେ ପରିପୂର୍ଣ୍ଣ । ଗାଲ ଭିରକୁ ପଶି ଅତି ଦୁର୍ବଳ ପରିଲକ୍ଷିତ ହେଉଥାଏ । ତାକୁ ଦେଖିଲେ ଲାଗୁଥାଏ । ସେ ଅନେକ ଦିନ ହେଲା ଉଚିତ୍ ପରିମାଣରେ ଆହାର ଗ୍ରହଣ କରି ନାହିଁ ।

ସଙ୍ଗେ ସଙ୍ଗେ ବୃଦ୍ଧବ୍ୟକ୍ତିଙ୍କ ନିକଟକୁ ଯାଇ ରମାକାନ୍ତବାବୁ ପାଉଁରୁଟି ଦିଅନ୍ତି ଖାଇବା ପାଇଁ । ଭୋକିଲା କୁକୁରକୁ ରୁଟି ଖଣ୍ଡେ ପକାଇଲେ ଯେମିତି ଟକ୍‌କିନ୍ ଉଠାଇ ନିଏ । ସେମିତି ରମାକାନ୍ତବାବୁ ପାଉଁରୁଟି ଦେବା ମାତ୍ରକେ ପ୍ୟାକେଟ୍‌ଟି ଖୋଲି ଟକ୍‌ଟାକ୍‌ ଖାଇବାରେ ଲାଗନ୍ତି ବୃଦ୍ଧବ୍ୟକ୍ତି ଜଣଙ୍କ ।

ରମାକାନ୍ତବାବୁ ତା’ ବସିଥିବା ସ୍ଥାନକୁ ଭଲ କି ନରୀକ୍ଷଣ କରନ୍ତି । ବୃଦ୍ଧ ବ୍ୟକ୍ତିଜଣଙ୍କ ବସିଥିବା ସ୍ଥାନଟି ଅନେକ ଅନାବନା ଘାସରେ ପରିପୂର୍ଣ୍ଣ ଥାଏ । ଗୋଟେ ଅଖାବସ୍ତା ଉପରେ ଚକା ପକାଇ ବୃଦ୍ଧବ୍ୟକ୍ତି ଜଣଙ୍କ ବସିଥାନ୍ତି । ଆଖପାଖ ସ୍ଥାନରୁ ମଳର ଦୁର୍ଗନ୍ଧରେ ନାକ ଫାଟି ଯାଉଥାଏ ଓ ବୃଦ୍ଧ ବ୍ୟକ୍ତିଜଣଙ୍କ ମଧ୍ୟ ଅତ୍ୟଧିକ ମଳତ୍ୟାଗ କରିଥାନ୍ତି ନିଜର ବସିଥିବା ସ୍ଥାନରେ ବସିଥାନ୍ତି ମଳଯୁକ୍ତ ବସ୍ତ୍ର ପରିଧ୍ୟାନ କରି । ବୃକ୍ଷମୂଳରେ ଏକରୁ ଏକାଧିକ ମଶାମାନଙ୍କର କେଁ କେଁ ଶବ୍ଦକୁ ସ୍ପଷ୍ଟବାରି ହେଉଥାଏ । ମଝିରେ ମଝିରେ ହଳ ହଳ ମଶା ଆସି ବେଢ଼ି ପକଉଥାନ୍ତି ବୃଦ୍ଧ ବ୍ୟକ୍ତିକୁ । ସେ ମଶାମାନଙ୍କ କବଳରୁ ରକ୍ଷା ପାଆନ୍ତି ନାହିଁ ଡକ୍ଟର ବାବୁ ମଧ୍ୟ ।

