ଗଳ୍ପ

ଚିଠି

Madhumita Mohanty's Odia Story CHITHI

ଆଜିକାଲି ତ ନିଜେ ଠିକ୍ କରୁଛ ଆଗରୁ କଥାବାର୍ତ୍ତା, ବୁଲାବୁଲି, ମଉଜମସ୍ତି ସବୁ, ବେଳେବେଳେ ଗୋଟାଏ ଘରେ ରହିବି ଯାଉଛ । ଖାଲି ଯାହା ବିଧି ରକ୍ଷାକୁ ବାହାଘର, ଚକ୍ଷୁ ଲଜ୍ଜା ବି ତ ନାହିଁ ।

ଚିଠି

ଗୋଟିଏ ବୋଲି ଭଣଜା ମେଲ୍‌ କରିଥିଲା ବୁଧବାର ଦିନ । “ମାମୁଁ, ରବିବାର ମୋର ବାହାଘର । ମାଇଁଙ୍କୁ ନେଇ ନିଶ୍ଚିତ ଆସିବେ । ସମୟ ନାହିଁ ତ ମେଲ୍ କଲି ପରେ ଫୋନ୍ କରିବି ।”

କି ଯୁଗ ହେଲା ! ମଉଳା ନିମନ୍ତ୍ରଣ ନ ହେଲା ନାହିଁ ବାରିକଟେ, ଯୋଡ଼ଟେ, ନଡ଼ିଆଟେ, ଗୁଆପୁଞ୍ଜେ, କାର୍ଡ ଖଣ୍ଡେ ଧରି କିଏ ନିଜେ ତ ଆସି ପାରିଥାନ୍ତେ ? ନାଃ, ମେଲ୍ କରିଦେଲା । କୋଉ ଆଜିକାଲି ବାପମା’ଙ୍କ କଥାରେ ତୁମେ ସବୁ ବାହା ହେଉଛ ଯେ ସମୟ ନାହିଁ, ହଠାତ୍ ଠିକ୍ ହୋଇଗଲା । ଝିଅଘର ରାଜି ହେଉନାହାନ୍ତି ଆଉ ସମୟ ଗଡ଼େଇବା ପାଇଁ କହିଦେବ । ଆଜିକାଲି ତ ନିଜେ ଠିକ୍ କରୁଛ ଆଗରୁ କଥାବାର୍ତ୍ତା, ବୁଲାବୁଲି, ମଉଜମସ୍ତି ସବୁ, ବେଳେବେଳେ ଗୋଟାଏ ଘରେ ରହିବି ଯାଉଛ । ଖାଲି ଯାହା ବିଧି ରକ୍ଷାକୁ ବାହାଘର, ଚକ୍ଷୁ ଲଜ୍ଜା ବି ତ ନାହିଁ ।

ଯାଇ ନ ଥାନ୍ତି, ହେଲେ ଭଉଣୀଟା ନାହିଁ ତ ଯିବିନି କେମିତି ? ତା’ ଶାଶୁ ଶ୍ୱଶୁର କ’ଣ ଭାବିବେ ବୋଲି ଗଲି । ସେଇଠୁ ସେଇଠୁ ଗାଁକୁ ପଳେଇଲି ଦି’ଦିନ ବୁଲି ଆସିବି ବୋଲି ।

ରମେଶ, ସୁରଥ, ନବ ସମସ୍ତଙ୍କ ସାଙ୍ଗେ ଯୁଗଟେ ପରେ ଦେଖା ହେଇ ଭାରି ଖୁସି ଲାଗିଲା । ସମସ୍ତେ କିନ୍ତୁ ଭିନ୍ନ ଭିନ୍ନ ଆଧୁନିକତା ପାଇଁ ବ୍ୟସ୍ତ ବିବ୍ରତ ଜାଣିଲି । ସେଇମାନଙ୍କ ସାଙ୍ଗେ କଥା ହେଲି । କିଛି କିଛି ପୁରୁଣା ଜିନିଷ ଆମେ ପୁଣି ଚାଲୁ କରିବା ବୋଲି ପ୍ରସ୍ତାବ ଦେଲି । କେହି ଅରାଜି ହେଲେନି ।

ଆରମ୍ଭ କରାଯାଉ “ଚିଠି”ରୁ ମୋ ମନ ଦୁଃଖ ଦେଖି ରମେଶ ପ୍ରସ୍ତାବ ଦେଲା ।

ସୁରଥ କହିଲା, “ହଁ ହେ ଚିଠିର ମାଦକତା, ପୂର୍ଣ୍ଣତା ପୁଣି ମହକ ଏ ଇମେଲ୍‌ରେ କାହିଁ ନା ଫୋନ୍‌ରେ କାହିଁ ?”

