ଗଳ୍ପ

ଚେତନା

ପବିତ୍ରତା କହିଲେ କ୍ଲବ୍ ଯିବା, ମଦ ପିଇବା ଏବଂ ରୂପଜୀବିମାନଙ୍କ ସହ ଡ୍ୟାନ୍ସ କରିବା ଆଜିକାଲି ସମାଜର ଆଦର୍ଶ ପୁରୁଷ । କଥାଟା ସତ ଯେତିକି ଯନ୍ତ୍ରଣା ତହିଁରୁ ଅଧିକ ।

ଚେତନା

ନୂତନବର୍ଷକୁ ସ୍ୱାଗତ୍ କରିବା ନିମନ୍ତେ ଆମ କ୍ଲବରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଓ ପୁରାତନ ସମସ୍ତ ସଭ୍ୟ ଯୋଗ ଦେବାକୁ ବାଧ୍ୟ । ମୋର କ୍ଲବ ସହ କେବେ ସମ୍ପର୍କ ନ ଥିଲା । ସୋମେନ୍ ମୋତେ ବାଧ୍ୟ କରି ସେହି କ୍ଲବ୍‌ରେ ସଭ୍ୟ କରାଇ ଦେଇଛି । ନିଜର କାର୍ଯ୍ୟବ୍ୟସ୍ତତା ପାଇଁ କ୍ଲବ୍ ବରାବର ଯିବା ସମ୍ଭବ ହୁଏନା । କିନ୍ତୁ ଯୋଉଦିନ ଏଇ ସହରରେ ଥାଏ ସେହିଦିନ ସୋମେନ୍‌ର ଟେଲିଫୋନ୍- “ରତିକାନ୍ତ ! ଆସ କ୍ଲବ୍ ଯିବା । ମୁଁ ଅପେକ୍ଷା କରିଛି ।” ସୋମେନ୍ କଥା ଭାଙ୍ଗି ନ ପାରି ସନ୍ଧ୍ୟା ୭ଟା ସୁଦ୍ଧା ସୋମେନ୍ ଘରକୁ ଗଲେ ସାଙ୍ଗ ହୋଇ କ୍ଲବ୍ ଯାଉ । କ୍ଲବ୍‌ଟା ସୋମେନ୍ ଘର ପାଖରେ । ଫେରୁ ଫେରୁ ରାତି ୧୨ଟା କି ୧ଟା ହୁଏ । ମୁଁ ସୋମେନ୍‌କୁ ଘର ଭିତରେ ଛାଡ଼ି ମୋ ଘରକୁ ଫେରେ । କାରଣ ସୋମେନ୍ କ୍ଲବ୍‌ରେ ବହୁତ ପିଇଦିଏ । ତା’ ପକ୍ଷରେ ଏକା ଚାଲି ଚାଲି ଘରକୁ ଫେରିବା ସମ୍ଭବ ହୁଏନି । ଘରେ ତା’ର ପତ୍ନୀ ସରିତା ତାକୁ ଅପେକ୍ଷା କରି ଡାଇନିଂ ଟେବୁଲ୍ ପାଖରେ ବସିଥାଏ । ଯୋଉଦିନ ମୁଁ ନ ଥାଏ ସେଦିନ କ୍ଲବ୍ ପିଅନ ସୋମେନ୍‌କୁ ଘରେ ଛାଡ଼ି ଦେଇ ଯାଏ ବୋଲି ଶୁଣିଛି ।

ମୁଁ ଗୋଟାଏ ନାମୀ ସଫଟ୍ୱେୟାର୍ କମ୍ପାନୀରେ ପବ୍ଲିକ୍ ଅଫିସର ଭାବେ ବାଙ୍ଗାଲୋର୍‌ରେ କାର୍ଯ୍ୟ କରୁଥିଲି । ପିଲାଦିନୁ ମୁଁ ଜଣେ ସ୍ୱାଧୀନଚେତା ମେଣ୍ଟାଲିଟିର ବ୍ୟକ୍ତି ଥିବାରୁ ସେ ଚାକିରୀ ଛାଡ଼ି ସାମ୍ୱାଦିକତାକୁ ବୃତ୍ତିଭାବେ ଗ୍ରହଣ କରିନେଲି । ପାଠ ପଢ଼ିଲାବେଳେ ସାମ୍ୱାଦିକତାରେ ସ୍ନାତକ କରିଥିଲି । ପରେ ଡକ୍ଟରେଟ୍ କରିଥିଲି । ଦିଲ୍ଲୀରୁ ପ୍ରକାଶିତ ଏକ ପ୍ରଖ୍ୟାତ ସମ୍ୱାଦପତ୍ରର ନିଜସ୍ୱ ପ୍ରତିନିଧି ରୂପେ କାର୍ଯ୍ୟ କଲି । ମୋର ବହୁ ଲେଖା, ସମାଲୋଚନା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ସାମ୍ୱାଦିକ ଭାବେ ଆନ୍ତର୍ଜାତୀକ ସ୍ତରରେ ବିଭିନ୍ନ ସମ୍ମିଳନୀରେ ପେପର୍ ଉପସ୍ଥାପନ କରି ସମ୍ମାନୀତ ହୋଇଛି । ଏଇ ସହରରେ ସାମ୍ୱାଦିକତା କରିବାର ସ୍ଥିର କରି ରହୁଛି ।

ବିଭିନ୍ନ ସାମ୍ୱାଦିକ ସମ୍ମିଳନୀରେ ଯୋଗ ଦେଇ ବହୁ ଜଟିଳ ପ୍ରଶ୍ନ ପଚାରି ଅସ୍ତବ୍ୟସ୍ତ କରିଛି ଡାକିଥିବା ବ୍ୟକ୍ତିଙ୍କୁ । ସରକାରଙ୍କ ସେହି ନିୟମ ଉପରେ ସୋମେନ୍ କେତେଥର ସାମ୍ୱାଦିକ ସମ୍ମିଳନୀରେ ମୋ ଦ୍ୱାରା ଅପଦସ୍ତ ହୋଇଛି । ଆଉ ସେହି ଅପଦସ୍ତରୁ ଆରମ୍ଭ ହୁଏ ସୋମେନ୍ ସହ ବନ୍ଧୁତ୍ୱ । ମୋର ସାମ୍ୱାଦିକତ୍ୱକୁ ବହୁତ ସମ୍ମାନ ଏବଂ ଆଦର କରେ ସୋମେନ୍ । ମୁଁ କାମଳ ସାମ୍ୱାଦିକତା କରିନାହିଁ କିମ୍ୱା କରେ ନାହିଁ ।

