ଗଳ୍ପ

ଚାନ୍ଦର ମୁହଁ ବଙ୍କା

Laxmidhara Nayak's odia story Chandara Muhan Bankaa

ରାତି ପାହିଲେ ଦାନ୍ତପତ୍ର ଘଷିବ । ଯାଏଁ. . . ଲକ୍ଷ୍ମୀ ପାଦ ଆଙ୍କେ ।

ଚାନ୍ଦର ମୁହଁ ବଙ୍କା

ଏ ବର୍ଷ ମାସ, ଶୁକ୍ଳପକ୍ଷ, ଦଶମୀ ତିଥିରେ ଗୁରୁବାର ପଡ଼ିଛି । ଏହି ଯୋଗରେ ଓଡ଼ିଶାର ପୁରପଲ୍ଲୀରେ କୁଳବଧୂମାନେ ସୁଦଶାବ୍ରତ ଆୟୋଜନରେ ଲାଗିପଡ଼ିଛନ୍ତି. . . ।

ମା’ ଝିଅ. . . ।

ସୁଧାଦେବୀ ଓ ଚନ୍ଦ୍ରା. . . ।

ବୁଧବାର ସଞ୍ଜବେଳୁ, ଘରବାହାର ଧୁଆଧୋଇ କରି, ପରିବେଶକୁ ସଫାସୁତୁରା କରି ସାରିଛନ୍ତି । ପାହାନ୍ତିଆ ପ୍ରହରୁ ଉଠିପଡ଼ି, ବାହାରକାନ୍ଥ. . . ଘରଅଗଣା ସବୁଆଡ଼େ ଝୋଟି ପକାଇ ସାରିଲେଣି ।

ଚନ୍ଦ୍ରା ଏବେ ପୋର୍ଟିକୋ ପାହାଚରୁ, ମେଲାଘର ଦ୍ୱାର ଦେଇ, ପୂଜାଘର ପର୍ଯ୍ୟନ୍ତ ଅରୁଆ ଆଣରେ ଲକ୍ଷ୍ମୀପାଦ ଆଙ୍କୁଛି । ବଜାରରେ ବିକ୍ରୀ ହେଉଥିବା ଟିଣ ଛାଞ୍ଚରେ ପତଳା ଆଣ ବୁଲାଇ ଆଣିଲେ. . . ଖୁବ୍ ଶୀଘ୍ର ଲକ୍ଷ୍ମୀପାଦ ଛାପି ହେଇଯାଆନ୍ତା, କିନ୍ତୁ ଚନ୍ଦ୍ରାର ବିଚାର ସ୍ୱତନ୍ତ୍ର ।

. . . ହାତଅଙ୍କା ଚିତାରେ ଶ୍ରଦ୍ଧାଭକ୍ତି ମିଶି ମିଶି ରହିଥାଏ ।

. . . ଏ ଦୁଇଟି ଯେଉଁଠି, ମା’ ଲକ୍ଷ୍ମୀ ସେଇଠି !

ବାପା ଗୋପ ରାଉତେ. . . ।

ସେ ମଧ୍ୟ ପାହାନ୍ତାରୁ ଉଠି, ଗାଈ-ବଳଦଙ୍କୁ କୁଣ୍ଡାତୋରାଣି ମୁହାଁଇ ସାରିଲେଣି । ଗୁରୁବାର ସୁଦଶାବ୍ରତରେ ହଳ ଫିଟିବ ନାହିଁ । ଖୁଣ୍ଟରେ ବନ୍ଧାହେଇ, ସେମାନେ ଘାସ-କୁଟା, କୁଣ୍ଡା, ତୋରାଣି ଖାଇବେ. . . ବିଶ୍ରାମ ନେବେ । ତାଙ୍କ ପାଇଁ ଆଜି ପିଠାପଣାର ଭୋଜି । ସୁଧାଦେବୀ ଆଜି ତାଙ୍କ ପାଇଁ ଗୁଡ଼ ନଡ଼ିଆ ମିଶା ବିରିଚକୁଳି କରିବେ. . . ।

ଜେଜୀ ପାଖ ଘରୁ ଖୁଁ ଖୁଁ ହେଲେ. . . ।

ଚନ୍ଦ୍ରା ଲକ୍ଷ୍ମୀପାଦ ଆଙ୍କୁଆଙ୍କୁ କହିଲା- “ବୋଉ ! ଶୁଭିଲା ।”

– କ’ଣ କିଲୋ ?

