ଗଳ୍ପ

ବୁଢ଼ୀଆଣିର ଜାଲ

Odia Author Aravind Das

କେମିତି ଜମିବାଡ଼ି ବିକି ଏଜେଣ୍ଟ୍‌କୁ ପଇସା ଦେଇ ପାସପୋର୍ଟ, ଭିସା ଯୋଗାଡ଼ କରିଥିଲା ଅଧିକ ପଇସା ପାଇବା ଲୋଭରେ । ଦୁବାଇରେ ଚାକର କାମ କରୁଛି ବୋଲି ଲାଜରେ ଘର ଲୋକଙ୍କୁ କହିନି ସେ ।

ବୁଢ଼ୀଆଣିର ଜାଲ

ଫ୍ଲାଇଟ୍ ସିଡ୍ୟୁଲ ଉପରେ ଆଖି ଘୂରାଇ ଆଣିଲେ ରଜାକ୍ । ଏୟାର ଇଣ୍ଡିଆର ଦୁବାଇରୁ ଆସୁଥିବା ଫ୍ଲାଇଟ୍ ଆଜି ୪ ଘଣ୍ଟା ଡିଲେ ଅଛି । ରାତି ଦୁଇଟା ହୋଇଯିବ । ଆଜି ରାତିଟା ମଣିଷ ଟିକେ ବିଶ୍ରାମ ନେଇପାରିବ ନାହିଁ ବୋଲି ମନେ ମନେ ଭାବୁଥିଲେ ।

କୋଚିନ୍ର ଆନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗର ବରିଷ୍ଠ ଏୟାର୍ ଇନ୍‌ଣ୍ଟେଲିଜେନ୍‌ସ ଅଫିସର୍ ଅଛନ୍ତି ରଜାକ୍ ।

ଜଣେ ସଚ୍ଚୋଟ୍, କର୍ତ୍ତବ୍ୟ ନିଷ୍ଠ ଓ ବୁଦ୍ଧିମାନ ଅଫିସର୍ ଭାବେ ଖ୍ୟାତି ରହିଛି ତାଙ୍କର । ତାଙ୍କର ନାଁ ଶୁଣିଲେ ସ୍ମଗ୍ଲର୍‌ମାନେ ଭୟ ପାଆନ୍ତି । ଜୁନିଅର୍ ଅଫିସର୍ ଭେଙ୍କଟ୍ ଗୋଟାଏ ବନ୍ଦ ଲଫାପା ଆଣି ଧରାଇ ଦେଲା ତାଙ୍କୁ । ନିଶ୍ଚୟ ଆଜି ପାଇଁ କିଛି ଇନ୍ଫର୍ମେସନ୍ ଅଛି । ଚୁପ୍‌ଚାପ୍‌ ଲଫାପାର ସିଲ୍‌କୁ ପରୀକ୍ଷା କଲେ ରଜାକ୍ ।

“ଡାଇରେକ୍ଟରୋଟ୍ ଅଫ୍‌ ରେଭିନ୍ୟୁ ଇନ୍‌ଣ୍ଟେଲିଜେନ୍‌ସରୁ ଚିଠିଟି ଆସିଛି । ଭିତର ଚିଠିଟିକୁ ଧ୍ୟାନର ସହ ପଢ଼ିଲେ । ତାଙ୍କ ଅନୁମାନ ଠିକ୍ । ଯେଉଁ ଖବର ସେ ନିଜର ଇନ୍ଫର୍ମର୍‌ଠାରୁ ଆଗୁଆ ପାଇଛନ୍ତି । ସେଇ ଏକା ସୂଚନା ଏଇ ଚିଠିରେ ମଧ୍ୟ ଅଛି । ମନେ ମନେ ହସିଲେ ରଜାକ୍ ।”

ଭେଙ୍କଟ କହିଲା, “ସାର୍, ଆଜି ଏକ୍ସରେ ଏବଂ ହ୍ୟାଣ୍ଡ ବ୍ୟାଗ୍ ଚେକିଙ୍ଗ୍ ଟିକେ ଭଲ ସେ କରିବାକୁ କମିଶନର୍ ସାର୍ ଅର୍ଡର ଦେଇଛନ୍ତି । ହୁଏତ ନିଜେ ଆସିପାରନ୍ତି ଏଇ ଦୁବାଇ ଫ୍ଲାଇଟ୍ ବେଳକୁ ।”

କଫି କପ୍ ଧରି କାଗଜଟାକୁ ପୁଣି ଦେଖିଲେ ରଜାକ୍ । ଦୁଇଟା ଲୋକଙ୍କ ନାଁ ଅଛି ଆଜିକା ଲିଷ୍ଟରେ । ଅବଦୁଲ୍ ବାନୀ ଏବଂ ମହମଦ୍ ୟୁସୁଫ୍ । ତା’ ସହିତ ସେମାନଙ୍କ ପାସ୍‌ପୋର୍ଟ ନମ୍ୱର ଏବଂ ସେମାନଙ୍କ ହୁଲିଆ ସମ୍ପର୍କରେ ସୂଚନା ଅଛି ।

ଲୋକ ଦୁଇଟା ଦୁବାଇରୁ ଅନେକ ଇଲୋକ୍ଟ୍‌ରୋନିକ୍ ଜିନିଷ ଓ ନକଲି ଟଙ୍କା ଆଣୁଛନ୍ତି ବୋଲି ସୂଚନା ମିଳିଛି ।

ହେଲେ ନିଜ ଅନୁଭବରୁ ଜାଣିଛନ୍ତି ରଜାକ୍, ଏଇ ସୂଚନା ଥିବା ଲୋକଙ୍କ ବଦଳରେ ଅନ୍ୟ ଲୋକମାନେ ଚୁପ୍‌ଚାପ୍‌ ସ୍ମଗଲିଂ ଜିନିଷ ନେଇ ପାର୍ ହୋଇଯାଆନ୍ତି । ବହୁତ ସମୟରେ କିଛି ସାଧାରଣ ଲୋକଙ୍କୁ ହଇରାଣ କରିବା ପାଇଁ କେତେ ଲୋକ ମିଥ୍ୟା ସୂଚନା ମଧ୍ୟ ଦେଇଥାନ୍ତି ।

