ଗଳ୍ପ

ଚିହ୍ନା ଅଚିହ୍ନା ବେଳ

Laxmidhara Nayak's odia story Chihnaa Achihnaa Bela

କ’ଣ କହିବ, ଶୀଘ୍ର କୁହ । ଥଣ୍ଡା ଧରିବ । ଆଉ କ’ଣ ଆଗ ବୟସ ଅଛି ଯେ- ମୁଁ ଆମ କଇଁ ପୋଖରୀକୁ ଦି’ଭାଗ କରି ପହଁରୁଥିବି. . . ତମେ ଗଛ ଉହାଡ଼ରେ ଠିଆ ହେଇ, କ୍ୟାମେରା ଚିପୁ ଥିବ ।

ଚିହ୍ନା ଅଚିହ୍ନା ବେଳ

ପୂର୍ବରୁ

ଅମିୟସାର୍‌ଙ୍କ ଆଖି ଭିଜି ଆସିଲା ।

ଭାବିଲେ- ଆମେ ସିନା ବୋଉ ପାଖରେ ଅଛୁ ବୋଲି, ତା’ କଥା ବୁଝୁଛୁ । ଆମ ପାଖରେ, ବୋଉ ବୟସରେ, ରହିବ କିଏ ? ପିଲାମାନେ ତ. . . ଏଇ ନାତୁଣୀଟିକୁ ଛାଡ଼ି, ତାଙ୍କ ଚାକିରି ବେପାର ପାଇଁ ସହରରେ । ଆମେ ଧୀରେ ଧୀରେ ବେଶୀ ବୁଢ଼ାବୁଢ଼ୀ ହୋଇଯାଉଛୁ । ପାଖରେ ଝିଅ ବିବାହ ଦେଇଥିଲୁ ଯେ. . . ସେ ତା’ ପୁଅ ବୋହୂଙ୍କ ସଂସାରରେ ବୁଡ଼ିଗଲାଣି । ଘରଦ୍ୱାର, ଜମିବାରି, ଏତେ ବଢ଼େଇସାରିଛୁ ଯେ. . . ସବୁକୁ ଛାଡ଼ି, ପିଲାଦିନର ଧୂଳି ମାଟି, ନଈ ପୋଖରୀ, ସ୍ମୃତି ସବୁକୁ ପଛ କରି ଅନ୍ୟତ୍ର ଯିବାକୁ ଇଚ୍ଛା ହେବନାହିଁ । ଯଦି ଆମକୁ ଡିମେନ୍ସିଆ ହେଇଯାଏ. . . କିଏ ଦେଖିବ ଆମକୁ. . . ?

ଅମିୟସାର୍‌ଙ୍କ ଛାତିରେ ଗୋଟେ ଏକାକୀପଣର ହତାଶା ପଶିଗଲା । ପାଖରେ ନଥିବା ପିଲାଙ୍କୁ ଉଚ୍ଚଶିକ୍ଷିତ କରି ପାରିଥିବାର ଯେଉଁ ଗର୍ବଟିଏ ଥିଲା ତାଙ୍କ ଛାତିରେ- ହରିମାଷ୍ଟ୍ରେ ଓ ବୋଉଙ୍କ ଅବସ୍ଥା ଦେଖି, ତାହା ଭୁଶୁଡ଼ି ପଡ଼ିବାକୁ ଲାଗିଲା । ସେ ମିନତିଦେବୀଙ୍କୁ ଲୁହ ନ ଦେଖାଇବା ପାଇଁ, ପଢ଼ାଘରକୁ ପଶିଗଲେ । ସେଇଠି ଚେୟାର୍‌ଟି ଧରି, ଚାହିଁଲେ ସାମ୍ନାକୁ-

– ଟେବୁଲ୍‌ର ଡାହାଣ ପାଖ କୋଣରେ, କାନ୍ଥକୁ ଆଉଜି, ଆଇନାଟିଏ ତାଙ୍କ ଆଡ଼େ ଚାହିଁଛି । ଅମିୟ ସାର୍‌ଙ୍କ ମୁଣ୍ଡଠୁ ବେକ ଯାଏ ଦିଶୁଛି- ସେଥିରେ ।

– ଆଖି ପଶିଯାଇଛି ଭିତରକୁ । ଗାଲ ପଟା ପରି ହେଇଗଲାଣି । ଟିକେ ମୁଣ୍ଡ ହଲିଗଲେ, କାନ ବଉଳି ଦୋହଲି ଯାଉଛନ୍ତି । ନାକରେ ହାତ ମାରିଲେ. . . ଆଗ ପରି ସୁକୁମାର ଲାଗୁନାହିଁ । ବେଶୀ ନରମ ହେଇଗଲାଣି । ନାକ ଅଗ ଶୁଆ ଥଣ୍ଟିଆ ହେଇ, ତଳ ଆଡ଼କୁ ଝୁଲି ଆସିଲାଣି । ମୁଣ୍ଡଚୁଳ ପୁରାପୁରି ଝୋଟ । ଭ୍ରୁଲତା ତିନି ପା’ ପାଚିସାରିଲାଣି । ବେକସାରା ଲୋଚା କୋଚା ଚର୍ମ । ଭ୍ରୁଲତା ମଝିରୁ ତ୍ରିଶୂଳ ପରି ଶୀରା ଉଠିଥିଲା ମୁଣ୍ଡର କେଶ ଯାଏ- ଆଜି ହଜିଗଲାଣି । କପାଳ ସାରା. . . ନରମ ନରମ ଲୋଳିତ ଚର୍ମର ରେଖା କେବଳ. . . ।

