ଗଳ୍ପ

ଛିନ୍ନପୃଷ୍ଠା

Kalindicharana Panigrahi's odia story Chhinnaprushthaa

ବହୁବାର ମନେହେଉଛି, ଯୌବନର ଉଦ୍ଦାମ ପ୍ରବାହରେ ଏ ଶରୀରଟାକୁ ମେଲିଦେବି, ଏ ସୌନ୍ଦର୍ଯ୍ୟଟାକୁ ବଜାରରେ ପକାଇ ଭଲ ରକମ ଦାମ୍ କଷିନେବି, ମଦ୍ୟପ ଦୂରାଚାରର କ୍ଷୁଧିତ ଅନ୍ତତଃ ତୁଷ୍ଟ କରିବା ଲାଗି

ଛିନ୍ନପୃଷ୍ଠା

-: ପୂର୍ବରୁ :-

ଯାହାହେଉ, ସେ ସମୟରେ କନ୍ୟା ବଜାରରେ ମୋର ବିକ୍ରିର ଦାମଟା ଟିକିଏ ଚଢ଼ା, ଏତିକି ନେଇ ମୁଁ ଯାହା କିଛି ସୁଖ ଓ ଗର୍ବ ଅଳ୍ପକାଳ ପାଇଁ ଅନୁଭବ କରିଥିଲି । ଏ ପୋଡ଼ା ଶରୀରର କ’ଣ ନା ସୁନ୍ଦର ବୋଲି ଗୋଟାଏ ସୁଖ୍ୟାତି ଥିଲା, ଏ ମୃତ ପ୍ରାଣ ପୁଣି ପୁଣର ବୋଲି ଯଶ ଅର୍ଜନ କରିଥିଲା । ସେଥିଲାଗି ବେଶ୍ ଦରଦାମ୍ କଷା ଯାଇ ଜଣେ ଧନୀ ଗୃହସ୍ଥ ନିକଟରେ ମୋର ବିକ୍ରି ହୋଇଗଲା । ସ୍ୱାମୀଙ୍କର ବୟସ ୪୫, ମୁଁ ତୃତୀୟ ପକ୍ଷର ସ୍ତ୍ରୀ । ଅନ୍ୟ ସ୍ତ୍ରୀମାନଙ୍କର ଗର୍ଭଜାତ ପୁତ୍ର କନ୍ୟା ଆଦି ଥିଲେ, କିନ୍ତୁ ଘର ନ ଚଳିବାରୁ ଏ ଦୁଃଖିନୀ ଉପରେ ଏତେ ଅନୁଗ୍ରହ ।

ଯୌବନ ! ଏ ସଢ଼ା ପ୍ରାଣରେ ପୁଣି ଯୌବନ ଆସିଲା । ସେତେବେଳେ ଦୁର୍ଦ୍ଦିନ ରାତ୍ରିର ସମସ୍ତ ବିପଦ ଅତିକ୍ରମ କରି ପ୍ରଭାତ ଆଲୋକର ରଙ୍ଗୀନ୍ ରଶ୍ମିଟିକି ହୃଦୟର ସମସ୍ତ ପାଖୁଡ଼ା ସତେଜ କରି ରଖିଥିଲା । ସମସ୍ତ ପ୍ରାଣର ଉତ୍ତେଜନା ନେଇ ସ୍ୱପ୍ନବେଷ୍ଟିତ ଚନ୍ଦ୍ରାଲୋକ ଦେଶରେ ହୁ’ ହୁ’ କରି ଛୁଟି ଚାଲିଥିଲେ, କିନ୍ତୁ ସେତେବେଳେ ମଧ୍ୟ ମନେ ହୋଇନାହିଁ, ଓ ଯୌବନରେ ମୋର କି ଲୋଡ଼ା, ମୋ ନିକଟରେ ଏହାର ଆବଶ୍ୟକତା କ’ଣ, ମୂଲ୍ୟ କେତେ ? ବିଧାତାଙ୍କର ଏହି ସଂଘାତିକ କୌତୁକ ସପକ୍ଷରେ ମୁଁ ଯେ ଅବଳାର ଶକ୍ତି ନେଇ ଦମ୍ଭ ଧରି ଠିଆ ହୋଇପାରିଲି- ଏଥିଲାଗି ନିଜକୁ ବହୁ ଧନ୍ୟବାଦ୍ ପ୍ରଦାନ କରେ । ବାସ୍ତବରେ କି ଭୀଷଣ କୌତୁକ ସେ- କିଛି ଅଭାବ ନାହିଁ, ଅଥଚ ସକଳ ସମ୍ପଦ ବହନ କରି ତରୀ ଖଣ୍ଡି ଯେ ବୁଡ଼ିବାକୁ ଲାଗିଲା ଯୌବନ ତ ଲଭିଲି, କିନ୍ତୁ ତାହା ରଖେ ନେଇ କେଉଁଠାରେ ? ଦରିଦ୍ର ମୁଁ , ମୋର ତ ସ୍ଥାନ ସର୍ବଦା ନିଅଣ୍ଟ । ଯାହାହେଉ ଯୌବନ ଆସିଲା, ଦିନକ ପାଇଁ ହେଲେ ଏ ଧରଣୀକି କଳ୍ପନାର ବିଚିତ୍ର ବର୍ଣ୍ଣରେ ରଞ୍ଜିତ କରି ଦେଖିନେଲି, କିନ୍ତୁ ତତ୍ପରେ ସବୁ ନିଭି ନିଭି ଆସିଲା, ଆଉ କିଛି ଜାଣିପାରେ ନାହିଁ, ଦେଖିପାରେ ନାହିଁ । ଏଣିକି କେବଳ ଗତିପଥ ଧରାର କଠିଣ ପାଷାଣ ଉପରେ, ଚିରଦିନ ସେହି ପାଷାଣର ନିଷ୍ଠୁର ସ୍ପର୍ଶ ।

