ଗଳ୍ପ

ଚାକିରିଆ ବୋହୂ

Shreebatsa Prasad Nath's odia story Chakiria Bohu

ଆଲୋ ମାଆ ! ଯେଉଁ ଘରେ ଏତେ ଅଭାବ ଅନଟନ ରହିଛି, ଯାହାକି ସେ ଘରର କୂଳବଧୂ ଆଜି ସହରର ଜନାକୀର୍ଣ୍ଣ ରାଜରାସ୍ତାରେ ଯାଇ ଚାକିରୀ ନ କଲେ ଅର୍ଥାତ୍ ପଇସା ରୋଜଗାର କରି ନ ଆଣିଲେ ତାହାର ସମାଧାନ ହୋଇ ପାରୁ ନାହିଁ ।

ଚାକିରିଆ ବୋହୂ

ଋତୁରାଜଙ୍କ ଆଗମନରେ ଧରଣୀରାଣୀ ହୋଇଛି ଉତ୍‌ଫୁଲ୍ଲିତ । ଚାରିଆଡ଼େ ଫୁଲ ଶେଯ ବିଛାଇ ସେ ଅପେକ୍ଷା କରିବସିଛି ବସନ୍ତକୁ ବହୁଦିନର ପ୍ରତୀକ୍ଷିତ ପିପାସିତ ହୃଦୟ ଘେନି । ମଳୟ ବହେ, କୋଇଲି ଗାଁ, ଫୁଲର ମହକରେ ସତେ ଯେମିତି ସାରା ସଂସାର ହସିଉଠୁଛି । ତା’ ସାଙ୍ଗକୁ ଜୀବଜଗତଙ୍କ ହୃଦୟରେ ଦେଖାଦେଇଛି ପ୍ରଣୟର ଅନ୍ତିମ ପରିଣତି ମିଳନର ଆକାଂକ୍ଷା । ମନେହୁଏ ମର୍ତ୍ତ୍ୟଭୂମି ଯେପରି ସ୍ୱର୍ଗରାଜ୍ୟରେ ପରିଣତ ହେବାକୁ ଯାଉଛି ।

ଠିକ୍ ଏତିକିବେଳର ଗୋଟିଏ ଘଟଣା । କଥାଟି ଗପ ହେଲେ ବି ସତ । ଆଉ ଅଳ୍ପ କେଇଟା ଦିନ ରହିଲା ପୁଅ ବାହାଘର । ମଧୁମିତାଙ୍କ ଗୋଡ଼ ତଳେ ଲାଗୁ ନାହିଁ । ସବୁ ବ୍ୟବସ୍ଥା ତାକୁ କରିବାକୁ ପଡ଼ିବ । ଘରେ କିଏ ଛ’ଟା ନା ନ’ଟା ଅଛି କାମ ତୁଲାଇ ନେବ । ଗୋଟିଏ ବୋଲି ପୁଅ ପ୍ରମୋଦ । ସେ ପୁଣି ଭୁବନେଶ୍ୱରରେ କୌଣସି ବିଦେଶୀ କମ୍ପାନୀରେ ଇଞ୍ଜିନିୟର୍ ହିସାବରେ ଚାକିରୀ କରେ ।