ନୂତନ ବର୍ଷର କାର୍ଯ୍ୟକ୍ରମ ପାଇଁ ମୋର ବହୁତ ଏନ୍‌ଗେଜ୍‌ମେଣ୍ଟ୍‌ । କ୍ଲବ୍ ଯିବାକୁ ସମୟ ନାହିଁ । ଶିକ୍ଷକ ଓ ଚାଷୀ ଆନ୍ଦୋଳନ ଉପରେ ସାମ୍ୱାଦିକ ସମ୍ମିଳନୀ । ପୁଣି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଡାକ୍ତରଙ୍କ ଅବହେଳା ପାଇଁ ଦେହାନ୍ତ ସମ୍ୱନ୍ଧରେ ଡାକ୍ତରଙ୍କ ସାକ୍ଷାତ୍‌କାର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାପାଇଁ । ନୂତନବର୍ଷ ପାଇଁ ଏକ ଲେଖା ପ୍ରସ୍ତୁତ କରି ପ୍ରକାଶ ନିମନ୍ତେ ଦିଲ୍ଲୀ ପଠାଇବାକୁ ପଡ଼ିବ । ଏତେ ବ୍ୟସ୍ତତା ଭିତରେ ସୋମେନ୍‌ର ବାରମ୍ୱାର ଟେଲିଫୋନ୍- “ରତିକାନ୍ତ ! ଯାହା କାମ ଥାଉ ପଛେ ସନ୍ଧ୍ୟା ୭ଟାରେ ମୋ ଘରେ ପହଞ୍ଚିବ ସାଙ୍ଗ ହୋଇ କ୍ଲବ୍ ଯିବା ।”

ସୋମେନ୍ ଜଣେ ବ୍ରିଲିଆଣ୍ଟ୍ ପିଲା । ଜୀବନରେ କେବେ ପାଠପଢ଼ାରେ ସେକେଣ୍ଡ୍ ହୋଇନି, ଅବଶ୍ୟ ମଫସଲ ଅଞ୍ଚଳର ପିଲା । ସ୍କୁଲ୍ ଏବଂ କଲେଜ୍‌ରେ ସବୁବେଳେ ଟପର୍ । ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏମ୍.ଏ.ରେ । କିଛିଦିନ ଅଧ୍ୟାପକ ଭାବେ କାର୍ଯ୍ୟ କଲା ପରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ଚାକିରୀରେ ଯୋଗ ଦେଲା । ସେ ଚାକିରୀ କୌଣସି କାରଣରୁ ଭଲ ନ ଲାଗିବାରୁ ଇସ୍ତଫା ଦେଇ ଏକ ବୃହତ୍ ସଫ୍ଟୱେୟାର୍ କମ୍ପାନୀର ସର୍ବେସର୍ବା ଚେଆରପର୍ସନ୍ ଭାବେ କାର୍ଯ୍ୟରତ । ବହୁ ଦରମା, ଖର୍ଚ୍ଚ କରିବାର ସୁବିଧା ନାହିଁ । ଦୁଇ ଦୁଇଟା ଦାମୀ ଗାଡ଼ି । ସେ ସରକାରୀ ଚାକିରୀ କରିଥିବାବେଳେ ମୋର ପରିଚୟ ଓ ବନ୍ଧୁତ୍ୱ ।

ଗାଡ଼ିରେ ଗଲାବେଳେ ମୁଁ କହିଲି “ବୁଝିଲ ସୋମେନ୍ ! ମୋର କାର୍ଯ୍ୟ କରିବାର ପଦ୍ଧତି ଏବଂ ତମର କାର୍ଯ୍ୟ କରିବାର ପଦ୍ଧତି ସମ୍ପୂର୍ଣ୍ଣ ଅଲଗା । ପୂର୍ବ ଓ ପଶ୍ଚିମ କେବେ ଏକାଠି ହୋଇପାରିବନି । ତେଣୁ ମୋ କାମ ମୋତେ କରିବାକୁ ଦିଅ ।” ସୋମେନ୍ ଉତ୍ତର କହିଲା- “ରତିକାନ୍ତ ! ଜୀବନଟା କ’ଣ ସବୁବେଳେ କର୍ମମୟ । ସବୁ ସମୟ କର୍ମମୟ ହେଲେ ମଧ୍ୟ ତାହା ଭିତରୁ କିଛି ସମୟ ବାହାର କରି ଜୀବନକୁ ଉପଭୋଗ କରିବା ଉଚିତ୍ ।” ମୁଁ ଚୁପ୍ ହୋଇଗଲି । ସୋମେନ୍ ସହ ଯୁକ୍ତି କରି କିଛି ଲାଭ ନାହିଁ ।

ଏଇ କଥାବାର୍ତ୍ତା ଭିତରେ ଆମେ ପହଞ୍ଚିଯାଇଛୁ କ୍ଲବ୍‌ରେ । ନୂତନବର୍ଷ ପାଇଁ କ୍ଲବ୍ ଆଲୋକମାଳାରେ ସଜ୍ଜିତ ହୋଇଛି । ନିରସିକ ସାମ୍ୱାଦିକ ପାଇଁ ଏ ପ୍ରକାର ପରିବେଶ ଆଦୌ ଗ୍ରହଣଯୋଗ୍ୟ ନୁହେଁ । ତଥାପି କ୍ଲବ୍‌ର ସଭ୍ୟଭାବେ ଏ ପ୍ରକାର ପରିବେଶକୁ ଆପଣେଇ ନେବା ଉଚିତ୍ ବୋଲି ସ୍ଥିରକରି ସୋମେନ୍ ସହ କ୍ଲବ୍ ଭିତରକୁ ଗଲି । କ୍ଲବ୍‌ରେ କୌଣସି କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ । ମୁଁ କ୍ଲବ୍‌ର କଣରେ ପଡ଼ିଥିବା ଟେବୁଲ୍ ପାଖରେ ବସି ସତର୍କ ଦୃଷ୍ଟିରେ ଚାହିଁ ରହିଲି କାର୍ଯ୍ୟକ୍ରମ କ’ଣ ?

