ଗଳ୍ପ

ଚିତ୍ର

Ritika Pattanaik's odia traslated story Chitra

ସକାଳେ କାମ କରିବାକୁ ଯିବା ପୁର୍ବରୁ ସେ ମୋତେ କିଛି କାମ ଦେଇ ଯାଉଥିଲା ଆଉ ମୁଁ ଦିନ ସାରା ଡରି ଡରି ରହୁଥିଲି ଯେ କାମଟି ମୋ ଦ୍ୱାରା ଠିକ୍ ରୂପେ ହେଇ ପାରିବ କି ନାହିଁ ।

ଚିତ୍ର

ମୂଳ ରଚନା – ଭୀଷ୍ମ ସାହନୀ

(ଭୀଷ୍ମ ସାହନୀ (୧୯୧୫-୨୦୦୩) ହିନ୍ଦୀ ସାହିତ୍ୟ ଜଗତର ଏକ ପ୍ରସିଦ୍ଧ କଥାକାର । ‘ତସବୀର’ ତାଙ୍କ ଦ୍ୱାରା ରଚିତ ଅନେକ କ୍ଷୁଦ୍ର ଗଳ୍ପ ମଧ୍ୟରୁ ଅନ୍ୟତମ ।)

ତା’ର ମୃତ୍ୟୁର ୧୩ ଦିନ ପରେ ଘର ବାହାର ସବୁ ପ୍ରାୟ ଶୂନଶାନ ହେଇଗଲା । ତଥାପି କେବେ କେମିତି ବନ୍ଧୁ, ପରିଜନମାନେ ଆସିଯାଉଥିଲେ । ମୁଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ୱଶୁରଙ୍କ ପଛେ ପଛେ ଟାଣି ହେଇ, କେବେ ଓକିଲର ଅଫିସ ତ କେବେ କୌଣସି ବୀମା କମ୍ପାନୀର ଅଫିସରେ ଚକ୍କର କାଟୁଥିଲି । ତା’ର ମୃତ୍ୟୁ ପରେ ମୁଁ ବହୁତ ବିଚଳିତ ହେଇପଡ଼ିଥିଲି । ନିରାଶ୍ରୟ ବି । ମୋ ଶ୍ୱଶୁର ଜଣେ ବାଙ୍ଗରା, ପତଳା ଓ ଦୁର୍ବଳ ମଣିଷ । ଆଣ୍ଠୂ ଯାଏ ଲମ୍ବିଥିବା କୋଟଟିଏ ଓ ମୁଣ୍ଡରେ ଏକ ବଡ଼ ପଗଡ଼ି ପିନ୍ଧି, ହାତରେ ଫାଇଲଟିଏ ଧରି ସେ ଆଗେ ଆଗେ ଚାଲୁଥିବେ ତ ମୁଁ ତାଙ୍କ ପଛେ ପଛେ ଘୋଷାଡ଼ି ହେଲା ପରି ଯାଉଥିବିି । ମୋ ପିଲା ଦୁଇଜଣ ସେହି ସମୟରେ କେଉଁଠି ଥିବେ, ସେମାନଙ୍କ କେହିଁ ଦେଖାଦେଖି କରୁଥିବ କି ନା; ଏସବୁ ଚିନ୍ତାରେ ଘାରି ହେଉଥିଲେ ବି ମୁଁ ନାଚାର । ମୋ ଶ୍ୱଶୁର ଅତି କଟୁ କଥାମାନ କହୁଥିଲେ, ଗୋଟିଏ ଦିନରେ ଥରେ ଦୁଇଥର ତ ବହୁତ କଡ଼ା କଥା ଶୁଣଉଥିଲେ । ତାଙ୍କର ଗୋଟେ ଧାରଣା ହେଇଯାଇଥିଲା ଯେ ମୁଁ ହିଁ ତାଙ୍କ ପୁତ୍ରର ମୃତ୍ୟୁର କାରଣ ଅଟେ । ସେ କେତେବେଳେ ଘରର ଜିନିଷପତ୍ରସବୁ ବିକିବାର କଥା କୁହନ୍ତି ତ କେତେବେଳେ ଆମର ଏହି ଛୋଟ ଘରଟିକୁ ଭଡ଼ାରେ ଲଗାଇ, ଆମ ସମସ୍ତଙ୍କୁ ନିଜ ଘରକୁ ନେଇଯିବାକୁ କୁହନ୍ତି । ବେଳେ ବେଳେ ତ ମୋ ବାପା, ମାଙ୍କୁ ଅର୍କମଣ୍ୟ ବୋଲି ଆକ୍ଷେପ କରନ୍ତି । ମୋ ବୁଢୀମା’ଟି , ଆଣ୍ଠୁଗଣ୍ଠି ବେମାରୀରେ ପୀଡ଼ିତ, ଆମ ଶୋକରେ ଆମକୁ ସାନ୍ତ୍ୱନା ଦେବାକୁ ଆସିଥିଲା କିନ୍ତୁ ଖଟରେ ହିଁ ପଡ଼ି ରହିଲା; ପୁଣି ମୋର କେହି ଭାଇ ଥିଲେ ନା ଭଉଣୀ ।

‘ମୁଁ ଏହି ବୁଢା ବୟସରେ କୋଉ କାମ ଧନ୍ଦା କରିପାରିବି ଯେ, ତୁମକୁ ଆଉ ତୁମ ପିଲାମାନଙ୍କୁ ଖୁଆଇବି ।’ ସେ କହି ଚାଲିଥିବେ ଆଉ ମୁଁ ମୁଣ୍ଡ ତଳକୁ କରି, ଡରିଥରି ସେ କଥାସବୁ ଶୁଣିଚାଲିଥିବି । ସେ ଯାହା କହୁଥିବେ ମୁଁ ମନେ ମନେ ସେ କଥାକୁ ଘୋଷୁଥିବି । ସେ ଚିଡ଼ି ଚିଡ଼ି ହେଇ କହୁଥିବେ, ‘ତୁମର ନା କେହି ଭାଇ ନା ବାପ, ସବୁ ବୋଝ ଏହି ବୁଢା ବୟସରେ ମୋତେ ହିଁ ଉଠାଇବାକୁ ପଡ଼ିବ ।’ ମୁଁ ବି ମନକୁ ମନ ଏହି କଥା ଘୋଷିବାରେ ଲାଗିବି, ‘ତୁମର ନା କେହି ଭାଇ ନା ବାପ, ସବୁ ବୋଝ ଏହି ବୁଢା ବୟସରେ ମୋତେ ହିଁ ଉଠାଇବାକୁ ପଡ଼ିବ ।’ ନିଜ ପୁଅକୁ ମନେ ପକେଇ ସେ ମୋର ନିନ୍ଦା କରୁଥିବେ, ଗାଳି ଦେଇ ଚାଲିଥିବେ, ‘ତୁମେ ପଢାପଢି କରିବି ବି ମୁର୍ଖ । ତମେ କିଛି କରିବା ଜାଣିଥାନ୍ତ ତ ସେ ଏବେ ବଞ୍ଚିଥାଆନ୍ତା ।’ ଆଉ ମୁଁ ଗମ୍ଭୁଜରେ ଗୁଞ୍ଜରିତ ପ୍ରତିଧ୍ୱନିତ ଶବ୍ଦ ଭଳି ସେହି କଥା ସବୁକୁ ଘୋଷି ହେଉଥିବି ।

ମୋ ମନ ଯେମିତି ଜଡ଼ ହେଇସାରିଥିଲା । ସବୁ କଥା ଶୁଣୁଥିଲି, କିନ୍ତୁ ମୋ ଉପରେ ତାହାର କେବଳ ଏତିକି ପ୍ରଭାବ ପଡ଼ିଥିଲା, ଯେ ମୁଁ ପୂର୍ବ ଅପେକ୍ଷା ଏବେ ଆହୁରି ଭୟଭୀତ ହୋଇପଡ଼ିଥିଲି । ସନ୍ଧ୍ୟା ବେଳକୁ ଘରକୁ ଫେରେ, ତ ଦେଖେ ମୋ ପୁଅ ଓ ଝିଅ ଦୁଆର ମୁହଁରେ ଛିଡ଼ା ହେଇଥିବେ, ବିଷ୍ପାରିତ ଆଖି ଚାରିଟି ମୋର ଉପରେ ହିଁ ନିବଦ୍ଧ ଥିବ । ବେଳେବେଳେ ତ ଦୁହେଁ ଶୋଇଯାଇଥିବେ, ପରସ୍ପରକୁ ଜଡ଼ାଇ ଧରି । ମୋ ମସ୍ତିସ୍କରେ କେତେ କେତେ ନୂଆ ଚିନ୍ତାସବୁ ରେଖାଙ୍କିତ ହେବାରେ ଲାଗିଥାଏ-ଘର ଭଡ଼ା, ଟେବୁଲ ଚେୟାରର ବିକ୍ରି, ପୁରୁଣା ରେଫ୍ରିଜେରଟର, ବୀମାର ସାତହଜାର ଟଙ୍କା, ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ବଲ୍ବଗୁଡ଼ିକ ସ୍ଥାନରେ କମ୍ କ୍ଷମତା ସମ୍ପନ୍ନ ବଲ୍ବ, କୌଣସି ବାଲକର ପୁରୁଣା କପଡ଼ା, କେହି ଜଣେ ମୋ ପିଲାଙ୍କ ପାଇଁ ଦେଇଯାଇଛି ଆଦି ।