ସିଙ୍ଗାପୁରରୁ ଆସିଥିବା ପାସେଞ୍ଜର୍‌ମାନେ ସବୁ କ୍ଲିଅରାନ୍ସ କରାଇ ବାହାରକୁ ଚାଲିଗଲେଣି । ନିଜର ଅନ୍ୟାନ୍ୟ ସହଯୋଗୀମାନଙ୍କ ସହ କିଛି ଆଲୋଚନା କରି ସେମାନଙ୍କୁ ସବୁ ପ୍ରକାର ସଠିକ୍ ନିର୍ଦ୍ଦେଶ ଦେଇ ରଜାକ୍ ଚାଲିଆସିଲେ ନିଜ ଆସିଷ୍ଟାଣ୍ଟ୍ କମିଶନର୍ଙ୍କ କ୍ୟାବିନ୍‌କୁ ।

“ରଜାକ୍, ଦୁବାଇ ଫ୍ଲାଇଟ୍‌ରେ ସବୁ ବ୍ୟାଗେଜ୍ ଗୁଡ଼ାକ ତମେ ଟିକେ ଭଲ କରି ଚେକ୍ କରିବ ।”

“ଆପଣ ବ୍ୟସ୍ତ ହୁଅନ୍ତୁନି ସାର୍ । କିନ୍ତୁ ବର୍ତ୍ତମାନ ମୁଁ ଏୟାରଇଣ୍ଡିଆ ଅଫିସ୍‌ରୁ ଦୁବାଇ ଫ୍ଲାଇଟ୍‌ର ପାସେଞ୍ଜର ତାଲିକାଟା ଆଣି ପାଞ୍ଚଥର ଦେଖିସାରିଲିଣି । ସେଇ ଲୋକ ଦୁଇଟାଙ୍କ ନାମ ସେଥିରେ ନାହିଁ । ବୋଧେ ଆଗୁଆ ଖବର ପାଇ ସେମାନେ ସେମାନଙ୍କ ଆସିବା ପ୍ରୋଗ୍ରାମ୍ କ୍ୟାନସଲ୍ କରିଦେଇଛନ୍ତି ।”

“ଆର୍ ୟୁ ସିଓର୍ ? ମୋତେ ତାହା ହେଲେ କମିଶନର୍‌ଙ୍କୁ ଜଣାଇବାକୁ ପଡ଼ିବ ।” ରଜାକ୍ ନିଜ ହାତରେ ଧରିଥିବା ପାସେଞ୍ଜର୍ ଲିଷ୍ଟଟା ଦେଖାଇଲେ ରାଘବନଙ୍କୁ । ଦୁଇଜଣ ଯାକ ମିଶି ପୁଣି ଭଲ କରି ପରୀକ୍ଷା କରିନେଲେ ।

“ଯାହା ହେଲେ ବି ଆମକୁ ଟିକେ ସତର୍କ ରହିବାକୁ ପଡ଼ିବ । ଅନ୍ୟ ଲୋକ ଗୁଡ଼ାକୁ ଭଲ କରି ଚେକ୍ କରିବ ।”

ମୁଣ୍ଡ ହଲାଇ ବାହାରି ଆସିଲେ ରଜାକ୍ । ଯାହା ହେଉ ଅଯଥାରେ ବ୍ୟସ୍ତ ହୋଇ ସେଇ ଲୋକ ଦୁଇଟାକୁ ଭଲ ଭାବେ ଚେକ୍ କରିବାରୁ ବଞ୍ଚିଗଲା ମଣିଷ ।

ଆଉ ତିନିଦିନ ପରେ ଇଦ୍ । ଏବେ ରମ୍‌ଜାନ୍‌ ମାସ ଚାଲିଛି । ଦିନସାରା ନିର୍ଜଳା ଉପବାସ କରୁଥିବାରୁ ରଜାକ୍ ଏବେ ନାଇଟ୍ ଡ୍ୟୁଟି ନେଉଛନ୍ତି ଦୁବାଇ ଫ୍ଲାଇଟ୍ ଆସିଯାଇଥିଲା । ଦେହଟା ଟିକେ ଅବଶ ଲାଗୁଛି ଦିନସାରା ଉପବାସ ପାଇଁ । ଅବଶ୍ୟ ସନ୍ଧ୍ୟାରେ ରୋଜା ସାରି ଇଫ୍ତାର ଖାଇଛନ୍ତି ।

ଦୁବାଇରୁ ଏୟାରଇଣ୍ଡିଆ ଫ୍ଲାଇଟ୍‌ର ସବୁ ଯାତ୍ରୀଙ୍କୁ ତୀକ୍ଷ୍ଣ ନଜରରେ ପରଖୁ ଥିଲେ ରଜାକ୍ । ଜହୁରୀ ହୀରାକୁ ପରୀକ୍ଷା କଲା ପରି । ହଠାତ୍ ଗୋଟାଏ ଲୋକ ଉପରେ ନିଜର ଦୃଷ୍ଟି ନିବଦ୍ଧ କଲେ ।

ଲୋକଟା କେମିତି ଏକ ସନ୍ଧିହାନ ଭଙ୍ଗୀରେ ବୁଲୁଛି ଏପଟ ସେପଟକୁ ଅନେଇ । ଲୋକଟାର ବୟସ ପଚାଶରୁ ଅଧିକ ହେବ । ଗାଢ଼କଳାବର୍ଣ୍ଣ, ଚନ୍ଦାମୁଣ୍ଡ ଅଳ୍ପ ଉଚ୍ଚ ଲୋକଟି ହାତରେ ଦୁଇଟି ହ୍ୟାଣ୍ଡବ୍ୟାଗ୍ ଧରିଥିଲା ।

ଦେହରେ ଗୋଟେ ଗାଢ଼କଳାରଙ୍ଗର କୋର୍ଟ । ହଳଦିଆ ରଙ୍ଗର ପ୍ୟାଣ୍ଟ୍‌ଟା ବାରମ୍ୱାର ତଳକୁ ଖସି ଆସୁଥାଏ । ଲୋକଟି ଗୋଟିଏ ହାତରେ ବ୍ୟାଗ୍ ଦୁଇଟା ଧରି ଅନ୍ୟ ହାତରେ ପ୍ୟାଣ୍ଟ୍‌ଟାକୁ ନିଜ ବଡ଼ ପେଟ ଉପରକୁ ଟେକିବାରେ ବ୍ୟସ୍ତ ଥାଏ । କିଛି ସମୟ ପରେ ସିଡ଼ିରୁ ତଳ ବ୍ୟାଗେଜ୍ ହଲ୍‌କୁ ଆସିଲା ପରେ ଗୋଟାଏ କୋଣରେ ଠିଆ ହୋଇ ମୋବାଇଲ୍‌ରେ କଥା ହେଲା ପରେ, ଅଣ୍ଟାରେ ପିନ୍ଧିଥିବା ବଡ଼ ଶାଗୁଆ ରଙ୍ଗର ବେଲ୍ଟକୁ କଷି କରି ଭିଡ଼ି ଦେଲା ।