ଧୀରେ ଧୀରେ ମାନସିକ ସ୍ତରରେ ଦୁର୍ବଳ ହୋଇଯାଉଥାନ୍ତି- ଅମିୟସାର୍ ! ଯେତେ ଦୁର୍ବଳତା ଆସୁଥାଏ- ସେତେ ସେତେ ହରିମାଷ୍ଟ୍ରେଙ୍କ ଡିମେନ୍ସିଆ ପ୍ରଭାବିତ କାର୍ଯ୍ୟକଳାପ ତାଙ୍କର ମନେପଡୁଥାଏ । କାଳେ- ତାଙ୍କର ସେମିତି ହେଇଯିବ କି ! !

. . . ମାଷ୍ଟ୍ରେଙ୍କର ଗୋଟେ ନିଶା ଥିଲା- ସେ ନ୍ୟାୟ ନିଶାପ ପଞ୍ଚାୟତରେ ବସିବେ । ଏମିତି ତ- ନିଜ ଗାଁ ପଞ୍ଚାୟତ ସଭାର ସେ ସଭାପତି ସବୁବେଳେ । କଥା କଥାକେ ଶାସ୍ତ୍ରୀୟ ଉଦାହରଣ ଦେଇ, ବାଦୀ ପ୍ରତିବାଦୀଙ୍କ ହୃଦୟକୁ ପରିବର୍ତ୍ତନ କରିପାରୁଥିଲେ । ଝଗଡ଼ା ଗାଁ ଛାଡ଼ି କୋର୍ଟ କଚେରୀ, ଥାନା ପୁଲିସ୍ ହାତକୁ ନ ଯାଉ. . . ସବୁବେଳେ ସେ ଏହା ଚାହୁଁଥିଲେ । ତାଙ୍କ ମତରେ- ନ୍ୟାୟ ପ୍ରକୃତ ଅର୍ଥରେ, ସଙ୍ଗେ ସଙ୍ଗେ ମିଳେ- ଗାଁ ପଞ୍ଚାୟତରୁ । ଗାଁରେ ହିଁ ନ୍ୟାୟ ବଞ୍ଚିଛି । ନ୍ୟାୟ ଯଦି ଆମେ ଗଢ଼ିଛୁ, ତାକୁ ପଇସା ଖର୍ଚ୍ଚ କରି, ମାଲିମକଦ୍ଦମାରେ ପାଇବୁ କାହିଁକି ? ନିଜ ପାଖରେ, ନିଜ ଭିତରେ, ତାହା ଥାଉ ଥାଉ ।

ଦିନେ ମାଷ୍ଟ୍ରେଙ୍କୁ ଅଞ୍ଚଳର ଶ୍ରେଷ୍ଠ ନାଗରିକ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସମ୍ୱର୍ଦ୍ଧନାର ଉତ୍ତରରେ ମାଷ୍ଟ୍ରେ କହିଥିଲେ- ସମସ୍ତେ ଗଛଟି ପରି ହେଇଯାଅ । ଛାୟା ଦିଅ, ଫଳ ଦିଅ, ଜଳ ଦିଅ, ଶରୀର ବି ଦିଅ, କାହାରିଠାରୁ କିଛି ପ୍ରତିବଦଳରେ ଗ୍ରହଣ କରିବାର ଇଚ୍ଛା ରଖି ନିଜ ଆଦର୍ଶରେ ଠିଆ ହୁଅ ନାହିଁ । ଏବେ ତୁମେ ସଚ୍ଚାମଣିଷ ହେଇଗଲ ।

ସେ ଶେଷ ଜୀବନଯାଏ ଏପରି ସଚ୍ଚାମଣି, ହେଇ ବଞ୍ଚିରହିବା ଚେଷ୍ଟାରେ ଅଛନ୍ତି । ଏଥିରେ ଅପାର ଆନନ୍ଦ ଅଛି ଓ ଏହା ହିଁ ଈଶ୍ୱର- କର୍ମ ବୋଲି କହି, ମାଷ୍ଟ୍ରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଆଶୀର୍ବାଦ ମୁଦ୍ରାରେ ହାତ ଟେକିଥିଲେ ।

ଏପରି ଦୃଢ଼ ମନର ମଣିଷ ଜଣେ ଏ ପରିସ୍ଥିତିକୁ ଆସିପାରନ୍ତି, ଡିମେନ୍ସିଆ ପ୍ରଭାବରେ । ଏଣୁ, ମଣିଷ କ’ଣ କଦାପି ନିଜ ଇଚ୍ଛାରେ ଅଗ୍ରଗାମୀ ?

ହଠାତ୍ କଲିଂବେଲ୍ ଶବ୍ଦରେ ଅମିୟସାର୍‌ଙ୍କ ଭାବନା ତୁଟିଗଲା ।

ପଚାରିଲେ- “କିଏ. . . ??”