ମୁଁ କୋକାକୋଲା ବୋତଲ ମଗେଇ ପିଇବାବେଳେ ସୋମେନ୍ ବାବୁ ଚାଲିଲେ “ମଧୁଶାଳା” ରୁମ୍‌କୁ ଯେଉଁଠି ପ୍ରଚୁର ସାମ୍ପେନ୍, ହୁସ୍କି କାରବାର । ମୁଁ କୋକାକୋଲା ପିଇଲାବେଳେ ମନେପଡ଼ିଲା “ସରିତା” କଥା । ମୁଁ ଥରେ ଦୁଇଥର ଯାଇଛି ସୋମେନ୍ ଘରକୁ । ସରିତା ସହ କଥାବାର୍ତ୍ତା ମଧ୍ୟ ହେଇଛି । ଅତି ଧୀର ସ୍ଥିର ଝିଅ । ଭଦ୍ର ଓ ନମ୍ର ବ୍ୟବହାର । ଅଧିକାଂଶ ସମୟରେ ଠାକୁର ପୂଜାରେ ବ୍ୟସ୍ତ । ଦେଖିବାକୁ ବହୁ ସୁନ୍ଦର, ଗୋରା ଦୁଧ ଅଳତା ରଙ୍ଗ । ଦେଖିଲେ ଆଖି ହୁଏତ ଫେରାଇବାକୁ ଇଚ୍ଛା ହେବନି । ଏମିତି ଝିଅକୁ ସୋମେନ୍‌ର ପସନ୍ଦ ହୁଏ ନାହିଁ ବୋଧହୁଏ ।

ସୋମେନ୍‌ଙ୍କ ବାପା ସରକାରୀ ଚାକିରୀରୁ ଅବସର ନେଇଛନ୍ତି । ଜୀବନରେ ସେ ବହୁତ ଉପରକୁ ଉଠିଥିଲେ । ସାମାନ୍ୟ ଓ.ଏ.ଏସ୍. ଅଫିସର୍ ହୋଇ ଯୋଗ ଦେଇଥିଲେ ସରକାରୀ ଚାକିରୀରେ । ସେ ପଦୋନ୍ନତି ପାଇ ପାଇ ଆଇ.ଏ.ଏସ୍. ହୋଇ ସେକ୍ରେଟାରୀ ହୋଇ ଅବସର ନେଲେ । ସୋମେନ୍ ଛଡ଼ା ତାଙ୍କର ଆଉ ସନ୍ତାନ ନାହାନ୍ତି । ବହୁଦିନରୁ ବିପତ୍ନୀକ । ସ୍ତ୍ରୀଙ୍କର ଦେହାନ୍ତ ପରେ ସେ ଆଉ ବିବାହ କରିନାହାନ୍ତି ସୋମେନ୍‌ଙ୍କ ପାଇଁ । କାଳେ ଦ୍ୱିତୀୟ ପତ୍ନୀ ସୋମେନ୍‌ଙ୍କ ବେଶ୍ କିଛି ଅସୁବିଧା କରିବାର ସମ୍ଭାବନା ଥିବାରୁ । ସୋମେନ୍‌ର ବାପା ଏବଂ ମା’ ହୋଇ ସବୁ ଯତ୍ନ ନେଇ ମଣିଷ କଲା ପରେ ସୋମେନ୍ ପାଲଟି ଯାଇଥିଲେ ଜଣେ ମଦ୍ୟପ । ଚରିତ୍ର ବୋଲି କିଛି ନାହିଁ । ସେଇଥିପାଇଁ ଖୋଜି ଖୋଜି ସରିତା ପରି ଗୁଣବତୀ ବୋହୂଟିଏ ଆଣିଲେ । ସରିତା ଉଚ୍ଚଶିକ୍ଷିତା, ସମ୍ଭ୍ରାନ୍ତ ପରିବାରର ଝିଅ । ସେ ଘର କ’ଣ ବୁଝେ, ସ୍ୱାମୀ ଓ ଶଶୁରଙ୍କର ଚର୍ଚ୍ଚା ବୁଝି ଠିକ୍ କରେ । ଘରେ ବୋହୂ ଯାହା ଥିବା କଥା ତାହା ହିଁ ହୋଇଛି ସରିତା । କିନ୍ତୁ ସୋମେନ୍‌ର ପସନ୍ଦ ନାହିଁ ସରିତାକୁ । ସରିତା କ୍ଲବ୍ ଯାଏନା, ସୋମେନ୍ ସହ ଡ୍ୟାନ୍ସ କରେନା, ମଦ ପିଇବାରେ କମ୍ପାନୀ ଦିଏନା । ସୋମେନ୍ ପାଇଁ ସରିତାର ଏହି ଗୁଣ ଆଦୌ ପସନ୍ଦଯୋଗ୍ୟ ନୁହେଁ । ସୋମେନ୍ ବ୍ୟବହାର ସରିତା ପ୍ରତି ଅତି ରୁକ୍ଷ ଏବଂ ସମୟେ ସମୟେ ମଦ ନିଶାରେ ସରିତାକୁ ଆଘାତ କରିବାକୁ ପଛାଏ ନାହିଁ । ସୋମେନ୍‌ର ଏ ବ୍ୟବହାର ବେଶ୍ କିଛି କଷ୍ଟ ଦେଇଥିଲା ତାଙ୍କ ବାପାଙ୍କୁ । ବାପା ବୋଧହୁଏ ସେହି କଷ୍ଟ ଭୁଲି ନ ପାରି ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲେ ଆରପୁରକୁ । ରହିଥିଲେ ସରିତା । ସହ୍ୟ କରି ଚାଲିଲେ ସୋମେନ୍‌ଙ୍କର ଦୁର୍ବ୍ୟବହାର । ହୁଏତ ଅନ୍ୟ କେହି ହୋଇଥିଲେ ସେ ନିଶ୍ଚୟ ଆତ୍ମହତ୍ୟାର ପଥ ବାଛିନେଇ ଥାନ୍ତା । ଏଥିରେ ବାଧା ସୃଷ୍ଟି କରିଥିଲା ସୋମେନ୍ ଔରସରୁ ଏବଂ ସରିତାଙ୍କ ଗର୍ଭରୁ ଜନ୍ମ ନେଇଥିବା ଛୋଟ ପୁଅ ଜିତୁ । ତା’ ପାଇଁ ବୋଧହୁଏ ଜୀବନ ଧରି ବଞ୍ଚି ରହିଛନ୍ତି ସେ । ମୁଁ କେତେଥର ସୋମେନ୍ ଘରକୁ ଯାଇଛି । ସରିତା ସହ ପରିଚୟ ଅଛି । ଭାବନାରେ ବାଧା ଦେଇ ସୋମେନ୍ କହିଲେ- “ରତିକାନ୍ତ ! ଟିକେ ହେଇଯାଉ ଆଜିପରା ଦିନରେ ।” ମୁଁ କହିଲି- “ତମେ ଜାଣ ସୋମେନ୍ ମୁଁ କେବେ ପିଆପିଇ କରେନା । ତେଣୁ ଆଜି କାହିଁକି ଟିକେ ହେଇଯିବ । ମୁଁ ତ କୋକାକୋଲା ପିଇଛି । ତମେ ମୋ ପାଇଁ ବ୍ୟସ୍ତ ହେବା ଦରକାର ନାହିଁ ।” ସୋମେନ୍ କେତେଥର ଏହା ଭିତରେ ପିଇ ସାରିଲାଣି ତା’ର ହିସାବ ନାହିଁ । ମୋର କିନ୍ତୁ କୋକାକୋଲା ଏପର୍ଯ୍ୟନ୍ତ ଶେଷ ହୋଇନି ।