ଏଥର ବୋଧେ ସେ ଆଶ୍ୱସ୍ତି ହୋଇଥିଲା ଯେ ପ୍ୟାଣ୍ଟଟା ଆଉ ତଳକୁ ଖସିବନି ବୋଲି । ଛଞ୍ଚାଣ ନିଜ ଶିକାରକୁ ଜଗିଥିଲା ପରି ରଜାକ୍ ସେହି ଲୋକଟିକୁ ଅନେଇଥିଲେ । କାହିଁକି କେଜାଣି ମନରେ ବାରମ୍ୱାର କେମିତି ଗୋଟାଏ ସନ୍ଦେହ ଆସୁଛି ଲୋକଟା ପ୍ରତି ।

ଏମିତି ଇନ୍‌ଟ୍ୟୁସନ୍‌ ଦ୍ୱାରା ଯଦିଓ ସବୁବେଳେ ପ୍ରଭାବିତ ହୋଇ ସେ କାମ କରନ୍ତି ନାହିଁ, ତଥାପି ହଠାତ୍ ବଡ଼ବଡ଼ କେସ୍ ଏମିତି ସାମାନ୍ୟ ସନ୍ଦେହ ବଳରେ ହିଁ ଧରିପାରିଛନ୍ତି ସେ । ତାଙ୍କୁ ଏଇ ଏୟାରପୋର୍ଟରୁ ହଟାଇବା ପାଇଁ ଅନେକ ସ୍ମଗ୍ଲର୍ ଗୋଷ୍ଠୀ କେତେ ଚକ୍ରାନ୍ତ କଲେଣି ।

କେତେବେଳେ ଧମକ୍‌ଭରା ଫୋନ୍ ତ, କେତେବେଳେ ତାଙ୍କ ନାଁରେ ମିଥ୍ୟା କୁତ୍ସାରଟନା ସମ୍ଭଳିତ ଚିଠି ତ କେତେବେଳେ ଲାଞ୍ଚ ଦେବାର ପ୍ରୟାସ । ଝଡ଼ବର୍ଷାର ଡରକୁ ଖାତିର୍ ନ କରି ବରଗଛ ଯିଏ ଦ୍ରୁମ ଭାବେ ଠିଆ ହେଲା ପରି, ଜୀବନର ଏଇ ଛୋଟ ବଡ଼ ଝଡ଼ଝଞ୍ଜାକୁ ସାମ୍ନା କରିବାକୁ ଡରିନାହାନ୍ତି ରଜାକ୍ ।

ଦରମା ଟଙ୍କା ତାଙ୍କ ଦୁଇ ପ୍ରାଣୀ କୁଟୁମ୍ୱ ପାଇଁ ଢେର୍ ଯଥେଷ୍ଟ । ରଜାଜ୍‌ଙ୍କ ବାହାଘରକୁ ଦଶବର୍ଷ ହୋଇଗଲାଣି । ଏ ପର୍ଯ୍ୟନ୍ତ ସେମାନେ ନିସନ୍ତାନ । ତେବେ ଆଲ୍ଲାଙ୍କୁ କେବେ ଦୋଷ ଦେଇନାହାନ୍ତି ରଜାକ୍ । ସେଇ ବୁଢ଼ା ଲୋକଟେ ବର୍ତ୍ତମାନ ନିଜର ଚେକ୍ଇନ୍ ବ୍ୟାଗ୍ ଦୁଇନମ୍ୱର କନ୍ଭେୟର ବେଲ୍ଟରୁ କାଢ଼ି ଟ୍ରଲିରେ ରଖୁଛି । କ’ଣ ଥିବ ଏଥିରେ ? ବ୍ୟାଗ୍ ଉପରେ ଧଳା ଚକ୍ର ଚିହ୍ନ ମରାଯାଇଛି ଏକ୍ସରେ ରୁମ୍‌ରେ ଥିବା ତାଙ୍କର ବିଭାଗୀୟ ଅଫିସର୍ଙ୍କ ଦ୍ୱାରା । ନିଶ୍ଚୟ କିଛି ସନ୍ଦେହ ଜନକ ଜିନିଷ ଅଛି ସେଇ ବଡ଼ ବ୍ୟାଗ୍ ଭିତରେ ।

ଗ୍ରୀନ୍ ଚ୍ୟାନେଲ୍ ଦେଇ ଯାଉଥିବା ସେଇ ଲୋକଟିକୁ ଅଟକାଇ ତା’ର ପାସ୍‌ପୋର୍ଟ ମାଗିଲେ ରଜାକ୍ । ସାଧାପୋଷାକରେ ରଜାକ୍ ଥିବାରୁ ଲୋକଟା ଟିକିଏ ଇତସ୍ତତ ହେଲା ପାସ୍‌ପୋର୍ଟ ଦେବା ପାଇଁ । ପାଖରେ ଧଳାରଙ୍ଗର ୟୁନିଫର୍ମ ପିନ୍ଧା ବ୍ୟାଗେଜ୍ ଅଫିସର୍ ନବୀନ୍ ସେ ଲୋକଟିକୁ ରଜାଜ୍‌ଙ୍କ ପରିଚୟ ଦେଲେ ।

ଟିକିଏ ଭୟଭୀତ ହେଲା ପରି ଲାଗିଲା ଲୋକଟି । କୋର୍ଟର ଭିତର ପକେଟ୍‌ରୁ ପାସ୍‌ପୋର୍ଟ ବାହାର କରି ବଢ଼େଇ ଦେଲେ ।

ଲୋକଟିର ନାଁ ଆଶରଫ୍ ନୁର୍ । ଘର ତିରୁନେଲ୍‌ଭେଲି । ଦୁବାଇର ଗୋଟେ ଶେଖ୍ ଘରେ ଚାକର କାମ କରେ ଲୋକଟା । କିନ୍ତୁ ତା’ ପୋଷାକପତ୍ର ଦେଖିଲେ ଲାଗୁଛି ସତେ ଯେମିତି କେଉଁ ବଡ଼ ଅଫିସ୍‌ରେ ଭଲ ଚାକିରୀ ଖଣ୍ଡେ କରିଥିଲା ପରି । ରଜାକ୍ ପଚାରିଲେ, “ଚେନ୍ନାଇ ଏୟାର୍‌ପୋର୍ଟ ବାଟେ ତିରୁନେଲ୍‌ଭେଲି ନ ଯାଇ କେରଳ ବାଟେ କାହିଁକି ଆସିଲ ?” “ସାର୍, ଏପଟେ ଆସିଲେ ଟିକଟ୍ ଖର୍ଚ୍ଚ ତିନି ହଜାର କମ୍ ।”