ସୁବ୍ରତ ବାହାରୁ ଥାଇ କହିଲା- “ଆପଣଙ୍କ ମାଷ୍ଟ୍ରେ ଯାଇ ସାରିଥିଲେ, ପୁଣି ଆସି ଆମକୁ ବ୍ୟସ୍ତ କରୁଛନ୍ତି । ବାରମ୍ୱାର ପଚାରୁଛନ୍ତି- ଆମେ କିଏ ? ଆମ ବାପାଙ୍କ ନାଁ କ’ଣ ? ଘର କେଉଁଠି ? ଆପଣ ଟିକେ ଆସନ୍ତୁ ସାର୍. . . !”

ଅମିୟ ସାର୍ ପର୍ଟିକୋରେ ପହଞ୍ଚୁଥିଲେ ତ. . . ତାଙ୍କୁ ପଛ କରି, ହରିମାଷ୍ଟ୍ରେ ଦାଣ୍ଡକୁ ବାହାରି ଯାଉଥିଲେ ।

ଡିମେନ୍ସିଆ ପ୍ରଭାବରେ. . . ରୋଗୀ ଏମିତି ବିଚଳିତ ହେଇଥାଏ । ଅବ୍ୟବସ୍ଥିତ ଚିତ୍ତର ହେଇଯାଇଥାଏ । କୌଣସି କାମରେ ଆସୁ ଆସୁ, ଉଦ୍ଦେଶ୍ୟ ଭୁଲିଯାଏ । ଯାଆନ୍ତୁ ମାଷ୍ଟ୍ରେ । ପଛରୁ ଡାକିଲେ. . . ପୁଣି ବକିବାକୁ ପଡ଼ିବ ।

ଗତ ବର୍ଷା ଋତୁ କଥା ମନେପଡ଼ିଲା. . . ।

ଅମିୟସାର୍ ମାର୍କେଟିଂ ସାରି ଫେରୁଥିଲେ- ଗାଁର ଉତ୍ତର ମୁଣ୍ଡ ଶ୍ମଶାନ ପାଖ ବନ୍ଧରେ । ସାଇକେଲ୍‌ଟିରେ ପରିବା, ସଉଦାବ୍ୟାଗ୍ ଟଙ୍ଗା ହେଇଥିଲା । ନଜର ପଡ଼ିଲା- ମାଷ୍ଟ୍ରେ ବନ୍ଧ ତଳେ ଝାଡ଼ା ଯାଇ, ସେଠି ଜମିଥିବା ମଇଳା ପାଣିରେ ଶୌଚ ହେଲେ ଓ ସେହି ଗୁହମିଶା ପାଣିରେ କୁଳିକରି, ଚଳାଏ ପାଣି ସିଞ୍ଚି ପକାଇଲେ- ମୁଣ୍ଡରୁ ଦେହସାରା । ଏହା ତାଙ୍କ ଭଲ ଥିବା ସମୟରୁ ଅଭ୍ୟାସ । ସେ କି ଜାଣନ୍ତି- ତାହା ଗୁହ ମିଶା ପାଣି । ସେ ଢଳି ଢଳି ବନ୍ଧତଳୁ ଉପରକୁ ଉଠୁଥିଲେ । ପିନ୍ଧାଲୁଗାର କଚ୍ଛା ମାରିବାକୁ ଭୁଲି ଯାଇଥିଲେ । ତାହା ଘାସୁଆ ମାଟିରେ ଘୋଷାରି ହେଇ, ଗୁହ-ମଇଳାରେ ନେସି ହେଉଥିଲା । ଅମିୟସାର୍ ସାଇକେଲ୍ ଷ୍ଟାଣ୍ଡ୍ କରି, ମାଷ୍ଟ୍ରେଙ୍କୁ ତଳୁ ଧରିଆଣି, ଉପରେ ଛାଡ଼ିଲେ । କୌଣସି ମତେ, କଚ୍ଛାକାନି ଖୋଷି ଦେଲେ- ତାଙ୍କ ମେରୁ ହାଡ଼ ସିଧା ।

ତାଙ୍କୁ ଦକ୍ଷିଣ ଦିଗର. . . ତାଙ୍କ ଘରମୁହାଁ କରିଦେଲେ. . . । ଆଃ ! ବାର୍ଦ୍ଧକ୍ୟ- କେତେ ଯେ ଯନ୍ତ୍ରଣାଦାୟକ !

ମାଷ୍ଟ୍ରେ ଟଳମଳ ହେଇ ଚାଲିଥିଲେ ତାଙ୍କ ଘରଆଡ଼େ ।

ସାମ୍ନାରୁ ସାନ ସାଇକେଲ୍‌ଟିରେ ସ୍କୁଲ୍‌କୁ ଆସୁଥିଲା- ଅଣନାତୁଣୀ ଜ୍ୟୋତି । ଗୋସେଇଁ ଜେଜେଙ୍କୁ ଦେଖି, କାଳେ ବାଜିଯିବେ ଭାବି, ଘଣ୍ଟି ବଜାଇଲା । ମାଷ୍ଟ୍ରେ ଚମକି ପଡ଼ି ତାହାରି ସାଇକେଲ୍ ଉପରେ ଢଳି ପଡ଼ିଲେ । ଜ୍ୟୋତି ବି ପଡ଼ିଗଲା । ଅମିୟସାର୍ ଦୌଡ଼ି ଯାଉ ଯାଉ, ସେ ନିଜେ ଉଠିଲା. . . ଜେଜେଙ୍କୁ ଉଠାଇଲା . . . ଝାଡ଼ି ହେଉ ହେଉ ପଚାରିଲା- ମୋତେ ପକାଇ ଦେଲ- ଗୋସି ଜେଜେ ?

