ଗଳ୍ପ

ଛିଣ୍ଡା କତରା

Hemanta Kumar Rout's odia story Chinda Kataraa

ତା’ ସ୍ତ୍ରୀ ଜିଭ କାମୁଡ଼ି ପକେଇଲା, ହଇ ହୋ’ ତମର କୋଉ ଗରଜ ପଡ଼ିଛି, ସେ ଖାଇଲେ ଖାଉ ନ ଖାଇଲେ ନାହିଁ ତମ ବାପାର କିଆଁ ଗଲା ।

ଛିଣ୍ଡା କତରା

ଛିଣ୍ଡା କତରାଟି ତା’ର ମଶାଣିରେ ବି ଭରସା । ତା’ରି କୋଳରେ ସତୁରା ବହୁଦୂର ଚାଲିଯିବ । ଜନମ ହେବା ବେଳେ ତାରି କୋଳରେ ଶୋଇ କୁଆଁ କୁଆଁ କାନ୍ଦିଥିଲା । ମରଣ ପରେ ବି ତା’ ଉପରେ ଶୋଇଥିଲା ନିରୀହ ପିଲାଟି ପରି ନିରବ ହୋଇ ।

ଗହଳିଆ କିଆବୁଦାର ଆରପାଖରେ ଜୁଇ ସଜାଡ଼ି ନିଆଁ ଲଗେଇ ଦେଲେ । ନିଆଁ ଅଗରୁ ବହଳିଆ ଧୂଆଁ ଗଛ ଉପର ଦେଇ ଗାଁ ଉପରେ ମିଳେଇ ଯାଇଥିଲା । କିଆବୁଦାର ଆଢୁଆଳରେ ନିଜେ ଜଳିଯିବା ଆଗରୁ କତରାଟି ନିମିଷକରେ ପାଉଁଶ ହୋଇଗଲା । ସତୁରାର ଆତ୍ମା ସେହିପରି ଗାଁର ଗଛଲତା, ଫୁଲ, ଫଳ, ନଈନାଳ ସବୁ ମଣିଷର ପ୍ରାଣରେ ମିଶିଯାଇ ଏକାକାର । ବେଶ୍ ତା’ପରେ ସବୁ ସଫା ।

ସେଇ ହେଁସଟି ଦିନେ କତରା ପାଲଟିଗଲା । ସେଦିନ ସଳିତା ତାକୁ କେତେ ନେହୁରା ହେଇ କହିବାରୁ ସେ ହେଁସ ବୁଣିବାକୁ ମନ ଦେଲା । ଶୋଇବାକୁ ଭାରି ହୀନସ୍ତା । ଗାଁ ମୁଣ୍ଡ ଗୋଦଣ୍ଡାକୁ ପୋତି ଚାଳିଆଟି ମାରିଥିଲା ଯେ ସବୁବେଳେ ସନ୍ତସନ୍ତିଆ । ଭଲରେ ମନ୍ଦରେ ଖଣ୍ଡେ ତଳେ ନ ପକେଇଲେ ଶୋଇବେ କେମିତି ? ହେଁସ ଖଣ୍ଡେ ନଗେଇବାକୁ ସ୍ତ୍ରୀ କେବେଠୁଁ କହିଲାଣି । ସେ କ’ଣ କରିବ । ସେ ତ ବର୍ଷ ସାରା ପର ଘରେ ଦୁଃଖ କରୁଛି ।