ସ୍ୱାମୀ ଗୃହରେ ପ୍ରବେଶ ଅବଧି ମୋର ମୂଲ୍ୟ ବେଶ୍ ବୁଝିପାରିଲି । ବିବାହକାଳରେ ବୟସ ଏତ ଅଳ୍ପ ଥିଲା ଯେ, ଠିକ୍ ପଶୁପରି ଅଜ୍ଞାନ ଥିଲି । ସ୍ୱାମୀଗୃହକୁ ଆସି ଯେତେବେଳେ ବୁଝିଲି ଯେ ବିବାହଟାରେ ମୋର କାର୍ଯ୍ୟର ଭାଗ ପୁରୋହିତ ଓ ଅଭିଭାବକଙ୍କ ତୁଳନାରେ ନିତାନ୍ତ ତୁଚ୍ଛ, ସେତେବେଳେ ମୁଁ ବିସ୍ମିତ ହୋଇଗଲି । କାରଣ ସେ ଅନୁଷ୍ଠାନରେ ଏଡ଼େ ବଡ଼ ଗୋଟା ଅଂଶୀଦାର ହୋଇ ମଧ୍ୟ ମୋର ଅତି ସାମାନ୍ୟ ମନ ଆବଶ୍ୟକ ହେଲା ନାହିଁ । ସେ ଯେପରି ସେହି ମାତାପିତାଙ୍କର ଗୋଟାଏ କ୍ରୀଡ଼ା, ତାଙ୍କରି ଗୋଟାଏ ଖିଆଲ । କେଳା ଯେପରି ଅନ୍ତରାଳରେ ରହି ସୂତା ବାନ୍ଧି ପିତୁଳା ନଚାଏ ଏବଂ ସେ କ୍ରୀଡ଼ାର ହାନିଲାଭ, ହାରଜିତ୍‌ରେ ସ୍ୱୟଂ ପିତୁଳାର କିଛି ସମ୍ପର୍କ ନାହିଁ, ଯାହାକିଛି କେବଳ ସେହି ଖେଳାଳିର ଖିଆଲ, କିନ୍ତୁ ମନୁଷ୍ୟ ତ ପ୍ରାଣହୀନ ଜଡ଼ ପିତୁଳା ନୁହେଁ- ଏହା ଉପରେ ଏତେ ଅବିଚାର, ଏତେ ଅମାନୁଷିକତା କାହିଁକି ?