– “ତୁ କିଏ କିଲୋ ?” ମାଷ୍ଟ୍ରେ ପଚାରିଲେ ।

ଜ୍ୟୋତି କହିଲା- “ମୁଁ ନା. . . ଜ୍ୟୋତି । ତମକୁ ଚାହା ଦିଏ । ଗୋଡ଼ ମୋଡ଼ିଦିଏ । ଚିହ୍ନିପାରୁନା । ମୁଁ ତମ ପୁଅର. . . ପୁଅର. . . ଝିଅ ।”

ମାଷ୍ଟ୍ରେ ଚଟାପଟ ପଚାରିଲେ- “ତୋ ବାପା ବାହା ହେଲାଣି ?”

ଜ୍ୟୋତି ଖିଲିଖିଲି ହେଇ ହସିଲା ଓ ହସି ହସି, ସାଇକେଲ୍‌ରେ ବାହାରିଗଲା ସ୍କୁଲ୍‌କୁ । ସାନ ପିଲାଟା । ସେ କି ଜାଣେ- ଡିମେନ୍ସିଆ କ’ଣ ?

ମାଷ୍ଟ୍ରେ ତଳେ ପଡ଼ି, ଉଠିଲାବେଳକୁ, ଉତ୍ତର ମୁହାଁ ହେଇ ସାରିଥିଲେ ।

ସେ ଦକ୍ଷିଣ ଦିଗରେ ନିଜ ଘର ଆଡ଼େ ଯିବେ କ’ଣ. . . ଚାଲିଲେ ଉତ୍ତର ମୁହାଁ ହେଇ- ମାର୍କେଟ୍ ଆଡ଼େ । ଯାଉ ଯାଉ ଅମିୟସାର୍‌ଙ୍କୁ ପାଇଲେ । ପଚାରିଲେ- “ଆରେ ଅମିୟ ! ତୁ କେତେବେଳେ ଆସିଲୁ ? କ’ଣ ମାର୍କେଟ୍ ଆଡ଼େ ଯାଉଛୁ ?”

. . . ହାୟରେ ଡିମେନ୍ସିଆ ! ତୁ କ’ଣ ନ କରିପାରୁ !

. . . ମାଷ୍ଟ୍ରେଙ୍କ ପରି ବିଦ୍ୱାନ ଲୋକଙ୍କୁ ଦାନ୍ତ ଘଷିବା, ଝାଡ଼ା ଯିବା, ଗାଧୋଇବା ପ୍ରଭୃତି ନିତ୍ୟ ନୈମିତ୍ତିକ କାମ ଭୁଲାଇ ଦେଉ । ହାତରେ ଧରିଥିବା ଜିନିଷଟାକୁ . . . ସେ ଚାରିଆଡ଼େ ଖୋଜୁ ଖୋଜୁ ଚିତ୍କାରଟିଏ କରନ୍ତି- କାହିଁକି, କିଏ ମୋ ଜିନିଷ ନେଇଯାଇଛ. . . ମୁଁ ତୁମର କି ଦୋଷ କଲି । ଏମିତି ମନକୁ ମନ କହିହୁଅନ୍ତି ।

. . . ତାଙ୍କର ବିଛଣା, ତକିଆ, ପାନକୁଟାନଳୀ ପ୍ରଭୃତି ନିଜ ଜାଗାରେ ସ୍ଥିର ଥା’ନ୍ତି, ମାତ୍ର ମାଷ୍ଟ୍ରେ କହୁଥାନ୍ତି ଶୋଇ ଶୋଇ- କୋକେଇ ଉପରେ ମୋ ଜିନିଷ ସଜେଇକି ରଖ, ମୋ କ୍ରିୟାକର୍ମ ଶେଷ ହେବାଯାଏ. . . ମୁଁ ଚଳିବି କିପରି ? ପିତୃଗଣଙ୍କ ରାଜ୍ୟରୁ ଯାଇ ନଥିବି ତ । . . . ଆରେ ଆରେ ! ଧଳା ଚାଦର କାହିଁକି ମୋ ଉପରେ ଢାଙ୍କୁଛ । ମୁଁ କମ୍ୟୁନିଷ୍ଟ ପାର୍ଟିର କମ୍ରେଡ୍ । ଦା’ ହାତୁଡ଼ି ଅଙ୍କା, ଲାଲ୍ ପତାକାଟିରେ ଢାଙ୍କିଦିଅ ମତେ । ମୋ ଦେହକୁ ମଲ୍ଲୀ, ଟଗର, ପଦ୍ମଫୁଲରେ ଢାଙ୍କନାହିଁ । ଲାଲ୍ ଲାଲ୍ ମନ୍ଦାର, ଶିମୂଳି ଓ ପଳାଶ ଫୁଲ ବିଞ୍ଚି ଦିଅ ମୋ ଶବ ଉପରେ. . . ।