ଯେତେ ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲେ ବି ଏକରୁ ଏକାଧିକ ମଶାମାନଙ୍କ କାମୁଡ଼ା ଖାଇ ମଧ୍ୟ ସେଠାରେ ସେମିତି ଛିଡ଼ା ହୋଇଥାନ୍ତି ରମାକାନ୍ତବାବୁ । କାହିଁକି ନା ଏ ବୃଦ୍ଧବ୍ୟକ୍ତି ଜଣଙ୍କ କିଏ ? ଏଠି ଏମିତି ଅସହାୟ ଅବସ୍ଥାରେ କାହିଁକି ବସିଛି ? ପୂର୍ବରୁ ତ କେବେ ଏଠାରେ ବସିନଥିଲା । ହେଲେ ହଠାତ୍ ଆଜି କାହିଁକି ଏଠାରେ ନିଜକୁ କଷ୍ଟ ଦେଇ ବସିଛି ? ତାଙ୍କର ଚାଲିଚଳନରୁ ସୁସ୍ପଷ୍ଟବାରି ହେଉଛି କି ସେ ଜଣେ ରୋଗାକ୍ରାନ୍ତ ? ସେ ପୁଣି ଏମିତି ସେମିତି ରୋଗ ନୁହେଁ ଡାଇରିଆ ରୋଗରେ ପୀଡ଼ିତ ବୃଦ୍ଧବ୍ୟକ୍ତି ଜଣଙ୍କ । ହେଲେ ଏମିତି ରୋଗାକ୍ରାନ୍ତ ଅବସ୍ଥାରେ କିଏ ଅବା କାହିଁକି ଏଠାରେ ତାଙ୍କୁ ବସିବା ପାଇଁ ବାଧ୍ୟ କରିଛନ୍ତି ? ନା ସେ ସ୍ୱଇଚ୍ଛାରେ ଏଠାରେ ବସିଛନ୍ତି ? କ’ଣ ତାଙ୍କର ନିଜର ବୋଲି ଏ ଦୁନିଆଁରେ କେହି ନାହାନ୍ତି ?

ଏମିତି ଅନେକ ପ୍ରଶ୍ନବାଚି ସୃଷ୍ଟି ହୁଏ ରମାକାନ୍ତବାବୁଙ୍କ ମନରେ ଓ ସେ ଏସବୁ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ନ ଜ୍ଞାତ ହେଲା ପର୍ଯ୍ୟନ୍ତ ସେ ସେଠାରୁ ଫେରିବେନି ବୋଲି ନିଷ୍ପତ୍ତି ନେଇ ସାରିଥାନ୍ତି ।