ବୋହୂ ଖୋଜିବାରେ ଏତେକାଳ ବିତିଗଲା । ନଚେତ୍ କେଉଁଦିନୁ ଶୁଭକର୍ମ ସରନ୍ତାଣି । ବାପା ତା’ର ଭ୍ରମରବାବୁ ଅତି ଅବୁଝା । ଅବସର ପ୍ରାପ୍ତ ପୋଲିସ ବିଭାଗ ଏସ୍.ପି. ନା, ସେଇଥିପାଇଁ ସେ ପୁରୁଣା ଆଇନ୍ କାନୁନ୍ ଧରି ବସିଛନ୍ତି । ଝିଅ ଅତି ଉଚ୍ଚ ଶିକ୍ଷିତା ହୋଇଥିବ । ପୁଅ ସହିତ ଜାତକ ପଡୁଥିବ । ରୂପଗୁଣ ପରିପୂର୍ଣ୍ଣ ହୋଇଥିବ । ଆଉ ଚାକିରୀ କରି ନଥିବ । ଯେବେ କରିଥାଏ, ତେବେ ତାକୁ ବିବାହ ପୂର୍ବରୁ ନିଶ୍ଚୟ ଚାକିରୀ ଛାଡ଼ିବାକୁ ପଡ଼ିବ । ଏହିପରି କେତୋଟି କଥାକୁ ଜିଦ୍‌ଧରି ବସିଛନ୍ତି । ବର୍ତ୍ତମାନ ଯୁଗରେ ଏମିତିକା ଝିଅ, ପୁଣି ସବୁ ବିଷୟରେ ତାଙ୍କର ମନମାନିଲା ଭଳି ଝିଅ ମିଳୁଛି କେଉଁଠି ?

ତେବେ ବହୁତ ଜାଗା ଦେଖା ଦେଖି କରିବା ପରେ ଭୁବନେଶ୍ୱର ସହରରେ ବାପା ଜଣେ ଇଞ୍ଜିନିୟର ଥିବା ଝିଅଟିଏ ମନୋନୀତ ହେଲା । ସବୁ କଥାରେ ଭ୍ରମରବାବୁଙ୍କ ମନ ମାନିଲେ କ’ଣ ହେବ, ଗୋଟିଏ କଥାରେ ଟିକିଏ ଅଡୁଆ ରହିଗଲା । ତାହା ହେଉଛି- ଝିଅ ଅଧ୍ୟାପିକା ଚାକିରୀ କରିଛି ରାଜଧାନୀ କଲେଜରେ । ତେବେ ଝିଅର ବାପା ପ୍ରତିଶ୍ରୁତି ଦେଇଛନ୍ତି ବିବାହ ନିର୍ବନ୍ଧ ହେବା ଦିନେ କିମ୍ୱା ଦୁଇଦିନ ପୂର୍ବରୁ ଝିଅ ଚାକିରୀରୁ ଇସ୍ତଫା ଦେବ । ଭ୍ରମରବାବୁ ପୂର୍ବରୁ ପୁଅର ମଧ୍ୟ ସହମତି ନେଇଛନ୍ତି ଏ ସମ୍ପର୍କରେ । ତେଉଁ ଆଉ କିଛି ବାଧାବିଘ୍ନ ନାହିଁ । ଏଣିକି ସେଇଠାରେ ହିଁ ପୁଅ ବାହାଘର ହେବା ନିଶ୍ଚିତ ।

ଭ୍ରମରବାବୁଙ୍କ ଭୁବନେଶ୍ୱରରେ ତିନିମହଲା ବିରାଟ କୋଠାବାଡ଼ି ଥିଲେ ସୁଦ୍ଧା ସେଠାରେ ଅବିବାହିତ ପୁଅ ପ୍ରମୋଦ ଉପରମହଲାରେ ରହୁଥିଲା । ଆଉ ଘରସବୁ ଭଡ଼ାରେ ଦିଆଯାଇଥିଲା । ଚାକିରୀରୁ ଅବସର ନେବା ପରେ ସେ ସପତ୍ନୀ ଗାଁରେ ରହୁଥିଲେ । କାରଣ ଗାଁ ମାଟି ଓ ଗାଁ ପରିବେଶ ତାଙ୍କୁ ଭାରି ଭଲ ଲାଗେ । ସେଥିପାଇଁ ସେ ଭାବିଥିଲେ ଶେଷ ଜୀବନ ନିଜ ଜନ୍ମିତ ଗ୍ରାମରେ ହିଁ କଟାଇ ଦେବେ । ସେଥି ଯୋଗୁଁ ପୁଅର ବିବାହକର୍ମ ଗାଁରେ କରିବା ତାଙ୍କର ଇଚ୍ଛା । ତାହା ହିଁ ହୋଇଛି ।