ଏ ସବୁ ମନେପକାଇ ଅମିୟସାର୍‌ଙ୍କ ଦେହ ଶୀତେଇ ଉଠିଲା. . . ନିଜ ସମ୍ୱନ୍ଧରେ ଆଶଙ୍କା ଜର୍ଜରିତ ଅକାରଣ ଭୟ ଯୋଗୁଁ । ସତରେ- ତାଙ୍କୁ ଓ ମିନତିଦେବୀଙ୍କୁ ଯଦି ଡିମେନ୍ସିଆ ହେଇଯାଏ- କିଏ କାହା କଥା ବୁଝିବ ?

ଏତିକିବେଳେ, ଡାଇରିଆ ରୋଗୀର ଅତି ଦୁର୍ଗନ୍ଧ ଆଇଁଷିଣା ଝାଡ଼ା ଝଲକାଏ ପଶିଆଶିଲା ତାଙ୍କ ରୁମ୍‌କୁ. . . ଘୂରୁଥିବା ସିଲିଂ ଫ୍ୟାନ୍ ପ୍ରଭାବରେ । ସଙ୍ଗେ ସଙ୍ଗେ. . . ମିନତିଦେବୀ ଡାକିଲେ- ଆସ ଆସ. . . ବୋଉଙ୍କର ବିଛଣାରେ ଝାଡ଼ା ହେଇଗଲାଣି ।

. . . ବୋଉ ଏବେ ଶାୟାଟିଏ କେବଳ ପିନ୍ଧିଛନ୍ତି. . . । ପିଠି ଛାତି ଏକାପରି । କେବଳ ଚର୍ମ ନେସି ହେଇଥିବା ହାଡ଼ମାଳ ଶରୀର ।

ଯୌବନ କାଳରେ ଷାଠିଏ କିଲୋ ଓଜନର ଶରୀର. . . ଏବେ କୋଡ଼ିଏ କିଲୋ ଅବଶିଷ୍ଟ ହେଇ, କଙ୍କାଳର ଭ୍ରମ ସୃଷ୍ଟି କରୁଛି. . . ।

ସେ ଖଟ ଧାରର ତଳକୁ, ତାଙ୍କର ପାଦ ଫୁଲିଥିବା ଗୋଡ଼ ଦୁଇଟି ଓହଳାଇ, ମଶାରୀ ବାଡ଼କୁ ବାଁ ହାତରେ ମୁଠାଇ ଧରିଛନ୍ତି । ପତଳା ଝାଡ଼ା ବହିଯାଉଛି. . . ଅତିସାର ରୋଗ ପରି ।

ଅମିୟସାର୍ ପହଞ୍ଚି, ତାଙ୍କୁ ଟେକିଆଣି ଠିଆ କଲେ । ମିନତିଦେବୀ ଗରମ ପାଣି ଆଣି, ତାଙ୍କୁ ଧୁଆଧୋଇ କରି, ନୂଆ ଶାୟାଟିଏ ପିନ୍ଧାଇଲେ ।

ବୋଉ କହିଲେ- “କିଏ ଆରେ ? ପାଗଳା କି ? ତୋରି ହାତ ଛୁଇଁଲା ପରି ଲାଗୁଛି । ପାଗଳା. . . ନା ? ଅମି. . . ନା !”

– ହଁ ବୋଉ. . . ମୁଁ ଅମି. . . ତୋ ପାଗଳା । ତୋ ବୋହୂ ତତେ ଶାୟା ପିନ୍ଧାଉଛନ୍ତି ।

. . . ଆରେ, ମୁଁ ପାଇଖାନାରେ ବସିଛି ପରା । ବୁଢ଼ୀ ହେଲି ବୋଲି କ’ଣ ଲାଜ ସରମ ନାହିଁ । ଯା’. . . ପାଇଖାନା କବାଟ ଆଉଜାଇ ଦେ । ମୋ ହାତ ଉପରକୁ ଉଠୁନାହିଁ ତ । ସେଇ ପାଇଁ, କବାଟ କିଳିଣି ଦେଇପାରିନାହିଁ । ଗଲୁ. . . ଗଲୁ. . . ମୁଁ ଟିକେ ଶାନ୍ତିରେ ହଗେ. . . ।

ଅମିୟସାର୍‌ଙ୍କ ଆଖିରୁ ଧାର ଧାର ଲୁହ ଝରିପଡ଼ିଲା. . . ।

କି ଯେ ବିକଳ ଅବସ୍ଥା- ତାଙ୍କ ବୋଉଙ୍କର ।

ବୋଉଙ୍କୁ ଡିମେନ୍ସିଆ ଆରମ୍ଭ ହେଇଗଲାଣି ! !

ଏହା କ’ଣ ବଂଶାନୁକ୍ରମିକ ରୋଗ ? ତାଙ୍କୁ ହେଇଯିବ କି ?

ବାପାଙ୍କୁ ହେଇଥିଲା ! ! !