ମିଶ୍ରଙ୍କ ବିଲରୁ କାମ ସାରି ଆସିବା ବାଟରେ ବେଢୁଆଁ କାଟିକାଟି ଆଣେ । ଅଶିଣ ମାସ ଦି’ପ୍ରହର । ହିଡ଼ର ଦୁଇ କଡ଼ରେ ଧାନଗଛ ବୁଦା ମେଲେଇ ଦେଇଥାଏ । ଆଡେ଼ଇ ଆଡେ଼ଇ ପାଦ ଲମ୍ୱେଇ ଆସିବାକୁ ହୁଏ । ଧାନଗଛର ମୁନିଆଁ ଅଗ ବାଜି ଦେହରୁ ରକ୍ତ ବାହାରି ପଡେ଼ । କିଆରୀରୁ ବେଢୁଆଁ କାଟି ଥୋଇ ଥୋଇ ଗୋଟାଇ ଗୋଟାଇ ଗୋଛାକରେ । ମୁଣ୍ଡରେ ମୁଣ୍ଡେଇ ପୁଣି ହିରେ ହିରେ ଫେରେ ନିଜ ଗାଁ ଆଡେ଼ କଇଁଫଲ ଦଣ୍ଡା ଗୋହିରି ଦେଇ ।

ହିରରୁ ହିର, କିଆରୀରୁ କିଆରୀ, ଆଣ୍ଠିଏ ପେଟେ ଅଣ୍ଟାଏ ପାଣିରେ ଆସି ଥକି ପଡ଼ିଲେ ବି ସବୁଯାକ ଖରାରେ ଶୁଖାଇ ତରବର ହୋଇ ଗଣ୍ଠଥାଳି ଗେଫି ଦେଇ ପୁଣି କାଦୁଅରେ ନସର ପସର ହୋଇ ରୁଆ ବେଉଷଣ କରେ । ରାତି ପାହାନ୍ତାରୁ ବିଛଣା ଛାଡ଼ି, ଡିବି ଲଗେଇ, ଟାକୁଆକୁ ଠକ୍‌ଠକ୍ ଗଡେ଼ଇ ଝୋଟରୁ ବାଣି ବଳେ । ତା’ପରେ ହେଁସ ଲଗାଏ । କାମରୁ ଆସି ହେଁସ ବୁଣେ ରାତି ଅଧଯାଏ ।

ଦିନ ପନ୍ଦରରେ ହେଁସଟି ଉଠିବା କଥା । ସେଇଠୁ ଉଠୁ ଉଠୁ ତିନିମାସ ଚାଲିଗଲା । ଯେଉଁଦିନ ଉଠିଲା, ସେଦିନ ଦି’ପ୍ରାଣୀ ଭାରି ଖୁସି । ଘରେ କୋଉ କମଳ, ଚାଦରସ ବିଛଣା ଅଛି ଯେ କର ତଳେ ପକେଇ ଦବ । କେବେ ସତୁରା ଅଣ୍ଟାରୁ ଚିରା ଗାମୁଛାଟି ଫିଟେଇ ତା’ ଉପରେ ଗଡ଼ିଯାଏ । କେବେ ସଳିତା ନିଜ କାନିଟି ବିଛେଇ ହେଁସ ଗୁରାକୁ ମୁଣ୍ଡତଳେ ଦେଇ ଗଡ଼ିପଡେ଼ । ଆଉ କେବେ ଜାଗ୍ରତ ପ୍ରହରୀ ଭଳି ହେଁସଟି କାନ୍ଥକୁ ଆଉଜି ଛିଡ଼ା ହୁଏ । ସତେ ଯେମିତି ସେ ଦିନରାତି ଖଟଣିର ମୂକ ସାକ୍ଷୀ ।