. . . ଆମ ଆଲାର୍ମ ବାଜିଲାଣି ।

ଦେଖିବାକୁ ପଡ଼ିବ ନାହିଁ । ଘଣ୍ଟାରେ ରାତି ଚାରିଟା ବାଜିଥିବ ।

ସୁଧାଦେବୀ କହିଲେ- “ବୁଢ଼ୀ ଲୋକ ! ସଞ୍ଜ ପ୍ରହରୁ ଶୋଇଛନ୍ତି ଯେ. . . ବିଛଣା ଚିଟା ଲାଗିବଣି । କ’ଣ କହିବେ କି କ’ଣ ? ତାଙ୍କ କଥା ଶୁଣିବୁ ଯା’ । ମୁଁ ପଦ୍ମ-ମଣ୍ଡଳ ପାଇଁ ମୁରୁଜ ଆଣେ. . . ।”

ଜେଜୀ ଡାକିଲେ- “ମୋ କତିକି ଟିକେ. . . ଆ’ ଲୋ’ ଚାନ୍ଦ ।”

ଚନ୍ଦ୍ରା ଚାନ୍ଦ ଡାକ ଶୁଣି ବିଗିଡ଼ିଗଲା । କହିଲା- “ଚାନ୍ଦର ମୁହଁ ବଙ୍କା ଜେଜୀ । ମୋ ମୁହଁ କ’ଣ ବଙ୍କା ? କେତେଥର କହିଲିଣି- ମୋତେ ଚନ୍ଦ୍ରା. . . ଚନ୍ଦ୍ରାବଳୀ. . . ନହେଲେ ଚନ୍ଦ୍ରପ୍ରଭା ବୋଲି ଡାକ । ତମେ ନିଜେ ଖୁସି ହେବା ପାଇଁ ଏମିତି ଡାକୁଛ ନା, ମୋତେ ରଗେଇବା ପାଇଁ । ଚାନ୍ଦ ଡାକ. . . ମୋତେ କେହି ଆର ଜନ୍ମରେ ଡାକୁ ବୋଲି ମୁଁ ଚାହେଁ । ତମେ ବେକାରଟାରେ ଏ ଜନ୍ମରେ ଡାକୁଛ ।”

ଜେଜୀଙ୍କ ଖଟ କଡ଼ରେ ବସିପଡ଼ି, ଚନ୍ଦ୍ରା ତାଙ୍କର କମର ପିଠି ଘଷି ଦେଉ ଦେଉ କହିଲା- “ଜେଜୀ ମ ! ଦୟାକରି, ମୋତେ ଚନ୍ଦ୍ରା ବୋଲି ଡାକିବ ତ !”

ଜେଜୀ ବିଛଣାରୁ ଉଠି, ଚନ୍ଦ୍ରାକୁ ଛାତିରେ ଜାକି ଧରିଲେ ।

କହିଲେ- “ଚାନ୍ଦ ନାଁରେ ଯେଉଁ ମହୁ ଅଛି, ସେ ସୁଆଦ ତୁ ଜାଣିନାହୁଁ ବୋଲି, ଚିଡୁଚୁ । ଦ୍ୱିତୀୟା ତିଥିରେ ଚାନ୍ଦ ଆସେ ସରଗକୁ. . . କେତେ ହସ ହସ କହିଲୁ । ତୁ ବି ସେମିତି. . . ଦ୍ୱିତୀୟ ଗର୍ଭରେ ଉଇଁଲୁ । ତୁ ତ ସରଗର ଚାନ୍ଦ । ଦେଖିନାହୁଁ କି. . . ଟିକି ପିଲାଟି ଓଠରେ ସେଇ ଦ୍ୱିତୀୟା ତିଥିର ଚାନ୍ଦ-ହସ । ଜଗନ୍ନାଥେ ସେମିତି ମଧୁରିଆ ହସ ଲଗେଇ ରଖିଥାନ୍ତୁ ତୋ ଓଠରେ । ଶ୍ରୀକୃଷ୍ଣଙ୍କ ପାଖରେ ରାଧାର ଅଧର- ହସରେ. . . ସେଇ ଦ୍ୱିତୀୟା ଚାନ୍ଦ. . . । ରାଧାଙ୍କ ପାଖରେ, ଶ୍ରୀକୃଷ୍ଣଙ୍କ ଓଠର ପ୍ରେମବତୁରା ହସ ବି. . . ସେଇ ଏକା ପରି ।”