ଏହିରୂପେ ଜୀବନର ସୁକୁମାର ବୃତ୍ତିଗୁଡ଼ିକ ଦୂଷିତ ସମାଜର ଅମଙ୍ଗଳକର ସ୍ପର୍ଶରେ ଶୁଷ୍କ ହୋଇ ଆସିଲା ।

ସ୍ୱାମୀଗୃହରେ ପ୍ରବେଶ କରି ମୋର ମୂଲ୍ୟ ବୁଝିବାକୁ ବାକି ରହିଲା ନାହିଁ । ମୁଁ ଦରିଦ୍ର ଘରର ଝିଅ, ପିତା ପୁଣି ବିକ୍ରିକରି ଅର୍ଥ ଗ୍ରହଣ କରିଅଛନ୍ତି । ସୁତରାଂ, ମୁଁ ଦାସୀହୋଇ ଶ୍ୱଶୁର ଗୃହରେ ପ୍ରବେଶ କଲି, ବଧୂ ନୁହେଁ । ସକଳ ଦାସୀଗିରି ମଧ୍ୟ ସେହି ବୃଦ୍ଧଙ୍କର ଯଦି କିଞ୍ଚିତ୍ ସ୍ନେହ ପାଇ ପାରିଥାନ୍ତି, ଜୀବନଟା ଏତେଦୂର ତିକ୍ତ, ଦୁର୍ବଳ ହୋଇଉଠି ନଥାନ୍ତା । ଏ ସଂସାରଟାକୁ ସଇତାନର ରାଜତ୍ୱ ବୋଲି ବିଶ୍ୱାସ କରି ନ ଥାନ୍ତି । ଏହି ଅଭିଶପ୍ତ ପ୍ରାଣଟାକୁ ଶେଷ କରିଦେବା ଲାଗି ବାରମ୍ୱାର ବିଫଳ ପ୍ରୟାସ କରି ନଥାନ୍ତି ।

ତୁମ ଦୃଷ୍ଟି ଏଡ଼େ କାତର କାହିଁକି, ବାବୁ ! ମୁଁ ତ ଅବଳା, ମୋ ହାତରେ ଆଉ କିଛି ଶସ୍ତ୍ର ଥିଲା ଯେ, ଏ ସବୁର ମୁଁ ସଂଶୋଧନ କରନ୍ତି । ଶିକ୍ଷା ନାହିଁ, ଦୀକ୍ଷା ନାହିଁ, ଏକ କଣରେ ପଡ଼ି ଲାଞ୍ଛିତା ନାରୀର ଉପାୟ କ’ଣ ଥାଇପାରେ ? କିନ୍ତୁ ଏହା ମଧ୍ୟ ନାନା ସ୍ଥାନରେ ଦେଖାଯାଏ ଯେ, ଉପଯୁକ୍ତ ଶିକ୍ଷାପ୍ରାପ୍ତ ବୟସ୍କ ଯୁବକ ମଧ୍ୟ ମାତାପିତାଙ୍କ କର୍ତ୍ତୃତ୍ୱ ଏବଂ ସମାଜର ଅନ୍ୟାୟୀ ଦାବି ଏଡ଼ିଦେବା ଉଚିତ୍ ମନେକରେ ନାହିଁ । ତେବେ ଆଉ ଦୁର୍ବଳା ନାରୀର କଥାରେ କାହିଁକି ପ୍ରଶ୍ନ ଉଠିବ । ହଁ, ସେହି ସ୍ୱାମୀଗୃହର କଥା । ଦରିଦ୍ର ବୋଲି ପଦେ ପଦେ ଅପମାନ ସହିଛି, ପଦେ ପଦେ ହତାଦାର ହୋଇଛି, ନିନ୍ଦା ଶୁଣିଛି । ଏ ଜୀବନର ପ୍ରକୃତ ଐଶ୍ୱର୍ଯ୍ୟ କ’ଣ କେହି ବୁଝିଲେ ନାହିଁ, କେବଳ ସେହି ମାଟିର ଐଶ୍ୱର୍ଯ୍ୟ ସମସ୍ତଙ୍କ ଆଖିକି ବଡ଼ ହୋଇ ଦିଶିଲା । ସ୍ୱାମୀ ଗୃହରେ ଦାସ ଦାସୀ ବ୍ୟତୀତ କୁଳ ସ୍ତ୍ରୀ ହୋଇ କେହି ନ ଥିଲେ । ମତେ କିନ୍ତୁ ଦାସୀର ଦାସୀ ହୋଇ ଚଳିବାକୁ ହେଲା । ଦାସୀମାନେ ଅନୁଶାସନ ମଧ୍ୟ ବହୁବାର ନତମସ୍ତକରେ ଶୁଣିଯାଇଛି । ଅସଲ କଥା, ଯାହାଙ୍କୁ ସ୍ୱାମୀକରି ଲାଭ କଲି, ସେ ମତେ ଦାସୀ ଅପେକ୍ଷା ଉଚ୍ଚକରି ଦିନେ ଦେଖି ନାହାନ୍ତି । ବରଂ କେତେକ ଦାସୀଙ୍କର ଆଦର ମୋ ଅପେକ୍ଷା ଯଥେଷ୍ଟ ବେଶି ଥିଲା । ସ୍ୱାମୀଙ୍କ ରକ୍ତଚକ୍ଷୁ ଯେପରି ସର୍ବଦା ମୋର ଗତିବିଧି ନିରୀକ୍ଷଣ କରି ଅହରହ ମୋତେ ଭୟରେ ପ୍ରକମ୍ପିତ କରି ରଖିଲା । ସ୍ୱାମୀଗୃହରେ ମୋର କାର୍ଯ୍ୟ ହେଲା ଅପର ସ୍ତ୍ରୀମାନଙ୍କର ସନ୍ତାନ ପ୍ରତିପୋଷଣ । ଗୃହରେ ନାନା ହୀନକର୍ମର ପରିଚାଳନା । ତତ୍ପରେ ସ୍ୱାମୀଙ୍କର ତଲବ, ତାଙ୍କର ମନୋମତ ସମୟ ଅସମୟରେ ହୁକୁମ ତାଲିମ କରିବାକୁ ହେବ । ବେଶ୍ ଏତିକି ଛଡ଼ା ମୁଁ ଅନ୍ୟ କୌଣସି ଦିଗରେ ଆବଶ୍ୟକ ନୁହେଁ । ସ୍ନେହ, ପ୍ରୀତି, ମାୟା, ମମତା କିଛି ନାହିଁ, କେବଳ ହୁକୁମ, ହୁକୁମ । ସେଥିରେ ପୁଣି ସାମାନ୍ୟ କିଛି ତ୍ରୁଟି ଘଟିଲେ ସେହି ବିକ୍ରିର କଥା, ମୋର ଦାମର ବିଚାର ।