ଚୁଲି ଅଜଳା ରହିଲେ ତା’ ଉପରେ ପେଟକୁ ଯାକି ପଡ଼ିଯାଇଛନ୍ତି ଭୋକର ଦାଉ ମେଣ୍ଟାଇବାକୁ । ମାଘ ମାସର କୁହୁଡ଼ିଆ ଜାଡ଼ରେ ହେଁସଟିକୁ ଘୋଡେ଼ଇ ହୋଇ ଉଷୁମ ଟାଣିଟାଣି ଶୋଇ ପଡ଼ିଛନ୍ତି ଜାକିଜୁକି ହୋଇ । ଖରାଦିନେ ଝାଞ୍ଜି ଗରମରେ ଦେହମୁଣ୍ଡ ଜଳିଗଲେ ରାତିରେ ଗୁଳୁଗୁଳି ହୁଏ । ସେମାନେ ହେଁସକୁ ନେଇ ଅଗଣାରେ ପାରିଦେଇ ଉପରକୁ ଚାହାନ୍ତି । ଉପରେ ଅଗଣିତ ଟିକିଟିକି ତାରା । ସେମାନେ ସୂର୍ଯ୍ୟଠାରୁ ଆହୁରି ବଡ଼ । ତଥାପି ତାରି ପରି ଦୂରତା ତାଙ୍କୁ ଛୋଟ କରି ଦେଇଛି । ଏତେ ଶକ୍ତି ଥାଇ ବି ସେମାନେ ନିରବ । ଧୂଳିମାଟିର ପୃଥିବୀରେ କେହି ତାଙ୍କ ହିସାବ ରଖିନି ।

ଗରିବରୁ ଗରିବ ହୋଇ ସେ ଯେପରି ଛିଡ଼ି ଯାଇଛି । ହେଁସର ଦୁଇପାଖ ଛିଡ଼ି କତରା ପାଲଟିଗଲାଣି । କାନି ଚିରି ସୁତୁଲି ଝୁଲି ପଡ଼ିଛି । ସନ୍ତସନ୍ତିଆ ଘରେ ତାକୁ ପୁଳେ ପୁଳେ ଉଇ ଖାଇଗଲେ ଡାମ୍ଫୁଣରେ ସିଲେଇ କରୁଛି । ଯେଉଁଠି ମୂଷା କାଟି ପକାଉଛି ସେଠି ଖଣ୍ଡେ ଛିଣ୍ଡା ଅଖା ପଟି ପକେଇ ସେଇଁ ଦଉଛି ।

ତା’ ଛାତିର ରକ୍ତ ସବୁ ଫୁଲ ହୋଇ କ୍ଷେତରେ ଫୁଟିଲା । ପାଖୁଡ଼ା ଛିଡ଼ିଗଲା । ସେ ଫୁଲପରି ଝଡ଼ିବାକୁ ଲାଗିଲା । କତରା ପରି ଯେତେ ତାଳି ପକେଇଲେ ବି ସେ ହେଁସ ପରି ଛିଡ଼ା ହୋଇ ପାରିଲାନି । ଠିକ୍ ସମୟରେ ତା’ ଉପରେ ଦାନବ ସବୁ ଲୀଳା କରି ଚାଲିଲେ ବର୍ଷବର୍ଷ ଧରି ବହୁ ବର୍ଷ ପର୍ଯ୍ୟନ୍ତ ।

ସତୁରା କତରାକୁ ଚାହିଁ ଗଲା କଥା ମନେ ପକାଉଛି । ସେଦିନ ସକାଳେ କତରା ଉଠିନି, ଦୁଇ ପ୍ରାଣୀ ବସିଛନ୍ତି ତା’ ଉପରେ । ବଢ଼ିପାଣି ଘେରିଛି ଗାଁ ଚାରି ପାଖରେ । ତା’ କବଳରେ ଗାଁଟା କାବୁ ହୋଇ ଯାଇଛି । ଦାଣ୍ଡପିଣ୍ଡା ତଳକୁ ପାଣି । ତିନିଦିନ ହେବ ଚୁଲି ଜଳୁନି । ବଇଁଶିଆ ଦୋକାନ କରିଛି ଦାଣ୍ଡପଟ ଘରେ । ଚଳପ୍ରଚଳ ବାଲା । ଅଟା ଚାଉଳ ମାଣ୍ଡିଆ ବସ୍ତା ବସ୍ତା ଡେରି ଦେଇଛି । ଲୋକଟା ସେଇ ବାଟେ ଗଲାବେଳେ ସତୁରା ତାକୁ ଡାକି ଆଣି ତା’ କତରା ଉପରେ ବସେଇ ହାତ ଓଠ ଧରି କେତେ ନେହୁରା କଲା । ବଇଁଶିଆ ତା’ ପୁଅ ହାତରେ ନାହିଁ କରି ପଠେଇଲା ଆଜି କାଲି ସେ ଆଉ ବାକି ଦଉନି ।