. . . ପିଲାଟି ଓଠରେ ସେଇ ହସ- ସରଳ. . . ଭାରି ସରଳ ।

. . . ରାଧାଙ୍କ ଅଧରରେ ସେଇ ହସ- ତ୍ୟାଗର. . . ସବୁ ଅଜାଡ଼ି ଦେବାର ।

. . . ଶ୍ରୀକୃଷ୍ଣଙ୍କର ବି ସେଇ ଏକା ହସ- ସଂସାର ଯାକର. . . ମଙ୍ଗଳର ।

ଶାସ୍ତ୍ରଦର୍ଶିନୀ ଜେଜୀଙ୍କର ଚାନ୍ଦ ହସ ତର୍ଜମା. . . ଚନ୍ଦ୍ରାକୁ ମୁଗ୍ଧ କରିଦେଲା ସିନା. . . ପରେ ପରେ ତା’ ମୁହଁ ମଳିନ ପଡ଼ିଗଲା । ସେ ଭାବୁଥାଏ- ଏ ହସବତୁରା ଚାନ୍ଦ ନାଁ, କେହି ତାକୁ ନ ଡ଼ାକୁ ।

ଏବେ ଜେଜୀଙ୍କୁ ଏକ ଲାଗିଲା ।

ଚନ୍ଦ୍ରା ତାଙ୍କୁ ବାଡ଼ି ଧରାଇଲା । ବାଁ ହାତ ଧରି ଆଶ୍ରା ହେଲା । ଲାଟ୍ରିନ୍ ଭିତରେ ଛାଡ଼ି, କବାଟ ଆଉଜାଇ ଆଣିଲା । ବାହାରେ ଉଷୁମ ପାଣି ରଖି କହିଲା- “ସାରାରାତି ମୁହଁ ବୁଜିବୁଜି ପାଟି ଗନ୍ଧାଉଛି । ଭଲେକି କୁଳି କରିନେବ- ଉଷୁମ ପାଣିରେ । ରାତିପାହୁ. . . ଦାନ୍ତ ଘଷିବ. . . ।”

ଚନ୍ଦ୍ରା ଆଉ ଗୋଟେ ଲକ୍ଷ୍ମୀପାଦ ଆଙ୍କୁଥିଲା ତ. . . ଏପଟ ଘରୁ, ଜେଜେ ପାଟି କଲେ- “ସବୁବେଳେ ବୁଢ଼ୀକାମ ଚାଲିଥିବ । ସେହି କେବଳ ଗୁହ-ମୂତ ପୋଛି, ହଳଦୀ ତେଲ ଲଗାଇ ଦେଇଥିଲା । ମୁଁ କୋଳେଇ କାଖେଇ, ଲାଉ କରି, ଜହ୍ନ ଦେଖେଇ ନଥିଲି, କି. . . ମେଳାଯାତ୍ରାକୁ ନେଇ ନଥିଲି । ଏଣେ ବୁଢ଼ାଟା ଗରମରେ ସିଝୁଚି, ସିଝୁ । ତମର ଜେଜୀ ଅଛି, ନା. . . !”

ଚନ୍ଦ୍ରା ଆଣ ତାଟିଆରେ ଆଙ୍ଗୁଳି ପୋଛୁ ପୋଛୁ କହିଲା- “ତମର ରାତି ପାହିବାକୁ ଆହୁରି ଦେଢ଼ଘଣ୍ଟା ବାକି ଅଛି ଜେଜେ !”