ତା’ର ଆଖି ବନ୍ଦ କରିବାର କିଛି ସମୟ ପରେ ହିଁ ସାରା ଦୃଶ୍ୟ ବଦଳି ଗଲା । ମୋତେ ଲାଗିଲା, ଯେମିତିି ଘରର କବାଟ,ଝରକା ସବୁ ଭାଙ୍ଗିଯାଉଛି ଆଉ ଘୁଁ ଘୁଁ କରି ଏକ ତୋଫାନ ଘର ଭିତରେ ଘୁରି ଘୁରି ବୁଲୁଛି । ମୋତେ ଲାଗୁଥିଲା, ଯେମିତି ମୋ ଆଖି ସାମନାରେ କୌଣସି ନାଟକ ଚାଲିଛି । ଗୋଟିଏ ଦୃଶ୍ୟ ଥିଲା ସେତେବେଳେ, ଯେତେବେଳେ ସିଏ ବଞ୍ଚିଥିଲା ଆଉ ଏକ ଦୃଶ୍ୟ ଥିଲା ବର୍ତ୍ତମାନର, ଯେବେ ସେ ମରିଯାଇଛି । ଗୋଟିଏ ଦୃଶ୍ୟ ବଦଳି ଆଉ ଏକ ଦୃଶ୍ୟ ଚାଲିିଲା ତ ପ୍ରଥମ ଦୃଶ୍ୟ ମିଥ୍ୟା ଲାଗିଲା, ସ୍ୱପ୍ନ ପରି ମିଥ୍ୟା । କିନ୍ତୁ ଅସାମଞ୍ଜସ୍ୟ କିଛି ବି ନଥିଲା । ଦୁଇଟି ଦୃଶ୍ୟ ଯେମିତି ପରସ୍ପର ସହ ଯୋଡ଼ି ହେଇଥିଲେ ।

ଧିରେ ଧିରେ ମୁଁ ମୋ ନୂଆ ପରିସ୍ଥିତିକୁ ଚିହ୍ନିବାରେ ଲାଗିଲି । ମୋ ଜୀବନ ପ୍ରବାହର ଡୋର ଯାହା ପ୍ରଥମେ ମୋ ସ୍ୱାମୀଙ୍କ ହାତରେ ଥିଲା, ଏବେ ମୋ ଶ୍ୱଶୁର ହାତକୁ ଆସିଯାଇଥିଲା । ମୋ ସ୍ୱାମୀ ଯେମିତ ମୋ ଉପରେ ଗାଳିଗରଜ କରୁଥିଲେ ଠିକ୍ ସେହି ଭଳି ଏବେ ମୋ ଶ୍ୱଶୁର ମୋ ଉପରେ ଗର୍ଜୁୁଛନ୍ତି । ସେ ବଞ୍ଚିଥିବା ବେଳେ ମୁଁ ତା ଉପରେ ନିର୍ଭରଶୀଳ ଥିଲି ତ ତା’ର ଚାଲିଯିବା ପରେ ଏବେ ମୋ ଶ୍ୱଶୁରଙ୍କ ଉପରେ ଆଶ୍ରିତ । ନିଜ ବାପ ଭଳି ସେ ବି କଡ଼ା କହୁଥିଲା । ଗୋଟିଏ ଛାତ ତଳେ ରହୁଥିଲେ ବି, ଆମେ ପରସ୍ପରଠୁ ବହୁତ ଦୂରରେ ଥିଲୁ ଆଉ ପ୍ରତିଦିନ ଦୂରେଇ ଯାଉଥିଲୁ । ମୁଁ ଜାଣି ନଥିଲି ସେ ମୋତେ କେବେ ପ୍ରେମ କରି ଥିଲା କି ନା । ପ୍ରେମ ଶବ୍ଦଟି ହିଁ କେତେ ହାସ୍ୟାସ୍ପଦ ଓ ନିରର୍ଥକ ଜଣାପଡ଼ୁଥିଲା ।

ବିବାହ ପରେ ଗୃହସ୍ଥୀର ଚକ ଗଡ଼ି ଚାଲିଥିଲା ଆଉ ମୁଁ ସେଥିରେ ପେଷି ହେଇ ଯାଉଥିଲି ଧିରେ ଧିରେ । ସେ ସବୁ କାମ ନିଜେ କରୁଥିଲା । ସେ ଘରେ କେବେ ଖାଲିଟାରେ ବସି ହିଁ ପାରୁନଥିଲା । କାମରୁ ଘରକୁ ଫେରୁଥିଲା ତ କିଛି ସମୟ ପରେ ବ୍ୟାଗ ଧରି ପୁଣି ବାହାରି ଯାଉଥିଲା । କେତେବେଳେ ଇଛା ହେଲେ କହିଯାଉଥିଲା କେଉଁ ଆଡ଼େ ଯାଉଛି, କେତେବେଳେ ଫେରିବ, ନ ହେଲେ ବାହାରକୁ ଗଲାବେଳେ କେବଳ ତା’ ପିଠି ହିଁ ନଜରକୁ ଆସୁଥିଲା । କେବେ ସାଇକେଲ ବାହାର କରି ସେ କେଉଁ ଆଡ଼େ ବାହାରି ଯାଉଥିଲା ତ କେବେ ଅନ୍ୟ ଆଡ଼େ । ମୁଁ ବସି ବସି ଅନୁମାନ କରୁଥାଏ, ବ୍ୟାଗ ନେଇ ଯାଇଛନ୍ତି କିଛି ସଉଦା ଆଦି ଆଣିବେ, ଶୀଘ୍ର ଫେରିବେ । ସାଇକେଲରେ ଯାଇଛନ୍ତି, କାହାକୁ ଭେଟିିବାକୁ ଯାଇଛନ୍ତି ବୋଧହୁଏ, ଡେରିରେ ଫେରିବେ । ସକାଳେ କାମ କରିବାକୁ ଯିବା ପୁର୍ବରୁ ସେ ମୋତେ କିଛି କାମ ଦେଇ ଯାଉଥିଲା ଆଉ ମୁଁ ଦିନ ସାରା ଡରି ଡରି ରହୁଥିଲି ଯେ କାମଟି ମୋ ଦ୍ୱାରା ଠିକ୍ ରୂପେ ହେଇ ପାରିବ କି ନାହିଁ । କାମ ବହୁତ ମାମୁଲି ହେଇଥିଲେ ମଧ୍ୟ ମୋତେ ବହୁତ ଡର ଲାଗୁଥିଲା ଯେ କାଳେ ମୋ ଦ୍ୱାରା କୌଣସି ଭୁଲ ହେଇଯିବ ଆଉ ବେଳେ ବେଳେ ସତରେ ଭୁଲ ହେଇଯାଉଥିଲା । ଭୁଲ ହେଇଗଲେ ସେ ମୋତେ କହୁଥିଲା ତୁମ ଦ୍ୱାରା କିଛି ହେବ ନାହିଁ ଏଥର ମୁଁ ନିଜେ କରିବି । କେବେ କେବେ ତ ବହୁତ ଚୁପ ଚାପ୍ ହେଇଯାଏ । ନା ହୁଁ ନା ହାଁ, ଘୁମ୍ ସୁମ୍ ହୋଇ ଅନ୍ୟ ଆଡ଼େ ଚାଲିଯାଏ । ମୁଁ ଜାଣିଥିଲି ଆଜି ତ ସେ ଚୁପ୍ ହେଇରହିବ, କିନ୍ତୁ ଦଶ ଦିନ ପରେ, ଏହି କଥାକୁ ମନେ ପକେଇ କଟୁକ୍ତି କରିବ, ଏମିତି ବିଷଭରା କଥା ଯାହା ମୋ କଲିଜା ଥରାଇ ଦେବ ।