ଏସବୁ କଥା, ବାବୁ, ତମକୁ କିଛି ଅସହ୍ୟ ବୋଧ ହେଉ ନ ଥିବ, କାରଣ ତୁମେ କୋମଳମତି ବାଳକ, ବିନା ବିଚାରରେ ମୋତେ ସମର୍ଥନ କରିବ, କିନ୍ତୁ ହିନ୍ଦୁଗୃହର ନରନାରୀ ଶୁଣିଲେ ମୋତେ ଅହିନ୍ଦୁ, ପତିଦ୍ରୋହୀ ବୋଲି ନାନା ଭାବରେ ଭତ୍ସନା କରିବେ । କାରଣ ହିନ୍ଦୁରମଣୀ ସକଳ ଅତ୍ୟାଚାର ଅପମାନକୁ ସତ୍ୟକରି ତୁନିହୋଇ ପଡ଼ି ରହିବାକୁ ଗୌରବ ଜ୍ଞାନ କରେ, କିନ୍ତୁ ମୁଁ ଯେ ଚିରଦିନ ଅଶାନ୍ତିରେ କାଳ କାଟିଲି, ଏତେବଡ଼ ପ୍ରବଞ୍ଚନା କରି କହିବି କିପରି ?

ଏହି ତିକ୍ତତା ମଧ୍ୟରେ ଜୀବନର ସମସ୍ୟା କୋମଳତା ଶୁଖି ଆସିଲା । ଏହି ଏକ ଅବସ୍ଥାରେ ପଡ଼ି ଜୀବନକୁ ବାଲ୍ୟରୁ ଗୋଟାଏ ଦିଗରୁ ଦେଖି ଆସିଥିଲି । ବହୁବାର ବସି ବସି ଭାବେ, ମାନବ ଜୀବନର ଏ ସକଳ ଦୁର୍ବିପାକର କର୍ତ୍ତା କିଏ- ସମାଜ ନା ଈଶ୍ୱର ? କେତେବେଳେ ଘୋର ନାସ୍ତିକତାରେ ଜୀବନ ଜଡବତ୍ ହୋଇପଡ଼େ, କେତେବେଳେ ମାନବସମାଜ ପ୍ରତି ତୀବ୍ର ଘୃଣାରେ ଚିତ୍ତ ବିକୃତ ହୋଇଉଠେ । ମୁଁ ଜାଣେ, ଏ ଜୀବନରେ ଆଉ ଗୋଟାଏ ଦିଗ ଅଛି, ସେଇଟା ଏହାର ଠିକ୍ ଓଲଟା-ଜୀବନକୁ, ସଂସାରଟାକୁ ସୁଖମୟ ଆନନ୍ଦମୟ କରିଦେବାର ଦିଗ ସେ, କିନ୍ତୁ ସେ କେବଳ ଜାଣିବାରେ ରହିଗଲା, ଅନୁଭବକୁ ଆସିପାରି ନାହିଁ ।