କେତେଥର ସୋମେନ୍ ମତେ କହିଛନ୍ତି- “ରତିକାନ୍ତ ! ସରିତାଟା ଅନାର୍ଯ୍ୟ, ଅସଭ୍ୟ । ସଭ୍ୟତା ବା ଆଧୁନିକ ସଭ୍ୟତା ତାକୁ ଜଣାନାହିଁ । ସେ ଏହି ସହରରେ ମୋ ସହ ଚଳିବାକୁ ଅଯୋଗ୍ୟ ।” ମୁଁ ଏ କଥାର ଉତ୍ତର ଦେଇ ପାରିଥାନ୍ତି । କିନ୍ତୁ କିଛି କହିନଥିଲି । ସ୍ୱାମୀଙ୍କର ସାଙ୍ଗ ସାଥିଙ୍କୁ ଗ୍ଲାସ୍‌ରେ ସୁରା ପରିବେଷଣ ନ କଲେ ସେ ନିଶ୍ଚୟ ଅଭଦ୍ର ଅସଭ୍ୟ ହୁଏ । ବାଃ, ଏହା ଏକ ଉନ୍ନତମାନର ଚିନ୍ତାଧାରା । ଧନ୍ୟ ତୁମ ଚାକିରୀ ଓ ଧନ୍ୟ ତୁମର ସଭ୍ୟତା । ଘୃଣା ଆସେ ସୋମେନ୍ ଉପରେ । ଏକ ଦେବୀପ୍ରତିମା ପତ୍ନୀ ଉପରେ ଏ ବ୍ୟବହାର ନିଶ୍ଚୟ ମାନସିକ ତଥା ଶାରୀରିକ ଯନ୍ତ୍ରଣାଦାୟକ ।

ଆସ୍ତେ ଆସ୍ତେ କ୍ଲବ୍ ମଧ୍ୟକୁ ପଶି ଆସୁଥାନ୍ତି ପତି ଓ ପତ୍ନୀମାନେ । ବେଶ ପୋଷାକ ଅତି ବିଚିତ୍ର । ବୋଧହୁଏ ପତ୍ନୀମାନେ ଶାଢ଼ୀ ବା ଡ୍ରେସ୍ ନ ପିନ୍ଧିଥିଲେ ଭଲ ହୋଇଥାନ୍ତା । ଟି.ଭି.ରେ ପରିବେଷଣ କରୁଥିବା ଫେଶନ୍ ସୋ’ର ଝିଅମାନଙ୍କ ଠାରୁ ହୀନ । ମୁଁ ଅବଶ୍ୟ ସେଆଡ଼େ ଚାହିଁବାକୁ ବଡ଼ କଷ୍ଟ ଅନୁଭବ କଲି । ତେବେ ସମସ୍ତେ ସିଧା ସିଧା ମଧୁଶାଳା ଭିତରକୁ । ମୁଁ ବୁଝିପାରୁଥିଲି କାରଣଟା କ’ଣ ? ମୋ ମନରେ ହେଲା ଏପରି ସ୍ଥାନକୁ ଆସିବା ଉଚିତ୍ ନୁହେଁ । ଏ ସଭ୍ୟତା ସହ ମୁଁ ଖାପ ଖୁଆଇ ଚଳିପାରିବିନି ।

ସୋମେନ୍ ମଦ ପିଇ ପିଇ ଆଖି ଲାଲ୍ ହେଲାଣି । ପାଦ ଟଳଟଳ ହୋଇପଡୁଛି । ସେହି ଅବସ୍ଥାରେ ମୋ ପାଖକୁ ଆସି ମୋ ହାତ ଧରି ଟାଣିବାକୁ ଲାଗିଲା । କହିଲା- “ଏଇ ଉତ୍ସବକୁ ଏନ୍ଜଏ କରିବାକୁ ହେଲେ ଟିକେ ପିଇବା ଦରକାର । ଆ’, ଟିକେ ପିଇ ଦେ’ ।” ମୁଁ ଏକଦମ୍ ନାରାଜ ହେଲି । କହିଲି- “ଭାଇ ! ମୁଁ ନିଶାସକ୍ତ ନୁହେଁ କିମ୍ୱା କେବେ ପିଆପିଇ କରେନି । ମୋତେ କ୍ଷମା କର ।”

ଏତିକିବେଳେ ହଲ୍ ଭିତରକୁ ପଶିଲେ ଜଣେ ରୂପସୀ ଯୁବତୀ । ତାଙ୍କ ବେଶ ଓ ପୋଷାକକୁ ଲକ୍ଷ୍ୟ କଲି । ସବୁ ନାରୀମାନଙ୍କଠାରୁ ଭିନ୍ନ । ବୋଧହୁଏ ସେ ଫେଶନ୍ ସୋ’ରୁ ସିଧା ଏହି କ୍ଲବ୍‌କୁ ଆସିଛନ୍ତି । ସେ ହଲ୍ ଭିତରକୁ ଆସି ଚାଲିଲେ ମଧୁଶାଳାକୁ । ତାଙ୍କ ମୁହଁକୁ ଦେଖି ମୋ ମନରେ କେମିତି ଚମକ ଆସିଲା । କୋଉଠି ଦେଖିଛି ଏହି ଝିଅକୁ । ବହୁତ ଭାବିବା ପରେ ମନେ ପଡ଼ିଲା । ଇଏ ହେଉଛି “ପ୍ରକୃତି ଅପା” । ଆମ ଗାଁର ରାଧୁ ମଉସାଙ୍କ ଝିଅ । ମୋଠାରୁ ୩/୪ ବର୍ଷ ବଡ଼ । ରାଧୁ ମଉସା ଆମ ଘରେ କୋଠିଆ ଥିଲେ । ଆମ ଗାଁରେ ଘର । ପ୍ରକୃତି ଅପାକୁ ପିଲାବେଳେ ହାଇସ୍କୁଲ୍ ପାଠ ପଢ଼ିବା ପର୍ଯ୍ୟନ୍ତ ଦେଖିଛି । ସବୁବେଳେ ନାକରୁ ସିଙ୍ଘାଣି ବାହାରୁଥିବ । ପେଟଟା ଭାତରନ୍ଧା ହାଣ୍ଡି ଭଳି ପଦାକୁ ବାହାରିଥାଏ । ଅଭାବ ପାଇଁ ଛିଣ୍ଡା ଫ୍ରକ୍ ପିନ୍ଧିଥାଏ । ସେଇ ପ୍ରକୃତି ଅପାକୁ ଦେଖି ଚିହ୍ନିବା ଅସମ୍ଭବ ମନେ ହେଉଛି ଆଜି । ଶୁଣିଥିଲି ରାଧୁ ମଉସା ସରକାରୀ ଅଫିସରେ ପିଅନ୍ ଚାକିରୀ ପାଇ ଗାଁ ଛାଡ଼ିଦେଲେ । ତାଙ୍କ ଭିଟାମାଟି ସେମିତି ପଡ଼ି ରହିଛି ।