ଲୋକଟା ଟିକେ ମାଇଚିଆ । ସ୍ତ୍ରୀ କଥାକୁ ଭାରି ମାନେ । ଏଣେ ସିନା କହିଲା, ତେଣେ ତା’ ସ୍ତ୍ରୀ ଜିଭ କାମୁଡ଼ି ପକେଇଲା, ହଇ ହୋ’ ତମର କୋଉ ଗରଜ ପଡ଼ିଛି, ସେ ଖାଇଲେ ଖାଉ ନ ଖାଇଲେ ନାହିଁ ତମ ବାପାର କିଆଁ ଗଲା । ହକ ଟଙ୍କା ତା’ପରେ ଜିନିଷ ସେଇ କତରା ଉପରେ ସେଦିନ ଦୁହେଁ ବସିଥିଲେ ଗୁମ୍ପାରି । ସତୁରା ନିଜ କତରା ପରି ନିଜ ଜୀବନକୁ ଫିଟେଇ ଦେଲା । ଭୟରେ ଥରିଗଲା । ସେଥିରେ ଅନେକ ଦାଗ । ଚୁଗୁଲି ମିଶ୍ରଙ୍କ ଢିମାଢ଼ିମା ଡୋଳା ତାକୁ ସଫା ଦିଶୁଥିଲା । ଭୋଟ ବାସି ଦିନ ରାତି ପାହିନି । ଚୁଗୁଲି ମିଶ୍ର ଦୁଆର ମୁହଁରେ ଚିତ୍କାର କଲେ ।

– ସତୁରା ଘରେ ଅଛ ଗେରସ୍ତ ଭାରିଯା’ ଦୁହେଁ ବାହାରି ଆସିଲେ ଦଦରା ବାଆଁଶ କବାଟକୁ ଟାଣି ଦେଇ ।

– କିରେ ସତୁରା, ତୁ କ’ଣ କହିଥିଲେ, ଆଉ ପାଞ୍ଚ ଦଶ ଦେଇ ନ ଥାନ୍ତି, କେଇଟା ଟଙ୍କା ପାଇଁ ବେଇମାନି ।

ସତୁରା ଚାହିଁଛି ନିରିମାଖି ପରି ।

– ଚାହିଁଛୁ କ’ଣ ? ଭାହୁଲିଆ କହୁଥିଲା ତୁ କୁଆଡେ଼ ଭୋଟ ଆଗଦିନ ପଧାନ ଘର ଓଳି ତଳେ ବସି ବେନୁଆ ସଙ୍ଗରେ ଫୁସ୍ଫାସ୍ ହେଉଥିଲୁ । ଭାଗୁଲିଆ ମୋ ଲୋକ ସେ କ’ଣ ମିଛ କହିବ ?

ସେ ତା’ ଘରର ଭଲମନ୍ଦ କହୁଥିଲା । ଭାଗୁଲିଆ ଚଗୁଲିଆଟା । ଆପଣଙ୍କୁ ତତେଇବାକୁ ସେମିତି କହିଛି ।

ସଳିତା ମୁଣ୍ଡରେ ଓଢ଼ଣା ଦେଇ କତରାଟି ଧରି ପିଣ୍ଡା ଉପରେ ଖେଳେଇ ଦେଇ କବାଟକୁ ଆଉଜି ଛିଡ଼ା ହେଲା ।