ତା’ର ସମସ୍ତ ଜିନିଷପତ୍ରକୁ ରଜାକ୍ ଓ ତାଙ୍କର ଦୁଇଜଣ ସାଙ୍ଗ ଭଲଭାବେ ପରୀକ୍ଷା କଲେ । ପାଦରେ ନିଜ ମାପ ଅପେକ୍ଷା ବଡ଼ ଜୋତାଟାଏ ପିନ୍ଧିଥାଏ ଆଶରଫ୍ । ତା’ ଜୋତା, ମୋଜା ସବୁ ପରୀକ୍ଷା କଲେ ରଜାକ୍ । ଚେକ୍ଇନ୍ ବ୍ୟାଗ୍ ଭିତରେ ତିନିଟା ଏମରଜେନ୍ସୀ ଲାଇଟ୍‌ର ବଡ଼ ବଡ଼ ବ୍ୟାଟେରୀ ଥିବା ଯୋଗୁଁ ବୋଧେ ଏକ୍ସରେ ଅଫିସର୍ ଜଣଙ୍କ ସନ୍ଦେହ କରି ଚକ୍ ମାର୍କ କରିଥିଲା । କାରଣ ସୁନାବିସ୍କୁଟ୍ ଲୁଚେଇ ରଖିଥିଲେ ଏମିତି ଦିଶେ ଏକ୍ସରେ ମନିଟର୍‌ରେ । ନା, କେଉଁଠି କିଛି ମିଳିଲା ନାହିଁ ହତାଶ ହେଲେ ସେ । ଏମିତି ବେଳେ ବେଳେ ହୋଇଯାଏ । କିନ୍ତୁ ଏଇ କିଛିଦିନ ତଳେ ଏମିତି ଗୋଟେ ନିଜ ପାଦ ଅପେକ୍ଷା ବଡ଼ ବୁଟ୍ ପିନ୍ଧିଥିବା ଲୋକଟାର ଜୋତା ଭିତରୁ ଦଶଟା ସୁନା ବିସ୍କୁଟ୍ ଜବତ କରିଥିଲେ ରଜାକ୍ । ଏଠାରେ କାହାକୁ ବିଶ୍ୱାସ କରିବା ଯେତିକି କଠିନ, ସନ୍ଦେହ କରିବା ତା’ ଠାରୁ ଅଧିକ ସହଜ ।

ଲୋକଟାକୁ ଅଯଥାରେ ଏତେ ସମୟ ରଖି ଦେଇଥିବାରୁ କ୍ଷମା ପ୍ରାର୍ଥନା କଲେ ରଜାକ୍ ।

ନିଜ ସିପାହୀ ଓ ଏୟାର୍‌ଲାଇନ୍ସର ଷ୍ଟାଫ୍‌ମାନଙ୍କ ସାହାଯ୍ୟ ନେଇ ଆଶରଫ୍‌ର ତିନିଟା ଯାକ ଖୋଲା ହୋଇଥିବା ପ୍ୟାକେଜ୍ ଗୁଡ଼ାକ ପୁଣି ପ୍ୟାକ୍ କରାଗଲା ପୂର୍ବ ଭଳି ।

ବୋକାଙ୍କ ଭଳି ଅନେଇଥାଏ ଆଶରଫ୍ ।

“ସବୁ ଭୁଲ୍ ମୋର ସାର୍ । ମୁଁ ଜାଣିଛି ମୋର ଏଇ ପୋଷାକ ଦେଖି ଆପଣଙ୍କର ସନ୍ଦେହ ହେଲା । ସତ କହୁଛି ସାର୍, ଏଇ କୋର୍ଟ ଓ ପ୍ୟାଣ୍ଟ ମୁଁ ଭଡ଼ାରେ ଆଣିଛି । ଏଇ ମୋବାଇଲ୍‌ଟା ମୋ ରୁମ୍‌ର ଆଉ ଗୋଟେ ଲୋକର । ବେକର ହାର ଓ ହାତର ଏଇ ମୁଦି ମଧ୍ୟ ନକଲି ଅଟେ । ଘର ଲୋକଙ୍କ ଆଗରେ ତଥା ସାହିପଡ଼ିଶାଙ୍କ ଆଗରେ ନିଜର ଥାଟ୍ ଦେଖାଇବାକୁ ଏସବୁ କରିବାକୁ ପଡ଼େ ଆମ ଭଳି ଗରିବଙ୍କୁ ।”

ଲୋକଟିର ନିଚ୍ଛକ ସତକଥା ଶୁଣି ଲଜ୍ଜିତ ହେଲେ ରଜାକ୍ । ସତରେ ଏମିତି ଗରିବ ଲୋକଟିଏ ଘରକୁ ଫେରିଲା ବେଳେ ତା’ର ଘର ଲୋକେ କେତେ ଆଶା କରି ବସିଥିବେ ! ସେମାନେ କ’ଣ ଏମାନଙ୍କ ଦୁଃଖ, କଷ୍ଟ ଏବଂ ବିଦେଶ ଯନ୍ତ୍ରଣାକୁ ବୁଝି ପାରୁଥିବେ ? ନା କଦାପି ନୁହେଁ ।

ନିଜ ଦେହ ଓ ଆଚରଣରେ ପ୍ରାଚୁର୍ଯ୍ୟର ମିଥ୍ୟା ପଲସ୍ତରା ବୋଲି ଏମିତି ବିଦେଶ ଫେରନ୍ତା ଲୋକଙ୍କର ସତ କାହାଣୀ ଯଦି ଘର ଲୋକେ ଜାଣିବେ ତେବେ କ’ଣ ହେବ ? ଏମିତି ଅନେକ ଲୋକଙ୍କୁ ଏଇଠି ଭେଟିଛନ୍ତି ରଜାକ୍ । ଆଶରଫ୍ ହେଉଛି ସେମିତି ଏକ ନମୁନା ।