ହେଃ. . . ରାତି ପାହୁ ବା ନ ପାହୁ । ମୋ ଦେହ ଜଳିଲାଣି । ଷ୍ଟାବିଲାଇଜର୍ ପାବାର୍ ବଢ଼େଇ ଦିଅ । ନ ହେଲେ. . . ଏ ବୁଢ଼ା ଦେହରେ ଓଦାକନାଟିଏ ପକାଅ । ଝାଳରେ ଦିହ ଅଠାଅଠା ହେଲାଣି । ଜଳୁଚି ମୋ ଦିହ. . . ।

ଜେଜେଙ୍କ ବଖରାର ବନ୍ଦ ଝରକା କବାଟ ଖୋଲୁ ଖୋଲୁ, ଚନ୍ଦ୍ରା କହିଲା- “ତମକୁ ତ ଡର ଖାଇଯାଉଛି । ସବୁବେଳେ ଛାନିଆ । କବାଟ ସନ୍ଧିରେ ଫାଙ୍କା ଟିକେ କେଉଁଠି ଅଛି ତ. . . ସେଠି କନା ଗୁଞ୍ଜି ଦେଉଛ । ୟା’ ଭିତରେ ବୋଧେ ଭାଇକୁ କହି, କେଉଁଦିନ ସ୍କାଇଲାଇଟ୍ ଖୋପରେ ଇଟା ଥୁଆଇ ସାରିଲାଣି । ପବନ ଟିକେ ଚହଲିପାରୁନି ଏ ଘରେ । ଉଷୁମୂଳିଆ ଗନ୍ଧରେ ରହିହେଉନି । କେମିତି ସହୁଛ ? ଗରମ ଜେଜେଙ୍କୁ ହେବ ନି. . . କ’ଣ, ନାତୁଣୀକୁ ହେବ ।”

ଜେଜେ କହିଲେ- “ତୁ ମାନ୍ ନ ମାନ୍. . . ମୁଁ ମୋଟେ ଡରୁନି, ଡର ଆପେ ଆପେ ହେଇଯାଉଛି ଚାନ୍ଦ. . . ।”

ଚନ୍ଦ୍ରାର ସ୍ୱର ଟିକେ ଟାଣ ହେଇଗଲା । କହିଲା- “କେତେଥର କହିଲିଣି. . . ଚାନ୍ଦ ନୁହେଁ, ଚନ୍ଦ୍ରା ଡାକ ବୋଲି ।”

. . . ଆଉ, ବୁଢ଼ୀ ଯେତେବେଳେ ବୁଝାଇଲା-ଦ୍ୱିତୀୟା ଚାନ୍ଦର ରହସ୍ୟ କଥା । ତା’ ବେଳକୁ ଚୁପ୍. . . ମୋ ବେଳକୁ ରାଗ । କ’ଣ ତା’ ସ୍ୱର ସୁନ୍ଦର ବୋଲି । ମଧୁରିଆ କଥା କହେ ବୋଲି । ଚନ୍ଦ୍ରା ଚାହିଁଲା ଜେଜେଙ୍କୁ. . . ।

ଆଶ୍ଚର୍ଯ୍ୟ ! ଜେଜୀଙ୍କ ସହିତ ଆଦୌ ପଡ଼େନି ଜେଜେଙ୍କର । ସବୁବେଳେ ପରସ୍ପରକୁ ଦୋଷ ଦିଅନ୍ତି । ଜେଜୀଙ୍କ ସୁନ୍ଦର ମଧୁର ସ୍ୱରକୁ ସେ କାନ ଡେରନ୍ତି । ଯାହା ପାଟିରୁ କହନ୍ତି. . . ଛାତିରେ ସେମିତି ଭାବନା ତାଙ୍କର ନଥାଏ ଜେଜୀ ପ୍ରତି ।

ତେବେ ତ. . . ରାଗିବାର ଛଳନା କରି, ମନେ ମନେ ଝୁରୁଛନ୍ତି ତାଙ୍କୁ । ନା ଏବେ ଜେଜେ-ଜେଜୀ ଗୋଟିଏ ବଖରାରେ ଶୋଇବେ । ଦୁଃଖ ସୁଖ ହେବେ । ବୁଢ଼ା-ବୁଢ଼ୀ ହେଲେ ବୋଲି. . . ତାଙ୍କରି ହାତଗଢ଼ା ପରିବାରରେ. . . ତାଙ୍କୁ ଅଲଗା ଅଲଗା ଛାଡ଼ିଦେବା ଠିକ୍ ନୁହେଁ. . . !

ଚନ୍ଦ୍ରା ଲାଟ୍ରିନ୍ ଦ୍ୱାର ଖୋଲିବା ଆଗରୁ ପଚାରିଲା- “ଏକ ଶେଷ ହେଲାଣି ଜେଜୀ ?”

