ଗଳ୍ପ

ବ୍ୟର୍ଥ ଜୀବନ

ରୀନା ଅନ୍ତସତ୍ତ୍ୱା ଥିଲା । ବେଶି ଆଶ୍ଚର୍ଯ୍ୟ ହେଲା ବିନୟ । ଏମିତି କେମିତି ହେଲା । ଦିନେ ବି ରୀନା ସହ ଦୈହିକ ସମ୍ପର୍କ ନଥିଲା । ସେଥିରେ ସେ ଅନ୍ତସତ୍ତ୍ୱା ।

ବ୍ୟର୍ଥ ଜୀବନ

-: ପୁର୍ବରୁ :-

ସବ୍‌ଇନିସ୍ପେକ୍ଟର୍‌ ମହୋଦୟ ବିନୟ ଏବଂ ବନ୍ଧୁମାନଙ୍କ ପାଖରେ ଅଟକି ଯାଇ ପଚାରିଲେ- “ବିନୟ ବାବୁ କିଏ ?” ବିନୟ ଧୀରସ୍ଥିର ଭାବେ ଉତ୍ତର ଦେଲେ, “ମୁଁ, ଏବଂ ମୋ ସହ କ’ଣ ଦରକାର ।” ସବ୍‌ଇନିସ୍ପେକ୍ଟର୍‌ ମହୋଦୟ କିଛି ଅଧିକ ନ କହି ବିନୟକୁ କଡ଼ା ପିନ୍ଧାଇ ଥାନାକୁ ଯିବାକୁ କହିଲେ । କଥା କ’ଣ ? କାହିଁକି ବିନୟ ଥାନାକୁ ଯିବ ଯେତେ ପଚାରିଲେ ମଧ୍ୟ ପୋଲିସ୍ ବାବୁ ମହୋଦୟ କହିଲେ- “ଥାନାରେ କୁହାଯିବ ।” ବିନୟ ଥାନାବାବୁଙ୍କୁ ସମ୍ମାନ ଜଣାଇ ତାଙ୍କ ସହିତ ଥାନାକୁ ଗଲେ । ତାଙ୍କ ପଛେ ପଛେ ତାଙ୍କର ବନ୍ଧୁମାନେ ଯେଉଁମାନେ ବିନୟଙ୍କ ବାହାଘର ପାଇଁ ଉପସ୍ଥିତ ଥାଇ ରୀନାର ଆଗମନକୁ ଅପେକ୍ଷା କରିଥିଲେ । ଥାନା ବଡ଼ବାବୁ ବିନୟକୁ ଜଣାଇଲେ- “ରୀନା ଆତ୍ମହତ୍ୟା କରିଛି । ଦେହରୁ ଜଣାପଡ଼ିଲା ଆପଣଙ୍କର ସେ ଝିଅ ସହିତ ସମ୍ପର୍କ ଥିଲା । ରୀନାର ମୃତ ଶରୀର ମଇନା ତଦନ୍ତ ଅର୍ଥାତ୍ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟକୁ ଅପେକ୍ଷା ।” ବିନୟ ଆଖିରୁ ଝରିଲା ଲୁହର ଧାର । ସେ କିଛି ବୁଝିପାରୁ ନଥିଲା ଆତ୍ମହତ୍ୟାର କାରଣ । ଆଜି ରୀନା ତାଙ୍କର ପତ୍ନୀ ହୋଇଥାନ୍ତା । ଏମିତି ହେଲା କାହିଁକି । ବଡ଼ବାବୁଙ୍କୁ ଲୁହ ଭରା ଆଖିରେ ବିନୟ କହିଲା- “ସାର୍ ! ମୁଁ ଆଦୌ କିଛି ଜାଣେନି । ଆଜି ସେ ମୋର ପତ୍ନୀ ହୋଇଥାନ୍ତା । ସବୁ ଅର୍ଥାତ୍ ବେଦୀ ପ୍ରସ୍ତୁତ ହୋଇଛି, ବ୍ରାହ୍ମଣ ଓ ବାରିକ ଆସିଛନ୍ତି, ରୀନା ଆସିଥିଲେ ହାତଗଣ୍ଠି ପଡ଼ିଥାନ୍ତା । ଆମେ ଦୁନିଆଁରେ ପତି ଓ ପତ୍ନୀଭାବେ ପରିଚିତ ହୋଇଥାନ୍ତୁ । ମୋ ଜୀବନର ସବୁ ଯେମିତି ଶେଷ ହୋଇଗଲା ।” ଥାନା ବଡ଼ବାବୁ ବିନୟ ବ୍ୟବହାରରେ କେମିତି ବିଶ୍ୱାସ କଲା ଭଳି ମନେ ହେଲା । ବିନୟଠାରୁ ସେ ଅଧ୍ୟାପକ ଥିବାର ଜାଣି ଗୋଟାଏ ଚୌକି ଦେଲେ ବସିବାକୁ; କିନ୍ତୁ ହାତକଡ଼ା ବିନୟ ହାତରେ ରହିଥାଏ । ବିନୟ ବନ୍ଧୁମାନେ କିଛି ସମୟ ପରେ ଫେରିଯାଇଥିଲେ ନିଜ ନିଜ ଘରକୁ । ବିନୟ ଘର ପାଖରେ ବେଦୀ ସେମିତି ପଡ଼ିରହିଥାଏ । ବ୍ରାହ୍ମଣ ଫେରିଯାଇଥିଲେ ବୋଧହୁଏ ଅନ୍ୟ ବୈବାହିକ କାର୍ଯ୍ୟରେ ଯୋଗ ଦେବା ପାଇଁ । ବିନୟ ଘର ଦୁଆର ମୁହଁ କବାଟରେ ଗୋଟାଏ ଛୋଟ ତାଲା ପବନରେ ବାଡ଼େଇ ହେଉଥାଏ । ବେଦୀ ଉପରେ ସଜଡ଼ା ଜିନିଷମାନ ପବନରେ ଉଡ଼ି ବେଦୀର ଚାରିପାଖରେ ପଡ଼ି ରହିଥିଲା । ସାଜସଜ୍ଜା ସବୁ ଛିଣ୍ଡି ପଡ଼ିଥିଲା । ସବୁ ଯେମିତି ନିସ୍ତବ୍ଦ ।