ନିଜର ବଡ଼ ପ୍ୟାକେଟ୍ ଉପରେ ନାଇଲନ୍ ଦଉଡ଼ିଟା ବାନ୍ଧୁ ବାନ୍ଧୁ ଆଶରଫ୍ କହିଲା, “ମୋର ଡେରି ଦେଖି ମୋ ସାଙ୍ଗମାନେ ବ୍ୟସ୍ତ ହେବେଣି । ତେବେ ଜିନିଷ ଗୁଡ଼ାକ ଟାଇଟ୍ କରି ନ ବାନ୍ଧିଲେ, କାର୍‌ରେ ଗଲାବେଳେ ପୁଣି ଖୋଲିଯିବାର ଭୟ ଅଛି । ଛୋଟ ଛୋଟ ଉପହାର ଗୁଡ଼ାକ କେଉଁଠି ତଳେ ପଡ଼ିଗଲେ ପାଇବା ଭାରି କଷ୍ଟ । ତା’ ଛଡ଼ା ଅନେକ ଜିନିଷ ମୋ ରୁମ୍‌ମେଟ୍‌ ଓ ପାଖ ଘର ଲୋକମାନେ ପଠାଇଛନ୍ତି । ସେଗୁଡ଼ାକୁ ପୁଣି ଯତ୍ନରେ ଦେବାକୁ ପଡ଼ିବ ।” ରଜାକ୍ ପଚାରିଲେ, “ତମ ଘର ଲୋକେ ଆସିଛନ୍ତି ?” ନିଜ ଅସନା ଦାନ୍ତକୁ ଦେଖାଇ ଆଶରଫ୍ କହିଲା, “ପୁଣି ଗୁଡ଼ାଏ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ସେଥିପାଇଁ ମନା କରିଦେଇଥିଲି । ସେୟାର୍ ଟ୍ୟାକ୍ସିରେ ଚାଲିଯିବି ।”

ଟିକିଏ ନିଶ୍ୱାସ ନେଲା ଆଶରଫ୍ । ଗୋଟେ କପ୍ ଚାହା ତା’ ହାତକୁ ବଢ଼ାଇଲେ ରଜାକ୍ । ଧନ୍ୟବାଦ୍ ଜଣାଇ ମନା କଲା ଆଶରଫ୍ । “ଆପଣଙ୍କ ନାମଟା କ’ଣ ସାର୍ ?”

“ରଜାକ୍ ।”

“ଆଚ୍ଛା ଆପଣ ତାହାହେଲେ ମୁସଲ୍‌ମାନ୍ । କ’ଣ ସାର୍, ଆପଣ ଯଦି ନିଜ ବିରାଦରି ଲୋକଙ୍କୁ ଅବିଶ୍ୱାସ କରିବେ ତାହାଲେ ଆମେ ଗରିବ ଲୋକ କ’ଣ କରିବୁ ? ତେବେ ଏଇଟା ଆପଣଙ୍କ ଡ୍ୟୁଟି, ଆପଣଙ୍କ ଦୋଷ ନାହିଁ । ନିଶ୍ଚେ କେହି ସାହି ପଡ଼ିଶା ମୋ ବିଷୟରେ କିଛି ମିଛ ଖବର ଦେଇଥିବ ।”

ସମ୍ପୂର୍ଣ୍ଣ ସିଡ଼ିକୁ ନ ଦେଖି, ଆଗକୁ ପ୍ରଥମ ପାଦ ବଢ଼ାଇବା ହେଉଛି ଭରସା । ଭରସା ହେଉଛି ବିଶ୍ୱାସ, ଯାହାକୁ ଆମେ ଦେଖିପାରୁନା, ଆଉ ସେହି ଭରସାର ପୁରସ୍କାର ହେଉଛି ଆମ ବିଶ୍ୱାସ ।

କିନ୍ତୁ ଆଜିକାଲି ଯୁଗରେ କାହା ଉପରେ କ’ଣ ଭରସା କରାଯାଇପାରେ ? ବିଶ୍ୱାସ ତ ପରର କଥା । ମନେ ମନେ ଭାବୁଥିଲେ ରଜାକ୍ ।

ନିଜ ସମ୍ପୂର୍ଣ୍ଣ ଦୁଃଖ କାହାଣୀ ଶୁଣାଇ ଦେଇଥିଲା ଆଶରଫ୍ । କେମିତି ଜମିବାଡ଼ି ବିକି ଏଜେଣ୍ଟ୍‌କୁ ପଇସା ଦେଇ ପାସପୋର୍ଟ, ଭିସା ଯୋଗାଡ଼ କରିଥିଲା ଅଧିକ ପଇସା ପାଇବା ଲୋଭରେ । ଦୁବାଇରେ ଚାକର କାମ କରୁଛି ବୋଲି ଲାଜରେ ଘର ଲୋକଙ୍କୁ କହିନି ସେ । ଗୋଟାଏ ରୁମ୍‌ରେ ପାରାଭାଡ଼ି ପରି ଆଠଜଣ ଲୋକ ରହୁଛନ୍ତି । ଗାଁକୁ ଫେରି ଆସିବାକୁ ଇଚ୍ଛା, ହେଲେ ଏଠି ଆସି କ’ଣ କରିବ ସେ ? ଘରେ ତା’ର ସ୍ତ୍ରୀ ଓ ଚାରିଟା ପିଲା ।

ମଣିଷର ଆଶା ବେଳେବେଳେ ତାକୁ ଏକ ଚକ୍ରବଳୟ ଭିତରକୁ ଟାଣନିଏ, ଯେଉଁଠୁ ଫେରିଆସିବାର ବାଟ ଆଉ ସେ ପାଉନଥାଏ ଠିକ୍ ଆଶରଫ୍ ପରି ।

ଭୋର୍ ଚାରିଟା ହୋଇଯାଇଥିଲା ଆଜି ଘରେ ପହଞ୍ଚିଲା ବେଳକୁ ସାହୁର (ସୂର୍ଯ୍ୟୋଦୟ ପୂର୍ବରୁ ଖାଇବା) କରି ହେବ ନାହିଁ । ତେଣୁ ଏୟାର୍‌ପୋର୍ଟରେ ହିଁ କିଛି ଖାଇ ନେବାକୁ ପଡ଼ିବ ବୋଲି ଭାବୁଥିଲେ ରଜାକ୍ । କ୍ଷମା ମାଗି ଆଶରଫ୍‌ଙ୍କୁ ବିଦାୟ କରିଥିଲେ ରଜାକ୍ । ସକାଳୁ ନିଜ ଡ୍ୟୁଟି ସାରି କାର୍ ବାହାର କରି ବାହାରିଲା ବେଳେ ଏୟାର୍‌ପୋର୍ଟ ବାହାରେ ପ୍ରବଳ ଭିଡ଼ । ଗାଡ଼ିଷ୍ଟାଣ୍ଡର ପିଲାଟି କହିଲା, “ଆଜି ସକାଳୁ ପରା ଟ୍ୟାକ୍ସି ଓ ଅଟୋ ବାଲାଙ୍କର ୧୨ ଘଣ୍ଟିଆ ଷ୍ଟ୍‌ରାଇକ୍ । ତେଲରେଟ୍ ବଢ଼ିବା ପ୍ରତିବାଦରେ ।”