ବୃଦ୍ଧବ୍ୟକ୍ତି ଜଣଙ୍କ ଖାଇବାରେ ବ୍ୟସ୍ତ ଥାନ୍ତି । ଡକ୍ଟର ବାବୁ ତା’ ଚର୍ତୁଃପାର୍ଶ୍ୱ ଆଖି ବୁଲାଉଥାନ୍ତି । ହଠାତ୍ ତାଙ୍କ ଦୃଷ୍ଟିପାତ ହୁଏ ବଟବୃକ୍ଷର ଦୁର୍ବଳ ଗଣ୍ଠି ଉପରକୁ । ସେ ଗଣ୍ଠିର ଅବସ୍ଥା ଭାରି ବିପଦ ପୂର୍ଣ୍ଣଥାଏ । କାହିଁକି ନା ? ଉକ୍ତ ବଟବୃକ୍ଷଟି ଅତ୍ୟଧିକ ପୁରାତନ ହୋଇଥିବାରୁ ବା ଅତ୍ୟଧିକ ବୟସ୍କ ହୋଇଥିବାରୁ କେତେ ବେଳେ ଯେ ଖସି ପଡ଼ିବ ତାହା ଠିକ୍ ନଥାଏ । ବୃକ୍ଷର ଚର୍ତୁଃପାର୍ଶ୍ୱ ଥରେ ଆଖି ବୁଲାଇ ପୁଣି ବୃକ୍ଷର ଉପରକୁ ଦୃଷ୍ଟି ପକାନ୍ତି । ବୃକ୍ଷଟିର ବୃଦ୍ଧ ଅବସ୍ଥା ଆସି ସାରିଥିବାରୁ ତା’ର ପତ୍ର ମଧ୍ୟ ମାତ୍ରାଧିକ କମ୍ ଥାଏ । ସୂର୍ଯ୍ୟଙ୍କ ରୁଦ୍ର ଉତ୍ତାପରୁ ବୃକ୍ଷଜଣଙ୍କୁ ରକ୍ଷା କରାଇବା ପାଇଁ ଯଥେଷ୍ଟ ସାମର୍ଥ୍ୟ ନଥାଏ ସେଇ ବଟବୃକ୍ଷର ତା’ପରେ ବୃଦ୍ଧବ୍ୟକ୍ତି ଜଣକ କାହିଁକି ଯେ ଏଠି ବସିଛନ୍ତି । ଠିକ୍ ଏହି ସମୟ ଖଁ ଖଁ ହେଇ କାଶିବାରେ ଲାଗନ୍ତି ବୃଦ୍ଧବ୍ୟକ୍ତି ଜଣଙ୍କ ଓ ସଙ୍ଗେ ସଙ୍ଗେ ଅଣ୍ଡାଳି ହେଇ ନିକଟରେ ଥିବା ଏକ ମାଟିର ପାତ୍ରରୁ ଏକ ଭଙ୍ଗା ପାଷ୍ଟିକ୍ ମଗ୍ ମାଧ୍ୟମରେ ପାଣି କାଢ଼ି ପିଇବାରେ ଲାଗନ୍ତି । ଆଖିରୁ ଝର ଝର ହୋଇ ଲୁହ ନିଗିଡ଼ି ପଡୁଥାଏ ପାଣିତକ ପିଇ ଦେଇ ମଗ୍‌ଟା ସେ ମାଟିପାତ୍ର ଉପରେ ରଖି ପାକୁଆ ପାଟିକୁ ପାକୁ ପାକୁ ହେଇ ଥରୁଥରୁଆ ସ୍ୱରରେ କହିବାରେ ଲାଗନ୍ତି- “ଭଗବାନ୍ ତମର ମଙ୍ଗଳ କରନ୍ତୁ ପୁଅ !” ବୃଦ୍ଧବ୍ୟକ୍ତି ପାଟିରୁ କଥା ସରୁ ସରୁ ଅଯଥା ସମୟ ନଷ୍ଟ ନ କରି ରମାକାନ୍ତବାବୁ ପ୍ରଶ୍ନ କରିବାରେ ଲାଗନ୍ତି- “ଆଚ୍ଛା ମଉସା, ଆପଣ ଏମିତି ଗୋଟେ ବିପଦପୂର୍ଣ୍ଣ ସ୍ଥାନରେ ଅସହାୟ ଅବସ୍ଥାରେ କାହିଁକି ବସିଛନ୍ତି ? ଏହି ବୃକ୍ଷର ଅବସ୍ଥା ଯାହା କେତେବେଳେ ଯେ ଟଳି ପଡ଼ିବ ତାହା କିଛି କହି ହେବ ନାହିଁ । ତା’ପରେ ବି ଆପଣ ?”

