ଗଳ୍ପ

ଚତୁର୍ଥ ମାଙ୍କଡ଼

Biraja Routray's odia story Chaturtha Maankada

ଆରଥର କହିଲାରୁ ସ୍କୁଲ୍‌ର ପୁଅଝିଅମାନଙ୍କ ଭିତରେ ରକ୍ଷାବନ୍ଧନ କରାଇଥିଲୁ । ଭାବିଥିଲୁ, କଥାଟା ଏଇଠି ଥମିଯିବ । ହେଲେ, ଏବେ ପୁଣି ଯୋଉ କଥାକୁ ସେଇ କଥା ।

ଚତୁର୍ଥ ମାଙ୍କଡ଼

ସମସ୍ତେ ଚାହିଁ ରହିଥିଲେ ତିଆଡ଼ି ଆଜ୍ଞାଙ୍କ ଆଡ଼କୁ । ସମସ୍ତଙ୍କ ମୁହଁରେ ଉତ୍ସୁକତା । ସମସ୍ତଙ୍କ ମୁହଁରେ ଉଦ୍‌ଗ୍ରୀବତା । କ’ଣ ଏହାର ସମାଧାନର ବାଟ ଫିଟିବ ନା ନାହିଁ ? କ’ଣ କହିବେ ଆଜ୍ଞା ? ଏହିଭଳି ପ୍ରଶ୍ନ ସବୁ ଉଙ୍କି ମାରୁଥିଲା ଉପସ୍ଥିତ ଲୋକମାନଙ୍କ ମନରେ । ସାରା ପରିବେଶ ଥିଲା ଚୁପ୍‌ଚାପ୍ । ସଭିଁଙ୍କ ମନଗହନରେ ଲାଗିରହିଥିଲା ଅନ୍ତର୍ଦ୍ୱନ୍ଦ । ବାହାରକୁ ତୁନି ହୋଇ ସିନା ବସିପଡ଼ିଥିଲେ, ହେଲେ ଭିତରେ ଭିତରେ ସବୁ ହୋଇ ଉଠୁଥିଲେ ଅସ୍ଥିର । ବ୍ୟଗ୍ର ହୋଇ ପଡୁଥିଲେ ଶୁଣିବାକୁ, କେତେବେଳେ ତିଆଡ଼ି ଆଜ୍ଞା ପାଟି ଫିଟାଇବେ ।

ମୌନ ହୋଇ ବସିରହିଥିଲେ ବାସୁଦେବ ତିଆଡ଼ି । ତାଙ୍କ ଚିନ୍ତିତ କପାଳର ରେଖାଗୁଡ଼ିକ ଭାଙ୍ଗପଡ଼ି ଆହୁରି ଗମ୍ଭୀର ଦିଶୁଥିଲା । ଲାଗୁଥିଲେ ଯେପରି ବଡ଼ ବିଷମ ଅବସ୍ଥାରେ ପଡ଼ିଯାଇଛନ୍ତି । କ’ଣ ଯେ କରି ସମାଧାନର ବ୍ୟବସ୍ଥାଟିଏ କରିବେ, ସେହି ଚିନ୍ତା ଘାରୁଥିଲା ମୁଣ୍ଡକୁ । ବେଳେବେଳେ ନିଜର ଦୁଇ ଆଖିକୁ ପହଁରାଇ ଆଣୁଥିଲେ ସାମ୍ନାରେ ମଣିଷମାନଙ୍କ ଉପରେ । କ’ଣ ଭାବି ପୁଣି ନିରବି ଯାଉଥିଲେ ।

ଏତିବେଳେ ପାଟଳିପଙ୍କ ଗାଁର ଅପର୍ତି ପ୍ରଧାନ ପାଟି ଫିଟାଇଲା, “ଆଜ୍ଞା ପୂର୍ବଥର ଯୋଉ ସମାଧାନର ବାଟଟା ବାହାର କରିଥିଲେ ସେଇଟା ଫେଲ୍ ମାରିଲା । ଏବେ କ’ଣ କରିବା କୁହନ୍ତୁ ? ଏମିତି କିଛି ବାଟ କରନ୍ତୁ ଯେପରି ଏହାର ସ୍ଥାୟୀ ମୀମାଂସା କିଛି ବାହାରି ପାରିବ । ହପ୍ତାଟି ହେଲାଣି ଗାଁ ପିଲା ନା ସ୍କୁଲ୍‌କୁ ଯାଇପାରୁଛନ୍ତି ନା ପାଠପଢ଼ି ପାରୁଛନ୍ତି । ସବୁ କିଛି ପୁଣି ବେଲଗାମ୍ ହୋଇଯାଇଛି ।” ଅପର୍ତି ମୁହଁରୁ ଏତିକି ସରିଛି କି ନାହିଁ ବ୍ରହ୍ମଗାଡ଼ିଆ ଗାଁର ବୈଷ୍ଣବ ପ୍ରଧାନ ସେଥିରେ ଆଉ ଦୁଇ ପଦ ଯୋଡ଼ି କହିଲା, “ହଁ ଆଜ୍ଞା କିଛି ଗୋଟାଏ ବ୍ୟବସ୍ଥା କରନ୍ତୁ । ନହେଲେ ଏ ଟୋକା ଦଳ ମଣିଷକୁ ବସେଇ ଉଠେଇ ଦେବା ବନ୍ଦ କରିଦେବ । ବିଲ୍‌କୁଲ୍ କାହା କଥା ଶୁଣିବା ଅବସ୍ଥାରେ ନାହାଁନ୍ତି । ଆରଥର କହିଲାରୁ ସ୍କୁଲ୍‌ର ପୁଅଝିଅମାନଙ୍କ ଭିତରେ ରକ୍ଷାବନ୍ଧନ କରାଇଥିଲୁ । ଭାବିଥିଲୁ, କଥାଟା ଏଇଠି ଥମିଯିବ । ହେଲେ, ଏବେ ପୁଣି ଯୋଉ କଥାକୁ ସେଇ କଥା ।”

ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ କମେଣ୍ଟ୍ ମାରିବା ଘଟଣାକୁ ନେଇ ଦୁଇ ଗାଁ ପାଟଳିପଙ୍କ ଓ ବ୍ରହ୍ମଗାଡ଼ିଆ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଦୁଇ ଗାଁର ଟୋକାଦଳ ମୁଣ୍ଡ ପୂରାଇଥିଲେ ଘଟଣାଟିରେ । ପ୍ରଥମେ ବଚସା ପରେ ହାତାହାତି ଯାଏ କଥା ବଢ଼ିଯାଇଥିଲା । ବିବାଦ ଥମିବାର କିଛିଦିନ ହେଲାଣି ସେହି ଅସନ୍ତୋଷର ନିଆଁ ମଧ୍ୟରେ ଆଉଟୁପାଉଟୁ ହେଉଥାନ୍ତି ଦୁଇ ଗାଁର ସାଧାରଣ ବାସିନ୍ଦା । ପିଲାମାନଙ୍କର ସ୍କୁଲ୍ ଯିବା ବନ୍ଦ । ସେମାନଙ୍କ ପାଠ ଘରେ ଯେପରି ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ଏକଥା ବୁଝିବାକୁ ଟୋକାମାନେ ନାରାଜ୍ । ଓଲଟି ସେମାନଙ୍କ ଏହି ଗଣ୍ଡଗୋଳରେ ସାମିଲ କରାଇଛନ୍ତି ଆଣି ପିଲାମାନଙ୍କୁ । ପ୍ରତିବାଦରେ ସ୍କୁଲ ଗେଟ୍‌ରେ ତାଲା ଝୁଲୁଛି । କିଏ ଜାଣେ କେବେ ଏହାର ସମାଧାନ ହେବ । ସ୍କୁଲ୍ ଖୋଲିବ । ପୁଣି ପାଠପଢ଼ା ହେବ ।

ସ୍ଥିର ଚିତ୍ତରେ ସବୁକଥା ଶୁଣି ଚାଲିଥିଲେ ତିଆଡ଼ି ଆଜ୍ଞା । ଦୁଇ ଗାଁର ମୁରବିମାନେ ଆସି ଏକାଠି ହୋଇଥିଲେ ତାଙ୍କ ପିଣ୍ଡାରେ । ଆଖପାଖ ଦଶଖଣ୍ଡି ମୌଜାର ଭଲମନ୍ଦ, ହାନିଲାଭ ଯାହା କିଛି ନିଶାପ ହୁଏ ସବୁ ଏଇଠି ହୋଇଥାଏ । ଅହିଂସାର ପୂଜାରୀ ବାସୁଦେବ ତିଆଡ଼ି । ପୁରୁଣା ଗାନ୍ଧିବାଦୀ ମଣିଷ ବୋଲି ତାଙ୍କୁ ସଭିଏଁ ଜାଣନ୍ତି । ନ୍ୟାୟ ନିଶାପ କଲାବେଳେ ପାଖରେ ଥୋଇଥାନ୍ତି ମହାତ୍ମାଗାନ୍ଧୀଙ୍କର ଫଟୋଟିଏ । ସେହି ଫଟୋରେ ଶୋଭା ପାଉଥାଏ ଗାନ୍ଧିଙ୍କ ଛବି ଆଉ ତାଙ୍କର ତିନି ମାଙ୍କଡ଼ । ଉଭୟ ପକ୍ଷର ସବୁକଥାକୁ ଧୀର ସ୍ଥିର ଭାବରେ ଶୁଣି ନିଜର ମତ ରଖନ୍ତି । ସମସ୍ତେ ଅଚିରେ ଗ୍ରହଣ କରି ନିଅନ୍ତି ତାଙ୍କ ପରାମର୍ଶକୁ ।