ମନେ ମନେ ବିରକ୍ତ ହେଉଥିଲେ ରଜାକ୍ । କେତେ ହଇରାଣ ହେବେ ଆଜି ଲୋକଗୁଡ଼ାକ ? କେତେଦିନ ପରେ ଲୋକ ଗୁଡ଼ାକ ଘରକୁ ଫେରୁଥିବେ । କାହାର କ’ଣ ଏମର୍ଜେନ୍ସି ଥାଇପାରେ । ଅତି ବଦ୍ମାସ୍ ଏଇ ଟ୍ୟାକ୍ସି ଓ ଅଟୋବାଲା ଗୁଡ଼ାକ । କେରଳରେ ଏ କଥା ଅବା କେଉଁ ନୂଆ କି ? କଥା କଥାକେ ଷ୍ଟ୍ରାଇକ୍ ଓ ହରତାଳ ।

ହାତ ଦେଖାଇ ଲୋକଗୁଡ଼ାକ ଲିଫ୍ଟ ମାଗୁଥାନ୍ତି । ହଠାତ୍ ରାସ୍ତାରେ ଆଶରଫ୍‌କୁ ଦେଖି ବ୍ରେକ୍ ମାରିଲେ ରଜାକ୍ । ସେ ବି ହାତ ଦେଖାଇ ଲିଫ୍ଟ ମାଗୁଥିଲା ତାଙ୍କୁ ଚିହ୍ନି ନ ପାରି ।

“ତମେ ଏ ପର୍ଯ୍ୟନ୍ତ ଘରକୁ ଯାଇନ ?”

“କ୍ଷମା କରିବେ ସାର୍, ମୁଁ ଆଉ କାହାର ଗାଡ଼ି ବୋଲି ଭାବିଥିଲି । କାଲି ରାତିରେ ଯଦି ମୋ ଫ୍ଲାଇଟ୍ ଡେରି ହୋଇନଥାନ୍ତା, ତେବେ ଏଇ ଷ୍ଟ୍ରାଇକ୍ ଯୋଗୁଁ ମୁଁ ହଇରାଣ ହୋଇ ନ ଥାନ୍ତି । ରାତି ଭିତରେ କେରଳ ବର୍ଡର ପାରି ହୋଇ ଯାଇଥାନ୍ତି ।”

“ତମ ଜିନିଷପତ୍ର ସବୁ କେଉଁଠି ରଖିଛ ?” ପ୍ରଶ୍ନଟା ପଚାରି ରଜାକ୍ ମନେ ମନେ ଅନୁତାପ କରୁଥାନ୍ତି । ଆହା, ବିଚରା ଲୋକଟା ତାଙ୍କ ପାଇଁ ହଇରାଣ ହେଲା । ଯଦି ତା’ ଜିନିଷପତ୍ର ସେ ଚେକ୍ କରିନଥାନ୍ତେ ତେବେ ଏ ଷ୍ଟ୍ରାଇକ୍ ରେ ଫଶିନଥାନ୍ତା ଆଶରଫ୍ ।

“ଆମ ଗାଁର ଗୋଟେ ଲୋକର ଘର ଲୋକ ଗାଡ଼ି କରି ଆସିଥିଲେ । ତାଙ୍କ ଗାଡ଼ିରେ ମୋ ଜିନିଷଗୁଡ଼ାକ ପଠେଇ ଦେଇଛି । ବସ୍‌ଷ୍ଟାଣ୍ଡରୁ ମୋତେ ବସ୍ ମିଳିଯିବ । ହେଲେ ଏତିକି ବାଟ ଯିବା ଏଇନା ମୁସ୍କିଲ୍ କୌଣସି ଅଟୋ, ଟ୍ୟାକ୍ସି ଯିବାକୁ ନାରାଜ୍ ।”

“ଆସ ମୁଁ ତମକୁ ବଡ଼ ବସ୍‌ଷ୍ଟାଣ୍ଡରେ ଛାଡ଼ି ଦେବି । ସାଙ୍ଗେ ସାଙ୍ଗେ ବସ୍ ପାଇଯିବ ।”

ଟିକିଏ ଇତସ୍ତତ ହୋଇ କାର୍‌ରେ ବସିଲା ଆଶରଫ୍ । ଲୋକଟିର ବ୍ୟାଗ୍ ଚେକିଂ କରି ତାକୁ ଟିକିଏ ଅସୁବିଧାରେ ପକାଇଥିବାରୁ ନିଜକୁ ଦୋଷୀ ମଣୁଥିଲେ ରଜାକ୍ । ଲୋକଟାକୁ ଏବେ ସାହାଯ୍ୟ କରୁଥିବାରୁ ମନେ ମନେ ଖୁସି ହେଉଥିଲେ ସେ ।

“ଏତେ ପିଲାଙ୍କୁ ନେଇ ବଡ଼ ପରିବାର ଚଳାଇବାକୁ ଅସୁବିଧା ହେଉନି ?”

“ସବୁ ଆଲ୍ଲାଙ୍କ ମେହରବାନି । ସେ ଦେଇଛନ୍ତି, ସେ ହିଁ ସମ୍ଭାଳିବେ । ବର୍ଷକେ ଥରୁଟିଏ ମଣିଷ ଘରକୁ ଆସିବ । ଏଇ ମାସେ ଭିତରେ ସବୁ ସଞ୍ଚିତ ଅର୍ଥ ସରିଯିବ । ଗଲାପୂର୍ବରୁ ପୁଣି ଧାର କରିବାକୁ ପଡ଼େ । ବିଚିତ୍ର ଏ ଜୀବନ । ଆପଣଙ୍କର କେତୋଟି ପିଲା ?”