ମଇନା ତଦନ୍ତର ରିପୋର୍ଟ ଆସିଲା । ବଡ଼ବାବୁ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ । ରୀନା ଅନ୍ତସତ୍ତ୍ୱା ଥିଲା । ବେଶି ଆଶ୍ଚର୍ଯ୍ୟ ହେଲା ବିନୟ । ଏମିତି କେମିତି ହେଲା । ଦିନେ ବି ରୀନା ସହ ଦୈହିକ ସମ୍ପର୍କ ନଥିଲା । ସେଥିରେ ସେ ଅନ୍ତସତ୍ତ୍ୱା । ଏହା ସମ୍ଭବ ଲାଗୁ ନଥିଲା ବିନୟକୁ । ଆହୁରି ଆଶ୍ଚର୍ଯ୍ୟ କଥା ରୀନା ଆତ୍ମହତ୍ୟା ସମୟେ ମଦ୍ୟପାନ କରିଥିଲା । ରୀନା ଯେ ମଦ୍ୟପାନ କରେ ବିନୟ ଘୃଣାକ୍ଷରେ ଜାଣିନଥିଲା ବା ଆଜି ପର୍ଯ୍ୟନ୍ତ ଜାଣିନାହିଁ । କ’ଣ ହୋଇପାରେ ତାହା ହିଁ ଗଭୀରଭାବେ ଚିନ୍ତା କରୁଥାଏ ବିନୟ । ସବୁ ଚିନ୍ତାର ଅବସାନ ଘଟାଇ ଥାନା ବଡ଼ବାବୁ କହିଲେ- “ଯେ ପର୍ଯ୍ୟନ୍ତ ଅନ୍ୟ କିଛି ଉପାୟ ନାହିଁ ଆପଣଙ୍କୁ ଥାନା ହାଜତରେ ରହିବାକୁ ପଡ଼ିବ ।” ବିନୟ ମୁହଁ ଲଜ୍ଜାରେ ତଳକୁ ହେଇଗଲା । ଦୁଃଖରେ ଆଖିରୁ ଝରି ଚାଲିଲା ଲୁହର ଧାର । ମନରେ ଆସିଲା ସତେ କ’ଣ ରୀନାର ମୃତ୍ୟୁ ପାଇଁ ସେ ଦାୟୀ । ରୀନା ସହ ଚିହ୍ନା ହେଲାଦିନୁ ଆଜି ପର୍ଯ୍ୟନ୍ତ କଥାବାର୍ତ୍ତା ହେବା ଛଡ଼ା ଅନ୍ୟ କିଛି ସମ୍ପର୍କ ନ ଥିଲା କି ନାହିଁ ।