ବହୁବାର ମନେହେଉଛି, ଯୌବନର ଉଦ୍ଦାମ ପ୍ରବାହରେ ଏ ଶରୀରଟାକୁ ମେଲିଦେବି, ଏ ସୌନ୍ଦର୍ଯ୍ୟଟାକୁ ବଜାରରେ ପକାଇ ଭଲ ରକମ ଦାମ୍ କଷିନେବି, ମଦ୍ୟପ ଦୂରାଚାରର କ୍ଷୁଧିତ ଅନ୍ତତଃ ତୁଷ୍ଟ କରିବା ଲାଗି, କିନ୍ତୁ କେଜାଣି କାହିଁକି ଏତେ ବଡ଼ କଥାଟା କରିଦେବାକୁ ମନ ଗଲା ନାହିଁ । ସ୍ୱାମୀଙ୍କର ଉତ୍ପୀଡ଼ନ କଠିନ ହୋଇପଡ଼ିଛି, ଅସହ୍ୟ ହୋଇଉଠିଛି । ଏକ ଧୈର୍ଯ୍ୟ (ଓଃ, ତାହାର କ’ଣ ପରିମାଣ ଅଛି ।) ଧରି ସେ ସମସ୍ତ ପାରହୋଇ ଏହାକୁ ମୁଁ ପକାଇ ରଖିଛି । ଜୀବନର ସମସ୍ତ ରହସ୍ୟକୁ ଅତି ଛୋଟ କରି ଦେଖିଛି ଓ ବୁଝିଛି । ବଞ୍ଚି ରହିବାର ଉଦ୍ଦେଶ୍ୟ ଓ ଆଶା କେବଳ ଗୋଟାଏ କୌତୂହଳ- ଏ ଜୀବନଟା ଆଉ ଆଉ କେତେଦୂର ଭୋଗିପାରେ, ଆଉ କେତେ କାଠିନ୍ୟଭେଦ କରିପାରେ, ଶେଷରେ ଏହାପାଇଁ କି ଦୁର୍ଦ୍ଦିନର ମହାତାମସା ପ୍ରତୀକ୍ଷା କରି ରହିଅଛି ।

ଏ ଜୀବନର ଅସ୍ୱାଭାବିକତା ଗୋଟାଏ ଦୃଷ୍ଟାନ୍ତରୁ ତୁମେ ଭଲକରି ବୁଝିବ । କେତେକ ବର୍ଷ ପରେ ସ୍ୱାମୀଙ୍କର ମୃତ୍ୟୁ ହେଲା । ଦାସ ଦାସୀ ପ୍ରଭୃତି ସମସ୍ତେ କାନ୍ଦିବାକୁ ଆରମ୍ଭ କଲେ, କିନ୍ତୁ ଏ ଚକ୍ଷୁ ଟିକିଏ ହେଲେ ଆର୍ଦ୍ର ହେଲା ନାହିଁ । କିପରି ହୁଅନ୍ତା ? ଅଶ୍ରୁ ଯେବେ ସ୍ୱତଃ ଚକ୍ଷୁକୁ ନ ଆସିଲା, କ୍ରନ୍ଦନ କରିବାଟା କର୍ତ୍ତବ୍ୟ ବୋଲି ମନେକଲେ କ’ଣ ଆସିବ । ସ୍ୱାମୀଙ୍କ ବିୟୋଗଟା ମିଳନଠାରୁ କେଉଁ ଗୁଣରେ ପୃଥକ୍, ଏହା ମୁଁ ଭାବି ଠିକ୍ କରିପାରିଲି ନାହିଁ, ବରଂ ତାଙ୍କ ମୃତ୍ୟୁ ପରେ ଅଧିକ ସ୍ୱାଧୀନ ଭାବରେ ମୁଁ ନିଶ୍ୱାସ ପ୍ରଶ୍ୱାସ ଚଳାଇଲି ।