ସେ କବାଟ ଖୋଲି, ଜେଜୀଙ୍କୁ ଧରି ଧରି ଆଣିଲା ଓ ଜେଜେଙ୍କ ଖଟ ଉପରେ, ତାଙ୍କରି ପାଖରେ ବସାଇଲା ।

ଜେଜୀ କହିଲେ- “ଇଏ କି ବେସର୍ମି କାମ କରୁଚୁ ଚାନ୍ଦ । ବୁଢ଼ା-ବୁଢ଼ୀ ବୟସରେ . . . ଏକାଠି ବସାଉଠା ଠିକ୍ ନୁହଁ । ଏବେ ନିରୋଳାରେ ଠାକୁରଙ୍କୁ ଡାକିବା ବେଳ . . . ।”

– ମୁଁ ତ. . . ମନା କରୁନି । ତୁମେ ଦୁହେଁ ତ. . . ଏ ପରିବାରର ଠାକୁର ଠାକୁରାଣୀ ! ଆମେ ଆଗେ ତମକୁ ପୂଜା କରିସାରୁ. . . ତା’ପରେ ତମେ ତମ ଠାକୁରଙ୍କୁ ଡାକିବ ।

ପଚାରିଲା ଜେଜେଙ୍କୁ- “ଏବେ ତମ ପାଇଁ ଓଦା କନା ଆଣିବି କି ଜେଜେ ?”

. . . ନା ନା, ବହୁତ ଭଲ ଲାଗୁଚି । ସବୁବେଳେ ଝର୍କା କବାଟ ଖୋଲା ରହୁ । ଏକା ଏକା ସିନା ଡରୁଥିଲି ବୋଲି. . . କବାଟ କିଳୁଥିଲି । ଆଉ ଡର ଲାଗିବ ନାହିଁ । ଜେଜୀ ଅଛନ୍ତି ନା. . . !

ଜେଜୀ ରହି ରହି କହିଲେ- “ଡରଫର ଗୋଟେ କ’ଣ ? ସେଇଟା ମନରୁ ବାହାରେ. . . ପୁଣି, ମନକୁ ଡରାଏ । ଏକା ଏକା ଶୋଉଥିଲ ବୋଲି, ନାନା ଆଡୁ ନାନା ଖରାପ ଚିନ୍ତା ମୁଣ୍ଡକୁ ବିଗାଡୁଥିଲା । ମୁଁ ଅଛି ନା. . . ।”

ଚନ୍ଦ୍ରା ଅଧରରେ ଦ୍ୱିତୀୟା ଚାନ୍ଦ ଖେଳିଗଲା ।

କହିଲା- “ଏବେଠୁ ଏଇ ଘରେ ଖାଇବ, ପିଇବ, ଶୋଇବ, ବସାଉଠା କରିବ । ମୁଁ ତମ ପାଇଁ ବ୍ରସ୍, ଛେଲା, ପାଣି ରଖି ଦେଉଛି ବାହାରେ । ରାତି ପାହିଲେ ଦାନ୍ତପତ୍ର ଘଷିବ । ଯାଏଁ. . . ଲକ୍ଷ୍ମୀ ପାଦ ଆଙ୍କେ ।”

ଏକା ଚିତ୍ତ, ଏକା ହୃଦୟ ପରି ଦୁହେଁ କହିଲେ- “ହୋଉ, ଯା’ ମା’ ! ଠାକୁରାଣୀ ତୋର ମଙ୍ଗଳ କରନ୍ତୁ. . . !”

ସୁଧାଦେବୀ ପୂଜାଘର ପଶ୍ଚିମ ପାଖ କାନ୍ଥ ଚଟାଣରେ ସାତରଙ୍ଗୀ ମୁରୁଜରେ ଦଶପାଖୁଡ଼ିଆ ପଦ୍ମଫୁଲ ଆଙ୍କୁଥିଲେ । ଚନ୍ଦ୍ରାକୁ କହିଲେ- “ଶିଖିନେ ଚାନ୍ଦ. . . କେଉଁ ରଙ୍ଗ ପରେ କେଉଁ ରଙ୍ଗ ରହିବ । ରଙ୍ଗରେ ରଙ୍ଗ ମିଶେଇ, ଶେଷ ତିନି ପାଖୁଡ଼ାଙ୍କୁ କେମିତି ଗଢ଼ିବାକୁ ହେବ । ସେହି ତିନି ପାଖୁଡ଼ା- ସତ, ରଜ, ତମ । ମଣିଷ ମନର ତିନି ପ୍ରକାର ଗୁଣ । ସେମିତିକା ଭାବନା ଅନୁସାରେ, ତା’ର କାମ ।”

– “ଅନ୍ୟ ସାତ ପାଖୁଡ଼ା କ’ଣ ବୋଉ ?” ଚନ୍ଦ୍ରା ପଚାରିଲା ।

. . . ସେ ସାତଟା- ଏ ଦେହର ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା. . . ଆଉ, ଶୁକ୍ର !