ଏହା ଭିତରେ ଖୁବ୍ ଧୁମ୍‌ଧାମ୍‌ରେ ପୁଅ ବାହାଘର ସରିଯାଇଛି । ଘରକୁ ବୋହୂ ଆସିଲା । ବୋହୂଟି ଯେପରି ଗୋଟିଏ ଚାଉଳରେ ଗଢ଼ା । ରୂପ ଯେମିତି ଗୁଣ ବି ସେମିତି । ଭ୍ରମରବାବୁ ଓ ପତ୍ନୀ ମଧୁମିତା ଭାରିଖୁସି । ସଂସାର ତାଙ୍କର ହସି ଉଠୁଛି ଯେମନ୍ତେ । ବିବାହ ପରେ ବୋହୂ ଗାଁରେ ରହିଲା ଶାଶୁଶ୍ୱଶୁରଙ୍କ ପାଖରେ । ପୁଅ ଗଲା ଚାକିରୀକୁ । ଶନିବାର କିମ୍ୱା ରବିବାର ହେଲେ ଘରକୁ ଆସେ । ପ୍ରାୟ ଗୋଟିଏ ମାସ ଏହିପରି ବିତିବା ପରେ- ତା’ ଖାଇବା ପିଇବାରେ ଅସୁବିଧା ହେଉଥିବ । ତେଣୁ ପୁଅ ପ୍ରମୋଦ ସାଙ୍ଗରେ ବୋହୂ ପ୍ରତିମା ଭୁବନେଶ୍ୱର ଯାଉ । ସେଠାରେ ତ ଆମର ନିଜ ଘର ଅଛି, ସନ୍ଧ୍ୟାବେଳେ ଚା’ ପିଉଥିବା ସମୟରେ ମଧୁମିତା କହିଲେ ଭମରବାବୁଙ୍କୁ । ଆଧୁନିକ ଶିକ୍ଷିତ ବାପା, ସ୍ତ୍ରୀଙ୍କ କଥାରେ ସମ୍ମତି ପ୍ରକାଶ କଲେ । କଥା ହେଲେ, ଆସନ୍ତା ସୋମବାର ଚନ୍ଦ୍ର ବନ୍ଦାପନା କାମଟା ସରିଯିବ । ତା’ପରେ ମଙ୍ଗଳବାର ଛାଡ଼ି ବୁଧବାର ଦିନ ପୁଅ ବୋହୂ ଯିବେ ଭୁବନେଶ୍ୱର ।

ଗାଁରେ ରହିଲେ ବୁଢ଼ାବୁଢ଼ୀ ଦୁଇଜଣ । ମଝିରେ ମଝିରେ ପୁଅ ବୋହୂ ଆସନ୍ତି ବାପାମାଆଙ୍କ ଖବରଅନ୍ତର ବୁଝିବାକୁ । ତା’ ସହିତ ଘରବାଡ଼ି ଓ ଚାଷଜମି କଥା ମଧ୍ୟ ବୁଝନ୍ତି । ଏହିପରି ହସ ଖୁସିରେ ବର୍ଷ ପରେ ବର୍ଷ ଗଡ଼ି ଚାଲିଲା । ସବୁଦିନ ଏକାପରି ଯାଏ ନାହିଁ । ସୁଖ ପରେ ଦୁଃଖ ଆସେ- ଏହା ନିୟତିର ଗତି । ଏହାର ପଥରୋଧ କରିବା ଶକ୍ତି ସାମାନ୍ୟ ମନୁଷ୍ୟର ଆସିବ ଅବା କାହୁଁ ।

