ଗଳ୍ପ

ଚାରୁହାସିନୀର ମନଗହନ କଥା

Shreebatsa Prasad Nath's odia story Charuhasinira Managahana Kathaa

ସେ ମନେ ମନେ ଭାବିଲା- ଓଧକୁ ଦେଖି ଭୁଆଁ ବିଲେଇ ବାଇ ହେଲେ କ’ଣ ଚଳିବ ?

ଚାରୁହାସିନୀର ମନଗହନ କଥା

ଚାରୁହାସିନୀ ସ୍କୁଲରୁ ଫେରି ଉଦାସିଆ ମନରେ ଝରକା ପାଖରେ ବସି ଚାହିଁ ରହିଛି ବାହାରକୁ । ସେତେବେଳେ ସୂର୍ଯ୍ୟାସ୍ତ ହେବାକୁ ଆଉ ଅଳ୍ପ ସମୟ ବାକି ଅଛି । ପଶ୍ଚିମାକାଶ ଅରୁଣବର୍ଣ୍ଣରେ ରଞ୍ଜିତ ହେବାକୁ ଯାଉଛି । ସେଠାରେ ଖଣ୍ଡ ଖଣ୍ଡ ଧଳା ବାଦଲ ଘୂରି ବୁଲୁଛି । କାହିଁକି କେଜାଣି ତା’ର ମନରାଜ୍ୟରେ ଦେଖା ଦେଇଛି ଅଶାନ୍ତର ଝଡ଼ । ଆଶା ଓ ଆଶଙ୍କାରେ ଭରି ଯାଉଛି ହୃଦୟ ।

ସେ ଭାବୁଛି-ବାପା ମାଆ ମୋର ନାମ ଦେଇଥିଲେ ଚାରୁହାସିନୀ । ଡାକନାମ- ଚାରୁ । ଆଜି ପର୍ଯ୍ୟନ୍ତ ମୋ ଜୀବନ କାଳ ଭିତରେ ମନ ଖୋଲି ଥରେ ହେଲେ ତ ହସି ପାରିନାହିଁ । ତେବେ ତାଙ୍କ ନାମକରଣରେ ସାର୍ଥକତା ରହିଲା କେଉଁଠି ? ଦୁନିଆଁ ସାରା ଖୋଜି ଖୋଜି ଏ ଯାଏ ମନଲାଖୀ ଜୀବନସାଥୀଟିଏ ପାଇ ପାରିଲି ନାହିଁ । ଅଥବା କେହି ମୋତେ ସ୍ୱେଚ୍ଛାକୃତ ଭାବରେ ତାଙ୍କ ଜୀବନ ସାଥୀ ରୂପେ ଗ୍ରହଣ କଲେ ନାହିଁ । ବିବାହ ବୟସ ତ ଢେର୍ ଗଡ଼ି ଗଲାଣି । ସଂସାର ବନ୍ଧନରେ ବାନ୍ଧି ହେବା ବେଳ ଆଉ ନାହିଁ । ଏଇମିତି ନିଃସଙ୍ଗ ଜୀବନ ମୋର ବିତିଯିବ କେବଳ ଅନ୍ତରର ଦହନ ସହି ସହି । ବିଧାତା, ଏଇଆ କ’ଣ ମୋ କପାଳରେ ଲେଖିଥିଲ ? ଜଣେ ନାରୀ ଏଇ ସଂସାର ବୃକ୍ଷରେ ଗୋଟିଏ ନୀଡ଼ ରଚନା କରିବାକୁ ଚାହେଁ- ଏହା କ’ଣ ମିଛ ?

ରାସ୍ତାଆଡ଼କୁ ଚାହିଁ ଦେଖେ କେତେ ଜନଗହଳି, ରଙ୍ଗବେରଙ୍ଗ ପୋଷାକରେ ହୋଇ ଉଠୁଛି ବେଳକୁ ବେଳ ମନଲୋଭା । ପକ୍ଷୀମାନେ ବସା ବାହୁଡ଼ା ହେବାକୁ ଆରମ୍ଭ କଲେଣି । କର୍ମକ୍ଳାନ୍ତ ନରନାରୀ ଅବସର ବିନୋଦନ ପାଇଁ ଧାଇଁଛନ୍ତି ଏଣେ ତେଣେ । ଆଜିକାଲି ସହର ବଜାରରେ ପାଦଚଲା ଲୋକ ତ ଦେଖିବାକୁ ମିଳନ୍ତି ନାହିଁ । ସମସ୍ତେ ଆଗେଇ ଚାଲିଛନ୍ତି ଗାଡ଼ି ଘୋଡ଼ାରେ । ସେମାନଙ୍କ ଉତ୍‌ଫୁଲିତ ଆନନ୍ଦ ଯେପରି ଲହଡ଼ି ଭାଙ୍ଗୁଛି ସେଇ ରାସ୍ତା ଉପରେ ।