ତୁ ମୋ ନେତାଙ୍କୁ ଭୋଟ ନ ଦେଲୁ ନାହିଁ । ଋଣ ପାଇଁ ତୋ ଘରେ କଳାକନା ମୁଣ୍ଡି ଛାଞ୍ଚୁଣି ପର୍ଯ୍ୟନ୍ତ ବୋହି ନେଇ ଯାଇଥାନ୍ତେ ସୁସାଇଟି ବାଲା । ସେଥିରୁ ଉଦ୍ଧାର କଲି । ମେଣ୍ଡା ଛେଳି ଲୋନ୍ ପାଇଲୁ, ମୋରି ପାଇଁ ଗୋଦଣ୍ଡାରେ ଚାଳିଆ ମାରିଲୁ । ଭଲରେ ମନ୍ଦରେ ଟଙ୍କା ପଇସା ଧାନ ଚାଉଳ ନେଇ ମୋ ଠୁଁ ଚଳିଲୁ । ମୋ ସଙ୍ଗରେ ପୁଣି ଖେଳ । ଦରକାର ପଡ଼ିଲେ ତୋତେ ଏ ଗାଁରୁ ବିଦା କରିଦେବି । କୋଉ ଶଳା ପିଠିରେ ପଡ଼ିବେନି । ହୁଁ. . . ମୁଁ ଜାତୁ ମିଶ୍ର ପୁଅ ଚୁଗୁଲି ମିଶ୍ରି ହାଁ ରେ. . . ।

ଚୁଗୁଲି ମିଶ୍ର ଚାଲିଗଲେ ବଙ୍କା ବାହାକୁ ହଲେଇ ଦେଇ । କତରା ଯେମିତି ନିର୍ଜୀବ ସତୁରା ସେମିତି ଖେଣ୍ଟା ହେଇ ଛିଡ଼ା ହୋଇଥାଏ । ତା’ର କୋଉ ବଳ ଅଛି ଯେ ପ୍ରତିବାଦ କରିବ । ଜନମ ବେଳୁ ତା’ ଉପରେ ମଣିଷର ନୃତ୍ୟ । ତାକୁ ନିରିମାଖି ପରି ସହିବାକୁ ପଡ଼ିବ ଠିକ୍ କତରା ପରି ।

ଜୀବନରେ ଅନେକ ଦୁଃଖ ଲୁହ ହୋଇ ଅନ୍ଧାର ରାତିରେ ଛିଣ୍ଡା କତରା ଉପରେ ବହି ଯାଇଛି । ସେମାନେ ଯେପରି ଦୁଃଖକୁ ନିଜ ଭିତରେ ହଜେଇ ଦେଇଛନ୍ତି କତରା ସେମିତି ପିଇଯାଇଛି ସବୁ ଲୁହକୁ । କେତେ ଭାବନା ଏକାକାର ହୋଇଯାଇଛି ମୁହୂର୍ତ୍ତକ ଭିତରେ ତା’ ପରେ ନିଦ ମାଡ଼ି ବସିଛି । ଅଡୁଆ ତୁଡୁଆ କଥା ଗୁଡ଼ା ମୁଣ୍ଡରେ ଢୁକିଲେ କତରା ଉପରେ ପଡ଼ିଗଲେ କିଛି ନାହିଁ ।

ସତୁରା ବେଳେବେଳେ ଭାବେ ଜୀବନ ସାରା ଏତେ ଖଟି ଲାଭ କ’ଣ ? କେବଳ ପେଟ ଚା’ଖଣ୍ଡକ ପାଇଁ ସିନା । ଯାହା ଚଳଣି ପାଇଁ ଦି’ଖଣ୍ଡ, ତାହା ବି ମିଳିଲାନି । ଖଟି ଖଟି ଖଣ୍ଡେ ଜାମା ପାଇଲାନି । ଗାଣ୍ଡିକି ଖଣ୍ଡେ ଗାମୁଛା ମିଳିଲାନି । ପେଟଟା ପାଇଁ ସାରା ଜୀବନ ବିତିଗଲା । କତରା ପରି ଜୀବନ ପର ପାଇଁ ଉତ୍ସର୍ଗ ।