ଠିକ୍ ପୁଅ ବାହାଘର ଦୁଇବର୍ଷ ପୁରିବା ପରେ ପରେ ମଧୁମିତା ସଂସାରରୁ ବିଦାୟ ନେଇ ଚାଲିଗଲେ ପରପାରିକୁ । ବୃଦ୍ଧ ଭ୍ରମରବାବୁଙ୍କ ସୁଖ ସ୍ୱପ୍ନ ଭାଙ୍ଗିଗଲା । ସେ ଚାହୁଁଥିଲେ ମଲା ପର୍ଯ୍ୟନ୍ତ ଏଇ ଗାଁରେ ହିଁ ଜୀବନକାଳ ବିତାଇ ଦେବେ । ଅତି ଦୁଃଖକଷ୍ଟରେ କୌଣସି ପ୍ରକାରରେ ଜଣେ ଗୃହ ଚାକରର ସହାୟତାରେ ସେ ଗାଁ ଘରେ ରହିଲେ ଅନ୍ତତଃ ଗୋଟିଏ ବର୍ଷ । ଆଉ ପାରିଲେ ନାହିଁ । ସ୍ତ୍ରୀଙ୍କ ବିୟୋଗ ପରେ ସବୁ ହରାଇଲା ପରି ତାଙ୍କୁ ଜଣା ଯାଉଥିଲା । ଏତିକିବେଳେ ପୁଅବୋହୂ ବାଧ୍ୟ କରିବାରୁ ଘର ଓ ଜମିବାଡ଼ିର ଦାୟିତ୍ୱ ଗାଁର କେତେକ ବିଶ୍ୱସ୍ତ ଲୋକଙ୍କ ଉପରେ ନ୍ୟସ୍ତ କରି ସେ ପିଲାମାନଙ୍କ ସହିତ ଚାଲିଆସିଲେ ସହରକୁ । ପୁଅ ବୋହୂ ଖୁବ୍ ଭଲଭାବରେ ତାଙ୍କର ଯତ୍ନ ନେଉଥିଲେ ।

ସେଠାରେ କିଛିଦିନ ରହିବା ପରେ ଭ୍ରମରବାବୁ ଦେଖିଲେ, ବୋହୂ ପ୍ରତିମା ପ୍ରତିଦିନ ଅତି ପ୍ରତ୍ୟୁଷରୁ ଉଠି ନିଜର ନିତ୍ୟକର୍ମ ସାରିବା ପରେ ରୋଷେଇ କାମ ଶେଷ କରୁଛି । ପ୍ରାୟ ଦଶଟା ଭିତରେ ପୁଅବୋହୂ ଉଭୟେ ଖିଆପିଆ ଶେଷ କରି ପୋଷାକପତ୍ର ପିନ୍ଧି ବାହାରି ଯାଉଛନ୍ତି ମଟର ସାଇକେଲରେ ବାହାରକୁ । ଘରକୁ ଫେରୁଛନ୍ତି ଅଫରାହ୍ଣ ପାଞ୍ଚଟାରେ । ବେଳେବେଳେ ସାଙ୍ଗରେ କିଛି ସଉଦାପତ୍ର ଧରି ଆସୁଛନ୍ତି ମଧ୍ୟ । ବାହାରକୁ ଗଲାବେଳେ ଘରେ ଥିବା ଚାକରାଣୀ ଝିଅଟିକୁ ତାଗିଦ୍ କରି ବୋହୂ ପୁଅ କହନ୍ତି- “ରୋଷେଇ ଘରେ ରନ୍ଧା ଖାଦ୍ୟ ଯଥାସ୍ଥାନରେ ଅଛି । ତାହା ଆଣି ବାପାଙ୍କୁ ଠିକ୍ ସମୟରେ ଖାଇବାକୁ ଦେବୁ ।” ଇତ୍ୟାଦି । କେବଳ ଛୁଟି ଦିନଗୁଡ଼ିକ ଛାଡ଼ି ଦେଲେ ଆଉ ସବୁଦିନେ ଏହିପରି ପ୍ରାୟ ଏକା କଥା ।