ପ୍ରକୃତି ଅପା ମଧୁଶାଳା ରୁମ୍‌ରୁ ବାହାରି ହଲ୍ ଆଡ଼େ ଚାହିଁଲେ । ମୋତେ ଟେବୁଲ୍ କଣରେ ଦେଖି ମୋ ପାଖରେ ପହଞ୍ଚିଗଲେ ଓ କହିଲେ- “ରତି ! ତୁ କ’ଣ ଏଠି ?” ମୁଁ ଉତ୍ତର ଦେଲି “ମୁଁ କ୍ଲବ୍‌ର ସଭ୍ୟ । ମୋତେ ସୋମେନ୍ ସଭ୍ୟ କରିଛି ଏବଂ ଆଜି ସାଙ୍ଗରେ ଆଣିଛି ।” ସେ କହିଲା- “ଓ, ଆମ ସୋମେନ୍ ସହିତ ଆସିଛୁ ।” ମୁଁ ଉତ୍ତର ଦେଲି- “ହଁ, ବହୁତ ଦିନ ପରେ ତମ ସହିତ ଭେଟ । ତମେ କରୁଛି କ’ଣ ?” “ମୁଁ ବାପା ସହିତ ଏଇ ସହରକୁ ପଳେଇ ଆସିଲା ପରେ କଲେଜ୍‌ରେ ପାଠ ପଢ଼ିଲି । ସେ ଚାକିରୀ କରୁଥିଲେ । କଲେଜ୍‌ରେ ପଢ଼ିଲାବେଳେ ନିଜ ପସନ୍ଦ ମୁତାବକ ଗୋଟିଏ କଲେଜ୍ ପଢୁଆ ପୁଅକୁ ବାହାହେଲି । ସେ ଓ ମୁଁ ଭଲରେ ଚଳୁଥିବାବେଳେ ତାଙ୍କର ମଟର ସାଇକେଲ୍ ଦୁର୍ଘଟଣାରେ ମୃତ୍ୟୁ ହେଲା । ମୁଁ ଦୁଃଖରେ ଭାଙ୍ଗି ପଡ଼ିଲି । ବାପା ସରକାରୀ ଚାକିରୀରୁ ଅବସର ନେବା ପରେ ସୋମେନ୍ ବାବୁଙ୍କ ଅଫିସ୍‌ରେ ପିଅନ୍ ଚାକିରୀ କରୁଥିଲେ । ଚାକିରୀ କରୁଥିବାବେଳେ ବାପାଙ୍କ ଦେହାନ୍ତ ହେଲା । ବାପାଙ୍କ ଦେହାନ୍ତ ପରେ ସୋମେନ୍‌ବାବୁ ମୋତେ ତାଙ୍କ ଅଫିସ୍‌ରେ କ୍ଲର୍କ ଚାକିରୀ ଦେଲେ ଏବଂ ଏହି କ୍ଲବ୍‌ର ସଭ୍ୟ କରିଦେଲେ ।”

କି କଳୁଷିତ ଏଇ ସମାଜ ଓ ସମାଜର ପାତ୍ର ଓ ପାତ୍ରୀମାନେ । କି କୁସଂସ୍କାରରେ ଏମାନେ ଡୁବି ରହିଛନ୍ତି ତାହା ହିଁ ବାରମ୍ୱାର ମୋତେ ଆଘାତ ଦେଉଥିଲା । ଆଧୁନିକ ସଭ୍ୟତା ମଣିଷକୁ କେତେ ତଳକୁ ଖସାଇ ଦେଇଛି ଭାବି ହେଉନି । ଛାତ୍ରୀଙ୍କୁ ନିଷ୍ଠୁର ସମାଲୋଚନା କରିବା ହିଁ ମୋର ଧର୍ମ । ବୋଧହୁଏ ମଣିଷ ଅସଫଳ ହେଲେ ଜୀବନର ଭାର ବହନ କରିବାର ଏ ଗୋଟାଏ ଦିଗ । ଜୀବନଯଜ୍ଞରେ ପବିତ୍ରତା ବୋଲି କିଛି ନାହିଁ । ପବିତ୍ରତା କହିଲେ କ୍ଲବ୍ ଯିବା, ମଦ ପିଇବା ଏବଂ ରୂପଜୀବିମାନଙ୍କ ସହ ଡ୍ୟାନ୍ସ କରିବା ଆଜିକାଲି ସମାଜର ଆଦର୍ଶ ପୁରୁଷ । କଥାଟା ସତ ଯେତିକି ଯନ୍ତ୍ରଣା ତହିଁରୁ ଅଧିକ । ଯୌବନର ଯେଉଁ ଇଚ୍ଛା ଏମାନଙ୍କୁ କାଉଳା କରିନଥିଲା କାରଣ ସେମାନଙ୍କ ପାଖରେ ପ୍ରକୃତି ଅପା ପରି ଝିଅ ସହଜେ ମିଳିଯାଏ ଉପଭୋଗ କରିବାକୁ । ପ୍ରକୃତରେ ଏପରି ଜୀବନର ମୂଲ୍ୟ କିଛି ନାହିଁ । ମୁଁ ବ୍ୟସ୍ତ ହୋଇପଡ଼ିଲି । ଏ ପ୍ରକାର ପରିବେଶ ଆଦୌ ଭଲ ଲାଗିଲା ନାହିଁ । ମୁଁ ଚିନ୍ତା କରୁଛି ରହିବି ନା ଚାଲିଯିବି ।