ଏମିତି ଭାବନା ଭିତରେ, ବୋଉଙ୍କ ପାଇଁ ଘର ଚଟାଣରେ ବିଛଣା ପାରି ଶୁଆଇ ଦେଲେ ତାଙ୍କୁ । ଖଟରୁ ପଡ଼ିଯିବେ ତ. . . ପାରାଲିସିସ୍ ହେଇପାରେ । ହାଡ଼ ଭାଙ୍ଗିଯିବାର ଭୟ ବି ଅଛି । ସେ ଏବେ ତଳେ ଶୋଇବା ଭଲ ।

ଘର ଚଟାଣରେ ଶୋଇ, ବୋଉ କହୁଥିଲେ- “ଖଟ ଧାରରେ ତକିଆ ଦେଇ ଦିଅ । କାଳେ ଖଟରୁ ତଳେ ପଡ଼ିଯିବି. . . । ତମକୁ ଉଠା ପକା କରିବାକୁ ପଡ଼ିବ । ମୁଁ ତ ନିଜ କାମ ନିଜେ କରିପାରୁଛି ଏବେ. . . । ମୋ ପାଇଁ କେହି ବ୍ୟସ୍ତ ହୁଅନା. . . ।”

ଶାଶୁଙ୍କୁ ଔଷଧ ଖୁଆଇ, ମିନତିଦେବୀ ଖଟ ପୋଛିଲେ । ଫିନାଇଲ୍ ପକାଇଲେ । ବାହାରି ଗଲେ- ନିଜେ ଗାଧୋଇବାକୁ । ଠାକୁର ପୂଜା ଶେଷରେ, ସବୁଦିନ ପରି ସ୍ୱାମୀଙ୍କୁ ଖୁଆଇ, ନିଜେ ଖାଇ, ମଧ୍ୟାହ୍ନ ପାଇଁ ରୋଷେଇ କରିବାକୁ ହେବ ।

ଅମିୟ ସାର୍ ନିଜ ରୁମ୍‌କୁ ଆସି, ତାଙ୍କ ଖଟ ଉପରେ ଶୋଇଗଲେ ଚିତ୍ ହୋଇ । ଫୁଲ୍ ସ୍ପୀଡ୍‌ରେ ପଙ୍ଖା ଘୁରୁଥାଏ- ଛାତରୁ ଓହଳି । ତାଙ୍କ ଚିନ୍ତାଧାର ଏବେ ବୋଉଙ୍କୁ ଛାଡ଼ି, ସଂସାର ଛାଡ଼ିସାରିଥିବା ବାପାଙ୍କର ଶେଷ ଜୀବନର କାର୍ଯ୍ୟକଳାପକୁ ନେଇ, ଓଲଟା ଘୂରୁଥାଏ. . . ।

ତାଙ୍କୁ ଦିଶୁଥାଏ- ଗାଁର ଗାଈପାଳି ଦାଣ୍ଡେ ଦାଣ୍ଡେ ଗୋବର ଭେଡ଼ା ଆଡ଼େ ଚାଲିଲା. . . । ବାପା ପ୍ରତିଦିନପରି ଆଜି ମଧ୍ୟ ଆସିଗଲେ- କିଛି ଗୋରୁ ହଗିଥିବା ଗୋବର ଗୋଟାଇବାକୁ । ସେ ଦୁଇ ହାତରେ ଗୋବର ଗୋଟାଉଥାନ୍ତି ଓ ପାଖ ବାଉଁଶ ବୁଦା ମୂଳରେ ସେ ସବୁକୁ ଥାପୁଥାନ୍ତି । କହୁଥାନ୍ତି- ଖତ ଖତ ଖତ. . . !

. . . ଗୋବର ଶେଷ ହେଲାରୁ ବାପା ଗୋହିରୀ ବାଟେ ଗୂହ ବାଡ଼ିକୁ ଯାଉଛନ୍ତି । ସେଠୁ ଚଳାଚଳା ଗୂହକୁ ଦୁଇ ଆଞ୍ଜୁଳାରେ ପୋଛି ଆଣି, ବାଉଁଶ ମୂଳରେ ଥାପୁଛନ୍ତି. . . । କହୁଛନ୍ତି- ଖତ. . . ଖତ. . . ଖତ. . . !

କିଛି ସମୟ ପରେ, ସେମିତି ଗୂହ-ଗୋବର ହାତରେ ଘରକୁ ଚାଲିଯାଉଛନ୍ତି । ସେଠି ମଧ୍ୟ ଚେୟାର୍‌ଟିରେ ବସି, କହି ଚାଲିଛନ୍ତି- “ଖତ. . . ଖତ. . . ଖତ. . . !”

ଓଃ ! ବାପାଙ୍କୁ ବି ଉତ୍କଟ ଡିମେନ୍ସିଆ ହେଇଥିଲା ! ! !