ସଙ୍ଗେ ସଙ୍ଗେ ପାଟିରୁ କଥା ଛଡ଼ାଇ ବୃଦ୍ଧଜଣଙ୍କ କୁହେ- “ଏ ବୃକ୍ଷ ଆଉ ମୋ ମଧ୍ୟରେ କିଛି ତଫାତ୍ ନାହିଁ । ଦିନ ଥିଲା ଏହି ବଟବୃକ୍ଷମୂଳରେ ଅନେକ ଲୋକଙ୍କ ଆଶ୍ରୟସ୍ଥଳୀ ଥିଲା । ଅନେକ ଲୋକଙ୍କୁ ସୂର୍ଯ୍ୟଙ୍କ ରୌଦ୍ରତାପକୁ ନିଜେ ସହି ସମ୍ୱାଳି ମଧ୍ୟ ଛାଇ ପ୍ରଦାନ କରିଥିଲା । କାହିଁକି ନା ସେତେବେଳେ ବୃକ୍ଷଟିର ଯଉବନ ଅବସ୍ଥା ଥିଲା ଓ ସେ ଅନେକ ଲୋକଙ୍କୁ ଅନେକ ବାଟରେ ଯାଉଥିବା ବାଟୋଇଙ୍କୁ ନିଜର ଛତ୍ରଛାୟା ତଳେ ଆଶ୍ରୟ ଦେଉଥିଲା । ହେଲେ ଏବେ ବୃକ୍ଷଟିର ବୃଦ୍ଧ ଅବସ୍ଥା ଆସିଯାଇଛିରେ ପୁଅ. . . । ଭଲ କି ପତ୍ର ଦି’ଟା ମଧ୍ୟ ତା’ ଶରୀରରେ ନାହିଁ, ଯାହା ଫଳରେ ସୂର୍ଯ୍ୟଙ୍କ ଟାଣ ଖରାରୁ ଲୋକମାନଙ୍କୁ ଟିକେ ଛାଇ ପ୍ରଦାନ କରିପାରିବ ଏବଂ ତା’ ଛତ୍ରଛାୟା ତଳେ ଟିକେ ଆଶ୍ରୟ ଦେଇପାରିବ । ଦିନ ଥିଲାରେ ପୁଅ ମୁଁ ମଧ୍ୟ ମୋ ପରିବାରକୁ ଏହି ବଟବୃକ୍ଷ ପରି ନିଜର ଛତ୍ରଛାୟାରେ ଆଶ୍ରୟ ଦେଇ ଆସିଥିଲି । ମୁଁ ଯାହା ରୋଜଗାର କରି ଆଣୁଥିଲି ସେଥିରେ ମୋ ପରିବାର ଦି’ଓଳି ଦି’ମୁଠା ଖାଇବା ପାଇଯାଉଥିଲେ । ପିନ୍ଧିବା ପାଇଁ ବସ୍ତ୍ର ପାଉଥିଲେ ଏବଂ ଖଣ୍ଡେ ଚାଳଘରରେ ମୁଣ୍ଡ ଗୁଞ୍ଜି ବେଶ୍ ହସ ଖୁସିରେ ଜୀବନ ଅତିବାହିତ କରୁଥିଲେ । (ଦୁଇହାତକୁ ମୁଠାକରି ଉପରକୁ ଟେକି ବୃଦ୍ଧଜଣଙ୍କ ଖୁବ୍ ଜୋର୍ରେ ଚିତ୍କାର କରି କୁହେ) ଏହି ହାତରେ କଠିନରୁ କଠିନ ପରିଶ୍ରମ କରି ମୋ ଦୁଇ ପୁଅଙ୍କୁ ପାଠଶାଠ ପଢ଼ାଇ ମଣିଷ କଲି । ଦିନେ ହେଲେ ବି ତାଙ୍କର ସୁଖର ସାଗରରେ ଦୁଃଖର ଜଳକଣିକାଟିଏ ମଧ୍ୟ ପକାଇବା ପାଇଁ ଚେଷ୍ଟା କରିନି ।” ଏତିକି କହି ଖୁବ୍ ଜୋର୍‌ରେ କାନ୍ଦିବାକୁ ଲାଗିଲେ ବୃଦ୍ଧବ୍ୟକ୍ତି ଜଣଙ୍କ ଓ କାନ୍ଧରେ ପଡ଼ିଥିବା ଖଣ୍ଡେ ମଇଳା ତଉଲିଆ ମାଧ୍ୟମରେ ଆଖିଲୁହ ପୋଛି ପୁଣି କାନ୍ଦ କାନ୍ଦ ସ୍ୱରରେ କହିବାକୁ ଲାଗିଲେ- “ସେତେବେଳେ ବଳ ବୟସ ଥିଲା । କାମଦାମ କରି ପାରୁଥିଲି । ହେଲେ ଏବେ ରୋଗାକ୍ରାନ୍ତ ହୋଇ ବିଛଣାରେ ମଳମୂତ୍ର ତ୍ୟାଗ କରି ପଡ଼ି ରହିଲି । ପୁଅ, ବୋହୂମାନଙ୍କ ଉପରେ ବୋଝ ହେଲି । ମୋ ସେବା ଶୂଶ୍ରୁଷା କରିବାରେ ମୋ ବୋହୂମାନଙ୍କୁ ଅତ୍ୟନ୍ତ ଘୃଣା ମନୋଭାବ ସୃଷ୍ଟି ହେଲା । ଯାହାଫଳରେ ମୋ ପୁଅମାନଙ୍କୁ ଅଭିଯୋଗ କରିବା ଆରମ୍ଭ କଲେ । ନିଜର ସମସ୍ୟା ସମାଧାନ କରିବାକୁ ଯାଇ ଏମିତି ଏକ କଠୋର ନିଷ୍ପତ୍ତି ନେଲେ ଯେ. . .” ଏତିକି କହି ବୃଦ୍ଧଜଣଙ୍କ ଛୋଟ ପିଲାଟି ପରି ସକେଇ ସକେଇ କାନ୍ଦିବାରେ ଲାଗିଲେ ବୃଦ୍ଧଜଣଙ୍କ ।