ବାହାଘରର ସାତ-ଆଠ ବର୍ଷ ପରେ ବେଳେ ବେଳେ ମୋର ମୁଣ୍ଡ ବିନ୍ଧିବା ଆରମ୍ଭ ହେଲା ଏବଂ ମୁଁ କପାଳରେ କପଡ଼ା ରଖି ଖଟ ଉପରେ ପଡ଼ିରହୁଥିଲି, କିନ୍ତୁ ଯେତେବେଳେ ତା’ର ବାହାରୁ ଫେରିବାର ସମୟ ହେଉଥିଲା ମୁଁ ମୁଣ୍ଡ ଉପରୁ କପଡ଼ା କାଢିି ଦେଉଥିଲି । ଉଠି ପଡ଼ି ହାତ-ମୁହଁ ଧୋଇ, ସଜବାଜ ହୋଇ ବସି ଯାଉଥିଲି କାରଣ ତାକୁ ପୂର୍ତ୍ତିରହିବା ପସନ୍ଦ ଥିଲା । ଅଳସୁଆ ଭଳି ଘର ଭିତରେ ବସି ରହିବା ତାକୁ ପସନ୍ଦ ନଥିଲା । ଘରକୁ ଫେରିବା ମାତ୍ରେ ପଚାରେ, ‘ରାସନ କାର୍ଡ ତିଆରି କରିନେଇଛ ?’ ନହେଲେ ପଚାରିବ, ‘ପାଣି କଳ ଲିକ୍ କରୁଥିଲା, ଠିକ୍ କରିଛ?’ ଇତ୍ୟାଦି । ସବୁ କାମ କରିବା ପରେ ବି ମୋର ହାତ ଗୋଡ଼ କୋଲ ମାରିଯାଉଥିଲା.. ଭୟରେ ।

ସେ ସେମତି ଥିଲା, ନା ବୋଧେ ମୁଁ ଏମିତି ହେଇଯାଇଥିଲି । କିନ୍ତୁ ତା’ର ଘରକୁ ଫେରିବା ମାତ୍ରେ ପିଲାମାନେ ବହୁତ ଖୁସିରେ ନାଚି ଉଠୁଥିଲେ ଓ ଦି’ଜଣଯାକ ଏକା ସାଙ୍ଗରେ ତା କୋଳରେ ବସିବା ପାଇଁ ବ୍ୟାକୁଳ ହେଉଥିଲେ । କେବେ କେବେ ତ ପୁଅ ନିଜ ବାପକୁ ମୋ ବିଷୟରେ ଅଭିଯୋଗ କରିବସେ, ‘ପାପା ଆଜି ମା’ ମୋତେ ଚାପୁଡ଼ା ମାରିଲା, ମୋ ହାତରୁ କ୍ଷୀର ଗ୍ଳାସ ଖସିପଡ଼ିଲା ତ ମା’ ମୋତେ ମାରିଲା । ଏମିତି କହି କହି ଡ଼ିଆଁଟେ ମାରି ତା’ କୋଳରେ ଚଢି ଯାଉଥିଲା । ସେତେବେଳେ ମୋ ମନରେ ଗଭୀର କୋହର ତରଙ୍ଗ ଖେଳିଯାଉଥିଲା । ମୋତେ ଲାଗୁଥିଲା ପିଲାଙ୍କୁ ବି ସେ ନିଜ ହାତକୁ ନେଇଯାଇଛି, ପିଲାମାନେ ବି ଡ଼େଇ ଡ଼େଇ ଖୁବ୍ ଉତ୍ସୁକତାର ସହ ତା ସଙ୍ଗେ ହିଁ ମିଶୁଥିଲେ । କିନ୍ତୁ ପରେ ମୁଁ ନିଜକୁ ନିଜେ ଗାଳି ଦେଉଥିଲି । ମୋ ପାଇଁ ନ ହେଲା ନାଇଁ ,ପିଲାମାନଙ୍କ ପାଇଁ ତ ସେ ଭଲ । ପିଲାମାନେ ତ ନିଜ ବାପାଙ୍କୁ ଭଲ ପାଉଛନ୍ତି । ଯଦି ତା’ ଘରକୁ ଫେରିବା ପରେ ତାକୁ ଡରିକି ଲୁଚିି ଯାଉଥାନ୍ତେ ତା’ ହେଲେ କ’ଣ ଭଲ ହୁଅନ୍ତା ?

କିନ୍ତୁ ତା ଆଖି ବନ୍ଦ କରିବା ପରେ, ଏହି କାହାଣୀର ମଧ୍ୟ ଅନ୍ତ ଘଟିଲା । ତା’ପରେ ତ ଭିନ୍ନ ଏକ ଭଉଁରୀରେ ପଡ଼ି ମୁଁ କ’ଣ କରୁଥିଲି କ’ଣ ନାଇଁ ମୋର କିଛି ହୋସ ନଥିଲା । କିନ୍ତୁ ଧିରେ ଧିରେ ମୁଁ ଏହି ନୂତନ ପରିସ୍ଥିିତି ସହିତ ପରିଚିତ ହେବାକୁ ଲାଗିଲି, ନିଜକୁ ସମ୍ଭାଳି ନେଲି । ଦିନେ ମୋ ଶ୍ୱଶୁର ତା’ର ଏକ ବଡ଼ ଫଟୋ ଆମ ଘରର ଏକ ପ୍ରକୋଷ୍ଠର କାନ୍ଥରେ ଟାଙ୍ଗିଦେଲେ । ସେଥିରେ ସେ ହସୁଥିଲା । ତାକୁ ଦେଖିବା ମାତ୍ରେ ମୋର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଥରିବାକୁ ଲାଗିଲା । ମୋ ମନରେ ତୋଫାନ ଉଠିଲା ଆଉ ମୁଁ ନିଜ ଆୟତ୍ତ ବାହାରକୁ ଚାଲିଗଲି ଯେମିତିି । ଦୁଇ ପିଲା ନିଜ ପିତାଙ୍କର ଚେହେରା ଚିହ୍ନିପାରି ଦୌଡ଼ି ଆସି ଚିତ୍ର ସାମ୍ନାରେ ଛିଡ଼ା ହେଇଗଲେ । ମୁଁ ଭାବିଲି, ସେମାନେ କାନ୍ଦିବା ଆରମ୍ଭ କରିଦେବେ, କିନ୍ତୁ ସେମାନେ ବହୁତ ଖୁସି ଥିବା ଜଣାପଡ଼ୁଥିଲେ । ମୋତେ ଲାଗିଲା ଯେମିତି ସେ ଘରକୁ ଫେରି ଆସିଛି ଆଉ ତା’ର ଆସିବା ମାତ୍ରେ ଘର ପୁଣି ଭରି ଉଠିଛି ।

ଫଟୋ ଟଙ୍ଗାଇ ସାରିବା ପରେ ମୋ ଶ୍ୱଶୁର ରଙ୍ଗୀନ ରେଶମ ସୂତାରେ ତିଆରି ଏକ ମାଳା ଫଟୋରେ ଝୁଲାଇ ଦେଲେ । ମାଳାଟି ଟଙ୍ଗାଯିବା ପରେ ଲାଗିଲା ଯେମିତି ସେ ପୁଣି ଦୂରକୁ ଚାଲିଗଲା ଏବଂ ଦୂରରୁ ହିଁ ମୋତେ ଦେଖିକରି ହସୁଥିଲା । ଘର ପୁଣି ଖାଲି ହେଇଗଲା । ସେ ଦିନ ମୋ ମନର ଅବସ୍ଥା ବଡ଼ ବିଚିତ୍ର ଥିଲା । ବର୍ଷ ବର୍ଷ ତଳର ପୁରୁଣା ସ୍ମୃତି, ମନର କୌଣସି ଗହ୍ୱରରେ ଶୋଇଯାଇଥିବା ଭାବନାସବୁ ପୁଣି ଉଜ୍ଜୀବିତ ହୋଇଉଠିଲା । ଫଟୋ ଟାଙ୍ଗିବାର କିଛି ସମୟ ପରେ ମୋ ଶ୍ୱଶୁର ଚାଲିଗଲେ । କୌଣସି ଜିନିଷ ବିକିବା ବିଷୟରେ ସେ କହୁଥିଲେ କିନ୍ତୁ ମୁଁ ଠିକ୍ ଶୁଣିପାରିନଥିଲି । ମୁଁ ସାରା ଦିନ ସେ ଫଟୋଚିତ୍ର ନିକଟରେ ଏପଟ ସେପଟ ହେଲି । କେତେ ପ୍ରକାରର ଭାବନା, ପରସ୍ପର ବିରୋଧି, ମୋ ମନକୁ ମନ୍ଥନ କରିବାକୁ ଲାଗିଲେ ।