ମୋ ଚିନ୍ତାର ଅବସାନ ଘଟାଇ ଆରମ୍ଭ ହେଲା ସଙ୍ଗୀତର ତାଳେ ତାଳେ କଲ୍ ଡ୍ୟାନ୍ସ, ବ୍ରେକ୍ ଡ୍ୟାନ୍ସ, ଡିସ୍କୋ ଇତ୍ୟାଦି । ମଦିରା ମତ୍ତ ହୋଇ କାହାର ଗୋଡ଼ ଠିକ୍ ପଡୁନାହିଁ । ଏଇ ବୋଧହୁଏ ଜୀବନର ସବୁଜିମା । ଘରେ ପତ୍ନୀର ଆବଶ୍ୟକତା କ’ଣ ? କିନ୍ତୁ ସଙ୍ଗୀତର ତାଳେ ତାଳେ ସମସ୍ତେ ନାଚିବାରେ ବ୍ୟସ୍ତ । ଏଇ କ୍ଲବ୍‌ର ହଲ୍ ଭିତରେ ମୁଁ ଅନୁଭବ କଲି ମଳୟ ପବନ ଧୀରେ ଧୀରେ ବହି ଆସୁଛି ଏବଂ ପୁଲକିତ କରୁଛି ସେହି ଡ୍ୟାନ୍ସରମାନଙ୍କୁ । ମୋ ଭାବନାରେ ବାଧା ଦେଇ ସୋମେନ୍ ମଦିରାରେ ଟଳଟଳ ହୋଇ କହିଲେ- “ରତି ! ଟିକେ ଡ୍ୟାନ୍ସ ହେଇଯାଉ ।” ମୁଁ ସୋମେନ୍‌କୁ ହାତ ଯୋଡ଼ି କ୍ଷମା ମାଗିଲି ଏବଂ କହିଲି- “ମୋତେ ସେଗୁଡ଼ା ଆସେନି ।” ସୋମେନ୍ ପୁଣି ଡ୍ୟାନ୍ସ କରିବାକୁ ହଲ୍ ମଝିକୁ ଚାଲିଗଲେ । ପ୍ରକୃତି ଅପା ସହ ଡ୍ୟାନ୍ସରେ ମଜିଗଲେ ସୋମେନ୍ । ପ୍ରକୃତି ଅପା ଏବଂ ସରିତାକୁ ତୁଳନା କଲି ଏବଂ ସେମାନଙ୍କ ସଂଜମତାକୁ ମଧ୍ୟ । ପ୍ରକୃତି ଅପା ବର୍ତ୍ତମାନ ଜଣେ ଆଗ ଧାଡ଼ିର ନାୟିକା କହିଲେ ଭୁଲ୍ ହେବନି । କେଉଁ ଖତଗଦାରୁ ଆସି ପଦ୍ମଫୁଲରେ ପରିଣତ ହୋଇଛି । ପିଲାଦିନେ ତାକୁ ଘୃଣା କରୁଥିଲେ । ସେ ଯେ ଉଚ୍ଚ ପଦସ୍ତ ରୂପ ଏଇଆ । ଏମାନଙ୍କ ମୁଖା ସର୍ବସାଧାରଣଙ୍କ ସମ୍ମୁଖରେ ଖୋଲି ଦେବା ଉଚିତ୍ । ତେଣେ ସେମାନଙ୍କ ପତ୍ନୀ ସ୍ୱାମୀ ଭକ୍ତ ଭାବେ ବସି ରହିଥିବେ ସ୍ୱାମୀଙ୍କର ଆସିବା ପଥକୁ ଚାହିଁ । ଯେମିତି ସରିତା । ସରିତାର ସାମାଜିକ ସ୍ଥିତି ବହୁ ଉଚ୍ଚରେ ଥିଲେ ମଧ୍ୟ ଜୀବନରେ ସ୍ୱାମୀର ସ୍ନେହ ଓ ମମତା ପାଇବାରୁ ବଞ୍ଚିତ । ସେ ଏତେ ସଂଯମ ଯେ କେବେ କାହାକୁ ନିଜ ମନ କଥା କହିନାହାନ୍ତି । ତାଙ୍କ ବ୍ୟବହାର ଓ ଚାଲି ଚଳନରୁ ଜଣକୁ ଅନୁମାନ କରିବାକୁ ହେବ । ଉଚ୍ଚ ଶିକ୍ଷିତା ହେଲେ ମଧ୍ୟ ଅତ୍ୟାଧୁନିକ ଚାକଚାକ୍ୟରେ ତାଙ୍କର ବିଶ୍ୱାସ ନାହିଁ । ଦୁହିଁଙ୍କ କଥା ଚିନ୍ତା କଲାବେଳେ ମୋର ସୋମେନ୍ ଉପରେ ବିରକ୍ତି ଆସିଲା । ଆଧୁନିକ ସଭ୍ୟତା ସୋମେନ୍ ପରି ବ୍ୟକ୍ତିକୁ କେତେ ତଳକୁ ଖସେଇ ଦେଇଛି । ନିଜ ନିଜର ପତ୍ନୀମାନଙ୍କୁ ଛାଡ଼ି ବାରାଙ୍ଗନାମାନଙ୍କ ପଛରେ ଧାଇଁଛନ୍ତି ।

ମୋ ଦେହରେ ସ୍ପର୍ଶ ଅନୁଭବ କରି ଚାହିଁଲି ପ୍ରକୃତି ଅପା । ନିଶାର ପ୍ରଭାବରେ ଗୋଡ଼ ଠିକ୍ ପଡୁନି । ଦେହରେ ଲୁଗା ନାହିଁ । ମୁଁ ସେ ଆଡ଼େ ନ ଚାହିଁ ଅନ୍ୟଆଡ଼େ ଚାହିଁ ଜବାବ୍ ଦେଲି- “କ’ଣ କହୁଛ ?” ଗଲାବେଳେ ସୋମେନ୍‌କୁ ଘରେ ଛାଡ଼ି ଦେଇ ଯିବୁ, ମୁଁ ଯାଉଛି । ଏତିକି କହି ସେ ଚାଲିଗଲେ । ଘଣ୍ଟାକୁ ଲକ୍ଷ୍ୟ କଲି, ରାତି ୨ଟା । ହଲ୍ ଭିତରୁ ଆସ୍ତେ ଆସ୍ତେ ସମସ୍ତେ ବାହାରକୁ ଚାଲିଲେ । ସୋମେନ୍ ମଦ ନିଶାରେ ହଲ୍ ଚଟାଣ ଉପରେ ମୁହଁ ମାଡ଼ି ପଡ଼ି ରହିଛି । ପାଖକୁ ଗଲି । ପାଟିରୁ ଫେଣ ବାହାରୁଛି । କେମିତି ତାକୁ ନେବି ଚିନ୍ତା କଲାବେଳେ କ୍ଲବ୍ ପିଅନ୍ କହିଲା- “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଛାଡ଼ି ଆସିବି । ମୁଁ ପ୍ରାୟ ତାଙ୍କୁ ଘରେ ଛାଡ଼େ ।”