ଏହା ଦେଖି ରମାକାନ୍ତବାବୁ ବୃଦ୍ଧଜଣଙ୍କର ଆଖିର ଲୁହପୋଛି ପିଠିକୁ ଥାପୁଡେ଼ଇ ଥାପୁଡେ଼ଇ ଆଶ୍ୱାସନା ଦେଇ ପଚାରନ୍ତି- “ଆପଣଙ୍କ ବୋହୂମାନଙ୍କ ନିଷ୍ପତ୍ତିଟା କ’ଣ ଥିଲା ?”

ରମାକାନ୍ତବାବୁଙ୍କ ପ୍ରଶ୍ନ ଶୁଣି ବୃଦ୍ଧଜଣଙ୍କ ଉତ୍ତର ଦିଅନ୍ତି- “ସେ ନିଷ୍ପତ୍ତିଟା ହେଲା ବାପା ଯଦି ଏ ଘରେ ରୁହନ୍ତି ତାହାହେଲେ ଆମେ ଏ ଘର ଛାଡ଼ି ଚାଲିଯିବୁ ।” ବୋହୂମାନଙ୍କର ଏପରି କଠୋର ନିଷ୍ପତ୍ତିରେ ମୋ ପୁଅମାନେ ଶେଷକୁ ଏହି ବଟବୃକ୍ଷ ମୂଳରେ ଆଣି ବସାଇ ଦେଇଥିଲେ ଆଉ ମୁଁ ମୋ ପେଟର ଭୋକ ସମ୍ଭାଳି ନ ପାରି ପୁଅ ତମ ହାତରେ ଥିବା ପାଉଁରୁଟିଟା ମାଗି ପକାଇଥିଲି । କ’ଣ ଅବା କରିଥାନ୍ତି ? ଆଜିକି ଦୁଇଦିନ ହେବ ମୁଁ କିଛି ଖାଇନାହିଁ ।

– “ଆପଣ ଦୁଇଦିନ ହେଲା କିଛି ଖାଇନାହାନ୍ତି ? ହେଲେ କ’ଣ ପାଇଁ ?” ରମାକାନ୍ତବାବୁ ପ୍ରଶ୍ନ କରନ୍ତି ।

– କାଳେ ଖାଦ୍ୟ ଖାଇବା ପରେ ପୁଣି ବିଛଣାରେ ମଳମୂତ୍ର ତ୍ୟାଗ କରିବି ଓ ବୋହୂମାନଙ୍କ କାମ ବଢ଼ାଇ ଘରଦ୍ୱାର ଅସନା କରିବି ସେଥିପାଇଁ ବୋହୂମାନେ ମତେ ଦୁଇଦିନ ହେଲା ଖାଇବା ନ ଦେଇ ଭୋକ ଉପାସରେ ରଖିଥିଲେ ପୁଅ । ଏହା କହି ପୁଣି କାନ୍ଦିବାରେ ଲାଗିଲେ ବୃଦ୍ଧବ୍ୟକ୍ତି ଜଣଙ୍କ ଓ କାନ୍ଦ କାନ୍ଦ ସ୍ୱରରେ ରମାକାନ୍ତବାବୁଙ୍କୁ ପଚାରିଲେ “ହେଲେ ପୁଅ ମୋର ଆଉ ଏ ବଟବୃକ୍ଷ ମଧ୍ୟରେ କ’ଣ ତଫାତ୍ ଅଛି କୁହ ?”