ସେ ଦିନ ରାତିରେ ପିଲାମାନେ ଶୋଇଗଲେ, କିନ୍ତୁ ମୁଁ ବହୁତ ସମୟ ଯାଏ କେବଳ କଡ଼ ଲେଉଟାଉ ଥିଲି । ଯେବେ ବାହା ହେଇ ଆସିଲି, ମୋ ସ୍ୱାମୀ ମୋତେ ଭଲ ଲାଗିଥିଲେ; ଗୋରା, ସୁକୁମାର । କିନ୍ତୁ ଏହା ମାତ୍ର ଗୋଟିଏ କ୍ଷଣର ଅନୁଭବ ହେଇଥିବ । ସେ ଆମର ପ୍ରକୋଷ୍ଠରେ ଯୌତୁକ ଜିନିଷପତ୍ର ସଜାଡ଼ି ରଖୁଥିଲା ଆଉ ଜିନିଷପତ୍ର ରଖୁଥିବା ସମୟରେ ସେ ଲେଉଟି ପଡ଼ି ମୋ ଆଡ଼କୁ ପ୍ରଥମ ଥର କରି ଦେଖିଲା ଆଉ ହସିଦେଲା । ତା’ର ଚେହେରାରେ ସେଦିନ, ସେମିତି ହସ ଥିଲା ଯେମିତି ଏ ଫଟୋରେ ତା ଓଠରେ ଖେଳୁଛି । ସେତେବେଳେ ସେ ମତେ ଭଲ ଲାଗିଥିଲା । ଗୋରା, ସୁକୁମାର । ଏମିତି ଭାବନା ଅନେକ ଥର ମୋ ମନକୁ ଝଙ୍କୃତ କରିଛି ଯେବେ ଯେବେ ସେ ଏମିତି ହସିଦିଏ ।

ଦିନେ ପୂର୍ଣ୍ଣମୀ ରାତିରେ ଛାତ ଉପରେ ଶୋଇ ସେ କିଛି କହିଥିଲା ଆଉ ହସିଦେଇଥିଲା । ସେ ଦିନ ବି ସେ ମୋତେ ବହୁତ ଭଲ ଲାଗିଥିଲା । ତା’ପରେ କେଜାଣି ସେ ମୁହୂର୍ତ୍ତସବୁ କେଉଁଆଡ଼େ ଉଭେଇ ଗଲା । ଗୃହସ୍ଥୀର ଚକ ଗଡ଼ି ଚାଲୁଥିଲା ଓ ଆମେ ଦୁହେଁ ପରସ୍ପରଠାରୁ ଦୂରେଇ ଯାଉଥିଲୁ । କ୍ଷଣିକର ଏହି ପ୍ରତିକ୍ରିୟା କ’ଣ ତା ପ୍ରତି ମୋ ପ୍ରେମ ଥିଲା ? ଶେଷ ଆଡ଼କୁ ମୁଁ ତାକୁ ଡରିବାକୁ ଲାଗିଲି, ଘୃଣା ମଧ୍ୟ କରିବାକୁ ଲାଗିଥିଲି । କ’ଣ ଏହି କାରଣ ଯୋଗୁଁ ମୁଁ ତା’ର ଫଟୋଚିତ୍ର ଦେଖି ମୁହୂର୍ତ୍ତକ ପାଇଁ ଭାବପ୍ରବଣ ହୋଇପଡ଼ିଲି? ପ୍ରଥମ ଦିନର ସେଇ ଆକର୍ଷଣ କ’ଣ ମରି ନଥିଲା । କ’ଣ କେବେ କୌଣସି ଭାବନା ମରେନି ? କେବଳ କିଛି ସମୟ ପାଇଁ ଦବିଯାଏ, ପୁଣି ବେଳ କାଳ ଦେଖି ମନକୁ ଆନ୍ଦୋଳିତ କରେ । କ’ଣ କାହାର ମୃତ୍ୟୁ ପରେ ବି ସୁପ୍ତ ସେଇ ପ୍ରେମ ପୁଣି ଚେଇଁ ଉଠେ ? କ’ଣ ଏଇଥି ପାଇଁ ସବୁ ମୃତ ବ୍ୟକ୍ତି ନିର୍ଦ୍ଧୋଷ ଲାଗନ୍ତି ? ମୃତ୍ୟୁର ବିକଟାଳ ଶକ୍ତି ଆଗରେ ସବୁ ମଣିଷ , କେତେ ନିରୀହ, ନିର୍ଦୋଷ ଆଉ ନିଃସହାୟ ଲାଗନ୍ତି । ମୁଁ କିଛି ଜାଣେନି, କିଛି ବୁଝେନି କିନ୍ତୁ ଫଟୋ ଲାଗିବା ପରେ ସେ ମୋତେ ଭଲ ଲାଗିଲା । ସେ ଥିଲା, ତ ଘର ଥିଲା, ପରିବାର ଥିଲା, ଗୃହସ୍ଥୀ ଥିଲା । ଏବେ ସିଏ ନାହିଁ ତ କିଛି ନାହିଁ । ପିଲାମାନେ ଥିଲେ ବି ଘର ଖାଁ ଖାଁ ଲାଗୁଛି । କ’ଣ ଆଶ୍ରୟ ଏବଂ ନିଜ ଆବଶ୍ୟକତାର ନାମ ହିଁ ପ୍ରେମ ?

ଚିତ୍ରଟି ଲାଗିଯିବା ପରେ ଘରର ବାତାବରଣ କିଛିଟା ହାଲାକା ହେବାରେ ଲାଗିଲା । ବିଶେଷ କରି ପିଲାମାନଙ୍କ ପାଇଁ । ସେହି ବାଟ ଦେଇ ଯିବା ଆସିବା ସମୟରେ ଫଟୋକୁ ଦେଖନ୍ତି, ତା ସଙ୍ଗେ କଥା ହୁଅନ୍ତି, ତାକୁ ନିଜର ସାରାଦିନର କାର୍ଯ୍ୟବଳୀ ସମ୍ପର୍କରେ ସୂଚନା ଦିଅନ୍ତି । ତା ସାମ୍ନାରେ ନୂଆ ନୂଆ ଖେଳ ଖେଳନ୍ତି ।

ଦିନେ ବହୁତ ଥକ୍କା ହେଇ ମୁଁ ଘରକୁ ଫେରିଲି ତ ଦେଖିଲି ନଲୀନ ଫଟୋ ସାମ୍ନାରେ ଠିଆ ହେଇ ମୋ ବିରୁଦ୍ଧରେ କିଛି କହୁଥିଲା ।

‘ପାପା ! ଆଜି ମା’ ମତେ ରୁଟି ଦେଲାନି । ମୋତେ ବହୁତ ଭୋକ ଲାଗୁଥିଲା । ତମେ ମା’କୁ ଗାଳିଦେବ । ମା’ ଜମା ଭଲ ନୁହଁ । ପାପା ! ତୁମେ ଭଲ ।’

ମୁଁ ଦୌଡ଼ି ଯାଇ ପୁଅକୁ କୁଣ୍ଡେଇ ପକେଇଲି । ମୁଁ ତା’ ଚେହେରାକୁ ଦେଖିଲି ତ ସେ ଆଖିରେ କେମିତି ଅଲଗା ପ୍ରକାରର ଭାବ ଥିଲା, ଭୋକ ହେତୁ ବଡ଼ ବଡ଼, ବିଷ୍ପାରିତ, ଏକ ବିଦ୍ରୋହୀର ଚାହାଣୀ । ସେ ମୋ ଆଡ଼େ ଅନେଇଲା । ମୋତେ ଲାଗିଲା ସେ ମୋତେ ନ ଦେଖି ମୋର ଚିତ୍ରକୁ ଦେଖୁଛି ଯେମିତି ।