ବହୁ ଅତୀତର କଥା ଆଜି ତାର ଗୋଟି ଗୋଟି ହୋଇ ମନେ ପଡୁଛି । ସେ ଯେତେବେଳେ ଅତି ଛୋଟ ହୋଇଥିଲା, ସେତେବେଳେ ତା’ର ବାପା ଏଇ ସହରକୁ ବଦଳି ହୋଇ ଆସିଥିଲେ । ସେ ଗୋଟିଏ ସରକାରୀ ଅଫିସ୍‌ରେ ପିଅନ କାମ କରନ୍ତି । ଘରେ ଝିଅ ବଡ଼, ତା’ ତଳେ ଦୁଇଟି ପୁଅ । ସମୁଦାୟ ପରିବାର ତାଙ୍କର ବାପାମାଆଙ୍କୁ ମିଶାଇ ପାଞ୍ଚଜଣ । ସ୍ୱଳ୍ପ ବେତନରେ ବାପା ବହୁତ ଦୁଃଖ କଷ୍ଟରେ ଘର ଚଳାଇ ତାକୁ କଲେଜ୍ ପର୍ଯ୍ୟନ୍ତ ପଢ଼ାଇ ବି.ଏ. ଖଣ୍ଡିକ ପାସ୍ କରାଇ ଥିଲେ । ତା’ପରଠୁ ତା’ର ପଢ଼ା ବନ୍ଦ ହୋଇଗଲା । ଭାଇମାନେ ବଡ଼ ହୋଇଗଲେ । ତାଙ୍କର ତ ପୁଣି ଶିକ୍ଷାଦୀକ୍ଷା ଦରକାର । ବାପାମାଆ ତାକୁ ପରଘରକୁ ଦେବାପାଇଁ ବ୍ୟାକୁଳ ହେଲେ ସୁଦ୍ଧା ଅର୍ଥାଭାବରୁ ଅନେକ ପ୍ରସ୍ତାବ ଭାଙ୍ଗିଗଲା । ସମୟ ତ କାହାରିକୁ ଅପେକ୍ଷା କରେ ନାହିଁ । ଯୌତୁକ ଅଭାବରୁ କୌଣସି ଠାରେ ତା’ର ବିବାହ କାର୍ଯ୍ୟ ହୋଇପାରିଲା ନାହିଁ । ଏହା ଭିତରେ ବହୁ ବର୍ଷ ଅତିକ୍ରାନ୍ତ ହୋଇ ଗଲାଣି । ଶେଷକୁ ଏଭଳି ପରିସ୍ଥିତି ଘଟିଲା, ଯାହା କି ତା’ ବୟସ ଠାରୁ ବେଶି ବୟସର ବରପାତ୍ର ମିଳିଲେ ନାହିଁ । ବୟସ କମ୍ କରି ଜ୍ୟୋତିଷ ପାଖରେ ନୂଆ ଜାତକ ଖଣ୍ଡିଏ କରାଯାଇ ପାରିଥାନ୍ତା । କିନ୍ତୁ ସାର୍ଟିଫିକେଟ୍ରୁ ଜନ୍ମ ତାରିଖକୁ ବଦଳାଇ ହେବ କିପରି ? ସେଥିପାଇଁ ବାପାମାଆଙ୍କ ମନରେ ଦୁଃଖର ସୀମା ନାହିଁ । ହେଲେ, କ’ଣ କରାଯାଇପାରିବ !