– ସୁଦଶାବ୍ରତ ସହିତ ଏହାର ସମ୍ପର୍କ କ’ଣ ? ସେ ପୁଣି ପଚାରିଲା ! !

. . . ସାତଟି ଧାତୁରେ ତିଆରି ଏ ଦେହକୁ, ମା’ ଲକ୍ଷ୍ମୀ. . . ଯାହାଙ୍କୁ ସବୁ ଶକ୍ତିର ଈଶ୍ୱରୀ କୁଣ୍ଡଳିନୀ ବୋଲି ଯୋଗୀ ମୁନିମାନେ କହନ୍ତି- ସେ ତିନୋଟି ବାଟ ଦେଇଛନ୍ତି । ତାହାରି ନାମ. . . ସତ, ରଜ, ତମ । ନିଜ ମନ ସାହାଯ୍ୟରେ, ଯିଏ ଯେଉଁ ବାଟରେ ଯିବ. . . ସେ ସେହି ଅନୁସାରେ ଫଳ ପାଇବ । ଏମାନଙ୍କ ଭିତରକୁ ସତ ପଥଟି ଶ୍ରେଷ୍ଠ ।

– ତେବେ ଦଶପାଖୁଡ଼ିଆ ପଦ୍ମଫୁଲର କେଶର ।

ସେ କ’ଣ ? ସେ କ’ଣ ସୂଚନା ଦିଏ ? କାହିଁକି ତାହାରି ଉପରେ ଗୁଆ ରହେ ?

– ଖୁବ୍ ଗହନ କଥା ଏ ଚାନ୍ଦ ! ବ୍ରହ୍ମଜ୍ଞାନର କଥା. . . ଯୋଗ ସାଧନାର କଥା । ପ୍ରଭୁଙ୍କୁ ପାଇବାର କଥା ଏ. . . !

– ଟିକେ କହ ନା. . . ବୋଉ ।

– ମୁଁ ବା ଜାଣେ କ’ଣ ? କେବଳ ପଢ଼ା କଥା, ସାଧୁ ମହାରାଜ୍ମାନଙ୍କ ପ୍ରବଚନ କଥା. . . ସଞ୍ଜ ପ୍ରାର୍ଥନାରେ ବସିଲାବେଳେ, ସାମାନ୍ୟ ଅନୁଭବର କଥା । ଏ ଅନୁଭବ କଥା, କାହା ଆଗରେ ନ କହିବାକୁ, ବାରଣ ଅଛି । କାରଣ, ଶୁଣିଥିବା ଲୋକଠାରେ ସାଧନା ପାଇଁ ପ୍ରବଳ ଇଚ୍ଛା ଜନ୍ମିବ ନାହିଁ, କି. . . ସେ, ସବୁକିଛି ତ୍ୟାଗ କରି, ପ୍ରଭୁଙ୍କୁ ପାଇବାର ଇଚ୍ଛା କରିବ ନାହିଁ । ଗଣିତର ସୂତ୍ର ବୋଲି, ଶୁଣିଥିବା ମହାଜ୍ଞାନକୁ ବିଚାର କରିବ ! ବ୍ରହ୍ମଜ୍ଞାନ ଖୁବ୍ ଦୁଃର୍ଲଭ ଚାନ୍ଦ. . . !

ସେ ଚନ୍ଦ୍ରା ଏବେ ଚାନ୍ଦ ଡାକରେ ବିରକ୍ତ ହେଲାନି । ସୁଧାଦେବୀଙ୍କ ବେକ ପଛରେ ଦୁଇହାତର ଆଙ୍ଗୁଳି ଦଶଟାକୁ ଛନ୍ଦି ଦେଲା । ତାଙ୍କ ଆଖିକୁ ଚାହିଁ ଚାହିଁ ପଚାରିଲା- “ବୋଉ ! ସତ କହ ପଦ୍ମ କେଶର କ’ଣ ?”