ଗୋଟାଏ କଥାକୁ ବାରମ୍ୱାର କହୁଥିଲେ । ମୁଣ୍ଡରେ ଯାହା ପଶୁଥିଲା, ତାକୁ ଜପାମାଳି କହୁଥିଲେ । ପଞ୍ଚ ଜ୍ଞାନେନ୍ଦ୍ରିୟ ଠିକ୍ ଥିଲେ ମଧ୍ୟ- ଚେତନାର ବିଘଟନ ଯୋଗୁଁ, ସେ ଭଲମନ୍ଦ କିଛି ବି ଜାଣିପାରୁନଥିଲେ ।

ଶେଷରେ ବାପାଙ୍କୁ ତାଙ୍କ ବଖରାଟି ଭିତରେ ରଖାଯାଇ, ବାହାରୁ କବାଟ ଝଞ୍ଜିର ଲଗାଇ ଦିଆଗଲା । ନିଜେ ଗଢ଼ିଥିବା ଘରଟି ଭିତରେ, ଡାକ୍ତରୀ ଚିକିତ୍ସାରେ ରହି ମଧ୍ୟ, ବାପାଙ୍କ ଶେଷ ଜୀବନ. . . ବନ୍ଦୀର ଜୀବନ ହେଇଗଲା ।

ଏସବୁ ଭାବି ଭାବି, ଅମିୟସାର୍ ନିଜ ମୁଣ୍ଡକୁ ଶକ୍ତ ଭାବରେ ଦୁଇ ହାତରେ ଚାପି ଧରିଲେ । ତାଙ୍କୁ ଲାଗୁଥାଏ- ବାପାଙ୍କ ପରେ ବୋଉ. . . ଓ ବୋଉ ଥାଉ ଥାଉ, ତାଙ୍କୁ ଯେମିତି ଡିମେନ୍ସିଆ ରାକ୍ଷସ ଆକ୍ରମଣ କରିବାକୁ ମାଡ଼ିଆସୁଛି ।

ସେ ଚିତ୍କାର କରି ଡାକିଲେ- “ମିନୁ ! ଆସ. . . ଆସ. . . ମୋ ପାଖକୁ ଆସ. . . । ଶୀଘ୍ର ଆସ ମିନୁ. . . ।”

ଓଦା ଜଡ଼ସଡ଼ ହେଇ, ବାଥ୍‌ରୁମ୍‌ରୁ ଆସିଗଲେ- ମିନତିଦେବୀ ! ପଚାରିଲେ- “କ’ଣ କହିବ, ଶୀଘ୍ର କୁହ । ଥଣ୍ଡା ଧରିବ । ଆଉ କ’ଣ ଆଗ ବୟସ ଅଛି ଯେ- ମୁଁ ଆମ କଇଁ ପୋଖରୀକୁ ଦି’ଭାଗ କରି ପହଁରୁଥିବି. . . ତମେ ଗଛ ଉହାଡ଼ରେ ଠିଆ ହେଇ, କ୍ୟାମେରା ଚିପୁ ଥିବ ।”

ହସିଲେ ଅମିୟ ସାର୍. . . ।

କହିଲେ- “ମାଷ୍ଟ୍ରେ ଆଉ ବାପା ବୋଉଙ୍କ ଡିମେନ୍ସିଆ ରୋଗକଥା ଭାବୁ ଭାବୁ, ଭାରି ଡର ଡର ଲାଗିଲାଣି । ଆଜି କାଲିକା ପିଲା ତ. . . ନିଜ ପାଇଁ ବ୍ୟସ୍ତ । ତାଙ୍କୁ ଯିଏ ଗଢ଼ିଲେ, ତାଙ୍କ ଆଡ଼େ ଠିକ୍‌ରେ ଚାହିଁବାକୁ ବେଳନାହିଁ ତାଙ୍କ ପାଖରେ । ଭାବୁନାହାନ୍ତି ଯେ. . . ତାଙ୍କର ବି ବୁଢ଼ା ବୟସ ଆସିବ । ଆମେ ଯଦି ଡିମେନ୍ସିଆ ରୋଗରେ ପଡ଼ନ୍ତି, ଆମ ପିଲାଏ ଆମକୁ ଚାହିଁବେ ତ ? ଟଙ୍କା ପଛରେ ଧାଉଁଥିବା ପିଲାଏ ତ. . . ଏବେ ବାପ- ମା’ଙ୍କୁ ଭୁଲି ଯାଉଛନ୍ତି ।

ମିନତିଦେବୀ କହିଲେ- “ଆମ ପିଲାମାନଙ୍କୁ ଯଦି ଆମେ ଠିକ୍ ସଂସ୍କାର ଦେଇପାରିଛନ୍ତି. . . ତେବେ ତାଙ୍କର ଆଚରଣ ଖରାପ ହେବ ବୋଲି କାହିଁକି ଭାବିବା । ଯୌବନରେ ଆମର ସ୍ନେହ ଯତ୍ନରେ ଯଦି ଅଭାବ ଥିବ. . . ତେବେ ନା ବାର୍ଦ୍ଧକ୍ୟରେ ସେମାନେ ନିଜର କର୍ତ୍ତବ୍ୟ ଭୁଲିବେ । ଅବହେଳା କରିବେ । ଆମେ ତ ସେମିତି ଭୁଲ୍ କରିନାହାନ୍ତି । ତମେ ବ୍ୟସ୍ତ କାହିଁକି ହେଉଛ ?”