ବିଧବା ହେବା ପରେ ସ୍ୱାମୀଙ୍କର ସକଳ ସମ୍ପତ୍ତିର ମାଲିକ ମୁଁ, କିନ୍ତୁ ଦିନେ ହେଲେ ମୁରବିଗିରି କରିବାକୁ ମନ ଗଲା ନାହିଁ । ସେ ସମ୍ପତ୍ତିରେ ପାଶବିକତାର ଗନ୍ଧ ପାଇଲି, ତୁଚ୍ଛ ଓ ବିଷବତ୍ ସେ ମୋତେ ବୋଧହେଲା । ମୁଁ ସେ ଗୃହରେ ଦାସୀ, ସୁତରାଂ ଦାସୀଭାବରେ ହିଁ ମୋର ତାହା ରକ୍ଷା କରିବା ଉଚିତ୍ ମନେକଲି ଏବଂ ସେହିପରି ଭାବରେ ପରିଚାଳନା ଆରମ୍ଭ କଲି ।

ଏହା ପୂର୍ବର ଗୋଟିଏ ଘଟଣା ଉଲ୍ଲେଖ କରିପାରି ନାହିଁ । ସ୍ୱାମୀଙ୍କ ହୁକୁମ୍ ମାନି ଗର୍ଭବତୀ ହେଲି । ଯେଉଁଦିନ ଏହା ପ୍ରଥମେ ଜାଣିପାରିଲି, ସର୍ବାଙ୍ଗ କମ୍ପିତ ହୋଇଉଠିଲା । ଏ କାହାର ସନ୍ତାନ ମୁଁ ଗର୍ଭରେ ଧରିଛି ? ସମସ୍ତ ପ୍ରାଣ ଏ ଭାବନାରେ ଘୋର ବିଦ୍ରୋହୀ ହୋଇଉଠେ । ପ୍ରବଳ ଇଚ୍ଛା ଜନ୍ମେ, ଯୁଗପତ୍ ଆତ୍ମହତ୍ୟା ଓ ଏହି ଘୃଣ୍ୟ ଶିଶୁହତ୍ୟାଦ୍ୱାରା ପ୍ରତିହିଂସା ନିଏ, କିନ୍ତୁ ପୁଣି କାହିଁକି ଏ ଚିତ୍ତ ଦୁର୍ବଳ ହୋଇଆସେ । ଯାହାର ନିମକ୍ ଖାଇଲି, ତାହାର ଶିଶୁହତ୍ୟା । ନା, ନା, ଏହା ଅନ୍ୟାୟ । ଦାସୀର କର୍ତ୍ତବ୍ୟ ଶିଶୁରକ୍ଷଣ, ଶିଶୁମାରଣ ନୁହେଁ । ସେହି ଦାସୀଭାବରେ ଶିଶୁକୁ ପାଳନ କରି ଆଣିଲି ଏବଂ ସେ ସମୟରେ ବେଶ୍ ବୁଝି ପାରିଥିଲି, ନିଜ ଗର୍ଭରୁ ଆଉ ଏକ ଖାମିଦକୁ ମୋତେ ପ୍ରସବ କରିବାକୁ ହେଉଛି । ଏସବୁ ଯେ ମୋର କେବଳ କର୍ତ୍ତବ୍ୟ-ବୋଧଜନିତ କର୍ମ, ତାହା ନୁହେଁ । ମୃତ ହେଲେ ମଧ୍ୟ ସ୍ୱାମୀଙ୍କ ପ୍ରେତାତ୍ମାର ସେହି ରକ୍ତଚକ୍ଷୁର ତାଗିଦ୍ ମୋର ଯେପରି ପ୍ରତିକର୍ମକୁ ଅହରହ ନିରୀକ୍ଷଣ କରୁଥିଲା ।