ମନେ ପଡ଼ିଲା ବାପା ଏବଂ ମା’ଙ୍କ କଥା । ସେମାନେ ଚାହିଁ ନଥିଲେ ରୀନା ସହ ତାଙ୍କର ବିବାହ ହେଉ । ଚାହିଁ ନଥିଲେ ଠିକ୍ ଆତ୍ମ ପରିଚୟ ନ ଥିବା ଝିଅ ସେମାନଙ୍କର ବୋହୂ ହେଉ ବୋଲି । ସେମାନେ ବିନୟକୁ ବହୁ ଅନୁରୋଧ କରିଛନ୍ତି ରୀନାକୁ ପତ୍ନୀ ରୂପେ ଗ୍ରହଣ କରିବାକୁ ସ୍ଥିର କରିଥିଲେ । ତାଙ୍କ ମନରେ ହେଲା ଗୁରୁଜନମାନଙ୍କ କଥା ଅମାନ୍ୟ କଲେ ହୁଏତ ଆଜି ପରି ଦଣ୍ଡ ଭୋଗ କରିବାକୁ ପଡ଼ିଥାଏ । ମଳୟ ପବନ ଓ ଚନ୍ଦ୍ର କିରଣର ଶିହରଣ ଏବଂ ସୋରିଷ ଫୁଲ ଓ କାଶତଣ୍ଡୀର ଦୃଶ୍ୟ ମନରୁ ଲିଭିଯାଇଥିଲା । ସେ ସରସତା ଏଇ ଜେଲ୍ ହାଜତ୍ କୋଠରୀରେ ନିଷ୍ପେସିତ ହୋଇଗଲା । କେବଳ ରହିଗଲା ଆଖି ଲୁହର ଝରଣା । ଯେମିତି ସେ ଲୁହର ଶେଷ ନାହିଁ । ସତେ ଯେମିତି ମଣିଷ ଗୋଟାଏ କାଗଜ ଡଙ୍ଗା । କେଉଁଠୁ ଭାସି ଆସି କେଉଁ ଏକ ଘାଟରେ ଲାଗିଥିଲା । ନଦୀର ପ୍ରଖର ସୁଅରେ ଏ ଘାଟ ଛାଡ଼ି ଆଗକୁ ଆଗକୁ ଗତି କରି କେଉଁଠି ହୁଏତ ବୁଡ଼ିଯିବ । ଆଉ ସେ ଡଙ୍ଗାକୁ ଉଧାର କରିବା ହୁଏତ ସମ୍ଭବ ନୁହେଁ । ଏବେ ବିନୟଙ୍କ ଚେତନା ଆସିଲା ବେଳକୁ ସବୁ ଶେଷ ହୋଇଯାଇଛି । ଜୀବନର ସବୁ ସୁଖ ମଉଳି ଯାଇଛି । ତାଙ୍କର ଘରକୁ ଯିବାର ରାସ୍ତା ବନ୍ଦ ହୋଇ ଯାଇଛି । ଆଉ ଏଠାରେ ରଖିବାର ଆଶା ମଧ୍ୟ ଶେଷ । ଆଉ ରହିବାର ସ୍ଥାନ ଏଇ ହାଜତ କୋଠରୀ । କେବେ ଏଠାରୁ ମୁକ୍ତ ହେବ ଜଣା ନାହିଁ । ବିନୟଙ୍କର ଚାକିରୀ ବୋଧହୁଏ ରହିବ ନାହିଁ । ତା’ପରେ. . . ।