ମୁଁ ତାକୁ କୋଲେଇ ନେଇ ଚୁମ୍ବନ ଦେଲି ତ ସେ କହିଲା, ‘ତମେ ମତେ ଏଇଥିପାଇଁ ଚୁମା ଦେଉଛ ନା, ଯେମିତି ମୁଁ ପାପାଙ୍କୁ ତୁମ ବିରୁଦ୍ଧରେ କିଛି ନ କୁହେ । କିନ୍ତୁ ତୁମେ ଭଲ ନୁହଁ । ପାପା ଭଲ ।’

‘ନା ! ନା! ତୁ ଆପତ୍ତି କର ଯେତେ ମନ ଯେତେ କର । ମୁଁ ସତରେ ଖରାପ ।’

କିନ୍ତୁ ସେତିକିରେ କଥା ସରିଲାନି । ମୋର ଶ୍ୱଶୁର ଘରେ ଥିବା ପୁରୁଣା ରେଫ୍ରୀଜରେଟରଟି ବିକିବା ପାଇଁ ନିଷ୍ପତ୍ତି ନେଇସାରିଥାନ୍ତି । ଏକ ବ୍ୟକ୍ତି ସାଙ୍ଗେ କଥା ବି ଚୂଡ଼ାନ୍ତ କରିସାରିଥାନ୍ତି । ରେଫ୍ରୀଜରେଟର ପରେ ଘରେ ଥିବା ଛୋଟ ପଲଙ୍କ, ଦରି, ଟେବୁଲ ଓ ଚେୟାର ଇତ୍ୟାଦି ବିକିବା ପାଇଁ ମଧ୍ୟ ଯୋଜନା କରିସାରିଥାନ୍ତି । ତା’ପରେ ଏ ଘରଟି ଭଡ଼ାରେ ଲଗାଇ ଆମ ସମସ୍ତଙ୍କୁ ନିଜର ଦୁଇ କୋଠରୀ ବିଶିଷ୍ଟ ଘରକୁ ନେଇଯିବା ପାଇଁ କହୁଥିଲେ ।

ସେ ଦିନ ରାତିରେ ମୋ ମନରେ ତୀବ୍ର ଏକ କୋହ ଉଠିଲା । ତାହାର ମୃତ୍ୟୁ ପରେ ବି ସେ ଭଲ, ଆଉ ମୁଁ ବାର ଦୁଆର ହେଇ ମଧ୍ୟ ଖରାପ । ସେ ବଞ୍ଚିଥିବାବେଳେ ପିଲାମାନଙ୍କୁ ଏମିତି ନିଜ ହାତରେ ରଖିଥିଲା ଯେ, ମୃତ୍ୟୁ ପରେ ବି ସେମାନେ ତା’ ସଙ୍ଗେ ଅଛନ୍ତି, ଆଉ ତାକୁ ହିଁ ଭଲ ବୋଲି ମାନନ୍ତି । ସେ ଚାଲିଯିବା ପରେ ପିଲାମାନେ ତା’ ସହିତ ମୋତେ ତୁଳନା କରୁଛନ୍ତି । ଏହି ଚିନ୍ତା ମୋ ମନକୁ ଏମିତି ଆନ୍ଦୋଳିତ କଲା ଯେ ମୁଁ ଛଟପଟ ହେଲି । ମୋ ମନ ଆକାଶରେ ସତେ କି ପୁଣି କଳା ବାଦଲ ଘୋଟେଇ ଆସିଲା । ମୁଁ ପୁଣି ଯେମିତି ଏକ ଗଭୀର କୂଅ ଭିତରକୁ ଖସି ପଡ଼ୁଥିଲି ।

ସେଦିନ ପରେ ଯେବେ ବି ମୁଁ ନଳୀନକୁ ତା’ ପିତାର ଫଟୋ ଚିତ୍ର ସାମ୍ନାରେ ଛିଡ଼ା ହେଇଥିବାର ଦେଖେ ତ ମୋ ମନରେ ଯେମିତି କଣ୍ଟା ଫୋଡ଼ିହେଇଯାଏ । ସେ ନିଶ୍ଚୟ ତା’ ସାମ୍ନାରେ ମୋ ବିଷୟରେ ଖରାପ କିଛି କହୁଥିବ । ଘର ଥିଲା ବେଳେ ସବୁ ସମୟ ମୋ ମନଧ୍ୟାନ ଥାଏ ନଲୀନ ଆଉ ତା’ ଭଉଣୀ ପାଖେ । ମୁଁ କାନେଇ ଥାଏ, ଚେଷ୍ଟା କରୁଥାଏ ଜାଣିବାକୁ ଯେ ସେମାନେ ତାଙ୍କ ପାପାଙ୍କୁ ମୋ ବିଷୟରେ କ’ଣ କହୁଛନ୍ତି, ମୋ ବିଷୟରେ କ’ଣ ଆପତ୍ତି ଅଭିଯୋଗ ବାଢୁଛନ୍ତି । ଭାଇ ଭଉଣୀଙ୍କ ଭିତରେ କ’ଣ ଫୁସଫାସ୍ ହେଉଥିବା ଦେଖିଲେ ମୁଁ ସଜାଗ ହେଇଯାଏ କି ଏମାନେ ମୋ ବିଷୟରେ କ’ଣ କଥା ହେଉଛନ୍ତି କି?

ପର ଦିନ ସକାଳେ ସୁଟ-ବୁଟ ପରିହିତ ବ୍ୟକ୍ତି ଜଣେ ଫ୍ରିଜ ନେବା ପାଇଁ ପହଞ୍ଚିଲା । ବାହାରେ ଏକ ଟ୍ରକ ଛିଡା ହେଇଥିଲା । ଆଉ ସେ ବ୍ୟକ୍ତି ଜଣକ ନିଜ ସାେଙ୍ଗ ଦୁଇ-ତିନି ଜଣ ଲୋକଙ୍କୁ ନେଇ ଘର ଭିତରକୁ ପ୍ରବେଶ କଲା । ମୁଁ ସେତେବେଳକୁ ଫ୍ରିଜକୁ ଧୁଆଧୁଈ , ପୋଛା ପୋଛି କରି ସାରି ବସିଥିଲି । ମୂଲିଆମାନେ ଫ୍ରିଜକୁ ମୋଟା ଦଉଡ଼ିରେ ବାନ୍ଧିବାକୁ ଲାଗିଲେ । ବାରଣ୍ଡାରେ ଛିଡ଼ା ହେଇଥିବା ନଲୀନ ହଠାତ୍ କାନ୍ଦି ଉଠିଲା । ଫ୍ରିଜଟି ବିକ୍ରିହେବାକୁ ନେଇ ମୁଁ ଦୁଃଖିତ ଥିଲି କିନ୍ତୁ ଶ୍ୱଶୁରଙ୍କ ନିର୍ଣ୍ଣୟ ଆଗରେ ମୁଁ କିଛି କହିପାରୁନଥିଲି । ଯେତେବେଳ ମୂଲିଆମାନେ ଫ୍ରିଜଟିକୁ ଉଠାଇଲେ, ନଲୀନ ଦୁଇ ହାତ ଲମ୍ବାଇ ଦୁଆର ମଝିଆ ମଝି ଏରୁଣ୍ଡି ବନ୍ଧରେ ଛିଡ଼ା ହେଇଗଲା ।

‘ଏଇଟା ପାପାଙ୍କର’ ।

ମୂଲିଆମାନେ ଟିକେ ହଡ଼ବଡ଼େଇ ଗଲେ କିନ୍ତୁ ହସିଦେଲେ ।

ମୁଁ ଦେଖିଲି ନଲୀନର ଚେହେରା ଲାଲ ପଡ଼ିଯାଇଥିଲା ।

‘ଏହି ଫ୍ରିଜ ପାପାଙ୍କର’ , ସେ ପୁଣି ଚିତ୍କାର କଲା । କିନ୍ତୁ ତଥାପି ଯେବେ ମୂଳିଆମାନେ ଫ୍ରିଜକୁ ଉଠାଇ ନେଇଯିବାକୁ ବସିଲେ ନଲୀନ ଦୌଡ଼ି ଯାଇ ନିଜ ପିତାଙ୍କ ଫଟୋ ଚିତ୍ର ଆଗରେ ଛିଡ଼ା ହେଇ ଚିତ୍କାର କରି କହିଲା, ‘ଦେଖ ପାପା, ମା ତୁମର ଫ୍ରିଜକୁ କାହାକୁ ଦେଇ ଦେଉଛନ୍ତି । ଦେଖ, ଦେଖ ସେମାନେ ତାହାକୁ ନେଇଯାଉଛନ୍ତି ।’ ଆଉ ପୁଣି ଗୋଟିଏ ଡ଼ିଆରେ ଆସି ଦୁଆର ମଝିଆ ମଝି ଛିଡ଼ା ହୋଇଗଲା ନିଜ ଦୁଇ ହାତ ମେଳାଇ, ରାସ୍ତା ବନ୍ଦ କରି ।