ଛିଣ୍ଡା କତରାର ସୁତୁଲି ପରି ଛାତିର ହାଡ଼ସବୁ ଗଣି ହୋଇ ଯାଉଛି । ସେ ଝଡ଼ି ବି ଝଡ଼ି ପାରିଲାନି ମରି ବି ମରିପାରିଲାନି । ହତଭାଗିଆଟା କଉ କର୍ମକୁ ଲାଗିଲାନି । ପିଲାବେଳେ ବାପ ମରିଗଲା । ଛଅ ସାତ ବର୍ଷରୁ ପର ଘରେ ଗାଈ ଚରେଇଲା । ଟିକେ ଡାଗର ହେଲାରୁ ବିଲରେ ଖଟିଲା । ଯେତେ ଖଟିଲେ ବି ଜୀବନରେ ଦୁଇ ପଇସା ବି ସାଇତି ପାରିଲାନି । କିଛି ପଟକୁ ଅଣ୍ଟିଲାନି । ସକାଳୁ ସଞ୍ଜ ଯାଏ ଖଟି ଖଟି ମାଲିକକୁ ଜମି କୋଠା କରେଇ ଦେଲା । ହେଲେ ସତୁରା ଛିଡ଼ି ପଡ଼ିଲା ବଢ଼ି ପାରିଲାନି । ସେ ତ ଛିଣ୍ଡା କତରାଟେ । ତା’ର ବୁଦ୍ଧି ଆସିଲା କେଉଁଠୁ ?

ଦିନରାତି ଖଟିବାରେ ଶେଷକୁ ପେଟ ବିନ୍ଧା ବେମାର ହେଇଗଲା । ଉଷୁଦ ଟିକେ ପାଇଲାନି । ଭାବିଲା ଗରିବର ପୁଣି ଭରସା କିଏ ? ଦେହକୁ ଆସରା କରି ସେମାନେ ଖଟନ୍ତି । ସେଇ ଦେହଟି ଭାଙ୍ଗିଗଲେ ସବୁ ଆଶା ମଉଳି ଯାଏ । ଅନେଇଲା ଏ ମୁଣ୍ଡରୁ ସେମୁଣ୍ଡକୁ । ଜୀବନରେ ଲାଭ ଅପେକ୍ଷା କ୍ଷତି ବେଶି । ଛିଣ୍ଡା କତରା ପରି ଜୀବନର ହିସାବ ନିକାଶ ।

ଛିଣ୍ଡା କତରାଟି ଲମ୍ୱେଇ ଦାଣ୍ଡ ପିଣ୍ଡାରେ ଚୁପ୍ ହୋଇ ବସିଥିବା ବେଳେ ଚୁଗୁଲି ମିଶ୍ର ସେଇ ବାଟ ଦେଇ ଯାଉ ଯାଉ ହସି ହସି କହିଲେ, “କିରେ ସତୁରା, ଯଦି ଭୋଟ ଖଣ୍ଡେ ଦେଇଥାନ୍ତୁ ଆଜି କ’ଣ ତୋ ଦେହ ଭଙ୍ଗା ନାଷ୍ଟିଆ ହୋଇଥାନ୍ତା । ମୋ ନେତା ଆଜି ମନ୍ତ୍ରୀ । ତୋତେ କାହିଁ କୁଆଡେ଼ ନେଇ ଉଷୁଦ ମୁଷୁଦ ଦେଇ ଭଲ କରିଥାନ୍ତି । କଲା କର୍ମ ବାପ । ତୋ ଭାଗ୍ୟ ଖରାପ । ତୋର ପୂର୍ବ ସୁକୃତ ନାହିଁ । ତୋ ପାପ ଯଦି ତୁ ନ ଭୋଗିବୁ ଆଉ ଭୋଗିବ କିଏ ?”