ଗୋଟେ ଦୀର୍ଘ ନିଶ୍ୱାସ ନେଇ ରଜାକ୍ ଆସ୍ତେ କରି କହିଲେ “ନା ମୋର ପିଲାପିଲି ନାହାନ୍ତି ।”

ଜୁଆରିଆ ସମୁଦ୍ରରେ ହଠାତ୍ ଭଟ୍ଟା ପଡ଼ିଗଲା ପରି ରଜାଜ୍‌ଙ୍କ କଥା ଶୁଣି ଚୁପ୍ ହୋଇଗଲା ଆଶରଫ୍ । “ଆପଣ ରୋଜା ରଖିଛନ୍ତି ?” ଆଶରଫ୍ ପଚାରୁଛି । ହଁ ରୋଜା ରଖିଛି, କହିଲେ ରଜାକ୍ ।

“ଆରେ ସାବ୍, ମନ ଖରାପ କରନି । ଏ ବୁଢ଼ା ତମକୁ କଲ୍ୟାଣ କରୁଛି । ଆରବର୍ଷକୁ ତମ ଘରକୁ ଆଲ୍ଲାଙ୍କ କୃପାରୁ ଛୁଆଟିଏ ନିଶ୍ଚୟ ଆସିବ ।” ସଚ୍ଚା ମୁସଲ୍‌ମାନଙ୍କୁ ଆଲ୍ଲା ନିଶ୍ଚୟ କୃପା କରନ୍ତି । “ଉସ୍କେ ଘରମେ ଦେର୍ ହେଁ, ମଗର ଅନ୍ଧେର ନେହିଁ ।”

ଆଶରଫ୍‌ର ସରଳତା ମୁଗ୍ଧ କଲା ରଜାଜ୍‌ଙ୍କୁ । ବସ୍‌ଷ୍ଟପ୍‌ରେ ଆଶରଫ୍‌କୁ ଛାଡ଼ିଲା ପୂର୍ବରୁ ତା’ ହାତରେ ଜବରଦସ୍ତି ହଜାରେ ଟଙ୍କା ଧରାଇ ଦେଲେ ରଜାକ୍ । ବହୁତ ମନା କରୁଥିଲା ସେ । “ଏଇଟା ତମ ପିଲାମାନଙ୍କ ପାଇଁ ଇଦ୍‌ର ଉପହାର ।” ନିଜ ହାତରେ ଧରିଥିବା ପ୍ଲାଷ୍ଟିକ୍ ବ୍ୟାଗରୁ ଗୋଟାଏ ବଡ଼ ଖଜୁରୀ କୋଳି ପ୍ୟାକେଟ୍‌ଟେ ଆଶରଫ୍ ବଢ଼ାଇ ଦେଲା ରଜାଜ୍‌ଙ୍କ ହାତକୁ ।

“ମନା କରିବେନି, ଗୋଟିଏ ଗରିବ ମଉସା ତରଫରୁ ଉପହାର । ଦୁବାଇର ସ୍ପେଶାଲ୍ ଖଜୁରୀ ।”

ମନା କରିଲେନି ରଜାକ୍ । ଲୋକଟା ଏତେ ସ୍ନେହରେ ଦେଉଛି । ହାତ ହଲାଇ ବିଦାୟ ନେଲା ପୂର୍ବରୁ ଆଶରଫ୍ କହିଲା, “ପୁଣି ନିଶ୍ଚୟ ଦେଖା ହେବ ସାର୍ ।”

ହସି ଦେଇ ଗାଡ଼ି ଷ୍ଟାର୍ଟ କଲେ ରଜାକ୍ । ଟ୍ରାଫିକ୍ ସିଗ୍ନାଲ୍‌ରେ ନାଲିବତୀ । କାର୍ ବାହାରେ ଗୋଟିଏ ଭିକାରୁଣୀ ଛୋଟ ପିଲାଟାକୁ ଧରି ହାତ ପତୋଉଛି । ସାଙ୍ଗରେ ଆଉ ଦୁଇଟା ଛୁଆ ।

“ବାବୁ କାଲିଠୁ ଛୁଆ ଗୁଡ଼ାକ ଉପାସ, କିଛି ପଇସା ଦେ’ ବାବୁ ।”

ନିଜ ପର୍ସ ଖୋଲିଲେ ରଜାକ୍ । ଏଇ ପବିତ୍ର ରମ୍‌ଜାନ୍‌ ମାସରେ କୌଣସି ଗରିବ ଲୋକଙ୍କୁ ଖାଲି ହାତରେ ଫେରାଇବା ଠିକ୍ ନୁହେଁ । ପର୍ସଟା ପୁରା ଖାଲି । ହଜାର ଟଙ୍କା ନୋଟ୍ଟା ଆଶରଫ୍‌କୁ ଦେଇଛନ୍ତି ସେ । କ’ଣ ଦେବେ ସେ ? ରାସ୍ତାରେ ଆଜି ବହୁତ ଟ୍ରାଫିକ୍ । ପାଖରେ ଥୁଆ ହୋଇଥିବା ଖଜୁରୀ କୋଳି ପ୍ୟାକେଟ୍‌ଟେ ଦେଖି ରଜାକ୍ ଦେବା ପାଇଁ କାର୍‌ର କାଚ ଖୋଲିଲେ । ଆଉ ସେହି ଖଜୁରୀ କୋଳି ପ୍ୟାକେଟ୍‌କୁ ତାକୁ ଦେଇ ସାରିବା ପରେ କାର୍ କାଚ ବନ୍ଦ କଲେ ରଜାକ୍ । ସେତେବେଳକୁ ଟ୍ରାଫିକ୍ ସିଗ୍ନାଲ୍‌ରେ ନୀଳବତୀ ହେଇସାରିଥାଏ । ରଜାକ୍ ତାଙ୍କ ଗାଡ଼ି ଷ୍ଟାର୍ଟ କରି ଘରକୁ ଆଗେଇଲେ ।

ଘର ସାମ୍ନାରେ ଗାଡ଼ି ରଖିଲା ବେଳକୁ ପଛେ ପଛେ ଦୁଇଟା ଗାଡ଼ି ଆସିରହିଲା । ସାଧା ପୋଷାକ ଧାରୀ ଲୋକଗୁଡ଼ାକ ନିଜର ପରିଚୟ ପତ୍ର ଦେଖାଇଲେ । “ସାର୍, ଆମେ ନାର୍କୋଟିକସ୍ କଣ୍ଟ୍ରୋଲ୍ ବ୍ୟୁରୋରୁ ଆସିଛୁ । ମାଦକଦ୍ରବ୍ୟ ଚୋରା କାରାବାରରେ ସମ୍ପୃକ୍ତ ଗ୍ୟାଙ୍ଗ୍ ସହିତ ଆପଣଙ୍କ ସମ୍ୱନ୍ଧ ଅଛି ବୋଲି ଅଭିଯୋଗ ଅଛି ।”

ଆକାଶରୁ ଖସି ପଡ଼ିଲେ ଯେମିତି ରଜାକ୍ । କୋଡ଼ିଏ ବର୍ଷର ନିଷ୍ଫଳଙ୍କ ଚାକିରୀ କାଳରେ ଏମିତି ଅଭିଯୋଗ ପ୍ରଥମ ତାଙ୍କ ପାଇଁ । ତାଙ୍କ ଗାଡ଼ି, ଘର ସର୍ଚ୍ଚ କରିବେ ଏ ଲୋକମାନେ । ସତରେ ଯେମିତି ସେ ଜଣେ ସ୍ମଗ୍ଲର୍ । କାନ୍ଦ ମାଡୁଥିଲା ରଜାକ୍‌ଙ୍କୁ ଅପମାନ ବୋଧରେ । “କିଛି ପ୍ରମାଣ ଅଛି, ଆପଣଙ୍କ ପାଖରେ, ରଜାକ୍ ପଚାରିଲେ ?”