ମୁଁ ନୀରବରେ ହଲ୍‌ରୁ ବାହାରି ଆସିଲି । ସୋମେନ୍ ପ୍ରତି ମୋର ଘୃଣା ଓ ବିତୃଷ୍ଣା ବନ୍ୟାରେ ବନ୍ଧ ଭାଙ୍ଗିଲା ପରି ବଢ଼ି ଯାଇଥିଲା । ମୁଁ ଠିକ୍ କଲି ମୋର ସୋମେନ୍ ସହ ବନ୍ଧୁତାର ଆବଶ୍ୟକ ନାହିଁ । ଆମ ଦୁଇଜଣଙ୍କର ଚଲାପଥ ସମ୍ପୂର୍ଣ୍ଣ ଅଲଗା ଏବଂ ବିପରୀତ ଦିଗକୁ । ମୁଁ ସୋମେନ୍ ସହ ଆଉ ଦେଖା କରିବି ନାହିଁ ।

ସୋମେନ୍ ଘର ପାର ହୋଇ ମୋ ଘରକୁ ଯିବାକୁ ହୁଏ । ସୋମେନ୍ ଘର ପାଖରେ ସେଆଡ଼େ ଚାହିଁଲି । ସ୍କାଇଲାଇଟ୍‌ରେ ଆଲୁଅ ଜଳୁଛି, ଝରକା ଏବଂ ଦାଣ୍ଡ କବାଟ ବନ୍ଦ । ସରିତା ନିଶ୍ଚୟ ଡାଇନଂ ଟେବୁଲ୍ ଉପରେ ଏକା ଏକା ବସିଥିବ । ସୋମେନ୍‌କୁ କ୍ଲବ୍ ପିଅନ ସେଠାରେ ଛାଡ଼ିବା ପର୍ଯ୍ୟନ୍ତ । ସୋମେନ୍ ହାତ ଧରି ସରିତା ସତେ କେତେ ଯନ୍ତ୍ରଣା ପାଉନଥିବ । ଜୀବନର ସବୁ ଦୁଃଖ ଲୁଚି ଯାଇଥିବ । ନିମ୍ନମୁଖୀ ଝରଣା କେବେ ଉର୍ଦ୍ଧମୁଖୀ ହୋଇ ପାରେନା । କେବଳ ଝରର ସ୍ରୋତ ନଦୀ ବା ସାଗରଆଡ଼େ ଗଡ଼ି ଗଡ଼ି ଲୀନ ହେବ । ଘରେ ସରିତା ସୋମେନ୍‌ର ପରିବର୍ତ୍ତନକୁ ଗ୍ରହଣ କରିଗଲା ପରେ ପୁଣି ନିଜସ୍ୱ ବୋଲି କିଛି ରହେ ନାହିଁ । ସମାଜରେ ସେ ଜଣେ ନାରୀ ଏପରି ଚିନ୍ତା ସବୁଦିନପାଇଁ ଭୁଲିଯିବାକୁ ପଡ଼ିଥିଲା । ନିଜସ୍ୱ ସବୁ ତ୍ୟାଗ କରି ସାରିଥିଲା ସୋମେନ୍ ପାଇଁ । ନିଜର ବାପ ଘର ଧନଧାନ୍ୟରେ ପୁରି ରହିଥିଲେ ସୋମେନ୍‌କୁ କେବେ ନିଜ ଘରକଥା କହି ଆତ୍ମପ୍ରତ୍ୟେୟର ପରିପ୍ରକାଶ କରିନାହିଁ ସରିତା । ସ୍ୱାମୀଙ୍କର ପଦାଙ୍କ ଅନୁସରଣ କରି ଆଗେଇ ଚାଲିଛନ୍ତି ସଂସାରରେ । ସୋମେନ୍‌ଙ୍କ ଚରିତ୍ର ବିଷୟରେ କେବେ ତାଙ୍କ ବାପା ଏବଂ ମା’ କିମ୍ୱା ବନ୍ଧୁବାନ୍ଧବଙ୍କୁ ଜଣାଇନାହାନ୍ତି । ସେ ଭଲ ତ ତାଙ୍କ ଠାକୁର ଘର ଭଲ । ପୂଜାପୂଜି ପରେ ରୋଷେଇ ଶେଷ କରି ଗୀତା ଭାଗବତ ପଢ଼ିବାରେ ପ୍ରାୟ ଅଧିକାଂଶ ସମୟ ଚାଲିଯାଏ ।

ସୋମେନ୍ ରାତିରେ କ୍ଲବ୍‌ରୁ ଫେରି ସରିତାକୁ ମଦ ନିଶାରେ ଗାଳି ଏବଂ ମାଡ଼ ଦେଇ ଥିବାର ଶୁଣିଥିଲି । ତଥାପି ସରିତା ଚୁପ୍ । କାରଣଟା ଅନୁସନ୍ଧାନ କରିବା ପରେ ଜଣାପଡ଼ିଲା ସରିତାର ସାବତ ମା’ । ବାପାଙ୍କର ଦ୍ୱିତୀୟ ପତ୍ନୀ । ସରିତାଙ୍କ ମା’ଙ୍କର ଦେହାନ୍ତ ପରେ ଦ୍ୱିତୀୟ ପତ୍ନୀ । ତାଙ୍କୁ ବେଶ୍ କିଛିଦିନ ଆଦର କଲାପରେ ତାଙ୍କ କୋଳକୁ ଆସିଲା ଆଦିତ୍ୟ । ଆଦିତ୍ୟର ଆଗମନ ପରେ ଆରମ୍ଭ ହେଲା ଦୁର୍ବ୍ୟବହାର ସରିତା ଉପରେ । ବାପା ଏ କଥା ଜାଣି ମଧ୍ୟ ଦ୍ୱିତୀୟ ପତ୍ନୀଙ୍କ ପ୍ରଭାବରେ କିଛି ପ୍ରତିବାଦ କରିନଥିଲେ ।