ନିଜର ଅଶୀ ବର୍ଷର ଉର୍ଦ୍ଧ୍ଵ ଜୀବନକାଳରେ ଅନେକ ନ୍ୟାୟନିଶାପ କରିଆସିଛନ୍ତି । ସବୁଥର ଏଇ ତିନି ମାଙ୍କଡ଼ର ଉଦାହରଣ ଦେଇ ଝାମେଲା ତୁଟାଇଥାନ୍ତି । କାହାକୁ ଖରାପ କାମ ନ କରିବାକୁ, କାହାକୁ ନ ଶୁଣିବାକୁ, କାହାକୁ ନ ଦେଖିବାକୁ ଉପଦେଶ ଦେଇ ଖୁବ୍ ସରଳ ଭାବରେ ଛିଣ୍ଡାଇ ଦିଅନ୍ତି କଳିର ସୂତ୍ର । ତାଙ୍କ ମତରେ ଏଇ ତିନି ମାଙ୍କଡ଼ର ମାର୍ଗକୁ ପାଥେୟ କଲେ ମଣିଷ ମଣିଷ ଭିତରେ, ଗୋଷ୍ଠୀ ଗୋଷ୍ଠୀ ଭିତରେ ଆଉ କନ୍ଦଳ କିଛି କହିବ ନାହିଁ । ସବୁ ହୋଇଯିବ ଠିକ୍ଠାକ୍ । ସବୁ ଚାଲିବ ତା’ ବାଟରେ ।

ଏହି ଦୁଇ ଗାଁର ଅଛିଣ୍ଡା ଗଣ୍ଡଗୋଳକୁ ନେଇ ସେଦିନ କାହିଁକି ଖୁବ୍ ମର୍ମାହତ ଜଣାପଡୁଥିଲେ ସେ । ଏହା ପୂର୍ବରୁ ବି ଦୁଇ ଗାଁର ମୁରବି ଏକାଠି ହୋଇଥିଲେ । ସେତେବେଳେ ଘଟଣାଟିର ଆପୋଷ ବୁଝାମଣା ପାଇଁ ରକ୍ଷାବନ୍ଧନର ପ୍ରସ୍ତାବ ହେଇଥିଲେ । ସ୍କୁଲ୍‌ର ସବୁଝିଅ ସବୁ ପୁଅମାନଙ୍କ ହାତରେ ବାନ୍ଧିଥିଲେ ରାକ୍ଷୀ । ଭାବିଥିଲେ କମେଣ୍ଟ୍ ମରା ପରି ସାମାନ୍ୟ ଘଟଣାଟିକୁ ଭୁଲି ସ୍ନେହର ଡୋରରେ ବାନ୍ଧି ହୋଇଯିବେ ସମସ୍ତେ । ସ୍ୱାଭାବିକ୍ ହୋଇଯିବ ସ୍କୁଲ୍‌ର ପାଠପଢ଼ା । ସେଥିରୁ ଉପୁଜିଥିବା ଦୁଇ ଗାଁର ମନାନ୍ତର । ଟୋକାଦଳଙ୍କ “ଯୁଦ୍ଧଂ ଦେହି” ଡାକରା ।

ଢେର୍ ସମୟ ନିରବ ରହିଲା ପରେ ପାଟି ଖୋଲିଲା । ଖାଲି କହିଲେ, “ଚତୁର୍ଥ ମାଙ୍କଡ଼. . . ହଁ. . . ହଁ. . . ଚତୁର୍ଥ ମାଙ୍କଡ଼ ।” ସଭିଏଁ ଉତ୍କଣ୍ଠାର ସହ ହାଁ କରି ଚାହିଁ ରହିଥିଲେ ତାଙ୍କ ଆଡ଼କୁ । ସେଠୁ ତିଆଡ଼ି ଆଜ୍ଞା କଥାଟା ପରିଷ୍କାର କଲେ, ତିନି ମାଙ୍କଡ଼, ଦ୍ୱାରା ଏ କାମ ନୁହେଁ । ଏଇଠି ଆବଶ୍ୟକ ଚତୁର୍ଥ ମାଙ୍କଡ଼ । ଯାହାର ହାତଗୋଡ଼ ହୋଇଥିବ ବନ୍ଧା ଖରାପ କାମ ନ କରିବାକୁ । ଏତିକି କହି ସେ ତିନି ମାଙ୍କଡ଼ ଫଟୋ ଆଡ଼େ ଚାହିଁ ରହିଲେ । ସେଠି ଦେଖୁଥିଲେ ସେହି ଶୂନ୍ୟ ସ୍ଥାନକୁ ।

ଲୋକପ୍ରିୟ ଲେଖା

To Top