‘ମୁଁ ଏହାକୁ ନେଇଯିବାକୁ ଦେବି ନାହିଁ, ଏଇଟା ପାପାଙ୍କର’, ସେ ପାଗଳ ଭଳି ଚିତ୍କାର କରିବାକୁ ଲାଗିଲା ।

ମୋ ଭିତରେ ଝଡ଼ ଉଠିଲା । ଗୋଟିଏ ପଟେ ବିବଶତା, ଅନ୍ୟ ପଟେ ହୃଦୟ ଛିନ୍ନଭିନ୍ନ କରୁଥିବା କ୍ରୋଧ, ଫ୍ରିଜ ନ ବିକିବି ତ ଘର ଚଳାଇବା ପାଇଁ ଟଙ୍କା କେଉଁଠୁ ପାଇବି ? ମୋର ବା ସାମର୍ଥ କେତେ ? ଏଥର ମୁଁ ବି ଚିତ୍କାର କଲି ନଲୀନ ଉଦ୍ଧେଶ୍ୟରେ, କହିଲି-’ନଲୀନ ଉଠିଯା, କ’ଣ କରୁଛୁ ତୁ, ସେମାନଙ୍କୁ ନେଇଯିବାକୁ ଦେ ।’

‘ନା, ଏଇଠା ତୁମର ନୁହେଁ, ପାପାଙ୍କର, ମୁଁ ନେଇଯିବାକୁ ଦେବି ନାହିଁ ।’

‘ଉଠୁଛୁ ନା ଦେଖିବୁ’, ମୁଁ ଚିତ୍କାର କଲି ଆଉ ତା’ ହାତ ଧରି ଟାଣିଆଣିଲି ।

ନଲୀନ ଯଦି ପାରିଥାନ୍ତା ତ ମୋ ହାତକୁ କାମୁଡ଼ି ଦେଇଥାନ୍ତା । ରାଗରେ ତା’ର ଚେହେରା ଲାଲ ହୋଇ ଉଠୁଥିଲା । ଆଉ ଆଖି କେମିତି କେମିତି…. ।

‘ତୁମେ ଖରାପ, ତୁମେ ପାପାଙ୍କର ଫ୍ରିଜ ଦେଇଦେଲ ।’ ତା’ପରେ ସେ ହାତ ଗୋଡ଼ ଛାଟିବାକୁ ଲାଗିଲା, ମୋ ଲୁଗା ଭିଡ଼ିଲା, ମୋତେ ଧକ୍କା ଦେବାକୁ ଲାଗିଲା ।

‘ଚୁପ ରହ ନଲୀନ, ଚୁପ ରହ । ମୋତେ ଛାଡ଼ ।’

କିନ୍ତୁ ସେ ପାଗଳପ୍ରାୟ ଚିତ୍କାର କରୁଥିଲା ଆଉ ମୋତେ ପଛକୁ କାନ୍ଥ ଆଡ଼କୁ ପେଲିବାକୁ ଲାଗିଥିଲା ।

‘ତମେ ଖରାପ..ଖରାପ । ପାପା ଭଲ ।’

ମୁଁ ମୋ ଦୁଇ ହାତରେ ତାକୁ ଭିଡ଼ିଧରି ଠେଲି ଠେଲିି ଭିତର କୋଠରୀକୁ ନେଇଗଲି ।

‘ଆ ତ, ମୁଁ ତତେ କହିବି ମୁଁ ଭଲ ନା ଖରାପ ।’

ବାଟରେ ଫଟୋଚିତ୍ର ସାମ୍ନା ଦେଇ ଗଲା ବେଳେ ସେ ଚିତ୍କାର କଲା-

‘ଦେଖ ପାପା, ମା’ ମୋତେ ପିଟୁଛି । ମା’ ତୁମର ଫ୍ରିଜ କାହାକୁ ଦେଇଦେଲେ ।’

ଏକଥା ଶୁଣିବା ମାତ୍ରେ ମୁଁ ଏତେ ଡ଼ରିଗଲି ଯେ ଅବଶ ହେଇପଡ଼ିଲି । ମୋ ହାତଗୋଡ଼ରୁ ସବୁ ଶକ୍ତି ଯେମିତି କୁଆଡ଼େ ଉଭେଇ ଭଲା । ତଥାପି ମୁଁ ନଲୀନକୁ ଛାଡ଼ିଲିନି ଆଉ ଘୋଷାଡ଼ି ଘୋଷାଡ଼ି ଭିତର ରୁମକୁ ନେଇ ତା ଖଟ ଉପରେ ବସେଇ ଦେଇ କହିଲି, ‘ଏଇଠି ବସିବୁ, ଖବରଦାର ଯଦି ବାହାରକୁ ଯିବୁ ତ..’ । ବାହାରକୁ ଆସି ଶିକୁଳି ପକାଇଦେଲି । ବୈଠକଖାନାକୁ ଫେରିବା ବେଳକୁ ମୋ ସାରା ଦେହ ଜଡ଼ସଡ଼ । ଭୀଷଣ ନୈରାଶ୍ୟ ଓ ତତ୍ଜନିତ କ୍ଳାନ୍ତିରେ ଭାରାକ୍ରାନ୍ତ ମୋ ଦେହକୁ କାନ୍ଥରେ ଆଉଜେଇ ମୁଁ ଠିଆ ହେଇରହିଲି ।

‘ଏବେ କ’ଣ ହେବ?’ ମୁଁ ଗୁଣଗୁଣେଇଲି, ‘ହେଁ ଭଗବାନ ମୁଁ ଏବେ କ’ଣ କରିବି ?’

ସେ ଦିନ, କମଳା ଡରି ଡରି ଘରର ଭିତର ଦୁଆର ପାଖରେ ଛିଡ଼ା ହେଇ ରହିଲା । କମଳାକୁ ୧୧ ବର୍ଷ । ସେ ସମୟରେ କମଳା ବି ଯେମିତି ଗୋଟେ ଅବିଶ୍ୱାସ ଭରା ନଜରରେ ମୋତେ ଦେଖୁଥିଲା ।

ସେପଟେ ଶ୍ୱଶୁରଙ୍କ ଶବ୍ଦବାଣର ତୀକ୍ଷତା ତ ଏପଟେ ପିଲାଙ୍କର ବ୍ୟବହାର । ସେ ଚାଲିଗଲା, ଏଥିରେ ମୋର ବା କ’ଣ ଦୋଷ ! ତା’ ଜାଗାରେ ମୁଁ ଚାଲିଯାଇଥାନ୍ତି ଭଲ ହେଇଥାଆନ୍ତା । ମୋତେ ଲାଗିଲା ଯେମିତି କମଳା ମୋ ଆଡ଼େ ଡର ଆଉ ଉପେକ୍ଷାର ନଜରରେ ଦେଖୁଛି । ତା’ ଆଖିରେ ମୋତେ ବିଦ୍ରୋହ ତଥା ଅବାଧ୍ୟତା ଆଭାସ ଦିଶୁଥିଲା । ସେମିତି ସେ କିଛି କହିବାକୁ ଚାହେଁ । କିନ୍ତୁ କହିପାରୁନାହିଁ । ତା’ପରେ ସେ ବୁଲି ପଡ଼ି ରୋଷେଇ ଘର ଆଡ଼େ ଚାଲିଗଲା ଆଉ ମୋରେ ପଛ କରି ଛିଡ଼ା ହେଇରହିଲା । ଗୁମ, ସୁମ । ତା’ ବଞ୍ଚିଥିବା ଅବସ୍ଥାରେ ବି ଏମିତି ଦୃଶ୍ୟ ବହୁତ ଥର ହେଇଛି ।