ବୃଦ୍ଧବ୍ୟକ୍ତିଙ୍କ କଥା ସରୁସରୁ ସେଠାରେ ଜଣେ ପଚିଶ, ତିରିଶ ବର୍ଷର ଯୁବକ ସାଙ୍ଗରେ ଗୋଟେ ପାଞ୍ଚ, ଛଅ ବର୍ଷର ଛୋଟପିଲାକୁ ସାଥିରେ ନେଇ । ମୋଟର ସାଇକେଲ୍ ମାଧ୍ୟମରେ ପହଞ୍ଚିଲେ । ସାଥିରେ ଆଣିଥିବା ବ୍ୟାଗ୍‌ ରୁ ଗୋଟେ ଛୋଟ ଟିଫିନ୍ ବକ୍ସ କାଢ଼ି ସେଇ ଟିଫିନ୍ ବକ୍ସରେ ଭାତ, ଡାଲମା ଗୋଳାଇ ଆଣିଥାନ୍ତି ଓ ସାଥିରେ ଗୋଟେ ବଡ଼ ସାରୁପତ୍ର ଆଣିଥାନ୍ତି । ସେଇ ସାରୁପତ୍ରକୁ ବୃଦ୍ଧଙ୍କ ପାଖରେ ରଖି ସାଙ୍ଗରେ ଆଣି ଥିବା ଡାଲମା, ଭାତ ଗୋଳାକୁ ସାରୁପତ୍ରରେ ପକାଇଦିଏ ଏବଂ ବୃଦ୍ଧଙ୍କୁ ବାପା ଖାଅ ବୋଲି କୁହେ ।

ଏମାନଙ୍କ କଥାବାର୍ତ୍ତାରୁ ରମାକାନ୍ତବାବୁଙ୍କୁ ଜ୍ଞାତ ହୁଏ କି ଏ ଯୁବକ ଏବଂ ସାଙ୍ଗରେ ଆସିଥିବା ପାଞ୍ଚ ଛଅ ବର୍ଷର ପିଲା ହେଉଛନ୍ତି ଏ ବୃଦ୍ଧର ପୁଅ ଓ ନାତି ।

ଅଯଥା ବିଳମ୍ୱ ନ କରି ରମାକାନ୍ତବାବୁ ସେଇ ଯୁବକକୁ ପ୍ରଶ୍ନ କରନ୍ତି- “ଆଚ୍ଛା ଏ ବୃଦ୍ଧବ୍ୟକ୍ତିଟି କ’ଣ ତମ ବାପା ?”

– “ହଁ ସାର୍ ଇଏ ମୋ ବାପା” ଯୁବକଟି କୁହେ ।

– “ତା’ହେଲେ ଏମିତି ଅସହାୟ ଅବସ୍ଥାରେ ଏମିତି ବିପଦପୂର୍ଣ୍ଣ ସ୍ଥାନରେ କ’ଣ ପାଇଁ ପକେଇଛ ?” ରମାକାନ୍ତବାବୁ ପଚାରନ୍ତି ।

– “ନାଇଁ ସାର୍, ଏଠାରେ ବାପାଙ୍କୁ ଆମେ ପକାଇନୁ ବରଂ ଏଠାରେ ଆମେ ତାଙ୍କୁ ରଖି ସମୟ ଅନୁଯାୟୀ ଖାଇବା ଆଣି ଯୋଗାଉଛୁ । ଏଠାରେ ସେ ରହିଲେ ତାଙ୍କ ପାଇଁ ବି ମଙ୍ଗଳ ଏବଂ ଘର ପାଇଁ ବି ମଙ୍ଗଳ ।” ଯୁବକ ଜଣଙ୍କ କୁହନ୍ତି । ରମାକାନ୍ତବାବୁ ରାଗି ଯାଇ କୁହନ୍ତି- “କ’ଣଟା ମଙ୍ଗଳ ମତେ ଟିକେ କହିବେ କି ?”