ବର୍ତ୍ତମାନ ଚାରୁହାସିନୀ ଗୋଟିଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକତା କରୁଛି । ସେଠାରେ ଅଭିଭାବକଙ୍କ ଠାରୁ ମାଲିକ ଅପର୍ଯ୍ୟାପ୍ତ ପଇସା ନିଅନ୍ତି । କୋଠା ଉପରେ କୋଠା କରନ୍ତି । ବିଦ୍ୟାଳୟକୁ କଲେଜ୍, ପୁଣି ଘରୋଇ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ଅନ୍ତେବାସୀଙ୍କ ପାଇଁ ଛାତ୍ରାବାସ ଇତ୍ୟାଦି କାମରେ ବିପୁଳ ଅର୍ଥ ବ୍ୟୟ କରିବାକୁ ପଛାନ୍ତି ନାହିଁ । କିନ୍ତୁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦରମା ନ ଦେଇ ଦିଅନ୍ତି ହଜାର-ଦୁଇ ହଜାର ଟଙ୍କା ମାତ୍ର । ଏବେ ଦେଖୁନା ଆମର ଏଇଠି ଏକା କ’ଣ ସାରା ଦେଶରେ ଶିକ୍ଷାୟତନ ମାଧ୍ୟମରେ ଭଲ ବ୍ୟବସାୟ ଚାଲିଛି । ଶିକ୍ଷାବିସ୍ତାର ସାଙ୍ଗକୁ ବେକାର ଗହଳୀ ଭିତରେ ସେମାନଙ୍କର ଆଉ ଅବା କି ଉପାୟ ଅଛି । କୌଣସି ପ୍ରକାରରେ ମାଡ଼ି ଜାକି ରହିବାକୁ ପଡୁଛି ସେମାନଙ୍କୁ ।

ପିଲାମାନଙ୍କ ମେଳରେ କଟିଯାଏ ଯେତିକି ସମୟ, ସେତିକିରେ ସେ ପାଏ ଆନନ୍ଦ । ଛୁଟି ଦିନ କିମ୍ୱା ସ୍କୁଲ୍ କାର୍ଯ୍ୟ ନିର୍ଘଣ୍ଟ ବାହାର ସମୟରେ ତାକୁ ଆଦୌ ଭଲ ଲାଗେ ନାହିଁ । ମନଟା କାହିଁକି ଆପେ ଆପେ ହୋଇଯାଏ ଭାରାକ୍ରାନ୍ତ । ସେ ତ ଗୋଟିଏ ରକ୍ତ, ମାଂସ ଶରୀରଧାରୀ ଯୁବତୀ । ତା’ର ଦେହ ଅଛି, ପୁଣି ଗୋଟିଏ ମନ ଅଛି । ଅଥଚ ତା’ ଦେହ ଓ ମନ କଥା ବୁଝିବାକୁ ଦୁନିଆଁରେ କେହି ନାହାନ୍ତି । ଏ ଜଗତଟା ସତେ କେଡ଼େ ସ୍ୱାର୍ଥପର ! ତାରି ଭଳି ଆଜି ପୃଥିବୀରେ ଶହ ଶହ ଅବିବାହିତ ଯୁବକ ଯୁବତୀ ଅଛନ୍ତି । ସେମାନେ ତ ସଂସାରରେ ଲୁଚି ଛପି ଚଳି ଯାଉଛନ୍ତି । ଦେଶଟା ପରା ପ୍ରଗତି ପଥରେ ଆଗେଇ ଚାଲିଛି । ସେ କାହିଁକି ତାଙ୍କ ସହିତ ତାଳ ଦେଇ ଚାଲି ପାରୁନାହିଁ । ତା’ ପକ୍ଷରେ ସେସବୁ ଯନ୍ତ୍ରଣାଦାୟକ ହେଉଛି କାହିଁକି ? ମର୍ଯ୍ୟାଦା ଲଙ୍ଘେ ସିନା ସ୍ୱତନ୍ତ୍ରା ନାରୀ- ସମସ୍ତଙ୍କ ପକ୍ଷେ ତାହା ସମ୍ଭବ ହେବ କିପରି ?

ବିଦ୍ୟାଳୟରେ ପୁରୁଷ ସହଶିକ୍ଷକମାନଙ୍କ ସହିତ ହସ ଖୁସି କଥାବାର୍ତ୍ତା କଲାବେଳେ ସେ ଅନୁଭବ କରିଛି- ସେମାନେ କେବଳ ତାକୁ ନେଇ ସାମୟିକ ଆମୋଦ କରିବାକୁ ଚାହାଁନ୍ତି । କିନ୍ତୁ ତା’ ଦୁଃଖରେ ଦୁଃଖୀ ହୋଇ ତାକୁ ଚିରସଙ୍ଗିନୀ କରି ନେବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ତା’ପରେ ଆଉ ଗୋଟିଏ କଥା । ତା’ର ସେଭଳି ଅବା ଚାକଚକ୍ୟ ବା ପରିପାଟୀ କାହିଁ ! ବର୍ତ୍ତମାନ ସମୟ ଯେପରି ଯୁବକଗୁଡ଼ାକ ମଦ୍ୟପ ଓ ମାତାଲ, ସେପରି ସ୍ଥଳେ ସେମାନଙ୍କ ସହିତ ମିଳାମିଶା କଲେ କେତେବେଳେ ଯେ ପ୍ରାଣ ଯିବ, ତାହା କହିହେବ ନାହିଁ ।