ପୁରୁଣା ଚିଠିଟେ କାଢ଼ି ପଢ଼ିଲେ କେମିତି ଲାଗେ କହ ତ ? ପୂର୍ଣ୍ଣିମା ବାହାଘର ଆଗରୁ ଲୁଚେଇ ଲୁଚେଇ ଯୋଉ ଦି’ଚାରିଖଣ୍ଡ ଚିଠି ମୋ ପାଖରେ କଷ୍ଟେ ମଷ୍ଟେ ପହେଞ୍ଚଇବାରେ ସକ୍ଷମ ହେଇଥିଲ । ସବୁ ମୁଁ ରଖିଛି । କାଗଜ ଭାଙ୍ଗରୁ ଫାଟିଗଲାଣି ହେଲେ ପଛପଟେ ଅଠା କାଗଜ ମାରି ରଖିଛି । ଏବେ ବି ତାକୁ ପଢ଼ିଲେ ଲାଗେ ସେ ମୋରି ପାଖରେ ବସିଛି । ରମେଶର କଣ୍ଠ ଭିଜା ଭିଜା ପୂର୍ଣ୍ଣିମା ତାକୁ ଛାଡ଼ିଯିବାର ଯୁଗଟେ ହୋଇଗଲାଣି ।

ହ. . . ମ. . . ଖବର ପହଞ୍ଚିବାରେ ଟିକେ ସମୟ ଲାଗିବ ତ ! ଲାଗୁ ଆଗରୁ ଆମେ କେମିତି ଚଳୁଥିଲୁ ? ମୁଁ ଯୋଡ଼ିଲି ।

ସିଦ୍ଧାନ୍ତ ହେଲା ନିହାତି ଦରକାର ଖବର ମାନେ ଏଇ ଯେମିତି କିଏ ମରିଗଲା କି କାହା ଦେହ ବହୁତ ଖରାପ ହେଲା ସେତିକି ଛଡ଼ା ଫୋନ୍‌ରେ ଆମେ ଆଉ କଥା ହବୁନି । ବାକି କଥା ଚିଠିରେ ଲେଖିବୁ ପନ୍ଦରଦିନକୁ ଅନ୍ତତଃ ଖଣ୍ଡେ ।

ପନ୍ଦର ଦିନ ଗଲା, ମାସେ, ଦି’ମାସ. . . ଚିଠି କାଇଁ ? ମୁଁ ଏପଟୁ ବି ଚିଠିଟେ ଲେଖିବାକୁ ବେଳ ପାଇନି । ଟି.ଭି. ଦେଖିଛି, ଗୁଲି କରିଛି, ତାସ୍ ପିଟିଛି କିନ୍ତୁ ମନ କରି ଚିଠିଟେ ଲେଖିପାରିନି ।

ହଠାତ୍ ଦିନେ ନବ ଫୋନ୍ କଲା । ମୋ ଛାତି ଧଡ଼ପଡ଼ କାହାର କ’ଣ ହେଲା କି ?

ନବ କହିଲା, “ଭାଇ, କ’ଣ କରିବି କହ ? ଆମ ଗାଁ ଛଡ଼ା ଆଉରି ପାଞ୍ଚଟା ପୋଷ୍ଟ ଅଫିସ୍ ବୁଲି ଆସିଲିଣି । ପୋଷ୍ଟକାର୍ଡ କି ଇନ୍ଲ୍ୟାଣ୍ଡ ଖଣ୍ଡେ ପାଉନି । କି ଚିଠି ଲେଖିବି କହ ।”

କ’ଣ ଆଉ ଉତ୍ତର ଦେଇଥାନ୍ତି ମୁଁ କହିଥାନ୍ତି । ମୁଁ ବି ତିନିଟା ପୋଷ୍ଟ ଅଫିସ୍ ବୁଲି ବୁଲି କେତେ କଷ୍ଟରେ ନାତୁଣୀର ପ୍ରୋଜେକ୍ଟ ପାଇଁ ଗୋଟାଏ ଇନ୍ଲ୍ୟାଣ୍ଡ ଯୋଗାଡ଼ କରିଛି । ସିଏ ପୁଣି ଭଲ ପୋଷ୍ଟ ପିଅନଟା ତା’ଘରେ ସାଇତି ଥିଲା ଆଣି ଦେଲା । ଜେରକ୍ସ କରି ରଖିଥିବି କି ଗୋଟେ । କେବେ ଆସିଲେ ନେଇଯିବୁ ନାତିନାତୁଣୀଙ୍କୁ ଦେଖେଇବା ପାଇଁ ।

ଲୋକପ୍ରିୟ ଲେଖା

To Top