ଏମିତି ଭାବି ଭାବି ଘରେ ପହଞ୍ଚିଗଲି । ଦୁଇଖଣ୍ଡ ପାଉଁରୁଟି ଖାଇ ବିଛଣା ଉପରେ ପଡ଼ି ରହିଲି । ହଠାତ୍ ଆଖିକୁ ନିଦ ଆସୁନି । ସୋମେନ୍ ଏବଂ ସରିତାଙ୍କର ଜୀବନଧାରା ଗୋଟାଏ ସ୍ରୋତ ମୋ ମୁଣ୍ଡରେ ପ୍ରବାହିତ ହେଲାଭଳି ଲାଗୁଛି । ସେହି ସ୍ରୋତ କୁଳୁକୁଳୁ ସ୍ୱରରେ ମୁଣ୍ଡ ଭିତରେ ଅନୁଭବ କରୁଛି ସେମାନଙ୍କ ବୈବାହିକ ଜୀବନର ଯନ୍ତ୍ରଣା । ବାହାଘର ପରେ ସୋମେନ୍‌ଙ୍କର ସରିତାକୁ କଡ଼ା ନିର୍ଦ୍ଦେଶ ଯେ ଘର ବାହାରକୁ ଯିବ ନାହିଁ କିମ୍ୱା କୌଣସି ପଡ଼ିଶା ଘର ଲୋକମାନଙ୍କ ସହ କିଛି କଥା ହବନି । ସରିତା ଅକ୍ଷରେ ଅକ୍ଷରେ ପାଳନ କରିଥିଲା ସୋମେନ୍ ନିର୍ଦ୍ଦେଶକୁ । ସରିତା ସେତେବେଳେ ଜାଣିପାରିଥିଲା ସୋମେନ୍ ମଦ ପିଅନ୍ତି । କେବେ କେବେ ଅଧିକ ପିଇଲେ ସରିତା ଉପରେ ନାନାଦି ଅତ୍ୟାଚାର କରନ୍ତି । ଏବେ ମଦ ସୋମେନ୍‌କୁ ପିଇଲାଣି । ଯାହା ଫଳରେ ସରିତା ସରିତା ଅଧିକାଂଶ ଦିନ ଅତ୍ୟାଚାରିତ ହୁଏ । ସତରେ କି ଜୀବନ ଏ ସରିତାର । ବୋଧହୁଏ ଏମିତି ଭାଗ୍ୟ ନେଇ ତା’ର ଜନ୍ମ । ଜୀବନରେ ସୁଖ ନାହିଁ ବାପଘରଠାରୁ ସୋମେନ୍ ଘର ପର୍ଯ୍ୟନ୍ତ । ଏମିତି ଭାବୁ ଭାବୁ ମୋତେ ନିଦ ହୋଇଯାଇଛି ।

ନୂତନ ସକାଳର ସୂର୍ଯ୍ୟ ଉଦୟ ଦେଖିବା ମୋ ପକ୍ଷରେ ସମ୍ଭବ ହେଲାନି । ନିଦ ଭାଙ୍ଗିଲାବେଳକୁ ସକାଳ ୭ଟା ବାଜିଗଲା । ତରବରରେ କାମ ସାରି ଏକ ସାମ୍ୱାଦିକ ସମ୍ମିଳନୀକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଘରୁ ବାହାରି ପଡ଼ିଲି । ଆଗ ଜଳଖିଆ ଦୋକାନରୁ ପେଟ ଭରିଗଲା ରାତିର ଉପବାସରୁ ମୁକ୍ତ ହେଲି । ସୋମେନ୍ ଘର ପାର ହୋଇ ରାସ୍ତା ଛକରେ ବସ୍ ବା ଅଟୋ ଧରିବାର ପ୍ରଚେଷ୍ଟା । ସୋମେନ୍ ଘର କମ୍ପାଉଣ୍ଡ ଭିତରେ ଲୋକ ଭିଡ଼ । କ’ଣ ହେଲା ବୁଝିବାକୁ ସୋମେନ୍ ଘର ପାଖକୁ ଲୋକମାନଙ୍କୁ ଆଡ଼େଇ ଚାଲିଗଲି । ଦୁଆର ମୁହଁ କବାଟ ଖୋଲା । ତଳେ ପଡ଼ିରହିଛି ସରିତା । ତାଙ୍କ ପାଟି ଏବଂ ନାକରୁ ରକ୍ତଧାର ଲମ୍ୱି ଆସିଛି ଦୁଆର ବନ୍ଧ ଆଡ଼କୁ । ମୁଣ୍ଡରୁ ରକ୍ତଧାର ପିନ୍ଧା ଲୁଗା ଲାଲ୍ । ଟିକେ ଦୂରକୁ ସୋମେନ୍ ଚଉକି ଉପରେ ବସି ଗାଲରେ ହାତ ଦେଇ ଆଖି ବନ୍ଦ ରଖିଛି । ପଡ଼ିଶାଙ୍କଠାରୁ ଜାଣିଲି ସୋମେନ୍ ଗତକାଲି ରାତିରେ ସରିତାକୁ ମାଡ଼ ଦ୍ୱାରା ଆଘାତ କରିବାରୁ ସରିତାଙ୍କ ଏ ଅବସ୍ଥା ।

ମୁଁ ସରିତାଙ୍କ ଶରୀରରେ ହାତ ମାରି ମାରି ସ୍ତମ୍ୱିତ ହେଲି । ଦେହ ସମ୍ପୂର୍ଣ୍ଣ ଥଣ୍ଡା । ବୋଧହୁଏ ତାଙ୍କର ଜୀବନ ନାହିଁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା । ତାଙ୍କୁ ସୋମେନ୍‌ବାବୁ ପିଟି ପିଟି ମାରି ଦେଇଛନ୍ତି । ସେତିକିବେଳେ ପଡ଼ିଶାରୁ ଜଣେ ଡାକ୍ତର ଆସି ସରିତାଙ୍କୁ ପରୀକ୍ଷା କଲା ପରେ କହିଲେ- “ସି ଇଜ୍ ଡେଡ୍” । ଉପସ୍ଥିତି ପଡ଼ିଶାମାନଙ୍କ ଭିତରେ ଗୋଟାଏ ଚାପା ଗୁଞ୍ଜରଣ- “ଲୋକଟା ଏତେ ନିଷ୍ଠୁର, ସ୍ତ୍ରୀଟାକୁ ଏମିତି ମାରିଦେଲା ।”

ମୁଁ ନିର୍ବାକ । ସାମ୍ୱାଦିକ ସମ୍ମିଳନୀକୁ ଯିବି କି ନାହିଁ ସ୍ଥିର କରିନପାରି ଘର କମ୍ପାଉଣ୍ଡ ବାହାରକୁ ଆସିଲି । ଠିକ୍ ସେତିକିବେଳେ ଗୋଟାଏ ପୁଲିସ୍ ଜିପ୍ ଗେଟ୍ ପାଖରେ ଠିଆ ହେଲା ।

ମୁଁ ଧୀରେ ଧୀରେ ଆଗରୁ ଚାଲିଲି । ସରିତା ଦେବୀଙ୍କ ମୁହଁ ବାରମ୍ୱାର ମନେପଡ଼ି ଯାଉଥାଏ । କୌଣସି ସିଦ୍ଧାନ୍ତ ନେବା ମୋ ପକ୍ଷରେ ଅସମ୍ଭବ । କିନ୍ତୁ ଆଜି ସୋମେନ୍‌ଙ୍କର ଯେ ଚେତନା ଫେରିଛି ଏଥିରେ ସନ୍ଦେହ ନାହିଁ ।

ଲୋକପ୍ରିୟ ଲେଖା

To Top