ଅମିୟସାର୍ ସବୁ ବିପଦରେ ଧୈର୍ଯ୍ୟ ରଖି, ତାକୁ ଡେଇଁଯାଉଥିବା ମିନତିଦେବୀଙ୍କୁ ଏମିତି ଚାହିଁଲେ. . . ଯେମିତି କି ଅଖଣ୍ଡ-ବିଶ୍ୱାସର ଅମୃତଧାରା ତାଙ୍କ ଆଖିରୁ ଝରୁଛି । ଓଠରେ ତୃପ୍ତିର ରଙ୍ଗ ଲାଖି ରହିଛି ।

ମିନତିଦେବୀ ପଚାରିଲେ- “ଏମିତି କ’ଣ ଚାହିଁ ରହିଛ ? କ’ଣ ନୂଆ ଦେଖୁଛ ? . . . ତମକୁ ଡିମେନ୍ସିଆ ତ ନିଶ୍ଚୟ ହେବ ।”

– ମୋତେ ଡିମେନ୍ସିଆ ହେବ ବୋଲି, ତମେ କେମିତି ଜାଣିଲ ?

. . . ଏଇ ତ. . . ! କେତେବେଳୁ କହିଲିଣି- ଥଣ୍ଡା ଧରିବ । ଭୁଲିଗଲଣି ଟି ।

ଅମିୟ ସାର୍ ଉଚ୍ଚସ୍ୱରରେ ହସିଲେ । ମିନତିଦେବୀଙ୍କ ଏମିତିକା ମଧୁର ଆକ୍ଷେପ ଯୋଗୁଁ । ତଥାପି କହିଲେ- “ବାପାଙ୍କୁ ହେଇଥିଲା. . . ବୋଉକୁ ହେଇଛି. . . ମୋତେ ହେଇପାରେ ବୋଲି ସନ୍ଦେହ ଆସୁଛି- ଯଦିଓ ଏହା ବଂଶାନୁକ୍ରମିକ ରୋଗ ନୁହେଁ, କିନ୍ତୁ ବେଳେବେଳେ ମୋର ସ୍ମରଣଶକ୍ତି ପ୍ରତି ଭରସା ତୁଟିଯାଉଛି । ଆଚ୍ଛା ମିନୁ, କହିଲ. . . ଆମ ବିବାହ ଉଣେଇଶ ଶତଷଠୀ ମସିହା, ମେ’ ମାସ ସତର ତାରିଖରେ ହୋଇଥିଲା ତ ? ବୁଧବାର ?”

ମିନତିଦେବୀ ବାଥ୍‌ରୁମ୍ ଆଡ଼େ ପାଦ ବଢ଼ାଉ ବଢ଼ାଉ ହସି ହସି, କହି କହି ଚାଲିଗଲେ- “ନା । ସେଦିନ ଆମର ବାହାଘର ହେଇ ନ ଥିଲା । ମାଛ ଧରିଲା ପରି, ତମେ ମୋତେ କଇଁ ପୋଖରୀରେ ଖେପାଜାଲ ପକାଇ, ଛାଣି ଆଣିଥିଲ. . . ।”

ହଠାତ୍ ଅମିୟ ସାର୍‌ଙ୍କୁ ଲାଗିଲା- ଯେମିତି ସେ ବିବାହ ବେଦୀରେ ବସିଛନ୍ତି । ହସ୍ତଗଣ୍ଠି ପକାସାରିଛନ୍ତି- ପୁରୋହିତ ବିଘ୍ନେଶ୍ୱର ଶତପଥୀ । ସାନ ଶାଳୀର ମଧୁର ଜିଦି- ତାକୁ କାନଫୁଲ ଓ ଦଶ ହଜାର ଟଙ୍କା ନ ଦେଲେ. . . ସେମିତି ବସିଥିବେ ଭାଇ-ଦେଈ, ବେଦୀରେ ବନ୍ଧା ହେଇ । ସେ ହସ୍ତଗଣ୍ଠି ଖୋଲିବ ନାହିଁ . . . । ସେସବୁ ଦୃଶ୍ୟ ମନେପଡ଼ି ଯିବାରୁ, ଅମିୟ ସାର୍ ମନକୁ ମନ କହିହେଲେ-

ଧେତ୍. . . ତାଙ୍କୁ କାହିଁକି ଡିମେନ୍ସିଆ ହେବ ଯେ. . . !

ଡିମେନ୍ସିଆ କୋଉ ବଂଶାନୁକ୍ରମିକ ରୋଗ କି ! ନିୟମିତ ଯୋଗ କରୁଥିଲେ, ଦୁଃଶ୍ଚିନ୍ତାରୁ ଘୁଞ୍ଚି ରହୁଥିଲେ, ଆଶାରେ ଆଶାରେ ଭାସି ଯାଉନଥିଲେ, ଏ ରୋଗ କାହାରି ପାଖ ମାଡ଼ିବ ନାହିଁ । ସେ କାହିଁକି ଆକ୍ରାନ୍ତ ହେବେ । ମନ ଯଦି ଯୁବକ . . . ବୟସ ପାଖରେ ରୋଗ, ନିଶ୍ଚୟ ହାରି ହାରିଯିବ ।

ଲୋକପ୍ରିୟ ଲେଖା

To Top