ସତୁରା ଧୀରେ ଧୀରେ କହିଲା “ଆପଣ ମୋର ଉପକାର କରିଛନ୍ତି ସତ, ଉପକାର ବଦଳରେ ଭୋଟ ଚାହିଁଛନ୍ତି ଏ କଥା ଆଗରୁ ଜାଣିଥିଲେ ମୁଁ ଆପଣଙ୍କ ଦୁଆର ମୁହଁ ମାଡ଼ି ନଥାନ୍ତି ।”

ମରିବାକୁ ବସିଲୁଣି ତଥାପି ତୋ ଦମ୍ଭ ଛାଡ଼ିଲୁନି ।

ଆପଣ ଏକୁଟିଆ ଏ ଗାଁରେ ସ୍ୱର୍ଗକୁ ସିଡ଼ି ବାନ୍ଧିବେ । ମୁଁ ଆଜି ମରିବି ଆପଣ କାଲି ମରିବେ । ଏ ଗାଁରେ ରହିବ କିଏ ? ଦମ୍ଭ କଥା କହୁଛନ୍ତି । ମୁଁ ତ ମଳିମୁଣ୍ଡିଆଟା ମୋର ଦମ୍ଭ କଉଠୁ ଆସିଲା । ଯଦି ଥାଏ କ’ଣ ଆପଣମାନଙ୍କ ଠାରୁ ବେଶି । ଏମିତି ଜଳିଜଳି ମରିଯିବାକୁ ମୋର ଭାରି ଇଚ୍ଛା । ମୁଁ ଗରିବ ଠାରୁ ଆହୁରି ହୋଇଗଲି ହେଲେ ଆପଣଙ୍କ କଥାରେ ଯାଇନି । ଆପଣଙ୍କ କଥାରେ ଭୋଟ ଦେଇଥିଲେ ମୋର ମଣିଷ ପଣିଆ ରହିନଥାନ୍ତା । ଆଜି ମରଣ ସମୟରେ ମୋତେ ଭାରି ଭଲ ଲାଗୁଛି କାରଣ ଆପଣଙ୍କ ପରି ଅମଣିଷଙ୍କୁ ମୁଁ ଭୋଟ ଦେଇନି । ସେ କଥା ଭାବିଲେ ମୋତେ ଆନନ୍ଦ ଲାଗୁଛି । କେତେ ଶାନ୍ତି ପାଉଛି । ମୋ ଆଖିରୁ ଲୁହ ଜକେଇ ଆସୁଛି ।

– ଭୋଟ ପାଇଁ ତୁ କ’ଣ ମୋଠୁଁ ମୋଟେ ଟଙ୍କା ନେଇନୁ ।

– ଏବେ ବି ମୋ ମଜୁରି ଟଙ୍କା ତୁମ ଉପରେ ଅଛି । ବାକି ମଜୁରି ଭାବି ମୁଁ ଆପଣଙ୍କ ଠାରୁ ଟଙ୍କା ନିଏ । ଆପଣ ଯେବେ କହିଥାନ୍ତେ ମୁଁ ଭୋଟ ପାଇଁ ଟଙ୍କା ଦଉଛି ତେବେ ଆପଣଙ୍କଠାରୁ ଟଙ୍କା କେବେ ବି ନେଇ ନଥାନ୍ତି ।

– ଜାଣୁ ମୁଁ ଏବେ କ’ଣ କରିପାରେ ?

– ମୋର ଆଉ କରିବେ କ’ଣ ? ମାରିଦେବେ, ଛାଏଁ ଛାଏଁ ତ ମରିବାକୁ ବସିଲି । ଦୁଃଖୀ ମଣିଷ ମୁଁ । ଦୁଃଖରେ ଜନମ । ଦୁଃଖରେ ଦୁଃଖରେ ମୁଁ ମରିଯିବି । ଠକି ଭଣ୍ଡି ପର ତଣ୍ଟି ଚିପି କୋଠାବାଟି କରିବାର ଇଚ୍ଛା ଥିଲେ, ଆପଣ ମୋତେ ଡରେଇ ଥାନ୍ତେ । ଖଟି ଖଟି କୋଠାବାଟି ଜମିବାଡ଼ି କରେଇ ଦେଇଛି । ଆପଣ ଭଲରେ ରୁହନ୍ତୁ ମୋର ଦୁଃଖ ନାହିଁ । ଦୁଃଖ ପାଇବି କାହିଁକି ? ମୋର ତ କିଛି କରିବାର ଆଶା ନ ଥିଲା ।