ଲୋକେ କହନ୍ତି, ସହିଯିବା ନାରୀର ଧର୍ମ, କିନ୍ତୁ ଏହା ମୁଁ ଦିନେ ହେଲେ ଅନୁଭବ କରି ନାହିଁ । ଦୁର୍ବଳତା ହିଁ ନାରୀର ଅଭାବ, ତାହା ପରିବର୍ତ୍ତରେ ମୁଁ ଏତିକି ଜାଣେ, ରିକ୍ତତାରେ ଗୋଟିଏ ଆନନ୍ଦ ଅଛି, ଏହା ମୁଁ ଅନେକ ପରେ ବୁଝିଲି, କିନ୍ତୁ ସେତେବେଳକୁ ମୁଁ ସ୍ୱତଃ କିଛି ତ୍ୟାଗ କରି ନାହିଁ, ସବୁ ମୋଠାରୁ ବଳପୂର୍ବକ ଛଡ଼ାଇ ନିଆଯାଇଅଛି- ମୋର ପ୍ରାଣ, ମନ, ଯୌବନ, ସୌନ୍ଦର୍ଯ୍ୟ, ସ୍ୱାଧୀନତା ସମସ୍ତ । ସେହି ଶିଶୁକୁ ଯେ ବକ୍ଷର ରକ୍ତ ଜଳକରି ପାନ କରାଇଲି ସେ ମଧ୍ୟ ସେହି ବଳପୂର୍ବକ ଗ୍ରହଣ । ସେଥିରେ ମୋର ସ୍ନେହ ମିଶ୍ରିତ ନାହିଁ, ଅନ୍ତର ଆଦରମମତାଜନିତ, ତାହା ନୁହେଁ । କେବଳ ନମକ୍ ଖାଏଁ ବୋଲି ଦାସୀର କର୍ତ୍ତବ୍ୟ ରୂପରେ କଲି । ସୁତରାଂ ସେ ତ୍ୟାଗରେ ମୋ ପ୍ରାଣ ନାହିଁ, ସେ ରିକ୍ତତାରେ ମୁଁ ନିରାନନ୍ଦ, ବରଂ ସେ ତ୍ୟାଗମୂଳରେ, ରିକ୍ତତା ମୂଳରେ ହତାଶାର ଶୂନ୍ୟତା ନିସ୍ୱର ତପ୍ତ ଅଶ୍ରୁ ଜଡ଼ିତ । ଶକୁନି ପରି ସମସ୍ତ ବନ୍ଧୁ ସ୍ୱଜନ ଯେ ଯାହାର ଭାଗ ସ୍ୱରୂପ ମୋର ଅନ୍ତର ରକ୍ତ ନିଗାଡ଼ି ପାନ କରିଅଛନ୍ତି, ପ୍ରତିଦାନସ୍ୱରୂପ ମୋତେ ଦାନ କାଙ୍ଗାଳ କରି ଛାଡ଼ିଅଛନ୍ତି । ବହୁବାର ଚେଷ୍ଟା କରିଛି ଏ ତ୍ୟାଗରୁ ଜବରଦସ୍ତି ଗୋଟାଏ ଆନନ୍ଦ ଟାଣିଆଣିବାଲାଗି, କିନ୍ତୁ ଜୀବନର ଶତଚେଷ୍ଟା ଶତ ଉଦ୍ୟମ ବିଫଳ, କେବଳ ବିଫଳ ।

ଚିରଦିନ ପ୍ରତିହିଂସାର ନରକରେ ଦଗ୍ଧ ହୋଇଛି, କିନ୍ତୁ କାହାଠାରୁ ପ୍ରତିହିଂସା ନେବି । ସମାଜଠାରୁ । ତାର ତ ହାତ ଗୋଡ଼ କିଛି ନାହିଁ । ନହେଲେ ତପ୍ତ ଲୌହକଟାହରେ ନିକ୍ଷେପ କରି ଉପଯୁକ୍ତ ପ୍ରତିହିଂସା ନିଅନ୍ତି ।