ଏସବୁ ଦେଖି ଦେଖି ଦିନେ ପୁଅକୁ ପାଖକୁ ଡାକି ଭ୍ରମରବାବୁ ପଚାରିଲେ “ଆରେ ବାପୁ । ତୁ ତ ସବୁଦିନେ ଅଫିସକୁ ଯାଉଛୁ, ବୋହୂ ତୋ ସାଙ୍ଗରେ କୁଆଡ଼େ ଯାଉଛି ? ପୁଣି ବାହାରେ ଏତେ ସମୟ ରହୁଛି କେଉଁଠି ?” ହଠାତ୍ ବାପାଙ୍କ ଠାରୁ ଏଭଳି ପ୍ରଶ୍ନ ଶୁଣିବ ବୋଲି ପ୍ରମୋଦ ଆଶା କରି ନଥିଲା । ସେ ଥଥ ମମ ହୋଇ ଡରି ଡରି କହିବାକୁ ବାଧ୍ୟ ହେଲା- “ବାପା ! ତୁମ ବୋହୂ ପରା ଚାକିରୀ କରିଛି ।” ବିବାହବେଳେ ଆପଣଙ୍କ କଥା ଅନୁସାରେ ସେମାନେ ଚାକିରୀରୁ ଇସ୍ତଫା ଦେବାକୁ ଯାଉଥିଲେ, କିନ୍ତୁ ତାଙ୍କ ଘରକୁ ଯାଇ ମୁଁ ସେମାନଙ୍କୁ ଚାକିରୀ ନ ଛାଡ଼ିବାକୁ ପରାମର୍ଶ ଦେଇଛି ଏବଂ କହିଲି, “ମୋ ବାପାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୋଟିଏ ମିଥ୍ୟା ରିଲିଭ୍ ଅର୍ଡର ଦେଖାଇ ଦେବ । ଆହୁରି ମଧ୍ୟ ଗୋଟିଏ ମାସ ଛୁଟି ଆଣିବାକୁ କହିଥିଲି ।” ଏତିକିବେଳେ ରୋଷେଇ ଘରୁ ପ୍ରତିମା ବାହାରିଆସି ପ୍ରମୋଦ ପଛରେ ମୁହଁ ଲୁଚାଇ ଥରିଲା ଗଳାରେ କହିଲା- “ବାପା ! ତୁମ ପୁଅ ପରା ମୋ ବାପାଙ୍କୁ ଯାଇ କହିଲେ, ସରକାରୀ ଚାକିରୀ ବହୁ ଭାଗ୍ୟରେ ଥିଲେ ମିଳେ । ଖବର୍‌ଦାର ପ୍ରତିମା ଚାକିରୀ ଛାଡ଼ିବ ନାହିଁ, କହିଦେଉଛି ।” ଏଭଳି କ୍ଷେତ୍ରରେ ମୁଁ କ’ଣ କରିଥାନ୍ତି କହିଲେ ? ପୁଅ ବୋହୂଙ୍କ ଠାରୁ ଏସବୁ କଥା ଶୁଣି ଭ୍ରମରବାବୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ନିରବ ରହିଲେ ସେଦିନ । ଶେଷରେ କେବଳ ଏତିକି କହିଲେ- “ହଉ, ଭଲ ହେଲା ।”