ପୋଲିସ୍ ରୀନା କୋଠରୀରୁ ବହୁଦିନ ପରେ ଆତ୍ମହତ୍ୟାର ନୋଟ୍ ଆବିଷ୍କାର କଲେ । ସେଥିରେ ଲେଖାଥିଲା- “ମୋ ଆତ୍ମହତ୍ୟା ପାଇଁ ବିନୟ ଦାୟୀ ନୁହନ୍ତି । ତାଙ୍କୁ ଦୋଷୀ ସାବ୍ୟସ୍ତ କରାନଯାଉ । ମୁଁ ମୋ ଆଡୁ ଭଲ ପାଇବାର ଛଳନା କରି ବିବାହ କରିବାର ପ୍ରସ୍ତାବ ଦେଇଥିଲି ଏବଂ ସେହି ଅନୁସାରେ ବିବାହର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ମୋର ବିବେକ ବାଧା ଦେଲା । ଜଣେ ନିରୀହ ବ୍ୟକ୍ତିତ୍ୱର ଜୀବନକୁ ନେଇ ଖେଳ ଖେଳିବା ଆଦୌ ଠିକ୍ ନୁହେଁ । ତାଙ୍କ ସହ ବିବାହ ସ୍ଥିର କଲାବେଳେ ମୁଁ ଥିଲି ଅନ୍ତଃସତ୍ତ୍ୱା । ଅନ୍ୟର ପାପକୁ ବିନୟ ମୁଣ୍ଡରେ ଲଦି ଦେବା ଉଚିତ୍ ନୁହେଁ । ଏଣୁ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା କଲି; କିନ୍ତୁ ବିନୟ ପରି ଜଣେ ସରଳ ଅମାୟିକ ବ୍ୟକ୍ତିର କୌଣସି ଦୋଷ ନାହିଁ ।” ସୁଇସାଇଡ଼ାଲ୍ ନୋଟ୍‌କୁ ବହୁ ପରୀକ୍ଷା ନିରୀକ୍ଷା କରି ବିନୟକୁ ଦୋଷମୁକ୍ତ କଲେ ପୋଲିସ୍‌ବାବୁ ।

ବିନୟ ପୋଲିସ୍ ହାଜତରୁ ମୁକ୍ତ ହୋଇ ଫେରୁଥିଲେ ତାଙ୍କ ବସା ଘରକୁ । ଆସିଲାବେଳେ କେତେ ବନ୍ଧୁଙ୍କ ସହ ଦେଖାହେଲା । ସେମାନେ ବିନୟ ମୁହଁକୁ ଚାହିଁବାକୁ ଇଚ୍ଛା ନ କରି ଅନ୍ୟ ଆଡ଼କୁ ମୁହଁ ବୁଲାଇ ଚାଲିଯାଇଥିଲେ । ବିନୟ ଯେ ଜଣେ ଦୋଷୀ ଏବଂ ରୀନାର ଆତ୍ମହତ୍ୟା ପାଇଁ ଦାୟୀ ଏ ଚିନ୍ତା ବା ଭାବନା ସେମାନଙ୍କ ମନରେ ରହିଯାଇଥିଲା । ବିନୟ ଜଣେ ହତ୍ୟାକାରୀ ବୋଲି ବଦ୍ଧ ଧାରଣା ଥିଲା । ବିନୟ ସେମାନଙ୍କୁ କେମିତି ବୁଝାଇବ ସେ ହତ୍ୟାକାରୀ ନୁହେଁ କିମ୍ୱା ରୀନା ତାଙ୍କ ପାଇଁ ଆତ୍ମହତ୍ୟା କରିନି ।