ସେ ବହୁତ କଠୋରତାର ସହ ମୋ ଉପରେ ଗାଳି ବର୍ଷଣ କରୁଥିଲା ।

ସେତେବେଳେ ବି ପିଲାମାନେ ମୋତେ ଆଡ଼େଇ ଯାଉଥିଲେ ।

ହଠାତ୍ ମୋ ନଜର ସେ ଫଟୋଚିତ୍ରରେ ପଡ଼ିଲା ତ ମୋ ହୃଦୟ କମ୍ପି ଉଠିଲା । ଫଟୋରେ ସେ ସେମିତି ହସୁଥିଲା, ଯେମିତି ଜୀବିତବସ୍ଥାରେ ମୋର କୌଣସି କାମରେ ଅସନ୍ତୁଷ୍ଟ ହେଲେ ହସେ, ଶାଣିତ, ବିଦ୍ରୁତାତ୍ମକ । ଭୁଲ ଭଟକାକୁ ଦେଖି ହସ । ସେ କାହିଁକି ଲେଉଟି ଆସିଲା । ଇଏ କ’ଣ ଚାହେଁ ? ସେ ମୋତେ ମୋ ଅବସ୍ଥାରେ କାହିଁକି ଛାଡ଼ିଦେଉନି ? ସେ ମରିକି କି ବି କେତେ ବଳବାନ, ଆଉ ମୁଁ ଜୀବନ୍ତ ଥାଇ ବି ମୃତ ଭଳି । ସେ ଯେମିତି ମୋତେ ଦେଖି ହସି ଚାଲିଥିଲା । ପିଲାମାନଙ୍କୁ ମୋ ବିରୁଦ୍ଧରେ ପ୍ରୋତ୍ସାହିତ କରୁଥିଲା । ଆମର ସବୁ କଥା ଶୁଣୁଥିଲା ।

ସେତେବେଳେ ମୁଁ ନିଶ୍ଚୟ କଲି କି, ସେ ଫଟୋଚିତ୍ରକୁ ମୁଁ ସେ ସ୍ଥାନରୁ ହଟାଇଦେବି । ଫଟୋ ରହିବନି ତ ଘରେ ଶାନ୍ତି ରହିବ । ପିଲେ ରାଗିବେ, ଚିତ୍କାର କରିବେ, ମୋତେ ଗାଳିଦେବେ, କିନ୍ତୁ ତା’ ସାମ୍ନାରେ ଅଭିଯୋଗ ଆଦି ତ’ କରିବେନି । କିନ୍ତୁ ସେଇ ମୁହୂର୍ତ୍ତରେ ମୋତେ ମୋ ଶ୍ୱଶୁର ମନେ ପଡ଼ିଲେ ଆଉ ମୋ ଦେହ ମନ ଭୟରେ କମ୍ପିଗଲା । ତା’ ଫଟୋ ଚିତ୍ର ଉତାରି ଦେଲେ କିଏ ଜାଣେ ଶ୍ୱଶୁର କ’ଣ କଥା ଶୁଣାଇବେ ! ମୋ ହୃଦୟ ଧକ୍ ଧକ୍ କରି ଚାଲିଲା । କିନ୍ତୁ ମୁଁ ଧିରେ ଧିରେ ଚାଲି ଚାଲି ଫଟୋ ଚିତ୍ର ଟଙ୍ଗା ହେଇଥିବା କକ୍ଷରେ ପହଞ୍ଚିଲି । ମୋ ପିଲା ଦୁଇଜଣଯାକ ଚୁପ୍ ଚାପ୍ ଶୋଇପଡ଼ିଥିଲେ ।

ମୁଁ କୋଠରୀ ଭିତରକୁ ପ୍ରବେଶ ତ କଲି, କିନ୍ତୁ ଫଟୋ ଚିତ୍ର ଆଡ଼େ ଦେଖିଲି ନାହିଁ । ମୁଁ ସେଇଟିକୁ ସେ ଜାଗାରୁ ଉଠାଇନେବା ପାଇଁ ଚିନ୍ତା କରୁଥିଲି, ସେଇ କ୍ଷଣ ବାହାରେ କାହାର ଆସିବାର ଶବ୍ଦ ଶୁଣାଗଲା । ମୁଁ ବୁଲି ପଡ଼ି ଦେଖିଲି ଶ୍ୱଶୁର ଆସୁଥିଲେ । ମୁଁ ଡରି ଗଲି । କ’ଣ ଶ୍ୱଶୁର ଜାଣିପାରିଲେ କି ମୁଁ ଫଟୋ ଚିତ୍ର ଉତାରି ଦେବାକୁ ଯାଉଥିଲି ବୋଲି ? ସେ ବାଡ଼ିଟିଏ ଧରି ଜୋତା ଠକ୍ ଠକ୍ କରି ସବୁଦିନ ସକାଳୁ ସକାଳୁ ପହଞ୍ଚିଯାଉଥିଲେ ଆଉ ତା’ପରେ ମୁଁ ତାଙ୍କ ସଙ୍ଗେ ବାହାରିଯାଉଥିଲି, ସହରର ଗଳି କନ୍ଦି ସବୁ ଘୁରିବୁଲୁଥିଲି, ଯେମିତି ଉଦ୍ଧେଶ୍ୟହୀନ ଭାବେ ।

‘କାଲି ସକାଳେ ଏକ ଫର୍ନିଚରବାଲା ଆସିବ ।’ ସିଏ ବସୁ ବସୁ କହିଲେ । ‘କହିଛି, ଦିନ ଦଶଟା ବେଳେ ଆସିବି । ଟେବୁଲ, ଚେୟାର, ଆଉ ବଡ଼ ଆଲମିରା ତାକୁ ଦେଇଦେବ ।’

କ’ଣ ହେଲା କେଜାଣି ମୋତେ, ମୁଁ ତେଜି ଉଠିଲି- ‘ନା ..ମୁଁ କିଛି ବି ବିକିବିନି । ମୋ ମୁହଁରୁ ଯେମିତି ହଠାତ୍ ବାହାରିଆସିଲା । ଏ କଥା କହିଲା ପରେ ମୁଁ ଏତେ ଡରିଗଲି ଯେ ପାଖରେ ପଡ଼ିଥିବା ଚେୟାରକୁ ଧରି ପକେଇଲି ।

ଶ୍ୱଶୁର ଅବାକ୍ ହେଇ ଶୁଣୁଥିଲେ । ସେ ବହୁତ ଆଶ୍ଚର୍ଯ୍ୟ ହେଇଯାଇଥିଲେ କି ମୁଁ ତାଙ୍କ ସାମ୍ନାରେ କେମିତି ଏତେ ସାହାସରେ କଥା କହିପାରିଲି । ମୋତେ ଲାଗିଲା ଏବେ ସେ ଜୋର୍‌ରେ ପାଟି କରିବେ ଆଉ ଅନ୍ତ ପ୍ରେରଣା ବଶତଃ ମୁଁ ଚେୟାରକୁ ଆହୁରି ଜୋରେ କଷିକରି ଧରି ରହିଲି । କିନ୍ତୁ ତାଙ୍କ ସ୍ୱର ଧିମା ଥିଲା ।

ତା’ହେଲେ ବୋହୁ , ଖାଇବ କ’ଣ ? ମୋ ପାଖରେ ତୁମମାନଙ୍କୁ ଖାଇବାକୁ ଦେବା ପାଇଁ ପଇସା ନାହିଁ । ତୋ ବାପଘର ଲୋକେ ବଞ୍ଚିକି ଯେତେ ମଲେ ସେତେ ।

ମୁଁ ଚୁପ୍ ଚାପ୍ ମୂର୍ତ୍ତି ଭଳି ଛିଡ଼ା ହେଇରହିଲି ।

‘ସେ ଦଶ’ଟାରେ ଆସିବ । ଟେବୁଲ ଚେୟାର, ଆଲମିରା ତାକୁ ଦେଇଦେବ ।’ ସେ ପୁଣି ଥରେ କହିଲେ ।

‘ନାହିଁ ..ମୁଁ ଦେବିନି ।’

ଏଥିରେ ସେ ଚିଡ଼ିଗଲେ । ‘ତୁ କିଏ ଫୈସଲା କରିବା ବାଲି ?’