କିଛିଦିନ ଘରେ ଏକୁଟିଆ ବସି ବସି ଭ୍ରମରବାବୁଙ୍କୁ ଭଲ ଲାଗିଲା ନାହିଁ । ସେ ବାହାରକୁ ଯାଇ ଚିହ୍ନା ପରିଚୟ ଜାଗା ଦେଖି ଏଠି ସେଠି ବସି ସମୟ କଟାଇ ଦିଅନ୍ତି । ଗୋଟିଏ ରବିବା, ଛୁଟିଦିନ । ସେଦିନ ପୁଅ ବୋହୂଙ୍କୁ ପାଖକୁ ଡାକି କହିଲେ- “ଶୁଣ, ମୁଁ ତ ଅତି ବୁଢ଼ା କିମ୍ୱା ସେପରି ଅଚଳ ଅବସ୍ଥା ମୋର ହୋଇଯାଇ ନାହିଁ । ତୁମ୍ଭେମାନେ ଚାକିରୀକୁ ଗଲାପରେ ଖାଲିଟାରେ ବସି ବସି ମୋର ମାନସିକ ଅବସ୍ଥା ଭଲ ରହୁ ନାହିଁ । ତେଣୁ ମୁଁ ଗୋଟିଏ ଘରୋଇ କମ୍ପାନୀରେ ଚାକିରୀ ଠିକ୍ କରିଛି । ଆସନ୍ତାକାଲି କାମରେ ଯୋଗ ଦେବି । ଭଲ ହେବ, ଆମେ ସମସ୍ତେ ଖାଇପିଇ ଚାକିରୀକୁ ଯିବା, ପୁଣି ଘରକୁ ଫେରିବା ଏକା ସମୟରେ । ଅଳ୍ପ ବାଟ, ତେଣୁ ମୁଁ ସେଠାକୁ ସହଜରେ ଚାଲି ଚାଲି ଯାଇପାରିବି । ବୁଢ଼ାକାଳରେ ଚାଲିଲେ ଦେହରେ ଶକ୍ତି ମଧ୍ୟ ବଢ଼ିବ ।” ତାଙ୍କ କଥା ଶୁଣି ପୁଅ ବୋହୂ ସାମାନ୍ୟ ପ୍ରତିବାଦ କଲେ ସିନା ପ୍ରତିରୋଧ କରିପାରିଲେ ନାହିଁ ।

ଦିନେ ସମୟ ଅପରାହ୍ଣ ସାଢ଼େ ପାଞ୍ଚଟା ହେବ । କଳାହାଣ୍ଡିଆ ମେଘ ମାଡ଼ି ଆସୁଛି । ଘରେ ପୁଅବୋହୂ ତରବର ହୋଇ ପହଞ୍ଚି ଦେଖିଲେ, ବାପା ଏ ପର୍ଯ୍ୟନ୍ତ ଘରକୁ ଫେରି ନାହାଁନ୍ତି ସେମାନେ ବ୍ୟସ୍ତ ହୋଇ ପଡ଼ିଲେ । ତା’ପରେ ଆରମ୍ଭ ହୋଇଗଲା ମୂଷଳଧାରାରେ ବର୍ଷା । ଅଳ୍ପ ସମୟ ପରେ ଭ୍ରମରବାବୁ ସେହି ବର୍ଷାରେ ଗୋଟାପଣ ତିନ୍ତିବୁଡ଼ି ଘରେ ଆସି ପହଞ୍ଚିଲେ । ତାଙ୍କର ଏପରି ଅବସ୍ଥା ଦେଖି ବୋହୂ ପ୍ରତିମା ଦୌଡ଼ି ଯାଇ ଖଣ୍ଡେ ଶୁଖିଲା ଗାମୁଛା ଆଣି ଆଗ ମୁଣ୍ଡକୁ ପୋଛି ପକାଇଲା । ପୁଅ ପ୍ରମୋଦ ଆସି ବାପାଙ୍କ ସାର୍ଟ, ଗଞ୍ଜି ଖୋଲିଦେବା ପରେ ଖଣ୍ଡେ ଲୁଙ୍ଗି ଦେଇ ପ୍ୟାଣ୍ଟ୍ ବଦଳାଇବା ପାଇଁ କହିଲା । ପୁଅ ବୋହୂ ଲାଗିଗଲେ ତାଙ୍କ ଦେହ, ହାତ, ଗୋଡ଼, ପୋଛାପୋଛି କାମରେ । ତତ୍ପରେ ତାଙ୍କୁ ଆର୍ମଚେୟାରରେ ବସାଇ ଦେଇ ପ୍ରତିମା କଫି କରି ଆଣି ପିଇବା ପାଇଁ ଦେଲା ।