ସୁଧାଦେବୀ ଟିକେ ହସିଲେ ।

. . . ପାଗିଳୀଟା ! ମୁଁ ଜାଣେ କ’ଣ ଯେ. . . ତତେ ବୁଝେଇବି । ଏଣେ ପୂଜା କାମ ଡେରି ହେଉଛି । . . . ତେବେ, ହୁଣ୍ଡାମୋଟା କି ଯାହା ଜାଣିଛି. . . ତତେ ସେୟା କହୁଛି, ତୁ ବୁଝିବା ପରି । ମୁଣ୍ଡରେ ଯେଉଁଠି ଚୁଟି ରଖନ୍ତି ସାଧୁ ସନ୍ୟାସୀମାନେ. . . ଲଣ୍ଡା ହେଲାବେଳେ ଯେଉଁଠି ଚୁଟି ଛଡ଼ାଯାଏ. . . ସେହି ସିଧାରେ, ଖପୁରୀ ତଳେ. . . ବ୍ରହ୍ମରନ୍ଧ୍ର ରହିଛି । ତାକୁ ଯୋଗୀମାନେ ସହସ୍ରାର ବୋଲି କହନ୍ତି । ମଳଦ୍ୱାରର ଠିକ୍ ଉପରକୁ. . . ଯେଉଁ ମହାଶକ୍ତି କୁଣ୍ଡଳିନୀ ସାଢ଼େ ତିନି ଫେରା ହେଇ ଶୋଇଛନ୍ତି, ତାଙ୍କୁ ମୂଳାଧାର ପଦ୍ମ କହନ୍ତି । ସେଇଠୁ ସିଧା ସମ୍ପର୍କର ବାଟ ରଖିଛି- ସୁଷୁମ୍ନା ନାଡ଼ି ମଧ୍ୟରେ ଥିବା ବଜ୍ରାନାଡ଼ି । ଏହି ସୁଷୁମ୍ନା ନାଡ଼ିର ଅଗରେ ରହିଛି- ସହସ୍ରାର ଚକ୍ର ଓ ତା’ ଭିତରେ. . . କମଳ କର୍ଣ୍ଣିକା. . . ଯାହାକୁ ତୁ ପଦ୍ମ କେଶର କହୁଛୁ । ସେଇଠି ରହିଛନ୍ତି- ଆନନ୍ଦମୟ ପରମାତ୍ମା । କମଳ କର୍ଣ୍ଣିକା ହେଉଛି ପରମ ଆନନ୍ଦମୟ ପରମାତ୍ମାଙ୍କ ଯୋଗ ମନ୍ଦିର ।

. . . ସାଧକ ପାଇଁ ସାଧନାର ଯେଉଁ ନିୟମ ଅଛି, ତାହାରି ଆଶ୍ରୟରେ, ଶୋଇଥିବା ମହାଶକ୍ତି କୁଣ୍ଡଳିନୀଙ୍କୁ ସେ ଚିଆଁଇ ଦିଅନ୍ତି । ଏହି ମହାତେଜମୟୀ ମା’ଙ୍କୁ. . . ଯୋଗ କୌଶଳରେ, ସାଧକ ପହଞ୍ଚାଏ- କମଳ କର୍ଣ୍ଣିକାରେ । ସେଇଠି ମହାତେଜର ମହାଶକ୍ତିଙ୍କ ସାଥୀରେ ପରମାତ୍ମାଙ୍କର ଏକାତ୍ମ ମିଳନ ହୁଏ. . . ।

ପଦ୍ମକେଶର ଏପରି ମିଳନର କ୍ଷେତ୍ର. . . ପ୍ରକୃତି ଓ ପରମଙ୍କର । ପଦ୍ମକେଶରରେ ପରମ ଶକ୍ତିମୟୀ ମା’ଙ୍କର କା’ ରୂପରେ, ଆମେ ଅକ୍ଷତ ଗୁଆଟିଏ ରଖୁଛନ୍ତି । ଏଇ ହେଉଛି- ସୁଦଶାବ୍ରତର ପୂଜାବିଧି ପଛରେ ଥିବା ଯୋଗ-ରହସ୍ୟ. . . ।