ବିନୟ ନେଇଥିବା ଘର ତାଙ୍କ ପାଇଁ ଅପେକ୍ଷା କରିନଥିଲା । ତେଣୁ ବର୍ତ୍ତମାନର ଘର ନେଇ ରହିଛି । ଚାକିରୀ ବିନୟର କେମିତି ନ ଯାଇ ରହିଥିଲା । ବିନୟ ଚାକିରୀରେ ପୁଣି ଯୋଗ ଦେଲେ, କିନ୍ତୁ ପାଠ ପଢ଼ାଇଲାବେଳେ ପିଲାଙ୍କ ମୁହଁକୁ ଚାହିଁପାରୁ ନଥିଲେ । ବନ୍ଧୁ ଅଧ୍ୟାପକଙ୍କ ସହ ଠିକ୍ ଭାବେ ମିଶିପାରୁ ନଥିଲେ । ସେ ବହୁଦିନ ଏକା ଏକା ଚଳିବାକୁ ପଡ଼ିଲା । ତାଙ୍କ କ୍ଲାସ୍ ନେଇ ଯଦି ଆବଶ୍ୟକ ଥାଏ ଲାଇବ୍ରେରୀ ବହି ନେଇ ସିଧା ସିଧା ନିଜ ଘରକୁ । ପଦିଏ କଥା ସାଙ୍ଗ ଅଧ୍ୟାପକମାନଙ୍କ ସହ ହୁଅନ୍ତିନାହିଁ । ସମସ୍ତେ ନିଜର ଥିଲେ ମଧ୍ୟ ବର୍ତ୍ତମାନ ପର । ଏକା ଏକା ଏ ଜୀବନ ବିତେଇବା ଅସମ୍ଭବ ବୋଧ ହେଲା ବିନୟଙ୍କୁ । ତାଙ୍କ ନାଁରେ ଉଠିଥିଲା ହତ୍ୟାକାରୀ, ଦୋଷୀ, କିଛିଦିନ ପରେ କୁଆଡ଼େ ଲୁଚିଯିବ ନିଶ୍ଚୟ । ବନ୍ଧୁ ଏବଂ ସାଧାରଣ ବ୍ୟକ୍ତିମାନଙ୍କ ମନରୁ ପାଶୋରିଯିବ ରୀନାର ଆତ୍ମହତ୍ୟା କଥା । ସମାଜରେ ପୁଣି ଫେରିଆସିବ ବିନୟଙ୍କ ସମ୍ମାନ । ସବୁ ନୂଆ ଭାବରେ ଗଢ଼ି ଉଠିବ ବିନୟଙ୍କ ଜୀବନ । ପୁନଶ୍ଚ ତାଙ୍କ ଜୀବନରେ ମଳୟର ସୁବାସ ଭରିଯିବ । କୃଷ୍ଣଚୂଡ଼ାର ସୌନ୍ଦର୍ଯ୍ୟ ମନକୁ ନିଶ୍ଚୟ ପୁଲକିତ କରିବ ।

ଡ୍ର’ରୁ ପ୍ୟାଡ଼ଟା ବାହାର କଲେ । ଝରକାର ଆକାଶକୁ ଚାହିଁଲେ । ବର୍ଷା ପୁରା ବନ୍ଦ ହୋଇ ନଥିଲେ ମଧ୍ୟ ବହୁ କମି ଯାଇଛି । ଆରମ୍ଭ କଲେ ଚିଠି-