ଗାଁର ସବୁ ଲୋକଙ୍କୁ ମୁଁ ସେଇ କଥା କହିଯାଉଛି । ସେମାନେ ଆଉ ତମ କଥାରେ ନାଚିବେନି । ତମ ନୀତିଗତି ସମସ୍ତେ ଜାଣିଗଲେଣି । ତମେ ଦିନେ ଦେଖିବ ଏ ଗାଁ କ’ଣ ହେବ । ମୋ ସ୍ତ୍ରୀକୁ ବି ମୁଁ ସେଇ କଥା କହିଯାଉଛି । ଗାଁ ଯାକର ସବୁ ଲୋକ ଏମିତି କଲେ ତମେ ଆଉ ଲୋକଙ୍କୁ ଭୁତେଇ ପାରିବନି । ତମର ଉତ୍ପାତ ବି କମିଯିବ ।

ଚୁଗୁଲି ମିଶ୍ର କିଛି କହିପାରିଲେ ନାହିଁ । ତାଙ୍କ ପାଟି ବନ୍ଦ । ଯୋଗକୁ ଗାଁ ସେ ମୁଣ୍ଡରୁ ଦଳେ ଟୋକା ଲୁଙ୍ଗି ମାରି ଆସୁଥିଲେ ହସିହସି । ସତୁରାକୁ କିଛି କହିଲେ, ସେ କ’ଣ ସହଜରେ ଛାଡ଼ିବ । ଚୁଗୁଲି ମିଶ୍ର ତଳକୁ ମୁହଁ ମାଡ଼ି କିଛି ନ ଜାଣିଲା ପରି ନିମିଷକ ଭିତରେ ଉଭେଇଗଲା ।

ସତୁରା ଦେଖୁଛି ଏତେ ଯନ୍ତ୍ରଣାରେ ବି କତରାଟି ତା’ ଛାତି ତଳେ ପଡ଼ିଛି । ମା’ ପରି ତାକୁ କୋଳରେ ଧରି ରଖିଛି । ଗୁହ ମୂତ ଛେପ, ଖଙ୍କାର ସବୁ ହଜମ କରି ପକଉଛି କିଛି ବିକାର ନରଖି । ସତୁରା ଦୁଇବୁନ୍ଦା ଲୁହ କତରା ଉପରେ ଢାଳି ଦେଲା । କେତେ ଉଶ୍ୱାସ ! କେତେ ଶାନ୍ତି ! !

ସେଦିନ ଅକାଳରେ ସତୁରା ଆଖି ବୁଜିଲା ।

ସଳିତା ଆଖିଲୁହରେ କତରାକୁ ଭିଜେଇ ଦେଲା ।

ଛ’ଖଣ୍ଡି କାଠରେ ବନ୍ଧା ହୋଇ ଛିଣ୍ଡା କତରାରେ ଚାଲିଲା ମଶାଣି ଆଡ଼କୁ । ଆଖିର ଲୁହ ପୋଛି ଆଉଥରେ ଚାହିଁବା ବେଳକୁ ସେମାନେ ମିଶି ଯାଉଥିଲେ ବହଳ କିଆ ବୁଦା ମୂଳରେ ।

ସଳିତା ଅସ୍ପଷ୍ଟ ଭାବରେ ଦେଖୁଥିଲା ସତୁରାର ଗୋଡ଼ ଦୁଇଟି ଦିଶୁଛି ଛିଣ୍ଡା କତରା ଭିତରୁ ।

ଲୋକପ୍ରିୟ ଲେଖା

To Top