ଚନ୍ଦ୍ରା ବିସ୍ମୟରେ ଆଖି ବଡ଼ବଡ଼ କରି ଚାହିଁଲା ସୁଧାଦେବୀଙ୍କୁ । କହିଲା- “ବୋଉ ! ମୁଁ ସନ୍ନ୍ୟାସିନୀ ହେବି । ଯୋଗକରି. . . ପରମ ଶାନ୍ତି ପାଇବି । ମୋର ବାକି ଜୀବନ ଆନନ୍ଦରେ ବିତିଯିବ ।”

– ଚାନ୍ଦ ! ତୁ ବାହା ହେବୁନି ? ସଂସାର କରିବୁ ନି ?

– କେତେଥର ବାହା ହେବି ବୋଉ ? ହେଇଥିଲି ନା. . . ! ସିନ୍ଦୂର ପିନ୍ଧିଥିଲି ନା ! ପୁଣି କି ବାହାଘର ? କାହା ସହିତ ?

ସୁଧା ଦେବୀ ଗମ୍ଭୀର ହେଇଗଲେ କିଛିକ୍ଷଣ । କହିଲେ-

– “ବାହାବେଦୀରେ ବେଦମନ୍ତ୍ର ସହିତ ପିନ୍ଧି ନଥିବା ସିନ୍ଦୂର, ସଧବାର ସିନ୍ଦୂର ନୁହେଁ, ମା’ ! ସେପରି ସିନ୍ଦୂର ଥିବା ନଥିବାର ମାନେ ନାହିଁ । ଏମିତି. . . କିଏ କାହାକୁ ସିନ୍ଦୂର ଦେଉନି କି. . . ଦିଅଁ ଦେବୀ ମନ୍ଦିରରେ । ସେଠି କ’ଣ କୁଆଁରୀ ଝିଅ ସଧବା ହେଇଯାଉଛି ।”

ଚନ୍ଦ୍ରା ଉତ୍ତର କଲା- “ସିନ୍ଦୂର ଯେପରି ଭାବନାରେ ଗ୍ରହଣ କରାଯାଏ, ସେ ସେହି ଭାବର ଚିହ୍ନ ହେଇ ରହେ । ମନ୍ଦିରର ପୂଜକଙ୍କ ସିନ୍ଦୂର ଭକ୍ତିଭାବର. . . କେହି ଯୁବକର, ଅନ୍ୟ ଜଣେ ଯୁବତୀ ସୂନ୍ଥାରେ ସିନ୍ଦୂର ବିବାହର ସ୍ୱୀକୃତି ବୋଉ । ବେଦମନ୍ତ୍ର ଲୋକମାନଙ୍କ ସାମ୍ନାରେ ଯେଉଁ ସିନ୍ଦୂର ଗ୍ରହଣ. . . ତାହା କେବଳ ପ୍ରଚାର ପାଇଁ ।”

ସୁଧାଦେବୀ କହିଲେ- “ପଛ କଥାକୁ ମନେପକାନା ଚାନ୍ଦ । ବେଦମନ୍ତ୍ରରେ ବାହା ହେବାଟା. . . ଆମ ସମାଜରେ ନାନା ଆଡୁ ପରୀକ୍ଷା କରାଯାଇଥିବା, ପ୍ରଥାଟିଏ ! ଏହି ପ୍ରଥାରେ, ଦେବତା, ସନ୍ନ୍ୟାସୀ, ହିନ୍ଦୁ ଜାତିର ଆର୍ଯ୍ୟମାନେ ବିବାହ କରନ୍ତି । ଏହା ସମସ୍ତଙ୍କ ସାମ୍ନାରେ ହୁଏ । ଗୋପନରେ ନୁହେଁ । ଗୋପନରେ କିଏ କାହାକୁ ସିନ୍ଦୂର ପିନ୍ଧାଇବାଟା. . . ପିଲାଙ୍କ ଧୂଳି ଖେଳ । ବଡ଼ ହେଲେ କ’ଣ ଧୂଳି ଖେଳର ବାହାଘର ବାସ୍ତବ ହୁଏ । ନୁହେଁ ନା !”

. . . ତଥାପି ବୋଉ, ମୋତେ ବିଧବା ବିଧବା ଲାଗୁଛି ! !

ତା’ପରେ

ଲୋକପ୍ରିୟ ଲେଖା

To Top