ରମାକାନ୍ତବାବୁଙ୍କ ପ୍ରଶ୍ନ ଶୁଣି ଯୁବକ ଜଣଙ୍କ ଉତ୍ତର ଦିଅନ୍ତି- “ଆପଣ ଜାଣିନାହାନ୍ତି ସାର୍ ଏ ବୁଢ଼ା ଏମିତି ମଳମୂତ୍ର ତ୍ୟାଗ କରୁଛି ଯେ । ଘରେ ରହିବା ବଡ଼ କଷ୍ଟସାଧ୍ୟ ହେଇପଡୁଛି । ତେଣୁ କରି ଆମେ ବାଧ୍ୟ ହେଇ ଏପରି ଏକ ନିଷ୍ପତ୍ତି ନେବାରେ ମନ ବଳାଇଛୁ ।”

– ରମାକାନ୍ତବାବୁ ତାଳି ମାରି ମାରି କୁହନ୍ତି- “ବାଃ ରେ ପୁଅ ବାଃ ! ଧନ୍ୟ ତୋ ପୁଅ ପଣିଆ । ତମମାନଙ୍କ ପରି ପୁଅ ଯଦି ଏ ଧରାପୃଷ୍ଠରେ ଏକରୁ ଏକାଧିକ ପରିମାଣରେ ଜନ୍ମ ନିଅନ୍ତି ତାହାହେଲେ ଧରାପୃଷ୍ଠରେ କୌଣସି ବୃକ୍ଷମୂଳ ଆଉ ଖାଲି ପଡ଼ିବ ନାହିଁ । ସବୁ ବୃକ୍ଷମୂଳରେ ଏମିତି ବୃଦ୍ଧ ବ୍ୟକ୍ତିଙ୍କ ଭିଡ଼ ଜମିଯିବ ।” “ଆଚ୍ଛା ! ତମେ ଯେତେବେଳେ ଛୋଟ ଥିଲ, କ’ଣ ଶେଜରେ ଝାଡ଼ା କରୁନଥିଲା ? ପରିସ୍ରା କରୁନଥିଲ ? ବାପା, ମା’ଙ୍କ କାଖରେ ଝାଡ଼ା, ପରିସ୍ରା କରୁନଥିଲ ? ଘରଦ୍ୱାର ପରିସ୍ରା ଝାଡ଼ା କରି ଅସନା କରୁନଥିଲ ? ତା’ହେଲେ ତମ ବାପା, ମା’ କେଉଁ ଗଛମୂଳେ ତମକୁ ପକେଇ ଥିଲେ ? ଆଚ୍ଛା ତମମାନଙ୍କ ଭାଷାରେ ବା ନିଷ୍ପତ୍ତିରେ ତମକୁ ଗଛମୂଳେ ରଖି ତମକୁ ଜନ୍ମ କଲା ମା’ କ’ଣ ସମୟ ଅନୁଯାୟୀ ତମମାନଙ୍କୁ ତା’ ଛାତିର କ୍ଷୀର ପିଇ ଦେଉଥିଲା ? ନା. . . କାହିଁକି ନା ସେ ଜନ୍ମଦାତ୍ରୀ ।”