ସେମାନେ ଉତ୍ତର ଦେଲେ, “ବର୍ତ୍ତମାନ ଆପଣ ଜାଣିଯିବେ । ଇନଫର୍ମରର୍ ଆମ ସାଙ୍ଗରେ ଅଛି ।”

ଆବାକାବା ହୋଇ ସବୁଆଡ଼କୁ ଅନାଇଲେ ରଜାକ୍ । ପଛ ଗାଡ଼ିରେ ଆଶରଫ୍ ବସିଛି । ସେଇ ବୁଢ଼ା ଯାହାକୁ ସେ ସକାଳେ ବସ୍‌ଷ୍ଟାଣ୍ଡରେ ଛାଡ଼ିଥିଲେ ଘଣ୍ଟାକ ଆଗରୁ । ସିଏ ଆଣିଛି ତାଙ୍କ ବିରୁଦ୍ଧରେ ଅଭିଯୋଗ । କିନ୍ତୁ କାହିଁକି ।

ସବୁଆଡ଼ ତନ୍ନତନ୍ନ କରି ଖୋଜୁଥିଲେ ସେଇ ଅଫିସର୍‌ମାନେ । ବାଧା ଦେଇନଥିଲେ ରଜାକ୍ । ଘୃଣା ଓ ଅପମାନରେ ମନେ ମନେ ଶିହରି ଯାଉଥିଲେ ବି ଆଲ୍ଲାଙ୍କ ଉପରେ ଭରସା ହରାଇ ନଥିଲେ ସେ ।

କିଛି ସନ୍ଦେହଜନକ ଜିନିଷ ମିଳିନଥିଲା ସେମାନଙ୍କୁ ରଜାଜ୍‌ଙ୍କ ଘରୁ । ତାଙ୍କୁ ଫଶାଇବା ପାଇଁ ସ୍ମଗ୍ଲର୍‌ମାନେ ଏଇ ଆଶରଫ୍‌ଙ୍କୁ ବ୍ୟବହାର କରିଛନ୍ତି ?

“ସାର୍ କେଉଁଠି ବି ଡ୍ରଗସ୍ କିମ୍ୱା ଖଜୁରୀ କୋଳି ପ୍ୟାକେଟ୍ ନାହିଁ । ଏ ଲୋକଟା ମିଛ କହୁଛି ।”

କିଛି ମିଳିଲା ନାହିଁ ବୋଲି ଦୁଇ ସାକ୍ଷୀ ଓ ରଜାଜ୍‌ଙ୍କ ଦସ୍ତଖତ ନେଇ, କ୍ଷମା ମାଗି ଫେରିଗଲେ ଅଫିସର୍‌ମାନେ ।

ଫତିମା ପଚାରିଲେ, “କେଉଁ ଖଜୁରୀ କୋଳି ପ୍ୟାକେଟ୍ କଥା କହୁଥିଲେ ସେମାନେ ?”

ସବୁ ଜଳଜଳ କରି ଦିଶିଯାଉଥିଲା ରଜାଜ୍‌ଙ୍କୁ । ଆଲ୍ଲାଙ୍କ ଉପରେ ଥିବା ବିଶ୍ୱାସ ତାଙ୍କୁ ଆଜି ବଞ୍ଚାଇ ଦେଇଛି । ଗରିବ ଲୋକଟାର ସ୍ନେହ ଉପହାର ବୋଲି ଖଜୁରୀ କୋଳି ପ୍ୟାକେଟ୍ ଗ୍ରହଣ କରିଥିଲେ ସେ ଭରସାର ସହିତ । ଟ୍ରାଫିକ୍ ସିଗ୍ନାଲ୍‌ର ସେ ଭିକାରୁଣୀକୁ ଯଦି ସେ ପ୍ୟାକେଟ୍‌ଟା ଦେଇନଥାନ୍ତେ । ତେବେ ତାଙ୍କର ଅବସ୍ଥା ଆଜି କ’ଣ ହୋଇଥାନ୍ତା କେଜାଣି ? ବୁଢ଼ୀଆଣି ଜାଲରେ ଛନ୍ଦି ହୋଇପଡ଼ିଥିବା ପତଙ୍ଗଟି ସଂଘର୍ଷ କରି ନିଜକୁ ବଞ୍ଚାଇଲା ପରି, ରଜାଜ୍‌ଙ୍କୁ ଲାଗୁଥିଲା ସେ ନୂଆ ଜୀବନ ପାଇଛନ୍ତି । ପର ମୁହୂର୍ତ୍ତରେ ତାଙ୍କର ଛୋଟପିଲାଙ୍କୁ ଧରି ଛକରେ ଠିଆ ହୋଇଥିବା ସେଇ ଭିକାରୁଣୀ କଥା ମନେ ପଡ଼ିଗଲା । ତାକୁ ଟ୍ରା ପ୍ କରିବା ପାଇଁ ଖଜୁରୀ କୋଳି ପ୍ୟାକେଟ୍ ଭିତରେ ଡ୍ରଗସ୍ ଥିଲା ନିଶ୍ଚୟ, ତେବେ ତାକୁ ସେଇ ପିଲାଗୁଡ଼ାକ ଖାଇନଥିବେ ତ ? କାର୍ ଷ୍ଟାର୍ଟ କରି ରଜାକ୍ ଆଗେଇଲେ ସେଇ ଛକ ଆଡ଼କୁ, ଯେଉଁଠି ଠିଆ ହୋଇଥିଲା ସେଇ ଭିକାରୁଣୀଟା ।

ଲୋକପ୍ରିୟ ଲେଖା

To Top