ଏହିଟି ମୋ ଜୀବନ ପୋଥି । ସକଳ ପୃଷ୍ଠା ଏଥିରେ ଛିନ୍ନ ଭିନ୍ନ, ବିକଳ । ଏଥିରେ ଛବିର ବୈଚିତ୍ର୍ୟ ନାହିଁ, କେବଳ କାଳିର ନିଷ୍ଠୁର ଘନରେଖା, ସଙ୍ଗୀତ ନାହିଁ । କେବଳ ମର୍ମାହତର ଚିତ୍କାର । ସଂସାରର ଏକ ନିଭୃତ କୋଣରେ ଏ ପଡ଼ି ରହିବାର ଜିନିଷ, ଲିପିବଦ୍ଧ ହେବାର ନୁହେଁ । ଯାହା ଚାଲିଗଲାଣି, ଅତୀତର ପ୍ରକାଣ୍ଡ ଗର୍ଭରେ ଲୀନ ହେଲାଣି । ସେହି ଜୀବନକୁ ଆଜି ଏହି ସୁଦୂରରୁ ହସରେ ଉଡ଼ାଇ ଦେବାକୁ ଇଚ୍ଛା ହୁଏ- ସମସ୍ତ ଜୀବନଟାକୁ କେବଳ ଗୋଟାଏ କୌତୁକ ମନେକରି, କିନ୍ତୁ ହାସ୍ୟ ଯେ ଏ ମୁଖରୁ ବହୁଦିନୁ ବିଦାୟ ନେଇଛି । ଏହିରୂପେ ନାନା ଦିଗରୁ ଏ ଜୀବନଟାକୁ ଓଲଟ ପାଲଟ କରି ଦେଖିଛି, କିନ୍ତୁ ପ୍ରତି ଦିଗରେ କେବଳ ସେହି ରିକ୍ତତା- ସେହି ରିକ୍ତତା ।

ତୁମେ କାନ୍ଦିବ କାହିଁକି ବାବୁ ? ଏ ଜୀବନର ବ୍ୟଥିତ ଗାଥା ଶୁଣି । ଛି, ଦାସୀଟା ପାଇଁ ତୁମେ କାନ୍ଦିବ ।

ଅଶ୍ରୁସିକ୍ତ ଗଣ୍ଡରେ ବାଳକ ଉତ୍ତର କଲା, “ମା’, ମା’, ଏତେ ଦିନଯାଏ ତୁମେ ମୋଠାରୁ ଏତେ କଥା ଲୁଚାଇଥିଲ କାହିଁକି ?”

ଏ ପୁଣି କ’ଣ ? ମା’ କିଏ ? ମୁଁ ଯେ ଦାସୀ । ଏତେ ଦିନ ମୋର ପ୍ରକୃତ ସ୍ୱରୂପ ତୁମକୁ ଦେଖାଇ ଆସିଛି, କିଛି ତ ଲୁଚାଇ ନାହିଁ । ତୁନି ହୁଅ ବାବୁ, ତୁମକୁ ସୁଖୀ କରିବାକୁ ଏ ଜୀବନର ଭଲ କଥା ଦି’ଟା ଗୋଟାଏ ଖୋଜିଥିଲି, କିନ୍ତୁ କ’ଣ କରିବି ଗୋଟାଏ ଯେ ସେପରି ପାଇଲି ନାହିଁ ।

ବାଳକ ସେହି ଭାଷାରେ କହିଲା, “ମା’, ମା’ ତୁମେ ତ ମୋର ମା’, ଦାସୀ କାହିଁକି ?”

ପୁଣି ମା’ ! ତୁମକୁ ଜନ୍ମ ଦେଇଛି ସତ୍ୟ, କିନ୍ତୁ ସ୍ନେହରେ ଚୁମ୍ୱନ କରି ନାହିଁ, ଆଦରରେ କୋଳ କରି ନାହିଁ । ଏତେ ବଡ଼ ନାମ ନେବାକୁ ଯିବି କାହିଁକି ? ମୁଁ ଯେ ଚିରଦିନ ଦାସୀ, ତୁମେ ତ କିନ୍ତୁ ଦାସୀର ପୁତ୍ର ନୁହଁ, ଧର୍ମର ସନ୍ତାନ ତୁମେ, ତୁମର ପରିଚର୍ଯ୍ୟାକାରିଣୀ ଦାସୀଟା ମା’ ହେବ । ଛି, କାନ୍ଦିବି କାହିଁକି, ସେ ଯେ ଦୁର୍ବଳତାର ଚିହ୍ନ, ନାରୀତ୍ୱର ପରିଚାୟକ । ଦାସୀକୁ ଯଦି ମା’ର ଆସନକୁ ଉଠାଇବାକୁ ଚାହିଁ, ସେ ଏଡ଼େ ସହଜ ନୁହେଁ- ତପସ୍ୟା, ତପସ୍ୟା !

ଲୋକପ୍ରିୟ ଲେଖା

To Top