ପୂଜନୀୟ ବାପା,

ମୋର ପ୍ରଣାମ ଗ୍ରହଣ କରିବେ । ବୋଉକୁ ଭୂମିଷ୍ଠ ପ୍ରଣାମ । ଆପଣଙ୍କୁ ଏ ଚିଠି ଲେଖିବାର ସାହାସ ମୋ ନାହିଁ । ଆପଣଙ୍କୁ ଏବଂ ବୋଉକୁ ଯେତେ ଅପମାନିତ କରିଛି ସେଥିରେ ଆପମମାନଙ୍କୁ କ୍ଷମା ମଧ୍ୟ ମାଗିବାର ଅଧିକାର ଟିକକ ହରେଇ ବସିଛି । ଆପଣମାନେ ପଢ଼ିଥିବେ । ମୁଁ ଯେ ନିର୍ଦ୍ଦୋଷ ତାହା କିଛିଦିନ ପରେ ପ୍ରମାଣିତ ହେଲା । ମୁଁ ଜେଲ୍‌ରୁ ଖଲାସ ହୋଇ ପୁଣି ସେହି ଅଧ୍ୟାପକ ଚାକିରୀରେ ଯୋଗ ଦେଇଛି ।

ମୋତେ ଆପଣମାନେ ଦୟା କରି କ୍ଷମା କରନ୍ତୁ ଏବଂ ଆସନ୍ତା ତିଥିରେ ଆପଣ ସ୍ଥିର କରିଥିଲା ଝିଅ ସହିତ ବିବାହ ମୋର ସ୍ଥିର କରନ୍ତୁ । ମୁଁ ଆପଣଙ୍କ କଥାରେ ସମ୍ପୂର୍ଣ୍ଣ ସହମତ । ମୋର ମନେଅଛି ଆପଣ ସୀମା ସହ ବାହା କରିବେ ବୋଲି ସ୍ଥିର କରି ମୋତେ ଜଣାଇଥିଲେ । ସୀମା ଆମ ଗାଁ ପାଖ ଝିଅ । ମୋର ଅତୀତ ବ୍ୟବହାର ପାଇଁ ମୋତେ ଆପଣମାନେ ନିଶ୍ଚୟ କ୍ଷମା କରିବେ ।

।। ଇତି ।।
ଆପଣଙ୍କର ବିନୟ

ଚିଠିଟି ଲଫାପାରେ ବନ୍ଦ କରି ବାପାଙ୍କ ଠିକଣା ଲେଖି ସେହି ଅଳ୍ପ ବର୍ଷାରେ ଭିଜି ଭିଜି ପାଖ ଡାକଘରେ ପକାଇ ଫେରିଲେ । ବିଛଣାରେ ଗଡ଼ିପଡ଼ି ଭାବିଲେ ଏଥର ସାଙ୍ଗସାଥିଙ୍କ ଆବଶ୍ୟକତା ନାହିଁ । କାହାକୁ ନିମନ୍ତ୍ରଣ କରିବିନାହିଁ । ଆଗଥରର ଲଜ୍ଜା, ନିର୍ଯାତନା ଭୁଲିପାରିବା ମୋ ପକ୍ଷରେ ଅସମ୍ଭବ । ଏଥର ବାହାଘରରେ ଅଳ୍ପ ଛୁଟି ନେବି । କଲେଜ୍‌ରେ ପିଲାମାନଙ୍କ ପରୀକ୍ଷା । ଗବେଷଣା କାମ ତ ବହୁତ ବାଧାପ୍ରାପ୍ତ ହେଲାଣି । ଆଉ ବାଧା ନ ହେବା ଉଚିତ୍ । ଜୀବନଟାକୁ ସରସ ସୁନ୍ଦର କରି ଗଢ଼ିବାକୁ ଚେଷ୍ଟା କରିବି । ମୋ ଚିଠି ପାଇ ବାପା ବୋଉ ସେମାନଙ୍କ ଅପମାନ ନିଶ୍ଚୟ ଭୁଲିଯିବେ । ମୋର ଦୋଷ କ୍ଷମା କରିଦେବେ ।