ପୁଣି ବୟସାଧିକ ଅବିବାହିତ ଜଣେ ନାରୀ ହୋଇଥିବାରୁ ସେ ଯେଉଁଠିକୁ ଯାଏ- ତା’ ମନ କେମିତି ଦବିଯାଏ । ଫଳତଃ ସେ କେଉଁଠି କାହାକୁ ପରାମର୍ଶ ଦେଇପାରେ ନାହିଁ କିମ୍ୱା ଦୃଢ଼କଣ୍ଠରେ କିଛି କଥା ଜଣେ ଗୃହିଣୀ କହିବା ଭଳି କହି ପାରେ ନାହିଁ । ପିଲାଛୁଆ ମେଳରେ ଗୋଟିଏ ମାଆକୁ ଦେଖିଲେ ତା’ର ଶୂନ୍ୟ ଅନ୍ତର ବିଳପୀ ଉଠେ । ସତେ ଏମାନେ କେଡ଼େ ଭାଗ୍ୟବତୀ । ଜଣେ ସ୍ୱାମୀ ସହିତ ତା’ ସ୍ତ୍ରୀ ହସଖୁସିରେ ଲୋଟି ପଡୁଥିବା ବେଳେ ତା’ର ହୃଦୟ କରତି ହୋଇଯାଏ । ସେ ଭରସି କରି କାହାକୁ ଠୋସ୍ କରି ପଦେ କହିପାରେ ନାହିଁ । ସବୁବେଳେ ଡରି ଡରି ହାତେ ମାପି ଚା’ଖଣ୍ଡକରେ ଚାଲେ । ତାକୁ ଜଣାପଡ଼େ ସତେ ଯେମିତି ଦୁନିଆଁ ତା’ ଆଡ଼କୁ ଚାହିଁ ହସୁଛି ଏବଂ କହୁଛି- ତୋର ସାଂସାରିକ ଅଭିଜ୍ଞତା କିଛି ନାହିଁ । ଏ ସମାଜ ତା’ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ପରିବର୍ତ୍ତେ ବିଦ୍ରୁପ କଲାଭଳି ସେ ଅନୁଭବ କରେ ।

ସମ୍ୱାଦପତ୍ର ତଥା ଅନ୍ୟାନ୍ୟ ଗଣମାଧ୍ୟମଗୁଡ଼ିକରେ ପଢ଼େ ଓ ଦେଖେ ଯୁବତୀମାନେ ବୟଫ୍ରେଣ୍ଡ କରି ତାଙ୍କ ସହିତ ବୁଲି ଜୀବନଟାକୁ ଉପଭୋଗ କରୁଛନ୍ତି । ପୁଣି ୟା’କୁ ଛାଡ଼ି ତାକୁ ଜୀବନକାଳ ମଧ୍ୟରେ କେତେ ପୁରୁଷବନ୍ଧୁ ତା’ର ହିସାବ ନାହିଁ । ତା’ ଭିତରେ ଆହୁରି ସେଥିରେ ମନ ମାନୁ ନାହିଁ, ସେଭଳି ପୁରୁଷ ଓ ନାରୀମାନଙ୍କ ମଧ୍ୟରେ ପୁଣି ବିବାହ ଚାଲିଛି । ଜୀବନରେ ବହୁବାର ଭିନ୍ନ ଭିନ୍ନ ପୁରୁଷଙ୍କୁ ସଙ୍ଗରେ ଧରି ମଧୁଚନ୍ଦ୍ରିକା ପାଇଁ କେତେ ଦେଶ ଦେଶାନ୍ତର ଯାଉଛନ୍ତି । ପାଶ୍ଚାତ୍ୟ ଢଙ୍ଗରେ ଚଳିବାକୁ ହେଲେ ବହୁତ ପଇସା ଦରକାର । ସେମାନଙ୍କ ପାଖରେ ପ୍ରଚୁର ଅର୍ଥ ଅଛି । ସେମାନେ ଯାହା ଚାହିଁବେ ତାହା କରିପାରିବେ । କିନ୍ତୁ ସମସ୍ତଙ୍କ ରୁଚି ସମାନ ନୁହେଁ । ଆମେ ଦେଖୁଛୁ ଜଣକ ପାଖରେ ସବୁ କଥା ଥାଇ ସେ ଚୋରି କରୁଛି । ଅଥଚ ଅନ୍ୟ ଜଣେ ମୁଠାଏ ଖାଇବାକୁ ନ ପାଇ ନିରବରେ ଆଖି ମୁଦି ଦେଉଛି । ସାଧାରଣତଃ ଅଭିନେତା-ଅଭିନେତ୍ରୀମାନଙ୍କ ସମାଜରେ ଏଭଳି ଜୀବନଶୈଳୀ ବେଶୀ ଦେଖାଯାଉଛି । ଆଜିକାଲି ଯେତେ ପାରିବ ଖାଲି ମନୋରଞ୍ଜନ କର । ଜୀବନଟା କେବଳ ମନୋରଞ୍ଜନଧର୍ମୀ ହୋଇଯାଉଛି । ଏସବୁ କଥାରେ ମୁଣ୍ଡ ପୁରାଇ ଚାରୁହାସିନୀର ମନଟା କେମିତି ଗୋଳମାଳିଆ ଧରିଗଲା । ସେ ମନେ ମନେ ଭାବିଲା- ଓଧକୁ ଦେଖି ଭୁଆଁ ବିଲେଇ ବାଇ ହେଲେ କ’ଣ ଚଳିବ ?