ଭ୍ରମରବାବୁ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ପୁଅ ବୋହୂ ଉଭୟେ କଥା ଆରମ୍ଭ କଲେ । ପ୍ରମୋଦ ଦୁଃଖିତ ମନରେ କହିଲା- “ବାପା ! ଆପଣଙ୍କୁ ଆଗରୁ କହୁଛି, ଆପଣ ଚାକିରୀ କରନ୍ତୁ ନାହିଁ । ଆମର କ’ଣ ଅଭାବ ଅଛି ? ଆପଣ ପେନ୍‌ସନ୍ ପାଉଛନ୍ତି । ଘରଭଡ଼ା ବାବଦ ଟଙ୍କା, ପୁଣି ଆମେ ଦୁଇଜଣ ଚାକିରୀ କରିଛୁ । ତା’ ସହିତ ଗାଁରେ ଆମର ଜମିବାଡ଼ି ଅଛି । ଏ ବୁଢ଼ାଦିନେ ଆପଣ ପଇସା ପାଇଁ କାହିଁକି ଦୌଡ଼ିଛନ୍ତି ?” ପ୍ରତିମା ସେତିକିବେଳେ ତାଙ୍କ ଗୋଡ଼ ପାଖରେ ବସିଯାଇ ପାଦ ଦୁଇଟିକୁ ଧରି କାନ୍ଦି କାନ୍ଦି କହିଲା- “ବାପା ! ମୋ ରାଣ, ଆପଣ ଆଉ କାଲିଠାରୁ ଚାକିରୀକୁ ଯାଆନ୍ତୁ ନାହିଁ । ଆମେ ଦୁଇଜଣ ରୋଜଗାରିଆ ଅଛୁ, ଆପଣଙ୍କର କୌଣସି ଅସୁବିଧା ହେବନାହିଁ ।”

ପୁଅ ବୋହୂଙ୍କର ସମସ୍ତ କଥା ଶୁଣିସାରି ଭ୍ରମରବାବୁ କହି ଚାଲିଲେ- “ଆଲୋ ମାଆ ! ଯେଉଁ ଘରେ ଏତେ ଅଭାବ ଅନଟନ ରହିଛି, ଯାହାକି ସେ ଘରର କୂଳବଧୂ ଆଜି ସହରର ଜନାକୀର୍ଣ୍ଣ ରାଜରାସ୍ତାରେ ଯାଇ ଚାକିରୀ ନ କଲେ ଅର୍ଥାତ୍ ପଇସା ରୋଜଗାର କରି ନ ଆଣିଲେ ତାହାର ସମାଧାନ ହୋଇ ପାରୁ ନାହିଁ । ସେଭଳି କ୍ଷେତ୍ରରେ ସେହି ଘରର ମୁରବୀ ମୁଁ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ନିରବରେ ବସି ରହି ଏହା ଦେଖିବି କିପରି ? ମୋର ମଧ୍ୟ କର୍ତ୍ତବ୍ୟ ତହିଁରେ କିଛି ଅର୍ଥ ମିଶାଇ ସାହାଯ୍ୟ କରିବା ।”

କ’ଣ ହେଲା କେଜାଣେ । ସେହିଦିନ ଠାରୁ ପ୍ରତିମାଙ୍କୁ ଆଉ କେହି କେବେ ଚାକିରୀକ୍ଷେତ୍ରରେ ଦେଖି ନାହାଁନ୍ତି । ସେ ଏଣିକି ଘରେ ରହି ଘରସଂସାର ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଲୋକପ୍ରିୟ ଲେଖା

To Top