ନିର୍ଦ୍ଦିଷ୍ଟ ତିଥି ତଥା ତାରିଖରେ ବିନୟ ତାଙ୍କ ଗାଁକୁ ଗଲେ । ବର୍ଷାର ପ୍ରଭାବରେ ଗାଁ ରାସ୍ତାରେ ଯିବା ନିଶ୍ଚୟ କଷ୍ଟସାଧ୍ୟ । ସେହି କଷ୍ଟସାଧ୍ୟ ରାସ୍ତାରେ ଯାଇ ଗାଁରେ ପହଞ୍ଚିଲେ ବିନୟ । ଏ କ’ଣ ଦେଖୁଛନ୍ତି । ବାହାଘର ପାଇଁ କିଛି ବ୍ୟବସ୍ଥା ନାହିଁ । ଘର ତାଙ୍କର ସାଜସଜ୍ଜା ହେଉନି । ବାହାଘର ପାଇଁ କିଛି ବ୍ୟବସ୍ଥା ନାହିଁ । କିଛି ବୁଝି ନ ବୁଝିଲା ଭଳି ଘର ଦୁଆର ମୁହଁ କବାଟରେ ହାତ ମାରିଲେ । କବାଟ ଖୋଲି ବାପା ଏବଂ ବୋଉ ବାହାରି ଆସିଲେ । ବିନୟ ଦୋଷୀଟି ଭଳି ତଳକୁ ମୁହଁ କରି ଠିଆ ହୋଇ ରହିଥିଲେ । ଭାବୁଥିଲେ ବାପା ଏବଂ ବୋଉ ନିଶ୍ଚୟ ତାଙ୍କ କୃତକର୍ମ ପାଇଁ କିଛି କହିବେ । ଆଶ୍ଚର୍ଯ୍ୟ କେହି ବି କିଛି କହିନଥିଲେ ତାଙ୍କ ମନକୁ ଆଘାତ ଦେଲା ଭଳି । ଘର ଭିତରକୁ ଆସିବାକୁ କହିଲେ ବିନୟଙ୍କୁ । ବିନୟ ସୁନାପିଲାଙ୍କ ଭଳି ଘର ଭିତରକୁ ଗଲେ । ବାପା ତାଙ୍କର କହିଲେ- “ତୁ କ’ଣ ଭାବୁଛୁ ତୋର କୃତକର୍ମ କଥା ଶୁଣି ସୀମାର ବାପା ମା’ ତୋ ପାଇଁ ଅପେକ୍ଷା କରିଥାନ୍ତେ । ସୀମା ଏହା ଭିତରେ ବାହାହେଇ ଯାଇଛି । ଯଦି କହିବୁ ଆମେ ଅନ୍ୟ ଝିଅ ବୁଝିବୁ । ହେଲେ ତୋତେ ଝିଅଟିଏ ମିଳିବା କଷ୍ଟସାଧ୍ୟ । କାରଣ ତୋର ଅତୀତ ବିଷୟ ପ୍ରାୟ ସମସ୍ତେ ଭଲ ଭାବେ ଜାଣନ୍ତି ।” ବିନୟ ସ୍ତମ୍ୱିତ ହେଲେ । କ’ଣ କରିବେ । ମୁଣ୍ଡରେ ଯନ୍ତ୍ରଣା । ଘରେ ଆଉ ରହିବେ କ’ଣ ? ଚାଲିଆସିଲେ ରାସ୍ତା ଉପରକୁ । ଧୀରେ ଧୀରେ ଗୋଟିଏ ପାଦ ବଢ଼ାଇଲେ ଆଗକୁ ଆଗକୁ । ଭାବୁଥିଲେ ଏ ଜୀବନ ତାଙ୍କର ବ୍ୟର୍ଥ ହୋଇଛି । ଏ ବ୍ୟର୍ଥ ଜୀବନ ନେଇ କେତେଦିନ ଏ ସଂସାରରେ କାହିଁକି ଏବଂ କ’ଣ ପାଇଁ ଏ ଜୀବନ । ବାପା ଏବଂ ବୋଉ ଘର ପିଣ୍ଡା ଉପରୁ ଚାହିଁଥିଲେ ବିନୟର ଫେରନ୍ତା ପଥକୁ । ସେମାନଙ୍କ ପାଟିରୁ ପଦଟିଏ ଶବ୍ଦ ବି ବାହାରୁ ନ ଥିଲା ।

ଲୋକପ୍ରିୟ ଲେଖା

To Top