ଜଗତୀକରଣ ଆଳରେ ଅଧୁନା ନାରୀ ସଶକ୍ତିକରଣ ନାମରେ ଆମ ଦେଶ ଆଇନ ପ୍ରଣୟନ କରୁଥିଲେ ସୁଦ୍ଧା ପ୍ରକୃତ ପକ୍ଷେ ଜଣେ ନାରୀର ହୃଦୟକୁ କ’ଣ ବଦଳାଇ ହେବ ? ତା’ର ଜନ୍ମ କ’ଣ ପୁରୁଷ ବିରୋଧରେ ଯିବ ? ପୁରୁଷ ସହିତ ସମାନ ଆସନରେ ବସିପାରେ । ଏହା ବୋଲି କ’ଣ ପୁରୁଷକୁ ପଦାଘାତ କରି ଫୋପାଡ଼ି ଦେଇ ସେ ସେଠାରେ ଆସନ ଜମାଇ ବସିପାରିବ । ପୁରୁଷକାର ବ୍ୟତିରେକ ନାରୀତ୍ୱର ଯେ ଅସ୍ତିତ୍ୱ ରହିବ ନାହିଁ- ଏହା ସମସ୍ତେ ସ୍ୱୀକାର କରିବେ । ପୁରୁଷ ପାଇଁ ନାରୀ ଓ ନାରୀ ପାଇଁ ପୁରୁଷର ମହତ୍ତ୍ୱ ବଢ଼େ । ପ୍ରତ୍ୟେକ ନିଜ ନିଜ ସ୍ଥାନରେ ରହି ସ୍ୱଧର୍ମ ପାଳନ ପୂର୍ବକ ଆପଣାର କର୍ତ୍ତବ୍ୟ ସମ୍ପାଦନ କରିବା ଏକାନ୍ତ ବାଞ୍ଛନୀୟ । ତଦ୍ଦ୍ୱାରା ବିଶ୍ୱଗୃହ ସରସ ସୁନ୍ଦର ହୋଇ ହସି ଉଠେ ।

ଏହିଭଳି ସେଦିନ ଚାରୁହାସିନୀ ଭାବି ଚାଲିଛି କେତେ କ’ଣ ଅନ୍ୟମନସ୍କ ଭାବରେ । ତା’ର ଭାବନାର ଯେପରି ଅନ୍ତ ନାହିଁ । ରାତି ଆସି ସନ୍ଧ୍ୟାବେଳ ଗଡ଼ି ଗଲାଣି । ଠିକ୍ ଏତିକିବେଳେ ତା’ର ମାଆ ସେଠାରେ ପହଞ୍ଚି ଡାକିଲେ “ଚାରୁ” !

ଲୋକପ୍ରିୟ ଲେଖା

To Top