ସେ ଚିହ୍ଳେଇଲେ , ‘ତୋ ପାଖେ ଅଛି କ’ଣ ? ଚୁପ୍ ଚାପ୍ ଜିନିଷ ପତ୍ର ବାନ୍ଧ ଆଉ ଚାଲ୍ ମୋ ସଙ୍ଗେ ।’

ମୋ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଥରିଉଠିଲା କିନ୍ତୁ ମୁଁ ତଥାପି ଚେୟାରକୁ କଷି କରି ଧରିରହିଥିଲି ।

‘ନାହିଁ ମୁଁ ଏଇଠି ରହିବି । ଏଇଠି ପିଲାମାନଙ୍କୁ ଧରି ରହିବି । ଛୋଟ-ମୋଟ କାମ ଖୋଜିନେବି ।’

ମୁଁ ଜାଣିଥିଲି ସେ ଏବେ ଛୁଞ୍ଚି ଫୋଡ଼ିବା ଭଳି କଥାମାନ କହିବେ, ଚିହ୍ଲେଇବେ, ଗାଳିଦେବେ । , କିନ୍ତୁ ତାଙ୍କ କଣ୍ଠ ପୁଣି ଧିମେଇଗଲା ।

‘ମୋ ପୁଅ ମୋ କଥା ଶୁଣିଥାଆନ୍ତା ତ ତୋ ସଙ୍ଗେ ବିବାହ ହିଁ କରିନଥାଆନ୍ତା । କଙ୍ଗାଳଙ୍କ ଝିଅ ନେଇ ଆସିଲା ।’

ଆଉ ସେ ଏମିତି ବହୁତ ସମୟ ପର୍ଯ୍ୟନ୍ତ କହିଚାଲିଲେ । ଦି’ ଛୁଆ ଉଠିକରି ଦୁଆର ପାଖେ ଠିଆ ହେଇ ଚୁପ୍ ଚାପ୍ ଆମ ଦି’ଙ୍କର କଥା ଶୁଣୁଥିଲେ । ତା’ପରେ ମୋ ଶ୍ୱଶୁର ବକ୍ ବକ୍ କରି କରି ବାଡ଼ି ଠକ୍ ଠକ୍ କରି ଦୁଆର ଆଡ଼େ ମୁହାଁଇଲେ ଆଉ ବୁଲି ପଡ଼ି କହିଲେ, ‘ଦଶ’ଟାରେ ଫର୍ନିଚରବାଲା ଆସିବ । ତାକୁ ଟେବୁଲ, ଚେୟାର ଦେଇଦେବ । ମୁଁ ତା’ ସଙ୍ଗେ କଥା ହେଇଆସିଛି ।’

ମୁଁ ଚୁପ୍ ଚାପ୍ ସେମିତି ଛିଡ଼ା ହେଇରହିଲି । ସେ ଦୁଆର ଏରୁଣ୍ଡି ବନ୍ଧ ଉପରେ ଛିଡ଼ା ହେଇ ରହିଲେ ।

ସେ ଯଦି ପାରିଥାଆନ୍ତେ ତ ବାଡ଼ିରେ ମୋ ପିଠିରୁ ଛାଲ ଉତାରି ଦେଇଥାଆନ୍ତେ । ଯିବା ପୂର୍ବରୁ ସେ ପୁଣି ଥରେ କହିଲେ ।

‘ଯଦି ନଦେବ, ତା’ହେଲେ ମୋ’ଠୁ ଭଲି ଖରାପ କେହି ହେବେନି । ମୋ’ଠାରୁ କୌଣସି ପ୍ରକାରର ସାହାଯ୍ୟର ଆଶା ରଖିବନି ।’ ଏଥିକି କହି ସେ ବାହାରକୁ ଚାଲିଗଲେ ।

ଏ ସବୁ କାହିଁକି ହେଲା । କ’ଣ ପାଇଁ ହେଲା । କେଉଁ ଆବେଗର ବଶବର୍ତ୍ତି ହେଇ ମୁଁ ଏ ସବୁ କଥା ମୋ ମୁହଁରୁ ବାହାରିଗଲା । ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି ଏତେ ବଡ଼ କାଣ୍ଡ ହେଇଯିବ ବୋଲି । ମୁଁ ତ ଫଟୋକୁ କାନ୍ଥରୁ ଓହ୍ଳାଇବା ପାଇଁ ଆସିଥିଲି । କିନ୍ତୁ ଏସବୁ କ’ଣ ହେଇଗଲା ?

ମୁଁ ରୋଷେଇ ଘରକୁ ଚାଲିଗଲି । ବହୁତ ସମୟ ପର୍ଯ୍ୟନ୍ତ ମୁଁ ଗୋଟେ କାମ ପରେ ଆଉ ଗୋଟେ କାମ କରିଚାଲିଥିଲି । କିନ୍ତୁ ଏକାଗ୍ରତା ନଥିଲା; ତେଣୁ କିଛି କାମକୁ ଠିକ୍ ଭାବେ କରିପାରୁନଥିଲି । ବେଳେବେଳେ ଶ୍ୱଶୁରଙ୍କ ପ୍ରତି ମୋର ଏଭଳି ବ୍ୟବହାର, ଏଭଳି ଧୃଷ୍ଟତାରେ ନିଜକୁ ଆଶ୍ଚର୍ଯ୍ୟ ଲାଗୁଥିଲା ତ କେତେବେଳେ ଏ ଅଜଣା ପୁଲକ ମୋ ଦେହ ସାରା ଖେଳିଯାଉଥିଲା ।

ସେତେବେଳେ ମୁଁ ପିଲାମାନଙ୍କୁ ଖୁସିରେ କଥା ହେଉଥିବାର ଶୁଣିପାରିଲି । ଦି’ଜଣ ହସୁଥିଲେ । ଫୁସ୍ ଫାସ୍ କଥା ହେଉଥିଲେ । ମୁଁ ପୁଣି ଶୁଣିଲି । ନଲୀନ ନିଜ ପିତାଙ୍କ ଫଟୋକୁ ସମ୍ବୋଧନ କରି କହୁଥିଲା ।

‘ପାପା, ମା’ ଟେବୁଲ ଆଉ ଚେୟାର ବିକିବେନି । ମା’ କହିଦେଇଛନ୍ତି । ପାପା ତୁମ ଜିନିଷ ଘରେ ହିଁ ରହିବ । ପାପା, ଜେଜେ ମା’କୁ ବହୁତ ଗାଳି ଦେଲେ କିନ୍ତୁ ମା’ ଜମା ଡରିଲାନି । ମା’ କହିଦେଇଛି ଜମା ବିିକିବନି । ଆଉ ପାପା ଆମେ ଏଇଠି ରହିବୁ । କିନ୍ତୁ ପାପା , ତୁମେ ମା’କୁ ଟଙ୍କା ବି ଦେଇ କରି ଗଲ ନାହିଁ, ମା’ ବହୁତ ଗରିବ ।’

ମୋ ସାରା ଦେହରେ ଶିହରଣ ଖେଲାଇ ଗଲା । ପ୍ରଥମେ ମୁଁ କାନ ପାତିି ନଲୀନର କଥା ସବୁ ଶୁଣୁଥିଲି ଏବେ କିନ୍ତୁ ମୁଁ ଆଉ ରହିପାରିଲିନି । ମୁଁ ରୋଷେଇ ଘରୁ ଦୌଡ଼ି ଆସି ନଲୀନକୁ କୁଣ୍ଡାଇ ଧରିଲି । ମୋ ଛାତିରେ କିଏ ଯେମିତି ହାତୁଡ଼ିରେ ପିଟୁଥିଲା ଆଉ ମୁଁ ନିଜ ଆୟତ୍ତରେ ନଥିଲି । ଦୁଇ ପିଲାଙ୍କୁ ଛାତିରେ ଜାବୁଡ଼ି ଧରି ମୁଁ ଜାଣେନି କେତେ ସମୟ ବସିରହିଲି । ଯେମିତି ଜୀବନରେ ମୁଁ ପ୍ରଥମଥର କିଛି ପାଇଯାଇଛି । ଯେମିତି ପ୍ରଥମ ଥର ମୋ ମନକୁ, ହୃଦୟକୁ ଏକ ଅପୂର୍ବ ଶାନ୍ତିର ଉପଲବଧି ହେଇଛି ।

ମୁଁ ଆଖି ଉଠାଇ ଉପରକୁ ଦେଖିଲି । ସେ ଫଟୋ ଫ୍ରେମ ଭିତରୁୁ ମୋେତ ଅନେଇ ରହିଥିଲା । ତା’ ଓଠରେ ସେହି ହସ ପୁଣି ଫେରିଆସିଥିଲା । ସେଇ ହସ ଯାହା ମୁଁ ବିବାହର ପ୍ରଥମ ଦିନ ତା’ ଓଠରେ ଦେଖିଥିଲି ।

ଲୋକପ୍ରିୟ ଲେଖା

To Top