ବୃଦ୍ଧବ୍ୟକ୍ତିଜଣଙ୍କୁ ଦେଖାଇ । ଡକ୍ଟର ବାବୁ କହନ୍ତି “ଏଇ ବାପା ତମର ଦିନ ଥିଲା ତମର ସବୁ ଅଳି ଅଝଟ ସହି ତମକୁ ସବୁ ସୁଖ ପ୍ରଦାନ କରି ଆସିଥିଲା । ତା’ର କ’ଣ ଶେଷ ପରିଣତି ଏଇଆ । ହେଲେ ତମମାନଙ୍କ କେବେ ବୃଦ୍ଧ ଅବସ୍ଥା ଆସିବନି । କି ତମର କେବେ ସ୍ୱାସ୍ଥ୍ୟର ଅବନତି ହେଇ ବିଛଣାରେ ମଳମୂତ୍ର ତ୍ୟାଗ କରିବନି । ଆରେ ତମେ କ’ଣ ? ଏ ଦୁନିଆଁରେ ସବୁ ମନୁଷ୍ୟର ଦିନେ ଏମିତି ଅବସ୍ଥା ଆସିବ ।” ଏତିକି କହି ପକେଟରୁ ମୋବାଇଲ୍ ଫୋନ୍‌ଟି କାଢ଼ି ନିଜର ଡ୍ରାଇଭର୍‌କୁ କରନ୍ତି ଓ ଶୀଘ୍ରରୁ ଅତି ଶୀଘ୍ର ସେ ସ୍ଥାନରେ ପହଞ୍ଚି ବାକୁ ନିର୍ଦ୍ଦେଶ ଦେଇଥାନ୍ତି । କେମିତି ଅବା ସେ ବୃଦ୍ଧ ବ୍ୟକ୍ତିଙ୍କୁ ସେଠାରେ ଛାଡ଼ି କି ଯାଇଥାନ୍ତେ । ସେ ପରା ଗୋଟେ ଭଲ ଡକ୍ଟର ସାଙ୍ଗକୁ ପରୋପକାରୀ ମଣିଷ ମଧ୍ୟ । ତାଙ୍କ କ୍ଲିନିକରେ ଅନେକ ଗରିବ ଅସହାୟ ରୋଗୀଙ୍କୁ ବିନା ପଇସାରେ ଆରୋଗ୍ୟ କରିଛନ୍ତି । ତା’ହେଲେ ଏ ବୃଦ୍ଧବ୍ୟକ୍ତିଙ୍କୁ କେମିତି ଏ ଅସହାୟ ଅବସ୍ଥାରେ ଛାଡ଼ିଥା’ନ୍ତେ ।

ଡ୍ରାଇଭର୍ ଗାଡ଼ି ନେଇ ସେଠାରେ ପହେଞ୍ଚ ଓ ଡାକ୍ତରବାବୁ ଆଉ ଡ୍ରାଇଭର୍ ମିଶି ବୃଦ୍ଧ ବ୍ୟକ୍ତିଙ୍କୁ ଗାଡ଼ିରେ ବସାଇ ଦିଅନ୍ତି । ଏହା ଦେଖି ରମାକାନ୍ତବାବୁଙ୍କ ହାତକୁ ଧରି ବୃଦ୍ଧ ବ୍ୟକ୍ତିଙ୍କ ସେଇ ପାଞ୍ଚ ଛଅ ବର୍ଷର ନାତି ଟୋକା ପଚାରେ- “ମୋ ଜେଜେଙ୍କୁ କୁଆଡେ଼ ନେଇଯାଉଛ ?”

– “ମୁଁ ତୋ ଜେଜେଙ୍କୁ ମେଡ଼ିକାଲ୍ ନେଇଯାଉଛି । ସେଠାରେ ଭଲ ଔଷଧ ଖୁଆଇ ସମ୍ପୂର୍ଣ୍ଣ ଭାବରେ ଭଲ କରିଦେବି ।”

ପିଲାଟି ନିଜ ମୁଣ୍ଡକୁ ଆଉଁସି ଆଉଁସି ରମାକାନ୍ତବାବୁଙ୍କୁ କୁହେ ।

– “ତା’ହେଲେ ଏମିତି କିଛି ଔଷଧ ଏହି ବୁଢ଼ାବରଗଛକୁ ବି ଖୁଆଇ ଦିଅ ଯେ, ଯେମିତି ଆହୁରି ଅନେକଦିନ ପର୍ଯ୍ୟନ୍ତ ବଞ୍ଚି ରହିବ ।” ପିଲାଟି କୁହେ ।

ପିଲାଟିକୁ କାଖରେ ବସାଇ ରମାକାନ୍ତ ବାବୁ କୁହନ୍ତି- “ଏହି ଗଛଟି ଅନେକ ଦିନ ପର୍ଯ୍ୟନ୍ତ ବଞ୍ଚିଲେ ତୋର କ’ଣ କାମ ହେବ ?”

– “ହଁ. . . ଏହି ବୁଢ଼ା ବରଗଛଟି ନ ବଞ୍ଚିଥିଲେ ମୋ ବାପା ଯେତେବେଳେ ବୁଢ଼ା ହେବେ ମୁଁ ପୁଣି ତାଙ୍କୁ କେଉଁଠି ବସାଇବି ?” ପିଲାଟି କୁହେ ।

ଲୋକପ୍ରିୟ ଲେଖା

To Top